Unknown

 

 

 

 

 

 

 

 

 

୧୪୭ ଓ ୧୪୮ତମ ସଂଖ୍ୟା କୋଣାର୍କ ୨୦୦୮

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ତ୍ରୈମାସିକ ସାରସ୍ୱତ ମୁଖପତ୍ର

 

ସୁବର୍ଣ ଜୟନ୍ତୀ ବିଶେଷ ସଂଖ୍ୟା (ପ୍ରଥମ ଭାଗ)

ଡକ୍ଟର ହୁସେନ୍ ରବିଗାନ୍ଧୀ

ସମ୍ପାଦକ

ପଣ୍ଡିତ ପଟ୍ଟନାୟକ

ସୌଜନ୍ୟ ସମ୍ପାଦକ

 

ଓଡ଼ିଶା ସାହିତ୍ୟ ଏକାଡେମୀ

 

ପ୍ରକାଶକ :

ଓଡ଼ିଶା ସାହିତ୍ୟ ଏକାଡେମୀ

 

ଏକାଡେମୀ କର୍ତ୍ତୃକ ସର୍ବସ୍ୱତ୍ୱାଧିକାର ସଂରକ୍ଷିତ । ରଚନାରେ ପ୍ରକାଶିତ ମତାମତ ଲେଖକଙ୍କ ନିଜସ୍ୱ ।

 

ସମ୍ପାଦକୀୟ

ବିଷୟ ସୂଚୀ

 

୧.

ଓଡିଶାରେ ବୌଦ୍ଧ ସଂସ୍କୃତି

ଡକ୍ଟର ନବୀନ କୁମାର ସାହୁ

 

ପ୍ରଥମ ବର୍ଷ ପ୍ରଥମ ସଂଖ୍ୟା

 

୨.

ଓଡ଼ିଶାର ନାଥ ଧର୍ମ ଓ ନାଥ ସାହିତ୍ୟ

ଅଧ୍ୟାପକ ବଂଶୀଧର ମହାନ୍ତି

 

ପ୍ରଥମ ବର୍ଷ ପ୍ରଥମ ସଂଖ୍ୟା

 

୩.

ଋଗ୍ ବେଦରେ ବରୁଣ

ଅଧ୍ୟାପକ ବେଣୀମାଧବ ପାଢ଼ୀ

 

ପ୍ରଥମ ବର୍ଷ ଦ୍ୱିତୀୟ ସଂଖ୍ୟା

 

୪.

ଓଡ଼ିଆ ପଦୀ ସାହିତ୍ୟ

ଶ୍ରୀ ବିଚ୍ଛନ୍ଦଚରଣ ପଟ୍ଟନାୟକ

 

ପ୍ରଥମ ବର୍ଷ - ତୃତୀୟ ସଂଖ୍ୟା

 

୫.

ମଧ୍ୟଯୁଗର କାବ୍ୟଦର୍ଶ

ଅଧ୍ୟାପକ କୁଳମଣି ମହାପାତ୍ର

 

ପ୍ରଥମ ବର୍ଷ - ତୃତୀୟ ସଂଖ୍ୟା

 

୬.

ଜାନକୀଶ ବିଳାସ ରାମାୟଣ

ଡକ୍ଟର ସୁଦର୍ଶନ ଆଚାର୍ଯ୍ୟ

 

ପ୍ରଥମ ବର୍ଷ ତୃତୀୟ ସଂଖ୍ୟା

 

୭.

ଦଣ୍ଡକାରଣ୍ୟର ଐତିହାସିକ ପରିଚୟ

ସତ୍ୟନାରାୟଣ ରାଜଗୁରୁ

 

ପ୍ରଥମ ବର୍ଷ – ଚତୁର୍ଥ ସଂଖ୍ୟା

 

୮.

ମହାକବି ଶ୍ରୀହର୍ଷଙ୍କ କୃତ ‘ନୈଷଧ ଚରିତ୍ର’ର ସମୀକ୍ଷା

ଶ୍ରୀ କେଦାରନାଥ ମହାପାତ୍ର

 

ପ୍ରଥମ ବର୍ଷ - ଚତୁର୍ଥ ସଂଖ୍ୟା

 

୯.

ରୀତିଯୁଗର ପୃଷ୍ଠଭୂମି

ଅଧ୍ୟାପକ ଗଙ୍ଗାଧର ବଳ

 

ଦ୍ୱିତୀୟ ବର୍ଷ – ପ୍ରଥମ ସଂଖ୍ୟା

 

୧୦.

ବୌଦ୍ଧଗାନ ଓ ଦୋହାର ଭାଷା

ଡକ୍ଟର କୁଞ୍ଜବିହାରୀ ତ୍ରିପାଠୀ

 

ଦ୍ୱିତୀୟ ବର୍ଷ – ଦ୍ୱିତୀୟ ସଂଖ୍ୟା

 

୧୧.

ପଞ୍ଚସଖାଙ୍କ ଧର୍ମ ଓ ଶୂନ୍ୟ ସାହିତ୍ୟ

ଶ୍ରୀମତୀ ସରଳା ଦେବୀ

 

ଦ୍ୱିତୀୟ ବର୍ଷ ତୃତୀୟ-ଚତୁର୍ଥ ସଂଖ୍ୟା

 

୧୨.

ଭଞ୍ଜ ସାହିତ୍ୟର ଗୋଟିଏ ଶବ୍ଦ ବିଚାର

ପ୍ରଫେସର ଗୌରୀ କୁମାର ବ୍ରହ୍ମା

 

ଦ୍ୱିତୀୟ ବର୍ଷ ତୃତୀୟ ଓ ଚତୁର୍ଥ ସଂଖ୍ୟା

 

୧୩.

ମାଦଳାପାଞ୍ଜିର ନାମକରଣ

ଅଧ୍ୟାପକ ଗଗନେନ୍ଦ୍ରନାଥ ଦାଶ

 

ତୃତୀୟ ବର୍ଷ ପ୍ରଥମ ଓ ଦ୍ୱିତୀୟ ସଂଖ୍ୟା

 

୧୪.

ଆମ ଭାଷା ଓ ସମସ୍ୟା

ଡକ୍ଟର କୃଷ୍ଣଚରଣ ବେହେରା

 

ତୃତୀୟ ବର୍ଷ ତୃତୀୟ ଓ ଚତୁର୍ଥ ସଂଖ୍ୟା

 

୧୫.

ଓଡ଼ିଆ ସାହିତ୍ୟର ବିକାଶ ଧାରା ।

ଶ୍ରୀ ସୁରେନ୍ଦ୍ର ମହାନ୍ତି

 

(ଆଧୁନିକ ଯୁଗ – ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ)

 

 

୫ମ ବର୍ଷ – ପ୍ରଥମ ସଂଖ୍ୟା

 

 

ବଜରିଦାସଙ୍କ ଅର୍ଥ ଗୋବିନ୍ଦ : ଗୀତ ଗୋବିନ୍ଦର

ପାଠ ନିର୍ଦ୍ଧାରଣ ଓ ଶ୍ଳୋକ ସଂଖ୍ୟା

ଶ୍ରୀ ଦୁଃଖିଶ୍ୟାମ ପଟ୍ଟନାୟକ

 

ପଞ୍ଚମ ବର୍ଷ - ପ୍ରଥମ ସଂଖ୍ୟା

 

୧୭.

ଓଡ଼ିଆ ଭାଷା ଓ ଓଡ଼ିଶାର କମିଶନର

ଡକ୍ଟର ନଟବର ସାମନ୍ତରାୟ

 

ପଞ୍ଚମ ବର୍ଷ - ଚତୁର୍ଥ ସଂଖ୍ୟା

 

୧୮.

ଓଡ଼ିଶାରେ ରଙ୍ଗମଞ୍ଚର କ୍ରମ ବିକାଶ

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ

 

ଷଷ୍ଠ ବର୍ଷ – ପ୍ରଥମ ସଂଖ୍ୟା

 

୧୯.

ରୋମାଣ୍ଟିକ୍ ଚେତନା ଓ ଓଡ଼ିଆ ଗୀତିକବିତା

ଜାନକୀବଲ୍ଲଭ ମହାନ୍ତି (ଭରଦ୍ୱାଜ)

 

ଷଷ୍ଠ ବର୍ଷ – ପ୍ରଥମ ସଂଖ୍ୟା

 

୨୦.

ରାଧାନାଥଙ୍କ କବିତାରେ ଚିତ୍ରକଳ୍ପ (‘ଉଷା’ ଓ ‘ଚନ୍ଦ୍ରଭାଗା’)

ଅଧ୍ୟାପକ ନିତ୍ୟାନନ୍ଦ ଶତପଥୀ

 

ପୃଷ୍ଠା ବର୍ଷ – ପ୍ରଥମ ସଂଖ୍ୟା

 

୨୧.

ଆଧୁନିକ ଉତ୍କଳୀୟ ଦୃଶ୍ୟକାବ୍ୟର କାହାଣୀ

ଅଧ୍ୟାପକ ବିନୋଦ ରାଉତରାୟ

 

ଷଷ୍ଠ ବର୍ଷ – ପ୍ରଥମ ସଂଖ୍ୟା

 

୨୨.

ଓଡ଼ିଆ ପତ୍ରପତ୍ରିକାର ଆଦିଯୁଗ

ଡକ୍ଟର ଗୋପାଳଚନ୍ଦ୍ର ମିଶ୍ର

 

ଷଷ୍ଠ ବର୍ଷ – ଦ୍ୱିତୀୟ ସଂଖ୍ୟା

 

୨୩.

ଓଡ଼ିଆ ଅନୁବାଦ ସାହିତ୍ୟ

ଶ୍ରୀ ଲକ୍ଷ୍ମୀନାରାୟଣ ମହାନ୍ତି

 

ଷଷ୍ଠ ବର୍ଷ - ଦ୍ଵିତୀୟ ସଂଖ୍ୟା

 

୨୪.

ରସକଲ୍ଲୋଳର ଶବ୍ଦାବଳୀରେ ସାମାଜିକ ଓ ସାଂସ୍କୃତିକ ସଙ୍କେତ

ଡକ୍ଟର କୃଷ୍ଣଚରଣ ସାହୁ

 

ଷଷ୍ଠ ବର୍ଷ ଦ୍ୱିତୀୟ ସଂଖ୍ୟା

 

୨୫.

ପ୍ରାଚୀନ ଓଡ଼ିଆ ସାହିତ୍ୟରେ ନୃତ୍ୟର ବର୍ଣ୍ଣନା

ଧୀରେନ୍ଦ୍ର ନାଥ ପଟ୍ଟନାୟକ

 

ଷଷ୍ଠ ବର୍ଷ - ଚତୁର୍ଥ ସଂଖ୍ୟା

 

 

***

 

ସମ୍ପାଦକୀୟ

 

ବିଗତ ପଚାଶ ବର୍ଷରୁ କିଛି ଅଧିକ କାଳ ହେବ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରତିଷ୍ଠିତ ହୋଇ ଓଡ଼ିଆ ଭାଷା-ସାହିତ୍ୟର ଅଭିବୃଦ୍ଧି ପାଇଁ ବିରାମହୀନଭାବେ କାର୍ଯ୍ୟ କରି ଚାଲିଛି ଏବଂ ସେଇ କାର୍ଯ୍ୟର ଏକ ଅଂଶସ୍ୱରୂପ ଅନୁଷ୍ଠାନର ମୁଖପତ୍ର ଭାବେ ‘କୋଣାର୍କ’ ପତ୍ରିକା ପ୍ରକାଶିତ ହୋଇ ଆସୁଅଛି । ଏହି ପତ୍ରିକା ପ୍ରକାଶ ମୂଳରେ ଉଦ୍ଦେଶ୍ୟ ଥିଲା ଯେ, ଓଡ଼ିଶା ସାହିତ୍ୟ ଏକାଡେମୀ ଗବେଷଣାଧର୍ମୀ, ମୂଲ୍ୟବୋଧଭିତ୍ତିକ ଉଚ୍ଚ ସାରସ୍ୱତ ମାନଦଣ୍ଡ ପ୍ରତିଷ୍ଠା କରିବା ପାଇଁ ନିଜର ମୁଖପତ୍ରଟିଏ ପ୍ରକାଶିତ କରିବ । ଆଜିଯାଏଁ ସାହିତ୍ୟ ଏକାଡେମୀ ଅନୁଷ୍ଠାନର ପ୍ରତିଷ୍ଠାତାମାନଙ୍କର ସେହି ଉଦ୍ଦେଶ୍ୟଟିକୁ ଅକ୍ଷରେ ଅକ୍ଷରେ ଅନୁସରଣ କରି ଏହାକୁ ଏକ ଉଚ୍ଚ ଗବେଷଣାଭିତ୍ତିକ ପତ୍ରିକାରୂପେ ପ୍ରକାଶ କରିବାକୁ ଯତ୍ନ କରି ଆସିଛନ୍ତି । ଭଲ ପ୍ରବନ୍ଧ ନ ମିଳିଲେ, ଏହାର ପ୍ରକାଶନା ଅବଧି କିଞ୍ଚିତ ବିଳମ୍ୱ ହେଉ ପଛେ, ଉଚ୍ଚ ଗବେଷଣା ଧର୍ମୀ ଲେଖା ପ୍ରକାଶ କରିବା ହିଁ କୋଣାର୍କ’ର ଧର୍ମଭାବେ ସାହିତ୍ୟ ଏକାଡେମୀ ସବୁବେଳେ ଲକ୍ଷ୍ୟରଖି ଆସିଛି ଏବଂ ସବୁବେଳେ ଉଚ୍ଚମାନର ଲେଖା ପାଇବା ସମ୍ଭବପର ହୋଇପାରୁ ନଥିବାରୁ ‘କୋଣାର୍କ’ ପ୍ରକାଶନରେ ନିୟମିତତା ରକ୍ଷା କରାଯାଇ ପାରୁନାହିଁ । ଏହା ଅନିଚ୍ଛାକୃତ ଅଟେ ।

 

ଚଳିତ ସଂଖ୍ୟାର ‘କୋଣାର୍କ’ ବିଗତ ପଚାଶ ବର୍ଷ ଧରି ଯେଉଁ କିଛି ଉଚ୍ଚକୋଟୀର ପ୍ରବନ୍ଧମାନଙ୍କୁ ନିଜ କଳେବରରେ ସ୍ଥାନ ଦେଇ ଯଶସ୍ୱୀ ହୋଇ ପାରିଛି, ତାରି ଏକ ସାର ନିର୍ଯ୍ୟାସ । ପଚାଶ ବର୍ଷର ପ୍ରକାଶିତ ପ୍ରବନ୍ଧମାନଙ୍କ ମଧ୍ୟରୁ ଉକୃଷ୍ଟରୁ ଉକୃଷ୍ଟତମ ପ୍ରବନ୍ଧଗୁଡ଼ିକୁ ଅତି ସାବଧାନତା ସହକାରେ ଚୟନକରାଯାଇ ପ୍ରକାଶିତ କରାଯାଇଛି, ‘କୋଣାର୍କ’ର ପିଛିଲା ସଂଖ୍ୟାଗୁଡ଼ିକ ସମ୍ପ୍ରତି ଦୁଷ୍ପାପ୍ୟ । ତେଣୁ ବହୁ ଅନୁଧ୍ୟାନପୂର୍ବକ ପୁରୁଣା ସଂଖ୍ୟାଗୁଡ଼ିକରୁ ଆମ ଭାଷା, ସାହିତ୍ୟ, ସଂସ୍କୃତି, ଇତିହାସ, ଜନଜୀବନ, ଇତ୍ୟାଦିର କ୍ରମବିକାଶ ସମ୍ପର୍କରେ ରଚିତ ଆମ ସାହିତ୍ୟର କିମ୍ୱଦନ୍ତୀ ପୁରୁଷମାନଙ୍କ ଦ୍ଵାରା ଶ୍ରେଷ୍ଠକୃତିଗୁଡ଼ିକ ମଧ୍ୟରୁ ବାଛିବାଛି ଏଇ ସଂଖ୍ୟା ‘କୋଣାର୍କ’ରେ ଆମେ ପୁନଃ ମୁଦ୍ରଣ କରିବାର ପ୍ରୟାସ କରିଛୁ ।

 

ଏ ସଂଖ୍ୟାରେ ସଂକଳିତ ପ୍ରବନ୍ଧମାନଙ୍କର ପ୍ରାବନ୍ଧିକଗଣ ଆମ ଭାଷା ସାହିତ୍ୟର ମୂର୍ଦ୍ଧଣ୍ୟ ସ୍ରଷ୍ଟା ଭାବେ ଚିର ସ୍ମରଣୀୟ । ଏହା ସବୁଦିନ ସାଇତି ରଖିବା ଯୋଗ୍ୟ ଏକ ସଂକଳନ ଭାବେ ଆମେ ପ୍ରକାଶ କରୁଛି । ବିଶେଷ କରି ଏବର ବଂଶଧରମାନଙ୍କ ପାଇଁ ଏହା ନିଜ ଭାଷାର ବୁନିଆଦୀକୁ ସହଜରେ ଓ କମ୍ ସମୟରେ ଚିହ୍ନିପାରିବାର ଏକ ହ୍ୟାଂଡବୁକ୍ ବା ‘ଗାଇଡ଼’ ପୁସ୍ତକ ସଦୃଶ ହୋଇ ପାରିବ ବୋଲି ଆମେ ମନେ କରୁଁ ।

 

ପଚାଶ ବର୍ଷର ଓଡ଼ିଆ ସାହିତ୍ୟର ପ୍ରତିନିଧିସ୍ତରୀୟ ପ୍ରବନ୍ଧମାନଙ୍କର ସାରାଂଶ ପ୍ରସ୍ତୁତ କରିବାବେଳେ ଆମ ମନରେ ବିଚାର ଆସିଛି ଯେ, କ’ଣ କେବଳ ଏତିକିମାତ୍ର ପ୍ରବନ୍ଧ ଆମ ସାହିତ୍ୟର ପରିଚୟର ଏକ ଝଲକ ? ଉତ୍ତର ହେଉଛି ନା । ଆହୁରି ଆହୁରି ଅନେକ ପ୍ରବନ୍ଧମାନ ରହିଯାଇଛି । ଚେଷ୍ଟା କରୁଛୁଁ ‘କୋଣାର୍କ’ର ପରବର୍ତ୍ତୀ ସଂଖ୍ୟାଟିଏରେ ମଧ୍ୟ ଏହିପରି କିଛି ଅବିସ୍ମରଣୀୟ ପ୍ରବନ୍ଧମାନଙ୍କୁ ସ୍ଥାନିତ କରି ଓଡ଼ିଶା ସାହିତ୍ୟ ଏକାଡେମୀର ସୁବର୍ଣ୍ଣ ଜୟନ୍ତୀ ବର୍ଷରେ ଆଜିର ଓଡ଼ିଆ ପାଠକମାନଙ୍କ ନିକଟରେ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଭାଷା ସାହିତ୍ୟର ପୂର୍ଣ୍ଣାଙ୍ଗ ପରିଚୟ ପ୍ରସ୍ତୁତ କରିବା ପାଇଁ ଆଶା କରୁଁ । ଏହି ଅଭିନବ ଉଦ୍ୟମଦ୍ୱାରା ‘କୋଣାର୍କ ମାଧ୍ୟମରେ ସାମ୍ପ୍ରତିକ ସମୟର ପାଠକମାନେ ଓଡ଼ିଶାର ଓ ଓଡ଼ିଆଜାତିର ସାଂସ୍କୃତିକ ଇତିହାସ, ତାର ଧାର୍ମିକ ଓ ଦାର୍ଶନିକ ଭିତ୍ତିଭୂମି, ଲୋକକଳା ଓ ଲୋକସାହିତ୍ୟ, ଆଦିକାଳଠାରୁ ଆଧୁନିକ କାଳଯାଏ ଓଡ଼ିଆ ଭାଷାର କ୍ରମବିକାଶ ଇତ୍ୟାଦି ସମ୍ପର୍କରେ ସମ୍ୟକ ସୂଚନା ଲାଭକରି ପାରିବେ । ‘କୋଣାର୍କ’ର ଏହି ସଂଖ୍ୟାରେ ପ୍ରକାଶିତ ପ୍ରବନ୍ଧଗୁଡ଼ିକ ସ୍ଵାଧୀନତା ପରବର୍ତ୍ତୀ ସମୟରେ ରଚିତ ଏବଂ ଏହାର ରଚୟିତାମାନେ ବିଂଶ ଶତାବ୍ଦୀରେ ଓଡ଼ିଆଭାଷା ସାହିତ୍ୟକୁ ଦିଗ ପ୍ରଦାନ କରି, ସ୍ୱୟଂ ଜଣେ ଜଣେ ମହାନ ଦିଗବାରେଣୀ-ଆଲୋକ-ସ୍ତମ୍ଭଭାବେ ଆମ ସାହିତ୍ୟର ମହାସାଗର ତୀରରେ ଦଂଡାୟମାନ ହୋଇ ସବୁ ଦିନପାଇଁ ଆତଯାତ କରୁଥିବା ସାରସ୍ୱତ ବୋଇତମାନଙ୍କୁ ସଠିକ୍ ମାର୍ଗ ଦର୍ଶନ କରିବା କାର୍ଯ୍ୟ କରି ଚାଲିଥିବେ । ଏହି ପ୍ରବନ୍ଧମାନଙ୍କ ସ୍ରଷ୍ଟାମାନେ ସେଥିପାଇଁ ଚିରଦିନ ଏ ଜାତି ନିକଟରେ ନମସ୍ୟ ହୋଇ ରହିଥିବେ । ମାନବଜନ୍ମ ଯେପରି ସତ୍ୟ ମୃତ୍ୟୁ ତତୋଧିକ ସତ୍ୟ । ଅଧିକାଂଶ ସ୍ରଷ୍ଟା ଇହଜଗତରେ ନଥିଲେବି, ଏହି କୃତିମାନଙ୍କ ମାଧ୍ୟମରେ ସେମାନେ ମୃତ୍ୟୁଞ୍ଜୟୀ ହୋଇ ଯାଇଛନ୍ତି । ଯେ ଯାଏଁ ଆମ ଭାଷା ବଞ୍ଚି ରହିଛି, ଯେ ଯାଏଁ, ଆମ ସାହିତ୍ୟର ସ୍ଥିତି ଦୃଢ଼, ସେ ଯାଏଁ ଏହି ସଂଖ୍ୟାରେ ପୁନଃମୁଦ୍ରିତ ପ୍ରବନ୍ଧର ସ୍ରଷ୍ଟାମାନେ ବଞ୍ଚି ରହିଥିବେ ଜାତିର ମାନସ ରାଜ୍ୟରେ ।

 

ଏହି ପ୍ରବନ୍ଧମାନଙ୍କୁ ସଂକଳିତ କରି ପୁନଃମୁଦ୍ରଣ କରିବା କାର୍ଯ୍ୟରେ ଓଡ଼ିଆ ଭାଷା-ସାହିତ୍ୟର ଜଣେ ପ୍ରଖ୍ୟାତ ଆଲୋଚକ, ସ୍ରଷ୍ଟା, ବ୍ରହ୍ମବାଦୀ ତଥା ପଣ୍ଡିତ ଶ୍ରୀଯୁକ୍ତ ଦୁଃଖୀଶ୍ୟାମ ପଟ୍ଟନାୟକ ଅକ୍ଲାନ୍ତ ଶ୍ରମ ସ୍ୱୀକାର କରି ଆମ କାର୍ଯ୍ୟକୁ ସହଜ ଓ ସରଳ କରିଥିବାରୁ ମୁଁ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ତାଙ୍କ ନିକଟରେ କୃତଜ୍ଞ । ଏହି ସଂକଳନଟି ଯଦି ପାଠକମାନଙ୍କୁ ପସନ୍ଦ ଆସେ, ତେବେ ତାର ସମସ୍ତ ଶ୍ରେୟ ପଣ୍ଡିତ ଦୁଃଖୀଶ୍ୟାମ ବାବୁଙ୍କର ଏବଂ ସାହିତ୍ୟ ଏକାଡେମୀର । ଯଦି କେଉଁଠି କିଛି ତ୍ରୁଟି ବିଚ୍ୟୁତ ଘଟିଥାଏ, ତେବେ ସେ ସମସ୍ତ ଦୋଷ ବ୍ୟକ୍ତିଗତ ଭାବେ ମୋର ।

 

ଆଶାକରେଁ ଓଡ଼ିଶା ସାହିତ୍ୟ ଏକାଡେମୀର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଆମ ସାହିତ୍ୟର ପ୍ରେମ ଓ ପ୍ରାର୍ଥନାର ପଚାଶ ବର୍ଷ ପୂରଣ ହୋଇଛି । ଏହା ପରେ ଆରମ୍ଭ ହେବ ସଂକଳ୍ପ ଓ ପ୍ରତିଜ୍ଞାର ପଚାଶ ବର୍ଷ । ସେଇ ପଚାଶ ବର୍ଷରେ ଆମର ଆଗାମୀ ପିଢ଼ି ଆମ ଭାଷା-ସାହିତ୍ୟକୁ ବିଶ୍ଵ ଦରବାରରେ ପ୍ରତିଷ୍ଠା କରିବାର ସଂକଳ୍ପ ଓ ପ୍ରତିଜ୍ଞା କରି ଅଗ୍ରସର ହେବେ । ସେଇ ସଂକଳ୍ପ ଓ ପ୍ରତିଜ୍ଞାର ପରିପୂରକ, ଭିତ୍ତିଭୂମି ହେବ ଆଜିର ଏଇ ସଂକଳନରେ ସ୍ଥାନୀତ ମହାନ ଦିଗ୍‍ଦର୍ଶକ ସ୍ରଷ୍ଟାଙ୍କ ସୃଷ୍ଟିମାନ । ସେଇ ବିଶ୍ୱାସର ସହିତ ଏ ସଂଖ୍ୟା ସମଗ୍ର ଓଡ଼ିଆ ଜାତିର ଶ୍ରେଷ୍ଠ ଓ ଜ୍ୟେଷ୍ଠମାନଙ୍କୁ ନମସ୍କାର କରି ତଥା କନିଷ୍ଠମାନଙ୍କୁ ସ୍ନେହ ଓ ଶ୍ରଦ୍ଧାର ସହିତ ସମର୍ପଣ କରାଯାଉଛି-

 

“ବନ୍ଦେ ଉତ୍କଳ ଜଜନୀ”

(ହୁସେନ ରବିଗାନ୍ଧୀ)

 

ଓଡ଼ିଶାରେ ବୌଦ୍ଧ ସଂସ୍କୃତି

ଡକ୍ଟର ନବୀନ କୁମାର ସାହୁ, ଏମ୍.ଏ. ,ପିଏଚ୍.ଡି

 

ଭାରତୀୟ ଧର୍ମଜୀବନରେ ଅଭିନବ ସୁନ୍ଦନ

ଖ୍ରୀଷ୍ଟଜନ୍ମର ପ୍ରାୟ ‘ଛ’ ଶହ ବର୍ଷ ପୂର୍ବେ ବୁଦ୍ଧଙ୍କ ବୋଧିସତ୍ତ୍ୱଲାଭ ମାନବସଭ୍ୟତାର ଇତିହାସରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲା । ବୁଦ୍ଧ ମଧ୍ୟମା ପ୍ରତିପଦ୍‍ମୂଳକ ଯେଉଁ ନୀତି ସମ୍ବଳିତ ଧର୍ମବାଣୀ ପ୍ରଚାର କଲେ, ତାହା ମାନବ ଧର୍ମ ଓ ଦର୍ଶନକ୍ଷେତ୍ରରେ ନୂତନ ଦୃଷ୍ଟିକୋଣ ସୃଷ୍ଟି କଲା । ବୁଦ୍ଧଙ୍କ ସମସାମୟିକ ବହୁ ମନୀଷୀ ଯଥା, ପୁରାଣକାଶ୍ୟପ, କକୁଦ୍‍ଦକାତ୍ୟାୟନ, ଅଜିତକେଶ କମ୍ବଳୀ, ମଷ୍କରିନ୍ ଗୋସାଳ, ବେଳ ତଥି ପୁତ୍ର ସଞ୍ଜୟ ଓ ଜ୍ଞାଟପୁର ମହାବୀର ତାଙ୍କର ପ୍ରଚାରିତ ଧର୍ମବାଣୀର ମହନୀୟତା ସ୍ୱୀକାର କଲେ ଓ ମହାବୀର ଓ ଗୋସାଳଙ୍କ ଭିନ୍ନ ଅନ୍ୟ ସମସ୍ତେ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ । ସେତେବେଳେ ମହର୍ଷି ଭବାରୀ ଗୋଦାବରୀ କୂଳସ୍ଥ ତାଙ୍କ ଆଶ୍ରମରୁ ୧୬ ଜଣ ବିଶିଷ୍ଟ ଶିଷ୍ୟଙ୍କୁ ବୁଦ୍ଧଙ୍କ ନିକଟକୁ ପଠାଇ ଥିଲେ ତାଙ୍କର ବୁଦ୍ଧତ୍ୱର ପରିଚୟ ପାଇବା ନିମନ୍ତେ । ଏଥିରୁ ଜଣାପଡ଼େ ବୁଦ୍ଧଙ୍କ ବୋଧିଲାଭ ସେକାଳର ଭାରତୀୟ ଧର୍ମ ଜୀବନରେ ଏକ ଅଭିନବ ସୃନ୍ଦନ ସୃଷ୍ଟି କରିଥିଲା ।

 

ଉତ୍କଳ ଓ କଳିଙ୍ଗ ସ୍ପନ୍ଦିତ ହେଲା

ସେତେବେଳେ ଏହି ସ୍ପନ୍ଦନ ପହଞ୍ଚି ଥିଲା ଉତ୍କଳ ଓ କଳିଙ୍ଗରେ । ଉତ୍କଳର ଦୁଇଜଣ ସାର୍ଥବାହ ତପସ୍‍ସୁ ଓ ଭଲ୍ଲିକ ପାଞ୍ଚଶହ ଶକଟରେ ପଣ୍ୟ ଦ୍ରବ୍ୟ ଘେନି ମଧ୍ୟଦେଶକୁ ବାଣିଜ୍ୟ ଉଦ୍ଦେଶ୍ୟରେ ଯାଉଥିବାବେଳେ ବାଟରେ ଉରୁବେଳା ଜଙ୍ଗଲରେ ଭେଟିଥିଲେ ବୁଦ୍ଧଙ୍କୁ । ବୋଧିଲାଭ ପରେ ଆଠ ସପ୍ତାହ କାଳ ଉପବାସରେ ରାଜାୟତନ ବୃକ୍ଷ ତଳେ ମୁମୂର୍ଷୁ ପ୍ରାୟ ଅବଲୁଣ୍ଠିତ ହୋଇଥିବା ବୁଦ୍ଧଙ୍କୁ ସେମାନେ ଦେଇଥିଲେ ପ୍ରଥମ ଖାଦ୍ୟ – ପିଷ୍ଟକ ଓ ମଧୁ । ବୁଦ୍ଧଙ୍କ ପ୍ରଥମ ଧର୍ମବାଣୀ ବାଜିଥିଲା ସେ ଦୁହିଁଙ୍କ ପ୍ରାଣରେ । ସେ ଦୁହେଁ ହେଲେ ‘ପୃଥିବୀର ପ୍ରଥମ ବୌଦ୍ଧ’। ତପସ୍‍ସୁ କ୍ରମେ ସ୍ରୋତାପନ୍ନ ହୋଇ ଦେବାରିକ ଉପାସକରୂପେ ବୌଦ୍ଧଜଗତରେ ଖ୍ୟାତିଲାଭ କଲେ ଓ ଭଲ୍ଲିକ ବୌଦ୍ଧସଂଘରେ ପ୍ରବେଶ କରି ପରିଶେଷରେ ଅହତତ୍ତ୍ୱ ପ୍ରାପ୍ତ ହୋଇଥିଲେ । ସେକାଳରେ ପୁରାଣ କାଶ୍ୟପଙ୍କ ଅକ୍ରିୟାବାଦ ଦର୍ଶନର ପୀଠ ଥିଲା ଉତ୍କଳ ଓ ସେଠାର ବସ ଓ ଭଞ୍ଜ ଜାତି ଥିଲେ କାଶ୍ୟପବାଦର ଦୃଢ଼ ସମର୍ଥକ । ବୁଦ୍ଧ ଉତ୍କଳର ସମୀପବର୍ତ୍ତୀ ସୁହ୍ମରାଜ୍ୟର ଦେଶକ ନଗର ପର୍ଯ୍ୟନ୍ତ ଆସିଥିଲେ ମଧ୍ୟ ତାଙ୍କ ଧର୍ମନୀତିର ସୁଦୃଢ଼ ପ୍ରତିକ୍ରିୟା ଦେଖି ଉତ୍କଳ ଜନପଦକୁ ପ୍ରବେଶ କରି ନଥିଲେ । ଦେଶକ ନଗର ନିକଟସ୍ଥ ଜଙ୍ଗଲରେ ସେ ଯେଉଁ ‘ଜନପଦ-କଲ୍ୟାଣୀ ସୂତ୍ତ’ ପ୍ରଚାର କଲେ ତାହାର ପ୍ରଭାବ ଯେ ଉତ୍କଳବାସୀଙ୍କୁ ଆଲୋଡ଼ିତ କରିଥିଲା, ଏଥିରେ ସନ୍ଦେହ ନାହିଁ । କିନ୍ତୁ ସେଠାରୁ ବାହୁଡ଼ି ଯିବା ପରେ ସେ ସ୍ରାବସ୍ତୀର ଜେତ ବନଠାରେ ଯେଉଁ ‘ମହାସତ୍ତାରିସକ ସୂତ୍ତ’ ବିଶ୍ଳେଷଣ କଲେ, ତାହାର ପ୍ରଭାବରେ ଉତ୍କଳରେ କାଶ୍ୟପବାଦ ଭାଙ୍ଗି ପଡ଼ିଲା ଓ ବସ୍‍ସ ଓ ଭଞ୍ଜ ଜାତି ବୁଦ୍ଧବାଣୀର ସାର୍ଥକତା ଉପଲବ୍‍ଧି କଲେ ।

 

(୪-୧ ୧-୫୭ରେ ରେଭେନ୍‍ସା କଲେଜ ପୂର୍ବ ଛାତ୍ରାବାସରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ସାଂସ୍କୃତିକ ସଭାରେ ଦେଇଥିବା ଭାଷଣର ସାରାଂଶ ।)

 

ବୁଦ୍ଧବାଣୀରେ ଉତ୍କଳ ସହିତ ଜୈନଭୂମି କଳିଙ୍ଗ ମଧ୍ୟ ଉଦ୍‍ଭାସିତ ହୋଇ ଉଠିଥିଲା । ମହାପରିନିର୍ବାଣ ପରେ ବୁଦ୍ଧଙ୍କ ଚିତାଭସ୍ମ ନେବା ନିମନ୍ତେ ଦୂର ଦେଶରୁ ଆସିଥିବା ପ୍ରତିନିଧିଙ୍କ ମଧ୍ୟରେ ଥିଲେ କଳିଙ୍ଗର ଭିକ୍ଷୁ କ୍ଷେମା । ସେ ବୁଦ୍ଧଙ୍କର ବାମକଳ ଦନ୍ତଟିଏ ଆଣିଥିଲେ କଳିଙ୍ଗରାଜ ବ୍ରହ୍ମଦତ୍ତଙ୍କ, ଦରବାରକୁ, ଓ ରାଜଧାନୀ ଦନ୍ତପୁରରେ ଚୈତ୍ୟ ନିର୍ମାଣ କରାଯାଇ ସେଠାରେ ଆରମ୍ଭ ହେଲା ଏହି ଦନ୍ତର ପୂଜା । ଅଶୋକଙ୍କର କଳିଙ୍ଗ ଯୁଦ୍ଧବେଳେ ସେଠାରେ ବହୁସଂଖ୍ୟାରେ ବୌଦ୍ଧ ପରିବାର ବାସ କରୁଥିବା ସୂଚନା ମୌର୍ଯ୍ୟ ସମ୍ରାଟଙ୍କ ତ୍ରୟୋଦଶ ଅନୁଶାସନର ମଧ୍ୟ ମିଳେ । ତେଣୁ ଅଶୋକଙ୍କ ଆଗରୁ ଯେ କଳିଙ୍ଗରେ ବୌଦ୍ଧଧର୍ମ ବ୍ୟାପିଥିଲା, ତାହା ନିଶ୍ଚିତ ।

 

ଆସୁର ବିଜୟରୁ ଧର୍ମ ବିଜୟ

ହିମାଳୟ ଉପକଣ୍ଠର କାଲସୀଠୁ ଆରବ ସାଗର କୂଳସ୍ଥ ଗିରିନାର ଯାଏ, ପୁଣି ପାକିସ୍ତାନ ଭେଦକରି ହିନ୍ଦୁକୁଶ ସମୀପବର୍ତ୍ତୀ ସାହବଜ୍‍ଗଡ଼ି ଓ ମାନ୍‍ସହେରା ପର୍ଯ୍ୟନ୍ତ ପାହାଡ଼ଠୁ ପାହାଡ଼ ଧ୍ଵନିତ ହେଉଛି ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ କଳିଙ୍ଗ ବିଜୟର ବିଭୀଷିକା । ବଙ୍ଗୋପସାଗର ତଟରେ ଧଉଳି ବା ଜଉଗଡ଼ର ପାହାଡ଼ ପାଖରେ ସେ ଧ୍ୱନି ନୀରବ ରହିଛି – ସେଇ ଭୂଖଣ୍ଡରେ ହିଂସାର ବହ୍ନି କରାଳ ଆକାରରେ ଜଳି ନିଭି ଯାଇଥିଲା ପୁଣି ଥରେ ଆଉ ନଜଳିବା ନିମନ୍ତେ । ତେଣୁ ଧଉଳୀ ଓ ଜଉଗଡ ନୀରବ, କିନ୍ତୁ ଆଜି ସୁଦ୍ଧା କାଲସୀ-ଗିରିନାର- ମାନ୍‍ସେହେରା-ସାହବଜ୍‍ଗଡ଼ କହେ ଅଶୋକଙ୍କ ଯୁଦ୍ଧରେ ମରି ଶୋଇଥିଲେ କଳିଙ୍ଗର ଏକଲକ୍ଷ ସନ୍ତାନ, ବନ୍ଦୀ ହୋଇଥିଲେ ଦେଢ଼ଲକ୍ଷ ଯୋଦ୍ଧା ଆଉ ଯୁଦ୍ଧପର ବିଭୀଷିକାର ସମ୍ମୁଖୀନ ହୋଇ ମୃତ୍ୟୁ ଲଭିଥିଲେ ସେହି ସଂଖ୍ୟକ ନରନାରୀ । ମୌର୍ଯ୍ୟ ସମ୍ରାଟଙ୍କ ଏ ଆସୁର ବିଜୟ କରାଳତାରେ ଡେରାୟସ୍ ବା ଆଲେକ୍‌ଜାଣ୍ଡାରଙ୍କ ବିଜୟକୁ ବଳି ଯାଇଥିଲା । କିନ୍ତୁ ସେଇଥିରୁ ଜାତ ହୋଇଥିଲା ଏକ ଅପରୂପ ବିଜୟର ଚିନ୍ତାଧାରା । ତାହା ହେଉଛି ହିଂସାର ତରବାରିରେ ରାଜାରାଜୁଡ଼ାଙ୍କ ରାଜ୍ୟ ଅଧିକାର ନ କରି ପ୍ରେମରସାଣିତ ଧର୍ମରେ ମନୁଷ୍ୟର ହୃଦୟ ଜୟ କରିବା – ତାହା ଧର୍ମ ବିଜୟ ।

 

ଚଣ୍ଡାଶୋକଙ୍କୁ ଧର୍ମାଶୋକ କଲେ କିଏ ?

ଚଣ୍ଡାଶୋକଙ୍କୁ ବୁଦ୍ଧବାଣୀରେ ଉଦବୁଦ୍ଧ କରି ତାଙ୍କୁ କିଏ ଧର୍ମାଶୋକରେ ପରିଣତ କଲେ, ତାହା ଜାଣିବା ସହଜ ନୁହେଁ । ଅଶୋକଙ୍କ ବେଳେ ବୌଦ୍ଧସଂଘ ଏକ ନଥିଲା, ତାହା ଥିଲା ଅନେକ ଅନ୍ତତଃ ୧୯ ଗୋଟି ବିଭିନ୍ନ ସଂସ୍ଥାରେ ସଂଘ ପର୍ଯ୍ୟବସିତ ଥିଲା । ସେଥିରୁ ପ୍ରଧାନ ତିନୋଟି ସଂସ୍ଥା ହେଉଛି ଥେରବାଦ, ସର୍ବାସ୍ତିବାଦ ଓ ମହାସଂଘିକବାଦ । ଏ ତିନୋଟିର ଉନ୍ମତ ଧର୍ମ ସାହିତ୍ୟ ଗଢ଼ି ଉଠିଥିଲା ଖ୍ରୀଷ୍ଟପୂର୍ବ ତୃତୀୟ ଶତକ ବେଳେ । ଥେରବାଦ ସାହିତ୍ୟରୁ ମିଳେ, ଥେରବାଦୀ ନେତା ମୋଗଳୀ ପୁତ୍ର ତିସ୍‍ସ ଥିଲେ ଅଶୋକଙ୍କ ଧର୍ମଗୁରୁ ସର୍ବାସ୍ତିବାଦୀଙ୍କ ସାହିତ୍ୟ ଘୋଷଣା କରେ ଅଶୋକଙ୍କ ଧର୍ମଗୁରୁ ହେଉଛନ୍ତି ସର୍ବାସ୍ତିବାଦୀ ଆଚାର୍ଯ୍ୟ ଉପଗୁପ୍ତ; ଓ ମହାସଂଘିକମାନେ ମଧ୍ୟ ଠିକ୍ ସେଇ ସ୍ୱରରେ କହନ୍ତି ସେମାନଙ୍କ ନେତା ମହାଦେବ ହିଁ ହେଉଛନ୍ତି ଅଶୋକଙ୍କ ଧର୍ମଗୁରୁ । ଏଥିରୁ କେଉଁ କଥା ଠିକ୍ ତାହା ଆଲୋଚନା କରିବାକୁ ଯିବା ନିଷ୍ପ୍ରୟୋଜନ । ତେବେ ଏ କଥା ସତ ଯେ କଳିଙ୍ଗ ଯୁଦ୍ଧର ଠିକ ଅବ୍ୟବହିତ ପରେ ଅଶୋକ ହୋଇଥିଲେ ବୌଦ୍ଧ ଓ କଳିଙ୍ଗର ବୌଦ୍ଧ ଓ ଜୈନମାନେ ଅଗଣିତ ଦୁଃଖ ବରଣ କରି ଓ ଅକାତରରେ ରକ୍ତ ଢାଳି ବିଜେତାଙ୍କୁ ବିଜିତ କରିଥିଲେ-। ତେଣୁ ସେମାନେ ହିଁ ଚଣ୍ଡାଶୋକଙ୍କୁ ଧର୍ମାଶୋକ କରିବାରେ ଦାୟୀ ।

 

ଜମ୍ବୁଦ୍ୱୀପ ହଳଦିଆ ପୋଷାକରେ ଉଦ୍ଭାସିତ ହେଲା

ଅଶୋକ ବୌଦ୍ଧ ହେବା ପୂର୍ବେ ବୌଦ୍ଧଧର୍ମ କ’ଣ ଥିଲା ଓ ସେ ବୌଦ୍ଧ ହେବା ପରେ ସେଇ ଧର୍ମର ଅବସ୍ଥା କ’ଣ ହେଲା ତାହା ଦେଖିଲେ ବିସ୍ମିତ ହେବାକୁ ପଡ଼େ । ଅଶୋକଙ୍କ ଆଗେ ମଧ୍ୟ ଗାଙ୍ଗେୟ ଉପତ୍ୟକାର ମାତ୍ର ଅଳ୍ପ କେତୋଟି ସ୍ଥାନରେ ବୌଦ୍ଧ ଧର୍ମ ଜନପ୍ରିୟ ହୋଇ ପାରିଥିଲା । ସେଇ ଅଞ୍ଚଳକୁ ବୌଦ୍ଧ ସାହିତ୍ୟରେ କୁହାଯାଏ ମଝ୍‍ଝିମ୍ ଜନପଦ ବା ମଧ୍ୟଦେଶ । ତାହା ଥିଲା ପଶ୍ଚିମରେ ମଥୁରାଠୁ ପୂର୍ବରେ କଜଙ୍ଗଲ ଗ୍ରାମ ଓ ଦକ୍ଷିଣରେ ସାତକଣିକ ଗ୍ରାମଯାଏ । ଉତ୍କଳ ଓ କଳିଙ୍ଗ ମଧ୍ୟଦେଶର ଚକ୍ରବାଳ ସୀମା ବାହାରେ । ଏଇ କ୍ଷୁଦ୍ର ଅଞ୍ଚଳରେ କ୍ଷୀଣାକାରରେ ଥିବା ଧର୍ମଟି ଅଶୋକଙ୍କ ରାଜତ୍ଵର ମାତ୍ର ୨୦ ବର୍ଷ ମଧ୍ୟରେ କାଶ୍ମୀରଠୁ କୁମାରିକାଯାଏ ବ୍ୟାପିଗଲା-। କେବଳ ସେତିକି ନୁହେଁ, ଭାରତ ସୀମା ଡେଇଁ ଦକ୍ଷିଣରେ ସିଂହଳ ଓ ପୂର୍ବରେ ବ୍ରହ୍ମଦେଶଠୁ ପଶ୍ଚିମରେ ଯବନଙ୍କ ଦେଶଯାଏ ତାହା ବିସ୍ତୁତ ହୋଇଗଲା । ଅଶୋକଙ୍କ ପୁଅ ଥେରମହିନ୍ଦ ସିଂହଳ ରାଜ ଦେବ ପ୍ରିୟତିସ୍‍ସଙ୍କୁ ଯଥାର୍ଥରେ ଜଣାଇ ଥିଲେ । ସମଗ୍ର ଜମ୍ବୁଦ୍ୱୀପ ହଳଦିଆ ପୋଷାକରେ ଉଦ୍‍ଦ୍ଭାସିତ ହୋଇ ଉଠିଛି ।

 

ଧର୍ମ ବିଜୟର ଇତିକଥା

ବୌଦ୍ଧଧର୍ମ ତାହାର କ୍ଷୁଦ୍ର ଆବାସ ଭୂମିରୁ ଦେଶଦେଶାନ୍ତର ହଠାତ୍ ବ୍ୟାପିଯିବା ମୂଳରେ କି ପ୍ରେରଣା ରହିଛି, ତାହା ଅନୁଧ୍ୟାନର ବିଷୟ । ଅଶୋକଙ୍କ ଭଳି ଏକଛତ୍ର ସମ୍ରାଟ ବିରାଟ କଳିଙ୍ଗ ଯୁଦ୍ଧର ପରିଣତିରେ ହିଂସାର ତରବାରି ଫିଙ୍ଗି ଅହିଂସା ଧର୍ମର ଉପାସକ ହେବା ସେକାଳ ପୃଥିବୀର ଏକ ଅଦ୍ଭୂତପୂର୍ବ ଘଟଣା । ଏହାହିଁ ଜନସମାଜକୁ ବିଶେଷଭାବେ ଆକୃଷ୍ଟ କଲା ବୌଦ୍ଧଧର୍ମ ଆଡ଼କୁ-। ପୁଣି ଅଶୋକ ବୌଦ୍ଧ ହେବାର ଅବକାଶରେ ବୌଦ୍ଧଧର୍ମର ପୁରୋଧାମାନେ ଧର୍ମର ଅଭିବୃଦ୍ଧି ନିମନ୍ତେ ପ୍ରତିଜ୍ଞାବଦ୍ଧ ହୋଇ ଅସମ୍ଭବ ପ୍ରକାର ଚେଷ୍ଟା ଚଳାଇଲେ । ଅଶୋକଙ୍କ ପୁଅ ଥେରମହିନ୍ଦ ଥେରବାଦ ପ୍ରଚାର କରିବାପାଇଁ ସିଂହଳ ଗଲେ ଓ ଥେରଶୋଣ ଓ ଥେରଉତ୍ତର ବ୍ରହ୍ମଦେଶ ଯାଇ ସେଠାରେ ସେଇ ଧର୍ମବାଦର ମୂଳଭିତ୍ତି ଗଢ଼ିଲେ । ଏଇ ଥେରବାଦ ଧର୍ମର ପ୍ରସାର ପାଇଁ ମଝନ୍ତିକ ଚାଲିଲେ କାଶ୍ମୀରକୁ ଓ ଧର୍ମରକ୍ଷିତ ଘୂରିବୁଲିଲେ ବନବାସୀ, ମହୀମଣ୍ଡଳଠୁ ଯବାନଙ୍କ ଦେଶ ପର୍ଯ୍ୟନ୍ତ । ବୌଦ୍ଧଧର୍ମର ଅଭିବ୍ୟାପ୍ତି ନିମନ୍ତେ ସବୁଠୁ ପ୍ରବଳ ପ୍ରଚେଷ୍ଟା କରିଥିଲେ ସର୍ବାସ୍ତିବାଦୀମାନେ । ଉପଗୁପ୍ତଙ୍କ ଶିଷ୍ୟ ଧିତିକକୁମାର ଏକା ଏକା କାଶ୍ମୀରଠୁ ସିଂହଳ ଯାଏ ଓ ସେଠୁ ଆସାମ ପର୍ଯ୍ୟନ୍ତ ଝଡ଼ ଭଳି ବୁଲି ଲୋକଙ୍କୁ ପ୍ରେରଣା ଦେଇଥିଲେ । ମହାସଂଘିକ ଆଚାର୍ଯ୍ୟ ମହାଦେବଙ୍କ ଭାଷଣରେ ଯେଉଁ ସମୋହନ ଶକ୍ତି ଥିଲା ତହିଁରେ ଜନସାଧାରଣ ଅଭିଭୂତ ହୋଇ ପଡ଼ୁଥିଲେ ଓ ଦକ୍ଷିଣ ଭାରତ, ବିଶେଷତଃ ପୂର୍ବ ଉପକୂଳ ଅଞ୍ଚଳରେ ସେ ଥିଲେ ଏକ ବିଶିଷ୍ଟ ଧର୍ମନେତା । ସୁତରାଂ ଅଶୋକଙ୍କ ରାଜତ୍ଵର ଅଳ୍ପ କେତୋଟି ବର୍ଷ ମଧ୍ୟରେ ବୌଦ୍ଧଧର୍ମର ବିଭିନ୍ନ ସଂସ୍ଥାର ଆଚାର୍ଯ୍ୟମାନଙ୍କ ପ୍ରଚେଷ୍ଟାରେ ସେଇ ଧର୍ମ ଭାରତ ତଥା ଭାରତ ବାହାର ଦେଶଗୁଡ଼ିକରେ ପ୍ରସାରିତ ହୋଇଗଲା । ଏହାହିଁ ଧର୍ମ ବିଜୟର ଇତିକଥା ।

 

କଳିଙ୍ଗରେ ଧର୍ମବିଜୟ

ଅଶୋକଙ୍କର କଳିଙ୍ଗ ବିଜୟର ପରିଣତି ରୂପେ ଯେ ଧର୍ମ ବିଜୟର ସୂତ୍ରପାତ ହେଲା, ତାହା ଆଗରୁ ସୂଚିତ ହୋଇଛି । ଏଥିରେ ସର୍ବପ୍ରଥମେ ବିଜିତ ହୋଇଥିଲେ ଅଶୋକ ନିଜେ । ସେତେବେଳେ କଳିଙ୍ଗ ବହୁ ଧର୍ମପ୍ରାଣ ବୌଦ୍ଧଙ୍କୁ ଆକର୍ଷଣ କରିଥିଲା । ଅଶୋକଙ୍କ ଭାଇ – ତିସସ୍‍ କଳିଙ୍ଗ ଭୂମିରେ ତାଙ୍କ ଶେଷ ଜୀବନ କଟାଇବା ପାଇଁ ସଂକଳ୍ପ କରିଥିଲେ ଓ ଅଶୋକ ସେଥିପାଇଁ ତିସସ୍‍ଙ୍କ ନିମନ୍ତେ ଏକ ବିରାଟ ବିହାର ତୋଷାଳୀ ନିକଟରେ ଗଢ଼ିଥିଲେ । ବିହାରର ନାମ ଥିଲା ଭୋଜକ ଗିରି । ଏହିଠାରେ ଥେରବାଦୀ ଆଚାର୍ଯ୍ୟ ଧର୍ମରକ୍ଷିତ ମଧ୍ୟ ତାଙ୍କ ଶେଷ ଜୀବନ କଟାଇଥିବା ଜଣାପଡ଼େ । ଧର୍ମ ରକ୍ଷିତ ଥିଲେ ତଙ୍କର ଧର୍ମଗୁରୁ, ଓ ସେ କଳିଙ୍ଗରେ ଥେରବାଦ ଧର୍ମର ବିକାଶ ନିମନ୍ତେ ଆଧ୍ୟାତ୍ମିକ ପ୍ରେରଣା ଦେଇଥିଲେ । ସର୍ବାସ୍ତିବାଦୀ ଆଚାର୍ଯ୍ୟ ଉପଗୁପ୍ତଙ୍କ ଶିଷ୍ୟ ଧିତିକ କୁମାର ତାଙ୍କ ଧର୍ମ ବିଜୟ ଯାତ୍ରାବେଳେ କଳିଙ୍ଗରେ ବହୁକାଳ କଟାଇଥିଲେ । ଧିତକଙ୍କ ପରେ ତାଙ୍କ ଶିଷ୍ୟ କାଳ (କୃଷ୍ଣ) ଆସିଥିଲେ କଳିଙ୍ଗକୁ ସର୍ବାସ୍ତିବାଦର ବାର୍ତ୍ତା ଘେନି ଓ ପରିଶେଷରେ କାଳଙ୍କ ଶିଷ୍ୟ ପୋଷାଢ଼ କଳିଙ୍ଗକୁ ନିଜ କର୍ମଭୂମି ରୂପେ ଗ୍ରହଣ କରି ତାଙ୍କର ଶେଷ ନିଃଶ୍ୱାସ ଯାଏ ସେଠାରେ ସର୍ବାସ୍ତିବାଦ ବୌଦ୍ଧଧର୍ମର ସଂଗଠିତ କରିଥିଲେ । ମହାସଂଘିକ ଆଚାର୍ଯ୍ୟ ମହାଦେବ ମଧ୍ୟ କଳିଙ୍ଗରେ ମହାସଂଘିକବାଦ ଜନପ୍ରିୟ କରିବା ନିମନ୍ତେ ଚେଷ୍ଟା କରିଥିଲେ ଓ ତାଙ୍କ ପ୍ରଚାର ଫଳରେ ଦକ୍ଷିଣ କଳିଙ୍ଗରେ ମହାସଂଘିକ ବୌଦ୍ଧଧର୍ମ ବିଶେଷ ରୂପେ ଆଦୃତ ହୋଇ ପାରିଥିଲା । ସୁତରାଂ ଅଶୋକଙ୍କ କାଳରୁ କଳିଙ୍ଗରେ ବୌଦ୍ଧଧର୍ମର ବିଭିନ୍ନ ସଂସ୍ଥା ସଂଗଠିତ ହୋଇ ବିକାଶୋନ୍ମଖୀ ହୋଇ ଉଠିଥିଲା ।

 

ବୌଦ୍ଧଧର୍ମର ଘଡ଼ିସନ୍ଧିକାଳ

ଅଶୋକଙ୍କ ପରବର୍ତ୍ତୀ କାଳରେ ବୌଦ୍ଧଧର୍ମ ଯେ ତାହାର ସସୀମ ରୂପରେଖ ତ୍ୟାଗ କରି ଏକ ବିଶ୍ଵଧର୍ମରେ ପରିଣତ ହୋଇଯାଇଛି ତାହା ଉପଲବ୍ଧି କରିବାକୁ ବୌଦ୍ଧପ୍ରେମୀମାନଙ୍କ ପକ୍ଷେ ଆଉ ବାକୀ ରହିଲା ନାହିଁ । ସେମାନେ ବେଶ୍ ବୁଝିପାରିଲେ ଯେ ଅଶୋକଙ୍କ ପୂର୍ବେ ବୌଦ୍ଧଧର୍ମରେ ଯେଉଁ ନୀତି, ନିୟମ ବା ପୂଜା ପାର୍ବଣ ଥିଲା ତାହା ଆଉ ସେ ଯୁଗରେ ଚଳିବ ନାହିଁ । ଯେଉଁ ଜୀବନ ପଦ୍ଧତି ମୁଷ୍ଟିମେୟ ଭିକ୍ଷୁ ଓ ଉପାସକଙ୍କ ନିମନ୍ତେ ଉଦ୍ଦିଷ୍ଟ ଥିଲା, ତାହା ବିଶ୍ୱବ୍ୟାପକ ହେବା ବା କିପରି ? ତେଣୁ ବୌଦ୍ଧଧର୍ମର ଆମୂଳ ପରିବର୍ତ୍ତନ କରି ତାହାର ଦିଗଦର୍ଶନରେ ପୂରାପୂରି ସଂସ୍କାର ନ ଆଣିଲେ ତାହା ନୂତନ ଦାୟିତ୍ୱ ବହନରେ ଅସମର୍ଥ ହେବ । ସେତେବେଳେ ପୁଣି ବ୍ରାହ୍ମଣ୍ୟ ଧର୍ମ ତାହାର ପୂର୍ବ ପ୍ରାଧାନ୍ୟ ହରାଇ ନୀରବ ରହି ନଥିଲା । ବ୍ରହ୍ମା, ଇନ୍ଦ୍ର ଆଦି ବୈଦିକ ଦେବତାଙ୍କୁ ଛାଡ଼ି ତାହା ଶୈବ, ଭାଗବତ ଆଦି ପ୍ରେମ ଧର୍ମ ଆଶ୍ରୟ କରି ଜନସାଧାରଣଙ୍କୁ ଆକୃଷ୍ଟ କରିବାକୁ ଲାଗିଲା । ସୁତରାଂ ବୌଦ୍ଧଧର୍ମକୁ ଏକ ସଂଘର୍ଷମୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଲା । ସେତେବେଳେ ବୌଦ୍ଧଧର୍ମ ତାହାର ଉଚ୍ଚତମ ସୋପାନରେ ମଥାଟେକି ରହିବ କି ସେଇ ସ୍ତରରୁ ତଳକୁ କଚାଡ଼ି ହୋଇ ପଡ଼ିବ ତାହା ନିଶ୍ଚିତ ରୂପେ ଜଣାପଡୁ ନଥିଲା । ତାହା ବାସ୍ତବରେ ସେଇ ଧର୍ମ ପକ୍ଷେ ଏକ ଘଡ଼ିସନ୍ଧି କାଳ ।

 

ସର୍ବାସ୍ତିବାଦି ଓ ମହାସଂଘିକଙ୍କ ପଣ

ଅବସ୍ଥା ସମ୍ଭାଳିବା ପାଇଁ ସର୍ବାସ୍ତିବାଦୀ ଓ ମହାସଂଘିକମାନେ ଅଣ୍ଟାଭିଡ଼ି ବାହାରି ପଡ଼ିଲେ । ବୌଦ୍ଧଧର୍ମକୁ ବିରାଟ କରିବାକୁ ପଡ଼ିବ, ତାହାର ନୀତି ନିୟମ ଭାଙ୍ଗି ତାକୁ ନୂତନ କରି ଗଢ଼ିବାକୁ ହେବ । ଜନତାଠୁ ଦୂରରେ ବାସ କରୁଥିବା ହଳଦିଆ ବସ୍ତ୍ରଧାରୀ ମୁଷ୍ଟିମେୟ ଭିକ୍ଷୁଙ୍କ ସ୍ତରରୁ ଜନ ସାଧାରଣଙ୍କ ଚେତନା ସ୍ତରକୁ ବୌଦ୍ଧଧର୍ମକୁ ଘେନି ଆସିବାକୁ ହେବ । ଏହାହିଁ ହେଲା ସେତେବେଳର ସମସ୍ୟା । ଏହାର ସମାଧାନ ନିମନ୍ତେ ଥେରବାଦୀମାନେ ନୀରବ ରହିଲେ, କିନ୍ତୁ ସର୍ବାସ୍ତିବାଦୀ ଓ ମହାସଂଘିକମାନେ ବିପୁଳ ଆୟୋଜନ କରିବାକୁ ଲାଗିଲେ ।

 

ବୁଦ୍ଧ ଭଗବାନ ହେଲେ

ସେତେବେଳେ ମହାସଂଘିକମାନେ ଶୁଦ୍ଧୋଦନ ପୁତ୍ର ଐତିହାସିକ ବୁଦ୍ଧଙ୍କୁ ଛାଡ଼ିଦେଲେ । ସେମାନେ ପ୍ରଚାର କଲେ ବୁଦ୍ଧ ସ୍ୱୟଂ ଭଗବାନ । ସେ ଅଲୌକିକ ହେଲେ ମଧ୍ୟ ଲୋକାନୁବର୍ତ୍ତନ ନିୟମରେ ସଂସାରକୁ ଆସିଲେ ଓ ବୁଦ୍ଧ ହେବା ପୂର୍ବରୁ ଚାରୋଟି ଚର୍ଯ୍ୟାପାଳନ କରି ଦଶଗୋଟି ଭୂମି ଅତିକ୍ରମ କରି ବୁଦ୍ଧତ୍ୱ ପ୍ରାପ୍ତ ହୋଇଥିଲେ । ବୁଦ୍ଧ ହିଁ ଜନ୍ମଜରା ଜନିତ ଦୁଃଖ ଦୂରକରି ଅର୍ହତତ୍ତ୍ୱ ଲାଭପାଇଁ ସହାୟ ହୁଅନ୍ତି । ତେଣୁ ବୋଧଚିତ୍ତର ବିକାଶ ପୂର୍ବକ ତାଙ୍କୁ ଅର୍ଚ୍ଚନା କରିବା ଜନସାଧାରଣଙ୍କ ଏକମାତ୍ର କର୍ତ୍ତବ୍ୟ ।

 

ସର୍ବାସ୍ତିବାଦୀ ମହାସଂଘିକଙ୍କୁ ବଳିଗଲେ

ମହାସଂଘିକମାନେ ଦେଖାଇଲେ ବୋଧିସତ୍ତ୍ୱ କିପରି ବୁଦ୍ଧ ହେଲେ ଓ ସେତିକିରୁ ସେମାନେ ଆଉ ଆଗେଇ ପାରିଲେ ନାହିଁ । କିନ୍ତୁ ସେମାନେ ଯାହା କରିପାରିଲେ ନାହିଁ, ତାହାହିଁ ସର୍ବାସ୍ତିବାଦୀ କଲେ । ବୌଦ୍ଧଧର୍ମକୁ ଜନତାର ଧର୍ମ କରି ଗଢ଼ିବା ପାଇଁ ସର୍ବାସ୍ତିବାଦୀମାନେ ପ୍ରକାଶ କଲେ ଯେ କେବଳ ବୋଧିସତ୍ତ୍ୱ ବୁଦ୍ଧ ହେବେ ତାହା ନୁହେଁ, ସାଧାରଣ ମାନବ ମଧ୍ୟ ଛଅଗୋଟି ପ୍ରାରମିତା ସାଧନକରି ବୁଦ୍ଧ ହୋଇ ପାରିବେ । ସର୍ବାସ୍ତିବାଦୀମାନେ କହିଲେ ବୋଧିସତ୍ତ୍ୱଙ୍କ ପୂର୍ବଜୀବନ ବ୍ୟାଖ୍ୟା କରିବାକୁ ଯାଇ ଅବଦାନ ଓ ଜାତକ ସାହିତ୍ୟ ବାଢ଼ିଲେ, କିନ୍ତୁ ପରେ ‘ପାରମିତା’ ବାଦର ଉଦ୍ଭାବନ ହେତୁ ସେମାନଙ୍କ ପ୍ରଜ୍ଞା ପାରମିତା ସାହିତ୍ୟ ଗଢ଼ି ଉଠିଲା ।

 

ମହାଯାନ ବୌଦ୍ଧଧର୍ମ ସୃଷ୍ଟି ହେଲା

“ପ୍ରାଜ୍ଞପାରମିତା’’ ରଚନା ହେବା ସଙ୍ଗେ ବୌଦ୍ଧଧର୍ମର ଦର୍ଶନରେ ଏକ ଅଦ୍ଭୂତପୂର୍ବ ପରିବର୍ତ୍ତନ ଦେଖାଦେଲା । ଯେଉଁ ପୁଦ୍‍ଗଲ ଶୂନ୍ୟତାବାଦ ବୌଦ୍ଧଦର୍ଶନର କେନ୍ଦ୍ରଥିଲା ତାହା ସ୍ଥାନରେ ଧର୍ମଶୂନ୍ୟତା ଆରୋପ କରାଗଲା ଓ “ଅଦ୍ୱୟଂ ଅଦ୍ୱୈଧିକାରଂ’’ ହେଲା ବୌଦ୍ଧଦର୍ଶନର ମୂଳଭିତ୍ତି । ଅଶୋକଙ୍କ କାଳରୁ ବୌଦ୍ଧଧର୍ମ ଅର୍ହତଯାନ ଛାଡ଼ି ମହାଯାନ ଅଭିମୁଖରେ ଗତିକରି ଆସୁଥିଲା, କିନ୍ତୁ ସେହି ଧର୍ମର ଦର୍ଶନରେ ଧର୍ମଶୂନ୍ୟତାବାଦ ବିକାଶପ୍ରାପ୍ତ ନହେବା ଯାଏ ତାହା ସମ୍ପୂର୍ଣ୍ଣରୂପେ ମହାଯାନରେ ପରିଣତ ହୋଇ ପାରି ନଥିଲା । ସୁତରାଂ ମହାସଂଘିକ ଅଲୌକିକ ବାଦ ସାଥିରେ ସର୍ବାସ୍ତିବାଦୀଙ୍କ ପାରମିତାବାଦ ମିଶି ପ୍ରଜ୍ଞାପାରମିତା ସାହିତ୍ୟ ଗଠିତ ହେବା ସଙ୍ଗେ ସଙ୍ଗେ ଉକ୍ତ ସାହିତ୍ୟରେ ଧର୍ମଶୂନ୍ୟତା ଦର୍ଶନର ପରିସ୍ଫୁରଣ ସହିତ ମହାଯାନ ବୌଦ୍ଧଧର୍ମର ଅଭ୍ୟୁଦୟ ଘଟିଲା ।

 

ମହାଯାନର ଜନ୍ମଭୂମି ଓଡ଼ିଶା

ବୌଦ୍ଧଙ୍କର ପ୍ରଜ୍ଞା ପାରମିତା ସାହିତ୍ୟ ଭଳି ବିରାଟ ସାହିତ୍ୟ ପୃଥିବୀରେ ଅନ୍ୟ କେଉଁଠି ଗଢ଼ାଯାଇ ପାରିନାହିଁ ବୋଲି କହିଲେ ବୋଧହୁଏ ଭୁଲ ହେବ ନାହିଁ । ଅଷ୍ଟସାହସ୍ରିକା, ପଞ୍ଚବିଂଶତି ସାହସ୍ରିକା, ଶତ ସାହସ୍ରିକା ଆଦି ରାଶି ରାଶି ଗ୍ରନ୍ଥ ପାରମିତା ବାଦ ଉପରେ ଲେଖା ଓ ସେଗୁଡ଼ିକ ସଂସ୍କୃତ ଚୀନା, ଜାପାନୀ, ତୁର୍କିସ୍ଥାନୀ ଆଦି ନାନା ଭାଷାରେ ଏବେ ମିଳୁଛି । ସେ ସବୁ ଗ୍ରନ୍ଥରୁ କେଉଁ ଗୋଟିଏ ସବା ପହିଲେ ଲେଖା ତାହା ସ୍ଥିର କରିବା ଏକ ସମୟରେ ଅସମ୍ଭବ ବ୍ୟାପାର ଥିଲା । କିନ୍ତୁ ଏବେ ବହୁ ଗବେଷଣା ଫଳରେ ପ୍ରମାଣ କରାଯାଇ ପାରିଛି ଯେ ଅଷ୍ଟ ସାହସ୍ରିକା ପ୍ରଜ୍ଞାପାରମିତା ହେଉଛି ଏ ସାହିତ୍ୟର ଆଦିଗ୍ରନ୍ଥ । ଏହି ଗ୍ରନ୍ଥ ଉପରେ ନାଗାର୍ଜ୍ଜୁନ ଟୀକା କରି ପ୍ରଜ୍ଞା ପାରମିତା ଶାସ୍ତ୍ର ଲେଖିଥିଲେ ଓ ଏହି ଗ୍ରନ୍ଥ ହିଁ ୧୪୮ ଖ୍ରୀଷ୍ଟାବ୍ଦରେ ଲୋକରକ୍ଷ ଚୀନା ଭାଷାରେ ଅନୁବାଦ କରିଥିଲେ । ଆହୁରି ମଧ୍ୟ ପ୍ରମାଣ ମିଳିଅଛି ଯେ ଅଷ୍ଟ ସାହସ୍ରିକା ପ୍ରଜ୍ଞାପାରମିତା ରଚିତ ହୋଇଥିଲା ଉଡ୍ର ଦେଶରେ ଖ୍ରୀ: ପୂର୍ବ ପ୍ରଥମ ଶତାବ୍ଦୀ ଶେଷବେଳେ ବା ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀର ଆରମ୍ଭବେଳେ – ଅର୍ଥାତ୍ ଖାରବେଳଙ୍କ ରାଜତ୍ଵର ପରବର୍ତ୍ତୀ ଯୁଗରେ । ଓଡ଼ିଶାରେ ଏହି ଗ୍ରନ୍ଥ ରଚିତ ହୋଇଥିବା କଥା ତାରାନାଥ ଓ ସୁଂପା ମଖନ୍‍ପୋ ଆଦି ବୌଦ୍ଧଲାମାମାନେ ମଧ୍ୟ ସ୍ପଷ୍ଟ କହି ଯାଇ ଅଛନ୍ତି । ସୁତରାଂ ଅଷ୍ଟ ସାହସ୍ରିକା ପ୍ରଜ୍ଞା ପାରମିତା ଓଡ଼ିଶାରେ ରଚିତ ହୋଇଥିବା ଯୋଗୁ ଓ ଏହି ଗ୍ରନ୍ଥ ସହିତ ମହାଯାନର ଅଭ୍ୟୁଦୟ ଜଡ଼ିତ ହୋଇଥିବା ଦୃଷ୍ଟିରୁ ଓଡ଼ିଶାକୁ ହିଁ ମହାଯାନ ବୌଦ୍ଧଧର୍ମର ଜନ୍ମଭୂମି ବୋଲି ଗ୍ରହଣ କରିବାକୁ ହେବ । ଏହି ସମୀକ୍ଷା ପରେ ବୌଦ୍ଧ ଜଗତର ଗବେଷଣାରେ ନୂତନ ଦୃଷ୍ଟିକୋଣ ଫିଟିଯାଇଛି । ଏପର୍ଯ୍ୟନ୍ତ ପୃଥିବୀର ବୌଦ୍ଧ ପଣ୍ଡିତମାନଙ୍କ ମତ ଥିଲା ଯେ ମହାସଂଘିକ ବାଦରୁ ହି ମହାଯାନର ଉତ୍ପତ୍ତି ଘଟିଛି, କିନ୍ତୁ ଏହା ଯେ ଭ୍ରମାତ୍ମକ – ଏଥିରେ ସନ୍ଦେହ ନାହିଁ । ମହାଯାନର ଅଭ୍ୟୁଦୟ ପାଇଁ ସର୍ବାସ୍ତିବାଦୀମାନେ ବିଶେଷ ଭାବେ ଦାୟୀ ଓ ମହାସଂଘିକମାନେ ବୁଦ୍ଧଙ୍କୁ ଲୋକୋତ୍ତର ରୂପେ ପ୍ରକାଶ କରି ସର୍ବାସ୍ତିବାଦୀଙ୍କ ସହଯୋଗୀ ବା ସହାୟକ ହୋଇଛନ୍ତି ମାତ୍ର ।

 

ଓଡ଼ିଶାରେ ମହାଯାନ ଦର୍ଶନର ବିକାଶ

ମହାଯାନ ବୌଦ୍ଧଧର୍ମ ମୈତ୍ରୀ ଓ କରୁଣାର ବାଣୀ ପ୍ରଚାର କରି ଏକ ଦିଗରେ ଜନସାଧାରଣଙ୍କୁ ଯେପରି ଉଦ୍‍ବୁଦ୍ଧ କଲା, ଅନ୍ୟ ଦିଗରେ ସେଇପରି ତୁଙ୍ଗ ଦର୍ଶନ ଗଢ଼ି ବ୍ରାହ୍ମଣ୍ୟ ତଥା ଅନ୍ୟାନ୍ୟ ଧର୍ମର ଦର୍ଶନକୁ ପରାଭୂତ କରିବାର ଚେଷ୍ଟା କଲା । ମହାଯାନୀମାନେ ମାଧ୍ୟମିକ ଶୂନ୍ୟବାଦ ଓ ଯୋଗାଚାର ବିଜ୍ଞାନବାଦ ନାମରେ ଯେଉଁ ଦୁଇଟି ଦର୍ଶନ ଗଢ଼ିଲେ ତାହାର ସମକକ୍ଷ ହେବାଭଳି ଦାର୍ଶନିକ, ଉଦ୍ୟୋତ କର ଓ ଶଙ୍କରଙ୍କ ପର୍ଯ୍ୟନ୍ତ ଭାରତରେ ଜନ୍ମି ନଥିଲେ । ମାଧ୍ୟମିକ ଶୂନ୍ୟବାଦ ଦର୍ଶନର ସ୍ରଷ୍ଟା ହେଉଛନ୍ତି ନାଗାର୍ଜୁନ ଓ ସେ ବାସ କରୁଥିଲେ ପରିମଳ ଗିରିରେ ଆଧୁନିକ ସମ୍ବଲପୁର, ବଲାଙ୍ଗୀର ପାଟଣା ଓ କଳାହାଣ୍ଡି ଜିଲ୍ଲାର ସୀମାରେଖା ସମ୍ମିଳିତ ହେଉଥିବା ସ୍ଥାନ ନିକଟରେ । ଏହି ନାଗାର୍ଜୁନଙ୍କୁ ଘେନି ଆଜିପର୍ଯ୍ୟନ୍ତ ବହୁ ଗବେଷକଙ୍କ ମଧ୍ୟରେ ନାନା ଭ୍ରମ ପ୍ରମାଦ ରହିଛି ଓ ମଞ୍ଜୁଶ୍ରୀ ମୂଳକଳ୍ପ ଗ୍ରନ୍ଥର ଲେଖକଙ୍କୁ ଅନୁସରଣ କରି ଅନେକେ କହନ୍ତି ଯେ ନାଗାର୍ଜ୍ଜୁନ ଛଅ ଶହ ବର୍ଷ ବଞ୍ଚି ଥିଲେ ଓ ସେ ଥିଲେ ଆନ୍ଧ୍ର ଦେଶର ଶ୍ରୀ ପର୍ବତରେ । କିନ୍ତୁ ଆମ୍ଭର ମତରେ ମାଧ୍ୟମିକ ନାଗାର୍ଜ୍ଜୁନ ବାସ କରୁଥିଲେ ପରିମଳ ଗିରି (ହୁଏନସାଂ ପୋଲୋ ମାଲୋ କିଲି)ଠାରେ ଖ୍ରୀଷ୍ଟୀୟ ୨ ୟ ଶତକରେ ଓ ତାନ୍ତ୍ରିକ ସିଦ୍ଧ ନାଗାର୍ଜ୍ଜୁନ ବାସ କରୁଥିଲେ ଶ୍ରୀ ପର୍ବତ ବା ନାଗାର୍ଜ୍ଜୁନ କୋଣ୍ଡରେ ଖ୍ରୀଷ୍ଟୀୟ ୮ମ ଶତକରେ । ଏ ଦୁହିଙ୍କୁ ଏକ ବୋଲି ପ୍ରତିପାଦନ କରିବା ଚେଷ୍ଟା ଯେ ଭ୍ରମାତ୍ମକ ଏଥିରେ ସନ୍ଦେହ ନାହିଁ । ବୋଧିସତ୍ତ୍ଵ ନାଗାର୍ଜୁନ ତାଙ୍କ ମାଧ୍ୟମିକ ଦର୍ଶନର ପରିପ୍ରଚାର ନିମନ୍ତେ ଶେଷ ଜୀବନ ଯାଏ ଲେଖନୀ ଚାଳନ କରିଥିଲେ ଓ ତାଙ୍କର ଅସାଧାରଣ ଧୀଶକ୍ତିର ପରିଚୟ ଦେଇଥିଲେ । ତାଙ୍କ ରଚିତ ଶାସ୍ତ୍ର ମଧ୍ୟରେ ପ୍ରଜ୍ଞା ପାରମିତା ଶାସ୍ତ୍ର, ପ୍ରଜ୍ଞାମୂଳ ଶାସ୍ତ୍ର ଟୀକା, ପ୍ରଜ୍ଞା ପ୍ରଦୀପ ଶାସ୍ତ୍ରକାରିକା, ମୂଳ ମାଧ୍ୟମିକ ଶାସ୍ତ୍ର, ମଧ୍ୟନ୍ତାନୁଗମ ଶାସ୍ତ୍ର, ଦ୍ଵାଦଶ ଭୂମିବିଭାଷା ଶାସ୍ତ୍ର, ଦ୍ଵାଦଶନିକାୟ ଶାସ୍ତ୍ର, ଉପାୟ କୌଶଲ୍ୟା ହୃଦୟ ଶାସ୍ତ୍ର, ବିଗ୍ରହ ବ୍ୟବର୍ତ୍ତନୀକାରିକା ଆଦି ଗ୍ରନ୍ଥ ଉଲ୍ଲେଖଯୋଗ୍ୟ, ନାଗାର୍ଜ୍ଜୁନଙ୍କ ଶିଷ୍ୟ ‘ଆର୍ଯ୍ୟଦେବ’ ମାଧ୍ୟମିକ ଦର୍ଶନ ଉପରେ ଦୀର୍ଘକାଳ ଗବେଷଣା କରି ତାହାର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବା ନିମନ୍ତେ ଭାରତ ସାରା ବୁଲିଥିଲେ । ତାଙ୍କ ରଚିତ “ଚତୁଃଶତକ” ଓ “ଚିତ୍ତ ବିଶୁଦ୍ଧି ପ୍ରକରଣ’’ ମାଧ୍ୟମିକ ଦର୍ଶନର ଉପାଦେୟ ଗ୍ରନ୍ଥ । ଆର୍ଯ୍ୟଦେବଙ୍କ ଜନ୍ମସ୍ଥାନ ହେଉଛି କଳିଙ୍ଗର ରାଜଧାନୀ ସିଂହପୁର । ତେଣୁ ମଞ୍ଜୁଶ୍ରୀ ମୂଳ ତନ୍ତ୍ର ଗ୍ରନ୍ଥରେ ତାଙ୍କୁ ସୈହ୍ନିକପୁର ବାସ୍ତବ୍ୟ ବୋଲି କୁହାଯାଇଛି । ଦୁଃଖର ବିଷୟ ଆଜିପର୍ଯ୍ୟନ୍ତ ସମସ୍ତ ପଣ୍ଡିତ ଏହି ସୈହ୍ନିକପୁରକୁ ସିଂହଳ ବୋଲି ସ୍ଥିର କରିଅଛନ୍ତି । ହୁଏନସାଂ ଆର୍ଯ୍ୟ ଦେବଙ୍କ ବାସ ସ୍ଥାନକୁ କହିଛନ୍ତି ଚିସିଜୁକୋ- ଏହାର ଭାରତୀୟ ପ୍ରତିଶବ୍ଦ ହେବ ସିଂହଧର ପୁତ୍ର ପୁର, ଅର୍ଥାତ୍ ସିଂହପୁର, ସିଂହଳ ଦ୍ୱୀପ ନୁହେଁ ।

 

ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀବେଳେ ମହାଯାନ ବୌଦ୍ଧ ଧର୍ମରେ ଯୋଗାଚାର ବିଜ୍ଞାନ ବାଦ ଦର୍ଶନର ଅଭ୍ୟୁଦୟ ଘଟିଲା । ଏହି ଦର୍ଶନ ମହାକବି ଅଶ୍ୱଘୋଷ (ଖ୍ରୀ ୧ମ ଶତକ)ଙ୍କ ଲେଖାରୁ ସୃଷ୍ଟି ବୋଲି ଅନେକେ କହୁଥିଲେ ହେଁ ମୈତ୍ରେୟ ନାଥ (ଖ୍ରୀ ୩ୟ ଶତକ) ଏହାକୁ ପ୍ରକୃତ ରୂପରେଖ ପ୍ରଦାନ କରିଥିବା ଜଣାଯାଏ । ମୈତେୟଙ୍କ ଶିଷ୍ୟ ଅସଙ୍ଗ ଓ ଅସଙ୍ଗଙ୍କ ଶିଷ୍ୟ ବସୁବନ୍ଧୁ ବିଜ୍ଞାନବାଦ ଦର୍ଶନର ବିପୁଳ ଶ୍ରୀ ବୃଦ୍ଧି କରିଥିଲେ । ବସୁବନ୍ଧୁଙ୍କ ଦୁଇଜଣ ଶିଷ୍ୟ ଦିଂଙ୍‍ନାଗ ଓ ତ୍ରିରତ୍ନ ଦାସ ଓଡ଼ିଶାରେ ବିହାର ସ୍ଥାପନ କରି ବିଜ୍ଞାନବାଦ ଦର୍ଶନର ଚର୍ଚ୍ଚା କରୁଥିବା ଜଣାଯାଏ । ଦିଙ୍‍ନାଗ ଥିଲେ ଓଡ଼ିଶାର ଭୋରଶୈଳଠାରେ ଯାହା ଏବକାର ଡେଲାଙ୍ଗ ନିକଟସ୍ଥ ବିଶ୍ୱନାଥ ମଣ୍ଡିଆ ପାହାଡ଼ ବୋଲି ଅନୁମାନ କରାଯାଏ ଓ ତ୍ରିରତ୍ନ ଦାସ ଥିଲେ ଉତ୍ତର ଓଡ଼ିଶାର ସମୁଦ୍ର କୂଳସ୍ଥ କୌଣସି ଏକ ସ୍ଥାନରେ । ଦିଙ୍‍ନାଗ କିଛି କାଳ ପାଇଁ ନାଳନ୍ଦା ବିଶ୍ୱବିଦ୍ୟାଳୟର କୁଳପତି ହୋଇଥିଲେ ଓ ସେଠାରୁ ଆସି ଓଡ଼ିଶାର ଭୋରଶୈଳ ବିହାରରେ ତାଙ୍କ ଯୁଗାନ୍ତକାରୀ ନ୍ୟାୟଗ୍ରନ୍ଥ ‘ପ୍ରମାଣ ସମୁଚ୍ଚୟ’ ରଚନା କରିଥିଲେ । ଏହି ଗ୍ରନ୍ଥରେ ବୌଦ୍ଧ ନ୍ୟାୟର ମୂଳ ଭିତ୍ତି ସ୍ଥାପିତ ହେଲା ଓ ଏହାର ଯଶୀ ଅତି ଶୀଘ୍ର ଭାରତ ସାରା ବ୍ୟାପି ଗଲା । ସେତେବେଳେ ସାଂଖ୍ୟ କାରିକାର ରଚୟିତା ଈଶ୍ଵର କୃଷ୍ଣ ଦିଙ୍‍ନାଗ ସହିତ ତର୍କ କରିବା ନିମନ୍ତେ ଭୋର-ଶୈଳ ଆଶ୍ରମକୁ ଆସି ତାଙ୍କଦ୍ୱାରା ଏକାଧିକ ବାର ପରାସ୍ତ ହୋଇଥିବା ଜଣାପଡ଼େ । ଦିଙ୍‍ନାଗ ବୌଦ୍ଧ ନ୍ୟାୟର ଯେଉଁ ମୂଳଦୁଆ ଦେଲେ ତାହାରି ଉପରେ ସୌଧ ନିର୍ମାଣ କଲେ ଆଚାର୍ଯ୍ୟ ଧର୍ମକୀର୍ତ୍ତି । ଧର୍ମକୀର୍ତ୍ତି ତିବ୍ଦତର ରାଜା ପ୍ରସାନ୍ ଗାଂପୋ (୬୨୭-୬୯୮ ଖ୍ରୀ)ଙ୍କ ସମସାମୟିକ । ସେ କଳିଙ୍ଗରେ ଏକ ବିରାଟ ଆଶ୍ରମ ଗଢ଼ି ରହୁଥିଲେ ଓ ସେଇଠାରେ ତାଙ୍କ ବିଖ୍ୟାତ ଗ୍ରନ୍ଥ “ନ୍ୟାୟ ବିନ୍ଦୁ” ରଚନା କରିଥିଲେ । ଏହି ନ୍ୟାୟ ବିନ୍ଦୁର ଯୁକ୍ତିମାନ ଖଣ୍ଡନ କରିବା ନିମନ୍ତେ ଉଦ୍ୟୋତକର ଲେଖିଥିଲେ “ନ୍ୟାୟ ବାର୍ତ୍ତିକ’’ ଗ୍ରନ୍ଥ । ଧର୍ମକୀର୍ତ୍ତ ତାଙ୍କ ସମସାମୟିକ ଦାର୍ଶନିକ କୁମାରିଲ ଭଟ୍ଟଙ୍କୁ ଯୁକ୍ତିରେ ପରାସ୍ତ କରି ବୌଦ୍ଧ ନ୍ୟାୟ ଓ ଦର୍ଶନର ପରାକାଷ୍ଠା ପ୍ରତିପାଦନ କରିଥିଲେ । ସେ ବଞ୍ଚିଥିବା ବେଳେ ସାରା ଭାରତରେ ଓ ଭାରତ ବାହାରେ ତିବ୍ଦତ, ଚୀନ ଆଦି ଦେଶରେ ନିଜର ସୁଖ୍ୟାତି ବିସ୍ତାର କରିପାରିଥିଲେ । ଆଜି ବୌଦ୍ଧ ଜଗତରେ ଯେଉଁ ଛଅଜଣ ଦାର୍ଶନିକଙ୍କୁ ସର୍ବଶ୍ରେଷ୍ଠ ବୋଲି ଗଣନା କରାଯାଏ, ସେମାନେ ହେଉଛନ୍ତି ନାଗାର୍ଜ୍ଜୁନ, ଆର୍ଯ୍ୟଦେବ, ଅସଙ୍ଗ, ବସୁବନ୍ଧୁ, ଦିଗନାଗ ଓ ଧମିକୀର୍ତ୍ତି । ଏ ସମସ୍ତଙ୍କ ପ୍ରଭାବ ସମସାମୟିକ ଓଡ଼ିଶାର ଦର୍ଶନ ଓ ଚିନ୍ତାଧାରାରେ ବିଶେଷ ଭାବେ ପଡ଼ିଥିବା ସ୍ପଷ୍ଟ ଜଣାଯାଏ ।

 

ଓଡ଼ିଶାରେ ମହାଯାନ ବିହାର

ମହାଯାନ ବୌଦ୍ଧଧର୍ମ ଓଡ଼ିଶାର ଜନ ଧର୍ମରୂପେ ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରୁ ସପ୍ତମ ଶତାବ୍ଦୀଯାଏ । ଅବ୍ୟାହତ ହୋଇ ରହିଥିଲା । ଏହି ଧର୍ମର ଅଭିବୃଦ୍ଧି ଘଟାଇ ତାହା ଅଧିକତର ଜନପ୍ରିୟ କରିବା ପାଇଁ ବହୁ ବୌଦ୍ଧ-ବିହାର ଓଡ଼ିଶାର ଏକ ପ୍ରାନ୍ତରୁ ଅପର ପ୍ରାନ୍ତ ପର୍ଯ୍ୟନ୍ତ କ୍ରମେ ଗଢ଼ି ଉଠିଥିଲା । ପରିମଳ-ଗିରି ଓ ଭୋର-ଶୈଳ ମହାବିହାର କଥା ଇତି ପୂର୍ବେ ସୂଚିତ ହୋଇଛି । ଏହାଛଡ଼ା ତାମ୍ରଲିପ୍ତି, ତୋଷାଳୀ ଓ ରତ୍ନଗିରିଠାରେ ଅତି ଉନ୍ନତ ବୌଦ୍ଧବିହାର ନିର୍ମିତ ହୋଇଥିଲା-

 

ତୋଷାଳୀ ନିକଟସ୍ଥ ସୁରଭ-ଗିରିରେ ଥିବା ବିହାରର ବର୍ଣ୍ଣନା ଗଣ୍ଡବ୍ୟୂହ ଗ୍ରନ୍ଥରେ ମିଳେ । ତାମ୍ରଲିପ୍ତିର “ବାରାହା’’ ବିହାରର ଅତି ଚମତ୍କାର ବର୍ଣ୍ଣନା ଚୀନ ପରିବ୍ରାଜକ ଇତସିଂ ଲିପିବଦ୍ଧ କରିଯାଇଅଛନ୍ତି । ଓଡ଼ିଶାର ବୌଦ୍ଧ ବିହାର ସବୁ କେବଳ ଧର୍ମଜୀବନର କେନ୍ଦ୍ର ନଥିଲା, ତାହା ଥିଲା ଓଡ଼ିଶାର ଶିକ୍ଷାକେନ୍ଦ୍ର । ସୁରଭ-ଗିରିର ବିହାରରେ ଉଚ୍ଚତର ସୋପାନର ଯୋଗଦର୍ଶନ ଶିକ୍ଷା ଦିଆ ଯାଉଥିଲା ଓ ତହିଁର ଅଧ୍ୟକ୍ଷ ଥିଲେ ଆଚାର୍ଯ୍ୟ ସର୍ବଗାମୀ । ସୁରଭଗିରି ପରେ ରତ୍ନଗିରି ହେଲା ଯୋଗାଚାର ଦର୍ଶନ ସମୀକ୍ଷାର ପ୍ରଧାନ କେନ୍ଦ୍ର ଓ ଖ୍ରୀଷ୍ଟ୍ରୀୟ ଅଷ୍ଟମ ଶତାବ୍ଦୀବେଳେ ସେଠାରେ ଏକ ଉଚ୍ଚଧରଣର ବିଶ୍ଵବିଦ୍ୟାଳୟ ଗଢ଼ି ଉଠିଥିଲା । ସେତେବେଳେ ଏହି ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଥିଲେ ପିତୋପାଦ । ବୋଧଶ୍ରୀ, ନାରୋପା, ପ୍ରାଜ୍ଞ ଆଦି ଅନେକ ବିଶିଷ୍ଟ ପଣ୍ଡିତ ଯେଉଁମାନେ ଜୀବନରେ ଖ୍ୟାତି ଅର୍ଜନ କରିପାରିଥିଲେ ସେମାନେ ଏହି ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ । ବହୁ ଦୂର ଦେଶରୁ ଅନେକ ଛାତ୍ର ଏଠାକୁ ଉଚ୍ଚଶିକ୍ଷା ପାଇଁ ଆସୁଥିବା ଚୀନା ଓ ତିବ୍ଦତୀୟ ପୁସ୍ତକମାନଙ୍କରୁ ଜଣାଯାଏ । ଏଠାକୁ ନାରୋପା ଆସିଥିଲେ କାଶ୍ମୀରରୁ ଓ ପ୍ରାଜ୍ଞ ଆସିଥିଲେ ସୁଦୂର କାବୁଲ ଅଞ୍ଚଳରୁ । ରତ୍ନଗିରି ବିଶ୍ୱବିଦ୍ୟାଳୟକୁ ଆସିବା ଆଗରୁ ପ୍ରାଜ୍ଞ ନାଳନ୍ଦା ଓ ଅନ୍ୟାନ୍ୟ ଶିକ୍ଷା ଅନୁଷ୍ଠାନରେ ଦୀର୍ଘ ୧୮ ବର୍ଷକାଳ ପାଠପଢ଼ା ଶେଷ କରି ସାରିଥିଲେ, ଏଥିରୁ ଜଣାପଡ଼େ ଯେ ରତ୍ନଗିରିଠାରେ ଉନ୍ନତ ସୋପାନର ଗବେଷଣାମୂଳକ ଶିକ୍ଷା ପ୍ରଦାନ କରାଯାଉଥିଲା । ଓଡ଼ିଶାର ତତ୍‌କାଳୀନ ଭୌମରାଜା ଶୁଭକର ଦେବ ଏହି ପ୍ରାଜ୍ଞଙ୍କୁ ପଠାଇ ଥିଲେ ଚୀନ ସମ୍ରାଟ ଟିସଂଙ୍କ ଦରବାରକୁ ଏକ ସାଂସ୍କୃତିକ ଦୂତ ରୂପେ ।

 

ବଜ୍ରଯାନ ଓ ସହଜଯାନ

ମହାଯାନର ବିଜ୍ଞାନବାଦ ଦର୍ଶନ କ୍ରମେ ବଜ୍ରଯାନର ଦର୍ଶନରେ ପରିଣତ ହେଲା ଓ ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀ ବେଳକୁ ବଜ୍ରଯାନ ବୌଦ୍ଧଧର୍ମର ଅଭ୍ୟୁଦୟ ଘଟିଲା । ଉଡ୍‍ଡୀଆଣରେ ଥିବା ସମ୍ବଳ ରାଜ୍ୟର ରାଜା ଇନ୍ଦ୍ରଭୂତିଙ୍କୁ ବଜ୍ରଯାନର ସଙ୍ଗଠକ ରୂପେ ଗ୍ରହଣ କରା ଯାଇଥାଏ । ଏହି ଉଡ୍ଡ଼ୀୟାଣ ଯେ ଓଡ଼ିଶା ଓ ସମ୍ବଳ ଯେ ଆଧୁନିକ ସମ୍ବଲପୁର ଏଥିରେ ସନ୍ଦେହ ନାହିଁ । ଇନ୍ଦ୍ରଭୂତିଙ୍କ ପୁତ୍ର ପଦ୍ମସମ୍ଭବ ତାଙ୍କର ଶ୍ୟାଳକ ଶାନ୍ତରକ୍ଷିତଙ୍କ ସହିତ ତିବ୍ଦତକୁ ଯାଇ ସେଠାରେ ଲାମାଧର୍ମ ପ୍ରତିଷ୍ଠା କରିଥିଲେ ଓ ଶାନ୍ତରକ୍ଷିତ ହୋଇଥିଲେ ତିବ୍ଦତର ପ୍ରଥମଲାମା ଆଜିସୁଦ୍ଧା ପଦ୍ମସମ୍ଭବ ଦ୍ୱିତୀୟ ବୁଦ୍ଧରୁପେ ତିବ୍ଦତ, ଲଦାକ୍, ଓ ମଙ୍ଗୋଲିଆ ଅଞ୍ଚଳରେ ପୂଜିତ ହେଉଅଛନ୍ତି । ଇନ୍ଦ୍ରଭୂତିଙ୍କ ଭଉଣୀ ଲକ୍ଷ୍ମୀକରା ଇନ୍ଦ୍ରଭୂତି ପ୍ରଦର୍ଶିତ ଧର୍ମ ଓ ଦର୍ଶନ ବିରୁଦ୍ଧରେ ପ୍ରତିକ୍ରିୟା ସୃଷ୍ଟିକରି ଏକ ନୂତନ ଦୃଷ୍ଟିକୋଣ ଫିଟାଇଥିଲେ ଓ ବଜ୍ରଯାନକୁ ସହଜଯାନ ବୌଦ୍ଧଧର୍ମରେ ପରିଣତ କରିଥିଲେ । ବଜ୍ରଯାନରେ ଆଦି ବୁଦ୍ଧ, ଆଦି ବୋଧଶକ୍ତି ବା ପ୍ରଜ୍ଞାପାରମିତା, ପଞ୍ଚଧ୍ୟାନୀ ବୁଦ୍ଧ ଓ ବହୁଦେବ ଦେବୀଙ୍କ ଅର୍ଚ୍ଚନା ସ୍ତ୍ରୀକୃତ ହୋଇଛି । କିନ୍ତୁ ଲକ୍ଷ୍ମୀକରା ଏସବୁ ଦେବ ଦେବୀଙ୍କ ପୂଜା ସମର୍ଥନ ନକରି ତାହା ବଦଳରେ ଦେହ ପୂଜାର ଶ୍ରେଷ୍ଠତ୍ୱ ପ୍ରତିପାଦନ କଲେ । ତାଙ୍କ ମତରେ ପିଣ୍ଡ ଓ ବ୍ରହ୍ମାଣ୍ଡ ଏକ ଓ ଦେହ ମଧ୍ୟରେ ସମସ୍ତ ଦେବଦେବୀ ଓ ପୀଠ ତତ୍ତ୍ୱ ଅଧିଷ୍ଠିତ । ଲକ୍ଷ୍ମୀକରାଙ୍କ ଏ ଦେହପୂଜା ନୀତି କ୍ରମେ ଅମାର୍ଗଗାମୀ ହୋଇ ବୌଦ୍ଧଧର୍ମର ପତନର ଏକ ବିଶିଷ୍ଟ କାରଣ ହେଲା ।

 

ବୌଦ୍ଧଧର୍ମ କୁଆଡ଼େ ଗଲା ?

ଭାରତରେ ବିଭିନ୍ନ ଧର୍ମ, ଦର୍ଶନ ଓ ସଂସ୍କୃତିର ସଂଘର୍ଷରେ ଆସି ବୌଦ୍ଧଧର୍ମ ବିଭିନ୍ନ ଯୁଗରେ ଭିନ୍ନ ଭିନ୍ନ ରୂପ ଗ୍ରହଣକରି ଆସିଛି । ଅର୍ହତ ଯାନ ବା ହୀନ ଯାନରୁ ମହାଯାନ, ମହାଯାନରୁ ବଜ୍ରଯାନ ଓ ସେଥିରୁ ପୁଣି ସହଜଯାନ ରୂପେ ଏହା ଅତି ବିଚିତ୍ର ଭାବରେ ଗତି କରିଛି-। ଭାରତଭଳି ଭାରତବାହାରେ ଅନ୍ୟ କେଉଁଠି ଏହା ଏହିପରି ବିବର୍ତ୍ତନ ପ୍ରକ୍ରିୟାରେ ଗତି କରିଥିବା ଦେଖାଯାଇ ନାହିଁ । ସିଂହଳ ଓ ବ୍ରହ୍ମଦେଶକୁ ଅର୍ହତ ଯାନ ବୌଦ୍ଧଧର୍ମ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ପ୍ରବେଶ କରିଥିଲା ଓ ଆଜିଯାଏ ସେଇ ଦେଶ ଦୁଇଟିରେ ଏଇ ଧର୍ମହିଁ ପ୍ରତିଷ୍ଠିତ ହୋଇ ରହିଛି । ଖ୍ରୀଷ୍ଟ୍ରୀୟ ପ୍ରଥମ ଶତାବ୍ଦୀବେଳେ ଚୀନକୁ ଓ ଷଷ୍ଠ ଶତାବ୍ଦୀରେ କୋରିଆ ଓ ଜାପାନକୁ ମହାଯାନ ବୌଦ୍ଧଧର୍ମ ଯାଇଥିଲା । ଆଜିଯାଏ ସୁଦ୍ଧା ସେଇସବୁ ଦେଶରେ ଏଇ ମହାଯାନ ଧର୍ମହିଁ ପ୍ରଚଳିତ ହୋଇ ରହିଛି । ପୁଣି ଖ୍ରୀଷ୍ଟିୟ ଅଷ୍ଟମ ଶତାବ୍ଦୀରେ ତିବ୍ଦତ, ଲଦାକ, ମଙ୍ଗୋଲିଆ ଆଦି ଅଞ୍ଚଳରେ ବଜ୍ରଯାନ ଓ ସହଜଯାନ ପ୍ରଚାରିତ ହୋଇ ଆଜି ପର୍ଯ୍ୟନ୍ତ ସେ ସବୁ ଅଞ୍ଚଳରେ ଅବିକଳ ସେହିପରି ଭାବରେ ଚଳି ଆସୁଛି । ଭାରତରେ କିନ୍ତୁ ବୌଦ୍ଧଧର୍ମ ଓ ସଂସ୍କୃତିର ଗତି କେବେହେଁ ଅଚଳ ଅବସ୍ଥାରେ ରହି ପାରିନାହିଁ । ଅଷ୍ଟମ ଶତାବ୍ଦୀବେଳେ ଯେଉଁ ବଜ୍ରଯାନ ଓ ସହଜଯାନର ଅଭ୍ୟୁଦୟ ଘଟିଲା, ତାହାର ମଧ୍ୟ କାଳକ୍ରମେ ଘଟ ପରିବର୍ତ୍ତନ ହେଲା । ସହଜଯାନ ପୂର୍ବଭାରତରେ ପରିଣତ ହେଲା ସହଜିଆ ବୈଷ୍ଣବଧର୍ମରେ ଓ ବଜ୍ରଯାନର ପରିଣତି ଘଟିଲା ଓଡ଼ିଶାରେ ଜଗନ୍ନାଥ ଧର୍ମରୂପେ । । ଓଡ଼ିଶାର ପଞ୍ଚସଖା ସାହିତ୍ୟରେ ବଜ୍ରଯାନର ଦର୍ଶନ ଓ ଯୋଗର ପୁରାପୂରି ପ୍ରଭାବ ପରିଲକ୍ଷିତ ହୁଏ ଓ ଜଗନ୍ନାଥ ଯେ ବୁଦ୍ଧ ଏହି ଭାବଧାରା ବଜ୍ରଯାନର ରୂପ ପରିବର୍ତ୍ତନର ପରିଣତି ସ୍ୱରୂପ ଆସିଥିବା ଜଣାଯାଏ ।

 

***

 

Unknown

ଓଡ଼ିଶାର ନାଥଧର୍ମ ଓ ନାଥସାହିତ୍ୟ

ଅଧ୍ୟାପକ ବଂଶୀଧର ମହାନ୍ତି

 

ସମଗ୍ର ଭାରତରେ ନାଥ ସମ୍ପ୍ରଦାୟ ଏକ ବିଶିଷ୍ଟ ଧାର୍ମିକ ସମ୍ପ୍ରଦାୟ ଭାବରେ ଖ୍ୟାତି ଲାଭ କରିଛି । ଏକ ସମୟରେ ସେମାନଙ୍କର ଧର୍ମ ତଥା ସାହିତ୍ୟ ଅତି ଲୋକପ୍ରିୟ ହୋଇ ଉଠିଥିଲା । ପ୍ରାଚୀନ ଓଡ଼ିଶାର ଧର୍ମ ଓ ସାହିତ୍ୟର ଆଲୋଚନାରୁ ଜଣାଯାଏ ଯେ ନାଥସମ୍ପ୍ରଦାୟ ଓ ନାଥ ସାହିତ୍ୟର ପ୍ରଭାବ ଆମ ସାହିତ୍ୟ ଓ ଧର୍ମକୁ ଅନେକ ପରିମାଣରେ ପ୍ରଭାବିତ କରିଛି ।

 

ନାଥ ବା ଯୋଗୀ ସମ୍ପ୍ରଦାୟର ଉତ୍ପତ୍ତିର ସମୟ ନେଇ ଆଲୋଚକମାନଙ୍କ ମଧ୍ୟରେ ବହୁମତ ପ୍ରଚଳିତ ରହିଛି । ନାଥଗୁରୁ ଗୋରଖନାଥଙ୍କର ଗୁରୁ ମତ୍ସ୍ୟେନ୍ଦ୍ରନାଥ ଖ୍ରୀ ୧୦ ମ ଶତାବ୍ଦୀରେ ଓ ତାଙ୍କର ଶିଷ୍ୟ ଗୋରଖନାଥ ଖ୍ରୀ ୧୧ ଶ ଶତାବ୍ଦୀରେ ଜୀବିତ ଥିବାର ଜଣାଯାଏ । ଡକ୍ଟର କଲ୍ୟାଣୀ ମଲ୍ଲିକ୍ ଗୋରଖନାଥଙ୍କର ସମୟ ଖ୍ରୀ ୧୦୭୫ ବୋଲି ଗ୍ରହଣ କରିଅଛନ୍ତି । (୧) ଡକ୍ଟର ମୋହନସିଂହ ତାଙ୍କର ନାଥଧର୍ମ ସମ୍ବନ୍ଧୀୟ ଗ୍ରନ୍ଥରେ ଗୋରଖନାଥଙ୍କର ସମୟ ଖ୍ରୀ୯ମ ଓ ଖ୍ରୀ ୧୦ମ ଶତାବ୍ଦୀ ଭିତରେ ବୋଲି କହି ଅଛନ୍ତି । (୨) ଡକ୍ଟର ହଜାରୀ-ପ୍ରସାଦ ଦ୍ୱିବେଦୀ ତାଙ୍କର ନାଥ ସମ୍ପ୍ରଦାୟ ନାମକ ପାଣ୍ଡିତ୍ୟପୂର୍ଣ୍ଣ ଗ୍ରନ୍ଥରେ ଗୋରଖନାଥଙ୍କର ସମୟ ନିରୂପଣ କରିଛନ୍ତି ବିକ୍ରମ ସମ୍ବତ୍ ୧୦ମ ଶତାବ୍ଦୀ ଅର୍ଥାତ୍ ଖ୍ରୀ୯୪୩ । (୩) ବ୍ରିଗସ୍ ସାହେବ ତାଙ୍କର ଗୋରଖନାଥ ଓ କାନଫଟା ଯୋଗୀ ନାମକ ପୁସ୍ତକରେ କହନ୍ତି ଯେ ଏହି ନାଥ ସମ୍ପ୍ରଦାୟ ଖ୍ରୀ ୧୧ଶ ଶତାବ୍ଦୀରେ ଜନ୍ମ ଲାଭ କରିଥିଲେ ଓ ସେହି ସମୟ ହେଉଛି ଗୋରଖନାଥଙ୍କର ଆବିର୍ଭାବର ସମୟ । (୪)

 

ଗୋରଖନାଥ ଓ ତାଙ୍କ ଗୁରୁ ମତ୍ସ୍ୟେନ୍ଦ୍ରନାଥଙ୍କ ସମ୍ବନ୍ଧରେ ଭାରତୀୟ ବିଭିନ୍ନ ସାହିତ୍ୟରେ ବିଭିନ୍ନ ପ୍ରକାର କିମ୍ବଦନ୍ତୀ ପ୍ରଚଳିତ ରହିଛି । ନାଥଧର୍ମର ସାଧକମାନେ ଶିବୋପାସକ, ତଥାପି ତହିଁରେ ବୌଦ୍ଧଧର୍ମର ପ୍ରଭାବ ପରିଲକ୍ଷିତ ହୁଏ । ତିବ୍ଦତର କିମ୍ବଦନ୍ତୀ ପ୍ରଚଳିତ ରହିଛି ଯେ ଗୋରଖନାଥ ହେଉଛନ୍ତି ଜଣେ ପ୍ରଧାନ ବୌଦ୍ଧ ତାନ୍ତ୍ରିକ । ଆହୁରି ମଧ୍ୟ କଥିତ ଯେ କାନଫଟା ଯୋଗୀମାନେ ପ୍ରଥମେ ବୌଦ୍ଧଥିଲେ, କିନ୍ତୁ ଖ୍ରୀ ୧୨ ଶ ଶତାବ୍ଦୀର ଶେଷ ଆଡ଼କୁ ସେମାନେ ଶିବଙ୍କର ଉପାସକ ଭାବରେ ପରିଚିତ ହୋଇଥିଲେ । (୫) ଖ୍ରୀ ୭ମ ଓ ୮ମ ଶତାବ୍ଦୀରେ ନେପାଳରେ ଯେଉଁ ମହାଯାନ ବୌଦ୍ଧଧର୍ମ ପ୍ରଚଳିତ ଥିଲା, ଗୋରଖନାଥଙ୍କ ପ୍ରଚାରିତ ଶୈବଧର୍ମ ଫଳରେ ସେଠାର କ୍ରମେ ବୌଦ୍ଧଧର୍ମର ପ୍ରଭାବ ଲୋପ ପାଇଲା । ମତ୍ସ୍ୟେନ୍ଦ୍ରନାଥ ଶୈବ ଥିଲେ ତଥାପି ସେ ନେପାଳରେ ଆର୍ଯ୍ୟ ଅବଲୋକିତେଶ୍ଵର ଭାବରେ ପୂଜା ପାଉଅଛନ୍ତି । ପୁରୀର ଜଗନ୍ନାଥଙ୍କ ରଥଯାତ୍ରା ପରି ମତ୍ସ୍ୟେନ୍ଦ୍ରନାଥଙ୍କର ରଥଯାତ୍ରା ନେପାଳରେ ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ । ଗୋରଖନାଥ ମଧ୍ୟ ସେଠାକାର ପ୍ରଧାନ ଦେବତା ପଶୁପତିନାଥଙ୍କ ପରି ସମ୍ମାନିତ ହୋଇଥାନ୍ତି । (୬)

 

(୧)

Siddha Siddhanta paddhati and other works of the Natha yogis Int. p. II

(୨)

Gorakhnath and Mediaval Mysticism Dr. M. Singh p. 19-21

(୩)

ନାଥ ସମ୍ପ୍ରଦାୟ - ଡାଃ ହଜାରୀ ପ୍ରସାଦ ଦ୍ୱିବେଦୀ - ପୃ-୯୬

(୪)

Gorakhnatha and the kanfata yogis - Briggs p. 243-4

(୫)

E.R.E. p 239

(୬)

Ibid p 330

 

ଓଡ଼ିଶାରେ ଅନେକ ସ୍ଥାନରେ ବହୁ ନାଥ ସିଦ୍ଧଙ୍କର ପୀଠ ଓ ଗାଦି ରହିଛି । ଖ୍ରୀ ଦ୍ଵାଦଶ ତ୍ରୟୋଦଶ ଶତାବ୍ଦୀରେ ଏହି ନାଥ ଧର୍ମ ଓଡ଼ିଶାର ଏକ ଲୋକପ୍ରିୟ ଧର୍ମ ଭାବରେ ଖ୍ୟାତି ଲାଭ କରିଥିଲା । କେତେକ ମତ ପ୍ରତିପାଦନ କରନ୍ତି ଯେ ନାଥପନ୍ଥୀ ସାଧକମାନେ ବଙ୍ଗଳାରୁ ଓଡ଼ିଶାକୁ ଆସିଥିଲେ । ଏ ପ୍ରକାର ଭାବନାରେ କୌଣସି ଅର୍ଥ ନାହିଁ କାରଣ ଆମର ପ୍ରାଚୀନ ଓଡ଼ିଆ ସାହିତ୍ୟ ଅନୁଶୀଳନ କଲେ ନାଥଧର୍ମ ଓ ସାହିତ୍ୟର ବହୁ ପ୍ରଭାବ ଦେଖିବାକୁ ପାଇବା । ଓଡ଼ିଆ ସାହିତ୍ୟର ସର୍ବପ୍ରାଚୀନ ସାହିତ୍ୟ ସାରଳା ମହାଭାରତରେ ନାଥ ସିଦ୍ଧଙ୍କର ନାମୋଲ୍ଲେଖ ସହିତ ନାଥମାନଙ୍କର ବିଭିନ୍ନ ଗୋଷ୍ଠୀ, ସେମାନଙ୍କର ବେଶଭୂଷା ଓ ରୀତିନୀତି ସମ୍ବନ୍ଧରେ ବହୁତ ଆଭାସ ମିଳିଥାଏ । ତେବେ ଏକ ସମୟରେ ନାଥଧର୍ମ ଉତ୍ତର ଭାରତ ତଥା ପୂର୍ବ ଭାରତରେ ଲୋକପ୍ରିୟ ଧର୍ମ ହୋଇଥିଲା ।

 

ଓଡ଼ିଶାର ଯୋଗୀମାନେ ଆଜିକାଲି କେନ୍ଦରା ବା ଗୋପୀଯନ୍ତ୍ର ବଜାଇ ଭିକ ମାଗିବାର ଦେଖାଯାନ୍ତି । ହାତରେ ଲାଉଥାଳ କାନ୍ଧରେ କନ୍ଥାର ଝୁଲି ଓ ବେକରେ ରୁଦ୍ରାକ୍ଷମାଳି ଏମାନଙ୍କର ସାଧାରଣ ବେଶଭୂଷା । ବେଳେ ବେଳେ ନାମ ଜପକରିବା ନିମିତ୍ତ ସେମାନଙ୍କ ପାଖରେ ଲୁହା ବା ତମ୍ବାର ବହୁ ଶିକୁଳିଯୁକ୍ତ ଏକ ଯନ୍ତ୍ର ଥାଏ ତାହା ଗୋଲଖ ଧନ୍ଦା ବା ଗୋରଖ ଧନ୍ଦା ଭାବରେ କଥିତ-। ଯୋଗୀମାନଙ୍କ ମଧ୍ୟରେ ଅନ୍ୟ ଏକ ଯୋଗୀ ଗୋଷ୍ଠୀ ଅଛନ୍ତି ସେମାନେ ସପ୍ତାଙ୍ଗୀ ଯୋଗୀ ବା ଲହଙ୍ଗୀ ଭାବରେ କଥିତ । ଏମାନେ ବେଳେ ବେଳେ ତମ୍ବାଥାଳ ଓ କେନ୍ଦରା ମଧ୍ୟ ଧାରଣ କରିଥାନ୍ତି-। ଓଡ଼ିଶାର ଯୋଗୀମାନଙ୍କ ମଧ୍ୟରେ ଗୋରଖନାଥ ଓ ମୀନନାଥଙ୍କ ସମ୍ବନ୍ଧରେ ବହୁତ କିମ୍ବଦନ୍ତୀ ପ୍ରଚଳିତ ରହିଛି । ଏହାଛଡ଼ା ଓଡ଼ିଶାର ଯୋଗୀମାନଙ୍କ ମଧ୍ୟରେ ଯୋଗୀବୈଦ୍ୟ ବା ପ୍ରାଚୀନ ରସ-ଶାସ୍ତ୍ର-ବିଦ୍ ଯୋଗୀମାନେ ଅଛନ୍ତି ଯାହାଙ୍କର ବିଷୟ ପରବର୍ତ୍ତୀ ପ୍ରସଙ୍ଗରେ ଆଲୋଚନା କରାଯିବ ।

 

ସାରଳା ମହାଭାରତରେ ନାଥ ଧର୍ମର ସ୍ୱରୂପ-

ଖ୍ରୀ: ପଞ୍ଚଦଶ ଶତାବ୍ଦୀର ବହୁ ପୂର୍ବରୁ ଏହି ନାଥଧର୍ମ ଓଡ଼ିଶାର ଏକ ଲୋକପ୍ରିୟ ଧର୍ମ ହୋଇଗଲାଣି । ଏହାର ପ୍ରମାଣ ଆମେ ସାରଳା ମହାଭାରତର ବିଭିନ୍ନ ପ୍ରସଙ୍ଗରୁ ଜାଣିବାକୁ ପାଇଥାଉଁ । ମଧ୍ୟ ପୂର୍ବ ମହାଭାରତରେ ଲକ୍ଷ୍ମୀ ଶିବଙ୍କୁ ନାନା ପ୍ରକାର ଧିକ୍‍କାର କରି କହିଛନ୍ତି ନାରାୟଣଙ୍କର ସମ୍ମୁଖରେ । ବୃଷଭକୁ ଖଣ୍ଡେ ଦୂରରୁ ଦେଖି ଶିବ ଆସୁଥିବା ଜାଣିପାରି ନାରାୟଣ ଗରୁଡ଼ ପିଠିରୁ ଓହ୍ଲାଇ ଆସି ଶିବଙ୍କୁ ପ୍ରଣାମ କରିବାରୁ ଲକ୍ଷ୍ମୀ ନାରାୟଣଙ୍କୁ କହୁଛନ୍ତି –

 

“ସେ ଯୋଗୀ ଗୋଟାକୁ କିମ୍ପା

ହୋଇଲ ପରିଣାମି

ଦେଖିଲେ ଅଯାତ୍ରା

ଛୁଇଁଲେ ପାପ ଲାଗି ।

ବ୍ରାହ୍ମଣ ଚାଣ୍ଡାଳ ସବୁରି

ଘରେ ଭକ୍ଷ ଭୋଜି”

ମହାଭାରତ ମଧ୍ୟ ପର୍ବ, ପା-ପୃ୧୮୭

 

* ନାଥ ସମ୍ପ୍ରଦାୟ – ଡା ହାଜାରୀ ପ୍ରସାଦ ଦ୍ୱିବେଦୀ ପୃ ୧୫୬-୬୧ ରାବଳଶାଖା ଆଲୋଚନା ଦ୍ରଷ୍ଟବ୍ୟ ।

 

ଆଜି ପର୍ଯ୍ୟନ୍ତ ଓଡ଼ିଶାରେ କଥାଅଛି ଅନୁକୂଳ ବେଳେ ବାଟରେ ଯୋଗୀ ଦେଖିଲେ ଅନୁକୂଳ ବଦଳାଇବାକୁ ପଡ଼ିବ । ଏ ପ୍ରକାର କଥା ହୁଏତ ଶୈବଧର୍ମ ବିରୋଧୀ ବୈଷ୍ଣବମାନଙ୍କଦ୍ଵାରା ସୃଷ୍ଟି ହୋଇଥିବାର ଅନୁମାନ କରାଯାଇପାରେ । ଶିବ ଓ ଅନ୍ୟ ଦିଗରେ ଲକ୍ଷ୍ମୀଙ୍କର ଉକ୍ତି ପ୍ରତ୍ୟୁକ୍ତି ଭିତରେ ବୈଷ୍ଣବ ଧର୍ମର ମହତ୍ତ୍ୱ ଲକ୍ଷ୍ମୀଙ୍କ ମୁଖରେ ପ୍ରତିପାଦିତ ହୋଇଛି । ନାରାୟଣଙ୍କର ପ୍ରଣାମରେ ଶିବ ତାଙ୍କୁ ଆଶୀର୍ବାଦ କରନ୍ତେ ଲକ୍ଷ୍ମୀ କହୁଛନ୍ତି –

 

“ଲକ୍ଷ୍ମୀ ବିଚାରନ୍ତି ଯୋଗୀର

ଭାରିଯା ଯୋଗିଆଣୀ

ସେ ଛାର ହୋଇବ ମୋହ

ଉପରେ ଠାକୁରାଣୀ ।

ଯୋଗୀ, ତପୁସି, ରାଉଳ

ତିନି ନାମ ତାହାଙ୍କର ।”

(ମହାଭାରତ ମଧ୍ୟପର୍ବ ପା-ପୃ ୧୮୭)

 

‘ରାଉଳ ଯୋଗୀମାନଙ୍କର ଏକ ପ୍ରଧାନ ବିଭାଗ । କିନ୍ତୁ ଆଜି ଯେଉଁ ଯୋଗୀମାନେ - ଓଡ଼ିଶାରେ ରହିଅଛନ୍ତି ସେମାନଙ୍କର ସାଙ୍ଗିଆ ରାଉଳ ନୁହେଁ । ‘ରାଉଳ’ମାନେ କଳାହାଣ୍ଡି ବଲାଙ୍ଗୀର ଅଞ୍ଚଳରେ ଶିବପୂଜକ ବା ମାଳୀ ନାମରେ ପରିଚିତ । କେତେକ ‘ରାଉଳ’ ସାଙ୍ଗିଆର ଲୋକେ ସେହି ଅଞ୍ଚଳରେ ମଧ୍ୟ ସାପ ଖେଳାନ୍ତି ଓ ଜଡ଼ିବୁଟି ବିଦ୍ୟାରେ ପାରଦର୍ଶିତା ଲାଭ କରିଅଛନ୍ତି, କିନ୍ତୁ ସେମାନେ କେଳା ନୁହନ୍ତି । ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରେ ରାଉଳ ସାଙ୍ଗିଆର ଲୋକେ ଶିବ ତଥା ଶକ୍ତି ଉପାସକ । କେତେକ ‘ରାଉଳ’ ବିଭିନ୍ନ ଠାକୁରାଣୀଙ୍କର ପୂଜକ ଭାବରେ ମଧ୍ୟ ଅଛନ୍ତି, ଯେଉଁମାନେ ଠାକୁରାଣୀଙ୍କର ପୂଜା କରିବା ସହିତ ପାଟୁଆ ନାଚ ବା ଝାମ ନାଚରେ ପାରଦର୍ଶିତା ଅର୍ଜନ କରିଅଛନ୍ତି । ‘ରାଉଳ’ ଯୋଗୀମାନଙ୍କର ଏକ ବିଶିଷ୍ଟ ସମ୍ପ୍ରଦାୟ ଏବଂ ଏହି ରାଉଳ ସମ୍ପ୍ରଦାୟ ସମ୍ବନ୍ଧରେ ଡା: ହଜାରୀପ୍ରସାଦ ଦ୍ୱିବେଦୀ ଆଲୋଚନା କରିବାକୁ ଯାଇ ଲେଖିଅଛନ୍ତି ଏହି ‘ରାଉଳ’ ଶାଖା ପ୍ରାଚୀନ ଶୈବ କୁଳୀଶ ସମ୍ପ୍ରଦାୟ ସହିତ ଘନିଷ୍ଠ ଭାବରେ ସମ୍ପୃକ୍ତ-। ସେ ରାଉଳ ଶବ୍ଦ ସଂସ୍କୃତ ‘ରାଜକୁଳ’ ଶବ୍ଦରୁ ଉଦ୍ଧୃତ ବୋଲି କହନ୍ତି । ସେ କହନ୍ତି ଯେ “ରାବଳ ବସ୍ତୁତଃ ‘ଲାକୁଳ’ ଶବ୍ଦର ରୂପାନ୍ତର’’ ମାତ୍ର ।)

 

ନାଥ ସମ୍ପ୍ରଦାୟର କେତେକ ତଥ୍ୟ ନିମିତ୍ତ କେନ୍ଦ୍ରାପଡ଼ାର କିଆରବାଙ୍କ ଗାଦି ଯାହାକି କଟକ ଜିଲ୍ଲାର ନାଥମାନଙ୍କର ପ୍ରଧାନ ପୀଠ । ସେଠାକାର ମହନ୍ତ ଦଇତ୍ୟାରି ନାଥ ଓ ଚେଲା ବିଷ୍ଣୁଚରଣ ନାଥ ନାଥ ଧର୍ମ ସମ୍ବନ୍ଧରେ କେତେ ଉପାଦାନ ଦେଇଥିଲେ । ନାଥମାନଙ୍କର ୧୨ଟି ପ୍ରଧାନ ଶାଖା ଭିତରେ ରାଉଳ ଶାଖା ହେଉଛି ଅନ୍ୟତମ । ଚତୁର୍ଥ ବିଭାଗ ରାଉଳମାନଙ୍କ ସମ୍ବନ୍ଧରେ ରହିଛି-

 

(୭)

ସ୍ୱାମି ଆୟୁର ଯୋଡ଼ିର ଯେ ଧନୁ ସିଶୁମୂନା

 

ସେ ତୋହର ଶରୀରକୁ ଗୋପ୍ୟାନ ମେଖଳାସିନା ପୃ୫୮୩ ବନ, ପୂର୍ବ

(କ)

କାମାକ୍ଷୀ ଦେବୀଙ୍କର ସ୍ତୁତିରେ –

 

“ସୂରୁପ ସୀଧ୍ୟାଙ୍ଗୀ ଗୋ କାମାକ୍ଷୀ ସିଦ୍ଧଭାଗୀ

 

ଶିଶୁମୁନା ବେଦ ସାଧ୍ୟଙ୍ଗୀ ଗୋ ଶରୀର ମାତସାଙ୍ଗୀ ବନ:ପ:ପୃ୨ ୬୩

(ଖ)

ଶିବଙ୍କର ସମ୍ବନ୍ଧରେ-

 

ଆୟୁର ଜୋତିର ଶିଶୁମୂନା ମନ୍ତ୍ର ସାଧୁ ବ୍ରହ୍ମ ହତ୍ୟା ପାର କରି ପୃ୩୩୦ ବନ ପର୍ବ

(ଗ)

ଆୟୁର ଜୋତି ଧନୁ ସିଶୁମୂନା ଅଯପା ପଞ୍ଚ ମହାମେନ୍ତ୍ରଂ

 

ଯଥା ବାକ୍ୟ ଉଚ୍ଚାରଣ କରନ୍ତି ପ୍ରୋହିତେ । ବନ ପୃ-୪୫୦

 

‘ରାଉଳ ଯୋଗିକି ସେ ଯେ ।

ଡମ୍ବରୁ ତ୍ରିଶୂଳ

ଗଳାରେ ଚକ୍ର ମେଖଳି

ରୁଦ୍ରାକ୍ଷର ମାଳ ।

କପୋଳେ ବିଭୂତି ହୃଦେ

ବାହୁ ଦୁଇଠାରେ

ପଙ୍କର ମୁଦୁରା ହସ୍ତେ

ଘେନି ଏକାଠାରେ ।”

 

ସାରଳା ମହାଭାରତ ରଚନାର ପୂର୍ବରୁ ‘ଅମର କୋଷ ଗୀତା’ ଓ ଅନ୍ୟ ଏକ ପ୍ରାଚୀନ ଗ୍ରନ୍ଥ ‘ଶିଶୁବେଦ’ର ସୂଚନା ମିଳୁଛି । ଏହି ଶିଶୁବେଦ ସାରଳା ମହାଭାରତରେ ‘ଶିଶୁମୁନା ବେଦ’ ଭାବରେ ବିଭିନ୍ନ ସ୍ଥାନରେ କୁହାଯାଇଛି ଓ ପରବର୍ତ୍ତୀ ପଞ୍ଚସଖା ସାହିତ୍ୟରେ ଶିଶୁବେଦ ତଥା ଶିଶୁବେଦର ବିଭିନ୍ନ ପଦର ପ୍ରୟୋଗ ମିଳୁଛି । ଶିଶୁବେଦ ବା ଶିଶୁମୁନା ବେଦର ରଚୟିତା ଗୋରଖନାଥ । ମହାଭାରତର ମଧ୍ୟ ପୂର୍ବରେ ଶିବ ଶିଶୁବେଦ ପଢ଼ୁଥିବାର ବର୍ଣ୍ଣନା କରାଯାଇଛି ।

 

"ଋକ ଯଜୁ ଶାମ ଅଥର୍ବ

ଚାରି ବେଦ ଘୋଷଇଁ

ପଞ୍ଚମ ମୁଖରେ ଶିଶୁବେଦ

ଅଭ୍ୟାସଇ ।”

ମଧ୍ୟପର୍ବ ପାଣ୍ଡୁଲିପି - ପୃ୭୫୫

 

ଏହାଛଡ଼ା ବନପର୍ବ ଓ ଅନ୍ୟାନ୍ୟ ପର୍ବରେ ଏହି ଶିଶୁବେଦ ଶିଶୁମ୍ନା ବେଦ ଭାବରେ କଥିତ-। (୭) ମହାଭାରତରେ ଶିଶୁବେଦ ବା ଶିଶୁମ୍ନା ବେଦ ପଞ୍ଚମ ବେଦ ଭାବରେ କଥିତ ଓ । ତାହାର ସ୍ରଷ୍ଟା ହେଉଛନ୍ତି ଶିବ । ଶିଶୁମ୍ନା ବେଦ ଶିସୁମ୍ନା ନାଡ଼ିରେ ପବନ ସାଧନ କରିବାର ଯୋଗ । ଯାହା ପରବର୍ତ୍ତୀ ସମୟରେ ଓଡ଼ିଶା ବୈଷ୍ଣବ ଧର୍ମର ପ୍ରଧାନ ଅଙ୍ଗ ଭାବରେ ଗୃହୀତ ହୋଇଛି । ସପ୍ତାଙ୍ଗ, ଅଷ୍ଟାଙ୍ଗ ସାଧନାର ମୌଳିକ ସ୍ୱରୂପ ଏହି ଶିଶୁବେଦ ଭିତରେ ରହିଅଛି । ସେଇଥିପାଇଁ ଓଡ଼ିଆ ଗ୍ରନ୍ଥ ସାହିତ୍ୟର ପ୍ରତି ପଦରେ ନାଥଧର୍ମର ଏହି ଶିଶୁମ୍ନା ସାଧନକୁ ଶିଶୁବେଦ ଭାବରେ ଏତେ ପ୍ରାଧାନ୍ୟ ଦିଆଯାଇଛି । ସାରଳାଦାସ ଉଦ୍‌ଯୋଗ ପର୍ବରେ ସାତ ବେଦର ଉଲ୍ଲେଖ କରିଅଛନ୍ତି, ତାହା ହେଉଛି ଆୟୁର୍ବେଦ, ଜ୍ୟୋତିବେର୍ଦ, ଧନୁର୍ବେଦ, ଶିଶୁମ୍ନା ବେଦ, ଜପା, ଅଜପା ଓ ଗାୟତ୍ରୀ ବେଦ । ସୃଷ୍ଟି ପ୍ରକ୍ରିୟା ସମ୍ବନ୍ଧରେ ବିଷ୍ଣୁଗର୍ଭ ପୁରାଣର ଅନୁରୂପ ବର୍ଣ୍ଣନା ପ୍ରସଙ୍ଗରେ ଏହି ସପ୍ତବେଦର ଜନ୍ମ କଥା କୁହାଯାଇଛି । ଅଣାକାର ବିଷ୍ଣୁଙ୍କର ଗର୍ଭରୁ ଦଶ ଅବତାରର ବିଷ୍ଣୁମାନେ ଉତ୍ପଭି ଲାଭ କରିଅଛନ୍ତି । ପ୍ରଳୟ ପରେ ପୃଥ୍ୱୀ, ଆପ୍, ତେଜ, ଜଳ, ସ୍ଥଳ, ଅନଳ ସବୁନାଶ ଗଲାପରେ ସମସ୍ତେ-। ଯାଇଁ ଅଣାକାର ବିଷ୍ଣୁଙ୍କର ଗର୍ଭରେ ବିଶ୍ରାମ ନେଲେ । ଅଣାକାର ବିଷ୍ଣୁ ଶୟନବେଳେ ଅନେକ ଯୁଗପରେ ହାଇ ମାରିବାରୁ ତହିଁରୁ ଯୋଗପୁରୁଷ, ତହିରୁ ତ୍ରିଗୁଣ ଅବତାର, ତ୍ରିଗୁଣରୁ ନିରଞ୍ଜନ, ନିରଞ୍ଜନରୁ ଠୁଳ, ଠୂଳରୁ ଧର୍ମ ଓ ଧର୍ମରୁ ବ୍ରହ୍ମା ବିଷ୍ଣୁ ଶିବ ଜାତହେଲେ । ଏହାପରେ ପୂର୍ବୋକ୍ତ ସାତବେଦ ଉତ୍ପତ୍ତି ଲାଭ କରିବାର ବର୍ଣ୍ଣନା ଅଛି ।

 

(୮)

ନାଥ ସମ୍ପ୍ରଦାୟ – ଦ୍ୱିବେଦୀ – ପୃ୧୬୩-୪

(୯)

କୃଷିକାରୀମାନେ ନାଚନ୍ତି ପାଡ଼ନ୍ତି ବୋବି

 

ମହା ରାଉଳ ବୋଇଲା ୟେ କିସ ଉପୂଜି ।

 

ମହା ଜାଲି ମହା ମୁଦ୍ରା ପାତିଲା ବହନ

 

ସମସ୍ତ ଭୂତମାନଙ୍କୁ କଲାକ ବନ୍ଧନ । ଉଦ୍‌ଯୋଗ ପର୍ବ ପୃ୧୧୦

 

“ଆୟୁର ଜ୍ୟୋତିର ଯେ

ଧନୁର ଶିଶୁମୁନା

ଜପା ଅଜପା ଗାୟତ୍ରୀ ୟେମନ୍ତେ

ସପ୍ତବେଦ ଉତପନା ।”

ଉଦ୍‌ଯୋଗ ପର୍ବ ପୃ-୧୬୧

 

ଶିଶୁବେଦ ବା ସୁଶୁମ୍ନାବେଦ ନାଥ ଧର୍ମର ଏକ ପ୍ରଧାନ ଅଙ୍ଗ । ନାଥ ଧର୍ମ ପ୍ରସଙ୍ଗରେ ବିଭିନ୍ନ ଆଲୋଚନା ମୂଳକ ଗ୍ରନ୍ଥରେ ‘ଶିଶୁବେଦ’ ନାମ ମିଳେନାହିଁ କିନ୍ତୁ ଶିଶୁମ୍ନା ନାଡ଼ି ମଧ୍ୟ ଦେଇ ପବନ ସାଧନା ବା ଷଡ଼ଚକ୍ର ସାଧନାର କଥା ବର୍ଣ୍ଣିତ ହୋଇଛି । ବହୁ ପ୍ରାଚୀନ କାଳରେ ଏହି ଯୋଗ ସାଧନା ପଦ୍ଧତି “ଶିଶୁବେଦ” ବା “ଶିଶୁମ୍ନାବେଦ” ଭାବରେ ଓଡ଼ିଶାରେ ପ୍ରଚଳିତ ଥିବାର ଜଣାଯାଏ ।

 

ଓଡ଼ିଶାର ନାଥ ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ରାଉଳ ପନ୍ଥୀ ଓ ସତ୍ୟନାଥ ପନ୍ଥୀ ଲୋକପ୍ରିୟ ଥିବାର ଜଣାଯାଏ । ତଥାପି ନାଥମାନଙ୍କର ମୁଖରେ ସତ୍ୟନାଥ, ଧର୍ମନାଥ, ଗୋପାଳନାଥ, ରାଉଳ, ଆଇ, ଭୋତଙ୍ଗନାଥ, ହେତୁନାଥ, ଧ୍ଵଜନାଥ, ଗଜକନ୍ଥଡ଼, ଅଘୋରନାଥ, ତୁଳନାଥ, ନିତ୍ୟନାଥ ତଥା ଗୋରଖନାଥ ପ୍ରଭୃତିଙ୍କର ବିଭିନ୍ନ ପନ୍ଥା ସେମାନଙ୍କର ବେଶଭୂଷା ପ୍ରଭୃତି ବିଷୟ ବର୍ଣ୍ଣିତ ରହିଛି । ସାରଳା ମହାଭାରତରେ ଯୋଗୀ “ସତ୍ୟପା” “ଶିବପା” ପ୍ରଭୃତି ଯୋଗୀ ଏହି ନାଥ ସିଦ୍ଧ ହେବାର ବିଶେଷ ସମ୍ଭାବନା । ‘ସତ୍ୟପା’ ନାଥଗୁରୁ ସତ୍ୟନାଥ ଭାବିବା ଅସଙ୍ଗତ ନୁହେଁ ।

 

ବ୍ରିଗସ୍ ସାହେବ ଓଡ଼ିଶାର ନାଥ ଧର୍ମ ପ୍ରସଙ୍ଗରେ ଅନୁସନ୍ଧାନ କରି ପୁରୀରେ ସତ୍ୟନାଥଙ୍କର ପ୍ରଧାନ ପୀଠ ଥିବାର କହିଅଛନ୍ତି । ନାଥ ସମ୍ପ୍ରଦାୟ ଗ୍ରନ୍ଥରେ ଡାଃ ଦ୍ୱିବେଦୀ କହିଛନ୍ତି ଯେ ସତ୍ୟନାଥଙ୍କର ତୃଣଦଣ୍ଡ ଯାହାକି ସୁଦର୍ଶନ ଭାବରେ କଥିତ ତାହା ଲକୁଳୀଶ ସମ୍ପ୍ରଦାୟର ଲକୁଳ ବା ଲଗୁଡ଼ର ଅବଶେଷ ମାତ୍ର । ଏହାଛଡ଼ା ସେ ଅନୁମାନ କରନ୍ତି କି ଶୈବ ସମ୍ପ୍ରଦାୟର ସତନାଥୀ ଶାଖା ଏକ ପ୍ରାଚୀନ ଶାଖା ଓ ତହିଁରେ ପରବର୍ତ୍ତୀ ସମୟରେ ଗୋରଖନାଥଙ୍କର ପ୍ରଭାବ ପଡ଼ିଛି । ଖ୍ରୀ ତ୍ରୟୋଦଶ ଓ ଚତୁର୍ଦ୍ଦଶ ଶତାବ୍ଦୀ ପର୍ଯ୍ୟନ୍ତ ସତ୍ୟନାଥ ଓ ଧର୍ମନାଥଙ୍କୁ ରାଉଳ ସମ୍ପ୍ରଦାୟର ଅନ୍ତର୍ଭୁକ୍ତ ଥିବାର ଜଣାଯାଏ, ପରେ ତହିଁରେ ଲକୁଳୀଶ, ପାଶୁପତ ସମ୍ପ୍ରଦାୟର ପ୍ରଭାବ ଓ ଗୋରଖନାଥଙ୍କର ପ୍ରଭାବ ପଡ଼ିଥିବାର ଜଣାଯାଏ । (୮)

 

ରାଉଳପନ୍ଥୀ ଆନୁମାନିକ ଖ୍ରୀ ୧୩ ଶତାବ୍ଦୀକୁ ଓଡ଼ିଶାରେ ଏକ ଲୋକପ୍ରିୟ ନାଥଧର୍ମର ଶାଖା ଭାବରେ ପରିଣତ ହୋଇଥିବାର ଜଣାଯାଏ । ଉଦ୍‌ଯୋଗ ପର୍ବରେ ଏହି ରାଉଳମାନଙ୍କର ତାନ୍ତ୍ରିକ ବିଦ୍ୟାରେ ପାରଦର୍ଶିତା ଅର୍ଜନ କରିବାର ବିଷୟ କବି ଉଲ୍ଲେଖ କରିଅଛନ୍ତି । ବାବନାଭୁତ କଥା ପ୍ରସଙ୍ଗରେ କବି ଲେଖିଛନ୍ତି ଭୂତମାନଙ୍କର ପ୍ରକୋପରେ କୃଷିକାରୀମାନେ ପାଟିତୁଣ୍ଡ କରିବା, ନାଚ କରିବା ପ୍ରଭୃତି ବିଷୟ ଲକ୍ଷ କରି ମହାରାଉଳ ମହାମୁଦ୍ରା ରୂପକ ମହାଜାଲ ବିସ୍ତାର କରି ଭୂତମାନଙ୍କୁ ବାନ୍ଧି ପକାଇଛି । (୯) ଏହି ରାଉଳମାନଙ୍କର ପ୍ରସାଦରେ କବି ରୋଗରୁ ମୁକ୍ତି ଲାଭ କରିଥିବାର କଥା ମଧ୍ୟ କହିଅଛନ୍ତି ସେହି ଉଦ୍‌ଯୋଗ ପର୍ବରେ ।

 

(୧୦)

“ଶ୍ରୀ କାଳିକା କାଳ ରାତ୍ରି ମାୟାବତୀ ଶ୍ରୀ ଗୋରେଖନାଥ ମୂଳେ

ଚଉଷଠି ସିଦ୍ଧଙ୍କର କୋଟିୟେ ଆଜ୍ଞା” ମଧ୍ୟ ପର୍ବ - ପୃ୨୧୨

“ଓଁ ମୋହୋର ବେତାଳ । ମୋହୋର ବୋଲ କରିବୁ ।

ନ ଯାଉ ବୋଲି କାହାର ଆଜ୍ଞା । ଶ୍ରୀଗୋରେଖ-

ବୀର ବିକ୍ରମାଜିତଙ୍କର କୋଟିୟ ଆଜ୍ଞା” – ମଧ୍ୟ ପର୍ବ - ପୃ୨୨୫

 

“ଯହୁଁ ସେ ଦୁରାପଦ ହୋଇଲା କଳିକାଳ

ବଡ଼ ଦୁରାପଦ ଠାକୁର ତୁ ବଡ଼ାଇ ରାଉଳ

ସ୍ଵାମୀ ନାଶିଲୁ ଶୋକ ମୋହ ହିଂସା ଅପବାଦେ

ହରିଲି ସର୍ବରୋଗ ବଡ଼ ରାଉଳ ପ୍ରସାଦେ ।”

 

 

ଉଦ୍ୟୋଗ ପର୍ବ ପୃ-୨୧୩-୪

ଏସବୁ ମହାଭାରତର ଉକ୍ତିରୁ ଜଣାଯାଏ ଯେ ମହାଭାରତର ରଚନା ବେଳକୁ ଅର୍ଥାତ୍ ଖ୍ରୀ ପଞ୍ଚଦଶ ଶତାବ୍ଦୀର ପ୍ରାରମ୍ଭିକ ସମୟକୁ ଓଡ଼ିଶାରେ ନାଥଧର୍ମ ଏକ ଲୋକପ୍ରିୟ ଧର୍ମ ହୋଇ ପଡ଼ିଲାଣି । ଗୋରଖନାଥ, ମତ୍ସ୍ୟେନ୍ଦ୍ରନାଥ, ସତ୍ୟନାଥ, ରାଉଳ ବା ରାବଳ ନାଥ ପ୍ରଭୃତି ନାଥଧର୍ମର ବିଭିନ୍ନ ଶାଖା ଉପଶାଖାର ପ୍ରଭାବ ଓଡ଼ିଶାର ଧାର୍ମିକ ବାତାବରଣକୁ ପ୍ରଭାବିତ କଲାଣି-

 

ସାରଳା ମହାଭାରତରେ ନାଥଗୁରୁ ଗୋରଖନାଥଙ୍କର କଥା

ସାରଳା ମହାଭାରତରେ ନାଥ ସିଦ୍ଧ ଗୋରଖନାଥଙ୍କର ସମ୍ବନ୍ଧରେ ବିଭିନ୍ନ ପର୍ବରେ ଉଲ୍ଲେଖ ଥିବାର ଜଣାଯାଏ । ସାରଳା ମହାଭାରତର ବିଭିନ୍ନ ସ୍ଥାନରେ ତନ୍ତ୍ରମନ୍ତ୍ରର ଉଲ୍ଲେଖରହିଛି । ଏସବୁ ପ୍ରାଚୀନ ଓଡ଼ିଆ ଗଦ୍ୟ ଯାହା ତତ୍କାଳୀନ ଲୋକ ମୁଖରେ ପ୍ରଚଳିତ ଥିଲା । ମହାଭାରତର ମଧ୍ୟପର୍ବରେ ଅର୍ଜୁନ ଓ ସୁଭଦ୍ରାଙ୍କର ପ୍ରଣୟ ପ୍ରସଙ୍ଗରେ ଅର୍ଜୁନ ବହୁ ମନ୍ତ୍ର ଯନ୍ତ୍ରର ପ୍ରୟୋଗ କରିଛନ୍ତି-। ସୁଭଦ୍ରାଙ୍କୁ ବଶୀଭୂତ କରିବା ପାଇଁ । ସେ ପ୍ରସଙ୍ଗରେ ଯନ୍ତ୍ର ମୁଦ୍ରା, କୁହୁକ, ବେତାଳ ପେଷଣ, ମୂଳିକା, ଓଷଧ ଗୁଣ୍ଡି, ଡଉଁରିଆ, ଧୂଳି, କଳା ସିନ୍ଦୁର, ବେତାଳ ପେଷା, ଉଚ୍ଚାଟ, ଭଲ୍ଲୁକ, କବାଟ । କିଳିଣି, ବଶୀକରଣ ପ୍ରଭୃତି ବିଭିନ୍ନ ତାନ୍ତ୍ରିକତାର ଉଲ୍ଲେଖ ପ୍ରସଙ୍ଗ ପର୍ଯ୍ୟାୟରେ ବର୍ଣ୍ଣିତ ହୋଇଛି । ତହିଁରେ ବିଭିନ୍ନ ସ୍ଥାନରେ ଗୋରେଖନାଥ ଓ ଚଉଷଠି ସିଦ୍ଧଙ୍କର ଆଜ୍ଞାରେ ମନ୍ତ୍ର କାଟୁ କରିବା କଥା ରହିଛି । (୧୦)

 

ଓଡ଼ିଶା ପ୍ରାଚୀନ ତାନ୍ତ୍ରିକ ପୀଠ ଭାବରେ ପ୍ରସିଦ୍ଧି ଲାଭ କରିଥିଲା । ତନ୍ତ୍ର, ମନ୍ତ୍ର, କୁହୁକ ବିଦ୍ୟାରେ ବିଶେଷ ଭାବରେ କାଉଁରୀ କାମାକ୍ଷା ଓ ଓଡ଼ିଶାର ସମ୍ବନ୍ଧ ଘନିଷ୍ଠ ଥିବାର ପ୍ରମାଣ ଆମେ ମହାଭାରତ ତଥା ବର୍ତ୍ତମାନ ପ୍ରଚଳିତ ଲୋକ ମୁଖରେ ତନ୍ତ୍ରମନ୍ତ୍ରରୁ ସୂଚନା ପାଉଁ । ଖ୍ରୀ, ପଞ୍ଚଦଶ ଶତାବ୍ଦୀବେଳକୁ ନାଥଗୁରୁମାନଙ୍କର ସିଦ୍ଧି ଓ ମହିମା ବିଷୟଲୋକରେ ଏତେ ବହୁଳ ପ୍ରଚାର ଲାଭ କଲାଣି ଯେ କବି ତହିଁର ଉଲ୍ଲେଖ କରିବାକୁ ଭୁଲିନାହାନ୍ତି ।

 

ସଭାପର୍ବରେ ନକୁଳ ରାଜସୂୟ ଯଜ୍ଞରେ ନିମନ୍ତ୍ରଣ ଓ ଦିଗବିଜୟ କ୍ରମେ ଦକ୍ଷିଣ କୋଶଳର ଅନେକ ରାଜାଙ୍କୁ ପରାଜିତ କରି ଶେଷରେ କଦଳୀ ବଣରେ ପ୍ରବେଶ ହେଲା । ସେହି କଦଳୀ ବନ ବା କଦଳୀ ଦେଶରେ ମତ୍ସ୍ୟେନ୍ଦ୍ରନାଥଙ୍କର ଶିଷ୍ୟ ଗୋରେଖନାଥଙ୍କର ଦର୍ଶନ ପାଇଲେ-। କଦଳୀରାଜ୍ୟର ଉଦ୍ଭବ ପ୍ରସଙ୍ଗରେ କୁହାଯାଇଛି ଯେ କଦଳୀ ଦେଶକୁ ଏକ ସମୟରେ ସମୁଦ୍ର ମାଡ଼ିଯାଇଥିଲା । ସୋମ ନାମକ ରୁଦ୍ର କାଦମ୍ବରୀ ପାନକରି ସମୁଦ୍ର ସହିତ ଯୁଦ୍ଧ କରିବାକୁ ସମୁଦ୍ର ଭିତରେ ପଶିଲେ ଓ ଯୁଦ୍ଧରେ ସମୁଦ୍ର ଭୟ କରି ଘୁଞ୍ଚାଗଲା । ଏ ସ୍ଥାନ ଏକ ଅପୋଡ଼ା ପୃଥିବୀ ଓ ସେଠାରେ ସର୍ବଦା ସାଧୁ ଓ ଜ୍ଞାନୀ ଲୋକେ ରହିଥାନ୍ତି । କୌଣସି କାଳରେ ସେ ସ୍ଥାନ କାହାର ରାଜ୍ୟ ନଥିଲା । ସୋମ ନାମକ ରୁଦ୍ର ସେ ଖଣ୍ଡରୁ ଜଳ ଛଡ଼ାଇବା ପରେ ସେ ରାଜ୍ୟର ନାମ କଦଳୀ ରାଜ୍ୟ ହେଲା । ରାଜସୂୟ ଯଜ୍ଞ ନିମିତ୍ତ କଦଳୀ ରାଜ୍ୟରେ ପ୍ରବେଶ କରି ଗୋରଖନାଥଙ୍କୁ ନକୁଳ ନିମନ୍ତ୍ରଣ ଦେଲେ । ନକୁଳ ଯୋଗ ଜ୍ଞାନ ସମ୍ବନ୍ଧରେ ତାଙ୍କୁ ପଚାରିବାରୁ ଗୋରଖନାଥ କହିଲେ ଯେ ତାଙ୍କର ଯୋଗସାଧିବା ବୟସ ହୋଇନାହିଁ । ତେଣୁ ସେ ଯୋଗ ଜ୍ଞାନ କଥା ତାଙ୍କୁ କହିବେ ନାହିଁ । ନକୁଳଙ୍କର ବହୁ ଅନୁରୋଧ କ୍ରମେ ତାଙ୍କୁ କେବଳ ସ୍ତମ୍ଭନ ବିଦ୍ୟାଦେଲେ ଓ ଅନ୍ତର୍ଦ୍ଧାନ ହୋଇଗଲେ । କବି ଲେଖିଛନ୍ତି ଯେ ଗୋରଖନାଥଙ୍କର ବାସସ୍ଥାନ ହେଉଛି କଦଳୀ ଦେଶ-। (୧୧)

 

(୧୧)

ଦ୍ରସନ ପାଇଲା ସେ ମନ୍ଦା ଇନ୍ଦ୍ର (ମଛଇନ୍ଦ୍ର)ଙ୍କର ପୁଣ

ଭେଟିଲେ ପରମ ଯୋଗା ଗୋରଖି ଅବଧୂତା ।

ହୃଦେଣ ବବୁଳ ମାଳା ବେନିପଦ୍ମ ଶୋଭାବନ ।

ପରମ ପୁରୁଷଙ୍କର ପୂର କଦଳୀ ଭୁବନ । ବନ ପର୍ବ - ପୃ୩୫୭

(୧୨)

ନାଥ ସମ୍ପର୍କୀୟ ପୁସ୍ତକରେ ‘କଦଳୀ ଦେଶ ସମ୍ବନ୍ଧୀୟ ଆଲୋଚନା ଦୃଷ୍ଟବ୍ୟ । ୫୪-୫୬

(୧୩)

ଗୋରେଖ ଭେଟିଲେ ରାମ ଯୋଗାନ୍ତକ ବନେ

ଅନେକ ଯୋଗ ସେ କହିଲେ ପ୍ରସନ୍ନେ । ବନ ପର୍ବ ପୃ୧୧୯

 

ବଙ୍ଗ ଦେଶରେ ମୀନନାଥଙ୍କର ପ୍ରସଙ୍ଗ ଗୋରକ୍ଷ ବିଜୟ ଓ ମୀନଚେତନ ଗ୍ରନ୍ଥରେ ରହିଛି ଯେ ମୀନନାଥ ପାର୍ବତୀଙ୍କର ରୂପରେ ମୁଗ୍‍ଧ ହୋଇ ତାଙ୍କୁ ଲାଭ କରିବା ଇଚ୍ଛା ପ୍ରକାଶ କଲେ । ତାହା ପାର୍ବତୀ ଜାଣିପାରି ତାଙ୍କୁ ଶାପ ଦେଇଛନ୍ତି ଯେ ସେ ମହାଜ୍ଞାନ ଭୁଲି କଦଳୀ ଦେଶରେ ଷୋଳଶହ ସୁନ୍ଦରୀଙ୍କ ସହିତ କାମକୌତୁକରେ ରତ ହେବେ । ଓ ତାହା ଭାଗବତର ଷୋଳଶହ ଗୋପନାରୀମାନଙ୍କ ସହିତ କୃଷ୍ଣଙ୍କର ସମ୍ବନ୍ଧର ଅନୁରୂପ । କଦଳୀ ଦେଶ କେଉଁ ଦେଶ, ସେ ବିଷୟରେ ବିଭିନ୍ନ ମତ ରହିଛି । କଦଳୀ ଦେଶ ସ୍ତ୍ରୀ ଦେଶ ଭାବରେ କଥିତ । ତେଣୁ କେତେକ ଆଲୋଚକ କଦଳୀ ଦେଶକୁ ଗଡବାଲ ଓ କୁମାୟୁନ ଦେଶ, କୁଲ୍ଲୁ ଦେଶ କାମରୂପ ସହିତ ସମ୍ବନ୍ଧାନ୍ୱିତ କରନ୍ତି । ସଂସ୍କୃତ ମହାଭାରତର ବନପର୍ବରେ ଏହି କଦଳୀ ଦେଶ ମୁନିଋଷି ଅଧ୍ୟୁଷିତ ଦେଶ ଭାବରେ କଥିତ । (୧୨) ତେବେ ସାରଳା ମହାଭାରତର ବର୍ଣ୍ଣିତ ବିଷୟରୁ ଯାହା । ଜଣାପଡ଼ୁଛି ତାହା ସେହି ସ୍ତ୍ରୀ ଦେଶ ଆସାମର ଉପକୂଳ ଭୂମି - ସ୍ତ୍ରୀ ଦେଶକୁ ହିଁ ବୁଝାଉଛି । କଦଳୀ ଦେଶ ସହିତ ମୀନନାଥ ଓ ଗୋରଖନାଥଙ୍କର ସମ୍ବନ୍ଧ ସାରଳା ମହାଭାରତରେ ଯାହା ରହିଛି ତହିଁରୁ କଦଳୀଦେଶର ସ୍ଥାନ ନିରୂପଣ ସମ୍ବନ୍ଧରେ ଏକ ସୃଷ୍ଟ ଆଭାସ ସହିତ ଆସାମ ଓ ଓଡ଼ିଶାର ସମ୍ପର୍କ ପୁଣି ଓଡ଼ିଶାରେ ପ୍ରାଚୀନ ନାଥ ଧର୍ମର ଲୋକପ୍ରିୟତା ସମ୍ବନ୍ଧରେ କେତେକ ତଥ୍ୟ ମିଳିଥାଏ ।

 

ମହାଭାରତରେ ବନ ପର୍ବରେ ରାମଚନ୍ଦ୍ର ଯୋଗାନ୍ତକ ବନରେ ଗୋରେଖନାଥଙ୍କୁ ଭେଟିଛନ୍ତି ଓ ସେ ପ୍ରସନ୍ନ ହୋଇ ବହୁ ଯୋଗତତ୍ତ୍ୱ ରାମଚନ୍ଦ୍ରଙ୍କୁ କହିଛନ୍ତି । (୧୩) ବନ ପର୍ବ ଦ୍ଵିତୀୟଖଣ୍ଡରେ ମତ୍ସ୍ୟାଦେଶ ପ୍ରସଙ୍ଗରେ ମତ୍ସ୍ୟେନ୍ଦ୍ରନାଥଙ୍କର ସମ୍ପର୍କ ବର୍ଣ୍ଣିତ । ଏହା ଏକ ନାମର ସାଦୃଶ୍ୟ ମାତ୍ର । କବିଙ୍କୁ ମତ୍ସ୍ୟେନ୍ଦ୍ରନାଥଙ୍କ ସମ୍ବନ୍ଧୀୟ କିମ୍ବଦନ୍ତୀ ଜଣାଥିଲା ଓ ମତ୍ସଦେଶ ପ୍ରସଙ୍ଗରେ ନାମର ସାଦୃଶ୍ୟ ଦେଖି ତହିଁରେ କାଳ୍ପନିକତା ଯୋଗକରି ଗୋଟିଏ ସୁନ୍ଦର କିମ୍ବଦନ୍ତୀ ସୃଷ୍ଟି କରିଛନ୍ତି-। ନିଜେ ସାରଳା ଦାସ ମତ୍ସ୍ୟେନ୍ଦ୍ରନାଥଙ୍କର ସ୍ତୁତି କରିଛନ୍ତି ଏହିପରି ଭାବରେ ଏବଂ ତହିଁରେ ନାଥ ଧର୍ମ ଦର୍ଶନ ଓ । ଯୋଗତତ୍ତ୍ୱ ସମ୍ବନ୍ଧୀୟ ସୂଚନା ରହିଛି ।

 

“ଜୟ ତୁ ମଛଇନ୍ଦ୍ର ପରମ ମୀନରୂପୀ

କିଞ୍ଚିତ ଅବଲୋକନେ ଶପତ ବ୍ରହ୍ମାଣ୍ଡ ବ୍ୟାପୀ ।

କୁଞ୍ଜ କର ରକତ କିଞ୍ଚିତ ବେନି ଡୋଳେ

ପବନ ବୁଡ଼ାଇଲୁ ଅନଙ୍ଗ କମଳେ ।

ଉଜାଣି ପବନ ଯେ ଛେଦିଲା ମହା ମୁଦ୍ରା

ତପବଳେ ଡେଇଁଲୁ ଅରକତ କଲୁ ସୁଧା ।

 

(୧୪)

ସଭା ପର୍ବ ପୃ-୩୫୬

(୧୫)

The Legend of Raja Gopichand by G.C. Haldar proceedings and Transactions of Sixth A.I.0.C._patna, 1930, p 272

(୧୫)

ହରି ବଂଶ ପର୍ବ - ପୃ୩୨୯

(୧୬)

ପଚିଶ ପ୍ରକୃତି ଦ୍ଵାଦଶ ଧାତୁ ଭାବ

 

ଚଉରାଶି ମତିର ଶିଶୁମନା ପଞ୍ଚ ଗର୍ଭ

ଅନୁହର ଅନୁକ୍ଷର ପବନ ଉଜାଣି

ସମସ୍ତ ଛନ୍ଦି ହୋଇଲା ସେ ପବନ ମହାତ୍ମଣୀ

ଶନ୍ୟେ ସାଧିଲା ସେ ହୋଇଲା ମହାବ୍ରହ୍ମ । ବନ ପର୍ବ ପୃ-୨୦୩

(୧୭)

ସଭା ପର୍ବ - ପୃ ୩୦୫

ଅଣାକାର ପାପ ଲୋକ ସ୍ଵରିର ଚିନ୍ତା

ନବଇନ୍ଦ୍ର ନାଥ ହୋଇଲୁକ ଶକ୍ତା ( ?) ।

ନିରନ୍ତରେ ସେବା ମୁଁ ମାଗଇ ପରମ ଯୋଗି

ପବନ ଅପ୍ୟାନେ ଅନେକ କାଳ ଭୋଗି ।

ଆଦିନାଥର ପୁତ୍ର ଚରଣେ ପରଣାମି

ଶୂଦ୍ରମୁନି ସାରୋଳ ଦାସ ଶତ

ସହସ୍ର ଦଣ୍ଡ ପ୍ରଣାମି ।’’

ବନ ପର୍ବ ଦ୍ୱିତୀୟ ପୃ-୨୩୩

 

ଯୋଗୀଗୁରୁ ମତ୍ସ୍ୟେନ୍ଦ୍ରନାଥଙ୍କର ଦୟାରେ ବିରାଟ ରାଜା ମତ୍ସ୍ୟାଦେଶ ଓ ମଘଦେଶର ରାଜା ହେବାର କଥା କବି ଉଲ୍ଲେଖ କରି ଅଛନ୍ତି । ସାରଳା ଦାସ ଏହି କିମ୍ବଦନ୍ତୀ ଉଲ୍ଲେଖ କରିଛନ୍ତି ଯେ କୀଚକର ଅନୁରୋଧରେ ମତ୍ସ୍ୟେନ୍ଦ୍ରନାଥ ସନ୍ତୁଷ୍ଟ ହେଲେ ଓ ହଠାତ୍ ତାଙ୍କର ରତ୍ନମାଳା ଗଳାରୁ ଖସି ପଡ଼ିଲା । କୀଚକ ସେହି ରତ୍ନମାଳା ନେଇ ବିରାଟ କଣ୍ଠରେ ପିନ୍ଧାଇ ଦେଲା । ବିରାଟ ରାଜାଙ୍କ ପୂର୍ବରୁ ହରକେଶର ନାମରେ ଅନ୍ୟ ଜଣେ ରାଜା ଥିଲେ ତାଙ୍କର ଭକ୍ତିରେ ମତ୍ସ୍ୟେନ୍ଦ୍ରନାଥ ସନ୍ତୁଷ୍ଟ ହୋଇ ମତ୍ସ୍ୟ ଦେଶ ଦେଲେ ଓ ତା ସହିତ ଏକ ପଦ୍ମ ଗୋଧନ ମଧ୍ୟ ପ୍ରଦାନ କଲେ । ବିରାଟ ରାଜାଙ୍କ ସମୟକୁ ସେହି ଲକ୍ଷେ ପଦ୍ମ ଗୋଧନ ଦୁଇ ପଦ୍ମ ଦୁହାଁଳିଆ ଗାଈକୁ ବଢ଼ିଯାଇଥିବାର କବି ଲେଖି ଅଛନ୍ତି । ସାରଳା ଦାସଙ୍କର ବର୍ଣ୍ଣନାରେ-

 

“ବ୍ୟାସେ ବୋଇଲେ ବାବୁ

ସେହି ମତ୍ସ ନଗ୍ରୀ

ମତ୍ସଇନ୍ଦ୍ରନାଥଙ୍କର

ସଞ୍ଚିଲା ସେହି ପୁରୀ ।

ବିରାଟ ଉପର ବଂଶେ

ହର କେଶର ନୃପତି

ମତ୍ସଇନ୍ଦ୍ର ନାଥଙ୍କୁ

ବିନୟ ଭଗତି ।

ସଦୟ ବର ଯେ ଯାଚିଲେ

ପରମ ଯୋଗୀ

ଭଗତି ଉପୁଜାଇଁ

ମତ୍ସ ଦେଶ ମାଗି ।

 

(୧୮)

ଚଉରାସି ଅସ୍ତାନ୍ ବାଆସ୍ତରି ହେତୁ

ପବନ ଭଙ୍ଗ କରି ଚଳଲୁ ଗ୍ୟାନ ତତ୍ତୂ ।

ଇଅଁଳା, ପିଅଁଳା ଅନଙ୍ଗ ଶିଶୁମୂନା

ଉଚ୍ଚାଟଣ ଉଦାର ଉଦାସନ ପର୍ବନ ଧରଣୟେ ନବ ନାଡ଼ିସିନା ।

ୟେ ଥୁଁ ଚାରି ଘଟ ଅଷ୍ଟ ରତ୍ନ କୋଟୀ

ୟେ ଥୁଁ ଘୋଟିଲା ନାଡ଼ି ଥାପନା ଗୋଟି ।

ଯିଭ୍ୟା ଇନ୍ଦ୍ରିୟ ଯେ ଦୁହେଁ ଯେ କବାଟ

ଶରୀରକୁ ଧାରଣା ତ ହୋଇଲା ୟେ ହଟ ।

ଅୟେଳା ୟେକାର ଯେ ଚନ୍ଦ୍ର ମେଳ କଲଶ

ଶ୍ରୀହଟ, ପାଟଣାରେ ଚନ୍ଦ୍ର ଉପାଇଲା ।

ସମ୍ପୂର୍ଣ୍ଣେ ଚଳଇ ଯେ ଧାତା ଅଟଇ କଳା

ଯଜ୍ଞନ କୋଠିରେ ଯାଇ ନେବେ ସେ ହୁଅଇ ମେଳା ।

ୟେକ ୟେକ ନାରୀ କରେଣ ଢାଳଇ ନେଇ ଧାତୁ

ତେବେ ସେ ମାତାର ଗର୍ଭେ ରହଇ ଯାଣ ତତୁ ।

ଶରୀର ଯେବେ ଶେଷ ପଠର ବକ୍ର ଖଟି

ମହା ବୀର୍ଯ୍ୟ ଟାଳିଲା ଶରୀର ଆରମ୍ଭିଟୀ – ବନ ପର୍ବ - ୧ମ ପୃ-୨୪

 

ପଦ୍ୱକ : ଗୋଧନ ମତ୍ସଇନ୍ଦ୍ର

ନାଥଙ୍କର ସଞ୍ଚିଲା

ହର କେଶର ରାଜାକୁ

ତୋଷେ ମହାତ୍ମାଦେଲା ।

ପଦ୍ମେକ ଗୋଧନ ମତ୍ସ-

ନାଥଙ୍କର ଥିଲା ପୂର୍ବେ

ଦୁହାଳ ବେନି ପଦ୍ମ

ହୋଇଲା ନି ଯେବେ ।”

ବନପର୍ବ ୨ୟ ଭାଗ ପୃ-୨୩୫

 

ଏହାଛଡ଼ା ସଭାପର୍ବରେ ଶକୁନି ଗୋରେଖ ନାଥଙ୍କର ନାମ ସ୍ମରଣ କରି ପଶା କାଠି ଗଡ଼ାଇଛି ଓ ତହିଁରେ ଶକୁନି ଜୟ ଲାଭ କରିଛି ।

 

“ପଢ଼ ହୋ ଶଙ୍କୁନି ଗୋରେଖଙ୍କୁ ସୁମରି

ବେନି କୁଳ ଆମ୍ଭେ ଯେ ମନୋହାରି

ତିନି କୁଢ଼ ପସାୟ ପାଡୀଲେ କରପୁତୀ

ସୁମରଇ ଶଙ୍କୁନି ଗୋରେଖ ମହାଯତି”

ସଭାପର୍ବ ପୃ-୫୬୪

 

ପୁଣି “ତୁ ଦେବ ପରମ ପଣ୍ଡିତ ଗୋରେଖ

କାଠି ହାଥେ ଘେନି ବାଲଇ

ମୋତେ ହୋଇ ସାହାପକ୍ଷ”

ସଭା ପୃ-୫୬୫

 

ଏହି ସବୁ ମହାଭାରତର ଉପାଖ୍ୟାନରୁ ସୃଷ୍ଟ ଭାବରେ ଜଣାଯାଏ ଯେ ନାଥଧର୍ମ ଓ ସାହିତ୍ୟ ତତ୍କାଳୀନ ସାରଳା ଦାସଙ୍କର ରଚନାକୁ ଯଥେଷ୍ଟ ଭାବରେ ପ୍ରଭାବିତ କରିଛି । ନାଥଧର୍ମର ବହୁ ପ୍ରାଚୀନ ଓଡ଼ିଆ ରଚନା କ୍ରମେ ଲୋପ ପାଇଯାଇଥିଲେ ମଧ୍ୟ ମହାଭାରତର ଏ ସମସ୍ତ କିମ୍ବଦନ୍ତୀ ଓଡ଼ିଆ ସାହିତ୍ୟରେ ନାଥଧର୍ମର ପ୍ରଭାବକୁ ଯଥେଷ୍ଟ ଭାବରେ ସ୍ୱୀକାର କରିଥାଏ ।

 

ଯୋଗୀମାନଙ୍କର ବେଶଭୂଷା-

ମହାଭାରତରେ ନାଥସିଦ୍ଧମାନଙ୍କର କିମ୍ବଦନ୍ତୀମୂଳକ ବର୍ଣ୍ଣନା ବ୍ୟତୀତ ଯୋଗୀମାନଙ୍କର ବେଶଭୂଷା ସମ୍ବନ୍ଧରେ ବହୁତ ବର୍ଣ୍ଣନା ରହିଛି । ମୁଣ୍ଡରେ ଜଟା ଭାର ଓ ତହିଁରେ ତାମ୍ର ଚକ୍ରର ସର୍ପ ଶରୀରରେ ବିଭୂତି, କଣ୍ଠରେ ସ୍ପଟିକ, ମର୍କତ ଓ ରୁଦ୍ରାକ୍ଷମାଳା, ପରିଧାନ ବସ୍ତ୍ର କାଛେଣି, ହାତରେ ଜପାମାଳା, ଯାଆଁଳା ଲାଉଥାଳ, ତ୍ରିଶୂଳ, ବାହାରେ କେଦାର କଙ୍କଣ, ବେଳେ ବେଳେ ପଶୁଚର୍ମ ପରିଧାନ ଓ ବକ୍ଷଦେଶରେ ଚିର୍କୁଟୀ, କର୍ଣ୍ଣରେ ଶୁଦ୍ଧ ସ୍ପଟିକର ମୁଦୁରା ବା ତମ୍ବା ମୁଦ୍ରା । ଏହାଛଡ଼ା ହାତରେ ଶଙ୍ଖ ତ୍ରିଶୁଳ ବା ତ୍ରିଦଣ୍ଡୀର ବର୍ଣ୍ଣନା, ରହିଛି । ଏ ସବୁର ବର୍ଣ୍ଣନା ଏତେ ଯେ ତାହାର ଉଦାହରଣ ଦେବା ଅସମ୍ଭବ ହୋଇ ପଡ଼ିବ । (୧୪) ଗୋରେଖ ନାଥଙ୍କ ବେଶର ବର୍ଣ୍ଣନାରେ କବି ବର୍ଣ୍ଣନା କରିଛନ୍ତି ତାଙ୍କର ଶରୀର ଶୁକ୍ଳାମ୍ବର ଆଚ୍ଛାଦିତ, ମୁଣ୍ଡରେ ଚୂଳବେଣୀ, ଶରୀର ବିଭୁତିଲେପନ, କରତଳରେ ଖଡ଼୍‍ଗ, ହୃଦରେ ବକୁଳମାଳ ଓ ବାଦ୍ୟଯନ୍ତ୍ର ହେଉଛି ବଂଶୀ କିନ୍ତୁ ଏସବୁ ବର୍ଣ୍ଣନା ଛଡ଼ା ଅନ୍ୟାନ୍ୟ ସ୍ଥାନରେ ଯୋଗୀ ଓ ସିଦ୍ଧମାନଙ୍କର ବର୍ଣ୍ଣନା ନାଥ ଯୋଗୀମାନଙ୍କର ଯଥାର୍ଥ ସ୍ୱରୂପ ନିର୍ଦ୍ଦେଶ କରିଥାଏ ।

 

ଆଜିକାଲି ଓଡ଼ିଶାର ଯୋଗୀମାନେ ହାତରେ କେନ୍ଦରା, କନ୍ଥାଝୁଲି ଓ ଲାଉଥାଳ, ବେକରେ ଓ କର୍ଣ୍ଣରେ ରୁଦ୍ରାକ୍ଷ, ଲଲାଟରେ ତ୍ରିପୂଣ୍ଡ ଚିତା ଗ୍ରହଣ କରିଥାନ୍ତି । ଭିଖ ମାଗିଲାବେଳେ କେନ୍ଦ୍ରାରେ ସେମାନେ ସାଧାରଣତଃ ଟୀକା ଗୋବିନ୍ଦଚନ୍ଦ୍ର ବା ଯଶୋବନ୍ତ ଦାସଙ୍କ ରଚିତ ଗୋବିନ୍ଦଚନ୍ଦ୍ର ଗୀତ; ଲକ୍ଷ୍ମୀପୁରାଣ, ଦାତାକର୍ଣ୍ଣ ଉପାଖ୍ୟାନ ପ୍ରଭୃତି ଗୀତ ଗାଇ ଥାଆନ୍ତି । ଏପରି ଦେଖାଯାଏ କୌଣସି କୌଣସି ଯୋଗୀ ଗୋପୀଯନ୍ତ୍ର ବଜାଇ ଗୀତ ବୋଲୁଥାନ୍ତି । ମହାରାଷ୍ଟ୍ରରେ ଯୋଗୀମାନେ ସାରଙ୍ଗୀ ଓ ଗୁଜରାଟରେ ଏକତାରା ବଜାଇ ଗୀତ ଗାଇଥାନ୍ତି । (୧୫) ମହାଭାରତରେ ଯୋଗୀମାନଙ୍କର ବେଶଭୂଷା ବର୍ଣ୍ଣନାରେ କୌଣସି ବାଦ୍ୟଯନ୍ତ୍ର କେନ୍ଦରା, ଏକତାରା ବା ଗୋପୀଯନ୍ତ୍ରର ଉଲ୍ଲେଖ ନାହିଁ । ଯୋଗୀମାନଙ୍କର ୧୨ ପନ୍ଥାକର ବିଭିନ୍ନ ବେଶଭୂଷା ଭିତରେ ବାଦ୍ୟଯନ୍ତ୍ର ଭିତରେ କେବଳ ଡମ୍ବରୁର ବର୍ଣ୍ଣନା ରହିଛି – କେନ୍ଦରା ଯନ୍ତ୍ରର ନାମ ନାହିଁ । କେନ୍ଦରା ବାଦ୍ୟଯନ୍ତ୍ର କେବଳ ହିଁ ଓଡ଼ିଶାର ଯୋଗୀମାନଙ୍କର ବିଶେଷତ୍ୱ ଓ ତାହା ସାରଳା ମହାଭାରତକାଳୀନ ଯୋଗୀମାନଙ୍କର ବେଶଭୂଷାରେ ସ୍ଥାନ ପାଇନାହିଁ । ତାହା ଏକ ପରବର୍ତ୍ତୀ ସମ୍ମିଶ୍ରଣ ।

 

ମହାଭାରତରେ ସ୍ଥାନ ବିଶେଷରେ ଯୋଗୀର ବେଶଭୂଷା ଅତି ବାସ୍ତବ ଓ ଚମତ୍କାର । ବନ ପର୍ବରେ ଭାଗ୍ୟବର ବଣରେ ହିରଣ୍ୟ କବଚ ରାକ୍ଷସ ପାଣ୍ଡବମାନଙ୍କୁ ମାରିବାପାଇଁ ଯୋଗୀ ବେଶ ଧରିଛି । ଯୋଗୀର ବେଶଭୂଷା କବି ନିମ୍ନୋକ୍ତ ଭାବରେ ଦେଇଛନ୍ତି-

 

“ମାଥେ ଜଟାଭାର ତାମୁଚକ୍ର ଫଣୀ

ଲଲାଟେ ବନ୍ଧନ କରେ ରସ ବେଣୀ ।

ବିଭୂତି ବିଲୋପନ ରୁଦ୍ରାକ୍ଷର ମାଳୀ

ସ୍ପଟିକ ନିର୍ମିତ ଲମ୍ବିତ ବକ୍ଷସ୍ଥଳୀ ।

ପ୍ରବନ୍ଧ କାଛେଣୀ କଟିରେ ବାଇପଞ୍ଜି

କରେଣ ଜପାମାଳୀ ଅଯପା ଲୟେ ଭଜି ।

ମାୟାର ପ୍ରପଞ୍ଚ ଛଦ୍ରମ ରୂପ ଯୋଗୀ

ପଦ୍ମ ଦୃଢ଼ ଆସନ ରୁଦ୍ର ଲୟେ ଭାଙ୍ଗି ।

ସ୍ପଟିକର ମୁଦ୍ରା ପୂରାଇଁ ବେନିକର୍ଣ୍ଣେ

ପଦ୍ମାସନେ ସେହୁ ବସିଲେ ବିଲେପନେ ।”

ବନପର୍ବ - ପୃ-୧୫୫

 

ଉଦ୍‌ଯୋଗ ପର୍ବରେ-

“ଶୁଦ୍ଧ ସ୍ପଟିକର ବେନିମୁଦ୍ରା କର୍ଣ୍ଣେ

ଯଗୁଜନ ମୋହନ ଦେବ

ସମସ୍ୟା ନାହିଁ ବଦନେ ।

ଭୁଜେ ଯାମଳା ଲାଉ

ଶ୍ରୀକରେଣ ତ୍ରିଦଣ୍ଡୀ

ଢଳନ୍ତି ଚଉକତି

ତିଳେକ ମସି ଖଣ୍ଡି ।”

ଉଦ୍‍ଯୋଗ – ପୃ୧୦୨-୧୦୩

 

ଏହାଛଡ଼ା ଯୋଗୀ ଯୋଗର ଉପମା ଦିଆଯାଇଛି । ସୁଭଦ୍ରା ଅର୍ଜ୍ଜୁନଙ୍କୁ ଚାହିଁ ରହିଛନ୍ତି ଯୋଗୀ ଯୋଗକୁ ଜାଗି ରହିଲା ପରି । ‘‘ଯୋଗୀ ଯେହ୍ନେ ଯାଗିଥାଇ ଯୋଗ ଇଚ୍ଛା କରି । ଅର୍ଜ୍ଜୁନ ନିମନ୍ତେ ଦେବୀ କ୍ଷୁଧା ତୃଷା ଅପହରି” ମଧ୍ୟପର୍ବ – ପୃ ୧୯୨ । ଯୋଗୀର ଯୋଗ ସାଧନ ସହିତ ଭୋଗର କଥା ମଧ୍ୟ କୁହାଯାଇଛି । ସେ ହେଉଛି ମହାତ୍ମା ଓ ଯୋଗୀ ଯେ ପଞ୍ଚ ଇନ୍ଦ୍ରିୟକୁ ଆୟତ୍ତ କରିଥିବା “ଯଦ୍ୟପି ପଞ୍ଚଇନ୍ଦ୍ରି ମାରିଥିବ ଯୋଗୀ । ମହାତମା ପୁରୁଷ ସେ ହୋଇବ କାମ ଭୋଗୀ ।”

ମଧ୍ୟପର୍ବ - ପୃ୨୧୬

 

ମହାଭାରତର ବିଭିନ୍ନ ସ୍ଥାନରେ ଯୋଗ ସାଧନାର ପ୍ରଣାଳୀ ବିସ୍ତୃତ ଭାବରେ ବର୍ଣ୍ଣିତ ହୋଇଛି ।

 

ଓଡ଼ିଶା ଯୋଗ ସାଧନାର ଏକ ପ୍ରାଚୀନ ପୀଠ । ବୌଦ୍ଧ, ଶୈବ, ଶାକ୍ତ, ବୈଷ୍ଣବ ପ୍ରଭୃତି ବିଶିଷ୍ଟ ଧର୍ମ ସମୂହର ଆଭାସ ମହାଭାରତର ବିଭିନ୍ନ ଛତ୍ରରେ ଲିପିବଦ୍ଧ ହୋଇ ରହିଛି । ଏହାଛଡ଼ା ବହୁ ବିଭିନ୍ନ ଧାର୍ମିକ ସମ୍ପ୍ରଦାୟର ବର୍ଣ୍ଣନା ମଧ୍ୟ ରହିଛି ।

 

ସାରଳା ମହାଭାରତ ପାଠକଲେ ଜଣାଯିବ ଯେ ପଞ୍ଚସଖା ସାହିତ୍ୟର ପ୍ରାୟ ସମସ୍ତ ଧାର୍ମିକ ମତବାଦ ସାରଳା ସାହିତ୍ୟରେ ରହିଛି । ଓଡ଼ିଶାର ଯୌଗିକ ପରମ୍ପରାର ପ୍ରଥମ ପ୍ରକାଶ ଆମେ ମହାଭାରତରେ ସ୍ପଷ୍ଟ ରୂପରେ ଦେଖିବାକୁ ପାଉଁ । ତାହା ଛଡ଼ା ପଞ୍ଚ ସଖା ଧର୍ମର ଶୂନ୍ୟବାଦ, ପିଣ୍ଡବ୍ରହ୍ମାଣ୍ଡବାଦ ଓ କାୟା ସାଧନା ସମ୍ବନ୍ଧୀୟ ଅନ୍ୟାନ୍ୟ ଅଙ୍ଗ ସବୁ ଏହି ମହାଭାରତର ବିଭିନ୍ନ ସ୍ଥାନରେ ପ୍ରଚ୍ଛନ୍ନ ଭାବରେ ରହିଛି । ପଞ୍ଚଦଶ ଶତାବ୍ଦୀର ବହୁ ପୂର୍ବରୁ ଓଡ଼ିଶାରେ ଯୋଗ ସାଧନା ପ୍ରଣାଳୀର ପ୍ରଚଳନ ଥିଲା । ଓଡ୍‍ୟୀୟାନ ପୀଠ ଯୋଗ ଓ ତନ୍ତ୍ରରୁ ପୀଠ ଭାବରେ ଖ୍ୟାତିଲାଭ କଲା ଖ୍ରୀ : ୭ମ ଶତାବ୍ଦୀ ବେଳକୁ । ସେହି ସମୟରୁ ଏ ସାଧନା ପଦ୍ଧତି ଗଡ଼ି ଗଡ଼ି ଚାଲି ଆସିଛି ଓ ଓଡ଼ିଶାର ପୁରପଲ୍ଲୀରେ ଏ ଯୋଗସାଧନର ପଦ୍ଧତି ଅଦ୍ୟାପି ଜୀବନ୍ତ ଭାବରେ ରହିଛି ।

 

ନାଥ ଧର୍ମର ପ୍ରଧାନ ଯୌଗିକ ତତ୍ତ୍ୱ ହେଉଛି କାୟା ସାଧନା । କାୟାକୁ ଅମର ଓ ଅତୁଟ କରି ରଖିବାପାଇଁ ଷଟଚକ୍ର ଓ ପବନ ସାଧନା ସହିତ ବିଭିନ୍ନ କାୟାକଳ୍ପର ପ୍ରଚଳନ ନାଥ ସିଦ୍ଧମାନଙ୍କ ମଧ୍ୟରେ ରହିଥିଲା । ହରିବଂଶ ପର୍ବରେ ଶ୍ରୀକୃଷ୍ଣଙ୍କର ମହାପ୍ରୟାଣ ପୂର୍ବରୁ ଅକ୍ରୁରକୁ ଯୋଗ ତତ୍ତ୍ୱ ସମ୍ବନ୍ଧରେ ସେ ବୁଝାଇ କହିଛନ୍ତି ଏକାମ୍ର ତୀର୍ଥକୁ ଯାତ୍ରା କରିବା ପାଇଁ । ଏକାମ୍ର ତୀର୍ଥ ପ୍ରସଙ୍ଗରେ ସେ କହିଛନ୍ତି ଯେ ଏକାମ୍ରତୀର୍ଥରୁ ଗହନ ଅରଣ୍ୟ ଭିତରେ ନାଟେଶ୍ୱର ଲିଙ୍ଗ ରହିଛନ୍ତି । ସେଠାରେ ଯୋଗୀମାନେ ଯୋଗ ସାଧନା କରୁଛନ୍ତି ଓ ଅକ୍ରୁରକୁ କହିଛନ୍ତି ସେଠାରେ ଯାଇଁ ଯୋଗ ସାଧନା କରିବାକୁ । କୃଷ୍ଣ, ଯମ, ନିୟମ, ଆସନ ପ୍ରାଣାୟାମ, ପ୍ରତ୍ୟାହାର ପ୍ରଭୃତି ଯୋଗର କଥା ବୁଝାଇଛନ୍ତି –

 

“କୃଷ୍ଣ କହିଲେ ଯମ ନିୟମ ପ୍ରତ୍ୟାହାର

ପ୍ରଳୟ ବିଧାନ ସମାଦି ପ୍ରକାର ।

ଗଗନ ଶୂନ୍ୟ ମାର୍ଗେ ଯେ କରିବୁ ବାସ

ଛେଦିଲେ ମନ ପବନ ତାପ ସମସ୍ତ ।

ପଞ୍ଚମ ଛନ୍ଦି ହରିବାସ ରୁଦ୍ରା

ଯୋଗ ଆସନେ ଯେ ଚଉଷଠି ମୁଦ୍ରା

ଗର୍ଭେନ ପବନ ପକାଇବ ରୁନ୍ଧି

ଇଅଁଳା ପିଅଁଳା ଶିଶୁମୁନା ତିନିଶତ ବଳି ।

 

ସମାଧି, ପ୍ରଳୟ, ଚଉଷଠି ମୁଦ୍ରା, ଅଷ୍ଟାଙ୍ଗ ଯୋଗ ପ୍ରଭୃତିର ବିବରଣ ମହାଭାରତର ବିଭିନ୍ନ ସ୍ଥାନରେ ରହିଛି । ଏହାଛଡ଼ା ବିଭିନ୍ନ ମୁଦ୍ରା ମଧ୍ୟରେ ଖେଚରି ମୁଦ୍ରାର ବର୍ଣ୍ଣନା ଦିଆଯାଇଛି ।

 

ଘଟିକା ଲେଉଁଟାଇ ଖଞ୍ଜି ଖେଚରୀ ମୁଦ୍ରା

ତେଣୁ କରି ଅନ୍ତର୍ଗତ ହୋଇବଇଁ ନିଦ୍ରା

ନିଦ୍ରା ଛନ୍ଦିଲେ ନଲାଗଇ ଭୋଖା

ଭୋଖ ନପାଇଲେ ଶ୍ୱରୀର ହୋଇବ ରକ୍ଷା

ଆହାର ନିଦ୍ରା ଯେବେ ହୁଅଇ ଉପେକ୍ଷା

ଛାଡ଼ଇ ଆସନ ଶରୀର ହୋୟେ ରକ୍ଷା ।” (୧୫)

 

ଏସବୁ କାୟା ସାଧନାର କଥା । ଆହାର ନିଦ୍ରା ପରିତ୍ୟାଗ କରି କେବଳ ପବନ ମାତ୍ର ଆହାର କରି ଶରୀରକୁ ରକ୍ଷାକରିବାକୁ ପଡ଼ିବ । ଓଡ଼ିଶା ବୈଷ୍ଣବ ଧର୍ମର ଯୋଗ ମାର୍ଗ ପଦ୍ଧତି କିଛି ନୂତନ ନୁହେଁ । ନାଥଧର୍ମରୁ ହଠଯୋଗ ଓ କାୟା ସାଧନାର ଧାରା ଓଡ଼ିଶାର ପଞ୍ଚସଖା ସାହିତ୍ୟକୁ ବିଭିନ୍ନ ଭାବରେ ପ୍ରଭାବିତ କରିଛି । ଏଠାରେ କୃଷ୍ଣବିଷ୍ଣୁନାଥ ଓ ଅନାଦି ନାଥ ଭାବରେ କବିଙ୍କ ଦ୍ଵାରା ନାମିତ ହୋଇ ଅଛନ୍ତି । ହଠ ଯୋଗ ବା ଚନ୍ଦ୍ର ସୂର୍ଯ୍ୟ ନାଡ଼ି ସମ୍ବନ୍ଧୀୟ ଯୋଗର ବର୍ଣ୍ଣନା ସ୍ଥାନ ବିଶେଷରେ ରହିଛି । ଯୋଗ ସାଧନା ସହିତ ଭୋଗ ମଧ୍ୟ ବିଜଡ଼ିତ ଥିଲା । ସହଜ ସାଧନ ମାର୍ଗରେ ଯୋଗ ସହିତ ଭୋଗ ଘନିଷ୍ଠ ଭାବରେ ସମ୍ବନ୍ଧାନ୍ୱିତ ଥିଲା । ତାହାର ଆଭାସ ବନ ପର୍ବରେ ଓ ଅନ୍ୟତ୍ର ମଧ୍ୟ ରହିଛି । ଜଟାସୁରର ଝିଅ ଗାନ୍ଧର୍ବ ରୀତିରେ ଭୀମକୁ ବିବାହ କରି କାଳିମେଘା ପର୍ବତକୁ ଯାଇଛି ଓ ସେଠାରେ ଶୃଙ୍ଗାର ଇଚ୍ଛା କରିଛି । ଶୃଙ୍ଗାରର ବର୍ଣ୍ଣନା ଭିତରେ ଯୋଗ ଶାସ୍ତ୍ର କିପରି ବିଜଡ଼ିତ ରହିଛି ତାହା ନିମ୍ନୋକ୍ତ ଉଦ୍ଧୃତାଂଶରୁ ଜଣାପଡ଼େ ।

 

ଶୃଙ୍ଗାର ଇଚ୍ଛିଲା ବୀର ଦାନବୀର ତୁଲେ

ସୂର୍ଯ୍ୟ ବେଳେ କାମ ନେଇଁ ଦୃଢ଼କରି ଅକାଇଲେ ।

ପବନ ଉଜାଣୀଲା ପାଟଣା ଶ୍ରୀହଟେ

ଲୁଚାଇଲା ନେଇଁ, ଶିଶୁମୁନାର ଉଲଟେ |

ଆତଙ୍ଗରେ କୋଠି ବୁଡ଼ାଇଲା ଇନ୍ଦୁ

ବ୍ରହ୍ମ ଭେଦି ରହି ନଚଳିଲା ବିନ୍ଦୁ ।

ବାମ ଚରଣ କନେଷ୍ଟ ଅଙ୍ଗୁଠି କାମଛନ୍ଦି ।

ତ୍ରିଗୁଣ ଟେକିକରି ପବନ ମେଳା ସାଧି ।

ମନ ବଚନେ କର୍ମ ଲୟେ ଉପେଖି

ଚେତନା ପୁରୁଷକୁ ସନିଂଧେ ନଦେଖି ।

ଅଭାବ କର୍ମ ଅଣାକାର ନାମ

ଉଜାଣି ପବନ ଶୃଙ୍ଗାର ଅବିଶ୍ରାମ ।

 

ଏ ପ୍ରକାର ବର୍ଣ୍ଣନା ମହାଭାରତର କେବଳ ଗୋଟିଏ ସ୍ଥାନରେ ନୁହେଁ ଅନ୍ୟତ୍ର ମଧ୍ୟ ରହିଛି-। ମଧ୍ୟପର୍ବରେ ସୁଭଦ୍ରା ଓ ଅର୍ଜୁନଙ୍କର କାମ ସମ୍ଭୋଗ ପ୍ରସଙ୍ଗରେ ସେହି କଥା । ଏ ତ କେବଳ ସାହିତ୍ୟର କଥା ନୁହେଁ ଓଡ଼ିଶାର ମନ୍ଦିରମାନଙ୍କରେ ବିଶେଷ ଭାବରେ ଭୁବନେଶ୍ୱରର ବହୁ ମନ୍ଦିର ଜଟା କୁଣ୍ଡଳଧାରୀ ସନ୍ନ୍ୟାସୀ ସମ୍ଭୋଗ ବ୍ୟାପାରରେ ବ୍ୟାପୃତ ଥିବାର ମୂର୍ତ୍ତି ଦୃଷ୍ଟିଗୋଚର ହୁଏ । ଯୋଗ ସାଧନ ମାଧ୍ୟମରେ ବଳିଷ୍ଠ ଭୋଗ ବାସନା ସହଜିୟା ଧର୍ମର ଏକ ପ୍ରଧାନ ବିଶେଷତ୍ୱ-

 

ସେହି ବନପର୍ବରେ ଅଞ୍ଜନାର ତପସ୍ୟା ମଧ୍ୟରେ କଠିନ ଯୋଗ ସାଧନାର ବର୍ଣ୍ଣନା ରହିଛି-। ଦ୍ଵାଦଶ ଧାତୁ, ଚଉରାଶି ନାଡ଼ୀ, ଅଜପା ଲୟ ଶିଶୁମୁନା ପଞ୍ଚଗର୍ଭ ପ୍ରଭୃତିର ପ୍ରୟୋଗ ଯଥେଷ୍ଟ ଭାବରେ ଯୋଗ ସାଧନାର ସୂଚନା ଦେଇଥାଏ । (୧୬) ଏହାଛଡ଼ା ପଞ୍ଚସଖା ଯୁଗର ଶୂନ୍ୟସାଧନା ଯେ ସେମାନଙ୍କର ବହୁପୂର୍ବରୁ ଓଡ଼ିଶାର ପରମ୍ପରାରେ ପ୍ରଚଳିତ ଥିଲା ତାହାର ପ୍ରମାଣ ଆମର ଆଦି ସାହିତ୍ୟ ସାରଳା ସାହିତ୍ୟ ପ୍ରଦାନ କରିଥାଏ । ସଭା ପର୍ବରେ କାମାକ୍ଷୀ ଦେବୀଙ୍କର ସ୍ତୁତିରେ ସେହିପରି ଯୋଗ ମନ୍ତ୍ର ଓ ଯନ୍ତ୍ରର ବର୍ଣ୍ଣନା ବିସ୍ତୃତ ଭାବରେ ରହିଛି ।

 

ଆବର ଯୋତି ଧନୁ ଶିଶୁମୁନାଂ

ଚାରିବେଦ ଚଉମନ୍ତେଂ

ଉଜାଣି ଉଠାଇଲୁ ମାତଗୋ

ତୋହର ଅଜପାକୂଟ ମନ୍ତ୍ରେଂ ।

ନବନାଟୀ ବାସ୍ତରି କୋଟିୟେ

ପ୍ରାଣ ପୁରୁଷକୁ

ଶିଶୁମୁନା ସାଦ୍ଧ୍ୟକୁ

ବହନି ମନ୍ତ୍ରଂ ତୁମ୍ଭଙ୍କୁ

ବ୍ରହ୍ମଂ କର୍ମ ସଂସ୍କାରକୁ

ଅଠଚାଳିଶୀ ସ୍ଥାପନେ

ଚାରି ଚୌରସ କୋଣକୁ

ତୋହୋର ମନ୍ତ୍ରଂଜ୍ଞାନେ ।

ବାସ୍ତରି ମୁଦ୍ରାକୁ ତୁହି

ସେ ମନ୍ତ୍ରଂ ମୂଳ ।୧୭।

 

ଏ କେବଳ କେତେଗୋଟି ଉଦାହରଣ ମାତ୍ର ଏହାଛଡ଼ା ମହାଭାରତର ବନପର୍ବରେ ବନ ସ୍ଥାନ ବିଶେଷରେ ଯୋଗାସନ, ନବନାଡ଼ି, ଚନ୍ଦ୍ରକଳା, ସୂର୍ଯ୍ୟକଳା ଓ ପିଣ୍ଡ ସୃଷ୍ଟି ସମ୍ବନ୍ଧୀୟ ବିଭିନ୍ନ ବିଚାର ରହିଛି । ସ୍ଥାନ ବିଶେଷରେ ଏ ସବୁ ପ୍ରାଚୀନ ଯୋଗ ସାଧନାର ବର୍ଣ୍ଣନା ବହୁ କ୍ଲିଷ୍ଟ କଠିନ ହୋଇ ପଡ଼ିଛି । ଉପଯୁକ୍ତ ସାଧକ ଅଭାବରେ ସେ ସବୁର ଯଥାର୍ଥ ନିର୍ଦ୍ଦେଶ କରିବା କଠିନ । ତେବେ ବନ ପର୍ବରେ କବି ପିତୃତ୍ଵର ମହତ୍ତ୍ୱ ନିର୍ଦ୍ଦେଶ କରାଇବାକୁ ଯାଇ ମାତୃଗର୍ଭରେ ସନ୍ତାନର ସୃଷ୍ଟି ସମ୍ବନ୍ଧୀୟ ବିଭିନ୍ନ ତତ୍ତ୍ୱ ପର୍ଶୁରାମଙ୍କ ମୁଖରେ ଯମଦଗ୍ନିଙ୍କୁ କୁହାଇଛନ୍ତି । ଚଉରାଶି ଆସ୍ଥାନ (ଆସନ) ବାଆସ୍ତରି ହେତୁ, ନବନାଡ଼ି ଯଥା ଇଅଁଳା, ପିଙ୍ଗଳା, ଅନଙ୍ଗ, ସିଷୁମ୍ନା, ଉଚ୍ଚାଟନ, ଉଦାର, ଉଦାସନ, ପବନ, ଧରଣ ପ୍ରଭୃତିର ଉଲ୍ଲେଖ ଅଧିକାଂଶ ସ୍ଥାନରେ ରହିଛି । (୧୮) ସାରଳା ସାହିତ୍ୟରେ ଏସବୁର ଉଲ୍ଲେଖ ଓ ବିଚାର ଓଡ଼ିଶାର ପ୍ରାଚୀନ ଯୋଗ ସାଧନାର ପରମ୍ପରା ସମ୍ବନ୍ଧରେ ବହୁ ଆଲୋକପାତ କରିଥାଏ । ପଞ୍ଚସଖା ସାହିତ୍ୟ ଏକ ଅଭିନବ ସୃଷ୍ଟି ନୁହେଁ ତାହାର ପ୍ରମାଣ ସାରଳା ମହାଭାରତରେ ବର୍ଣ୍ଣିତ ବହୁ ଯୋଗ ସାଧନାର ତତ୍ତ୍ୱ ପ୍ରଦାନ କରିଥାଏ ।

 

ହଠଯୋଗ, କାୟାସାଧନା ସମ୍ବନ୍ଧୀୟ ବିଭିନ୍ନ ତତ୍ତ୍ୱ ନାଥ ଧର୍ମର ବିଶିଷ୍ଟ ସ୍ୱରୂପ । ନାଥଧର୍ମ ଓ ନାଥ ସାହିତ୍ୟ ପ୍ରାଚୀନ ଓଡ଼ିଆ ସାହିତ୍ୟର ଏକ ବିଶିଷ୍ଟ ଦିଗ । ଅନ୍ୟାନ୍ୟ ବହୁ ଭାରତୀୟ ପ୍ରାଦେଶିକ ସାହିତ୍ୟ ଯଥା ହିନ୍ଦୀ, ବଙ୍ଗଳା, ମରହଟ୍ଟା, ପଞ୍ଜାବୀ ପ୍ରଭୃତି ସାହିତ୍ୟକୁ ନାଥ ଧର୍ମର ବହୁ ଦାନ ରହିଛି । ଆମର ପ୍ରାଚୀନ ଓଡ଼ିଆ ସାହିତ୍ୟ ଅନୁଶୀଳନରେ ଠିକ୍ ସେହିପରି ବିଭାବ ପରିଲକ୍ଷିତ ହୋଇଛି । ଆମର ପ୍ରାଚୀନ ଓଡ଼ିଆ ସାହିତ୍ୟ ନାଥ ଧର୍ମ ଦ୍ୱାରା ଯେ ବିଶେଷ ପ୍ରଭାବିତ ହୋଇଛି ସାରଳା ମହାଭାରତ ତାହାର ଅନେକ ଆଭାସ ପ୍ରଦାନ କରିଥାଏ ।

 

***

 

ଋଗ୍‌ବେଦରେ ବରୁଣ

ଅଧ୍ୟାପକ ବେଣୀମାଧବ ପାଢ଼ୀ, ଏମ.ଏ

 

ଋଗ୍ ବେଦରେ ବରୁଣଙ୍କ ଶାରୀରିକ ଓ ଚାରିତ୍ରିକ ବର୍ଣ୍ଣନା ଯେପରି ଅଲୌକିକ କୌତୁହଳଦ୍ଦୀପକ ସେହିପରି ଅସାମାନ୍ୟ ପ୍ରାଧାନ୍ୟ-ସୂଚକ; ଯଦିଚ ଉଚ୍ଚ-ଶକ୍ତି-ସମ୍ପନ୍ନ ବୈଦିକ ଦେବତାମାନଙ୍କର ସମସ୍ତ ଗୁଣ ତାଙ୍କ ଠାରେ ଥିବା ଲକ୍ଷିତ ହୁଏ ତଥାପି ଅନ୍ୟମାନଙ୍କ ଅପେକ୍ଷା ଅଳ୍ପ ସଂଖ୍ୟକ ସୂକ୍ତ ତାଙ୍କ ଉଦ୍ଦେଶ୍ୟରେ ବର୍ଣ୍ଣିତ ହେବା ଦେଖୁଁ, ସାରା ଋଗ୍ ବେଦ ମଧ୍ୟରେ ବରୁଣଙ୍କ ସମସ୍ତ ସୂକ୍ତ ମିଶି ଦଶଟି ମାତ୍ର । ଏଇ ସଂଖ୍ୟାଳ୍ପତା ପାଇଁ କାରଣ ଖୋଜିବାକୁ ଆମକୁ ବହୁଦୂର ଯିବାକୁ ପଡ଼ିବ ନାହିଁ । ପ୍ରଥମେ, ବରୁଣ ନିର୍ଦ୍ଦିଷ୍ଟ ପ୍ରକୃତି ମଧ୍ୟରୁ କୌଣସି ଗୋଟିକର ସୁଦ୍ଧା ପ୍ରତିନିଧିତ୍ୱ କରନ୍ତି ନାହିଁ, ଯେପରି ଉଷା, ଇନ୍ଦ୍ର ପ୍ରଭୃତି କରନ୍ତି । ବାସ୍ତବିକ୍ ବର୍ତ୍ତମାନ ସୁଦ୍ଧା ପ୍ରକୃତି ଭିତର କେଉଁ କାର୍ଯ୍ୟ, କେଉଁ ଶକ୍ତି ବା କେଉଁ ଭୂରେ ସେ ପ୍ରାତିନିଧ୍ୟ କରନ୍ତି, ତାହା ଜଣା ନାହିଁ । ଦ୍ଵିତୀୟତଃ ବରୁଣ ମଣିଷର ଅପରାଧ ପ୍ରକାଶ ଓ ତା’ର ଅନୁତାପ ସମ୍ବନ୍ଧରେ ଅଧିକ ଭାବରେ ସଂପୃକ୍ତ ଥିଲା ପରି ବୋଧହୁଏ । ଯେପରି ଅଗ୍ନି କିମ୍ବା ଇନ୍ଦ୍ରଙ୍କର କାର୍ଯ୍ୟକଳାପ (କାଳ୍ପନିକ ହେଉ ପଛକେ) ବ୍ୟଷ୍ଟି କିମ୍ବା ସମଷ୍ଟିର ମନକୁ ଆକର୍ଷଣ କରିବାରେ ସମର୍ଥ, ସେହିପରି ବରୁଣଙ୍କଠାରେ ଦେଖାଯାଏ ନାହିଁ । ଇଣ୍ଡୋ-ଇରୋପୀୟ ଜାତି ଆଦିମ ଯୁଗରେ ନୈତିକତା ଓ ଧାର୍ମିକତା ପ୍ରତି ସେତେଦୂର ଆଗ୍ରହ ପ୍ରକାଶ କରୁ ନ ଥିଲେ ଯେପରି ସେମିଟିକ୍‍ମାନେ କରି ଆସୁଥିଲେ । ଅବଶ୍ୟ ଏ କଥା ବିଶ୍ୱାସଯୋଗ୍ୟ ହୋଇପାରେନା, ହୋଇପାରେ ବି । କିନ୍ତୁ ଏଇଆ ଅନୁମାନ କରିପାରୁ ଯେ ଆର୍ଯ୍ୟମାନେ ତାଙ୍କର ସଂଘର୍ଷମୟ ଜୀବନକାଳ ଭିତରେ ଶତ୍ରୁହନ୍ତା ଇନ୍ଦ୍ରଙ୍କ ଉଦ୍ଦେଶ୍ୟରେ ବିଜୟ ହାସଲ କରିବାକୁ ନିଜର ଆତ୍ମିକ ମନୋଭାବ ଯେପରି ଅନ୍ତରର ସହିତ ବହୁବାର ନିବେଦନ କରିଥିବେ ସେହିପରି ପ୍ରଶାନ୍ତଚେତା ବରୁଣଙ୍କ ଲକ୍ଷ୍ୟରେ କରିଥିବେ ବୋଲି ମନେହୁଏ ନାହିଁ, କାରଣ ବରୁଣ ଋଷିମାନଙ୍କର ସତର୍କତା ସତ୍ତ୍ୱେ ବହୁ ସଂଖ୍ୟକ ପାପୀ ଓ ଅପରାଧୀଙ୍କୁ ମୁକ୍ତି ପ୍ରଦାନ କରିଛନ୍ତି ।

 

ଯାହା ହେଉ, ଯେଉଁ କେତୋଟି ବରୁଣ ସୂକ୍ତ ଆମେ ଋଗବେଦରେ ଦେଖିବାକୁ ପାଉଁ ସେଥିରେ ଯେ ହୃଦୟର ଗଭୀରତମ ପ୍ରଦେଶ ମଧ୍ୟରୁ ପ୍ରାଚ୍ୟର ସ୍ପନ୍ଦନ ସ୍ପଷ୍ଟ ପ୍ରକାଶ ପାଇଛି ସେଥିରେ କାହାର ମତଦୈତ ନାହିଁ । ଏପରି କୌଣସି ମନ୍ତ୍ର ନାହିଁ ଯେଉଁଥିରେ କି ବରୁଣଙ୍କ ଉନ୍ନତ ଚରିତ୍ର ଓ ତାଙ୍କ ପ୍ରତି ମଣିଷର କର୍ତ୍ତବ୍ୟ ସମ୍ବନ୍ଧରେ ସାଧାରଣ ଧାରଣା ଦିଆଯାଇନାହିଁ । କେତେକ ମନ୍ତ୍ର ପ୍ରାଣସ୍ପର୍ଶୀ, ନିଷ୍ଠାପୂର୍ଣ୍ଣ ଅନୁତାପ ଓ ମନୁଷ୍ୟର ମର୍ମବାଣୀ ଦ୍ଵାରା ଭରପୂର ଅଟେ, କିନ୍ତୁ ଏହା ବି କୁହାଯାଇପାରେ, ବରୁଣ ସୂକ୍ତରେ ଯେଉଁ ମନୋଭାବ ବ୍ୟକ୍ତ ହୋଇ ଉଠିଛି, ତାହା ଅନ୍ତତଃ ଦଣ୍ଡ ଭୟରେ ହେଉ ପଛକେ ଦାସତ୍ଵ ସୂଚକ । ଏହା ସ୍ୱୀକାର କରିବାକୁ ହେବ ଯେ ଦାସ ମନୋବୃତ୍ତି ହିଁ ଭାରତବାସୀଙ୍କ ମଧ୍ୟରେ କାଳକ୍ରମେ ଭକ୍ତି (ପୁରାପୂରି ନ ହେଲେ ସୁଦ୍ଧା) ରୂପରେ ପରିବର୍ତ୍ତିତ ହୋଇଛି । ଅବଶ୍ୟ ଏଥି ସକାଶେ କେତେ ଶତାବ୍ଦୀ ଯେ ଲାଗିଥିବ ତା’ର ଇୟତ୍ତା ନାହିଁ । କିନ୍ତୁ ବରୁଣଙ୍କ ସୂକ୍ତ ପଢ଼ି ସାରିଲେ ଯେ କୌଣସି ଲୋକ କହିବ ଦୋଷ ଏବଂ ଗୁଣ ମଧ୍ୟରେ ଯେଉଁ ସୁସ୍ପଷ୍ଟ ଅନ୍ତର ବିଦ୍ୟମାନ ତାହା ବରାବର ସେଠାରେ ପରୀକ୍ଷିତ ହୋଇ ପାରିଛି । ସାଧାରଣ ଲୋକଙ୍କ ଧାରଣା ଏହିକି ଦୋଷ ସବୁଠାରେ ଅନୁତପନୀୟ ଓ ଦଣ୍ଡାର୍ହ; କାରଣ ଦଣ୍ଡଦ୍ଵାରା ହିଁ ଦୋଷୀର ଉପଯୁକ୍ତ ଶାସ୍ତି ବିଧାନ ହୁଏ, ମାତ୍ର ସାହିତ୍ୟ କ୍ଷେତ୍ରରେ ତାହା ବିଧିବଦ୍ଧ ଭାବେ ଦୃଷ୍ଟିଗୋଚର ହୁଏ ନାହିଁ । ତା’ଛଡ଼ା ବୈଦିକ ଯୁଗୀୟ ପାପୀ ଦୃଢ଼ ଭକ୍ତି ଓ ଘନିଷ୍ଠ ବନ୍ଧୁତାର ଭାବ ବ୍ୟକ୍ତ କରିଥାଏ । କାରଣ ଅପରାଧୀ ଗଭୀର ବିଚାର ପୂର୍ବକ ଦେବତାଙ୍କୁ ନିବେଦନ କରେ ଯେ କେବେ ଓ କେଉଁ ସମୟରେ ସେ ଦେବତାଙ୍କ ସହିତ ବନ୍ଧୁତା ସୂତ୍ରରେ ଆବଦ୍ଧ ହୋଇ ନିଶ୍ଚିନ୍ତ ରହିବ-। ଯେପରି ଦଶମ ମଣ୍ଡଳୀୟ ଅକ୍ଷସୂତ୍ର ମଧ୍ୟରେ ଆମେ ଖେଳରେ ପରାଜିତ ଅତଏବ ଦରିଦ୍ର ଜୁଆଡ଼ିର କରୁଣ ସଂଗୀତ ଦେଖିବାକୁ ପାଉଁ ସେହିପରି ବରୁଣ ସୂତ୍ରରେ ମଧ୍ୟ ତରଳ ଭାବପୂର୍ଣ୍ଣ ସଂଗୀତ ଦେଖବାକୁ ପାଉଁ । ମୋଟାମୋଟି କହିବାକୁ ଗଲେ, ବରୁଣଙ୍କ ସୂତ୍ର ଗୁଡ଼ିକ ଇଣ୍ଡୋଜର୍ମାନୀକ ଯୁଗୀୟ ଉନ୍ନତ ଚିନ୍ତାଧାରା ସମ୍ପନ୍ନ ସୂକ୍ତମାନଙ୍କ ମଧ୍ୟରେ ଅନ୍ୟତମ ଏଥିରେ ସନ୍ଦେହ ନାହିଁ । ନୈତିକତା ଦୃଷ୍ଟିରୁ ସେ ଗୁଡ଼ିକର ମୂଲ୍ୟ ଯେ କେତେ ଉଚ୍ଚରେ ତାହା ନିର୍ଣ୍ଣୟ କରିବା ସହଜ ନୁହେଁ ।

 

ବରୁଣଙ୍କ ସୂକ୍ତମାନଙ୍କ ମଧ୍ୟରେ ତାଙ୍କର ବାହ୍ୟ ଓ ଅନ୍ତର ଚରିତ୍ର ସମ୍ବନ୍ଧରେ ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳେ । ସେ ହେଉଛନ୍ତି ଅଦ୍ୱିତୀୟ କ୍ଷମତା ସମ୍ପନ୍ନ ଦେବତା । ତେଜୀୟାନ କବଚ ଦ୍ଵାରା ତାଙ୍କର ସର୍ବାଙ୍ଗ ଉତ୍କଳ ଦିଶେ ଯାହାକି ତାଙ୍କର ପ୍ରତିରୋଧ ଶକ୍ତି ଓ ବିଜୟର ସୂଚନା ଦିଏ, ବିଶେଷତଃ ଆତ୍ମପ୍ରତିଷ୍ଠା ଓ ଉନ୍ମତ ବୀରତ୍ୱର ହେଉଛନ୍ତି ସେ ଦେବତା । ତାଙ୍କର ‘କ୍ଷତ୍ରଶ୍ରିୟଂ’ ବିଶେଷଣଟି ନୈତିକତା, କ୍ଷମତା ଓ ଦୃଢ଼ ଶାସନର ଖ୍ୟାତି ପ୍ରଖ୍ୟାପକ । ‘ମେଧିର’ ‘କବି’ ‘କବିତର’ ପ୍ରଭୃତି ବରୁଣଙ୍କର ବିଶେଷଣମାନ ଦେଖିଲେ ମନେହୁଏ ତାଙ୍କଠାରେ ଶାସକର ସମସ୍ତ ଗୁଣ ନିହିତ ଥିଲା । ବରୁଣ ହେଉଛନ୍ତି ସାର୍ବଭୌମ କ୍ଷମତା ସମ୍ପନ୍ନ ଅଦ୍ୱିତିୟ ଶକ୍ତିଶାଳୀ ‘ସ୍ୱରାଟ’, ‘ସାମ୍ରାଜ୍ୟ’ ତାଙ୍କୁ ବହୁ ସ୍ଥଳରେ ଅର୍ପଣ କରାହୋଇଥିବା ଦେଖାଯାଏ, ଫଳରେ ତାଙ୍କୁ ‘ପ୍ରଣେତା’ (ପ୍ରକୃଷ୍ଟ ନେତା) ବୋଲି ଅଭିହିତ କରାଯାଇଛି । ତାଙ୍କର ଖ୍ୟାତି କେବଳ ଦୂରଦୂରାନ୍ତକୁ ଯେ ବ୍ୟାପ୍ତ ଅର୍ଥାତ୍ ସେ କେବଳ ‘ଉରୁଶଂସ’ ତାହା ନୁହେଁ, କିନ୍ତୁ ସେ ଆବ୍ରହ୍ମସ୍ତମ୍ୱ ସମସ୍ତ ଜଗତକୁ ଶାସନ କରନ୍ତି । ବୈଦିକ ଋଷିଙ୍କ ଭାଷାରେ ‘ନହି ତ୍ୱଦାରେ ନିମିଷଶ୍ଚ ନେଶେ’ । ଯେ ହେତୁରୁ ସେ ‘ଉରୁଚକ୍ଷସ୍’ ସର୍ବଦ୍ରଷ୍ଟା ଏବଂ ସର୍ବବ୍ୟାପୀ ଅଟନ୍ତି ତେଣୁ ତାଙ୍କ ଦୃଷ୍ଟିକୁ ଏଡ଼ିଦେଇ କୌଣସି କାର୍ଯ୍ୟ କରିଦେବାର ଉପାୟ ନାହିଁ । ଯେଉଁମାନେ ସମସ୍ତ ଭୌତିକ ବିଭବରେ ଐଶ୍ୱର୍ଯ୍ୟଶାଳୀ ବା ଯେଉଁମାନେ ଦିବ୍ୟକ୍ତିସମ୍ପନ୍ନ ଦେବତା ସେମାନେ ସୁଦ୍ଧା ବରୁଣଙ୍କ ଅଜ୍ଞାତରେ କର୍ମ କରିବାକୁ ସାହସ କରନ୍ତି ନାହିଁ, ତାଙ୍କର ସତର୍କତା ମୂଳକ ବ୍ୟବସ୍ଥା ‘ସ୍ଵଗୀ’ ଦ୍ଵାରା ସମସ୍ତ ବିଶ୍ୱ ପରିପୂରିତ, ତେଣୁ ବରୁଣଙ୍କ ପରିସରକୁ ଟପି ଯିବା ଅସମ୍ଭବ । ମାତ୍ର ମନ୍ତ୍ରଦ୍ରଷ୍ଟା ଋଷିଙ୍କର ଦୃଢ଼ ବିଶ୍ୱାସ ଅଛି ଯେ ତାଙ୍କର ପ୍ରାର୍ଥନା ଶୁଣି ବରୁଣ ପ୍ରାର୍ଥନାକାରୀଙ୍କ ପ୍ରତି ସଦୟ ହୋଇ ସେମାନଙ୍କୁ ‘ସଉଗାସଃ’ କରିବେ । ବହୁ ସୂକ୍ତରେ ବରୁଣଙ୍କୁ ଆଶ୍ରୟଦାତା, ନିୟାମକ ରୂପେ ବର୍ଣ୍ଣିତ କରିବା ବି ଦେଖୁଁ । ଏଣୁ ମନ୍ତ୍ରଗାୟକ ଋଷି ତାଙ୍କର କୁଟ ମିତ୍ର ଓ ଦୁଷ୍ଟ ଶତ୍ରୁଙ୍କ ବିରୁଦ୍ଧରେ ଶାସ୍ତି ବିଧାନ ସକାଶେ ଆନ୍ତରିକ ପ୍ରାର୍ଥନା କରନ୍ତି ।

 

ୟା ଛଡ଼ା ରଗ୍ ବେଦ ମଧ୍ୟରେ ବରୁଣ ଓ ‘ରତ’ ମଧ୍ୟରେ କିଏ ଅଧିକ ବଳୀୟାର ନିଶ୍ଚୟ କରିବା କଠିନ କାରଣ ଋତ ଏବଂ ବରୁଣଙ୍କ ମଧ୍ୟରେ ଥିବା ସମ୍ବନ୍ଧ ଅତିଶୟ ଘନିଷ୍ଠ ଓ ସୂକ୍ଷ୍ମ । ବରୁଣ ହେଉଛନ୍ତି ‘ଋତାବାନ’ । ବୃହଦାକାର ଶିତା ପରି ‘ବ୍ରନ୍ଦନି’ (ବ୍ରତଗୁଡ଼ିକ) ତାଙ୍କଠାରେ ଅପରିବର୍ତ୍ତିତ ରହିଥାନ୍ତି । ଗାୟକ ଋଷି ପ୍ରାର୍ଥନା ମନ୍ତ୍ର ଗୁଡ଼ିକ ବରୁଣଙ୍କଠାରେ ଉତ୍ସର୍ଗ କରି କହିଛନ୍ତି-

 

‘ରଧ୍ୟାମତେ ବରୁଣଖାମୃତାୟ’ ଆଭେଷ୍ଟା ଇଗ୍ଦଷବ ଓ ପାରସିକ ଇକ୍ସଗ୍ଧବରୁ ବୋଧହୁଏ ବୈଦିକ ‘ଋତ’ ନାମର କଳ୍ପନା କରାଯାଇଛି । ଖ୍ରୀଷ୍ଟପୂର୍ବ ଷୋଡ଼ଶ ଶତାବ୍ଦୀ ଆଗରୁ ଏହା ଇରାଣୀୟମାନଙ୍କ ଭିତରେ ରାଜକୀୟ ଅଭିଧାନ ରୂପେ ପ୍ରବେଶ କରି ସାରିଲାଣି । ପ୍ରାୟ ଖ୍ରୀଷ୍ଟପୂର୍ବ ପଞ୍ଚଦଶ ଶତାବ୍ଦୀବେଳକୁ ଏହି ଶବ୍ଦଟି ଏକ ପରିଚିତ ଶବ୍ଦ ରୂପେ ଉଚ୍ଚ ଆଦର୍ଶ ସୂଚକ ରାଜାଙ୍କ ପାଇଁ ପ୍ରଯୁକ୍ତ ହୋଇଥିବ । ଋଗ୍ ବେଦରେ କିନ୍ତୁ ‘ଋତ’ ଶବ୍ଦ ଦୃଶ୍ୟମାନ ବିଶ୍ଵ ଓ ଅଦୃଶ୍ୟ ସ୍ୱର୍ଗ ରାଜ୍ୟରେ ମଣିଷର ଶୃଙ୍ଖଳିତ ଜୀବନ ଯାପନ ସକାଶେ ନିୟମ ପ୍ରଣୟନ କରିବାର ଇଙ୍ଗିତ ଦିଏ । ଏହି ‘ରତ’ (ସତ୍ୟ ଓ ଶାସନ) ସହିତ ଯାହାଙ୍କର ବ୍ୟକ୍ତିତ୍ୱ ଘନିଷ୍ଠ ଭାବେ ସମ୍ପୃକ୍ତ ସେ ନିଶ୍ଚୟ ନୈତିକ ଶୃଙ୍ଖଳା ରକ୍ଷା ପ୍ରତି ଯେପରି ସତର୍କ ରହିବେ ସେହିପରି ଶୃଙ୍ଖଳାକାରୀଙ୍କ ପ୍ରତି ଦଣ୍ଡବିଧାୟକ ହେବେ ସେଥିରେ ସନ୍ଦେହ ନାହିଁ । ତା ବାଦେ ବରୁଣଙ୍କୁ ‘ବିଧର୍ଣ୍ଣ’ ବୋଲି ମଧ୍ୟ କୁହାଯାଇଛି । ପ୍ରାକୃତିକ ଶକ୍ତି ସବୁ ତାଙ୍କରି ‘ରତ’ ବା ଇଙ୍ଗିତରେ ପରିଚାଳିତ ହୁଅନ୍ତି । ଏଣୁ ‘ରତବାନ୍ ‘ବିଧର୍ଷ’ ବରୁଣ ଭୌତିକ ତଥା ଆଧ୍ୟାତ୍ମିକ ଉଭୟ ଜଗତର ନିୟାମକ ଅଟନ୍ତି । ଅତଏବ ବରୁଣଙ୍କ ଚାରିତ୍ରିକ ବୈଶିଷ୍ଟ୍ୟ ହେଉଛି ନୈତିକ ଜଗତର ଶୃଙ୍ଖଳାରକ୍ଷା । ସେଥିହେତୁ ଅପରାଧୀ ତାର ସମସ୍ତ ଅପକର୍ମର ପ୍ରାଞ୍ଜଳ ପ୍ରକାଶ ଦ୍ଵାରା ସଚୋଟ ଭାବ ପ୍ରମାଣିତ କରି ବରୁଣଙ୍କ ଠାରେ ନୀଋଣୀ ହେବା ପାଇଁ ପ୍ରାର୍ଥନା କରେ ଏବଂ ଯୋଗାଦି କର୍ମରେ ତାଙ୍କର ନୈତିକ ଅନୁଗ୍ରହ ସକାଶେ ନିବେଦନ କରେ । ସପ୍ତମ ମଣ୍ଡଳ ଷଷ୍ଠଶୀତି ସୂକ୍ତରେ ଜଣେ ସ୍ତୁତିକର୍ଣ୍ଣ ନିଜକୁ ଏକ ବାସ୍ତୁରି ସହିତ ତୁଳନା କରି କିପରି ସେ ରଜ୍ଜୁଦ୍ଵାରା ବଦ୍ଧ ହୋଇ ରହିଛନ୍ତି ତାର ବନା ଦେଖୁବାକୁ ପାଉଁ । ସେଥିରେ ଧାର୍ମିକତାର ଚିହ୍ନ ସୁଦ୍ଧା ନାହିଁ । ସେଥିରେ କେବଳ ବାହ୍ୟ ପ୍ରଭାବ ଦ୍ଵାରା ଆସିଥିବା କେତେକ ମନ୍ଦ-ଅଭ୍ୟାସର ପରିବର୍ତ୍ତନ ସକାଶେ ଚେଷ୍ଟା କରାହୋଇଛି । ଏହା ବ୍ୟକ୍ତିଗତ ଦାୟିତ୍ୱର ସଂଶୋଧନ ସକାଶେ ପ୍ରାର୍ଥନାମାତ୍ର । ଏହିପରି ଅନେକ ସ୍ଥଳରେ ଅଙ୍ଗୀକୃତ ଦାୟିତ୍ୱର ତୁଟି ମାର୍ଜନା ସମ୍ବନ୍ଧରେ ବିଶ୍ଳେଷଣ ହୋଇଥିବା ବି ଦୃଷ୍ଟିଗୋଚର ହୁଏ, ମାତ୍ର ଯେ କେହି ଅପରାଧ କରୁ ପଛକେ ଅନୁତପ୍ତ ଅପରାଧୀ ବରୁଣଙ୍କୁ ଦାସ ଭାବେ ସେବା କରିବାକୁ ପ୍ରସ୍ତୁତ ହୋଇ ପଡ଼େ । ବରୁଣଙ୍କ କ୍ରୋଧକୁ ଭୟ କରିବାର ଅନେକ କାରଣ ଅଛି । ସେ ‘ସମୁଦାୟୀ’ ହେବାରୁ ସାଦାରଣତଃ ‘ଜଳୋଦରି’ ରୋଗରେ ରୁଗ୍‍ଣ କରି ଅପରାଧୀର ଦଣ୍ଡ ବିଧାନ କରନ୍ତି । ଏହି ସାଂଘାତିକ ରୋଗର ପରିଣାମ ଚିନ୍ତା କରି ଅପରାଧୀ ଖୋଲା ହୃଦୟରେ ବରୁଣ ଦେବତାଙ୍କୁ ପ୍ରାର୍ଥନା କରେ ଯେପରି ତାର ଜୀବନ ସୂତ୍ର ଛିଣ୍ଡି ନ ଯାଏ ଓ ତାକୁ ଅକାଳ ମୃତ୍ୟୁ ଆକ୍ରମଣ ନ କରେ ।

 

ଇନ୍ଦ୍ରଙ୍କଠାରେ ଆମେ ଭୌତିକ ବଳ ଓ ଶାରୀରିକ ବୀର୍ଯ୍ୟ ପରାକାଷ୍ଠା ଦେଖୁଁ ଯାହାକି ବୈଦିକ ଯୁଗର ଅଗ୍ନି ଦେବତାଙ୍କଠାରେ ମଧ୍ୟ ପରିଲକ୍ଷିତ ହୁଏ । କିନ୍ତୁ ବରୁଣଙ୍କଠାରେ ଏ ସବୁ ବଦଳରେ ନୈତିକ ବଳର ଯେଉଁ ସୁଷମ ସମାବେଶ ଦୃଷ୍ଟି ଗୋଚର ହୁଏ ତାହାହିଁ ସେ ଯୁଗ ବୈଦିକ ଋଷିଙ୍କର ମନ ଓ ପ୍ରାଣକୁ ଗଭୀର ଭାବେ ସ୍ପନ୍ଦିତ କରି ପାରିଥିଲା । ଏଣୁ କହିପାରୁ, ଋଗବେଦରେ ଇନ୍ଦ୍ରାଦି ଦେବତାଙ୍କଠାରୁ ବରୁଣଙ୍କ ସୂକ୍ତ ସଂଖ୍ୟା ଅଳ୍ପ ହେଲେ ମଧ୍ୟ, ସେମାନଙ୍କ ଅପେକ୍ଷା ବରୁଣଙ୍କ ସ୍ଥାନ କୌଣସି ଅଂଶରେ ନ୍ୟୁନ ନୁହେଁ ।

 

* ମନୀଷୀ ପିଟରସନଙ୍କ ମତାନୁସରଣରେ ଲିଖିତ

***

 

Unknown

ଓଡ଼ିଆ ‘‘ପଦୀ’’ ସାହିତ୍ୟ

ଶ୍ରୀ ବିଚ୍ଛନ୍ଦଚରଣ ପଟ୍ଟନାୟକ, ବି.ଏ. (ଅନର୍ସ) ବି.ଏଲ୍.

 

ସଂସ୍କୃତ ସାହିତ୍ୟ ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ପ୍ରଭୃତି ପ୍ରାଦେଶିକ ସାହିତ୍ୟମାନଙ୍କ ଜୀବନର ମୂଳଉତ୍ସ । ତେଣୁ ଏହି ପ୍ରାଦେଶିକ ସାହିତ୍ୟମାନଙ୍କର ବିଧାତାମାନେ ଯୁଗ ଯୁଗ ଧରି ନିଜ ନିଜ ମାତୃସାହିତ୍ୟକୁ ସଂସ୍କୃତ ସାହିତ୍ୟର ତୁଙ୍ଗ କୋଟୀକୁ ଘେନି ଯିବାପାଇଁ ଆପ୍ରାଣ ପ୍ରଯତ୍ନ କରି ଅଛନ୍ତି-। କରାୟତ୍ତ ହୋଇଥିବା ପ୍ରମାଣାବଳୀରୁ ଜଣାଯାଏ ଯେ ଖ୍ରୀଷ୍ଟୀୟ ପଞ୍ଚଦଶ ଶତାବ୍ଦୀରୁ ବହୁ ଓଡ଼ିଆ କାବ୍ୟକାର ସଂସ୍କୃତ ସାହିତ୍ୟ ଉପରେ ଦୃଷ୍ଟି ନିବଦ୍ଧ କରି କାବ୍ୟଭାଷାକୁ ସଂସ୍କୃତ ଆଦର୍ଶରେ ଅଧିକରୁ ଅଧିକ ମଞ୍ଜୁଳ ଓ ବିଭବବନ୍ତ କରିବାରେ ବ୍ରତୀ ହୋଇଥିଲେ । ଏ ସାଧନାରେ ପୂର୍ଣ୍ଣାଙ୍ଗ ସିଦ୍ଧି ଲାଭ ପୂର୍ବକ ଉପେନ୍ଦ୍ରଭଞ୍ଜ କବି ସମ୍ରାଟ ଆଖ୍ୟାରେ ବିଭୂଷିତ ହୋଇଅଛନ୍ତି । ବଳଦେବ ରଥଙ୍କୁ ମଧ୍ୟ ଠିକ୍ ଏହି କାରଣରୁ କବିସୂର୍ଯ୍ୟ ପଦବୀ ପ୍ରଦତ୍ତ ହୋଇଅଛି । ଦୀନକୃଷ୍ଣ ଦାସ, ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା, ଅଭିମନ୍ୟୁ ସାମନ୍ତସିଂହାର ଓ ଯଦୁମଣି ମହାପାତ୍ର ଏତାଦୃଶ ସିଦ୍ଧି ଲାଭ କରି ସମଧିକ ପ୍ରସିଦ୍ଧି ଲାଭ କରିଥିଲେ ସୁଦ୍ଧା ବକ୍ରବାକ ଚକ୍ରପାଣି ପଟ୍ଟନାୟକ, ଭୁବନେଶ୍ଵର କବିଚନ୍ଦ୍ର ଓ ଲଡ଼ୁକେଶ୍ୱର ମହାପାତ୍ର ପ୍ରଭୃତି ଆହୁରି ଅନେକ ଓଡ଼ିଆ କବି ଓଡ଼ିଆଜାତିର ଦୁର୍ଭାଗ୍ୟବଶତଃ ଏପର୍ଯ୍ୟନ୍ତ ଲୋକଲୋଚନ ଗୋଚରକୁ ଆସିପାରି ନାହାନ୍ତି । ଓଡ଼ିଶାର ଏ ସମସ୍ତ କବି ଓଡ଼ିଆ ସାହିତ୍ୟକୁ ସାଧାରଣ ପ୍ରାକୃତ ବାକ୍ ବିଭୂତିର ସ୍ତରରୁ ଉନ୍ନୀତ କରି ଗୀର୍ବୀଣ ବାକ୍ ବିଭୂତିର ପ୍ରୋତ୍ତୁଙ୍ଗ ସ୍ତରକୁ ଘେନି ଯାଇ ଅଛନ୍ତି । କୋଣାର୍କ, ଭୁବନେଶ୍ୱର ଓ ପୁରୀ ପ୍ରଭୃତି ମନ୍ଦିର ନିର୍ମାତା ସ୍ଥପତିମାନେ କଳାକ୍ଷେତ୍ରରେ ଓଡ଼ିଆ ଜାତିକୁ ଯାହା ଦାନକରିଯାଇ ଅଛନ୍ତି ସାହିତ୍ୟ କ୍ଷେତ୍ରରେ ଏ କାବ୍ୟ ବିଧାତାମାନଙ୍କର ଦାନ ପୂର୍ଣ୍ଣତୟା ତହିଁର ସମକକ୍ଷ । ସଂସ୍କୃତ ସାହିତ୍ୟର ଅଳଙ୍କାର ଓ ଛନ୍ଦ ବୈଭବ ଏମାନଙ୍କଦ୍ୱାରା ପୂର୍ଣ୍ଣ ଉପଲବ ହୋଇଥିଲା ଏବଂ ଓଡ଼ିଆ ପ୍ରକୃତିର ପୂର୍ଣ୍ଣ ଉପଯୋଗୀ କରି ଏମାନେ ସେ ସବୁକୁ ନିଜ ନିଜ ସାରସ୍ୱତ ସୃଷ୍ଟିରେ ଗୁମ୍ପିତ କରିଯାଇ ଅଛନ୍ତି । ଏମାନଙ୍କ ବୈଚିତ୍ରୀବିଳାସ ପୁଣି ଏଡ଼େ ପୁଷ୍କଳ ଥିଲା ଯେ ଏମାନେ ସଂସ୍କୃତ ସାହିତ୍ୟକୁ ଛାଡ଼ି କରି ମଧ୍ୟ ଆଉ କେତେ ଗୋଟି ସ୍ଵାତନ୍ତ୍ର୍ୟ ପ୍ରକଟ କରିଯାଇ ଅଛନ୍ତି । ତନ୍ମଧ୍ୟରୁ ଗୋଟିକର ଉଲ୍ଲେଖ ଏ ପ୍ରସଙ୍ଗରେ ଯଥେଷ୍ଟ ହେବ । କବିସମ୍ରାଟ ଉପେନ୍ଦ୍ରଭଞ୍ଜ ତାଙ୍କ ବିରାଟ ମହାକାବ୍ୟ ବୈଦେହୀଶ ବିଳାସର ପ୍ରତିପଦର ପ୍ରତିଚରଣକୁ ବି-ଆଦ୍ୟ ନିୟମରେ ରଚନା କରିଅଛନ୍ତି । ମହାକାବ୍ୟ ରାମଚରିତ ମୂଳକ; ବି-ଆଦ୍ୟନିୟମରେ ଏଥିରେ ନାମକରଣ ମଧ୍ୟ କରାଯାଇଅଛି ବୈଦେହୀଶ ବିଳାସ । ସର୍ଗମାନଙ୍କର ପଦମାନ ମଧ୍ୟ ବତିଶ, ବାବନ, ବୟାନବେ ଆଦି ବ- ଆଦ୍ୟ ସଂଖ୍ୟକ ହୋଇଅଛି । ଏଥର ପଟାନ୍ତର ସଂସ୍କୃତରେ ନାହି, ଅନ୍ୟ କୌଣସି ପ୍ରାଦେଶିକ ସାହିତ୍ୟରେ ମଧ୍ୟ ନାହିଁ । ଓଡ଼ିଆ ସାହିତ୍ୟରେ ଏତତ୍ତୂଲ୍ୟ ମହାକାବ୍ୟ ରସକଲ୍ଲୋଳ କଆଦ୍ୟ ନିୟମରେ ଲିଖିତ । ଆଦ୍ୟ ନିୟମରେ ବିଶ୍ୱମ୍ବର ବିଳାସ (ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ଓ ବାସୁଦେବ ବିଳାସ ମହାକାବ୍ୟ (ଭୁବନେଶ୍ୱର କବିଚନ୍ଦ୍ର) ମଧ୍ୟ ରହିଅଛି । ଅ-ଆଦ୍ୟ ନିୟମରେ ଅମ୍ବିକା ବିଳାସ ମହାକାବ୍ୟ (ବ୍ରଜନାଥ ବଡ଼ଜେନା) ମୁଦ୍ରିତ ଓ ପ୍ରକାଶିତ ହୋଇଅଛି । କ-ଆଦ୍ୟ ଓ କ-ପ୍ରାନ୍ତ ନିୟମରେ ରଚିତ କଳାକଉତୁକ, ଶ ଆଦ୍ୟନିୟମରେ ରଚିତ ଶ୍ୟାମରାସୋତ୍ସବ, ସ-ଆଦ୍ୟ ନିୟମରେ ରଚିତ ସୁଭଦ୍ରା ପରିଣୟ ଆକାରରେ ବୃହତ୍ ନ ହେଲେ ମଧ୍ୟ ନିଶ୍ଚୟ ଭାରତର ସାରସ୍ୱତ ବିସ୍ମୟ । କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ପ୍ରତ୍ୟେକ ବ୍ୟଞ୍ଜନ ବର୍ଣ୍ଣକୁ ପର୍ଯ୍ୟାୟ କ୍ରମେ ଗୋଟିଏ ଗୋଟିଏ ସର୍ଗର ପଦମାନଙ୍କ ଚରଣମାନଙ୍କର ଆଦ୍ୟବର୍ଣ୍ଣରୂପେ ବ୍ୟବହାର କରି ୩୪ ଛାନ୍ଦ ବିଶିଷ୍ଟ କୃଷ୍ଣଚରିତ ମୂଳକ ଛନ୍ଦଭୂଷଣ କାବ୍ୟ ରଚନା କରି ଅଛନ୍ତି । ଚତୁର୍ଦ୍ଦଶ ଶତାବ୍ଦୀର ବଛାଦାସ କବିଙ୍କଠାରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ମଧ୍ୟ ବ୍ୟଞ୍ଜନ ବର୍ଣ୍ଣମାନଙ୍କୁ ପର୍ଯ୍ୟାୟକ୍ରମେ ଗୋଟିଏ ଗୋଟିଏ ପଦର ପ୍ରତି ଚରଣମାନଙ୍କ ଆଦ୍ୟବର୍ଣ୍ଣ କରି ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟବିଷୟରେ ଅଗଣିତ ଚଉତିରିଶ ପଦ ସମ୍ବଳିତ ଚଉତିଶା କବିତା ଓଡ଼ିଶାରେ ଲିଖିତ ହୋଇଅଛି । ଏ ସବୁ ଚଉତିଶା ବିଭିନ୍ନ ବୃତ୍ତରେ ରଚିତ ହେବାଦ୍ୱାରା ଓଡ଼ିଆ ସାରସ୍ୱତ ଭଣ୍ଡାର ପ୍ରତୁଳ ଛନ୍ଦୋବିଭବରେ ମୁଖରିତ ହୋଇଅଛି । ଏହି ଚଉତିଶାକାରମାନଙ୍କ ମଧ୍ୟରୁ ଜଣେ ଜଣେ ମଧ୍ୟ ଅଭିନବ ବୃତ୍ତମାନଙ୍କର ବିଧାତା ହୋଇ ଅଛନ୍ତି । ବଛାଦାସ କଳସା ବୃତ୍ତର ଦାମୋଦର ଦାସ ରସକୁଲ୍ୟାବୃତ୍ତର ଓ ଦନାଇ ଦାସ କନଡ଼ା ବୃତ୍ତର ଜନକ ବୋଲି ପ୍ରସିଦ୍ଧ । ଆଉ ଗୋଟିଏ ବିଶିଷ୍ଟ ପର୍ଯ୍ୟାୟର ଖଣ୍ଡକାବ୍ୟ ପୋଇ ନାମରେ ଆଖ୍ୟାତ । ଏସବୁରେ ନିର୍ଦ୍ଦିଷ୍ଟ ସମାନ ସଂଖ୍ୟକ ପଦ ବିଶିଷ୍ଟ ସର୍ଗମାନ ସମାବିଷ୍ଟ ଥାଏ । ସର୍ଗଙ୍କ ପଦସଂଖ୍ୟା ୫ ହୋଇଥିଲେ ପୁସ୍ତକ ପାଞ୍ଚପୋଇ ୧୦ ହୋଇଥିଲେ ଦଶପୋଇ ୧୬ ହୋଇଥିଲେ ଷୋଳ ପୋଇ ବୋଲାନ୍ତି । କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ବହୁ ଚଉତିଶା ଓ ବହୁ ପୋଇ ଖଣ୍ଡକାବ୍ୟର ପ୍ରଣେତା ।

 

ତେଣୁ ଏ କବି ବିଚାରଇ ଚିତ୍ତେ ।

କଲି ମୁଁ ଅନେକ ପ୍ରକାର ଗୀତେ ।

ଅଶେଷ ଚଉତିଶା ଚଉପଦୀ ।

ତାହାକେତେ ଯେ କହିବି ସମ୍ପାଦି ।

ଗାହା ଦୋହା ଷୋଡ଼ଶେନ୍ଦୁ ଛପୋଇ ।

ଇତ୍ୟାଦି କବିତ୍ୱ ଗଣିତା ନାହିଁ –

- ଚିତ୍ରକାବ୍ୟ ବନ୍ଧୋଦୟ

 

ଓଡ଼ିଆ କବିମାନଙ୍କର ଏହି ସବୁ ବୈଚିତ୍ର୍ୟ ବିଳାସର ଅନୁସନ୍ଧାନ କରୁ କରୁ ମୁଁ ଗଞ୍ଜାମ ଜିଲ୍ଲାର ଖଲିକୋଟର ମୋର ଜଣେ କଲ୍ୟାଣୀୟ ସାହିତ୍ୟ ପ୍ରେମୀ ତରୁଣ ଶ୍ରୀମାନ ନିଶିଭୂଷଣ ରଥଙ୍କଠାରୁ ଖଣ୍ଡିଏ ପ୍ରାଚୀନ ତାଳପତ୍ର ପୋଥି ପ୍ରାପ୍ତ ହୋଇ ଅଛି । ପୋଥି ଲେଖାର ସମୟ ନିମ୍ନଲିଖିତ ପ୍ରକାରେ ଶେଷ ପୃଷ୍ଠାରେ ଉଲ୍ଲିଖିତ ରହିଅଛି ।* ଏ ପୋଥିରେ ନିମ୍ନଲିଖିତ ଗୀତମାନ ରହିଅଛି ।

 

୧.

ନୀଳକଣ୍ଠ ଖାଡଙ୍ଗାଙ୍କ - ଶହେ ପଦିଆ

୨.

ଭାରତ କବିଙ୍କ - ଷାଠିଏ ପଦିଆ

୩.

କୃଷ୍ଣ ସିଂହଙ୍କ – ଛପନ ପଦିଆ

୪.

ବାମଦେବ ପଟ୍ଟନାୟକଙ୍କ – ଛପନ ପଦିଆ

୫.

କୃପାସିନ୍ଧୁ ସୁମନ୍ତଙ୍କ - ଛପନ ପଦିଆ

୬.

ବ୍ରଜସୁନ୍ଦର ପଟ୍ଟନାୟକଙ୍କ (ଅ-ଆଦ୍ୟ ନିୟମ) ଛପନ ପଦିଆ

୭.

ବ୍ରଜସୁନ୍ଦର ପଟ୍ଟନାୟକଙ୍କ ୧ ଗୋଟି ଗୀତିକା

୮.

ବାଲାଜୀଶରଣଙ୍କୁ ୧ ଗୋଟି ଗୀତିକା

୯.

କବି ସମ୍ରାଟଙ୍କ ୧ ଗୋଟି ଗୀତିକା

୧୦.

ଭୀମଦେବଙ୍କ ୧ ଗୋଟି ଗୀତିକା

୧୧.

ଜଗନ୍ନାଥ ମର୍ଦ୍ଦରାଜ ଦେଓଙ୍କ ୧ ଗୋଟି ଗୀତିକା

୧୨,

ବ୍ରଜମଣିଙ୍କ ୧ ଗୋଟି ଗୀତିକା

୧୩.

ଜଣେ ନାମହୀନ କବିଙ୍କ

(ପ-ଆଦ୍ୟନିୟମ) ୧ ଗୋଟି ଗୀତିକା

 

 

* ଶ୍ରୀ ବୀର ରାମଚନ୍ଦ୍ର ଦେବ ମଙ୍ଗରାଜଙ୍କ ବିଜେ ଶୁଭରାଜ୍ୟେ ସମସ୍ତ ୩୩ ଅଙ୍କ କୁମ୍ଭ ଫାଲ୍‌ଗୁନ କୃଷ୍ଣ ସପ୍ତମୀ ରବିବାର ବେଳ ଦଶଘଡ଼ିଠାରେ ୟେ ଛପନ ପଦିଆ ପୋଥି ଲେଖା ବଢ଼ିଲା । ୟେ ଅକ୍ଷର ଗୋପୀନାଥଙ୍କର । ସକଳେଶ୍ଵର ଉଧର ।।

 

ଏ ଗୀତମାନଙ୍କର ସଂଗ୍ରାହକ ପୋଥିଟିର ନାମ ଛପନ ପଦିଆ ପୋଥି ବୋଲି ଉଲ୍ଲେଖ କରିଅଛନ୍ତି । କିନ୍ତୁ ଉପରେ ପ୍ରଦତ୍ତ ହୋଇଥିବା ତାଲିକାରୁ ପାଠକପାଠିକା ଅବଧାରଣ କରିପାରିବେ ଯେ ଏଥିରେ ୪ ଗୋଟି ଛପନ ପଦିଆ ଗୀତ ରହିଅଛି । ଗୋଟିଏ ଶହେ ପଦିଆ, ଗୋଟିଏ ଷାଠିଏ ପଦିଆ ଓ ଗୋଟିଏ ଛତିଶ ପଦିଆ ଗୀତ ଏଥିରେ ସନ୍ନିବିଷ୍ଟ ହୋଇଅଛି । ବ୍ରଜସୁନ୍ଦର ପଟ୍ଟନାୟକ, କବି ସମ୍ରାଟ ଓ ଜଗନ୍ନାଥ ମର୍ଦ୍ଦରାଜ ଦେଓଙ୍କ ଗୋଟିଏ ଲେଖାଏଁ ଗୀତର ଆଖ୍ୟା ପୋଥିର ଲେଖନକାର ଛପନପଦିଆ ଦେଇଥିଲେ ସୁଦ୍ଧା ସେ ସବୁ ପ୍ରକୃତରେ ଛପନପଦ ବିଶିଷ୍ଟ ନୁହଁନ୍ତି । କେବଳ ଏହି ‘‘ପଦିଆ” ନାମ ବିଶିଷ୍ଟ କବିତାମାନଙ୍କ ସହିତ ଏ ସବୁର ଭାରସାମ୍ୟ ମାତ୍ର ରହିଅଛି ।

 

ଓଡ଼ିଶାରୁ ବହୁ ତାଳପତ୍ର ପୋଥି ଲୋପ ପାଇସାରିଲାଣି । ଆଉ ବହୁ ଲୋପୋନ୍ମୁଖ ଅବସ୍ଥାରେ ରହିଅଛି । ପୁନଶ୍ଚ ସଂଖ୍ୟାତୀତ ପୋଥି ଅର୍ଥଲୋଭୀ ପୋଥି ମାଲିକ ଓ ପୋଥି ସଂଗ୍ରାହକମାନେ ଓଡ଼ିଶା ବାହାରର ଗବେଷଣାଗାର ଓ ସଂଗ୍ରହାଳୟମାନଙ୍କରେ ବିକ୍ରୟ କରି ଦେଇଅଛନ୍ତି ବା ବିକ୍ରୟ କରିଦେବାରେ ଲାଗିଅଛନ୍ତି । ଓଡ଼ିଶା ବାହାରର କେତେକ ଧନବନ୍ତ ପ୍ରକାଶନ ସଂସ୍ଥା ମଧ୍ୟ ପ୍ରଚୁର ଧନ ବ୍ୟୟକରି ଓଡ଼ିଶାରୁ ବହୁସଂଖ୍ୟକ ଦୁର୍ଲଭ ପୋଥି ଅପସାରଣ କରି ନେଉଅଛନ୍ତି ।

 

ଉପରଲିଖିତ ପୋଥି ଖଣ୍ଡିକ ଜଣେ ସହୃଦୟ ତରୁଣ କୃପା କରି ନ ଥିଲେ ମୋର ହସ୍ତଗତ ହୋଇପାରି ନ ଥାନ୍ତା । ଚଉତିଶା ପଛକୁ ଛତିଶ ପଦିଆ, ଛପନ ପଦିଆ, ଷାଠିଏ ପଦିଆ ବା ଶହେ ପଦିଆ ପ୍ରଭୃତି ଶ୍ରେଣୀର ଗୀତ ଓଡ଼ିଶାରେ ପ୍ରଚଳିତ ଥିଲା ଏହା ଜାଣିବାକୁ ଓଡ଼ିଶାବାସୀଙ୍କୁ ଆହୁରି କେତେବର୍ଷ ଲାଗିଥାନ୍ତା ଅଥବା ସେମାନେ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ସାରସ୍ୱତ ବୈଚିତ୍ରୀ ବିଳାସର ଏ ସାମଗ୍ରୀମାନଙ୍କୁ ଆଦୌ ଜାଣି ପାରିନଥାନ୍ତେ । ଏ କ୍ଷୁଦ୍ର ପୋଥି ଖଣ୍ଡିକର ଆବିଷ୍କାର ଫଳରେ ଓଡ଼ିଆ ଭାଷାର ଅଭିଧାନ ପାଇଁ ଛତିଶ ପଦିଆ ଛପନ ପଦିଆ, ଷାଠିଏ ପଦିଆ ଓ ଶହେ ପଦିଆ ଅନ୍ତତଃ ଏହି ଚାରିଗୋଟି ନୂତନ ଶବ୍ଦ ଆମ୍ଭମାନଙ୍କଦ୍ଵାରା ଉପଲବ୍ଧ ହେଲା । ପ୍ରତ୍ୟେକ ନବଲବ୍‍ଧ ତାଳପତ୍ର ପୋଥିଦ୍ୱାରା ଓଡ଼ିଶାର ପ୍ରାଚୀନ ସାରସ୍ୱତ ବିଭବ ବିଷୟରେ ଆମ୍ଭମାନଙ୍କ ଜ୍ଞାନର ପରିଧି ସମ୍ୟକ ସମ୍ପ୍ରସାରିତ ହେଉଅଛି ଓ ହେବ ଏଥିରେ ତିଳାର୍ଦ୍ଧ ମାତ୍ର ସଂଶୟ ନାହିଁ । ଅନାବିସ୍ତୃତ ତାଳପତ୍ର ପୋଥିମାନଙ୍କରେ ଓଡ଼ିଆଜାତିର ଅତୀତ ବୁଦ୍ଧିବିଳାସ ଏକପ୍ରକାର କାରାବାସ ବରଣ କରି ବିସ୍ମୃତିର ସ୍ତବ୍‍ଧ ଅନ୍ଧକାରରେ ଅବସ୍ଥାନ କରିଅଛି । ତହିଁର ସମୁଦ୍ଧାର ଜାତିର ପରମ ସେବାମଧ୍ୟରୁ ଅନ୍ୟତମ ।

 

ନୀଳକଣ୍ଠ ଖାଡଙ୍ଗା

ଏହି ନବଲବ୍‍ଧ କ୍ଷୁଦ୍ର ତାଳପତ୍ର ପୋଥି ଖଣ୍ଡିକ ଯେଉଁମାନଙ୍କ ଗୀତରେ ସମୃଦ୍ଧ ହୋଇଅଛି ସେମାନଙ୍କ ମଧ୍ୟରୁ ଶହେ ପଦିଆର କବି ନୀଳକଣ୍ଠ ଖାଡଙ୍ଗା (ଖଡ୍‍ଗ ରାୟ ପଦର ଅପଭ୍ରଂଶ; ବ୍ରାହ୍ମଣମାନେ ଅତୀତ ଓଡ଼ିଶାରେ ଯୁଦ୍ଧ କରୁଥିଲେ ଓ ଖଡ୍‍ଗରାୟ, ବାହିନୀପତି ଆଦି ଉପାଧି ପାଉଥିଲେ) କବି ନୀଳକଣ୍ଠ ଖାଡଙ୍ଗା ଓଡ଼ିଶାରେ କଣ୍ଠ ଖାଡଙ୍ଗା ବୋଲି ପରିଚିତ ଥିଲେ । ନଚେତ ପୋଥିର ଲେଖନକାର ତାଙ୍କ ଗୀତର ଶିରୋନାମାରେ “କ ଖାଡଙ୍ଗାଙ୍କ ଶହେ ପଦିଆ” ବୋଲି ଉଲ୍ଲେଖ କରି ନ ଥାନ୍ତେ । କବି ଭାବରେ ଓଡ଼ିଶାରେ ସେ ଏ ପର୍ଯ୍ୟନ୍ତ ପୂରାପୂରି ଅଜ୍ଞାତ । ତାଙ୍କ ନିଜ ଗୀତ ମଧ୍ୟରୁ ଏବଂ ତହିଁର ଭାଷା ଓ ଭାବରୁ ଆମ୍ଭମାନଙ୍କୁ ତାଙ୍କର ଯତକିଞ୍ଚିତ ପରିଚୟ ବାହାର କରିବାକୁ ପଡ଼ିବ । ଶହେ ପଦିଆର ଶେଷ ପଦରେ ସେ ଲେଖିଛନ୍ତି-

 

“କାନ୍ତ କାନ୍ତା ଦୁହେଁ ହେଲେ ହରଷ

ତା ଦେଖି ଅପସରିଲା ରତି-ଈଶ

ସେ ସୁଖ କହି ନୁହଁଇ ବଚନେ

ରସିକେ ଜାଣନ୍ତି ଅନୁସନ୍ଧାନେ,

ଶଏ ପଦ ହେବ

ଭଣିଲେ ନୀଳକଣ୍ଠ ଭୂମିଦେବ ।୧୦୦।

 

‘ଶହେ ପଦିଆ’ର ଭାଷାରୁ ଜଣାପଡ଼େ ଯେ ଭୂମି-ଦେବ (ବିପ୍ର) ନୀଳକଣ୍ଠ ସପ୍ତଦଶ ଶତାବ୍ଦୀର କବି । ସେ ପ୍ରସିଦ୍ଧି ଲାଭ କରି ନ ଥିଲେ ତାଙ୍କର ଏ ଗୀତ ଏ ସଂଗ୍ରହ ଭିତରକୁ ଆସି ନ ଥାନ୍ତା । ପରମ୍ପରାର ପରିଣାମ ଫଳରେ କବି ସମ୍ରାଟଙ୍କ ସର୍ବାଙ୍ଗସୁନ୍ଦର କବିତାର ଆବିର୍ଭାବ ହୋଇଥିଲା । କିନ୍ତୁ ଏ ପରମ୍ପରା ରୂପ ମହାମନ୍ଦିର ଭିତ୍ତିରେ ଭୂମି-ଦେବ ନୀଳକଣ୍ଠ ଆଦି କବିମାନେ ନିଶ୍ଚୟ ଶିଳାନ୍ୟାସ କରି ଅଛନ୍ତି । କବି ସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ କାବ୍ୟ କବିତାର ରସାଳତାର ବୀଜ କଣ୍ଠ ଖାଡଙ୍ଗାଙ୍କ ଗୀତରେ ମିଳୁଅଛି । ଏ ପୋଥିର ଅନ୍ୟାନ୍ୟ ଗୀତମାନଙ୍କ ପରି ଖାଡଙ୍ଗାଙ୍କ ଗୀତ ମଧ୍ୟ ଅନୁଚିନ୍ତାମୂଳକ । ମୁଁ ନିମ୍ନରେ ତାଙ୍କ ଶହେ ପଦିଆରୁ କେତୋଟି ପଦ ଉଦ୍ଧାର କରି ଦେଉଅଛି-। ଏ ଶହେ ପଦିଆ ଗୀତରେ ଭାରତର ଯେ କୌଣସି ଶୃଙ୍ଗାରୀ କବିଙ୍କ କବିତାର ମାଦକତା ରହିଅଛି । କବି ନିଜ ହସ୍ତରେ କାନ୍ତାର ସର୍ବାଙ୍ଗରେ ଅଳଙ୍କାର ମଣ୍ଡନ କରି ତାର ସୁବେଶ ସର୍ଜନା କରି କୃତାର୍ଥ । ହୋଇଥିବାର ମଧୁମୟ ସ୍ମୃତି ଏଥିରେ ଲିପିବଦ୍ଧ କରିଅଛନ୍ତି ।

 

ରୂପ ବର୍ଣ୍ଣନା ଯଥା-

ଲଲାଟେ ଲିହିଲି ସିନ୍ଦୂର ଚିତା,

ଉଦୟ ଗିରିଗୁ ଉଦେ ସବିତା ।

ଏସନ ପ୍ରକାରେ ଦିଶେ ଶୋଭିତା,

ତହିଁ ତଳେ ଦେଲି ଚନ୍ଦନଚିତା ।

ଦିଶିଲା ଶୋଭିତା

ଚାହିଁଲେ ମୋହି ହେବେ ଊର୍ଦ୍ଧ୍ୱରେତା ।୫।

ଦେଖି ସେ ସୁନ୍ଦର ଟୋପି ଚନ୍ଦନ,

ମନସ୍ୱୀଙ୍କର ବଶ ହେବ ମନ ।

ରବି, ଚନ୍ଦ୍ର ଦୁହେଁ ଏକ ଆସନ,

ହୋଇଲା ପ୍ରାୟ ହୋଇଲା ଶୋଭନ ।

ତାର କଚ ଦେଖ ,

କୁହୁ ବିଭାବରୀ ପ୍ରାୟେ ପ୍ରତ୍ୟକ୍ଷ ।୬।

କି କହିବା ତାର ଭୁଲତା ଭଙ୍ଗୀ,

କି କାମ ଧନୁ ପକାଇଛି ଭାଙ୍ଗ ।

ନୟନ ଉତ୍ପଳ-ଶର ଯୋଚିଛି,

କି ବିଶ୍ୱ ଜିଣିବ କାମ ବସିଛି

ଏ ପ୍ରତ୍ୟକ୍ଷ ଦେଖ ,

ଯୁବା ଜନ ମନ ହୋଇଛି ଲାଖ ।୭।

X      X      X

ସ୍ୱଭାବେ ଅଟଇ କୁନ୍ଦନ ଗୋରୀ,

କୁନ୍ଦ ନୋହେ ତାର ଦନ୍ତକୁ ସରି ।

ମାଣିକ୍ୟ ପାତ୍ରୀରେ ଥିଲେ ମୁକୁତା

ଯେତେ ଶୋଭା ପାଏ ତେଡ଼େ ଶୋଭିତା ।

କି ସରିବ ଗୁଣ,

ସହସ୍ରେ ବରଷ ଗଣିଲେ ପୁଣ । ୧୩ ।

ହାରକୁ ତା ଗ୍ରୀବାରେ ଲମ୍ବାଇଲି,

ସ୍ତନ ମଧ୍ୟରେ ପଦକ ରଖିଲି

ତହିଁ ମଧ୍ୟରେ ହୀରା ସାର ମଣି,

ନିଶାରେ ଚାହିଁଲେ ପ୍ରଦୀପ ମଣି ।

ଆହାରେ ରମଣି !

ସତେ କି ସେ ଶୋଭା ଦେଖିବି ପୁଣି ।୧୬।

ଏମନ୍ତ ସୁନ୍ଦର ପୃଥୁଳ ସ୍ତନ,

ତହିଁ ପରେ ଥିଲା ନୀଳ ବସନ ।

ସୁବର୍ଣ୍ଣ ଗିରିରେ ନବୀନଘନ

ଆଚ୍ଛାଦ ରହିଲା ପରି ଶୋଭନ । ।୧୭ ।

X      X      X

ମୁଦ୍ରିକା ଚମ୍ପା କଳି ଅଙ୍ଗୁଳିରେ,

ଖଞ୍ଜି ଦେଇ କର ଧଇଲି ଧୀରେ ।

ପୁଣି ବୋଇଲି ଏ ସ୍ମର ବିଶିଖ,

ଚିହ୍ନ ଦେଇଅଛି ସୁବର୍ଣ୍ଣ ଫୁଖ ।

ଏହୁ ଦଶବାଣେ,

ବଶ୍ୟ କରିଅଛି ସେ ଦିଗମାନେ ।୨୪।

X      X      X

କି କହିବି ତାର ନାଭି ମଣ୍ଡଳ,

ମାର ସର୍ପର ସେ ଗଭୀର ବିଳ ।

କି ଅବା କନ୍ଦର୍ପାଗ୍ନି ପ୍ରଶମରେ,

ଜନେ ବୁଡ଼ିବେ ଯାଇ ଏହୁ ସରେ ।

ଯେହୁଟି ବୁଡ଼ନ୍ତି,

ମଦନ ଭୟ ସେହୁ ନ ଜାଣନ୍ତି ।୨୬।

X       X       X

ଶୁଣ ଏବେ ତାର ଜଘନ ଉରୁ,

ସ୍ୱର୍ଣ୍ଣର ବିପରୀତ ରମ୍ଭାତରୁ ।

ବିଧାତା ନୂତନ କରି ରୂପିଛି,

ଲୋକ ମନରେ ବିସ୍ମୟ କରିଛି ।

ବିବା ଗଜପତି,

କର ଦେଇଗଲା ସେ ଶଚୀପତି ।୩୧।

X      X      X

 

ଭାବ ବର୍ଣ୍ଣନା

ଦିନେ ଦେଖିଲି ଯେ କୁଚର ଶୋଭା,

ବୋଇଲି ଧନ ଏ ପାଚିଲା ଟଭା ।

ଆଜ ମୋତେ ସ୍ମର ଜର କରିଛି,

ପାଚିଲା ଟଭାରେ ମୋ ମନ ଅଛି ।

ତୁ ବୋଇଲୁ ହସି,

ରତି ପଥ ବେଳେ ମୁଁ ଦେବି ବସି ।୪୫|

X      X      X

ଜୃମ୍ଭା ମାରି ଭୁଜ ଟେକିବା ବେଳେ

ତୋ ବକ୍ଷ ଆସି ପଡ଼ିଲା ମୋ ଡୋଳେ ।

ମଣିଲି ମାର କାଣ୍ଡିଆ ରଖିଛି

ଯୁବା ଲୋଚନ ପକ୍ଷୀ ଧରିଅଛି ।

ଲାଗିଛି ଚନ୍ଦନ,

ଅଶ୍ଵତ୍‍ଥ କ୍ଷୀର ଲିପିଛି ମଦନ ।୪୮।

X      X      X

ଗ୍ରୀଷ୍ମ ସମୟରେ ତୋ ବେନି ସ୍ତନ

କି ଅବା ପନୀର ଚନ୍ଦ୍ର ଚନ୍ଦନ ।

ଏବେ ତ ସହି ନୁହଁଇ ତପନ,

ବରଷା କାଳେ ଶାଲର ସମାନ ।

ଶୁଣ ପ୍ରାଣଧନ,

ତୋ କୁଚରେ ଅଛି ଏ କଥାମାନ ।୫୬।

X      X      X

ଉରଜେ ନଖ କ୍ଷତ ଦେଲି ଦିନେ,

ସେ ଶୋଭା ଚାହି ବିଚାରିଲି ମନେ ।

ବୋଇଲି ତୋ କୁଚ ନିଶ୍ଚେ ଶଙ୍କର,

ହାର ବ୍ୟାଜରେ ବହେ ଗଙ୍ଗାଧାର ।

ଏ କ୍ଷତ ଛଦ୍ମରେ,

ଦେଖ ଚନ୍ଦ୍ର ଅଛି ଶିର-ସଦ୍ମରେ ।୫୬।

 

କବି ଏହିପରି ନାନା ଚାତୁରୀରେ ବିମଣ୍ଡିତ କରି କାନ୍ତାଙ୍ଗ ବର୍ଣ୍ଣନା କରି ଅଛନ୍ତି ।

 

ଗୌରମୁଗ୍‍ଧବନିତାବରାଙ୍ଗକେ

ରେଜୁରୁତ୍‍ଥୁତ ତନୁରୁହାଙ୍କୁରା ।

ତର୍ପଣାୟ ମଦନସ୍ୟ ବେଧସା

ସ୍ୱର୍ଣ୍ଣ ଶୁକ୍ତି ନିହିତାସ୍ତିଳା ଇବ ।।

 

କବି ଠିକ୍ ଓଡ଼ିଆରେ ଏହିପରି ଅନବଦ୍ୟ ଭଙ୍ଗୀରେ ନାୟିକା-ବରାଙ୍ଗ ବର୍ଣ୍ଣନା କରି ଅଛନ୍ତି-। ଭାରତୀୟ କାବ୍ୟ ପରମ୍ପରାରେ ସାଧାରଣତଃ ଏତତ୍ତୁଲ୍ୟ ବର୍ଣ୍ଣନା ଅଚଳ ବିବେଚିତ ହେଉ ନ ଥିଲା । ଧର୍ମ-ଅବିରୁଦ୍ଧ କାମ ଶ୍ରେୟଃ ଥିଲା ।

 

କବିଙ୍କ ଶହେ ପଦଆର ଶହେଟି ଯାକ ପଦ ଓଡ଼ିଆ ସାହିତ୍ୟର ଅତୀବ ଅମୂଲ୍ୟ ସମ୍ପଦ । ବିଦଗ୍‍ଧ ଜନଙ୍କ ପରମ ଉପଭୋଗ୍ୟ ସାମଗ୍ରୀ ।

 

କବି ଭାରତ

“ଭାରତ କବି” ଏପର୍ଯ୍ୟନ୍ତ ମଧ୍ୟ ଅପରିଚିତ । ସେ ତାଙ୍କ ଷାଠିଏ ପଦିଆ ଗୀତରେ ଅନୁପ୍ରାସ ଓ ଶୃଙ୍ଖଳାର ଅପୂର୍ବ ବିଳାସ ପ୍ରଦର୍ଶନ କରି ମଥୁରା ପ୍ରୟାତ ଶ୍ରୀକୃଷ୍ଣଙ୍କର ରାଧାନୁଚିନ୍ତା ବର୍ଣ୍ଣନା କରିଅଛନ୍ତି । ସେ କବିସମ୍ରାଟଙ୍କ ପୂର୍ବବର୍ତ୍ତୀ ବା ସମସାମୟିକ ହେବାର ପ୍ରମାଣ ତାଙ୍କ ଭାଷା ଓ ଅନୁପ୍ରାସ ଓ ଶୃଙ୍ଖଳା ଅଳଙ୍କାରର ଘଟା । ଏହାଙ୍କ ରଚନା ଦେଖିଲେ ଏହାଙ୍କ ଉର୍ଜ୍ଜସ୍ଵଳ ପ୍ରତିଭା ଅବିସମ୍ବାଦିତ ବୋଲି ପ୍ରତିଭାତ ହୁଏ । ମୁଁ ନିମ୍ନରେ ତାଙ୍କ କବିତା ମଧ୍ୟରୁ କେତୋଟି ହୃଦୟହାରୀ ନମୁନା ଦେଉଅଛି ।

 

ଭାବବର୍ଣ୍ଣନା-

ଅନୁପ୍ରାସ ଲକ୍ଷ୍ୟ କରନ୍ତୁ-

ଲୋଟିଲା ଚରମ କବରୀ ଭାର,

ଘୋଟିଲା ସ୍ୱେଦ ସକଳ ଶରୀର ।

ତୁଟିଲା ଉରଜ ମୁକୁତା ହାର,

ଲୁଟିଲା ମଦନ ରସ ଭଣ୍ଡାର ।

ଛୁଟିଲା ବିହାର ।

ଫୁଟିଲା ତେତେବେଳେ ରାମାବର ।୨।

X      X      X

ଦେଖ ଏ କାଳେ ଘୋର ବରଷାରେ,

ଜଳ ବହୁଳ ହୋଇବ ରସାରେ ।

ଆପ ପ୍ରବଳ ହୋଇବ କାସାରେ,

ମଣ୍ଡିବେ ନଭ-ସକଳ ଆଶାରେ ।

ମୋହରି ଆଶାରେ ।

ନିରେଖିବ ସେ ସକଳ ଆଶାରେ ।୨୩।

ନିରତେ ମତ୍ତ ମଣ୍ଡୁକ ରଟିବ,

ଘୋର ତିମିର ଜଗତେ ଘୋଟିବ ।

ସଉଦାମିନୀ ଘନେ ଚହଟିବ,

ଧନ ମୋବିନୁ ଅବନୀ ଲୋଟିବ ।

ହୃଦୟ ଫାଟିବ ।

ପାପୀ ଅତନୁ ତା ତନୁ କାଟିବ ।୨୪।

X      X      X

ସହଜେ ମୁଁ ମୂର୍ଖପଣେ ହୁଡ଼ିଲି,

ଜାଣୁ ଜାଣୁ କାମ-ଜଳେ ବୁଡ଼ିଲି ।

ପ୍ରିୟ ଯୁବତୀର ସଙ୍ଗ ଛାଡ଼ିଲି,

କାମଶରକୁ ଶରୀର ଆଡ଼ିଲି ।

କୋହରେ ପଡ଼ିଲି ।

ବୃଥା ଏ କାଳେ ଏଠାରେ ସଢ଼ିଲି । ୨।

XXX

ଏହି ବରଷା ଅନ୍ତେ ଶରଦରେ,

ଗଗନ ଶୂନ୍ୟ ହୋଏ ନୀରଦରେ ।

ସଉଧ ପୁର ଚାନ୍ଦନୀ ଉପରେ,

ଧନୀକି ଲମ୍ବାଇ ଥାଇ ହୃଦରେ ।

ଆରକ୍ତ ପାଦରେ ।

ଲେଖୁଥାଇ ଲାକ୍ଷୀ ଅତି ଆଦରେ ।୩୧।

X      X      X

ଶୃଙ୍ଖଳା ଲକ୍ଷ୍ୟ କରନ୍ତୁ –

ସ୍ମରଣା କରିଣ ତାର ପୀରତି,

ରତିପତିରେ ହେଲି ତ କରତି ।

ରତରେ ତାର ମୁଁ ଥାଇ ବରତି,      

ରତି କୁଶଳା ମୋତି ପନ୍ତି ଦନ୍ତୀ

ଦନ୍ତିପତି ଗତି ।

ଗତି ବଚନା ମୋର ପ୍ରିୟବତୀ ।୪୨।

X      X      X

କରକଦନ୍ତୀ ମୋର ବାରବାର,

ବାରତା ଖୋଜୁଥିବ ନିରନ୍ତର ।

ତରଳ ହେବନି ହୃଦ ଭିତର,

ତରସ୍ତ ଲଭି ଭଜିବ କାତର ।

ତରଣୀ ମୋହର ।

ହର-ଅରାତି-ଜଳେ ରାମାବର ।୪୫।

ବରବର୍ଣ୍ଣନା ଆହା ପ୍ରାଣବନ୍ଧୁ,

ବନ୍ଧୁକଧାରୀ କରୁଣାର ସିନ୍ଧୁ ।

ସିନ୍ଧୁଜା - ଶୋଭନୀ ଅଧରମଧୁ,

ମଧୁପର୍ବତ ଲଭି ହେବି ସାଧୁ ।

ସାଧୁ ମୁଖବିଧି ।

ବିଧୁହାସେ ମୋହି ପାରଇ ବିଧୁ ।

 

ବିଶେଷ ଉଦ୍ଧାର ବାହୁଲ୍ୟ ହେବ । ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାର ଉଭୟ ଦିଗରୁ ଏହି ଷାଠିଏ ପଦିଆ ଗୀତଟି ଅମୁଲ୍ୟ । ହାୟ ! କବି ଭାରତଙ୍କ ତୁଲ୍ୟ ଓଡ଼ିଶାର କେତେ ପ୍ରତିଭାବାନ ପୁରୁଷ ବିସ୍ମୃତିର ଅଥଳ ଗର୍ଭରେ ଲୁଚି ରହି ଅଛନ୍ତି ! ! !

 

କୃଷ୍ଣ ସିଂହ

ଧରାକୋଟ ନରପତି କୃଷ୍ଣ ସିଂହ ମହାଭାରତ ଗ୍ରନ୍ଥର ଅନୁବାଦକ ରୂପେ ପ୍ରସିଦ୍ଧ । ସେ ଯେ ରସାଳ ଶୃଙ୍ଗାରୀ ଗୀତ ଲେଖି ପ୍ରସିଦ୍ଧି ଲାଭ କରିଥିଲେ, ଏହା ଏଯାବତ୍ ଅଜ୍ଞାତ ଥିଲା । ତାଙ୍କ ଛପନ ପଦିଆ ପୂର୍ବୋକ୍ତ ଦୁଇ କବିଙ୍କ କୃତି ପରି ମନୋହାରୀ । କୃଷ୍ଣ ସିଂହ କବିସମ୍ରାଟଙ୍କ ପରବର୍ତ୍ତୀ କବି । ନିମ୍ନ ଉଦ୍ଧୃତିଗୁଡ଼ିକ ମନନ ଯୋଗ୍ୟ ।

 

ରୂପବର୍ଣ୍ଣନା

ଅଳକା ନୋହେ ସେ ଭ୍ରମରପନ୍ତି,

ମୁଖ କମଳେ ତୋର ବସିଛନ୍ତି ।

କମ୍ପିବା ବ୍ୟାଜେ କି କମ୍ପାଇ ଡେଣା,

ପିଅନ୍ତି ମଧୁ ବୁଦ୍ଧି କରି ବଣା ।

ତୋ ମୁଖକୁ ଚାହିଁ ।

ବିଚାରୁ ଥାଏ ଏହି କଥା ମୁହିଁ ।୨।

ଘେନି ଥାଉଁ ଯାହା ସିନ୍ଦୁର ବିନ୍ଦୁ,

ନବ ତରଣିକି ବହିଛି ଇନ୍ଦୁ ।

କାଟିଥାଉ ନାନା ରଙ୍ଗରେ ଚିତା,

କେତେ ମୋ ବୁଦ୍ଧି କିସ କହିବି ତା ।

କସ୍ତୁରୀ ଚନ୍ଦନ ।

କାମର ଭାଲି ପରାୟେ ସେ ଘେନ ।୮।

ଭୁଲାଇ ସବୁରି ମାନଙ୍କୁ ଦେଇ,

ଭ୍ରୂଲତା ତୋର ଏପରି ଦିଶଇ ।

ମଦନ ଅବା ଧନୁ ଅଛି ଥୋଇ,

କଜ୍ଜଳ ଗୁଣ ତହିଁରେ ଚଢ଼ାଇ ।

ନେତ୍ର ଶର ତହିଁ ।

ଯୋଖିଲେ ସଂସାର ଦେବ ସେ ଦହି ।୯।

X       X       X

ଆହା କି ସୁନ୍ଦର ତୋ ଦନ୍ତ ଜାତୀ,

କୁନ୍ଦେ ବସାଇଛି କି ହୀରାପନ୍ତି ।

ଅଳପ ତହିଁ କଲେ ହସବାସ

ଅରୁଣ ଅଧର ଲଭିବ ତୋଷ ।

ସୁଧା ସ୍ନାହାନକୁ

କରଇ ଯେମନ୍ତ ଆସେ ମନକୁ ।୨।

X      X      X

ଭୁଜକୁ ତୋର ତ ଉପମା ନାହିଁ,

ମୃଣାଳ ଛାର ବୋଲି ନ ଯୋଗାଇ ।

କରିକର ସେହୁ ଅବା ବୋଲନ୍ତି,

କରୀ ତ ଚରଣେ ଶରଣ ନିତି ।

ନିଶ୍ଚେ ଚମ୍ପାମାଳା ।

ନୋହିଲେ କାହିଁକି ମୋ ଗଳାମାଳ ।୧୪।

ତୋ କୁଚ ସମାନ ନୋହିଣ କୁମ୍ଭ,

ବୁଡ଼ି ମରୁଥାଏ ପଶିଣ ଅମ୍ଭ ।

ତାଳ ବର୍ତ୍ତୁଳ ସଞ୍ଜ ଘଞ୍ଚ ସ୍ତନା,

ବୋଲିବାକୁ ଏମାନ ଅଛି ସିନା ।

ଯେ ମେରୁ ଗରିବ ।

ଭାଙ୍ଗିଛି ତାକୁ ସେ ସମାନ ହେବ ।୧୫।

 

ଭାବବର୍ଣ୍ଣନା

ତାହା ଜାଣି ମୁଁ ବିପରୀତ ଗୋରି !

ମାଗିଲି ନାହିଁ ନ ପାରିଲୁ କରି ।

ଆରମ୍ଭ କରନ୍ତେ ମୋ ପରି ରତି,

ନାଚିଲା ନାସାପୁଟେ ଗଜ ମୋତି ।

କିଙ୍କିଣୀ ବାଜିଲା ।

କାମ କି ମୃଦଙ୍ଗ ବାଦ୍ୟ ଟିପିଲା ।୩୭।

ତା ଦେଖି ତୋ ବେଣୀ ଅତି ହୃଷ୍ଟରେ,

ଖେଳିଲା ତୋହର ପୃଷ୍ଠ ଦେଶରେ ।

କାମ ଦିଗବିଜେ କରିବାପାଇଁ,

ନୀଳ ପତାକା କି ଅଛି ଉଡ଼ାଇ ।

ମୁଁ ଏହା ଜାଣଇ ।

ଏଥିରୁ ଆନ ସେ କେବେ ନୁହଁଇ ।୩।

X      X      X

ପୁରାଣକାର କୃଷ୍ଣ ସିଂହଙ୍କ ପ୍ରତିଭାର ଏ ସୌକୁମାର୍ଯ୍ୟ ଅନୁଧ୍ୟାନ ଯୋଗ୍ୟ ।

 

ବାମଦେବ ପଟ୍ଟନାୟକ

ବାମଦେବ ପଟ୍ଟନାୟକ ଓଡ଼ିଆ ସାହିତ୍ୟ ରାଜ୍ୟରେ ଏ ପର୍ଯ୍ୟନ୍ତ ଅଜ୍ଞାତ ଅଛନ୍ତି । ଏହି ଛପନ ପଦିଆ ଗୀତଟି ବ୍ୟତୀତ ତାଙ୍କର ଅନ୍ୟ କୌଣସି କୃତି ଏପର୍ଯ୍ୟନ୍ତ ଆବିଷ୍କୃତ ହୋଇନାହିଁ । ତଥାପି ଏ ଗୀତର ରସପୂରତା ଏତେ ପୂର୍ଣ୍ଣାଙ୍ଗ ଯେ ସେ କେବଳ ଏହି ଗୀତଟି ଘେନି ଅମରତ୍ ଅର୍ଜନ କରି ପାରିବେ ।

 

ତାଙ୍କ ଛପନ ପଦିଆର ନିମ୍ନୋବୃତ ଅଂଶ ଅନୁଧାନ ଯୋଗ୍ୟ ।

 

ରୂପବର୍ଣ୍ଣନା-

ଚନ୍ଦ୍ରମା କିରଣ ସହିବ କାହିଁ,

ଚନ୍ଦ୍ରମା ଚନ୍ଦନ ରୁଚିବ ନାହିଁ ।

କୁସୁମ ମାଳାକୁ ମଣିବ ଗରୁ,

ଫଣୀ ବୋଲି ଅବା ଡରୁ ନ ଡରୁ ।

ମୋ ଜୀବନ ଧନ ।

କେମନ୍ତେ ହୋଇ ବଞ୍ଚୁଥିବ ଦିନ ।

ଲୋଟଣୀ ଜୁଡ଼ା ଦିଶଇ କି ଶୋଭା,

ଆଡ଼ ଖୋସିକି ଜାଈଫୁଲ ଗଭା ।

ସିନ୍ଦୁର ଟୋପିକି ଚନ୍ଦନ ବିନ୍ଦୁ,

ଉଧରି ଧରଇ ବଦନ ଇନ୍ଦୁ

ରେ ପରାଣ ବନ୍ଧୁ ।

କିପରି ମୁଚ୍ଛିବି କରୁଣାସିନ୍ଧୁ ।

ଏମନ୍ତ ବର୍ଜୂଳ ପୃଥୁଳ କୁଚ

ଏକା ପୃଥୁଳ କି କଠିନ ଉଚ୍ଚ ।

ଉଚ୍ଚ ହୋଇଲେ ନ ଛାଡ଼ଇ ସନ୍ଧି,

ଚାହିଁବା ମାତ୍ରକେ ମନକୁ ବାନ୍ଧି ।

ନ ଛାଡ଼ଇ ଯହିଁ ।

ରୋମାବଳୀ ଜନ୍ମ ନିକଟ ତହିଁ ।୪।

ଦେହ ତ ସହଜେ ଅମୁଲ୍ୟ ଗୋରା,

କୋମଳ ବୋଇଲେ ଶିରୀଶ ପରା ।

ଶେଯ ସେବତୀ ନ ସହଇ ଯହିଁ,

ତେଡ଼େ ଭୁଜଭିଡ଼ା ସହିବ କାହିଁ ।

ବାବୁ କାମକାଣ୍ଡ ।

କେତେବେଳେ କରେ କି ଲଣ୍ଡଭଣ୍ଡ ।୫।

ଅଧର ଜ୍ୟୋତିକି ବଧୂଲୀ ପରା,

ତାମ୍ବୁଳ ବୋଳରେ ଅଧିକେ ତୋରା ।

ତହିଁ ପୁଣି ଥାଇ ଅଳପ ହସ,

କାହା ବିନେଟ ନ କରିବା ନାଶ ।

ତା ନୟନ ଭଙ୍ଗୀ ।

ଲେଶ ନ ପାଇବେ ଝାଡ଼େ କୁରଙ୍ଗୀ ।

 

ଭାବବର୍ଣ୍ଣନା-

କହିଲେ ନିକି ସରିବ ସେ ମାନ,

ଘୋର ବରଷା କାଳେ ଯେଉଁ ଦିନ ।

ସୂରତ ଶ୍ରମଝାଳେ ଓଦା ତନୁ,

ଫିଟେ କବରୀ ଫଟିଗଲା (କ୍ଲାନ୍ତହେଲା) ତନୁ

ମୁଁ ବୋଇଲି ସଖି !

ଶତ୍ରୁକୁ ନ ସାଧି ନୋହିଲେ ଦୁଃଖୀ ।୨୭।

ଏଡ଼େ ଅସ୍ତବ୍ୟସ୍ତ ନୋହନ୍ତୁ ଯେବେ,

ଅମାର ଶତ୍ରୁ ମାରିବାକି ତେବେ

ପଳାଇଲା ପ୍ରିୟେ ପକାଇ ଧନୁ,

ତେଣୁଟି ତୋତେ ବୋଲଇ ତୋବିନୁ

ନାହିଁ ଆନ ଗତି

ମାର ମାରଣକୁ ତୋହର ରତି ।୨୮।

X      X      X

ଦିନେ ଯେ ଭାବରେ ଦର୍ପଣ ଘେନି,

ଭାବିନି ! ପାଶେ ଥିଲୁ ମୋତେ ଘେନି

ବୋଇଲି ଦେଖ ଏ ଦର୍ପଣ ଗୁଣ,

ବାମ ଭାଗୁ ମୋତେ କଲା ଡାହାଣ

ମୁଁ କୁଚ ଧଇଲି

କେଉଁ କୁଚେ କେଉଁ କର ବୋଇଲି ।୩୩।

X      X      X

ଜଳ ପାନ କରି କହିଲୁ ମତେ,

ସେଦିନ କଥା ହି ଥିଲା ଏ ଚିତ୍ତେ

ବୋଇଲି ବନ୍ଧୁ ! ତୁ ପ୍ରୀତିପାସୋରା,

ତୋ କଥା ମୋ ହୃଦେ ପାଷାଣ ଗିରା

ପାସୋରିବି କାହୁଁ

ବୋଇଲି ମିଛେ ହେଁ ନ କହୁ କହୁ ।୫୨।

ପ୍ରତ୍ୟକ୍ଷ କରି ନ ପାରିବି ପରା,

ମୋ ହୃଦେ ନ ଥିବ ତୁମ୍ଭରି ଗିରା ।

କୁଚ ଉପରେ ଲଗାଇ ଯେ କର,

ଚିହ୍ନାଇ ଦେଲୁ ଯେ କରଜ ଗାର ।

ମୁଁ ବୋଇଲି ସଖି !

ଭିତର ଗାର ବି ବାହାର ଯୋଖି ।୫୩।

 

କୃପାସିନ୍ଧୁ ସୁମନ୍ତ

କୃପାସିନ୍ଧୁ ସୁମନ୍ତ ମଧ୍ୟ ଓଡ଼ିଆ ସାହିତ୍ୟରେ ଏପର୍ଯ୍ୟନ୍ତ ଅପରିଚିତ । ତାଙ୍କର କୃଷ୍ଣବିଳାସ ବୋଲି କାବ୍ୟ ଅପ୍ରକାଶିତ ରହିଛି ବୋଲି ପ୍ରସିଦ୍ଧି ରହିଛି । ବହୁ ବର୍ଷ ତଳେ ମୁଁ ଚଉତିଶା ମଧୁଚକ୍ର ଗ୍ରନ୍ଥର ପଞ୍ଚମ ଭାଗରେ ତାଙ୍କ ରଚିତ ସାରଙ୍ଗ ଦୂତ ଚଉତିଶା ଓ ଉଦ୍ଧବ ଚଉତିଶା ପ୍ରକାଶ କରିଥିଲି-। ସାରଙ୍ଗଦୃତ ଚଉତିଶା ଯମକର ମନୋଜ ସମାବେଶରେ ବିମଣ୍ଡିତ । ବର୍ତ୍ତମାନ ଆଲୋଚ୍ୟ ତାଙ୍କ ଛପନ ପଦିଆ ଗୀତରେ ଯମକର ଘଟା ନାହିଁ, ଉଦ୍ଧବ ଚଉତିଶାରେ ମଧ୍ୟ ନାହିଁ । ତେଣୁ ଏ ଦୁଇ ଗୀତ ତାଙ୍କ ପ୍ରାଥମିକ ଲେଖା ହୋଇଥିବାର ସମ୍ଭବ । କୃପାସିନ୍ଧୁ ତାଙ୍କ ଛପନପଦିଆରେ ଛପନ ପଦିଆ କବିତାର ଅନ୍ୟାନ୍ୟ କବିମାନଙ୍କ ପରି ହୃଦୟହାରୀ ରସିକତା ପ୍ରକଟିତ କରିଅଛନ୍ତି । ତାଙ୍କ ସାରଙ୍ଗଦୃତ ଚଉତିଶା ଓ ଏ ଛପନ ପଦିଆକୁ -- ବିଚାର କଲେ ଦେଖାଯାଏ ଯେ ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାର ଉଭୟର ପ୍ରୟୋଗରେ ସେ ଦକ୍ଷହସ୍ତ । ସେ ସପ୍ତଦଶ ଶତାବ୍ଦୀର କବି ବୋଲି ତାଙ୍କ ଭାଷାରୁ ଉପଲବ୍‍ଧି କରିହୁଏ ତାଙ୍କ ଛପନ ପଦିଆ କବିତାରୁ କେତେକ ନମୁନା ନିମ୍ନରେ ପ୍ରଦାନ କରୁଅଛି ।

 

ଭାବବର୍ଣ୍ଣନା-

ଦିନେ ଗିରିଶିର ଉପରେ ଘନ,

ଘୋଟନ୍ତେ ରହିଲା କରି ଆଚ୍ଛନ୍ନ ।

ତାହା ଦେଖି ବନ୍ଧୁ ମୋତେ ଅନାଇଁ,

ବୋଇଲା ଯେ ମନ୍ଦ ହସିଲା ହୋଇ ।

ଦେଖ ମହୀଧର

କଳା କାଞ୍ଚଲାରେ ଦିଶେ ସୁନ୍ଦର ।୪।

ଏଥିକି ମୁଁ ଯାହା ବୋଇଲି, ଧନ,

ତହିଁକି କହିଲୁ ଯେଉଁ ବଚନ ।

ସେହି ବଚନକୁ କରି ଅମୃତ,

ସମ ହୋଇବରେ ପରାଣମିତ ।

ସେ ଭାଷା ଚାତୁରୀ

ଭାଗ୍ୟ ହେଲେ ସିନା ତା ବୁଝିପାରି ।୫।

X      X      X

ଶୁଣି ବୋଇଲିରେ ଜୀବନଧନ,

ଆଜ୍ଞାତ ତୋହର ନୋହିବ ଆନ ।

ଏ ଦୋଷକୁ ଦେଉ ଦଣ୍ଡ ଉଚିତ ।

ଯାହା ମୋହଠାରେ ବିହ ତୁରିତ ।

ରେ ବାମଲୋଚନା

ତୋର ଦଣ୍ଡ ମୋର ମଣ୍ଡନ ସିନା ।୧୦।

ବାନ୍ଧିରଖ ବେନି ବାହୁପାଶରେ,

ନୋହିଲେ ବୁଡା ତୋ ରସକୂପରେ ।

ହୃଦୟରେ ଲିଦ କୁଚ ପର୍ବତ,

ନଖ ଦଶନେ ତନୁ କର କ୍ଷତ ।

ଭୁରୁ କୋଦଣ୍ଡରେ

କଟାକ୍ଷ କାଣ୍ଡ ଯୋଚି ବିନ୍ଧ ଧୀରେ ।୧୧।

ମଝି-କେଶରୀ ଆଗେ ଦିଅ ମୋତେ,

କରତି ପକାଅ ନଖ କରତେ

ଚାରୁ-ଚନ୍ଦ୍ର ହାସ-ଚନ୍ଦ୍ରହାସରେ,

ଚୋଟ କରି ରଖ ହୃଦଭାଗରେ ।

ଦଣ୍ଡିବା ପ୍ରକାର

କହିଲି ଯାହା ଇଚ୍ଛା ତାହା କର ।୧୨।

x       x       x

ସରୋବରେ ଦିନେ ସ୍ନାହାନ ସାରି,

କୁଳରେ ଉଭା ହୋଇଥିଲୁ ଗୋରି ।

ଲାଗି ଯାଇଥିଲା ଝୀନ ବସନ,

ଫୁଟି ଦିଶୁଥିଲା ସ୍ତନ ଜଘନ ।

ଶ୍ରୀମୁଖ ଚାହିଁଲି

ଅଙ୍ଗ ନ ପୋଛ ଦେଖିବା ବୋଇଲି ।୪୩।

ଏହା ଶୁଣି ନବବୟସି ! ବେଗେ,

ଗଲୁ ଲୁଚି ସଖୀମାନଙ୍କ ସଙ୍ଗେ ।

ନକ୍ଷତ୍ରଗଣ ମଧ୍ୟେ ଚନ୍ଦ୍ର ପ୍ରାୟ,

ବସିଲୁ ଅତିଶୟ ଶୋଭାମୟ ।

ବୋଇଲି ଜୀବନ

ତହିଁକି କରି ଦେଉ ଦରଶନ ।୪୪।

X      X      X

ବୋଲିବି ବଡ଼ ତୁ ମୋ କାମଧେନୁ,

ପଶୁରେ ସିନା ତା ଲେଖା ସୁତନୁ ।

ଯେବେ ବୋଲିବି ରେ କଳପଲତା,

ସେହି ଅଚେତନ ସିନା ଗଣିତା ।

ହୃଦ-ଚିନ୍ତାମଣି

ବୋଲିବି କେମନ୍ତେ ପଥରେ ଗଣି ।୫୪।

ଯେବେ ଖୋଲିବି ତୁ ମୋର ନୟନ,

ଅନ୍ଧ ହୋଇଲେ ଜୀଇଁନାହିଁ ଧନ ।

ଏ ଘେନି ଏ ଉଚିତ ନୋହିଲା,

ଆଉ ଉପମା କିଛି ନ ଦିଶିଲା ।

ତୁ ଜୀବନ ମୋର

ଏହି କଥା ଏଥୁ ଦିଶିଲା ସାର ।୫୪।

 

ଏହା ପରେ ତାଙ୍କ ଯମକମଣ୍ଡିତ ସାରଙ୍ଗ ଦୂତ ଚଉତିଶାର କେତେକ ପଦ ନିମ୍ନରେ ଉଦ୍ଧାର କରି ଦେଉଅଛି ।

 

କହିବ ସାରଙ୍ଗ ସାରଙ୍ଗ ସାରଙ୍ଗ

ସାରଙ୍ଗ ନୟନା ଛାମୁରେ

କୁସୁମ କାଣ୍ଡ କାଣ୍ଡ କାଣ୍ଡ ଦାଣ୍ଡରେ

ଗୋପୀଙ୍କି ଦେଲେ କି ଦୋଷରେ

ହଂସ ହେ

କରିଣ କରୁଣା ଆମ୍ଭରେ

କୋଳେ କରି ହରି ହରି ହରିଙ୍କି

ଏ କଥା ପଚାରିବ ଧୀରେ ।୧।

ଗୋପ ରଜନି ରଜନୀ ଦିବା ଦିବାକର

ବନ୍ଧୁ ପାଦେ ସେବିଲୁ

ଗୋକୁଳ ପାଳ ଗୋକୁଳ ପାଳ ପାଳ

ନରେନ୍ଦ୍ର ପଦ ତୁକ୍ଷ କଲୁ

ହଂସ ହେ

ଗୋବିନ୍ଦ ବୋଲୁଥାନ୍ତି ଧୀରେ

ଗୁନ୍ଥରେ ସୁମନା ସୁମନା ସୁମନା

ସୁମନାମଣ୍ଡନା ସ୍ନେହରେ ।

 

ଏହି ପ୍ରତିଭାଶାଳୀ କବିଙ୍କ କୃଷ୍ଣବିଳାସ କାବ୍ୟକୁ ଅନୁସନ୍ଧାନ ଦ୍ୱାରା ଲୋକଲୋଚନଗୋଚରକୁ ଆଣିବା ପର୍ଯ୍ୟନ୍ତ ଏହାଙ୍କ କାନ୍ତ ପ୍ରତିଭାର ପୂର୍ଣ୍ଣ ପରିଚୟ ମିଳିପାରିବ ନାହିଁ ।

 

ବ୍ରଜସୁନ୍ଦର ପଟ୍ଟନାୟକ

ବ୍ରଜସୁନ୍ଦର ପଟ୍ଟନାୟକ ଓଡ଼ିଶାର କବିସମାଜରେ ଏପର୍ଯ୍ୟନ୍ତ ଅଜ୍ଞାତ ଥିଲେ । କିନ୍ତୁ ଅ-ଆଦ୍ୟନିୟମରେ ତାଙ୍କ ରଚିତ ଏ ଛପନ ପଦିଆ କବିଙ୍କୁ ଅମରତ୍ୱ ଦେବାଭଳି ଗୋଟିଏ କୃତି । ଭାଷାରୁ ବୁଝାପଡ଼େ ଯେ ସେ ସପ୍ତଦଶ ଶତାବ୍ଦୀରେ ବାଣୀ ସେବା କରି ଖ୍ୟାତି ଅର୍ଜନ କରିଥିଲେ ।

 

ତାଙ୍କ କବିତାହିଁ ତାଙ୍କ ପରିଚୟ ।

ଅସଦୃଶ ଲୋକ ସଙ୍ଗେ ବିଗ୍ରହ,

ଅଦୋଷୀ ସେବକ ପରେ ନିଗ୍ରହ ।

ଅସୁନ୍ଦର ଏହୁ କଥା ଯୁଗତେ,

ଅନୁସନ୍ଧାନ କରୁ ଅନ୍ତର୍ଗତେ ।୩।

X      X      X

ଅସ୍ମ ପରା କଲା ଶିରୀଷ ଦେହ,

ଅଭାଗ୍ୟକାଳେ ହେମ ହୋଏ ଲୋହ ।୧୫।

ଅହିକି ହେଲେ ପୋଷିଲେ ନ ମାରି,

ଅହିତ ଶରଣ ପଶିଲେ ତାରି

ଅବିବେକ ତ ନୁହଇ ରମ୍ଭୋରୁ,

ଅସାର ସାର ବିବେଚନା କରୁ ।୧୬।

X      X      X

ଅଳକାବତୀର ଶ୍ରୀମୁଖ ଚାହିଁ;

ଅଳକା ସମ୍ପତ୍ତି ଇଚ୍ଛଇ ନାହିଁ ।

ଅଳୀକ ବଚନ ପଦେ ନ କହେ,

ଅଭିମାନ ଏବେ କିପାଇଁ ବହେ ।୨୮।

X       X       X

ଅମ୍ୱୁଦକାଳ ହେଲେ ଜଗତର,

ଆରୋହଣ ମୁଁ କରେ ଜଗତୀର ।

ଆଉଜଇ ଉରେ ଘନ-ସ୍ତନୀ ତ,

ଆକର୍ଣ୍ଣନ କରି ଘନ-ସ୍ତନିତ ।୩୩।

X       X       X

ଅବଲୋକନ କରି ମୋତେ ଧନ,

ଅଣୁ ପରି ମଣେ ସ୍ଵର୍ଗ ଭୁବନ

ଅତୃପ୍ତ ହୋଇ ବୋଲଇ ସୁତନୁ,

ଅକ୍ଷିମୟ କିମ୍ପା ନୋହିଲା ତନୁ ।୪୭।

X      X      X

ଅଜଙ୍କ ପ୍ରଣୟ ଯେବେ ମୁଁ କହେ,

ଆର୍ଦ୍ର କଣ୍ଠେ କହେ କି ଅଧିକ ହେ

ଅମର ପୁରକୁ ଗଲେ ମହିଳା,

ଆଠ ବରଷତ ପ୍ରାଣ ରହିଲା ।୪୯।

ଅରୁଣ ହୋଇଲା ବଦନ ବିଧୁ,

ଅମଧୁର ହେଲା ବଚନ ମଧୁ

ଅଭୁତପୂର୍ୱ ଏ ଚରିତ ଦେଖି,

ଅତିଶୟ ମନ ହେଉଛି ଦୁଃଖୀ ।୫୦।

X      X      X

ଅଶନିପାତ କି କୀଶ ସହିବ,

ଅସିଘାତରେ କି ଶୁକ ଜୀଇବ

ଅବଶ୍ୟ ବୋଲିବି ଏତେ ମାତର,

ଅସୂୟାକୁ ତାର ମୁଁ କି ପାତର ।୫୧।

ଇତ୍ୟାଦି

 

ଛପନ ପଦିଆ ଗୀତ ବ୍ୟତୀତ କବି ବ୍ରଜସୁନ୍ଦରଙ୍କର ଏ ପୋଥିରେ ଆହୁରି ଦୁଇଗୋଟି ମନୋହର ଗୀତ ରହିଅଛି । ଗୋଟିଏ ଅନୁଚିନ୍ତାକୁ କବି ଦୁଇଗୋଟି ଚଉତିଶାର ସମ୍ମିଶ୍ରଣରେ ଲେଖିଅଛନ୍ତି । ପ୍ରଥମ ଚଉତିଶାଟି କ୍ଷଠାରୁ କ ନିୟମରେ ଲିଖିତ ଓ ଦ୍ୱିତୀୟ ଚଉତିଶାଟି କ ଠାରୁ କ୍ଷ ନିୟମରେ ଲିଖିତ । ଏ ରୀତିର ଲେଖା ଅନ୍ୟ କୌଣସି ଓଡ଼ିଆ କବିଙ୍କ କୃତିରେ ଥିବାର ଏପର୍ଯ୍ୟନ୍ତ ଆବିଷ୍କାର କରାଯାଇ ନାହିଁ । ନିମ୍ନରେ ଏହି ଯୁଗ୍ମ ଚଉତିଶାରୁ କେତେକ ପଦ ଉଦ୍ଧାର କରି ଦିଆ ଯାଉଛି ।

 

ଫଳାଇ ଗଛମୂଳେ ଦେଇ ପାଣି,

ପୁଣି ତାହାକୁ କି ପକାଇ ହାଣି ।

ନିଳୟ ତୋଳିବି ଦେଇ ଜଳାଇ,

ଧନକୁ କି କହିବି ବଳିଆଇ ।

ଦଇବ ବଶରେ ।

ଥିତ ହୋଇ ରହିଲି ବିଦେଶରେ ।୩

X      X      X

ଘନଜଘନି ! ତୁ ନବ ମୁକୁତା,

ଗୁନ୍ଥୁ ଯେ କରି ମତେ ପାଟସୂତା ।

ଖେଳରେ ଯେଣୁ କଲୁ ପରିରମ୍ଭ,

କଲୁ ପୁଣି ଏବେ ଏହା ଆରମ୍ଭ ।

କୁନ୍ଦ ଦରହାସି ! !

କାଳଯାକ କି ହେବ ପରବାସୀ ।

X      X      X

ମତ୍ତ ହୋଇ ରତେ କମ୍ପାଉ ଉରୁ,

ଯାଟି ଦେଉ କେତେବେଳେ ରମ୍ଭୋରୁ ।

ରସରେ ପୁଣି ହୃଦୟରେ ଜଡ଼ୁ,

ଲୀଳା ବନ୍ଧୁ ତଳ ତଳପେ ପଡୁ ।

ବୋଲୁ ସରି ସରି ।

ସରିଯିବଟି ନବୀନ କିଶୋରୀ ।

ଇତ୍ୟାଦି

 

କବି ବ୍ରଜସୁନ୍ଦର ତାଙ୍କ ଛପନ ପଦିଆ କବିତାରେ ନିଜର ସ୍ୱଳ୍ପ ପରିଚୟ ଦେଇଅଛନ୍ତି ଯଥା –

 

ଅନଙ୍ଗଭୀମ ଦେବ ନରପତି,

ଅବନୀ ମଣ୍ଡଳେ ବିଦିତ କୀର୍ତ୍ତି ।

ଅଗ୍ରଣୀ କବି ତାଙ୍କ ଶଶଧର,

ଆଖ୍ୟା ଅଟଇ ବରଜ ସୁନ୍ଦର ।

ଅ-ବର୍ଣ୍ଣରେ ଗୀତ ।

ଅବିଘ୍ନ କରି କଲେ ସମାପତି ।

 

୧୭ଶ ଶତାବ୍ଦୀରେ ଏ କବି କେଉଁ ଅନଙ୍ଗଭୀମ ଦେବଙ୍କ କବିମାନଙ୍କ ମଧ୍ୟରେ ‘‘ଅଗ୍ରଣୀ କବିଙ୍କ ଶଶଧର ଥିଲେ ଏଥିପାଇଁ ଖେମଣ୍ଡି (ବଡ଼ ଓ ସାନ) ଓ ପାରଳା ଖେମଣ୍ଡି ରାଜବଂଶର ଇତିହାସରୁ ସନ୍ଧାନ ନେବାକୁ ହେବ ।

 

ବାଲାଜୀ ଶରଣ

କବି ବାଲାଜୀ ଶରଣ ମଧ୍ୟ ଏଯାବତ୍ ଜଣେ ଅଜ୍ଞାତନାମା କବି । ଏହାଙ୍କ କବିତାର ଭାଷା ଦେଖିଲେ ଦୃଢ଼ ପ୍ରତୀତ ହୁଏ ଯେ ଏ ସପ୍ତଦଶ ଶତାବ୍ଦୀର ଅନ୍ୟତମ କବି । ଓଡ଼ିଆ ସାହିତ୍ୟରେ ତାଙ୍କର ଅନ୍ୟ କୌଣସି କୃତି ଥିବାର ପ୍ରମାଣ ଏ ପର୍ଯ୍ୟନ୍ତ ସୁଲଭ ହୋଇ ନାହିଁ । ସେ ତାଙ୍କର ଏହି ଗୀତିକାଟିର ପ୍ରତ୍ୟେକ ପଦର ଶେଷ ଚରଣକୁ ‘‘ହସି ମୋତିମାଳା ପକାଇ ଦେଲା” ବୋଲି ରଖି ଗୀତିକାକୁ ଅପୂର୍ବ ରସବୈଭବ ପ୍ରଦାନ କରିଅଛନ୍ତି । ଏକାଦିକ୍ରମେ ବାରମ୍ବାର ଗାନ କଲେ ମଧ୍ୟ ଏଥିରେ ମାଧୁର୍ଯ୍ୟରେ ହ୍ରାସ ଘଟେ ନାହିଁ ।

 

ତାଙ୍କ ନିଜ ପଂକ୍ତିମାନ ତାଙ୍କ କ୍ରମ ପ୍ରତିଭାର ପରିଚୟ ଦେଉ ।

 

ଦିନେ ଚନ୍ଦ୍ର ଉଦେ ହେବାର ଚାହିଁ

ବୋଇଲି ଚାହାଁରେ ଚନ୍ଦ୍ରମା ମୁହିଁ ।

ପୂର୍ବ ଦନ୍ତିଶୃଙ୍ଗକୁମ୍ଭ ବିଦାରି,

ବାହାର ହୋଇଛି ମତ୍ତକେଶରୀ ।

ରମଣୀ ଚାହିଁଲା ।

ହସି ମୋତିମାଳା ପକାଇଦେଲା ।୧।

X      X      X

ଡାକିଲି ଦିନେ ରେ ନାଗରୀବର,

ସେ ବୋଇଲା ମୋତେ ନାଗରବର ।

ତେବେ ତୋହର କୁଚ-ରତ୍ନସାନୁ,

ଦଶନଘାତ କରିବି ସୁତନୁ ।

ମନେ କି ଘେନିଲା ।

ହସି ମୋତିମାଳା ପକାଇଦେଲା ।୩।

ବୋଇଲି ଦିନେ ରେ ପ୍ରାଣ ସଜନୀ ।

ଉଦରେ ବାନ୍ଧିଅଛୁ ବଳୀ ତିନି ।

ତନ ଦାନକୁ ହୋଇଛି କୁଣ୍ଠିତ,

ଶୁଣି ବୋଇଲା ରତ ନ ମାଗ ତ ।

କି ଚାତୁରୀ ବାଳା ।

ହସି ମୋତିମାଳା ପକାଇ ଦେଲା ।୮।

X      X      X

ମେଘାଚ୍ଛନ୍ନ ଦିନେ ରାତି ପାହିଲା,

ବାସର ପ୍ରସର ଜଣା ନ ଗଲା ।

ସେ କାଳେ ମୁଁ ସ୍ମର ଶର ଆକୁଳେ,

କର ଯୋଡ଼ଇ ବନ୍ଧୁ ଶ୍ରୀଛାମୁରେ ।

ମୋ କଣ୍ଠ କେ ମଳା । ।

ହସି ମୋତିମାଳା ପକାଇଦେଲା ।୧୦।

କହେ ବାଲାଜୀ-ଶରଣ ଏ ରସ,

ପଶାରେ ହାରିଲା ଦିନେ ନାରୀଶ ।

ହୋଡ କରିଥିଲା ପୁରୁଷାୟିତ,

ବୋଇଲି ରେ ବନ୍ଧୁ ! ହାର ଦିଅ ତ ।

ଉତ୍ତମ ବୋଇଲା ।

ହସି ମୋତିମାଳା ପକାଇ ଦେଲା ।୧୬।

ବାଲାଜୀଙ୍କ ଭାବବୈଭବ ଏ ଗୀତରେ ସମ୍ୟକ ବିଳସିତ ।

 

କବିସମ୍ରାଟ ଉପେନ୍ଦ୍ର -

ମୁଁ ବହୁବର୍ଷ ତଳେ ଚଉତିଶା ମଧୂଚକ୍ର ଗ୍ରନ୍ଥର ପଞ୍ଚମ ଭାଗର ପ୍ରଥମ ଗୀତରୂପେ କବିସମ୍ରାଟଙ୍କର ଯେଉଁ ଚିଟାଉ ଚଉତିଶା ପ୍ରକାଶ କରିଥିଲି ତାହାକୁ ଏ ପୋଥିର ଅନ୍ତର୍ଭୁକ୍ତ କରା ଯାଇଅଛି । ପୂର୍ବରୁ ମୁଁ ଲେଖିଅଛି ଯେ ଏହା ଛପନପଦିଆ ନୁହେଁ । ଛପନିପଦିଆ ଗୀତମାନଙ୍କ ସହିତ ଏଥିର ଭାବ ସାମ୍ୟ ଥିବାରୁ ଏହା ଏଥିରେ ଅନ୍ତର୍ଭୁକ୍ତ ହୋଇଅଛି ।

 

ତଥାଚ ଏଥିରୁ କିଛି ଅଂଶ ଏଠାରେ ମଧ୍ୟ ରସାନୁରୋଧରେ ଉଲ୍ଲେଖଯୋଗ୍ୟ-

 

ଧନ ତୁ ଧନ ମୁଁ ନିଧନ ଅତି,

ନ ଘେନିଲେ କେହି ହେବି ତୃପତି ।

ପୂର୍ବେ ପ୍ରସନ୍ନ ହୋଉଥିଲେ ଶିବ,

ଫୁଲସାର ସାକ୍ଷି ! କରୁଣା ହେବ ।

ବାଳା ! ଘେନ ଏତେ ।

ଭଲ ମନ୍ଦ, ମୋର ଲାଗଇ ତୋତେ ।

ମୋତେ ଏହି ସେବା ଦେବୁରେ ସହୀ !

ଯୁବତୀମଣି । ମୋ ମାଗୁଣି ଏହି ।

ରାମା ମୁଁ ପିନ୍ଧାଉଥିବି ବସନ,

ଲଳନା ଭାଙ୍ଗି ଦେଉଥବି ପାନ ।

ବର୍ତ୍ତୁଳ ଉରଜେ ।

ଶ୍ରଦ୍ଧାରେ ଚିତ୍ର ଲେଖୁଥିବି ମୁଁ ଯେ ।

ଷୋଡ଼ଶୀ ! ମୋ ପରେ ପ୍ରଭୁ ହୋଇବୁ,

ଶିରେ ଘେନିବି ଯାହା ଆଜ୍ଞା ଦେବୁ ।

ହରିଣ ନୟନୀ ! ବିବେକୀ ସାର,

କ୍ଷେମେ ଦେବୁ ଏଥୁ ପ୍ରତି-ଉତ୍ତର ।

କ୍ଷିତିଭୂଷା ଏହି ।

କ୍ଷେମେ ଉପେନ୍ଦ୍ର ବୀରବର କହି ।

 

ଭୀମଦେବ

ବାଲାଜୀଶରଣଙ୍କ ପରି ଭୀମଦେବ ମଧ୍ୟ ଆଧୁନିକ ସାରସ୍ୱତ ଓଡ଼ିଶାରେ ପୂର୍ଣ୍ଣ ଅପରିଚିତ-। ଆମ୍ଭମାନଙ୍କର ସାହିତ୍ୟର ଅପ୍ରକାଶିତ ରତ୍ନମାନଙ୍କର ଅନୁସନ୍ଧାନ ଯେ ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ନ ହୋଇଛି ଓ ଓଡ଼ିଶା ଇତିହାସର ଅପୂର୍ଣ୍ଣ ଅଂଶମାନ ପୂର୍ଣ୍ଣ କରା ନ ହୋଇଛି ସେତେଦିନ ପର୍ଯ୍ୟନ୍ତ ଆମ୍ଭମାନଙ୍କୁ ବହୁ ଓଡ଼ିଆ କବିଙ୍କ ପରିଚୟ ଲାଭରୁ ବଞ୍ଚିତ ହେବାକୁ ହେବ ।

 

ଭୀମଦେବ ଜଣେ ରାଜବଂଶୀୟ ବ୍ୟକ୍ତି ହୋଇଥିବାର ବୋଧ ହେଉଅଛି ।

 

ତାଙ୍କର ଏକକ୍ଷୁଦ୍ର ଗୀତ ଏ ପୋଥିର ଅନ୍ତର୍ଭୁକ୍ତ କରାଯାଇଛି କାରଣ ଏ ଗୋଟିଏ ଅନୁଚିତ୍ରମୂଳକ ଗୀତି ।

 

ଏହାର ୩ଟି ଯାକ ପଦର ଶେଷ ଦୁଇ ଚରଣ ଅତୀବ ଭାବୋଦ୍ଦୀପକ ଯଥା-

 

“ଉହୁଁ ଉହୁଁ କଲା,

କୁସୁମା ପିନ୍ଧା ଶାଢ଼ୀ ମୁଖେ ଦେଲା ।”

ନିମ୍ନଲିଖିତ କେତୋଟି ପଦ ମନନ ଯୋଗ୍ୟ-

ଅଧୋମୁଖ ଯହୁଁ ହୋଇଲା ବାଳା,

ଥକିତ ନୋହଇ ନୟନ ଡୋଳା

ମଦନ ପଞ୍ଚଶରେ ମତ୍ତ ହେଲି,

ଗଣ୍ଡେ ଚୁମ୍ବ ଦେବି ଧନ ବୋଇଲି ।

ଉହୁଁ ଉହୁଁ କଲା ।

କୁସୁମା ପିନ୍ଧା ଶାଢ଼ୀ ମୁଖେ ଦେଲା ।୨।

X      X      X

ବସନ ଉହାଡ଼େ ଦନ୍ତ ଭିଡ଼ିଲା

ମାଣିକ୍ୟ ଆଭା ପ୍ରାୟ ଆଭାସିଲା ।

ଚନ୍ଦ୍ରମା ମୁଖରେ ହାସ ପ୍ରକାଶ,

ଅଧର ପାନକୁ ହେଲି ପ୍ରବେଶ ।

ଉହୁଁ ଉହୁଁ କଲା ।

କୁସୁମା ପିନ୍ଧା ଶାଢ଼ୀ ମୁଖେ ଦେଲା ।୩।

X      X      X

ନାସିକା ପୂଡ଼ା ଫୁଲାଇ ଚାହିଁଲା,

କି ବିପରୀତ ଏ ବୋଲି କହିଲା ।

ଭୀମଦେବର ଉତ୍ସାହ ଜାଣିଲା,

ବନ୍ଧୁ ମୋ ତିନି ପହଣ୍ଡ ଘୁଞ୍ଚିଲା ।

ଉହୁ ଉହୁଁ କଲା ।

କୁସୁମା ପିନ୍ଧା ଶାଢ଼ୀ ମୁଖେ ଦେଲା ।୬।

 

ଜଗନ୍ନାଥ ମର୍ଦ୍ଦରାଜ ଦେଓ

ଏ ଗୀତି ଲେଖକ କବିଙ୍କର ପରିଚୟ ମିଳିନାହିଁ । ଏହାଙ୍କ ରଚିତ ଅନୁଚିନ୍ତା । ଛପନପଦିଆ ପର୍ଯ୍ୟାୟର ନୁହେଁ । ଏହାର ଚରଣମାନ ଚଉତିଶା ନିୟମରେ ବିରଚିତ । ତେଣୁ କବି ସମ୍ରାଟଙ୍କ ଚିଟାଉ ଚଉତିଶା ହିଁ ଏହାର ଆଦର୍ଶ ଏଥିରେ ଅନ୍ତରର ମୃଦୁଭାବ ପ୍ରକଟିତ ହୋଇଅଛି ।

 

ନିମ୍ନ ଉଦ୍ଧୃତ ଫକ୍ତିମାନ ଏଥିରେ ପ୍ରମାଣ –

 

ଛାଡ଼ିବୁ ନାହିଁ ମୋଠାରୁ କରୁଣା,

ଜବାଧରି ! ତୁ ମୋ ସ୍ନେହର କିଣା ।

ଝଟକହାସି ! ଛାଇ ପ୍ରାୟ ହୋଇ,

ନଗରି ! ତୋପାଶେ ଜାଣି ଅଛଇ ।

ଟେକିଛି ଏ ଆଶା ।

ଠଣସୁନ୍ଦର ମଣି ମୋ ଭରସା ।୨।

ଡମ୍ବରୁ ମଧ୍ୟକୁ ଅଇଲି ଛାଡ଼ି,

ଢୋକିଲି ବିଷକୁ ଅମୃତ ଏଡ଼ି ।

ଅଣାୟତ ହୋଇ ଲଭିଲି କ୍ଲେଶ,

ସହିବେ ନାହିଁ ଶୂନ୍ୟ ଦଶଦଶ ।

ଥାଣୁ-ପର-କାଣ୍ଡ,

ଦୟା ନ ରଖି କଲା ଖଣ୍ଡ ଖଣ୍ଡ ।୩।

ଧରିଛି ଜୀବନ କଷଣ ସହି,

ନାରୀ ରତନକୁ ଦେଖିବି ଯାଇଁ ।

ପୁଣି ତ ପାନ କରାଇଛୁ ଭୀରୁ

ଫୂରୁଣା ହୋଇ ଅମୃତ ଅଧରୁ ।

ବିନାଶ ନୋହିଛି ।

ଭାବିନି ! ତୋ ଭାବ ଭାବି ରହିଛି ।୪।

 

ବ୍ରଜମଣି-

ବ୍ରଜମଣି କବି, ଆଧୁନିକ ସାରସ୍ୱତ ଓଡ଼ିଶାରେ ପ୍ରଥମଥର ଆବିର୍ଭୁତ ହେଉଅଛନ୍ତି । ଅତୀତରେ ବୋଧହୁଏ ତାଙ୍କର ବିପୁଳ ପ୍ରସିଦ୍ଧି ରହିଥିଲା । ନ ହେଲେ ଏ ରସଗୀତିକା ସଂଗ୍ରହପୋଥିରେ ତାଙ୍କର ସ୍ଥାନ ରହି ନ ଥାନ୍ତା ସେ ନାୟିକାର ବୟଃସନ୍ଧିକାଳ ବର୍ଣ୍ଣନ କରିଅଛନ୍ତି ଏବଂ ତାଙ୍କ ବର୍ଣ୍ଣନା ହିଁ ତାଙ୍କ ପ୍ରତିଭାର ପରିଚାୟକ-

 

ସେ କହିଛନ୍ତି

ଭଲା ଏ ନନ୍ଦିନୀ ଅଟେ କାହାର,

ଦେଖିଲି ନୂଆ ବୟସୀ ବାହାର ।

ଏ ପୁଣି ପାଣି ଧରିବ ଯାହାର ।

ଇତର ଭାଗ୍ୟ କି ଅଟେ ତାହାର

ଏ ଯୁବତୀ ହେଲେ ।

ଯୁବା ଜଣେ ତନ ରଖିବ ଭଲେ ।୧।

ବଳିଲାଣି ୟାକୁ ଦଶବରଷ

ଟଳି ହେଲାଣି ୟା ମୁଖ ସାରସ

ପଢ଼ିଲାଣି ବାଳା ଲୀଳା ଚାତୁରୀ

ପାଳିଲାଣି ଅଙ୍ଗ ଯତନ କରି

ଲୁଳିଲାଣି ଭାଲେ । ଅଳକା, ବେଢ଼ିକି ଭ୍ରମରମାଳେ ।୨।

କନକ କୁମ୍ଭ ପ୍ରାୟେ ବେନିକୁଚ

ହେଲାଣି ଅଳପ ଅଳପ ଉଚ୍ଚ

ଗଲାଣି ବଳି ବଦ୍ରିକା କୋଳିକି

ଦେଲାଣି କାମ ବଳି ବାଟୁଳିକି

ଏ କମଳ କୋଷ । ପରି ହେଲେ କି ରଖିବ ମହେଶ ।

ଭାସିଲାଣି ବାଣୀ ଇଙ୍ଗିତ କରି

ହସିଲାଣି ମୁଖେ ବସନ ଧରି

ଖୋସିଲାଣି ନୀବି କରି ବେଉତ

ରସିଲାଣି ମନ୍ଦମତିରେ ଚିତ୍ତ

ରସିଲାଣି ରସେ । ବସିଲାଣି ପ୍ରିୟା ସଖୀଙ୍କ ପାଶେ ।

ଖଞ୍ଜିଲାଣି ଭୁଜେ କାମ କମାଣ

ରଞ୍ଜିଲାଣି ନେତ୍ରେ ସରୁ ଅଞ୍ଜନ

ଧରିଲାଣି ବାମ କରକୁ ଟେକି

ମାଇଲାଣି ଯିବାବେଳେ ଫୁଟୁକି

ବୋଲେ ବ୍ରଜମଣି । ମନୁଯିବ କି ସେ କିଶୋରୀ ମଣି ।

 

ଏପରି କବି ନିଜର ଦକ୍ଷ ଓ ଅନବଦ୍ୟ ବର୍ଣ୍ଣନାଦ୍ଵାରା ରସ ବର୍ଷଣ କରି ଅଛନ୍ତି ।

ଏ କବିତା ସହିତ ସଂସ୍କୃତ ସାହିତ୍ୟର ନିମ୍ନଲିଖିତ ଫକ୍ତି ସବୁ ତୁଳନୀୟ ।

 

ଅଧରଃ କିଶଳୟରାଗଃ

କୋମଳ ବିଟପାନୁକାରିଣୌ ବାହୂ

କୁସୁମମିବ ଲୋଭନୀୟଂ

ଯୌବନଂ ଅଙ୍ଗେଷୁ ସନଦ୍ଧମ୍ ।

ମୃଦୁଳବଳିଲଳତମଧ୍ୟଂ-

ପୃଥୁଳ କୁଚଂ ଚାରୁ ବିପୁଳ ଭ୍ରୂଜଘନମ୍

ପୁନ୍ନାଗସ୍ପୃହଣୀୟଂ ବନଂ

-ଯୌବନଂ ଚ ନାରୀଣାମ୍ ।

ସ୍ତନତଟମିଦମୁତ୍ତୁଙ୍ଗଂ ନିମ୍ନୋମଧ୍ୟଃ

ସମୁନ୍ନତଂ ଜଘନମ୍

ବିଷମେ ମୃଗଶାବାକ୍ଷ୍ୟା ବପୁଷି

କ ଏକ ନ ସ୍ଫଳତି ।

 

ଛତିଶ ପଦିଆର ଅଜ୍ଞାତନାମା କବି

ଦୁର୍ଭାଗ୍ୟ ବଶତଃ କବି ଶେଷ ପଦରେ ନିଜର ଭଣିତା ଦେଇ ନାହାନ୍ତି । ତେଣୁ ତାଙ୍କ ନାମ ବିଷୟରେ କୁତୂହଳୀ ହେବା ନିରର୍ଥକ । କିନ୍ତୁ ନାୟିକାର ମାନଭଞ୍ଜନ ନିମନ୍ତେ ସେ ଏ କବିତାରେ ତାଙ୍କ ପ୍ରଣୟୀ ହୃଦୟକୁ ତରଳ କରି ଢାଳି ଦେଇ ଅଛନ୍ତି । ତାଙ୍କ ରସାପ୍ଲୁତ ଭାବବିହ୍ୱଳ ହୃଦୟ ଏ ଗୀତରେ ସର୍ବତ୍ର ପରିସ୍ଫୁଟ ହୋଇଅଛି । ତାଙ୍କରି ଫକ୍ତିମାନଙ୍କରେ ତାଙ୍କ କବି ପ୍ରତିଭାର ମୁଁ ପରିଚୟ ଦେଉଛି । ମୋ ବକ୍ତବ୍ୟ ନିଷ୍ପ୍ରୟୋଜନ ।

 

ପ୍ରତି ପଦର ଘୋଷାରୂପେ କବି ନିମ୍ନଲିଖିତ ପଦଟି ଲେଖିଅଛନ୍ତି-

 

ପ୍ରଣୟ ମନେ କାନ୍ତ ଦୁଃଖୀ ହୋଇ ।

ପ୍ରିୟା ପ୍ରତିଦିନ ଭାବ ଚିତୋଇ

ପୂରତେ ଦୂତୀକି କହେ ଏ ଭାଷା,

ପ୍ରାଣ ପ୍ରଭୁ ମୋର ସେ ମୃଗଦୃଶା ।

ପଚାରିବୁ ତାକୁ

ପରାଣ ଗଲେ ରୁଷିବୁ କାହାକୁ ।।

X      X      X

ପ୍ରୀତି-ପାଦପରେ ମୋରେ ଚଢ଼ାଇ

ପଛେ ମୂଳରୁ କାଟୁଛୁ କିପାଇଁ

ପଡ଼ିଲେ ଗଲାଟି ମୋର ଜୀବନ

ପ୍ରତିକାର ନାହିଁ ତା ବିନୁ ଆନ ।୩।

ପନ୍ଦରବୟସୀ କୁନ୍ଦ-ରଦନା,

ପୀନ-ପୟୋଧରୀ ମୀନନୟନା ।

ପିଠି କଲା ମୋତେ ଦେଖି ନାଗରୀ

ପଥର ପରାୟେ ଯେ ହୃଦ କରି ।୪।

ପାରବତୀ-ପତି-ତପଖଣ୍ଡନା

ପରମ ଦୟାଳୁ ମହୀମଣ୍ଡନା ।

ପଦ୍ମନେତ୍ରା ସେ କି ଆଣି ମନକୁ

ପାଳନା ନ କଲା ଦାସ ଜନକୁ ।୬।

ପକ୍ଷୀ ଜନ୍ତୁ ଯେବେ ହୁଅନ୍ତି ମୁହି

ପଡ଼ନ୍ତି ଉଡ଼ି ତା ପାଶରେ ଯାଇଁ ।

ପାଞ୍ଚୁଥାଇ ଏହା ଅନୁବରତେ

ପର କଲେ ସେ ଜୀଇବି କେମନ୍ତେ ।୬

X      X      X

ପୁରନ୍ଦର ପୁରେ ମହୀଯାକରେ

ପାତାଳତଳ ବିଧାତା ଲୋକରେ

ପ୍ରୀତିରୁ ବୋଲେ ନାହିଁ ଆନ ସାର

ପୁଣି କିପାଇଁ କଲେ ଏତେ ଦୂର ।୧୨

ପଞ୍ଚଶର-ଗରଳକୁ ମୋହର

ପରଶୁ କେଦାର ନାଗରୀବର ।

ପଦକ ସରି କରିଥିଲା ହୃଦେ

ପକାଇ ଦେଲା ଏବେ ଦୁଃଖ ନଦେ ।୧୭।

ଇତ୍ୟାଦି ଇତ୍ୟାଦି ।

 

ଏତିକି କଥା ମଧ୍ୟରେ ମୁଁ ଓଡ଼ିଆ କବିଙ୍କ ବୈଚିତ୍ରୀ ବିଳାସ ପ୍ରସଙ୍ଗ ତଥା ଛପନପଦିଆ ପୋଥିର ସଂକ୍ଷିପ୍ତ ପରିଚୟର ଉପସଂହାର କରୁଅଛି । କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଓ କୃଷ୍ଣ ସିଂହଙ୍କୁ ତଡ଼ିଦେଲେ ଏ ସଂଗ୍ରହରେ ଆହୁରି ଏଗାର ଜଣ କବିଙ୍କ ନାମ ମିଳୁଛି ଏବଂ ଓଡ଼ିଶାର ପ୍ରେମ ସାହିତ୍ୟକୁ ସେମାନେ କି ମନୋହର ସାମଗ୍ରୀରେ ସମୃଦ୍ଧ କରି ଯାଇଅଛନ୍ତି ତହିଁର ପ୍ରଚୁର ପ୍ରମାଣ ଆମ୍ଭମାନଙ୍କର କରାଗତ ହେଉଅଛି । ଇଂରାଜୀ ସାହିତ୍ୟରେ ଗ୍ରେ ବୋଲି ଜଣେ କବି ଶ୍ମଶାନ ଚିନ୍ତା ବୋଲି ଗୋଟିଏ ଗୀତିକା ଲେଖି ଓ ଉଲ୍‍ଫ ବୋଲି ଆଉ ଜଣେ କବି ସୈନିକର ସ୍ଵପ୍ନ ନାମକ ଗୋଟିଏ ଗୀତିକା ଲେଖି ଅମର ହୋଇଛନ୍ତି ଓ ଇଂରେଜୀ ଭାଷାର ମହିମା ଯୋଗୁଁ ବିଶ୍ଵବିଶ୍ରୁତ ମଧ୍ୟ ହୋଇଅଛନ୍ତି । ପ୍ରେମକବିତା ହିସାବରେ ଏ ପୋଥିରେ ଅନ୍ତର୍ଭୁକ୍ତ ଗୀତିକାମାନ ଓଡ଼ିଆ ସାହିତ୍ୟର ଗୋଟିଏ ଗୋଟିଏ ଅମୂଲ୍ୟ ରତ୍ନ । ମାଟି ତଳେ ବହୁ ବର୍ଷ ପୋତି ହୋଇ ପଡ଼ିଥିଲେ ସୁଦ୍ଧା ରତ୍ନର କାନ୍ତି ଯେପରି ସ୍ନାନ ହୁଏ ନାହିଁ ସେହିପରି ବହୁ ବର୍ଷ ବ୍ୟାପୀ ବିସୃତିରୁ ଉଦ୍ଧାର ହୋଇ ଏ ଗୀତିକା ଗୁଡ଼ିକ ଅନ୍ତର୍ନିହିତ ମାଧୁରୀ ଘେନି ଝଟକୁ ଅଛନ୍ତି । ଜାତୀୟ ସାହିତ୍ୟରେ ଏମାନଙ୍କର ସ୍ଥାନ ସୁପ୍ରତିଷ୍ଠିତ । ଆମ୍ଭମାନଙ୍କୁ ଏମାନଙ୍କ ଦ୍ୱାରା ଜାତୀୟ ସାହିତ୍ୟର ଶୂନ୍ୟ ସ୍ଥାନମାନ ପୂରଣ କରିବାକୁ ପଡ଼ିବ ।

 

ଇଂରେଜ ରାଜତ୍ଵ ସଂସ୍ଥାପିତ ହେବା ପରେ ତାଳପତ୍ର ପୋଥିମାନଙ୍କରେ ଯେଉଁ ଅମୂଲ୍ୟ ସାହିତ୍ୟ ସୁରକ୍ଷିତ ହୋଇ ରହିଗଲା ତତ୍‍ପ୍ରତି ଏବଭଳି ଆମ୍ଭେମାନେ ଅବହିତ ହୋଇ ପାରିଲେ ନାହିଁ । ଗୌରୀଶଙ୍କର ରାୟଙ୍କ ପ୍ରତିଷ୍ଠିତ ପ୍ରିଣ୍ଟି କମ୍ପାନୀ ଓ ସ୍ୱର୍ଗତ ଗୋବିନ୍ଦ ରଥ ପ୍ରାଚୀନ ସାହିତ୍ୟକୁ-। ଅବହେଳା ଓ ଧ୍ୱଂସମୁଖରୁ ରକ୍ଷା କରିବାକୁ ଯତ୍ପରୋନାସ୍ତି ଯତ୍ନ କରିଥିଲେ । ଅନ୍ୟାନ୍ୟ ବ୍ୟବସାୟୀ ମୁଦ୍ରଣ ପ୍ରତିଷ୍ଠାନମାନେ ପ୍ରାଚୀନ ସାହିତ୍ୟର ଜନପ୍ରିୟତା ବଶତଃ ଲାଭ ଆଶାରେ ସେ ସବୁକୁ ଛପାଇବାରେ ଲାଗିଥିଲେ । ତେଣୁ ବହୁ ମୂଲ୍ୟବାନ ଗ୍ରନ୍ଥ ବିଲୁପ୍ତ ନ ହୋଇ ରକ୍ଷା ପାଇଗଲା-। କିନ୍ତୁ କଥାରେ ଯେପରି କୁହାଯାଏ ‘ପୋତା ଯେତେ ଉଭା ତେତେ’ ଓଡ଼ିଶାରେ ତାଳପତ୍ର ପୋଥିର ସଂଖ୍ୟା ମଧ୍ୟ ତଦ୍ରୁପ ଅଗଣିତ । ଯେତିକି ପ୍ରକାଶିତ ତତୋଧକ ଅପ୍ରକାଶିତ । ଆମ୍ଭମାନଙ୍କ ଦେଶର ବିସ୍ମୃତ କବି ଓ ସେମାନଙ୍କ ବିସ୍ମୃତ ଅମୂଲ୍ୟ କୃତି ପ୍ରତି ଏହି ଛପନ ପଦିଆ ପୋଥିଟି ଆମ୍ଭମାନଙ୍କ ଆଖି ଖୋଲି ଦେଉଛି । ଆମ୍ଭମାନଙ୍କ ରାଜ୍ୟରେ ଚଉତିଶା ଅଗଣିତ ରହିଅଛି-। ମୁଁ ତନ୍ମଧ୍ୟରୁ ୫ ଭାଗ ବିଶିଷ୍ଟ ଚଉତିଶା ମଧୁଚକ୍ର ଗ୍ରନ୍ଥରେ ପ୍ରାଚୀ ସମିତି ପକ୍ଷରୁ ଷାଠିଏଟି ଚଉତିଶା ପ୍ରକାଶ କରିଅଛି । ପ୍ରାଚୀ ସମିତିର ଚଉତିଶା ସଂଗ୍ରହର ଅବଶିଷ୍ଟ ବର୍ତ୍ତମାନ ବିଶ୍ଵବିଦ୍ୟାଳୟରେ ଗଚ୍ଛିତ ଅଛି-। ସେଗୁଡ଼ିକ ଯଦି ପ୍ରକାଶ ପା’ ନ୍ତା ତାହା ହେଲେ ଆହୁରି ଦଶ ଭାଗ ବିଶିଷ୍ଟ ଚଉତିଶା ମଧୁଚକ୍ର ଗ୍ରନ୍ଥ ଲୋକଲୋଚନ ଗୋଚର ହୁଅନ୍ତା । ଓଡ଼ିଶାର ଗୀତି ସାହିତ୍ୟର ଇତିହାସ ଏକ ପ୍ରକାର ପୂର୍ଣ୍ଣାଙ୍ଗ ହେବା ପଥରେ ପ୍ରଧାବିତ ହୋଇ ପାରନ୍ତା ମୋ କ୍ଷୁଦ୍ର ମତରେ ଆମ୍ଭମାନଙ୍କ ସମକ୍ଷରେ ଓଡ଼ିଆ ସାହିତ୍ୟର ଇତିହାସ ରଚନା ପାଇଁ ଯାହା କିଛି ଉପାଦାନ ରହିଛି ସେ ସବୁର ଉପଯୋଗ ପୂର୍ବକ ପରିବର୍ତ୍ତନ ବା ପରିବର୍ତ୍ତନ ସାପେକ୍ଷ କରି ଇତିହାସ ସଙ୍ଗେ ସଙ୍ଗେ ନୂତନ ଉପକରଣମାନଙ୍କୁ ଘେନି ପରିଶିଷ୍ଟ ଗ୍ରନ୍ଥମାନ ରଚିତ ହେଉ । ପରବର୍ତ୍ତୀ ସଂସ୍କରଣମାନଙ୍କରେ ପରିଶିଷ୍ଟାନ୍ତର୍ଗତ ବିଷୟମାନ ଯଥା ସ୍ଥାନରେ ଗର୍ଭିତ ହୋଇପାରିବ । ତାଳପତ୍ର ପୋଥି ସଂଗ୍ରହ ନିମନ୍ତେ ଓଡ଼ିଶାର ପ୍ରତ୍ୟେକ ଯୁବକ ଯୁବତୀ ବଦ୍ଧପରିକର ହେବା ସମୁଚିତ । ଅନ୍ୟାନ୍ୟ ସବୁ ବିଷୟ ପରି ସାହିତ୍ୟର ମଧ୍ୟ ଦୁର୍ଲଂଘ୍ୟ ପରମ୍ପରା ରହିଅଛି । ପରମ୍ପରା ରୂପକ ମୂଳଭିର୍ତ୍ତିକୁ ଅବହେଳା କରି ଶୂନ୍ୟରେ ସାହିତ୍ୟ ସୌଧ ଗଢ଼ାଯାଇ ନ ପାରେ । ତେଣୁ ତାଳପତ୍ର ପୋଥିମାନଙ୍କୁ ଜାତୀୟ ସାହିତ୍ୟ ପରମ୍ପରାର ମୂଳ ଉତ୍ସ ବୋଲି ଜ୍ଞାନ କରି ଜାତିର ଯୁବକ ଯୁବତୀମାନଙ୍କୁ ତହିର ସଂଗ୍ରହରେ ବ୍ରତୀ ହେବାକୁ ମୁଁ ଅତୀତରେ ଆହ୍ୱାନ କରି ଆସିଛି; ଆଜି ମଧ୍ୟ କରୁଅଛି । ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଉତ୍କଳ ବିଶ୍ଵବିଦ୍ୟାଳୟ ପ୍ରମୁଖ ଯେଉଁ ସଂସ୍ଥାମାନେ ଓଡ଼ିଆ ସାହିତ୍ୟ ସୌଧକୁ ସୁଷ୍ଠୁ ଓ ସମ୍ପୂର୍ଣ୍ଣ କରି ରୂପ ଦେବାକୁ ଅଗ୍ରସର ସେମାନେ ଓଡ଼ିଶାର ବିସ୍ମୃତ କବି ମହାକବି ଓ ସେମାନଙ୍କ ବିସ୍ମୃତ କୃତି ସମ୍ଭାରକୁ ବିସ୍ମୃତର ସ୍ତବ୍ଧ ତମିସ୍ରା ମଧ୍ୟରୁ ସମୃଦ୍ଧାର କରନ୍ତୁ ଓ ଭାରତ ତଥା ବିଶ୍ୱର ସାହିତ୍ୟକୁ ଓଡ଼ିଶାର ଦାନ କଅଣ, ତାହା ଅବଧାରିତ ହେଉ ।

 

***

 

୧. Gray's Elegy. ୨. Wolfe's Soldier's Dream

 

ମଧ୍ୟଯୁଗର କାବ୍ୟାଦର୍ଶ

ଅଧ୍ୟାପକ କୁଳମଣି ମହାପାତ୍ର

 

ଆମ ଦେଶରେ ବର୍ତ୍ତମାନ ଦୁଇଟି ଆଲୋଚନାର ଧାରା ପ୍ରବର୍ତ୍ତିତ ହେଉଛି - ଗୋଟିଏ ସଂସ୍କୃତ ସାହିତ୍ୟର କାବ୍ୟଦର୍ଶକୁ ଭିତ୍ତି କରି ଓ ଅନ୍ୟଟି ଇଂରାଜୀ ସାହିତ୍ୟର ଅବଲମ୍ବନରେ । ଇଂରେଜୀ ସାହିତ୍ୟ ଆମ ସାହିତ୍ୟର ହାତଧରି ପରମ୍ପରାକୁ ଛାଡ଼ିଦେବାକୁ ଅନୁରୋଧ କରୁଛି ମାତ୍ର ପଛକୁ ଚାହିଁଲାବେଳେ ଦେଖିବାକୁ ପାଉଛୁ ସଂସ୍କୃତ ସାହିତ୍ୟ ଆମ ପିଛା ଛାଡ଼ୁନାହିଁ । ନବୀନପନ୍ଥୀଗଣ ପ୍ରାଚୀନ ପନ୍ଥାକୁ ଛିଛା କଲାବେଳେ ପ୍ରାଚୀନ ପନ୍ଥାଗଣ ନବୀନତାର ଅପୁଷ୍ଟତାକୁ ଦେଖି ବିଦ୍ରୁପ କରୁଛନ୍ତି । ମଧ୍ୟଯୁଗର କବିମାନଙ୍କ କୃତି ଉପରେ ଆମ୍ଭେମାନେ ଯେତେବେଳେ ମତପ୍ରକାଶ କରିବାକୁ ଯାଉଛୁ ଦେଖିବାକୁ ପାଉଛୁ ଗୋଟିଏ ଦୃଷ୍ଟିକୋଣରୁ ଆଲୋଚନା କଲେ ସେମାନେ ଦେବତା ହୋଇଯାଉଛନ୍ତି ମାତ୍ର ଅନ୍ୟ ଦୃଷ୍ଟିରୁ ଦାନବ ପାଲଟି ଯାଉଛନ୍ତି । ମଧ୍ୟଯୁଗରେ ଅନେକ କବି ଓଡ଼ିଆ ସାହିତ୍ୟର କଳେବରକୁ ମଣ୍ଡନ କରିବାକୁ ଚାହିଁଛନ୍ତି ଓ ଅନେକ ପରିମାଣରେ କୃତକାର୍ଯ୍ୟ ହୋଇଛନ୍ତି ମଧ୍ୟ । ସେ ସମୟରେ କବିଗଣଙ୍କ ମଧ୍ୟରେ ଉପେନ୍ଦ୍ର ପ୍ରତିନିଧିତ୍ୱ କରୁଛନ୍ତି ବୋଲି ସାଧାରଣତଃ ଧରି ନିଆଯାଇଛି । ତେଣୁ ମଧ୍ୟଯୁଗର ସାହିତ୍ୟ ଆଲୋଚନା କଲେ ସାଧାରଣତଃ ଉପେନ୍ଦ୍ରଭଞ୍ଜଙ୍କର କଥାହିଁ କୁହାଯାଇଥାଏ । ମଧ୍ୟଯୁଗର କବିମାନଙ୍କ ଆସନ ଆଧୁନିକ ସମାଲୋଚକଙ୍କ ଦ୍ୱାରା ବହୁତ ତଳେ ରହିଛି କିନ୍ତୁ ତଥାପି ଉପେନ୍ଦ୍ର ସେ ଯୁଗର ପ୍ରତିନିଧି କହିବାରେ କେହି ତ୍ରୁଟି କରିନାହାନ୍ତି । ସେଥିଲାଗି ଉପେନ୍ଦ୍ରଭଞ୍ଜଙ୍କ ସାହିତ୍ୟକୁ ଯଦି ଗଜଭୁକ୍ତ କପିତ୍‍ଥ ବୋଲି କୁହାଯାଏ । ତେବେ ସେ ସମୟରେ ସମସ୍ତ ସାହିତ୍ୟ ସୃଷ୍ଟିକୁ ଫମ୍ପା ବୋଲି କହିଲେ ଅଯୌକ୍ତିକ ହେବନାହିଁ ।

 

ମଧ୍ୟଯୁଗର ସାହିତ୍ୟ ଆଲୋଚନା କରିବା ପୂର୍ବରୁ ସଂସ୍କୃତ ସାହିତ୍ୟ ପ୍ରତି ଟିକିଏ ଦୃଷ୍ଟି ଦେବା ଦରକାର । ସଂସ୍କୃତ ସାହିତ୍ୟରେ ଅନେକବାଦର ପ୍ରଚଳନ ଆମେ ଦେଖିବାକୁ ପାଉଁ । ଭରତଙ୍କ ରସବାଦ, ଭାମହଙ୍କ ଅଳଙ୍କାରବାଦ, ବାମନଙ୍କ ରୀତିବାଦ, ଆନନ୍ଦବର୍ଦ୍ଧନଙ୍କ ଧ୍ୱନିବାଦ ଓ କୁନ୍ତଳଙ୍କ ବକ୍ରୋକ୍ତିବାଦ ଏଗୁଡ଼ିକ ମଧ୍ୟରେ ପ୍ରଧାନ । କାବ୍ୟର ଆଦର୍ଶ ସ୍ଥିର କରିବାପାଇଁ ଆଚାର୍ଯ୍ୟମାନଙ୍କ ମଧ୍ୟରେ ଭୀଷଣସଂଘର୍ଷର ସୂତ୍ରପାତ ହୋଇଥିଲା ଏହା ଅନୁମାନ କରାଯାଇପାରେ । ମାତ୍ର ମଧ୍ୟଯୁଗର ଓଡ଼ିଆ ସାହିତ୍ୟରେ କିକି ବାଦର ପ୍ରଚଳନ ଥିଲା ଏ ପ୍ରଶ୍ନର ଉତ୍ତର ଦେବା ସହଜ ନୁହେଁ । ସଂସ୍କୃତ ସାହିତ୍ୟକୁ ଛାଡ଼ି କୌଣସି ନୂତନ ଧାରା ଓଡ଼ିଆ କବିମାନେ ଅନୁସରଣ କରୁଥିଲେ, କି ଓଡ଼ିଆ କବିମାନଙ୍କର କିଛି ସ୍ୱତନ୍ତ୍ୟ ଥିଲାକି, କିମ୍ବା ସଂସ୍କୃତର କୌଣସି ନିର୍ଦ୍ଦିଷ୍ଟ ଧାରାର ଅନ୍ଧ ଅନୁସରଣ ଏମାନେ କରୁଥିଲେ କି, ଏହିପରି ନାନାପ୍ରକାର ପ୍ରଶ୍ନ ଉଠେ । ମାତ୍ର ବାଦ ବୋଇଲେ ଦୃଷ୍ଟିକୋଣ ଛଡ଼ା ଆଉ କିଛି ନୁହେଁ । ଆଜିକାଲି ସାହିତ୍ୟରେ ବିଭିନ୍ନ ଆଦର୍ଶର ପରୀକ୍ଷା ଚାଲିଛି, ରୋମାଣ୍ଟିକ୍, ମିଷ୍ଟିକ୍, ରିଆଲିଷ୍ଟିକ୍ ଆଦି କେତେ ବାଦର ଯେ ସୃଷ୍ଟି ହେଲାଣି ତାହାର ହିସାବ ନାହିଁ । ଜଣେ କବି ନିଜ ମଧ୍ୟରେ ନିଜେ ପୂର୍ଣ୍ଣ । ଏ ବୈଜ୍ଞାନିକ ଯୁଗରେ କିଏ ସମାଜର ଉନ୍ନୟନ ପାଇଁ ପାଟି କରୁଛି ତ କିଏ ବ୍ୟକ୍ତି ବିଶେଷତ୍ଵ ସ୍ଥାପିତ କରୁଛି । ଏ ଯୁଗରେ ପ୍ରକୃତିର ଉପାସନା ମଧ୍ୟ କରିବାକୁ କବି ଅଛନ୍ତି । ମାତ୍ର ଏସବୁ ଦୃଷ୍ଟିକୋଣ ସେପରି ଦୃଢ଼ ଭିତ୍ତି ଉପରେ ପ୍ରତିଷ୍ଠିତ ହୋଇପାରୁ ନଥିବାରୁ ସେଗୁଡ଼ିକର ସ୍ଥାୟିତ୍ୱ ଅଧିକ ସମୟ ହୋଇପାରୁ ନାହିଁ । ପ୍ରାଚୀନକାଳରେ ଉପରୋକ୍ତ ପାଞ୍ଚଗୋଟି ଆଦର୍ଶକୁ ପାଞ୍ଚଗୋଟି ମୌଳିକ ଦୃଷ୍ଟିକୋଣ ବୋଲି କୁହାଯାଇପାରେ । ପୃଥିବୀର ପରିବର୍ତ୍ତନ ଦେଇ ମାନସିକ ପରିବର୍ତ୍ତନର କ୍ଷିପ୍ରତା ସମ୍ଭବ ହେଉଛି ବୋଲି କୁହାଯାଇପାରେ । ଏକ ଏକ ନିର୍ଦ୍ଦିଷ୍ଟ ଆଦର୍ଶକୁ ଧରି ଆମେ ବଞ୍ଚିବାକୁ ଚାହୁଁନା । ତେଣୁ ସାହିତ୍ୟ, କ୍ଷେତ୍ରରେ ଚିନ୍ତାଧାରାର ବହୁ ଭିନ୍ନ ଦିଗ ଲକ୍ଷ୍ୟ କରାଯାଉଛି ।

 

ଉପେନ୍ଦ୍ରଭଞ୍ଜଙ୍କ ସମୟରେ ପୃଥିବୀ ଏତେ ବିଶାଳ ନଥିଲା କି ସାହିତ୍ୟ ଜଗତ ଏତେ ବୃହତ ନଥିଲା । କ୍ଷୁଦ୍ର ସଂସାର ମଧ୍ୟରେ ସୀମିତ ଉପାଦାନକୁ ନେଇ କବିତାର ଉତ୍ସ ପ୍ରବାହିତ ହେଉଥିଲା । ଆଜି ପ୍ରତ୍ୟହ ପୃଥିବୀ ବକ୍ଷରେ ହଜାର ହଜାର ପୁସ୍ତକ ମୁଦ୍ରିତ ହେଉଛି । ସାହିତ୍ୟର ପରିସର ପ୍ରତି ମୁହୂର୍ତ୍ତରେ ବୃଦ୍ଧି ପାଉଛି । ଏ ସମୟରେ ସାହିତ୍ୟର ବ୍ୟାପ୍ତିର କଳନା କରିବା ଏକପ୍ରକାର ଅସମ୍ଭବ । ନିତ୍ୟ ନୂତନ ପଦାର୍ଥ ଦେଖିବା ହେତୁ ନିଜ ସୃଷ୍ଟିର ମୂଲ୍ୟବୋଧ ଆସୁନାହିଁ । ତେଣୁ ଆଧୁନିକ ସାହିତ୍ୟ ଅସ୍ଥିରତାର ବାତାବରଣ ମଧ୍ୟରେ ଗତି କରୁଛି ।

 

ମଧ୍ୟଯୁଗରେ ସଂସ୍କୃତ ଥିଲା ଏକମାତ୍ର ଆଦର୍ଶ । ତେଣୁ ଲେଖନୀ ଧାରଣ କଲାମାତ୍ରେ ସଂସ୍କୃତର ଭୂତ ଗ୍ରାସ କରୁଥିଲା । Hound of Heaven ପରି ଦେବଭାଷା ଆମକୁ ସ୍ଵାଧୀନ ଭାବରେ ବିଚରଣ କରିବାପାଇଁ ଛାଡ଼ି ଦେଉ ନଥିଲା । ଯେଉଁମାନେ ନିଜ ନିଜ ମାତୃଭାଷାରେ ସାହିତ୍ୟ ସୃଷ୍ଟି କରୁଥିଲେ ସେମାନେ ସଂସ୍କୃତର ଗାରିମା ଉପଲବ୍‍ଧି କରି ଆତ୍ମଗୌରବ ଅନୁଭବ କରୁଥିଲେ । ସଂସ୍କୃତର ପ୍ରତ୍ୟେକ କବି ଗୋଟିଏ ଗୋଟିଏ ଆଦର୍ଶ ରୂପେ ଧରାଯାଉଥିଲେ । ତେଣୁ ପ୍ରଭାବ ଯେ ଅତି ସ୍ୱାଭାବିକ, ଏଥିରେ ସନ୍ଦେହ ରହି ନ ପାରେ । କାଳିଦାସ ଜଣେ ବିଖ୍ୟାତ କବି । ମାତ୍ର ସମସ୍ତେ ଯେ ତାଙ୍କର କାବ୍ୟ କବିତାକୁ ପସନ୍ଦ କରୁଥିଲେ ଏହା କୁହାଯାଇ ନପାରେ । ତା ହୋଇଥିଲେ ପଣ୍ଡିତମାନେ ‘ରଘୁରୀତି କାବ୍ୟଂ ତଦୁପରି ଟୀକା ସାପ ବ ଭାବ୍ୟା’ ବୋଲି କହିନଥାନ୍ତେ । ଯେଉଁମାନେ କାଳିଦାସଙ୍କ ରସାଳ ସାହିତ୍ୟକୁ ପସନ୍ଦ କରୁନଥିଲେ ସେମାନେ ହୁଏତ ମାଘ ଭାରବୀଙ୍କୁ ଆଦର୍ଶ ରୂପରେ ଗ୍ରହଣ କରି ନେଇଥିଲେ । ଉପେନ୍ଦ୍ରଭଞ୍ଜ କେତେକ ସ୍ଥାନରେ ନୈଷଧକାରଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରିଛନ୍ତି । ସେଥିପାଇଁ କେତେକ ଭାବିପାରନ୍ତି ଉପେନ୍ଦ୍ରଭଞ୍ଜ ହେଉଛନ୍ତି ଜଣେ ଆଳଙ୍କାରିକ କବି, ବାସ୍ତବିକ ନିଜ ରଚନାରେ ଯେପରି ବହୁଳ ଅଳଙ୍କାରର ପ୍ରୟୋଗ କରିଛନ୍ତି, ସେଥିରେ ଯେ କୌଣସି ଲୋକ ଭାବିପାରେ ଯେ ସେ ଜଣେ ଆଳଙ୍କାରିକ କବି ।(୧)

 

ମାତ୍ର ଅନେକଙ୍କର ମତ ସେ ହେଉଛନ୍ତି ରସର କବି । ତାଙ୍କ ସାହିତ୍ୟରେ ରସ ଭରପୁର-। ତାହା ପୁଣି ଶୃଙ୍ଗାର ରସ, ଯାହା ପାନ କରିବାକୁ କବି ଭୃଙ୍ଗଗଣ ସର୍ବଦା ବ୍ୟାକୁଳିତ ହେଉଥିଲେ । ପ୍ରକୃତି ବର୍ଣ୍ଣନା କରିବା ଛଳରେ ମଧ୍ୟ ସେହି ଶୃଙ୍ଗାରୀ ଭାବର ପରିବେଷଣ । ସତେ ଯେପରି ଶୃଙ୍ଗାର ଛଡ଼ା ଦୁନିଆରେ ଆଉ କିଛି ନାହିଁ । ଉପେନ୍ଦ୍ର ‘ଶୃଙ୍ଗାରୀଚେତ୍ କବି’ର ଆଦର୍ଶକୁ ସର୍ବଦା ଅନୁସରଣ କରିଅଛନ୍ତି ।

 

ସାହିତ୍ୟରେ ରସବାଦ ଏକ ପ୍ରାଚୀନ ଧାରା । ଭରତ ଏହି ଭାବର ପ୍ରତିଷ୍ଠାତା ବୋଲି ଅନେକ ମତ ପ୍ରକାଶ କରନ୍ତି । ମାତ୍ର ଜଣେ ଗୋଟିଏ ଧାରାର ପ୍ରଚଳନ କରିଛି ଏପରି କଥା ଅନେକ ସମୟରେ କହିବାକୁ ଇଚ୍ଛା ହୁଏନା କାରଣ ପ୍ରଧାନ ଜଳସ୍ରୋତକୁ ପୁଷ୍ଟ କରିବାପାଇଁ କେତେ କେତେ ଛୋଟ ଛୋଟ ଧାରା ଯେ ସାହିତ୍ୟ କ୍ଷେତ୍ରରେ ସୃଷ୍ଟି ହୋଇଥାଏ, ତାହା କଳ୍ପନା କରିବା ଅସମ୍ଭବ । ଭରତଙ୍କ ପୂର୍ବରୁ ମଧ୍ୟ ରସଚର୍ଚ୍ଚା ବିଶେଷ ଭାବରେ ହେଉଥିବାର ପ୍ରମାଣ ମିଳେ (୧) ରସବାଦ ପ୍ରତିଷ୍ଠାରେ ଭରତ ଯୁଗାନ୍ତର ସୃଷ୍ଟିକଲେ ମାତ୍ର ଅତୀତରୁ ସେ ସେଥିପାଇଁ ଉପାଦାନ ସଂଗ୍ରହ କରିଥିଲେ । ଆହୁରି ମଧ୍ୟ ଏହି ରସବାଦ ଯେ କେବଳ ଗୋଟିଏ ଶ୍ରେଣୀର ଲୋକ ଗ୍ରହଣ କରିଥିଲେ, ତାହା ନୁହେଁ । ଉଣା ଅଧିକେ ସମସ୍ତେ ରସବାଦକୁ ଗ୍ରହଣ କରି ଆସୁଅଛନ୍ତି । ଆଜି ସୁଦ୍ଧା ରସର ଚର୍ଚ୍ଚା ବିଶେଷ ଭାବରେ ହେଉଛି । ରସ ବୋଇଲେ କେବଳ ଶୃଙ୍ଗାର ସବୁକିଛି ନୁହେଁ । ଯାହା ଆମକୁ ଆନନ୍ଦ ଦିଏ, ତାହା ହି ରସ ।

 

୧- ଘେନ ବୈଷଧ ପରାୟେ । ଉପଇନ୍ଦ୍ର କଲେ ବୁଧ ପ୍ରମୋଦ କରାଏ ।

 

ମାତ୍ର ଆମକୁ ଆନନ୍ଦ ନ ଦିଏ କ’ଣ ? କୃଷ୍ଣଙ୍କ ବିରହରେ ଗୋପୀମାନଙ୍କ ଆଖିରୁ ଝର ଝର ଲୋତକ ବହି ପଡ଼ୁଥାଏ । ଗଗନ ପବନ ବିଷାଦ ମଧ୍ୟ ହୋଇ ଯାଇଥାଏ । ମାତ୍ର କବି ସେଥିରୁ ଆନନ୍ଦ ପାଏ । ପାଠକ କହେ ଏହା କରୁଣ ରସ । ତେବେ ଅଶ୍ରୁ କ’ଣ ଆନନ୍ଦର ଚିହ୍ନ ? ହଁ ଆନନ୍ଦାଶ୍ରର ସମ୍ଭାବନା ରହିଛି । ମାତ୍ର ଏ କ୍ଷେତ୍ରରେ ଅଶ୍ରୁ ଦୁଃଖଜ । ଆଳଙ୍କାରିକମାନେ କହନ୍ତି ଅଶ୍ରୁରସ ସୃଷ୍ଟିରେ ଅନ୍ତରାୟ ନୁହେଁ ବରଂ ପରିପୋଷକ, ଉଦ୍‍ବୋଧକ, କରୁଣ ଚିତ୍ରର ଦର୍ଶନ ପରେ ହୃଦୟରେ ଏକ ଅନୁଭୂତି ଆସେ ଯାହାଠାରେ ଶମଗୁଣ ବର୍ତ୍ତମାନ ଥାଏ । ପ୍ରାଣରେ ଯେଉଁ ହାଲୁକା ଓ ଗମ୍ଭୀର ଭାବ ଉତ୍ପନ୍ନ ହୋଇଥାଏ ତାହା ପ୍ରାଣରେ ଏକ ପ୍ରକାର ଅନର୍ବଚନୀୟ ଆନନ୍ଦ ଦେଇଥାଏ । ତେଣୁ ଅଶ୍ରୁରେ ମଧ୍ୟ ଆନନ୍ଦର ଉପାଦାନ ଥାଏ । ଏହାକୁ କରୁଣ ରସ କହନ୍ତି । ଯେ କୌଣସି ଅବସ୍ଥାର ସମ୍ମୁଖୀନ ହେଲେ ବି ଜୀବନର ଯେ କୌଣସି ବିଭାଗର ଚିତ୍ରଣ ଦେଲେ ବି, ପାଠକର ଲକ୍ଷ୍ୟ ଆନନ୍ଦାନୁଭୂତି ଛଡ଼ା ଆଉ କିଛି ନୁହେଁ, ସେଇଠି ପାଠକ ପହଞ୍ଚିବାକୁ ଚାହେଁ । ସେଥିଲାଗି ବୀଭତ୍ସ ଓ ଭୟାନକ ମଧ୍ୟ ରସ ନାମରେ ଆଖ୍ୟାତ ନ ରସାଦୃତେ କଶ୍ଚିଦର୍ଥୀ ପ୍ରବତେ”-। ତେଣୁ ରସକୁ ଏକ ବାଦର ଅନ୍ତର୍ଗତ ନ କରି ରସର ସଂଖ୍ୟାକୁ ଅନେକ ନ କରି ଏକ ବୋଲି ଧରା ଯାଇପାରେ । (୨) ମନୁଷ୍ୟର ସମସ୍ତ ଅନୁଭୁତିର ନିର୍ଯ୍ୟାସ ଏକ ପ୍ରକାର । କେବଳ ଉପାଦାନ ଭେଦରେ ତାହା ବିଭିନ୍ନ ନାମ ଧାରଣ କରିଥାଏ । ସେଥିଲାଗି ମଧ୍ୟକାଳୀନ କବିମାନଙ୍କୁ ରସର ପୃଷ୍ଟପୋଷକ ବୋଲି କହିବାରେ କିଛି ଆପତ୍ତି ନାହିଁ ।

 

୧ ରସୋଁକୀ ସଂଖ୍ୟା ନୌ ମାନୀ ଗୟୀ ହୈ । ଇସ୍‌ଲିୟେ ୟହ ନ ସମଝନା ଚାହିୟ କୀ ରସକେ ବସ୍ତୁତଃ ଭେଦ ହୋତେ ହୈ । ରସ ତୋ ସଦା ଭେଦ ରହିତ ଔର ଏକରସ ହୈ । ୟହ ଜୋ ଭେଦ ମାନେ ଜାତେ ହୈଂ ବହ କେବଲ ସ୍ଥାୟୀ ଭାବୌଁ କେ ଭେଦୋଁ କେ ଆଧାର ପର କିୟ ଗୟେ ହୈଂ । ଜିସସେ ରସ ପ୍ରକ୍ରିୟା କେ ଜ୍ଞାନ ମେ ସୁଗମତା ହୋ । x x ରସ ସର୍ବଥା ଆନନ୍ଦମୟ ହୋନେ ପର ଭୀ ସ୍ଥାୟୀ ଭାବୋଁ କେ ଭେଦ କେ ଅନୁସାରେ ଉସକେ ଆସ୍ୱାଦନ ମେଁ ଆନନ୍ଦାନୁଭୂତି କୀ ଭିନ୍ନତା ରହତୀ ଅବଶ୍ୟ ହୈ, ପର ତତ୍ତ୍ୱତଃ ବହି ଆନନ୍ଦମୟୀ ହୀ ହୈ ଯଦ୍ୟପି ଅନେକ ରସୌଁ କା ଆନନ୍ଦ ଭିନ୍ନ ଭିନ୍ନ ଐେ ଏସା ଶୁକ୍‍ଳ କା ମତ ହୈ ।

 

ହିନ୍ଦୀ କାବ୍ୟଶାସ୍ତ୍ର କା ଇତିହାସ

ଶ୍ରୀ ଭଗୀରଥ ମିଶ୍ର ।

 

୨। That the Rasa-doctrine was older than Bharata is apparent from Bharata’s own citation of several verses in the Arya and Anustubha metres in Support of or in Suppliment to his own Statements and in one place, he appears to quote two Arya verses from an unknown work on Rasa. The idea of Rasa, apart from any theory thereon was naturally not unknown to writers, and Bharata’s treatment would indicate that some System of Rasa, however undevoloped or even a Rasa school particularly in Connection with the drama must have been in existence in his time.

History of Sanskrit Poetics

by S.K. De. Vol. VI Page. 21

 

ଅବଶ୍ୟ ପରିବେଷଣର ପ୍ରକାର ନେଇ ପଦାର୍ଥର ଶ୍ରେଷ୍ଠତା ପ୍ରତିପାଦିତ ହୋଇଥାଏ । ମଧ୍ୟକାଳୀନ କାବ୍ୟମାନଙ୍କର ପରିବେଷଣର ପଟୁତା ଯେ ନାହିଁ, ତାହା କହିହେବ ନାହିଁ । ଏପରି ଅନେକ ଚମତ୍କାର ପ୍ରତିପାଦକ ପଂକ୍ତି ରହିଛି ଯାହାର କି ଚିରନ୍ତନ ମୂଲ୍ୟବୋଧ ଅଛି । କେବଳ ଦୋଷ ଭିତରେ ଏତିକି କୁହାଯାଇ ପାରେ ସମସ୍ତ କାବ୍ୟ ଗତାନୁଗତିକତାର ଶୁଷ୍କ ଧାରାରେ ପଡ଼ିଯାଇଛି । ଏପରିସ୍ଥଳେ ରସରେ ବ୍ୟାଘାତ ଘଟିବାର ସାଧାରଣତଃ ଆଶଙ୍କା କରାଯାଏ । ଯେଉଁଠି ଅନୁଭୂତି ନାହିଁ, ସେଠାରେ ରସର ସମାବର୍ତ୍ତନ ନାହିଁ । ଏପରି ଧାରଣା ମୂଳରେ ଯୁକ୍ତି ମଧ୍ୟ ରହିଛି । ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟରେ ବିରହ ବର୍ଣ୍ଣନା ହୃଦୟର ଅନୁଭୂତିଦ୍ଵାରା ସିଦ୍ଧ ନ ହୋଇ ମସ୍ତିଷ୍କ ପ୍ରସୂତ ବୋଲି କୁହାଯାଉଛି । ତାର କାରଣ ସବୁ ବନାର ଢଙ୍ଗ ଓ ଭାବ ପ୍ରାୟ ଏକ । ଘଟଣାର ବୈଚିତ୍ରୀ ନ ଥିବାରୁ ଜଣେ ସମାଲୋଚକ ଏ ମତ ଦେଇପାରେ । ଗୋଟାଏ ଘଟଣା ସବୁସ୍ଥାନରେ ଘଟିଲେ କବି ଭାବିବା ପାଇଁ ପରିଶ୍ରମ କରିନାହିଁ ବୋଲି ଧରି ନିଆଯାଇ ପାରେ । ପାଠକର ବିରକ୍ତି ଜାତ ହୁଏ ଓ ରସାନୁଭୂତିରେ ବାଧା ଆସେ ସମାଲୋଚକମାନଙ୍କ ଚିନ୍ତା କେତେକ ମତବାଦ ଦ୍ୱାରା ସୃଷ୍ଟ ହୋଇଥିବାରୁ କେତେକ ସ୍ଥାନରେ ପ୍ରକୃତ ଓ ପ୍ରକୃଷ୍ଟ ଆଲୋଚନା ସମ୍ଭବ ହୋଇପାରେନା । ସେଥିଲାଗି ସମାଲୋଚକ ଅପେକ୍ଷା ସାଧାରଣପାଠକ କାବ୍ୟରସକୁ ଅଧିକ ଉପଭୋଗ କରିପାରେ-

 

କରୁଣ ଓ ବୀଭତ୍ସକୁ ରସରୂପରେ ଗ୍ରହଣ କଲେ ବି ବାସ୍ତବ କ୍ଷେତ୍ରରେ କବିମାନେ ସେ ସବୁଥିରୁ ଦୂରରେ ରହୁଥିଲେ । ବାସ୍ତବିକ ପ୍ରେମର ବ୍ୟଞ୍ଜନା ସୃଷ୍ଟି ହେଲା ପରେ ଯେଉଁ କାରୁଣ୍ୟ ସୃଷ୍ଟି ହୁଏ, ତାହା ରସକୁ ଅଧିକ ପରିପୁଷ୍ଟ କରେ । ନାୟକ କିମ୍ବା ନାୟିକାଠାରେ ନୈରାଶ୍ୟ ଦେଖା ଦେଇପାରେ, ମାତ୍ର ପାଠକ ଜାଣେ ଯେ, ଏ ସବୁ କ୍ଷଣିକ । ଏହା ପରେ ମିଳନ ହେବ । ତେଣୁ କରୁଣ ବର୍ଣ୍ଣନାରୁ ଯେଉଁ ଦୁଃଖ ଜାତ ହେବାର କଥା ତାହା ହୋଇପାରେନା । କାରୁଣ୍ୟର କଟୁତା କମିଯାଏ । ମନଷ୍କାମନା ପୂର୍ଣ୍ଣ ହେବାର ଆଶା ଶତକଡ଼ା ଶହେ ଥିବାରୁ ଏ କାଳ ଦୁଃଖର କାଳ ହୋଇ ନ ପାରେ, ଏହା ସୁଖର କାଳ । ଏ କାଳରେ ବିଳାସ ଅଛି । ଏ ଦୁଃଖ ଉପଭୋଗ୍ୟ । ବାସ୍ତବିକ ସମାଲୋଚକର ଦୃଷ୍ଟିରେ ଏପରି କାନ୍ଦଣାରେ ନାଟକୀୟତା ଯଥେଷ୍ଟ ରହିଛି । ଆମ ଭାରତୀୟ ପରମ୍ପରା କ୍ରମେ ଯେଉଁ ମିଳନାତ୍ମକ ପରିସମାପ୍ତିକୁ କାବ୍ୟଧାରାରେ ସ୍ୱୀକାର କରିନିଆଯାଇଛି ତାହାଦ୍ଵାରା ଏ ତ୍ରୁଟିର ସମ୍ମୁଖୀନ ହେବାକୁ ପଡ଼େ । ନାୟକ ନାୟିକାର ହୃଦୟ ସହିତ ସେଥିଲାଗି ପାଠକ ହୃଦୟର ମିଳନ ହୋଇପାରୁ ନାହିଁ । ନାୟକ ନାୟିକା ସାମାଜିକ ପ୍ରାଣୀ ହୋଇପାରୁ ନାହାନ୍ତି । ସେମାନେ ଏକ ଏକ ବିଳାସୀ ଜୀବ । ସେମାନଙ୍କ ବାସସ୍ଥାନ ସ୍ଵପ୍ନପୁରୀରେ, କାଳ୍ପନିକ ସୁଖ ଦୁଃଖର ଉପଭୋଗ ମଧ୍ୟରେ ଖଟା ମିଠାର ଆସ୍ୱାଦନ କରି ଜୀବନକୁ ସେମାନେ ମନୋରମ କରିବାକୁ ଚାହାନ୍ତି । ତେଣୁ ଆଧୁନିକ ସମାଲୋଚକମାନେ ଏପରି ନାୟକ ନାୟିକାମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ କୁଣ୍ଠିତ ।

 

ଆମ ସାହିତ୍ୟରେ ବିୟୋଗାନ୍ତକ ଲେଖାମାନ ସୃଷ୍ଟି କଲେ କ’ଣ କ୍ଷତି କିଛି ବୁଝି ହୁଏନା । ଏ ଜୀବନରେ ମିଳନ ନ ହେଲେ ବି ପରଜନ୍ମ ତ ଅଛି ? ସେଇଠି ମିଳନ ହୁଅନ୍ତା । ମାତ୍ର ପରଜନ୍ମର ବିଶ୍ୱାସ ଥିଲେ ବି ତାର ପ୍ରିୟ ନାୟକ ନାୟିକାକୁ ନିତାନ୍ତ ହତାଶାରେ ପକାଇବାକୁ କବିର ସତ ବଳେନା । କାବ୍ୟ କବିର ମାନସ ସନ୍ତାନ । ସେଥିଲାଗି ବୋଧେ ଏ ମାୟା ।

 

ଯେଉଁମାନେ ଜୀବନରେ ସବୁବେଳେ ଆନନ୍ଦର କଳ୍ପନା କରୁଥିଲେ, ସେମାନେ ଯାହା ହୁଅନ୍ତୁ ପଛକେ ଏ ଦୁନିଆର ବ୍ୟକ୍ତି ବିଶେଷ ନୁହଁନ୍ତି । କଳ୍ପନାହିଁ ସେମାନଙ୍କ ନିକଟରେ ସତ୍ୟ । ମାତ୍ର ଏ ସତ୍ୟ ପଛରେ ଆଉ ଏକ ସତ୍ୟ ଥାଇପାରେ । ଯେଉଁମାନେ ଜୀବନର କଟୁତାକୁ ଭଲ ଭାବରେ ଚାଖିଛନ୍ତି, ସେମାନେ ହିଁ ଏ ଦୁନିଆରୁ ପଳାଇ ଯିବାକୁ ଚାହାନ୍ତି । ତାଙ୍କୁ ପଳାତକ କୁହାଯାଇପାରେ । ମାତ୍ର ସେମାନେ ଏକ ସ୍ୱତନ୍ତ୍ର ରମଣୀୟ ରାଜ୍ୟ ପ୍ରତିଷ୍ଠା କରିବାରେ ସଚେଷ୍ଟ ହୋଇଥାଆନ୍ତି । ଜୀବନର ପ୍ରେମର ପୀଡ଼ାକୁ ସହନ କରିବା ପାଇଁ ଚରମ ଉତ୍କର୍ଷ ବୋଲି ଭାବିଥାଆନ୍ତି । ଏ ସବୁ କାବ୍ୟର ନାୟକ ନାୟିକା ଅଳ୍ପ ବୟସ୍କ । ତେଣୁ ଭାବ ପ୍ରବଣ ହେବା ସ୍ୱାଭାବିକ । ଡାକ୍ତର ହରିକାନ୍ତ ଶ୍ରୀବାସ୍ତବଙ୍କ ମତରେ ଏମାନେ ସବୁ ଅଠର ବର୍ଷରୁ କମ୍ ବୟସର (୧)

 

ଅନ୍ୟ ଏକ ଦୃଷ୍ଟିରୁ ମଧ୍ୟଯୁଗକୁ ବିବେଚନା କରାଯାଇପାରେ । ମଧ୍ୟଯୁଗ ହେଲା ସାମନ୍ତବାଦୀଙ୍କ ଯୁଗ । ସେ ଯୁଗରେ ଉପଭୋଗ ଥିଲା ଜୀବନର ପ୍ରଧାନ ଆଦର୍ଶ । ଅତଏବ ଏହି ସମ୍ପ୍ରଦାୟର ଚିତ୍ତବିନୋଦନ ପାଇଁ ଯେଉଁ ଲେଖାମାନ ପ୍ରକାଶ ପାଇଲା ତାହାର ଆଦର୍ଶ କିପରି ହେବାର କଥା ? ହିନ୍ଦୀ ସାହିତ୍ୟରେ ନଗ୍ନ ବର୍ଣ୍ଣନା ବହୁ ଆଗରୁ ଦେଖା ଯାଉଥିଲା । ମୋଗଲ ସମ୍ରାଟଙ୍କ ବିଳାସ ପ୍ରିୟତା ହିନ୍ଦୀ ସାହିତ୍ୟକୁ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ କରିଥିଲା । ଅବଶ୍ୟ ସୂଫୀମାନେ ସେଥିରେ ଭକ୍ତିର ପୁଟ ଦେଇଥିଲେ । ତଥାପି ବର୍ଣ୍ଣନା ଉତ୍ତେଜକ ହେଉଥିଲା । ମହମ୍ମଦ ଜାୟସୀଙ୍କ ପଦ୍ମାଜତ କାବ୍ୟରେ ପଦ୍ମିନୀଙ୍କୁ ଦେଖି ରତନ ସିଂ ଯେପରି ବାରମ୍ବାର ମୂର୍ଚ୍ଛାଗଲେ ତାହା ପ୍ରୀତିର ଗାଢ଼ତା ଦେଖାଇବା ପରିବର୍ତ୍ତେ କାମୁକତାର ପରାକାଷ୍ଠା ପ୍ରତିପାଦିତ କରିଛି । ଏପରିକି ଅନେକତ୍ର ହିନ୍ଦୀ କବିଙ୍କର ନଗ୍ନ ବର୍ଣ୍ଣନା ଉପେନ୍ଦ୍ରଙ୍କୁ ବହୁଗୁଣରେ ଟପିଯାଇଛି । ପୁହୁପାର୍ବତୀରେ ରୂପବର୍ଣ୍ଣନା ପ୍ରସଙ୍ଗ ରୂଚିହୀନ ବୋଲି କୁହାଯାଇ ପାରେ । (୨)

 

ସାହିତ୍ୟରେ ଅନେକ ସମୟରେ ଦେହଜ ପ୍ରେମର ବର୍ଣ୍ଣନା ଦିଆଯାଇ ସେଥିରେ ଭକ୍ତି ଓ ଆଦର୍ଶକୁ ଠାଏ ଠାଏ ଛୁଆଁଇ ଦେଇଛନ୍ତି । ଦେହଜ ପ୍ରେମ ଦେଇ ତା ମଧ୍ୟରୁ ଟଣାଓଟରା ଦର୍ଶନର ପରଖ ଦେଇ ସାହିତ୍ୟରେ ଏକ ନୂତନ ପରୀକ୍ଷାର ସୂତ୍ରପାତ କରିଥିଲେ । ଏହା ଲୋକଙ୍କୁ ଭୁଲାଇବା ଛଡ଼ା ଅନ୍ୟ କିଛି ନୁହେଁ । ଏହି ବାଚାଳତା ଓ ଆତ୍ମବଞ୍ଚନା ଦୋଷରେ ସେ ଯୁଗର ଶ୍ରେଷ୍ଠ କବି ମଧ୍ୟ ଦୁଷ୍ଟ ହୋଇପାରିବେ । ସେ ଯାହା ହେଉ ଏଥିରୁ ଏତିକି ଜଣା ଯାଉଛି ବିଳାସପ୍ରିୟତା ସେ ସମୟରେ ଚରମ ସୀମାରେ ପହଞ୍ଚିଥିଲା । ଏହା ଥିଲା ସେ ସମୟର ଧାରା (୧) ମାତ୍ର ଏ ଘୋର ନୈରାଶ୍ୟ ମଧ୍ୟରେ ଟିକିଏ ଆଲୋକର ଦୀର୍ଘରେଖା ପରିଦୃଷ୍ଟ ହୁଏ । ପ୍ରେମର ବୀଭତ୍ସ ବର୍ଣ୍ଣନା ସତ୍ତ୍ୱେ ସ୍ଵକୀୟାଭାବ କବିଙ୍କ କଳ୍ପନାର ଉଚ୍ଛୃଙ୍ଖଳତାକୁ ଏକ ସୀମା ମଧ୍ୟରେ ରଖି ପାରିଥିଲା । (୨) ଓଡ଼ିଆ ସାହିତ୍ୟରେ ଉପେନ୍ଦ୍ରଙ୍କର ଏତାଦୃଶ ବର୍ଣ୍ଣନା ତାଙ୍କର ବିଶେଷତ୍ୱ ବୋଲି କୁହାଯାଏ । ମାତ୍ର ହିନ୍ଦୀ କାବ୍ୟ ଜଗତରେ ମଧ୍ୟ ଏହି ଧାରାର ପ୍ରବାହ ଅନେକ ବର୍ଷ ଧରି ଅପ୍ରତିହତ ଥିଲା । କେତେକ ସମାଲୋଚକ କହନ୍ତି, ଭାରତୀୟ କବିମାନେ ସ୍ଵକୀୟ ଭାବର ସୁଦୃଢ଼ ଦୁର୍ଗରେ ଆତ୍ମରକ୍ଷା ପାଇଁ ଆଶ୍ରୟ ଦେଇଥିଲେ । ଆହୁରି ଗୋଟିଏ କଥା ଏପରି ବର୍ଣ୍ଣନା ସେତେବେଳେ ପରକୀୟା ବାଦର ସର୍ବଗ୍ରାସୀ କରାଳ କବଳରୁ ଆମର ସମାଜକୁ ରକ୍ଷା କରିଥିଲା । ସ୍ଵକୀୟାବାଦରେ ମଧ୍ୟ ଉତ୍ତେଜକ ପଦାର୍ଥ ଯଥେଷ୍ଟ ଦିଆଯାଇ କାବ୍ୟକୁ ମନୋରମ ଓ ହୃଦୟଗ୍ରାହୀ କରାଯାଇପାରେ, ଏ କଥାକୁ ସେତେବେଳେ ଅନେକ କବି ପ୍ରମାଣ କରିବାକୁ ଚାହିଲେ ଓ ଅନେକ ପରିମାଣରେ କୃତକାର୍ଯ୍ୟ ମଧ୍ୟ ହେଲେ ।

 

୧- ଇନ୍ କାବ୍ୟୋଁମେ ମିଲାନେବାଲେ ସଭୀ ପାତ୍ର ଅଠାରହ ବର୍ଷକେ ଲଗ୍ ଭଗକେ ହୈ, ଜୋ କେବଲ ଅପନୀ ଭାବନାଓଁ ମେ ତଲ୍ଲୀନ ରହନା ତଥା ପ୍ରେମକୀ ମଧୁର ପୀଡ଼ା କୋ ସହନା ହୀ ଜୀବନ କା ଚରମ ଉତ୍କର୍ଷ ସମଝତେ ହୈ ।

 

ଭାରତୀୟ ପ୍ରେମାଖ୍ୟାନ କାବ୍ୟ

ଡାକ୍ତର ହରିକାନ୍ତ ଶ୍ରୀବାସ୍ତବ

 

୨- ଘୂଁଘଟ ଖୋଲି ଅଧର ରସ ଚାଖା

ମୌନ ବିଅ ପାର ହୈନ ରାଖା

କଞ୍ଚୂକୀ ଖୋଲି ଅଙ୍କ ମଲାଓ

କସ୍ୟୋ ଅଙ୍ଗ ଉମଙ୍ଗ ବଢ଼ାଓ

ଗହତ ଲଙ୍କ ବିର ହେ ଗଢ଼ତଜା

ଜାଈ ପାବରୀ ପରିଗାଡ଼ୋ ଧଜା

ନୌବତବାଜେ ଲଗୁ ନିଗାରା

ବୀଛିଆ ଘୂଘୂରନ୍ କା ଝନକାରା

ମୌନ ଭଣ୍ଡାର ଜାଈ ଉଧାରା

ଲେହଙ୍କୁଜୀ ତନୁ ଖୋଲା ତାରା

ଦୋ ଭରି ସେଜ ରୁଧିର ସୋ ବିରହକା ଭା ସଂହର

ଅଙ୍ଗ ଅଙ୍ଗ ସବ୍ ଭରା ଭା ଜୀତ ନୌସତ ସିଂଗାର

-ପୁହୁପାବତୀ-

 

ଶୃଙ୍ଗାର ରସ ଅବତାରଣା କରିବାକୁ ଯାଇ ସେମାନେ କଳ୍ପନାର ଆଶ୍ରୟ ନେଲେ । ବକ୍ରୋକ୍ତି, ଛଳୋକ୍ତି ପ୍ରେମିକ ପ୍ରେମିକାମାନଙ୍କ ମଧ୍ୟରେ ଅତି ସ୍ୱାଭାବିକ । ତେଣୁ ସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରିବା ପାଇଁ ନାନା ବାହ୍ୟାଡମ୍ବରର ଆୟୋଜନ ହେଲା । କ୍ରମେ କାବ୍ୟ ଜଟିଳ ହୋଇ ଉଠିଲା । କବିମାନେ କାବ୍ୟର ଏ ଦୁର୍ଭେଦ୍ୟତା ଭେଦ କରି ରସାସ୍ୱାଦନ କରିବାପାଇଁ ସୁଖ ମଣିଲେ-। ପ୍ରେମିକ ପ୍ରେମିକାଙ୍କର ପ୍ରେମକୁ ଆହୁରି ଆଦର୍ଶ ସ୍ଥାନୀୟ କରିବାପାଇଁ ସେମାନେ ନାନା କଳ୍ପନାର ଆଶ୍ରୟ ନେଲେ । କିନ୍ତୁ କାବ୍ୟର ପ୍ରତିଷ୍ଠା ପାଠକର ଗ୍ରାହକତାରେ । କାବ୍ୟ ଯେତେବେଳେ ନିତାନ୍ତ ଦୁର୍ବୋଧ, ସେତେବେଳେ ଉପଯୁକ୍ତ ଗ୍ରାହକ ମିଳିବେ କେଉଁଠୁ ? ମାତ୍ର ଦୁର୍ବୋଧ୍ୟ ନ ହଲେ କାବ୍ୟର ପରାକାଷ୍ଠା ରହିଲା କେଉଁଠି ? କେତେକ ଏହାକୁ ଟାଣଚଣା ଚର୍ବଣ ନାରଦ କଲାପରି କହି ଆନନ୍ଦ ଲାଭ କଲେ । ଆଉ କେତେକ ଏହାକୁ କ୍ଷୀରସିନ୍ଧୁ ପ୍ରାୟ ମନ୍ଥନ କରି ରସ ଗ୍ରହଣ କରିବାକୁ ପାଠକମାନଙ୍କୁ ଅନୁରୋଧ କଲେ । ନିଜ ନିଜ ଅଭେଦ୍ୟ ଦୁର୍ଗରେ ରହି କବିମାନେ ନିଜକୁ ଅଜେୟ ମନେକଲେ । ସ୍ଵାଧୀନ ମନୋଭାବାପନ୍ନ ଆଲୋଚକମାନେ ଏହାକୁ ସହ୍ୟ କରି ପାରିଲେ ନାହିଁ । ସେଥିଲାଗି କବିମାନଙ୍କ ଆଡ଼ୁ ଗାଳିର ଆୟୋଜନ ହେଲା । ସଂସ୍କୃତି ସାହିତ୍ୟର ମଧ୍ୟ ଖଳ ନିନ୍ଦା ବୋଲି ଗୋଟିଏ ପର୍ଯ୍ୟାୟ କାବ୍ୟ ମଧ୍ୟରେ ଦିଆଗଲା । ଓଡ଼ିଆ କବିମାନେ ତାହାହିଁ କଲେ । ସେମାନେ କାବ୍ୟର ସ୍ୱରୂପ ନିର୍ଣ୍ଣୟ କରି କହିଲେ କାବ୍ୟ ହେଉଛି ଏକ ଅଲୌକିକ ପଦାର୍ଥ । ପ୍ରାକୃତ ପଦାର୍ଥକୁ ଦେବତ୍ୱ ପ୍ରଦାନ କରିବା ଏହାର ଲକ୍ଷ । “ବିଭାବାନୁଭାବ ବ୍ୟଭିଚାରୀ ସଂଯୋଗାଦ୍ରସ ନିଷ୍ପତ୍ତିଃ’’ ବୋଲି ସମସ୍ତେ ମାନିନେଲେ । ତେଣୁ ଦିନକୁ ଦିନ କାବ୍ୟ ସବୁ ଅଳ୍ପ କେତେକଙ୍କର ସମ୍ପତ୍ତି ହୋଇଗଲା । ତଥାପି ଜନସାଧାରଣଙ୍କୁ ତ ଛାଡ଼ି ହେବ ନାହିଁ । କାବ୍ୟର ମର୍ମ ମନ୍ଥନ ନ କଲେ ବି କାବ୍ୟର କଳେବର ଦ୍ଵାରା ଜନସାଧାରଣ ଆକୃଷ୍ଟ ହେବା ଦରକାର । ସେମାନଙ୍କ ପାଇଁ ରହିଲା ସଙ୍ଗୀତ ଓ ଶବ୍ଦାଳଙ୍କାର । କବିମାନେ କେତେକଙ୍କୁ ଆମ୍ବ ଓ ଆଉ କେତେକଙ୍କୁ ଆମ୍ବଡ଼ା ଚଖାଇଲେ । ଏ ହେଲା ଏକ ଶୈଳୀ ଯାହାକି ପ୍ରାଚୀନ କାଳରେ ଖୁବ୍ ଆଦର ପାଇଥିଲା । ଆଜି ଅବଶ୍ୟ ଏସବୁ ଅନେକଙ୍କ ନିକଟରେ ଅଙ୍କ ପରି ଦୁର୍ବୋଧ୍ୟ । ମାତ୍ର ଯେଉଁ କେତେକ ଅଙ୍କରେ ଭଲ ପାରନ୍ତି, ସେମାନେ କହନ୍ତି ଅଙ୍କ କଷିବାରେ ଯେଉଁ ଆନନ୍ଦ ମିଳେ, ରସଗୋଲା ଖାଇବାରେ ବି ସେ ଆନନ୍ଦ ମିଳିବ ନାହିଁ ।

 

ବର୍ତ୍ତମାନ ଭରତଙ୍କ ଯୁଗକୁ ଟିକିଏ ଦୃଷ୍ଟିପାତ କରାଯାଉ । ସେତେବେଳେ ଅଳଙ୍କାର ଥିଲା-। ମୋଟେ ଚାରୋଟି – ଉପମା, ରୂପକ, ଦୀପକ, ଯମକ । ମାତ୍ର କ୍ରମେ ଅଳଙ୍କାରର ସଂଖ୍ୟା ବଢ଼ି ବଢ଼ି ଚାଲିଲା । ବର୍ତ୍ତମାନ ଗଣିପାରିବା ମଧ୍ୟ କଷ୍ଟ - ଆଳଙ୍କାରିକ ହେବାରେ ଅନେକ କାରଣ ରହିଛି-। ଶୋଭାବୃଦ୍ଧି କରିବା, ଆନନ୍ଦ ଅନୁଭବ କରିବା ହେଲା ପ୍ରଧାନ କାରଣ । ଅଳଙ୍କାରଶୋଭା ବର୍ଦ୍ଧନ କରେ, କାବ୍ୟକୁ ମଣ୍ଡିତ କରେ । କାବ୍ୟଦର୍ଶରେ ଦଣ୍ଡୀ ଲେଖିଛନ୍ତି “କାବ୍ୟ ଶୋଭା କରାନ୍ ଧର୍ମାନ୍ ଅଳଙ୍କାରାନ୍ ପ୍ରଚକ୍ଷତେ ।” ତାପରେ ଆସିଲେ କୁନ୍ତଳ, ରୂୟ୍ୟକ, ଜୟରଥ । ଉଭଟଙ୍କର ଅଳଙ୍କାର ସାରସଂଗ୍ରହ ଅଳଙ୍କାରର ଜୟଗାନ କଲା । ନାୟିକାକୁ ଅଳଙ୍କାରମୟୀ କରି ଉପେନ୍ଦ୍ର ଭଞ୍ଜ ଗାଇଲେ- ‘ଅଳଙ୍କାରର ଅଳଙ୍କାର ନିଶ୍ଚୟ ସେହି ରାମାବର ।’ ଅନେକ ସ୍ଥାନରେ ଅଳଙ୍କାର ନିଜକୁ କୃତାର୍ଥ ମନେ କରିଛନ୍ତି ଯେଉଁଠି ସେମାନେ ନାୟିକା ଅଙ୍ଗର ସ୍ପର୍ଶ ଅନୁଭବ କରିଛନ୍ତି । ମାତ୍ର ଅତ୍ୟଧିକ ଆନୁରକ୍ତି ଅନେକ ସମୟରେ ବିରକ୍ତିର କାରଣ ହୋଇଥାଏ । ରାଧାନାଥଙ୍କ ଭାଷାରେ ଅତ୍ୟଳ୍ପ ଭୂଷଣେ ଶୋହେ ମତ୍ତକାଶୀ, ଅଳ୍ପ ତାରା ସିନା ଲୋଡ଼େ ପୌର୍ଣ୍ଣମାସୀ ।’ ବୋଝେ ଅଳଙ୍କାର ଲଦି ହେଲେ ସ୍ଵାସ୍ଥ୍ୟ ପକ୍ଷରେ ମଧ୍ୟ ଖରାପ । ଉପେନ୍ଦ୍ର ପ୍ରମୁଖ କବିଗଣ କାବ୍ୟ ନାୟିକାର ସ୍ଵାସ୍ଥ୍ୟ ପ୍ରତି ଦୃଷ୍ଟି ନ ଦେଇ ଖାଲି ରୂପସୁଧା ପାନ କରିବାରେ ବ୍ୟସ୍ତ ରହିଲେ । ବିଚିତ୍ର କ୍ଲିଷ୍ଟ ଶବ୍ଦର ଜାଲ ମଧ୍ୟରେ ଅଳଙ୍କାରକୁ ବାନ୍ଧି ରଖାଗଲା । ସେମାନେ ଧୂନିକାବ୍ୟ ଲେଖିବାକୁ ପସନ୍ଦ କଲେ ନାହିଁ । ବରଂ ଚିତ୍ରକାବ୍ୟର ସୃଷ୍ଟି କରିବାକୁ ପସନ୍ଦ କଲେ । ମାତ୍ର ଏପରି ରଚନାକୁ ଚିତ୍ରକାବ୍ୟ କୁହାଯାଉ ବା ନିମ୍ନସ୍ତରର ସାହିତ୍ୟ କୁହାଯାଉ, ଏକ ସମୟରେ ଆମ ଭାରତୀୟ ସାହିତ୍ୟ କ୍ଷେତ୍ରର ଏହା ଆଦର୍ଶ ସ୍ୱରୂପ ଥିଲା । କାବ୍ୟ ଯେତେ ସୁନ୍ଦର ହେଲେ ବି ସୁନ୍ଦର ଚମତ୍କାର ଶବ୍ଦଟିଏ ପ୍ରକାଶ କଲେ କବି ଭାବୁଥିଲା ସତେ ଯେପରି ସେ ଏକ ଦୁର୍ଗ ଜିତିଛି । ଚମତ୍କାର ଶବ୍ଦର ତାରିଫ କରିବାକୁ ଯାଇ କବି କହିଛନ୍ତି –

 

ଏକେନ କେନଚିଦନର୍ଘ ମଣିପ୍ରଭେଣ

କାବ୍ୟଂ ଚମତ୍କୃତି ପଦେନ ବିନା ସୁବର୍ଣ୍ଣମ୍ ।

ନିର୍ଦୋଷ ଲେଶମପି ରୋହତି କସ୍ୟ ଚିତ୍ତେ

ଲାବଣ୍ୟହୀନ ମିବ ଯୌବନ ମଙ୍ଗନାନାମ୍ ।।

 

କ୍ଷେମେନ୍ଦ୍ର ଏହି ଚମତ୍କାରିତାକୁ ଦଶଭାଗରେ ବିଭକ୍ତ କରିଛନ୍ତି । ସେ କବିତାର ସାଧନ ପାଇଁ ପାଞ୍ଚଟି ପଥ ଦେଖାଇଛନ୍ତି । ୧-କବିତ୍ଵଶକ୍ତ, ୨ ଶିକ୍ଷା, ୩-ଚମତ୍କାରୋତ୍ପାଦନ, ୪-ଗୁଣ ଦୋଷ ଜ୍ଞାନ, ୫-ପରିଚୟ ଚାରୁତା । କବି ହେବାକୁ ହେଲେ ଯେଉଁ ପାଞ୍ଚଟି ସାଧନ ଦରକାର ‘ଚମତ୍କାରୋତ୍ପାଦନ’ ତାହା ମଧ୍ୟରୁ ଅନ୍ୟତମ । ଯେଉଁ କବିଠାରେ ଚମତ୍କାର ଉତ୍ପାଦନ କରିବା ଶକ୍ତି ନାହିଁ ସେ କବି ନୁହେଁ । ଯେଉଁ କାବ୍ୟ ଚମତ୍କାର ପୂର୍ଣ୍ଣ ନୁହେଁ ସେଥିରେ କାବ୍ୟତ୍ ନାହିଁ । ‘‘ନହି ଚମତ୍କାର ବିରହିତସ୍ୟ କବେଃ, କବିତ୍ୱଂ କାବ୍ୟସ୍ୟ କାବ୍ୟତ୍ଵମ୍ ।’’

 

ଅବଶ୍ୟ ଅନେକ ଆଧୁନିକ ସମାଲୋଚକ ନିର୍ଦ୍ଦୟ ଭାବରେ ଏହାର ସମାଲୋଚନା କରନ୍ତି-। ସେମାନଙ୍କ ମତାନୁସାରେ ରସ ଉତ୍ପାଦନ କରିବା ପାଇଁ ଯେତେ ପନ୍ଥା ଅନୁସୃତ ହେଲେ ମଧ୍ୟ ଭାବକୁ ପ୍ରଥମେ ଦୃଷ୍ଟି ଦେବା ଦରକାର । କାରଣ ରସର ବୀଜ ହେଉଛି ଭାବ । ବୀଜ ବିନା ଗଛ ହୋଇପାରେ ନାହିଁ । ସେହିପରି ଭାବର ପୁଷ୍ଟି ନ ହେଲେ କାବ୍ୟ ଉଚ୍ଚ ଧରଣର ହୋଇପାରେ ନାହିଁ-। ବଙ୍ଗଳାର ଏକତମ ଶ୍ରେଷ୍ଠ ମୌଳିକ ସମାଲୋଚକ ଶ୍ରୀ ପ୍ରମଥ ଚୌଧୁରୀ ପ୍ରାଚୀନ ସାହିତ୍ୟର ଏହି ମହାଡମ୍ବରକୁ କଠୋର ସମାଲୋଚନା କରିଛନ୍ତି (୧) ।

 

ବାସ୍ତବିକ ଅନେକ ସମୟରେ ରୂପ ଉପରେ ଜୋର ଦେବାରୁ ଗୁଣ ଉପରୁ ନଜର କମିଯାଏ । ଫଳରେ କାବ୍ୟଟି ମହାକାଳ ଫଳପରି ଉପର ସୌନ୍ଦର୍ଯ୍ୟକୁ ଧରି ବସିଥାଏ । ଉପେନ୍ଦ୍ରଭଞ୍ଜ ଓ ଅନ୍ୟାନ୍ୟ କବିଗଣ ଗୋଟାଏ ଗୋଟାଏ ସୁନିର୍ମିତ ରୀତରେ କାବ୍ୟର କଳେବର ସଜାଉଥିଲେ । ଗୋଟିଏ ଅକ୍ଷରରେ କାବ୍ୟ ଆରମ୍ଭ କରିବା ସେ ଯୁଗରେ କବିମାନଙ୍କର ଗୋଟାଏ ଫେସନ ଥିଲା କହିଲେ ଚଳେ । ରସକଲ୍ଲୋଳ ‘କ’ରେ ଆରମ୍ଭ ହେବାରୁ କଳାକଉତୁକର ଆରମ୍ଭ ଓ ଶେଷରେ କ’ ଅକ୍ଷର ବସିଲା । ଉପେନ୍ଦ୍ରଭଞ୍ଜ ରାମତାରକ ମନ୍ତ୍ରରେ ସିଦ୍ଧି ଲାଭ କରନ୍ତୁ ବା ଶବ୍ଦ ସମୁଦ୍ର ପାର ହୁଅନ୍ତୁ (୧) ଏକଥା ସ୍ୱୀକାର କରିବାକୁ ହେବ ଯେ ଶବ୍ଦର ଉପରେ ଅତ୍ୟଧିକ ଲୋଭ ତାକୁ ଅତ୍ୟନ୍ତ ଅଡ଼ୁଆରେ ପକାଇଛି । କାବ୍ୟର ରୀତି ଦୃଷ୍ଟିରୁ ଅନେକ ଅନାବଶ୍ୟକ ଶବ୍ଦକୁ ଓ ପ୍ରତ୍ୟୟକୁ ଅପରିହାର୍ଯ୍ୟ ରୂପେ ଗ୍ରହଣ କରିବାକୁ ସେ ବାଧ୍ୟ ହୋଇଛନ୍ତି । କଳାକଉତୁକର ଏକ ସ୍ଥାନରେ ସ୍ନେହୀ ଶବ୍ଦରୁ କ ପ୍ରତ୍ୟୟ କରିଛନ୍ତି (୨) ଚୟ ଶବ୍ଦରୁ ଉତ୍ତର କ ପ୍ରତ୍ୟୟ କରିଛନ୍ତି (୩) ମାତ୍ର କାବ୍ୟର ଅନୁରୋଧରେ ସେ ଏପରି ଲେଖିବାକୁ ବାଧ୍ୟ ହୋଇଛନ୍ତି ।

 

କେବଳ ଓଡ଼ିଆ ସାହିତ୍ୟ ନୁହେଁ, ଏହି ସମୟର ଭାରତୀୟ ଅନ୍ୟାନ୍ୟ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଏହିପରି ରଚନାର ନମୁନା ମିଳେ । ଭାରତ ଚନ୍ଦ୍ରଙ୍କର ବର୍ଷା ବର୍ଣ୍ଣନାରୁ କେତେକ ପଂକ୍ତି ନେଲେ ଏ ଉକ୍ତିର ସତ୍ୟତା ପ୍ରମାଣିତ ହେବ । କବି ବର୍ଷା ସହିତ ଯତି ପକାଇବାକୁ ଯାଇ ଅଭର୍ସା, କର୍ଷା, ନିଳର୍ଷା ପ୍ରଭୃତି ଅପ୍ରଚଳିତ ଶବ୍ଦର ବ୍ୟବହାର କରିଛନ୍ତି । ଶବ୍ଦାଳଙ୍କାର ପ୍ରୟୋଗ ପାଇଁ ଚମକି, ମକ୍‍ମକି, ଧକ୍‍ଧକି ଶବ୍ଦର ବ୍ୟବହାର କରିଛନ୍ତି । ୧୮ ମାତ୍ର କବିତ୍ୱ ଯେ ଅନୁପ୍ରାସାଦ ଅଳଙ୍କାରକୁ ସର୍ବଦା ଅପେକ୍ଷା କରିଥାଏ ତାହା ନୁହେଁ, ଜଲପଡ଼େ; ପାତାନଡ଼େ-ଏତିକି ବର୍ଣ୍ଣନାରେ ବି କବିତ୍ଵର ଯଥେଷ୍ଟ ପ୍ରକାଶ ରହିଛି । ମେଘ ବରଷିଲା ଟୁପୁରୁ ଟୁପୁରୁ କେଶର ମାଇଲା ଗଜା ଇତ୍ୟାଦି ପଂକ୍ତି ବର୍ଷାକାଳର ନିଖୁଣ ବର୍ଣ୍ଣନା ଦେବାକୁ ସମର୍ଥ ହୋଇଛି । ଅବଶ୍ୟ ବର୍ଷାକାଳ ବର୍ଣ୍ଣନାରେ ଉପେନ୍ଦ୍ର ଭଞ୍ଜଙ୍କର ବିଶେଷତ୍ୱ ଦେଖାଯାଏ ଅନୁପ୍ରାସର ଅବତାରଣା କରି ବର୍ଷା ବର୍ଣ୍ଣନାକୁ ଜୀବନ୍ତ କରିପାରିଛନ୍ତି । ୨। ମେଘକୁ ସିଂହ ସହିତ ତୁଳନା କରି ପର୍ବତକୁ ମତ୍ତହସ୍ତୀର ଉପମା ଦେଇ ସୁନ୍ଦର ରୂପକ ସୃଷ୍ଟି କରିଛନ୍ତି । ମାତ୍ର ଏଥିରେ କବି ଯେତେ ଶ୍ରମବ୍ୟୟ କରିଛନ୍ତି ସେହି ଶ୍ରମର ଉପଯୁକ୍ତ ବିନିଯୋଗ ହୋଇଥିଲେ ଆଜି ହୁଏତ ଓଡ଼ିଆ ସାହିତ୍ୟର ପ୍ରାଚୀନ ଗନ୍ତାଘର ଆହୁରି ସମୃଦ୍ଧିଶାଳୀ ବୋଲି ଜଣାପଡ଼ନ୍ତା ।

 

୧-ହିନ୍ଦୁଯୁଗେର ଶେଷ କବି ଜୟଦେବ ନିଜର କାବ୍ୟ ସମ୍ବନ୍ଧେ ଯେ କଥା ବଲେଛେନ, ତାଁର ପୂର୍ବବର୍ତ୍ତୀ କବିରାଓ ଇଙ୍ଗିତେ ସେଇ ଏକଇ କଥା ବଲେଛନ୍‍ । ସେ କଥା ଏଇ ଯେ, ଯଦି ବିଳାସ କଲାୟ କୁତୂହଲୀ ହାଓ ଆମାର କୋମଲକାନ୍ତ ପଦାବଳୀ ଶ୍ରବଣ କରୋ । ଏକ କଥାୟ ଯେ ଯୌବନ ଯଯାତି ନିଜର ପୁତ୍ର ଦେଇ କାଛେ ଭିଷା କରେଛିଲେନ, ସଂସ୍କୃତ କବିରାଓ ସେଇ ଯୌବନେରି ରୂପଗୁଣ ବର୍ଣ୍ଣନା କରେଛେନ୍ । ଯୌବନେର ସ୍ଥୁଲ ଶରୀରକେ ଅତି ଆସ୍କାରାଦିଲେ ତା ଉତ୍ତରୋତ୍ତର ସ୍ଥୁଲହତେ ସ୍ଥୁଲରେ ହସ୍ତେ ଉ0; ଏବଂ ସେଇ ସଙ୍ଗେ ତାର ସୂକ୍ଷ୍ମ ଶରୀରଟି ସୂକ୍ଷ୍ମତମ ହୟେ ଉଠେ ଯେ, ତା ଶୁଣି ପାଓୟାଇ ଭାଲ ହୟ’ । ସଂସ୍କୃତ ସାହିତ୍ୟର ଅବନତିର ସମୟ କାବ୍ୟ ରକ୍ତମାଂସେର ପରିମାଣ ଏତ ବେଡ଼େ ଗିୟେଛିଲୋ ଯେ, ତାର ଭିତର ଆତ୍ମାର ପରିଚୟ ଦିତେ ହଲେ ସେଇ ରକ୍ତମାଂସେର ଆଧ୍ୟାତ୍ମିକ ବ୍ୟାଖ୍ୟା କରାଛଡ଼ା ଆମାଦେର ଉପାୟ ନେଇ । ଦେହକେ ଅତଟା ପ୍ରଧାନ୍ୟ ଦିଲେ ମନ୍ ପଦାର୍ଥଟି ବିଗଡେୟ ଯାୟ । ତାର ଫଲେ ଦେହ ଓ ମନ୍ ପୃଥକ୍ ହୟେ ଯାୟ ଏବଂ ଉଭୟେର ମଧ ଆତ୍ମୀୟତାର ପରିବର୍ତ୍ତେ ଜ୍ଞାତି- ଶତ୍ରୁତା ଜନ୍ମାୟ-

 

ପ୍ରଥମ ଚୌଧୁରୀ by ଜୀବେନ୍ଦ୍ର ସିଂହରାୟ ।

 

(୨)

ତରଣୀକୂଳର ସାର, ଆଶ୍ରୟରୁ ନିରନ୍ତର

କହେ ଉପଇନ୍ଦ୍ର ଭଞ୍ଜ ମୁଁ ଲଭିଛି ଶବଦ ସମୁଦ୍ରପାର

 

-ଛାନ୍ଦ ଭୂଷଣ-

(୩)

କଳକଣ୍ଠୀ ଏରୂପେ ଚନ୍ଦ୍ର ସ୍ନେହିକ

କରଜ କୃଷ୍ଣଚନ୍ଦ୍ର ହୋଇଣ ଶୋକ ।।

-କଳା କଉତୁକ-

(୪)

କବି କବିରେ ଅଗୋଚର ଖ୍ୟାତ କୀର୍ତ୍ତି ଚୟକ

କବି କରିଅଛି ହୋଇବି କବି ହେ ସଞ୍ଚୟବି ।।

-କଳା କଉତୁକ-

୧ମ ଛାନ୍ଦ-୭ମ ପଦ ।

 

ପ୍ରାଦେଶିକ ଭାଷାକୁ ସଂସ୍କୃତ ଭାଷାର ଛାଞ୍ଚରେ ଗଢ଼ିବାର ଯେଉଁ ମୋହ, ତାହା ଆମର ଉପକାର ଯାହା କରିଛି, ଅପକାର କରିବା ଭିତରେ ଏତିକି କରିଛି, ଆମ ସାହିତ୍ୟର ଦୃଷ୍ଟିକୁ ସଂକୀର୍ଣ୍ଣ କରି ଦେଇଛି । ପ୍ରମଥ ଚୌଧୁରୀ ତାଙ୍କର ବଙ୍ଗଭାଷା ବନାମ ବାବୁ ବାଁଲା ଓରଫେ ସାଧୁଭାଷା ନାମକ ପ୍ରବନ୍ଧରେ ଏହାର ତୀବ୍ର ସମାଲୋଚନା କରିଛନ୍ତି ।୩ ।

 

ମଧ୍ୟଯୁଗର ଆଉ ଏକ ବିଶେଷତ୍ୱ ହେଉଛି ସଙ୍ଗୀତ ପରିବେଷଣ । ସାହିତ୍ୟ ମାଧ୍ୟମରେ ସଙ୍ଗୀତର ପରିବେଷଣ କରି ଜନସାଧାରଣଙ୍କୁ ତୃପ୍ତ କରିବା ସେ ସମୟର କବିଙ୍କର ଲକ୍ଷ୍ୟ ଥିଲା । ଛାନ୍ଦ ନେଇ ଅନେକ ମତବାଦ ଦୃଷ୍ଟ ହୁଏ । କେତେକ କହନ୍ତି ଛନ୍ଦ କବିତାର ସୌନ୍ଦର୍ଯ୍ୟ ବୃଦ୍ଧି କରେ-। କେତେକ କହନ୍ତି କବିତାର ଗତି ଏହାଦ୍ୱାରା ବ୍ୟାହତ ହୁଏ - ମାତ୍ର ଏ ଦୁଇଟି ମତ ଏକ ଦେଶଦଶୀ । କାରଣ ଛନ୍ଦହୀନ କବିତାରେ ବାହାର ଆକର୍ଷଣ ବିଶେଷ ନ ଥିଲେ ସୁଦ୍ଧା ଭାବର ଓଜନ ବିଶେଷ ଥାଏ । କବିତାର ବାହ୍ୟ ଶରୀର ଉପରେ ଅଧିକ ଦୃଷ୍ଟି ଦେଲେ ତାର ଆତ୍ମଧର୍ମ ଉପରେ ଆଞ୍ଚ ପଡ଼ିବାରେ ଯଥେଷ୍ଟ ଆଶଙ୍କା ରହିଛି । ମାତ୍ର ସଙ୍ଗୀତର ପୃଷ୍ଠପୋଷକମାନେ କହନ୍ତି କେବଳ ସଙ୍ଗୀତହିଁ କାବ୍ୟକୁ ଗତିଶୀଳ କରିଥାଏ । ନଦୀର ଦୁଇ ପାର୍ଶ୍ୱରେ ଥିବା ବନ୍ଧ ନଦୀର ଜଳଧାରାକୁ ନିୟନ୍ତ୍ରିତ କରେ, ଜଳଧାରା ମଧ୍ୟରେ କଳଗୀତିର ସଞ୍ଚାର କରେ । ଏମାନେ କହନ୍ତି ଭାବ ଉପରେ ବିଶେଷ ନଜର ନ ଦେଲେ ହେଲା । କାରଣ ଭାବ ସାହିତ୍ୟରେ ସବୁକିଛି ନୁହେଁ । ସେଥିପାଇଁ ଆମ ସାହିତ୍ୟରେ ଗୀତା, ଭାବବତ, ପୁରାଣ, ଉପନିଷଦ ଅଛି । ଭାବ ପାଇଁ କାବ୍ୟ ନିକଟକୁ ଦୌଡ଼ିବା ଦରକାର ନାହିଁ । କାବ୍ୟରେ ଥାଏ କେବଳ ଆନନ୍ଦ । ଏହି ଆନନ୍ଦ ଯଥେଷ୍ଟ ପୁଷ୍ଟ ହୋଇଥାଏ ସଙ୍ଗୀତର ସଂଯୋଗ ଦ୍ଵାରା । ଭାବର ଗୁରୁତ୍ୱ ଟିକିଏ ହ୍ରାସ ହେଲେ ବି ଚଳେ ।

 

ମଧ୍ୟଯୁଗରେ କୌଣସି ଗୋଟିଏ ଦିଗ ପ୍ରତି କବିମାନଙ୍କର ନଜର ଭଲ କହି ହେବନାହିଁ । ସେମାନେ ଭାବ ଓ ଭାଷା ଉଭୟ ପ୍ରତି ଦୃଷ୍ଟି ଦେଇଥିଲେ । ମାତ୍ର ଛନ୍ଦର ପ୍ରଚଳନ ସେମାନଙ୍କର ଅସ୍ଥି ମଜାଗତ ହୋଇ ଯାଇଥିଲା । କେତେକ ଇଂରେଜ ସମାଲୋଚନା ମଧ୍ୟ ଏହାକୁ ହିଁ ପସନ୍ଦ କରୁଥିଲେ । Rev. H.C. Beaching ତାଙ୍କର study of Poetryରେ କହିଛନ୍ତି – It is not idle chance or mere caprice that Paradise lost is written in iambic varses and Shelleys' Ode to skylark in trochaics. ରୁଦ୍ଧ ପତନ ବାକ୍ୟର ମୂଲ୍ୟ ବଢ଼ାଇଦିଏ । ଶ୍ରତି ମଧୁର ହେବାରୁ ସମସ୍ତଙ୍କ ଦୃଷ୍ଟି ସାହିତ୍ୟ ଆଡକୁ ଆକର୍ଷିତ ହୁଏ ତେଣୁ Beeching କହନ୍ତି-Rhyme as much as metre, is a mode of tightening expression, a stimulant to the attention.

 

୧-

ଭୁବନେ କରିଲ ତୂର୍ଣ୍ଣ ନଦନଦୀ ପରିପୂର୍ଣ୍ଣ

ବିରହିଣୀ ବେଶଚୂର୍ଣ୍ଣ ଭାବିୟା ଅଭର୍ସା

ବିଦ୍ୟୁତେର ଚକମକି ଡାହୁକେର ମକ୍‍ମକି

କାମାନଳ ଧକ୍‍ଧକି ବଡ଼ ହେଲ କର୍ଷା

ମୟୂର ମୟୂରୀ ନାଚେ ଚାତକିନୀ ପିଉ ଯାଚେ

ଆରିକି ବିହରୀ ବାଁରେ ବୁଝିନୁ ନିକର୍ଷା ।

ଭାରତେର ଦୁଃଖମୂଲ କେବଳ ହୃଦୟେ ଶୂଲ

ଫୁଟାଲି କଦମ୍ବ ଫୁଲ ଆ ଆରେ ବର୍ଷା ।

-ଭାରତଚନ୍ଦ୍ର-

୨-

ଦେଖି ନବକାଳିକା ବକାଳିକା ମାଳିକା

ଆଳି କାଳିକା କାନ୍ତ ସ୍ମରି

ରକ୍ଷା କେମନ୍ତେ କରି କରିରେ ମତ୍ତକରୀ-

ଗତିକି ଏମନ୍ତ ବିଚାରୀ ରେ ସହଚରୀ ।

-ଲାବଣ୍ୟବତୀ-

 

୩- ଭାଷାର ଦେହେର ପରିଚୟ ଅଭିଧାନେ ଏବଂ ତାର ଗଠନେଇ ପରିଚୟ ବ୍ୟାକରଣେ । ସୁତରାଂ ବାଁଲାର ଏବଂ ସଂସ୍କୃତେ ଆକୃତିଗତ ମିଲ ଥାକଲେଓ ଜାତିଗତ କୋନୋରୂପ ମିଲ ନେଇ । ପ୍ରଥମଟି ହଛେ Analtieal ଦ୍ୱିତୀୟଟି Inflectional ଭାଷା । ସୁତରାଂ ବାଁଳାକେ ସଂସ୍କୃତେର ଅନୁରୂପ କରେ ଗଡେ ତୁଲତେ ଚେଷ୍ଟାକରେ ଆମରା ଯେ ବଙ୍ଗଭାଷାର ଜାତି ନଷ୍ଟ କରି, ସୁଧ ତାଇନୟ, ତାର ପ୍ରାଣ ବଧ କରିବାର ଉପକ୍ରମ କରି ।

-ପ୍ରଥମ ଚୌଧୁରୀ–

 

ଶବ୍ଦର ପ୍ରଭାବ ମଧ୍ୟଯୁଗର ସାହିତ୍ୟ କ୍ଷେତ୍ରରେ ଏକ ବିଶେଷ କଳାରୂପେ ଗୃହୀତ ହେଉଥିଲେ, Behemoth, biggest born of earth କିମ୍ବା The world of waters loide and deep ଏହାର ଉଦାହରଣ । କର୍ଣ୍ଣ ପ୍ରୀତିକର ଶବ୍ଦ ସମ୍ଭାର ବିଶେଷତଃ ଅନୁପ୍ରାସର ନମୁନା ଏହାକୁ ଆଦରଣୀୟ କରିଥାଏ । ବା ଓ ୱର ଅନୁପ୍ରାସକୁ ମଧ୍ୟ ଇଂରେଜି ଲୋକେ ତ ସେ ସମୟରେ ସହ୍ୟ କରୁଥିଲେ ।

 

Fairie Queneରେ ଏହାର ଅନ୍ୟ ଏକ ନମୁନା ଆମେ ପରୀକ୍ଷା କରିପାରୁ ।

And more to bell him in his

Slumber Salt

A trickling stream from high rock

rambling down

And ever - drizzling rain

upon the loft

Mixt with a murmering wind

much like the sown

Of swearing bees, did cast him

in a swown

Beeching କହନ୍ତି କିପରି ସୁନ୍ଦର ବାଛି ନେବେ । କବିଙ୍କର ସର୍ବଦା ତାହାହିଁ ଲକ୍ଷ୍ୟ ।

 

Then is certain qualities at individual words of which poets, abode all other writers, one carefull to take advantage. The poet is alive to the association of words.

 

ଶବ୍ଦ ମଧ୍ୟରେ କଳ୍ପନା ଆହୁରି ସୁନ୍ଦର ଓ ଚମକପ୍ରଦ ହୋଇଥାଏ । ଉପେନ୍ଦ୍ର ଭଞ୍ଜଙ୍କ ପ୍ରକୃତି ବର୍ଣ୍ଣନା ଓ ରୂପକ ସୃଷ୍ଟି ମୂଳରେ ଶବ୍ଦ ସଂଗଠନର ବିଶେଷତ୍ଵ ରହିଛି । ଛଳୋକ୍ତି ଓ ବକ୍ରୋକ୍ତିପାଇଁ ଭାଷା କେବଳ ଦାୟୀ । ବିରୋଧାଭାସ ପ୍ରଭୃତି ଅଳଙ୍କାରକୁ ଅର୍ଥାଳଙ୍କାର କହିଲେ ମଧ୍ୟ ସୁନ୍ଦର ଶବ୍ଦର ଗ୍ରଥନ ଏଥିପାଇଁ ବିଶେଷ ପରିମାଣରେ ଦାୟୀ । ଦେଖି ନବକାଳିକା ବକାଳିକା ମାଳିକା’ ଛାନ୍ଦରେ ଅର୍ଥ ଯାହା ହେଉନା କାହିଁକି ଶବ୍ଦର ମନୋହାରିତା ଏହାର ମହତ୍ତ୍ଵକୁ ବିଶେଷ ଭାବରେ ବଢ଼ାଉଛି । ବିରହ ବର୍ଣ୍ଣନାରେ ଉପେନ୍ଦ୍ର ସିଦ୍ଧହସ୍ତ । ପ୍ରକୃତିକୁ ଜୀବନ୍ତ ରୂପଦେଇ ବର୍ଣ୍ଣନା କରିବା ପ୍ରତିଭା ସାପେକ୍ଷ । ଏସବୁଥିରେ ମଧ୍ୟଯୁଗର କବିମାନେ ଚେଷ୍ଟାକରି ଅଛନ୍ତି ଓ ଅନେକରେ ସଫଳ ହୋଇଛନ୍ତି । ଶବ୍ଦତତ୍ତ୍ୱ ସହିତ ସଙ୍ଗୀତର ସମାବେଶ ଏବଂ ସମୟରେ ସରଳ ସାହିତ୍ୟାକାଶରେ ଏକ ଅପୂର୍ବ ଦ୍ୟୋତନା ସୃଷ୍ଟି କରିଥିଲା । ସେଥିଲାଗି ଗୋପବନ୍ଧୁ ତାଙ୍କୁ ସର୍ବଶ୍ରେଷ୍ଠ ଗୌରବର ଅଧିକାରୀ କରାଇଛନ୍ତି । (୧) ବହୁ ଆଧୁନିକ କବି ତାଙ୍କର ପ୍ରତିଭାର ପୂଜାକରି ନିଜେ ସେଥିରେ ଅନୁପ୍ରାଣିତ ହୋଇଛନ୍ତି ।

 

ଆମେ ମଧ୍ୟଯୁଗକୁ ରୀତିଯୁଗ ବୋଲି କହୁଁ । ମାତ୍ର ରୀତିଯୁଗ କହିବାର ସମୀଚୀନତା ଉପରେ ବିଚାର କରିବା ଦରକାର । ବାମନ ରୀତିପାଇଁ ଦଶଟି ଗୁଣର ବ୍ୟବସ୍ଥା କରିଛନ୍ତି ।

 

ଯଥା-ଓଜଃ, ପ୍ରସାଦଃ, ଶ୍ଳେଷଃ, ସମତା, ସମାଧିଃ, ମାଧୁର୍ଯ୍ୟ, ସୌକୁମାର୍ଯ୍ୟ, ଉଦାରତା, ଅର୍ଥବ୍ୟକ୍ତି ଓ କାନ୍ତି । ଏଗୁଣଗୁଡ଼ିକ କ’ଣ ତାହା ମଧ୍ୟ ସେ ବୁଝାଇଛନ୍ତି, ଉଦାରତା ଗୁଣର ସଂଜ୍ଞା ଦେବାକୁ ଯାଇ କହିଛନ୍ତି- ‘ଅଗ୍ରାମ୍ୟତ୍ୱ – ମୁଦାରତା”, ଗ୍ରାମ୍ୟତ୍ଵର ଅର୍ଥ ଅର୍ଶୀଳତା, ତାଙ୍କର କହିବାର ଉଦ୍ଦେଶ୍ୟ ହେଉଛି କାବ୍ୟରେ ଅଶ୍ଳୀଳତା ରହିବା ଅନୁଚିତ । ହରିହର ମିଶ୍ର ମହାଶୟ ତାଙ୍କର ବ୍ୟଞ୍ଜନ ଓ କାବ୍ୟପୁସ୍ତିରେ ଏହି ମତର ସମାଲୋଚନା କରିଛନ୍ତି । ତାଙ୍କର ଯୁକ୍ତି ହେଉଛି, ଅଶ୍ଳୀଳତା ଏକ ଦୋଷ ସତ୍ୟ, ମାତ୍ର ତାହାର ଅଭାବକୁ ଯଦି ଗୁଣବୋଲି ଧରାଯାଏ, ତେବେ ଯେଉଁ ଲୋକର ବଧିରତାର ଅଭାବଅଛି ଖଞ୍ଜତ୍ଵର ଅଭାବ ଅଛି, ସେଗୁଡ଼ିକୁ ତାର ଗୁଣବୋଲି କହିବା । ଯେଉଁ ଲୋକ ପାଦରେ ଚାଲିପାରେ କାନରେ ଶୁଣିପାରେ ସେହି ବିଶିଷ୍ଟ ଗୁଣୀବୋଲି ଧରିବାକୁ ହେବ । ବସ୍ତୁତଃ ବାମନ କୃତ ଦଶଟିଗୁଣ ଦୋଷର ଅଭାବମାତ୍ର । ବାମନ ମାଧୂର୍ଯ୍ୟ ଗୁଣକୁ ଭକ୍ତିର ବୈଚିତ୍ରୀ ବୋଲି କହିଛନ୍ତି । xxx Xx XXX ମାତ୍ର ଏ ଉକ୍ତି ନିତାନ୍ତ ଦୁର୍ବୋଧ୍ୟ, କାରଣ ବୈଚିତ୍ର୍ୟ ବୋଇଲେ କ’ଣ ବୁଝାଏ । ବୈଚିତ୍ର୍ୟ ନଥିଲେ କାବ୍ୟ ହେବା ତ ଅସମ୍ଭବ । ବୈଚିତ୍ର୍ୟ ହେଉଛି ପ୍ରକାଶ ଭଙ୍ଗୀ । ଏସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ଦଶଟି ଗୁଣ ସାହାଯ୍ୟରେ ଉକୃଷ୍ଟ କାବ୍ୟର ସଜ୍ଞା ନିର୍ଦ୍ଧାରଣ କରିବା ଅସମ୍ଭବ ।

 

ବୈଦର୍ଭୀ ଓ ପାଞ୍ଚାଳୀ ପ୍ରଭୃତି ଯେଉଁରୀତିମାନ ସଂସ୍କୃତ ସାହିତ୍ୟରେ ପ୍ରଚଳିତ ଅଛି, ସେଗୁଡ଼ିକୁ ଆମର କବିମାନେ ଦୃଢ଼ରୂପେ ଧରିଥିଲା ପରି ମନେ ହୁଏନା । ବୈଦର୍ଭୀ ରୀତିରେ ଆମର କେହି କବି ନାହାନ୍ତି କହିଲେ ଚଳେ । କାରଣ ଦଶଟି ଗୁଣ ଦେବାକୁ ଗଲେ ଅନେକ ସମୟରେ ଦିଅଁ ଗଢ଼ୁ ଗଢ଼ୁ ବାନ୍ଦର ହୋଇଯିବାର ଆଶଙ୍କା ରହିଛି । ପୁଣି ଉପେନ୍ଦ୍ରଙ୍କର ଅନେକ ରଚନା ଅଶ୍ଳୀଳ ଶ୍ରେଣୀର ଅନ୍ତର୍ଗତ । ଅବଶ୍ୟ ତାଙ୍କର ଭକ୍ତମାନେ ଅର୍ଶୀଳତାର ପାରମାର୍ଥିକ ଅର୍ଥ ବାହାର କରି ତାଙ୍କୁ ଏ ଦୋଷରୁ ମୁକ୍ତ କରିବାକୁ ଚେଷ୍ଟା କରି ଆସୁଅଛନ୍ତି ।

 

ମାତ୍ର ଅଶ୍ଲୀଳ ଲେଖାକୁ ଘୋଡ଼ାଇବାକୁ ବୃଥା ପ୍ରୟାସ କରି ଲାଭ କ’ଣ ? ସାଧାରଣ ପାଠକଙ୍କର ମତକୁ କାଟିବା ବଡ଼ ମୁସ୍କିଲ । ପୁଣି ଦୋଷ ତ ନିଶ୍ଚୟ ରହିବ । ତେବେ ଦେଖିବାର କଥା କିପରି ବିଶେଷ ପରିମାଣରେ ଦୋଷ ନ ରହୁ । ଦୋଷ ନ ହେଲେ କାବ୍ୟ ହେବ ବା କିପରି-? ତେଣୁ ମଧ୍ୟଯୁଗର ସାହିତ୍ୟରେ ଆଳଙ୍କାରିକମାନେ ଯେଉଁ ଦୋଷ ବାହାର କରନ୍ତି, ତାକୁ ଦୋଷ ନ କହି beauty spot ବୋଲି କହିଲେ ଚଳିବ । ଗୋଟାଏ ଦୋଷ କଲେ ଜଣେ କବି ଛୋଟ ହୋଇ ନ ପାରେ । କବିର କବିତ୍ୱ, ଭାଷାର ଅବତାରଣା ଓ ଭାବବିନ୍ୟାସ କବିକୁ ବଡ଼ କରେ । ସାମାନ୍ୟ ଦୋଷ ତାକୁ ଶତ ଚେଷ୍ଟାରେ ବି ତଳକୁ ଆଣିପାରେନା ।

 

ସେକ୍‌ସପିୟର କାଳିଦାସଙ୍କର କ’ଣ ଦୋଷ ନାହିଁ ତେବେ ସେମାନେ ଏତେ ବଡ଼ ହେଲେ କିପରି ? କେତେକ କହନ୍ତି ମଧ୍ୟ ଯୁଗର କବିମାନେ ଏକ ଦେଶଦର୍ଶୀ । ଲାବଣ୍ୟବତୀରେ ବୋଇତ ଓ ସମୁଦ୍ର ଯାତ୍ରା କଥା ଉଲ୍ଲେଖ ଥିଲେ ବି ସମୁଦ୍ରର ଶାନ୍ତଗମ୍ଭୀର ମୂର୍ତ୍ତି କବିଙ୍କୁ ଆକୃଷ୍ଟ କରିନାହିଁ । ଏହା ଏକ ହାସ୍ୟାସ୍ପଦ ଯୁକ୍ତି । ଉପେନ୍ଦ୍ର ଭଞ୍ଜ ସମୁଦ୍ର ଦେଖି ଆନନ୍ଦ ପାଇ ପାରିଲେ ନାହିଁ । ସମୁଦ୍ରର ଭୀଷଣତା ବୋଧେ ତାଙ୍କୁ ସ୍ତବ୍ଧ କଲା, ସେଥିଲାଗି ଦୋଷଟା ରହିଲା କେଉଁଠି ? ବଣ ପାହାଡ଼ ଅଳଙ୍କାର ମନୁଷ୍ୟ ପ୍ରକୃତି ତାଙ୍କର ପ୍ରିୟ । ପୁରାଣ ଓ ଆଦର୍ଶରୁ ସେ ପୃଷ୍ଠପୋଷକ । ଏହି ଦୃଷ୍ଟିରୁ କେବଳ ତାଙ୍କୁ ଦେଖିବାର କଥା ।

 

ଗାଏ ତୁମ୍ଭ ଗୀତ ସଭାରେ ପଣ୍ଡିତ

ପଥେ ପାନ୍ତି ହୃଷ୍ଟ ମନା

ବିଲେ ବୋଲେ ଚଷା ଅନ୍ତଃପୁରେ ଯୋଷା

ନୃତ୍ୟରଙ୍ଗେ ବାରାଙ୍ଗନା ।

-ଗୋପବନ୍ଧୁ ଦାସ-

 

ହିନ୍ଦୀ ସାହିତ୍ୟରେ ମଧ୍ୟ ଯୁଗରେ ମଧୁମାଳତୀ, ପୁହୁପାର୍ବତୀ, ରସରତନ ପ୍ରଭୃତି କେତୋଟି କାବ୍ୟ ଆଲୋଚନା କଲେ ଦେଖିବା ଏ ସବୁ କାବ୍ୟର ନାୟକ ନାୟିକାଙ୍କର ମିଳନ ହୋଇଛି ଉଦ୍ୟାନରେ । ମାତ୍ର କବିଙ୍କର ପ୍ରକୃତିର ପୃଷ୍ଠଭୂମି କଥା ସ୍ମୃତିରେ ଆସିନାହିଁ । ଏ ସବୁକୁ ଦୋଷ ଭିତରେ ଗଣନା କରିବା ଅନୁଚିତ । ନିଜର ଆଗ୍ରହ ଓ ଦୃଷ୍ଟିକୋଣ ନେଇ କବି କାବ୍ୟ ଲେଖେ । କାହାର ବରାଦ ମୁତାବକ ଲେଖେ ନାହିଁ । ତେଣୁ କାହିଁକି ନ କଲେ ବୋଲି କହିବାରେ କୌଣସି ମୂଲ୍ୟ ନାହିଁ । ସେହି ଯୁକ୍ତିରେ କୁହାଯାଇପାରେ କାହିଁକି କାଳିଦାସ ଆଳଙ୍କାରିକ କାବ୍ୟମାନ ଲେଖିଲେ ନାହିଁ । କାହିଁକି ସେକ୍‌ସପିୟର କେବଳ ବାଇବେଲରୁ ବିଷୟ ବସ୍ତୁ ବାଛିଲେ ନାହିଁ । ତେଣୁ କବି ଯେପରି ଅଛନ୍ତି, ସେହି ଦୃଷ୍ଟିରୁ ବିଚାର କରିବାର କଥା ।

 

ଆଲୋଚନା କରି ଆମ୍ଭେମାନେ ଦେଖିଲୁ ମଧ୍ୟଯୁଗର କବିମାନେ ଅଳଙ୍କାର, ରୀତି, ଧନି ବା ରସ – କୌଣସି ଗୋଟିଏ ବିଭାଗ ଉପରେ ତାଙ୍କର ଦୃଷ୍ଟିକୁ ସୀମାବଦ୍ଧ କରି ନ ଥିଲେ, ସେମାନେ ପ୍ରାଚୀନ ପରମ୍ପରା ମଧ୍ୟରୁ ମଧୁସଞ୍ଚୟ କରି ପ୍ରମତ୍ତ ହୋଇ ନିଜ କଳ୍ପିତ କୁଞ୍ଜ ତିଆରି କରୁଥିଲେ । ସେ କୁଞ୍ଜ ତାଙ୍କର ନିଜସ୍ୱ । ଏଥିରେ କାହାରି ପ୍ରବେଶର ଅଧିକାର ନାହିଁ । ଏଣୁ ମଧ୍ୟଯୁଗର କବିମାନଙ୍କୁ ସମୟବାଦୀ କହିଲେ ଭଲ ହେବ । ଅବଶ୍ୟ ରୀତି ବୋଇଲେ ପୂର୍ବ ନିର୍ଦ୍ଦେଶ ପନ୍ଥାକୁ ନ ଧରି ଯଦି ଏକ ନୂତନ ରୀତିର କଥା ଆମେ କହୁ ତେବେ ମଧ୍ୟଯୁଗର କବିମାନେ ରୀତିବାଦୀ । ଏପରିସ୍ଥଳେ ରୀତିକୁ style ସହିତ ସମାନ କରିବାକୁ ହେବ । ସମସ୍ତଙ୍କ styleର ସ୍ୱତନ୍ତ୍ର ଥିଲା । ଅତଏବ କେବଳ ଅନୁକରଣ କରି ସେ ଯୁଗର କବି ଲେଖିଛନ୍ତି ନ କହିଲେ ଚଳେ । ନିଜେ ସ୍ୱତନ୍ତ୍ର ସ୍ରଷ୍ଟା ନିଜର ସୃଷ୍ଟି ଦେଖି ସେମାନେ ବିମୁଗ୍‍ଧ ସେଥିପାଇଁ ଇଂରେଜୀ ସମାଲୋଚକମାନେ କହୁଛନ୍ତି style is the man.

 

***

 

Unknown

ଜାନକୀଶ ବିଳାସ ରାମାୟଣ

ଡକ୍ଟର ସୁଦର୍ଶନ ଆଚାର୍ଯ୍ୟ

 

ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଚନ୍ଦ୍ରଙ୍କର ନିକଟରେ ଉକଳୀୟ ରାମକଥାମୃତପିପାସୁ ଜନତା ଦୀର୍ଘଦିନ ଧରି ସ୍ଵଭକ୍ତିମାଲ୍ୟ ସାଦରେ ଅର୍ପଣ କରି ଆସୁଅଛି । ସଂସ୍କୃତ ଭାଷାରେ ରଚିତ ଗ୍ରନ୍ଥ ଗୁଡ଼ିକୁ ଛାଡ଼ିଦେଲେ ସାରଳା ଦାସଙ୍କଠାରୁ ଓଡ଼ିଆ ଭାଷାରେ ଯେତେ ଗୁଡ଼ିଏ ରାମ ଚରିତାତ୍ମକ ଗ୍ରନ୍ଥ ରଚନା କରାଯାଇଛି ତାର ଏକ ସମ୍ପୂର୍ଣ୍ଣ ତାଲିକା କରିବା ଅସମ୍ଭବ । ଏ ଗୁଡ଼ିକର ଯତତ୍କିଞ୍ଚିତ୍ ପରିଚୟ ଗବେଷକ ଶ୍ରୀ କେଦାରନାଥ ମହାପାତ୍ର ପ୍ରଦାନ କରିଛନ୍ତି । (୧) ସେହି ରାମଚରିତକୁ ଭିତ୍ତି କରି କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ନିଜର ‘ବଡ଼ ସିଦ୍ଧି’ ବୈଦେହୀଶ ବିଳାସ ରଚନା କରିଯାଇଛନ୍ତି । ରାମ ବିଷୟକ କାବ୍ୟ କବିତା ଛଡ଼ା ଓଡ଼ିଆ ଭାଷାରେ ଆଜି ସୁଦ୍ଧା ପ୍ରାୟ ୨୦ ଖଣ୍ଡ ରାମାୟଣ ରଚନା କରାଯାଇଛି, ତନ୍ମଧ୍ୟରୁ ଆଲୋଚ୍ୟ ଜାନକୀଶ ବିଳାସ ଅନ୍ୟତମ ।

 

କବିବର ରାଧାନାଥ, ମନସ୍ୱୀ ମଧୁସୂଦନ ଏବଂ ସାହିତ୍ୟ ସେନାପତି ବ୍ୟାସକବି ଫକୀର ମୋହନ ଯେତେବେଳେ ମଧ୍ୟଯୁଗୀୟ ସାହିତ୍ୟ ପରମ୍ପରାକୁ ଏଡ଼େଇ ଦେଇ ଏକ ନୂତନ ବାତାବରଣ ସୃଷ୍ଟି କରିବାରେ ଲାଗି ଥାଆନ୍ତି, ସେତେବେଳେ ପୁରପଲ୍ଲୀର ଓଡ଼ିଆ ସେହି ରକ୍ଷଣଶୀଳ ମନୋଭାବକୁ ରକ୍ଷା କରି ତା’ର ଆଦର୍ଶରେ କାବ୍ୟ କବିତା ରଚନା କରିବାରେ ପ୍ରବୃତ୍ତ ହୋଇଥାଏ । ଓଡ଼ିଶାର ପାଶ୍ଚାତ୍ୟ ଶିକ୍ଷା ପ୍ରଭାବିତ ତତ୍କାଳୀନ ଜନତା କେବଳ ରାଧାନାଥଙ୍କ ଶୈଳୀର ଅନୁଧାବନ କରିଥିଲା । କିନ୍ତୁ ପୁର ପଲ୍ଲୀରେ ତା’ର ପ୍ରଭାବ ଥିଲା ଅତି ଅଳ୍ପ, ଆଦୌ ନ ଥିଲା କହିଲେ ଚଳେ । ଏହି ସମୟରେ ଯେଉଁ କେତୋଟି ପ୍ରାଚୀନ ପରମ୍ପରା ପ୍ରଭାବିତ ଗ୍ରନ୍ଥ ରଚିତ ହୋଇଥିଲା ଜାନକୀଶ ବିଳାସ ସେମାନଙ୍କ ମଧ୍ୟରୁ ଏକତମ ।

 

ଜାନକୀଶ ବିଳାସ ବୈଚିତ୍ୟମୟ ଓଡ଼ିଆ ସାହିତ୍ୟର ଏକ ଚାରୁ ଅନବଦ୍ୟ ସୃଷ୍ଟି । ଗୋଟିଏ ସ୍ୱର କିମ୍ବା ବ୍ୟଞ୍ଜନ ବର୍ଷକୁ ଆଦ୍ୟରେ ରଖି ଓଡ଼ିଆ ଭାଷାରେ ବହୁଗ୍ରନ୍ଥ ରଚିତ ହୋଇଅଛି-। ବୈଦେହୀଶ ବିଳାସ, କଳାକଉତୁକ, ସୁଭଦ୍ରା ପରିଣୟ, ରସକଲ୍ଲୋଳ, ବାସୁଦେବ ବିଳାସ, ଅନୁରାଗ କଳ୍ପଲତା ପ୍ରଭୃତି ଏହାର ପ୍ରକୃଷ୍ଟ ନିଦର୍ଶନ । ଜାନକୀଶ ବିଳାସର ବୈଶିଷ୍ଟ୍ୟ ଏହି ଯେ ଏହା ‘ଜ’ (ଯ) ବ୍ୟଞ୍ଜନବର୍ଣ୍ଣ ଆଦ୍ୟରେ ଥାଇ ରଚିତ ହୋଇଥିବା ଏକ ରାମାୟଣ । ଏହା ଜଗନ୍ନାଥ ଦାସଙ୍କ ଭାଗବତ ବୃତ୍ତ ଅର୍ଥାତ୍ ନବାକ୍ଷରୀ ବୃତ୍ତରେ ରଚିତ । ଗ୍ରନ୍ଥଟି ବାଳ, ଅଯୋଧ୍ୟା, ଆରଣ୍ୟକ, କିଷ୍କିନ୍ଧା, ସୁନ୍ଦରା, ଲଙ୍କା ଏବଂ ଉତ୍ତରାକାଣ୍ଡ ଭେଦରେ ସାତ ଭାଗରେ ବିଭକ୍ତ । ସମ୍ପୂର୍ଣ୍ଣ ଗଛଟିର ଅଧ୍ୟାୟ ସଂଖ୍ୟା ୧୦୮ ଏବଂ ପ୍ରତ୍ୟେକ ଅଧ୍ୟାୟ ଅଷ୍ଟୋତ୍ତର ଶତ ପଦ ବିଶିଷ୍ଟ । ପ୍ରତ୍ୟେକ ପଦରେ ଦୁଇଥର ‘ଜ’ (ଯ) ଅକ୍ଷର ବ୍ୟବହାର କରାଯାଇଛି । କବି ଗ୍ରନ୍ଥି ପରିଚୟରେ ଲେଖିଛନ୍ତି –

 

ଜାନକୀ ଈଶ ବିଳାସାକ୍ଷ

ଯଥା ନିୟମେ ହେବ ଲେଖ ।

ଯୁଗ୍ମ ନବମାକ୍ଷରେ ପଦ

‘ଜ’ ବର୍ଣ୍ଣାସ୍ଥିତ ଆଦ୍ୟ ମଧ୍ୟ ।

ଜଗତନାଥଙ୍କ ଅଗ୍ରଜ

ଜାୟା ସଂଖ୍ୟାରେ ପଦପୁଞ୍ଜ ।

ଯୁଗ ବେଦାନ୍ତ ଶତାଧ୍ୟାୟ

ଯତ୍ନେ ହୋଇବ ଶେଷୋଦୟ ।

 

ପ୍ରତ୍ୟେକ କାଣ୍ଡର ଅଧ୍ୟାୟ ସଂଖ୍ୟା ନିମ୍ନରେ ପ୍ରଦତ୍ତ ହେଲା ।

 

ବାଳ କାଣ୍ଡ – ଅଧ୍ୟା ୧୨ୟ

ଅଯୋଧ୍ୟା କାଣ୍ଡ – ଅଧ୍ୟା ୧୧

ଆରଣ୍ୟକ କାଣ୍ଡ – ଅଧ୍ୟା ୧୦

କିସ୍କିନ୍ଧା କାଣ୍ଡ - ଅଧ୍ୟା ୧୦

ସୁନ୍ଦରା କାଣ୍ଡ – ଅଧ୍ୟା ୧୨

ଲଙ୍କା କାଣ୍ଡ – ଅଧ୍ୟା ୪୦

ଉତ୍ତରା କାଣ୍ଡ – ଅଧ୍ୟା ୧୩

 

ଏହାର ରଚୟିତା କିଏ ?

ଗ୍ରନ୍ଥ ପ୍ରଦତ୍ତ କବି ପରିଚିତି ଦେଲେ ଅନୁସନ୍ଧିତ୍ସା ତଥା ପାଠକ ଉକ୍ତ ସନ୍ଦିଗ୍ଧଚିତ୍ତତାର ଅଳୀକତା ଆପାତତଃ ଅନୁଭବ କରିବା ଅବଶ୍ୟମ୍ଭାବୀ । ରଚୟିତା ଗ୍ରନ୍ଥ ଶେଷରେ ନିଜର ପରିଚୟ ଦେବାକୁ ଯାଇ ଲେଖିଛନ୍ତି –

 

ଜନପଦାହ ଜଳନ୍ତର ଜାବାଳ ନାମ ସେ ଗ୍ରାମର ।

ଯୋ ମଠ ଫଳାହାରୀ ଯମେ ଜ୍ୱଳିତ ପୂର୍ବରୁ ସେ ଗ୍ରାମେ ।

ଜଳ ଜାଳୟା ନାରାୟଣ ଯୁଗ ସେ ମO ଅଧିଷ୍ଠାନ ।

ଜାନକୀ ରାମ ଉପାସକ ଯତି ଆଚାର୍ଯ୍ୟ ସପ୍ତଲୋକ ।

ଜିଉ ହୋଇଣ ସେ ଆଶ୍ରମେ ଜୀବ ତେଜିଲେ ଅନୁକ୍ରମେ ।

ଜଗତ ଯାକେ ମୋ ପରିରେ ଜଣେ ନ ଥିବ ପାପିଷ୍ଠରେ ।

ଜୀବାନ୍ତେ ବୈକୁଣ୍ଠକୁ ଶିବେ ଯିବାକୁ ସଦା ହୃଦେ ଭାବେ ।

ଯତ୍ନେ ଅଠର ଥୋଇ ଆଦ୍ୟେ ଜୁଟିଲେ ତହିଁରେ ଚଉଦେ ।

ଯେତେ ହେବ ସେ ଶକବର୍ଷେ ଜ୍ୟେଷ୍ଠା ଦି ପଞ୍ଚମାସ ଶେଷେ ।

ଯୋ ମାସ ତା ଶୁଦ୍ଧ ପଞ୍ଚମୀ ଜୀବାନ୍ତେ ଯେଉଁ ବାର ଗଣି ।

ଜଡ଼େଶ ଭକ୍ତ ରାମ ଦାସ ଜିଳ୍ପି ସେ ଦିନ କଲା ଶେଷ ।

 

ଉପରୋକ୍ତ ଉଦ୍ଧୃତିରୁ ଜଣାଯାଏ ରଚୟିତା ଭକ୍ତ ରାମଦାସ ମହନ୍ତ ଜଳନ୍ତର (ବର୍ତ୍ତମାନ ଆନ୍ଧ୍ର ପ୍ରଦେଶର ଅନ୍ତର୍ଗତ) ତାଲୁକାର ଜାବାଳ (ଛାଗ) ଗ୍ରାମର ଫଳାହାରୀ ମଠାଧିକାରୀ ଥିଲେ । ଉକ୍ତ ମଠ ଯେଉଁ ଗ୍ରାମରେ ଅବସ୍ଥିତ ତାହାର ନାମ ହେଉଛି ଗୋଲାସାରିପଲ୍ଲୀ ରଚୟିତା, ‘ଜ’ ଆଦ୍ୟ ନିୟମ ରକ୍ଷା କରିବା ନିମନ୍ତେ ଜାବାଳ ବୋଲି ଉଲ୍ଲେଖ କରିଅଛନ୍ତି । କାଞ୍ଚୁଲି ରେଳ ଷ୍ଟେସନର ପଶ୍ଚିମକୁ ପ୍ରାୟ ଦେଢ଼ ମାଇଲ ଦୂରରେ ଉକ୍ତ ଗ୍ରାମଟି ଅବସ୍ଥିତ । ସେ ରାମାନନ୍ଦ ସମ୍ପ୍ରଦାୟଭୁକ୍ତ ଥିବା ଜଣାଯାଏ କାରଣ ଉପେନ୍ଦ୍ର ଭଞ୍ଜଙ୍କ ପରି ସେ ସୀତାରାମ ଯୁଗଳ ମୂର୍ତ୍ତିର ଉପାସକ ଥିଲେ ଏବଂ ତାଙ୍କର ମୂଳପୀଠ ଗଲତାଗାଦ (ମଥୁରା) ଥିଲା ବୋଲି ଅନ୍ୟ ଏକ ଗ୍ରନ୍ଥରୁ ଜଣାଯାଏ । ଏହାପରେ ଆଲୋଚିତ ହେବ । ଗ୍ରନ୍ଥଟି ୧୮୧୪ ଶକାବ୍ଦ କାର୍ତ୍ତିକ ମାସ ଶୁଦ୍ଧ ପଞ୍ଚମୀ ଶୁକ୍ରବାର ଦିନ ସମାପ୍ତ ହୋଇଥିଲା । ଅର୍ଥାତ୍ ଖ୍ରୀ.୧୮୯୨ ଏହାର ରଚନାକାଳ ।

 

ଫଳାହାରୀ ମଠର ଶିଷ୍ୟମାନଙ୍କଠାରୁ ଶୁଣାଯାଏ ଯେ ନିଜେ ଭକ୍ତରାମ ଆଲୋଚ୍ୟ ଗ୍ରନ୍ଥଟି ରଚନା କରିନଥିଲେ । ଭକ୍ତରାମଙ୍କ ଶିଷ୍ୟ ଶ୍ରୀ ସୀତାଚରଣ ଦାସ ସ୍ଵ-ଗୁରଙ୍କ ନାମରେ ଉକ୍ତ ଗ୍ରନ୍ଥ ପ୍ରକାଶ କରିଥିବା ସେମାନେ କହନ୍ତି । ସୀତାଚରଣଙ୍କ ଶିଷ୍ୟମାନେ ବର୍ତ୍ତମାନ ଜୀବିତ ଥିବାହେତୁ ଉକ୍ତ କିମ୍ବଦନ୍ତୀକୁ ଅବିଶ୍ୱାସ କରିବା ପାଇଁ ବହୁତ କିଛି କାରଣ ନାହିଁ । ରାମାୟଣର କୌଣସି ସ୍ଥାନରେ ସୀତାଚରଣ ଗ୍ରନ୍ଥ ରଚନା କରିବା କଥା ପ୍ରକାଶ କରି ନାହାନ୍ତି । କବି ନିଜ ରଚନାକୁ ଅନ୍ୟ ନାମରେ (ଅବଶ୍ୟ ପୃଷ୍ଠ ପୋଷକଙ୍କ) ପ୍ରକାଶ କରିବାର ଦୃଷ୍ଟାନ୍ତ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ବିରଳ ନୁହେଁ । କବିସୂର୍ଯ୍ୟ ବଳଦଦେବ ନିଜର କିଶୋର ଚନ୍ଦ୍ରାନନ ଚମ୍ପୁ ଏବଂ ଅନ୍ୟାନ୍ୟ ଅନେକ ସଂଗୀତ ଅଷ୍ଟଦୁର୍ଗନାଥଙ୍କ ନାମରେ ଭଣତି କରି ଅଛନ୍ତି । ଯଥା –

 

‘ଘାରି ଦେଲୁ କି ରସେ ଅଷ୍ଟଦୁର୍ଗେଶ ଭାଷେ ଅବଶ୍ୟ

ମୋହନକୁ ମୋହିଲୁରେ’

‘ଛଳି ମନ ତୁମ୍ଭ ଗୁଣେ, ଛ ଦୁଇ ଦୁର୍ଗେଶ ଭଣେ’

“ଅଷ୍ଟ ଦୁର୍ଗପତି କହିବା ଭାରତୀ

ଇଷ୍ଟ ସୁଧାରସ ପରି ଘେନ ।’’

 

ସେହିପରି ବିଖ୍ୟାତ ହାସ୍ୟରସିକ ଯଦୁମଣି ମହାପାତ୍ର ‘ରାଘବ ବିଳାସ’ କାବ୍ୟକୁ ନବଦୁର୍ଗାପତିଙ୍କ ନାମରେ ରଚନା କରି ଅଛନ୍ତି । ଯଥା –

 

“ନବଦୁର୍ଗାଧିପ ଶ୍ରୀ ବିନାୟକ

ଶ୍ରୀ ରାଘବ ବିଳାସରେ ରଚକ ।”

“ନବଦୁର୍ଗ ମଣ୍ଡନ

ଶ୍ରୀ ବିନାୟକ ସିଂହ ରଚନ ଯେ,

ମାନଧାତା ବିନାୟକ ଧ୍ୟାନ ଯେ ।”

 

ସେହିପରି ଏଠାରେ ମଧ୍ୟ ସୀତାଚରଣ ଦାସ ସ୍ଵଗୁରୁଙ୍କ ନାମରେ ନିଜ ଗ୍ରନ୍ଥ ରଚନା କରିଥିବା ଅସମ୍ଭବ ନୁହେଁ । ସୀତାଚରଣ ଗ୍ରନ୍ଥ ଶେଷରେ ଯେଉଁ କବି ପରିଚିତି ପ୍ରଦାନ କରିଛନ୍ତି ସେଥିରେ ସ୍ଥାନେ ସ୍ଥାନେ ଲେଖିଛନ୍ତି, “ଜିଉ ହୋଇଣ ସେ ଆଶ୍ରମେ । ଜୀବ ତେଜିଲେ ଅନୁକ୍ଷଣେ ।’’ ଏହି ଏକମାତ୍ର ପଦରୁ ଜଣାଯାଏ ଯେ ଭକ୍ତରାମ ଉକ୍ତ ଗ୍ରନ୍ଥ ରଚନା କରି ନାହାନ୍ତି । ଯଦି ସେ ଜୀବନ ତ୍ୟାଗ କଲେ ତେବେ କଣ ସ୍ୱର୍ଗରୁ ଆସି ଗ୍ରନ୍ଥ ରଚନା କରିଗଲେ ? ତେଣୁ ଏହା ତ୍ରୁଟି ହେଉ ବା ସୀତାଚରଣ ଜାଣି ଜାଣି ଲେଖିଥାଆନ୍ତୁ ଏହି ଏକମାତ୍ର ପଦରୁ ସୀତାଚରଣଙ୍କ ଠାରେ ଆମେ ‘ଜାନକୀଶ ବିଳାସ’ର ପିତୃତ୍ୱ ଆରୋପ କରିପାରିବା ।

 

କବି ପରିଚିତି

ଭକ୍ତରାମଙ୍କ ଶିଷ୍ୟ ହିସାବରେ ସୀତାଚରଣ ଆମ୍ଭମାନଙ୍କ ନିକଟରେ ପୂର୍ବରୁ ପରିଚିତ । ସେ ଜାନକୀଶ ବିଳାସ ରାମାୟଣ ଛଡ଼ା ଆହୁରି ଦୁଇଟି ଗ୍ରନ୍ଥ ରଚନା କରିଥିଲେ । ଗୋଟିଏ ହେଉଛି ଆଧ୍ୟାତ୍ମ ରାମାୟଣର ଛାୟାରେ ଲିଖିତ ‘ଭକ୍ତି ରସାର୍ଣ୍ଣବ ରାମାୟଣ’ ଏବଂ ଅନ୍ୟଟି ହେଉଛି ରାମ ରାସ ସମ୍ବନ୍ଧୀୟ ‘ରାମ ଗୁଣସାଗର’ । ‘ଭକ୍ତି ରସାର୍ଣ୍ଣବ ରାମାୟଣ’ ଶେଷରେ ରଚୟିତା ସ୍ଵଗୁରୁପରମ୍ପରାର ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି । ତାହା ଏଠାରେ ପ୍ରଦାନ କରିବା । ଅଯୌକ୍ତିକ ହେବନାହିଁ ।

 

ତୀର୍ଥଙ୍କ ଅଟନ୍ତି ଉତ୍ତମ

ଗଳତା ଗାଦି ବୋଲି ନାମ ।

ଜାନକୀ ଶ୍ରୀରାମ ଲକ୍ଷ୍ମଣ

ପ୍ରଭୁଙ୍କ ଅଟେ ଅଧିଷ୍ଠାନ ।

ତାହାଙ୍କ ସେବାରେ ତତ୍ପର

ଥଲେ ବୈଷ୍ଣବ କୁଳବର ।

ତାହାଙ୍କ ଅପ୍ରମିତ ଶିଷ୍ୟ

ଥାଆନ୍ତି ସେବି ନିଜପାଶ ।

ତାହାଙ୍କ ମଧେ ହନୁମାନ

ଦାସ ବୋଲିଣ ତାଙ୍କ ନାମ ।

ଆଗରୁ ଧର୍ମରେ ପଣ୍ଡିତ

ସର୍ବ ଗୁଣରେ ପୁଣି ଯୁତ ।

ଏକ ଦିନରେ ସେ ଆଚାରି

ତିନି ଶିଷ୍ୟଙ୍କୁ ସଙ୍ଗେ ଧରି ।

ତୀର୍ଥ ଭ୍ରମଣ ନିମିତ୍ତରେ

ବାହାର ହେଲେ ଭକତିରେ ।

ତୀର୍ଥଙ୍କ କଲେ ସ୍ନାନ ପାନ

ବିହିଣ ଦେବଙ୍କୁ ଅର୍ଜନ ।

ପୁରୁଷୋତ୍ତମ କ୍ଷେତ୍ରରେ

ପ୍ରବେଶ ହେଲେ କ୍ରମଶରେ ।

ଜଗନ୍ନାଥାପି ପଞ୍ଚତୀର୍ଥ

ପୂଜାକୁ କରି ସମାପତି ।

ଶ୍ରୀ ରାମେଶ୍ୱର ଯିବା ବୋଲି

ତିନି ଶିଷ୍ୟଙ୍କ ସଙ୍ଗେ ଭାଳି ।

ବାହାର ହୋଇ ସେ କ୍ଷେତ୍ରରୁ

ଆସି ମିଳିଲେ ପାତ୍ରପୁରୁ ।(୨)

ସେଠାରେ ଆଶ୍ରମ ସଭିକ୍ଷ

ଦେଖି ସେ ବଇଷ୍ଣବ ମୋକ୍ଷ ।

ବାରିଧି ସୁତା ନାରାୟଣ

ସ୍ଥାପିତ କରିଣ ଅର୍ଜନ ।

ଏ ଅନ୍ତେ ଦେଖି ତୀର୍ଥବାସ

କରାନ୍ତି ଅନ୍ନାଦିରେ ତୋଷ ।

ଲଲାଟ ଲିଖିତ ବୟସ

ସେଠାରେ ହୋଇ ଯାନ୍ତେ ଶେଷ ।

ବୈକୁଣ୍ଠେ ଛାତିକି ଫୁଲାଇ

ରହିଲେ ସେବ ଲକ୍ଷ୍ମୀ ସାଇଁ ।

ତିନି ଶିଷ୍ୟତ ସଙ୍ଗେ ଥିଲେ

ସମାଧି ବିଧିକି ସ୍ଥାପିଲେ ।

ସେ ଅନ୍ତେ ହୋଇ ଭିନ୍ନ ଭିନ୍ନ

ସ୍ଥାନ ରଚନେ କଲେ ମନ ।

କନିଷ୍ଠ ଯତି ତାତବର

ହେଲେ ଜରଡ଼ା ସ୍ଵର୍ଣ୍ଣପୁର ।(୩)

ତହିଁ ନିର୍ବାହ କରି ମଠ

ପୂଜି ରହିଲେ ରଘୁଶ୍ରେଷ୍ଠ ।

ତାଙ୍କ ମଧ୍ୟମ ଗୁରୁଭାଇ

ପୁତ୍ତଙ୍ଗି ପେଣ୍ଠେ ହେଲେ ଯାଇ ।(୪)

ତହିଁରେ କରିଣ ଆଶ୍ରମ

ରହିଲେ ପୂଜିଣ ଶ୍ରୀରାମ ।

ସେ ଅନ୍ତେ ଜ୍ୟେଷ୍ଠ ଭାଇ ତାଙ୍କ

ଧର୍ମିଷ୍ଠ ପଣେ ସେ ବିବେକ ।

ସେ ଦେବେ ସେହି ମହାଯଶା

ପ୍ରବେଶ ହୋଇଲେ ମଞ୍ଜୁଷା ।

ପୁରୁଣା ପାଟଣା ଯା ନାମ

ତହିଁରେ କଲେ ସେ ଆଶ୍ରମ । (୫)

ସେଠାରେ ପୂଜା ବି କରି

ଦେଲେ ସମୟ କେତେ ସାରି ।

ସେହି ଦେଶର ନରରାଣ

ବଳାଇ ରମ୍ଭାଫଳେ ମନ ।

ବଳତକାରେ ଲୋକ ପେଶି

ନେବାରୁ ତାଙ୍କୁ କରି ଦୋଷୀ ।

ଶାପକୁ ଦେଲେ ହୋଇ ରୋଷ

ପୁରୁଷାନୁକ୍ରମେ ମୋ ଶିଷ୍ୟ ।

ଏହି ଦେଶରେ ଜଳପାନ

କରିବେ ନାହିଁ ଏହା ଘେନ ।

ରଜାକୁ ଏହି ରୂପେ କହି

ଅଗ୍ନିରେ ଆଶ୍ରମକୁ ଦହି ।

ତହିଁ ଚଳିଲେ ଯତି ସାଇଁ

ସୁରୁଙ୍ଗି ଦେଶେ ହେଲେ ଯାଇଁ ।(୬)

ତହିଁରେ ମନ୍ଦରଡ଼ା ଗ୍ରାମ

ପ୍ରଦେଶେ ଥିଲା ବନରମ୍ୟ ।(୭)

ସେଠାରେ ନିମ୍ବ ବୃକ୍ଷ ମୂଳେ

ରଚିଲେ ଆଶ୍ରମକୁ ଭଲେ ।

ତାହାଙ୍କ ନାମ ପୁର୍ଷୋତ୍ତମ

ଅଶନ ନ କରନ୍ତି ଅନ୍ନ ।

ରାଜ ଅନୁହି ନ କରନ୍ତି

ଫଳମୂଳରେ ତୋଷ ହୋନ୍ତି ।

ଯେହେତୁ ଫଳାହାରୀ ମଠ

ବୋଲି ହୋଇଲା ପରକଟ I

ଶ୍ରୀ ଲକ୍ଷ୍ମୀଦେବୀ ନାରାୟଣ

ଦେବଙ୍କ ଅଟେ ସେ ଆସ୍ତାନ ।

ସର୍ବଦା ତାଙ୍କ ଦାସ ହୋଇ

ସେ ପୁର୍ଷୋତ୍ତମ ଯତିସାଇଁ ।

ରହିଣ ଦିବସ ଶର୍ବରୀ

ନିତ୍ୟରେ ଦେଉଥାନ୍ତି ସାରି ।

କାଳକ୍ରମେ ସେ ବୟ ସାରି

ବୈକଣ୍ଠେ ହୋଇଲେ ବିହାରୀ ।

ତଦ୍‍ବତ ତାହାଙ୍କର ଶିଷ୍ୟ

ବାମନ ନାମ ପରକାଶ ।

X       x       x       x

ତାହାଙ୍କ ଶିଷ୍ୟ ବଳଭଦ୍ର

ବୈଷ୍ଣବ ଗଣ ନିଶାଚନ୍ଦ୍ର ।

କାଳେ ସେ ଜଳନ୍ତର ଦେଶ

ଆସି ହୋରରେ ପରରେଣ ।

ତହିଁ ସାରିଆ ପଲ୍ଲୀ ଗ୍ରାମ

ମଧ୍ୟେ ସ୍ତାପିଲେ ଦିବ୍ୟାଶ୍ରମ ।

ଶ୍ରୀ ଲକ୍ଷ୍ମୀ ନାରାୟଣ ପଦ

ସେବାରେ ହୋଇଣ କୋବିଦ ।

କାଳରେ ଅଯୋଧା କଟକ

ପ୍ରାପ୍ତ ହୋଇଲେ, ପୁଣି ତାଙ୍କ ।

ତାହାଙ୍କ ଶିଷ୍ୟ ଗୋବର୍ଦ୍ଧନ

ବୈଷ୍ଣବ ଗଣେ ଅଗ୍ରଗଣ୍ୟ ।

X       x       x       x

ତାହାଙ୍କ ଶିଷ୍ୟ ସେ ଉତ୍ତମ

ଶ୍ୟାମ ସୁନ୍ଦର ତାଙ୍କ ନାମ ।

ସେ ରୂପେ ସେବି ଇଷ୍ଟଦେବ

କାଳେ ବୈକୁଣ୍ଠେ କଲେ ଠାବ ।

ତାହାଙ୍କ ଶିଷ୍ୟ ସେହି ମତ

ନାମ ଯାହାଙ୍କ ଜଗନ୍ନାଥ ।

ଧର୍ମରେ ପରାୟଣ ହୋଇ

ବୈକୁଣ୍ଠେ ବିହରିଲେ ଯାଇ ।

ତାହାଙ୍କ ଶିଷ୍ୟ ଭକ୍ତ ରାମ

ଦୀନ କରୁଣା କଳ୍ପଦ୍ରୁମ ।

ପୂର୍ବରୁ ଥିବାର ପଦ୍ଧତି

ନ ଛାଡ଼ି ସେହି ମହାଯତି ।

ତାହାଙ୍କ ଶାଟୀ ଗଜରାଜ

ମହନ୍ତ ହୋଇଛି ବିରାଜ ।

ସ୍ୱଦେଶ ରାଜାଙ୍କର ଗୁରୁ

ହେବାରୁ ଖ୍ୟାତ ରାଜଗୁରୁ ।

ଜିତେନ୍ଦ୍ରିୟରେ ତାଙ୍କ ପରି

ଖୋଜିଲେ ନାହିଁ ମର୍ତ୍ତ୍ୟପରି ।

ଆଶ୍ରମ ପୁଷ୍କରିଣୀ କରି

କୀରତି ଅଛନ୍ତି ବିସ୍ତାରି ।

ସାଧୁ ସଙ୍ଗରେ ଦିବାନିଶି

ଆନନ୍ଦ ହେଉଛନ୍ତି ଶେଷି ।

ଶ୍ରୀ ଲକ୍ଷ୍ମୀ ନାରାୟଣ ଦେବ

ପଦ କରେ ଦେବ ଭାବ ।

ନାମକୁ ତୁଣ୍ଡରେ ଉଚ୍ଚାରି

ଦେଉ ଅଛନ୍ତି ଦିନସାରି ।

ଶ୍ରୀଗୁରୁ ଅଟନ୍ତି ସେ ମୋର

ମୂର୍ଖେ ହେଲି ମୁଁ ନିରବର ।

ତାପିପଣରେ ମୋ ସାଦୃଶ୍ୟ

ଦେଖିବ ନାହିଁଟି ମନୁଷ୍ୟ ।

କିରୂପେ ଅବା ଏ ସଂସାର

ନିସ୍ତରି ଯିବି ଲୋକଗୁରୁ।

ମୋହର ନାହିଁଟି ଭରସା

ଉଦ୍ଧର ଆହେ ମହାଯଶା ।

ଶାଳୀବାହନ ଶକବର୍ଷ

ଦ୍ଵାଦଶାଧିକ ଅଷ୍ଟାଦଶ ।

ଶତେ ବିକୃତ ସମ୍ବତ୍ସର,

ନାମରେ ଅଟେ ଗରଚାର ।

ଚଇତ୍ର ଶୁକଳ ନବମୀରେ

ଶ୍ରୀରାମ ତହିଁ ଥିଲେ ଜନ୍ମି ।

ଏ ଅନ୍ତେ ଆଦିତ୍ୟ ବାସରେ

ରାମଙ୍କ ପୂଜା ସମୟରେ ।

ଏ ଗ୍ରନ୍ଥ ହେଲେ ସମାପତି

ଶୁଣ ସୁଜନେ ଦେଇ ମତି ।

(ଭକ୍ତ ରସାର୍ଣ୍ଣବ ରାମାୟଣ) (୧୦)

 

ଭକ୍ତରାମ ଜଳନ୍ତର ରାଜାଙ୍କର ଗୁରୁ ଥିଲେ । ଜାନକୀଶ ବିଳାସର ବହୁ ସ୍ଥାନରେ ‘ଜଳନ୍ତର ଭୂପତି ଗୁରୁ’ ବୋଲି ଉଲ୍ଲେଖ କରାଯାଇଅଛି । ସୀତାଚରଣ ପ୍ରଥମେ ଭକ୍ତି ରସାବର୍ଣ୍ଣ ରାମାୟଣ ଖ୍ରୀ. ୧୮୯୦ରେ ରଚନା କରିଥିଲେ । ଶିଷ୍ୟମାନଙ୍କଠାରୁ ଯାହା ଶୁଣାଯାଏ ସେ ଭକ୍ତିରସାର୍ଣ୍ଣାବ ରାମାୟଣପରେ ‘ସୀତେଶ ବିଳାସ’ ନାମକ ଏକ ରାମାୟଣ ରଚନା କରିବାରେ ପ୍ରବୃତ୍ତ ହେଉଥିଲେ । ପ୍ରାୟ ତିନିଚାରି ଅଧ୍ୟାୟ ଲେଖିଲେ । ଉକ୍ତ ନାମରେ ଅନ୍ୟ ଏକ ଗ୍ରନ୍ଥ ଥିବା ଜାଣିପାରି ସେଥିରୁ ବିରତ ହୋଇଥିଲେ ଏବଂ ବୈଦେହୀଶ ବିଳାସ ଢାଞ୍ଚାରେ ଜାନକୀଶ ବିଳାସ ରଚନା କରିବା ନିମନ୍ତେ ଅଗ୍ରସର ହେଲେ । ଓଡ଼ିଆ ଓ ସଂସ୍କୃତ ପୁରାଣଗୁଡ଼ିକରେ କବିଙ୍କର ଗଭୀର ବ୍ୟୁତ୍ପତ୍ତି ଥିବା ପରି ସେ ବିଳାସ ବ୍ୟସନ ଓ ଆଳସ୍ୟରେ ଜୀବନଯାପନ ନ କରି ସାହିତ୍ୟ ସେବାରେ ମନ ନିଯୋଗ କରିଥିବା ହେତୁ ଆଜି ମରି ମଧ୍ୟ ଅମର ହୋଇ ରହିପାରିଛନ୍ତି ।

 

ଜାନକୀଶ ବିଳାସର ବିଷୟବସ୍ତୁ

‘ଜାନକୀଶ ବିଳାସ’ ନାମଟି ଉଚ୍ଚାରଣ କଲାମାତ୍ରେ କବି ସମ୍ରାଟଙ୍କ ବୈଦେହୀଶ ବିଳାସ ନାମଟି ମନରେ ସ୍ୱତଃ ଜାଗ୍ରତ ହୁଏ । ଉପେନ୍ଦ୍ର ‘ବ’ ନିୟମରେ କାବ୍ୟଟି ରଚନା କରିଥିବା ହେତୁ ତା’ର ନାମ ରଖିଥିଲେ ବୈଦେହୀଶ ବିଳାସ । କିନ୍ତୁ ସୀତାଚରଣ ‘ଜ’ ନିୟମରେ ଏହି ରାମାୟଣଟି ରଚନା କରିଥିବା ହେତୁ ଏହାର ନାମ ଦେଇଛନ୍ତି ଜାନକୀଶ ବିଳାସ । ଦ୍ୱିତୀୟତଃ ଉକ୍ତ ଗ୍ରନ୍ଥର ରଚନା ଶୈଳୀ ଦେଲେ ସପ୍ତଦଶ ଶତାବ୍ଦୀର ଏକ ରଚନା କଥା ପାଠକ ମାନସରେ ଉଦୟ ହୁଏ । ତାହା ହେଉଛି କାହ୍ନୁ ଦାସଙ୍କ ରାମ ରସାମୃତ ସିନ୍ଧୁ ରାମାୟଣ । ଉକ୍ତ ରାମାୟଣ ଅଷ୍ଟାଧିକ ଶତ ଅଧ୍ୟାୟରେ ସମ୍ପୂର୍ଣ୍ଣ ଏବଂ ପ୍ରତ୍ୟେକ ଅଧ୍ୟାୟ ଅକ୍ଟୋତ୍ତର ଶତ ପଦ ବିଶିଷ୍ଟ । ସେ ଏହା ବଳରାମ ଦାସଙ୍କ ଜଗମୋହନ ରାମାୟଣ ଛାୟାରେ ଲେଖିଥିବା କଥା ନିଜେ ପ୍ରକାଶ କରିଅଛନ୍ତି । ସେ ଲେଖିଛନ୍ତି –

 

ଯାହା ସେ ବଳରାମ ଦାସ       ପ୍ରାକୃତେ କଲେକ ପ୍ରକାଶ ।

ଆଦି ଅଯୋଧ୍ୟା ଆରଣ୍ୟକ       କିସ୍କିନ୍ଧ୍ୟା ସିନ୍ଦୁରାଦି ଲଙ୍କା ।

ଉତ୍ତରାକାଣ୍ଡ ଯେ ସପତ       ଖଣ୍ଡକେ ଅପୂର୍ବ ଉକତ ।

ଶୁଣିଲେ ଲତା ହେବ ବୋଲି       ମୁଁ ଏହା ଏକ ଖଣ୍ଡ କଲି ।

 

ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ ମଧ୍ୟ ଦାଣ୍ଡୀ ରାମାୟଣ ଛାୟାରେ ଯେ ଲିଖିତ ଏହା ସମସ୍ତେ ସ୍ଵୀକାର କରିବେ । ନିଜେ ଭଞ୍ଜ ମଧ୍ୟ କାବ୍ୟ ଆଦ୍ୟରେ ଲେଖିଛନ୍ତି ‘କୃପାସିଦ୍ଧା ଏ ଗୀତ ପ୍ରକାଶେ ଛାଡ଼ିଲି ଚିନ୍ତା ଯେ’ ।

 

ତେଣୁ ‘ଜାନକୀଶ ବିଳାସ’ ପ୍ରକୃତରେ କେଉଁ ଗ୍ରନ୍ଥଟି ଦ୍ୱାରା ପ୍ରଭାବିତ ତାହା ସଠିକ୍‌ ରୂପେ କହିବା କଷ୍ଟକର । ନାମକରଣରୁ ବୈଦେହୀଶ ବିଳାସ ଦ୍ଵାରା ପ୍ରଭାବିତ ହୋଇଥିବା ଜଣାଯାଏ । ତେଣୁ ବୈଦେହୀଶବିଳାସ ସହ ସାମଞ୍ଜସ୍ୟ ଥିବା କେତୋଟି ପଦ ନିମ୍ନରେ ଉଦ୍ଧାର କରାଗଲା ।

 

ବୈଦେହୀଶ ବିଳାସ ଉପେନ୍ଦ୍ର ବିରଚିତ ଏକ କାବ୍ୟମାତ୍ର । କିନ୍ତୁ ଜାନକୀଶ ବିଳାସ ଏକ ରାମାୟଣ । ତେଣୁ ଉଭୟର ବିଷୟବସ୍ତୁରେ ସାମଞ୍ଜସ୍ୟ ଥିଲେ ସୁଦ୍ଧା ବିଷୟ ବସ୍ତୁର ସଂଯୋଜନା ଏବଂ ରଚନା ଶୈଳୀରେ ବୈଭିନ୍ନ୍ୟ ପରିଦୃଷ୍ଟ ହେବା ସ୍ୱାଭାବିକ । କାବ୍ୟରେ ନାୟକ ନାୟିକାଙ୍କ ମୃତ୍ୟୁ ବର୍ଣ୍ଣନା କରିବା ଭାରତୀୟ ଆଳଙ୍କାରିକ ପରମ୍ପରା ସମର୍ଥିତ ନୁହେଁ । ତେଣୁ ଭଞ୍ଜ କବି ଶେଷରେ ଉତ୍ତରାକାଣ୍ଡ ବିଷୟବସ୍ତୁ ବର୍ଣ୍ଣନା ନ କରିବା କାରଣ ଦର୍ଶାଇ ଲେଖିଛନ୍ତି –

 

“ବିଭଙ୍ଗ ରସ ବୋଲିଣ ନ ବର୍ଣ୍ଣିଲି ଏତେ

ବୁଧେ ବୋଲିଛନ୍ତି ଏହା ଦୋଷ ଛାନ୍ଦ ଗୀତେ ।”

 

କିନ୍ତୁ ଜାନକୀଶ ବିଳାସକାର ଉତ୍ତରାକାଣ୍ଡ ସଂଯୋଜିତ କରିଛନ୍ତି କାରଣ ସେ ଏକ ରାମାୟଣ ଲେଖିବା ପାଇଁ ଲେଖନୀ ଚାଳନ କରୁଛନ୍ତି ।

 

ରାବଣ ଯେତେବେଳେ ସୈନ୍ୟସାମନ୍ତଙ୍କ ସହ ଲଙ୍କାରୁ ବହିର୍ଗତ ହେଉଅଛି, ସେତେବେଳେ ଭଞ୍ଜ ଲେଖିଛନ୍ତି –

 

ବଇଜୟନ୍ତୀ ପୀତ ସୃତ ବିଦ୍ୟୁତ

ପରିପ୍ରକଟ ସେ ସଙ୍ଗେ

ବରହିଣ ଗଣ ନୃତ୍ୟ କଲା ପ୍ରାୟେ

ଆସନ୍ତି ପଦାନ୍ତି ରଙ୍ଗେ

ବାଜେ । ବିଦ୍ୟ ଘଣ୍ଟି ଶାମୁକ ସମାଜେ

ବଜାଉକି ପକ୍ଷ କମ୍ପ ସାଜେ ।

ବାର୍ଦ୍ଧି ଏମନ୍ତ ବୁଦ୍ଧି ପ୍ରକଟିତ

ସନ୍ଦନ କୁମ୍ଭୀ ତୂରଙ୍ଗେ

ବହିତ୍ର କୁମ୍ଭୀର ମହାମୀନମାନ

ଗତି କରନ୍ତି କି ରଙ୍ଗେ ।

ବାଜୀ । ସାରସାଦୀ ସଦୃଶ୍ୟ ବିରାଜି

ବାସ ଉଷ୍ଣୀଷ ହିଣ୍ଡୀର ସାଜି ।

ବୈ.ବି. ୪୨/୧୧, ୧୨

 

ତାରି ଅନୁକରଣରେ ଭକ୍ତରାମ ଲେଖିଛନ୍ତି-

 

ଜମି ହୋଇଲେ ସେ ବାହାର,

ଯେସନେ ସବର୍ତ୍ତ ମୁଦିର ।

ଯାନମାନଙ୍କ ଧ୍ୱଜ ମାଳା,

ଜିଣେ ସେ ଶୁକଳ ଚଞ୍ଚଳା ।

ଜିହ୍ନଗ ଭୁକଙ୍କ ନର୍ତ୍ତନ,

ଜାଙ୍ଘିକମାନଙ୍କ ଗମନ ।

ଯା ଶୁଭେ ଘଣ୍ଟାଦ ଘାଗୁଡ଼ି

ଜିତେ ସେ ଜୁଂକେ ଭେକ ରଡ଼ି ।

ଜଳୀର ସମ ଦିଶେ ପୁଣି,

ଜାହାଜ ବିରାଜ ଚକ୍ରଣୀ ।

ଯଜବ ଗଜଙ୍କ ସଞ୍ଚାର,

କିଛି ଜଳ ଜନ୍ତବ ପରକାର ।

ଯାତୁଙ୍କ ଶିର ପାଗ ପୁଗ,

ଜଳ ଫେନକୁ ସେ ସଂଯୋଗ ।

ଯିବାର ଗତି ପତ୍ତିଙ୍କର,

ଯେ ରୂପେ ଆକୃତି ଚକ୍ରର ।

 

ଅଯୋଧ୍ୟା କାଣ୍ଡରେ ରାମଚନ୍ଦ୍ରଙ୍କ ବିଭିନ୍ନ ତୀର୍ଥ ଭ୍ରମଣ କଥା ମୂଳ ରାମାୟଣରେ ଉଲ୍ଲେଖ କରାଯାଇଅଛି । ଉପେନ୍ଦ୍ର ଭଞ୍ଜ ରାମଚନ୍ଦ୍ରଙ୍କୁ ପୁରୁଷୋତ୍ତମ କ୍ଷେତ୍ର ଓ ଚନ୍ଦ୍ରଭାଗାରେ ଭ୍ରମଣ କରାଇ ଗଞ୍ଜାମର ଋଷିକୂଲ୍ୟା ନଦୀ ତୀରରେ ଆଣି ପହଞ୍ଚାଇଛନ୍ତି । ସେଠାରେ ରାମଚନ୍ଦ୍ର ତୁମ୍ବୀରେ ଶିବଲିଙ୍ଗ ସ୍ଥାପନ କରିବା ହେତୁ ତାହା ତୁମ୍ବେଶ୍ଵର ନାମରେ ଖ୍ୟାତ ହେଲା ବୋଲି ସେ ଲେଖିଛନ୍ତି । ତାଙ୍କ ଭାଷାରେ –

 

ବିହୀନ ଋଷିଜା ଋଷିବାରେ

ବିନୋଦବର ଋଷିକୁଲ୍ୟା ତୀରେ ।

ବହି ଈଶ୍ୱର ପଦ ଇକ୍ଷ୍ୱାକୁରେ

ବିଭୁ ଅଟନ୍ତି ସଦା ଈକ୍ଷ୍ୱାକୁରେ ।

 

ଭକ୍ତରାମ ମଧ୍ୟ ଠିକ୍ ଏହି କଥା ଉଲ୍ଲେଖ କରି ଅଛନ୍ତି –

 

ଜାଣିଏ ବୋଲି ପୁଣ୍ୟ ସ୍ଥାନ,

ଜଳରେ ପଶି କଲେ ସ୍ନାନ ।

ଯୋଗେ ତୁମ୍ବୀଏ ତାଙ୍କ ଥିଲା,

ଜଳ ଆଣନ୍ତେ ସେ ଭାଜିଲା ।

ଜଗତରେ ତ ସୀତା ଭର୍ତ୍ତା,

ଜାହ୍ନବୀଧର ପଦେ କର୍ତ୍ତା ।

ଜ୍ୟାରେ ସେ ତୁମ୍ବୀ ଥୋଇ ବେଗ

ଯତ୍ନେ ପୂଜନ୍ତେ ହେଲେ ଲିଙ୍ଗ ।

ଯୁଗ ଯୁଗରେ ତାଙ୍କୁ ନର,

ଜଳ୍ପନ୍ତି ବୋଲି ତୁମ୍ବୀଶ୍ୱର ।

 

ରାବଣ ବଧ ଦ୍ୱାରା ରାମ ବ୍ରହ୍ମହତ୍ୟା ଦୋଷରେ ଦୂଷିତ ହେବାକୁ ଚତୁର୍ଦ୍ଦିଗ ଅନ୍ଧକାର ଦେଖାଗଲା ଏବଂ ମାତଳିର ଉପଦେଶରେ ସେ ନିଜ ନାମ ଉଚ୍ଚାରଣ କରିବାରୁ ସେହି ଅନ୍ଧକାର ଦୂର ହେବା କଥା ଭଞ୍ଜେ ଉଲ୍ଲେଖ କରି ଅଛନ୍ତି ।

 

ବିଦୃଶତ, ବିମଳାକ୍ଷ ଅନାଉତ ବାରେ

ବିଧ୍ଵଂସି ଦେଲା ତତ୍ପର ମାତଳି ଆଦିତ୍ୟ ଗିର

ସ୍ୱନାମ ତାରକ ସାର ଉଦିତ କରେ ।

 

ଏଠାରେ ସୀତାଚରଣ ଲେଖିଛନ୍ତି –

 

ଜାନକୀ ଦେବୀ ଚଉର୍ଯ୍ୟର,

ଉନ୍ମତ କୁଳେ ବ୍ରହ୍ମାଙ୍କର ।

ଯୁଦ୍ଧେ ନାଶିଲେ ତାକୁ ଯେଣୁ,

ଜଗତାନ୍ଧାର ଦିଶେ ତେଣୁ ।

ଜପିବ ଯେବେ ନିଜ ନାମ,

ଯିବ ତେବେ ଏ ତମ ତମ ।

ଦୁଷଣ ଶୁଣି ରଘୁପୁତ୍ର,

ଜପିଲେ ନିଜ ନାମ ମନ୍ତ୍ର ।

ଯାହାକୁ ବୋଲନ୍ତି ତାରକ,

ସେ ପୁଣି ମନ୍ତ୍ରଜ୍ଞ ନାୟକ ।

ଯିବାରୁ ବ୍ରହ୍ମବିବ ଦୋଷ

ଯେତିକି ବିଶ୍ୱ ହେଲା ଦୃଶ ।

 

ଏତଦ୍ ବ୍ୟତୀତ ସ୍ଥାନେ ସ୍ଥାନେ ଅଧ୍ୟାତ୍ମ ରାମାୟଣର ପ୍ରଭାବ ମଧ୍ୟ ପରିଦୃଷ୍ଟ ହୁଏ । ସୀତା ନିର୍ବାସନ ବିଷୟରେ ଅଧ୍ୟାତ୍ମ ରାମାୟଣରେ ଲେଖା ଯାଇଛି ଯେ ରାବଣବଧାନନ୍ତର ରାମଚନ୍ଦ୍ର ଆନନ୍ଦରେ ପ୍ରଜାପାଳନ କରୁଥିବା ସମୟରେ ଦେବତାମାନେ ସୀତାଙ୍କୁ ଆସି ଜଣାଇଲେ ରାମଚନ୍ଦ୍ର ପ୍ରଭୃତି ବୈକୁଣ୍ଡକୁ ଯିବା ପାଇଁ ତତ୍ପର ଦେବା ଉଚିତ । ସୀତା ତାହା ବନକ୍ରୀଡ଼ା ସମୟରେ ରାମଚନ୍ଦ୍ରକୁ ଜ୍ଞାପନ କଲେ । ଏଠାରେ ଜାନକୀଶ ବିଳାସକାର ଅଧାତ୍ମ୍ୟରାମାୟଣର ଅନୁସରଣରେ ରାମଙ୍କ ମୁଖରେ କୁହାଇଛନ୍ତି –

 

ଜାଣିଛି ମୁଁ ସର୍ବ ବିଷୟ,

ଯିବାକୁ କରିବି ଉପାୟ ।

ଜନାପବାଦ ତୁମ୍ଭଠାରେ,

ଜନ୍ମାଇ କେବଳ ମିଥ୍ୟାରେ ।

ଯାନରେ ତୁମ୍ଭଙ୍କୁ ବସାଇ,

ଜାଙ୍ଗଳେ ଛଡ଼ାଇବି ନେଇ ।

ଯତି ବାଲ୍ମିକି ଆଶ୍ରମରେ,

ଜନ୍ମିବେ ତୁମ୍ଭ ଦ୍ଵିକୁମରେ ।

ଯାଗଶାଳାକୁ ମୋର ପୁଣ,

ଯେବେ ଆସିବ ନାରୀଗଣ ।

ଯିବାକୁ ପ୍ରତେ ଲୋକେ ମୁହିଁ,

ଜ୍ୱଳନେ ପଶ ବୋଲିବଇଁ ।

ଜ୍ୟାବିଳ ମାର୍ଗ ବଇକୁଣ୍ଠ,

ଯିବ ଏଥିରେ ନାହିଁ କୁଟ ।

 

ଏପରି ଅନେକ କଥା ଅଧ୍ୟାତ୍ମ୍ୟ ରାମାୟଣର ଅନୁରୂପ ବୋଲି ମନେହୁଏ । ବହୁ ଶାସ୍ତ୍ରରୁ ନିଜର ବିଷୟବସ୍ତୁ ସଂଗ୍ରହ କରିଥିଲେ ହେଁ ସୀତାଚରଣ ସେଗୁଡ଼ିକୁ ଏକ ସୂତ୍ରରେ ଗ୍ରନ୍ଥାଦି କରି ସ୍ଵରଚନାଟିକୁ ସୁଷ୍ଠୁ ଏବଂ ମନୋରମ କରି ପାରିଛନ୍ତି ।

 

କବିଙ୍କ କବିତ୍ୱ

ଜାନକୀଶ ବିଳାସ ରାମାୟଣଟି ହିଁ ରଚୟିତାଙ୍କ ପ୍ରତିଭାର ଶ୍ରେଷ୍ଠ ପରିଚାୟକ । ‘ଜ' ଅକ୍ଷରକୁ ଆଦ୍ୟରେ ରଖି ନବାକ୍ଷରୀ ବୃତ୍ତରେ ରାମାୟଣ ଲେଖିବା ସହଜସାଧ୍ୟ ନୁହେଁ । କବି ଏକ ନିର୍ଦ୍ଦିଷ୍ଟ ପରିସର ମଧ୍ୟରେ ଗ୍ରନ୍ଥ ରଚନା କରିଥିବା ହେତୁ ବର୍ଣ୍ଣନାବାହୁଲ୍ୟକୁ ଯଥାସମ୍ଭବ ପରିତ୍ୟାଗ କରିବାପାଇଁ ଚେଷ୍ଟା କରିଛନ୍ତି । କେବଳ ପ୍ରଧାନ ବିଷୟ ଗୁଡ଼ିକର ଅବତାରଣା କରି ଗୌଣ ବିଷୟ ଗୁଡ଼ିକୁ ପରିତ୍ୟାଗ କରିବା ତାଙ୍କ ପକ୍ଷରେ ଅନିବାର୍ଯ୍ୟ ହୋଇ ପଡ଼ିଛି । ଅଧ୍ୟାୟ ଗୁଡ଼ିକ ମଧ୍ୟ ନିର୍ଦ୍ଦିଷ୍ଟ ପଦ ବିଶିଷ୍ଟ ହୋଇଥିବାରୁ ଗୋଟିଏ ଗୋଟିଏ ଅଧ୍ୟାୟରେ ଗୋଟିଏ ଗୋଟିଏ ସମ୍ପୂର୍ଣ୍ଣ ବିଷୟ ସ୍ଥାନ ପାଇ ପାରିନାହିଁ । ଆଦ୍ୟର ‘ଜ’ ବର୍ଣ୍ଣ ପ୍ରତି ରଚୟିତା ସର୍ବଦା ଜାଗ୍ରତ ରହିବା ହେତୁ ଭାଷା ସ୍ଥାନେ ସ୍ଥାନେ ଅପ୍ରାକୃତିକତା ଦୋଷଦୁଷ୍ଟ ହୋଇ ପଡ଼ିଛି । ସେ ମଧ୍ୟ ଉକ୍ତ କ୍ରମ ରକ୍ଷା ନିମନ୍ତେ କେତୋଟି ଶବ୍ଦର ଆଦ୍ୟ ଅକ୍ଷରକୁ ‘ଜ’ କରି ଦେଇଛନ୍ତି ଓ କେତେକ ଅପ୍ରଚୁର ଶବ୍ଦ ବ୍ୟବହାର କରି ଅଛନ୍ତି । ଯଥା – ଜକ୍ଷିବା (ଭକ୍ଷିବା), ଜର (ଶର), ଜଳଦ (ଶିର) ପ୍ରଭୃତି ନଚେତ୍ ଭାଷା ଅତି ସରଳ ଓ ମାଧୁର୍ଯ୍ୟମୟ । ଲୋକ ପ୍ରଚଳିତ ଶବ୍ଦ ଗୁଡ଼ିକର ପ୍ରୟୋଗ ହେତୁ ରାମାୟଣଟି ଶ୍ରୁତିରଞ୍ଜକ ହୋଇ ପାରିଛି । ଓଡ଼ିଆ ପଲ୍ଲିର ଚିତ୍ର ଗୁଡ଼ିକ ମଧ୍ୟେ ମଧ୍ୟେ ଏଥିରେ ସ୍ଥାନ ପାଇ ପାରିଛି । ଯେପରି ରାମାଭିଷେକ ପରେ ସୀତାଙ୍କ ରନ୍ଧନ କ୍ରିୟା ବର୍ଣ୍ଣନା କରିବାକୁ ଯାଇ କବି ଲେଖିଛନ୍ତି –

 

ଜଳେ ନ କରି କିଛି ଯୁତ

ଜୀର୍ଣ୍ଣ ଚାଉଳ କଲେ ଭାତ ।

ଯୁକତି କରି ମୁଗ ଗଡ଼ି

ଜୁଖାରେ ରାନ୍ଧିଲେ ଖେଚୁଡ଼ି ।

ଯୋଖେ ନବାତ ଦୁଧ ଡରି

ଜବାଗୁ ପ୍ରାୟେ କଲେ ଖିରି

ଜିରା ବଡ଼ିକି ଛାଡ଼ି ଭଲେ

ଜାଈମାନଙ୍କୁ ଡାଲିକଲେ ।

ଜୁଆ ପଦାର୍ଥ ଦେଇ ପୁଣ

ଜୁକୁ ଜୁକୁଆ କଲେ ତୁଣ ।

ଯହିଁ ପିତଳ ଧୋବ ହୋଇ

ଯତନେ କଲେ ତା ଖଟାଇ ।

ଜିହ୍ନା ‘ହୋଇବାପାଇଁ ମଜ୍ଜା

ଜ୍ୟାଦାରେ କଲେ ଭାଜିଭଜା ।

ଜ୍ୟାଦାଦି ମୃଗଙ୍କର କ୍ରବ୍ୟ

ଯାକ ରାନ୍ଧିଲେ ଦେଇ ଦ୍ରବ୍ୟ ।

ଯାମିନୀ ନାମା ଖଣ୍ଡ ଘୃତ

ଜାଳ ସର୍ବତୁଣେ ଯୁତ ।

ଜଳରେ ଚୁନାକୁ ଚକଟି

ଯୋକରେ .ତାଡ଼ି କଲେ ରୁଟି ।

ଜନ୍ତୁଣୀକରି ନାନା ବର୍ଣ୍ଣେ

ଯାବନ୍ତ ପିଠା କଲେ ଚୂର୍ଣ୍ଣେ

(ପ୍ରଭୃତି)

 

ଆଗରୁ କୁହାଯାଇଛି ବର୍ଣ୍ଣନାବାହୁଲ୍ୟ, ଶବ୍ଦ କସରତ ଏବଂ ଅଳଙ୍କାର ବାହୁଲ୍ୟ ଏଥିରେ ପରିଦୃଷ୍ଟ ନୁହେଁ । ତଥାପି ମଧ୍ୟେ ମଧ୍ୟେ ଯେଉଁ କେତୋଟି ବର୍ଣ୍ଣନା ରହିଅଛି ସେଗୁଡ଼ିକ ତଥାକଥିତ ପ୍ରାଚୀନତା ରୀତିରୁ ସ୍ଖଳିତ, ସରଳ ଓ ବାସ୍ତବ । ନିମ୍ନରେ ତାର ଗୋଟିଏ ଦୁଇଟି ବର୍ଣ୍ଣନା ପ୍ରଦତ୍ତ ହେଲା –

 

ମାଲ୍ୟବନ୍ତରେ ବର୍ଷା ବର୍ଣ୍ଣନା-

 

ଯିବାରୁ ଖରାକାଳ ସରି

ଜୀମୁତେ ଉଦେ ଜଳଧରି ।

ଜଗତ ଘୋଟନ୍ତେ ଆକାଶେ

ଜାଜ୍ଜ୍ୱଲ୍ୟ ରବିଙ୍କୁ ନଦିଶେ ।

ଯାମିନୀ ଦିବା ଧାରାପାତ

ଜିଇଁଲେ ଶୁଖିବା ସରିତ ।

ଜିଆରେ ପୁରନ୍ତେ ସଲୀଳ

ଜଣା ନଗଲା ଢେପଖାଲ ।

ଜୁରେ ଦିଶିଲା ଅର୍ଦାବଳୀ

ଜମିଣ ଖେଳିଲେ ବିଜୁଳି ।

ଯେହ୍ନେ ସଂଦୀପ୍ତ ତାରାବାରେ

ଜୁଳୁଜୁଳାଏ ଏ ସେ ପ୍ରକାରେ ।

ଜମି ଗମନ୍ତେ ଦଶଦିଶେ

ଯାମିନୀ ଦିବା ଏକ ଦିଶେ ।

ଜଳରୁ ବାହାରିଣ ଭେକ

ଜାଳ ହୋଇଲେ ଭକ ଭକ ।

ଜଳଦେ ଘଡ଼ଘଡ଼ି ସ୍ୱନ

ଜନମକଲେ ପୁନଃ ପୁନଃ ।

ଜିଷ୍ଣୁ ଆରୋହୀ ଐରବାତ

ଜାତୁକେ କଲେ ବଜ୍ରଘାତ ।

ଜଗତ ପ୍ରାଣ ସୀତା ସଙ୍ଗେ

ଜବେ କହିଲେ ଅଷ୍ଟ ଦିଗେ ।

ଜିହ୍ମଣ ଭୁଜେ ଉନମାଦେ

ଜିମୂତେ ନାଚିଲେ ସନାଦେ ।

ଜନ୍ତୁଏ ହୋଇଣ ଆରତ

ଯେ ଯାହା ସୁଖେ ହେଲେ ସ୍ଥିତ ।

ଜକରା ହୋନ୍ତେ ମହାବାଳୀ

ଜ୍ୟାରୁ ହେ ରହିଲେ ବିହଁଳୀ ।

(କିସ୍କିନ୍ଧ୍ୟାକାଣ୍ଡ)

ଚିତ୍ରକୂଟ ବର୍ଣ୍ଣନା –

 

X      x      x

 

ଯାନ୍ତେ ଦେଖିଲେ ଚିତ୍ରକୂଟ

 

ଜଗତୀ ଧର ଛାଗ ଦ୍ୟୁତି

ଯାଏ ହୋଇଛି ଦୀର୍ଘ ପ୍ରତି ।

ଯାମ୍ୟ ବିଶେଷ ମନ୍ଦାକିନୀ

ଯାଆନ୍ତେ ବହି ଭରି ପାଣି ।

ଜଳଦେ ତହିଁ ଫୁଟିଛନ୍ତି

ଜିଣନ୍ତି ସୁର ସୁତା କାନ୍ତି ।

ଯୋଡ଼ି ହୋଇଣ ଅଳି ଆଳି

ଜଖ୍ୟନ୍ତି ମଧୁ କରି କେଳି ।

ଯଷ୍ଟିକ ଆଦି ପକ୍ଷୀ ଭିଡ଼ା

ଜଳରେ କରୁଛନ୍ତି କ୍ରୀଡ଼ା ।

ଯୁଗଳ କୁଳେ ସେ ନଦୀର

ଜାଇ ମାଳତି କନିଅର ।

ଯୁଗ ପତ୍ରକ କୁଶୀମଲ୍ଲୀ

ଯୁଥିକା ମାଧବୀ ବଧୂଲି ।

ଜୟନ୍ତୀ ସେବତୀ ଚମ୍ପକ

ଜବା କଞ୍ଚଣ ଇଳାବକ ।

ଯେତେ ଏ ଆଦି ଲତାପନ୍ତି

ଯୁତ କୁସୁମେ ହୋଇଛନ୍ତି ।

ଜେଉଠ ନଡ଼ିଆ କଦଳୀ

ଜମ୍ବୁ କଇଁଠ ବରକୋଳି ।

ଜଉ ଦାରାକ୍ଷ ବେଲ ଆମ୍ବ

ଜଟିଳା କଦଳୀ ଡାଳିମ୍ବ ।

ଜୟା ଅଶ୍ଵତ୍ଥ ପିଆଶାଳ

ଯଷ୍ଟିମଧୁକ ଗୁଆ ତାଳ ।

ଜୀବନ୍ତି ପନସ ହରିଡ଼ା

ଜୋଙ୍ଗକ ତିନ୍ତିଡ଼ି ବାହାଡ଼ା ।

ଜ୍ୟାରୁହ ସନ୍ଦୋହ ଏ ଅନ୍ତେ

ଯେତେ ଅଛନ୍ତି ସେ ବନସ୍ତେ ।

ଯାତନା ପାଇ ଫୁଲ ଫଳେ

ଯତ୍ନେ ଲୋଟନ୍ତି ଡାଳ ତଳେ ।

ଜନ୍ତୁଏ ପୁଣି ସେହି ଝାଡ଼େ

ଯାଉ ଅଛନ୍ତି ଚାରି ଆଡ଼େ ।

ଜାଣୁ ନାହାନ୍ତି ହିଂସା ଲବ

ଯେସନେ ସହୋଦର ଭାବ ।

ଯଷ୍ଟାଦ ଖଗେ ହୋଇ ଭିଡ଼ା

ଜୁଷ୍ଟରେ କରୁଛନ୍ତି କ୍ରୀଡ଼ା ।

ଜହ୍ନରେ କହୁଛନ୍ତି ବାତ

ଜଡ଼ ସୁଗଣେ ହୋଇ ଯୁତ ।

 

ନିଜେ ରଚୟିତା ଉକ୍ତ ଗ୍ରନ୍ଥର ଏକ ଟୀକା ରଚନା କରିବା ପାଇଁ ପ୍ରବୃତ୍ତ ହୋଇଥିଲେ, ବୋଧହୁଏ ଗ୍ରନ୍ଥଟି ଗୁରୁଙ୍କ ନାମରେ କରିଥିବାରୁ ନିଜ ନାମରେ ତା’ର ଏକ ଟୀକା ଲେଖିବା ପାଇଁ ଚେଷ୍ଟା କରୁଥିଲେ । କିନ୍ତୁ ଟୀକାଟି ସମ୍ପୂର୍ଣ୍ଣ ହେବା ପୂର୍ବରୁ ସେ ଅସହିଷ୍ଣୁ କାଳର ଗର୍ଭରେ ଲୀନ ହୋଇ ଯାଇଥିଲେ । ଉକ୍ତ ଟୀକାର ଏକମାତ୍ର ଉଦାହରଣ ନିମ୍ନରେ ପ୍ରଦତ୍ତ ହେଲା :

 

ଜାନକୀ ଚୋର ଭ୍ରାତ ମୁଣ୍ଡ

ଜାକି କାଟିଲା ଏକ ଦାଣ୍ଡ ।

ଯାଦଃ ପତିରେ କାୟ ପଡ଼ି

ଜଳଦ ଲଙ୍କାଦ୍ଵାରେ ଗଡ଼ି ।

 

ଟୀକା : ଜାନକୀ ଚୋର ବୋଇଲେ ସୀତା ଚୋର ଅଟେ । ଏମନ୍ତ ଯୋ ରାବଣ ତା’ର ଭ୍ରାତ ଯେ କୁମ୍ଭକର୍ଣ୍ଣ ତା’ର ମୁଣ୍ଡକୁ ଯାକିକି ଚିପିଦେଇ ଏକ ଦଣ୍ଡକରେ ସେ ଶିରଚ୍ଛେଦନ କରି ଦିଅନ୍ତେ, ଯାଦଃପତି ସେ ରତ୍ନାକର ସମୁଦ୍ର ତହିଁରେ କୁମ୍ଭକର୍ଣ୍ଣର କାୟ ଯେ ଦେହ ସେ ପଡ଼ିଲା ! ଜଳଦ ଯେ ମସ୍ତକ ସେ ଲଙ୍କାର ଉତ୍ତରଦ୍ଵାରରେ ଯାଇ ଗଡ଼ିଲା ! ଯାଦଃ’ପତି ରମ୍ପାପତି’ ରିତ୍ୟମରେ-। ‘ଜଳଦୋମସ୍ତକେ ମେଘେ’ ଇତି ଭରସଃ ।

 

ଜାନକୀଶ ବିଳାସ ଭଳି ଏକ ବୈଚିତ୍ର୍ୟପୂର୍ଣ୍ଣ ରଚନା ଆଜି ସୁଦ୍ଧା ଅବହେଳିତ ହୋଇ ପଡ଼ି ରହିଛି, ପୁଣି ଯେଉଁ ସ୍ଥାନରେ ଏପରି ଗ୍ରନ୍ଥ ରଚନା କରାଯାଇଥିଲା, ତାହା ଆଜି ଆନ୍ଧ୍ରପ୍ରଦେଶର ଅନ୍ତର୍ଭୁକ୍ତ । ଏପରି ଗୋଟିଏ ଗ୍ରନ୍ଥ ନୁହେଁ, ଅସଂଖ୍ୟ ଗ୍ରନ୍ଥ କ୍ରମଶଃ ଲୋପ ପାଇଯାଉଛି । ଏସବୁ ଗୁଡ଼ିକର ନବୀକରଣ ଓ ଉଦ୍ଧରଣ ଲାଗି ଓଡ଼ିଶାର ସୁଧୀବୃନ୍ଦ ଚେଷ୍ଟିତ ହେବା ଏକାନ୍ତ ଆବଶ୍ୟକ ।

 

ପାଦଟୀକା :

୧.

ଝଙ୍କାର ୯ମ ବର୍ଷ ୧୧ ଶ ସଂଖ୍ୟା

୨.

ଇଚ୍ଛାପୁରମ୍ ଠାରୁ ଏହାର ଦୂରତା ୧୨ ମାଇଲ । ଏହା ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ।

୩.

ଇଚ୍ଛାପୁରମ୍ ଠାରୁ ୧୬ ମାଇଲ ଦୂରରେ ଗଞ୍ଜାମର ଚିକିଟି ଅଞ୍ଚଳରେ ଅବସ୍ଥିତ ।

୪.

ଏହା ବିଚ୍ଛିନ୍ନାଞ୍ଚଳ ଅନ୍ତର୍ଭୁକ୍ତ । ଏଠାରୁ ଏକ ଶିଳାଲିପି ମିଳିଅଛି ।

୫.

ବର୍ତ୍ତମାନ ମଞ୍ଜୁଷାର ଏକ ସାହି

୬.

ଚିନ୍ତାମଣି ମହାନ୍ତି ବର୍ଣ୍ଣିତ ସୁରଙ୍ଗି ।

୭.

ସୁରଙ୍ଗି ଗଡ଼ଠାରୁ ପଶ୍ଚିମକୁ ପ୍ରାୟ ଦୁଇ ମାଇଲ ଦୂରରେ ଅବସ୍ଥିତ ।

୮.

ଅପ୍ରକାଶିତ

୯.

ଏହାଙ୍କର ଏକ ଗ୍ରନ୍ଥ ‘ରାମଭକ୍ତି ରତ୍ନାବଳୀ’ ମୋ ଦ୍ଵାରା ସଂଗୃହୀତ ହୋଇଛି । ଏହାର ସମୟ ୧୬୬୭ ଶକାବ୍ଦ ।

 

***

 

ଦଣ୍ଡକାରଣ୍ୟର ଐତିହାସିକ ପରିଚୟ

ସତ୍ୟନାରାୟଣ ରାଜଗୁରୁ

 

ମନୁଷ୍ୟର ଭାଗ୍ୟ ଯେପରି ପରିବର୍ତ୍ତନଶୀଳ ଉତ୍‌ଥାନ-ପତନର ବଶବର୍ତ୍ତୀ, ସେପରି ଦେଶ ଓ ଜାତିର ଜୀବନରେ ମଧ୍ୟ ପରିବର୍ତ୍ତନମାନ ଦେଖାଯାଏ । ଯାହା ଦିନେ ଏକ ସମୃଦ୍ଧିଶାଳୀ ଜନପଦ ଥିଲା, କାଳକ୍ରମେ ସେ କିପରି ଘୋର ଅରଣ୍ୟରେ ପରିଣତ ହୋଇ ବ୍ୟାଘ୍ର- ଭଲ୍ଲୁକଙ୍କ ଲୀଳାସ୍ଥଳୀ ହେଲା, ପୁଣି ସେହି ଅରଣ୍ୟ ମଧ୍ୟରୁ ପୁଣି ଏକ ଅଦ୍ଭୁତ ବିଭବ ରୂପ ଲାଭ କରିବାକୁ ଏବେ ଉଦ୍ୟତ, ଜଗତର ଏ ରହସ୍ୟ ଦଣ୍ଡକାରଣ୍ୟ ଇତିବୃତ୍ତିରୁ ପ୍ରକଟିତ ହୁଏ ।

 

କେଉଁ ଦୂର ଅତୀତରେ ଯେ ଦଣ୍ଡକାରଣ୍ୟର ଜନ୍ମ, ତାହା ନିରୂପଣ କରିବା ସହଜସାଧ୍ୟ ନୁହେଁ । କଥିତ ଅଛି, ସତ୍ୟ ଯୁଗରେ ଦଣ୍ଡକ ନାମକ ରାଜା ସେଠାରେ ଏକ ରାଜ୍ୟ ସ୍ଥାପନ କରିଥିଲେ । କିନ୍ତୁ ଶୁକ୍ରାଚାର୍ଯ୍ୟଙ୍କ ଶାପରୁ ତାହା ମହାଅରଣ୍ୟରେ ପରିଣତ ହେଲା । ସେ ରାଜ୍ୟଟି ପୁଣ୍ୟତୋୟା ଗୋଦାବରୀ କୂଳରେ ପ୍ରତିଷ୍ଠିତ ହୋଇ ଥିବାରୁ ବହୁ ଋଷି ଆଶ୍ରମ ସେଠାରେ ସ୍ଥାପିତ ହୋଇ ଏକ ପୁଣ୍ୟସ୍ଥଳୀ ରୂପେ ପରିଚିତ ହେଲା । ସୁତୀକ୍ଷ୍‍ଣ ନାମକ ଜଣେ ମହର୍ଷି ସେଠାରେ ଅବସ୍ଥାନ କରୁଥିଲେ । ତାଙ୍କ ପ୍ରତିଭା ଓ ତପୋନିଷ୍ଠାରେ ଆକୃଷ୍ଟ ହୋଇ ଏକଦା ଦେବର୍ଷି ଅଗସ୍ତି ତାଙ୍କ ଆଶ୍ରମରେ ଉପନୀତ ହୁଅନ୍ତି । ‘ଅଗସ୍ତ୍ୟ ସଂହିତା’ ନାମକ ଗ୍ରନ୍ଥରୁ ପ୍ରାପ୍ତ ନିମ୍ନୋକ୍ତ ଶ୍ଳୋକରୁ ଏହା ପ୍ରମାଣିତ ହୁଏ –

 

ଅଗସ୍ତ୍ୟୋ ନାମ ଦେବର୍ଷିଃ

ସତ୍ତମୋ ଗୌତମୀ ତଟେ ।

କଦାଚିଦ୍ଦଣ୍ଡକାରଣ୍ୟେ

ସୁତୀକ୍ଷ୍‍ଣସ୍ୟାଶ୍ରମଂ ଯଯୌ । (୧)

 

ଏଥିରୁ ଆହୁରି ମଧ୍ୟ ଜଣାଯାଏ, ସୁତୀକ୍ଷ୍‍ଣ ମହର୍ଷିଙ୍କ ସମୟରେ ସେହି ପ୍ରାଚୀନ ଜନପଦ ଗୋଟିଏ ଆଶ୍ରମ ବହୁଳ ଅରଣ୍ୟରେ ପରିଣତ ହୋଇଥିଲା । କିନ୍ତୁ ସେ ଅବସ୍ଥା ବେଶିକାଳ ରହିଲାନାହିଁ । ଦଣ୍ଡକାରଣ୍ୟ ଭାଗ୍ୟରେ ପୁଣି ଏକ ପରିବର୍ତ୍ତନ ଦେଖାଦେଲା, ଯେତେବେଳେ ସେ ଅଞ୍ଚଳରୁ ଋଷି ଆଶ୍ରମମାନ ଉଠିଗଲା, ସେହି ତପୋବନଟି ଘୋର କାନ୍ତାରରେ ପରିଣତ ହେଲା । ଅନାର୍ଯ୍ୟ ବା ଅସୁର ଜାତୀୟ ଲୋକେ ତାହା ଅଧିକାର କଲେ । ସେତିକିବେଳେ ଦଣ୍ଡକାରଣ୍ୟ ଏକ ଭୟଙ୍କର ଅସୁରସ୍ଥଳୀ ରୂପେ ଆଚାର୍ଯ୍ୟମାନଙ୍କ ମନରେ ଭୀତି ସଞ୍ଚାର କଲା । ରାମଚନ୍ଦ୍ର ଅଯୋଧ୍ୟା ସିଂହାସନ ପରିତ୍ୟାଗ କରି ସସ୍ତ୍ରୀକ ନିଜ ଭ୍ରାତାଙ୍କ ସହ ଯେତେବେଳେ ଦୀର୍ଘ ଚତୁର୍ଦ୍ଦଶବର୍ଷ ବନବାସ ଉଦ୍ଦେଶ୍ୟରେ ଦକ୍ଷିଣକୁ ଯାତ୍ରା କରନ୍ତି, ସେତେବେଳେ କୋଶଳ ପର୍ଯ୍ୟନ୍ତ ସେହି ଅରଣ୍ୟ ବ୍ୟାପ୍ତ ଥିଲା । ସେଥିରେ ପ୍ରବିଷ୍ଟ ହୋଇ ରଘୁବଂଶୀୟ ମହାବୀର ରାମଚନ୍ଦ୍ର ବହୁ ଅସୁରଙ୍କୁ ନିହତ କଲେ । ପରିଶେଷରେ ଅସୁରରାଜ ରାବଣ ଏଥିରେ ବିବ୍ରତ ହୋଇ ସୀତାଙ୍କୁ ପଞ୍ଚବଟୀଠାରୁ ଅପହରଣ କଲା ।

 

ତଥାପି ଦଣ୍ଡକାରଣ୍ୟବାସୀ ଅନାର୍ଯ୍ୟ ବା ଅସୁର ସମ୍ପ୍ରଦାୟ ପ୍ରତି ତାର ପୂର୍ଣ୍ଣ ମମତା ଓ ସହାନୁଭୂତି ଥିଲା । ସମ୍ଭବତଃ ତାଙ୍କ ଉପରେ ସେ ଯଥେଷ୍ଟ ପ୍ରଭାବ ପକାଇ ଥିବାରୁ ସେମାନେ ଲଙ୍କାପତିଙ୍କ ଆନୁଗତ୍ୟ ସ୍ୱୀକାର କରିଥିଲେ । କେତେ ଐତିହାସିକଙ୍କ ମତରେ ଲଙ୍କାର ଭୌଗୋଳିକପରିସୀମା ସିଂହଳ ଦୀପରେ ଆବଦ୍ଧ ନୁହେଁ । ତାହା ମଧ୍ୟ ଭାରତ ପର୍ଯ୍ୟନ୍ତ ପରିବ୍ୟାପ୍ତ-। ଏ ବିଷୟ ଆମର ଆଲୋଚ୍ୟ ନୁହେଁ ।

 

ଦଣ୍ଡକାରଣ୍ୟ ମଧ୍ୟରେ ଚିତ୍ରକୂଟ ଓ ମାଲ୍ୟବନ୍ତ ଗିରି ଅବସ୍ଥିତ । ଚିତ୍ରକୂଟ ସମ୍ବନ୍ଧ ରାମାୟଣରେ ବର୍ଣ୍ଣିତ ଅଛି ଯେ, ତାହା ଭରଦ୍ଵାଜଙ୍କ ଆଶ୍ରମଠାରୁ ଦକ୍ଷିଣକୁ ପ୍ରାୟ ସାଢ଼େ ତିନି ଯୋଜନ ବା ୨୮ ମାଇଲ ଦୂରରେ ଅବସ୍ଥିତ, ପୁଣି ସେଠାରେ ଖରସ୍ରୋତା ମନ୍ଦାକିନୀ ପ୍ରବାହିତା । କେତେକ ପଣ୍ଡିତଙ୍କ ମତରେ ଏହା ପ୍ରୟାଗ ଠାରୁ ବେଶି ଦୂର ନୁହେଁ । କିନ୍ତୁ ଜୈନ ହରିବଂଶ ଅନୁସାରେ ନୀଳାଦ୍ରିଠାରୁ ଦକ୍ଷିଣକୁ ଏକ ସହସ୍ର ଯୋଜନ ଦୂରରେ ଚିତ୍ରକୂଟ ଅବସ୍ଥିତ ।

 

ନୀଳାଦ୍ରେର୍ଦକ୍ଷିଦଣାଶାୟାଂ

ଯୋଜନୈକ ସହସ୍ରକେ ।

ସୀତା ପୂର୍ବ ତଟେ ଚିତ୍ରଂ

ବିଚିତ୍ରଂ କୃଟମପ୍ୟତଃ ।

(ଜେନ ହରିବଂଶ, ୫,୧୧୧)

 

ଚିତ୍ରକୁଟ ସମୀପରେ ସୀତା ନାମକ ଗୋଟିଏ ନଦୀ ପ୍ରବାହିତ ହେଉଥିବା ଉପରୋକ୍ତ ଶ୍ଳୋକରୁ ଜଣାଯାଏ । (୧) କିନ୍ତୁ ଡକ୍‍ଟର ନୀଳକଣ୍ଠ ଶାସ୍ତ୍ରୀ କହନ୍ତି ଯେ, ଚିତ୍ରକୂଟ ନାମ କାଳକ୍ରମେ ଚକ୍ରକୂଟରେ ପରିଣତ ହେଲା ।(୨) ଏ ମତଟି ଆସ୍ତେ ଗ୍ରହଣ କରିବାକୁ ପ୍ରସ୍ତୁତ । କାରଣ ଦଣ୍ଡକାରଣ୍ୟର ପରିସର ଦୃଷ୍ଟିରୁ ଚିତ୍ରକୂଟ ଯଦି ସେଥିମଧ୍ୟରେ ଅବସ୍ଥିତ, ତେବେ ତାହା ପ୍ରୟାଗ ବା ମନ୍ଦାକିନୀ ପର୍ଯ୍ୟନ୍ତ ବ୍ୟାପିଥିବା ସମ୍ଭବ ପରି ଜଣାଯାଏ ନାହିଁ । ଏ ସମ୍ବନ୍ଧେ ପାଶ୍ଚାତ୍ୟ ପଣ୍ଡିତ Thomas Foulkes ଙ୍କର ନିମ୍ନୋକ୍ତ ଅଭିମତ ପ୍ରଣିଧାନ ଯୋଗ୍ୟ:

 

“....The Dandakaranya — Whatever its actual limits may have been and whether it did or did not cover a large area in any earlier age, is not spoken of as extending over the whole of the Dakhan in the age of Raghu and Aja and Dasaratha and Rama; and that its existence, from that time forward as well as previously, was quite compatible with the contemporaneous existence of several strong kingdoms, and of much civilization, in the regiouns around it.’’

 

ଅର୍ଥାତ୍ – ଦଣ୍ଡକାରଣ୍ୟ – ଏଥିରେ ବାସ୍ତବ ସୀମା ଯାହା ହେଉନା କାହିଁକି, କୌଣସି ଯୁଗରେ ଏଥର ପରିସର ଏକ ବିଶାଳ ଭୂଖଣ୍ଡ ରୂପେ ସୁଖ୍ୟାତି ଲାଭ କରୁ ବା ନକରୁ, ରଘୁ-ଅଜ-ଦଶରଥରାମଙ୍କ ପରବର୍ତ୍ତୀ ଯୁଗରେ ବା ତତପୂର୍ବରୁ ଏହା ସମଗ୍ର ଦକ୍ଷିଣ (ଭାରତ)ରେ ବ୍ୟାପିଥିଲା ବୋଲି କୁହାଯାଏ ନାହିଁ, ପୁଣି ବହୁ ସୁଦୃଢ଼ ତଥା ସଭ୍ୟତା ସମ୍ପନ୍ନ ରାଜ୍ୟମାନଙ୍କ ପରିବେଷ୍ଟନୀ ମଧ୍ୟରେ ରହି ସେହି ରାଜ୍ୟର ସମସାମୟିକ ସଭ୍ୟତା ମଧ୍ୟରେ ଏହା (ଦଣ୍ଡକାରଣ୍ୟ) ଉଜ୍ଜୀବିତ । ମି.ବେଣ୍ଟଲେ (Mr. Bentlay) ଙ୍କ ଜ୍ୟୋତିଷ ଗଣନାନୁସାରେ ରାମଚନ୍ଦ୍ରଙ୍କ ସମୟ ଯଦି ଖ୍ରୀଷ୍ଟପୂର୍ବ ଦଶମ ଶତାବ୍ଦୀ ବୋଲି ଧାର୍ଯ୍ୟ ହୁଏ (୧) ତାହେଲେ ଭାରତବର୍ଷର ବହୁ ପ୍ରାଚୀନତମ ରାଜ୍ୟମାନଙ୍କ ମଧ୍ୟରେ ଦଣ୍ଡକାରଣ୍ୟ ନିଶ୍ଚୟ ଗଣ୍ୟ ହେବ ।

 

କୌଣସି କୌଣସି ପଣ୍ଡିତଙ୍କ ମତରେ ଆଧୁନିକ ମହାରାଷ୍ଟ୍ର ରାଜ୍ୟରେ ଦଣ୍ଡକାରଣ୍ୟ ଅବସ୍ଥିତ (୨) । କିନ୍ତୁ ଏ ମତର ଅସାରିତା ରାମାୟଣ ପ୍ରଭୃତି ପ୍ରାଚୀନ ଗ୍ରନ୍ଥମାନଙ୍କରୁ ପ୍ରମାଣିତ ହୁଏ । ଉତ୍ତରାକାଣ୍ଡ, ୮ ଅଧ୍ୟାୟରେ ବର୍ଣ୍ଣିତ ଅଛି, ବିନ୍ଧ୍ୟ ପର୍ବତଠାରୁ ଆରମ୍ଭ କରି ସୁବଳୟାଗିରି ପର୍ଯ୍ୟନ୍ତ ଦଣ୍ଡକାରଣ୍ୟ ବ୍ୟାପ୍ତ ହୋଇଥିଲା । ଏଥିର ଗୋଟିଏ ଅଂଶ ‘ଜନସ୍ଥାନ’ ନାମରେ ପରିଚିତ । ଭବଭୂତିଙ୍କର ‘ଉତ୍ତର ରାମଚରିତ’ରେ ବର୍ଣ୍ଣିତ ଅଛି, ଜନସ୍ଥାନର ପଶ୍ଚିମରେ ଦଣ୍ଡକାରଣ୍ୟ ଅବସ୍ଥିତ ।

 

ଅତି ପ୍ରାଚୀନ ଯୁଗରୁ ଆରମ୍ଭ କରି ଏଠାରେ ମାହିଷିକ ନାମକ ଏକ ରାଜ୍ୟ ସ୍ଥାପିତ ହୋଇଥିଲା । ସେଠାରେ ମୁଖ୍ୟତଃ ମାହିଷ୍ୟ ନାମକ ଜାତି ବାସ କରୁଥିଲେ । ବାଲ୍ମିକୀଙ୍କର ଲେଖାଅନୁଯାୟୀ ସେ ରାଜ୍ୟର ଚତୁର୍ଦ୍ଦିଗରେ ବିଦର୍ଭ, କଳିଙ୍ଗ, ମତ୍ସ୍ୟ ପ୍ରଭୃତି ରାଜ୍ୟ ବିଦ୍ୟମାନ । ରାମାୟଣରେ ଉଲ୍ଲେଖ ଅଛି –

 

“ବିଦର୍ଭାନ୍ ଋଷିକାଂ ଶ୍ଚୈବ

ରମ୍ୟାନ୍‍ମାହିଷକାନ୍ନପି।

ତଥା ମତ୍ସ୍ୟ କଳିଙ୍ଗାନଶ୍ଚ

କାଶିକାଂଶ୍ଚ ସମନ୍ତତଃ ।।

ଅନ୍ୱିଷ୍ୟ ଦଣ୍ଡକାରଣ୍ୟଂ

ସପର୍ବତ ନଦୀଗୁହମ୍ ।

ନଦୀଂ ଗଦାବରୀଂ ଚୈବ

ସର୍ବମେବାନୁ ପଶ୍ୟତି ।।”

 

Griffith ଯେଉଁ ମୂଳ ରାମାୟଣର ଇଂରାଜୀ ଅନୁବାଦ କରିଅଛନ୍ତି ତାହାକୁ ଭିତ୍ତି କରି Thomas Fylulkes ମତ ପ୍ରକାଶ କରନ୍ତି ଯେ, ସୀତାଙ୍କ ଅନୁସନ୍ଧାନ ପାଇଁ ମର୍କଟ ସୈନ୍ୟମାନେ ଲଙ୍କା ସମେତ ସମଗ୍ର ଦକ୍ଷିଣ ଭାରତର ବିଭିନ୍ନ ଦେଶ ପର୍ଯ୍ୟଟନ କରିଥିଲେ । ତୁଙ୍ଗଭଦ୍ରା ତଟରୁ ତାଙ୍କ ଯାତ୍ରା ଆରମ୍ଭ ହୁଏ । ଏଠାରେ ଆମ୍ଭେ ଦେଖିବାକୁ ପାଉଁ ଯେ ମେଖଳ, ଉତ୍କଳ, ଦଶାର୍ଣ୍ଣ, ବିଦର୍ଭ, ଋଷିକ, ମାହିଷିକ, ମତ୍ସ୍ୟ, କଳିଙ୍ଗ ପ୍ରଭୃତି ରାଜ୍ୟରେ ସୁଶୃଙ୍ଖଳ ଭାବେ ଜାତୀୟ ସଭ୍ୟତା ସେତେବେଳେ ସମ୍ପ୍ରସାରିତ ହୋଇଥିଲା । (୩)

 

ବର୍ତ୍ତମାନ ପ୍ରଶ୍ନ ହେଉଛି, ସେ ଯୁଗର ମାହିଷିକ ଜାତି ଭାରତବର୍ଷର କେଉଁ ଅଞ୍ଚଳରେ ତାଙ୍କ ବାସ ସ୍ଥାପନ କରିଥିଲେ ? ଏ ପ୍ରଶ୍ନଟି ଉପରେ ସମ୍ଭବତଃ ପ୍ରାଚୀନ ଦଣ୍ଡକାରଣ୍ୟର ଭୌଗୋଳିକ ସମସ୍ୟାର ସମାଧାନ କିୟତ୍ ପରିମାଣରେ ନିର୍ଭର କରେ । ପ୍ରାଚୀନ ହିନ୍ଦୁ ଓ ବୌଦ୍ଧ ଗ୍ରନ୍ଥଗୁଡ଼ିକ ପରୀକ୍ଷା କଲେ ଏଥିରେ ତଥ୍ୟ ଜଣାଯିବ ବୋଲି ଆମ୍ଭର ବିଶ୍ୱାସ ।

 

ମାହିଷିକ ଜାତି ଯେଉଁଠାରେ ବାସ କରୁଥିଲେ, ତାହାହିଁ ମାହିଷିକ ରାଜ୍ୟ ନାମରେ ପରିଚିତ । ସେଠାରେ ରାଜଧାନୀ ମଧ୍ୟ ତଦନୁସାରେ ମାହିଷ୍ମତୀ ନାମରେ ଆଖ୍ୟାତ ହୁଏ । ସେ ରାଜଧାନୀ ପ୍ରଥମେ ନର୍ମଦା ତଟବର୍ତ୍ତୀ ବିନ୍ଧ୍ୟା ପର୍ବତର ଦକ୍ଷିଣ ଭାଗରେ ଥିବା ବିଷୟ ବହୁ ଗ୍ରନ୍ଥରେ ଉଲ୍ଲେଖ ଅଛି । (୪) ଭାଣ୍ଡାରକରଙ୍କ ମତାନୁସାରେ ଅନୁପ ରାଜ୍ୟର ରାଜଧାନୀ ମାହିତୀ । (୫) ଭାଗବତରେ ବର୍ଣ୍ଣିତ ଅଛି, ପୂର୍ବେ ସହସ୍ରାର୍ଜୁନ ନାମକ ହୈହୟବଂଶୀୟ ଜଣେ ପରାକ୍ରମଶାଳୀ ରାଜା ସେଠାରେ ରାଜତ୍ୱ କରୁଥିଲେ । ସେ ପର୍ଶୁରାମଙ୍କ ଦ୍ୱାରା ନିହତ ହୋଇଥିଲେ । ସହସ୍ରାର୍ଜୁନଙ୍କୁ ନିହତ କରି । ପର୍ଶୁରାମ ତପସ୍ୟା ନିମନ୍ତେ ମହେନ୍ଦ୍ର ପର୍ବତକୁ ପ୍ରସ୍ଥାନ କଲେ । ମହୀଷ୍ମାନ ନାମକ ଜଣେ ମହାପୁରୁଷଙ୍କ ନାମାନୁସାରେ ଏ ରାଜ୍ୟର ନାମକରଣ ହୋଇଥିବା ପ୍ରସଙ୍ଗ ହରିବଂଶରେ ଉଲ୍ଲେଖ ଅଛି । କିନ୍ତୁ ପଦ୍ମପୁରାଣରେ ବର୍ଣ୍ଣିତ ଅଛି ଯେ, ମହୀଷ ନାମକ ଜଣେ ରାଜା ସେଠାରେ ପ୍ରଥମେ ରାଜତ୍ୱ କରୁଥିବାରୁ ତାଙ୍କ ନାମରେ ତାହା ପରିଚିତ ହେଲା । ରାମାୟଣ କିସ୍କିନ୍ଧ୍ୟାକାଣ୍ଡ ୪୧ଶ ଅଧାୟରେ, ପଦ୍ମପୁରାଣ ଆଦିଖଣ୍ଡ ୬ଷ୍ଠ ଅଧ୍ୟାୟରେ ପୁଣି ମହାଭାରତ ଭୀଷ୍ମପର୍ବ ୯ମ ଅଧାୟରେ ମାହିଷକ ବା ମାହିଷ୍ମତୀ ନାମ ଦେବାକୁ ମିଳେ । ମହାଭାରତ ଯୁଗରେ ସେଠାରେ ନୀଳରାଜ୍ୟ (୨) ନାମକ ଜଣେ ବଳିଷ୍ଠ ରାଜା ଶାସନ ଚଳାଉଥିଲେ । ସଭାପର୍ବରେ ବର୍ଣ୍ଣିତ ଅଛି, ସହଦେବ ଦାକ୍ଷିଣାତ୍ୟ ରାଜାମାନଙ୍କୁ ଜୟ କରିବାକୁ ଯାଇ ମାହୀଷ୍ମତୀଠାରେ ନୀଳରାଜଙ୍କ ସଙ୍ଗେ ଘୋର ଯୁଦ୍ଧରେ ପ୍ରବୃତ୍ତ ହେଲେ । ନୀଳରାଜା ଥିଲେ ଅଗ୍ନିଦେବଙ୍କ ଜାମାତା । ସହଦେବ ସେଠାରେ ପରାସ୍ତ ହେବାରୁ ଅଗ୍ନିଙ୍କ ପରାମର୍ଶ କ୍ରମେ ନୀଳରାଜା ତାଙ୍କର କୌଣସି କ୍ଷତି ସାଧନ କଲେ ନାହିଁ, ବରଂ ନିଜେ ପାଣ୍ଡବଙ୍କ ଆନୁଗତ୍ୟ ସ୍ୱୀକାର କଲେ ।

 

ସିଂହଳରେ ‘ମହାବଂଶ’ ନାମକ ଗୋଟିଏ ପାଳି ଗ୍ରନ୍ଥରେ ଉଲ୍ଲେଖ ଅଛି ଯେ (୩) ମୌର୍ଯ୍ୟବଂଶୀୟ ମହାରାଜ ଅଶୋକ ଧର୍ମପ୍ରଚାର ଉଦ୍ଦେଶ୍ୟରେ ମାହିଷ୍ମତୀ-ମଣ୍ଡଳକୁ ତଥରୋ ମହାଦେବ ନାମକ ଜଣେ ବ୍ୟକ୍ତିଙ୍କୁ ପଠାଇଥିଲେ । (୪) ଗରୁଡ଼ ପୁରାଣ ବର୍ଣ୍ଣନାରୁ ଜଣାଯାଏ, ମାହିଷ୍ମତୀ ଏକ ମହାତୀର୍ଥ ରୂପେ ଭାରତରେ ଖ୍ୟାତି ବିସ୍ତାର କରିଥିଲା ।

 

ପ୍ରଥମେ କୁହାଯାଇଛି ଯେ ନର୍ମଦାକୂଳରେ ମାହିଷ୍ମତୀ ପ୍ରତିଷ୍ଠିତ । କେତେକ ପଣ୍ଡିତଙ୍କ ମତରେ ମାହିଷିକ ରାଜ୍ୟ ଔରଙ୍ଗାବାଦ ଓ ଦକ୍ଷିଣ-ମାଳବ ମଧ୍ୟରେ ଅବସ୍ଥିତ । ସେଠାରେ ଅତି ପ୍ରାଚୀନ କାଳରୁ ହୈହୟ ବଂଶୀୟ ରାଜାମାନେ ରାଜତ୍ଵ କରୁଥିଲେ । ସେ ବଂଶରେ ସହସ୍ରାର୍ଜୁନ ଓ ତାଳଜଙ୍ଘ ନାମକ ପ୍ରଖ୍ୟାତ ନାମା ରାଜନ୍ୟବର୍ଗ ଜନ୍ମ ଲାଭ କରିଥିବା ପ୍ରସଙ୍ଗ ପୁରାଣମାନଙ୍କରୁ ବିଦିତ ହୁଏ ।

 

‘ଅନର୍ଘରାଘବ’ ନାଟକରେ ଉଲ୍ଲେଖ ଅଛି ଯେ, ମାହିଷ୍ମତୀଠାରେ ଚେଦୀ ବଂଶୀୟ ରାଜାମାନେ ରାଜତ୍ୱ କରୁଥିଲେ । ‘ମହାଗୋବିନ୍ଦ-ସୁତ୍ତାନ୍ତ’ ନାମକ ପ୍ରାଚୀନ ବୌଦ୍ଧ ଗ୍ରନ୍ଥ ଅନୁଯାୟୀ ‘ମହିସ୍‍ପତି’ ବା 'ମାହିଷ୍ମତୀ’ ଏକ ସମୟରେ ମାଳବ ବା ଅବନ୍ତିରାଜ୍ୟର ରାଜଧାନୀ ଥିଲା । ସେତେବେଳେ ତାହା ତରବାନଦୀ ତଟରେ ପ୍ରତିଷ୍ଠା ଲାଭ କରିଥିବା ପ୍ରସଙ୍ଗ ‘ଅହଲ୍ୟା କାମଧେନୁ ନାମକ ଗ୍ରନ୍ଥର ନିମ୍ନୋକ୍ତ ଶ୍ଳୋକରୁ ପ୍ରକଟିତ ହୁଏ-

 

“ତରବୋ ତୀରୋପକଣ୍ଠେ ପ୍ରବଳ ଗୁଣଗଣୈଃ

କାର୍ତ୍ତବୀର୍ଯାଧିପସ୍ୟ

ବିଖ୍ୟାତା ଯା ପୁରାସୀତ୍ ତଦନୁ ସୁଜନତା

ସତକଥାଳାପ ନାମ୍ନା ।

ଜାତା ମାହିଷ୍ମତୀ ଯା ଭୁବିନରଧୁନା

କାଳ ଯୋଗାଭି ଗୁପ୍ତା ।

ସେୟଂ ଖ୍ୟାତାପ୍ୟହଲ୍ୟାଧିକମତି ବିଳସତ୍‍

କର୍ମଭିର୍ଦୃଶ୍ୟତେ ଚ ।।

 

କାଳକ୍ରମେ ସେଠାରେ ହୈହୟ ବଂଶ ୫ଟି ଶାଖାରେ ବିଭକ୍ତ ହେଲା । ଯଥା (୧) ବିତିହୋତ୍ର, ୨) ଶାର୍ଯାତି, ୩) ଭୋଜ, ୪) ଅବନ୍ତି ଏବଂ ୫) ହୈହୟ ବା ଚେଦୀ । (୧) ସେହି ଶାଖା ଗୁଡ଼ିକ ବିଭିନ୍ନ ସ୍ଥାନରୁ ରାଜତ୍ୱ କରିବାକୁ ଲାଗିଲେ । ସେହି ୫ଟି ଶାଖାରୁ ଆଉ କେତେକ ଉପ-ଶାଖା ମଧ୍ୟ ଜାତ ହେଲା ଏକଥା ଐତିହାସିକ ଲେଖାମାଳାରୁ ପ୍ରମାଣିତ ହୁଏ । ତ୍ରିପୁରୀ, ତୁମ୍ମାଣ, ରତ୍ନପୁର ପ୍ରଭୃତି ସ୍ଥାନରେ ସେହି ଉପ-ଶାଖା ଗୁଡ଼ିକ ରାଜତ୍ଵ କରୁଥିଲେ । ତନ୍ମଧ୍ୟରୁ ଗୋଟିଏ ଉପ-ଶାଖା ଗୋଦାବାରୀ ତଟରେ ଆତ୍ମପ୍ରକାଶ କରିଛି । ସେଠାରେ ରାଜାମାନେ ସମ୍ଭବତଃ କୌଣସି ମୂଳ ଶାଖାର ଅନ୍ତର୍ଭୁକ୍ତ ଥିବାରୁ, ତାଙ୍କର ରାଜଧାନୀକୁ “ମାହିଷ୍ମତୀ’ ଆଖ୍ୟା ଦେଇଥିଲେ । ସୁତରାଂ ଦୁଇଟି ମାହିଷ୍ମତୀ ଭାରତରେ ସୃଷ୍ଟି ହେଲା । ଫଳତଃ ପରବର୍ତ୍ତୀ ଯୁଗର କବି ଓ ପୁରାଣକାରମାନେ ସେଥିରେ ସ୍ଥାନ ନିର୍ଣ୍ଣୟ କରିବାକୁ ଯାଇ ଭ୍ରମ ପ୍ରମାଦରେ ପଡ଼ିଥିବା ସ୍ଵାଭାବିକ । ଐତିହାସିକମାନେ ଦ୍ୱିତୀୟ ମାହିଷ୍ମତୀ ସମ୍ବନ୍ଧେ ବିଚାର କରିବା ସୁଯୋଗ ଅଦ୍ୟାପି ପାଇ ନ ଥିବା ଜଣାଯାଏ । କାରଣ ସେ ରାଜ୍ୟଟି ଆଜିସୁଦ୍ଧା ପୂର୍ବ ଗୋଦାବରୀ ଜିଲ୍ଲାକୁ ଲାଗି କେରାପୁଟର ଏକ ଅଜ୍ଞାତ ଓ ଦୁର୍ଭେଦ୍ୟ ଅରଣ୍ୟର ଅନ୍ତରାଳରେ ଲୁକ୍‍କାୟିତ । ଆମ୍ଭ ମତରେ ଦ୍ୱିତୀୟ ମାହୀଷ୍ମତୀ ବା ମାହୀଷକ ରାଜ୍ୟଟି କାଳକ୍ରମେ ମାଲକାନଗିରି ନାମରେ ପରିଚିତ ହେଲା । ଦ୍ରାବିଡ଼ିୟ ଭାଷାସୂତ୍ର ଅନୁସାରେ ‘ତ’ ଓ ‘ନ’ (ଦନ୍ତ୍ୟବର୍ଣ୍ଣ) ଅକ୍ଷର ମଧ୍ୟରେ ପ୍ରଭେଦ ରହୁନଥିବାରୁ ‘ମାହିଷ୍ମତୀ’ ଶବ୍ଦରୁ ‘ମାଇଷୁନୀ’ ଓ ‘ମାଷୁନୀ’ ଶବ୍ଦ ସୃଷ୍ଟି ହେଲା । ଚାଳବଂଶୀୟ ରାଜା ରାଜେନ୍ଦ୍ର ଚୋଳ (ଖ୍ରୀ.ବ୍ଦ. ୧୨୪୪)ଙ୍କର ତିରୁବାଲ -ଙ୍ଗାଡ଼ୁ ଅନୁଶାସନରେ ୨) ଉଲ୍ଲେଖ ଅଛି ଯେ, ତାଙ୍କର ସୈନ୍ୟମାନେ ଚକ୍ରକୋଟ (ବସ୍ତର) ଜୟ କଲାପରେ ମାଶୁଣୀ (ମାଷୁନୀ) ରାଜ୍ୟରେ ଉପସ୍ଥିତ ହେଲେ । ତାପରେ ସେ ଓଡ୍ରକୌଶଳ ପ୍ରଭୃତି ରାଜ୍ୟରେ ସୈନ୍ୟ ଚାଳନା କରିଥିଲେ । ‘ଗର୍ଗସଂହିତା’ ନାମକ ଏକ ସଂସ୍କୃତ ଗ୍ରନ୍ଥରେ ପ୍ରଦ୍ୟୁମ୍ନଙ୍କ ଦିଗ୍ ବିଜୟ ପ୍ରସଙ୍ଗରେ ବିବୃତି ଅଛି ଯେ, କଳିଙ୍ଗଦେଶ ପରେ ପ୍ରଦ୍ୟୁମ୍ନ ମାଳବ ଓ ମାହିଷ୍ମତୀରେ ପ୍ରବିଷ୍ଟ ହୋଇଥିଲେ ।୩) ଏଠାରେ କହି ରଖିବା ଉଚିତ ଯେ, ମସ୍ୟବଂଶୀୟ ରାଜାମାନଙ୍କ ରାଜ୍ୟ ‘ମାଳବ’ ନାମରେ ପରିଚିତ ଥିଲା । ହୈହୟମାନଙ୍କ ପରି ରାଜପୁତାନାର ମସ୍ୟବଂଶୀୟ ରାଜାମାନଙ୍କର ଗୋଟିଏ ଶାଖା କରାପୁଟ ଜିଲ୍ଲାର ମାତୃଗୋଳ ନାମକ ସ୍ଥାନରେ ରାଜ୍ୟ ସ୍ଥାପନ କରିଥିଲେ । ସେଥିରେ ନାମ ଥିଲା ମାଳବ । ସେ ରାଜ୍ୟମାନଙ୍କର ଆରାଧିତ ଦେବତା ଥିଲେ ମସ୍ୟେଶ୍ୱର ।) ବର୍ତ୍ତମାନ ଯେଉଁଠାରେ ଡୁଡୁମାର ଜଳବିଦ୍ୟୁତ୍ କାରଖାନା ଅଛି ତାହା ମତ୍ସ୍ୟବଂଶୀୟ ରାଜାମାନଙ୍କର ପବିତ୍ର କ୍ଷେତ୍ର ଥିଲା । ସେଠାରେ ମତ୍ସ୍ୟରୂପୀ ଭଗବାନଙ୍କର ଆରାଧନା କରୁଥିଲେ ବାକିଟି ନାମକ ଏକ ଧୀବର ଜାତୀୟ ପୂର୍ବକ ।(୫)

 

ଗର୍ଗ ସଂହିତାର ୫ମ ଅଧ୍ୟାୟରେ ପ୍ରଦ୍ୟୁମ୍ନଙ୍କ କଳିଙ୍ଗ ଜୟ ପରେ ଷଷ୍ଠ ଅଧ୍ୟାୟରେ ମାଳବ ଓ ମାହିଷ୍ମତୀ ଜୟ କଥା ଉଲ୍ଲେଖ ଅଛି । ଏଣୁ ଶେଷୋକ୍ତ ଉଭୟରାଜ୍ୟ ଆଧୁନିକ ଯୁଗର ମାଡ଼ଗୋଳ ଏବଂ ମାଲକାନଗିରି ସଙ୍ଗେ ପରିଚିତ ହୁଅନ୍ତି । ରାମାୟଣରେ ନିମ୍ନୋକ୍ତ ଶ୍ଳୋକରୁ ଏହା ଦୃଢ଼ୀଭୂତ ହୁଏ ।

 

“ବିଦର୍ଭାନ୍ ଋଷିକାଂଶ୍ଚୈବ

ରମ୍ୟାନ୍ ମାହିଷକାନପି ।

ତଥା ମତ୍ସ୍ୟା କଳିଙ୍ଗାଶ୍ଚୃ

କାଶିକାଂଶ୍ଚ ସମନ୍ତତଃ ।

 

ଉପରୋକ୍ତ ବିବରଣୀରୁ ଜଣାଯାଏ ଯେ, ରାମାୟଣରେ ପ୍ରଥମେ ମାହିଷିକ, ତା’ପରେ ମତ୍ସ୍ୟ ଏବଂ ଶେଷରେ କଳିଙ୍ଗ ଉଲ୍ଲେଖ ଥିବାରୁ ଦାକ୍ଷିଣାତ୍ୟ ପୂର୍ବୋତ୍ତରାଦ କ୍ରମରେ ତାହା ବର୍ଣ୍ଣିତ । କିନ୍ତୁ ଗର୍ଗସଂହିତାରେ ପ୍ରଥମେ କଳିଙ୍ଗ ତାପରେ ମାଳବ ଓ ଶେଷରେ ମାହିଷ୍ମୀ ବର୍ଣ୍ଣିତ ହୋଇଥିବାରୁ ଉତ୍ତର ପୂର୍ବ ଦିଗରୁ ଦକ୍ଷିଣକୁ ପ୍ରଦ୍ୟୁମ୍ନ ଦିଗ୍‍ବିଜୟ ଯାତ୍ରା କରିଥିବା ପ୍ରମାଣିତ ହୁଏ । ସେ ଯାହା ହେଉ, ଗର୍ଗସଂହିତାର ମାହିଷ୍ମତୀ ଯେ ରାମାୟଣର ମାହିଷିକ ଏବଂ ଗର୍ଗସଂହିତାର ମାଳବ ଯେ ରାମାୟଣର ମସ୍ୟରାଜ୍ୟ, ଏଥିରେ ସନ୍ଦେହର ଅବକାଶ ନାହିଁ । ପୁଣି ଏ ରାଜ୍ୟଗୁଡ଼ିକ ପରସ୍ପର ସଂଲଗ୍ନ ଥିବାରୁ ଭୌଗୋଳିକ କ୍ରମରେ ତାହା ଉକ୍ତ ଗ୍ରନ୍ଥରେ ସ୍ଥାନ ପାଇଛନ୍ତି ।

 

ମଧ୍ୟ-ଯୁଗରେ ଗୋଦାବରୀ ତଟବର୍ତ୍ତୀ ମାହିଷ୍ମତୀ ମଣ୍ଡଳର ଏକ ପ୍ରଖ୍ୟାତ ରାଜ୍ୟ ଥିଲା । ସେଠାରେ ରାଜଧାନୀ ଦଣ୍ଡକପୁର ନାମରେ ପରିଚିତ । ଚେଦୀ ବଂଶୀୟ ରାଜା ବିଜୟଦେବ ଦକ୍ଷିଣ-କୋଶଳ ସଙ୍ଗେ ନିକଟବର୍ତ୍ତୀ ଯେଉଁ କେତୋଟି ରାଜ୍ୟଜୟ କରିଥିଲେ ସେଥି ମଧ୍ୟରେ ଦଣ୍ଡକପୁର ଅନ୍ତର୍ଭୁକ୍ତ ହୋଇଥିଲା । (୧) ଏ ଦୃଷ୍ଟିରୁ ବିଚାର କଲେ ଜଣାଯାଏ ଯେ, ଦଣ୍ଡକାରଣ୍ୟ ତଥା ମାହିଷ୍ମତୀ ଏକଆଡ଼େ ଯେପରି କଳିଙ୍ଗ ସଙ୍ଗେ ସଂଲଗ୍ନ ଥିଲା, ସେହିପରି ଅନ୍ୟ ଆଡ଼େ ଦକ୍ଷିଣକୋଶଳକୁ ମଧ୍ୟ ସ୍ପର୍ଶ କରୁଥିଲା ।

 

ମାଲକାନଗିରିର ପଶ୍ଚିମରେ ଗୋଦାବରୀ ପ୍ରବାହିତ । ସେଠାରେ ଶାବରୀ ଓ ଇନ୍ଦ୍ରାବତୀ ନାମକ ନଦୀ ଦ୍ୱୟ ସେହି ସମୁଦାୟ ଅଞ୍ଚଳଟି ଉର୍ବର କରି ଶସ୍ୟଶ୍ୟାମଳା ଓ ବନଜଙ୍ଗଲ ପୂର୍ଣ୍ଣ କରି ଗଢ଼ିଛି ।

 

ଗୋଦାବରୀ କୂଳରେ ଭଦ୍ରଚଳମ୍ ନାମକ ଏକ ରମଣୀୟ ସ୍ଥାନ, ସେ ରାଜ୍ୟର ପୁଣ୍ୟତୀର୍ଥ ରୂପେ ପ୍ରତିଷ୍ଠିତ । ସେଠାରେ ସୀତା ରାମଙ୍କ ବିଗ୍ରହ ପୂଜିତ ହୁଅନ୍ତି । ବହୁ ଦୂରଦେଶରୁ ଯାତ୍ରୀମାନେ ଆସି ରାମନବମୀ ଦିନ ସେଠାରେ ସମବେତ ହୁଅନ୍ତି । ମଧ୍ୟଯୁଗରେ ତାହା ‘ମାହିଷ୍ମତୀ -ମଣ୍ଡଳ’ ନାମରେ ସୁବିଦିତ ଥିଲା । ହୈହୟ ବଂଶୀୟ ରାଜାମାନେ ସେଠାରେ ଆଧିପତ୍ୟ ବିସ୍ତାର କରିଥିଲେ-। ସେହି ରାଜାମାନେ ଓଡ଼ିଶାର ଗଙ୍ଗବଂଶୀୟ ରାଜାମାନଙ୍କର ସାମନ୍ତ ରୂପେ ଅବସ୍ଥାନ କରି ଓଡ଼ିଶା ସପକ୍ଷରେ ବହୁ ଯୁଦ୍ଧରେ ବ୍ୟାପୃତ ରହୁଥିଲେ । ଗଙ୍ଗମାନଙ୍କ ସଙ୍ଗେ ତାଙ୍କର ବୈବାହିକ ସମ୍ପର୍କ ମଧ୍ୟ ରହିଥିଲା । ଅନଙ୍ଗଭୀମଙ୍କର ଜାମାତା ପରମର୍ଦ୍ଦୀ ଦେବ ହୈହୟ ବଂଶରେ ଜନ୍ମଲାଭ କରିଥିଲେ । ସେ ଓଡ଼ିଶା ପାଇଁ ଯୁଦ୍ଧକରି ରଣକ୍ଷେତ୍ରରେ ଆତ୍ମବଳୀ ଦେବାରୁ ତାଙ୍କ ବୀରତ୍ୱର ସ୍ମାରକ ରୂପେ ତାଙ୍କ ରାଣୀ ଚନ୍ଦ୍ରିକାଦେବୀ ଭୁବନେଶ୍ୱରଠାରେ ପ୍ରସିଦ୍ଧ ଅନନ୍ତବାସୁଦେବଙ୍କ ମନ୍ଦିର ନିର୍ମାଣ କରି ସେଠାରେ ତାଙ୍କର ଏକ ଶିଳାଲେଖ ଖୋଦିତ କରିଅଛନ୍ତି । ସେଥିରେ ଯେଉଁ ସୁନ୍ଦର ଶ୍ଳୋକଗୁଡ଼ିକ ଲେଖା ଅଛି, ତନ୍ମଧ୍ୟରୁ ଦୁଇଟି ନିମ୍ନରେ ଉଦ୍ଧୃତ ହେଲା –

 

‘‘ତସ୍ମାଦ୍ ଭୂପତି ଭୂଚନ୍ଦ୍ରାଇନ୍ଦ୍ରିକାଜନି ସୁନ୍ଦରୀ,

ଚନ୍ଦ୍ରାନନ୍ଦାମୃତସାରୈଃ ସ୍ନପୟନ୍ତି ଜଗଜ୍ଜନଃ ।

x      x      x

ହୈହୟ ବଂଶାବତଂସଃ

ପରମର୍ଦ୍ଦି ସହଜ ସାରତାରେ ଯଃ,

ତରାପତି ମିତି ଶେତେ

ପତିରସ୍ୟାଃ ପରମ ପାରୀଣଃ ।”

 

ଆଉ ଜଣେ ହୈହୟ ବଂଶୀୟ ବୀର କଣ୍ଡମରାଜ ଓଡ଼ିଶା ସକାଶେ ମୁସଲମାନଙ୍କ ବିପକ୍ଷରେ ଘୋର ଯୁଦ୍ଧ କରି ବିଜୟଲକ୍ଷ୍ମୀ ପ୍ରାପ୍ତ ହୋଇଥିଲେ । ଏକଥା ଶ୍ରୀକୁର୍ମ ମନ୍ଦିରର ଏକ ଶିଳାଶାସନରେ ଉତ୍କୀର୍ଣ୍ଣ ହୋଇଅଛି । (୨) କଣ୍ଡମରାଜ ନିଜକୁ ସହସ୍ରାର୍ଜୁନଙ୍କ ବଂଶଧର, ଅର୍ଥାତ୍ ହୈହୟ ବଂଶୀ ରୂପେ ପରିଚିତ କରିଛନ୍ତି । “ଅତ୍ୟୁଗ୍ରନରଶିର ଧ୍ୱଜ” ତାଙ୍କର ରାଜକୀୟ ଚିହ୍ନ ଥିଲା ।

 

ବିଶାଖାପାଟଣା ଜିଲ୍ଲାର ସର୍ବସିଦ୍ଧି ତାଲୁକାରେ ପଞ୍ଚଧାରଲ ନାମକ ଗୋଟିଏ ଗ୍ରାମ ଅଛି । ସେଠାରେ ଧର୍ମେଶ୍ଵରଙ୍କ ମନ୍ଦିର ପ୍ରତିଷ୍ଠିତ । ସେହି ମନ୍ଦିରରେ ଥିବା ବହୁ ପ୍ରାଚୀନ ଲିପି ମଧ୍ୟରେ ହୈହୟ ରାଜାମାନଙ୍କ ଲିପି ମଧ୍ୟ ଦେଖୁବାକୁ ମିଳେ । ଚୋଡ଼ ନାମକ ଜଣେ ରାଜା ୧୩୨୫ ଶକାବ୍ଦରେ ( ୧୪୦୩ ଖ୍ରୀଷ୍ଟାବ୍ଦରେ) ନିଜକୁ ‘ମାହିଷ୍ମତୀ ଅଧୀଶ୍ୱର’ ନାମରେ ଅଭିହିତ କରିଅଛନ୍ତି । ସହସ୍ରାର୍ଜୁନଙ୍କ ବଂଶରେ ସେ ଜନ୍ମଲାଭ କରିଥିବା ବିଷୟ ତାଙ୍କ ପ୍ରଶସ୍ତିରେ ଉଲ୍ଲେଖ ଅଛି । (୧) ସେଠାରେ ଆଉ ଗୋଟିଏ ଶିଳାଲେଖରେ ମଧ୍ୟ ମାହିଷ୍ମତୀ ନାମ ଖୋଦିତ ଥିବାର ଦେଖାଯାଏ । (୨) ଗୁଣ୍ଡୁର୍ ଜିଲ୍ଲାର ଓଙ୍ଗୋଲ୍ ତାଲୁକାରେ ଥିବା ପେର୍ଣ୍ଣମେଟ୍ଟୁ ନାମକ ଗୋଟିଏ ଗ୍ରାମକୁ ଲାଗି ଏକ କ୍ଷୁଦ୍ର ପାହାଡ଼ ବିଦ୍ୟମାନ । ତଦୁପରି ଏକ ଶିଳାଲିପି ଆବିଷ୍କୃତ ହୋଇଅଛି, ସେଥିରେ ଲେଖାଅଛି ଯେ, ମାହିଷ୍ମତୀ-ମଣ୍ଡଳର ଜଣେ ରାଜା ଗଙ୍ଗବଂଶ ଓ ହୈହୟ ବଂଶର ଦାୟାଦ ରୂପେ ପରିଚିତ ।୩) ଏଥିରୁ ସ୍ପଷ୍ଟ ଜଣାଯାଏ, ମାହିଷ୍ମତୀ-ମଣ୍ଡଳରେ ଯେଉଁ ହୈହୟ ବଂଶୀୟ ରାଜାମାନେ ରାଜତ୍ଵ କରୁଥିଲେ ସେମାନଙ୍କ ସଙ୍ଗେ ଗଙ୍ଗବଂଶୀୟ ରାଜାମାନଙ୍କର ଘନିଷ୍ଠ ରାଜନୈତିକ ଓ ପାରିବାରିକ ସମ୍ବନ୍ଧ ରହିଥିଲା । ପ୍ରକୃତରେ ଦେଖିବାକୁ ଗଲେ, ଏମାନଙ୍କ ସାହାଯ୍ୟରେ ଓଡ଼ିଶାର ଗଙ୍ଗସାମ୍ରାଜ୍ୟ ଗୋଦାବରୀ କୂଳରେ ଦୃଢ଼ତା ଲାଭ କରିଥିଲା ।

 

ଏହି ରାଜାମାନେ ଶୈବ ଓ ଶାକ୍ତ ଧର୍ମରେ ଦୀକ୍ଷିତ ହୋଇଥିଲେ, ପୁଣି ‘ଗଣ୍ଡ’ ଓ ‘ମଲ୍ଲ’ ନାମକ ଉପାଧିମାନ ବ୍ୟବହାର କରୁଥିଲେ, ତାଙ୍କ ସଭାରେ ବହୁ ପଣ୍ଡିତ ରହି ଶାସ୍ତ୍ରଚର୍ଚ୍ଚାରେ ନିପୁଣ ଥିବାର ପ୍ରମାଣ ମିଳେ । ରୟାଲ୍ ଏସିଆଟିକ୍ ସୋସାଇଟି (Royal Asiatic Society) ପକ୍ଷରୁଯେଉଁ ତାଳପତ୍ର ଗ୍ରନ୍ଥଗୁଡ଼ିକ ସଂଗୃହୀତ ହୋଇଅଛି, ସେଥିରେ ‘ଶିବତାଣ୍ଡବ’ ନାମକ ସଂସ୍କୃତ ଗ୍ରନ୍ଥରେ ‘ମଲ୍ଲାଦର୍ଶ’ ନାମକ ଟୀକା ସମ୍ବଳିତ ଗୋଟିଏ ତାଳପତ୍ର ପୋଥି ମହାମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀଙ୍କ ସଂଗ୍ରହ ଗ୍ରନ୍ଥରେ ବିବୃତ ଅଛି ।) ସେହି ଗ୍ରନ୍ଥରେ ନିମ୍ନୋକ୍ତ ରୂପେ ଟୀକାକାରଙ୍କ ପରିଚୟ ସଙ୍ଗେ ମାହିଷ୍ମତୀର ବର୍ଣ୍ଣନା ଦେଖିବାକୁ ମିଳେ –

 

“ଶ୍ରୀ ତ୍ରିପୁର ସୁନ୍ଦର୍ଯ୍ୟୈ ନମଃ"

XX X

ମାହିଷ୍ମତ୍ୟାଃ କମପି ଭଜଚେତଃ ପ୍ରତିଦିନମ୍’

କୌବେର୍ଯ୍ୟାଂ ଦିଶିତା କମେ ତ୍ୟଭିଧୟା

ଖ୍ୟାତୋଽସ୍ତି କଶ୍ଚିତ୍ ଗିରି ।

ଗଣ୍ଡାଖ୍ୟାଃ ସବିଧେହି ତତ୍ର ନୃପତିଃ

ଶ୍ରୀ ସାହମଲ୍ଲୋଽଭବତ୍ ।

ଯଂ ପ୍ରାପ୍ୟାସ୍କୃତ ଭାନୁ ଭାନୁ ବଳଭୁତ୍

କନ୍ଦର୍ପ କଳ୍ପଦୃତା ।

ସନ୍ଦେହଂ ବହୁ ବେଦନୋଽପି

ମନୁଜା ଆକଳ୍ପ ମାପେଦରେ ।”

 

ଏଠାରେ କହି ରଖିବା ଉଚିତ ଯେ, ‘ସାହମଲ୍ଲ’ ବା ‘ସାହସମଲ୍ଲ’ ଉପାଧି କଳିଙ୍ଗରେ ଗଙ୍ଗବଂଶୀୟ ରାଜାମାନେ ତାଙ୍କର କର୍ମଚାରୀ ଓ ସାମନ୍ତରାଜାମାନଙ୍କୁ ପ୍ରଦାନ କରୁଥିବା ପ୍ରସଙ୍ଗ କେତେକ ଶିଳାଲେଖରୁ ପ୍ରମାଣିତ ହୁଏ । (୫)

 

ଓଡ଼ିଶାରେ ଗଙ୍ଗରାଜତ୍ୱ ଶେଷ ପର୍ଯ୍ୟନ୍ତ ଗୋଦାବରୀ ତଟରେ ଆଧୁନିକ ମାଲକାନଗିରି ଅଞ୍ଚଳରେ ଯେଉଁ ମାହିଷ୍ମତୀ-ମଣ୍ଡଳ ପ୍ରତିଷ୍ଠିତ ଥିଲା, ତାହା ଦକ୍ଷିଣରୁ ବାହାମନୀ ସୁଲତାନଙ୍କ ମୁହୂର୍ମୁହୁ ଆକ୍ରମଣ ଫଳରେ ଧୀରେ ଧୀରେ ଲୁପ୍ତ ହୋଇଗଲା । ପୁଣି ଏକ ଅରଣ୍ୟ କାନ୍ତାର ସେ ସ୍ଥାନରେ ପ୍ରସାରିତ ହେଲା ।

 

ମାଲ୍‌କାନ୍‌ଗିରି ସମୁଦ୍ର ପତ୍ତନଠାରୁ ୧୦୦୦ରୁ ୧୫୦୦ ଫୁଟ ଉଚ୍ଚରେ ଅବସ୍ଥିତ । ଏଥିରୁ ଉତ୍ତରାଂଶ ଦୀର୍ଘ ଶାଳବନରେ ସମାକୀର୍ଣ୍ଣ । ସେ ବନଟି ସୁଦୂର ନବରଙ୍ଗପୁର ପର୍ଯ୍ୟନ୍ତ ପରିବ୍ୟାପ୍ତ । ଏ ତାଲୁକାର ମୋଟୁନାମକ ବାଣିଜ୍ୟକେନ୍ଦ୍ର ଅପେକ୍ଷାକୃତ ସମତଳ ଭୂମିରେ ଗୋଦାବରୀ ନିକଟରେ ପ୍ରତିଷ୍ଠିତ । ସେଥିରେ ପଶ୍ଚିମରେ ପ୍ରାଚୀନ ବସ୍ତର ରାଜ୍ୟ ଅବସ୍ଥିତ, ଯାହା ଦିନେ ଚକ୍ରକୂଟ ନାମରେ ପରିଚିତ ହୋଇ ନାଗବଂଶୀୟ ରାଜାମାନଙ୍କ ଶାସନାଧୀନ ଥିଲା । ଚକ୍ରକୂଟ ଓ ମାହିଷ୍ମତୀ ବା । ମାଲ୍‍କାନଗିରିର ସୀମା ସାବେରୀ ନାମକ ନଦୀ ସୂଚିତ କରେ । ସେଥିସଙ୍ଗେ ଶିଳା (ସିଲେରୁ) ନାମକ ଅନ୍ୟ ଏକ ନଦୀ ଗୋଟୁ ନିକଟରେ ମିଶ୍ରିତ ହୁଏ । ଏଠାରୁ ପୂର୍ବଗୋଦାବରୀ ଜିଲ୍ଲାର ମାଳଭୂମି ଦକ୍ଷିଣ ପଶ୍ଚିମ ଦିଗକୁ ବହୁଦୂର ପ୍ରସାରିତ ।

 

ଅତି ପ୍ରାଚୀନ ଯୁଗରୁ ଏଠାରେ ‘ବନ୍ଦାପରଜା’ ନାମକ ଏକ ପାର୍ବତୀୟ ଜାତି ବାସ କରନ୍ତି-। ଆଜି ସୁଦ୍ଧା ସେମାନେ ନିଜ ନିଜ ଗ୍ରାମରେ ଉଲଗ୍ନ ଅବସ୍ଥାରେ ନିବାସ କରୁଥିବା ଦେଖାଯାଏ । ମାଲ୍‌କାନ୍‌ଗିରି ତାଲୁକାର ବିଭିନ୍ନ ଗ୍ରାମରେ ଓଡ଼ିଆ, ଖଣ୍ଡାୟତ, ମାଟିଆ ପ୍ରଭୃତି ଅପେକ୍ଷାକୃତ ସଭ୍ୟ ଶିକ୍ଷିତ ସମ୍ପ୍ରଦାୟ ବାସ କରୁଥିବା ଦେଖାଯାଏ । ସେମାନଙ୍କର ମାତୃଭାଷା ଓଡ଼ିଆ । ସେହି ଭାଷାର ପ୍ରାଚୀନ ଉଡ୍ରପ୍ରାକୃତ ଶବ୍ଦ ଏତେ ପରିମାଣରେ ମିଶି ରହିଛି ଯେ, ହଠାତ୍ ଶୁଣିଲେ ତାହା ଉପକୂଳ ଅଞ୍ଚଳରେ ବ୍ୟବହୃତ ଓଡ଼ିଆଭାଷା ବୋଲି କହିହେବ ନାହିଁ ।

 

ପ୍ରାଚୀନ ଯୁଗର ଉଡ୍ର-ପ୍ରାକୃତ ଭାଷାର ନଗ୍ନସ୍ୱରୂପ ଖୋଜିବାକୁ ଗଲେ, ସେହି ଅନୁନ୍ନତ ଅଞ୍ଚଳର ଆଦିବାସୀଙ୍କ ବ୍ୟବହୃତ ଭାଷା ଓ ଉଚ୍ଚାରଣ ଭଙ୍ଗୀ ପ୍ରତି ଧ୍ୟାନ ଦେବା ନିତାନ୍ତ ପ୍ରୟୋଜନ । ଆମ୍ଭର ମନେହୁଏ ଏହି ପ୍ରାଚୀନ ରାଜ୍ୟର ଇତିହାସ ଯେପରି ବୈଚିତ୍ର୍ୟପୂର୍ଣ୍ଣ ସେପରି ଘୋର ଅନ୍ଧକାର ଜଡ଼ିତ । ବର୍ତ୍ତମାନ ଯୁଗରେ ମାଲ୍‌କାନ୍‌ଗିରି (ମାହିଷ୍ମତୀ) ଦିନେ ଯେପରି ଦଣ୍ଡକାରଣ୍ୟର ସଭ୍ୟତା ଉଜ୍ଜୀବିତ ରଖିଥିଲା, ଆଜି ପୁଣି ସେଥିରେ ଏକ ଆବର୍ତ୍ତନ ଯୁଗ ଶୀଘ୍ର ଆତ୍ମପ୍ରକାଶକରିବାକୁ ଯାଉଛି । ଅବିଳମ୍ବେ ତାହା ଉଜ୍ୱଳ ଆଲୋକରେ ପୁଣି ପ୍ରତିଭାତ ହୋଇ ଓଡ଼ିଶାର ଏକ ମଥାମଣି ପରି ଶୋଭା ଧାରଣ କରିବ । ମତ୍ସ୍ୟଦେଶରେ ପ୍ରତିଷ୍ଠିତ ଡୁଡୁମା ଜଳବିଦ୍ୟୁତ୍ ସଙ୍ଗେ ମାହିଷ୍ମତୀର ଖଣିଜ ସମ୍ପଦ ଏକତ୍ରରେ ଯେତେବେଳେ ଓଡ଼ିଶାକୁ ଶ୍ରୀମଣ୍ଡିତ କରିବେ (ସେଦିନଟି ଆଉ ବେଶି ବିଳମ୍ବ ନୁହେଁ), ସେତେବେଳେ ଓଡ଼ିଶା ଇତିହାରୁ ବିସୃତ ମାହିଷ୍ମତୀ ସଙ୍ଗେ ହୈହୟ ବଂଶୀୟ ରାଜାମାନଙ୍କ ପ୍ରାଚୀନ ବୀରତ୍ୱ କାହାଣୀ ଏ ଦେଶବାସୀଙ୍କ ହୃଦୟରେ ଯୁଗପତ୍ ଶ୍ରଦ୍ଧା ଓ ପୁଲକ ଆଣିଦେବ ।

 

ପାଦଟୀକା :

୧).

Notices of Sanskrit Mss. (1892), Vol.I, Pt,1, P.1

୨).

କୌତୁହଳର ବିଷୟ ଏହି ଯେ, ଭାରତ ବର୍ଷରେ ସୀତା ନାମକ ଯେଉଁ କ୍ଷୁଦ୍ର ନଦୀଟି ରହିଛି ତାହା ଓଡ଼ିଶାର କେଉଁଝର ଜିଲ୍ଲାରେ ପ୍ରବାହିତ । ତାହା ଏକ ଐତିହାସିକ ପ୍ରଧାନ ସ୍ଥାନ ।

୩).

Dr. Nillakantha Sastri’s The Cholas Vol.I, P.250 ଦ୍ରଷ୍ଟବ୍ୟ ।

୪).

Bentley ଗଣନା କରି କହନ୍ତି ଯେ ୬ ତାରିଖ, ଏପ୍ରିଲ ମାସ, ଖ୍ରୀଷ୍ଟପୂର୍ବ ୯୬୧ ଅବ୍ଦରେ ରାମଚନ୍ଦ୍ର ଅଯୋଧ୍ୟାରେ ଜନ୍ମ ଗ୍ରହଣ କରିଥିଲେ । (Historical view of Hindu Astronomy, P.13)

୫).

Nandlal Dey's The Geographical Dictionary of the Ancient and Mediaval India, (1927), P.52 Dr. Bhandarkar's Early History of the Dekkan, Sec.ii

୬).

The Indian Antiquary (1879), Vol. VIII, PP.5-6

୭).

Bhandarkar’s Early History of the Dekkan, Sec.iii ଦ୍ରଷ୍ଟବ୍ୟ

୮).

Indian Antiquities (1878), Vol. VII, P.259n.

୯).

ଭାଗବତ ପୁରାଣ ୯. ୧୫ ଦ୍ରଷ୍ଟବ୍ୟ ।

୧୦).

ନୀଳରାଜ ନାମକ ଜଣେ ରାଜାଙ୍କ ନାମ ମହାରାଜା ସମୁଦ୍ରଗୁପ୍ତଙ୍କର ପ୍ରୟାଗ ସ୍ତମ୍ଭଲିପିରେ ଖୋଦିତ ଅଛି । ସେ ଥିଲେ କଳିଙ୍ଗ ସନ୍ନିକଟ ଅବମୁକ୍ତକ ନାମକ ପ୍ରଦେଶର ରାଜା । ତେବେ ମାହିଷ୍ମତୀର ସେହି ମହାଭାରତୋକ୍ତ ନୀଳରାଜା ସଙ୍ଗେ ଖ୍ରୀଷ୍ଟୀୟ ୪ର୍ଥ ଶତାବ୍ଦୀର ଅବମୁକ୍ତକ ରାଜାଙ୍କର ସମ୍ପର୍କ ଥିବା ସମ୍ଭବ ପରି ଜଣାଯାଏ ନାହିଁ । ତଥାପି ଏ ଅଞ୍ଚଳରେ ଏ ନାମଟି ବ୍ୟବହୃତ ହେଉଥିଲା ।

୧୧)

ମହାବଂଶ, ୧ ୨ ଶ ଅଧାୟ; E. I.III, p. 136 ଦ୍ରଷ୍ଟବ୍ୟ ।

୧୨).

ଗରୁଡ଼ ପୁରାଣ ୮୧.୧୯ ଦ୍ରଷ୍ଟବ୍ୟ ।

୧୩).

Notices of Sanskrit Mss. Vol.IV, P.19 ଦ୍ରଷ୍ଟବ୍ୟ ।

୧୪).

H.C. Rao’s The Dynastic History of Northern India.

୧୫).

S.I.I. Vol. I.68; 467 fo 1908; Nilakantha Sastri’s The Cholas, Vol.I, p.250.

୧୬)

Notices of Sanskrit Mss. Vol.II. Pt.i, p.37 ଦ୍ରଷ୍ଟବ୍ୟ ।

୧୭).

ପ୍ରକାଶ ଥାଉ ଯେ, ମତ୍ସବଂଶୀମାନେ ମୂଳତଃ ଧୀବର ଓ ଗୋପାଳ । ତାଙ୍କ ପରି ମାହିଷ୍ୟମାନେ ମଧ୍ୟ ମତ୍ସ୍ୟଜୀବିଧିବର ଥିଲେ । ଏଣୁ ମତ୍ସ୍ୟଦେଶ ସଙ୍ଗେ ମାହିଷ୍ୟ ଦେଶ ସଂଯୁକ୍ତ ଥିବା ସମୀଚିନ ।

୧୮).

Vidyadhar Sing Deo’s Nandapur, Pt.i, p.409494

୧୯).

Ep. Ind, Vol., p.33 and p.35-36 ଦ୍ରଷ୍ଟବ୍ୟ ।

୨୦).

S I. I..Vol. V, NO.1283 ଦ୍ରଷ୍ଟବ୍ୟ ।

୨୧).

A.R. No. 210 of 1899; Rangacharya’s Inscriptions of South India, Vol III, p.1617, No.22 ଦ୍ରଷ୍ଟବ୍ୟ ।

୨୨).

Rangacharya’s Vol.III, Vizagpatam, No.34

୨୩)

Rangacharya’s Inscriptions of South India, Vol.II, Guntur District, p.799, No.437 ଦ୍ରଷ୍ଟବ୍ୟ ।

୨୪).

Notices of Sanskrit Mss.Vol.IV. pp.219-20 ଦ୍ରଷ୍ଟବ୍ୟ ।

୨୫).

A.R. No.270-A; A.R. No.270.D. Simhachalam Temple Inscriptions.

 

***

 

Unknown

ମହାକବି ଶ୍ରୀହର୍ଷଙ୍କ କୃତ ‘ନୈଷଧ ଚରିତ’ର ସମୀକ୍ଷା

ଶ୍ରୀ କେଦାରନାଥ ମହାପାତ୍ର

 

ମହାକବି ଶ୍ରୀହର୍ଷକୃତ ‘ନୈଷଧଚରିତ’ ମହାକାବ୍ୟ ଉତ୍କଳର ପଣ୍ଡିତ ସମାଜରେ ଅତୀତରେ ବିଶେଷ ଆଦର ଓ ସମ୍ମାନ ଲାଭ କରୁଥିଲା । ଏବେ ସଂସ୍କୃତ ଶିକ୍ଷାର ଅଧୋଗତି ଯୋଗୁଁ ଏହାରସେ ପୂର୍ବ ଗୌରବ ଓ ସମ୍ମାନ ନ ଥିଲେ ମଧ୍ୟ, ପ୍ରାଚୀନ ଉତ୍କଳୀୟ କାବ୍ୟ ସାହିତ୍ୟକୁ ଏହା ବିଶେଷ ଭାବରେ ପ୍ରଭାବିତ କରିଥିବାରୁ ଏହା ସମ୍ବନ୍ଧରେ ଧାରାବାହିକ ଗବେଷଣା ଆବଶ୍ୟକ । ଭାରତର ସର୍ବାଞ୍ଚଳରେ ଏହାର ପ୍ରଚଳନ ଥିବାରୁ ବିଭିନ୍ନ ପ୍ରାନ୍ତର ସୁଧୀବର୍ଗ ଉକ୍ତ ଗ୍ରନ୍ଥ ସମ୍ବନ୍ଧରେ ନାନା ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ତଥାପି ଆଲୋଚ୍ୟ ପ୍ରବନ୍ଧରେ କବି ଓ ତାଙ୍କ କୃତି ସମ୍ବନ୍ଧରେ ନୂତନ ଆଲୋକପାତ କରାଯାଇଛି ।

 

କାଳ ନିରୂପଣ-

ଇତିହାସ ଦୃଷ୍ଟିରୁ କବିଙ୍କ କାଳ ନିର୍ଣ୍ଣୟର ବିଶେଷ ଗୁରୁତ୍ଵ ଥିବାରୁ ପ୍ରଥମେ ଏହା ନିର୍ଦ୍ଧାରଣ କରାଯାଉ । ନୈଷଧଚରିତରେ କବି କୌଣସି ସ୍ଥାନରେ ନିଜର ସମୟ ବା ପୃଷ୍ଠପୋଷକଙ୍କ ସମ୍ବନ୍ଧରେ ଉଲ୍ଲେଖ କରି ନାହାନ୍ତି । କେବଳ ନିମ୍ନରେ ଉଦ୍ଧୃତ ଗ୍ରନ୍ଥର ଶେଷ ଶ୍ଳୋକରୁ ଜଣାଯାଏ ଯେ ସେ କାନ୍ୟକୁବ୍‍ଜ ଅଧୀଶ୍ଵରଙ୍କ ଠାରୁ ଦୁଇଖଣ୍ଡି ତାମ୍ବୁଳ ଓ ଉଚ୍ଚ ଆସନ ଲାଭ କରିଥିଲେ ।”

 

ତାମ୍ବୁଳ ଦ୍ୱୟମାସନଞ୍ଚ ଲଭତେ

ଯଃ କାନ୍ୟକୁବ୍‌ଜେଶ୍ଵରାତ୍ ।

X       X       X       X

ଶ୍ରୀ ଶ୍ରୀହର୍ଷକବେଃ କୃତିଃ କୃତିମୁଦେ

ତସ୍ୟାଭ୍ୟୁଦୀୟାଦୟମ୍ ।”

 

ଉଦ୍ଧୃତ ଶ୍ଳୋକରେ ସେ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିଥିବା କାନ୍ୟକୁବ୍‍ଜ ରାଜାଙ୍କ ନାମୋଲ୍ଲେଖ କରି ନାହାନ୍ତି । କିନ୍ତୁ ଜୈନ ରାଜଶେଖର ସୂରୀଙ୍କ ଦ୍ୱାରା ୧୩୮ ଖ୍ରୀଷ୍ଟାବ୍ଦରେ ରଚିତ “ପ୍ରବନ୍ଧ କୋଷ’ ଗ୍ରନ୍ଥର ଏକ ଗଳ୍ପରୁ ଜଣାଯାଏ ଯେ ଶ୍ରୀହର୍ଷ କାନ୍ୟକୁବ୍‍ଜ ଅଧିପତି ବିଜୟଚନ୍ଦ୍ର ଓ ଜୟଚନ୍ଦ୍ରଙ୍କଦ୍ଵାରା ସମ୍ମାନିତ ହୋଇଥିଲେ । ଏହି ଗଳ୍ପ ଉପରେ ନିର୍ଭର କରାଯାଇ ଶ୍ରୀହର୍ଷଙ୍କୁ ଦ୍ଵାଦଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧର କବିରୂପେ ସ୍ଥିର କରାଯାଇଛି । (୧) କିନ୍ତୁ ଶ୍ରୀହର୍ଷଙ୍କ ମୃତ୍ୟୁର ପ୍ରାୟ ଦୁଇଶତ ବର୍ଷ ପରେ ଲିଖିତ ଏହି ଗଳ୍ପକୁ (୨) ଅଭ୍ରାନ୍ତ ସତ୍ୟରୂପେ ଗ୍ରହଣ କରିବା ନିରାପଦ ନୁହେଁ-। କାରଣ ଏହା କିମ୍ବଦନ୍ତୀମୂଳକ ।

 

ପରନ୍ତୁ ବର୍ତ୍ତମାନ ଗବେଷଣା ଦ୍ୱାରା ଜଣାଯାଏ ଯେ ଗଙ୍ଗବଂଶୀୟ ସମ୍ରାଟ ରାଜରାଜ ଦେବ ( ୧୧୬୦-୧୧୯୦) ଓ ଅନଙ୍ଗଭୀମ ଦେବ (୧୧୯୦-୧୧୯୮)ଙ୍କ ରାଜତ୍ଵ କାଳରେ ଆବିର୍ଭୂତ ଉତ୍କଳୀୟ କବି ଉଦୟନାଚାର୍ଯ୍ୟ । (୩) ‘ଗୀତଗୋବିନ୍ଦ’ ତଥା ନୈଷଧ ଚରିତ’ର ସର୍ବ ପ୍ରଥମ ଟୀକା ରଚନା କରିଥିଲେ । ଗୀତଗୋବିନ୍ଦର ପ୍ରଥମ ଟୀକାର ନାମ ‘ଭାବବିଭାବିନୀ’ । କିନ୍ତୁ ନୈଷଧ ଚରିତ ପ୍ରଥମ ଟୀକାର ନାମ ଏ ପର୍ଯ୍ୟନ୍ତ ଅଜ୍ଞାତ । ଟୀକାକାରଙ୍କ ସମୟ ସ୍ଥିରରୂପେ ଜଣାଯାଇ ଥିବାରୁ (୧୧୭୦-୧୧୯୦) ନୈଷଧକାର ଶ୍ରୀହର୍ଷ ନିଶ୍ଚୟ ୧୧୭୦ ପୂର୍ବରୁ ଆବିର୍ଭୂତ ହୋଇଥିଲେ ।

 

(୧)

History of Sanskrit Literature by Dasgupta and De P.326

(୨)

ରାଜଶେଖର ଲେଖିଛନ୍ତି “ଶ୍ରୀହର୍ଷଃ କାନ୍ୟକୁବ୍‌ଧିଜାପତି ଜୟଚନ୍ଦ୍ରସ୍ୟ ସଭାସନହାକବିରାୟୀତ୍’

 

ଦ୍ୱିତୀୟତଃ ମହାକବି ଶ୍ରୀହର୍ଷ ଗ୍ରନ୍ଥର ଦ୍ଵାଦଶ ସର୍ଗରେ ଦମୟନ୍ତୀଙ୍କ ସ୍ଵୟମ୍ବର ସଭାକୁ ଆସିଥିବା ନରପତିମାନଙ୍କ ବର୍ଣ୍ଣନା ପ୍ରସଙ୍ଗରେ ‘ମହେନ୍ଦ୍ର ଭୂପୁରନ୍ଦର’ ବା କଳିଙ୍ଗର ଅଧିପତି (୨୩-୩୧ ଶ୍ଳୋକ) ଓ ଉତ୍କଳ ଅଧୀଶ୍ୱର (୭୮-୮୬ ଶ୍ଳୋକ)ଙ୍କୁ ଦୁଇଟି ସ୍ଥାନରେ ସ୍ୱତନ୍ତ୍ର ଭାବରେ ବର୍ଣ୍ଣନା କରିଛନ୍ତି । ଏଥିରୁ ଜଣାଯାଏ ଯେ ‘ନୈଷଧ ଚରିତ’ ରଚନା ସମୟରେ ଉତ୍କଳ ଓ କଳିଙ୍ଗ ଦୁଇଟି ସ୍ଵତନ୍ତ୍ର ରାଜ୍ୟ ଥିଲା । ଉତ୍କଳର ଇତିହାସ ପ୍ରତି ଦୃଷ୍ଟିପାତ କଲେ ଜଣାଯାଏ ଯେ ଗଙ୍ଗ ସାମ୍ରାଜ୍ୟ ପ୍ରତିଷ୍ଠାତା ଚୋଳଗଙ୍ଗ ଦେବଙ୍କ ଉତ୍କଳ ଅଧିକାର ପୂର୍ବରୁ (୧୧୧୬ ଖ୍ରୀଷ୍ଟାବ୍ଦ) କଳିଙ୍ଗ ଓ ଉତ୍କଳ ଦୁଇଟି ସ୍ଵତନ୍ତ୍ର ରାଜ୍ୟ ଥିଲା । ଚୋଳଗଙ୍ଗ ପ୍ରଥମେ ଆଗଙ୍ଗା ଗୋଦାବରୀ ବିସ୍ତୃତ ଭୂଖଣ୍ଡକୁ ଏକ ଶାସନାଧୀନ କରିଥିଲେ ଯଥା- ଆଗୋଦାନ୍ତା ଦମରସରିତଂ ଯାବଦେକାଃ ଭୁବୋଽଭୁତ୍ (୪) ଉପରି ଉକ୍ତ ପ୍ରମାଣ ବଳରେ ନୈଷଧ ଚରିତ ୧୧୧୨ ଖ୍ରୀଷ୍ଟାବ୍ଦ ପୂର୍ବରୁ ରଚିତ ହୋଇଥିବାର ନିର୍ଦ୍ଧାରଣ କରାଯାଇପାରେ ।

 

ତୃତୀୟତଃ ଅମରକୋଷର ପ୍ରସିଦ୍ଧ ଟୀକାକାର କ୍ଷୀର ସ୍ଵାମୀ ସ୍ଵୀୟ ଟୀକାରେ ଶ୍ରୀହର୍ଷଙ୍କ ଗ୍ରନ୍ଥରୁ ଏକ ପଂକ୍ତି ଉଦ୍ଧାର କରିଛନ୍ତି । ଯଥା-‘‘ସଂଯାତ ମୃତ୍ୟୁର୍ମରକ ମାରିର୍ମାରୀ ଦେବତେତି ଶ୍ରୀହର୍ଷଃ ।” ୧୧୪୦ ଖ୍ରୀଷ୍ଟାବ୍ଦରେ ଲିଖିତ ବର୍ଦ୍ଧମାନକୃତ ‘ଗୁଣରତ୍ନ ମହୋଦଧି’ ଗ୍ରନ୍ଥରେ କ୍ଷୀର ସ୍ୱାମୀଙ୍କ ବାକ୍ୟାବଳୀ ଉଦ୍ଧୃତ ହୋଇଥିବାରୁ କ୍ଷୀରସ୍ୱାମୀ ୧୧୪୦ର ପୂର୍ବବର୍ତ୍ତୀ । ଅତଏବ କ୍ଷୀର ସ୍ୱାମୀଙ୍କ ପୂର୍ବରୁ ଆବିର୍ଭୂତ ଶ୍ରୀହର୍ଷଙ୍କୁ ୧୧୨୦ ଖ୍ରୀଷ୍ଟାବ୍ଦର ନିକଟବର୍ତ୍ତୀ କବି ରୂପେ ଗ୍ରହଣ କରିବା ସର୍ବଥା ପ୍ରମାଣସିଦ୍ଧ । ଏହା ହେଲା ତାଙ୍କ ଆବିର୍ଭାବ କାଳର ପରବର୍ତ୍ତୀ ସୀମାରେଖା । ବର୍ତ୍ତମାନ ପୂର୍ବବର୍ତ୍ତୀ ସୀମାରେଖା ନିର୍ଣ୍ଣୟ କରାଯାଉ ।

 

ଶ୍ରୀହର୍ଷ ନୈଷଧଚରିତର ଦଶମ ସର୍ଗରେ ସରସ୍ୱତୀ ଦେବୀଙ୍କ ବର୍ଣ୍ଣନା ପ୍ରସଙ୍ଗରେ ‘ସୋମ ସିଦ୍ଧାନ୍ତ’ ନାମକ ଏକ ପ୍ରସିଦ୍ଧ ଗ୍ରନ୍ଥର ଉଲ୍ଲେଖ କରିଛନ୍ତି । ଯଥା-

 

ଯା ସୋମସିଦ୍ଧାନ୍ତ ମୟାନନେବ

ଶୂନ୍ୟାତ୍ମତାବାଦମୟୋଦରେବ । XX

X       X       X       X

ଏହି ସୋମସିଦ୍ଧାନ୍ତ ଗ୍ରନ୍ଥର ଅନ୍ୟ ନାମ ‘ସୋମ ଶମ୍ଭୂତନ୍ତ୍ର’ ଏବଂ ଏହାକୁ ପ୍ରସିଦ୍ଧ ଶୈବାଚାର୍ଯ୍ୟ ‘ଭଗବାନ୍ ସୋମଶମ୍ଭୁ’ ରଚନା କରିଥିବା ଆନ୍ଧ୍ର ପ୍ରଦେଶର ଏକ ପ୍ରାଚୀନ ଶିଳାଲେଖରୁ ଜଣାଯାଏ । (୫)

 

‘ପ୍ରାଚୀନ ପୁଣ୍ୟ-ପରିପାକ-ବଶାତ୍ ପ୍ରଜାନା-

ମାବିର୍ବଭୁବ ଭଗବାନିହ ସୋମଶମ୍ଭୂଃ ।

ନାମ୍ନା ନିଜେନ ସକଳାଗମ ସିନ୍ଧୂ ସେତୁଂ

ଯଃ ପଦ୍ଧତିଂ କରୁଣୟା ପ୍ରତିମାଂ ବବନ୍ଧ ।

 

(୩) ମୋର ‘Govardhanachraya and Madayanacharya’ ପ୍ରବନ୍ଧ ଦ୍ରଷ୍ଟବ୍ୟ ।

‘0.H.R.J, Vol VII Pt I P.40-46’.

(୪) ଚନ୍ଦ୍ରାଦେବ୍ୟଙ୍କ ଅନନ୍ତ ବାସୁଦେବ ମନ୍ଦିର ଶିଳାଲିପି ।

0.H.R.J. Vol I No. No 4. P.281.

(୫) J.A.H.R.S. Vol IV P. 152 & P. 157

 

ସୋମଶମ୍ଭୂଙ୍କ ଶିଷ୍ୟ ‘ବାମଶମ୍ଭୁ ବା ବାମଦେବ’ କଳଚୁରୀ ରାଜା କର୍ଣ୍ଣଦେବ (୧୦୪୦-୧୦୭୦)ଙ୍କ ଗୁରୁ ଥିବାରୁ ସୋମଶମ୍ଭୂ ୧୦୪୦ ଖ୍ରୀଷ୍ଟାବ୍ଦର ପାଖାପାଖି କୌଣସି ବର୍ଷ ଉକ୍ତଗ୍ରନ୍ଥ ରଚନା କରିଥିବା ସ୍ଥିର କରାଯାଇପାରେ । ଶ୍ରୀହର୍ଷ ଏହି ଗ୍ରନ୍ଥକୁ ବିଶେଷ ପ୍ରାଧାନ୍ୟ ଦେଇଥିବାରୁ (ସରସ୍ୱତୀଙ୍କ ମୁଖମଣ୍ଡନ) ସେ ନିଶ୍ଚୟ ୧୦୪୦ ଖ୍ରୀଷ୍ଟାବ୍ଦର ପରବର୍ତ୍ତୀ । ଅତଏବ ଏହି ସମସ୍ତ ପ୍ରମାଣ ବଳରେ ମହାକବି ଶ୍ରୀହର୍ଷ ୧୦୪୦- ୧୧୨୦ ମଧ୍ୟରେ ଆବିର୍ଭୂତ ହୋଇଥିବାର ନିଃସନ୍ଦେହରେ ନିର୍ଦ୍ଧାରଣ କରାଯାଇ ପାରେ । ଏ ୧୧୨୦ ପୂର୍ବରୁ କନୌଜର ଅଧିପତି ଥିଲେ ଇତିହାସ ପ୍ରସିଦ୍ଧ ଗୋବିନ୍ଦଚନ୍ଦ୍ର । ସେ ସ୍ଵୀୟ ଦାନପତ୍ରମାନଙ୍କରେ ‘ବିବିଧ-ବିଦ୍ୟା-ବିଚାର-ବାଚସ୍ପତି ରୂପେ ବର୍ଣ୍ଣିତ ହୋଇଛନ୍ତି । ତାଙ୍କର ପ୍ରଧାନମନ୍ତ୍ରୀ ଲକ୍ଷ୍ମୀଧର ଭଟ୍ଟ ‘କୃତ୍ୟକଳ୍ପତରୁ ନାମକ ବିରାଟ ଧର୍ମଶାସ୍ତ୍ର ପ୍ରଣୟନ କରି ସମଗ୍ର ଭାରତବର୍ଷରେ ଖ୍ୟାତି ଲାଭ କରିଥିଲେ । ଶ୍ରୀହର୍ଷ ଗୋବିନ୍ଦଚନ୍ଦ୍ରଙ୍କ ଖ୍ୟାତିରେ ଆକୃଷ୍ଟ ହୋଇ ସ୍ଵୀୟ କବିତ୍ୱ ଓ ପାଣ୍ଡିତ୍ୟ ପ୍ରଦର୍ଶନ ନିମିତ୍ତ କିଛିକାଳ କାନ୍ୟକୁବ୍‍ଜରାଜସଭା ମଣ୍ଡନ କରିଥିବା ସର୍ବଥା ଯୁକ୍ତିଯୁକ୍ତ ମନେହୁଏ ।

 

ଶ୍ରୀହର୍ଷଙ୍କ ବାସସ୍ଥାନ-

ମହାକବି ଶ୍ରୀହର୍ଷ ସ୍ଵୀୟ ଜନ୍ମସ୍ଥାନ ସମ୍ବନ୍ଧରେ ସ୍ଵୀୟ ନୈଷଧ ଗ୍ରନ୍ଥରେ କୌଣସି ସୂଚନା ଦେଇନାହାନ୍ତି । ତେଣୁ ପ୍ରତ୍ୟକ୍ଷ ପ୍ରମାଣ ଅଭାବରେ ପରୋକ୍ଷ ପ୍ରମାଣ ସାହାଯ୍ୟରେ ଏ ସମ୍ପର୍କରେ ସିଦ୍ଧାନ୍ତ କରିବାକୁ ପଡ଼ିବ । କବିଙ୍କ ଗ୍ରନ୍ଥରେ ସମସାମୟିକ ଧର୍ମ ଓ ସମାଜର ଯେଉଁ ଚିତ୍ର ମିଳେ ତାହା ଉତ୍କଳ ପ୍ରତି ବିଶେଷ ଭାବରେ ପ୍ରଯୁଜ୍ୟ ହେଉଥିବାରୁ ଅନ୍ୟ ବିରୁଦ୍ଧ ପ୍ରମାଣ ନ ମିଳିବା ପର୍ଯ୍ୟନ୍ତ କବିଙ୍କୁ ଉତ୍କଳୀୟରୂପେ ଗ୍ରହଣ କରାଯାଇପାରେ ।

 

କବିଙ୍କ ସମୟରେ ହରପାର୍ବତୀ ଓ ଲକ୍ଷ୍ମୀନାରାୟଣଙ୍କ ପୂଜା ସର୍ବତ୍ର ପ୍ରଚଳିତ ଥିଲେ ମଧ୍ୟ କବି ହରିହରଙ୍କ ଅଭେଦତ୍ଵ ପ୍ରତିପାଦନ କରିଛନ୍ତି । (୬) । ବ୍ରାହ୍ମଣମାନେ ନିଷ୍ଠାପରଭାବରେ ଯଥାବିଧି ବେଦପାଠ କରୁଥିଲେ । ସୌତ୍ରାମଣୀ, ସର୍ବମେଧ, ଦର୍ଶ, ଅଗ୍ନିଷ୍ଟୋମ, ପୌର୍ଣ୍ଣମାସ, ସୋମ, ସର୍ବସ୍ନାର ପ୍ରଭୃତି ବିଭିନ୍ନ ବୈଦିକ ଯଜ୍ଞ ସ୍ଥାନେ ସ୍ଥାନେ ଅନୁଷ୍ଠିତ ହେଉଥିଲା । ମହିଷାସୁରମର୍ଦ୍ଦିନୀ ଦୁର୍ଗା ଓ ‘ନବାମ୍ବିକା’ (୭) ମଧ୍ୟ ପୂଜ୍ୟ ଦେବତାରୂପେ ପ୍ରତିଷ୍ଠିତ ଥିଲେ । ସମାଜରେ ତାନ୍ତ୍ରିକମାନଙ୍କର ପ୍ରଭାବ ଥିଲେ ମଧ୍ୟ ଶ୍ରୀ ଶଙ୍କରାଚାର୍ଯ୍ୟ ପ୍ରଚାରିତ ଅଦ୍ଵୈତମତର ପ୍ରାଧାନ୍ୟ ସ୍ଵୀକୃତି ହେଉଥିଲା । ଗ୍ରନ୍ଥର ସପ୍ତଦଶ ସର୍ଗରେ (ମତ୍ସ୍ୟାଙ୍କ ଉଲ୍ଲେଖରୁ ମନେହୁଏ ଯେପରିକି କବି ସମ୍ପ୍ରଦାୟର ଜନୈକ ପ୍ରତିଷ୍ଠାତା ମୀନନାଥ ବା ମତ୍ସ୍ୟେନ୍ଦ୍ର ନାଥଙ୍କ ପ୍ରତି ଲକ୍ଷ୍ୟ ରଖି ଏପରି ଲେଖିଛନ୍ତି । କବି ସୁଗତ, ଜିନ, ବୋଧିସତ୍ତ୍ୱ, ତ୍ରିରତ୍ନ, ସୁଗତସୌଧ ପ୍ରଭୃତିର ଅବତାରଣା କରିଥିବାରୁ ମନେହୁଏ ସେ ସମୟରେ ସମାଜରେ କେତେକ ବୌଦ୍ଧଧର୍ମାବଲମ୍ବୀ ଥିଲେ ଏବଂ ସ୍ଥାନେସ୍ଥାନେ ବୌଦ୍ଧବିହାର ଓ ସ୍ତୂପ ପ୍ରଭୃତି ବିଦ୍ୟମାନ ଥିଲା । କବିଙ୍କ ସମୟରେ କ୍ଷପଣକ ବା ଦିଗମ୍ବର ଜୈନସଂଖ୍ୟା ନଗଣ୍ୟ ଥିଲେ । ପରବର୍ତ୍ତୀ କାଳରେ ଗୀତଗୋବିନ୍ଦ ମହାକାବ୍ୟରେ ପ୍ରସିଦ୍ଧି ଲାଭ କରିଥିବା ‘ରାଧା’ଙ୍କ ଉଲ୍ଲେଖ ଗ୍ରନ୍ଥରେ ଗୋଟିଏ ସ୍ଥାନରେ ମାତ୍ର ମିଳେ । ତେଣୁ ଧର୍ମମତରେ ରାଧାଙ୍କ ପ୍ରାଧାନ୍ୟ ସେ ପର୍ଯ୍ୟନ୍ତ ପ୍ରକଟିତ ହୋଇ ନଥିଲା । ଅଥଚ କବି ଶ୍ରୀମଦ୍ ଭାଗବତ ବର୍ଣ୍ଣିତ ‘ମାଧବ ବ୍ରଜବଧୂ ବିଳାସ’ ବା ଶ୍ରୀକୃଷ୍ଣଙ୍କ ଗୋପାଙ୍ଗନାମାନଙ୍କ ସହିତ କେଳି ବିଷୟ ଲୋକପ୍ରିୟ ଥିବାର ସୂଚନା ଦେଇଛନ୍ତି ।

 

(୬) ଶ୍ରେୟସା ହରିହରୌ ପରିପୂଜ୍ୟ ପ୍ରହ ଏଷ ଶରଣଂ ପ୍ରବିବେଶ (ଏକବିଂଶତି ସର୍ଗ ୧୦୫ ଶ୍ଳୋକ)

(୭) ହୀରାପୁର ଚଉଷଠି ଯୋଗିନୀ ମନ୍ଦିର ବାହାରେ ‘ନବାମ୍ବିକା’ ବା “ନବକାତ୍ୟାୟିନୀ’ ମୂର୍ତ୍ତି ରହିଛି ।

ନବକାତ୍ୟାୟିନୀଙ୍କ ବିଷୟ ଗଣକବି ସାରଳାଦାସ ମହାଭାରତରେ ବାରମ୍ବାର ଉଲ୍ଲେଖ କରିଛନ୍ତି ।

* ପ୍ରାଣବତ୍ ପ୍ରଣୟିରାଧ (ଏକବିଂଶ ସର୍ଗ ୮୦ ଶ୍ଳୋକ)

 

ନୈଷଧର ଏକବିଂଶ ସର୍ଗରେ କବି ଗ୍ରନ୍ଥର ନାୟକ ନଳଙ୍କ ମୁଖରେ ଦଶାବତାର ସ୍ତୁତି ଗାନ କରାଇଛନ୍ତି । ହରିଦାସ ସିଦ୍ଧାନ୍ତବାଗୀଶ ଭଟ୍ଟାଚାର୍ଯ୍ୟ-ସମ୍ପାଦିତ ଗ୍ରନ୍ଥରେ ବୁଦ୍ଧ ଓ କଳକୀ ଅବତାରଙ୍କ ସ୍ତୁତି ଦିଆଯାଇନାହିଁ କିନ୍ତୁ ଅଧିକ ବିଶ୍ୱାସଯୋଗ୍ୟ ନିର୍ଣ୍ଣୟସାଗର ପ୍ରେସ ଦ୍ଵାରା ପ୍ରକାଶିତ ନୈଷଧଚରିତ ଗ୍ରନ୍ଥରେ ବୁଦ୍ଧ ଓ କଳକୀଙ୍କ ସ୍ତୁତିବାଚକ ଯଥାକ୍ରମରେ ଚାରୋଟି ଓ ଦୁଇଟି ଶ୍ଳୋକ ଦେଖାଯାଏ । କବି ରାମକୃଷ୍ଣ (ବଳରାମ ଓ ଶ୍ରୀକୃଷ୍ଣ)ଙ୍କୁ ଏକ ଅବତାର ରୂପେ ଗ୍ରହଣ କରି ଦଶାବତାର ସ୍ତୁତି ଶେଷ କରିଛନ୍ତି । ଯଥା-

 

ଧୂମବଢ଼ କଳୟତା ଯୁଧକାଳଂ

ମ୍ଳେଚ୍ଛକଳ୍ପ ଶିଖିନା କରବାଳମ୍ ।

କଳ୍‍କିନା ଦଶତୟଂ ମମ କଳ୍‍ଙ୍କ

ତ୍ଵଂ ବ୍ୟୁଦସ୍ୟ ଦଶମାବତାରେଣ ।

 

କବିଙ୍କ ସମୟରେ ବିଷ୍ଣୁଙ୍କ ଦଶାବତାର ପୂଜାର ବିଶେଷ ପ୍ରାଧାନ୍ୟ ଥିବାରୁ ସେ ସେମାନଙ୍କ ସ୍ତୁତି ନିମିତ୍ତ ୪୦ଟି ଶ୍ଳୋକ ସ୍ଵୀୟ ଗ୍ରନ୍ଥରେ ସନ୍ନିବିଷ୍ଟ କରିଛନ୍ତି । ଶ୍ରୀହର୍ଷଙ୍କ ପରବର୍ତ୍ତୀ ଉତ୍କଳୀୟ କବି ଜୟଦେବଙ୍କ ଉପରେ ଏହାର ପ୍ରଭାବ ସୁସ୍ପଷ୍ଟ । (୮) । କିନ୍ତୁ ପରମ କୃଷ୍ଣଭକ୍ତ ଜୟଦେବ ଶ୍ରୀକୃଷ୍ଣଙ୍କୁ ଏକ ଅବତାରରୂପେ ଗ୍ରହଣ ନ କରି “ଦଶାକୃତିକୃତ’ ବା ଦଶାବତାରଙ୍କ ସ୍ରଷ୍ଟାରୂପେ ପ୍ରତିପାଦନ କରିଛନ୍ତି ।

 

ଶ୍ରୀହର୍ଷ ପଞ୍ଚଦଶ ସର୍ଗର ଏକ ଶ୍ଳୋକରେ ସ୍ଵୟମ୍ବର ସଭାରୁ ଫେରୁଥିବା ନଳଙ୍କ ଧୀରମନ୍ଥର ଗମନକୁ ପୁରୁଷୋତ୍ତମ ବା ଜଗନ୍ନାଥ ମହାପ୍ରଭୁଙ୍କ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ମଣ୍ଡପକୁ ପହଣ୍ଡି ବିଜୟ ତୁଳନା କରିଛନ୍ତି ।

 

ଯଥା-

ତାଭିର୍ଦୃଷ୍ୟତ ଏଷ ଯାତ୍ନ ପଥି

ମହାଜୈଷ୍ଠୀମହେ ମନ୍ମହେ

ଯଦୃଗଭିଃ ପୁରୁଷୋତ୍ତମଃ ପରିଚିତଃ

ପ୍ରାଙ୍‍ମଞ୍ଚ ମଞ୍ଚନକୃତଃ

 

ଟୀକାକାର ହରିଦାସ ଭଟ୍ଟାଚାର୍ଯ୍ୟ ଉକ୍ତ ଶ୍ଳୋକରେ ମଞ୍ଚକୁ ପଲ୍ୟଙ୍କ ଏବଂ ପୁରୁଷୋତ୍ତମକୁ ନାରାୟଣ ଅର୍ଥରେ ଗ୍ରହଣ କରିଛନ୍ତି । କିନ୍ତୁ ଏପରି ବ୍ୟାଖ୍ୟାନ ଗ୍ରାହ୍ୟ ନୁହେଁ । କାରଣ ମହାଜୈଷ୍ଠୀମହେ’ ପଦର ବ୍ୟବହାରରୁ ସ୍ପଷ୍ଟ ଜଣାଯାଏ ଯେ, କବି ଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା ଉତ୍ସବକୁ ଏଠାରେ ଉପମାରୂପେ ଗ୍ରହଣ କରିଛନ୍ତି । ପୁରୁଷୋତ୍ତମ କ୍ଷେତ୍ର ବ୍ୟତୀତ ଭାରତର ଅନ୍ୟ କୌଣସି ତୀର୍ଥରେ ସ୍ନାନଯାତ୍ରାର ଏପରି ପ୍ରସିଦ୍ଧି ନାହିଁ । ଏହି ଶ୍ଳୋକ ତାଙ୍କର ଉତ୍କଳୀୟତାର ସୂଚକ । କବିଙ୍କ ଦ୍ୱାରା ଲିଖିତ ସ୍ତ୍ରୀମାନଙ୍କ ହୁଳହୁଳି ଧ୍ୱନି ବିଶେଷ ପ୍ରଣିଧାନ ଯୋଗ୍ୟ-

 

(୮) ଶ୍ରୀହର୍ଷ - ମ୍ଳେଚ୍ଛକଳ୍ପ’ ‘କଳୟତା କରବାଳଂ'

ଜୟଦେବ - ‘ମ୍ଳେଚ୍ଛନିବହ ନିଧନେ କଳୟସି କରବାଳଂ' |

(*) ଗ୍ରୁନିଙ୍ଗ ସାହେବ ୧୯୧୯ର ଗୋପଦୁର୍ଭିକ୍ଷ ସମୟରେ ସ୍ତ୍ରୀମାନେ ପିନ୍ଧିଥିବା ‘ପିତଳ ଖଡ଼ୁ’କୁ ସୁନାଖଡ଼ୁ ବୋଲି ଭାବି ସରକାରଙ୍କୁ ରିପୋର୍ଟ ଦେବାରୁ ଦରିଦ୍ରବନ୍ଧୁ ଗୋପବନ୍ଧୁ ବିହାରଓଡ଼ିଶା ବ୍ୟବସ୍ଥା ସଭାରେ ଏ ସମ୍ପର୍କରେ କଟୁ ସମାଲୋଚନା କରିଥିଲେ ।

 

ଉତ୍କଳ ଦେଶରେ ବିବାହ ନିଷେକ ପ୍ରଭୃତି ଶୁଭକାର୍ଯ୍ୟ ସମୟରେ ସ୍ତ୍ରୀମାନେ ‘ହୁଳହୁଳି’ ଧ୍ୱନି କରନ୍ତି । ପୁରୁଷୋତ୍ତମ କ୍ଷେତ୍ରରେ ଜଗନ୍ନାଥଙ୍କ ଯାତ୍ରା ସମୟରେ ଅଭିନୀତ ମୁରାରିକୃତ “ଅନର୍ଘରାଘବ’ ନାଟକରେ ସ୍ତ୍ରୀମାନଙ୍କ ‘ହୁଳହୁଳି’ ଧ୍ୱନିର ଉଲ୍ଲେଖ ମିଳେ । ଶ୍ରୀହର୍ଷଙ୍କ ଦ୍ଵାରା ଲିଖିତ କେତେକ ସାମାଜିକ ପ୍ରଥା, ଯଥା ବିବାହ ସମୟରେ କନ୍ୟା ଶଙ୍ଖା ପିନ୍ଧିବା, ବିବାହ ବେଦୀରେ ବରକନ୍ୟାଙ୍କ ହସ୍ତକୁ କୁଶରେ ବାନ୍ଧିବା (କୁଶୈଃ ପାଣିବନ୍ଧନଂ) ବୈଧବ୍ୟ ଉପସ୍ଥିତ ହେଲେ ଶଙ୍ଖା ଭାଙ୍ଗିବା ପ୍ରଭୃତି ଉତ୍କଳରେ ସେ କାଳରେ ଓ ଏବେ ମଧ୍ୟ ସୁପ୍ରଚଳିତ । କବି କ୍ରୟବିକ୍ରୟପାଇଁ କଉଡ଼ିର ବହୁଳ ପ୍ରଚଳନ ଉଲ୍ଲେଖ କରିଛନ୍ତି । ଭାରତର ଅନ୍ୟପ୍ରାନ୍ତ ଅପେକ୍ଷା ଉତ୍କଳରେ ବ୍ରିଟିଶ ରାଜତ୍ୱ ପର୍ଯ୍ୟନ୍ତ କଉଡ଼ିର ବହୁଳ ବ୍ୟବହାର ସୁପ୍ରତିଷ୍ଠିତ ଥିଲା । ତେଣୁ ‘ପଣକିଆ’ ‘କଡ଼ାଗଣ୍ଡା’ ପ୍ରଭୃତି ଗଣନାସୂତ୍ର ଉତ୍କଳୀୟ ଗାଣିତିକମାନଙ୍କ ଦ୍ୱାରା ଉଦ୍‌ଭାବିତ ହୋଇ ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ପାଠଶାଳାଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦିଆଯାଉଥିଲା । କ୍ଲାନ୍ତି ଅପନୋଦନ ଓ ଚିତ୍ତବିନୋଦନ ନିମିତ୍ତ ପାନଡବାରେ ସାଇତା ହୋଇଥିବା ପାନଖିଲ (ତାମ୍ବୁଳ ପୁଟୀ) ର ଖାଇବାର ଯେଉଁ ସୁନ୍ଦର ଚିତ୍ର କବି ଅଙ୍କନ କରିଛନ୍ତି ତାହା ଏପର୍ଯ୍ୟନ୍ତ ଓଡ଼ିଆମାନଙ୍କ ଏକ ବିଶେଷତ୍ୱ । ଗରିବ ଘରର ସ୍ତ୍ରୀଲୋକମାନେ ପିତଳ ଖଡ଼ୁ, ତାଡ଼ ପ୍ରଭୃତି ଅଳଙ୍କାର ଧାରଣ ବିଷୟ କବି ଯାହା ଲେଖିଛନ୍ତି ତାହା ଓଡ଼ିଶାରେ ଏପର୍ଯ୍ୟନ୍ତ ବିଶେଷଭାବରେ ପ୍ରଚଳିତ ଥିଲା । ଏବେ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରେ ଏହା କ୍ରମଶଃ ଲୋପ ପାଇଯାଉଛି ।*

 

ଷୋଡଶ ସର୍ଗରେ ପ୍ରଦତ୍ତ ବିବାହଭୋଜି ବର୍ଣ୍ଣନା ପାଠ କଲେ ଓଡ଼ିଶାର କୌଣସି ସମ୍ଭ୍ରାନ୍ତ ପରିବାର ଦେଉଥିବା ଭୋଜୀ ବିଷୟ ସ୍ୱତଃ ମାନସପଟରେ ଆଙ୍କି ହୋଇଯାଏ । ଦକ୍ଷିଣ ଓ ଉତ୍ତର ଭାରତର ଧନାଢ଼୍ୟ ପରିବାରଗୁଡ଼ିକ ମୁଖ୍ୟତଃ ନିରାମିଷାଶୀ । କେବଳ ଉତ୍କଳ ଓ ବଙ୍ଗ ଦେଶରେ ବଡ଼ଲୋକଙ୍କ ଭୋଜୀରେ ଆମିଷ ଖାଦ୍ୟର ବହୁଳ ପରିବେଷଣ ଦେଖାଯାଏ । ଦମୟନ୍ତୀଙ୍କ ବିବାହଭୋଜୀ ପାଇଁ ମାଛ, ମୃଗ ଓ ବିଭିନ୍ନ ପକ୍ଷୀର ମାଂସ ରନ୍ଧାଯାଇଥିଲା । ସରୁ ସଫା ବାସମତୀ ଚାଉଳରେ ରନ୍ଧା ହୋଇଥିବା ଘିଅ ଖେଚଡ଼ୀ, ପାୟସ, ଲଙ୍କା, ଦହି ଓ ବଟା ସୋରିଷରେ ତିଆରି । ରାଇ, ମହିଷ ଦହି, କର୍ପୂର ଗୁଣ୍ଡ ଯୁକ୍ତ ଛେନା ବା ନଡ଼ିଆପୂର ଥିବା ବଡ଼ ବଡ଼ କୁଆପଥର ପରି ଧଳା ଓ ଗୋଲ ଦିଶୁଥିବା ମଣ୍ଡା, ଘିଅରେ ଛଣା ବର୍ତ୍ତୂଳାକାର ଇଷତ୍‍ଲାଲ ପିଠା (କାକରା ମାଣ୍ଡୁଆ ପ୍ରଭୃତି), ସରପୁଳି, ଲଡ଼ୁ, ଅଗରୁବାସିତ ଜଳ, ଥଣ୍ଡା ନବାତ ପଣା ପ୍ରଭୃତି ଖାଦ୍ୟପେୟର ବ୍ୟବସ୍ଥା କରିକବି ପ୍ରଚ୍ଛନ୍ନ ଭାବରେ ନିଜର ଉତ୍କଳୀୟତ୍ଵ ପ୍ରତିପାଦନ କରିଛନ୍ତି । ବଙ୍ଗ ଦେଶରେ ଆମିଷ ଖାଦ୍ୟର ବ୍ୟବହାର ଥିଲେ ମଧ୍ୟ ମଣ୍ଡା, ମାଣ୍ଡୁଅ, କାକରା, ସରପୁଳି ପ୍ରଭୃତିର ବ୍ୟବହାର ସେଯୁଗରେ ନ ଥିଲା ବା ଏବେ ମଧ୍ୟ ନାହିଁ । ଏବେ ସୁଦ୍ଧା ସାଧାରଣତଃ ‘ପିଠାପଣା’ କହିଲେ ଓଡ଼ିଶାରେ ଭୋଜିକୁ ବୁଝାଏ ।

 

ଗ୍ରନ୍ଥର ପ୍ରଥମ ସର୍ଗରେ ୩୫ ଶ୍ଳୋକରେ କବି ତୃଣ ଅର୍ଥରେ ନଳକୁ ବ୍ୟବହାର କରିଛନ୍ତି । ଯଥା-

 

‘କଥାପ୍ରସଙ୍ଗେଷୁ ମିଥଃ ସଖୀ ମୁଖାତ୍

ତଣେଽପି ତନ୍ୱ୍ୟାନଳ ନାମାନିଶ୍ରୁତେ’

 

ଅର୍ଥାତ୍ କଥା ପ୍ରସଙ୍ଗରେ କୌଣସି ସଖୀ ମୁହଁରୁ ତୃଣ ଅର୍ଥରେ ନଳ ଶବ୍ଦ କାନରେ ବାଜିବା ମାତ୍ରକେ ଦମୟନ୍ତୀ ସବୁ କାର୍ଯ୍ୟ ଛାଡ଼ି ସେହି ବିଷୟ ଶୁଣିବାପାଇଁ ଉତ୍କର୍ଣ୍ଣ ହେଉଥିଲେ । ନଳ ନାମକ ବଡ଼ ବଡ଼ ଘାସ କେବଳ ଚିଲିକା ଅଞ୍ଚଳରେ ଦେଖାଯାଏ । ତେଣୁ ଚିଲିକାର କେତେକ ଅଞ୍ଚଳ ‘ନଳବଣ’ ନାମରେ ପ୍ରସିଦ୍ଧ । ଭାରତର ଅନ୍ୟ କୌଣସି ପ୍ରାନ୍ତରେ ଏହି ଦୃଶ୍ୟ ବିରଳ । ‘ନଳବନ’ । ସହିତ ସୁପରିଚିତ ଓ ନଳରୂପକ ତୃଣକୁ ଏପରି ପ୍ରାଧାନ୍ୟ ଦେଇଥିବା କବିଙ୍କୁ ଉତ୍କଳୀୟରୂପେ ଗ୍ରହଣ କରାଯାଇପାରେ ।

 

ନଳବଂଶୀୟ କୌଣସି ନିରପତିଙ୍କ ସନ୍ତୋଷବିଧାନ ନିମିତ୍ତ ଉକ୍ତ ମହାକାବ୍ୟ ରଚିତ ହୋଇଥିବାର ମନେହୁଏ । ଏ ପର୍ଯ୍ୟନ୍ତ ଉପଲବ୍ଧ ଅଭିଲେଖମାନ ଆଲୋଚନା କଲେ ଜଣାଯାଏ ଯେ ପ୍ରାୟ ଷଷ୍ଠଶତାବ୍ଦୀଠାରୁ ବସ୍ତର ଓ ଜୟପୁର ଅଞ୍ଚଳରେ ନଳବଂଶୀୟ ରାଜାମାନେ ରାଜତ୍ଵ କରୁଥିଲେ । କବିଙ୍କ ସମୟରେ ଗଞ୍ଜାମର ଋଷିକୂଲ୍ୟା ନଦୀ ଉପତ୍ୟକାରେ ନନ୍ଦବଂଶର ଆଧିପତ୍ୟ ପ୍ରତିଷ୍ଠିତ ଥିଲା । ଏ ଅଞ୍ଚଳରୁ ପ୍ରାପ୍ତ ଏକ ତାମ୍ର ଶାସନରୁ ଜଣାଯାଏ ଯେ (୯) ସେଠାରେ ଭୀମପୁର ନାମକ ନଗରରେ ନଳ ବଂଶୋଦ୍ଭବ ମହାରାଜାରାଜ ଶ୍ରୀ ଭୀମସେନ ଦେବ ନାମକ ଅଧିପତି ରାଜତ୍ଵ କରୁଥିଲେ । ଯଥା-

 

ଓଁ ସ୍ଵସ୍ତି ଭୀମପୁରାତ୍ xxx ପରମମାହେଶ୍ଵର xxx

 

ନଳବଂଶୋଦ୍ଭବକମଳାଳଙ୍କାରଭୂତୋ ମହାରାଜାଧିରାଜ ପରମେଶ୍ଵର ‘ଶ୍ରୀ ଭୀମସେନଦେବଃ’ ଶ୍ରୀହର୍ଷ ଏହି ଭୀମସେନଙ୍କ କୌଣସି ବଂଶଧରଙ୍କର ପୃଷ୍ଠପୋଷକତା ଲାଭ କରି ଏହି ମହାକାବ୍ୟ ରଚନା କରିଥିବାର ଅନୁମାନ କରାଯାଏ । କିନ୍ତୁ ଏହାକୁ ପ୍ରମାଣସିଦ୍ଧ କରିବାପାଇଁ ଅଧିକ ଗବେଷଣା ଆବଶ୍ୟକ ।

 

ଶ୍ରୀହର୍ଷ ସ୍ୱକୃତିର ଉତ୍କର୍ଷ ପ୍ରତିପାଦନ ପ୍ରସଙ୍ଗରେ ଉଲ୍ଲେଖ କରିଛନ୍ତି ଯେ ଏହା ଶୃଙ୍ଗାର ରସର ପରିପାଟୀ ଯୋଗୁଁ ଅତ୍ୟନ୍ତ ମନୋହର ହୋଇଥିଲା (୧ମ ସର୍ଗ); ଏହା ପାଠ କଲେ ଶୃଙ୍ଗାରାମୃତ ପାନ କରିବାର ସୌଭାଗ୍ୟ ଲାଭ ହୁଏ ( ୧୧ ଶ ସର୍ଗ); ସେ ଅନ୍ୟ କବିମାନଙ୍କ ଅପେକ୍ଷା ଆଦିରସାତ୍ମକ ବର୍ଣ୍ଣନାର ଅଧିକ ପକ୍ଷପାତୀ ଥିଲେ (୨୦ଶ ସର୍ଗ) ଚିନ୍ତାମଣି ମନ୍ତ୍ର ଜପନଦ୍ଵାରା ପୂତାତ୍ମା ଜିତେନ୍ଦ୍ରିୟ ଶ୍ରୀହର୍ଷ ସ୍ଵକୃତିରେ ଆଦି ରସର ପ୍ରାଧାନ୍ୟ ପ୍ରଖ୍ୟାପନପାଇଁ ଏପରି ବ୍ୟଗ୍ର ହୋଇଥିଲେ କାହିଁକି ? ଏହାର କାରଣ ବୋଧହୁଏ ଉତ୍କଳର ସମସାମୟିକ ଲୋକରୁଚି । ଓଡ଼ିଶାର ପ୍ରାଚୀନ କୀର୍ତ୍ତିଗୁଡ଼ିକ ପରୀକ୍ଷା କଲେ ଜଣାଯାଏ ଯେ ସେ ଷଷ୍ଠ ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ ନିର୍ମିତ ଭରତେଶ୍ଵର, ଶତ୍ରୁଘ୍ନେଶ୍ଵର, ପରଶୁରାମେଶ୍ଵର, ମୋହିନୀ, କପାଳିନୀ, ଗୌରୀ ପ୍ରଭୃତି ପ୍ରାଚୀନତମ ମନ୍ଦିରଗୁଡ଼ିକର ଗାତ୍ରରେ କେବଳ ଯୁଗଳ ମୂର୍ତ୍ତି ଦେଖାଯାଏ, କିନ୍ତୁ ମୈଥୁନରତ ବିଗ୍ରହ ପ୍ରକଟନ ଅତ୍ୟନ୍ତ ବିରଳ । କିନ୍ତୁ ଶ୍ରୀ ହର୍ଷଙ୍କ ସମୟରେ ନିର୍ମିତ ଜଗନ୍ନାଥ ମନ୍ଦିର, ଶୋଭନେଶ୍ୱର ପ୍ରଭୃତି ମନ୍ଦିରଗାତ୍ରରେ ନାନାବିଧ ଯୌନକ୍ରୀଡ଼ାରତ ବହୁ ନରନାରୀ ବିଗ୍ରହ ପରିଦୃଷ୍ଟ ହୁଏ । ବୋଧହୁଏ ସେ ଯୁଗରେ ତନ୍ତ୍ରର ପ୍ରଭାବ ବୃଦ୍ଧି ଯୋଗୁଁ ଏଗୁଡ଼ିକ ଲୋକଦୃଷ୍ଟିରେ ଅଶ୍ଲୀଳରୂପେ ବିବେଚିତ ହେଉ ନଥିଲା । ପ୍ରସ୍ତର ଶିଳ୍ପ ପରି ସାହିତ୍ୟରେ ମଧ୍ୟ ସେ ଯୁଗରେ ଆଦିରସର ଆଦର ଓ ଗୌରବ ବଢ଼ୁଥିଲା । ତେଣୁ ହର୍ଷଙ୍କ ଅତି ଅଳ୍ପ ପୂର୍ବବର୍ତ୍ତୀ ଭୋଜ ଲେଖିଗଲେ ‘ଶୂଙ୍ଗାରୀ ଚେତ୍ କବିଃ’ ସୁଧୀସମାଜରେ ଆଦରଲାଭ କରିବା ଆଶାରେ ଶ୍ରୀହର୍ଷ ସ୍ଵୀୟ କାବ୍ୟର ଷୋଡ଼ଶ ଓ ଅଷ୍ଟାଦଶ ସର୍ଗକୁ ଆଦିରସାତ୍ମକ ବର୍ଣ୍ଣନାରେ ପୂର୍ଣ୍ଣ କରିଛନ୍ତି । ଶ୍ରୀହର୍ଷଙ୍କ ପରବର୍ତ୍ତୀ ଏକାବଳୀକାର ଉତ୍କଳୀୟ କବି ବିଦ୍ୟାଧର ମଧ୍ୟ ସ୍ୱକୃତିରେ ଆଦିରସକୁ ପ୍ରାଧାନ୍ୟ ଦେଇଛନ୍ତି । ପ୍ରାଚୀନ ଉତ୍କଳୀୟ କବି ସମାଜର ପଦାଙ୍କ ଅନୁସରଣ କରି ଶ୍ରୀହର୍ଷଙ୍କ ପରି ଜିତେନ୍ଦ୍ରିୟ, ରାମତାରକ ମନ୍ତ୍ର ସିଦ୍ଧ କବିସମ୍ରାଟ୍ ଉପେନ୍ଦ୍ର ଭଞ୍ଜ ସ୍ଵ ସ୍ଵ କୃତିଗୁଡ଼ିକୁ ଶୃଙ୍ଗାରରସଶାଳୀ କରିପକାଇଛନ୍ତି ।

 

(୯) ଭୀମସେନ ଦେବଙ୍କ ପାଣ୍ଡିଆ ପଥର ତାମ୍ରଶାସନ – ଶ୍ରୀ ସତ୍ୟନାରାୟଣ ରାଜଗୁରୁଙ୍କ ଦ୍ୱାରା ପଠିତ ଓ ମୁଦ୍ରିତ I O.H.R.J. Vol VI ptsPs II & III, P.P. 99-102

 

ବଙ୍ଗ ଦେଶରେ ପାଳଯୁଗରେ ‘ରାମପାଳଚରିତ’ ଓ ସେନ ରାଜତ୍ଵ କାଳରେ ‘ପବନ ଦୂତ’ ନାମକ ଖଣ୍ଡ କାବ୍ୟ ରଚିତ ହୋଇଥିଲା । ଏହା ପରେ ବଙ୍ଗ ଦେଶରେ ମୁସଲମାନ ଆଧିପତ୍ୟ ପ୍ରତିଷ୍ଠିତ ହେବାରୁ ସଂସ୍କୃତ ସାହିତ୍ୟ ଚର୍ଚ୍ଚା ପ୍ରାୟ ୪୦୦ ବର୍ଷକାଳ ଲୋପ ପାଇଗଲା । କିନ୍ତୁ ସ୍ୱାଧୀନ ଉତ୍କଳର ପଣ୍ଡିତମାନେ ସଂସ୍କୃତ ଭାଷାକୁ ବହୁ କାବ୍ୟ ରଚନା କରି ସଂସ୍କୃତ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଥିଲେ । ସେଗୁଡ଼ିକ ମଧ୍ୟରେ ଗୋବର୍ଦ୍ଧନାଚାର୍ଯ୍ୟ ରଚିତ ‘ଆର୍ଯ୍ୟାସପ୍ତଶତୀ’, କବିରାଜ ଜୟଦେବ ପ୍ରଣୀତ “ଗୀତଗୋବିନ୍ଦ ମହାକାବ୍ୟ’ ବିଦ୍ୟାଧରକୃତ ‘ଏକାବଳୀ’ ନାମକ ଆଳଙ୍କାରିକ କାବ୍ୟ (୧୦) ରାଘବାନନ୍ଦ ସାନ୍ଧିବିଗ୍ରହିକ ମହାପାତ୍ର ନିର୍ମିତ । ‘ଉଷା ପରିଣୟ’, କୃଷ୍ଣାନନ୍ଦ ସାନ୍ଧିବିଗ୍ରହିକ ମହାପାତ୍ର ଗ୍ରଥିତ ‘ସହୃଦୟାନନ୍ଦ ମହାକାବ୍ୟ’ ଚନ୍ଦ୍ରଶେଖର ସାନ୍ଧିବିଗ୍ରହିକ ମହାପାତ୍ର କୃତ ‘ପୁଷ୍ପମାଳା’ ଭାରତ ପ୍ରସିଦ୍ଧ ବିଶ୍ଵନାଥ କବିରାଜ ପ୍ରଣୀତ ‘ରାଘବ ବିଳାସ ମହାକାବ୍ୟ’ ଓ କୁବଳୟାଚରିତ ‘ପ୍ରାକୃତକାବ୍ୟ’, କବିଚନ୍ଦ୍ର ରାୟ ଦିବାକର କୃତ ‘ଅଭିନବ ଗୀତଗୋବିନ୍ଦ ମହାକାବ୍ୟ, ଭାରତାମୃତ ମହାକାବ୍ୟ, ଓ ଲକ୍ଷଣାଦର୍ଶ ମହାକାବ୍ୟ, କବୀନ୍ଦ୍ର ମାର୍କଣ୍ଡେୟ ବିରଚିତ ‘ଦଶଗ୍ରୀବ ବଧ ମହାକାବ୍ୟ’, ଜୀବଦେବାଚାର୍ଯ୍ୟ କବି ଡିଣ୍ଡିମକୃତ ‘ଭକ୍ତି ଭାଗବତ ମହାକାବ୍ୟ ? ପ୍ରଭୃତି ଉଲ୍ଲେଖ ଯୋଗ୍ୟ । ଏଥି ମଧ୍ୟରୁ କେବଳ ‘ସହୃଦୟାନନ୍ଦ ମହାକାବ୍ୟ’ ନୈଷଧ ଚରିତ ପରି ନଳଦମୟନ୍ତୀଙ୍କ କଥାବସ୍ତୁ ଅବଲମ୍ବନରେ ଲିଖିତ । ଉତ୍କଳରେ ସଂସ୍କୃତ କାବ୍ୟ ରଚନାର ଧାରା ବ୍ରିଟିଶ ରାଜତ୍ଵର ଆରମ୍ଭ ପର୍ଯ୍ୟନ୍ତ ଅବ୍ୟାହତ ଭାବରେ ଚାଲିଥିଲା । ଏହି ମହତ୍ ପରମ୍ପରାଦ୍ୱାରା ଅନୁପ୍ରାଣିତ ହୋଇ ଅର୍ଜୁନ ଦାସ, କୃଷ୍ଣ ଦାସ, ଧନଞ୍ଜୟ ଭଞ୍ଜ, ଉପେନ୍ଦ୍ର ଭଞ୍ଜ, ପ୍ରଭୃତି କବିମାନେ ପ୍ରାଚୀନ ଓଡ଼ିଆ ଭାଷାରେ ବହୁ କାବ୍ୟ ରଚନା କରିଥିଲେ । ସେଥିମଧ୍ୟରୁ କବିସମ୍ରାଟ ଉପେନ୍ଦ୍ରଙ୍କ କାବ୍ୟସମୂହରେ ନୈଷଧ ଚରିତ୍ରର ପ୍ରଭାବ ସୁସ୍ପଷ୍ଟ । ଏ ସମ୍ପର୍କରେ କୌଣସି ସଂସ୍କୃତ ପଣ୍ଡିତଙ୍କଦ୍ଵାରା ତୁଳନାତ୍ମକ ଆଲୋଚନା ହେଲେ ଭୟ ପ୍ରତିଭାର ସମ୍ୟକ୍ ମୂଲ୍ୟ ନିରୂପଣ ହୋଇପାରିବ ।

 

ମୋର ସଂସ୍କୃତରେ ସ୍ଵ ଜ୍ଞାନ ଥିବାରୁ ‘ନୈଷଧ ଚରିତ' ମହାକାବ୍ୟକୁ କେବଳ ଐତିହାସିକ ଦୃଷ୍ଟିକୋଣରୁ ଆଲୋଚନା କରିଛି । ସଂସ୍କୃତ କାବ୍ୟଜଗତରେ ଏହାର ସ୍ଥାନ ନିର୍ଦ୍ଧାରଣର ଭାର ସଂସ୍କୃତଜ୍ଞ ପଣ୍ଡିତମାନଙ୍କ ହସ୍ତରେ ନ୍ୟସ୍ତ ।

 

(୧୦) ବିଦ୍ୟାଧର ଶ୍ରୀହର୍ଷଙ୍କୁ ସ୍ଵଗ୍ରନ୍ଥ ଆରମ୍ଭରେ ବିଶେଷ ପ୍ରଶଂସା କରିଛନ୍ତି, ଯଥା- “କୃତ୍ଵା କାବ୍ୟମବାପ ବିଶ୍ୱମହିତାଂ କୀର୍ତ୍ତି କବିଗ୍ରାମଣୀଃ ଶ୍ରୀହର୍ଷଃ xxx

 

***

 

ରୀତିଯୁଗର ପୃଷ୍ଠଭୂମି

ଅଧ୍ୟାପକ ଗଙ୍ଗାଧର ବଳ

 

ନାନା କାରଣରୁ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ରୀତିଯୁଗ ବା କାବ୍ୟଯୁଗର ପିତୃତ୍ୱ ଉପେନ୍ଦ୍ର ଭଞ୍ଜଙ୍କ ଉପରେ ଅର୍ପଣ କରାଯାଉଛି; କିନ୍ତୁ ଉପେନ୍ଦ୍ରଙ୍କ ବହୁ ପୂର୍ବରୁ, ଏପରି କି ସାରଳା ଦାସଙ୍କ ଯୁଗରୁ ରୀତିଯୁଗର କ୍ଷେତ୍ର-ପ୍ରସ୍ତୁତି ଲାଗିରହିଛି । ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀରେ ତାହା ପଲ୍ଲବ ବିସ୍ତାର କରି ଅଷ୍ଟାଦଶ ଶତାବ୍ଦୀରେ ଉପେନ୍ଦ୍ରଙ୍କ ସାଧନାରେ ତା’ର ପୂର୍ଣ୍ଣ ବିକାଶ ଘଟାଇଛି । ଓଡ଼ିଶାର ପୂର୍ବ ପୁରାଣକାର ଓ କବିମାନଙ୍କର ପଦାଙ୍କ ଅନୁସରଣ କରିଥିଲେ ମଧ୍ୟ ଉପେନ୍ଦ୍ର ସ୍ୱକୀୟ ପ୍ରତିଭାରେ ଭାସ୍ଵର ।

 

ଏକାଦଶ ଶତାବ୍ଦୀଠାରୁ ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଆ କାବ୍ୟ, ପୁରାଣର ବିଶେଷ ନିଦର୍ଶନ ମିଳୁନଥିଲେ ମଧ୍ୟ ଏଇ ଚାରିଶହ ବର୍ଷ ମଧ୍ୟରେ ଓଡ଼ିଆ ସାହିତ୍ୟର ବିକାଶ ଯେ ପ୍ରତିହତ, ଏହା କହିଲେ ବୋଧହୁଏ ଠିକ୍ ହେବ ନାହିଁ । ଅବଶ୍ୟ କାଳଗର୍ଭରେ ବହୁ ଅମୂଲ୍ୟ ସମ୍ପଦ ନଷ୍ଟ ହୋଇଯାଇଛି – ସେ ଗୁଡ଼ିକର ଉଦ୍ଧାରର ଅନ୍ୟ; କୌଣସି ଉପାୟ ନାହିଁ, କିନ୍ତୁ ସାରଳା ଦାସଙ୍କ ମହାଭାରତ ଓ ସାରଳାଯୁଗର ଅନ୍ୟ କବିମାନଙ୍କର ଲେଖାର ମାନଦଣ୍ଡ ଦେଖିଲେ କିଏ କହିବ ଯେ ଗତ ଚାରିଶହ (୧୧ଶ-୧୫ଶ) ବର୍ଷ ଧରି ଓଡ଼ିଆ ସାହିତ୍ୟର ବିକାଶ ଘଟିନାହିଁ ।

 

ପଞ୍ଚଦଶ ଶତାବ୍ଦୀଠାରୁ ଓଡ଼ିଶାର ଅତି ଲୋକପ୍ରିୟ ପୁରାଣ, କୋଇଲି, ଚଉତିଶା, ଜଣାଣ, ଭଜନ, ଚୌପଦୀ, ଗୀତା ଓ ସଂହିତା ରଚନା ସହ ସମତାଳରେ କାବ୍ୟ ସାହିତ୍ୟର ସୃଷ୍ଟି ଓ ବିକାଶର ପ୍ରଚେଷ୍ଟା ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ବୈଚିତ୍ର୍ୟ ରକ୍ଷା କରିଛି । ସାରଳା ଯୁଗକୁ (୧୫ଶ ଶତାବ୍ଦୀ) କାବ୍ୟ ସାହିତ୍ୟର ପ୍ରତ୍ୟୁଷ କାଳ, ପଞ୍ଚସଖା ଯୁଗକୁ ଅରୁଣୋଦୟ କାଳ ଓ ଭଞ୍ଜଯୁଗକୁ (୧୮ଶ ଶତାବ୍ଦୀ) କାବ୍ୟ ସାହିତ୍ୟର ମଧାହ୍ନକାଳ କହିଲେ ବୋଧହୁଏ ଅସମୀଚୀନ ହେବ ନାହିଁ ।

 

ଯେ କୌଣସି ଦେଶର ସାହିତ୍ୟ ପଛରେ ବିଭିନ୍ନ ଯୁଗର ଯେଉଁ ଐତିହାସିକ, ସାଂସ୍କୃତିକ ସାମାଜିକ ଓ ସଭ୍ୟତାଗତ ପୃଷ୍ଠଭୂମି ରହିଛି ଏବଂ ତା’ର ଭିତରେ କାବ୍ୟ-ସାହିତ୍ୟର କିପରି ଜନ୍ମ, ପାଳନ ଓ ପୋଷଣ ହୋଇଛି ତା’ର ବିଚାର-ଆଲୋଚନା ସର୍ବାଦୌ ପ୍ରୟୋଜନ ।

 

ବିଭିନ୍ନ ଶତାବ୍ଦୀରେ ଓଡ଼ିଶାର ସଂସ୍କୃତି, ସଭ୍ୟତା, ଧର୍ମ ଓ ସମାଜ ଉପରେ ଗବେଷଣା ଆମର ପୂର୍ଣ୍ଣ ନୁହେଁ - ତେବେ ଆଭାସ ଇଙ୍ଗିତରେ ଆମ ହାତ ପାହାନ୍ତାରେ ଯାହା ଆସି ପହଞ୍ଚିଛି ତାକୁଇ ଭିତ୍ତିକରି ଶଂସିତ ପ୍ରବନ୍ଧର ରଚନା ।

 

ଗଙ୍ଗବଂଶ ରାଜତ୍ଵ କାଳରେ ଉତ୍କଳରେ ସ୍ୱର୍ଣ୍ଣ ଯୁଗର ଯେଉଁ ଭିତ୍ତି ସ୍ଥାପିତ ହେଲା, ସୂର୍ଯ୍ୟ ବଂଶର ରାଜା କପିଳ ଓ ପୁରୁଷୋତ୍ତମଦେବଙ୍କ ସମୟରେ ତାକୁ ଚୂଡ଼ା ସ୍ପର୍ଶ କଲା । ଗଙ୍ଗବଂଶ ଓ ସୂର୍ଯ୍ୟବଂଶ ରାଜାମାନଙ୍କ ସମୟରେ ଯୁଦ୍ଧ ତଥା ବିଦ୍ରୋହ ଦମନର ସାମରିକ ବାତାବରଣ ଥିଲେ ମଧ୍ୟ ଶିଳ୍ପ, ସ୍ଥାପତ୍ୟ, ସାହିତ୍ୟ, ଧର୍ମ ଓ ବାଣିଜ୍ୟ ବିକାଶର ପଥ ପ୍ରତିହତ ହୋଇ ନ ଥିଲା । ପୁରାଣ ପ୍ରସିଦ୍ଧ ଜଗନ୍ନାଥ କ୍ଷେତ୍ର ଉତ୍କଳବାହାରର ବହୁଧର୍ମ ପ୍ରଚାରକ ଓ କବିମାନଙ୍କୁ ଆକୃଷ୍ଟ କରିଥିଲା । ଧର୍ମ ପ୍ରଚାରକମାନଙ୍କର ଆଗମନ ଓ ସେମାନଙ୍କର ସ୍ଵକୀୟ ମତବାଦର ପ୍ରଚାରରେ ଜଗନ୍ନାଥ ଧର୍ମ ଅସହିଷ୍ଣୁ ହୋଇନି, ବରଂ ଉଦାର ଚିତ୍ତରେ ସବୁ ଧର୍ମ ପ୍ରତି ସମାନଦୃଷ୍ଟି ନିକ୍ଷେପ କରିଛି । ଫଳରେ,ଏକ ସାର୍ବଜନୀନ ସମନ୍ୱୟବାଦୀ ଧର୍ମଭାବରେ (୧) ଏହା ଭାରତରେ ଅସପତ୍ନ ପ୍ରତିଷ୍ଠା ଲାଭ କରିଛି । ବୌଦ୍ଧ, ଜୈନ ଧର୍ମଠାରୁ ଆରମ୍ଭ କରି ଶୈବ, ଶାକ୍ତ, ଯୋଗ; ତନ୍ତ୍ର, ବୈଷ୍ଣବ ପ୍ରଭୃତି ସବୁ ମତରୁ ନିର୍ଯ୍ୟାସ ଗ୍ରହଣ କରିଥିଲେ ମଧ୍ୟ ତା’ର ସ୍ଵାତନ୍ତ୍ର୍ୟ, ତା’ର ମୌଳିକ ଭିତ୍ତି ଦୋହଲି ଯାଇନାହିଁ । ଜଗନ୍ନାଥ ଧର୍ମ ହେଉଛି ଉତ୍କଳର ଧର୍ମ । ଜଗନ୍ନାଥ ଧର୍ମକୁ ଛାଡ଼ି ଦେଲେ ଉତ୍କଳର ଧର୍ମ, ସମାଜ ଓ ସଂସ୍କୃତିର ପରିକଳ୍ପନା କରି ହୁଏନି । ଜଗନ୍ନାଥ ଧର୍ମର ମୂଳ ଓଡ଼ିଆସମାଜର ବହୁ ଅଭ୍ୟନ୍ତରରେ – ଏହାର ସାକ୍ଷ୍ୟ ଦେବ ଉତ୍କଳର ପ୍ରତି କବିର କୃତି – ସେ ଶାକ୍ତ ହୁଅନ୍ତୁ, ସେ ବୈଷ୍ଣବ ହୁଅନ୍ତୁ ସେ ତାନ୍ତ୍ରିକ ହୁଅନ୍ତୁ ବା ଯୋଗୀ ହୁଅନ୍ତୁ, ପୁରୁଷୋତ୍ତମ ଜଗନ୍ନାଥ ହିଁ ତାଙ୍କର ଉପାସ୍ୟ । ଉତ୍କଳର ପଞ୍ଚସଖା ଶ୍ରୀ ଚୈତନ୍ୟଙ୍କର ନିବିଡ଼ ସମ୍ପର୍କରେ ଆସିଥିଲେ ମଧ୍ୟ ପ୍ରତ୍ୟେକେ ସ୍ଵକୀୟ ସାମ୍ପ୍ରଦାୟିକ ମତ ଉପରେ ପ୍ରତିଷ୍ଠିତ – ଏଇ ସ୍ୱକୀୟତାର ପ୍ରେରଣା ବା ପ୍ରରୋଚନା ମୂଳରେ ରହିଛି ଏଇ ସାର୍ବଜନୀନ ଜଗନ୍ନାଥ ଧର୍ମ – ଏହାରି ହେତୁ ଓଡ଼ିଆର ଜାତୀୟ ଜୀବନ ଓ ସଂସ୍କୃତି ତା’ର ନିଜ ସ୍ଵରୂପ ଧାରଣ କରିଛି – ତା’ର କରି ମଧ୍ୟ ଏଇ ସ୍ୱକୀୟତାର ମହତ୍ତ୍ୱ ଅକ୍ଷୁର୍ଣ୍ଣ ରଖିଛି ତା’ର କୃତିରେ । ନାନା ବୈଚିତ୍ର୍ୟ ମଧ୍ୟରେ ଏକତ୍ଵର ସନ୍ଧାନ ତ ଆମ ଧର୍ମ ଓ ସମାଜର ବିଶେଷତ୍ଵ ।

 

ଅଷ୍ଟମ ନବମ ଶତାବ୍ଦୀଠାରୁ ଷୋଡ଼ଶ ଶତାବ୍ଦୀର ଶେଷଭାଗ ପର୍ଯ୍ୟନ୍ତ ନାନା ଧର୍ମର ପ୍ରଚାର, ସଂଘର୍ଷ ଓ ସମନ୍ୱୟ ଫଳରେ ଏଇ ସମୟର ସାହିତ୍ୟର ଭିତ୍ତି ମୁଖ୍ୟତଃ ହୋଇଛି ଧର୍ମ । ଷୋଡ଼ଶ ଶତାବ୍ଦୀର ପ୍ରଥମ ଦଶକରେ ଉତ୍କଳକୁ ଶ୍ରୀ ଚୈତନ୍ୟଙ୍କର ଆଗମନ, ରାୟରାମାନନ୍ଦଙ୍କ ସହିତ ଚୈତନ୍ୟଙ୍କର କାନ୍ତାପ୍ରେମ (ପରକୀୟାପ୍ରୀତି) ସମ୍ପକିତ ଆଳାପ ଓ ସଖ୍ୟ; ଜୟଦେବଙ୍କର ଗୀତଗୋବିନ୍ଦ ତଥା ଚଣ୍ଡୀଦାସ ବିଦ୍ୟାପତିଙ୍କର ପଦାବଳୀର ଆବୃତ୍ତି ଓ ଆଲୋଚନା, ବୃନ୍ଦାବନର ରୂପ ଗୋସ୍ୱାମୀ ଓ ଜୀବଗୋସ୍ୱାମୀ ପ୍ରଭୃତିଙ୍କର ଭକ୍ତିତତ୍ତ୍ୱ ସମ୍ବଳିତ ଗ୍ରନ୍ଥର ପରୀକ୍ଷା; ଏଣେ ଅନ୍ୟ ଦିଗରେ ବଳରାମ, ଜଗନ୍ନାଥ, ଯଶୋବନ୍ତ, ଅନନ୍ତ ଓ ଅଚ୍ୟୁତ ପ୍ରଭୃତିଙ୍କର ରାମାୟଣ, ଭାଗବତ, ହରିବଂଶ, ଗୀତା, ସଂହିତା, ଭଜନ ପ୍ରଭୃତି ରଚନା ଓଡ଼ିଶାର ଗଣଜୀବନକୁ ନାନା ଭାବରେ ପ୍ରଭାବିତ କରି ଏକ ଯୁଗୋଚିତ ବିପ୍ଳବର ସଙ୍କେତ ବହନ କରିଛି । ଉତ୍କଳର ଉଦାର ଗଣଚିତ୍ତରେ ସେତେବେଳେ ଯେଉଁ ବୁଭୁକ୍ଷା, ତାକୁ ସହଜ ଭାବରେ ଗ୍ରହଣ କରି ନେଇଛି । ଫଳରେ ଏକ ଦିଗରେ ପଞ୍ଚସଖା ପ୍ରଚାରିତ ଧର୍ମ ଓ ସାହିତ୍ୟର ଜ୍ଞାନମିଶାଭକ୍ତି, ଶୂନ୍ୟବାଦ, ଯୋଗ, ତନ୍ତ୍ର ଓ ଅଣାକାର ସାଧନାରେ ଉତ୍କଳବାସୀ ନିଜର ଆଧ୍ୟାତ୍ମିକ କ୍ଷୁଧା ମେଣ୍ଟେଇଛନ୍ତି, ପୁଣି ଅନ୍ୟ ଦିଗରେ ଶ୍ରୀ ଚୈତନ୍ୟଙ୍କର ଗୌଡ଼ୀୟ ମତବାଦ । ତଥା ନାମ ସଂକୀର୍ତ୍ତନରେ ଭାସିଯାଇ ଭକ୍ତି ଓ ଗୋପୀପ୍ରେମ ଆସ୍ଵାଦନାରେ ନିଜକୁ ଧନ୍ୟ ମନେ କରିଛନ୍ତି । ଏକାଦଶ ଶତାବ୍ଦୀଠାରୁ ଆରମ୍ଭ କରି ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ଉତ୍କଳର ଜନତାଯୁଦ୍ଧ କରି କରି ଯୁଦ୍ଧପ୍ରତି ବୋଧହୁଏ ବୀତସ୍ପୃହ ହୋଇ ପଡ଼ିଛି – ରକ୍ତପାତରେ ହୁଏତ ତା’ର କ୍ରାନ୍ତି ଓ ଅବସାଦ ଆସିଛି, ତେଣୁ ଷୋଡ଼ଶ ଶତାବ୍ଦୀରେ ପଞ୍ଚସଖା ଓ ଶ୍ରୀଚୈତନ୍ୟଙ୍କଦ୍ଵାରା ସୃଷ୍ଟ ହୋଇଥିବା ସମରବିମୁଖ ବାତାବରଣ ଗଣଚିତ୍ତରେ ଓ ରାଜକୀୟ ସଂସ୍ଥାରେ ପ୍ରଭାବ ପକାଇଛି, ଯା’ଫଳରେ ସାମନ୍ତରାଜା ଓ ପ୍ରତିବେଶୀ ରାଜ୍ୟର ରାଜାମାନଙ୍କର ପରସ୍ପର ବିରୋଧ ଓ ବିଦ୍ରୋହର ସୁଯୋଗ ନେଇ ପରେ ପରେ ଆସିଛନ୍ତି ଆଫଗାନ (ପଠାଣ) ଓ ମୋଗଲ ଆକ୍ରମଣକାରୀଗଣ । ତେଣୁ ଏହି ସମୟର ସାହିତ୍ୟ ବୋଲି ଯାହା କୁହାଯାଏ, ତାହା ମୁଖ୍ୟତଃ ସାହିତ୍ୟ ନ ହୋଇ ହୋଇପଡ଼ିଛି ଧର୍ମଗ୍ରନ୍ଥ ।

 

(୧)

ଓଡ଼ିଶା ଇତିହାସ (ଡକ୍ଟର ହରେକୃଷ୍ଣ ମହତାବ) ପୃ-୫୩୩

 

ଏହି ସମୟରେ ଅନ୍ୟ ଏକ ବିଚାର ଉଲ୍ଲେଖ ଯୋଗ୍ୟ । ଗୌଡ଼ୀୟ ଓ ପଞ୍ଚସଖା ଧର୍ମର ସ୍ରୋତ ସମକ୍ଷରେ ଆସିଛି ଏକ ପ୍ରତିବନ୍ଧକ । ସେ ପ୍ରତିବନ୍ଧକର ସ୍ରଷ୍ଟା ହେଉଛନ୍ତି ନୀଳାଚଳକ୍ଷେତ୍ରର ମୁକ୍ତିମଣ୍ଡପ ପଣ୍ଡିତସଭା ଓ ଅନ୍ୟାନ୍ୟ କ୍ଷେତ୍ରର ଧର୍ମାଧିକରଣ, ସଂସ୍କୃତ ଶାସ୍ତ୍ର ତଥା ସାହିତ୍ୟଜ୍ଞ ପଣ୍ଡିତଗଣ । ବୈଦିକ କର୍ମକାଣ୍ଡ, ପରାଶର ମନୁ ପ୍ରଭୃତିଙ୍କର ସଂହିତା ସ୍ମାର୍ତ୍ତ ବା ବ୍ରାହ୍ମଣ୍ୟଧର୍ମର ଭିତ୍ତି । ସ୍ମୃତିପ୍ରଧାନ ବ୍ରାହ୍ମଣ୍ୟଧର୍ମର ଅସଲ ତତ୍ତ୍ୱ ଯା ହେଉନା କାହିଁକି, ବିଭିନ୍ନ ଯୁଗରେ ଧର୍ମର ସାରତତ୍ତ୍ୱ କେଉଁଆଡ଼େ ଅନ୍ତର୍ହିତ ହୋଇ କିପରି ବ୍ରାହ୍ମଣମାନଙ୍କ ହାତରେ ଏହା ବାହ୍ୟ ଆଚାର-ସର୍ବସ୍ଵ ହୋଇପଡ଼ିଥିଲା ପୁଣି ନିଜର ସ୍ୱାର୍ଥ ଦୃଷ୍ଟିରୁ ଧର୍ମ ନାମରେ ଅର୍ଥଶୋଷଣର ପଥ ଉନ୍ମକ୍ତ କରି ସ୍ମାର୍ତ୍ତ ବା ବ୍ରାହ୍ମଣମାନେ କିପରି ଅପୌରୁଷେୟ ବଚନ ଭାବରେ ଜନତାର ବିଚାର ଓ ସ୍ଵାତନ୍ତ୍ର୍ୟକୁ ମାଡ଼ି ଦଳି ସେମାନଙ୍କ ଚିତ୍ତରେ ଅହୈତୁକୀ ଧର୍ମବିଶ୍ୱାସ ନାମରେ ନାନା ଭୀତିପ୍ରଦ ଅନୁଶାସନମାନ ପୂରେଇଥିଲେ, ଇତିହାସ ତା’ର ସାକ୍ଷ୍ୟ ଦେବ । ଜାତିଭେଦ, ଅସ୍ପୃଶ୍ୟତା, ସ୍ତ୍ରୀ, ଶୂଦ୍ରର ଶାସ୍ତ୍ରପାଠରେ ଅଭିଶାପ ଓ ନରକର ଭୟ ପ୍ରଭୃତି କୁସଂସ୍କାର କିପରି ବ୍ରାହ୍ମଣ୍ୟଧର୍ମକୁ ଅନ୍ତଃସାରଶୂନ୍ୟ କରିଦେବା ସଙ୍ଗେ ସଙ୍ଗେ ସଂସ୍କୃତ ଭାଷାରେ ଲିଖିତ ଶାସ୍ତ୍ର, ପୁରାଣ, ଧର୍ମଗ୍ରନ୍ଥ ଓ କାବ୍ୟକୁ ନିଜ ମଧ୍ୟରେ ଆବଦ୍ଧ ରଖି ଜନସାଧାରଣଙ୍କୁ ଶିକ୍ଷାର ସୁଯୋଗରୁ ବଞ୍ଚିତ କରିଥିଲେ, ତାହା ବୁଝାଇ କହିବାର ଆବଶ୍ୟକତା ନାହିଁ । ବ୍ରାହ୍ମଣ୍ୟଧର୍ମର ଏଇ କୁସଂସ୍କାର ବିରୁଦ୍ଧରେ ବିଭିନ୍ନ ଯୁଗରେ ନାନା ପ୍ରତିକ୍ରିୟା ଦେଖାଦେଇଛି - ଫଳରେ ଜୈନ ବୌଦ୍ଧ, ଶିବ, ଶାକ୍ତ, ଯୋଗ, ତନ୍ତ୍ର ପ୍ରଭୃତି ବିଭିନ୍ନ ଯୁଗୋପଯୋଗୀ ଧର୍ମର ଆବିର୍ଭାବ ବିଭିନ୍ନ ଯୁଗରେ ହୋଇଛି । ଏଇ ସଂସ୍କୃତ ପଣ୍ଡିତଗଣ ଥିଲେ ଧର୍ମପୀଠରେ ଧର୍ମାଧିକରଣ, ରାଜସଭାରେ ପଣ୍ଡିତ ମନ୍ଦିରରେ ପୁରାଣପଣ୍ଡା । ସେମାନଙ୍କ ଦୃଷ୍ଟିରେ ସଂସ୍କୃତ ଦେବଭାଷା - ଅନ୍ୟ କୌଣସି ପ୍ରାକୃତ ଭାଷାରେ ଶାସ୍ତ୍ର, ପୁରାଣ ଓ କାବ୍ୟ ରଚିତ ହୋଇ ନ ପାରେ । ଫଳରେ ବିଭିନ୍ନ ଅଞ୍ଚଳର ଦେଶୀୟ-ସାହିତ୍ୟର ବିକାଶ ଦିଗରେ ଥିଲା ଏଇଭଳି ଏକ ଅଯୌକ୍ତିକ ଅବାଞ୍ଚିତ ପ୍ରତିବନ୍ଧକ । କିନ୍ତୁ ଉଦାର ଧର୍ମପ୍ରଚାରକମାନଙ୍କର ଦୃଷ୍ଟିରେ ବୁଭୁକ୍ଷୁ ଜନତାର ଆତ୍ମା ଶତ ପ୍ରତିବନ୍ଧକ ସତ୍ତ୍ୱେ ବିଭିନ୍ନ ଯୁଗରେ ମୁଣ୍ଡଟେକି ଉଠିଛି- ଫଳରେ ଦେଶୀୟ-ସାହିତ୍ୟର ସ୍ୱାଭାବିକ ବିକାଶ ଘଟିଛି । ଜନତାଠାରୁ ସଂସ୍କୃତ ଭାଷା ଓ ସାହିତ୍ୟକୁ ଏହିପରି ଦୂରେଇ ରଖିବାଦ୍ଵାରା ସଂସ୍କୃତଭାଷା ଓ ସାହିତ୍ୟର ଅତୁଳ ବିଭବସତ୍ତ୍ୱେ କାଳକ୍ରମେ ତା’ର ଗତି ମନ୍ଥର ହୋଇ ଆସିଛି । ରାଜସଭା ଓ ଧର୍ମପୀଠର ଅଭିଜାତ ପରିବେଶ ମଧ୍ୟରେ ଆଭିଜାତ୍ୟର ଅଭିମାନରେ ସଂସ୍କୃତ ଭାଷାର ବ୍ୟବହାର ଓ ସାହିତ୍ୟ ରଚନା କ୍ରମଶଃ ସୀମିତ ଓ ସଂକୁଚିତ ହୋଇଆସିଛି । ଜନତା ଯେଉଁ ଭାଷାରେ କଥା କହେ, ଯେଉଁଭାଷାରେ ଭାବର ଆଦାନ ପ୍ରଦାନ କରେ, ସେଇ ଭାଷାରେ ଚାହିଁଛି ସାହିତ୍ୟ – କାରଣ ସେ ବୁଝିପାରିବ, ରସ ଗ୍ରହଣ କରିପାରିବ, ତା’ର ମର୍ମବାଣୀର ସନ୍ଧାନ ପାଇପାରିବ । ସାରଳା ଦାସ ‘ମହାଭାରତ’, ପଣ୍ଡିତ ଜଗନ୍ନାଥ ଦାସ ‘ଭାଗବତ’, ବଳରାମ ଦାସ ‘ଦାଣ୍ଡୀ ରାମାୟଣ’ ପ୍ରଭୃତି ରଚନା କରିବାକୁ ଯାଇ ପଣ୍ଡିତମାନଙ୍କ ଦ୍ଵାରା ଘୃଣିତ ଓ ଲାଞ୍ଚିତ ହେବା ଅତି ସ୍ୱାଭାବିକ; କିନ୍ତୁ ବାଧା ଓ ପ୍ରତିବନ୍ଧକସତ୍ତ୍ୱେ ସାଧକ ତଥା କବିର ପୁରୋଦୃଷ୍ଟି ତା’ର ସାଧନା ଜନତାର ଶ୍ରଦ୍ଧା ଓ ଭକ୍ତିରେ ଅଭିଷିକ୍ତ ହୋଇଛି । ମହାଭାରତ, ରାମାୟଣ, ଭାଗବତ, ହରିବଂଶ ଓ ଅନ୍ୟ ପୁରାଣଗ୍ରନ୍ଥ ଛଡ଼ା ଗୀତା, ସଂହିତା ଏବଂ ଆଧ୍ୟାତ୍ମିକ ଭାବସମ୍ବଳିତ ଭଜନ, ଜଣାଣ, ଚଉତିଶା ଓ କୋଇଲି ପ୍ରଭୃତି କ୍ଷୁଦ୍ର ଆୟତନବିଶିଷ୍ଟ ରଚନାର ଦୃଷ୍ଟାନ୍ତ ଓଡ଼ିଆ ସାହିତ୍ୟରେ ଅପ୍ରତୁଳ ନୁହେଁ (୨) । ତେଣୁ ଶତାବ୍ଦୀର ଘଡ଼ିସନ୍ଧିବେଳେ ଏଇ ସାଧକତଥା କବିମାନେ ଆବିର୍ଭୂତ ହୋଇ ଚିରାଚରିତ ପ୍ରଥାର ସ୍ୱାଭାବିକ ବିରୋଧ ଆଣି ଯେଉଁ ବିପ୍ଳବର ସଙ୍କେତ ଦେଇଗଲେ, ଓଡ଼ିଆ ଜାତି ଓ ସମାଜର ବିକାଶର ସମସ୍ତ ଦିଗ ଯେପରି ପୁଷ୍ପ ଚନ୍ଦନରେ ଅଭିଷିକ୍ତ କରି ଦେଇଗଲେ, ଓଡ଼ିଆଜାତିର ପ୍ରାଣରେ ଅଦ୍ୟାବଧି, ତା’ର ଗୁରୁତ୍ୱ ତଥା ମହତ୍ଵ ସ୍ଵୀକାର୍ଯ୍ୟ ଓ ସ୍ମରଣୀୟ । ସେଇ ହେତୁ ଏଇମାନେ ହେଉଛନ୍ତି ଜାତିର ନେତା, ସଂସ୍କାରକ, ଶିକ୍ଷକ ଓ ଧର୍ମୋପଦେଷ୍ଟା । ଜାତି ପ୍ରତି ଏମାନଙ୍କର ଦାନ କାଳର ପ୍ରଭାବରେ କେବେ ମଳିନ ହୋଇ ନ ପାରେ ।

 

ସଂସ୍କୃତଜ୍ଞ ପଣ୍ଡିତମାନଙ୍କର ସଂସ୍କୃତ ଭାଷାରେ ଲିଖିତଶାସ୍ତ୍ର, ପୁରାଣ, ସ୍ମୃତି, ଦର୍ଶନ (ବେଦାନ୍ତ ସହ) ସମ୍ବଳିତ ଜ୍ଞାନର ଆଭିଜାତ୍ୟ ତଥା ଅଭିମାନ ବିରୁଦ୍ଧରେ କାଳର ନିର୍ଦ୍ଦେଶରେ କଲ୍ୟାଣକାମୀ କବି ଓ ମହାପୁରୁଷ ତଥା ଜନତାର ତୀବ୍ର ପ୍ରତିରୋଧ ଦେଖାଦେଇଥିଲେ ମଧ୍ୟ କବି ଓ ଜନତା ବେଦ, ବେଦାନ୍ତ, ସ୍ମୃତି, ଦର୍ଶନ ଓ କାବ୍ୟ ପ୍ରତି ଅବହେଳା ଦେଖାଇନାହିଁ । ବିଶାଳ ସଂସ୍କୃତ ସାହିତ୍ୟ-ମନ୍ଦିରର ପ୍ରବେଶକାରରୁ ବଞ୍ଚିତ କରି ଯେଉଁମାନଙ୍କୁ ଅସ୍ପୃଶ୍ୟ ରଖାଯାଇଥିଲା ସେଇମାନଙ୍କର ନେତୃସ୍ଥାନୀୟ କବି ଓ ସାଧକ ସେଇମାନଙ୍କ ପାଇଁ ନିର୍ଭୀକତାର ସହିତ ଦ୍ଵାର ଉନ୍ମୁକ୍ତ କରିଦେଲେ । ଫଳରେ ଆମରି ଓଡ଼ିଆ ସାହିତ୍ୟର ଭିତ୍ତି, ପ୍ରେରଣା ତଥା ପ୍ରଚୋଦନା ହେଲା ସଂସ୍କୃତ ଭାଷାରେ ଲିଖିତ ବେଦ, ବେଦାନ୍ତ, ସ୍ମୃତି, ଦର୍ଶନ, ପୁରାଣ, କାବ୍ୟ ଓ ଅଳଙ୍କାର । ସେଥିପାଇଁ ବ୍ୟାସଦେବଙ୍କ ସଂସ୍କୃତ ମହାଭାରତ ସ୍ଥାନରେ ପାଇଲୁଁ ସାରଳା ମହାଭାରତ, ବାଲ୍ମୀକିଙ୍କର ସଂସ୍କୃତ ରାମାୟଣ ସ୍ଥାନରେ ପାଇଲୁଁ ଦାଣ୍ଡୀ ରାମାୟଣ, ସଂସ୍କୃତ ଶ୍ରୀମଦ୍ ଭାଗବତ ସ୍ଥାନରେ ପାଇଲୁଁ ଓଡ଼ିଆ ଭାଗବତ, ସଂସ୍କୃତ ହରିବଂଶ ସ୍ଥାନରେ ପାଇଲୁଁ ଓଡ଼ିଆ ହରିବଂଶ । ସାରଳା, ବଳରାମ, ଅଚ୍ୟୁତ ସଂସ୍କୃତ ଭାଷାରେ ପାଣ୍ଡିତ୍ୟ ଅର୍ଜନ କରି ନ ଥିଲେ ମଧ୍ୟ ସେମାନେ ଆମପାଇଁ ଯାହା ଦେଇଗଲେ, ତାହା ମୂଳ ସଂସ୍କୃତ ଗ୍ରନ୍ଥର ଚର୍ବିତ ଚର୍ବଣ ନୁହେଁ- ସମ୍ପୂର୍ଣ୍ଣ କିଛି ନୂତନ । ସଂସ୍କୃତ ପଣ୍ଡିତ ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ଲେଖିଲେ ସତ; କିନ୍ତୁ ତାହା ବ୍ୟାସଙ୍କର ଶ୍ରୀମଦ୍ଭାଗବତର ନିରୋଳା ଅନୁବାଦ ନୁହେଁ ସେ ତାଙ୍କ ପ୍ରତିଭାବଳରେ ପାଠକମାନଙ୍କୁ ନୂତନତ୍ୱର ସ୍ୱାଦ ଚଖେଇଲେ । ସଂସ୍କୃତ ସାହିତ୍ୟ ଓ ସଂସ୍କୃତିକୁ ଏମାନେ ଆଦର କରିଛନ୍ତି, ଜଗନ୍ନାଥ ଦାସଙ୍କୁ ଛାଡ଼ି ଅନ୍ୟମାନେ ସଂସ୍କୃତ ଭାଷାରେ ବ୍ୟୁତପତ୍ତି ଲାଭ ନ କଲେ ମଧ୍ୟ ଅନ୍ୟଠାରୁ ଶୁଣି ଆଲୋଚନା କରି ନିଜର ପ୍ରତିଭା, ସାଧନା ଓ ଦୈବୀ କୃପାବଳରେ ଓଡ଼ିଆ ହାତରେ ଖାଣ୍ଟି ଓଡ଼ିଆସାହିତ୍ୟ ଓ ଓଡ଼ିଆ ସଂସ୍କୃତି ଦାନ କରିଛନ୍ତି । ଓଡ଼ିଆ ତାକୁ ସର୍ବାନ୍ତକରଣରେ ଗ୍ରହଣ କରିଛି, ଦେବତା-ଜ୍ଞାନରେ ପୂଜ୍ୟ ପୂଜାର ସମ୍ମାନ ଦେଇଛି । ଗତ ଚାରିଶହ ବର୍ଷର ଓଡ଼ିଆ ସଂସ୍କୃତି ଓ ଜାତୀୟତାର ବୈଶିଷ୍ଟ୍ୟ ଖୋଜିବାକୁ ଗଲେ ଆମକୁ ଏଇ ସାଧକ ଓ କବିମାନଙ୍କର ଗ୍ରନ୍ଥକୁ ଆଖି ଆଗରେ ରଖିବାକୁ ହେବ-। ସୂର୍ଯ୍ୟବଂଶ ରାଜାଙ୍କ ସମୟରେ ସମରକ୍ଳାନ୍ତ, ପଠାଣ, ମୋଗଲ, ମରହଟ୍ଟା ଓ ବ୍ରିଟିଶ୍ ଯୁଗର ପରାଧୀନତା ନିଷ୍ପେଷିତ, ଲାଞ୍ଛିତ ଓଡ଼ିଆ ଏଇ ଅମର ଗ୍ରନ୍ଥଗୁଡ଼ିକରୁ କମ୍ ସାନ୍ତ୍ୱନା ପାଇନାହିଁ । ଏଗୁଡ଼ିକୁ ବାଦ୍ ଦେଲେ ଓଡ଼ିଆ ସାହିତ୍ୟର ଅସ୍ତିତ୍ୱ ବା କେଉଁଠି ?

 

ବେଦ ରଚନା ପରେ ପରେ ଯେପରି ଜୀବାତ୍ମା ପରମାତ୍ମା ଓ ଜଗତ୍‍ସମ୍ପର୍କୀୟ ତାତ୍ତ୍ୱିକ ବିଚାର ଉପନିଷଦ୍, ବେଦାନ୍ତ ଓ ଦର୍ଶନର ସୂକ୍ଷ୍ମ ସୂତ୍ରରେ ପର୍ଯ୍ୟବସିତ ହୋଇ କେବଳ ତତ୍ତ୍ଵସର୍ବସ୍ୱ ହୋଇ ପଡ଼ିଲା, ଓଡ଼ିଆ ସାହିତ୍ୟରେ ସେହିପରି ସାରଳାଯୁଗ ପରେ ପରେ ପଞ୍ଚସଖା ଯୁଗରେ କେବଳ ସାରଳାଙ୍କ ଆଦର୍ଶରେ ରଚିତ କେତୋଟି ପୁରାଣକୁ ଛାଡ଼ିଦେଲେ ପଞ୍ଚସଖାଙ୍କର ଅନ୍ୟାନ୍ୟ ରଚନାସେଇପରି ଯୋଗ, ଜ୍ଞାନ, ଭକ୍ତି, ତନ୍ତ୍ର, ମନ୍ତ୍ର, ଯନ୍ତ୍ର ଶୂନ୍ୟବାଦ, ପିଣ୍ଡ-ବ୍ରହ୍ମାଣ୍ଡ ଓ ଅଣାକାର ସାଧନାରେ କେବଳ ନୀରସ ତତ୍ତ୍ୱ-ସର୍ବସ୍ୱ ହୋଇପଡ଼ିଲା । ଓଡ଼ିଆ ଅବଶ୍ୟ ତାହା ବୁଝୁ ବା ନ ବୁଝୁ କିନ୍ତୁ ତତ୍‌କାଳୀନ ଧର୍ମ ଓ ସାହିତ୍ୟର ଅବସ୍ଥା ଦୃଷ୍ଟିରୁ ଓଡ଼ିଆ ତାକୁ ସହଜ ଚିତ୍ତରେ ଗ୍ରହଣ କରିନେଇଛି ।

 

(୨)

ଦାରୁବ୍ରହ୍ମ ଗୀତା, ତୁଳାଭିଣା, ଗୁପ୍ତଭାଗବତ, ଅର୍ଥ କୋଇଲି - ଜଗନ୍ନାଥ ଦାଶ । ଶୂନ୍ୟ ସଂହିତା, ଗୁରୁଭକ୍ତି ଗୀତା, ଅଷ୍ଟଗୁଜ୍ଜରୀ, ଶରଣପଞ୍ଜର ସ୍ତୋତ୍ର, ଦୂତୀବୋଧ ଚଉତିଶା, ଅଣାକାର ସଂହିତା, ବ୍ରହ୍ମଶାଙ୍କୁଳି, ନିରାକାର ସଂହିତା, ବ୍ରହ୍ମବିଦ୍ୟା ତତ୍ତ୍ୱଜ୍ଞାନ-ଅଚ୍ୟୁତାନନ୍ଦ ଦାସ । ବ୍ରହ୍ମାଣ୍ଡ ଭୂଗୋଳ, ଶରୀର ଭୂଗୋଳ, ଅର୍ଜୁନ ଗୀତା, ଭଗବଦ୍ ଗୀତା, ଅମରକୋଷ ଗୀତା, ଗୁପ୍ତ ଗୀତା, ଗରୁଡ଼ ଗୀତା, ବିରାଟ ଗୀତା, ବାରମାସୀ – ବଳରାମ ଦାସ । ପ୍ରେମଭକ୍ତି ବ୍ରହ୍ମ ଗୀତା, ଶିବ ସ୍ଵରୋଦୟ - ଯଶୋବନ୍ତ ଦାସ ।

 

ମୋଟାମୋଟି ଏତିକି କହିଲେ ଯଥେଷ୍ଟ ହେବ ଯେ ଏ ହେଲା ଜନତାର ସାଂସ୍କୃତିକ ଚେତନାର ଯୁଗ । ବିକ୍ଷୁବ୍‍ଧ, କ୍ଳାନ୍ତ, ଅବସନ୍ନ ଓଡ଼ିଆ ପାଇଁ ସହସା ଭାବ ରସ-ଶୈଳୀ-ସମୃଦ୍ଧ, ଆଳଙ୍କାରିକ କୃତିତ୍ୱରେ ଅନୁପମ କାବ୍ୟ ସାହିତ୍ୟ (ରୀତିକାବ୍ୟ) ବିକାଶର ଅବସର କେଉଁଠି ? ସେଥିପାଇଁ ପୌରାଣିକ ଶୈଳୀରେ ଲିଖିତ ହାତଗଣନ୍ତା କେତୋଟି କାବ୍ୟକୁ ଛାଡ଼ିଦେଲେ ଧର୍ମନୀତିତତ୍ତ୍ଵ-ସମ୍ବଳିତ ପୁରାଣ ଗୀତା, ସଂହିତାର ପ୍ରାଚୁର୍ଯ୍ୟ ହିଁ ଏହି ସମୟରେ ଦେଖାଯାଏ ।

 

ସାଧକ ଓ କବିମାନଙ୍କର ଏ ପ୍ରଚେଷ୍ଟା ସଙ୍ଗେସଙ୍ଗେ ବହୁ କାଳରୁ ଶିକ୍ଷାରେ ଅବହେଳିତ ଜନତା ତା’ର ହୃଦୟର ସ୍ୱତଃସ୍ଫୂର୍ତ୍ତ ଭାବରାଶିକୁ, ତା’ର ହୃଦୟର ସୁଖ ଦୁଃଖ ବିମଥିତ ବିଚିତ୍ର ଅନୁଭୂତିକୁ ରୂପାୟିତ କରିଛି ଲୋକଗୀତି ଓ କାହାଣୀରେ, ନାନା ବ୍ରତ, ଓଷାକଥା, ଚଷାଗୀତ ହଳିଆଗୀତ ଏବଂ କନ୍ୟା ଓ ବଧୂଙ୍କର ସୁଖ ଦୁଃଖ ଗୀତିକାରେ ପୁଣି ସେଗୁଡ଼ିକରେ ଯେଉଁ ଛନ୍ଦ । ବ୍ୟବହୃତ ହୋଇଛି, ତାହା ଓଡ଼ିଆ ଲୋକସାହିତ୍ୟର ନିଜସ୍ଵ ଛନ୍ଦ, ସେହି ଛନ୍ଦରେ ପ୍ରତିଧ୍ୱନିତ ହୋଇଛି ତା’ର ଜୀବନର ଛନ୍ଦ – ସେ ଛନ୍ଦ କୃତ୍ରିମ ନୁହେଁ, ସ୍ୱାଭାବିକ - ଏକସ୍ୱରିଆ ନୁହେଁ, ବୈଚିତ୍ର୍ୟପୂର୍ଣ୍ଣ । ତା’ ଛଡ଼ା ତା’ର ବ୍ୟବହାରିକ ଜୀବନକୁ ସଦା ମଂଗଳମୟ ଓ ସୁଖମୟ କରିବା ପାଇଁ ନାନା ମନ୍ତ୍ର ଓ ଡାକଋଷି ବଚନର ତ ଅଭାବ ନାହିଁ ।

 

ତେଣୁ ସାରଳା ଓ ପଞ୍ଚସଖାଯୁଗରେ ନାନା ଐତିହାସିକ କାରଣରୁ ଯେତେବେଳେ ଲୋକଶିକ୍ଷା ପାଇଁ ପୁରାଣ ଓ ଧର୍ମ ସାହିତ୍ୟର ପ୍ରାଚୂର୍ଯ୍ୟ ଦେଖା ଦେଇଛି, ସହସା କାବ୍ୟ-ସାହିତ୍ୟର ବିକାଶପାଇଁ ସେତେବେଳେ ଅନୁକୂଳ ପରିସ୍ଥିତି କାହିଁ ? ୟା ବୋଲି ସଂସ୍କୃତ କାବ୍ୟ ନାଟକ ପଣ୍ଡିତ ଜଗନ୍ନାଥ ଦାସଙ୍କ ଆଖିରେ ଯେ ପଡ଼ି ନାହିଁ ତା’ ନୁହେଁ, କିନ୍ତୁ ଶିକ୍ଷାଲୋକରୁ ବଞ୍ଚିତ ଓଡ଼ିଆ ସନ୍ତାନ ପାଇଁଯେତେବେଳେ ତାଙ୍କ ହୃଦୟ ବେଦନା ବିକ୍ଷୁବ୍‍ଧ, ଧର୍ମ କ୍ଷେତ୍ରରେ ଯେତେବେଳେ ବିପୁଳ ଆଲୋଡ଼ନ, ସେତେବେଳେ କାଳିଦାସ, ଭବଭୂତି ବାଣଭଟ୍ଟ, ମାଘ, ଶ୍ରୀହର୍ଷ ପ୍ରଭୃତିଙ୍କ ଆଦର୍ଶରେ କଳା-ସମୃଦ୍ଧ କାବ୍ୟ ରଚନା କରିବାର ଆବଶ୍ୟକତା ବୋଧହୁଏ ସେ ଅନୁଭବ କରିନାହାନ୍ତି; ଜନତାର ଚେତନା, ଯୁଗର ଦାବୀ ବୋଧହୁଏ ହଠାତ୍ ତା’ ଚାହିଁ ନାହିଁ ।

 

ତେଣୁ ସାରଳା ଓ ପଞ୍ଚସଖାଯୁଗରେ (୧୫ଶ ଓ ୧୬ଶ ଶତାବ୍ଦୀ) ଅର୍ଜୁନ ଦାସଙ୍କର ‘ରାମବିଭା’, ଶିଶୁଶଙ୍କରଙ୍କର ‘ଉଷାଭିଳାଷ’ ଧରଣୀଧର ଓ ବୃନ୍ଦାବନ ଦାସଙ୍କର ଯଥାକ୍ରମେ ଗୀତଗୋବିନ୍ଦ ଅନୁବାଦ ଓ ରସବାରିଧି, ଭୀମାଧୀବରଙ୍କର କପଟପାଶା, ଲକ୍ଷ୍ମଣ ମହାନ୍ତିଙ୍କର ଉର୍ମିଳା ଛାନ୍ଦ, କପିଳେଶ୍ୱର ଦାସଙ୍କର କପଟକେଳି, ହରିହର ଦାସଙ୍କର ‘ଚନ୍ଦ୍ରାବତୀ ବିଳାସ’, ଦେବଦୁର୍ଲ୍ଲଭଙ୍କର ‘ରହସ୍ୟମଞ୍ଜରୀ’ ପ୍ରଭୃତି ଯେଉଁ କେତୋଟି ଛୋଟ ବଡ଼ କାବ୍ୟ ଦେଖିବାକୁ ମିଳେ, ସେଗୁଡ଼ିକର ଭିତ୍ତି ହେଉଛି ଓଡ଼ିଆ ମହାଭାରତ, ଦାଣ୍ଡୀ ରାମାୟଣ, ଭାଗବତ, ଓ ଜୟଦେବଙ୍କର ଗୀତଗୋବିନ୍ଦ ପ୍ରଭୃତି । ସଂସ୍କୃତସାହିତ୍ୟରେ ମଧ୍ୟ ଏଇ ରାମାୟଣ ମହାଭାରତ ଗୋଟିଏ ନୂତନ ଦିଗର (କାବ୍ୟ) ସଙ୍କେତ ହୋଇଥିଲା । ବର୍ତ୍ତମାନ ଭାରତରେ ସାହିତ୍ୟକଳା କହିଲେ ଯାହା ବୁଝୁଁ, ତାହା ଏଇ ପୁରାଣ ତଥା ମହାକାବ୍ୟର ଲେଖା ସହ ଆରମ୍ଭ ହୋଇଥିଲା (୩) । ପୁରାଣକୁ ଭିତ୍ତି କରି ସାରଳା ଓ ପଞ୍ଚସଖାଯୁଗର କାବ୍ୟଗୁଡ଼ିକ ରଚିତ ହୋଇଥିବାରୁ ଏଗୁଡ଼ିକର ରଚନାଶୈଳୀରେ ପୁରାଣ ସୁଲଭ ସରଳତା ତଥା ସାବଲୀଳତା ପରିଲକ୍ଷିତ ହୁଏ । ବର୍ଣ୍ଣନା, ଭାଷା, ଛନ୍ଦ, ଅଳଙ୍କାର କୌଣସିଟିରେ ସଂସ୍କୃତ ଆଳଙ୍କାରିକ କାବ୍ୟସୁଲଭ ଶିଳ୍ପନୈପୁଣ୍ୟ, କଳା-କୃତ୍ରିମତା ଓ ପାଣ୍ଡିତ୍ୟ ପ୍ରଦର୍ଶନଜନିତ କ୍ଲିଷ୍ଟତାର ଅବକାଶ ନାହିଁ । ଭାବ ଓ ରସର ପରିବେଷଣ ନୈସର୍ଗିକ । ଧରଣୀଧର ଓ ବୃନ୍ଦାବନ ଗୀତଗୋବିନ୍ଦର ଅନୁବାଦ କରିଥିଲେ ମଧ୍ୟ (ଆକ୍ଷରିକ ଅନୁବାଦ ନୁହେଁ) ରଚନାଶୈଳୀରେ ଯୁଗରପ୍ରଭାବ ଓ ରୁଚିକୁ ଗ୍ରହଣ କରିଛନ୍ତି । ମହାଭାରତ, ରାମାୟଣ, ଭାଗବତ ପ୍ରଭୃତି ଏମାନଙ୍କର ଆଦର୍ଶ ହେଲେ ମଧ୍ୟ ଲୋକଚିତ୍ତକୁ ସ୍ପର୍ଶ କରିପାରିବା ଭଳି କାବ୍ୟିକ ସୌନ୍ଦର୍ଯ୍ୟ ଓ କଳ୍ପନାର ମଧୁରିମାର ପରିଚୟ ଦେବାକୁ ଯେ ଚେଷ୍ଟା କରିନାହାନ୍ତି ତାହା ନୁହେଁ, କାରଣ ସାହିତ୍ୟର ତ ଗୋଟାଏ କଳାଗତ ମୂଲ୍ୟବୋଧ ଅଛି । ମହାଭାରତ, ରାମାୟଣ, ଭାଗବତ ପ୍ରଭୃତି (କେବଳ ଗୋଟିଏ ସ୍ୱନ୍ଧରେ ଭିନ୍ନ ବୃତ୍ତ) କେବଳ ଗୋଟିଏ ଗୋଟିଏ ବୃତ୍ତରେ ଲେଖା ଯାଇଥିବା ସ୍ଥଳେ ପୂର୍ବୋକ୍ତ କାବ୍ୟଗୁଡ଼ିକରେ ବିଭିନ୍ନ ବୃତ୍ତ, ଛାନ୍ଦ ଓ ବାଣୀର ବ୍ୟବହାର ଛାନ୍ଦ-ବୈଚିତ୍ୟର ସଙ୍କେତ ଦେଉଛି । ଗୋଟିଏ ଦିଓଟି ଦୃଷ୍ଟାନ୍ତ ଦେଲେ ଆଲୋଚନା ଦୃଷ୍ଟିରୁ ବୋଧହୁଏ ଅସମୀଚୀନ ବୋଧ ହେବ ନାହିଁ ।

 

ବର୍ଣ୍ଣନାରେ ପୌରାଣିକ ଶୈଳୀ, ଛନ୍ଦ ଓ ଭାଷାର ସୂଚନା ‘ରାମବିଭାରେ (୪) ଦେଖନ୍ତୁ, –

 

ରାମମୁଖେ ଚୁମ୍ବନ ଦେଇ କଉଶୁଲ୍ୟ

ଆନନ୍ଦ-ଜଳଧି ତା’ର ମନ ମଜ୍ଜାଇଲା ।

ଗୋପାଳବଲ୍ଲଭ ସାରି ନୀଳଗିରିପତି

ଆଚୋବନ ସାରି ତଡାର ଲାଗି ହୋନ୍ତି ।

ବାଳଧୂପ ମଣୋହି କୋଠାରେ ବଢ଼ାଇଲେ

ସୁବେଶ ହୋଇବେ ବୋଲି ଆୟେ କଢ଼ାଇଲେ ।

(ପ୍ରଥମଛାନ୍ଦ)

 

ରାମଙ୍କୁ ନୀଳଗିରିପତି ଜଗନ୍ନାଥ ଭାବରେ ବର୍ଣ୍ଣନା କରିବାରେ ଓଡ଼ିଶୀ ଧର୍ମ ଓ ସଂସ୍କୃତିର ପରମ୍ପରା କିପରି ରକ୍ଷିତ ହୋଇଛି, ତାହା ଏଠାରେ ଲକ୍ଷ୍ୟକରିବା କଥା । ଏଇ ପରମ୍ପରା ମଧ୍ୟ ପରବର୍ତ୍ତୀ କବିମାନଙ୍କଠାରେ ଲକ୍ଷିତ ହୁଏ । (୫)

 

ପୁଣି ରାମଚନ୍ଦ୍ରଙ୍କର ରୂପବର୍ଣ୍ଣନାରେ କମନୀୟ କାବ୍ୟିକ କଳ୍ପନା ନୈସର୍ଗିକ ଅଳଙ୍କାରର ପ୍ରୟୋଗ ଦେଖନ୍ତୁ ।

 

“ନୀଳ ଜଳଧରକାନ୍ତିଂ ରୁଚିର ଶରୀରକ୍ରାନ୍ତି,

ନୟନକମଳ ଫୁଲ, ରୂପେ ଅମୂଲ୍ୟ ୟେ ।’

X X X X

ଅଭିନବ ଶ୍ୟାମଳ କୋମଳ ରାମରୂପ ।

ଅମୀୟ ସାଗର କଳାନିଧି କି ଶ୍ରୀମୁଖ ?

X X X X

‘କମଳନୟନ କି ସେ କୁସୁମର ବାଣ ।

କର୍ଣ୍ଣ ପର୍ଯ୍ୟନ୍ତେ କି କଜ୍ଜଳ-ଗୁଣଟାଣ ?

(ଏକାଦଶଛାନ୍ଦ୍ର)

 

With no amount of exaggeration it might be said that the Mahabharat first, the Ramayan next introduced a new vouge into Sanskrit literature. What we now speak of as Literary art in general could be said to have begun in India with writings of the epics. Drama in Sanskrit Literature, By R.V. Jagirdar.

 

(୪)

୧୫ଶ ଶତାବ୍ଦୀର ଶେଷ ବା ୧୬ଶ ଶତାବ୍ଦୀର ଆରମ୍ଭରେ ରାମବିଭା ରଚିତ ।

 

କିନ୍ତୁ ରାମବିଭାର ପରବର୍ତ୍ତୀ ରଚନା ଶିଶୁ ଶଙ୍କରଙ୍କର ‘ଉଷାଭିଳାଷ’ରେ (୬) କାବ୍ୟିକ ଶୈଳୀର କିଞ୍ଚିତ ଅଧିକ ବିକାଶ ପରିଲକ୍ଷିତ ହୁଏ । ଖିଳ ହରିବଂଶ, ଭାଗବତର ଦଶମସ୍କନ୍ଧ (ଦ୍ଵାରିକାଲୀଳା) ଓ ଶାରଳା ମହାଭାରତର ମଧ୍ୟପର୍ବର ଉଷାହରଣ ପ୍ରସଙ୍ଗକୁ ଭିତ୍ତି କରି କବି ଏ । କାବ୍ୟ ଲେଖିଥିଲେ ମଧ୍ୟ କବି ମାନବଚରିତ୍ର ଚିତ୍ରଣ, ପ୍ରକୃତିରୂପାୟନ, ବର୍ଣ୍ଣିତ ପ୍ରସଙ୍ଗରେ କଳ୍ପନାର ବୈଚିତ୍ର୍ୟ, ସର୍ବୋପରି ଉପମା ଓ ଉତ୍‍ପେକ୍ଷା ପ୍ରଭୃତି ଅଳଙ୍କାରର ମନୋଜ୍ଞ ପ୍ରୟୋଗରେ ସ୍ଵକୀୟ ପ୍ରତିଭାର ସ୍ଵାକ୍ଷର ଦେଇଯାଇଅଛନ୍ତି । ଏ ସମ୍ପର୍କରେ ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ମତ ଉଦ୍ଧାର କଲେ ଅସମୀଚୀନ ହେବ ନାହିଁ । ଡକ୍ଟର ମହାନ୍ତି କହନ୍ତି, “ଉଷାଭିଳାଷ ଭଞ୍ଜକବିଙ୍କର ଅସପତ୍ନ ପ୍ରତିଷ୍ଠାମୂଳରେ ସାମାନ୍ୟ ଆଘାତ ଦେବ । ଉତ୍କଳର ସାହିତ୍ୟ ସାଧନାର ନିରବଚ୍ଛିନ୍ନ ଧାରା ମଧ୍ୟରେ ଉଷାଭିଳାଷ ମାଧ୍ୟମିକ ସ୍ଫୁରଣ । ଏଇ ମାଧ୍ୟମିକ ସାଧନାର ଭୂୟୋବିକାଶରେ ଭଞ୍ଜଙ୍କର କବିପ୍ରତିଭା ପରବର୍ତ୍ତୀ କାଳରେ ଫୁଟି ଉଠିଥିଲା । (୭) ଉଷାଭିଳାଷ କିପରି ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀର କବି (ଉପେନ୍ଦ୍ର)ମାନଙ୍କ ଉପରେ ପ୍ରଭାବ ବିସ୍ତାର କରିଥିଲା, ପରେ ତା’ର ସୂଚନା ଦିଆଯିବ । ଏ କ୍ଷେତ୍ରରେ ଅର୍ଜୁନ ଦାସଙ୍କ ରାମବିଭା ଅପେକ୍ଷା ଉତ୍କଳରେ କାବ୍ୟକଳାର ବିକାଶର ନିଦର୍ଶନରୂପ ଉଷାଭିଳାଷରୁ କେତୋଟି ପଦ ଉଦ୍ଧାର କଲେ ଅବାନ୍ତର ହେବ ନାହିଁ ।

 

କାବ୍ୟନାୟିକା ଉଷାର ରୂପବର୍ଣ୍ଣନାରେ କବି କିପରି ଉପମା ଓ ଉତପେକ୍ଷାର ମନୋଜ୍ଞ ସମାବେଶ କରିଛନ୍ତି, ଦେଖନ୍ତୁ-

 

“ଯବାଜନ ପନ ଚୂତ ଚନ୍ଦନ ସମୀର

ପୁରୁଷ ହୃଦୟ ଚନ୍ଦ୍ରମଣି ନିଶାକର ।

ଶରଦ ସମ୍ପୂର୍ଣ୍ଣ ଅଳଙ୍କ ହରିଣାଙ୍କ

ଲପଣ ଲାବଣ୍ୟ ଲକ୍ଷ୍ମୀ ଚାହିଁଣ ଆତଙ୍କ ।

X XX X

ସୁସଞ୍ଚ ନାସିକାପୁଟେ ଲୁଳେ ଗଜମୋତି

ସୁଧାବିନ୍ଦୁ ଘେନି କି ପୌର୍ଣ୍ଣମୀ ନିଶାପତି ?

X XX X

କୁଟିଳ କୁନ୍ତଳ କି କୋମଳ ଭୃଙ୍ଗରାଜି

କାମରଥ ଧ୍ୱଜେ ନୀଳ ପତାକା ବିରାଜି ।

ଯୁବାଜନ-ମନ-ବନ୍ଦୀ-ମନ୍ଦିର କବରୀ

ସେନେହ ଶଶାଙ୍କ ପାଶେ ଯେସନେ ଶର୍ବରୀ

ମଧ୍ୟେ ଶୋହେ ନୀଳଘନ-କୁଟିଳ ଅଳକା

ମଦନ-ମୁକୁରେ ଚାରୁ ମରକତ-ରେଖା (ଦ୍ୱିତୀୟଛାନ୍ଦ)

 

କିନ୍ତୁ ଟିକିଏ ଗଭୀରଭାବରେ ଉଷାଭିଳାଷର ବିଭିନ୍ନ ଛାନ୍ଦଗୁଡ଼ିକୁ ବିଚାର କଲେ ଜଣାଯିବ ଯେ କାବ୍ୟର ଶୈଳୀରେ ଆଳଙ୍କାରିକତାର ସଙ୍କେତ ମିଳୁଥିଲେ ମଧ୍ୟ ବର୍ଣ୍ଣନାଭଙ୍ଗୀରେ ସେଇ ସାରଳାଙ୍କର ପୁରାଣସୁଲଭ ସାବଲୀଳତା ତଥା ସ୍ଵାଚ୍ଛଦ୍ୟ ରହିଛି ।

 

ଉଷାଭିଳାଷ ପରେ ପରେ ପୂର୍ବୋକ୍ତ ଚନ୍ଦ୍ରାବତୀ ବିଳାସ, ରହସ୍ୟମଞ୍ଜରୀ ପ୍ରଭୃତି କାବ୍ୟମାନଙ୍କ ଉପରେ ଉଷାଭିଳାଷ ଓ ରାମବିଭାର ପ୍ରଭାବ ପଡ଼ିବା ସ୍ଵାଭାବିକ ।

 

(୫)

ଦେବଦୁର୍ଲଭ ଦାସଙ୍କ ରହସ୍ୟମଞ୍ଜରୀ, ଦୀନକୃଷ୍ଣଙ୍କ ରସକଲ୍ଲୋଳ ଦ୍ରଷ୍ଟବ୍ୟ ।

(୬)

ଉଷାଭିଳାଷର ରଚନାକାଳ ପ୍ରାୟ ୧୫୫୫-ପ୍ରାଚୀ ପ୍ରକାଶନୀ।

(୭)

ପ୍ରାଚୀ ସମିତି ପକାଶିତ ଉଷାଭିଳାଷର ମୁଖବନ୍ଧ ଦ୍ରଷ୍ଟବ୍ୟ ।

 

ଏ କ୍ଷେତ୍ରରେ ପ୍ରଶ୍ନ ଉଠିପାରେ ସାରଳା ଓ ପଞ୍ଚସଖା - ଯୁଗରେ ପୁରାଣ, ଧର୍ମ, ସଂହିତା, ଗୀତା ପ୍ରଭୃତିର ପ୍ରାଚୁର୍ଯ୍ୟ ଯେତେବେଳେ ପରିଲକ୍ଷିତ ହେଉଛି, କାବ୍ୟ-ସାହିତ୍ୟର ଏ ସଙ୍କେତ ମିଳୁଛି କିପରି ? ଉଷାଭିଳାଷରେ ଆଳଙ୍କାରିକ କୃତିତ୍ୱର ପ୍ରାଥମିକ ନିଦର୍ଶନ ଦେଖାଯାଉଚି କିପରି-? ତା’ର ଉତ୍ତରରେ କେବଳ ଏତିକି ମାତ୍ର କୁହାଯାଇପାରେ ସେ ଉତ୍କଳର ଜନିତା ଓ ତା’ର ନେତା ଓଡ଼ିଆ ସାହିତ୍ୟର ବିକାଶ ଚାହିଁଛନ୍ତି ସିନା; କିନ୍ତୁ ସଂସ୍କୃତ ଭାଷାରେ ଲିଖିତ ସାହିତ୍ୟ ଅଳଙ୍କାର, ସଙ୍ଗୀତ, ଶାସ୍ତ୍ର ପ୍ରଭୃତିର ପାଠ, ଆବୃତ୍ତି ତଥା ଆଲୋଚନା ପ୍ରତି ଅଶ୍ରଦ୍ଧା ପ୍ରକାଶ କରି ନାହାନ୍ତି । କବି ଓ ସାଧକ ସେମାନଙ୍କ କୃତିରେ ଯେତେ ସ୍ଵକୀୟତାର ସ୍ୱାକ୍ଷର ଦେଲେ ମଧ୍ୟ ତା’ର ଭିତ୍ତି ହେଉଛି ଏଇ ସଂସ୍କୃତ ଶାସ୍ତ୍ର ତଥା ପୁରାଣ । ଏହାଦ୍ଵାରା ସଂସ୍କୃତ ସାହିତ୍ୟର ଦ୍ଵାର ପରବର୍ତ୍ତୀ ପାଠକ, କବି ଓ ଲେଖକମାନଙ୍କ ପାଇଁ ଉନ୍ମୁକ୍ତ ହୋଇଯାଇଛି, ଶିକ୍ଷା ଓ ସାକ୍ଷରତାର କ୍ରମଶଃ ପ୍ରସାର ଘଟିଛି, ସଂସ୍କୃତ କାବ୍ୟ, ଅହଙ୍କାର ଓ ଦର୍ଶନ ପ୍ରଭୃତିର ଆଲୋଚନା ପାଇଁ କ୍ଷେତ୍ର ପ୍ରସ୍ତୁତି ହୋଇଯାଇଛି । ଫଳରେ ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀ ଅପେକ୍ଷା ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀରେ ଏଇ ସଂସ୍କୃତ ଭାଷାରେ ଲିଖିତ କାବ୍ୟ, ଅହଙ୍କାର, କୋଷକାବ୍ୟ, ପୁରାଣ, କାମସୂତ୍ର, ଧର୍ମ ଓ ଜ୍ୟୋତିଃଶାସ୍ତ୍ର ପ୍ରଭୃତିର ଅଧିକ ଆଲୋଚନା ଲକ୍ଷ୍ୟ କରୁଁ ।

 

ଓଡ଼ିଶାରେ ପ୍ରାଚୀନ କାଳରୁ ସଂସ୍କୃତ ସାହିତ୍ୟ, ଅଳଙ୍କାର ଓ ସଙ୍ଗୀତ ଆଲୋଚନା ତଥା ରଚନାର ପରମ୍ପରା ଗଡ଼ି ଆସିଛି ବିଭିନ୍ନ ରାଜାମାନଙ୍କର ପୃଷ୍ଠପୋଷକତାରେ । ଏହାର ପ୍ରମାଣସ୍ୱରୂପ ଓଡ଼ିଶାର ବହୁ କବି କାଳିଦାସ, ଭାରବୀ, ମାଘ ଓ ଶ୍ରୀହର୍ଷଙ୍କ ଆଦର୍ଶରେ ସଂସ୍କୃତଭାଷାରେ କାବ୍ୟ, ନାଟକ ଏବଂ ଭାମହ, ଦଣ୍ଡୀ, ବାମନ, ଆନନ୍ଦବର୍ଦ୍ଧନ, ଭୋଜରାଜ ପ୍ରଭୃତି ଆଳଙ୍କାରିକମାନଙ୍କ ଆଦର୍ଶରେ ଅଳଙ୍କାର ଗ୍ରନ୍ଥ ପ୍ରଣୟନ କରିଯାଇଛନ୍ତି । ନବମ ଶତାବ୍ଦୀରେ ମୁରାରିଙ୍କର ଅନର୍ଘରାଘବ (ନାଟକ), ଦ୍ଵାଦଶ ଶତକରେ ଜୟଦେବ ଗୋସ୍ୱାମୀଙ୍କର ଶ୍ରୀଗୀତଗୋବିନ୍ଦ, ପୀୟୁଷଲହରୀ; ତ୍ରୟୋଦଶ ଶତାବ୍ଦୀରେ ବିଦ୍ୟାଧରଙ୍କର ଏକାବଳୀ, ବିଶ୍ଵନାଥ କବିରାଜଙ୍କର ସାହିତ୍ୟଦର୍ପଣ, ପଞ୍ଚଦଶ ଶତାବ୍ଦୀରେ ପୁରୁଷୋତ୍ତମ ଦେବଙ୍କର ଅଭିନବ ବେଣୀ ସଂହରଣମ୍ (ନାଟକ), ଅଭିନବ ଗୀତଗୋବିନ୍ଦ ମୁକ୍ତିଚିନ୍ତାମଣି, ଦୁର୍ଗୋତ୍ସବ, ବିଷ୍ଣୁଭକ୍ତିକଳାଦ୍ରୁମ; ଷୋଡ଼ଶ ଶତାବ୍ଦୀରେ କବି ଡିଣ୍ଡିମଙ୍କର ଭକ୍ତିବୈଭବ, ଭକ୍ତି ଭାଗବତ; ରାୟରାମାନନ୍ଦଙ୍କର ଜଗନ୍ନାଥବଲ୍ଲଭ ନାଟକ; ଅତିବଡ଼ୀ ଜଗନ୍ନାଥ ଦାସଙ୍କର କୃଷ୍ଣଭକ୍ତି କଳ୍ପଲତା, ନୀଳାଦ୍ରି ଶତକମ୍ ପ୍ରଭୃତି ବହୁ ରଚନା ତା’ର ଜ୍ଵଳନ୍ତ ସାକ୍ଷ୍ୟ ବହନ କରିଛି । ଉତ୍କଳରେ ଏହି ସଂସ୍କୃତ ସାହିତ୍ୟ ତଥା ଅଳଙ୍କାର ସୃଷ୍ଟିର ପରମ୍ପରା ଏବଂ ଧର୍ମପୀଠ ଓ ରାଜଦରବାରମାନଙ୍କରେ ପ୍ରସିଦ୍ଧ ସଂସ୍କୃତକବି ପଣ୍ଡିତମାନଙ୍କର କାବ୍ୟ, ନାଟକ ତଥା ଅଳଙ୍କାରର ଆଲୋଚନା ଉତ୍କଳର ଦେଶୀୟ କାବ୍ୟ ସାହିତ୍ୟର ବିକାଶ ଦିଗରେ ଯେ ଯଥେଷ୍ଟ ପ୍ରେରଣା ଯୋଗାଇଛି, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ-

 

ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀରେ ଓଡ଼ିଆ କାବ୍ୟ ସାହିତ୍ୟର ବିକାଶ ପୂର୍ବ ଆଲୋଚିତ କେତେକ କାରଣରୁ ସେପରି ହୋଇ ନ ପାରିଥିଲେ ମଧ୍ୟ ତା’ ପାଇଁ ଯେ ଆଦର୍ଶ ନ ଥିଲା, କହିଲେ ଠିକ୍ ହେବ ନାହିଁ । ତା’ ନ ହୋଇଥିଲେ ପୁରାଣ ଓ ଧର୍ମ ସାହିତ୍ୟର ପ୍ରାଚୁର୍ଯ୍ୟ ସଙ୍ଗେ ସଙ୍ଗେ କାବ୍ୟର ସଙ୍କେତ ଓ ବିକାଶର ଆଲୋକ ଦେଖାଯାଇ ନଥାନ୍ତା । ‘ରାମବିଭା’ ପରେ ପରେ ‘ଉଷାଭିଳାଷ’ର ଶୈଳୀରେ ତ ଆମେ ଆଳଙ୍କାରିକ ଆଦର୍ଶର ସୂଚନା ଦେଖିବାକୁ ପାଉଁ । ପୁଣିକାବ୍ୟରେ ରସାନୁରୂପ ବିଭିନ୍ନ ଛନ୍ଦ, ରାଗରାଗିଣୀର ବ୍ୟବହାରର ଯେଉଁ ସଙ୍କେତ ପୂର୍ବୋକ୍ତ ଦୁଇଟି ଓ ଅନ୍ୟ କାବ୍ୟରେ ଦେଖାଯାଏ ତା’ର ଆଦର୍ଶ ପୂର୍ବରୁ ମଧ୍ୟ ରହି ଯାଇଛି । ସାରଳା ଦାସଙ୍କ ପୂର୍ବରୁ ବତ୍ସା ଦାସ କଳସା ଚଉତିଶା ଲେଖିଥିଲେ । ତେଣୁ କଳସାଚଉତିଶାବାଣୀ, ଚୋଖୀ,ଦାମୋଦର ଦାସଙ୍କର ରସକୁଲ୍ୟା ଚଉତିଶାର ‘ରସକୁଲ୍ୟାବାଣୀ', ଉତ୍କଳର ସଙ୍ଗୀତ, ଲୋକଗୀତି, କୋଇଲିର ଛନ୍ଦ ତଥା ବାଣୀ କାବ୍ୟ ସାହିତ୍ୟରେ ଛନ୍ଦର ବୈଚିତ୍ର୍ୟ ଆନୟନ କରିଛି ବୋଲି କହିଲେ ବୋଧହୁଏ ଅସମୀଚୀନ ହେବ ନାହିଁ ।

 

ସ୍ଥୂଳତଃ ପ୍ରାଥମିକ ଓଡ଼ିଆ କାବ୍ୟ ସାହିତ୍ୟର ସ୍ଵତଃ ବିକାଶର ଧାରା ସମ୍ପର୍କରେ ଯଦି ଆଲୋଚନା କରିବା, ତା’ହେଲେ ଦେଖିବା ପୁରାଣରୁ (ରାମାୟଣ, ମହାଭାରତ, ଭାଗବତ, ହରିବଂଶ) କଥାବସ୍ତୁ, ରସ ଓ ଶୈଳୀ, ସଂସ୍କୃତ ସାହିତ୍ୟ ଓ ଅହଙ୍କାର ଶାସ୍ତ୍ରରୁ କାବ୍ୟର ଅନୁଶାସନ, କଳ୍ପନାର ଚମତ୍କାରିତା ଓ ଆଳଙ୍କାରିକତା, ଓଡ଼ିଆ ଲୋକଗୀତି, କୋଇଲି, ଚଉତିଶା ପ୍ରଭୃତିରୁ ଆବେଗ, ଅନୁଭୂତି ଓ ଛନ୍ଦ ଆଣି ଓଡ଼ିଆ କାବ୍ୟ ଆତ୍ମପ୍ରକାଶ କରିଛି ।

 

ଶ୍ରୀ ଚୈତନ୍ୟଙ୍କ ଉତ୍କଳ ଆଗମନ ଓ ପଞ୍ଚସଖାଙ୍କ ସହିତ ତାଙ୍କର ସଖ୍ୟ ଉତ୍କଳର ଧର୍ମ, ଇତିହାସ ଓ ସାହିତ୍ୟ ପକ୍ଷରେ ଯେ ଏକ ଘଟଣାପୂର୍ଣ୍ଣ ସମୟ, ଏହାର ସଙ୍କେତ ପର୍ବରୁ ଦିଆଯାଇଛି-। ଚୈତନ୍ୟଙ୍କର ପ୍ରେମଧର୍ମ (ଗୌଡ଼ୀୟ ମତ) ଏବଂ ପଞ୍ଚସଖାଙ୍କର ଓଡ଼ିଶୀ ବୈଷ୍ଣବ ମତର ପ୍ରଚାର ଫଳରେ ଦୁଇଟି ମତବାଦର ସ୍ରୋତ ଉତ୍କଳରେ ପ୍ରବାହିତ ହେଲା ଯଥା- ଗୌଡ଼ୀୟ ବୈଷ୍ଣବ ମତ, ଉତ୍କଳୀୟ ବୈଷ୍ଣବ ମତ । ଗୌଡ଼ୀୟ ମତ ତା’ର ଶୁଦ୍ଧାଭକ୍ତି ବା ଅପ୍ରାକୃତ ପ୍ରେମଭିତ୍ତିରେ ଅଗ୍ରସର ହେଲା; ଓଡ଼ିଶୀ ବୈଷ୍ଣବମତ ଜଗନ୍ନାଥ ଧର୍ମର ଭିତ୍ତିରେ ଏକ ସମନ୍ଵୟ ପନ୍ଥା ଧରି ତା’ର ଗତିପଥରେ ଅଗ୍ରସର ହେଲା । ଏଣେ ମହାଭାରତ, ରାମାୟଣ, ଭାଗବତ ପ୍ରଭୃତି ରଚିତ ହୋଇ ସାରିଥିଲା । ଏଇ ଦୁଇ ମତବାଦକୁ କେନ୍ଦ୍ରକରି ପରବର୍ତ୍ତୀକାଳରେ ବହୁକାବ୍ୟ, ପୁରାଣ ଓ ତତ୍ତ୍ଵମୂଳକ ଗ୍ରନ୍ଥ ରଚିତ ହୋଇଯାଇଛି । ଗୌଡ଼ୀୟ ବୈଷ୍ଣବମତ-ସମ୍ବଳିତ ଭକ୍ତି ତଥା ରସ ସାହିତ୍ୟ ଓଡ଼ିଆ କାବ୍ୟ ସାହିତ୍ୟକୁ କମ୍ ପ୍ରଭାବିତ କରି ନାହିଁ; ପୁଣି ପ୍ରସିଦ୍ଧ ସଂସ୍କୃତ କାବ୍ୟ, ଅଳଙ୍କାର, ସ୍ମୃତି, ଦର୍ଶନ, ପୁରାଣ ତଥା କୋଷକାବ୍ୟର ପ୍ରଭାବିତ ବିଚାର୍ଯ୍ୟ । ଗୌଡ଼ୀୟ ତଥା ଓଡ଼ିଶୀ ବୈଷ୍ଣବ ମତ ନିର୍ବିଶେଷରେ ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀର କାବ୍ୟ, ଚଉତିଶା ଓ କୋଇଲିରେ ଆମେ ମୁଖ୍ୟତଃ ରାମସୀତା, ଗୋପୀ କୃଷ୍ଣଙ୍କୁ ଦେଖିବାକୁ ପାଉଁ । ଏଇ ରାମସୀତା (୮) ମୁଖ୍ୟତଃ କୃଷ୍ଣ ଓ ଗୋପୀଙ୍କର ନାନା ରସସମ୍ଭାର ପୂର୍ଣ୍ଣ ପ୍ରେମଲୀଳା ଏବଂ ସଂସ୍କୃତ କାବ୍ୟ ତଥା ଅଳଙ୍କାର ଶାସ୍ତ୍ରର ଶୃଙ୍ଗାରପ୍ରାଧାନ୍ୟ ରୀତି, ଗୁଣ, ବୃତ୍ତି ଓ ଅଳଙ୍କାରଗତ ଜଟିଳତା ତଥା କୃତ୍ରିମତା ସପ୍ତଦଶ ଓ ଅଷ୍ଟାଦଶ ଶତକର କାବ୍ୟ ସାହିତ୍ୟକୁ ପ୍ରଭାବିତ କରି କିପରି ନାନାବିଧ ପୌରାଣିକ ଓ କାଳ୍ପନିକ କାବ୍ୟର ଭୂମିକା ସୃଷ୍ଟି କରିଛି, ସେଗୁଡ଼ିକ ପରେ ଆମର ବିଚାର୍ଯ୍ୟ ।

 

ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀର ମୁଖ୍ୟତଃ ଯେଉଁ କାବ୍ୟ ଦୁଇଟିର କଥା ବିଚାର କରିଥୁଲୁଁ ସପ୍ତଦଶ ଶତାବ୍ଦୀର କାବ୍ୟ ସାହିତ୍ୟ ଉପରେ ଦୁଇଟିର ପ୍ରଭାବ କିଛି କମ୍ ନୁହେଁ । ଶିକ୍ଷା ଓ ଆଲୋଚନାର ପ୍ରସାର ସଙ୍ଗେ ସଙ୍ଗେ ସଂସ୍କୃତ କାବ୍ୟ ପୁରାଣର ଆଲୋଚନା ମଧ୍ୟ ବଢ଼ିଚାଲିଲା ! ଓଡ଼ିଆ କାବ୍ୟ ସହିତ ପୋଇ, ଚଉତିଶା, ପଦୀ ପ୍ରଭୃତି ଲେଖା ଚାଲିଲା । ରାଜବଂଶଗୁଡ଼ିକ ମଧ୍ୟ ସେହିପରି କବି ପଣ୍ଡିତମାନଙ୍କର ପୃଷ୍ଠପୋଷକତା କରି କାବ୍ୟ-ସାହିତ୍ୟର ବିକାଶଦିଗରେ ଅନୁକୂଳ ପରିବେଶ ସୃଷ୍ଟି କଲେ । ଫଳରେ ବହୁ ପଣ୍ଡିତ-କବି ଓ ରାଜବଂଶୀୟ କବିମାନଙ୍କର ଆବିର୍ଭାବ ହେଲା । ପ୍ରାଚୀନ ପ୍ରସିଦ୍ଧ ସଂସ୍କୃତ କାବ୍ୟ ଓ ଅଳଙ୍କାର ଶାସ୍ତ୍ରର ବହୁଳ ଚର୍ଚ୍ଚା ଫଳରେ କାବ୍ୟ ପୂର୍ବର ଶୈଳୀଗତ ସ୍ଵାଭାବିକତା ଛାଡ଼ି କ୍ରମଶଃ ରୀତି ଓ ଅଳଙ୍କାରଗତ କୃତ୍ରିମତା ଆଡ଼କୁ ଅଗ୍ରସର ହେଲା-। ଫଳରେ ପୂର୍ବ ଦୁଇଟି ଶତାବ୍ଦୀରେ କାବ୍ୟର ଯେଉଁ ସ୍ଵଚ୍ଛତା ଥିଲା, ଅନୁକୂଳ ପରିବେଶରେ କ୍ରମଶଃ ତା’ର ପ୍ରାଚୁର୍ଯ୍ୟ ଦେଖାଗଲା; ପୁଣି ପୌରାଣିକ କାବ୍ୟ ସହ ବୁହ ଶୃଙ୍ଗାର-ପ୍ରଧାନ କାଳ୍ପନିକ, କିମ୍ବଦନ୍ତୀମୂଳକ କାବ୍ୟ ରଚିତ ହେଲା । ଷୋଡ଼ଶ ଶତାବ୍ଦୀରେ ଧର୍ମର ବନ୍ୟା-ସ୍ରୋତ କ୍ରମଶଃ କ୍ଷୀଣ ହୋଇ ଆସୁଥିଲେ ମଧ୍ୟ ଓଡ଼ିଆ ସମାଜ, ସଂସ୍କୃତି ଓ ସାହିତ୍ୟର ଭିତ୍ତିରେ ସେଇପରି ନୈତିକତା ଓ ଆଧ୍ୟାତ୍ମିକତା ଥିଲା । ଏଇ ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀରେ ବହୁ ପୁରାଣ ରଚନା କରାଯାଇଛି, ମୂଳ ସଂସ୍କୃତ ପୁରାଣର ମଧ୍ୟ ଅନୁବାଦ ହୋଇଛି ।

 

(୮)

ଶୃଙ୍ଗାରୀଚେତ୍ କବିଃ - ସରସ୍ୱତୀ କଣ୍ଟାଭରଣ, ଭୋଜରାଜ ।

(୯)

ବଳରାମ ଦାସଙ୍କ ଦାଣ୍ଡୀ ରାମାୟଣରେ ଶୃଙ୍ଗାର ରସର ବିଶେଷ ବିଶ୍ଳେଷଣ ଉପେନ୍ଦ୍ର ସାହିତ୍ୟରେ ପରିପୃଷ୍ଟ ।

 

ସପ୍ତଦଶ ଶତାବ୍ଦୀରେ ଅନେକଗୁଡ଼ିଏ କାବ୍ୟ ରଚିତ ହୋଇଛି । ସେଗୁଡ଼ିକ ମଧ୍ୟରେ ନିମ୍ନୋକ୍ତ କାବ୍ୟଗୁଡ଼ିକ ଉଲ୍ଲେଖଯୋଗ୍ୟ, ଯଥା – “ପ୍ରତାପ ରାୟଙ୍କର ‘ଶଶିସେଣା’, କାର୍ତ୍ତିକଦାସଙ୍କର ‘ଋକ୍ମିଣୀବିଭା’, ରାମଚନ୍ଦ୍ର ପଟ୍ଟନାୟକଙ୍କର ‘ହାରାବତୀ’ (କଥାବସ୍ତୁ ସାମାଜିକ), ପଦ୍ମନାଭ ଶ୍ରୀଚନ୍ଦନଙ୍କ ‘ଶଶିରେଖା’, ଲୋକନାଥ ଦାସଙ୍କ ‘ଚିତ୍ରକଳା’, ‘ସର୍ବାଙ୍ଗସୁନ୍ଦରୀ’, ‘ପଦ୍ମାବତୀପରିଣୟ’, ‘ରସକଳା’, ବିଷ୍ଣୁଦାସଙ୍କର ‘ପ୍ରେମଲୋଚନା’, ବାଣପୁରରାଜା ରଘୁନାଥ ହରିଚନ୍ଦନଙ୍କର ‘ଲୀଳାବତୀ’, ଧନଞ୍ଜୟ ଭଞ୍ଜଙ୍କର ରଘୁନାଥବିଳାସ, ‘ମଦନମଞ୍ଜରୀ’, ଅନଙ୍ଗରେଖା, ଇଚ୍ଛାବତୀ, ଦୀନକୃଷ୍ଣଙ୍କର ‘ରସକଲ୍ଲୋଳ’ ‘ ତ୍ରିବିକ୍ରମଙ୍କର’ କନକଲତା ।”

 

ଏଇ ଶତାବ୍ଦୀର କାବ୍ୟମାନଙ୍କରେ ଶୃଙ୍ଗାରରସର ଆଧିକ୍ୟ, ଆଳଙ୍କାରିକ ଅନୁଶାସନଗୁଡ଼ିକର ଅନୁସୃତି ଦେଖାଦେଲେ ମଧ୍ୟ ଘୁମୁସରର ରାଜକବି ଧନଞ୍ଜୟଙ୍କ ପର୍ଯ୍ୟନ୍ତ ବର୍ଣ୍ଣନାଭଙ୍ଗୀରେ ସେଇ ପୁରାଣସୁଲଭ ସରଳତା ଓ ସାବଲୀଳତାର କ୍ଷୀଣ ଅସ୍ତିତ୍ୱ ଲକ୍ଷ୍ୟ କରୁଁ; କିନ୍ତୁ ଅଷ୍ଟାଦଶ ଶତାବ୍ଦୀରେ ଉପେନ୍ଦ୍ରଙ୍କ ବେଳକୁ କାବ୍ୟର କଥାବସ୍ତୁର ଭିତ୍ତି ପୌରାଣିକ ବା କାଳ୍ପନିକ କିମ୍ବଦନ୍ତୀମୂଳକ ହେଲେ ମଧ୍ୟ ଶୈଳୀରେ ଦେଖାଇଛି ସମ୍ପୂର୍ଣ୍ଣ ରୀତିଧର୍ମିତା ।

 

ତେବେ ଷୋଡଶଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ସପ୍ତଦଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ଓଡ଼ିଶାର ସମାଜ, ଶାସନ ଓ ରାଜନୈତିକ ସଂସ୍ଥାପିତ ଟିକିଏ ବିହଙ୍ଗଦୃଷ୍ଟି ନିକ୍ଷେପ ନ କଲେ ଏଇ ଶତାବ୍ଦୀର ସାହିତ୍ୟ ଧାରାର ବିଚାର ବୋଧହୁଏ ଅସମ୍ପୂର୍ଣ୍ଣ ବୋଧହେବ ।

 

ସୂର୍ଯ୍ୟବଂଶର ରାଜା ଗଜପତି ପ୍ରତାପରୁଦ୍ର ଦେବଙ୍କ ପରେ ଓଡ଼ିଶାର ରାଜନୈତିକ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଲା । ବହିଃ ଶତ୍ରୁମାନଙ୍କର ଆକ୍ରମଣ ଓ ଦେଶୀୟ ରାଜାମାନଙ୍କର ଅନ୍ତର୍ଦ୍ରୋହଫଳରେ ଓଡ଼ିଶାର ଭାଗ୍ୟ ତମସାଚ୍ଛନ୍ନ ହୋଇପଡ଼ିଲା । ଗୋଲକୁଣ୍ଡାର ସୁଲତାନ ଦକ୍ଷିଣ ଓଡ଼ିଶା ଆକ୍ରମଣ କଲେ ।

 

ଓଡ଼ିଶାର ଶେଷ ସ୍ୱାଧୀନରାଜା ମୁକୁନ୍ଦଦେବ ହତ୍ୟାର ବିଭୀଷିକା ମଧ୍ୟରେ ରାଜ୍ୟ ଲାଭ କରି ଶେଷରେ ଅନ୍ତର୍ଦ୍ରୋହ, ବିଶ୍ୱାସଘାତକତାର ଶିକାର ହୋଇ ପ୍ରାଣ ହରାଇଲେ । ଓଡ଼ିଶାର ସ୍ୱାଧୀନତାରବି ଚିରଦିନ ପାଇଁ ଅସ୍ତମିତ ହୋଇଗଲା । ୧୫୬୮ରେ କଳାପାହାଡ଼ ଓଡ଼ିଶା ଆକ୍ରମଣ କରି ଓଡ଼ିଶାର ଧର୍ମପୀଠମାନଙ୍କ ଉପରେ ଅତ୍ୟାଚାର କରି ଦେଇଗଲା । ବଙ୍ଗଦେଶର ଆଫଗାନ (ପଠାଣ) ଶାସନକର୍ତ୍ତା ସୁଲେମାନ୍ କରରାଣି ଓଡ଼ିଶା ଜୟ କଲେ - ସେତେବେଳେ ଓଡ଼ିଶାରେ ଶାସନ ବୋଲି କିଛି ନ ଥିଲା । ପରେ ଆଫଗାନ ଓ ମୋଗଲମାନଙ୍କ ସଂଘର୍ଷର ମୋଗଲମାନେ ଜୟଲାଭ କଲେ । ଏଇମୋଗଲ ସୁବାଦାର ଓ ସେମାନଙ୍କର ପଦଲେହନକାରୀ ହିନ୍ଦୁମାନଙ୍କ ଅତ୍ୟାଚାରରେ ଓଡ଼ିଶା ବୀଭତ୍ସତାର ତାଣ୍ଡବ ଭୂମି ହୋଇପଡ଼ିଲା । ୧୬୦୭ରେ ଓଡ଼ିଶାର ସୁବାଦାର ହାଶିମ୍ ଖାଁଙ୍କ ଶାସନ କେବଳ ଲୁଣ୍ଠନ ଛଡ଼ା କିଛି ନୁହେଁ; ପୁଣି ଲୁଣ୍ଠନକୁ କାର୍ଯ୍ୟକାରୀ କରିଥିଲେ କେଶୋଦାସ ନାମକ ଜଣେ ରାଜପୁତ୍ । ଜଗନ୍ନାଥ ମନ୍ଦିରରେ ଲୁଣ୍ଠନ ଚାଲିବା ଫଳରେ ଜଗନ୍ନାଥଙ୍କର ସେବାପୂଜା ପ୍ରତିହତ ହେବାରୁ ଖୋର୍ଦ୍ଧାର ଧର୍ମପ୍ରାଣ ରାଜା ପୁରୁଷୋତ୍ତମ କୌଣସିମତେ ମନ୍ଦିରରେ ସେବା ପୂଜା ଚାଲୁରଖିବାପାଇଁ କେଶୋଦାସଙ୍କ ସହିତ ଯେଉଁ ବୀଭତ୍ସ ସନ୍ଧିପତ୍ରରେ ସ୍ୱାକ୍ଷର କରିଥିଲେ, ସେ ଘଟଣା ପାଠ କଲେ ଯେକୌଣସି ପାଠକ ଚିତ୍ତରେ ଘୃଣା ଓ ସଂକୋଚ ଜାତହେବ । (୧୦) ୧୬୩୩ରେ ଇଂରେଜମାନେ ଓଡ଼ିଶାରେ ବାଣିଜ୍ୟ କରିବାପାଇଁ ଅନୁମତି ପାଆନ୍ତି । ନୌବାଣିଜ୍ୟ ଉପରେ ପର୍ତ୍ତୁଗୀଜ୍ ଜଳଦସ୍ୟୁମାନଙ୍କର ଆତଙ୍କ ବଢ଼ିଚାଲେ । ଓଡ଼ିଶାର ଅତ୍ୟାଚାରିତ ଜମିଦାରମାନେ ବିଦ୍ରୋହୀ ହୋଇ ଉଠନ୍ତି । ମୋଗଲ ବାଦସାହ ଆଉରଙ୍ଗଜେବଙ୍କ ସମୟରେ ଓଡ଼ିଶାରେ ଧର୍ମଗତ ବିଦ୍ୱେଷ ତୀବ୍ରତର ହୋଇଉଠିଲା । ହିନ୍ଦୁ ବିଦ୍ୟାଳୟ ଓ ଧର୍ମମନ୍ଦିରମାନ ନଷ୍ଟ କରିଦେବା ପାଇଁ ଆଉରଙ୍ଗଜେବଙ୍କର କଡ଼ା ନିର୍ଦ୍ଦେଶ ଥିଲା-। ମୋଗଲ ଶାସନ ଅମଳରେ ଅତ୍ୟଧିକ ଖଜଣା ହାରରେ ଲୋକମାନେ ଅତିଷ୍ଠ ହୋଇ ଗାଁଗଣ୍ଡା ଛାଡ଼ି ପଳାଉଥିଲେ । ବଙ୍ଗ ନାଜିମ୍ ଅଧୀନରେ ମାରବାଡ଼ି ବ୍ୟବସାୟୀ ବିଶ୍ୱାସଘାତକ ଫତେଚାନ୍ଦ ଏବଂ ସୁଜାଙ୍କ ପୁତ୍ର ମହମ୍ମଦତକକି ଓଡ଼ିଶାରେ ବହୁ ଅତ୍ୟାଚାର କରିଗଲେ । ସେତେବେଳେ ବାଲେଶ୍ୱର ମୁଦ୍ରଗାମୀ ଜାହାଜମାନଙ୍କର ଏକ ପ୍ରସିଦ୍ଧ ବନ୍ଦର ଥିଲା । ଏଇ ବାଲେଶ୍ଵର ଡଚ୍ ଓ ଫରାସୀମାନଙ୍କୁ ଆକୃଷ୍ଟ କରିଥିଲା ମୋଗଲ ରାଜତ୍ଵରେ କେବଳ ମୁର୍ଶିଦକୁଲିଙ୍କ ଜାମାତା ସୁଜାଉଦ୍ଦିନ୍‌ଙ୍କ ଶାସନ ଶାନ୍ତିପୂର୍ଣ୍ଣ ଥିଲା । ହିନ୍ଦୁ ମୁସଲମାନ ଧର୍ମର ମୈତ୍ରୀର ପ୍ରତୀକ ସ୍ଵରୂପ ସେତେବେଳେ କଟକରେ କଦମରସୁଲ ମସ୍‌ଜିଦ୍ ତିଆରି କରିଥିଲେ (୧୭୧୨ ଖ୍ରୀ.ଅ.) । ଏହାଙ୍କ ସମୟରୁ ଓଡ଼ିଶାରେ ସତ୍ୟପୀର ବା ସତ୍ୟନାରାୟଣ ପାଲା ଆରମ୍ଭହୋଇଥିଲା ବୋଲି କେହି କେହି ମତ ଦିଅନ୍ତି (୧୧) । କେବଳ ଏହି ସୁଜାଉଦ୍ଦିନଙ୍କର ଶାସନକୁ ଛାଡ଼ିଦେଲେ । ଅନ୍ୟ ମୋଗଲ ଶାସକମାନଙ୍କର ଲୁଣ୍ଠନ, ଅତ୍ୟାଚାର ଓ ଧର୍ମଦ୍ଵେଷରେ ଓଡ଼ିଶା ଛାରଖାର ହୋଇଯାଇଥିଲା । ତା’ ପରେ ପରେ ପୁଣି ମରହଟ୍ଟା ଶାସନ ଅମଳରେ ବର୍ଗୀମାନଙ୍କର ଅତ୍ୟାଚାରରେ ଓଡ଼ିଶାବାସୀ କିପରି ଅତିଷ୍ଠ, ରୁଦ୍ଧଶ୍ଵାସ ହୋଇପଡ଼ିଲେ, ତାହା ଏଠାରେ କହିବା ଅନାବଶ୍ୟକ ।

 

ପଠାଣ, ମୋଗଲମାନଙ୍କ ଶାସନରେ ଉତ୍କଳବାସୀ କିପରି ନିଜର ସ୍ୱାଧୀନତା ହରାଇ ଅତ୍ୟାଚାର ଓ ଲୁଣ୍ଠନର ଶିକାର ହୋଇଥିଲେ, ସେମାନଙ୍କର ଧନ, ଜୀବନ, ଇଜ୍ଜତ୍ ଓ ଧର୍ମ କିପରି ବିପନ୍ନ ହୋଇଥିଲା, ପୁଣି ଏ ପ୍ରତିକୂଳ ପରିସ୍ଥିତିରେ ଲୋକେ ନିଷ୍ପେଷିତ ହୋଇ କିପରି ଭାବରେ କି ଆଶା ଓ ଭରସା ଆଦର୍ଶ ନେଇ କାଳ କାଟୁଥିବେ, ତାହା ଏଇଥିରୁ ସ୍ପଷ୍ଟ ।

 

ଓଡ଼ିଆର ଦେହରେ ଆଉ ପ୍ରାଣସ୍ପନ୍ଦନ ଓ ସାହସ ନ ଥିଲା । କୌଣସିମତେ ଶାସିତର ଛାୟା ତଳେ ଆତ୍ମରକ୍ଷା କରିବା ଥିଲା ସେମାନଙ୍କର ଏକମାତ୍ର ଉପାୟ । ଏ ପରିସ୍ଥିତିରେ ଓଡ଼ିଶାର ଜାତୀୟଜୀବନ, ତା’ର ସଂସ୍କୃତି ଓ ଧର୍ମ ଯେତେବେଳେ ଏପରି ବିପନ୍ନ, ତା’ର ସାହିତ୍ୟରେ ବା ଉଚ୍ଚ ଆଦର୍ଶ ପ୍ରତିଫଳିତ ହେବ କିପରି ? ମନୁଷ୍ୟଜୀବନର ବୈଚିତ୍ର୍ୟମୟ ଦିଗଟି ବା ରୂପାୟିତ ହେବ କିପରି ? ତେଣୁ କୌଣସିମତେ ନିଜର ଧର୍ମବିଶ୍ୱାସକୁ ମୂଳକରି ଶାସିତର ଭୟର ଗୃହର ସୀମିତ ପରିବେଶ ମଧ୍ୟରେ ଆବଦ୍ଧ ହୋଇ ରହିବା ଛଡ଼ା ସେମାନଙ୍କର ଅନ୍ୟ କୌଣସି ଉପାୟ ନ ଥିଲା । ଫଳରେ କେବଳ ନାରୀ ପୁରୁଷର ବୈଚିତ୍ର୍ୟହୀନ ଜୀବନର ଅଳସ ଦିଗଟି ଅସ୍ୱାଭାବିକ ନଗ୍ନ କୃତ୍ରିମ ପ୍ରେମରେ ଆତ୍ମପ୍ରକାଶ କରିଛି; ବିଶେଷତଃ ରାଜା ବା ସାମନ୍ତଶ୍ରେଣୀର କବିମାନଙ୍କ କୃତିରେ ନାୟକ ନାୟିକାର ପ୍ରେମ, ଦାମ୍ପତ୍ୟ ଜୀବନ ଅତି କୃତ୍ରିମ । ସେଥିରେ ସାଧାରଣ ସୁଖ ପ୍ରତି ତିଳେମାତ୍ର ଆହ୍ୱାନ ନାହିଁ । ରାଜା, ସାମନ୍ତ ବା ଜମିଦାରମାନଙ୍କୁ ଆଉ ଯୁଦ୍ଧରେ ବିଭୀଷିକା ମଧ୍ୟ ଦେଇଯିବାକୁ ହୋଇ ନାହିଁ । ବିଦେଶୀ ଶାସକର ବାହୁଛାୟା ତଳେ ସେମାନେ ତନ୍ଦ୍ରାଳସ- ପଣ୍ଡିତମାନଙ୍କ ମେଳରେ କାବ୍ୟଶାସ୍ତ୍ରବିନୋଦରେ କାଳ କଟାଇବା ଛଡ଼ା ଜୀବନରେ ଅନ୍ୟ କିଛି ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ବୋଧ ହୋଇନି । ପ୍ରଜାମାନଙ୍କ ସହିତ ଏମାନଙ୍କର ପ୍ରତ୍ୟକ୍ଷ ସମ୍ପର୍କ ଶିଥିଳ ହୋଇଯିବା ଫଳରେ ପ୍ରଜାମାନଙ୍କଠାରୁ ଦୂରେଇ ଯା’ନ୍ତି ଏମାନେ । ଫଳରେ ସାଧାରଣ ସୁଖ ଦୁଃଖ-ବିମଥିତ ଧୂଳି ମଳିନ-ଜନତା ସହିତ ସେମାନଙ୍କ ଚିତ୍ତର ଯୋଗ ନାହିଁ - କାବ୍ୟରେ ବା ତା’ର ପ୍ରତିଛବି ରହିବ କିପରି ? ତେଣୁ ଏମାନଙ୍କର କାବ୍ୟର ନାୟକନାୟିକାଗଣ ରାଜଅନ୍ତଃପୁରର ବୈଚିତ୍ର୍ୟହୀନ ଜୀବନ ଓ ସଂଭୋଗବିଳାସ ହାତରେ ନିଜକୁ କ୍ରିଡ଼ାପୁତ୍ତଳିକା କରିଦେଇଛନ୍ତି । ଏମାନଙ୍କ ଦୁନିଆ ବଡ଼ ସଂକୀର୍ଣ୍ଣ, ଏମାନଙ୍କ ଜୀବନରେ ଘାତ ପ୍ରତିଘାତ ନାହିଁ - ଘାତପ୍ରତିଘାତ ସହିବେ ବା କିପରି ? ଜୂଡ଼ାର ଫୁଲ ପୃଷ୍ଠଦେଶରେ ପଡ଼ିଲେ ଯେଉଁ ନାୟିକା କଷ୍ଟ ପାଏ ନଗ୍ନ ଯୌନକ୍ଷୁଧା ଚରିତାର୍ଥ କରିବାପାଇଁ ମଧୁର ଚାନ୍ଦିନୀ ନିଶିକୁ ଅସର ହେବାକୁ ଯେଉଁ ନାୟକ ଚାହେ – ମୁହୂର୍ତ୍ତର ବିଛେଦରେ ଯେଉଁମାନଙ୍କର ଯୌନାସକ୍ତ ପ୍ରାଣ ଦୁର୍ବହ ହୋଇ ଉଠେ, ସେମାନେ ଜୀବନର କି ସମୁନ୍ନତ ଦିଗର ଆଦର୍ଶ ବାଢ଼ିବେ ?

 

(୧୦)

ଡକ୍ଟର ହରେକୃଷ୍ଣ ମହତାବଙ୍କ ‘ ଓଡ଼ିଶା ଇତିହାସ’ - ୧୯୮ ପୃଷ୍ଠାରେ ଦ୍ରଷ୍ଟବ୍ୟ ।

(୧୧)

ଡକ୍ଟର ହରେକୃଷ୍ଣ ମହତାବଙ୍କ ‘ ଓଡ଼ିଶା ଇତିହାସ’ - ୨୩୦ ପୃଷ୍ଠାରେ ଦ୍ରଷ୍ଟବ୍ୟ ।

 

କରୁଣ ରସସଂକ୍ରାନ୍ତ ଘଟଣା ବା ଦୁଃଖର ଭିତ୍ତି ନାହିଁ ରୀତିଯୁଗର କାବ୍ୟରେ । ଜୀବନରେ ସମ୍ଭୋଗ ହୋଇଛି ନାୟକନାୟିକା ଜୀବନର ଚରମ ପୁରୁଷାର୍ଥ । ତ୍ୟାଗ ଭିତ୍ତିରେ ପ୍ରେମର ଚିତ୍ର ନାହିଁ, ରହିଛି ଦୈହିକ ସମ୍ଭୋଗ ଭିତ୍ତିରେ; ତେଣୁ ତାହା ଦେହଜ ହେବା ସ୍ୱାଭାବିକ । ବିରହ ପ୍ରେମର ନିକଷ ହେଲେ ମଧ୍ୟ ରୀତିଯୁଗର କାବ୍ୟରେ ଚିତ୍ରିତ । ବିରହଟା କେବଳ ହୋଇଛି ଏକ ବିଳାସମାତ୍ର – ସମ୍ଭୋଗ ଶୃଙ୍ଗାର ହୋଇଛି ମୁଖ୍ୟ । ବିଳାସର ଭିତ୍ତିରେ ଜୀବନ ଯେଉଁଠି ପ୍ରତିଷ୍ଠିତ, ସେଠି ପ୍ରକୃତିର ନୈସର୍ଗିକ ବିଳାସ ବା କମନୀୟତା କାହିଁ ? ଫଳରେ ଜୀବନର ବ୍ୟାପ୍ତି ନାହିଁ । ସମୁନ୍ନତ ଚିନ୍ତାର ଆଦର୍ଶ ରୂପାୟନ ନାହିଁ, ଅଛି ଜୀବନର ଏକ ଆଦିମବୃତ୍ତିର ବୈଚିତ୍ର୍ୟହୀନ କୃତ୍ରିମ ପ୍ରକାଶ । ସଙ୍କୁଚିତ କୃତ୍ରିମ ପରିବେଶ ମଧ୍ୟରେ ଜୀବନରେ ସଂମ୍ଭୋଗଜନିତ କୃତ୍ରିମତାଫଳରେ ଶିଳ୍ପରୀତିରେ ଆସି ଦେଖା ଦେଇଛି କୃତ୍ରିମତା । ସୃଷ୍ଟି ଯେଉଁଠି ଅନନ୍ତ ବୈଚିତ୍ର୍ୟପରିପୂର୍ଣ୍ଣ, ସେଠି ରୀତି ଯୁଗର କାବ୍ୟରେ ଭାବର ଗୁରୁତ୍ୱ ନାହିଁ, ବୈଚିତ୍ର୍ୟ ନାହିଁ, ବୈଚିତ୍ର୍ୟ ଫୁଟିଛି କେବଳ ଶିଳ୍ପରୀତିରେ । ଫଳରେ ଧ୍ୱନି, ଅଳଙ୍କାର, ଭାଷା, ବକ୍ରୋକ୍ତି, ବର୍ଣ୍ଣନା, ଛନ୍ଦ, ରୀତି ଓ ପ୍ରବୃତ୍ତି ଉପରେ ଅଧିକ ଗୁରୁତ୍ୱ ଦିଆହୋଇଛି । ବହୁ ଅପ୍ରଚଳିତ ଆଭିଧାନିକ ଶବ୍ଦର ଯାଦୁ ପ୍ରଦର୍ଶନରେ ପାଠକ ଚିତ୍ତରେ ବିସ୍ମୟସୃଷ୍ଟିର ପ୍ରଚେଷ୍ଟା ରହିଛି ସତ; କିନ୍ତୁ ୧୫ ଶ, ୧୬ଶ, ୧୭ଶ ଶତାବ୍ଦୀର ଭାଷାର ସ୍ୱାଭାବିକତା ନାହିଁ - ଭାଷାର ଜୀବନଶକ୍ତି ତା’ର ସ୍ଵଚ୍ଛନ୍ଦ ଗତି ପ୍ରତିହତ ହୋଇ ପଡ଼ିଛି ।

 

୧୫ ଶ ଓ ୧୬ଶ ଶତାବ୍ଦୀର କାବ୍ୟରେ କଳାର ଯେଉଁ ନୈସର୍ଗିକ ପରିସ୍ଫୁର୍ତ୍ତି ଲକ୍ଷ୍ୟ କରିଥିଲୁ, ସ୍ୱାଭାବିକସୌନ୍ଦର୍ଯ୍ୟବୋଧ ଓ ଆନନ୍ଦର ଭିତ୍ତିରେ ଯେଉଁ ମଧୁମୟୀ ଆଲେଖ୍ୟ ପାଇଥିଲୁ, ୧୭ଶ ୧୮ଶ ଶତାବ୍ଦୀର କାବ୍ୟରେ ତାହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖାଦେଲା, ଠିକ୍ ଯେପରି ଘଟିଥିଲା । ସଂସ୍କୃତ କାବ୍ୟ ସାହିତ୍ୟରେ (୧୨) କାବ୍ୟର ଶୈଳୀରେ ଯେଉଁ ଲୋକପ୍ରିୟ କଳାବିତର ଯାଦୁକରୀ ସ୍ପର୍ଶ ଅନୁଭବ କରଥିଲୁ, ତାହା ସ୍ଥାନରେ ଦେଖିଲୁ ଜଣେ ଅଚିହ୍ନା ବିଦଗ୍‍ଧର କୃତ୍ରିମ ବ୍ୟକ୍ତିତ୍ଵକୁ ।

 

ସପ୍ତଦଶ ଶତାବ୍ଦୀରେ ରାଜାମାନଙ୍କର ପୃଷ୍ଠପୋଷକତାରେ କିପରି ସଂସ୍କୃତ କାବ୍ୟଶାସ୍ତ୍ର ଅଳଙ୍କାର, ବ୍ୟାକରଣ ପ୍ରଭୃତିର ଆଲୋଚନା ଚାଲୁଥିଲା, ବିଶିଷ୍ଟ ବ୍ୟକ୍ତିମାନେ ରାଜଦରବାରମାନଙ୍କରେ କବି ତଥା ପଣ୍ଡିତରୂପେ ଖ୍ୟାତି ଲାଭ କରି କବିତ୍ୱର ପରାକାଷ୍ଠା ଦେଖାଇବାର ଅନୁକୂଳ ପରିବେଶ ପାଇବା ସଙ୍ଗେ ସଙ୍ଗେ ବହୁ ରାଜକବିଙ୍କର ସୃଷ୍ଟିର କାରଣ ହୋଇଥିଲେ, ବାଣପୁରର ରାଜକବି ରଘୁନାଥ ହରିଚନ୍ଦନଙ୍କର ଲୀଳାବତୀ କାବ୍ୟରୁ ତା’ର ସୁନ୍ଦର ଦୃଷ୍ଟାନ୍ତ ନିଆଯାଇପାରେ । ରଘୁନାଥ ହରିଚନ୍ଦନ ସପ୍ତଦଶ ଶତାବ୍ଦୀର କବି । ତାଙ୍କ ସଭାକବି (ପଣ୍ଡିତ) ତଥା ଗୁରୁ ବିଷ୍ଣୁଦାସଙ୍କଠାରୁ କାବ୍ୟକବିତା ଆଲୋଚନାର ପ୍ରେରଣା ଲାଭ କରି କିପରି କାବ୍ୟରଚନାରେ ବ୍ରତୀ ହୋଇଥିଲେ ଏବଂ ସଂସ୍କୃତ ଅଳଙ୍କାରଶାସ୍ତ୍ର ଉପରେ ଆଲୋଚନା କିପରି ନିବିଡ଼ତର ହୋଇ ଆସୁଥିଲା, ‘ଲୀଳାବତୀ’ରେ ତା’ର ସୂଚନା ଦେଇ କବି ଲେଖିଛନ୍ତି । ସେ ତାଙ୍କର ଦେଶୀୟଭାଷା ଓଡ଼ିଆର କାବ୍ୟପ୍ରବନ୍ଧ ପ୍ରତି ଚିତ୍ତ ଆକୃଷ୍ଟ ହେଲା । ବହୁ କବିଙ୍କୁ ସମ୍ବର୍ଦ୍ଧନା କରି ପରୀକ୍ଷାରେ ବିଷ୍ଣୁଦାସ ନାମକ ଜଣେ କବିଙ୍କର ପ୍ରତିଭା ଓ ବହୁଳ ରଚନାରେ ଏକାନ୍ତ ମୁଗଧ ହୋଇ ତାଙ୍କୁ ନିଜର ସଭାକବି ଭାବରେ ଗୌରବ ଦେଇ ତାଙ୍କଠାରୁ କାବ୍ୟରଚନାର ପାରମ୍ପରିକ ଅନୁଶାସନ ଆଦି ଆଳାପ ଆଲୋଚନାରେ ଶିକ୍ଷା କଲେ-

 

“ତାଙ୍କଠାରୁ ମୁଁ କଲି ଶିକ୍ଷାବିଧି,

ଯେଉଁ ପ୍ରକାରେ ଗୀତ ପଦ ସିଦ୍ଧି ।

ଅଳଙ୍କାରାଦି ଗୀତ ଦୋଷ ଗୁଣ,

ପଦ ସନ୍ଦର୍ଭାଦି ଯେତେ ଲକ୍ଷଣ ।

ଯେଉଁ ପ୍ରକାରେ କଲେ ହୋଏ ଗୀତ,

ଯେଉଁ ପ୍ରକାରେ ହୁଅଇ କବିତ୍ଵ ।

ପଦ ସମାସ ବାକ୍ୟ ଅର୍ଥସିଦ୍ଧି,

ଏହି କାବ୍ୟର ଏ ଅର୍ଥ ପ୍ରସିଦ୍ଧି ।

ସାହିତ୍ୟରୁ ଏହା ପରି କଳିଲି,

ସଙ୍ଗୀତରୁ ରାଗରଙ୍ଗ ଜାଣିଲି ।

ବାଦ୍ୟ ନୃତ୍ୟ ହି କଲି ଆକଳନ,

ସ୍ୱର ପ୍ରବନ୍ଧାଦିରେ ତତ୍ତ୍ୱମନ । (୧୩)

 

ପୂର୍ବୋକ୍ତ ଉକ୍ତିରୁ ଜଣାଯାଏ (ଲୀଳାବତୀ ଉପେନ୍ଦ୍ର ଭଞ୍ଜଙ୍କର ୭୦-୮୦ ବର୍ଷ ପୂର୍ବର ରଚନା) ସେତେବେଳକୁ ଓଡ଼ିଶାର ରାଜସଭାମାନଙ୍କରେ କିପରି ସଂସ୍କୃତକାବ୍ୟ, ପୁରାଣ, ଅଳଙ୍କାର, ବ୍ୟାକରଣ, ସଙ୍ଗୀତ, ବାଦ୍ୟ, ନୃତ୍ୟର ବହୁ ଆଲୋଚନା ହେଉଥିଲା ଏବଂ ଦେଶୀୟ ଭାଷାରେ କାବ୍ୟରଚନା ଦିଗରେ ସାଧାରଣ ବ୍ୟକ୍ତିଙ୍କ ପରି ରାଜାମାନେ କିପରି ଆଗ୍ରହୀ ହୋଇଥିଲେ । ଏଥିରେ କବି ସୂଚନା ଦେଇଛନ୍ତି ଯେ ତାଙ୍କର କାବ୍ୟ ଗୁରୁ ବିଷ୍ଣୁଦାସ ବହୁ କାବ୍ୟ ଓ ଚଉତିଶା ଓଡ଼ିଆ ଭାଷାରେ ରଚନା କରିସାରିଥିଲେ । ବିଷ୍ଣୁଦାସ ପୂର୍ବରୁ ରଣପୁରରାଜା ପଦ୍ମନାଭ ନରେନ୍ଦ୍ରଙ୍କ (୧୬ଶ ଶତାବ୍ଦୀର ମଧ୍ୟଭାଗ) ପୁତ୍ର ଶ୍ରୀଚନ୍ଦନଙ୍କ ସଭାକବିରୂପେ ଥିଲାବେଳେ ‘କଳାବତୀ' ନାମକ ଏକ କାବ୍ୟରଚନା କରିସାରିଥିଲେ । ଏହାଛଡ଼ା ତାଙ୍କର ଅନ୍ୟ ଉଲ୍ଲେଖଯୋଗ୍ୟ ରଚନାଟିର ନାମ ‘ପ୍ରେମଲୋଚନା’ (ଶବ୍ଦାଡମ୍ବରପୂର୍ଣ୍ଣ ଆଳଙ୍କାରିକ ରଚନା) ।

 

(୧୨)

‘‘A natural expression of life in the early Vedic days. Sanskrit literature plumed itself into an art, an expression of joy and beauty and then for various reasons, art decayed into artificiality and died at last the inovitable death of an uncongenial, unnatural element”

Drama in Sanskrit literature

(Page II. by R.V. Jagirdar)

 

‘‘Narration too lost its simplicity and naturalness and the poetic style that was once the magician’s wand of a popular artist turned into the school-master’s rod of a pedant. The music that touched the finer chords of human hearts turned into a drone that sent to sleep some self-centred petty prince or that pampered the pundits into drowsy applause. Ibid- Page 13.

 

‘‘It would be bold indeed on our part to insist that the post epic Sanskrit Literature, blindly following the models, crashed head-long into decadence. Literature, after all, is the production of the poet and the artist.” Ibid - page 13.

 

ଦେଶୀୟ ଭାଷାରେ କାବ୍ୟରଚନାର ବାତାବରଣ ସାରଳାଯୁଗଠାରୁ କ୍ରମଶଃ ନିବିଡ଼ତର ହେଉଥିଲେ ମଧ୍ୟ ରାଜକବିଗଣ ଅନୁପ୍ରାସମଧୁର ସଂସ୍କୃତ ରଚନାର ଲୋଭ ସମ୍ବରଣ କରିପାରୁନଥିଲେ (୧୪), ବିଶେଷତଃ କାଳିଦାସଙ୍କର ଶୃଙ୍ଗାରରସାଷ୍ଟକ, ଶୃଙ୍ଗାରତିଳକ ଏବଂ ଜୟଦେବଙ୍କର ଅନୁପ୍ରାସବହୁଳ କାନ୍ତକୋମଳ ‘ଗୀତଗୋବିନ୍ଦର’ ପ୍ରଭାବ ଏଡ଼ିଯିବାର ନୁହେଁ । ନିଜେ କବି ରଘୁନାଥ ହରିଚନ୍ଦନ ତାଙ୍କର ‘ଲୀଳାବତୀ’ର ରଚନା (୪୬ ଛାନ୍ଦବିଶିଷ୍ଟ) ସହିତ ମଧ୍ୟ ସଂସ୍କୃତ କାନ୍ତକୋମଳ ଶୃଙ୍ଗାରରସାତ୍ମକ ସଙ୍ଗୀତମାନ ରଚନା କରିଯାଇଛନ୍ତି । ପଦେ ଅଧେ ଦୃଷ୍ଟାନ୍ତ ଦେଲେ ବୋଧହୁଏ ଅସମୀଚୀନ ହେବନାହିଁ –

 

“ଲୋକୟ ସଖି ବିଧରୁଦୟତି ଗଗନେ,

ଅଭିସର ସମ୍ପ୍ରତିସୁରୁଚିର ଗମନେ ।

ଧାରୟ ମଳ ମୌକ୍ତିକହାରମ,

ହର ହର ନଟବର ମଦନବିକାରମ୍ (୧୫)

 

ଏହି ଶତାବ୍ଦୀରେ ଶୁଙ୍ଗାରପ୍ରଧାନ ଓଡ଼ିଆ କାବ୍ୟ ଓ ସଂସ୍କୃତ ଭାଷାର ସଙ୍ଗୀତ ରଚନା ସହିତ ଅନୁଚିନ୍ତାମୂଳକ ପଦୀ ସାହିତ୍ୟର ପ୍ରାଚୁର୍ଯ୍ୟ ଦେଖା ଦେଇଛି । ଷୋଳପଦୀ, ଚଉପଦୀ ସହିତ ଅନେକଗୁଡ଼ିଏ ଶହେ ପଦୀଆ (ନୀଳକଣ୍ଠ ଖାଡଙ୍ଗା), ଷାଠିଏ ପଦିଆ (କବିଭାରତ), ଛପନ ପଦିଆ (କୃପାସିନ୍ଧୁ ସୁମନ୍ତ, ବ୍ରଜସୁନ୍ଦର ପଟ୍ଟନାୟକ, କବି ବାଲାଜୀ) ଗୀତ ରଚନା କରାଯାଇଛି । (୧୬)

 

ମନେହୁଏ ଓଡ଼ିଆ ସାହିତ୍ୟରେ ପୂର୍ବୋକ୍ତ ଲୋକଗୀତି, ଚଉତିଶା, ପଦୀ, ଛାନ୍ଦ ସାହିତ୍ୟର ବିବିଧ ରାଗରାଗିଣୀ ଓ କର୍ଣ୍ଣାଟକ ସଙ୍ଗୀତର ପ୍ରଭାବରେ ଓଡ଼ିଶାରେ ଓଡ଼ିଶୀସଙ୍ଗୀତ’ ନାମକ ସ୍ୱତନ୍ତ୍ର ସଂଗୀତର ପରମ୍ପରା ଗଢ଼ି ଉଠିଛି । ତାଳ, ମାନ, ଲୟ, ନୃତ୍ୟ (ବିଭିନ୍ନ ମୁଦ୍ରା ସହ) ଓ ଶୃଙ୍ଗାର ରସାତ୍ମକ ଭାବ ଏ ସଙ୍ଗୀତର ପ୍ରାଣ । ବିଶେଷତଃ ଉତ୍କଳରେ ଦେବଦାସୀ ଓ ଗୋଟିପୁଅମାନଙ୍କର ନୃତ୍ୟରେ ଏ ସଂଗୀତର ପରମ୍ପରା ଆଜି ପର୍ଯ୍ୟନ୍ତ ଗଡ଼ି ଆସିଛି । ୧୮ଶ ଶତାବ୍ଦୀରେ ଉପେନ୍ଦ୍ରଙ୍କ ସହ ୧୭ଶ ଶତାବ୍ଦୀର ବହୁ କବି ଏଇ ଶୃଙ୍ଗାରରସାତ୍ମକ ସଙ୍ଗୀତ ରଚନା କରି ଓଡ଼ିଆ ଭାଷାରେ କାବ୍ୟପରମ୍ପରା ନିରବଚ୍ଛିନ୍ନ ରଖିବା ସଙ୍ଗେ ସଙ୍ଗେ ସଂଗୀତ ପରମ୍ପରା ମଧ୍ୟ ବଜାୟ ରଖିଛନ୍ତି ।

 

(୧୩)

ରଘୁନାଥ ହରିଚନ୍ଦନ ଓ ତାଙ୍କର ସଭା କବି ବିଷ୍ଣୁଦାସ’ - ଲେଖକ, କେଦାରନାଥ ମହାପାତ୍ର, ସାହିତ୍ୟ ଏକାଡେମୀର ମୁଖପତ୍ର ‘କୋଣାର୍କ’ର ତୃତୀୟ ସଂଖ୍ୟା (ମାର୍ଚ୍ଚ ୧୯୫୯) (ପ୍ରଥମ ବର୍ଷ) ଦ୍ରଷ୍ଟବ୍ୟ ।

 

ପୂର୍ବୋକ୍ତ ପ୍ରବନ୍ଧର ଲେଖକ କେଦାରନାଥ ମହାପାତ୍ରଙ୍କ ମତରେ ବାଣପୁରର ରାଜା ରଘୁନାଥ ହରିଚନ୍ଦନ ହେଉଛନ୍ତି ୧୭ଶ ଶତାବ୍ଦୀର ପ୍ରଥମ ପାଦର କବି, ତାଙ୍କ ଗୁରୁ ବିଷ୍ଣୁ ଦାସ ୧୬ଶ ଶତାବ୍ଦୀର ଶେଷଭାଗର କବି ।

 

(୧୪)

ଘୁମୁସର ରାଜଦରବାର ମଧ୍ୟ ସେତେବେଳେ କାବ୍ୟସାହିତ୍ୟ ଚର୍ଚ୍ଛା ଦିଗରେ ପ୍ରସିଦ୍ଧି ଲାଭ କରିଥିଲା ।

 

ଶ୍ରୀଚୈତନ୍ୟଙ୍କ ଉତ୍କଳାଗମନ ଫଳରେ ରାଧା କୃଷ୍ଣଙ୍କର ମଧୁର ଲୀଳାକୁ କେନ୍ଦ୍ରକରି ଜୟଦେବଙ୍କର ଗୀତଗୋବିନ୍ଦର ପରକୀୟା ପ୍ରୀତି, ଗୌଡ଼ୀୟମାନଙ୍କ ରାଗାତ୍ମିକା ଶ୍ରଦ୍ଧାଭକ୍ତିର ଯେଉଁ ବନ୍ୟା ଉତ୍କଳରେ ପ୍ରବାହିତ ହେଲା, ତାହା ଉପେନ୍ଦ୍ରଙ୍କ ପର୍ଯ୍ୟନ୍ତ ବିଭିନ୍ନ କବି ଓ ଭକ୍ତଙ୍କ ଲେଖାକୁ ପ୍ରଭାବିତ କରିଛି । ଏ ସମ୍ପର୍କରେ ଷୋଡଶ ଶତାବ୍ଦୀର ଦୀନବନ୍ଧୁ ଦାସଙ୍କର ‘ଛାନ୍ଦ ଚାରୁପ୍ରଭା’, ‘ରାଧାକୃଷ୍ଣ ଲୀଳାମୃତ’; ରାମଚନ୍ଦ୍ର ଦେବଙ୍କର (୧୬ଶ ଶତକ) ବଂଶୀଚୋରି, ସାଲବେଗଙ୍କର ‘ଭଜନ ସଙ୍ଗୀତ', ଧରଣୀଧରଙ୍କର ଗୀତଗୋବିନ୍ଦ’ (ଅନୁବାଦ), ବୃନ୍ଦାବନଙ୍କର ‘ରସ ବାରିଧି’, କାର୍ତ୍ତିକ ଦାସଙ୍କର ନବାନୁରାଗ, ନାରାୟଣ ଦାସଙ୍କର ‘ପଞ୍ଚାମୃତସିନ୍ଧୁ', ବୃନ୍ଦାବତୀ ଦାସୀଙ୍କର ବି ପୂର୍ଣ୍ଣତମ ଚନ୍ଦୋଦୟ ପ୍ରଭୃତି ଉଲ୍ଲେଖଯୋଗ୍ୟ । ଠିକ୍ ସମକାଳରେ ପୂର୍ବୋକ୍ତ ରଚନାଗୁଡ଼ିକ ସହିତ ବୈଷ୍ଣବ ଧର୍ମର ଜ୍ଞାନଯୋଗ-ମିଶ୍ର-ଭକ୍ତିର ଭିତ୍ତିରେ ଆମେ ଦେବଦୁର୍ଲଭଙ୍କର ‘ରହସ୍ୟମଞ୍ଜରୀ’, ଦୀନକୃଷ୍ଣଙ୍କର ରସକଲ୍ଲୋଳ, ଭୂପତିଙ୍କର ପ୍ରେମପଞ୍ଚାମୃତ ପ୍ରଭୃତି ଗ୍ରନ୍ଥ ଦେଖିବାକୁ ପାଉଁ । ଲୋକନାଥ ‘ବୃନ୍ଦାବନବିହାର, ଉପେନ୍ଦ୍ର ‘କଳାକଉତୁକ’, ଛାନ୍ଦଭୂଷଣ’ ପ୍ରଭୃତି କେତୋଟି ରାଧାକୃଷ୍ଣଙ୍କର ଲୀଳାତ୍ମକ ଗ୍ରନ୍ଥ ଲେଖିଥିଲେ ମଧ୍ୟ ତାଙ୍କର ଓ ତାଙ୍କର ପୂର୍ବବର୍ତ୍ତୀ ଅଧିକାଂଶ କବିଙ୍କ କାବ୍ୟରେ ନାୟକ ନାୟିକାଙ୍କର ପ୍ରଣୟର ଭିତ୍ତି ହେଉଛି ସ୍ଵକୀୟ । ଅବଶ୍ୟ ଉପେନ୍ଦ୍ରଙ୍କ ପରେ ପରକୀୟା ତତ୍ତ୍ୱସମ୍ବଳିତ ରାଧାକୃଷ୍ଣଙ୍କର ଲୀଳାତ୍ମକ କାବ୍ୟ ଓ ପଦ୍ୟାବଳୀ ରଚନାର ପ୍ରାଚୁର୍ଯ୍ୟ ଦେଖା ଦେଇଥିଲେ ମଧ୍ୟ (ସଦାନନ୍ଦ କବି ସୂର୍ଯ୍ୟ ବ୍ରହ୍ମା, ଅଭିମନ୍ୟୁଙ୍କର କାବ୍ୟ, ବନମାଳୀ ଓ ଗୋପାଳକୃଷ୍ଣଙ୍କର ପଦ୍ୟାବଳୀ ପ୍ରଭୃତି) ଓଡ଼ିଶୀ ବୈଷ୍ଣବଧର୍ମ ଓ ଉତ୍କଳୀୟ ସଂସ୍କୃତି ଏହାକୁ ଗ୍ରହଣ କରି ନଥିଲା ।

 

କିନ୍ତୁ କାବ୍ୟକ୍ଷେତ୍ରରେ କ୍ରମଶଃ ସଂସ୍କୃତ କାବ୍ୟ ଓ ଆଳଙ୍କାରିକ ଶୈଳୀର ପ୍ରଭାବ ଦେଖାଯାଇଥିବାରୁ, କି କାଳ୍ପନିକ, କି ପୌରାଣିକ ଅଧିକାଂଶକାବ୍ୟ ଶୃଙ୍ଗାରପ୍ରଧାନ ହୋଇ ପଡ଼ୁଥିବାରୁ, ପରକୀୟା ପ୍ରୀତି ଓ ଶୁଦ୍ଧଭକ୍ତିସମ୍ବଳିତ ରାଧାକୃଷ୍ଣଙ୍କର ଲୀଳାତ୍ମକ କାବ୍ୟମାନଙ୍କରେ ଲୌକିକତାର ବହୁଳ ଚିତ୍ର ଦେଖାଯାଇଥିଲା । (୧୭) ରାମାୟଣର ପ୍ରସଙ୍ଗକୁ ଭିତ୍ତି କରି ଉପେନ୍ଦ୍ରଙ୍କ ପର୍ଯ୍ୟନ୍ତ ଯେତେଗୁଡ଼ିଏ କାବ୍ୟ ଲେଖାଯାଇଛି, ସେଗୁଡ଼ିକରେ ମଧ୍ୟ କ୍ରମଶଃ ଶୈଳୀଗତ ଓ ଚରିତ୍ର ରୂପାୟନଗତ କୃତ୍ରିମତା ଏବଂ ଶୃଙ୍ଗାରପ୍ରାଧାନ୍ୟ ଦେଖାଦେଇଛି ।

 

ଅର୍ଜୁନ ଦାସଙ୍କଠାରୁ ଉପେନ୍ଦ୍ରଙ୍କ ପର୍ଯ୍ୟନ୍ତ ଯେତେଜଣ କବି ଆବିର୍ଭୂତ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ଅର୍ଜୁନ ଦାସ, ଶିଶୁଶଙ୍କର, ପ୍ରତାପରାୟ, ଶ୍ରୀଧର ଦାସ, ବିଷ୍ଣୁ ଦାସ; ରଘୁନାଥ ହରିଚନ୍ଦନ, ଲୋକନାଥ ଦାସ, ଧନଞ୍ଜୟ ଭଞ୍ଜ, ତ୍ରିବିକ୍ରମ ଭଞ୍ଜ ଏବଂ ଶେଷରେ ଉପେନ୍ଦ୍ର ଭଞ୍ଜଙ୍କ ନାମ ଶଂସିତ ପ୍ରସଙ୍ଗର ଗୁରୁତ୍ୱ ଦୃଷ୍ଟିରୁ ବିଶେଷ ଉଲ୍ଲେଖଯୋଗ୍ୟ । ପରବର୍ତ୍ତୀ କବିମାନେ ତାଙ୍କର ପୂର୍ବବର୍ତ୍ତୀ କବିମାନଙ୍କ ଦ୍ୱାରା ଯେ ବିଶେଷଭାବରେ ପ୍ରଭାବିତ ହୋଇଛନ୍ତି, ଏଥିରେ ସନ୍ଦେହ ନାହିଁ । (୧୮) କିନ୍ତୁ ସମୟର ଅଗ୍ରଗତିକ୍ରମେ ଶିକ୍ଷା ଓ ଚର୍ଚ୍ଚାର ପରିସର ଯେତେବେଳେ ବ୍ୟାପକ ହୋଇଛି, ସେତେବେଳେ ପୂର୍ବବର୍ତ୍ତୀ କବିମାନଙ୍କ ଅପେକ୍ଷା ପରବର୍ତ୍ତୀ କବିମାନଙ୍କ କୃତିରେ ପାଣ୍ଡିତ୍ୟ, ଆଳଙ୍କାରିକତା, ଶିଳ୍ପଚାତୁରୀ, ଶୃଙ୍ଗାରପ୍ରାଧାନ୍ୟ, କଳାକୃତ୍ରିମତା ବେଶି ଫୁଟି ଉଠିଛି । ପୌରାଣିକ କାବ୍ୟ ଅପେକ୍ଷା କାଳ୍ପନିକ କାବ୍ୟର ସଂଖ୍ୟା ବୃଦ୍ଧିପାଇଛି ଅଥଚ କାବ୍ୟର ବର୍ଣ୍ଣନାଶୈଳୀରେ ପୌରାଣିକତାର ପ୍ରଭାବ ରହିଛି । ଚରିତ୍ର ଚିତ୍ରଣ, ବର୍ଣ୍ଣନା, ପ୍ରକୃତିଚିତ୍ର, ରସପରିବେଷଣ ଓ ପ୍ରେମର ଚିତ୍ର ସ୍ୱାଭାବିକତା ଛାଡ଼ି କୃତିମତା ଆଡକୁ ଅଗ୍ରସର ହୋଇଛି । ପ୍ରେମର କଳାପୂର୍ଣ୍ଣ ସ୍ଥଳ ପରିକଳ୍ପନା ଓ ଆଳଙ୍କାରିକତା ଉପେନ୍ଦ୍ରଙ୍କ ହାତରେ ଚୂଡାନ୍ତ ସ୍ପର୍ଶ ପାଇବା ପର୍ଯ୍ୟନ୍ତ କିପରି କ୍ରମବିକାଶ ପଥରେ ଗତି କରିଛି, ଶ୍ରୀଧର ଦାସ, ବିଷ୍ଣୁ ଦାସ, ରଘୁନାଥ ହରିଚନ୍ଦନ, ଲୋକନାଥଧନଞ୍ଜୟ, ଦୀନକୃଷ୍ଣ ଓ ତ୍ରିବିକ୍ରମଙ୍କର କାବ୍ୟଗୁଡ଼ିକ ଆଲୋଚନା କଲେ ଜଣା ପଡ଼ିବ । ଉପେନ୍ଦ୍ରକାବ୍ୟରେ ଯେଉଁ ଶବ୍ଦପାଣ୍ଡିତ୍ୟ ଓ ତା’ର ପ୍ରୟୋଗଗତ ଚାତୁର୍ଯ୍ୟ, ଆଳଙ୍କାରିକ କୃତିତ୍ୱ ତଥା କଳାଗତ କୃତ୍ରିମତା ପରିଲକ୍ଷିତ ହୁଏ, ସେଗୁଡ଼ିକର ପୂର୍ବ ସଙ୍କେତ ରହିଛି ଶ୍ରୀଧରଙ୍କର କାଞ୍ଚନଲତା, ବିଷ୍ଣୁଦାସଙ୍କର ପ୍ରେମଲୋଚନା, ରଘୁନାଥଙ୍କର ଲୀଳାବତୀ ଓ ତ୍ରିବିକ୍ରମଙ୍କର କନକଲତାରେ । ଉପେନ୍ଦ୍ରଙ୍କର ବୈଦେହୀଶବିଳାସରେ ଓ ଲାବଣ୍ୟବତୀରେ ଦାଣ୍ଡୀରାମାୟଣ, ଉଷାଭିଳାଷ, ଲୀଳାବତୀ, ରତ୍ନମଞ୍ଜରୀ ଓ ସର୍ବାଙ୍ଗସୁନ୍ଦରୀର ପ୍ରତ୍ୟକ୍ଷ ପ୍ରଭାବର ଦୃଷ୍ଟାନ୍ତ ପରିଲକ୍ଷିତ ହୁଏ (୧୯) । ନାୟକନାୟିକାଙ୍କର ପୂର୍ବଜନ୍ମବୃତ୍ତାନ୍ତ, କାବ୍ୟର କଥାବସ୍ତୁର କ୍ରମବିକାଶ ଓ ପରିଣତି, ବର୍ଣ୍ଣନା ଦିଗରୁ ଯଦି ତୁଳନା କରାଯାଏ ତାହେଲେ ଲାବଣ୍ୟବତୀ ଓ ସର୍ବାଙ୍ଗସୁନ୍ଦରୀ ମଧ୍ୟରେ ପାର୍ଥକ୍ୟ ଖୁବ୍ କମ୍ ମିଳିବ । ଏହାଛଡ଼ା ସଂସ୍କୃତ କବି କାଳିଦାସ, ଭବଭୂତି, ଭାରବି, ବାଣଭଟ୍ଟ, ଶ୍ରୀହର୍ଷ ପ୍ରଭୃତି କବିଙ୍କର ପ୍ରଭାବ ଏବଂ ଅଳଙ୍କାର ଶାସ୍ତ୍ରର ରସ, ଧ୍ୱନି, ବକ୍ରୋକ୍ତି, ଅଳଙ୍କାର ବିଚାରର ପ୍ରଭାବ ତ ରହିବା ସ୍ଵାଭାବିକ । ଉପେନ୍ଦ୍ର ପୂର୍ବବର୍ତ୍ତୀ କବିମାନଙ୍କୁ ଅନୁସରଣ କରିଥିଲେ ମଧ୍ୟ କାବ୍ୟର ସମସ୍ତ ବିଭାବରେ ଯେଉଁ ଅପୂର୍ବ ସଫଳତା (ପରମ୍ପରାଗତ କେତୋଟି ତ୍ରୁଟିକୁ ଛାଡ଼ି) ହାସଲ କରିଛନ୍ତି, ତାହା ଓଡ଼ିଆ କାବ୍ୟ ସାହିତ୍ୟରେ ଅନନ୍ୟ । ଉପେନ୍ଦ୍ରଙ୍କର ଶବ୍ଦପାଣ୍ଡିତ୍ୟ, ଛନ୍ଦ ଓ ବନ୍ଧର ବୈଚିତ୍ର୍ୟ, ବର୍ଣ୍ଣଚିତ୍ର, ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାରରେ ଅଦୃଷ୍ଟପୂର୍ବ କୃତିତ୍ଵ ଶୃଙ୍ଗାରରସର ପୁଷ୍କଳ ପରିବେଷଣ, ପ୍ରକୃତି, ପ୍ରାସାଦ, ରୂପ ଓ ନେପଥ୍ୟପରିପାଟୀର ଚମତ୍କାର ବର୍ଣ୍ଣନା, ରଚନା ଶୈଳୀରେ ବିଦଗ୍ଧସୁଲଭ ଆଭିଜାତ୍ୟ ଦେଖିଲେ । ଯେ କେହି କହିବ ଏ ସମସ୍ତ କେବଳ ଉପେନ୍ଦ୍ରଙ୍କ ଲେଖନୀରେ ସମ୍ଭବ ।

 

(୧୫)

କୋଣାର୍କର ତୃତୀୟ ସଂଖ୍ୟାରେ (୧ ମ ବର୍ଷ) କେଦାରନାଥ ମହାପାତ୍ରଙ୍କ ପ୍ରବନ୍ଧ ଦ୍ରଷ୍ଟବ୍ୟ ।

(୧୬)

‘ଓଡ଼ିଆ ପଦୀ ସାହିତ୍ୟ’ - କୋଣାର୍କ’, ତୃତୀୟ ସଂଖ୍ୟା (୧ମ ବର୍ଷ) - ବିଛନ୍ଦଚରଣ ପଟ୍ଟନାୟକ ।

 

ପଦୀ ରଚନାର ନମୁନା-

 

ସ୍ଵଭାବେ ଅଟଇ କୁନ୍ଦନ ଗୋରୀ, କୁନ୍ଦ ନୋହେ ତା’ର ଦନ୍ତକୁ ସରି ।

ମାଣିକ୍ୟ ପାନ୍ତ୍ରୀରେ ଥିଲେ ମୁକୁତା, ଯେଡ଼େ ଶୋଭାପାଏ ତେଡ଼େ ଶୋଭିତା ।

କି ସରିବ ଗୁଣ, ସହସ୍ରେ ବରଷ ଗଣିଲେ ପୁଣ ।

ହାରକୁ ତା ଗ୍ରୀବାରେ ଲମ୍ବାଇଲି, ସ୍ତନ ମଧ୍ୟରେ ପଦକ ରଖିଲି ।

ତହିଁ ମଧ୍ୟରେ ହୀରା ସାରମଣି, ନିଶାରେ ଚାହିଁଲେ ପ୍ରଦୀପମଣି ।

ଆହାରେ ରମଣି ! ସତେ କି ସେ ଶୋଭା ଦେଖିବି ପୁଣି ।

-ନୀଳକଣ୍ଠ ଖାଡଙ୍ଗା-

 

ଏହିପରି ଯଦି ଆମେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିବା, ତାହେଲେ ଦେଖିବା ଯେ ଉପେନ୍ଦ୍ରଙ୍କ ସାରସ୍ୱତ ସାଧନାର କୃତିତ୍ୱ ମୂଳରେ ରହିଛି ତିନୋଟି ଶତାବ୍ଦୀର କାବ୍ୟସାଧନାର ପ୍ରଶସ୍ତ ପୃଷ୍ଠଭୂମି । ଉପେନ୍ଦ୍ର ଏଇ ତିନୋଟି ଶତାବ୍ଦୀର ନିରବଚ୍ଛିନ୍ନ ସାଧନାର ମୂର୍ତ୍ତିମନ୍ତ ସଫଳତା ।

 

ଘୁମୁସର ରାଜଦରବାର ନିରବଚ୍ଛିନ୍ନ ସାହିତ୍ୟ ଚର୍ଚ୍ଚା; କାଳିଦାସ, ଭବିଭୂତି, ଭାରବି, ବାଣଭଟ୍ଟ ଶ୍ରୀହର୍ଷ ଓ ଭଟ୍ଟଙ୍କର ଅମର କାବ୍ୟ; ଆନନ୍ଦବର୍ଦ୍ଧନ (ଧ୍ଵନ୍ୟାଲୋକ), ଦଣ୍ଡୀ (କାବ୍ୟାଦର୍ଶ), କୁନ୍ତକ (ବକ୍ରୋକ୍ତିଜୀବିତ), ଭୋଜରାଜ (ସରସ୍ୱତୀକଣ୍ଟାଭରଣ), ବିଶ୍ଵନାଥ କବିରାଜଙ୍କର (ସାହିତ୍ୟଦର୍ପଣ) ସଂସ୍କୃତ ଅଳଙ୍କାରଶାସ୍ତ୍ର; ବାତ୍ସାୟନଙ୍କର କାମସୂତ୍ର, ଜ୍ୟୋତିଷ, ଆୟୁର୍ବେଦ, ଦର୍ଶନ, ସ୍ମୃତି, ରାଜନୀତି, କୋଷକାବ୍ୟ, ଓଡ଼ିଆ ପୁରାଣ, ଧର୍ମ ଓ କାବ୍ୟସାହିତ୍ୟର କ୍ରମ ବିକଶିତ ପରମ୍ପରା ଉପେନ୍ଦ୍ରଙ୍କ ଚିତ୍ତରେ ଯେଉଁ ଆଲୋଡ଼ନ ସୃଷ୍ଟି କଲା, ତା’ର ଋଦ୍ଧିମନ୍ତ ବହୁମୁଖୀ ପ୍ରକାଶ ଘଟିଲା । ତାଙ୍କର ଅମରକୃତିରେ ସ୍ରଷ୍ଟାର ସନ୍ଧାନୀ ଦୃଷ୍ଟି ଓ ସାଧନାର ନିରବଚ୍ଛିନ୍ନ ପରମ୍ପରାରେ ସେ ଯାହା ଆମକୁ ଦେଇଗଲେ, ସେଥିରେ ସେ ମହିମାନ୍ୱିତ । ତେଣୁ ରୀତିଯୁଗପାଇଁ ଅନ୍ୟମାନେ ଭୂମିକା ସୃଷ୍ଟି କରିଦେଇ ଗଲେ ମଧ୍ୟ ଉପେନ୍ଦ୍ରଙ୍କ ହାତରେ ତା’ର ଯେପରି ବିକଚ ବିକାଶ ଘଟିଛି, ସେ ଦୃଷ୍ଟିରୁ ତାଙ୍କୁ ରୀତିଯୁଗର ସ୍ରଷ୍ଟା କହିବାରେ ଗୌରବ ଅଛି ।

 

(୧୭)

କାହାରି କାହାର ମତରେ ଗୌଡ଼ୀୟ ମତକୁ ଓଡ଼ିଶାରେ ଅଧିକ ଲୋକପ୍ରିୟ କରିବା ପାଇଁ ଏ ପ୍ରକାର ଯୁଗୋଚିତ କୌଶଳ ଅବଲମ୍ବନ କରାଯାଇଥିଲା ।

(୧୮)

‘ରାମବିଭା’ର ବାଣୀ ନିମ୍ନୋକ୍ତ କଥାଗୁଡ଼ିକରେ ବ୍ୟବହୃତ-ଋକ୍ମିଣୀବିଭା, ଶଶିସେଣା, ପରିମଳା (ନରସିଂହ) ରତ୍ନମଞ୍ଜରୀ (ଧନଞ୍ଜୟ), ଲାବଣ୍ୟବତୀ ।

 

ଉଷାଭିଳାଷ' କାବ୍ୟର ବର୍ଣ୍ଣନା ଓ ବାଣୀର ପ୍ରଭାବ- ଋକ୍ମିଣୀବିଭା, ଶଶିରେଖା (ପଦ୍ମନାଭ ଶ୍ରୀଚନ୍ଦନ), ଲୀଳାବତୀ (ରଘୁନାଥ ହରିଚନ୍ଦନ), ଚିତ୍ରକଳା, (ଲୋକନାଥ), ରତ୍ନମଞ୍ଜରୀ ।

ଧନଞ୍ଜୟଙ୍କର ‘ରତ୍ନମଞ୍ଜରୀ’ ଉପରେ ‘କାଞ୍ଚନଲତା’ ଓ ପ୍ରେମଲୋଚନା’ର ପ୍ରଭାବ ରହିଛି ।

ଉପେନ୍ଦ୍ରଙ୍କ ଲାବଣ୍ୟବତୀ ଉପରେ ଦାଣ୍ଡୀରାମାୟଣ, ଉଷାଭିଳାଷ, ଲୀଳାବତୀ, ସର୍ବାଙ୍ଗସୁନ୍ଦରୀ ଓ ରତ୍ନମଞ୍ଜରୀର ପ୍ରଭାବ ରହିଛି ।

(୧୯)

ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତିଙ୍କର ଲାବଣ୍ୟବତୀର ମୁଖବନ୍ଧ ଦ୍ରଷ୍ଟବ୍ୟ ।

***

 

Unknown

ବୌଦ୍ଧଗାନ ଓ ଦୋହାର ଭାଷା

ଡକ୍ଟର କୁଞ୍ଜବିହାରୀ ତ୍ରିପାଠୀ

 

୧୯୦୭ ମସିହାରେ ହରପ୍ରସାଦ ଶାସ୍ତ୍ରୀଙ୍କ ଦ୍ୱାରା ନେପାଳରୁ ଆବିଷ୍କୃତ ଓ ୧୯୧୬ରେ ତାଙ୍କଦ୍ଵାରା ସମ୍ପାଦିତ ହୋଇ ‘ବୌଦ୍ଧଗାନ ଓ ଦୋହା’ ନାମକ ପୁସ୍ତକ ପ୍ରକାଶିତ ହେଲା । ଏ ପୁସ୍ତକର ଚର୍ଯ୍ୟାଚର୍ଯ୍ୟ ବିନିଶ୍ଚୟ ବା ଆଶ୍ଚର୍ଯ୍ୟ ଚର୍ଯ୍ୟାଚର୍ଯ୍ୟ ବା ଚର୍ଯାପଦ ନାମକ ଗ୍ରନ୍ଥ ଅନ୍ତର୍ଭୁକ୍ତ । ଏହି ଗ୍ରନ୍ଥରେ ଲୁଇପାଦ, କାହ୍ନୁପାଦ ଓ ଶବରପାଦ ପ୍ରଭୃତି ବଜ୍ରଯାନପନ୍ଥୀ ବୌଦ୍ଧ ସିଦ୍ଧାଚାର୍ଯ୍ୟମାନଙ୍କର ପଚାଶଟି ଗୀତି ବା ଗାନ (ମୁନିଦତ୍ତକୃତ ସଂସ୍କୃତ ବ୍ୟାଖ୍ୟା ସମେତ) ଦେଖିବାକୁ ମିଳେ । ଏହି ଚର୍ଯ୍ୟାପଦର ଭାଷାକୁ ହରପ୍ରସାଦ ଓ ସୁକୁମାର ସେନ୍ ପ୍ରଭୃତି ବଙ୍ଗୀୟ ପଣ୍ଡିତମାନେ ପ୍ରାଚୀନ ବଙ୍ଗଳା ବୋଲି ଅଭିହିତ କରିଛନ୍ତି । ଅନ୍ୟାନ୍ୟ ପଣ୍ଡିତମାନଙ୍କ ମଧ୍ୟରୁ କେତେକ ଏହାକୁ ହିନ୍ଦୀ, କେତେ ମୈଥିଳୀ, କେତେକ ଆସାମୀ ଓ ଆଉ କେତେକ ଓଡ଼ିଆ ବୋଲି ଗ୍ରହଣ କରିଛନ୍ତି । ହିନ୍ଦୀ ଭାଷାର ଲକ୍ଷଣ ସ୍ୱରୁପ ସେମାନେ କହନ୍ତି ଚର୍ଯ୍ୟାରେ ସୋଇ' (୩୨), ‘ଯୋ’...କାହ୍ନୁପାଦ ୭, ୧୦.୧୯, ୨୪. ‘ସୋ’...୭, ୧୦ ପ୍ରଭୃତି ଲକ୍ଷଣମାନ ଦେଖାଯାଏ । ଚର୍ଯ୍ୟାର ଗୋଟିଏ ସ୍ଥଳରେ ହିନ୍ଦୀରେ ପ୍ରଚଳିତ ୭ମୀ ବିଭକ୍ତିର ‘ମେ’ ପ୍ରତ୍ୟୟ ବ୍ୟବହୃତ ବୋଲି କହନ୍ତି । ଯଥା (ମେ = ଶୁନ୍ୟରେ ୧୩.୧ ତ୍ରୟୋଦଶ ଛାନ୍ଦର ପ୍ରଥମ ପାରା) । ଷଷ୍ଠୀ ବିଭକ୍ତିର ଚିହ୍ନ ‘କ’ ଓ ଅନ୍ୟାନ୍ୟ କେତେକ ଲକ୍ଷଣ ମୈଥିଳୀ ଭାଷାର ଚିହ୍ନ ମଧ୍ୟ ଏଥିରେ ଦେଖିବାକୁ ମିଳେ ।

 

ଏହି ଚର୍ଯ୍ୟାପଦର ଭାଷାକୁ ପ୍ରଧାନତଃ ମାଗଧୀ ଅପଭ୍ରଂଶ ବୋଲି ନେବା ସମୀଚୀନ ହେବ । ତେଣୁ ଏଥିରେ ଅଳ୍ପାଧିକ ପରିମାଣରେ ମାଗଧୀ ଅପଭ୍ରଂଶରୁ ବିବର୍ତ୍ତିତ ବଙ୍ଗଳା, ମାଗହୀ, ମୈଥିଳୀ, ଆସାମୀ ଓ ଓଡ଼ିଆ ଭାଷାର କେତେକ ଲକ୍ଷଣ ପରିଦୃଷ୍ଟ ହେବା ସ୍ୱାଭାବିକ । ଏହି ପଦକର୍ତ୍ତାମାନଙ୍କ ମଧ୍ୟରୁ କେତେକ ପ୍ରାଚୀନ ବଙ୍ଗଳା, ଓଡ଼ିଶା, ଆସାମ ଓ ମିଥିଳାର ହୋଇ ପାରନ୍ତି-

 

ବର୍ତ୍ତମାନ ଚର୍ଯ୍ୟାପଦର ଭାଷା ସହିତ ଓଡ଼ିଆ ଭାଷାର ସମ୍ପର୍କ ଆଲୋଚ୍ୟ ବସ୍ତୁ । ହରପ୍ରସାଦ ଶାସ୍ତ୍ରୀ ‘ବୌଦ୍ଧଗାନ ଓ ଦୋହା’ (୨ୟ ସଂସ୍କରଣ)ର ୭, ୬ ପୃଷ୍ଠାରେ (ପଦାବଳୀ ଲେଖକ) ଚଉରାଶି ଜଣ ନାଥ ବା ସିଦ୍ଧଙ୍କ ମଧ୍ୟରୁ ପଞ୍ଚସ୍ତରି ଜଣଙ୍କର ନାମ ଉଲ୍ଲେଖ କରିଛନ୍ତି । ସେମାନଙ୍କ ମଧ୍ୟରୁ ଗୋରଖନାଥ, ମୀନନାଥ, ଚଉରଙ୍ଗୀନାଥ, ଶବରନାଥ, ଜାଲନ୍ଧରଙ୍କର ନାମ ‘ଅମରକୋଷ’ ନାମକ ପ୍ରାଚୀନ ଓଡ଼ିଆ ପୋଥି (ଏହି ପୋଥିଟି ଅଧ୍ୟାପକ ବଂଶୀଧର ମହାନ୍ତିଙ୍କଠାରେ ଦ୍ରଷ୍ଟବ୍ୟ)ର ପ୍ରଥମ ପଟଳର ପ୍ରାରମ୍ଭରେ ଉଲ୍ଲେଖ ଅଛି । ମହେନ୍ଦ୍ରନାଥ (ଲୁଇଙ୍କର ଅନ୍ୟ ନାମ) ମଧ୍ୟ ଏଥିରେ ଦେଖିବାକୁ ମିଳେ । ଆଉ ମଧ୍ୟ ଲୁଇପାଦଙ୍କର ନାମ ଅଚ୍ୟୁତାନନ୍ଦଙ୍କର ଶୂନ୍ୟ ସଂହିତା ପ୍ରଭୃତି ଗ୍ରନ୍ଥରେ ଦେଖିବାକୁ ମିଳେ ।

 

ଉଦାହରଣ ସ୍ଵରୂପ -

‘‘ଲୋହିଦାସ ମଠ କରିଥାନ୍ତି ଏଠାରେ

ଲୟ କରିଥାନ୍ତି ନିରାକାର ପଦଠାରେ ।’’

ଏଠାରେ = ପ୍ରାଚୀନଦୀ କୂଳରେ

(ଶୂନ୍ୟ ସଂହିତା, ପଞ୍ଚଦଶ ଅଧାୟ ଗର୍ଗବଟୁଙ୍କ ଦ୍ୱିତୀୟ ସଂସ୍କରଣ ପୃଷ୍ଠା ୭-୯ ଦ୍ରଷ୍ଟବ୍ୟ)

 

ଶିଶୁ ଅନନ୍ତ ମଧ୍ୟ ତାଙ୍କ ଗୁପତ ଟୀକାରେ ଲୁଇପା, କାହ୍ନୁପା, ମୀନନାଥ, ଗୋରଖନାଥ, ବିରୂପପାଦ, ତନ୍ତପା ଓ ହାଡ଼ିପା ପ୍ରଭୃତି ସିଦ୍ଧାଚାର୍ଯ୍ୟଗଣଙ୍କର ନାମୋଲ୍ଲେଖ କରିଅଛନ୍ତି । ଯଥା –

 

“ମାଣ୍ଡବ ଗୌତମ ଆଦି ମୀନ

ମାହିନ୍ଦ୍ର, ଗାର୍ଗବ, ଗୋରେଖ ଜାଣ

ଶାୟନ୍ତନୁକ ସେ ଅନ୍ତ ତନ୍ତିପା

ଏ ଷୋଳସିଦ୍ଧ ସରୂପେ ଦାୟକା ।”

୪ର୍ଥ ଅଧ୍ୟାୟ ୧୫, ୧୬ ପଦ

 

ପୁନଶ୍ଚ

“କାନ୍ହୁପା, ହାଡ଼ିବା, ବିରୂପା, ଲୁଇ

ସର୍ବାଋଷି ବଶିଷ୍ଠ ଜାବାଜି କହି ।”

୪ର୍ଥ ଅଧ୍ୟା ୨୦ ପଦ

 

ଚର୍ଯ୍ୟାପଦର କେତେକ ପଦକର୍ତ୍ତା ଓ ଦୋହାକାର ଓଡ଼ିଶା ସହିତ ସଂପୃକ୍ତ ଥିବାର ହରପ୍ରସାଦ, ବୌଦ୍ଧଗାନ ଓ ଦୋହା’ର ମୁଖବନ୍ଧରେ ସ୍ୱୀକାର କରିଅଛନ୍ତି । ଯଥା – “ମୟୁରଭଞ୍ଜ ଓ ତାହାର (ଲୁଇର) ପୂଜା ହୟାଥାକେ ।” ୧୫ ପୃଷ୍ଠା

 

“ଏଇଜନ ପଦକର୍ତ୍ତାର ବାଣୀ ଉଡିଷ୍ୟା ଦେଶେ

ତାହାର ଗାନ୍‍ଟି ଓଡ଼ିଆ ଭାଷାରେ ଲିଖିତ

ତାହାତେ ଯେଖାନେ ବାଙ୍ଗାଲାୟ

କ୍ରିୟାର ଶେଷେ ‘ଲ’ ଥାକେ ।

ତାହାତେ ‘ଡ’ ଆଛେ

ଯେମନ.... ଗାହିଲ... ଗାଇଡ଼

ସେ ପଦଟିକ ଆମି ଓଡ଼ିଆ ଭାଷାର ପଦ ବୋଲିୟା

ସ୍ଥିର କରିଆଛେ” – ୧୭ ପୃଷ୍ଠା

 

କୃଷ୍ଣାଚାର୍ଯ୍ୟ :

ତେଙ୍ଗୁରେ ପନର ଜାୟଗାୟ ତାହାକେ ଭାରତବାସୀ ବଲିୟାଗିୟେଛେ କେବଳ ଏକ ଜାୟଗାୟ ଲେଖା – ତିନି ବ୍ରାହ୍ମଣ ଉଡିଷ୍ୟା ହଇତେ ଆଗତ ସେ ଆବାର ତର୍ଜମାକାର ମହାପଣ୍ଡିତ କୃଷ୍ଟ, ତିନି ଗ୍ରନ୍ଥକାର ନହେନ୍ (୨୪ ପୃଷ୍ଠା) “ଉଡିଷ୍ୟାର ରାଜା ଇନ୍ଦ୍ରଭୂତି ବ୍ରଜଯୋଗିନୀ ଉପାସନା ପ୍ରଚାର କରେନ, ତାହାର କନ୍ୟା ଲକ୍ଷ୍ମୀଙ୍କରା, ଏଇ ବିଷୟେ ତାହାକେ ବିଶେଷ ସହାୟତା କରିୟାଛିଲେନ୍ ଏବଂ ସଂସ୍କୃତେ ଅନେକ ପୁସ୍ତକ ଲିଖିୟାଛିଲେନ । ଶବରୀଶ୍ଵର ବା ଶବର ସେଇ ଦଲେରଇ ଲୋକ ଛିଲେନ୍ । (୨୯ ପୃଷ୍ଠା) ଉଡିଷ୍ୟା ନିବାସୀ ତେଲିପେର ଏକଖାନି ଦୋଁହାକୋଷ ଛିଲ । (୩୪ ପୃଷ୍ଠା)”

 

ଓଡ଼ିଆ ଭାଷାର ୨ୟା ଏକବଚନରେ ବ୍ୟବହୃତ ବିଶିଷ୍ଟ ଅନୁସର୍ଗ (Post Position) ‘କୁ’ ଓ ଷଷ୍ଠୀ ଏକବଚନର ଅନୁସର୍ଗ ର କୃଷ୍ଣାଚାର୍ଯ୍ୟ ଓ ଶବରୀପାଦଙ୍କ ଚର୍ଯ୍ୟାଗାନରେ ଯଥାକ୍ରମେ ମିଳେ । ଯଥା –

 

୧) “ଅବିଦ୍ୟା କରିକୁଁ ଦମ ଅକିଳେସେଁ’’ - ୯/୫ -

ଆଧୁନିକ ଓଡ଼ିଆରେ –

‘‘ଅବିଦ୍ୟା କରିକୁ ଦମ ଅକିଳେସେ’’

୨) ‘‘ତଇଲା ବାଡ଼ିର ପାସେଁର ଜୋହ୍ନାବାଡ଼ୀ ଉଏଲା” । ୫୦/୪

ଆଧୁନିକ ଓଡ଼ିଆରେ —

“ତଇଲା ପାସେଁର ବାଡ଼ିର ଜୋହ୍ନାବାଡ଼ୀ ଉଇଁଲା ।”

ଓଡ଼ିଆ ଭାଷାର ବିଶିଷ୍ଟ ପ୍ରୟୋଗମାନ ଯଥା ୬ଷ୍ଠୀ ବିଭକ୍ତିରେ ‘ର’ ୫ମୀ ବିଭକ୍ତିରେ ‘ରୁ’ ଓ ୨ୟା ବିଭକ୍ତିରେ ‘କୁ’ ପ୍ରଭୃତି କେତେକ ପରିମାଣରେ ଉପର୍ଯ୍ୟୁକ୍ତ ଗ୍ରନ୍ଥରେ ଦେଖବାକୁ ମିଳେ ।

ଯଥା - ୬ଷ୍ଠୀ ବିଭକ୍ତିରେ ‘ହରିଣୀ’ର – ୬/୩

୨ ୟା ବିଭକ୍ତିରେ ‘ବାହବକେ ପାରଅ’ –

ବାହିବାକୁ ପାରଇ - ୮ମ ଚର୍ଯ୍ୟ।

୫ମୀ ବିଭକ୍ତିରେ ‘କାମରୁ ଯାଆ’ –୨/୪

ତୁମୂନ୍ ଅର୍ଥକ କେ ପ୍ରତ୍ୟୟ ମଧ୍ୟ ସ୍ଥଳବିଶେଷରେ ଦେଖାଯାଏ ।

ଚର୍ଯ୍ୟାପଦର ଭାଷା ସହିତ ଓଡ଼ିଆ ଭାଷାର କିପରି ଘନିଷ୍ଠ ସମ୍ପର୍କ ତାହା ନିମ୍ନଲିଖିତ କେତୋଟି ମୌଳିକ ପଦ ଓ ତାହାର ଓଡ଼ିଆ ଅନୁବାଦରୁ ଜଣାପଡ଼ିବ ।

ଚର୍ଯ୍ୟାପଦ :      

କାଆ ତରୁବର ପଞ୍ଚବିଡାଳ

ଚଞ୍ଚଳ ଚୀଏ ପଇଠ କାଳ

ଦିଢ଼ କରିଅ ମହାସୁଅ ପରିମାଣ

ଲୁଇ ଭଣଇ ଗୁରୁ ପୁଛି ଅଜାଣ ।୧।୧-୨

ତା ଦେଖି କାହ୍ନୁ ବିମନ ହୋଇଲା ।୭।୧

ଯେଯେ ଆଇଲା ତେ ତେ ଗେଲା ।୭।୪

ନଗର ବାରିହିରେଁ ଡୋମ୍ବି ତୋହରି କୁଡ଼ିଆ

ଛୁଇଁ ଛୋଇ ଯାଇ ସେ ବ୍ରାହ୍ମନାଡ଼ିଆ            

ହାଥେରେ କାଙ୍କାଣ ମା ଲୋଉ ଦାପଣ

ଆପଣେ ଅପା ବୁଝତୁ ନିଅମଣ ।୩୨।୩

ଜଇ ତୁହେ ଲୋଅହେ ହୋଇବ

ପାରଗାମୀ ।୫ ।-୫

କହନ୍ତି ଗୁରୁ ପରମାର୍ଥିର ବାଟ

(୧୬ ପୃଷ୍ଠା ବୌ.ଗା, ଓ.ଦୋ)

 

ସାହିତ୍ୟିକ ଓଡ଼ିଆ

କାୟା ତରୁବର ପାଞ୍ଚ ବିଡାଳ,

ଚଞ୍ଚଳ ଚିତ୍ତେ ପଇଠ କାଳ ।

ଦଢ଼ କରି ମହାସୁଖ ପରିମାଣ

ଲୁଇ ଭଣଇ ଗୁରୁ ପୁଚ୍ଛି ଜାଣ ।

ତା ଦେଖି କାହ୍ନୁ ବିମନ ହୋଇଲା

ଯେ ଯେ ଅଇଲା ସେ ସେ ଗଲା ।

ନଗର ବାହରରେ ଡୋମି ତୋହରି କୁଡ଼ିଆ

ଛୁଇଁ ଛୁଇଁ ଯାଇ ସେ ବ୍ରାହ୍ମନାଡ଼ୀ ।

ହାତରେ କଙ୍କଣ ନ ନୋଉ ଦର୍ପଣ

ଆପଣେ ଆପେ ବୁଝି ତୁ ନିଜମନ ।

ଯଦି ତୁମ୍ ହେ ଲୋକହେ ହୋଇବ ପାରଗାମୀ ।

କହନ୍ତି ଗୁରୁ ପରମାର୍ଥର ବାଟ ।

 

ଚର୍ଯ୍ୟାପଦରେ କୈସନ, ରାଉତି ପ୍ରଭୃତି କେତେକ ତଦ୍‌ଭବ ଶବ୍ଦ ଓ ତଇଲା, କେରୁଆଳ ପ୍ରଭୃତି କେତେକ ଦେଶଜ ଶବ୍ଦ ବ୍ୟବହୃତ ଯାହା ଆଧୁନିକ ଓଡ଼ିଆରେ କେବଳ ଚଳୁଥିବାର ଜଣାଯାଏ । ତାଡଁକପାଦ ତାଙ୍କ ଚର୍ଯ୍ୟାରେ କେତେ ଅଶ୍ଳୀଳ ଶବ୍ଦ ବ୍ୟବହାର କରିଛନ୍ତି, ଯାହା ଆଧୁନିକ ଓଡ଼ିଆରେ କେବଳ ପ୍ରଚଳିତ । ୧୫ଶ ଚର୍ଯ୍ୟାରେ ବୁଲୁଥେଉ (ବୁଲୁଥାଉ) ଓଡ଼ିଆ ଯୌଗିକ କ୍ରିୟାର ଉଦାହରଣ ମିଳେ । ଚର୍ଯ୍ୟାଗୀତଗୁଡ଼ିକର ଭାଷା ପ୍ରାୟ ଖ୍ରୀଷ୍ଟୀୟ ୮ମ, ୯ମ ଶତାବ୍ଦୀ ହେବ । (J.B.0.R.S, 1928, P.341-347)

 

ପାଦଟୀକା :

‘ବୌଦ୍ଧଗାନ ଓ ଦୋହା’ ସମ୍ବନ୍ଧରେ ନିମ୍ନଲିଖତ ଗ୍ରନ୍ଥ ଓ ପ୍ରବନ୍ଧ ଦ୍ରଷ୍ଟବ୍ୟ :

୧)

ବୌଦ୍ଧଗାନ ଓ ଦୋହା, Ed. by H.P. Sastri, ଦ୍ୱିତୀୟ ମୁଦ୍ରଣ, ୧୯୫୧, କଲିକତା

୨)

Indian Linguistics, Vol.IX, 1946-48 (Parts 2-4) - Index Verborum of old Bengali charya songs & fragments by Sumumar Sen, Ibid. Vol X - Old Bengali texts - Charyagiti etc. Ed & trans. by S.Sen, Calcutta, 1948.

୩)

ଅପଭ୍ରଂଶ ସାହିତ୍ୟ – ଡା. ହରିବଂଶ କୋଛଡ଼, ଦିଲ୍ଲୀ, ପୃ-୩୦୦-୩୧୩

୪)

Charyagiti - Kosa Ed. by.P.C. Bagchi & Santi Bhiksu, Viswabharati, Santiniketan 1956)

୫)

ଚର୍ଯ୍ୟାପଦ – ମଣୀନ୍ଦ୍ରମୋହନ ବସୁ, ପୁନର୍ମୁଦ୍ରଣ, କଲିକତା, ୧୯୫୯

୬)

ଆଶ୍ଚର୍ଯ୍ୟଚର୍ଯ୍ୟାଚୟ Thesis approved for D. Litt degree by the Utkal University, by. Dr. K.K. Kar.

୭)

Orissa History. R. Journal Vol. VIII, No.2, Pages 135-138

୮)

Dr, S.K. Chatterjee - O.D.B.L.

 

***

 

ପଞ୍ଚସଖାଙ୍କ ଧର୍ମ ଓ ଶୂନ୍ୟ ସାହିତ୍ୟ

ଶ୍ରୀମତୀ ସରଳା ଦେବୀ

 

ଷୋଡ଼ଶ ଶତାବ୍ଦୀରେ ଉତ୍କଳଭୂମିରେ ପଞ୍ଚସଖାଙ୍କ ଆବିର୍ଭାବ ହୋଇଥିଲା । ଏହି ସଖାମାନଙ୍କର ନାମ ଅଚ୍ୟୁତାନନ୍ଦ ଦାସ, ଜଗନ୍ନାଥ ଦାସ, ବଳରାମ ଦାସ, ଯଶୋବନ୍ତ ଦାସ ଓ ଅନନ୍ତ ଦାସ । ଏମାନେ ସମସ୍ତେ ଅତିଶୟ ଭଗବତ୍‍ଭକ୍ତ କବି । ଉତ୍କଳର ତତ୍କାଳୀନ ବୈଷ୍ଣବମାନେ ଏ ସଖାଗଣଙ୍କୁ ଅତି ଆଦର ସମ୍ମାନ କରୁଥିଲେ । ବୈଷ୍ଣବମାନଙ୍କ ସହିତ ଏମାନଙ୍କର ଅତିଶୟ ବନ୍ଧୁତା ଥିଲା ଏବଂ ବୈଷ୍ଣବମାନେ ସଖାମାନଙ୍କୁ ନିଜର ଆତ୍ମୀୟ ବୋଲି ଭାବୁଥିଲେ ଏବଂ ସେହି ଦୃଷ୍ଟିରୁ ସ୍ନେହ ଭକ୍ତି କରୁଥିଲେ । ଏହି ସଖାମାନଙ୍କ ସମସାମୟିକ ଅନ୍ୟ ଜଣେ ଭକ୍ତକବି ମଧ୍ୟ ଖୁବ୍ ସମ୍ମାନିତ ହେଉଥିଲେ ଓ ଲୋକଙ୍କର ପ୍ରୀତିପାତ୍ର ହୋଇଥିଲେ । ଏହାଙ୍କ ନାମ ଚୈତନ୍ୟ ଦାସ । ପଞ୍ଚସଖାଙ୍କର ଏ ଭକ୍ତ ମଧ୍ୟ ସଖାରୂପେ ବିଦିତ ଥିବାରୁ ପଞ୍ଚସଖାଙ୍କୁ ଲୋକେ ଯେପରି ଶ୍ରଦ୍ଧା ଭକ୍ତି କରୁଥିଲେ, ଚୈତନ୍ୟ ଦାସଙ୍କୁ ମଧ୍ୟ ସେପରି କରୁଥିଲେ । ଏହି ଛଅସଖାଙ୍କ ସାହିତ୍ୟରେ ମଧୁର କୃଷ୍ଣଭକ୍ତି ଗାଥା ବିରଚିତ । ଏହିମାନଙ୍କୁ ଉତ୍କଳର ଲୋକେ ବୈଷ୍ଣବକବି ବୋଲି କହୁଥିଲେ । ବିଷ୍ଣୁ ରାମକୃଷ୍ଣଙ୍କର ମହିମା ଏମାନଙ୍କ ସାହିତ୍ୟରେ କୀର୍ତ୍ତିତ । ଏହି ଭକ୍ତକବିମାନଙ୍କ ଭିତରୁ ପରମ ଭକ୍ତ ଓ ଅଚ୍ୟୁତାନନ୍ଦ ଦାସ “ଶୂନ୍ୟସଂହିତା” ନାମକ ଅପୂର୍ବ ଗ୍ରନ୍ଥ ଲେଖି ଯାଇଛନ୍ତି । ଶ୍ରୀ ଗୌରାଙ୍ଗ ମହାପ୍ରଭୁ ପୁରୀଠାରେ ରହିଥିବା ବେଳେ ଅଚ୍ୟୁତାନନ୍ଦଙ୍କ ଆବିର୍ଭାବ ହୋଇଥିଲା । ଅଚ୍ୟୁତାନନ୍ଦ ତାଙ୍କ ଶୂନ୍ୟ ସଂହିତାରେ ତାଙ୍କର ସମସାମୟିକ ସାଧକ ଓ ଭକ୍ତକବି ବଳରାମ ଦାସ, ଜଗନ୍ନାଥ ଦାସ, ଯଶୋବନ୍ତ ଦାସ ଓ ଅନନ୍ତ ଦାସଙ୍କ କଥା ଲେଖିଛନ୍ତି (ଶୂନ୍ୟ ସଂହିତା – ୧୦ମ ଅଧାୟ) । କିନ୍ତୁ ଚୈତନ୍ୟ ଦାସଙ୍କ ପ୍ରତିଭା କଥା କେଉଁଠି ହେଲେ ଲେଖୁନାହାନ୍ତି । ଚୈତନ୍ୟ ଦାସ ନିର୍ଗୁଣ ମାହାତ୍ମ୍ୟରେ ମଧ୍ୟ କେବଳ ନିଜ କଥା ଲେଖୁଛନ୍ତି (ନିର୍ଗୁଣ ମାହାତ୍ମ୍ୟ – ୧୬ ଅଧାୟ) । ସେ ଦାସ ଶବ୍ଦର ଅର୍ଥ ଲେଖିଛନ୍ତି “ଯେ ବ୍ରହ୍ମଙ୍କୁ ଜାଣନ୍ତି ସେ ବ୍ରହ୍ମଜ୍ଞାନୀ ଓ ଦାସର ଅର୍ଥ ତାଙ୍କ ମତରେ ବ୍ରହ୍ମଜ୍ଞାନୀ” । ଶୂନ୍ୟ ସଂହିତାରେ ଲେଖା ଅଛି –

 

“ନାମ ତତ୍ତ୍ୱ ଚିହ୍ନି ଆତ୍ମତତ୍ତ୍ୱ ଜ୍ଞାନୀ ନାମ

ବ୍ରହ୍ନ ଯା’ର ଆଶ

ବ୍ରହ୍ମଦର୍ଶୀ ମୁହିଁ ଅବଶ୍ୟ ଅଟଇ

ପ୍ରଭୁଙ୍କର ସେହି ଦାସ ।”

 

ଯେ ନାମ ରହସ୍ୟ ଭେଦ କରିଛନ୍ତି ଏବଂ ଆତ୍ମ ରହସ୍ୟ ଜାଣନ୍ତି ଏବଂ ଯେ ବ୍ରହ୍ମଙ୍କ ଠାରେ ସବୁ ଆଶା ଭରସା ରଖି ନିର୍ଭର କରିଥାନ୍ତି, ଯାହାକି ନାମଦ୍ୱାରା ପ୍ରକାଶ ହୁଏ, ସେହି କେବଳ ପ୍ରଭୁଙ୍କର ବିଶ୍ୱସ୍ତ ଚାକର ବା ଦାସ ହୋଇଥାଏ । ନିର୍ଗୁଣ ମାହାତ୍ମ୍ୟରୁ ଜଣାଯାଏ ଯେ, ଚୈତନ୍ୟ ଦାସ ପଞ୍ଚସଖାଙ୍କ ସମସାମୟିକ ନ ଥିଲେ, ମାତ୍ର ସେମାନଙ୍କ ଆବିର୍ଭାବ ଓ ମାହାତ୍ମ୍ୟ ପ୍ରକାଶର ଅଳ୍ପକାଳ ପରେ ତାଙ୍କର ପ୍ରତିଭା ଓ ଯଶ ପ୍ରକଟିତ ହୋଇଥିଲା । ଏହା ନିଃସନ୍ଦେହରେ କୁହାଯାଇପାରେ ଯେ ପ୍ରତାପରୁଦ୍ର ମହାରାଜାଙ୍କ ରାଜତ୍ୱ ପୂର୍ବରୁ ଚୈତନ୍ୟ ଦାସଙ୍କ ଆବିର୍ଭାବ ହୋଇଥିଲା ଏବଂ ପ୍ରତାପରୁଦ୍ରଙ୍କ ରାଜତ୍ଵ କାଳରେ ତାଙ୍କର ପ୍ରସିଦ୍ଧି ଲୋପ ପାଇଥିଲା । ଏହା କହିବା ବାହୁଲ୍ୟ ନୁହେଁ ଯେ, ଓଡ଼ିଶା ଏହି ପଞ୍ଚସଖାଙ୍କ ପ୍ରସିଦ୍ଧି ଓ ପ୍ରତିଭା ଦ୍ଵାରା ଷୋଡ଼ଶ ଶତାବ୍ଦୀରେ ଧନ୍ୟ ହୋଇଥିଲା ଏବଂ ଓଡ଼ିଶା ଏହି ଭକ୍ତ କବିମାନଙ୍କ କର୍ମଚିନ୍ତା ଓ ପ୍ରତିଭାରେ ଗୌରବାନ୍ୱିତ ହୋଇଥିଲା ।

 

ଏହି ଷଟ୍‍ସଖାଙ୍କୁ ଉତ୍କଳରେ ମୂଳ ବୈଷ୍ଣବ କବି ଆଖ୍ୟା ଦିଆଯାଇଥିଲା । ସେମାନେ ଶ୍ରୀ ଭଗବାନଙ୍କୁ ଭକ୍ତି ଓ ପ୍ରେମରେ ପୂଜା କରିଛନ୍ତି । ସେମାନଙ୍କର ସାହିତ୍ୟ ଆମ ଉତ୍କଳର ମୂଳ ବୈଷ୍ଣବ ସାହିତ୍ୟ ଅଟେ । ଏହି ଭକ୍ତସଖାଗଣଙ୍କ ସାହିତ୍ୟରେ ଯଦିଓ ସେମାନେ ବୈଷ୍ଣବ ବିଶ୍ୱାସ ଓ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ବୈଷ୍ଣବ ଧର୍ମର ରାଗାନୁଗାଭକ୍ତି ପ୍ରୀତି ରାଧାକୃଷ୍ଣଙ୍କର ଓ ଜୀବ ପରମ କଥା ଲେଖିଛନ୍ତି, ତଥାପି କହିବାକୁ ଗଲେ ଏହା ସେମାନଙ୍କର ଜୀବନର ପ୍ରକୃତ ମୂଳ ଧର୍ମ ନ ଥିଲା-। ସେମାନେ ସମସ୍ତେ ବୌଦ୍ଧ ଧର୍ମର ମହାଯାନ ଶ୍ରେଣୀର ଭକ୍ତ ଭାବୁକ ଥିଲେ । ଉତ୍କଳରେ ବହୁ ପୁରୁଣା କାଳରୁ ବୌଦ୍ଧଧର୍ମକୁ ଲୋକେ ଭୁଲିଯାଇଥିଲେ ଓ ସେହି ଧର୍ମ ଉତ୍କଳରେ ଅନାଦୃତ ହୋଇ ବହୁ କାଳରୁ ପଡ଼ିଥିଲା । ଆମର ସଖାମାନେ ସେହି ଧର୍ମକୁ ଆଶ୍ରୟ କରିଥିଲେ – ଅନ୍ତରର ଅନ୍ତରତମ ପ୍ରଦେଶରେ ବରଣ କରିଥିଲେ । ଯଦିଓ ସେମାନଙ୍କ ସାହିତ୍ୟରେ ଶ୍ରୀକୃଷ୍ଣଙ୍କୁ ଭଗବାନ ଜ୍ଞାନରେ ସେମାନେ ପ୍ରକାଶ କରିଛନ୍ତି, ପଞ୍ଚସଖାଙ୍କ ମଧ୍ୟରେ ଶ୍ରେଷ୍ଠତମ ଶ୍ରୀ ବଳରାମ ଦାସ ତାଙ୍କ ରଚିତ ବିରାଟ ଗୀତାରେ ଅର୍ଜୁନଙ୍କ, ମୁଖରେ ଶ୍ରୀକୃଷ୍ଣଙ୍କୁ ବୁଝାଇଛନ୍ତି –

 

“ତୋହର ରୂପ ରେଖ ନାହିଁ ।

ଶୂନ୍ୟ ପୁରୁଷ ଶୂନ୍ୟ ଦେହୀ ।।

ବୋଇଲି ଶୂନ୍ୟ ତୋର ଦେହୀ ।

ଆବର ନାମ ଥିବ କାହିଁ ।।

ଶୂନ୍ୟରେ ବ୍ରହ୍ମ ସିନା ଥାଇ ।

ସେଠାରେ ନାମ ଥିବ ରହି ।।

 

ତୁମର ଦେହ ନାହିଁ, ତୁମେ ଶୂନ୍ୟରୂପୀ ଶୂନ୍ୟ ଶରୀର ଯଦିଓ ତୁମେ ଶରୀରଧାରୀ କିନ୍ତୁ ମୁଁ ତୁମକୁ ଶୂନ୍ୟରୂପୀ ବୋଲି ଜାଣିଛି । ତୁମର ବହୁନାମ କାହୁଁ ଆସିଲା ? ବିଶ୍ୱ ଶୂନ୍ୟରେ ଅବସ୍ଥିତ, ସେଠାରେ ଶୂନ୍ୟନାମ ଛଡ଼ା କିଛି ନାହିଁ । ଏହି ଶୂନ୍ୟରୁ ଯେ ନାମ ଉତ୍ପତ୍ତି ହୋଇଛି ତାହା କେବଳ ଶବ୍ଦ ବା ନାଦ। ଏହାକୁ ନାଦବ୍ରହ୍ମ ବୋଲାଯାଏ ।

 

ଉପରୋକ୍ତ ପୟାର ଗୁଡ଼ିକୁ ତଳେଇ ଦେଖିଲେ ଜଣାଯାଉଛି, ଏହା ବଳରାମ ଦାସଙ୍କର ଧର୍ମଗତ । ଏହା ଶୂନ୍ୟବାଦ ଛଡ଼ା ଆଉ କିଛି ନୁହେଁ । ଏହା ବୌଦ୍ଧଧର୍ମର ମହାଯାନୀୟ ଧର୍ମାଦର୍ଶ ପନ୍ଥା ଅଟେ । ପୁଣି ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କହୁଛନ୍ତି –

 

“ତୋର ଶୂନ୍ୟରୂପ ଶୂନ୍ୟ ଦେହ ।

କି ନାଁ ଦୈତାରି ନାମ ବ୍ୟୁହ ।।”

 

ତୋର ଶୂନ୍ୟ ରୂପ ତୋର ପୁଣି ଦୈତ ସଂହାର କରିବାରୁ ଦୈତାରି ନାମ କାହୁଁ ଆସିଲା-? ଏହାର ଉତ୍ତରରେ ଶ୍ରୀକୃଷ୍ଣ କହିଲେ –

 

“ମୋହର ଶୁନ୍ୟରେ ବିଶ୍ରାମ

ସେଠାରେ କହିଅଛି ନାମ

ମୋତେ ସନ୍ଦେହ ଲାଗିଲା

କାହିଁ ତୋ ନାମ ଜାତ ହେଲା । (ବିରାଟ ଗୀତା)”

 

ଶୂନ୍ୟରେ ମୋର ଅବସ୍ଥାନ । ମୋହର ଶରୀର ପ୍ରତୀକ ଛାଡ଼ିଲେ ମୁଁ ଶୂନ୍ୟରୂପ ଧରେ । ଶୂନ୍ୟ ମୋର ପ୍ରକୃତ ନାମ । ମୁଁ ମଧ୍ୟ ସଂଶୟ କରୁଛି ମୋର ଏ ନାମ କାହୁଁ ଆସିଲା – କିଏ ଦେଲା-?”

 

କେବଳ ବିରାଟ ଗୀତାରେ ନୁହେଁ ତାଙ୍କର ସବୁ ଲେଖା ବହିମାନଙ୍କରେ ପାଣ୍ଡୁଲିପିରେ ଏହି ଶୂନ୍ୟବ୍ରହ୍ମ କଥା ଲେଖା ଅଛି । ଶୂନ୍ୟ ପୁରୁଷ ମୂଳରୁ ଏ ବ୍ରହ୍ମାଣ୍ଡର ସୃଷ୍ଟି ଓ ଶେଷ ପର୍ଯ୍ୟନ୍ତ ସେହି ଏକା ଏ ବିଶ୍ୱର ନିୟାମକ ଅଟନ୍ତି । ବଳରାମ ଦାସଙ୍କ ଧର୍ମ ବିଶ୍ୱାସ ଓ ଧର୍ମ ଆଦର୍ଶ ଏବଂ ଆଧ୍ୟତ୍ମିକା ଦୃଷ୍ଟି ଏହି ଶୂନ୍ୟବାଦ ଉପରେ ଅବସ୍ଥିତ । ତାଙ୍କ ଲିଖିତ “ବ୍ରହ୍ମାଣ୍ଡ ଭୂଗୋଳ ଗୀତା” ରେ ସେ ନିଜ କଥା ନିଜ ଆଦର୍ଶ ଧର୍ମଭାବ କଥା ଅର୍ଜ୍ଜୁନଙ୍କୁ କହୁଛନ୍ତି ।

 

କେହି ନ ଥିଲେ ହେ ଅର୍ଜ୍ଜୁନ

ମହାଶୂନ୍ୟରେ ମୋର ଜନ୍ମ

 

ମୋ ପୂର୍ବରୁ କେହି ନଥିଲେ । ମୁଁ ଶୁନ୍ୟରୁ ଜାତ ହୋଇଛି ଏବଂ ମୁଁ ଶୂନ୍ୟରେ ମିଳିତ ହୋଇ ରହିଛି । ତାଙ୍କ ଲିଖିତ ‘ସାରସ୍ୱତ ଗୀତା’ର ମଙ୍ଗଳାଚରଣରେ ସ୍ରଷ୍ଟାଙ୍କୁ ପ୍ରାର୍ଥନା କରି ଲେଖିଛନ୍ତି,

 

ଜୟ ଧର୍ମ ଶ୍ରୀ ପୁରୁଷୋତ୍ତମ

ଅନାଦି ସ୍ତୁତି ପରଂବ୍ରହ୍ମ

ଅବ୍ୟକ୍ତ ପୁରୁଷ ନିରାକାର ହରି

ସର୍ବଘଟେ ଅଛୁ ବ୍ରହ୍ମ ରୂପ ଧରି

ନାହିଁ ରେଖ ରୂପ ତୋର ଶ୍ରୀ ବିଷ୍ଣୁ ପୁରୁଷ

ବିଷ୍ଣୁର ଗୋଚର ହୋଇଛୁ ପ୍ରକାଶ

ମନ ନୟନ ଚିତ୍ତ ଚେତନ ନାହିଁ ତୋର

କର୍ମ ଧର୍ମ ସର୍ବଠାରେ ସିଦ୍ଧ ନ କର

ମହାଶୂନ୍ୟ ତୋର ନାମ

ଓଁ କାର ଶବ୍ଦ ଏ ଯେ ବେଦାନ୍ତ ଆଗମ

 

ତୁମର ଜୟ ହେଉ । ତୁମେ ଧର୍ମର ଆତ୍ମା ଏବଂ ତୁମେ ହିଁ ମହିମାନ୍ୱିତ ଆଦି ପୁରୁଷ ଆଦି ସ୍ରଷ୍ଟା (ପ୍ରଥମ ଅଧ୍ୟାୟ) । ମୁଁ ତୁମକୁ ପ୍ରାର୍ଥନା କରୁଛି ତୁମେ ଆତ୍ମାରେ ଅବସ୍ଥିତ ବ୍ରହ୍ମର ବ୍ରହ୍ମ ଅଟ । ତୁମେ ଗୁପ୍ତ ପୁରୁଷ ଅଟ । ହେ ହରି, ହେ ପ୍ରଭୁ, ତୁମେ ସକଳ କ୍ଳେଶ ଦୁଃଖ ନାଶକାରୀ । ତୁମର ଦେହ ନାହିଁ ଆକାର ମଧ୍ୟ ନାହିଁ । ତୁମେ ଯଦିଓ ସକଳ ପ୍ରାଣୀଙ୍କ ପ୍ରାଣରେ ଅବସ୍ଥାନ କରି ସେମାନଙ୍କ ଦେହ ରୂପ ନେଇ ରହିଛି । ହେ ବିରାଟ ମହାନୁପୁରୁଷ ଯଦିଓ ତୁମର ଦେହ କି ରୂପ ନାହିଁ, ତୁମେ ବିଷ୍ଣୁଙ୍କ ନିକଟରେ ପ୍ରକାଶିତ ହୋଇଛି । ତୁମେ ମନ, ଚକ୍ଷୁ, ଇନ୍ଦ୍ରିୟ ଗ୍ରାମ ଏବଂ ହୃଦୟ ଓ ଚୈତନ୍ୟ ହୋଇ ମଧ୍ୟ ସ୍ଵାଧୀନ । ତୁମେ ନିର୍ଲିପ୍ତ ସାକ୍ଷୀ ସ୍ଵରୂପରେ ଜୀବର ସମସ୍ତ କର୍ମ ଓ ଧର୍ମକୁ ଦେଖୁଥାଅ । ତୁମେ ଅନନ୍ତ ଅସୀମ ମହାଶୂନ୍ୟରୂପୀ । ବେଦାନ୍ତରେ ମଧ୍ୟ ଓଁକାର ମଧ୍ୟ ମହାଶୂନ୍ୟରୁ ଜନ୍ମ ହୋଇଥିବା କଥା ଲେଖା ଅଛି ।

 

ବୁଦ୍ଧ ଧର୍ମର ଅଧ୍ୟାତ୍ମ ତତ୍ତ୍ୱ ଆବିଷ୍କାର ପରେ ତ ଭଗବାନଙ୍କର ବିଭୂତିକୁ ପ୍ରକାଶ କରାଯାଇନାହିଁ । ଈଶ୍ଵର ଅନନ୍ତ ଅସୀମ ମହାଶକ୍ତିମାନ ଓ ଆଦିପୁରୁଷ ଏବଂ ସବୁ ଧର୍ମ କର୍ମ ଜାଗତିକ ବିକାଶ ଧାରାରେ ପ୍ରକୃତି ଦ୍ଵାରା ବିଶ୍ୱ ବ୍ୟାପାର ନିୟନ୍ତ୍ରଣ କରନ୍ତି । ପ୍ରକୃତି ତାଙ୍କୁ ଆଶ୍ରୟ କରି ଜଗତ ସୃଷ୍ଟି କରୁଛି । ଏବଂ ବିଶ୍ୱ ପ୍ରାଣର ମୂଳାଧାର ହେଉଛନ୍ତି ଭଗବାନ – ବ୍ରହ୍ମ ସୁତରାଂ ତାଙ୍କୁ କେବଳ ଶୂନ୍ୟମୟ କ୍ରିୟାହୀନ ବୋଲି ବଳରାମ ଦାସ ବର୍ଣ୍ଣନା କରି ନାହାନ୍ତି । ପ୍ରକୃତିର ଜାଗତିକ ସମସ୍ତ କାର୍ଯ୍ୟ କାରଣର ନିୟାମକ । ସେ ପ୍ରକୃତି ସୃଷ୍ଟି କରି ତାହାଦ୍ୱାରା ସେ ସକଳ କାର୍ଯ୍ୟ କରନ୍ତି ମାତ୍ର ପ୍ରକୃତି ସହିତ ସେ ଅସଂଶ୍ଳିଷ୍ଟ ଅଟନ୍ତି । ସେ ହେଉଛନ୍ତି ଜଗତର ଶକ୍ତିର ମୂଳାଧାର ଏବଂ କର୍ମ ନିୟନ୍ତ୍ରକ ଏବଂ ଜଗତର ମୂଳପ୍ରାଣ ଆତ୍ମା । ବଳରାମ ଦାସଙ୍କ ଧର୍ମମତ ଏହିପରି ଥିଲା, ସେ ସାରସ୍ୱତ ଗୀତାର ପ୍ରାରମ୍ଭିକ ମଙ୍ଗଳାଚରଣ ଓ ଆତ୍ମସମର୍ପଣ ପ୍ରାର୍ଥନା ପରେ ପ୍ରଥମ ଅଧ୍ୟାୟରେ ଅର୍ଜୁନଙ୍କୁ ଶ୍ରୀକୃଷ୍ଣଙ୍କ ମୁଖରେ କୁହାଇଛନ୍ତି –

 

“ଶ୍ରୀହରି ବୋଇଲେ ହୋ ଶୁଣ ପାଣ୍ଡୁସୁତ

ବ୍ରହ୍ମ ମହିମା ତୋତେ କହିବା ବେଦାନ୍ତ ।

ମହାଶୂନ୍ୟକୁ ତ ବ୍ରହ୍ମ ବୋଲି କହି

ସେ ବ୍ରହ୍ମ ରୂପ ହୋଇଲା ନିରଞ୍ଜନ ଦେହୀ ।

ନିରଞ୍ଜନଠାରୁ ହେଲା ପରମ ଅବତାର

ପରମ ଠାବରୁ ଜୀବ ହୋଇଲା ବାହାର ।” (ସାରସ୍ୱତ ଗୀତା)

 

“ଶ୍ରୀକୃଷ୍ଣ କହିଲେ” ପାଣ୍ଡୁସୁତ ଶୁଣ, ମୁଁ ବ୍ରହ୍ମର ଗୌରବମୟ ତତ୍ତ୍ୱ କଥା ତୁମକୁ କହୁଛି । ମହାଶୂନ୍ୟ ବ୍ରହ୍ମସ୍ଵରୂପ ଅଟନ୍ତି । ସେ ନିରଞ୍ଜନ ଶରୀର ପରିଗ୍ରହ କଲେ । ତା’ପରେ ତାଙ୍କଠାରୁ ମହାଶୂନ୍ୟରୁ ଶ୍ରେଷ୍ଠ ବିରାଟ ଶୂନ୍ୟ ପୁରୁଷ ଜାତ ହେଲେ । ମହାଶୂନ୍ୟଙ୍କର ଅବତାର ବା ଅବତରଣକୁ ବୌଦ୍ଧ ଧର୍ମୀ ବଳରାମ ଦାସ ଏହିପରି ଭାବରେ ଦେଖାଇଛନ୍ତି ।

 

ଏହି ପଞ୍ଚସଖାଗଣ ସମସ୍ତ ମହାଯାନୀ ପ୍ରଚ୍ଛନ୍ନ ବୌଦ୍ଧ ଥିଲେ । କିନ୍ତୁ ଚୈତନ୍ୟ ମହାପ୍ରଭୁଙ୍କ ବୈଷ୍ଣବ ଧର୍ମର ପ୍ରଭାବ ଏମାନଙ୍କଠାରେ ପ୍ରଭୂତ ଭାବରେ ପଡ଼ିଥିଲା । ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ବୈଷ୍ଣବ ଧର୍ମର ପ୍ରଭାବ ଏମାନଙ୍କର ସାହିତ୍ୟକୁ ପ୍ରବଳ ଭାବରେ ପ୍ରଭାବିତ କରିଥିଲା ଏଥିରେ ସନ୍ଦେହ ନାହିଁ ।

 

ପୂର୍ବ ଉଦ୍ଧୃତ ପୟାର ଅଂଶମାନଙ୍କରୁ ଜଣାଯାଏ ଯେ ବଳରାମ ଦାସ ଶ୍ରୀକୃଷ୍ଣ ଓ ବ୍ରହ୍ମଙ୍କୁ ଏକ କରିଛନ୍ତି ଏବଂ ଶ୍ରୀକୃଷ୍ଣ ଓ ବ୍ରହ୍ମ ମଧ୍ୟ ମହାଶୂନ୍ୟ, ଶୂନ୍ୟ ଏବଂ ପୁରୁଷ ଓ ନାମ । ଏହି ପଞ୍ଚସଖାମାନଙ୍କ ଧର୍ମ ଏବଂ ଭଗବାନଙ୍କୁ ଭକ୍ତି ଓ ପ୍ରେମ କରିବାର ପ୍ରଣାଳୀକୁ ବିଶିଷ୍ଟ ବୈଷ୍ଣବ ସନ୍ୟାସୀ ଭକ୍ତମାନେ ନିୟନ୍ତ୍ରିତ ଓ ପ୍ରଭାବିତ କରିଥିଲେ । ପଞ୍ଚସଖାମାନେ ଚୈତନ୍ୟ ମହାପ୍ରଭୁ ପୁରୀରେ ଥିବା ବେଳେ ମହାପ୍ରଭୁ ଯେଉଁ ସଂକୀର୍ତ୍ତନ ନାମ ପ୍ରଚାର ଓ ଭକ୍ତି ପ୍ରେମର ବନ୍ୟା ପ୍ଲାବନ କରିଥିଲେ ସେହି ବାତାବରଣରେ ରହି ସେମାନଙ୍କର ମତ ଓ ପଥ ମଧ୍ୟ ବୈଷ୍ଣବ ସାଧୁସନ୍ଥଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ପୁରୀରେ ପଞ୍ଚସଖାମାନେ ଶ୍ରୀଚୈତନ୍ୟଙ୍କ ସମୟରେ ବସବାସ ଓ ସାଧନ ଭଜନ କରୁଥିଲେ । ବୌଦ୍ଧ ଧର୍ମ ଜୀବନର ପଦ୍ଧତି ଓ ସଂସ୍କୃତି ଏବଂ ବୌଦ୍ଧଧର୍ମ ପାଳନର ପ୍ରଣାଳୀ ଧରି ଏମାନେ ସାଧନ ଭଜନ କରୁନ ଥିଲେ । କାରଣ ସେ କାଳରେ ଓଡ଼ିଶାରେ ପୁରୀରେ ତାହାର ପ୍ରଚଳନ ବୁଡ଼ି ଯାଇଥିଲା । ସେଥିପାଇଁ ବୈଷ୍ଣବମାନଙ୍କ ଆଧ୍ୟାତ୍ମିକ ଚିନ୍ତା, ଆଦର୍ଶ ଓ ଭଜନ ସାଧନ ପ୍ରଣାଳୀ ପଞ୍ଚସଖାମାନଙ୍କ ଧର୍ମ ବିଶ୍ୱାସକୁ ବୈଷ୍ଣବ ମତରେ ଅନୁବର୍ତ୍ତୀ ଓ ଅନୁସରି କରି ସେମାନଙ୍କର ଶୂନ୍ୟବାଦୀ ମତକୁ ମଧ୍ୟ ଆହୁରି ଦୃଢ଼ୀଭୂତ କରି ବୈଷ୍ଣବମାନଙ୍କ ଆଚରିତ ପଥରେ ପ୍ରବର୍ତ୍ତିତ କରାଇଥିଲା । ବଳରାମ ଦାସ ଶୂନ୍ୟ ବ୍ରହ୍ମଙ୍କୁ ନିର୍ଗୁଣ ଏବଂ ସଗୁଣ ଭାବରେ ବର୍ଣ୍ଣନା କରିଛନ୍ତି । ଆମ ଭାଗବତକାର ଜଗନ୍ନାଥ ଦାସ ତାଙ୍କର “ତୁଳାଭିଣା” ଗ୍ରନ୍ଥରେ ଲେଖିଛନ୍ତି –

 

“ସକଳ ମନ୍ତ୍ର ତୀର୍ଥ ଜ୍ଞାନ

ବୋଇଲେ ଶୂନ୍ୟ ଏ ପ୍ରମାଣ

ଏତେ କହିଲ ଗୋ ପାର୍ବତୀ

ଏ ସର୍ବେ ଶୁନ୍ୟରେ ଅଛନ୍ତି ।

ମହାଶୂନ୍ୟରୁ ଶୂନ୍ୟ ଜାତ

ସେ ଶୂନ୍ୟ ପ୍ରଣବ ସଂଭୂତ । (୨୦ ପୃଷ୍ଠା)

ପ୍ରଣବ ପରମକୁ କହି

ସକଳ ଶାସ୍ତ୍ର ସେ ବୋଲାଇ । (୨୧ ପୃଷ୍ଠା)

 

ଏହି ପୟାରରୁ ଜଣାଯାଏ, ତୀର୍ଥବ୍ରତ ଓ ମନ୍ତ୍ର ସବୁ ଶୁନ୍ୟରୁ ଜାତ । ହେ ପାର୍ବତୀ ! ମୁଁ ତୁମକୁ ଯାହା କହିଲି, ଶୂନ୍ୟରୁ ଶୂନ୍ୟ ଜାତ ହେଲା । ସେହି ଶୂନ୍ୟରୁ ପ୍ରଣବ ଜାତ ହେଲା, ସେହି ପ୍ରଣବ କଥା ସବୁ ଶାସ୍ତ୍ର କହିଛନ୍ତି, ଯେ ସେହି ପ୍ରଣବ ହେଉଛନ୍ତି ପରମ ପରମାତ୍ମା ।

 

ଚୈତନ୍ୟ ଦାସ ମଧ୍ୟ ତାଙ୍କ “ନିର୍ଗୁଣ ମାହାତ୍ମ୍ୟ”ରେ ଲେଖିଛନ୍ତି,

 

“ଆତ୍ମା ପୁରୁଷ ଭଗବାନ ।

ଆତ୍ମା ଉପରେ ତାକୁ ଚିହ୍ନ ।।

ଏ ଆତ୍ମା ପରେ ଅଛି ବ୍ରହ୍ମ ।

ଚିହ୍ନିଲେ ଛିଡ଼ଇ ବନ୍ଧନ ।।

ଏ ଦେହ ଗଲେ ବ୍ରହ୍ମ ଯାଇ ।

ମହାଶୂନ୍ୟରେ ବିଶ୍ରାମଇ ।।

ସେ ଆତ୍ମା ବ୍ରହ୍ମକୁ ଜଗିଛି ।

ବାନ୍ଧି ଥୋଲା ପ୍ରାୟ ଅଛି ।।

ପିଣ୍ଡରୁ ଗଲେ ଛାଡ଼ି ପ୍ରାଣ ।

ସେ ଘଟ ହେବ ମହାଶୂନ୍ୟ ।।

ଶୂନ୍ୟ ପୁରୁଷ ସିଙ୍ଗେ ଯିବ ।

ଖୋଜିଲେ ଆଉ ନ ପାଇବ ।।”

 

ଆତ୍ମା ପୁରୁଷ, ପ୍ରାଣ ଭାଗବତ ଅଟନ୍ତି, କିନ୍ତୁ ପ୍ରାଣ ଓ ଆତ୍ମା ଉପରେ ତାଙ୍କୁ କଳନା କରି ଜାଣିବାକୁ ହେବ । ସେ ପ୍ରାଣ ବା ଆତ୍ମାଠାରୁ ଉଚ୍ଚ ଓ ସ୍ୱାଧୀନ । ଆତ୍ମା ଉପରେ ବ୍ରହ୍ମଙ୍କର ଅବସ୍ଥିତି ଅଟେ, ତାଙ୍କୁ ଉପଲବ୍ଧ କଲେ ଓ ତାଙ୍କୁ ଜାଣିପାରିବା ଦ୍ଵାରା ଭବ ବନ୍ଧନ କଟିଯାଇ ଜୀବ ମୁକ୍ତ ହୁଏ । ଜୀବ ଦେହ ଛାଡ଼ିଲେ ବ୍ରହ୍ମ ସହିତ ମିଳିତ ହୁଏ ଏବଂ ଶେଷରେ ସେ ମହାଶୂନ୍ୟରେ ବିଲୀନ ହୁଏ । ଜୀବାତ୍ମା ଏ ସମ୍ବନ୍ଧରେ ସଚେତନ ଓ ସେ ବ୍ରହ୍ମରେ ଅବସ୍ଥିତି କରେ କିନ୍ତୁ ଦେହ ଥିବା ଅବସ୍ଥାରେ ଦେହ ବନ୍ଧନରେ ସେ ବ୍ରହ୍ମକୁ ଅନୁଭବ ବା ଉପଲବ୍ଧ କରିପାରେ ନାହିଁ । ଦେହରୁ ପ୍ରାଣ ଛାଡ଼ିଲେ ଦେହ ମହାଶୂନ୍ୟରେ ପରିଣତ ହୁଏ । କିନ୍ତୁ ମୁଁ ଶୂନ୍ୟ ପୁରୁଷ ସହିତରେ ଅବସ୍ଥାନ କରେ, ମୋତେ କେହି ଦେଖି ପାରନ୍ତି ନାହିଁ କି ଖୋଜିଲେ ପାଇବେ ନାହିଁ । ଚୈତନ୍ୟ ଦାସଙ୍କ ‘ନିର୍ଗୁଣ ମାହାତ୍ମ୍ୟ’ରେ ଦେଖାଯାଏ ଯେ ନିର୍ଗୁଣ ପୁରୁଷ ନିଷ୍କର୍ମ ପ୍ରକୃତିର କ୍ରିୟା ସହିତରେ ସଂପୃକ୍ତ ନୁହନ୍ତି । ତାଙ୍କ ନିର୍ଗୁଣ ପୁରୁଷ ପୁଣି ସଗୁଣ ଓ କ୍ରିୟାଶୀଳ ଅଟନ୍ତି କିନ୍ତୁ ସେ ଐଶ୍ୱରୀକ ବିଭୂତି ବା ଗୁଣମାନଙ୍କ ଉପରେ ରହନ୍ତି, ସ୍ଵୟମ୍ଭୁ ଓ ସ୍ୱାଧୀନ । ତାଙ୍କ ପକ୍ଷରେ ଏ ଜଗତ କେବଳ ବ୍ରହ୍ମଙ୍କ ବିକାର ମାତ୍ର – ବ୍ରହ୍ମାଙ୍କ ସହିତ ପ୍ରକୃତିର କ୍ରିୟା କଳାପର ସଂଯୋଗ ମାତ୍ର ନାହିଁ ।

 

ଅଚ୍ୟୁତାନନ୍ଦ ଦାସଙ୍କ “ଶୂନ୍ୟ ସଂହିତା”ରେ ସେ ଶୂନ୍ୟ ଦର୍ଶନ ତତ୍ତ୍ୱ ସମ୍ବନ୍ଧରେ ଯାହା ଅବଧାରଣା କରିଛନ୍ତି ତାହା ଆହୁରି ସରସ ଏବଂ ଆହୁରି ଦାର୍ଶନିକ ତତ୍ତ୍ୱ ସମ୍ବଳିତ । ତାଙ୍କ ଶୂନ୍ୟ ପୁରୁଷ ଏ ଜଗତରେ କେବଳ ଏକମାତ୍ର ବ୍ୟକ୍ତି ଯେ କି ଏ ମାୟା ପ୍ରପଞ୍ଚ ରଙ୍ଗମଞ୍ଚରେ ଏବଂ ମୋହମାୟା ଜଗତରେ ଏକାକୀ ଲୀଳା କରନ୍ତି । ଜଗତ ବ୍ୟାପାରର ଏକମାତ୍ର ଲୀଳା ନାୟକ ସେହି ଶୂନ୍ୟ ପୁରୁଷ । ସେ ଲେଖିଛନ୍ତି –

 

“ଭଲା ପଚାରିଲୁ ଗୁପତ ସନ୍ଧି ।

ଶୂନ୍ୟ ପୁରୁଷ ଶୂନ୍ୟ ପରେ ବନ୍ଦୀ I।

ଶୂନ୍ୟ ପୁରୁଷ ଉଦାସରେ ରହେ ।

ଶୂନ୍ୟ ପୁରୁଷ ସବୁ ମାୟା ଭ୍ୟାୟେ ।।

ଶୂନ୍ୟ ପୁରୁଷ ଦୟାଳୁ ଅଟଇ ।

ଶୂନ୍ୟ ପୁରୁଷ ସର୍ବ ଘଟେ ରହି I।

ଶୁନ୍ୟ ପୁରୁଷ କରେ ନଟ ଘଟ ।

ଶୂନ୍ୟ ପୁରୁଷ ଜାଣେ ଛନ୍ଦ କୂଟ ।।

ଶୂନ୍ୟ ପୁରୁଷ ଶୂନ୍ୟରେ ମାରଇ

ମାରି ଶୂନ୍ୟ ପୁଣ୍ୟ ଗତି କରଇ ।।

 

ସୃଷ୍ଟିର ଗୋପନ ରହସ୍ୟ ମୋର ସାମ୍ନାରେ ପଡ଼ିଛି । ଶୂନ୍ୟ ପୁରୁଷ ଯେପରି ପୂର୍ବେ ଥିଲା, ସେପରି ବନ୍ଦୀ ହୋଇ ଶୂନ୍ୟରେ ରହିଛନ୍ତି । ଯଦିଓ ସେ ଏହି ମାୟା ମୋହମୟ ସଂସାର ପ୍ରପଞ୍ଚର ସ୍ରଷ୍ଟା ଓ ପ୍ରଭୁ ଏବଂ ସେ ନିଜ ଇଚ୍ଛାରେ, ଯଦିଓ ଏହି ମୋହ ମାୟା ପ୍ରକୃତିର କାର୍ଯ୍ୟକ୍ରମ ବିସ୍ତାର କରି ବ୍ୟାପକ କରି ପାରନ୍ତି ପୁଣି ସେହି ଜଗତ ବିସ୍ତାରକୁ ଟାଣି ପାରି ସଂକୁଚିତ କରି ପାରନ୍ତି ତଥାପି ସୁଦ୍ଧା ଜଗତ୍ ବ୍ୟାପାରରେ ସୃଷ୍ଟି ସମ୍ବନ୍ଧରେ ସେ ଉଦାସୀନ ଏବଂ ସେ ନିଜେ ଏହି ସବୁ ଜାଗତିକ ସୃଷ୍ଟି ବ୍ୟାପାର ଠାରୁ ସମ୍ପୂର୍ଣ୍ଣ ସ୍ଵତନ୍ତ୍ର, ସେ ଅତ୍ୟନ୍ତ ଦୟାଳୁ । ସେ ଆମ୍ଭମାନଙ୍କୁ ମାୟାଜାଲରୁ ମୁକ୍ତ କରିବାକୁ ସଦା ଉଦ୍‍ଗ୍ରୀବ ଏବଂ ସର୍ବଜୀବ ଘଟରେ ପୂରି ରହିଛନ୍ତି । ସେ ସ୍ଵତନ୍ତ୍ର ଏବଂ ପ୍ରକୃତି ଓ ଜଗତ୍ ଠାରୁ ନିରପେକ୍ଷ, ନିସଂପୃକ୍ତ ରହି ମଧ୍ୟ ଅତି କୂଟ ଛନ୍ଦ ଜାଣନ୍ତି ଓ ଚତୁର ଅଟନ୍ତି । ସେ ଭେଦ ବୁଦ୍ଧି ଓ ସଂଘର୍ଷକୁ ଜୀବ ମନରେ ଘାଣ୍ଟୁଥା’ନ୍ତି । ସେ ଅତି ଦୟାଳୁ । ଆମେମାନେ ବିପଥରେ ଯାଇ ମହାକ୍ରାନ୍ତ ହୋଇ ତାଙ୍କୁ କାଳେ ଭୁଲିଯିବୁ ବୋଲି ସେ ଭେଦବୁଦ୍ଧି ଓ କୂଟପଟ ଛନ୍ଦକୁ ପୁଣି ନାଶ କରନ୍ତି । ଯଦି କେହି କାହାକୁ ହତ୍ୟା କରେ ତେବେ ଶୂନ୍ୟ ପୁରୁଷ ହତ୍ୟାକାରୀ ଭିତରେ ଥାଇ ନିଜକୁ ନିଜେ ହତ୍ୟା କରନ୍ତି କାରଣ ଘାତକ ସେ ମତ ମଧ୍ୟ ସେ, ଦୁହେଁ ଏକ ପୁରୁଷର ପରିଣତି ମାତ୍ର – ଆଧାର ମାତ୍ର ଭିନ୍ନ । ସେ ମୃତ ପୁରୁଷର ବନ୍ଧନ ମାନ ମୋଚନ କରି ତାକୁ ସୁଖମୟ ସ୍ଵାଧୀନତା ଦିଅନ୍ତି ।’’

 

ପୁଣି ସେ ରହସ୍ୟାତ୍ମକ ଭାବ ଓ ଭାଷାରେ ଶୂନ୍ୟ ପୁରୁଷ ଜୀବାତ୍ମା ରୂପରେ କିପରି ମୁଁ ଜଗତ୍ ସୃଷ୍ଟି କରିଛି ଓ ତାଙ୍କରି ପାଇଁ ସଂସାର ବନ୍ଧନ ସୃଷ୍ଟି କରି ସେଠାରେ ସଂସାର ଶାସନ କରୁଛି ବା ଚଳଉଛି ତା’ର ବିବରଣ ଲେଖୁଛନ୍ତି –

 

“ଶୂନ୍ୟ ମନ୍ତ୍ରେ ଶୂନ୍ୟ ପୁରୁଷ ଧରା ।

ଦଣ୍ଡୁଥାଇ ରାଜା ହୋଇଣ ତ୍ୱରା ।।

ଶୁନ୍ୟ ପୁରୁଷ ଆପେ ଦଣ୍ଡି ହୋଏ ।

ସର୍ବ ଦୋଷ ବାଧା ନ ଯାଏ କ୍ଷୟେ ।।

ଶୁନ୍ୟ ପୁରୁଷକୁ କେତେ ଭଗାରି ।

ମାରିବା ଇଚ୍ଛା ଅଟଇ ତାହାରି ।।

ଶୂନ୍ୟ ପୁରୁଷ ବେଢ଼ିଛି ବେଢ଼ରେ ।

ସତ ଶାନ୍ତ ଦୟା କ୍ଷମା ପାଶରେ ।।

ଏକାଦଶ ଇନ୍ଦ୍ରି ବେଢ଼ି ଅଛନ୍ତି ।

କାମ କ୍ରୋଧ ମୋହ ଦ୍ୱାରା ଜଗନ୍ତି ।।

ଦ୍ଵାଦଶ ଦଳାଇ ଗଡ଼ନାୟକ।

ପଚିଶ ପ୍ରକୃତି ପଞ୍ଚ ମନ ତ ।।

ବଡ଼ ଚକରେ ପଚାଶ ଅକ୍ଷର ।

ବାସ୍ତୋରୀ ନାଡ଼ି ଯେ ଗଡ଼ ପାଶର ।।

ଗଡ଼ ଚାରିପାଶେ ଏମାନେ ଦ୍ଵାରୀ ।

ଶୂନ୍ୟ ପୁରୁଷକୁ ଥାନ୍ତି ଆବରି ।।

ଶୂନ୍ୟ ପୁରୁଷରେ ଏତେକ ତେଜ ।

ଶୂନ୍ୟ ହୋଇ ଭୋଗ୍ୟ କରାଏ ରାଜ୍ୟ ।।

ଶୂନ୍ୟ ପୁରୁଷ ଅଲଗେ ରହିଛି ।

ଶୂନ୍ୟ ପରେ ରହି ଲୀଳା କରୁଛି ।।

ନ ଛୁଅଁନ୍ତି ତାକୁ ପଚିଶ ଜଣ ।

ଅଲଗେ ରହି କରେ ଭିନ୍ନାଭିନ୍ନ ।।

ଶୂନ୍ୟ ପରେ ଶୂନ୍ୟ ପୁରୁଷ ରହେ ।

ଶୂନ୍ୟ ଭଜନ ନିରାକାର ଧ୍ୟାୟେ ।।

ଦ୍ୱାବିଂଶ ଅକ୍ଷରେ କରେ ଭଜନ ।

ଶୂନ୍ୟ ପୁରୁଷ ନିରାକାର ଧାନ ।।

 

ଶୂନ୍ୟ ମନ୍ତ୍ରରେ ଶୂନ୍ୟ ପୁରୁଷଙ୍କୁ ମିଳିବେ । ସେ ସର୍ବେ ବିଭୂତି । ସର୍ବ ଐଶ୍ଵର୍ଯ୍ୟର ରାଜା ଏବଂ ସର୍ବ ଶୁଭାଶୁଭର ରାଜା । ସେ ସବୁ ମନ୍ଦଗୁଣ ବା ପ୍ରାକୃତିକ ଗୁଣର ସ୍ରଷ୍ଟା ଓ ନିୟନ୍ତା । ଏହି ମନ୍ଦ ପ୍ରକୃତିକୁ ସେ ଇଚ୍ଛା କଲେ ନିରୋଧ କରି ରୋକି ପାରନ୍ତି ଓ ମନ୍ଦ ଗୁଣମାନଙ୍କର ନିୟନ୍ତା ମଧ୍ୟ ସେ, ଏବଂ ମନ୍ଦଗୁଣ ଓ ପ୍ରକୃତିର ସ୍ରଷ୍ଟା । ସବୁ ରକମ ମନ୍ଦଗୁଣ ତାଙ୍କ ବିଭୂତିରୁ ଆସୁଛି । ସେ ପ୍ରଭୁ ହେଲେ ମଧ୍ୟ ମନ୍ଦ ପ୍ରକୃତି ଗୁଣମାନଙ୍କୁ ନାଶ କରି ପାରନ୍ତି ନାହିଁ । ତାଙ୍କର ବିରୋଧୀ ଶତ୍ରୁମାନେ ବହୁ ସଂଖ୍ୟାରେ ଅଛନ୍ତି ଓ ସେ ନିଜକୁ ସେହି ମନ୍ଦଗୁଣ ରୂପୀ ଶତ୍ରୁ ଓ ବିରୋଧୀ ଲୋକମାନଙ୍କଠାରୁ ମୁକ୍ତ କରି ରଖିବାକୁ ସର୍ବଦା ଉଗ୍ରୀବ ଅଟନ୍ତି । ସେ କ୍ଷମା, ଦୟା, ଶାନ୍ତି, ପ୍ରୀତି ଓ ଭଲ ଗୁଣରେ ଅବସ୍ଥାନ କରିବାକୁ ଇଚ୍ଛା କଲେ ମଧ୍ୟ ସେ ସର୍ବଦା ବନ୍ଦୀ ଖାନାରେ ବନ୍ଦୀ ହୋଇ ରହିଛନ୍ତି । ସେ ବନ୍ଧନରୁ ବନ୍ଦୀ ଶାଳାରୁ ମୁକ୍ତ ହେବାକୁ ଇଚ୍ଛା କଲେ ମଧ୍ୟ ତାଙ୍କର ଶତ୍ରୁମାନେ ବା ମନ୍ଦଗୁଣ ଓ ଇନ୍ଦ୍ରିୟମାନେ ତାକୁ ମୁକ୍ତ ହୋଇ ଯିବାକୁ ବାଟ ନ ଛାଡ଼ି ବିରୋଧ ଓ ପ୍ରତିରୋଧ କରନ୍ତି ଓ ଜୋର କରି ବନ୍ଧନ ଜାଲରେ ପକାଇ ରଖନ୍ତି । ପ୍ରବୃତ୍ତି, କାମ, କ୍ରୋଧ, ଲୋଭ, ମୋହ ପ୍ରଭୃତି ତାଙ୍କ ରହିବା ବନ୍ଦୀଘର ଦ୍ଵାରା ପହରା ଦେଇ ରହିଥାନ୍ତି । ପୁଣି ବାରଜଣ ଜଗୁଆଳୀ ସେହି ଦୁର୍ଗ ଅବରୋଧ କରି ରହିଥାନ୍ତି । ପଚିଶ କାରଣ, ପାଞ୍ଚ ମନ, ଦେହର ଛଅଟି ଚକ ଏବଂ ପଚାଶ ବର୍ଣ୍ଣମାଳା ଏବଂ ବାସ୍ତରୀ ନାଡ଼ୀ ଓ ଶିରାପ୍ରଶିରା ଏମାନେ ଦୁର୍ଗ ପାଚେରୀ ଉପରେ ଜଗୁଆଳି ହୋଇ ଠିଆ ହୋଇ ପହରା ଦେଉଛନ୍ତି । ଏହି ପ୍ରହରୀ ବେଷ୍ଟିତ ବନ୍ଦୀଶାଳା ପ୍ରକୋଷ୍ଠ, ଭିତରେ ଶୂନ୍ୟ ପୁରୁଷ ରହିଛନ୍ତି । ଶୂନ୍ୟ ପୁରୁଷ କି ବିକ୍ରମଶାଳୀ ବ୍ୟକ୍ତି ଯଦିଓ ପବିତ୍ର ଓ ସରଳ ତାଙ୍କ ରୂପ, ତଥାପି ସେ ରାଜାଙ୍କର ସବୁ କ୍ଷମତା ପ୍ରୟୋଗ କରି ସେଠାରେ ରହିଛନ୍ତି କିନ୍ତୁ ସେ ଯେପରି ଅବସ୍ଥାରେ ଜୀବ ଦେହରେ ଥାନ୍ତୁ ନା କାହିଁକି ସେ ଅକ୍ଷତ ଭାବରେ ନିରାଲମ୍ବ ଓ ସ୍ୱତନ୍ତ୍ର ଭାବରେ ଏକାକୀ ସେଠାରେ ରହିଥାନ୍ତି-। ବନ୍ଧନ ତାଙ୍କୁ କାବୁ କରିପାରେ ନାହିଁ । ସେ ଭୟ ଓ ଶଙ୍କାର ଅତୀତ । ମନ୍ଦଗୁଣ ସମ୍ପନ୍ନ ପ୍ରହରୀମାନଙ୍କ ଦ୍ଵାରା ସେ ଅଭିଭୂତ, ଭୀତ, ବିକ୍ଷତ, ପ୍ରଭାବିତ, ବିଚଳିତ ବା ସଂପୃକ୍ତ ନୁହନ୍ତି, ସେ ଏକ ଏବଂ ଅବିନାଶୀ - ସର୍ବ ଦ୍ୱନ୍ଦ୍ୱର ଅତୀତ ହୋଇ ଶାନ୍ତ ଭାବରେ ରହିଥାନ୍ତି । ପଚିଶ କାରଣଙ୍କ ସହିତ ତାଙ୍କର ସମ୍ପର୍କ ନାହିଁ, ବରଂ ସେ ଭେଦ ଦ୍ୱନ୍ଦ୍ୱର ଖେଳ ପଚିଶ କାରଣ ମନ ଓ ପ୍ରକୃତି ଉପରେ ପ୍ରୟୋଗ କରିଥାନ୍ତି । ଶୂନ୍ୟ ଗୃହରେ ଶୂନ୍ୟ ପୁରୁଷଙ୍କ ଅଧିଷ୍ଠାନ । ସେହି ଶୂନ୍ୟ ପୁରୁଷ ବତିଶ ଅକ୍ଷର ବର୍ଣ୍ଣମାଳା ଦ୍ୱାରା ଦେହହୀନ ବିଦେହୀ ଶୂନ୍ୟଙ୍କୁ ଧାନ ଓ ପ୍ରାର୍ଥନା କରୁଥାନ୍ତି ।

 

ଉପରୋକ୍ତ ପୟାର ବାକ୍ୟମାନଙ୍କ ଭିତରେ ଯେଉଁ ସ୍ଥୂଳ ଦାର୍ଶନିକ ତତ୍ତ୍ୱ ବା ତଥ୍ୟ ନିହିତ ଅଛି ତାହାର ଭାବାର୍ଥ ହେଉଛି, ଶୂନ୍ୟ ପୁରୁଷ ହେଉଛନ୍ତି ଆମମାନଙ୍କର ଜୀବ ବା ଅହଙ୍କାର – ‘ମୁଁ’ କାର । ଏହି ଅହଙ୍କାର ବା ମୁଁକାରକୁ ଉପଲବ୍ଧ କରିହେବ, ଯଦି ଜୀବ ମାୟା ମୋହ ଜାଲରୁ ନିଜର ମନ୍ଦ ବୁଦ୍ଧିକୁ ମୁକ୍ତ କରି ଆଣି ପାରିବ ଏବଂ ପ୍ରାକୃତିକ ଭୟ ଓ ପ୍ରଲୋଭନରୁ ନିଜକୁ ଛଡ଼ାଇ ଆଣି ପାରିବ । ଶୂନ୍ୟ ପୁରୁଷ ବା ଆତ୍ମା ଉପରୋକ୍ତ ମନ୍ଦ ପ୍ରକୃତିଗୁଡ଼ିକ ସହିତ ସଂପୃକ୍ତି ନୁହନ୍ତି ଏବଂ ଜୀବ ଯଦି ନିଜ ମନରୁ ମୋହ ମାଳିନ୍ୟ ଦୂର କରି ପାରିବ ଓ ମନର ଗୁଣ ନଷ୍ଟ କରିପାରିବ ଓ ତାଙ୍କ ଉପରେ ନିଜ ନିଜର ସମସ୍ତ ଭାବ ଓ ଚିନ୍ତାକୁ ନିର୍ଭର କରି ଦେଇ ପାରିବ ତେବେ ଯାଇ ସେ ଶୂନ୍ୟ ପୁରୁଷଙ୍କ ସହିତ ମିଳିତ ହୋଇ ଉପଗତ ହୋଇ ପାରିବ । ଏହାପରେ ସେ ପରିଷ୍କାର ଭାବରେ ନିଃସଙ୍ଗ ଚିତ୍ତରେ ସାମାଜିକ ପ୍ରଚଳିତ ପୂଜା ପଦ୍ଧତିକୁ ଅସ୍ୱୀକାର କରି ନିଜର ସ୍ୱତନ୍ତ୍ର ଅବଧାରିତ ପୂଜା ଉପାସନାର ମାର୍ଗ ବତାଇଛନ୍ତି । ଯେଉଁ ପୂଜା ପଦ୍ଧତି ଓ ମାର୍ଗ ବୌଦ୍ଧ ଧର୍ମର ଅଗ୍ନିରେ ଚିରନ୍ତନ ଭାବରେ ପ୍ରଜ୍ଜଳିତ ରହିଅଛି । ବୌଦ୍ଧ ଧର୍ମର ଯେଉଁଭଳି ପୂଜା ଉପାସନା ମାର୍ଗ ମନୁଷ୍ୟ ପାଇଁ ନିର୍ଦ୍ଦିଷ୍ଟ କରାଯାଇଛି, ସେହି ପ୍ରଣାଳୀ ପଦ୍ଧତିରେ ଈଶ୍ୱର ଉପାସନା କରିବା ପାଇଁ ଅଚ୍ୟୁତାନନ୍ଦ କହିଛନ୍ତି । ସେ ଲେଖିଛନ୍ତି –

 

“ଚଉଦ ବ୍ରହ୍ମାଣ୍ଡ ଉପରେ ଅଛ ।

ଶୂନ୍ୟ ଶୂନ୍ୟ ମହାଶୂନ୍ୟରେ ଗଚ୍ଛ ।।

ନିରାକାର ଭଜି ମା’ ଦୁର୍ଗା ଦେବୀ ।

ତେଣୁ ନିର୍ଲିପକୁ ଥାଆନ୍ତି ସେବି ।।

ତୁ ଯେ ପଚାରିଲୁ ପରମ ସନ୍ଧି ।

ଧ୍ୟାନ ଧାରଣା ଆଦି ମାନ ବିଦ୍ଧି ।।

ଅଙ୍ଗନ୍ୟାସ କରନ୍ୟାସ ହିଁ ନାହିଁ ।

ସ୍ଥାନ ଭଙ୍ଗ ମୁଦ୍ରା କିଛି ହିଁ ନାହିଁ ।।

ଉର୍ଦ୍ଧ୍ୱ କର ଯୋଡ଼ି କର ତୁ ଲୟେ ।

ଉର୍ଦ୍ଧ୍ୱ ମୁଖ କରି କର ତୁ ଲଏ ।।

ଉର୍ଦ୍ଧ୍ୱ ମୁଖ କରି ଚିତାକୁ ଧ୍ୟାଅ ।

ତ୍ରିକୂଟ ସନ୍ଧି ଅଲେଖକୁ ଚାହିଁ ।।

ନିରାକାର ମନ୍ତ୍ର କଣ୍ଠ ଚକରେ ।

ବୋଲ ବାବୁ ସ୍ୱର ଉର୍ଦ୍ଧ୍ୱ ମୁଖରେ ।।

ଦ୍ଵାତ୍ରିଂଶ ଅକ୍ଷର ଉଚ୍ଚାର କର ।

ନୟନ ନ ଚଳୁ ଚିତା ଚକର ।।

ଅଚଳେ ଏସନେ ମନ୍ଦିର ରହେ ।

ଅଚଳେ ତେସନେ ଯୋଗୀନ୍ଦ୍ର ଧ୍ୟାୟେ ।।

ଅଚଳେ ସୁମନ ନିଶ୍ଚଳ ଘର ।

ଶୂନ୍ୟ ପୁରୁଷକୁ ତୁ ଲୟେ କର ।।

ଦିଶିବ ଶୁନ୍ୟ ଦିବ୍ୟମାନ କାୟା ।

ନିରାକାର ରୂପ ଅନ୍ଧ ପଟିଆ ।

(ଶୂନ୍ୟ ସଂହିତା – ୩ୟ ଅଧ୍ୟାୟ)

 

“ଶୂନ୍ୟ ପୁରୁଷ ଚଉଦ ଭୁବନ ଉର୍ଦ୍ଧ୍ୱରେ ଥାନ୍ତି ଏବଂ ନିଜେ ଶୂନ୍ୟ ହୋଇ ମହାଶୂନ୍ୟଙ୍କ ନିକଟରେ ଅବସ୍ଥାନ କରନ୍ତି । ମାଆ ଦୁର୍ଗା ଏହି ବିଦେହୀ ଶୂନ୍ୟ ପୁରୁଷଙ୍କର ନିତ୍ୟ ପୂଜା ଓ ବନ୍ଦନା କରନ୍ତି ଓ ନିର୍ଲିପଙ୍କୁ ପ୍ରାର୍ଥନା କରନ୍ତି । ସେହି ଏକମାତ୍ର ଈଶ୍ୱର ଗଭୀରତମ ମହାଗୁହ୍ୟତମ ରହସ୍ୟାବୃତ ଅଟନ୍ତି । ଧର୍ମବିଧି ପୂଜାପ୍ରଣାଳୀ, ଧ୍ୟାନ, ଆସନ, ମନ ସ୍ଥୈର୍ଯ୍ୟ, ଅଙ୍ଗନ୍ୟାସ, କରନ୍ୟାସ, ମୁଦ୍ରା ପ୍ରଭୃତି ଭଗବାନଙ୍କୁ ଲାଭ କରିବା ପାଇଁ ଅର୍ଥହୀନ ପଦ୍ଧତି ମାତ୍ର, କେବଳ ଉର୍ଦ୍ଧ୍ୱବାହୁ ହୋଇ ଉର୍ଦ୍ଧ୍ୱମୁଖ ହୋଇ ଭ୍ରୁଯୁଗଳରେ ଦୃଷ୍ଟି ନିବଦ୍ଧ କରି ଭ୍ରୁମଧ୍ୟସ୍ଥ କପାଳର ଆଜ୍ଞାଚକ୍ରଠାରେ ଦୃଷ୍ଟି ନିବଦ୍ଧ କରିବ ଏବଂ ଉର୍ଦ୍ଧ୍ୱମୁଖରେ ଆକାଶକୁ ଚାହିଁ ପ୍ରାର୍ଥନା କରିବ । ମାଳାଜପ ନାମଜପରେ କିଛି ହେବା ନାହିଁ । କେବଳ ନିଜ ଅନ୍ତରକୁ ଦେଖ । ମୁଖ ଉପରକୁ ଟେକି ୩୨ ଅକ୍ଷରବିଶିଷ୍ଟ ଶୂନ୍ୟମନ୍ତ୍ର କଣ୍ଠ ଚକ୍ରରେ ଜପ କରିବ । ଯେତେବେଳେ ଦେହ ମନ ନିଶ୍ଚଳ ନିର୍ବେଦ ହେବ, ସେତେବେଳେ ସର୍ବ ବିଭୂତିମୟ ଜ୍ୟୋତିର୍ମୟବ୍ରହ୍ମ ଈଶ୍ଵରଙ୍କୁ ଧ୍ୟାନ କରିବ । ସେତେବେଳେ ସ୍ଥିର ଧୀରମନ ଶୂନ୍ୟ ପୁରୁଷ ସହିତ ମିଳିତ ହୋଇ ଲୟ ଓ ସମାଧି ହେବ, ସେତେବେଳେ ତୁମେ ଉଜ୍ଜଳ ଏବଂ ଅତ୍ୟନ୍ତ ସୁନ୍ଦର ଶୁନ୍ୟ ପୁରୁଷଙ୍କୁ ଦେଖିବ, ଯାହାଙ୍କର ରୂପରେଖ ନ ଥାଇ ମଧ୍ୟ ଦେହ ରହିଛି ।”

 

ଯଦିଓ ପଞ୍ଚସଖାମାନେ ବୈଷ୍ଣବଧର୍ମର ରାଧାକୃଷ୍ଣଙ୍କର ବିଷୟ ଲେଖି ବୈଷ୍ଣବଧର୍ମର ଗୌରବଗାଥା ଲେଖିଛନ୍ତି, ତଥାପି ରାଧାକୃଷ୍ଣଙ୍କ ବିଷୟରେ ସେମାନେ ନିଜର ମତ ଓ ଆଦର୍ଶକୁ ଗୋଟିଏ ନବ ଉଦ୍ଭାବିତ ରୂପରେ ପ୍ରକାଶ କରିଛନ୍ତି । ସେମାନଙ୍କ ପ୍ରତିପାଦିତ ବୈଷ୍ଣବଧର୍ମ ଓ ରାଧାକୃଷ୍ଣ ତତ୍ତ୍ୱ ସାଧାରଣ ବୈଷ୍ଣବମାନଙ୍କ ମତଠାରୁ ସମ୍ପୂର୍ଣ୍ଣ ଭିନ୍ନ ଧରଣର । ବୈଷ୍ଣବଧର୍ମ ପ୍ରଚାର ଛଳନାରେ ବୈଷ୍ଣବର ଛଦ୍ମ ବେଶରେ ଶ୍ରୀ ଜଗନ୍ନାଥ ଦାସ ଓ ଶ୍ରୀ ଅଚ୍ୟୁତାନନ୍ଦ ଦାସ କିପରି ବୌଦ୍ଧଧର୍ମର ମହାଯାନ ମତ ପ୍ରତିପାଦିତ କରିଛନ୍ତି ତାହାର ଉଦାହରଣ ଦିଆଗଲା –

 

“ଜୀବନ-ଆତ୍ମା ରାଧେ ବୋଲି ପରମ ମୁରାରି

(ଶୂନ୍ୟ ସଂହିତା ୨ ୟ ଅଧ୍ୟାୟ)

“ରାଧିକା ଜୀବାତ୍ମା ଶ୍ରୀକୃଷ୍ଣ ପରମାତ୍ମା ।”

ପୁଣି ଏକାଙ୍ଗ ବ୍ରହ୍ମରୂପ ହୋଇ

ରାଧିକା ସଙ୍ଗେ ଭାବଗ୍ରାହୀ ।

ଗୋଲକ ନିତ୍ୟ ଏହା କହି ।

ଶୂନ୍ୟ ଦେଉଳ ଏ ବୋଲାଇ ।

(ଜଗନ୍ନାଥ ଦାସଙ୍କ ତୁଳାଭିଣା)

 

ରାଧିକା ଭାବଗ୍ରାହୀ ବ୍ରହ୍ମ ଏକ ଅଙ୍ଗ ଅଟନ୍ତି । ସୋମନେ ଗୋଲକରେ ରହନ୍ତି । ଏହି ଗୋଲକ ଶୂନ୍ୟ ଦେଉଳ ଅଟେ । ହୃଦୟରେ ଏହି ଗୋଲକମଣ୍ଡଳ ଅବସ୍ଥିତ । ପୁଣି ଅଚ୍ୟୁତାନନ୍ଦ ଶୂନ୍ୟ-ସଂହିତା ୨୨ ଅଧାୟରେ ଲେଖିଛନ୍ତି –

 

“ପରମ ଆତ୍ମାଟି ମହାଶୂନ୍ୟ ବୋଲି ଭାବ ।

ଏହିଟି ଅରୂପାନନ୍ଦ ନାମତତ୍ତ୍ୱ ଠୁଳ ।

ଉଦ୍‌ଭବ ସଂଗ୍ରହ କରେ ରାଧା ପ୍ରେମ ଭୋଳ ।’’

 

ପରମାତ୍ମାଙ୍କୁ ମହାଶୂନ୍ୟ ବୋଲି ଜାଣିବ । ସେ ଅରୂପ, ବିଦେହ, ଆନନ୍ଦର ଖଣି ଏବଂ ସେ କିଛି ନୁହନ୍ତି କେବଳ ନାମସ୍ଵରୂପ ଅଟନ୍ତି ।”

 

ଏଠାରେ ଅଚ୍ୟୁତାନନ୍ଦଙ୍କର ବିବୃତି ଦାର୍ଶନିକ ଧର୍ମମତ ଓ ବ୍ୟାଖ୍ୟା ସୁସ୍ପଷ୍ଟ ରାଧାକୃଷ୍ଣଙ୍କ ତତ୍ତ୍ୱ ଓ ସଂସ୍କୃତି ବିଷୟରେ ସେ ଯେପରି ବ୍ୟାଖ୍ୟାନ ଦେଇଛନ୍ତି ତାହା ସାଧାରଣ ବୈଷ୍ଣବମାନଙ୍କ ମତଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ସେ ବିସ୍ତାରିତ ଭାବରେ ରାଧାକୃଷ୍ଣ-ତତ୍ତ୍ୱ ସମ୍ବନ୍ଧୀୟ ବ୍ୟାଖ୍ୟା ଯେପରି ଲେଖୁଛନ୍ତି ତହିଁରୁ ଜଣାଯାଏ ତାଙ୍କ ମତରେ ମନୁଷ୍ୟ ବା ଜୀବର ଆତ୍ମା ହେଉଛି ରାଧାଙ୍କ ପ୍ରତୀକ । ସେ ପରମାତ୍ମା ଭଗବାନଙ୍କ ସହିତ ସଂପୃକ୍ତ ଓ ମିଳନକାମୀ । ଜଗନ୍ନାଥ ଦାସ ମଧ୍ୟ ଲେଖିଛନ୍ତି ବୃନ୍ଦାବନ ମଥୁରା ଏବଂ ଅନ୍ୟାନ୍ୟ ତୀର୍ଥ ସ୍ଥାନ ଭୂଗୋଳର ମାନଚିତ୍ରରେ ନାହିଁ କିମ୍ବା ପୃଥିବୀରେ କେଉଁଠି ସେ ସ୍ଥାନମାନ ନାହିଁ । ପ୍ରକୃତରେ ଏହି ତୀର୍ଥମାନ ମହାଶୂନ୍ୟ ରୂପରେ ଅବସ୍ଥିତ ।

 

“କୃଷ୍ଣ କ୍ରୀଡ଼ାରସ ଏହି ।

ଗୁପତ ବୃନ୍ଦାବନ କହି ।

ମଥୁରାପୁର ମହାଶୂନ୍ୟ ।

ଗୋପନଗର ସେହୁ ଜାଣ ।।

(ତୁଳାଭିଣା, ନବମ ଅଧ୍ୟାୟ) ।

 

“ବସ୍ତୁତଃ କୃଷ୍ଣଙ୍କ ପ୍ରେମକ୍ରୀଡ଼ାର ଅର୍ଥ ହେଉଛି ବୃନ୍ଦାବନ ଗୋଟିଏ ଗୁପ୍ତ ସ୍ଥାନ ।

 

ମଥୁରାପୁର ଅର୍ଥ କିଛି ନାହିଁ, ଏହା ଏକ ମହାଶୂନ୍ୟ ଏବଂ ଗୋପନଗର ମଧ୍ୟ ମହାଶୂନ୍ୟ ଅଟେ ।

 

ବଳରାମ ଦାସ ତାଙ୍କ ‘‘ବ୍ରହ୍ମାଣ୍ଡ ଭୂଗୋଳ’’ରେ ସୃଷ୍ଟିପ୍ରକରଣ ବା ସୃଷ୍ଟି ତତ୍ତ୍ୱରେ ଯେପରି ଲେଖିଛନ୍ତି ବଙ୍ଗଳାର ପାଳରାଜାମାନଙ୍କ ରାଜତ୍ୱକାଳରେ ରହିଥିବା ଶୂନ୍ୟବାଦର ପ୍ରତିଷ୍ଠାତା ରାମାଇ ପଣ୍ଡିତଙ୍କ ଶୂନ୍ୟ ପୁରାଣ ଲେଖାଠାରୁ ପୃଥକ୍ ଅଟେ । ବଳରାମ ଦାସ ଲେଖିଛନ୍ତି –

 

ଏକାଳେ ନ ଥିଲା ସଂସାର ।

ନ ଥିଲା ଚନ୍ଦ୍ର ଦିବାକର ।।

ନ ଥିଲେ ଦିବସ ରଜନୀ ।

ନ ଥିଲେ ଭେଦଭେଦା ମୁନି ।।

ନ ଥିଲେ ଆବର ପବନ ।

ନ ଥିଲେ ଶୁନ୍ୟ ନାରାୟଣ ।।

ନ ଥିଲେ ଦେବାସୁରନର ।

ନ ଥିଲେ ସଂସାର ସାଗର ।।

ନ ଥିଲେ ଅଳ୍ପ ତେଜଜଳ ।

ନ ଥିଲେ ବ୍ରହ୍ମା ବିଷ୍ଣୁହର ।।

ସେ କାଳେ ଶୂନ୍ୟ ମୋର ରୂପ ।

ଏମନ୍ତେ ଗଲାକୋଟି କଛି ।।

ବ୍ରହ୍ମାଣ୍ଡ ମୋର ଗର୍ଭେ ଲେହି ।

ରଖିଲି ବ୍ରହ୍ମରୂପ ହୋଇ ।।

କେହି ନ ଥିଲେ ହେ ଅର୍ଜୁନ ।

ମହାଶୂନ୍ୟରୂପ ମୋର ଜନ୍ମ I।

ଏମନ୍ତେ କେତେଦିନ ଅନ୍ତେ ।

ଦୟା ବସିଲା ମୋର ଚିତେ ।।

ସୃଷ୍ଟି କରିତେ ବାଞ୍ଛା ହେଲା ।

ମୋ’ ଅଙ୍ଗୁ ବିନ୍ଦୁ ଉଛୁଳିଲା ।।

ସେ ବିନ୍ଦୁ ହସ୍ତରେ ଠେଲି ।

ତ୍ରିଅଙ୍ଗୁଳି ଗଲା ବୁଲି ।।

ସେ ବିନ୍ଦୁ ବୀଜ ନାମ ହେଲା ।

ତ୍ରିବୀଜ ରସ ବୋଲାଇଲା ।।

ତ୍ରିବୀଜରୁ ବୀଜ ଦେବ ।

ହୋଇଲେ ବ୍ରହ୍ମା ବିଷ୍ଣୁ ଶିବ ।।”

 

ଯେତେବେଳେ ପୃଥିବୀ ନ ଥିଲା, ଚନ୍ଦ୍ର, ସୂର୍ଯ୍ୟ ନ ଥିଲେ, ଦିନରାତି ନ ଥିଲା, ଜଳ, ସ୍ଥଳ, ଆକାଶ, ପବନ, ତାରା, ମନୁଷ୍ୟ, ଅସୁର, ସାଗର, ଭୂଧର, ଅଗ୍ନି, ଶକ୍ତି ବ୍ରହ୍ମା-ବିଷ୍ଣୁ-ଶିବ ନ ଥିଲେ ସେତେବେଳେ ଶୂନ୍ୟରୂପରେ ମୁଁ କେବଳ ଥିଲି । ମୋ’ ଭିତରେ ବ୍ରହ୍ମନାଦ ଥିଲା । ମୁଁ ମହାଶୂନ୍ୟରୁ ଜାତ ହୋଇଥିଲି । ଏହିପରି କେତେ କୋଟିକଳ୍ପ- କଳ୍ପାନ୍ତର ବିତିଗଲାରୁ ମୋର ହୃଦୟ ଦୟାରେ ବିଗଳିତ ହେଲା । ମୁଁ ସୃଷ୍ଟି କରିବା ଇଚ୍ଛା କରି ମୋ ନିଜ ଦେହରୁ ସୃଷ୍ଟିର ବୀଜଜାତ କଲି ଏବଂ ମୋ’ ଅଙ୍ଗୁଳିରେ ତାହା ଫିଙ୍ଗିଦେଲି । ସେହି ବୀଜ ତିନିଭାଗ ହୋଇ ତିନିଗୁଣ ସୃଷ୍ଟି ହେଲା । ଏବଂ ଏହି ତିନିଗୁଣରୁ ତିନୋଟି ଦେବତା ସୃଷ୍ଟି ହେଲେ । ସେମାନେ ବ୍ରହ୍ମା, ବିଷ୍ଣୁ ଓ ଶିବ ।”

 

ବଳରାମ ଦାସ ତାଙ୍କ ଲିଖିତ ଗଣେଶବିଭୂତି ଟୀକାରେ ସେ ତାଙ୍କ ଶୂନ୍ୟ ପୁରୁଷଙ୍କୁ ବର୍ଣ୍ଣନା କରିଛନ୍ତି-

 

“ଅଣାକାର ରୂପଂ ଶୂନ୍ୟଂ ଶୂନ୍ୟ ମଧ୍ୟେ ନିରଞ୍ଜନଃ ।

ନିରାକାର ମଧ୍ୟେ ଜ୍ୟୋତିଃ ସ ଜ୍ୟୋତିଃ ର୍ଭଗବାନମୟ ।

 

“ଶୂନ୍ୟ ନାନା ରୂପ ପରିଗ୍ରହ କରନ୍ତି ଏବଂ ଶୂନ୍ୟ ମଧ୍ୟରେ ନିରଞ୍ଜନ ରହିଥାନ୍ତି । ନିରଞ୍ଜନଙ୍କର ଦେହରୂପ ନାହିଁ; କିନ୍ତୁ ସେ ଅତି ସୁନ୍ଦର ଓ ଜ୍ୟୋତିର୍ମୟ ପୁରୁଷ ଏବଂ ସେହି ପୁରୁଷଙ୍କ ଭଗବାନ୍ ଆଖ୍ୟା ଦିଆଯାଇଅଛି ।

 

ଅଚ୍ୟୁତାନନ୍ଦ ଦାସଙ୍କ ଲିଖିତ ଶୂନ୍ୟସଂହିତା, ଅନାଦିସଂହିତା, ଅଣାକାର ସଂହିତା ଗ୍ରନ୍ଥମାନଙ୍କରେ ଈଶ୍ଵରଙ୍କୁ ସେ ଅଣାକାର, ନିରାକାର, ନିରଞ୍ଜନ, ଅଜର, ଅନାଦ୍ୟ, ଅକ୍ଷୟ ନାମରେ ନାମିତ କରିଛନ୍ତି । ଭଗବାନଙ୍କୁ ଏହି ବିଶେଷଣପଦଦ୍ଵାରା ଅଚ୍ୟୁତାନନ୍ଦ ଦାସ ଶୂନ୍ୟସାହିତ୍ୟରେ ସମାନାର୍ଥବାଚକ କରିଛନ୍ତି । ଏହି ନାମରେ ଈଶ୍ଵରଙ୍କୁ ପଞ୍ଚସଖାମାନନେ ନାମିତ କରି ଅବ୍ୟକ୍ତ ଈଶ୍ୱରଙ୍କୁ ବ୍ୟକ୍ତ କରିଛନ୍ତି । ସେ କିନ୍ତୁ ଅନ୍ୟାନ୍ୟ ବୌଦ୍ଧଧର୍ମ-ପ୍ରଚାରକଙ୍କ ଭଳି ମନୁଷ୍ୟମନରୁ ଦେବ-ଦେବୀଙ୍କ ପ୍ରତି ଭକ୍ତି ବିଶ୍ୱାସକୁ ନାଶ କରିବାକୁ ଚେଷ୍ଟା କରି ନାହାନ୍ତି । ମନୁଷ୍ୟ ଏବଂ ଶୂନ୍ୟଙ୍କ ମଧ୍ୟରେ ଆଉ ମଧ୍ୟବର୍ତ୍ତୀ ଈଶ୍ଵର ବା ପୂଜନୀୟ କୌଣସି ଦେବ ଦେବୀ ନାହାନ୍ତି ବୋଲି ବୁଦ୍ଧଭିକ୍ଷୁମାନେ ପ୍ରଚାର କରିଥିଲେ । ମାତ୍ର ଏ କ୍ଷେତ୍ରରେ ଅଚ୍ୟୁତାନନ୍ଦ ଏକ ବିଶିଷ୍ଟ ଦୈତବାଦୀଙ୍କ ତୁଲ୍ୟ ଈଶ୍ଵରଙ୍କ ସମ୍ବନ୍ଧରେ ମତବାଦ ପୋଷଣ କରି ତାଙ୍କର ମତାଦର୍ଶର ବୈଶିଷ୍ଟ୍ୟ ଦେଖାଇ ଲେଖିଛନ୍ତି –

 

ବୋଲନ୍ତି ଶୁଣ ବ୍ରଜସୁତ କହିବା ତୋତେ ବୁଝାଇ

ପ୍ରଥମରେ ଗୁରୁବିଦ୍ୟା ପଢ଼ାଅନ୍ତି ବ୍ରହ୍ମନାମ ଦୂରେ ଥୋଇ ।।

ବ୍ରହ୍ମବିଷ୍ଣୁ ରୁଦ୍ର ତା’ପରେ ଦୁର୍ଗାୟେ ପଢ଼ାନ୍ତି ଆଦିଗୁରୁ ।

ସାମ ଯର୍ଜୁ ଋକ୍ ଅଥର୍ବ ଏ ଆଦି ପଢ଼ନ୍ତି ଆଦ୍ୟ ଠାକୁର ।।’’

 

ଆତ୍ମଦର୍ଶୀ ଗୁରୁ ବ୍ରଜସୁତଙ୍କୁ କହୁଛନ୍ତି “ମୁଁ ତୋତେ ସବୁକଥା ବୁଝାଇ କହିବି । ବ୍ରହ୍ମଜ୍ଞାନ ସନ୍ଧାନ କରିବା ଆଗରୁ ଗୁରୁଙ୍କୁ ଲକ୍ଷ୍ୟ ରଖି ବ୍ରହ୍ମଜ୍ଞାନ ଆହରଣ କରିବ । ବ୍ରହ୍ମାବିଷ୍ଣୁ ଶିବ ଦୁର୍ଗା ଏମାନେ ପ୍ରଥମ ଗୁରୁ ଅଟନ୍ତି । ଏମାନେ ଈଶ୍ୱରଙ୍କର ବିଭିନ୍ନ ଗୁଣାତ୍ମକ ବିଭୂତି ଲାଭ କରିଛନ୍ତି । ତୁମେ କ୍ରମେ କ୍ରମେ ମୂଳ ଠାକୁରଙ୍କୁ ସାମ ଯର୍ଜୁ ଋକ୍ ଅଥର୍ବ ବେଦ ପଢ଼ିଲେ ଜାଣି ପାରିବ ।”

 

ଅଚ୍ୟୁତାନନ୍ଦଙ୍କର ଅତ୍ୟନ୍ତ ଉନ୍ନତ ଆଧ୍ୟତ୍ମିକ ଚିନ୍ତାରୁ ସେ ବିଶ୍ୱାସ କରିଥିଲେ ବୃଥା ଶାସ୍ତ୍ର ବହି ପଢ଼ିଲେ କିଛିମାତ୍ର ଜୀବର ଲାଭ ହୁଏ, ନାହିଁ । ଯେଉଁ ଶାସ୍ତ୍ର ବା ପୁସ୍ତକ ପଢ଼ିବ ବୁଦ୍ଧିମାନ୍ ହୋଇ ସେହି ଶାସ୍ତ୍ର ପୁସ୍ତକରୁ ସାରତତ୍ତ୍ୱ ଓ ତଥ୍ୟ ସଂଗ୍ରହ କରି ତାହା ମସ୍ତିଷ୍କ ଏବଂ ହୃଦୟରେ ଗୁଛି ରଖିବ । ଶାସ୍ତ୍ରର ନୀତି ବା ତତ୍ତ୍ୱ କେବଳ ଆମ୍ଭମାନଙ୍କୁ ବ୍ରହ୍ମାଙ୍କ ସହିତ ମିଳିତ କରି ଏକାକାର କରି ବ୍ରହ୍ମରେ ଲୀନ କରି ପାରିବ ।” ସେ ଲେଖିଛନ୍ତି “କୋଡ଼ିଏ ଗୋଟିଏ ଫଳା ପଢ଼ାନ୍ତି ରଜ ତମେ ମନ ରଖି ।” ବ୍ରହ୍ମର ଭେଦ ତହିଁ କିଛି ନ ପାଇ କର୍ମମାର୍ଗ ତୁମେ ବହୁ କଷ୍ଟରେ ଅକ୍ଷର ଓ ଧାର୍ମିକ ଶବ୍ଦମାନ ପଢ଼ି ବୁଝିଲ; କିନ୍ତୁ ତୁମର ମନ ପୂର୍ଣ୍ଣ ଭାବରେ ଅଜ୍ଞାନମୟ ବାସନା ଓ ପ୍ରବୃତ୍ତି ଅଧୀନରେ ନୀଚ ସ୍ତରରେ ରହିଛି । ଏହା ସତ୍ତ୍ୱଗୁଣର ବିରୋଧୀ । ଏବଂ ଶୁଦ୍ଧ ସତ୍ତ୍ୱଗୁଣରେ ତୁମର ମନ ଅଧିଷ୍ଠିତ ନୁହେଁ । ରଜ ଓ ତମୋଗୁଣର ଆଶ୍ରୟୀ ଚିତ୍ତବୃତ୍ତି ଓ ମନ ଆମ୍ଭମାନଙ୍କୁ ନାନାବିଧ କର୍ମସୂତ୍ରର ବନ୍ଧନରେ ବାନ୍ଧିରଖି ମୁକ୍ତିପଥର ପ୍ରତିବନ୍ଧକତା କରୁଛି । ସେହି କାରଣରୁ ତୁମେ ମନକୁ ବସ୍ତୁବିଳାସୀ କର୍ମନିଚୟରେ ନିଯୁକ୍ତ କରିଥିବାରୁ ତୁମେ ପ୍ରକୃତ ବ୍ରହ୍ମଙ୍କର ଅବସ୍ଥିତି ଓ ପ୍ରକୃତିକୁ ବୁଝିବାକୁ ଅକ୍ଷମ ହେଉଛି ।

 

“ଗୀତା ଭାଗବତ ପୁରାଣ ପଢ଼ିବା କହିବା ଚାତୁରୀ ଥିବା ତତ୍ତ୍ୱ ଅଣାକାର ନାମ ବ୍ରହ୍ମଭେଦ ନ ପାଇ ବ୍ୟର୍ଥ ହେବ । ତୁମେ ଯଦି ଯଥାର୍ଥରେ ଜୀବାତ୍ମାର ମୁକ୍ତିକାମନା କରିବାକୁ ବଦ୍ଧପରିକର (ଅଣାକାର ସଂହିତା) ନ ହୁଅ ତେବେ ଗୀତା ଭାଗବତ ପୁରାଣ ପଢ଼ି ମଧ୍ୟ ତୁମର କିଛି ମାତ୍ର ଜ୍ଞାନ ହେବ ନାହିଁ, କେବଳ ଚତୁରତା ଓ ଛଳନା ପ୍ରତାରଣା ଦ୍ୱାରା ସଂସାରୀ ଲୋକମାନଙ୍କୁ ଭୁଲାଇ ଠକାଇବେ । ତୁମର ସବୁ କଷ୍ଟ ବୃଥା ହେବ, ଫଳ ଫଳିବ ନାହିଁ । ତୁମେ କଦାପି ଭଗବାନଙ୍କ ଶୂନ୍ୟ ରୂପର ରହସ୍ୟ ଜାଣି ପାରିବ ନାହିଁ । କି ତାଙ୍କର ରୂପ ଓ ଆକୃତିମାନଙ୍କର ଶୂନ୍ୟତା ବୁଝି ପାରିବେ ନାହିଁ । ଏହାକୁ ନ ଜାଣିଲେ ତୁମେ ବ୍ରହ୍ମଙ୍କ ସମ୍ବନ୍ଧ କିଛି ତତ୍ତ୍ୱ ବୁଝି ପାରିବ ନାହିଁ କି ତାଙ୍କ ସହିତ ଏକତ୍ର ହୋଇ ପାରିବ ନାହିଁ ।

 

ଏଥିରୁ ଜଣାଯାଏ ଯେ ଅଚ୍ୟୁତାନନ୍ଦ ହିନ୍ଦୁଶାସ୍ତ୍ର ପୁରାଣ ଗ୍ରନ୍ଥ ପଢ଼ିବା ସପକ୍ଷରେ ନଥିଲେ ବା ଉତ୍ସାହିତ କରୁ ନ ଥିଲେ । ଆମେ ଦୁନିଆଯାକର ଶାସ୍ତ୍ର ପଢ଼ିଲେ ମଧ୍ୟ ଖୁଦଟିକର ଲାଭ ନାହିଁ । ଯେ ପର୍ଯ୍ୟନ୍ତ ବ୍ରହ୍ମଙ୍କ ନାମ ଓ ନିରାକାର ତତ୍ତ୍ୱ ସମ୍ବନ୍ଧ ଆମର ଜ୍ଞାନ ଲାଭ ହୋଇନାହିଁ । ଆମ୍ଭେମାନେ କେବଳ ଅନ୍ଧକାରମୟ ବାସନା ଓ ପ୍ରବୃତ୍ତି ପଥରେ ଉଣ୍ଡାଳି ହେଉଥିବୁ । ଏକଥା ମଧ୍ୟ କୁହାଯାଇ ପାରେ ଯେ ଲେଖିକଙ୍କର ବ୍ରାହ୍ମଣଙ୍କ କ୍ରିୟା କର୍ମବିଧ ଓ ପଦ୍ଧତିରେ ବିଶ୍ୱାସ ନ ଥିଲା । ଯଦିଓ ସେ ପୂରାପୂରି ନିଜକୁ ଏହି ବ୍ରାହ୍ମଣଙ୍କ ବିଧି ବିଧାନ ସ୍ମାର୍ତ୍ତ ଧର୍ମରୁ ମୁକୁଳାଇ ପାରି ନଥିଲେ ।

 

ତାଙ୍କର ଶାସ୍ତ୍ରଗ୍ରନ୍ଥ ଶେଷରେ ସେ ପ୍ରଧାନତଃ ଶ୍ରୀକୃଷ୍ଣଙ୍କର ନାମ ଗାୟନ କରିବାକୁ ଲେଖିଛନ୍ତି । ଅଣାକାର-ସଂହିତାରେ ବିଶେଷତଃ ଶ୍ରୀକୃଷ୍ଣଙ୍କ ମହିମା ଓ ତାଙ୍କୁ ଭକ୍ତି ପୂଜା କରିବାକୁ ସେ ଲେଖିଛନ୍ତି । ଅଚ୍ୟୁତାନନ୍ଦଙ୍କ ଶ୍ରୀକୃଷ୍ଣ କିନ୍ତୁ ବୈଷ୍ଣବମାନଙ୍କ ବର୍ଣ୍ଣିତ ଶ୍ରୀକୃଷ୍ଣ ନୁହନ୍ତି । ଏହା ଏକ ଛଦ୍ମଭାବରେ ବର୍ଣ୍ଣନା ମାତ୍ର । ସେ ବୌଦ୍ଧମାନଙ୍କର ଅଣାକାର ଶୂନ୍ୟ ପୁରୁଷଙ୍କ ଭକ୍ତ ଓ ପୂଜାରୀ ଅଟନ୍ତି । କେବଳ ଈର୍ଷାପର ସ୍ମାର୍ତ୍ତ ବ୍ରାହ୍ମଣମାନଙ୍କ ଚକ୍ଷୁରେ ଧୂଳି ନିକ୍ଷେପ କରିବା ପାଇଁ ସେ ଏପରି କୃଷ୍ଣଙ୍କର ଭକ୍ତି ମହିମା କଥା ବର୍ଣ୍ଣନା କରିଥିଲେ । ଏହି ତାଙ୍କ ଲିଖିତ ପୁସ୍ତକତତ୍ତ୍ୱ ଉପଲବ୍‍ଧି କଲେ ସେ ତହିରେ ମଝିରେ ମଝିରେ ଯେପରି ଶୂନ୍ୟବାଦର ଉପସ୍ଥାପନା କରିଛନ୍ତି ସେ ଯେ ବୁଦ୍ଧଙ୍କ ଧର୍ମ ଅନୁସାରୀ ଥିଲେ ଏହା ହିଁ ପ୍ରମାଣିତ ହୁଏ । ଶ୍ରୀକୃଷ୍ଣଙ୍କ ଭକ୍ତିତତ୍ତ୍ୱ ଆଦି ତାଙ୍କ ପୁସ୍ତକରେ ବିଶଦଭାବରେ ଲେଖା ଥିବାରୁ ତାଙ୍କୁ ସାଧାରଣତଃ ସମସ୍ତେ ବୈଷ୍ଣବଧର୍ମୀ ବୋଲି ଧରି ନିଅନ୍ତି; କିନ୍ତୁ ତାଙ୍କ ଲେଖା ଅନୁଧ୍ୟାନ କରି ତଳେଇ କରି ପଢ଼ିଲେ ଅଚ୍ୟୁତାନନ୍ଦ ଦାସ ଯେ ବୈଷ୍ଣବ କବି ନ ଥିଲେ ଶୂନ୍ୟ ସାଧକ ଓ ଶୂନ୍ୟବାଦର କବି ଥିଲେ ଏହା ହିଁ ପ୍ରତୀତ ହୁଏ । ସେ ଲେଖିଛନ୍ତି –

 

“ଅଣାକାର ଯେ ଶ୍ରୀ ବ୍ରହ୍ମସଂହିତା ଗ୍ରନ୍ଥ ମନେ କର ସାର ।

ଶ୍ରୀକୃଷ୍ଣ ଚରଣେ ଶରଣ ପଶିଲା ଦିନ ଅଚ୍ୟୁତ ପାମର ।।

ଛତ୍ରିଶ ସଂହିତା ଅଷ୍ଟୋତ୍ତର ଗୀତା ବଂଶାନୁସପ୍ତବାସରେ ।

ଉପବଂଶାନୁଦ୍ୱାବିଂଶ ଖଣ୍ଡ ଘେନି ଭବିଷ୍ୟ ତେରଖଣ୍ଡରେ ।।

ପଦ ପଦାବଳୀ ଲକ୍ଷ ଲକ୍ଷ ଗ୍ରନ୍ଥ

ସବୁ ଶ୍ରୀକୃଷ୍ଣ ମହିମା ।

ତୋ ଆଗେ କହିଲୁଁ ବ୍ରଜକୁମାର

ବ୍ରହ୍ମ ସାରସ୍ୱତ ସୀମା ।।

ଏ ଅଧ୍ୟାୟ ଗୁପତ କରି ରଖିଲୁ

ବେଳରେ ହେବ ପ୍ରକାଶ ।

ଶ୍ରୀକୃଷ୍ଣ ଚରଣେ ଶରଣ ପଶିଲା

ପାମର ଅଚ୍ୟୁତ ଦାସ ।।

ବ୍ରଜକୁଳ ତାରି ଆପଣେ ତରିବି

ଶ୍ରୀକୃଷ୍ଣ ସହାୟ ହୋଇଛି ।

ଅବ୍ୟକ୍ତ ହରି ଅଣାକାର ପୂରି

ତେଣୁ ପଦ ପୂରିଅଛି ।।”

 

କେବଳ ବହ୍ମ ସଂହିତା ପୁସ୍ତରେ ଲିଖିତ ଅଣାକାରଙ୍କୁ ଚିନ୍ତାକର । ମୁଁ ଦୀନପାମର ଅଚ୍ୟୁତ ଦାସ ତୁମ୍ଭମାନଙ୍କୁ ଏହି ପରାମର୍ଶ ଦେଇ କହୁଛି ଯେ ମୁଁ କୃଷ୍ଣ ପାଦରେ ଶରଣାଗତ ହୋଇଛି । ସବୁ ଶାସ୍ତ୍ର ଛତ୍ରିଶ ସଂହିତା, ଶହେ ଆଠ ଗୀତା, ସାତଖଣ୍ଡ ବଂଶାନୁଚରିତ, ବାଇଶି ଖଣ୍ଡ ଉପବଂଶାନୁଚରିତ, ତେରଖଣ୍ଡ ଭବିଷ୍ୟ, ସବୁ ଗୀତ ପଦ୍ୟ ଧର୍ମ ଭଜନ ଗୀତ ଶହେ ହଜାର ଅନ୍ୟାନ୍ୟ ବହିରେ ଶ୍ରୀକୃଷ୍ଣଙ୍କ ମହିମା କୀର୍ତ୍ତିତ ହୋଇଛି । ହେ ବ୍ରଜସୁତ ! (କୃଷ୍ଣଭକ୍ତ) ମୁଁ ତୁମକୁ ବ୍ରହ୍ମସାରସ୍ୱତ ଗୀତା ପ୍ରସଙ୍ଗ କହିଛି; କିନ୍ତୁ ଏଥି ମଧ୍ୟରୁ ଗୋଟିଏ ଅଧ୍ୟାୟ ମୁଁ ତୁମଠାରୁ ଗୁପ୍ତ କରି ରଖିଛି, (ବୋଧହୁଏ କୃଷ୍ଣଙ୍କ ତତ୍ତ୍ୱ ବିଷୟ) । ଏହା ପରେ ପ୍ରକାଶିତ ହେବ । ବର୍ତ୍ତମାନ ଏ ଦୀନ ଅଧମ ଅଚ୍ୟୁତ ଦାସ ତୁମଠାରୁ ବିଦାୟ ନେଇ ଶ୍ରୀକୃଷ୍ଣଙ୍କୁ ପାଦରେ ଶରଣ ପଶୁଛି ଓ ତାଙ୍କୁ । ଆତ୍ମସମର୍ପଣ କରୁଛି । ପୁଣି ତାଙ୍କ ମହିମାରେ କେବଳ ମୁଁ ନୁହେଁ ସବୁ ବ୍ରଜସୁତମାନେ ରକ୍ଷା ପାଇବେ । ଅଣାକାରଙ୍କ ମଧ୍ୟରେ ହରି ପ୍ରକାଶିତ ଅଛନ୍ତି ଏବଂ ଅଚ୍ୟୁତ ତାଙ୍କ ଦୟା ଭିକ୍ଷା କରି ତାଙ୍କ ନିକଟରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଛି ।

 

ଏହି ପୂର୍ବୋକ୍ତ ପଦ୍ୟାବଳୀରୁ ଜଣାଯାଏ ଯେ ଏହି ଶ୍ରେଣୀର ବୈଷ୍ଣବ କବିମାନେ ହିନ୍ଦୁଙ୍କ ପୁରାଣ ବେଦକୁ ବିଶେଷ ମୂଲ୍ୟ ଦେଇ ଗ୍ରାହ୍ୟ କରୁ ନଥିଲେ । ସେମାନଙ୍କର ସ୍ଵତନ୍ତ୍ର ଶାସ୍ତ୍ର ଥିଲା, ଯାହାକୁ ସେମାନଙ୍କ ଭିତରେ ବିଖ୍ୟାତ ଭକ୍ତ କବିମାନେ ଲେଖିଥିଲେ । ସେମାନଙ୍କ ମତରେ ମୋକ୍ଷଲାଭ ବା ଜୀବର ଉଦ୍ଧାର ପାଇଁ ବିଶିଷ୍ଟ ନୀତି ଓ ବିଧିବିଧାନମାନ ସ୍ଵତନ୍ତ୍ର ଭାବରେ ରହିଅଛି ।

 

ସେହି କବିମାନେ ଯେପରି ଅବଗୁଣନ ଦେଇ ସେମାନଙ୍କ ମତ ପ୍ରତିପାଦନ କଲେ ସୁଦ୍ଧା ସମୟ ସମୟରେ ସେମାନଙ୍କ ହୃଦୟ ଉତ୍ସାରିତ ବିଶ୍ଵାସ ଧାରଣା ଓ ଭାବନା ମୁକ୍ତସ୍ରୋତ ଭଳି ବହି ଯାଇଛି । ‘‘ବିଷ୍ଣୁଗର୍ଭ’’ ଲେଖକ ଭକ୍ତକବି ଚୈତନ୍ୟ ଦାସ ଲେଖିଛନ୍ତି –

 

“ଅଗୋଚର ପୁରୁଷ ସେ ନାହି ରୂପବର୍ଣ୍ଣ ।

ଏଥି ତ ନାହିଁ ତା’ର ଅଟେ ମହାଶୂନ୍ୟ ।।

ରୂପବର୍ଣ୍ଣ ନ ହୋଇ ସେ ଅରୂପ ତା’ର ଦେହୀ ।

ଶୂନ୍ୟର ସଙ୍ଗତେ ସେ ଶୂନ୍ୟ ହୋଇଥାଇ ।।

ଅରୂପ ଅବର୍ଣ୍ଣ ସେ ଲକ୍ଷ୍ୟ ଦେବାକୁ ନୋହିବ ଉପମା ।

ଚୌଦ ବ୍ରହ୍ମାଣ୍ଡ ଖୋଜିଲେ ନାହିଁ ପ୍ରତିସୀମା ।।

ପ୍ରତିତୁଲ୍ୟ ଲକ୍ଷ୍ୟ ସେ ନ ଆସିଲେ କାହିଁ ।

ଏସନ ମହିମା ସେ ଅଲେଖର ଦେହୀ ।।

ଶୂନ୍ୟ ସଙ୍ଗତରେ ଶୂନ୍ୟ ଶୂନ୍ୟ ଶୂନ୍ୟ ରୂପୀ ।

ଶୂନ୍ୟ ସଙ୍ଗତେ ମଶଅଛି ସକଳ ସ୍ଥାନ ବ୍ୟାପି ।।

ଶୂନ୍ୟ ହିଁ ଟି ଅଟଇ ନିଜ ଘର ।

ଶୂନ୍ୟରେ ଥାଇ ସେ ଶୂନ୍ୟ କରଇ ବିହାର ।

(ବିଷ୍ଣୁଗର୍ଭପୁରାଣ)

 

“ତାଙ୍କର ରୂପରେଖ ନଥିଲେ ସୁଦ୍ଧା ସେ ଅଭିଜ୍ଞତାର ଅଧୀନ ବା ପ୍ରତୀତ ନୁହନ୍ତି । ତାଙ୍କ ଛଡ଼ା ଓ ତାଙ୍କ ଉପରେ ମହାଶୂନ୍ୟଙ୍କ ଛଡ଼ା କେହି ନାହିଁ । ତାଙ୍କର ଦେହ କି ବର୍ଣ୍ଣ ନାହିଁ – ତାଙ୍କର ଦେହର ରୂପ ନାହିଁ କି ଆକାର ନାହିଁ । ସେ ନିଜେ ଶୂନ୍ୟ ଏବଂ ଶୂନ୍ୟରେ ମିଳିତ ଅଛନ୍ତି । ତାଙ୍କର ରୂପରେଖ ବର୍ଣ୍ଣ ନାହିଁ, କିନ୍ତୁ ସେ ସହସ୍ର ଦେବତାଙ୍କ ଭିତରେ ଓ ଚୌଦ ଭୁବନରେ ଖୋଜିଲେ ମଧ୍ୟ ତାଙ୍କ ସହିତ ସମାନ ହେବାକୁ କେହି ନାହି; ସେ ଅସୀମ ଅଟନ୍ତି ଓ ନିରାକାର ବିରାଟ ମହାପୁରଷ ଅଟନ୍ତି । ସେ ଶୁନ୍ୟରେ ମିଶିଛନ୍ତି ଓ ନିଜେ ଶୂନ୍ୟ । ସେ ଆକାଶସ୍ଥାନର ଉର୍ଦ୍ଧ୍ୱରେ ଅଛନ୍ତି । ତାଙ୍କ ଘର ଶୂନ୍ୟରେ । ସେଠାରେ ସେ ରହନ୍ତି ଓ ଶୂନ୍ୟରେ ହିଁ ତାଙ୍କର ପ୍ରକାଶ ।

 

ଏହାଠାରୁ ବୌଦ୍ଧମତର ଦୃଢ଼ପ୍ରତ୍ୟୟ ସମ୍ବନ୍ଧରେ ବେଶି କିଛି ପ୍ରମାଣ ଅଛି କି ? ଏଠାରେ ଲେଖକ ସକଳ ଭୟ ଆତଙ୍କ ଛାଡ଼ି ଶୂନ୍ୟ-ମତବାଦୀ ବୋଲି ନିଜକୁ ସାହସିକତା ସହିତ ପ୍ରକାଶ କରିଛନ୍ତି । କେବଳ ଚୈତନ୍ୟ ଦାସ ପ୍ରମୁଖ ଭକ୍ତ କବିମାନଙ୍କ ପଦାବଳୀରୁ ସେମାନଙ୍କ ବୌଦ୍ଧଧର୍ମ ବିଶ୍ୱାସ କଥା ଯେ ଜଣା ପଡ଼ୁଛି ତା ନୁହେଁ । ସେମାନଙ୍କ ଶାସ୍ତ୍ର ଲେଖାରେ ଅସଂଖ୍ୟ ମଣିରତ୍ନ ନଦୀକୂଳରେ ବିଛୁଡ଼ି ପଡ଼ିଛି । ତାକୁ କେହି ଗୋଟେଇ ପରଖିଲେ ଜାଣିବ ଯେ ସେହି ମୂଲ୍ୟବାନ୍ ପ୍ରସ୍ତରରାଜି ବୌଦ୍ଧଧର୍ମମତର ଆକାର ପ୍ରକାରରେ ନିର୍ମିତ ହୋଇଛି ।

 

ବଳରାମ ଦାସ ତାଙ୍କ ବ୍ରହ୍ମାଣ୍ଡଭୂଗୋଳ ଗୀତାରେ ଅର୍ଜୁନଙ୍କୁ ଡାକି କହୁଛନ୍ତି –

 

“ଶୁଣ ଅର୍ଜୁନ ମନ ଦେଇ

କହିବା ଭାଗବତ ଫେଇ ।

ମହାଶୂନ୍ୟରୁ ଶୂନ୍ୟ ହେଲା

ସେ ଶୂନ୍ୟ ଫଳ ମୋହ ହେଲା ।।

(୨ୟ ଅଧାୟ)

 

“ନିଗମ ବୋଲି ଯାହା କହି ।

ମହାଶୂନ୍ୟଟି ସେ ଅଟଇ ।

ବେଦ ଯହିଁକି ନ ଗମିଲା

ତେଣୁ ନିଗମ ନାମ ହେଲା ।

କଳ୍ପତରୁଟି ଯାହା କହି

ନିରାକାରଟି ରୂପ ସେହି ।

ସେଠାରୁ ରସ ବୀଜ ଗଳି ।

ସେ ରୂପ ବୀଜ ଫଳ ଫଳି ।।

ଏକ ବୋଲି ତା ଯାହା କହି ।

ସୁଧାରସଟି ସେ ଅଟଇ ।”

(ଚତୁର୍ଥ ଅଧ୍ୟାୟ)      

 

ହେ ଅର୍ଜୁନ ମନ ଦେଇ ଶୁଣ । ମୁଁ ତୁମକୁ ଭାଗବତତତ୍ତ୍ୱ କଥା କହୁଛି । ମହାଶୂନ୍ୟରୁ ଶୂନ୍ୟ ଜାତ ହେଲେ ଏବଂ ଏମାନଙ୍କଠାରୁ ଭୟଙ୍କର ମୋହ ମଧ୍ୟ ଜାତ ହେଲା । (ଦ୍ଵିତୀୟ ଅଧ୍ୟାୟ) ମହାଶୂନ୍ୟକୁ ହିଁ ନିଗମ ବୋଲି କହନ୍ତି ଏବଂ ନିଗମ ମହାଶୂନ୍ୟରୁ ଜାତ । ବେଦ ତାଙ୍କୁ ଛୁଇଁ ପାରେ ନାହିଁ ବୋଲି ବେଦକୁ ନିଗମ ବୋଲି କହନ୍ତି । କଳ୍ପତରୁ ପ୍ରକୃତରେ ଶୂନ୍ୟରୂପୀଙ୍କ ପ୍ରତୀକ ।

 

ଉପରୋକ୍ତ ପଦାବଳୀରୁ ସ୍ପଷ୍ଟ ଜଣାଯାଉଛି ଷୋଡ଼ଶ ଶତାବ୍ଦୀର ଏହି ଭକ୍ତ କବିମାନେ ସମସ୍ତେ ଶୂନ୍ୟବାଦୀ ସାଧକ ଥିଲେ ଏବଂ ଶୂନ୍ୟସାଧକ ଶୂନ୍ୟ ଭଜନ ସେମାନଙ୍କ ଆଧାର୍ତ୍ତିକ ଉପଲବ୍ଧି ତଥା ସିଦ୍ଧିର ପଥ ଥିଲା । ସେମାନେ ବୌଦ୍ଧ ଧର୍ମର ମାଧ୍ୟମିକ ଦର୍ଶନତତ୍ତ୍ୱର ଦାର୍ଶନିକ ମୁନି ଥିଲେ ଏବଂ ଏହି ଧର୍ମମତର ଉନ୍ନତତମ ପ୍ରେରଣା ସେମାନଙ୍କୁ ସିଦ୍ଧି ସ୍ତରରେ ପହଞ୍ଚାଇ ଥିଲା-। ପଞ୍ଚସଖା ଓ ବଳରାମ ଦାସଙ୍କ ଦର୍ଶନ ସାହିତ୍ୟରେ ଯଦିଓ ହିନ୍ଦୁ-ଦର୍ଶନ- ଶାସ୍ତ୍ର ଲିଖିତ ଜ୍ଞାନତତ୍ତ୍ୱ, ହରିଭକ୍ତି, କୃଷ୍ଣ କଥା, ଭାଗବତ, ନିଗମ, ଶବ୍ଦାଦିର ବହୁ ପ୍ରକାଶ ଏବଂ ବ୍ୟାଖ୍ୟା ଦେଖାଯାଏ ତଥାପି ଏଥିରେ ସନ୍ଦେହ ନାହିଁ ଯେ ସେମାନେ ଏପରି ଶବ୍ଦପ୍ରୟୋଗ ଓ ବ୍ୟାଖ୍ୟା କରିଥିଲେ ମଧ୍ୟ ମହାଶୂନ୍ୟ ହିଁ ସେମାନଙ୍କର ଇଷ୍ଟ ଦେବତା ଓ ଉପାସନା ଆଧାର ଥିଲେ ଏବଂ ସେହି ଶୂନ୍ୟବାଦ କଳ୍ପନାରୁ ହିଁ ସେମାନଙ୍କ ସାହିତ୍ୟ ଉତ୍ସାରିତ ତଥା ବ୍ୟକ୍ତ ହୋଇଛି । ସେମାନେ ଶୂନ୍ୟଧର୍ମୀ ଥିଲେ । ବଳରାମ ଦାସ ନିର୍ଭୁଲ ଭାବରେ ଉପରୋକ୍ତ ପଦ୍ୟାବଳୀରେ ଏହା ଦର୍ଶାଇ ଅଛନ୍ତି ଏବଂ ଅନ୍ୟସବୁ ହିନ୍ଦୁଧର୍ମ ଓ ଦେବତାଙ୍କ ବ୍ୟାଖ୍ୟାକୁ ସେପରି ମୂଲ୍ୟ ଦେଇ ନାହାନ୍ତି । ସେ ଲେଖିଛନ୍ତି ଭଗବାନଙ୍କୁ ଯେଉଁ ନାମରେ ଓ ଗୁଣରେ ଆମେ ପ୍ରଖ୍ୟାତ କଲେ ସୁଦ୍ଧା ତାହା ମହାଶୂନ୍ୟରୁ ସମ୍ମତ ଏବଂ ଓଁକାର ତାହାର ପ୍ରତୀକ । ସେହି ଓଁକାର ଶୂନ୍ୟର ପ୍ରତୀକ ଅଟେ । ଅଥବା ଶୂନ୍ୟ ସ୍ୱରୂପ । ସେହି ବୈଷ୍ଣବ କବିମାନଙ୍କ ଲେଖାରେ ଦେଖାଯାଏ ଭଗବାନଙ୍କର ନାମକୁ ସେମାନେ ଜଗତର ମୂଳତତ୍ତ୍ୱ ବୋଲି ଲେଖିଛନ୍ତି । ବଳରାମ ଦାସ ତାଙ୍କ ଲିଖିତ ଗୁପ୍ତ ଗୀତାରେ “ବାଚାଟିକା ଲେଖିଛନ୍ତି” (ଏହି ଗୁପ୍ତ ଗୀତାରେ “ପ୍ରଳମ୍ବଗୀତା”ର ଅଂଶ ସନ୍ନିବିଷ୍ଟ)

 

ଶୁଣି ଅର୍ଜ୍ଜୁ ତୃପତି ହୋଇଲା

ଚରଣତଳେ ପଡ଼ି ପଚାରିଲା ।୪୨।

ଗୁପତ ଗୀତାଏ ହୋଇଲେ ଗୁପତ ।

କଳିରେ କେମନ୍ତ ହୋଇବ ଭକତ ।୪୩।

କାହା ମୁଖରେ ଏହା କହାଇବ ।

ଏ କଥା ପ୍ରଭୁ ମୋତେ ଆଜ୍ଞା ହେବ ।୪୪।

ଶ୍ରୀହରି ବୋଇଲେ ଶୁଣ ଅର୍ଜୁନ ।

ପ୍ରଦ୍ୟୁମ୍ନ ଅଟଇ ମୋର ନନ୍ଦନ ।୪୫।

ତାହାର ସୁତ ଅନିରୁଦ୍ଧ ହେବ ।

ସେ ପୁଣି କାଳରେ କ୍ଷୟ ହୋଇବ ।୪୬।

ମୁଁ ଏ ବେଦରୁ ବ୍ରହ୍ମ-ଅବତାର ।

କଳିଯୁଗେ ଦାରୁବ୍ରହ୍ମ ଶରୀର ।୪୭।

ପ୍ରତାପରୁଦ୍ର ନାମେ ହେବ ରାୟେ ।

କହଇ ତୋତେ ସେ କାଳ ସଂଶୟ ।୪୮।

ସୋମନାଥ ନାମେ ପୁତ୍ର ତାହାର ।

ଅନୁରୂପ ଜାତ ତାହାର ଘର ।୪୯।

ଯମୁନା ନାମେ ତାହାର ଭାରିଯା ।

ଅନିରୁଦ୍ଧ ହେବ ତାହାର ତନୁଜା ।୫୦।

ତାହାର ନାମ ବଳରାମ ଦାସ ।

ଗୁପତ ଗୀତା ଅଧାୟେ ପ୍ରକାଶ ।୫୧।

ବଳରାମ ଦାସ ଗୁପତ କରି ।

ଅଧ୍ୟାୟ କରି ସେହୁ ଯେବେ ମରି ।୫୨।

ତା ମୁଖେ କହାଇବ ଗୀତା ରସ ।

ଭାବରେ ଭଣିଲେ ବଳରାମ ଦାସ ।୫୩।

(୩୫ ଅଧ୍ୟାୟ)

 

ଅର୍ଜୁନ ଆନନ୍ଦରେ କୃଷ୍ଣପାଦରେ ପଡ଼ି ପଚାରିଲେ “ଏ ଗୁପ୍ତ ଗୀତା କିପରି ପ୍ରକାଶିତ ହେବ ? ଆପଣ କାହା ମୁଖରେ ଏହି ତତ୍ତ୍ୱକଥା ପ୍ରକାଶ କରିବେ ?” ଶ୍ରୀହରି କହିଲେ “ଶୁଣ ଅର୍ଜୁନ, ମୋର (ଭକ୍ତ) ପ୍ରିୟ ପୁତ୍ରର ନାମ ପ୍ରଦ୍ୟୁମ୍ନ ଓ ତା’ର ପୁଅ ନାମ ଅନିରୁଦ୍ଧ । ସେ ମଧ୍ୟ ତା’ର ବେଳ ଆସିଲେ ଚାଲିଯିବ । ମୁଁ ଯାହାକୁ ବେଦବ୍ରହ୍ମ ବୋଲି ଲେଖିଛି ସେ କଳିଯୁଗରେ ଦାରୁବ୍ରହ୍ମ (ଜଗନ୍ନାଥ) ମୂର୍ତ୍ତି ଧରିବ । ସେତେବେଳେ ପ୍ରତାପରୁଦ୍ର ନାମରେ ରାଜା ଥିବେ । ତାଙ୍କ ସମୟରେ ସୋମନାଥଠାରୁ ଯମୁନା-ଗର୍ଭରୁ ଅନିରୁଦ୍ଧ ଜନ୍ମ ହେବ । (ଗୁପ୍ତଗୀତାର ଏକ ଅଧାୟରେ ଲିଖିତ) ସେହି ଅନିରୁଦ୍ଧଙ୍କ ପୁଅ ବଳରାମ ଦାସ ହେବେ ଏବଂ ତାଙ୍କରି ମୁଖରୁ ଏହି ଗୁପ୍ତଗୀତାର ସୁଧା ନିଝର ଝରିବ ।”

 

ବଳରାମ ଦାସ “ପ୍ରଣବଗୀତା” ରେ ଯାହା ଲେଖିଛନ୍ତି ତାହା ପ୍ରଣିଧାନ ଯୋଗ୍ୟ ଅଟେ । ତାହା ଅତି ମାର୍ମିକ ଏବଂ ବାସ୍ତବ । ବ୍ରାହ୍ମଣମାନେ ବେଦାନ୍ତ ଶାସ୍ତ୍ର ପ୍ରତିଷ୍ଠିତ ମୋର ମତ ଆଲୋଚନାମାନ ମୁକ୍ତି ମଣ୍ଡପରେ ବସି ଶୁଣିଲେ । ଯେତେବେଳେ ସେମାନେ ଜାଣିଲେ ଏହି ଦାର୍ଶନିକ ମତର ବ୍ୟାଖ୍ୟାକାର ଓ ପ୍ରଖ୍ୟାତା ମୁଁ ଏବଂ ମୋ ଦ୍ଵାରା ଏହି ଦର୍ଶନତତ୍ତ୍ୱ ପ୍ରଚାରିତ ହେଉଛି, ସେତେବେଳେ ମୁକ୍ତିମଣ୍ଡପରେ ଥିବା ବ୍ରାହ୍ମଣମାନେ ମୋ ପ୍ରତି ଗାଳି ଅପମାନର ସୁଅ ଛୁଟାଇ ଦେଲେ । ସେମାନଙ୍କ ସବୁ କ୍ରୋଧ ମୋ ଉପରେ ଅଜାଡ଼ି ହୋଇଗଲା । ଏପରି କି ମହାରାଜା ପ୍ରତାପରୁଦ୍ର ମୋ’ ଉପରେ କ୍ରୋଧ ପ୍ରଜ୍ଜ୍ୱଳିତ ହୋଇ ଭର୍ତ୍ସନା କରି କହିଲେ, ତୁମେ ଶୁଦ୍ର ହୋଇ ବେଦର ତତ୍ତ୍ୱ ଆଲାଚନା କରିବାରେ ଓଁକାର ଉଚ୍ଚାରଣ କରିବାରେ ତୁମର କି ଅଧିକାର ଅଛି ?” ତୁମର ଏପରି ବେଦଶାସ୍ତ୍ର ଆଲୋଚନା କରିବା ପ୍ରଣବ ଶବ୍ଦ ଉଚ୍ଚାରଣ କରିବା ଅବିଧେ ଅକର୍ତ୍ତବ୍ୟ ଅଟେ । ଏହା ଶୁଣି ମୁଁ ମୃଦୁ ହାସରେ ଉତ୍ତର ଦେଲି “ହେ ମନୁଷ୍ୟଙ୍କ ରକ୍ଷାକାରୀ ମହାରାଜା ଶ୍ରୀପତି ଗଜପତି ! (ଭାଗ୍ୟଶାଳୀ ଓ ଲକ୍ଷ୍ମୀଙ୍କ ପତି) ମୋ କଥା ଶୁଣନ୍ତୁ । ଶ୍ରୀ ଲକ୍ଷ୍ମୀ; ବା ଭାଗ୍ୟ କାହାରି ଏକଚାଟିଆ ଜନ୍ମଗତ ସମ୍ପତ୍ତି ନୁହେଁ । ସୌଭାଗ୍ୟ କାହାରି ଚିରନ୍ତନ ଅଧିକାର ଭିତରେ ଆବଦ୍ଧ ନୁହେଁ । ଯେ ଯଥାର୍ଥ ଧାର୍ମିକ ବ୍ୟକ୍ତି ସେ ବ୍ରାହ୍ମଣ ବା ଚଣ୍ଡାଳ ହୋଇ ଜନ୍ମିଥିଲେ ମଧ୍ୟ ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କର ଅଟନ୍ତି । ଏବଂ ସମସ୍ତଙ୍କ ପ୍ରତି ଦୟାଶୀଳ । ଜଗନ୍ନାଥ କାହାରି ଏକଚାଟିଆ ସମ୍ପତ୍ତି ନୁହନ୍ତି । ବ୍ରାହ୍ମଣମାନେ ଦମ୍ଭ ଗର୍ବରେ କେବଳ କହନ୍ତି ଯେ ଜଗନ୍ନାଥଙ୍କ ଉପରେ ସେମାନଙ୍କର କେବଳ ଅଧିକାର ଅଛି ଆଉ କେଉଁ ଜାତିର ନାହିଁ । ଏହା ସେମାନଙ୍କର ଅଜ୍ଞାନପ୍ରସୂତି ମୋହର ଫଳ । ସେହି ବ୍ରାହ୍ମଣମାନଙ୍କ ମତ ଓ ସିଦ୍ଧାନ୍ତର କୌଣସି ମୂଲ୍ୟ ନାହିଁ । ସେମାନଙ୍କର ଏହି ପ୍ରଳାପ ବିଅର୍ଥ । ମୋର ଦାର୍ଶନିକ ତତ୍ତ୍ୱସିଦ୍ଧାନ୍ତମାନଙ୍କୁ ସମର୍ଥିତ ଓ ପ୍ରତିଷ୍ଠିତ କରିବାକୁ ବେଦଶାସ୍ତ୍ରର ଶ୍ଳୋକଦ୍ଵାରା ପ୍ରମାଣିତ କରିପାରେ ।” ବ୍ରାହ୍ମଣମାନେ ମୋର ରାଜାଙ୍କୁ କହିବା କଥା ଶୁଣି କ୍ରୋଧରେ ଉନ୍ମତ୍ତ ହୋଇ ଚିତ୍କାର କରି ରାଜା ପ୍ରତାପରୁଦ୍ରଙ୍କୁ କହିଲେ, “ମହାରାଜ ! ତାକୁ ବର୍ତ୍ତମାନ ତା’ର ଧର୍ମ ସିଦ୍ଧାନ୍ତକୁ ପ୍ରମାଣ କରିବାକୁ ହୁକୁମ ଦିଅନ୍ତୁ ।” ରାଜା ମୋତେ କହିଲେ ହେ ବୈଷ୍ଣବ ତୁମର ଦାର୍ଶନିକ ଧର୍ମମତକୁ ପ୍ରମାଣ କରି ତୁମର ସମ୍ମାନ ରଖିବାକୁ ପ୍ରସ୍ତୁତ ହୁଅ । ମୁଁ କହିଲି “ମହାରାଜ ! ମୁଁ ଦେଖୁଛି ଆପଣ ଅତି ବିରକ୍ତ ଓ କ୍ରୋଧ ହୋଇଛନ୍ତି । ଯାହାହେଉ, ଆପଣ ଧୀରସ୍ଥିର ଓ ଶାନ୍ତ ହୋଇ ଆପଣଙ୍କର ସମସ୍ତ ବ୍ରାହ୍ମଣ ସୈନ୍ୟ ସାମନ୍ତମାନଙ୍କୁ ନେଇ ରାଜନଅରକୁ ଯାଆନ୍ତୁ । ଈଶ୍ୱରଙ୍କ କୃପାରୁ ସେ (ମୁଁ) ଆପଣଙ୍କୁ ବେଦ-ବେଦାନ୍ତ ଶାସ୍ତ୍ରମାନଙ୍କର ଅର୍ଥ କରି ସମସ୍ତ ତତ୍ତ୍ୱ ବୁଝାଇ ପ୍ରତିପାଦନ କରିଦେବେ । ଏହା ଶୁଣି ମହାରାଜ ନିଜ ମନକୁ ତତ୍ତ୍ୱ ବିଚାର ସମ୍ବନ୍ଧରେ ଅତିଶୟ ଦୃଢ଼ କରି ବିଜୟ ଗର୍ବରେ ଉଆସକୁ ଚାଲିଗଲେ, ସେହି ସମୟରେ ବିଶୋଇ (ପରାମର୍ଶଦାତା) ଛାମୁକରଣ (ଘରେଇ ସମ୍ପାଦକ, ଗୁମାସ୍ତା) ନିକଟକୁ ଯାଇ ଏହି ଘଟଣା କଥା ସବୁ କହିଲେ । ଭୟରେ ମୁଁ ଘରକୁ ନ ଫେରି ଗୋଟିଏ ବରଗଛ ମୂଳରେ ରହିଲି-। ରାତି ଅଧରେ ନରହରି ସ୍ମିତ ହାସରେ ଆନନ୍ଦିତ ହୋଇ ମୋତେ କହିଲେ, “ମୁଁ ସବୁବେଳେ ସହସ୍ରଦଳପଦ୍ମ-ହୃଦୟରେ ରହିଥାଏ । ଏହା ନ ଜାଣି ନ ବୁଝି ରାଜା ଓ ବ୍ରାହ୍ମଣମାନେ ମୋ ଭକ୍ତ ସହିତ କଳିତକରାଳ କରୁଛନ୍ତି । ସୋମନେ ଜାଣନ୍ତି ନାହିଁ ଯେ ଭକ୍ତ ମୋର ଜୀବନ ।” ଏହା କହି ସେ ଅନ୍ତର୍ଦ୍ଧାନ ହେଲେ । ରାତି ପାହି ସକାଳ ହେଲା । ମୋ’ର ବାଜି କଥା ରାଜା ଭୁଲି ନ ଥାନ୍ତି । ସେ ବିପ୍ରମାନଙ୍କ ସହିତ ମୋ’ ନିକଟକୁ ଆସିଲେ । ଜନ୍ମାବଧି ଅଜ୍ଞାନ ନିର୍ବୋଧ କଳହପ୍ରିୟ ମହାରାଜା କ୍ରୋଧାନ୍ୱିତ ହୋଇ ଭକ୍ତମାନଙ୍କ ସଙ୍ଗେ କଳି କରନ୍ତି । ସେ ଜଣେ ଶୁଦ୍ରକୁ ଡାକି ତାକୁ ବେଦଶାସ୍ତ୍ର ବୁଝାଇବାକୁ ଆଜ୍ଞା ଦେଲେ । ଏହା ଦେଖୁ ମୁଁ ତତକ୍ଷଣାତ୍ ମୂର୍ଛିତ ହୋଇ ପଡ଼ିଲି ଏବଂ ଦେହ-ଜ୍ଞାନ-ଶୂନ୍ୟ ହୋଇ ସମାଧିସ୍ଥ ହୋଇଗଲି । ମୋର ଚୈତନ୍ୟ ପ୍ରାଣ ଆତ୍ମାରେ କେବଳ ଅବସ୍ଥାନ କଲା । ସେତେବେଳେ ମୁଁ ରଜାଙ୍କ ସାମନାରେ କ୍ଷୁଦ୍ର ହୀନ ହୋଇଗଲି । ବ୍ରାହ୍ମଣମାନେ ହସି ହସି ଗଡ଼ିଲେ ଓ କେତେ ଗାଳି ହେଉଥାନ୍ତି । ମୁଁ ମନେ ମନେ ଭୟହାରୀ ବିପଦ୍ରଭଞ୍ଜନ ମୁରାରିଙ୍କୁ ସ୍ମରଣ କରି କହିଲି ପ୍ରଭୁ ! ମୋତେ ସାହା ହୁଅ । ଏହିପରି ମନେ ମନେ ପ୍ରାର୍ଥନା କଲାବେଳେ ମୋ ଅନ୍ତରରୁ ଦାମୋଦର ହରିଙ୍କ ବାଣୀ ଶୁଣିଲି । ସେ ଦୟାର୍ଦ୍ର ହୋଇ ମୋ ଅନ୍ତଦୃଷ୍ଟି ସାମନାରେ ଛିଡ଼ା ହୋଇ ରହିଲେ । ଏହା ଦେଖି ମୋ ମନରେ ନିଶ୍ଚିତତା ସମ୍ବନ୍ଧରେ ଶକ୍ତି ଆସିଲା ଏବଂ ମୁଁ ମନମୁନ ଏକଠୁଳ କରି ହରିଙ୍କୁ ଚିନ୍ତା କରୁଥିଲି । କିଛିକ୍ଷଣ ପରେ ଚେତନା ପାଇ କହିଲି “ହେ ରାଜା ! ଶୂଦ୍ର ମୁହଁରୁ ବେଦତତ୍ତ୍ୱ ଶୁଣିବାକୁ ଇଚ୍ଛା କଲେ ଆମ୍ଭମାନଙ୍କର ଦୋଷ ହେବ ନାହିଁ । ତୁମର ଦୋଷ ହେବ ଓ ଦୁର୍ଗୁଣର ପ୍ରକାଶ ହେବ । ଜଡ଼ ମୂକ ଏବଂ ନିର୍ବୋଧ ଅଟେ ଏବଂ କ୍ଷେତ୍ରରେ ଭିକ୍ଷା କରି ବଞ୍ଚେ, ଏହା ତୁମେ ଜାଣିଛ । ସେଥିପାଇଁ ମୁଁ ତୁମକୁ ପ୍ରାର୍ଥନା କରୁଛି ଯାହା କହିବି ତହିଁରେ ମନଦୁଃଖ କରିବ ନାହିଁ; କିନ୍ତୁ ଜଡ଼ କାନରେ କୃଷ୍ଣ ସାରସ୍ୱତ ଜ୍ଞାନ କହିଲେ ଏବଂ ମୁଁ ତାଙ୍କ ମୁଣ୍ଡରେ ହାତ ରଖିଲି । ସେ ଏହା ଦେଖି ସ୍ମିତହାସ କଲେ ।” ଏ କଥା ଶୁଣି ବିପ୍ର ମାନେ ରାଜାଙ୍କୁ କହିଲେ, “ଯଦି ସେ ଏହା କହିଛି ତେବେ ଆମେ ଜଣେ “ ଶୂଦ୍ର ଦାସ” ଠାରୁ ପରାଜିତ ହେଲୁଁ । ଭଗବାନ୍ ମୋ ଭିତରେ ରହିଛନ୍ତି ଓ କଥା କହୁଛନ୍ତି ଏହା ଶୁଣି ରାଜା କ୍ରୋଧରେ ଜଳି ଉଠିଲେ ଏବଂ କ୍ରୁଦ୍ଧ କଣ୍ଠରେ କହିଲେ “ଜଡ଼ ବନ୍ଧୁ ! ତୁମେ ତୁମର ସିଦ୍ଧାନ୍ତ କଥା କହ ।” ଜଡ଼ ଉତ୍ତର ଦେଲା “ହେ ରାଜା ! ମୁଁ ତୁମକୁ ପରିଷ୍କାର ଭାବରେ ଏହି ନିଖିଳ ଜଗତର ସୃଷ୍ଟି ତତ୍ତ୍ୱ ବୁଝାଇ ଦେବି । ଶାଶ୍ୱତ ସନାତନ ନିତ୍ୟରୁ ଆସି ଶୂନ୍ୟ ଅବସ୍ଥାନ କଲେ । ଶୂନ୍ୟଙ୍କଠାରୁ ପ୍ରଣବ ଜାତ ହେଲା । ତାହାଙ୍କଠାରୁ ଶବ୍ଦ ଜାତ ହେଲା । ସେହି ଶବ୍ଦ ବା ନାଦର ବେଦର ବିକାଶ ଓ ସୃଷ୍ଟି ହେଲା । ବେଦରୁ ସକଳ ଜଗତ ସୃଷ୍ଟି ହେଲା । ବେଦାନ୍ତର ସାର କଥା ଏହି ତତ୍ତ୍ୱ ।” ଏ କଥା ଶୁଣି ରାଜା ଓ ବିପ୍ରମାନେ ପଛଘୁଞ୍ଚା ଦେଇ ଦବିଗଲେ । କିଛି କ୍ଷଣ ପରେ ରାଜା ପ୍ରକୃତିସ୍ଥ ହୋଇ ଆନନ୍ଦ ମନରେ କହିଲେ “ଶୁଣ ଦାସ ! ତୁମର ସିଦ୍ଧି ଲାଭ ହୋଇଛି । ତୁମେ ସକଳ ଶାସ୍ତ୍ରଜ୍ଞାତା ଓ ମହାପୁରୁଷ । ତୁମେ ଯାହା କହିଲ ଏହା ଶୂଦ୍ରବାଣୀ ନୁହେଁ । (ଶୂଦ୍ର ଯାହା କହିଲା, ତାହା ତୁମ ପ୍ରେରଣାରୁ କହିଲା) ଏହା ମହାସିଦ୍ଧ ପୁରୁଷମାଙ୍କର ଦାର୍ଶନିକ ତତ୍ତ୍ୱର ଗୁପ୍ତ ତଥ୍ୟ । ମୋ’ ଉପରେ ସନ୍ତୁଷ୍ଟ ହୋଇ ମୋ କାନରେ “ଭେଦଜ୍ଞାନ”ର ସୁଧାମୟ ବାଣୀ ବର୍ଷଣ କର । (“ଭେଦଜ୍ଞାନ”ର ଅର୍ଥ ଚୈତନ୍ୟ ଅଭେଦ ହୋଇ ସୁଦ୍ଧା କିପରି ବିଭେଦ ହୋଇଛନ୍ତି ।) ଶୂଦ୍ର ଜଡ଼ ଓ ନିର୍ବୋଧ ଅଟନ୍ତି । ସେ ବେଦର ସୌନ୍ଦର୍ଯ୍ୟ ଓ ତତ୍ତ୍ୱ କଥା କହିବାକୁ ଅକ୍ଷମ । ତାହା କହିଲେ ସେ ଲୋକଙ୍କ ଚକ୍ଷୁରେ ହେୟ ଓ ନିନ୍ଦିତ ହୋଇଯିବେ । ତୁମେ ସର୍ବଜାଣ ଓ ଜ୍ଞାନୀ ବ୍ୟକ୍ତି । ଅନୁଗ୍ରହ କରି ମୋତେ ବେଦାନ୍ତର ସୌନ୍ଦର୍ଯ୍ୟମୟ ତତ୍ତ୍ୱ କଥାକହି ଧନ୍ୟ କରନ୍ତୁ । ରାଜାଙ୍କ ଅନୁରୋଧ ଶୁଣି ମୁଁ ବଡ଼ ଆନନ୍ଦିତ ହୋଇ ପୁଣି ପ୍ରାର୍ଥନା କରି ମନେ ମନେ କହିଲି “ହେ ଚକ୍ରଧର ! ହେ ଦାମୋଦର ! ତୁମେ ଭକ୍ତର ପ୍ରିୟ ବୋଲି ଗର୍ବୀତ, ବୃଥା ଦମ୍ଭ ଅଭିମାନୀ ବ୍ରାହ୍ମଣମାନଙ୍କର ଗର୍ବ ଚୂର୍ଣ୍ଣ କଲ । ତୁମେ ଅସୁର ଓ ଦୁଷ୍ଟ ବିନାଶକାରୀ ଗର୍ବ ଖର୍ବକାରୀ ମୋତେ ଏହି ବିପଦରୁ ରକ୍ଷା କରିଛି । ପୁଣି ମୁଁ ପ୍ରାର୍ଥନା କରୁଛି, ମୋତେ ଆଉ ଥରେ ରକ୍ଷା କର, ଯେପରି ବିପ୍ରମାନଙ୍କ ପାଖରେ ବେଦାନ୍ତତତ୍ତ୍ୱ ଉପସ୍ଥାପିତ କରିବାରେ କୃତୀ ହୋଇ ପାରିବି ଏବଂ ରାଜା ଶୁଣି ଅତି ଆନନ୍ଦିତ ହେବେ । ମୋ ମନରେ ଆନନ୍ଦମୟ ପ୍ରତ୍ୟୟ ଆସିଲା ଏବଂ ଆତ୍ମବିଶ୍ୱାସ ଆସିଲା । ବ୍ରାହ୍ମଣମାନଙ୍କ ମନରେ ସେ ସନ୍ଦେହର ମେଘ ଘୋଡ଼ାଇ ରହିଛି ତାକୁ ପ୍ରଭୁଙ୍କ କୃପାରୁ ମୁଁ ନାଶ କରି ପାରିବି । ଏହା ଭାବି ପୁଣି ଭଗବାନଙ୍କ ନିକଟରେ ପ୍ରାର୍ଥନା କରି ଧ୍ୟାନ କଲି । ଧୀରେ ଧୀରେ ସେ ମୋର ମାନସ ଦୃଷ୍ଟିରେ ଅବତରଣ କଲେ ଏବଂ ଅର୍ଜୁନ ଶ୍ରୀକୃଷ୍ଣଙ୍କ ଆଳାପ ମାଧ୍ୟମରେ “ଭେଦଜ୍ଞାନ” କଥା ମୋତେ କହିଲେ । ଶ୍ରୀ ସାମନ୍ତଦେବ ମୋତେ ପଚାରିବାରୁ ମୁଁ ତାଙ୍କୁ ଏହି ମଧୁର ଭେଦଜ୍ଞାନ ବିଷୟ କହିଲି । ଏହି ଭେଦଜ୍ଞାନକୁ ପ୍ରଣବ ଗୁପ୍ତଗୀତାରେ ଅଧମ ବଳରାମ ଦାସ ଲେଖିଅଛି ।

 

ବଳରାମଦାସଙ୍କ ନିଜ ଲେଖାରୁ ଜଣାଯାଏ ଯେ ସେ ପ୍ରତାପରୁଦ୍ର ରାଜାଙ୍କ ଅମଳରେ ପ୍ରସିଦ୍ଧି ଲଭି ଥିଲେ । କିଛିକାଳ ପର୍ଯ୍ୟନ୍ତ ରାଜା ତାଙ୍କୁ ଖୁବ୍ ସମ୍ମାନ କରିଥିଲେ ଏବଂ ସମ୍ମାନିତ ବ୍ୟବହାର କରି ରଖିଥିଲେ । ପରେ କେଉଁ କାରଣରୁ ତାଙ୍କୁ ରାଜସମ୍ପର୍କରୁ ବିଦାୟ ନେଇ ଅବସର ଗ୍ରହଣ କରିବାକୁ ପଡ଼ିଲା । ପରେ ସେ ତାଙ୍କ ଜୀବନ ଛଦ୍ମବେଶରେ ଓ ଆତ୍ମଗୋପନରେ ରହି କଟାଇଥିଲେ । ବଳରାମଦାସ ଲେଖିଛନ୍ତି –

 

“ମୁକତି ମଣ୍ଡପରେ ବିପ୍ର

ବେଦାନ୍ତ ଶାସ୍ତ୍ର ଗୀତା ଗୋପ୍ୟ ।

ବିଚାରି ଶୁଣିଲି ସଧୀରେ

ପ୍ରଣବ ଗୀତାର ବିଚାରେ ।

ନାହି ଦେଖିଲି ବିପ୍ର ମୋତେ

କାରେ ଗାଳି ଦ୍ୟନ୍ତି ଯେତେ ।

କେତେ କହିବି ତାଙ୍କ ଗାଳି

ରାଜାଙ୍କ ଆଗେ ମୋ ଗୁହାରୀ ।

ପ୍ରତାପରୁଦ୍ର ମହାରାଜା

କୋପେ ବୋଇଲେ ବଡ଼ ପର୍ଯ୍ୟା ।

ପ୍ରଣବ ବେଦବାଦମାନ

କି ଅଧିକାରେ ଶୁଦ୍ରଜ୍ଞାନ ।

ଏମନ୍ତ ଉଚିତ ନ ହୋଇ

ତା ଶୁଣି ହସିଲଇଁ ମୁଇଁ ।

ଶୁଣ ହେ ନୃପ ଗଜପତି

କାହାର ନୋହନ୍ତି ଶ୍ରୀପତି ।

ଭକ୍ତ-ଜନଙ୍କର ସେ ହରି

ବିପ୍ର ଚାଣ୍ଡାଳେ ସେ ଆଦିକରି ।

କରୁଣାମୟ ଜଗନ୍ନାଥ

କାହାରି ନୋହନ୍ତି ଏକତ ।

ବିପ୍ରେ ଯେ ବୋଲନ୍ତି ଆମ୍ଭର

ଗର୍ବ କରନ୍ତି ନୃପବର ।

ମୋହି ବୋଇଲ ତୁଚ୍ଛଜନ

ବେଦ କହିବ ଅନୁକ୍ଷଣ ।

ଶୁଣି କ୍ରୋଧରେ ବିପ୍ରଗଣେ

ଏକହୁଁ ବେଦ ଏହା ଖଣେ ।

ଶୁଣି ନୃପତି କାଷ୍ଠା କଲା

କହ ହେ ବୈଷ୍ଣବ ବୋଇଲା

ଆମ୍ଭ ବୋଇଲୁ ଶୁଣ ନୃପ

ତୁମ୍ଭ ନ କଲ ବଡ଼ କୋପ ।

କାଲି ପ୍ରଭାତେ ବିପ୍ରଗଣ

ନୃପତି ଥିବହେ ଆପଣ ।

ଯାହା ବିଚାରି ପଚାରିବା

ମୂକ ରାଜାକୁ ସେ ଲାଗିବ ।

ବେଦ ବେଦାନ୍ତ ସେ କହିବ

ଶ୍ରୀହରି କୃପା ଏ ହୋଇବ ।

ଶୁଣି ରାଜନ ଦୃଢ଼ କଲା

ବିଜୟ କରି ତହୁଁ ଗଲା ।

ଏମନ୍ତେ ବଡ଼ ଅବକାଶେ

ଛାମୁରେ ଜଣାଇଲେ ବସେ ।

ବଟ ମୂଳରେ ମୁଁ ରହିଲି

ସଭୟ ଘରକୁ ନଗଲି ।

ମହା ନିଶାରେ ନରହରି

ହସି କହନ୍ତି ସଙ୍କାରି ।

ବର କମଳ ବେନିସ୍ଥାନେ

ଥିବଇ ମୁହି ଅନୁକ୍ଷଣେ ।

ବିପ୍ରେ ନୃପତି ନ ଜାଣନ୍ତି

ଭକ୍ତକୁ ବିବାଦ କରନ୍ତି ।

ଭକ୍ତ ମୋହର ନିଜ ପ୍ରାଣ

କହି ଚଳିଲେ ନାରାୟଣ ।

ପ୍ରଭାତେ ରାଜା ମନେ ଥିଲା

ବିପ୍ରଙ୍କୁ ଘେନି ଚଳିଗଲା ।

କ୍ରୋଧ କରିଣ ନରପତି

ଭକ୍ତକୁ ବିବାଦ କରନ୍ତି ।

ବିବାଦ ମନରେ ନୃପତି

ଜନ୍ମରୁ ମୂର୍ଖ ଜଡ଼ମତି ।

ଆଣିଲା ଏକ ଶୂଦ୍ରଜନ

ବୋଇଲା କହ ବେଦ ପୁଣ ।

ତା ଶୁଣି ସାହସ ମୋହର

ଅଜ୍ଞାନ ହୋଇଲା ଶରୀର ।

ମନେ ବିଚାର କଲି ମୁହିଁ

ଲଘୁ ହୋଇଲି ରାଜାଠାଇଁ ।

ବିପ୍ରେ ଅଛନ୍ତି ରାଜା ପାଶ

କରିଲେ ହାସ ପରିହାସ ।

ଆତଙ୍କ ନାଶନ ମୁରାରି

ଡାକିଲି, ଆସ ନରହରି ।

ତହିଁକି ବିଚାରଇ ମନେ

ହରି ଯେ କହିଲେ ସ୍ୱପନେ ।

ଭକ୍ତବତ୍ସଳ ଦାମୋଦର

କରୁଣା କରି ଏଠାର ।

ଏଣୁ ଭରସା କଲି ମନ

ଶ୍ରୀହରି ହୃଦେ କଲି ଧାନ ।

ବୋଲଇ ଶୁଣ ନୃପବର

ନାହିଟି ଦୋଷ ହେ ମୋହର ।

ଶୁଦ୍ର ମୁଖରୁ ବେଦବାଣୀ

ତୁମ୍ଭ ଶୁଣିବ ଯେବେ ପୁଣି ।

ମୂର୍ଖ ମୌନ ଜଡ଼ା ଏହି

କ୍ଷେତ୍ର ମଧ୍ୟେ ମାଗି ଖାଇ ।

ତାହା ତ ଜାଣ ନୃପବର

ଏ ମୋର ଦୋଷ ହେ ନ ଧର ।

କୃଷ୍ଣ ବୋଲିଣ ତା’ର କର୍ଣ୍ଣେ

ବୋଇଲା ସାରସ୍ୱତ ଜ୍ଞାନେ ।

ଶିରରେ କର ଦେଲି ମୁହି

ହସିଲା ଜଡ଼ା ମୁଖ ଚାହି ।

ବିପ୍ର ବୋଇଲେ ଏ କହିବ

ଦାସେ ହେ ନିଲ୍ଲଜ ହୋଇବ ।

ତା ଶୁଣି କ୍ରୋଧ ମୋର ଦେହୀ

ଡାକିଲି କହ ଜଡ଼ ଭାଇ ।

ଜଡ଼ା ବୋଲଇ ଶୁଣ ରାଜା

ନିଶ୍ଚୟ କହିବି ସୃଷ୍ଟି ସର୍ଯ୍ୟା ।

ନିତ୍ୟରୁ ଶୂନ୍ୟ ହୋଏ ଜାତ

ଶୂନ୍ୟରୁ ପ୍ରଣବ ସମ୍ଭୁତ ।

ପ୍ରଣବ ଶବଦ ଜନମିଲା

ଶବଦୁ ବେଦ ଏ ହୋଇଲା ।

ବେଦୁ ସକଳ ସୃଷ୍ଟି ହୋଇ

ଏମନ୍ତ ବେଦାନ୍ତ ବୁଲାଇ ।

ତା ଶୁଣି ରାଜା ବିପ୍ରଗଣ

ଚକିତେ ନ କରେ ବଚନ ।

ବୋଇଲେ ନୃପତି ଆନନ୍ଦେ

ଶୁଣ ହେ ଦାସେ ସିଦ୍ଧି ସାଧ୍ୟେ ।

ତୁମ୍ଭ ମହତ ବଡ଼ଲୋକ

ଜାଣ ସକଳ ଜ୍ଞାନ ସୁଖ ।

ଏ ଶୂଦ୍ର ନ କହୁ ଏ ବାଣୀ

ତୁମ୍ଭେ ସକଳ ପରିମାଣୀ ।

କହ ଭେଦ ଜ୍ଞାନରସ

ଶୁଣି ତା ହୋଇବୁ ସନ୍ତୋଷ ।

ଶୁଦ୍ର ପାଷାଣ୍ଡ ମୂର୍ଖ ଜଡ଼

ଏହୁ ନ କହୁ ବେଦଲୀଳା ।

ବେଦକୁ ନିନ୍ଦିତ ହୋଇବ

ଜନରେ ବିକୃତ ଶୁଭିବ ।

ବିପ୍ରଙ୍କୁ କରି ନମସ୍କାର

ଭାଷା ପ୍ରକୃତରେ ବିଚାର ।

ତୁମ୍ଭେତ ସୁବିଜ୍ଞ ପୁରୁଷ

କହ ବେଦାନ୍ତ ବିଦ୍ୟାରସ ।

ଶୁଣି ରାଜନର ବଚନ

ଶୁଣି ସନ୍ତୋଷ ହେଲା ମନ ।

ବୋଲଇ ଶୁଣ ଚକ୍ରଧର

ଭକ୍ତବତ୍ସଳ ଦାମୋଦର ।

ଗର୍ବ ଗଞ୍ଜନ ଦୈତାରି

ତାରିଲୁ ଏ ସଙ୍କଟୁ ହରି ।

ଏବେ କରୁଣା କରି ମୋତେ

କହିବି ବିପ୍ରଙ୍କ ଅଗ୍ରତେ ।

ଶୁଣି ନୃପତି ହେବ ତୋଷ

ବେଦାନ୍ତ ସାର ଜ୍ଞାନରସ ।

ବିପ୍ରଙ୍କ ସନ୍ଦେହ ଫିଟିବ

ମୋତେ କରୁଣା ପ୍ରଭୁ ହେବ ।

ଏତେ ଜଣାଇ ସେ ଆନନ୍ଦ

ମନେ ଚିନ୍ତିଲ ପଦ୍ମପାଦ ।

ତତ୍‍କ୍ଷଣେ ପଦ ମୋ ମନରେ

ପ୍ରବେଶ ହୋଇଲା ସଧୀରେ ।

ଶ୍ରୀକୃଷ୍ଣ ଅର୍ଜୁନ ସମ୍ବାଦ

ମନେ ପ୍ରବେଶ ହେଲା ଭେଦ ।

ଶ୍ରୀ ସାମନ୍ତ ଦେବ ସମ୍ବାଦ

ଯା କହିଲେ ପଦ୍ମପାଦ ।

କହଏ ବଳରାମ ଦାସ

ପ୍ରଣବ ଗୁପ୍ତ ଗୀତା ରସ ।

(ପ୍ରଣବ ଗୀତା - ୧ମ ଅଧ୍ୟାୟ) । ଏହି ପୟାର ଅର୍ଥ ଉପରେ ଲେଖାଯାଇଅଛି ।

 

ମହାରାଜା ପ୍ରତାପରୁଦ୍ରଙ୍କ ମୃତ୍ୟୁର ବାଇଶ ବର୍ଷ ପରେ ୧୫୫୧ (A.D) ସାଲରେ ମୁକୁନ୍ଦଦେବ ଉତ୍ତରାଧିକାର ସୂତ୍ରରେ ରାଜତ୍ୱ କରୁଥିଲେ । ସେତେବେଳେ ଓଡ଼ିଶାର ରାଜନୀତିକ କ୍ଷେତ୍ରରେ ସଙ୍କଟ ଲାଗି ରହିଥିଲା ଏବଂ ପରିବର୍ତ୍ତନ ମଧ୍ୟ ଘଟୁଥିଲା । ସେହି ପରିବର୍ତ୍ତନ ଓ ସଙ୍କଟରେ ଓଡ଼ିଶା ବିକ୍ଷୁବ୍‍ଧ ହେଉଥିଲା । ମୁକୁନ୍ଦଦେବ ବୌଦ୍ଧଧର୍ମର ଅତିବଡ଼ ସମର୍ଥକ ଥିଲେ ଓ ବୌଦ୍ଧଧର୍ମର ଉତ୍ସାହଦାତା ଥିଲେ । ତାଙ୍କର ମନୋଭାବ ଦେଖି ବଳରାମ ଦାସ ପୁଣି ତାଙ୍କର ଧର୍ମ ପ୍ରଚାର କ୍ଷେତ୍ରକୁ ଆତ୍ମଗୋପନ ଛାଡ଼ି ଆତ୍ମପ୍ରକାଶ କରି ଆସିଥିଲେ । ପ୍ରତାପରୁଦ୍ରଙ୍କ ରାଜତ୍ଵ କାଳର ଶେଷ ସମୟରେ ସେ ଆତ୍ମଗୋପନ କରି ରହିଥିଲେ । ପ୍ରତାପରୁଦ୍ରଦେବଙ୍କ ରାଜତ୍ୱକାଳରେ ଦେଶର ରାଜନୈତିକ ଅବସ୍ଥା କିପରି ଥିଲା ତାହାର ଅତ୍ୟଳ୍ପ କଳନା କରିହୁଏ ।

 

ପ୍ରତାପରୁଦ୍ରଙ୍କ ବିଚାର ଓ ଚରିତ୍ର କିପରି ଥିଲା ତାହା ଗୋଟିଏ କୌତୁକପୂର୍ଣ୍ଣ ଘଟଣାରୁ କଳନା କରାଯାଇପାରେ । ଷୋଡ଼ଶ ଶତାବ୍ଦୀ ଆରମ୍ଭରୁ ବୌଦ୍ଧ ଭିକ୍ଷୁମାନେ ଓଡ଼ିଶାରେ ଗୋଟିଏ ସମ୍ପ୍ରଦାୟ ରଚନା କରି ରହିଥିଲେ । ପୁଣି ଷୋଡ଼ଶ ଶତାବ୍ଦୀ ବେଳକୁ ସେମାନଙ୍କର ସମ୍ପ୍ରଦାୟ ଓଡ଼ିଶାରେ ପ୍ରବଳ ହୋଇଥିଲା । ଶ୍ରମଣ ଭିକ୍ଷୁମାନେ ପୁରୀରେ ରହୁଥିଲେ । ଏହି ବୌଦ୍ଧସନ୍ନ୍ୟାସୀମାନଙ୍କ ଭିତରେ ଖୁବ ଉନ୍ନତ ଗୋଷ୍ଠୀର ଲୋକ ଥିଲେ । ଯେଉଁମାନେ ଯୋଗାନ୍ତ ନାଗାନ୍ତ ବିଦ୍ୟା ଜାଣିଥିଲେ ଓ ଯୋଗବଳରେ ତ୍ରିକାଳଜ୍ଞ ହୋଇ ଅସାଧ୍ୟ ସାଧ୍ୟ କରୁଥିଲେ ।

 

କିମ୍ବଦନ୍ତୀ ରହିଛି ଯେ ମହାରାଜା ପ୍ରତାପରୁଦ୍ରଙ୍କ ଉଆସରେ ଖୁବ ବଡ଼ ଧରଣର ଚୋରି ହୋଇ ବହୁ ଧନ ଅପହୃତ ହୋଇଥିଲା । ରାଜା ବଡ଼ ଉଦ୍‍ବିଗ୍ନ ହୋଇ ଜ୍ଞାନୀ ବୌଦ୍ଧ ସନ୍ନ୍ୟାସୀ ଓ ଜ୍ଞାନୀ ବ୍ରାହ୍ମଣମାନଙ୍କୁ ଡକାଇ ଚୋରକୁ ଧରିବା ପାଇଁ ଓ ଧନ ଅନୁସନ୍ଧାନ କରିବରେ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ । ବ୍ରାହ୍ମଣମାନେ ଅପହୃତ ଧନର ସନ୍ଧାନ କି ଅପହରଣକାରୀ ସମ୍ବନ୍ଧରେ କିଛି କହି ପାରିଲେ ନାହିଁ । କିନ୍ତୁ ବୌଦ୍ଧଧର୍ମୀ ସନ୍ନ୍ୟାସୀମାନେ ସେମାନଙ୍କ ଗୁପ୍ତ ତନ୍ତ୍ରମନ୍ତ୍ର ବିଦ୍ୟା ପ୍ରୟୋଗ କରି ଅପହୃତ ଧନ ଚୋର କେଉଁଠି ରଖିଛି, ସେହି ସ୍ଥାନ କଥା କହିଲେ । ଏବଂ ଚୋରର ସନ୍ଧାନ ମଧ୍ୟ କହିଦେଇଥିଲେ । ଏହି ଘଟଣାରେ ରାଜା ବୌଦ୍ଧଧର୍ମୀ ଲୋକମାନଙ୍କ ପ୍ରତି ଖୁବ ଉଚ୍ଚଧାରଣା କଲେ ଏବଂ ସେମାନଙ୍କର ଜ୍ଞାନ ଓ ଗୁପ୍ତବିଦ୍ୟାକୁ ଖୁବ୍ ପସନ୍ଦ କରି କେତେକାଳ ଏହି ସମ୍ପ୍ରଦାୟର ସନ୍ନ୍ୟାସୀମାନଙ୍କର ମହାଭକ୍ତ ହୋଇ ପଡ଼ିଲେ । ସେମାନଙ୍କୁ ମଧ୍ୟ ଅନ୍ଧଭାବରେ ରାଜା ସମର୍ଥନ କରିବାକୁ ଲାଗିଲେ । ତାଙ୍କ ରାଣୀ କିନ୍ତୁ ବୌଦ୍ଧଧର୍ମବିରୋଧନୀ ଥିଲେ ଓ ବ୍ରାହ୍ମଣ୍ୟଧର୍ମ ବା ସ୍ମାର୍ତ୍ତଧର୍ମ ବ୍ରାହ୍ମଣମାନଙ୍କୁ ଅତି ତୀବ୍ର ଭାବରେ ସମର୍ଥନ କରୁଥିଲେ । ଏହାପରେ ରାଜା ପୁଣି ଜନସାଧାରଣଙ୍କୁ ଡାକି ବୌଦ୍ଧ ସନ୍ନ୍ୟାସୀମାନଙ୍କର ଭୋଜବାଜି ବିଦ୍ୟାର ଚାତୁରୀ ଓ ନୈପୁଣ୍ୟକୁ ପରୀକ୍ଷା କରିବାକୁ ଇଚ୍ଛାକଲେ । ଯୋଗବିଜ୍ଞାନୀ ଐନ୍ଦ୍ରଜାଲିକ ଗୁପ୍ତବିଦ୍ୟା ତନ୍ତ୍ରବିଦ୍ୟାରେ ପାରଙ୍ଗମ ଥିବା ବୌଦ୍ଧମାନେ ଆସି ପରୀକ୍ଷିତ ହେଲେ । ଗୋଟିଏ ମାଠିଆରେ ସାପ ରଖି ତା ମୁହଁ ବନ୍ଦ କରି ସଭାକୁ ଅଣାଯାଇ ବ୍ରାହ୍ମଣମାନଙ୍କୁ ପଚରାଗଲା, “ଏ ମାଠିଆରେ କ’ଣ ଅଛି ?” ବ୍ରାହ୍ମଣମାନେ କହିଲେ “ମାଠିଆରେ ମାଟି କେବଳ ଅଛି ।’’ ମାଠିଆ ଖୋଲାଯାଇ ଦେଖାଗଲା ମାଠିଆରେ ମାଟି ପୂରି ରହିଛି । ଏହା ଦେଖି ରାଜାଙ୍କର ପୂର୍ବ ଧାରଣା ଓ ସଂସ୍କାର ଏକାବେଳେ ବଦଳିଯାଇ ବୌଦ୍ଧମାନଙ୍କ ପ୍ରତି ବିରୂପଭାବ ଆସିଗଲା । ବୌଦ୍ଧମାନଙ୍କୁ ସେ ଯେପରି ସୁଖ ପାଉଥିଲେ ତାହା ସ୍ଥାନରେ ପୁଣି ବିଦ୍ରୋହଭାବ ଚାଲି ଆସିଲା । କେବଳ ମନରେ ଯେ ବୌଦ୍ଧଧର୍ମୀ ଲୋକଙ୍କ ପ୍ରତି ବିରୋଧଭାବ ପୋଷୁଥିଲେ ତାହା ନୁହେଁ । ବୌଦ୍ଧମାନଙ୍କୁ ସେ ବ୍ରାହ୍ମଣମାନଙ୍କ କବଳରୁ ରକ୍ଷା କରିବା ପାଇଁ ଯେପରି ସାହାଯ୍ୟ ସହାୟତା କରି ରକ୍ଷା କରୁଥିଲେ ସେତିକି ନୁହେଁ, ସେ ବୌଦ୍ଧମାନଙ୍କ ମୁହଁ ଚାହିଁଲେ ନାହିଁ ଏବଂ ନିଜ ରାଜ୍ୟ ଭିତରୁ ସେମାନଙ୍କୁ ତଡ଼ି ଦେଲେ । ସେ ଘୃଣା ଓ କ୍ରୋଧରେ ବୌଦ୍ଧସନ୍ନ୍ୟାସୀମାନଙ୍କ ପୋଥିପତ୍ରମାନ ମଧ୍ୟ ଜାଳି ପୋଡ଼ି ଦେଲେ । ସେହି ସମୟରେ ଚୈତନ୍ୟ ମହାପ୍ରଭୁ ପୁରୀର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିଲେ । ସେହି ମହାପ୍ରଭୁ ମଧ୍ୟ ରାଜାଙ୍କୁ ବହୁ ଅସାଧ୍ୟ ସାଧନ ବିଦ୍ୟାଦେଖାଇଥିଲେ । (Sterling's of Orissa); ଯଦିଓ ପ୍ରତାପରୁଦ୍ରରାଜା ବୌଦ୍ଧମାନଙ୍କୁ ଜେଲରେ ରଖୁଥିଲେ ଏବଂ ନାନା ହଇରାଣ ହରକତ କରି କଷ୍ଟ ଦେଉଥିଲେ, ତଥାପି ଏହି ବୌଦ୍ଧମାନେ ପ୍ରତାପରୁଦ୍ରଙ୍କ ନିକଟରୁ ଯାଇ ତେଲେଙ୍ଗା ମୁକୁନ୍ଦଦେବ ରାଜାଙ୍କ ନିକଟରେ ଶରଣ ପଶି ତାଙ୍କଠାରୁ ବହୁତ ସାହାଯ୍ୟ ପାଇଥିଲେ । ତିବ୍ଦତରେ ମିଳିଥିବା ବହିରୁ ଜଣାଯାଏ “ଯଗସନ୍” ଲେଖିଛନ୍ତି ଯେ ମୁକୁନ୍ଦଦେବ (ଧର୍ମରାଜା) ଓଡ଼ିଶାର (Orissa) ରାଜା ବୌଦ୍ଧଧର୍ମଙ୍କୁ ସାହାଯ୍ୟ କରନ୍ତି । ସେ ବଡ଼ ପ୍ରତାପଶାଳୀ ଓ ଯୋଗ୍ୟ ରାଜା ଥିଲେ । ତାଙ୍କର କ୍ଷମତା ଓ ପ୍ରଭୁତ୍ୱ ମଗଧ ପର୍ଯ୍ୟନ୍ତ ବିସ୍ତୃତ ରହିଛି ।

 

ବଳରାମ ଦାସଙ୍କ ‘ପ୍ରଣବଗୀତା’ରୁ ଜଣାଯାଏ ଯେ ଯଦିଓ ବଳରାମ ଦାସଙ୍କୁ ଲୋକେ ବୈଷ୍ଣବ ବୋଲି ଭାବନ୍ତି ଓ ପ୍ରତାପରୁଦ୍ରଙ୍କ ରାଜସଭାରେ ତାଙ୍କୁ ସମସ୍ତେ ବୈଷ୍ଣବ ବୋଲୁଥିଲେ, ତଥାପି ସେ ବୌଦ୍ଧଧର୍ମମତର ପୃଷ୍ଠପୋଷକ ଶୂନ୍ୟବାଦୀ ଓ ମାଧ୍ୟମିକ ବୌଦ୍ଧଦର୍ଶନ ତତ୍ତ୍ୱର ଅବଧାରକ ସାଧକ ଓ ପ୍ରଚାରକ ଥିଲେ ।

 

ସେହି ସମୟରେ ରାଜା ଓ ଦେଶର ଅବସ୍ଥା ପର୍ଯ୍ୟାଲୋଚନା କଲେ ଦେଖାଯାଏ ଯେ ବ୍ରାହ୍ମଣମାନେ ବୌଦ୍ଧଧର୍ମ ବିରୁଦ୍ଧରେ ଏପରି ହିଂସ୍ରକ ଓ ଈର୍ଷାପର ଥିଲେ ଯେ ସେମାନଙ୍କ ମତରେ ରାଜା ପରିଚାଳିତ ହୋଇଥିଲେ । ସେଥିପାଇଁ ବୌଦ୍ଧମାନଙ୍କୁ ନାନା କଷ୍ଟ ଅପମାନ ଲାଞ୍ଚନା ଦେଇ ବନ୍ଦୀଶାଳରେ ପୂରାଉଥିଲେ ଏବଂ ରାଜଦରବାର ରଜାଙ୍କ ବିଚାରାଳୟ ବୌଦ୍ଧମାନଙ୍କ ପ୍ରତି କଣ୍ଟକାବୃତ ହୋଇଥିଲା । ଫଳରେ ସେହି ସେହି କାରଣର ବଳରାମ ଦାସ ରାଜାଙ୍କ ସହିତ ସମ୍ପର୍କ ନ ରଖି ତାଙ୍କଠାରୁ ଅବସର ନେଲେ । କେବଳ ରାଜସମ୍ପର୍କ ନୁହେଁ, ସେ ସମାଜଠାରୁ ମଧ୍ୟ ନିଜକୁ ନିଃସମ୍ପର୍କ କରି ଦେଇଥିଲେ । ରାଜାଙ୍କର ଏହି ଲାଞ୍ଛନା, ଅପମାନ ଓ କଷ୍ଟଦାୟକ ଯନ୍ତ୍ରଣାରେ ରାଜ୍ୟ ନିର୍ବାସନ, ଉଚ୍ଛେଦନ, ବନ୍ଦୀକରଣ, ମାରଣ ପ୍ରଭୃତି ଅତ୍ୟାଚାରରେ ଭୀତ, ବ୍ୟଥିତ ଓ ଆଶ୍ରୟଚ୍ୟୁତ ହୋଇ ବାଉରୀ ଓ ଅନ୍ୟତମ ଶିଅର ହାଡ଼ି ପ୍ରଭୃତି ଅଛବ ଜାତିର ଲୋକେ ଘୋର ଜଙ୍ଗଲକୁ ପଳାଇଯାଇ ପ୍ରାଣ ଭୟରେ ଲୁଚି ରହିଲେ । ସେହି ଘୋର ଜଙ୍ଗଲରେ ପଥ ଘାଟ ବସବାସ ନ ଥିଲା । ପ୍ରତାପରୁଦ୍ର ଅହିନ୍ଦୁ ବୌଦ୍ଧମାନଙ୍କ ଉପରେ ସମସ୍ତ ଉତ୍କଳ ଦେଶରେ ଅତ୍ୟାଚାର ଉତ୍କଟ ଭାବରେ କରି ବୌଦ୍ଧମାନଙ୍କୁ ବନରେ ନିର୍ବାସନ କରିଥିଲେ । ସମସ୍ତ ଉତ୍କଳରୁ ବୌଦ୍ଧଧର୍ମକୁ ସେ ନିର୍ମୂଳ କରିଥିଲେ । ବଳରାମ ଦାସଙ୍କ ଲେଖାରୁ ଜଣାପଡ଼େ ସେ ତାଙ୍କ କବିତ୍ଵ ଏବଂ କବିତାରେ ଯେଉଁ ଧର୍ମର ବାର୍ତ୍ତା ଶୁଣାଇଛନ୍ତି ତାହା ମୂଳତଃ ମହାଶୂନ୍ୟଙ୍କୁ କେନ୍ଦ୍ରକରି ରଚିତ । ଏହି ମହାଶୂନ୍ୟ ଉପାସନାର ପ୍ରବର୍ତ୍ତକ ଥିଲେ । ମହାବୋଧି ବୌଦ୍ଧଭିକ୍ଷୁ ନାଗାର୍ଜୁନ ଯେ କି ମାଧ୍ୟମିକ ବୌଦ୍ଧ ଦର୍ଶକର ପ୍ରତିଷ୍ଠାତା ଅଟନ୍ତି । ଶଙ୍କରାଚାର୍ଯ୍ୟଙ୍କ ଲିଖିତ ଅଦ୍ୱୈତଦର୍ଶନରେ ଶୂନ୍ୟବାଦକୁ ବିରୋଧ ଓ ଖଣ୍ଡନ କରାଯାଇ ଶୂନ୍ୟସ୍ଥାନରେ ବ୍ରହ୍ମାଙ୍କୁ ସ୍ଥାପନା କରାଯାଇଛି । କିନ୍ତୁ ବଳରାମ ଦାସ ବେଦାନ୍ତରୁ ବହୁ ତତ୍ତ୍ୱ ଓ ତଥ୍ୟ ଗ୍ରହଣ କରି ଅଦୈତବାଦୀଙ୍କ ବିରୁଦ୍ଧରେ ତାଙ୍କର ଦର୍ଶନମତର ପ୍ରତିଷ୍ଠା କରିଛନ୍ତି ଏବଂ ମହାଶୂନ୍ୟ ଉପାସନାକୁ ସ୍ଥାପନା କରିଛନ୍ତି । ବଳରାମ ଦାସ ଗୁପ୍ତ ଭାବରେ ବୌଦ୍ଧଧର୍ମୀ ଥିଲେ କିମ୍ବା “ବୌଦ୍ଧ ବୈଷ୍ଣବ” ଥିଲେ ।

 

ତାଙ୍କ ଗୁପ୍ତଗୀତାର ଶେଷ ଅଧ୍ୟାୟରେ ତାଙ୍କ ଜୀବନର ଧେୟ ଓ ଆଦର୍ଶକୁ ଓ କେନ୍ଦ୍ର ଚିନ୍ତାଧାରାକୁ ଖୋଲି ଫିଟାଇ ଦେଇଛନ୍ତି । ସେହି ଆଦର୍ଶ ଚିନ୍ତା ତାଙ୍କର ସମଗ୍ର ଜୀବନକୁ ପରିଚାଳନା ଓ ନିୟନ୍ତ୍ରଣ କରିଥିଲା । ତାଙ୍କର କବିତାର ପ୍ରତିଧାଡ଼ିରେ ସେ ଯେପରି ଆତ୍ମପ୍ରକାଶ କରିଛନ୍ତି ତହିଁରେ ଦେଖିବାର ଓ ବୁଝିବାର କଥା ଯଥେଷ୍ଟ ଅଛି ।

 

ପୁଣି ଅର୍ଜୁନ ବାସୁଦେବଙ୍କୁ ପଚାରିଲେ, ତୁମେ ଗୁପ୍ତ ଗୀତାର ତତ୍ତ୍ୱରହସ୍ୟମାନ କହ । କାରଣ କେହି କହନ୍ତି ଏହି ଗୁପ୍ତଗୀତା ପୃଥିବୀରେ ପୁଣି କେହି ହେଲେ ପ୍ରକାଶ କରିବେ ।୧। ଶ୍ରୀହରି ଉତ୍ତର ଦେଲେ “ଅର୍ଜୁନ ଶୁଣ । ମୁକୁନ୍ଦଦେବଙ୍କ ସତେଇଶିଅଙ୍କ ରାଜତ୍ଵ ସମୟରେ ଶନି ପଟ୍ଟନାୟକ ।୨,୩। ବୋଲି ଜଣେ ଧୀର ଶାନ୍ତ ଲୋକ ରହିଥିଲେ । ତାଙ୍କ ନିକଟରେ ଧୀର ଧାମିକ ଶାନ୍ତ ଲୋକମାନଙ୍କୁ ଭୃତ୍ୟ ଯିବା ଆସିବା ଓ ବସାଉଠା କରିବେ ।୪। ସେହି ଶାନ୍ତ ସମାହିତ ଭୃତ୍ୟ କାଖରେ ଗୁପ୍ତଗୀତା ଦେଖି ଶନି ପଟ୍ଟନାୟକ ପଚାରିବେ “ତୁମେ କାଖତଳେ କଣ ଜାକିଛି ତାହା ସଙ୍ଗରେ ଘେନି କୁଆଡ଼େ ବୁଲି ଯାଉଛ ?” ଆମ୍ଭେମାନେ ତହିଁରେ କଣ ଲେଖା ଅଛି ସେହି ସତ୍ୟ ଶୁଣି ଆଲୋଚନା କରିବାକୁ ଚାହୁଁ; ହେ ପ୍ରିୟ ଦାସ ! ଆମକୁ ଜ୍ଞାନ ଉପଦେଶ ଦେଇ ବୁଝାଅ । ଦାସ କହିଲେ, “ଏହା ଗୁପ୍ତ ଗୀତା ।’’ ସେ ବହି ଫିଟାଇବା ମାତ୍ରେ ଲେଖିଲେ ଓଁ, ଓ ସେହି ଅକ୍ଷରକୁ ହାତରେ ଛୁଇଁଲେ ଏବଂ ସେହି ଅକ୍ଷରକୁ ଶୂନ୍ୟ ମଣ୍ଡଳ ମଝିରେ ଥୋଇଲେ । ତାହାର ଅର୍ଥ ବୁଝାଇ କହିଲେ ତିନି ଅକ୍ଷର ଅ-ଉ-ମ ହସିତରେ ହଂ-ସ ଏବଂ ଲ । ଛଅଟି ରହସ୍ୟମୟ ଗୁପ୍ତଚକ୍ର ଓଁକାର ମଧ୍ୟରେ ରହିଅଛି ଏବଂ ଓଁକାର ଭିତରେ ଚଉଦଟି ବ୍ରହ୍ମାଣ୍ଡ ରହିଅଛି । ସେ ଯେତେବେଳେ ଏହି ଗୀତା ଶୁଣିବ ସେ ବିସ୍ମିତ ଓ କୁତୂହଳୀ ହୋଇ ପଚାରିବ, ଏହାପରେ ଆଉ କ’ଣ ଅଛି କି ? ଗୀତା ଏଡ଼େ ଉଚ୍ଚ ଓ ମନୋହର କୌତୁହଳୋଦ୍ଦୀପକ ଓ ଗୁପ୍ତ ବୋଲି ମୁଁ ଆହୁରି ତୁମ୍ଭ ମୁଖରୁ ଶୁଣିବାକୁ ଇଚ୍ଛା କରେ । ଏହା ଶୁଣି ଦାସ ହର୍ଷ ଚିତ୍ତରେ କହିଲେ “ମୋର ପୂର୍ବଜନ୍ମରେ ଏହି ଗୀତାକୁ ମୁଁ ରଚନା କରିଥିଲି । କିନ୍ତୁ ପୂର୍ବଜନ୍ମରେ କେବଳ ଗୋଟିଏ ଅଧ୍ୟାୟ ଲେଖିଥଲି । ବତ୍ତର୍ମାନ ମୁଁ ପୁରାଗୀତା ଲେଖିଛି ଓ ତୁମକୁ ଗୀତାର ସବୁ କଥା କହିବି । ମନ ଦେଇ ଶୁଣ । ଏହା ଶୁଣି ମୋ ମନରେ ବଡ଼ ଆନନ୍ଦ ଜନ୍ମିଲା ଏବଂ ତାଙ୍କର ଭକ୍ତଭାବର ପରାକାଷ୍ଠା ଦେଖୁ ସୁଖୀ ହେଲି । ମୁଁ ତାଙ୍କ ହୃଦୟରେ ପ୍ରବେଶ କରି ତାଙ୍କ ଭିତରେ ଗୀତାର ପ୍ରେରଣା ଦେବି । ବଳରାମ ଦାସ ତାହା ଭାଷାରେ ଲେଖିବେ ଏବଂ ସେହି ପୁସ୍ତକ ୩୫ ଅଧ୍ୟାୟରେ ସମାପ୍ତ ହେବ । କିନ୍ତୁ ପୂର୍ବ ଅଧ୍ୟାୟଟି ମିଶିଲେ ବଳରାମ ଦାସ ଛତିଶ ଅଧ୍ୟାୟରେ ବିସ୍ତାରିତ ଭାବରେ ଗୀତା ଲେବେ । ଶନି ପଟ୍ଟନାୟକ ଏହା ଶୁଣି ତାଙ୍କୁ ତିନିପୁଅଙ୍କୁ ଆଣି ଓ ସେ ନିଜେ ବଳରାମ ଦାସଙ୍କ ପାଦତଳେ ପଡ଼ି ପୂଜା କରି ତାଙ୍କର ଶିଷ୍ୟ ହେଲେ । (ଗୁପ୍ତଗୀତା ୩୬ ଅଧ୍ୟାୟ) ଗୁପ୍ତଗୀତା ପୟାରରେ ବଳରାମ ଦାସ ଲେଖିଛନ୍ତି –

 

ପୁଣି ଅର୍ଜୁନ ବାସୁଦେବ ପୁଛଇ ଗୁପତ କଲ ବିଚାର

କେଉଁଭାବ ପୁଣ ଗୁପତ ଗୀତା ଯେ ସଂସାରେ ହେବ ପ୍ରଚାର ?

ଶ୍ରୀହରି ବୋଇଲେ ଶୁଣ ଅର୍ଜୁନ

ମୁକୁନ୍ଦଦେବ ବୋଲି ରାଜନ ।୧।      

ସେହି ରାଜାର ସତାଇଶ ଅଙ୍କେ

ବେବର୍ତ୍ତା ଶନି ପଟ୍ଟନାୟକେ ।୨।

ତାହାକୁ ଭେଟିବ ଦୀନଙ୍କ ଦାସେ

କଲ୍ୟାଣ କରିବ ବସିବ ପାଶେ ।୩।

କି ପୁସ୍ତକ ଦାସେ ଅଛି କାଖରେ

ଫେଡ଼ି ପୋଥି ଦାସେ କହଣି ଥରେ ।୪।

ଆମ୍ଭେ ଶୁଣୁ କିନା କି କି ରହସ୍ୟ

ଦାସେ ବୋଇଲେ ଜ୍ଞାନ ଉପଦେଶ ।୫।

ଗୁପତ ଗୀତା ଅଧ୍ୟାୟ ଅଟଇ

ଶ୍ରୋତା ଯେବେ ହେବ ଶୁଣ କହଇ ।୬।

ପ୍ରଥମେ ପୋଥି ଫେଡ଼ିଣ କହିବେ

ଓଁକାର ଥାପି ହାତମାରି ଦେବେ ।୭।

ଶୂନ୍ୟମଣ୍ଡଳ ଏ ତା ତଳେଦେଇ

ତାହାକୁ ଦାସେ କହିବ ଭେଦାଇ ।୮।

ଅକାର ଉକାର ମକାର ତିନି

ହଂକାର ସକାର ଲକାର ଘେନି ।୯।

ଓଁକାର ମଧେ ଷଡ଼ଚକ୍ର ସ୍ଥାନ

ତଥା ଭିତରେ ଉଦ ଭୁବନ ।୧୦।

ସେ ଗୀତା ଅଧାକ ଶୁଣିଲା ଯହୁଁ

ଶରଧା ତାଙ୍କର ବଢ଼ିଲା ତହିଁ ।୧୧।

ଏତିକି ଗୀତା କି ଅଧିକ ଅଛି

ଫେଡ଼ି କହ କିବା ଶୁଣିବା କିଛି ।୧୨।

ଏୟେ ଗୁପତ ମହାରସ ଗୀତା

ଆପଣ କହ ହୋଇଣ ଶ୍ରୋତା ।୧୩।

ତାହାଙ୍କ ବଚନ ଶୁଣିଣ ଦାସେ

ପ୍ରଶନ କରିବେ ତା ଭାଷା ଆସେ ।୧୪।

ପୂର୍ବ ଜନ୍ମ ଆମ୍ଭ ଏ ଗୀତା କଲା

ପ୍ରଥମ ଅଧା ସିନା ହୋଇଥିଲା ।୧୫।

ଏବେ ଆମ୍ଭ ଗୀତା କହିବା ରହି

ତୁମ୍ଭ ଶୁଣ କିନା ଶ୍ରବଣ ଦେଇ ।୧୬।

ସେ ପୁଣି ମୋର ଛାମୁରେ ଜଣାଇ

ଅନେକ ଭକ୍ତିରେ ପ୍ରସନ୍ନ ହୋଇ ।୧୭।

ମୁଁ ତା’ର ହୃଦୟେ ପଶିବି ଯାଇ

ଗୀତା ତାହାଙ୍କୁ ଦେଉଥିବା କହି ।୧୮।

ତେଣୁ କହିବ ବଳରାମ ଦାସ

ପଞ୍ଚତ୍ରିଶ ଅଧ୍ୟାୟେ ହୋଇବ ଶେଷ ।୧୯।

ପୂର୍ବ ଅଧ୍ୟା ଘେନି ଛତ୍ରିଶ ସରି

ବଳରାମ ଦାସ କହେ ବିସ୍ତାରି ।୨୦।

ଶୁଣିଣ ଶନି ପଟ୍ଟନାୟକ

ତିନିପୁତ୍ର ଘେନି କରି ସେବକ ।୨୧।

(ଗୁପ୍ତଗୀତା ୩୬ ଅଧ୍ୟାୟ)

 

ଏହା ଲେଖିଲା ପରେ ବଳରାମ ଦାସଙ୍କର ରହସ୍ୟମୟ ପ୍ରତୀକ ମନ୍ତ୍ର “ଶୂନ୍ୟମଣ୍ଡଳାୟ ନମଃ” ଯେ ତାଙ୍କର ଇଷ୍ଟମନ୍ତ୍ର ଏଥିରେ ସନ୍ଦେହର ଅବକାଶ ନାହିଁ । ବଳରାମ ଦାସଙ୍କ “ଗଣେଶ ବସଭୂତି” ନାମକ ଗ୍ରନ୍ଥରେ ସେ “ସିଦ୍ଧାନ୍ତ-ଡମ୍ବରୁ” ବୋଲି ଗୋଟିଏ ପୁରୁଣା ଅବତରଣିକା ବିବରଣ ଲେଖିଛନ୍ତି । ସେ ଗ୍ରନ୍ଥରେ ସେ ଓଁ ଶୂନ୍ୟ ବ୍ରହ୍ମଣେ ନମଃ ବୋଲି ଇଷ୍ଟ ମନ୍ତ୍ର ଲେଖିଛନ୍ତି । ଯଦିଓ ପୂର୍ବୋକ୍ତ ମନ୍ତ୍ର ଦୁଇଟି ବିଭିନ୍ନ ତଥାପି ତାହା ଏକା ଇଷ୍ଟ ଲକ୍ଷ୍ୟକୁ ଚାହିଁ ଲେଖା ହୋଇଛି । ସୁତରାଂ ଏହା କହିବା ବାହୁଲ୍ୟ ଯେ ଏହି ମନ୍ତ୍ରର ରହସ୍ୟମୟ ପ୍ରତୀକ ଆସିଛି ମହାଯାନ ବୌଦ୍ଧମାନଙ୍କଠାରୁ-

 

ସେହିପରି ଅଚ୍ୟୁତାନନ୍ଦ ଦାସ ବାହାରେ ବୈଷ୍ଣବ ବୋଲାଇଲେ ମଧ୍ୟ ଏବଂ ବୈଷ୍ଣବଧର୍ମ ପ୍ରଚାର କଲେ ସୁଦ୍ଧା ଅନ୍ତରରେ ସେ ନିଗୂଢ଼ ଭାବରେ ବୌଦ୍ଧଧର୍ମୀ ଥିଲେ । ସେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଅନୁଗାମୀ ଭକ୍ତ ଥିଲେ ମଧ୍ୟ ଏବଂ ଚୈତନ୍ୟ ଦେବଙ୍କ ପ୍ରିୟପାର୍ଷଦ ଭକ୍ତ ସନାତନ ଗୋସ୍ୱାମୀଙ୍କ ଶିଷ୍ୟ ହେଲେ ମଧ୍ୟ ପ୍ରତାପରୁଦ୍ର ମହାରାଜାଙ୍କ ସଭାର ବ୍ରାହ୍ମଣ ପଣ୍ଡିତମାନଙ୍କର ଅତ୍ୟନ୍ତ ବିରକ୍ତି ଏବଂ ଘୃଣା ଭାଜନ ହୋଇଥିଲେ । କାରଣ ସେ ରାଜାଙ୍କ ଆଗରେ ଶୂନ୍ୟଧର୍ମ ସିଦ୍ଧାନ୍ତ କଥା ଓ ତା’ର ଗୌରବ ମହିମା ପ୍ରକାଶ କରି କହିଥିଲେ । ସେ ତାଙ୍କ ରଚିତ “ଶୂନ୍ୟ ସଂହିତା”ରେ ଲେଖିଛନ୍ତି –

 

ମହାରାଜ ପ୍ରତାପରୁଦ୍ର ଦେବ ଜଗନ୍ନାଥ ମନ୍ଦିରରେ ମୋତେ ବହୁତ ଜୋର ପକାଇ ପଚାରିଲେ ତୁମର ଭଜନ ମନ୍ତ୍ର କେଉଁଠୁ ପାଇଲ” ଏ କଥାର ଉତ୍ତର ଦେବା ପାଇଁ ମଧ୍ୟ ମୋ’ ଉପରେ ନାନା ଆଡ଼ୁ ନାନା ରକମ ଚାପ ପଡ଼ିଲା । ରାଜା କହିଲେ “ହେ ଦାସ ! ଅନାମ, ନାମ, କାମବୀଜମାନେ ଓ ମନରେ ଘୁରୁଥିବା ଚବିଶଟି ଗାୟତ୍ରୀ ମନ୍ତ୍ରମାନଙ୍କ ଭିତରେ ତୁମର କେଉଁ ମନ୍ତ୍ର ପ୍ରିୟ ? ମୋତେ ଯଥାର୍ଥ ଭାବରେ ତାହା ବୁଝାଇ କହ” ବ୍ରାହ୍ମଣମାନଙ୍କ ନିର୍ବୋଧ ହୀନ ମିଥ୍ୟା ଯୁକ୍ତି ଗୁଡ଼ିକ ମଧ୍ୟ ମୋ ପାଖରେ ଉପସ୍ଥାପିତ ହେଲା । ଏହି ବ୍ରାହ୍ମଣମାନଙ୍କ ମିଥ୍ୟାପୂର୍ଣ୍ଣ ମୂର୍ଖ ଯୁକ୍ତି ଗୁଡ଼ିକ ଶୁଣି ରାଜାଙ୍କ ମନ ମଧ୍ୟ ସଂଶୟ ସନ୍ଦେହରେ ପୂରିଥିଲା । ରାଜା ପୁଣି ମୋତେ କହିଲେ ବ୍ରାହ୍ମଣମାନଙ୍କୁ ସବୁ ଶାସ୍ତ୍ର ଜଣା ଅଛି ଏବଂ ମନ୍ତ୍ରମାନ ମଧ୍ୟ ଜଣା ଅଛି । ସେମାନଙ୍କର ବହୁ ଜ୍ଞାନ ଅଛି ଓ ଶାସ୍ତ୍ରସମ୍ମତ ବିଧା ବିଧାନ କର୍ମାଦି ସେମାନେ ଜାଣନ୍ତି । ସେମାନେ ମନ୍ତ୍ର ସମ୍ବନ୍ଧେ ମଧ୍ୟ ଅଭିଜ୍ଞ, ବ୍ରାହ୍ମଣମାନେ ମୋ’ ସହିତ ବହୁତ ଜୋରରେ ଅଳି ଆବେଦନ କରୁଛନ୍ତି ତୁମକୁ କହିବାକୁ । ତୁମେ ସୁନ୍ଦର ସଙ୍ଗତ କରି ଶୂନ୍ୟ ଉପାସନା ବିଷୟ ଶୀଘ୍ର ପରିଷ୍କାର ଭାବରେ ବୁଝାଇ କହ ।” ଏହା ଶୁଣି ଗୋଟିଏ ପ୍ରଶସ୍ତ (ସମସ୍ତେ ଦେଖିବା ଭଳି) ସ୍ଥାନରେ ମୁଁ ନିମ୍ନଲିଖିତ ଭାବରେ ବତିଶଟି ଅକ୍ଷର ଧାଡ଼ି କରି ତଳକୁତଳ ସଜାଇ ଲେଖିଲି । ନାମକୁ ଅନାମ ତଳେ ରଖିଲି । ସେହିପରି ଭାବରେ କାମବୀଜ ଲେଖିଲି । ପାଞ୍ଚ ଶ୍ରେଣୀର ପାଞ୍ଚୋଟି ବ୍ୟଞ୍ଜନ ବର୍ଣ୍ଣ ଏବଂ ଦ୍ଵାଦଶ ମନ୍ତ୍ର ଲେଖିଲି । ତା’ପରେ ଯନ୍ତ୍ର କାଟି ଆଙ୍କି ସେହି ସ୍ଥାନରେ ରଖିଲି । ବ୍ରାହ୍ମଣମାନେ ଏହା ଦେଖି ବକ୍ରାହତ ହେଲେ-। ସେମାନେ କହିଲେ ହଁ ଦାସ, ତୁମେ ପ୍ରକୃତ ସତ୍ୟ ଜାଣିଛି ଏବଂ ତା ଭିତରେ ତତ୍ତ୍ୱର ଉତ୍ସାରଣ ତଥ୍ୟ ବି ଜାଣିଛ । ସତ୍ୟଜ୍ଞାନ ଏବଂ ବାସ୍ତବ ସତ୍ୟ ବଡ଼ ରହସ୍ୟମୟ ଓ ବୁଝିବା ଦୁଷ୍କର ପୁଣି ଅତି କଠିନ । ତେଣୁ ତୁମେ ସରଳ ଭାବରେ ସରସ ଭାଷାରେ ଏଥିରେ ତତ୍ତ୍ୱ କଥା ଆମ୍ଭମାନଙ୍କୁ ବୁଝାଇ ଦିଅ । “ତୁମେ ବସ୍ତୁତଃ ଆମ ଆଗରେ ବଡ଼ ରହସ୍ୟମୟ ଶବ୍ଦ ଗୁଡ଼ିକ ଲେଖିଲି-। ଅନାମ-ନାମ-କାମବୀଜମାନ ଏବଂ ଓ ତଳକୁ ଅନ୍ୟ ଅକ୍ଷରମାନ ତଳକୁ ତଳ ଧାଡ଼ି ଧାଡ଼ି କରି ଲେଖିଲ । ଏହା ଅତି ଆଶ୍ଚର୍ଯ୍ୟ ଏବଂ ଆମ୍ଭେମାନେ ଏହା ଏଥି ପୂର୍ବରୁ ଦେଖିନାହୁଁ କି ଜାଣି ନାହୁଁ । ପୁଣି କୌଣସି ପୁରାଣରେ ମଧ୍ୟ ପଢ଼ି ନାହୁଁ । ହେ ଦାସ ! ତୁମେ କେଉଁଠୁ ଶିଖିଲ ଆଉ ଏହି ନାମକୁ କେଉଁମାନେ ଏଭଳି ପ୍ରଣାଳୀରେ ଭଜନ କରନ୍ତି ? ଆଉ କିଏ ନାମ ଭଜନ କରନ୍ତି ? ତୁମେ ଏହି ତତ୍ତ୍ୱ ସମ୍ବନ୍ଧରେ ବହୁତ ଜାଣିଛି ଅନୁଗ୍ରହ କରି ଆମକୁ ସବୁ କଥା ବୁଝାଇ ଦିଅ ।” ଏକଥା କହି ବ୍ରାହ୍ମଣମାନେ ମୋ’ ସହିତ ବହୁତ ଜୋର ପକାଇ ଆବଦେନ କଲେ । ରାଜା ଏ ଥା ଶୁଣି ମୋତେ କହିଲେ, “ ହେ ଦାସ ! ତୁମେ ଯନ୍ତ୍ର ଟାଣି ଚିତ୍ର କଲ । ବର୍ତ୍ତମାନ ଅନୁଗ୍ରହ କରି ମନ୍ତ୍ର କଥା କହି ଆଉ ମଧ୍ୟ ତୁମେ ମନ୍ତ୍ର ଦ୍ଵାରା କିପରି ପୂଜା ଉପାସନା କରି ତାହା ମଧ୍ୟ କହିବ । ଏହା ସବୁ ପରିଷ୍କାର, ସରଳ ଭାବରେ ବୁଝାଇ କହିବ ।” ରାଜାଙ୍କ ସନିର୍ବନ୍ଧ ଅନୁରୋଧର ଅବତରଣିକା ଦେଖି ମନେ ମନେ ମୁଁ ଅତିଶୟ ଦୁଃଖିତ ହୋଇ ପଡ଼ିଲି ଆଉ କହିଲି, “ହେ ରାଜା ! ଶୁଣନ୍ତୁ ! ମୋ ମନ୍ତ୍ର ନିରାକାର ମନ୍ତ୍ର ଅଟେ । ଆଉ ମୁଁ ଶୂନ୍ୟର ଉପାସକ । ମୋର ଆସନଶୁଦ୍ଧି ଅଙ୍ଗନ୍ୟାସାଦି ଶାସ୍ତ୍ରବିରେ ଯାହା ନିର୍ଦ୍ଦେଶିତ ରହିଛି ତାହାର ଆବଶ୍ୟକତା ହୁଏ ନାହିଁ । କିମ୍ବା ସ୍ଥାନାଭଙ୍ଗ, ଦିଗବନ୍ଧନ ମଧ୍ୟ ମୋ ଉପାସନା ପ୍ରଣାଳୀରେ ଅନାବଶ୍ୟକ ଅଟେ । ଉପାସକ ଶୂନ୍ୟରେ ବସି ଶୂନ୍ୟ ଉପାସନା କରିବାକୁ ହୁଏ । ଏହା କଲେ ଜୀବ ମୃତ୍ୟୁଜୟୀ ହୋଇ ଗୋଲୋକରେ ଅବସ୍ଥାନ କରିବ-। ଏହି ଉପାସନାରେ କେବଳ ନାମ ଉଚ୍ଚାରଣ ଧ୍ୟାନ ଛଡ଼ା ଆଉ କିଛି ନାହିଁ । କାରଣ ନାମ ଛଡ଼ା ଓ ନାମ ପରେ ଆଉ କିଛି ନାହିଁ । ଦାସ ଏହାଠାରୁ ବଡ଼ କଥା ଆଉ କଣ କହିବ ? ଏହା ଶୁଣି ବ୍ରାହ୍ମଣମାନେ ଫଟ୍ କରି ଉଠି ଛିଡ଼ା ହୋଇ ଚାଲି ଯିବାକୁ ବାହାରିଲେ । ପୁଣି ସେମାନେ ରାଜାଙ୍କୁ କହିଲେ “କିପରି ଭାବରେ ଶୂନ୍ୟ ଭଜନ କରିବାକୁ ହୁଏ ତାହା ଦାସ ଦେଖାନ୍ତୁ । ଏବଂ ବର୍ତ୍ତମାନ ଆମ୍ଭମାନଙ୍କ ଆଗରେ ଏହି ମୁହୂର୍ତ୍ତରେ ଦେଖାନ୍ତୁ ।” ଦାସ ଏହା ଶୁଣି ପରୀକ୍ଷିତ ହେବାକୁ ତତ୍‌କ୍ଷଣାତ୍ ସମ୍ମତ ହେଲା । ଜଣେ ବ୍ରାହ୍ମଣ ଏହା ଶୁଣି ହସି ହସି କହିଲେ, “ଦାସ କୁଅରେ ପଡ଼ୁ । କୂଅ ଭିତରେ କିପରି ଯନ୍ତ୍ର କାଟିବା ଶୂନ୍ୟପୂଜା କରିବା ଦେଖିବା । ଏହା ଶୁଣି ଗଣ୍ଡଗୋଳ ବିଶୃଙ୍ଖଳା ପରିସ୍ଥିତି ସେଠାରେ ଉପୁଜିଲା । ରଜାଙ୍କୁ ମୁଁ କହିଥିବା ମନ୍ତ୍ର ସେ ପାସୋରି ପକାଇ ମୋତେ ପରଖିବାରେ ମନ ଦେଲେ । ଯେତେବେଳେ ଏପରି ବିଶୃଙ୍ଖଳ ଓ ଗଣ୍ଡଗୋଳିଆ ଅବସ୍ଥା ପହଞ୍ଚିଲା ସମୁଦ୍ର ଦେବତା ମୋ ପ୍ରତି ଦୟାର୍ଦ୍ର ହେଲେ । ବ୍ରାହ୍ମଣମାନେ ଏତେ ପାଟିତୁଣ୍ଡ ଗୋଳମାଳ କରି ଚିତ୍କାର କଲେ ଯେ ମୋ’ ମନ୍ତ୍ର ପରୀକ୍ଷା କରିବା କଥାକୁ ତୁଚ୍ଛକରି ଭୁଲିଗଲେ । ମୁଁ ଜାଣୁଥିଲି ପ୍ରଭୁ ଯେଉଁ ମନ୍ତ୍ର ଓ ମନ୍ତ୍ରଶକ୍ତି ଗୋପନରେ ରଖିବାକୁ କହିଛନ୍ତି ରାଜା ତାହାକୁ ସାଧାରଣରେ ପ୍ରକାଶ କରିବାକୁ ଗଲେ ତାଙ୍କର ବିପଦ ଦୁଃଖ ଅମଙ୍ଗଳର ପରିସୀମା ରହିବ ନାହିଁ । ମୋ ମନ ବରଂ ଶାନ୍ତ ସମାହିତ ହୋଇ ରହିଥାଏ । କିନ୍ତୁ ବିରାଟ ପୁରୁଷ ଭଗବାନ୍ ପୁଣି ବ୍ରାହ୍ମଣମାନଙ୍କ ଭିତରେ କଳିତକରାଳ ଗଣ୍ଡଗୋଳ ବିଶୃଙ୍ଖଳା ଭିଆଇ ଦେଲେ । ଯେତେବେଳେ ଭୀଷଣ ପାଟିତୁଣ୍ଡ ଚିତ୍କାର, କଳିଗୋଳ ବ୍ରାହ୍ମଣମାନଙ୍କ ଭିତରେ ଲାଗିଥାଏ ରଜା ମୋ ହାତଧରି ସେହି ଗୋଳମାଳ ପରିବେଶ ଭିତରୁ ମୋତେ ବଡ଼ଦାଣ୍ଡକୁ ଟାଣି ନେଇ ଗଲେ । ସେଠାକୁ ଗଲାରୁ ସେଠାରେ ଏତେ ଅସଂଖ୍ୟ ମଣିଷ ଭିଡ଼ ହୋଇ ଚିତ୍କାର କରି କଳିଗୋଳ ଆରମ୍ଭ କଲେ ଯେ ପ୍ରତି ଲୋକ ଅନ୍ୟକୁ କହୁଣିରେ ଧକା ଦେଇ ମାଡ଼ଗୋଳ ଭିଆଇ ଦେଲେ ।

 

ରାଜା କହିଲେ, “ଏହି ବାଙ୍କି ମୁହାଣ ପାଖରେ ଥିବା ଶୂନ୍ୟ କୂଅ ଭିତରେ ପଶି ତୁମେ ପରୀକ୍ଷା ଦିଅ । ବ୍ରାହ୍ମଣମାନେ ତୁମର ଗୁପ୍ତ ପୂଜାର ପରୀକ୍ଷା ଦେଖି ନିଅନ୍ତୁ” ଏ କଥା ଶୁଣି ମନେ ମନେ ମୁଁ ବଡ଼ ଭୀତ ହୋଇ ପଡ଼ିଲି । ମୁଁ ମୋର ଚିତ୍ତବୃତ୍ତିକୁ ମନକୁ ସବୁ ଦିଗରୁ ଓ ଲୋକମାନଙ୍କୁ ନିକଟରୁ ବାହାର ବିଷୟାନ୍ତରରୁ ଟାଣି ସ୍ଥିର କରି ନିରାକାରରେ ରଖିଲି । ମୋ ଚାରିପଟେ ବହୁତ ଲୋକ ଘେରି ରହିଥାନ୍ତି । ମୋ ହୃଦୟରେ ବତିଶଟି ଅକ୍ଷର ରଖିଲି ଓ ସିଧା ବସି ନାଭିକମଳରେ ଧାନସ୍ଥ ହୋଇଗଲି । ମୋ ମୁହଁ ଉପରକୁ ଟେକି ରଖିଲି । ମୋ ମନକୁ ଶୂନ୍ୟ କରି ନିରାକାରଙ୍କଠାରେ ମନ ସଂଯୋଗ କଲି । ପ୍ରାଣକୁ ଉର୍ଦ୍ଧ୍ୱକୁ ତୋଳିନେଇ ଶୂନ୍ୟ ଉପରେ ବସି ପରମହଂସ ଭାବନାରେ ନିଜକୁ ହଜେଇଦେଲି । ରାଜା ଏହା ଦେଖି ଆଶ୍ଚର୍ଯ୍ୟ ଓ ସ୍ତମ୍ଭୀଭୂତ ହୋଇଗଲେ । ବ୍ରାହ୍ମଣମାନେ ବଜ୍ରାହତ ତୁଲ୍ୟ ନିଥର ହୋଇ ରହିଗଲେ । ମନେ ମନେ ସେମାନେ ଭାବିଲେ, “ଏ କିଏ ଯେ ଅପ୍ରକାଶଙ୍କୁ ପ୍ରକାଶିତ କରି ପାରୁଛି” । ଏହି ଘଟଣାରେ ରାଜାଙ୍କ ମନରେ ବିଶ୍ୱାସ ଆସିଲା ଏବଂ ସେ ମୋତେ ମଧୁର କଣ୍ଠରେ ଧୀରଭାବରେ କହିଲେ, “ଆସ, ଆସ ଦାସ । ଏହା କହି ମୋତେ ଗାଢ଼ ଆଲିଙ୍ଗନ କଲେ । ପୁଣି ଆନନ୍ଦ ମନରେ ବାରମ୍ବାର କହିଲେ ଅଚ୍ୟୁତ ଦାସ ଶୁଣ । ତୁମେ ବାଙ୍କିମୁହାଣରେ ରହ । ଅଚ୍ୟୁତ ନାମର ଅର୍ଥ ଯେ ବିଚ୍ଛିନ୍ନ ବା ଚ୍ୟୁତ ନୁହନ୍ତି । ଏହି ନାମର ଅଚ୍ୟୁତଙ୍କର ନିରାକାର ଶୂନ୍ୟଙ୍କ ପୂଜା ସାର୍ଥକ ଓ ସମ୍ଭବ ହୋଇଅଛି । ବାସ୍ତବରେ ଏହି ଉପାସନା ପ୍ରଣାଳୀ ଗଭୀର ରହସ୍ୟମୟ ଆଉ ଯେଉଁଭଳି ତୁମେ ଏହି ଉପାସନା ପୂଜା କଥା ବୁଝାଇଦେଲ ତହିରେ ମୁଁ ଅତ୍ୟନ୍ତ ସୁଖୀ ଓ ଆନନ୍ଦିତ ହୋଇଛି ।” ରାଜା ଏହା କହି ସେଠାରୁ ଚାଲିଗଲେ । ବ୍ରାହ୍ମଣମାନେ ଭୀତ ହୋଇ ନିଜକୁ ହୀନ ଓ ଅପଦସ୍ଥ ବୋଧ କରି ଆଉ କିଛି ମାତ୍ର କହିଲେ ନାହିଁ । ଏହିପରି ଭାବରେ ଆମେ ପାଞ୍ଚଜଣ ମହାକଷ୍ଟମୟ ଦୁଃଖ-ବିପଦସଙ୍କୁଳ ପରୀକ୍ଷାରୁ ଉତ୍ତୀର୍ଣ୍ଣ ହୋଇ ଚାଲି ଆସିଲୁ । ଆମେ ଉତ୍ତମ ଓ ନିର୍ଦ୍ଦିଷ୍ଟ ସ୍ଥାନରେ ରହି ଶୂନ୍ୟ ସାଧନ ଶୂନ୍ୟ ଭଜନରେ ଓ ଧ୍ୟାନରେ ପୂର୍ଣ୍ଣ ପ୍ରାଣରେ ଆତ୍ମନିଯୋଗ କଲୁଁ ।

 

ଏହି ପାଞ୍ଚଜଣ ପଞ୍ଚସଖା ଅଟନ୍ତି । ଅଚ୍ୟୁତ, ଜଗନ୍ନାଥ, ବଳରାମ, ଅନନ୍ତ ଓ ଯଶୋବନ୍ତ । ନିମ୍ନଲିଖିତ ବିବରଣୀ ଲେଖିଛନ୍ତି –

 

ପ୍ରତାପରୁଦ୍ର ଦେବ କଟାଳିଲା ।

ଦେଉଳେ ବହୁତ ଆକଟ ହେଲା ।।

ବୋଇଲେ ଦାସ ଶୁଣ ମୋରଠାରୁ ।

ଭଜକ ମନ୍ତ୍ର କେଉଁ ମନ୍ତ୍ରଠାରୁ I।

ଅନାମ ନାମ କାମବୀଜମାନ ।

ଗାଇବି ଚବିଶ୍ୟାକ୍ଷର ଭଜନ ।।

କେଉଁ ମନ୍ତ୍ର ଗୋଟି ଇଷ୍ଟ ତୁମ୍ଭର ।

କହ ଦେଖୁ ଦାସେ ତତ୍ତ୍ୱ ବିଚାର ।।

ବ୍ରାହ୍ମଣେ ଅତି ଚଳାଇ କହିଲେ ।

ରାଜନ ମନକୁ ଚଞ୍ଚଳ କଲେ ।।

ଥୋକେ ବ୍ରାହ୍ମଣେ ମନ୍ତ୍ରରେ ପ୍ରସିଦ୍ଧି ।।

ଜାଣନ୍ତି ବ୍ରହ୍ମ ଆନ ମନ୍ତ୍ର ବିଧି ।।

ବହୁତ କଟାଳ କଲେ ମୋ ଠାରେ ।

ଅଚ୍ୟୁତ ଦାସେ କହେ ସତ୍ଵରେ ।।

ସାକ୍ଷାତେ ପ୍ରାୟେ ମୋତେ କହିଦେଲେ ।

ଶୂନ୍ୟ ଭଜନ କହ ତୁ ବୋଇଲେ ।।

ସେଠାରୁ ଶୂନ୍ୟ ହେଲେ ମୋତେ ଯେଣୁ ।

ଛତ୍ରିଶାକ୍ଷର ସ୍ଥାପିଲି ମୁଁ ତେଣୁ ।।

ଅନାମ ତଳେ ନାମକୁ ଦେଇଣ ।

କାମବୀଜ ଔମିତିକୁ ଦେଖିଣ ।।

ପଞ୍ଚବର୍ଗ ବାର ମାତ୍ରା ଦେଇଣ ।।

ଯନ୍ତ୍ରରେ ଲେଖି କରିଲୁ ସ୍ଥାପନ ।।

ଦେଖି ବ୍ରାହ୍ମଣେ ହେଲେ ଆଚମ୍ବିତ ।

ବୋଇଲେ ଦାସ ଜାଣ ତତ୍ତ୍ୱ ଅର୍ଥ I।

ବେଳେ ବେଳେ ଦାସ କହଇ ତତ୍ତ୍ୱ ।

ତତ୍ତ୍ୱବୋଧ ଦାସ ଅତି ଗୁପତ ।।

ଗହନ କଥା ସ୍ଥାପିଲ ତ ତୁମ୍ଭେ ।

କହ ଦେଖି ଦାସ ଶୁଣିବା ଆମ୍ଭେ I।

ଅନାମ ନାମ କାମବୀମାନ ।

ଓଁକାର ସ୍ଥାପ ତହି ତଳ ପୁଣ ।।

ଏ ତ ଅସମ୍ଭବ ଅଲକ୍ଷ କଥା ।

ପୁରାଣ ଗ୍ରନ୍ଥ ଶୁଣିବାହୁଁ ଯଥା ।।

କାହୁଁ ଶିଖିଲ ଦାସେ ଏହା ପୁଣି ।।

ଏହାକୁ କେଉଁ ଭଜନରେ ପୁଣି I।

କେଉଁ ଭଜନ ଅଟେ ନାମର ।

ତତ୍ତ୍ୱବୋଧା ଦାସେ କହ ନିକର ।।

ବହୁତ କଟାଳ ବ୍ରାହ୍ମଣେ କଲେ ।

ରାଗରେ ଛାମୁରେ ପୁଣି କହିଲେ ।।

ରାଜନ ବୋଇଲେ ଶୁଣ ହୋ ଦାସେ ।

ଯନ୍ତ୍ର ସ୍ଥାପିଲ ମନ୍ତ୍ର କହ ତୋଷେ ।।

କି ରୂପେ ଏ ମନ୍ତ୍ର ଭଜନ କର ।

କହ ଦେଖି ଦାସେ ଏ ଅବିଚାର ।।

ପୁଣି ଶୁଣି ରାଜା କଚାଳ କଲା ।

ଶୁଣି ସେ ମନେ ସଙ୍କଟ ପଡ଼ିଲା ।।

ବୋଇଲି ତୁମ୍ଭେ ଶୁଣ ହୋ ରାଜନ ।

ତକ୍ତ ନିରାକାର ଶୂନ୍ୟ ଭଜନ ।।

ଆସନ ଶୁଦ୍ଧି ଅଙ୍ଗନ୍ୟାସ ନାହିଁ ।

ସ୍ଥାନ ଭଙ୍ଗ ଦିବନ୍ଧନ ନାହିଁ ।।

ଶୂନ୍ୟରେ ବସି ଭଜନ କରିବ ।

କାଳକୁ ନାଶି ଗୋଲକରେ ଠାବ ।।

ଏ ଭଜନ ନାମ ଅଟଇ ଏହି ।

ଏଥୁଁ ଅଧିକ ଆଉ ପୁନ କାହିଁ ।।

ବ୍ରାହ୍ମଣେ ଶୁଣି ଚଳିଣ ଉଠିଲେ ।

ଦାସେ କି କହନ୍ତି ବୋଲି ବୋଇଲେ ।।

ବୋଇଲେ ଏ ଦାସେ ଶୂନ୍ୟ ଭଜନ |

ରାଜା ଏହା କରନ୍ତୁ ପ୍ରଚ୍ଛନ୍ନ ।।

ଶୂନ୍ୟ ମଣ୍ଡଳ କି ରୂପେ କରିବେ ।

ଦାସେ ପରୀକ୍ଷା ଏହିଠାରେ ଦେବେ ।।

ଏକ ବ୍ରାହ୍ମର ବୋଇଲେକ ହସି ।

କୂପ କି ବାମ୍ଫୀ ଯାଇଣ ନିରସି ।।

ଦେଖିବା ଦାସଙ୍କ ଶୂନ୍ୟ ଭଜନ ।

କି ରୂପେ ଯନ୍ତ୍ରକୁ କଲେ ସ୍ଥାପନ ।।

ଏମନ୍ତେ କହିଲେ ଧନ୍ଦୋଳ ହେଲା ।

ମନ୍ତ୍ର ଛାଡ଼ି ରାଜା ପରୀକ୍ଷେ ଭୋଳା ।।

ଗୋଳ ଧନ୍ଦୋଳ ଏମନ୍ତେ ଲାଗିଲା ।

କୃପା-ଜଳନିଧ କରୁଣା ଥିଲା ।।

ଗୋଳରେ ବ୍ରାହ୍ମଣେ ମାତି ରହିଲେ ।

ମନ୍ତ୍ର ପଢ଼ନ୍ତି କେହି ନ କରିଲେ ।।

ସେଠାରୁ ମନ ହୋଇଲା ଉଷତ ।

ଜାଣିଲି ପ୍ରଭୁ କଲେ ତ ଗୁପତ ।।

ରାଜନ ଯେବେ ପ୍ରଚ୍ଛନ୍ନ କରନ୍ତା ।

ବିପଦ ଆପଦ ମାଡ଼ି ପଡ଼ନ୍ତା ।।

ମହାପ୍ରଭୁ ସେ ଆରତ ଭଞ୍ଜନ ।

ଜାଣି ଧନ୍ଦୋଳ ଲଗାଇଲେ ପୁଣ ।।

ଏମନ୍ତେ ପ୍ରହରେ ଗୋଳ ଲାଗିଲା ।

ରାଜନ ମୋତେ ଧରି ଘେନିଗଲା ।।

ବଡ଼ ଦାଣ୍ଡରେ ତ ହୋଇଲା ଗୋଳ ।

ଠେଲାଠେଲି ଲୋକେ ଅତି ଗହଳ ।।

ବାଙ୍କି ମୁହାଣ ଶୂନ୍ୟ ବାମ୍ଫୀ ଠାରେ ।

ଭଜନ କର ଦାସେ ଏହିଠାରେ ।।

ଦେଖନ୍ତୁ ଯେତେକ ଏ ଦ୍ୱିଜବର ।

ପ୍ରଚ୍ଛନ୍ନେ ପରୀକ୍ଷା ଆମ୍ଭ ଛାମୁର ।

ଶୁଣି ମୋ ମନରେ ଲାଗିଲା ଭୟ ।

ଅନନ୍ତ ମୂରତି କଲି ମୁଁ ଲୟ ।।

ଦ୍ୱାବିଂଶ ଅକ୍ଷର ହୃଦେ ସ୍ଥାପିଲି ।

ନାଭି ପରେ ବସି ଧ୍ୟାନ ମୁଁ କଲି ।।

ଉର୍ଦ୍ଧ୍ୱ ମୁଖ କରି କଲି ମୁଁ ଲୟ ।

ନିରାକାର ରୂପ କଲି ମୁଁ ଧ୍ୟାୟ ।।

ପ୍ରାଣ ଉର୍ଦ୍ଧୁ କରି ଶୂନ୍ୟ ରହିଲି ।

ପରମହଂସେ ଚିତ୍ତ ବୁଡ଼ାଇଲି ।।

ଦେଖିଣ ରାଜନ ହେଲେ ଚକିତ ।

ବ୍ରାହ୍ମଣେ ଦେଖି ହୋଇଲେ ସ୍ଥଗିତ ।।

ଥୋକେ ଆଚମ୍ବିତ ରହିଲେ ।

ଗୁପତ ପ୍ରଘଟ କେ ଅବା କଲେ ।।

ରାଜନ ଦେଖିଣ ପରତେ ଗଲେ ।

ଦାସେ ଆସ ବୋଲି ଚାଟୁ କହିଲେ ।।

କୋଳେ କରିଣ କରେ ଆଲିଙ୍ଗନ ।

କହି ତୋଷିଲେ ଆଶ୍ଵାସ ବଚନ ।।

ଶୁଣ ଆମ୍ଭ ବାଣୀ ଅଚ୍ୟୁତ ଦାସ ।

ବାଙ୍କି ମୁହାଣେ କର ଏ ନିବାସ ।।

ଅଚ୍ୟୁତ ନାମ ଚ୍ୟୁତ ନୁହେଁ ଏଣୁ ।

ନିରାକାର ଶୂନ୍ୟ ମଣ୍ଡଳ ତେଣୁ ।।

ଅତି ହିଁ ଗୁପତ ଅଚ୍ୟୁତ ଦାସ ।

ତତ୍ତ୍ୱବୋଧ ଦାସଅତି ହରଷ ।।

ଏଠାରୁ ରାଜନ ଚଳିଣ ଗଲେ ।

ଲାଜେ ବ୍ରାହ୍ମଣେ କିଛି ନ କହିଲେ ।।

ଏମନ୍ତ ପ୍ରକାର ପଞ୍ଚଜଣକୁ ।

କଟାଳ କଲା ଏ ଆମ୍ଭମାନଙ୍କୁ ।।

ପ୍ରଚ୍ଛନ୍ନ ପରମସ୍ଥାନ ପାଇଲୁ ।

ନିରାଲମ୍ବେ ଧ୍ୟାନେ ନିମଗ୍ନ ହେଲୁ ।।”

 

ଶୂନ୍ୟବାଦର ଆଧ୍ୟାତ୍ମ୍ୟ ତତ୍ତ୍ୱ ଯେପରି ଭାବରେ ଆଲୋଚିତ ହେଲା, ନେପାଳରେ ଥିବା ବୌଦ୍ଧମାନଙ୍କଠାରେ ଏବେ ସୁଦ୍ଧା ତାର ପ୍ରମାଣ ମିଳେ । ଶୂନ୍ୟର ପ୍ରକୃତି ଏବଂ ଅର୍ଥ ସମ୍ବନ୍ଧରେ ମିଷ୍ଟର ହଡ଼ସନ (N4 Hodsun) ନେପାଳର ବୌଦ୍ଧଶାସ୍ତ୍ର ସମ୍ବନ୍ଧରେ ଜ୍ଞାନ ଓ ଅଭିଜ୍ଞତା ଅର୍ଜନ କରି ଲେଖିଛନ୍ତି ।

 

Mahasunya is according to some (Svabhaba (swavaba) according to some Icvara (Iswara). It is like the ethereal exapanse, and Self Sustained. In the Mohacunyata, the letter A, with the Vigamantra of upaya and the chief of all the Vigamantras of the letters, became manifest". (Raksabhagabati). He whose image is Sunyata, who is like a cypher of point, infinite, unsustained. (in Nivritti), and sustained in Pravritti) whose essence is (Nivriti), of whom all things are formed in Pravriti), who is the Icvara (Iswara), the first intellectual essence, the Adi Budha, was revealed by his own will. This Selfexistent is he whom as all know as the true Being. and, though the State of Nivriti be his proper and enduring State, yet for the sake of pravriti (Creation), having become Panchajanautmika, he Produced thus five Buddha thus : from Suvisudhdha dharmadhatuja jnana (ଶୁବିଶୁଦ୍ଧ ଧର୍ମ ଧାତୁ ଜଜ୍ଞାନ) Vairochana, the suprimly wise, from whom proceed the element of Akasa, the organ of sight and colours, and from Adersana Jnana (ଆଦର୍ଶନଜ୍ଞାନ) Aksobya (ଅକ୍ଷୋଭ) from whom Proceed the element of air, the organ of hearing and all sound; from whom proceed the element of fine, the organ of smell and all odours, and from Satagnana (ସଦ୍ଜ୍ଞାନ) , Amitabha, from whom proceed the element fo water the organ of taste and all Savours. and from Krutyanusutha Jnana, (କୃତ୍ୟାନୁସୁଖ ଜ୍ଞାନ) Amoghasiddha, from whom proceed the element of earth, the organ of touch, and all the Sensible Properties of outward things dependent thereon. All the five Buddhas are Pravriti karmanas; (ପ୍ରବୃତ୍ତିକର୍ମଣ) or the authors of creations. And these five Buddhas are Sristi Karmanas (ସୃଷ୍ଟିକର୍ମଣ) or the immediate agents of Creations; and each, in his turn having become Servagauna, poduce all things by his fiat".

 

Cunyata or the total abstraition of Phaenomenal Properties, is the result of the total Suspension of natures activities. It is the ubi, and the modus, of the universal material Principles in its proper and enduring State of nivrity or of rest. It is not nothigness, except with the Sceptical few. The opposite of Sunyata is Avidya (ଅବିଦ୍ୟା) with is the mundane affection of the universal Principle or the universal Principles in a state of activity, in other words. It represnets Phaenomenal entities or the sum of Phaenomena and hence their existence is ascribed to ignorance or Avidya”. (Hodsons' Nepal) (p 74,75,77,105).

 

ପୂର୍ବୋକ୍ତ ହଡ଼ସନ ସାହେବଙ୍କ ବୌଦ୍ଧଧର୍ମର ଈଶ୍ୱର ଓ ସୃଷ୍ଟିତତ୍ତ୍ୱ ଆମର ଛଦ୍ମଭାବରେ ଭାବିତ ପ୍ରଚ୍ଛନ୍ନବୌଦ୍ଧ ପଞ୍ଚସଖା ବୈଷ୍ଣବମାନେ ବୈଷ୍ଣବ ଧର୍ମତତ୍ତ୍ୱ ଭାବରେ ପ୍ରଚାର କରି ଯାଇଛନ୍ତି-। ବୈଷ୍ଣବ ମତ ଓ ବୌଦ୍ଧମତ ସମ୍ମିଶ୍ରଣରେ ସେମାନେ ଉତ୍କଳରେ ଏକ ଅଭିନବ ଶୂନ୍ୟ ତଥା ଅନ୍ୟାନ୍ୟ ଧର୍ମ ପ୍ରତିଷ୍ଠା କରିଥିଲେ । ଶୂନ୍ୟ ତତ୍ତ୍ୱ ଓ ବୌଦ୍ଧ ଦର୍ଶନ ସୃଷ୍ଟିତତ୍ତ୍ୱ ଓ ସଂସ୍କାର ବ୍ରାହ୍ମଣମାନଙ୍କର ସୃଷ୍ଟିତତ୍ତ୍ୱ ସହିତ ମିଳିଯାଇଛି ବୋଲି ଉପରୋକ୍ତ ବୌଦ୍ଧଦର୍ଶନ ପ୍ରମାଣରୁ ବୁଝାଯାଏ । ଏହା ଲେଖିବା ଅନାବଶ୍ୟକ ଯେ ଏହା ବୌଦ୍ଧଧର୍ମର ମହାଯାନ ସମ୍ପ୍ରଦାୟର ମତବାଦ ଓ ଦର୍ଶନତତ୍ତ୍ୱ । ଏହି ଦର୍ଶନ ତତ୍ତ୍ୱ ଉପରେ ଓଡ଼ିଶାର ଅଭିନବ ବୈଷ୍ଣବଧର୍ମ ଚୈତନ୍ୟଦେବଙ୍କ ସମୟରେ ଓ ତାଙ୍କ ପୂର୍ବରୁ ମଧ୍ୟ ପ୍ରଚାରିତ ହୋଇଥିଲା । ପୁରୀ ରାଜା ଓଡ଼ିଶାରୁ ବୌଦ୍ଧଧର୍ମୀକୁ ବଣବୁଦାକୁ ତଡ଼ି ବ୍ରାହ୍ମଣ୍ୟ ବୈଦିକ କ୍ରିୟାକାଣ୍ଡ ସମନ୍ୱିତ ସ୍ମାର୍ତ୍ତଧର୍ମର ସଂରକ୍ଷଣ କରିଥିଲେ । ପୁରୀ ବ୍ରାହ୍ମଣଶାସନମାନଙ୍କରେ ଶ୍ରୀ ଚୈତନ୍ୟଦେବଙ୍କ ବୈଷ୍ଣବ ଧର୍ମ ଏହି ଧର୍ମ ସହିତ ମିଳିତ ଥିଲା ।

 

***

 

Unknown

ଭଞ୍ଜସାହିତ୍ୟର ଗୋଟିଏ ଶବ୍ଦ ବିଚାର

ପ୍ରଫେସର ଗୌରୀ କୁମାର ବ୍ରହ୍ମା

 

“ତପ ତା ଅକଥନୀୟ ଦିବ୍ୟ ନାରୀ ଶ୍ରଦ୍ଧେ”

(ଲାବଣ୍ୟବତୀ ୧ ମ ଛାନ୍ଦ)

 

(ଉଦ୍ଧୃତାଂଶର ପ୍ରାସଙ୍ଗିକ ଅର୍ଥ ହେଉଛି, ଜଣେ “ଦିବ୍ୟନାରୀ”କୁ ନିଜର ପତ୍ନୀ ରୂପେ ପାଇବା ଲାଗି ଲାବଣ୍ୟବତୀର ପ୍ରାଣପ୍ରିୟ ଚନ୍ଦ୍ରଭାନୁ ତାହାର ପୂର୍ବ ଜନ୍ମରେ ତପସ୍ୟା କରିଥିଲା । ଏହି ପଦଟିର ଦଶଟି ଅର୍ଥ ଅଛି ବୋଲି ଥରେ ଶୁଣିଥିଲି । ବହୁଦିନ ଧରି ଚିନ୍ତାକରି ଜାଣିଲି, “ପଦଟିର ଦଶଟି ଅର୍ଥ ନାହିଁ”, କିନ୍ତୁ ଦଶଟି ଅର୍ଥରେ “ଦିବ୍ୟ” ଶବ୍ଦଟି ଏହି ପଦରେ ପ୍ରଯୁକ୍ତ ହୋଇଛି । ଏହି ଦିବ୍ୟ ଶବ୍ଦଟିର ଅର୍ଥ ବ୍ୟାଖାନ ହିଁ ଏ ପ୍ରବନ୍ଧର ଉଦ୍ଦେଶ୍ୟ – ଲେଖକ)

 

କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସମ୍ପର୍କରେ ନାନା ମତ ଓ ନାନା ତଥ୍ୟ ପ୍ରକାଶ ପାଉଛି, ବିଶେଷରେ ଭଞ୍ଜ ଜୟନ୍ତୀ – ସଭାମାନଙ୍କରେ ବହୁ ବକ୍ତା ଓ ସଭାପତି, ବହୁବିଧ ମତ ବ୍ୟକ୍ତ କରି ଭଞ୍ଜୀୟପ୍ରତିଭା, ମହନୀୟତା ଓ ବ୍ୟାପକତା ପ୍ରମାଣ କରିବାକୁ ଚେଷ୍ଟା କରିଥାନ୍ତି । ଅନେକ ସ୍ଥଳରେ ଦେଖାଯାଏ, ଆମେ ଭଞ୍ଜଙ୍କ କବିତ୍ୱ ବା ଭଞ୍ଜ ସାହିତ୍ୟର ଆଲୋଚନା ନ କରି ଭଞ୍ଜ ସାହିତ୍ୟ ଚର୍ଚ୍ଚ ନାମରେ କେତେ ଗୁଡ଼ିଏ ବିଚିତ୍ର ମତ ପ୍ରକାଶ କରିଥାଉ । ତହିରୁ ଗୋଟିଏ ହେଉଛି, ଭଞ୍ଜ ସାହିତ୍ୟ କେବଳ ଶବ୍ଦଚିତ୍ର ଲାଗି ପ୍ରସିଦ୍ଧ । ଆଉ ଗୋଟିଏ ହେଉଛି, ଭଞ୍ଜ ସାହିତ୍ୟ ଗଣ ସାହିତ୍ୟ ଇତ୍ୟାଦି । ଏସବୁ ଯେଉଁମାନଙ୍କଠାରୁ ଶୁଣାଯାଏ ସେମାନେ ଯେ ବିଜ୍ଞ ବ୍ୟକ୍ତି ନୁହନ୍ତି ତାହା ନୁହେଁ । କିନ୍ତୁ ଭଞ୍ଜଙ୍କ ସମ୍ପର୍କରେ କହିବା ପୂର୍ବରୁ ସେମାନେ ଭଞ୍ଜ ସାହିତ୍ୟର କିଛି ଅଂଶ, ପରମ୍ପରା ଉପରେ ଦୃଷ୍ଟି ଦେଇ, ପରିଶୀଳନ କରି ପାରୁଥିଲେ ଭଲ ହେଉଥାନ୍ତା ।

 

ଭଞ୍ଜସାହିତ୍ୟରେ ପରମ୍ପରାଗତ ବ୍ୟାଖ୍ୟାନ :

ପ୍ରାଚୀନ ଭାରତୀୟ ସାହିତ୍ୟ ପରି ଭଞ୍ଜ ସାହିତ୍ୟର ଚର୍ଚ୍ଚା ପରମ୍ପରାଗତ ଆଲୋଚନାର ସହାୟତା ଓ ପୋଷକତା ଆବଶ୍ୟକ କରେ । କେଉଁ ସ୍ଥଳରେ କେଉଁ ଶବ୍ଦ, କେଉଁ ଚାତୁରୀ କିମ୍ବା କେଉଁ ଶାସ୍ତ୍ରଗତ ତଥ୍ୟର ଆଶ୍ରୟ ନିଆଯାଇଛି, ସେ ସବୁର ଗୋଟାଏ ଗୋଟାଏ ଅଦ୍ଭୁତ ପାରମ୍ପରିକ ବ୍ୟାଖ୍ୟାନ ଦେଖିବାକୁ ମିଳେ । ବର୍ତ୍ତମାନ ଭଞ୍ଜ ସାହିତ୍ୟରୁ ଗୋଟିଏ ଶବ୍ଦର ଅର୍ଥ ସେହି ପରମ୍ପରାଗତ ବ୍ୟାଖ୍ୟାନର ଅବଲମ୍ବନରେ ଉପସ୍ଥାପନ କରାଯାଉଛି । ଆଲୋଚନାର ଅଙ୍ଗରୂପେ ସ୍ଥଳବିଶେଷରେ ପ୍ରଶ୍ନ ଉଠିପାରେ, ଉପେନ୍ଦ୍ର ଭଞ୍ଜ ପ୍ରକୃତରେ କ’ଣ ଭାବି ଚିନ୍ତି ଆଲୋଚ୍ୟ ପ୍ରବନ୍ଧର ଦିବ୍ୟ ଶବ୍ଦ ପ୍ରୟୋଗ କରିଥିଲେ । ଏହାର ଉତ୍ତରରେ କୁହାଯାଇପାରେ ଯେ, ପୃଥିବୀର ପ୍ରତ୍ୟେକ ମହାକବି ଯେଉଁ କଳା ଘେନି ଜନ୍ମଗ୍ରହଣ କରିଥାନ୍ତି, ବିନା ପ୍ରୟାସରେ ଏ ପ୍ରକାର ଶବ୍ଦ ପ୍ରୟୋଗ ଶକ୍ତି ସେମାନଙ୍କର ବ୍ୟକ୍ତିତ୍ୱର ଅବିଚ୍ଛେଦ୍ୟ ଅଙ୍ଗ ରୂପେ ଗ୍ରାହ୍ୟ । ସୁତରାଂ, କେବଳ ଉପେନ୍ଦ୍ରଭଞ୍ଜ କାହିକି କାଳିଦାସ କିମ୍ବା ବ୍ୟାସଙ୍କ ପରି କବି ସେଇ ନିସର୍ଗସିଦ୍ଧ ଶକ୍ତି ବଳରେ ପଦେ ପଦେ ବିଚିତ୍ର ଚିନ୍ତାଶୀଳତା, ଭାବୁକତା, ପାଣ୍ଡିତ୍ୟ ଓ ଲୋକୋତ୍ତର ବିଦଗ୍‍ଧତାର ପ୍ରକାଶ କରି ନ ଥିବେ ବୋଲି କହିବାର କାରଣ ନାହିଁ । ବରଂ ଯାହାର ଚିତ୍ତବୃତ୍ତି ସେହି ଦିବ୍ୟ ଉନ୍ମାଦନାରେ ଅନୁରଞ୍ଜିତ, ବିଦଗ୍‍ଧତା ତାହାର ଅନୁବର୍ତ୍ତୀ ହୋଇ ଆତ୍ମପ୍ରକାଶ କରିବା ସ୍ୱାଭାବିକ ।

 

କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମାନବ ଚରିତ୍ର ଅଧ୍ୟୟନରେ ଅସାଧାରଣ ପଟୁତା ପ୍ରଦର୍ଶନ କରିଛନ୍ତି । ନରନାରୀଙ୍କର ପ୍ରେମ ବର୍ଣ୍ଣନାରେ ତାଙ୍କର ଅସାଧାରଣ କୃତିତ୍ୱ ପ୍ରକଟିତ । କିନ୍ତୁ ତାଙ୍କର ପ୍ରେମ ରୂପଜ ବା କାମଜ ପ୍ରେମ ନୁହେଁ, ତାଙ୍କର ଚିତ୍ତବୃତ୍ତି ରୂପାନୁରାଗିଣୀ ନୁହେଁ – ମୁଖ୍ୟତଃ ଗୁଣାନୁରାଗିଣୀ । କିନ୍ତୁ ସୁବର୍ଣ୍ଣରେ ସୌରଭର ସମାବେଶ ପରି ମହନୀୟ ଚରିତ୍ରବତ୍ତାର ଉତ୍କର୍ଷ ବିଧାୟକ ରୂପେ ଅପରୂପ ଅଙ୍ଗ ସୌଷ୍ଠବର ବର୍ଣ୍ଣନା ତାଙ୍କର କାବ୍ୟ-କବିତାରେ ପରିପୂର୍ଣ୍ଣ ଭାବରେ ପ୍ରକାଶ ଲାଭ କରିଛି । ପୁଣି ଦାର୍ଶନିକତା, ରସିକତା, ଚାତୁର୍ଯ୍ୟ, ପାଣ୍ଡିତ୍ୟ, ଆଳଙ୍କାରିକତା ଏ ସମସ୍ତର ଅପୂର୍ବ ସମନ୍ୱୟରେ କବିଙ୍କର ବର୍ଣ୍ଣିତ ଚରିତ୍ରମାନେ କେବଳ ଜୀବନ୍ତ ହୋଇ ଉଠି ନାହାନ୍ତି, ଯୁଗ ଯୁଗ ଧରି ନିଜ ନିଜର ରୂପ ସମ୍ପଦ ଓ ଗୁଣ ଗୌରବରେ ପାଠକମାନଙ୍କୁ ଆକୃଷ୍ଟ ଓ ଆପ୍ୟାୟିତ କରି ରଖିଅଛନ୍ତି ।

 

ଉପେନ୍ଦ୍ରଙ୍କର ନାରୀ ବହୁ ଗୁଣଶାଳିନୀ । ତାଙ୍କର ବିଭିନ୍ନ କାବ୍ୟରେ ନାରୀକୁ ହିଁ ଗୁରୁତ୍ୱ ସହକାରେ ଚିତ୍ରଣ କରାଯାଇଛି । କିନ୍ତୁ ଏଭଳି ଅଦ୍ଭୁତ ଚାତୁର୍ଯ୍ୟ ଓ ପୁଷ୍କଳ ପାଣ୍ଡିତ୍ୟର ଅନୁଲେପନରେ ନାରୀମଣ୍ଡଳୀର ଗୁଣାବଳୀ ରୂପାୟିତ ହୋଇଛି ଯେ, ସାଧାରଣ ଆଲୋଚନାରେ ବିଶେଷ କିଛି ତଥା ତହିଁରୁ ଉପଲବ୍ଧି କରି ହୁଏ ନାହିଁ । ଏହି ପ୍ରବନ୍ଧରେ ତହିଁର ଗୋଟିଏ ଦୃଷ୍ଟାନ୍ତ ଦିଆଯାଉଛି ।

 

ଲାବଣ୍ୟବତୀ କାବ୍ୟର ମୂଳରେ ଚନ୍ଦ୍ରଭାନୁ ତା’ର ପୂର୍ବ ଜନ୍ମରେ (ପ୍ରଭାକର ନାମଧାରୀ) ଜଣେ ସର୍ବଗୁଣ ସମ୍ପନ୍ନା ନାରୀକୁ ନିଜର ସହଧର୍ମିଣୀ ରୂପେ ଲାଭ କରିବା ଲାଗି ଅକଥନୀୟ ତପସ୍ୟା କରିଥିବାର ବର୍ଣ୍ଣିତ ହୋଇଛି କବିଙ୍କ ଭାଷାରେ –

 

‘ତପ ତା ଅକଥନୀୟ ଦିବ୍ୟ ନାରୀ ଶ୍ରଦ୍ଧେ’

ହୁଏତ, କେବଳ ସୁନ୍ଦରୀନାରୀ ପାଇବା ଲାଗି ତପସ୍ୟା କରିଥିଲେ ଚଳିଥାନ୍ତା । କିନ୍ତୁ କବିଙ୍କ ଭାଷାରେ ପ୍ରଭାକର କେବଳ ସୁନ୍ଦରୀ ନାରୀ ଲାଗି କାମନା କରି ନାହିଁ । ତାହାର ଅକଥନୀୟ ତପସ୍ୟା ଦିବ୍ୟ ନାରୀ ଲାଭ ଲାଗି ଅଭିପ୍ରେତ । ଦେବାର କଥା, କି ଲକ୍ଷ୍ୟରେ କବି ‘ଦିବ୍ୟ’ ଶବ୍ଦର ପ୍ରୟୋଗ କରିଛନ୍ତି । ଭାରତବର୍ଷର ଅଗଣିତ ପଣ୍ଡିତଙ୍କର କଣ୍ଠ ମୁଖରିତ କରି ଶତ ଶତ ବର୍ଷ ଧରି ଯେଉଁ ନୀତି ଶ୍ଳୋକ ଉଜ୍ଜୀବିତ ରହି ଆସିଛି, ତହିଁରେ ଅଛି- ‘ପ୍ରିୟାଚ ଭାର୍ଯ୍ୟା ପ୍ରିୟବାଦିନୀଚ’ ଅର୍ଥାତ୍ ପୁରୁଷର କାମ୍ୟ ହେଉଛି, ସୁନ୍ଦରୀ ଓ ପ୍ରିୟବାଦିନୀ ନାରୀ । ଏହି ପ୍ରତିଷ୍ଠିତ ପରମ୍ପରା ଭଙ୍ଗ କଲାପରି ଉପେନ୍ଦ୍ରଭଞ୍ଜ କେଉଁ ଲକ୍ଷ୍ୟରେ ‘ଦିବ୍ୟନାରୀ’କୁ ପୁରୁଷର ପରମ କାମ୍ୟ ରୂପେ ବର୍ଣ୍ଣନା କରିଛନ୍ତି, ତାହା ଏହି ପ୍ରବନ୍ଧରେ ପ୍ରତିପାଦନ କରାଯାଉଛି ।

 

ସାଧାରଣରେ ‘ଦିବ୍ୟ’ କହିଲେ ଆମେ ସ୍ଵର୍ଗୀୟ ବୋଲି ବୁଝୁ । କିନ୍ତୁ ସ୍ୱର୍ଗୀୟ ଅର୍ଥରେ ଦିବ୍ୟ ଶବ୍ଦକୁ ଗ୍ରହଣ କଲେ କବିଙ୍କର ପରମ୍ପରାଗତ ମାର୍ମିକ ଅର୍ଥ ସ୍ପଷ୍ଟପ୍ରକାଶ ଲାଭ କରେ ନାହିଁ । ପରମ୍ପରାରୁ ଜଣାଯାଏ, ଉପେନ୍ଦ୍ର ସର୍ବଗୁଣମୟୀ ନାରୀର ବନା ଦୃଷ୍ଟିରୁ ‘ଦିବ୍ୟ’ ଶବ୍ଦର ବ୍ୟାକରଣଗତ ଅର୍ଥ ପ୍ରତି ଦୃଷ୍ଟି ରଖି ଏହି ବର୍ଣ୍ଣନା କରିଛନ୍ତି । ଅନ୍ୟ ଭାବରେ କହିଲେ ଦିବ୍‍ - ଧାତୁରୁ ଦିବ୍ୟ ଶବ୍ଦ ନିଷ୍ପନ୍ନ । ଏହି ଦିବ୍ ଧାତୁର ଦଶଗୋଟି ଅର୍ଥ ଅଛି । ଅଳଙ୍କାର ଶାସ୍ତ୍ରରେ (୧) ଯେପରି ବୈଦର୍ଭୀ ରୀତିରେ ଦଶ ଗୁଣ ମଣ୍ଡିତ କବିତା କାମିନୀର କଳ୍ପନା କରାଯାଇଛି, କବି ହୁଏତ ସେହି ସଂଖ୍ୟା ଓ ସେହି ଗୁଣଗତ ଆଦର୍ଶ ଉପରେ ଦୃଷ୍ଟି ରଖି ଦଶ ଅର୍ଥ ବିଶିଷ୍ଟ ଦିବ୍ୟ ଶବ୍ଦର ପ୍ରୟୋଗ କରିଛନ୍ତି ।

 

ଦିବ୍ୟ ଶବ୍ଦର ଅର୍ଥ

ଦିବ୍ ଧାତୁର ଦଶଗୋଟି ଅର୍ଥ ହେଉଛି –

୧) କ୍ରୀଡ଼ା, ୨) ବିଜିଗୀଷା, ୩) ବ୍ୟବହାର, ୪) କାନ୍ତ, ୫), ଦ୍ୟୁତି, ୬) ସ୍ତୁତି, ୭) ମୋଦ, ୮) ମଦ, ୯) ସ୍ଵପ୍ନ, ୧୦) ଗତି । ବର୍ତ୍ତମାନ ଏହି ଅର୍ଥଗୁଡ଼ିକୁ ଅବଲମ୍ବନ କରି ଉପେନ୍ଦ୍ରଭଞ୍ଜଙ୍କର ଦୃଷ୍ଟିରେ ପ୍ରତ୍ୟେକ ପୁରୁଷ କିଭଳି ସହଧର୍ମିଣୀ କାମନା କରିଥାଏ, ତାହାର ସ୍ୱରୂପ ଓ ଆଦର୍ଶ ବିଚାର କରାଯାଉ ।

 

୧) କ୍ରୀଡ଼ା

ଏହାର ସାଧାରଣ ଅର୍ଥ ଖେଳ । ସାଧାରଣରେ ନାରୀ ପ୍ରସଙ୍ଗରେ ଏ ଶବ୍ଦର ଦ୍ୱିବିଧ ପ୍ରୟୋଗ । ଆମ୍ଭମାନଙ୍କ ସୁପରିଚିତ —

୧) ବାଲ୍ୟକ୍ରୀଡ଼ା ୨) ରତିକ୍ରୀଡ଼ା । କ୍ରୀଡ଼ାରେ ଯେଉଁ ‘ଚାଞ୍ଚଲ୍ୟ’ ସେହି ଶବ୍ଦଟିର ଉଚ୍ଚାରଣ ମାତ୍ରକେ ଚିତ୍ତରେ ଅନୁଭୂତ ହୁଏ, ତାହା ବୃଦ୍ଧାବସ୍ଥାରେ, ଯୌବନ ଅପଗତ ହେବାପରେ, ଶରୀରତତ୍ୱ ଦୃଷ୍ଟିରୁ, ସମ୍ଭବପର ନୁହେଁ । ସୁତରାଂ ବାଲ୍ୟ କାଳରେ ବାଳକ ସୁଲଭ ନୈସର୍ଗିକ କ୍ରୀଡ଼ା ଓ ଯୌବନାବସ୍ଥାରେ ଅବଶ୍ୟ ଭୋଗ୍ୟ କାମକ୍ରୀଡ଼ା । ଭଞ୍ଜଙ୍କର ତଥା ପ୍ରତ୍ୟେକ ପୁରୁଷର ଅଭିଳଷିତ ନାୟିକାଠାରେ ଉପଲଭ୍ୟ ହେବା ଆବଶ୍ୟକ, ଉପେନ୍ଦ୍ର ଭଞ୍ଜଙ୍କର ନାୟିକାମାନଙ୍କୁ ଅବଲମ୍ବନ କରି ଏହି ଅର୍ଥ ଓ ଆଦର୍ଶର ବହୁ ଦୃଷ୍ଟାନ୍ତ ଦିଆଯାଇପାରେ । ଭଞ୍ଜସାହିତ୍ୟ ପାଠକ ମାତ୍ରେ ଜାଣନ୍ତି, କବିଙ୍କର କାବ୍ୟ “କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ” ଓ “ ଲାବଣ୍ୟବତୀ” ପରି କାବ୍ୟ ନାୟିକାମାନେ କିପରି ବାଲ୍ୟ ଓ ଯୌବନରେ କ୍ରୀଡ଼ାପ୍ରବୀଣା ଥିଲେ । ପୁଣି, ଯୌବନରେ, ବିବାହପରେ, ସେମାନେ ଯେ ଏକମାତ୍ର ପତିଙ୍କ ସଙ୍ଗେ କଠୋର ସଂଯମ ଓ ଆବରଣ ମଧ୍ୟରେ କ୍ରୀଡ଼ା କରୁଥିଲେ, ତା ନୁହେଁ, ସଖୀ ଗହଣରେ ଜଳକ୍ରୀଡ଼ା (ଜଳକେଳି) ଓ ଉପବନ-କ୍ରୀଡ଼ା ମଧ୍ୟ କରୁଥିଲେ । କବିଙ୍କର ଏହି କ୍ରୀଡ଼ା ପ୍ରବୀଣା ବା ବିଳାସିନୀ ନାରୀମାନେ, କିପରି ରମ୍ୟ ରୂପଘେନି ଶବ୍ଦ ଚାତୁର୍ଯ୍ୟର କମ୍ର ବିଳାସ ମଧ୍ୟରେ ଅବତୀର୍ଣ୍ଣ ହୋଇ ଅଛନ୍ତି କେବଳ ଦୁଇ ତିନୋଟି ଦୃଷ୍ଟାନ୍ତ ଦ୍ୱାରା ଏଠାରେ ତାହା ସୂଚାଇ ଦିଆଯାଉଛି ।

 

(କ) ରଜ ନିକର ମାଗିଲା ଖେଳିଲା

ରଜନୀ କର ସ୍ନେହେ ତା ଛାଡ଼ିଲା

ଧାତ୍ରୀ ମଣ୍ଡନା ହେବାରୁ ଭୁଲାଇ

ଧାତ୍ରୀ ମଣ୍ଡନା ତେଣୁ ସେ ବୋଲାଇ

ନେତ୍ର ଗତିରେ ଥିଲା ଚଞ୍ଚଳତା

ନେତ୍ର ଗତିରେ ଆଣି କଲା ରତା

କନ୍ୟା ବର ଖେଳିବାରେ କୁଣ୍ଢାଇ

କନ୍ୟା ବର ଦେଲା ଚିତ୍ତୁ ଛଡ଼ାଇ । (କୋ.ବ୍ର.)

 

ଲକ୍ଷ୍ୟ କରିବାର କଥା କବିମାନସୀ ବାଲ୍ୟ ବୟସରେ ଧୂଳି କ୍ରୀଡ଼ା (ରଜ ନିକରେ) ରେ ଆସକ୍ତ ଥିଲା । କିନ୍ତୁ ଯୌବନାବସ୍ଥାରେ ସେ, କ୍ରୀଡ଼ା ରଚନା କରି ସେହି ‘ରଜନୀକର’ ସାହାଯ୍ୟରେ – କେଳି ଗୃହରେ ସ୍ୱୀୟ ନାୟକ ସଙ୍ଗେ ରତିକ୍ରୀଡ଼ା କରିବା ଲାଗି ସୁବାସିତ କର୍ପୂର ଚୂର୍ଣ୍ଣ ତାହାର ଦରକାର ହେଲା । ବାଲ୍ୟାବସ୍ଥାରେ ସେ ପଟ୍ଟବସନ ପରିଧାନ କରି, ଅନ୍ୟାନ୍ୟ ଶିଶୁମାନଙ୍କ ସଙ୍ଗେ ବିବିଧ କ୍ରୀଡ଼ାରେ କାଳଯାପନ କରୁଥିଲା । ଫଳରେ, ଦ୍ରୁତଗତିଶୀଳ ହେବାବେଳେ ତାହାର ପାଦକୁ ଚଞ୍ଚଳତା ଆଶ୍ରୟ କରିଥିଲା । ଅଥଚ, ଯୌବନାବସ୍ଥାରେ ସେ ଯେଉଁ ଲୀଳା ବିଳାସରେ ଆସକ୍ତ ହେଲା, ତହିଁରେ ପାଦର ଚଞ୍ଚଳତା ନେତ୍ରଗତିରେ ଆଶ୍ରୟ ନେଲା । ଅର୍ଥାତ୍ ଅତି ବିଚିତ୍ର ଭାବରେ ବିଳାସିନୀ ନାୟିକା ସୁଲଭ କଟାକ୍ଷ ଚାଳନାରେ ସେ ପ୍ରବୀଣା ହୋଇ ଉଠିଲା ।

 

(ଖ) ପ୍ରାଗ୍ ଯୌବନରେ, ବିବାହ ପୂର୍ବେ ଜଳ କ୍ରୀଡ଼ାରେ ମଧ୍ୟ କବି ମାନସୀ ‘ଦିବ୍ୟ’ ଶବ୍ଦ ସୂଚିତ କ୍ରୀଡ଼ାପ୍ରବଣତାର ପ୍ରମାଣ ଦେଇଛି । କବିଙ୍କ ଭାଷାରେ –

 

“ସର ଶୋଭା ଦେଖୁ ଦେଖୁ ସେ ସରେ ମର୍ଦ୍ଦନ ବିଧି

ବକ୍ଷ ପ୍ରମାଣ ଜଳେ ଯାଇ ବିଜେ ଲାବଣ୍ୟନିଧି ।

XXX

ଶମ୍ବରଜାନନୀ ଶମ୍ବରେ ସେହିକାଳେ ପଶିଲେ

ହାସ ପରିହାସ ସରସ ଉକ୍ତିମାନ ଭାଷିଲେ ।

XXX

ଉତ୍ତାନ ପ୍ଲବନେ ଉରଜମାନେ କି ମନୋହର

ନଳ ଦୀକ୍ଷା ପାଇ ନାରୀକି ଭେଳା କଲେ ଭୂଧର ।

(ଲା.ବ.୬ ଛାନ୍ଦ)

ଗ) ପୁଣି ଉପବନ ବର୍ଣ୍ଣନା ପ୍ରସଙ୍ଗରେ –

ଶୋଭାଏ ବିଧିରେ ପ୍ରବେଶ ସଧୀରେ

ପୀନ ସ୍ତନାଏ ବିପିନରେ

ବୁଲିବା ଖେଳିବା କୁସୁମ ତୋଳିବା

ଆରମ୍ଭିଲେ ମନ ତୋଷରେ ।

(ଲା.ବ ୫ ମ ଛାନ୍ଦ)

 

ଏଥିରେ ‘ବୁଲିବା’ ‘ଖେଳିବା’ ପ୍ରଭୃତିରେ ଆଲୋଚ୍ୟ କ୍ରୀଡ଼ାର ଅର୍ଥ ଯେ ସ୍ପଷ୍ଟ ଭାବରେ ପ୍ରକାଶ ପାଇଛି, ବୁଝାଇ ଦେବା ଅନାବଶ୍ୟକ । କିନ୍ତୁ ଏହି କ୍ରୀଡ଼ା ପ୍ରସଙ୍ଗରେ ଆଉ ଏକ କ୍ରୀଡ଼ାର ସୁନ୍ଦର ବର୍ଣ୍ଣନା କରାଯାଇଛି । ତାହା ହେଉଛି, ବାକ୍ ଚାତୁରୀମୂଳକ ଶବ୍ଦ କ୍ରୀଡ଼ା । କାମଶାସ୍ତ୍ରରେ ଚତୁଃଷଷ୍ଠି କଳା ପ୍ରସଙ୍ଗରେ ଏଭଳି ଶବ୍ଦ-କ୍ରୀଡ଼ା କଥା କୁହାଯାଉଛି । ଲାବଣ୍ୟବତୀର ଜଳକେଳି ପ୍ରସଙ୍ଗରେ – “ଦେଖରେ ନଳିନୀ ନଳିନୀ” ପ୍ରଭୃତି ହେଉଛି ଏଭଳି ବାଗ୍-ବିଳାସ ବା ଚାତୁର୍ଯ୍ୟପୂର୍ଣ୍ଣ ଶବ୍ଦ-କ୍ରୀଡ଼ାର ନିଦର୍ଶନ । ଉଦ୍ୟାନକ୍ରୀଡ଼ା ପ୍ରସଙ୍ଗରେ ମଧ୍ୟ ନିଜ କାବ୍ୟ ନାୟିକାର ଅଳ୍ପ ଶବ୍ଦ କ୍ରୀଡ଼ାବାଟକ ପ୍ରକାଶ କରି ନାହାନ୍ତି । ଦୃଷ୍ଟାନ୍ତ ସ୍ୱରୂପ –

 

(ଗ) ଏକକୁ ଚାହିଁ ଆରେକ ସଖୀ କହି

ନିକଟେ ନାଗେଶ୍ଵର ମୋର

ବୋଇଲା ହୋଇଥାଇଟି ନାଗେଶ୍ୱେର

ସୁପର୍ଣ୍ଣରେ କର ଆଦର

ସେ ଛଳେ

ଚିହ୍ନିଲା ନାଗେଶ୍ୱର କହ

ସୁମନା ଭୂଷଣ ସମ୍ପତ୍ତି ପାଇବା

ତା’ପରେ ଯାଇଣ ଆରୋହ ।

(ଲା.ବ. ୫ମ ଛାନ୍ଦ)

 

ସୁତରାଂ ଦିବ୍ୟ ଶବ୍ଦରେ କବିମାନସୀର ବାଲ୍ୟକ୍ରୀଡ଼ା କୌତୁକପ୍ରିୟତା ଓ ଯୌବନସୁଲଭ ବିଳାସପ୍ରବଣତା ପ୍ରକଟିତ ହୁଏ ।

 

୨) ବିଜିଗୀଷା

ଏହାର ଅର୍ଥ ଜୟ କରିବାର ଇଚ୍ଛା । ଭଞ୍ଜୟ ନାୟିକାଙ୍କର ଏହି ଭାବପ୍ରବଣତା ସର୍ବତ୍ର ପ୍ରତିଫଳିତ । ଭଞ୍ଜ ସାହିତ୍ୟରେ ବିବିଧ ନାୟିକା ନିଜ ନିଜର ଶାରୀରିକ, ବାଚିକ, ମାନସିକ ଓ ଆଧ୍ୟାତ୍ମିକ ସୌନ୍ଦର୍ଯ୍ୟ ବଳରେ ନିଜର ପ୍ରିୟପତିଙ୍କୁ ଜୟ କରିବାର ପ୍ରଚେଷ୍ଟା କରିଛନ୍ତି ।

 

କେବଳ ଭାରତୀୟ ସାହିତ୍ୟ କାହିଁକି, ଯେ କୌଣସି ଦେଶର ସାହିତ୍ୟ ଓ ସଂସ୍କୃତିରେ ନାରୀ ଓ ପୁରୁଷର ଏହି ମହନୀୟ ସମ୍ପର୍କର ଗୌରବ ଉଦ୍‌ଘୋଷିତ ହୋଇଛି । ବୈଷ୍ଣବ ଦର୍ଶନରେ ଓ ସାହିତ୍ୟରେ ପରକୀୟା ନାୟିକାର ଚିତ୍ରଣ ମଧ୍ୟରେ ସର୍ବବ୍ୟାପକ ପରମାତ୍ମାଙ୍କର ଅଖଣ୍ଡଭାବ-ବିଳାସ ଓ ତଦ୍‌ଗତ ପ୍ରାଣତାର ଯେଉଁ ବନ୍ଦନୀୟ ଚିତ୍ର ଫୁଟି ଉଠିଛି, ସ୍ଵକୀୟା ନାୟିକାର ମନୋରମ କୌଳିକ ପରିବେଶ ମଧ୍ୟରେ ସେହି ଚିନ୍ତା ଓ ଆଦର୍ଶ, କଳ୍ପନାର ସେହି ଲାଳିତ୍ୟ ଓ ମାଧୁର୍ଯ୍ୟ, ବିଚିତ ରୂପବୈଭବ ଘେନି ଆତ୍ମପ୍ରକାଶ କରିଛି । ପରକୀୟା ନାୟିକାର ଆଧ୍ୟାତ୍ମିକ ଆଦର୍ଶ ବା ରୂପକ ବାଖ୍ୟାନ ଚରମ ଅବସ୍ଥାରେ ଯେତେ ପ୍ରଶଂସନୀୟ ହେଉ ପଛେ, ଲୌକିକ ଦୃଷ୍ଟିରେ ତାହା ପ୍ରଶଂସନୀୟ ନୁହେଁ ବୋଲି ଅନେକ ଦୃଢ଼ମତ ପ୍ରକାଶ କରିଥାନ୍ତି ।

 

ଏଥର ପ୍ରମାଣ ଏହି ଯେ, ଯେଉଁମାନେ ପରକୀୟା ଭାବର ତାତ୍ତିକ ଚିନ୍ତନର ଉପବନରେ ବିହାର କରିବାକୁ ଅନିଚ୍ଛୁକ, ସେମାନେ ଶ୍ରୀକୃଷ୍ଣ ଉପରେ ହୀନ ପାରଦାର୍ଯ୍ୟ ଦୋଷାରୋପଠାରୁ ରାଧାଙ୍କ ପ୍ରତି ବିଭତ୍ସ ସମାଲୋଚନା ବାଣ ପ୍ରୟୋଗ କରିବା ପର୍ଯ୍ୟନ୍ତ ବ୍ୟଗ୍ର ହୋଇ ଉଠିଥାନ୍ତି । କିନ୍ତୁ ଉପେନ୍ଦ୍ରଭଞ୍ଜଙ୍କ ପ୍ରତିପାଦିତ ଏକନିଷ୍ଠ ପ୍ରେମ, ପରକୀୟା ଭାବର ଆପାତଅବୈଧତାର କଳଙ୍କପଙ୍କରେ ପ୍ରଲିପ୍ତ ହେବାର ଅବକାଶ ଆଦୌ ନାହିଁ । ସୁତରାଂ, ଗୃହର ଚତୁଃସୀମା ମଧ୍ୟରେ, ନିଜର ଧର୍ମ ପତି ନର୍ମ ସଙ୍ଗୀ ଓ କର୍ମ ସହଚର ପୁରୁଷର ଚିତ୍ତକୁ ନିତ୍ୟ ଉଲ୍ଲସିତ ରଖିବାରେ ଭଞ୍ଜୟ ନାୟିକାର ଯେଉଁ ଆଦର୍ଶ, ତହିଁରେ ପରମ୍ପରାଗତ ତଥା ଶାସ୍ତ୍ର ପ୍ରତିଷ୍ଠିତ ଭାରତୀୟ ସଂସ୍କୃତିର ତାତ୍ତ୍ୱିକ ଓ ନୈତିକ ସମର୍ଥନ ଯଥାର୍ଥ ଭାବରେ ରହିଛି କହିଲେ ଆଦୌ ଅସଙ୍ଗତ ହେବ ନାହିଁ ।

 

ଭଞ୍ଜୀୟ ନାୟିକା ସ୍ୱକୀୟାରୁପେ ସର୍ବତ୍ର ପରିଚିତ । ସେଭଳି ପରିସ୍ଥିତିରେ ସାମାଜିକସମ୍ପର୍କବଦ୍ଧନାରୀ ପତିଙ୍କ ମନୋରଞ୍ଜନ କରି ତାଙ୍କର ହୃଦୟ ସିଂହାସନରେ ନିଜର ଅନାବିଳ ପ୍ରେମମୂର୍ତ୍ତିକୁ ପ୍ରତିଷ୍ଠିତ କରିବାର ସ୍ୱତନ୍ତ୍ର ଓ ସମଧିକ ପ୍ରୟାସ କାହିଁକି ? ଏ ପ୍ରଶ୍ନ ଉଠିପାରେ । ଉପେନ୍ଦ୍ରଭଞ୍ଜ ନୀରସ-ତାର୍କିକ-ବକ୍ର ଚାତୁରୀରେ ଏହାର ଉତ୍ତର ନ ଦେଇ ବିଦଗ୍‍ଧ ବୋଧ୍ୟ ଭାବବ୍ୟଞ୍ଜନାରେ ତହିର ଆଭାସ ଦେଇଛନ୍ତି –

 

ଭଞ୍ଜୟନାୟିକା ବର୍ଷାକାଳର ଅନୁଚିନ୍ତନ ମଧ୍ୟରେ ହୃଦୟର ପରିପ୍ରକାଶ କରି ପତିଙ୍କ ଉଦ୍ଦେଶ୍ୟରେ ନିବେଦନ କରିଛି –

 

କେତେ ଯୁବତୀ ସରସବତୀ ତାଙ୍କୁ ନ ମିଳୁଥିବେ

ମଦନମତ୍ତେ କାହିଁକି ମତେ ଚିତ୍ତେ ସେ ସୁମରିବେ

ମୁଁ କି ବାତୁଳ ରସିକେ ତୁଳ ନାହିଁ ତାଙ୍କ ପ୍ରୀତିରେ

ଯେତେ ସୁମନ ମିଳିଲେ ମନ ଭୃଙ୍ଗର ମାଳତୀରେ ।

(ର.ହା. ୧୩ ଛାନ୍ଦ)

 

ବିରହବିଧୁରା ପ୍ରଣୟିନୀ ନିଜର ପ୍ରାଣପ୍ରିୟାକୁ ବହୁ ପୁଷ୍ପବିଳାସୀ ଭ୍ରମର ସଙ୍ଗେ ତୁଳନା କରିଅଛି । ହେଲେହେଁ ସ୍ଵକୀୟ ଯୋଗ୍ୟତା, ସୁଯୋଗ୍ୟ ପତିଙ୍କର ଅନୁରୁପତା ଓ ଶକ୍ତି ସୌନ୍ଦର୍ଯ୍ୟରେ ଆସ୍ଥା ଏଡ଼େ ଗଭୀର, ଏଡ଼େ ପ୍ରଶାନ୍ତ ଓ ଏଡ଼େ ବ୍ୟାପକ ଯେ, ପ୍ରାଣପ୍ରିୟଙ୍କର ଦୃଷ୍ଟି ସର୍ବଥା ଆକୃଷ୍ଟ କରିବା ଲାଗି ସେ ମନରେ ଅସୀମ ସାହସ ପୋଷଣ କରି ଅଭିନବ ମେଘଦୂତର କବି ହେବାପାଇଁ ଲବ ମାତ୍ର କୁଣ୍ଠିତ ହୋଇନାହିଁ । (୧୩ ଛାନ୍ଦ ଦ୍ରଷ୍ଟବ୍ୟ) ।

 

ଲାବଣ୍ୟବତୀ, କୋଟିବ୍ରହ୍ମାଣ୍ଡସୁନ୍ଦରୀ ଓ କବିଙ୍କର ଅନ୍ୟାନ୍ୟ କାବ୍ୟରେ ଅଭିମାନର ବିଚିତ୍ର ଚିତ୍ରାଙ୍କନରେ ଭଞ୍ଜଙ୍କ ଲେଖନୀ ମୁଖର ହୋଇ ଉଠିଛି । ମନସ୍ତାତ୍ତିକ ଦୃଷ୍ଟିରୁ ଦେଖିଲେ, ଯେ କୌଣସି ବ୍ୟକ୍ତିର ଅଭିମାନ ଗଭୀର ଅନଭୂତି ଓ ବିଶ୍ଵାସ ଉପରେ ପ୍ରତିଷ୍ଠିତ । ଭଞ୍ଜୟ ନାୟିକା ଅଭିମାନ ବଳରେ ଅଗଣିତ ପାଠକଙ୍କୁ ଅଖଣ୍ଡ ଆନନ୍ଦାମୃତ ବିତରଣ କରିବା ସଙ୍ଗେ ସଙ୍ଗେ କାବ୍ୟର ନାୟିକାଙ୍କୁ କେନ୍ଦ୍ର କରି ଶାନ୍ତି ଓ ସଂଯମ, କର୍ମପ୍ରବଣତା ଓ ଧର୍ମପ୍ରବଣତା, ଜୀବନର ଭୋଗ ଓ ତ୍ୟାଗ ପ୍ରଭୃତିର ବିଚିତ୍ର ସମନ୍ୱୟ ପ୍ରତିଷ୍ଠା କରିବାରେ ବ୍ରତୀ ହୋଇ ଉଠିଛି । ସେଥିପାଇଁ ଅନେକ ବୈଦେଶିକ କାବ୍ୟରେ ନାୟିକାମାନଙ୍କର (ସ୍ୱପତିଙ୍କର ବିଦେଶଗମନ କାଳରେ) ଉପପତି ଗ୍ରହଣ ପରି ଭଞ୍ଜନାୟିକା ସେହି ଅଭାରତୀୟ ଓ ଅସାମାଜିକ ପଦ୍ଧତିର ଅନୁଧାବନ କରିନାହିଁ । ବରଂ, ପ୍ରତି ମୁହୂର୍ତ୍ତରେ ଧର୍ମସାଧନର ଅଙ୍ଗରୂପେ ଜୀବନ ସଂଭୋଗର ଭିତ୍ତି ପାତନ କରି, ଲୌକିକ କର୍ମ ଓ ପାରଲୌକିକ ଲକ୍ଷ୍ୟର ଅପୂର୍ବ ସମନ୍ୱୟ ସାତ କରିଛି । ଏହି ଅଭିମାନ ବଳରେ ନାୟିକାର ଜିଗୀଷା ସାର୍ଥକ ହୋଇଛି । ନାୟକମାନଙ୍କ ସଙ୍ଗେ ମିଳନ ଏବଂ ମିଳନ ପରେ ପରମ ସୁଖକର ବିରହର ଜୀବନ୍ତ ଚିତ୍ରଣରେ ଭଞ୍ଜସାହିତ୍ୟ ରସାଳ ହୋଇ ଉଠିଛି । ନାରୀର ଅଭିମାନକୁ ପୁରୁଷ ପ୍ରତ୍ୟାଖ୍ୟାନ କରି ନାହିଁ, ଅସ୍ୱୀକାର କରିନାହିଁ, ପରିତ୍ୟାଗ କରିନାହିଁ । ବରଂ, କାତର କଣ୍ଠରେ ପ୍ରଣୟିନୀର ଅଭିମାନ-ତରଙ୍ଗିଣୀରେ ନିତ୍ୟ ନିମଜ୍ଜିତ ରହି ଶୋକାବେଗରେ କହିଛି –

 

ରମଣୀମଣି ମୁଁ       ବିଦେଶୀ ନୋହିବି

କହିଲି ତୋ ଛାମୁରେ

ମୁଁ ଯେ ଅତ୍ୟନ୍ତ       ପାତକୀ ମିଥ୍ୟାଭାଷୀ

ଭସାଇ ତତେ ଶୋକରେ ।

କରେ ଦାସ ଦୋଷ ପ୍ରଭୁ ତା ଘେନିଲେ

ପଚାରୁଛି ବନିତାକୁ

ତାକୁ କି ରକ୍ଷା       ସଂସାରେ ଏ ଗୋଚର

ନାହିଁ ପରା ଦଇବକୁ ।

(ପ୍ରେ.ସୁ.୮ମଛାନ୍ଦ)

 

ଏହି ଅଭିମାନ ବଳରେ ହିଁ ପ୍ରଣୟସୂତ୍ର ଅଖଣ୍ଡିତ ରହିଛି । ପୁଣି ଏହି ଅଭିମାନର ଗଭୀରତା ହେତୁ କାଳିଦାସଙ୍କର ମେଘଦୂତ ବର୍ଣ୍ଣିତ ଅମରବାଣୀ ଭଞ୍ଜୟ ନାୟିକାର ପ୍ରାଣେ ପ୍ରାଣେ ପ୍ରତିଧ୍ୱନିତ ହୋଇ, କବିତା ରାଜ୍ୟରେ ଚିରନ୍ତନ ସତ୍ୟକୁ ଓ କବନକୌଶଳ ମଧ୍ୟରେ ସୌନ୍ଦର୍ଯ୍ୟର ମଙ୍ଗଳମୟ ସଙ୍ଗୀତକୁ ଚିରକାଳ ଉଜ୍ଜୀବିତ କରି ରଖିଛି ।

 

ନାରୀ ପୁରୁଷର କେବଳ ନର୍ମସଙ୍ଗିନୀ ନୁହେଁ, ଧର୍ମସଙ୍ଗିନୀ ଓ କର୍ମସଙ୍ଗିନୀ ମଧ୍ୟ । କର୍ମମୟ ଜୀବନ ରୂପୀ ନଦୀଶଯ୍ୟା ଉପରେ ଦାମ୍ପତ୍ୟ ପ୍ରେମର ପ୍ରବଳ ପ୍ରବାହ ଚିରକାଳ ପ୍ରବାହିତ ହୁଏ । ନଦୀର ଆବର୍ତ୍ତ ଓ ସ୍ରୋତର କୂଳ ପ୍ଳାବନ ପରି ବେଳେ ବେଳେ ଦାମ୍ପତ୍ୟ ଜୀବନରେ ମଧ୍ୟ ନାନା ମାନସିକ - ଆବର୍ଷ ଓ କର୍ମ ସମ୍ପାଦନରେ ମନୋମାଳିନ୍ୟ ପ୍ରକାଶ ଲାଭ କରିଥାଏ । ତଥାପି ଜଳସ୍ରୋତର ଉତ୍ପତ୍ତିଠାରୁ ସମୁଦ୍ର ସଙ୍ଗମ ପର୍ଯ୍ୟନ୍ତ ଯେପରି ପ୍ରବାହର ଅଖଣ୍ଡତା ପରିଲକ୍ଷିତ ହୁଏ, ସେହିପରି ଦାମ୍ପତ୍ୟ ଜୀବନର ଆରମ୍ଭଠାରୁ ମୃତ୍ୟୁ ମୁଖରେ ନିପତିତ ହେବା ପର୍ଯ୍ୟନ୍ତ ସେହି ଆତ୍ତିକ ବନ୍ଧନର ଅନବଚ୍ଛିନ୍ନତା ହିଁ ଦୃଷ୍ଟି ଗୋଚର ହୋଇଥାଏ । ସେହି ବନ୍ଧନ, ସେହି ଅଖଣ୍ଡତା ଓ ଅନବଚ୍ଛିନ୍ନତା ମଧ୍ୟରେ ନାରୀର ବିଜିଗୀଷା ପ୍ରଚ୍ଛନ୍ନ ରହିଥାଏ । ନାରୀ ଜୀବନର ଏହି ବିଶ୍ୱଜନୀନ ସତ୍ୟକୁ ରୂପାୟିତ କରି ଦିନେ କବିକଣ୍ଠ ମୁଖରିତ ହୋଇ ଉଠିଥିଲା –

 

ଆଶାବନ୍ଧଃ କୁସୁମ ସଦୃଶଂ

ପ୍ରାୟଶୋ ହ୍ୟାଙ୍ଗନାନାଂ

ସଦ୍ୟଃପାତୀ ପ୍ରଣୟିହୃଦୟଂ

ବିପ୍ରଯୋଗେ ରୁଣଦ୍ଧି ।

(ପୂର୍ବମେଘ)

 

ଏହି ଆତ୍ମବିଶ୍ୱାସଭରା ସ୍ଵାମୀ ହୃଦୟ ବିଜୟବାସନା ଯାହାର ଅନ୍ତରରେ ଅଙ୍କୁରିତ ଓ ପଲ୍ଲବିତ ହୋଇନାହିଁ, ସେଭଳି ପ୍ରଣୟୀନୀର-ଉପବନ ସୁବାସଶୂନ୍ୟ ନୁହେଁ କି ?

 

ବ୍ୟବହାର

ଉପେନ୍ଦ୍ର ଭଞ୍ଜ ନିଜର ଆଦର୍ଶନାୟିକା ଚିତ୍ରଣରେ ବିଚିତ୍ର ବିଳାସିତା ଓ ଅଭିମାନର ଇଙ୍ଗିତ ପ୍ରଦାନ ସଙ୍ଗେ ସଙ୍ଗେ ଜୀବନର ଉତ୍କର୍ଷ ବିଧାୟକ ଓ ମାନବିକତାର ମହତ୍ତ୍ୱଦ୍ୟୋତକ ବ୍ୟବହାରଜ୍ଞାନରେ ନାରୀଜୀବନର ଅନ୍ୟତମ ସାର୍ଥକତା ଲକ୍ଷ୍ୟ କରି ଅଛନ୍ତି । କେବଳ ବୁଦ୍ଧିମତ୍ତା କିମ୍ବା କେବଳ ହୃଦୟବତ୍ତା ମାନବଜାତିର ମହନୀୟତାର ପରିଚାୟକ ହୋଇ ନ ପାରେ । ତାହା ହୋଇଥିଲେ କେବଳ ବିଚିତ୍ର ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ହୃଦୟହୀନତାର ପୂଣ୍ୟତର ଅଭିଳାଷରେ ଚିର କଳଙ୍କିତ ହୋଇ ପଡ଼ନ୍ତା । ଅନ୍ୟ ପକ୍ଷରେ, ହୃଦୟବତ୍ତାର ଚରମ ଉତ୍କର୍ଷ ଯାହାର ଜୀବନର ଚିର ସହଚର, ତାହାର ସମସ୍ତ ଗୁରୁଗୌରବ ବୁଦ୍ଧିହୀନତାର ବୀଭତ୍ସ ଅନ୍ଧକୃପ ମଧ୍ୟରେ ଆବଦ୍ଧ ରହି ଅମାନୁଷିକତାର ବିକଟ ସମାଲୋଚନାରେ ଅହରହ ଆକ୍ରାନ୍ତ ହେଉଥାଆନ୍ତା; କିନ୍ତୁ ଏ ଦୁଇଟି ମହନୀୟ ମାନବିକ ଗୁଣର ମଧୁର ସମୟରେ ଯେଉଁ ବ୍ୟବହାର ଜ୍ଞାନର ଉତ୍ପତ୍ତି, ତାହା ହିଁ ମାନବକୁ ତାହାର ମହିମାନ୍ଵିତ ନାମର ବରେଣ୍ୟ ଅଧିକାରୀରୂପେ ପ୍ରତିଷ୍ଠିତ କରେ ।

 

‘ବ୍ୟବହାର’ ଶବ୍ଦରେ ସର୍ବବିଧ ବ୍ୟବହାର ଅନ୍ତର୍ଭୁକ୍ତ । ବାଲ୍ୟ ଜୀବନରେ ଶିଶୁମଣ୍ଡଳୀର ଗୁରୁଜନଙ୍କ ପ୍ରତି, ପିତାମାତାଙ୍କ ପ୍ରତି, ସଙ୍ଗୀମାନଙ୍କ ପ୍ରତି ଯେଉଁ ବ୍ୟବହାର, ତାହା ଏଥିରେ ଅନ୍ତର୍ଭୁକ୍ତ । ଯୌବନର ଆଗମନ ସଙ୍ଗେ ସଙ୍ଗେ ଜୀବନବୃକ୍ଷ ଯେତେବେଳେ ପଲ୍ଲବିତ ହୋଇଉଠେ, ସେତିକିବେଳେ ଯେ କୌଣସି ବ୍ୟକ୍ତି ପକ୍ଷରେ ସ୍ଖଳନର ଆଶଙ୍କା ଅତ୍ୟନ୍ତ ଅଧିକ । ଯେଉଁ ସ୍ଥାନରେ, ଯେଉଁ ପରିସ୍ଥିତିରେ ଓ ଯେଉଁ ଜନସମାଜରେ ଯେଭଳି ବ୍ୟବହାର ଶିଷ୍ଟ-ଜନୋଚିତ ବିବେଚିତ ହୋଇଥାଏ, ତାହା ସେହି ଦୁର୍ଦ୍ଦାନ୍ତ ଯୌବନର ଦୁରତିକ୍ରମ୍ୟ ପ୍ରଭାବରେ ଅନୁଷ୍ଠିତ ହୋଇପାରେ ନାହିଁ-। ସେହି ହେତୁରୁ, ଶିଶୁର ଭାବୀ ଜୀବନ ସଂଗ୍ରାମ ଉପରେ ଲକ୍ଷ୍ୟ ରଖି ଯେଉଁମାନେ ଶିକ୍ଷାପଦ୍ଧତିର ନିୟନ୍ତ୍ରଣ କରନ୍ତି, ସେମାନେ ଶିଶୁର ବ୍ୟବହାରକୁ ସଂଯତ, ଶୃଙ୍ଖଳିତ ଓ ନିୟନ୍ତ୍ରିତ କରି ଭାବୀ ଜୀବନର ସହାୟକ ଓ ପରିପୋଷକ ରୂପେ ଶିକ୍ଷାର ପରିକଳ୍ପନା କରିଥାଆନ୍ତି । ବ୍ୟବହାରର ଅନଭିଜ୍ଞତା ସମସ୍ତ ଶୃଙ୍ଖଳା, ସଂଯମ ଓ ସିଦ୍ଧାନ୍ତର ଘୋର ପ୍ରତିକୂଳ ରୂପେ ଆତ୍ମପ୍ରକାଶ କରି ଜୀବନର ସ୍ୱଚ୍ଛନ୍ଦଗତିକୁ ବିଭ୍ରଷ୍ଟ ଓ ବ୍ୟାହତ କରିଦିଏ ।

 

ସେଥିପାଇଁ ଉପେନ୍ଦ୍ର ଭଞ୍ଜ ତାଙ୍କର ନାୟିକାକୁ ବ୍ୟବହାର ଜ୍ଞାନରେ ବିମଣ୍ଡିତ କରି ଆଦର୍ଶ ଭାରତୀୟ ପରିବାରରେ ଭିଭି ପାତନ କରିଛନ୍ତି । ଭାରତୀୟ ଜୀବନରେ, ବିଶେଷତଃ ପରିବାରରେ ସୀମିତି ପରିପାର୍ଶ୍ଵ ମଧ୍ୟରେ ନାରୀ ହେଉଛି ସମଧିକ ଗୌରବଶାଳିନୀ । “ପିତୁର୍ଦ୍ଦଶଗୁଣଂ ମାତା ଗୌରବେଣାତିରିଚ୍ୟତେ” । ସୁତରାଂ, ପରିବାରର ସୁନିୟନ୍ତ୍ରଣ ଲାଗି ନାରୀର ବ୍ୟର ବ୍ୟବହାରଜ୍ଞାନ ଯେ ଅତ୍ୟକ ଆବଶ୍ୟକ, ଏ କଥା ଅସ୍ୱୀକାର କରାଯାଇ ନ ପାରେ । ଭଞ୍ଜ ସାହିତ୍ୟରେ ନାୟକ ନାୟିକାମାନଙ୍କର ଜନ୍ମ ପରେ କୈଶୋର ଓ ଯୌବନର ଉଦ୍‍ଗମ ମାର୍ଗରେ ହିଁ ବିବାହ ପରବର୍ତ୍ତୀ ବିରହ ମିଳନାତ୍ମକ ମଧୁର ବିଧୁର ଚରିତର ପରିବେଷଣ ବିଶେଷ ଭାବରେ ପରିଦୃଷ୍ଟ ହୁଏ । ବୈଦେହୀଶ-ବିଳାସ ଭଞ୍ଜ ସାହିତ୍ୟରେ ସ୍ୱତନ୍ତ୍ର ଗୌରବର ଅଧିକାରୀ ।

 

ମୂଳ ରାମାୟଣାଦି ଗ୍ରନ୍ଥର ଚାରିତ୍ରିକ ଉତ୍କର୍ଷମୂଳକ ଅନୁବର୍ତ୍ତିତା ଯଦିଓ ବୈଦେହୀଶ ବିଳାସର ବିଭିନ୍ନ ଛତ୍ରରେ ପ୍ରତିଫଳିତ, ତଥାପି ସ୍ଥାନେ ସ୍ଥାନେ ବୈଦେହୀ ଓ ବୈଦେହୀଙ୍କର ଚରିତ୍ରଗତ ବ୍ୟବହାରଜ୍ଞାନ ପ୍ରଦର୍ଶନରେ ଭଞ୍ଜଙ୍କର ଅସାଧାରଣ ବିବେକଶୀଳତା ପ୍ରକଟିତ ହୋଇଛି-। ନରନାରୀଙ୍କର ଅନ୍ତର ଅଧ୍ୟୟନମୂଳକ ଯଥୋଚିତ ବ୍ୟବହାର ଚିତ୍ରଣରେ ଭଞ୍ଜଙ୍କର ଲେଖନୀ କେତେଦୂର ଶକ୍ତିଶାଳୀ, ତାହାର କେତେ ଗୋଟି ପ୍ରମାଣ ଏଠାରେ ପ୍ରଦାନ କରାଯାଉଚି-

 

୧) ବୈଦେହୀଶ ବିଳାସରେ ରାମଲକ୍ଷ୍ମଣ ସୀତାଙ୍କର ବନଗମନର ଚରିତ ବର୍ଣ୍ଣିତ । ଯେତେବେଳେ ଏମାନେ କନ୍ଧ ଅଧ୍ୟୁଷିତ ଅରଣ୍ୟ ପ୍ରଦେଶରେ ଯାତ୍ରା କରୁଛନ୍ତି, ସେତେବେଳେ “ବନ୍ୟନାରୀ”ମାନେ ଅପୂର୍ବ ରୂପ ଲାବଣ୍ୟମୟ ଏହି ଉଭୟ ଭ୍ରାତା ଓ ସୀତାଙ୍କୁ ଦେଖି “ଏମାନେ କିଏ”, ତାହା ପଚାରିବା ପାଇଁ ସୀତାଙ୍କ ନିକଟକୁ ଯାଇଛନ୍ତି ଏବଂ କବିଙ୍କ ଭାଷାରେ ପଚାରିଛନ୍ତି –

 

ବରାରୋହା ଏ ପୁରୁଷସାର ଦୁହେଁ

ସୋଦର କିବା ତୁମ୍ଭର,

ବୁଲନ୍ତ ଜଗତେ ଘେନି ସଙ୍ଗତରେ

ସୁସମେ ନ ମିଳେ ବର ।

ବୋଲୁ ଶିର କମ୍ପାଇ,

ବର ଦେବର କେ ଯାଅ କହି ।

 

ଅର୍ଥାତ୍ ହେ ସୁନ୍ଦରୀ ! ଏ ଦୁଇଜଣ ପୁରୁଷଶ୍ରେଷ୍ଠ ତୁମର ନିଜ ଭାଇ ହୁଅନ୍ତି କି ? ଏବଂ ତୁମର ସମାନ ହେବା ଭଳି ସୁନ୍ଦର ବର ନ ମିଳିବାରୁ ବର ଖୋଜିବା ପାଇଁ ତୁମକୁ ସଙ୍ଗରେ ଧରି ବାହାରି ପଡ଼ିଛନ୍ତି କି ? ସେମାନଙ୍କର ଏ ପ୍ରଶ୍ନର ଉତ୍ତର ତୁଣ୍ଡ ଖୋଲି ସୀତା ଦେଇନାହାଁନ୍ତି । କବି ଉପେନ୍ଦ୍ର ସୀତାଙ୍କୁ ଲଜ୍ଜାଶୀଳା ଓଡ଼ିଆ ଘରର ନାରୀରୂପେ ଚିତ୍ରଣ କରିବାକୁ ଯାଇ ଏଭଳି ଭାବରେ ସୀତାଙ୍କର ଚାରିତ୍ରିକ ଉତ୍କର୍ଷ ପ୍ରକାଶ କରିଛନ୍ତି । ଅପରିଚିତା ନାରୀମାନଙ୍କୁ ସ୍ଵାମୀ ଏବଂ ଦେବରଙ୍କ ନିକଟରେ “ଓଡ଼ିଆଣୀ ସୀତା” କିପରି ବା ଉତ୍ତର ଦିଅନ୍ତେ ? ସେଥିପାଇଁ ଶିର କମ୍ପାଇ ଅର୍ଥାତ୍ “ନୁହନ୍ତି” ବୋଲି ଜଣାଇବା ଲାଗି ମୁଣ୍ଡ ହଲାଇ ଦେଇଛନ୍ତି ମାତ୍ର । ଫଳରେ ସେମାନେ ପୁଣି ପଚାରିଛନ୍ତି (ଯଦି ସେ ଦୁହେଁ ତୁମର ନିଜର ଭାଇ ନୁହନ୍ତି) କିଏ ତୁମର ବର ଓ କିଏ ତୁମ ଦେବର (ଦିଅର) ତାହା କହି ଦିଅ ।

 

କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଅପୂର୍ବ କୌଶଳ ଅବଲମ୍ବନ କରି ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି କରି ଅଛନ୍ତି । ପରିସ୍ଥିତିଟି ହେଉଛି – ବନ୍ୟନାରୀମାନେ ପ୍ରଶ୍ନ ପଚାରିଛନ୍ତି, ଉତ୍ତର ଅବଶ୍ୟ ଦେବାକୁ ହେବ । ସୀତା ମୁଣ୍ଡ ହଲାଇବା ଦ୍ୱାରା ସେମାନଙ୍କ ପ୍ରଶ୍ନର ଆଂଶିକ ଉତ୍ତର ମାତ୍ର ଦିଆ ହୋଇଛି । ତେଣୁ କବି ଯେଉଁ ପରିସ୍ଥିତିଟି ସୃଷ୍ଟି କଲେ ତହିଁରେ –

 

ରାମ ଲକ୍ଷ୍ମଣ ଆଗରେ ଚାଲିଛନ୍ତି, ବନ୍ୟ ନାରୀମାନେ ସୀତାଙ୍କୁ ପ୍ରଶ୍ନ ପଚାରୁ ପଚାରୁ ସୀତା ଟିକିଏ ପଛରେ ପଡ଼ି ଯାଇଛନ୍ତି । ଠିକ୍ ଯେତେବେଳେ ବନ୍ୟ ନାରୀମାନେ ପଚାରିଛନ୍ତି, ‘ତୁମର ଦେବର କିଏ’ ସେତିକିବେଳେ ଦେବରଙ୍କଦ୍ଵାରା କବି ସୀତାଙ୍କୁ ଆହ୍ୱାନ କରାଇଛନ୍ତି – ଅର୍ଥାତ୍ ଏଣେ ବନ୍ୟ ନାରୀମାନଙ୍କ ମୁଖରେ ଯେତିକିବେଳେ “ଦେବର” ଶବ୍ଦଟି ଉଚ୍ଚାରିତ ହେଉଛି ସେତିକିବେଳେ ଦେବରଙ୍କ ଦ୍ଵାରା କବି ସୀତାଙ୍କୁ ଆହ୍ୱାନ କରାଇବାରୁ ହୁଏତ ଅଙ୍ଗୁଳି ନିର୍ଦ୍ଦେଶ କରି “ଏ ଦେବର” ବୋଲି ସୀତା ସେମାନଙ୍କୁ ବୁଝାଇ ଦେଇଛନ୍ତି ।

 

(ଖ) ଲାବଣ୍ୟବତୀ କାବ୍ୟରେ ଉପେନ୍ଦ୍ର ଭଞ୍ଜଙ୍କର ଆଦର୍ଶ ପ୍ରଣୟଚିତ୍ର ସମ୍ବଳିତ – ସଂସ୍ଥାନ କ୍ରମରେ ତାଙ୍କର ବିଚିତ୍ର ବ୍ୟବହାର ଜ୍ଞାନର ପରିଚୟ ମିଳେ । ସପ୍ତଦଶ ଛାନ୍ଦରେ ଶୁକ ଲାବଣ୍ୟବତୀଙ୍କୁ ପରାମର୍ଶ ଦେଇଅଛି ଯେ ଚନ୍ଦ୍ରଭାନୁଙ୍କ ନିକଟକୁ ସେ (ଲାବଣ୍ୟବତୀ) ପ୍ରଥମେ ପତ୍ର ଦିଅନ୍ତୁ । କବିଙ୍କ ଭାଷାରେ –

 

“ଦେଇ ଲେଖ ଅତ୍ୟନ୍ତ କାତର କାମୁ ରଖ

ଶୁକର ଏ ବାଣୀ ଶୁଣି ସର୍ବେ ଲଭି ସୁଖ

ସେ ବୋଇଲେ ଆମ୍ଭେ ନାରୀ

ପ୍ରଥମରେ ଲେଖିବୁଟି ପତ୍ରିକା କି କରି ।।’’

 

ଆଜିକାଲି ଯୁଗରେ ହୁଏତ ନାରୀ ପ୍ରଣୟାତୁର ହୋଇ ପୁରୁଷ ନିକଟକୁ ପ୍ରଥମେ ପତ୍ର ଲେଖିବାର ଦୃଷ୍ଟାନ୍ତ ସହଜରେ ମିଳିପାରେ, କିନ୍ତୁ ଏହା ଭାରତୀୟ ଆଚାର ବ୍ୟବହାର ତଥା ପରମ୍ପରାର ଅନୁମୋଦିତ ମାର୍ଗ ନୁହେଁ । ସେଥିପାଇଁ ଉପେନ୍ଦ୍ର ଭଞ୍ଜ ଏ ସ୍ଥଳରେ କୁହାଇଛନ୍ତି, ପ୍ରଣୟକ୍ଷେତ୍ରରେ ନାରୀ ପକ୍ଷରୁ ପ୍ରଥମେ ପତ୍ର ଲେଖିବା ବିସଙ୍ଗତ ନୁହେଁ । ପୁରୁଷ ଚନ୍ଦ୍ରଭାନୁ ହଁ ପ୍ରଥମେ ପତ୍ର ଲେଖିବା ବିଶେଷ ଯୁକ୍ତିଯୁକ୍ତ । ଏହା ପ୍ରାକୃତିକ ଦୃଷ୍ଟାନ୍ତଦ୍ଵାରା ପ୍ରତିପାଦନ କରିବାକୁ ଯାଇ କବି କହିଛନ୍ତି –

 

“ରବିକର ପରଶେ ପଦ୍ମକୁ କରେ ତୋଷ

ପଲ୍ଲବେ ଲତା ଉପସ୍ଥିତିରେ ମଧୁମାସ

ଚୂତ ମୁକୁଳ ଅଶନ

ହୋଇଲେ ସିନା କହଇ କୋକିଳ ବଚନ

ଘନ ଗରଜିଲେ ସିନା ମୟୂର ଅନାଇଁ

ଆନନ୍ଦରେ ନୃତ୍ୟ କରି ବାଣୀ ପ୍ରକାଶଇ ।”

 

ଭଞ୍ଜସାହିତ୍ୟରେ ସାମାଜିକ ବ୍ୟବହାର ଲାଗି, ବିଶେଷରେ ଯେଉଁ ପ୍ରଣୟପ୍ରସଙ୍ଗରେ ସାଧାରଣରେ ଯୁବକ ଯୁବତୀ ଶିଷ୍ଟାଚାରର ସୀମାଲଂଘନ କରିବାର ଆଶଙ୍କା ଥାଏ, ସେଠାରେ ମଧ୍ୟ ସାଧୁ ବ୍ୟବହାର ଓ ଶିକ୍ଷାମୂଳକ ସୁସଙ୍ଗତ ପରିସ୍ଥିତି ସୃଷ୍ଟି କରି ସାମାଜିକ ଦାୟିତ୍ୱ ନିର୍ବାହ କରିବାରେ ନିଜର ଦୂରଦୃଷ୍ଟିର ପରିଚୟ ଦେଇଅଛନ୍ତି । ଗ) ସେହିପରି “କୋଟି ବ୍ରହ୍ମାଣ୍ଡସୁନ୍ଦରୀ”ର ଶେଷ ଛାନ୍ଦରେ କେଳିପୁରମଣ୍ଡନ ପ୍ରସଙ୍ଗରେ ବର୍ଣ୍ଣନା କରି ଲେଖିଛନ୍ତି –

 

“ଗୋପୀକୃଷ୍ଣ ଲୀଳା ଚିତ୍ର ନାହିଁ ଯହିଁ ଦେଖା

ସୀତାରାମ ପ୍ରଦୀପ ନିୟମ ଆଦି ଲେଖା ଯେ ।

ନୂତନରେ ଏତେ ଚିତ୍ର କଲୁ ମତି ହରି

ଅର୍ଦ୍ଧଜାତ ହରି କରୀ ବିଦାରଣ କରି ଯେ ।”

 

କେଳିକକ୍ଷରେ, ଯେଉଁ କକ୍ଷର ସୁସଜ୍ଜିତ ଶଯ୍ୟରେ ନବଦମ୍ପତିର ମିଳନ ହେବ, ସେଠାରେ ରାଧାକୃଷ୍ଣଙ୍କର ଚିତ୍ର ରଖାଗଲା ନାହିଁ । ତାହା ବଦଳରେ ରାମସୀତାଙ୍କ ଚିତ୍ର ରଖାଗଲା । ପୁଣି ଆଉ, ଏକ ଚିତ୍ର ରଖାଗଲା ଯହିଁରେ ମା’ ପେଟରୁ ପୁରା ଜନ୍ମ ନ ହୋଇଥିବା ଗୋଟିଏ ସିଂହଛୁଆ ଆଉ ଏକ ହାତୀର ମଥା ବିଦାରଣ କରି ଦେଉଛି । କେତେ ପ୍ରକାର ଚିତ୍ର ଯେ କେଳିକକ୍ଷରେ ରଖାଯାଇ ପାରନ୍ତା ତାର କଳ୍ପନା ନାହିଁ । ପୁଣି ସାଧାରଣରେ ପ୍ରେମ ଉଦ୍ଦୀପକ ଚିତ୍ରମାନ ଭିତ୍ତିଗାତ୍ରରେ ଅଙ୍କିତ ହୋଇଥିବାର ବର୍ଣ୍ଣନାମାନ ମଧ୍ୟ ସ୍ଥାନେ ସ୍ଥାନେ ପ୍ରାଚୀନ ସାହିତ୍ୟରେ ଉପଲଭ୍ୟ । କିନ୍ତୁ ଏ ସ୍ଥଳରେ ଉପେନ୍ଦ୍ର ତାଙ୍କର ଚରମ ଚିନ୍ତାଶୀଳତାର ପରିଚୟ ଦେଇ କେଳିକକ୍ଷ ଲାଗି ଏ ଭଳି ଦୁଇଟି ଚିତ୍ରର ବ୍ୟବସ୍ଥା କରିଅଛନ୍ତି । ତାହାର କାରଣ ହେଉଛି –

 

ରାଧାକୃଷ୍ଣ ପ୍ରେମ ପରକୀୟା ପ୍ରୀତି, ଯେହେତୁ, ରାଧା ଶ୍ରୀକୃଷ୍ଣଙ୍କର ବିବାହିତା ପତ୍ନୀ ନୁହନ୍ତି । ସୁତରାଂ କବି ରାମ ସୀତାଙ୍କ ଚିତ୍ର କେଳି କକ୍ଷରେ ରଖି ସୀତାରାମଙ୍କ ଭଳି ଅଖଣ୍ଡ, ଅନାବିଳ ଓ ସ୍ଵକୀୟା ପ୍ରୀତିର ଆଦର୍ଶ ଅନୁସାରେ ନିଜ ଜୀବନକୁ ଗଠନ କରିବାରେ ପ୍ରେରଣା ଦେଇଛନ୍ତି । ରାଧାକୃଷ୍ଣଙ୍କର ପ୍ରେମରେ ପୀତିର ପ୍ରାବଲ୍ୟ ସୂଚିତ ହେଲେ ହେଁ ତାହା ମନକୁ ପୂରାପୂରି ଆଛନ୍ନ କରି ରଖିଥାଏ । ଉପେନ୍ଦ୍ର ନିଜେ ଲେଖିଛନ୍ତି –

 

“ମନ ଉପରେ ତ ରାଜା ପୀରତି

ତହୁଁ ପାରେ କେ ପୁରୁଷ ନିବର୍ତ୍ତି

ରାଧାକୃଷ୍ଣ ନିପୁଣ ଏ ଭାବରେ

ବୁଝେ ଅନୁଭବୀ ଅନୁଭବରେ ।”

 

ଅଥଚ ରାମ ସୀତାଙ୍କ ପ୍ରେମରେ, ମନ, ପ୍ରୀତିର ମୋହାବରଣରୁ ମୁକ୍ତ । ସଂସାରର କର୍ତ୍ତବ୍ୟନିଷ୍ଠା ନିକଟରେ, ଦାମ୍ପତ୍ୟ ପ୍ରେମର ଗୌରବ ଅସ୍ୱୀକାର୍ଯ୍ୟ ନ ହେଲେ ହେଁ ମହତ୍ତର ନୁହେଁ । କାମକଳାବିଳାସ ନାରୀମାନଙ୍କର କିପରି ସ୍ୱାଭାବିକ, ଦ୍ୱିତୀୟଟିରେ ତାହା ପ୍ରମାଣିତ । ସଖୀମାନଙ୍କ ଦ୍ଵାରା କେଳିକକ୍ଷର ମଣ୍ଡନ ବିଧାନରେ ଏଭଳି ଉଚ୍ଚାଙ୍ଗ ଜୀବନ, ଦର୍ଶନପୂର୍ଣ୍ଣ ବ୍ୟାବହାରିକତା ଉପେନ୍ଦ୍ରଭଞ୍ଜଙ୍କ ମହାକବିସୁଲଭ ମହାଭାବୁକତାର ପରିଚାୟକ ନୁହେଁ କି ?

 

କାନ୍ତି ଓ ଦ୍ୟୁତି

ପ୍ରକୃତରେ, ଜୀବନ ସଂଭୋଗର ନିବୃତ୍ତି, ଜୀବନର ପରିପୂର୍ଣ୍ଣ ସମ୍ଭୋଗ ଉପରେ ନିର୍ଭର କରେ । ଭାରତୀୟ ଧର୍ମ ସାହିତ୍ୟରେ ପ୍ରବୃତ୍ତିମାର୍ଗ ଓ ନିବୃତ୍ତିମାର୍ଗର ବିସ୍ତୃତ ବିଚାର କରାଯାଇଛି । ନିବୃତ୍ତିମାର୍ଗ ନୀତିଦୃଷ୍ଟିରୁ ମହନୀୟ ହେଲେ ହେଁ ସଚରାଚର ପ୍ରବୃତ୍ତିମାର୍ଗର ପ୍ରାବଲ୍ୟ ହିଁ ପରିଦୃଷ୍ଟ ହୋଇଥାଏ । ପୁଣି ପ୍ରବୃତ୍ତିମାର୍ଗର ସାଧନଭୂତ ଉପଭୋଗ୍ୟ ବସ୍ତୁମାନଙ୍କର ଆପେକ୍ଷିକ ଗୁରୁତ୍ୱ ବିଚାରରେ କାମିନୀର କାନ୍ତି ହିଁ ବିଶେଷ ଭାବରେ ଦୃଷ୍ଟି ଆକୃଷ୍ଟ କରିଥାଏ । ନାରୀର ଚାରୁତା ଭାରତୀୟ କବି ମଣ୍ଡଳୀରେ ଚିର ଉଦ୍‌ଘୋଷିତ । ମହାକବି କାଳିଦାସଙ୍କ ‘ପ୍ରିୟେଷୁ ସୌଭାଗ୍ୟଫଳା ହି ଚାରୁତା’ରେ ଏହା ପ୍ରତିଧ୍ୱନିତ । ଏହି ଚାରୁତା ହିଁ ‘ପ୍ରିୟା’ର ପ୍ରିୟାତ୍ୱ ବିଶ୍ଵବିଳାସୀ ମଣ୍ଡଳୀରେ ପ୍ରତିଷ୍ଠିତ କରି ଦେଇଛି । ଜୀବଲୋକର ଷଡ଼ବିଧ ସୁଖ ମଧ୍ୟରେ ସହଧର୍ମିଣୀର ‘ପ୍ରିୟାତ୍ୱ’ ହିଁ ଯୁଗ ଯୁଗ ଧରି ବିପୁଳ ଜନସମର୍ଥନ ମଧ୍ୟରେ, ଉଜୀବିତ ରହିଛି । (୧) ଏହି କାମିନୀର କାନ୍ତିବର୍ଣ୍ଣନାରେ ବିଶ୍ୱସାହିତ୍ୟଭାବ ପୁଷ୍କଳ ହୋଇ ରସ-ପ୍ରସ୍ରବଣରୂପେ ଯୁଗ ଯୁଗ ଧରି ଅଗଣିତ ପାଠକ ଓ ଭାବୁକଙ୍କର ବିଳାସ ସାମଗ୍ରୀ ହୋଇ ଆସିଛି । କି ପ୍ରାଚ୍ୟ, କି ପାଶ୍ଚାତ୍ୟ, କି ପୁରାତନ, ତିନି ନବୀନ, କି ତରୁଣ, କି ପ୍ରବୀଣ, କି ଅନ୍ତର୍ମୁଖୀ, କି ବହିର୍ମୁଖୀ, ସକଳ ପ୍ରକାର କବିଙ୍କର ତରଳ ଲେଖନୀ କାମିନୀର କାନ୍ତି ବର୍ଣ୍ଣନରେ ମୁଖରିତ ହୋଇ ଉଠିଛି ।

 

ଭଞ୍ଜସାହିତ୍ୟ, ନାରୀର କାନ୍ତିବର୍ଣ୍ଣନାରେ ଯଦିଓ କଳ୍ପନା ବିଳାସପୂର୍ଣ୍ଣ ସଂସ୍କୃତ ସାହିତ୍ୟରୁ ଓ ଆଳଙ୍କାରିକ ପରମ୍ପରାରୁ ବିପୁଳ ପ୍ରେରଣା ଲାଭ କରିଛି, ତଥାପି ବାସ୍ତବ ପରିସ୍ଥିତିର ନିତ୍ୟ ଅନୁଭୂତ ନିରାଟ ସତ୍ୟତା ପ୍ରତି ପରାମୁଖତା ସେ ପ୍ରଦର୍ଶନ କରି ନାହାନ୍ତି । ଯେଉଁଠାରେ କବିଙ୍କର ଅତିକଳ୍ପନାର ବିମଳ ପ୍ରକାଶରେ ବର୍ଣ୍ଣିତ ବିଷୟରେ, ବାସ୍ତବତାର ସୀମା-ସଂକୋଚନ ଅନୁଭୂତ ହୁଏ, ସେଠାରେ ଅବାସ୍ତବ କଳ୍ପନା-ସର୍ବସ୍ୱତା ରୂପକ ଗୁରୁତର ପ୍ରମାଦ କବିଙ୍କ ଉପରେ ଆରୋପ କରାଯାଇ ନ ପାରେ । ଅନ୍ୟଭାବରେ କହିଲେ, ଆଳଙ୍କାରିକ ଉପେନ୍ଦ୍ର ସ୍ୱକୀୟ ନିସର୍ଗସିଦ୍ଧ ରସିକତାର ଅନନ୍ୟ ନିର୍ଭର ପ୍ରେରଣାରେ ପ୍ରଚୋଦିତ ହୋଇ, ବର୍ଣ୍ଣିତ ବସ୍ତୁର ବିଭୂତି ପ୍ରଦର୍ଶନରେ ବେଳେ ବେଳେ ଅତି କଳ୍ପନାର ଆଶ୍ରୟ ନେଇଛନ୍ତି ସିନା, ବାସ୍ତବତାପ୍ରତି ଔଦାସୀନ୍ୟ ଦେଖାଇ ନାହାନ୍ତି । ତଳେ, ଭଞ୍ଜସାହିତ୍ୟରୁ ଯେଉଁ କେତୋଟି ଉଦ୍ଧୃତି ଦିଆଯାଇଛି, ତହିଁରୁ ଜଣାଯିବ, ପୁରୁଷର କାମ୍ୟ ନାରୀର ରୂପଗତ ସୌନ୍ଦର୍ଯ୍ୟ ପ୍ରକାଶରେ ଉପେନ୍ଦ୍ରଙ୍କର ଲେଖନୀ କିପରି ସିଦ୍ଧହସ୍ତ ଓ ସଫଳତାକାମ ।

 

୧) ଝଳି କାନ୍ତିରେ ଲଭିଣ ଭୀତିକି

କଲା କଣ୍ଟକ ଦୁର୍ଗକୁ କେତକୀ

X X X

ନାସା ପୁଡ଼ା ଫୁଲିବାର ଅନାଇଁ

ଭାଷାବନ୍ଧେ ଶୁକମନ ବନ୍ଧାଇ ।

ମୁଖେ ପ୍ରଚାର କରିଚାରପଣ

ସୁଖେ ଦର୍ପ ହେତୁ କଲା ଦର୍ପଣ ।

କମ୍ବୁକଣ୍ଠ ଦେଖି ଅତି ଆର୍ତ୍ତରୁ

ସମ ନୋହେ ବୋଲି ଡାକେ ପ୍ରାତରୁ ।

ନେତ୍ର ସଙ୍ଗେ ଲକ୍ଷିବେ କେ ସୁମରି

ମୀନ ଜଳହୀନରେ ଯାଏ ମରି ।

ହୋଇ ହାସରେ କୁସୁମ ବିଜିତ

ମକରନ୍ଦ ଛଳେ ଅଶ୍ରୁ ତେଜିତ ।

କୁନ୍ଦ କୋରକ ହୀରକରଦନା

ସୁଧାକର ସରସିଜ ବଦନା ।

(ଲାବଣ୍ୟବତୀ ୩ୟ ଛାନ୍ଦ)

 

ଅଙ୍ଗପ୍ରତ୍ୟଙ୍ଗର ଏହି ବୟଃସ୍ଫୁର୍ତ୍ତ ଓ କାମଭାବୋଦ୍ଦୀପକ ସୌନ୍ଦର୍ଯ୍ୟ ଦ୍ୟୁତିଶାଳୀ ହୋଇ ଯାଇଛି, ଯେତେବେଳେ ‘ପୁଷ୍ପସମୟ’ର ବ୍ୟଞ୍ଜନାତ୍ମକ ବର୍ଣ୍ଣନରେ କବିଲେଖନୀ ମୁଖର ହୋଇ ଉଠିଛି । ତେଣୁ ଭାବବିଳାସୀ ଓ ରସିକ କବି ମଞ୍ଜୁ -ମଧୁର ବ୍ୟଞ୍ଜନାରେ ଲାବଣ୍ୟବତୀର ଯୌବନପ୍ରାପ୍ତି ବର୍ଣ୍ଣନା କରିବାକୁ ଯାଇ ଲେଖିଛନ୍ତି –

 

“ବାଣୀ କୋକିଳୁ ମଧୁର ହେବାରୁ

ନିତ୍ୟ ନିଆଳୀ ଛବି ବହିବାରୁ ।

ହୃଦ-ନଦରେ ଚିତ୍ତ ରଞ୍ଜିବାରେ

ସ୍ତନ କମଳକଳୀ ବଢ଼ିବାରେ ।

କାନ୍ତି କେତକୀ ଦିନୁ ଦିନୁ ଚାରୁ

ଚାହିଁ ଆମ୍ଭେମାନେ ମନେ ବିଚାରୁ ।

ପୁଷ୍ପ ସମୟ ହେଲାଣି ନିକଟ ।

ସତ କହ ହୋଇଲା କି ପ୍ରକଟ ।”

 

ପୁଷ୍ପ ସମୟ ବା ବସନ୍ତକାଳ ଉପଗତ ହେଲେ କୋକିଳର କୂଜନ ଶୁଣାଯାଏ, ନବମାଳତୀ ପୁଷ୍ପିତ ହେବାର ଦେଖାଯାଏ, ଶୀତଋତୁରେ ଧ୍ୱଂସ ହୋଇଯାଇଥିବା ପଦ୍ମବନ ପୁଣି ଥରେ କମଳ କଳିକାରେ ଶୋଭିତ ହୁଏ, କେତକୀ କୁସୁମ ପ୍ରସ୍ଫୁଟିତ ହୁଏ । ଅନ୍ୟ ପକ୍ଷରେ ଲାବଣ୍ୟବତୀର ଯୌବନପ୍ରାପ୍ତି ମଧ୍ୟ ଏହାଦ୍ୱାରା ସୂଚିତ ହେଲା, କାରଣ, ଯୌବନର ଉପଗମରେ ତାହାର ବାଣୀ । ଅତ୍ୟଧିକ ମଧୁର ଶୁଣାଗଲା, ଅଙ୍ଗୁଳିର ନଖାବଳୀ ଅଧିକତର ଉଜ୍ଜ୍ୱଳ ଦେଖାଗଲା, ବକ୍ଷରେ ଯୌବନବିକାଶ ସ୍ୱଷ୍ଟ ରୂପେ ଲକ୍ଷ୍ୟ କରିହେଲା ଏବଂ ସ୍ୱଭାବସୁନ୍ଦର ଅଙ୍ଗର କାନ୍ତି ସମଧିକ ଲାବଣ୍ୟଯୁକ୍ତ ହୋଇ ପ୍ରକଟିତ ହେଲା ।

 

ଅନ୍ୟଭାବରେ କହିଲେ ବୟସର ପ୍ରଭାବରେ ଲାବଣ୍ୟବତୀର ଦ୍ୟୁତି ପୂର୍ବାପେକ୍ଷା ଅଧିକତର ଭାବରେ ଉପଭୋଗ୍ୟ ହୋଉ ଉଠିଲା ।

 

‘ଉଜ୍ୱଳ ନୀଳମଣି’ରୁ ଜଣାଯାଏ ଯେ ଶୋଭାକାନ୍ତି ଏବଂ ଦ୍ୟୁତି ନାରୀଙ୍କର ସୌନ୍ଦର୍ଯ୍ୟବୋଧକତାରେ ପରସ୍ପର ନିକଟବର୍ତ୍ତୀ । ଏହି ଶାସ୍ତ୍ରୀୟ ଜ୍ଞାନକୁ ପ୍ରକାଶିତ କରି, କବି ଉପେନ୍ଦ୍ର, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀରେ ନାୟିକାର ସୌନ୍ଦର୍ଯ୍ୟ ବର୍ଣ୍ଣନା କରି ଲେଖିଛନ୍ତି –

 

୨) ଅଙ୍ଗ ଦେଶରେ ଶୋଭା ଅନୁଚରେ

ବୃଦ୍ଧି ଅକଥିତ ହୋଇ ସଞ୍ଚରେ ।

କାନ୍ତି କରଣ ପ୍ରକଟ ଛଟକେ

ଅଧିକାର କଲା ହେମ କଟକେ ।

ଦୀପ୍ତି ପ୍ରଧାନ ପ୍ରକାଶ ବହନେ

ନିଶ୍ଚେ ମଣିତ ସେ ସର୍ବ ମୋହନେ ।

ମାଧୁର୍ଯ୍ୟ ତା ଦ୍ୟୁତି ପୁଣି ଉପୁଜେ

ଚିତ୍ର ଲେଖନ ବିନା ଅନ୍ୟ ପୂଜେ ।

ରାଗ ବ୍ୟକ୍ତ ଅତିଶୟ ଅଧରେ

ସାର କରି ମଞ୍ଜିଷ୍ଠାକୁ ଉଦ୍ଧରେ ।

(କୋ.ବ୍ରା.ସୁ.୩ୟ ଛାନ୍ଦ)

 

ସ୍ତୁତି

ସ୍ତୁତି ହେଉଛି ପ୍ରଶଂସାମୂଳକ ବାକ୍ୟବିଶେଷ । ଦାମ୍ପତ୍ୟ ଜୀବନରେ ଏହାର ଆବଶ୍ୟକତା ବିଶେଷ ଭାବରେ ଅନୁଭୂତ ହୋଇଥାଏ । ଗୁଣ ଗ୍ରହଣ ପ୍ରବୃତ୍ତିରୁ ପ୍ରଶଂସାର ଉତ୍ପତ୍ତି । ପୁଣି ଅନ୍ୟର ମନକୁ ପ୍ରଫୁଲ୍ଲିତ କରିବାକୁ, ଅନ୍ୟର ପ୍ରୀତି ସମ୍ପାଦନ କରିବାକୁ, ଓ ସେଇ ସୂତ୍ରରେ ନିଜର ଅଭୀଷ୍ଟ ପୂରଣ କରିବାକୁ ସ୍ତୁତି ହେଉଛି ଏକ ଅମୋଘ ଅସ୍ତ୍ର । ସେଥିପାଇଁ ଜଗତର ପରମପୂଜ୍ୟ ଭଗବାନଙ୍କୁ । ସନ୍ତୁଷ୍ଟ କରି ନିଜର ମୁକ୍ତମାର୍ଗ ପରିଷ୍କାର କରିବା ଲାଗି ‘ସ୍ତୁତି’କୁ ଯୁଗଯୁଗ ଧରି ‘ବିଶ୍ଵ ଗୁରୁ’ ମଣ୍ଡଳୀ ଏ ବଳିଷ୍ଠ ଉପାୟରୂପେ ଗ୍ରହଣ କରି ଆସିଛନ୍ତି । ଏପରିକି, ‘ସ୍ତୁତି’ କହିଲେ, ଏହି ଭକ୍ତି ଓ ଭଗବାନଙ୍କ ରାଜ୍ୟରେ ତାହାର ଅତ୍ୟଧିକ ପ୍ରଚଳନ ଦୃଷ୍ଟିରୁ କେବଳ ଭଗବଦ୍‍-ଗୁଣଗାନ ବୋଲି ସାଧାରଣରେ ବୁଝାଯାଇଥାଏ ।

 

ଦାମ୍ପତ୍ୟ ଜୀବନର ସୁଖଶାନ୍ତି ଉପରେ ପାରିବାରିକ ତଥା ବ୍ୟକ୍ତିଗତ ଜୀବନର ଉତ୍କର୍ଷସାଧନ ନିର୍ଭର କରେ । ବିଶେଷରେ, ଜୀବନର ଆଦ୍ୟ ଭାଗରେ ସଂସାର-ସମ୍ଭୋଗର ଅବଶ୍ୟ କରଣୀୟ ପରିବେଶ ମଧ୍ୟରେ, ଯୁବକଯୁବତୀଙ୍କର ପରସ୍ପର ଗୁଣକୀର୍ତ୍ତନ ମୂଳକ ପ୍ରଶଂସାପ୍ରବଣତା ଉଭୟଙ୍କୁ ଉଭୟଙ୍କଠାରେ ଆବଦ୍ଧ କରି ରଖେ । ଦୈହିକ ମିଳନର ମୂଳ ହେଉଛି ମାନସିକ ମିଳନ ଏବଂ ଏହା ହିଁ ବିଶୁଦ୍ଧ ଆତ୍ମିକ ମିଳନର ଭିତ୍ତିଭୂମି, ସୁତରାଂ ଧର୍ମାର୍ଥ କାମ୍ୟ ସେବ୍ୟ ସଂସାରରେ କାମ ବାସନାର ଚରିତାର୍ଥତା ମାଧ୍ୟମରେ ଧର୍ମସାଧନର ସୋପାନ ନିର୍ମାଣ ଲାଗି ଏହି ସ୍ତୁତିମୂଳକ ହାର୍ଦ୍ଦିକ ମିଳନ ହିଁ ଏକ ବିଶିଷ୍ଟ ଉପାଦାନ ରୂପେ ଗୃହୀତ ହୋଇଥାଏ । ଯେଉଁ ନାରୀର ଅନ୍ତର ସ୍ୱୀୟ ପ୍ରାଣପ୍ରିୟଙ୍କ ନାମ ସ୍ମରଣରେ, ରୂପଦର୍ଶନରେ ଗୁଣ-ଚିନ୍ତାରେ, କୀର୍ତ୍ତି-ଶ୍ରବଣରେ ଉତଫୁଲ୍ଲ ହୁଏ ନାହିଁ, ସେହି ନାରୀର, ଅନ୍ତର-ସିଂହାସନ ଯେ ସେହି ପ୍ରାଣପ୍ରିୟଙ୍କ ଦ୍ଵାରା ଅକୃତ ନୁହେଁ, ଏ ବିଷୟରେ ଯୁକ୍ତିତର୍କର ବିଶେଷ ଆବଶ୍ୟକତା ଅଛି ବୋଲି ମନେ ହୁଏ ନାହିଁ । ଏପରିକି, ନିଜର ପ୍ରାଣପ୍ରିୟଙ୍କର ନିନ୍ଦା ଶ୍ରବଣରେ, ଅପକର୍ମ ଦର୍ଶନରେ ଅଧୋଗତି ଚିନ୍ତାରେ, ଦୁଷ୍କୃତି ଶ୍ରବଣରେ ଯାହାର ଚିତ୍ତ ବିଷାଦମଗ୍ନ ହୁଏ ନାହିଁ, ତାହାର ଅନ୍ତରରେ ସେହି ପ୍ରାଣପ୍ରିୟଙ୍କର ଦୃଢ଼ ଆସନ ଯେ ନାହିଁ, ଏହା ମଧ୍ୟ କୁହାଯାଇପାରେ । ମହାକବି କାଳିଦାସ ଯଥାର୍ଥରେ କହିଅଛନ୍ତି –

 

ନ କାମବୃତ୍ତୀର୍ବଚନୀୟ ମୀକ୍ଷତେ ।

(କୁ.ସ.୫)

ଅନ୍ୟ ଭାବରେ କହିଲେ, ପ୍ରିୟଙ୍କର ସୌଭାଗ୍ୟ ଶ୍ରବଣ ପ୍ରିୟର ଯେପରି ହୃଦୟ-ଉଲ୍ଲାସକ, ତାଙ୍କର ଦୋଷ ନିନ୍ଦା ପ୍ରଭୃତି ସେହିପରି ତାହାର ଏକାନ୍ତ ଅଶ୍ରାବ୍ୟ, ଅଭାବନୀୟ ଓ ମନୋବେଦନାର କାରଣ ।

 

ଭଞ୍ଜସାହିତ୍ୟରେ ଦାମ୍ପତ୍ୟ-ଜୀବନ-ସୁଲଭ ପ୍ରଶଂସାପ୍ରବଣ ଅନ୍ତରର ମଞ୍ଜୁଳ ଆଲେଖ୍ୟ ଅଙ୍କିତ ହୋଇଛି । କେତେବେଳେ ରସିକଶେଖର-ଶିରୋମଣି ନାୟକର ମୁଖରୁ ‘ଜବ ଧରାଧୀରାଧରାମଣ୍ଡନା’ ଲକ୍ଷ୍ୟରେ ଝରି ପଡ଼ିଛି ପ୍ରଶଂସାର ଧାରା, ଅନ୍ୟ କେଉଁଠାରେ ଅବା ଅତୀତର ପ୍ରଶଂସାମୁଖର ମିଳନପୀଠର ରସାଳ ଅନୁସ୍ମରଣରେ ଭାରତୀଙ୍କର ଅନର୍ଗଳ ପ୍ରବାହ ଅମନ୍ଦମନ୍ଦାକିନୀ ପରି ମହାସୁଖରୂପୀ ମହାସାଗର ଲକ୍ଷ୍ୟରେ ପ୍ରଧାବିତ ହୋଇଛି । ଅନ୍ୟ ପକ୍ଷରେ ଗୁଣବତୀ କଳାବତୀ ଲୀଳାବତୀ ନାୟିକାମାନଙ୍କର କଳ୍ପନାକୁଞ୍ଜ ନାୟକ ପ୍ରଶଂସାରେ ସ୍ଥାନେ ସ୍ଥାନେ ହୋଇଛି ଗୁଞ୍ଜରିତ । କେଉଁଠାରେ ଅବା ଅନ୍ୟାନ୍ୟ ବିବିଧ ଉପାୟରେ ସେହି ନାୟକ ସ୍ତୁତି, ନାୟିକାର ପ୍ରେମ ପୁଷ୍କଳ ପ୍ରାଣର ଗଭୀର ମୁଦ୍ରା ଘେନି, ଲହରିତ ହୋଇ ଉଠିଛି ।

 

ମୋଦ

ଜୀବନର ସମସ୍ତ କର୍ମପ୍ରବାହର ଲକ୍ଷ୍ୟ ହେଉଛି ଦ୍ୱିବିଧ – ପ୍ରଥମ, ସୁଖପ୍ରେପ୍‍ସା , ଦ୍ୱିତୀୟ, ଦୁଃଖଜିହାସା । ବିଭିନ୍ନ ଦାର୍ଶନିକ ମତବାଦ ଓ ବ୍ୟକ୍ତିନିଷ୍ଠ ଅଭିରୁଚି ଅନୁସାରେ ଏହି ଲକ୍ଷ୍ୟ ସାଧନର ମାର୍ଗ ଅବଶ୍ୟ ଭିନ୍ନ ଭିନ୍ନ ଭାବରେ ନିରୂପିତ ଓ ନିର୍ଦ୍ଦେଶିତ ହୋଇଅଛି । ତଥାପି ବିମଳ ବିଶୁଦ୍ଧ ମାନସିକ ଆନନ୍ଦରୂପୀ ଅମୃତର ଆକଣ୍ଠପାନ କାହାର ସୃହଣୀୟ ନୁହେଁ ? ସଂସାର ସରୋବର ବିହାର ରସିକମାନଙ୍କର ମନ ମଞ୍ଜରୀ ସାଂସାରିକ ମୋଦର ମାଦକତାରେ ଶିହରି ଉଠେ । ଭଞ୍ଜ ସାହିତ୍ୟରେ ସଂସାର ସୁଖଭୋଗୀ ନାୟକ-ନାୟିକାଙ୍କ ମନ ମନ୍ଦିରରେ ଏହି ‘ମୋଦ’ର ଅନୁଭୂତି ଲାଗି ଅଭୀପ୍‍ସାର ଅନଳ୍ପ ଆବେଗ ପ୍ରତିଧ୍ୱନିତ ହେଉଥିବାର ଉପଲବ୍‍ଧ ହୁଏ-। କିନ୍ତୁ ଏହି ମୋଦ ସ୍ୱୈରାଚାରରେ ପର୍ଯ୍ୟବସିତ ନୁହେଁ, ଏହା ସ୍ୱେଚ୍ଛାଚାରିତାର ସହଗାମୀ କିମ୍ବା ଅନୁବର୍ତ୍ତୀ ନୁହେଁ । ଏହା ହେଉଛି ସ୍ଵକୀୟା-ପ୍ରୀତିରୁ ଉଦ୍ଭୁତ ସଂଯତ ଜୀବନଯାପନ ମୂଳକ ସଂସାରସଂଭୋଗ । ସୁତରାଂ ଯେଉଁଠାରେ ନାୟକର ଉତ୍କର୍ଷ, ଉନ୍ନତି କିମ୍ବା ଗୌରବର ବାଣୀ ନାୟିକାର ଶ୍ରୁତିଗୋଚର ହୋଇଅଛି, ସେଠାରେ ତାହାର ଆନନ୍ଦର ସୀମା ରହିନାହିଁ, ପୁଣି ପ୍ରେମ-ପ୍ରଗତିର ପ୍ରତ୍ୟେକ ସ୍ତରରେ, ସେହି ମୋଦଆମୋଦିତ ଅନ୍ତରର ଅଭିବ୍ୟକ୍ତି ଫଳରେ ଭଞ୍ଜ ସାହିତ୍ୟର ବହୁ ଅଂଶ ସୁରଭିତ ହୋଇ ଉଠିଛି । ଅଧିକାଂଶ ବିରହାନୁଚିନ୍ତାରେ ସେହି ସଂଯତସୁଖର ମନୋଜ୍ଞ ନିକ୍ଵଣ ହିଁ ପାଠକର ଶ୍ରବଣରସାୟନ ହୋଇ ପଦେ ପଦେ ସାହିତ୍ୟରସର ସ୍ଵାଭାବିକ ମାଦକତାର ଅଦମ୍ୟ ପିପାସା ସୃଷ୍ଟି କରିଥାଏ ।

 

ମଦ

‘ଦିବ୍ୟନାରୀ’ ଯଦି ମଦଶାଳିନୀ ହୁଏ, ତେବେ ସେ ନିନ୍ଦିତ ନ ହୋଇ ଅଭିନନ୍ଦିତ ହେବ କିପରି ? ମାନବର ଷଡ଼ରିପୁ ମଧ୍ୟରେ ପଞ୍ଚମ ସ୍ଥାନରେ ‘ମଦ’ର ଆସନ ପ୍ରତିଷ୍ଠିତ । ସୁତରାଂ ଭଞ୍ଜୟ ନାୟିକାର ‘ମଦ’ର ସ୍ଵରୂପ ଅନୁସନ୍ଧେୟ ।

 

‘ମଦ’, ଶବ୍ଦରେ ଗର୍ବ ହି ସାଧାରଣରେ ବୋଧ୍ୟ । ସଂସାରର ଦୈନନ୍ଦିନ ବ୍ୟବହାରରେ ଏହାର ସ୍ଥାନ ସ୍ୱୀକାର୍ଯ୍ୟ । ଶକ୍ତି ବିରହିତ ‘ମଦ’ ସର୍ବଥା ନିନ୍ଦ୍ୟ । କିନ୍ତୁ ଗଭୀର ଆତ୍ମବିଶ୍ୱାସ ଓ ଆତ୍ମଉତ୍କର୍ଷ ବୋଧରୁ ଯେଉଁ ମଦ ଉତ୍ପନ୍ନ ତାହା ହେୟ ନୁହେଁ । ଭଞ୍ଜ ନାୟିକା ନିଜର ସୌନ୍ଦର୍ଯ୍ୟର ଉତ୍କର୍ଷ ଅନୁଭବ କରିବାରେ, ନିଜର ପ୍ରଣୟୀଙ୍କର ରୂପ ଲାବଣ୍ୟ ଓ ଶକ୍ତିବୈଭବ ପ୍ରକାଶ କରିବାରେ ସୀୟ କର୍ମନିଷ୍ଠାଦ୍ୱାରା ପ୍ରାଣେଶ୍ଵରଙ୍କୁ ନିଜ ପ୍ରତି ଏକାନ୍ତ ଅନୁରକ୍ତ ରଖି ପାରିବାରେ ଯେଉଁ ଆତ୍ମବିଶ୍ଵାସ ମୂଳକ ଉଲ୍ଲାସ ଅନୁଭବ କରିଛି, ଭଞ୍ଜ ସାହିତ୍ୟର ନାନା ସ୍ଥାନରେ ତାହାର ପ୍ରାଞ୍ଜଳ ବର୍ଣ୍ଣନାମାନ ସନ୍ନିବେଶିତ ହୋଇଛି । ପ୍ରଣୟ ବିଚାରରେ, ପ୍ରଣୟୀ ଯୁଗଳର ଯାହା କିଛି ଗର୍ବ ଓ ଗୌରବର କାରଣ, ଭଞ୍ଜ ସାହିତ୍ୟ ସେ ସବୁରେ ଏକାନ୍ତ ଋଦ୍ଧିମନ୍ତ ।

 

ସ୍ଵପ୍ନ

ସ୍ଵପ୍ନ ହେଉଚି ମଧୁର କଳ୍ପନା । ସ୍ୱପ୍ନହୀନ ଜୀବନ ନିରାନନ୍ଦମୟ । ମାନବ ମାତ୍ରେ ସ୍ଵପ୍ନବିଳାସୀ । ଜୀବନର ଲକ୍ଷ୍ୟ ଓ ପରିସ୍ଥିତି ଭେଦରେ ଯଦିଓ ସ୍ଵପ୍ନର ତାରତମ୍ୟ ଲକ୍ଷିତ ହୁଏ, ତଥାପି ସଂସାରବାସୀ ପକ୍ଷରେ ସ୍ଵପ୍ନର ଏକାନ୍ତ ଅଭାବ ସମ୍ଭବପର ନୁହେଁ । ନାରୀ ସ୍ଵପ୍ନହୀନ ହେଲେ ସମଗ୍ର ପରିବାରର ଜୀବନ ସ୍ପନ୍ଦନହୀନ ହୋଇଯାଏ । ସେଥିପାଇଁ ଭଞ୍ଜ ନିଜର ନାୟିକାମାନଙ୍କ ମନରେ ନାନା ମଧୁର ସ୍ଵପ୍ନର ଉଦ୍ଦୀପନା ଘଟାଇଛନ୍ତି । ଅବଶ୍ୟ ସେ ପ୍ରଣୟର କବି ହୋଇଥିବାରୁ ପ୍ରଣୟର ପ୍ରଶସ୍ତ ପ୍ରାଙ୍ଗଣରେ ନାରୀମାନଙ୍କର ସ୍ଵପ୍ନଶୀଳତା ସମଧିକ ପରିମାଣରେ ପ୍ରକଟିତ ହୋଇଛି । ପ୍ରଣୟଭିତ୍ତିରେ ପବିତ୍ର ଜୀବନଯାପନ ଓ ଇନ୍ଦ୍ରିୟ ଚରିତାର୍ଥ ମୂଳକ ଜୀବଧର୍ମ ପରିପାଳନ ବିଭିନ୍ନ କାବ୍ୟରେ ପ୍ରତିଫଳିତ ହୋଇଅଛି । ନାୟିକାର କାମନା ଓ କଳ୍ପନା ପୂରଣରେ ଉପେନ୍ଦ୍ର କେଉଁଠାରେ ହେଲେ ପଶ୍ଚାତ୍‌ପଦ ହୋଇ ନାହାନ୍ତି । ବରଂ ନାରୀର ଜୀବନ ପ୍ରତ୍ୟୁଷର କାମନାକୁଞ୍ଜକୁ ହି ପୁଷ୍ପଶାଳୀ କରି ଚରିତାର୍ଥର ମଧୁର ଗୁଞ୍ଜନରେ ନିଜର କାବ୍ୟକୁଞ୍ଜର ମଞ୍ଜୁଳତା ସମ୍ପାଦନ କରି ଅଛନ୍ତି ।

 

ଗତି

ଜୀବନର ଯାବତୀୟ କର୍ମପ୍ରବାହର ଦ୍ୱିବିଧ ‘ଗତି-ସ୍ଥଳ’ ଲକ୍ଷିତ ହୁଏ - ପ୍ରଥମରେ ସାଂସାରିକ ସୁଖ ସାଧନ ସମ୍ପାଦନ ଓ ଦ୍ୱିତୀୟରେ ପାରତ୍ରିକ ଉତ୍କର୍ଷ ବିଧାନ । ସାଧାରଣରେ ଏହି ଦ୍ୱିତୀୟ ଅର୍ଥରେ ହିଁ ଗତି ଶବ୍ଦର ପ୍ରୟୋଗ ହୋଇଥାଏ । ନାରୀ ପୁରୁଷର କେବଳ ନର୍ମସଙ୍ଗିନୀ ନୁହେଁ, ସେ କର୍ମସଙ୍ଗିନୀ ଓ ଧର୍ମସଙ୍ଗିନୀ ମଧ୍ୟ । ସେ ହୋଇଛି ଯଥାର୍ଥରେ ପୁରୁଷର ସହଧର୍ମିଣୀ । ନାରୀର ସହଯୋଗ ହିଁ ପ୍ରକୃତି ପୁରୁଷ ତତ୍ତ୍ୱର ସାମାଜିକ ସାର୍ଥକତା ପ୍ରତିପାଦନ କରେ ଭଞ୍ଜଙ୍କ ଦୃଷ୍ଟିରେ ନାରୀ ପୁରୁଷର ‘ଗତି’ ମୁକ୍ତିଦାୟିନୀ ହେବା ଆବଶ୍ୟକ । ସଂକ୍ଷେପରେ କହିଲେ, ଭଞ୍ଜଙ୍କ ଦୃଷ୍ଟିରେ ପ୍ରତ୍ୟେକ ପୁରୁଷ ଏଭଳି ନାରୀ ପରିଗ୍ରହ କରିବା ବିଧେୟ, ଯେ ଏହି ଦଶବିଧ ମହନୀୟ ଗୁଣାବଳୀର ଆଧାର – ଯାହାଠାରୁ କେବଳ ଚକ୍ଷୁ ପ୍ରଭୃତି ଇନ୍ଦ୍ରିୟ ଲାଗି ହିଁ ସୁଖ ମିଳିବ ନାହିଁ, ଯାହାଠାରୁ କେବଳ ମନର ପରମ ସନ୍ତୋଷ ହିଁ ଜାତ ହେବ ନାହିଁ, ଯାହାଦ୍ୱାରା କେବଳ ସାଂସାରିକ ଜୀବନର ସୁନିର୍ବାହ ହେବ ନାହିଁ । ବରଂ ଯାହାଦ୍ୱାରା ଐହିକ ସୁଖ ସଙ୍ଗେ ସଙ୍ଗେ ପାରତ୍ରିକ ଶ୍ରେୟ ସାଧିତ ହେବ ।

 

ପାଦଟୀକା :

 

୧)

ଶ୍ଳେଷ ପ୍ରସାଦଃ ସମତା ମାଧୁର୍ଯ୍ୟ ସୁକୁମାରତା

 

ଅଥବ୍ୟକ୍ତିରୁଦାରତ୍ଵମୋଜାଃକାନ୍ତିସମାୟଃ

(କାବ୍ୟଦର୍ଶ, ୧/୪୧)

୨)

ଅର୍ଥାଗମୋ ନିତ୍ୟମରୋଗିତା ଚ

ପ୍ରିୟାଚ ଭାର୍ଯ୍ୟା ପ୍ରିୟବାଦିନୀ ଚ

ବଶଶ୍ଚ ପୁତ୍ରୋଽର୍ଥକାରୀ ଚ ବିଦ୍ୟା

ଷଡ଼ଜୀବଲୋକେଷୁ ସୁଖାନି ରାଜନ ।

 

***

 

Unknown

‘ମାଦଳା ପାଞ୍ଜି’ର ନାମକରଣ

ଅଧ୍ୟାପକ ଗଗନେନ୍ଦ୍ରନାଥ ଦାଶ

 

ଓଡ଼ିଶାର ରାଜନୀତି, ସାହିତ୍ୟ ଓ ଭାଷା ସମ୍ବନ୍ଧୀୟ ଐତିହାସିକ ଆଲୋଚନାରେ ‘ମାଦଳାପାଞ୍ଜି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି । ସେଥିପାଇଁ କେବେଠାରୁ ଧାରାବାହିକ ଭାବେ ‘ମାଦଳାପାଞ୍ଜି’ ଲେଖା ଆରମ୍ଭ ହେଲା, ତା’ ଜାଣିବାର ଆବଶ୍ୟକତା ରହିଛି ଓ ବଳିଷ୍ଠ ଯୁକ୍ତି-ଭିତ୍ତିରେ ନାନାଦି ମତ ମଧ୍ୟ ଦିଆଯାଇଛି । ଅପର ପକ୍ଷରେ ‘ମାଦଳାପାଞ୍ଜି’ର ନାମକରଣ ସମ୍ପର୍କରେ ମଧ୍ୟ ଜାଣିବାର ଆବଶ୍ୟକତା ରହିଛି ଓ ସେଥିପାଇଁ ଦୁଇଗୋଟି ମତ ମଧ୍ୟ ଦିଆଯାଇଛି । ଏହି ମତଦ୍ୱୟ ମଧ୍ୟରୁ ଏକର ଖଣ୍ଡନପୂର୍ବକ ଅନ୍ୟଟିର ମଣ୍ଡନ ଅଭିପ୍ରାୟରେ ପ୍ରସ୍ତୁତ ପ୍ରବନ୍ଧର ଅବତାରଣା ନୁହେଁ ବରଂ ସ୍ୱତନ୍ତ୍ର ଏକ ତୃତୀୟ ମତ ସମ୍ଭାବନା ବିଚାର କରିବା ହିଁ ଏ ପ୍ରବନ୍ଧର ମୁଖ୍ୟ ଉଦ୍ଦେଶ୍ୟ । ପୁନଶ୍ଚ, ଏହି ତୃତୀୟ ମତ ବ୍ୟକ୍ତ କରିବା ପୂର୍ବରୁ ଆଲୋଚନାର ମାର୍ଗ ଅଧିକ ସୁଗମ କରିବା ପାଇଁ ପୂର୍ବୋକ୍ତ ଦୁଇଟିଯାକ ମତର ସଂକ୍ଷିପ୍ତ ପରିଚିତିର ଆବଶ୍ୟକତା ସ୍ୱୀକାର୍ଯ୍ୟ । ନିମ୍ନରେ ତାହାହିଁ କରାଯାଉଛି ।

 

ପ୍ରଥମ ମତ – ଏହି ମତ ଶ୍ରୀ ମନମୋହନ ଚକ୍ରବର୍ତ୍ତୀଙ୍କ ଦ୍ୱାରା ୧୯୧୬ ଖ୍ରୀଷ୍ଟାବ୍ଦରେ ପ୍ରଦତ୍ତ ହୋଇଅଛି । ସେ କହନ୍ତି ଯେ, “ମାଦଳା” ଶବ୍ଦଟି ‘ମୁଦଳ’ ଶବ୍ଦରୁ ଆସିଅଛି । ‘ମୁଦଳ’ ଶବ୍ଦର ଅର୍ଥ ହେଉଛି ମୁଦି (ମୁଦ୍ରିକା) ଦ୍ଵାରା ସିଲ୍ କରାଯାଇଥିବା ବା ମୁଦ ଦିଆ ଯାଇଥିବା – ଯେପରି ଜଉମୁଦ ଦିଆଯାଇଥିବା (Sealed with mudi or ring) ! ଅଭିଲେଖମାନଙ୍କରେ ‘ମୁଦଳ’ ଶବ୍ଦ ପ୍ରୟୋଗ ହୋଇଥିବାର ଉଦାହରଣ ଏଥିସହିତ ଦେଇ ସେ ସ୍ଵୀୟ ମତକୁ ବଳିଷ୍ଠ ଭିତ୍ତିଭୂମି ଉପରେ ପ୍ରତିଷ୍ଠା କରିବାର ପ୍ରଚେଷ୍ଟା କରିଛନ୍ତି । ଅଭିଲେଖମାନଙ୍କରେ ‘ମୁଦଳ ଶବ୍ଦ ନିମ୍ନଲିଖିତ ରୂପରେ ବ୍ୟବହୃତ ହୋଇଅଛି ଯଥା –

 

କ) ‘‘ବୈଦି -ମହାସେନାପତି-ମୁଦଲେଡ଼”(୧ )

ଖ) ‘‘ଅବଧାରିତ-ମୁଦଲେ”(୨)

ଗ) ‘‘ହଲି ପ୍ରହ୍ଲାଦ-ମୁଦଲେନ”(୩)

 

ତତ୍ପରେ ସେ ନିଜ ମତକୁ ଅଧିକ ବଳିଷ୍ଠ କରିବା ଉଦ୍ଦେଶ୍ୟରେ ଲେଖିଛନ୍ତି ଯେ, ପ୍ରତିଦିନର ସେବାପୂଜା ପରେ ଜଗନ୍ନାଥମନ୍ଦିରର ବନ୍ଦ ହୋଇଥିବା ଦ୍ଵାରକୁ ମୁଦଦେବା ବା ସିଲ କରିବା । ଲୋକର ବା ନିଯୋଗର ନାମ ‘ମୁଦ୍ରସ୍ତ’ (ଯେଉଁ ଶବ୍ଦଟି ମୁଦ୍ର ଶବ୍ଦରୁ ସୃଷ୍ଟ) । ଏହିପରି ଭାବରେ ଅଭିଲେଖମାନଙ୍କରେ ‘ମୁଦଳ’ ଶବ୍ଦର ବା ତାହାର ରୂପାନ୍ତର ବିଶେଷରେ ପ୍ରୟୋଗ ଓ ‘ମୁଦ୍ରସ୍ତ’ ସହ ତା’ର ତୁଳନାରୁ ସେ ‘ମୁଦଳ’ ଶବ୍ଦରୁ ‘ମାଦଳା’ ଶବ୍ଦ ସୃଷ୍ଟି ହୋଇଥିବାର ସିଦ୍ଧାନ୍ତ କରିଅଛନ୍ତି । ସୁତରାଂ ତାଙ୍କ ମତ ଅନୁଯାୟୀ ‘ମାଦଳାପାଞ୍ଜି’ର ଅର୍ଥ ହେବ – ରାଜାମାନଙ୍କ ଆଦେଶର କ୍ରମାନୁଯାୟୀ ସଂଗ୍ରହ ବା ରାଜାମାନଙ୍କ ଆଦେଶରେ ଲିଖିତ ହେଉଥିବା ସମୟାନୁସାରୀ ଇତିହାସ ବା ବିବରଣୀ (a chronical of royal orders)(୪) ଅନ୍ୟ କଥାରେ, ପୂର୍ବେ ରାଜାମାନଙ୍କ ଆଦେଶନାମାରେ ତଳେ ରାଜାଙ୍କ ସିଲ୍ ମୋହର ବା ମୁଦ ଦିଆଯାଉଥିଲା । ସେହିସବୁ ଆଦେଶମାନଙ୍କର ଏକ ସଙ୍କଳନ ବା ସେହି ଆଦେଶଦ୍ୱାରା ଯେଉଁ ପାଞ୍ଜି ଲିଖିତ ହୋଇଥିଲା, ସେହି ପାଞ୍ଜି ହେଉଛି ‘ମାଦଳାପାଞ୍ଜି’ । ଏହି ମତ ବର୍ତ୍ତମାନ ସାଧାରଣରେ ଅପ୍ରଚଳିତ-

 

ଦ୍ୱିତୀୟମତ – ବୋଧହୁଏ ପ୍ରଥମେ ରାୟବାହାଦୁର ରମାପ୍ରସାଦ ଚନ୍ଦଙ୍କଦ୍ଵାରା ଏହି ମତ ୧୯୨୭ ଖ୍ରୀଷ୍ଟାବ୍ଦରେ ପ୍ରଦତ୍ତ ହେଲା । ସେ କହନ୍ତି, ‘ମାଦଲା’ ହେଉଛି ଏକ ପ୍ରକାର ବାଦ୍ୟଯନ୍ତ୍ର (drum) । ଜଗନ୍ନାଥ ମନ୍ଦିରରେ ଥିବା ତାଳପତ୍ର ପାଞ୍ଜିଗୁଡ଼ିକ ଉକ୍ତ ଭାରତୀୟ ବାଦ୍ୟଯନ୍ତ୍ରର ସଦୃଶ ବଡ଼ ବଡ଼ ଗୋଲାକାର ବିଡ଼ାରେ ବନ୍ଧା ଯାଉଥିବାରୁ ତାହା ମାଦଳାପାଞ୍ଜି ନାମରେ କଥିତ ହୁଏ । ଏହିପରି ପ୍ରତ୍ୟେକ ‘ମାଦଲା’ ବା ବାଦ୍ୟଯନ୍ତ୍ର ସଦୃଶ ବିଡ଼ାରେ ଅନେକ ଭିନ୍ନ ଭିନ୍ନ ପାଞ୍ଜି ବା ପାଣ୍ଡୁଲିପି ଥାଏ ।(୫)

 

ପରବର୍ତ୍ତୀ କାଳର ଆଲୋଚକ ଜଗବନ୍ଧୁ ସିଂ(୬), ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତି(୭) ଓ ପଣ୍ଡିତ ସୂର୍ଯ୍ୟନାରାୟଣ ଦାସ (୮) ପ୍ରଭୃତି ଏ ମତର ସମର୍ଥନ କରିଅଛନ୍ତି । ଏମାନଙ୍କ ସମର୍ଥନ ଫଳରେ ମତଟି ବିଶେଷ ଭାବେ ପ୍ରଚାରିତ ହୋଇଅଛି ଓ ଏହାହିଁ ବର୍ତ୍ତମାନର ପ୍ରଚଳିତ ମତ । ପରବର୍ତ୍ତୀ କାଳର ଏହି ଆଲୋଚକମାନେ ଏ ମତର ସଂସ୍କାର ସାଧନ ପୂର୍ବକ ମର୍ଦ୍ଦଳ (ଭାରତୀୟ ବାଦ୍ୟଯନ୍ତ୍ର ବିଶେଷ) ଶବ୍ଦରୁ ‘ମାଦଲା’ ଓ ‘ମାଦଳା’ ଶବ୍ଦଦ୍ୱୟର ଉତ୍ପତ୍ତି ହୋଇଥିବା ପ୍ରକାଶ କରିଅଛନ୍ତି ।

 

ବର୍ତ୍ତମାନ ପ୍ରସ୍ତୁତ ପ୍ରବନ୍ଧର ତୃତୀୟ ମତଟିର ଆଲୋଚନା କରାଯାଉ । ଐତିହାସିକ ଶ୍ରୀଯୁକ୍ତ ସତ୍ୟନାରାୟଣ ରାଜଗୁରୁ ଓଡ଼ିଶାରେ ମିଳୁଥିବା ଅଭିଲେଖମାନଙ୍କରେ ବ୍ୟବହୃତ ତେଲୁଗୁ ଶବ୍ଦମାନଙ୍କର ଏକ ତାଲିକା ପ୍ରସ୍ତୁତି ପ୍ରସଙ୍ଗରେ ଅଭିଲେଖମାନଙ୍କରେ “ମୋଦଳି” ଓ “ମୋଦଲୁଗା” ନାମକ ଦୁଇଟି ତେଲୁଗୁଶବ୍ଦର ବହୁଳ ବ୍ୟବହାର ଥୁବାର ପ୍ରକାଶ କରିଅଛନ୍ତି ।(୯) ଯେତେଦୂର ମନେହୁଏ, ଏହି ‘ମୋଦଳି’ ବା ‘ମୋଦଲୁଗା’ ଶବ୍ଦଦ୍ୱୟ ମଧ୍ୟରୁ ଗୋଟିଏ ଶବ୍ଦରୁ ‘ମାଦଳା” ଶବ୍ଦର ସୃଷ୍ଟି ସମ୍ଭବ ହୋଇଛି ।

 

‘ମୋଦଳି’ ଶବ୍ଦର ଅର୍ଥ - ପ୍ରଥମ (the first)

‘ମୋଦଲୁଗା’ ଶବ୍ଦର ଅର୍ଥ - ଆରମ୍ଭରୁ (from the begining)(୧୦)

‘ମାଦଳା” ଶବ୍ଦର ଜନକରୂପେ ଏହି ଉଭୟ ଶବ୍ଦ ମଧ୍ୟରୁ ‘ମୋଦଳି’ ଶବ୍ଦକୁ ଗ୍ରହଣ କଲେ ‘ମାଦଳା ପାଞ୍ଜି’ର ଅର୍ଥ ହେବ –

 

୧)

ପ୍ରଥମେ ଯେଉଁ ପାଞ୍ଜି ଲିଖିତ ହୋଇଥିଲା ବା ହେଲା, ଅଥବା ( ୨) ଯେଉଁ ପାଞ୍ଜିରେ ପ୍ରଥମରୁ ବା ମୂଳରୁ ସମସ୍ତ ଘଟଣାର ସଙ୍କଳନ କରାଯାଇଛି ।

 

‘ମାଦଳା’ ଶବ୍ଦର ଜନକରୂପେ ‘ମୋଦଲୁଗା’ ଶବ୍ଦକୁ ଗ୍ରହଣ କଲେ ‘ମାଦଳାପାଞ୍ଜି’ର ଅର୍ଥ ହେବ –

 

୧)

ପ୍ରଥମରୁ ଯେଉଁ ପାଞ୍ଜି ଲେଖା ହୋଇ ଆସୁଛି ବା ୨) ପ୍ରଥମରୁ ବା ଆରମ୍ଭରୁ (ମୂଳରୁ) ସମସ୍ତ ଘଟଣାର ବିବରଣ ଯେଉଁ ପାଞ୍ଜିରେ ଲେଖା ହୋଇଅଛି ।

 

ବର୍ତ୍ତମାନ ପ୍ରଚଳିତ ପ୍ରାଚୀ ସମିତି-ପ୍ରକାଶିତ “ମାଦଳାପାଞ୍ଜି’ରେ ସତ୍ୟ, ତ୍ରେତା, ଦ୍ୱାପର ଓ କଳିଯୁଗର ରାଜାମାନଙ୍କ ନାମ ଓ ସେମାନଙ୍କ ସମ୍ପର୍କୀୟ କେତେକ ଘଟଣାର ଉଲ୍ଲେଖ ରହିଅଛି । ସତ୍ୟ, ତ୍ରେତା ଓ ଦ୍ୱାପର ଯୁଗର ରାଜାମାନଙ୍କ ନାମ ଓ ରାଜତ୍ୱକାଳ ବ୍ୟତୀତ ସେମାନଙ୍କ ସମ୍ପର୍କରେ ମାଦଳା ପାଞ୍ଜିରେ ଅନ୍ୟ କୌଣସି ବିବରଣ ନାହିଁ; କିନ୍ତୁ କଳିଯୁଗ ଆରମ୍ଭରୁ ଭୋଗ କରିଥିବା ରାଜାମାନଙ୍କ ନାମ ଓ ରାଜତ୍ଵ କାଳ ସହ ସେମାନଙ୍କ ସମ୍ପର୍କୀୟ କେତେକ ଘଟଣାର ଧାରାବାହିକ ବିବରଣ ‘ମାଦଳା ପାଞ୍ଜି’ରେ ଲିଖିତ ହୋଇଅଛି । ଏ ଯେଉଁ ରାଜାମାନଙ୍କ ନାମ ‘ମାଦଳାପାଞ୍ଜି’ରେ ଦେଖବାକୁ ମିଳେ ସେମାନଙ୍କ ମଧ୍ୟରୁ କେତେକ ପୌରାଣିକ ବ୍ୟକ୍ତି, କେତେକ ହୁଏତ କିମ୍ବଦନ୍ତୀ ବା କଳ୍ପନା ପ୍ରସୂତ । ପରବର୍ତ୍ତୀ କାଳରେ ଅନେକ ରାଜା ଓ ଐତିହାସିକ ବ୍ୟକ୍ତି ଓଡ଼ିଶାର ଅଧିପତି ଥିଲେ । ସେ ଯାହାହେଉ, ଭାଗବତ ପୁରାଣ ଓ ମହାଭାରତ ଆଦିରେ ଉଲ୍ଲେଖ ଅଛି ଯେ, ଯୁଧିଷ୍ଠିରଙ୍କ ରାଜତ୍ୱକାଳର ଦ୍ଵାପରଯୁଗ ଶେଷ ହୋଇ କଳିଯୁଗର ଆରମ୍ଭ ହୋଇଥିଲା । ପୁନଶ୍ଚ, ପ୍ରଚଳିତ ସାଧାରଣ ପାଞ୍ଜିମାନଙ୍କରେ ମଧ୍ୟ କଳିଯୁଗାବ୍ଦ ଗଣନା କରାଯାଏ ବା କଳିଯୁଗର ଭୋଗକାଳ ଗଣନା କରାଯାଏ, ମାଦଳାପାଞ୍ଜିରେ ମଧ୍ୟ କଳିଯୁଗର ପ୍ରଥମ ରାଜା ଯୁଧିଷ୍ଠିର । ସୁତରାଂ ସତ୍ୟଯୁଗ ଆରମ୍ଭରୁ ବା କଳିଯୁଗ ଆରମ୍ଭରୁ (କଳିଯୁଗ ପ୍ରତି ବିଶେଷ ଗୁରୁତ୍ୱ ଆରୋପିତ ହୋଇଥିବାରୁ) ସମସ୍ତ ରାଜାମାନଙ୍କ ରାଜତ୍ୱକାଳ ଓ ତତ୍‍କାଳୀନ କେତେକ ଗୁରୁତ୍ୱପୂର୍ଣ୍ଣ ଘଟଣା ଯେଉଁ ପଞ୍ଜିକାରେ ଲିପିବଦ୍ଧ କରାଯାଇଛି ବା ଲିପିବଦ୍ଧ କରାଯିବାର ପ୍ରୟାସ କରାଯାଇଛି ସେହି ପଞ୍ଜିକାର ନାମ ‘ମୋଦଳି ପଞ୍ଜିକା’ ବା ‘ମୋଦଲୁଗା ପଞ୍ଜିକା’ ଦିଆଯାଇଥିବା ସମ୍ପୂର୍ଣ୍ଣ ଭାବେ ସମ୍ଭବ ଓ ଯଥାର୍ଥ ବୋଧହୁଏ ଏବଂ ପରବର୍ତ୍ତୀ କାଳରେ ଏହି ‘ମୋଦଳି ପଞ୍ଜିକା’ ବା ‘ମୋଦଲୁଗା ପଞ୍ଜିକା’ ମାଦଳାପାଞ୍ଜିରେ ପରିଣତ ହୋଇଥିବା ଗ୍ରହଣ କରାଯାଇପାରେ ।

 

ପୁନଶ୍ଚ, ଏ ମତର ଭାଷାତାତ୍ତ୍ୱିକ ଭିତ୍ତି ପରୀକ୍ଷା କଲେ ମଧ୍ୟ ଏ ମତ ଦୁର୍ବଳ ବୋଲି ପ୍ରତୀୟମାନ ହୁଏ ନାହିଁ, କାରଣ ଧ୍ୱନି ପରିବର୍ତ୍ତନ ମଧ୍ୟ ଦେଇ ‘ମୋଦଳି’ ଶବ୍ଦ ‘ମାଦଳା’ରେ ପରିଣତ ହେବା ସମ୍ପୂର୍ଣ୍ଣ ରୂପେ ସମ୍ଭବ । ଯଥା –

 

(କ)

ମୋଦଳି >ମୋଦଳା (ଅନ୍ତ୍ୟବ୍ୟଞ୍ଜନ ବର୍ଣ୍ଣ ସହ ଯୁକ୍ତ ଇ’ କାରର ଆ’କାର ପରିଣତି ଯଥା – ଅଷ୍ଟି > ଅଠ )

(ଖ)

ମୋଦଳା > ମଦଳା (ଆଦ୍ୟବ୍ୟଞ୍ଜନ ବର୍ଣ୍ଣ ସହ ଯୁକ୍ତ ଓ’କାରର ଅ’କାର ପରିଣତି ଯଥା – ଗୋଧୂମ > ଗହମ)

(ଗ)

ମଦଳା > ମାଦଳା (ଆଦ୍ୟ ବ୍ୟଞ୍ଜନ ବର୍ଣ୍ଣ ସହ ଯୁକ୍ତ ଅ’କାରର ଆ’କାର ପରିଣତି ଯଥା ମହାପ୍ରସାଦ > ମାହାର୍ବ୍ଦ)

 

ସେହିପରି ଧ୍ଵନି ପରିବର୍ତ୍ତନ ଦ୍ୱାରା ‘ମୋଦଲୁଗା’ ‘ମାଦଳା’ରେ ପରିଣତ ହେବା ମଧ୍ୟ ସମ୍ପୂର୍ଣ୍ଣ ରୂପେ ସମ୍ଭବ । ଯଥା –

 

(କ)

ମୋଦଲୁଗା > ମୋଦଲଗା (ମଧ୍ୟ ବ୍ୟଞ୍ଜନ ବର୍ଣ୍ଣରେ ଯୁକ୍ତ ଉ’କାରର ଅ’କାର ପରିଣତି ଯଥା ଗୋଧୂମ > ଗହମ)

(ଖ)

ମୋଦଲଗା > ମଦଲଗା (ଆଦ୍ୟବ୍ୟଞ୍ଜନ ବର୍ଣ୍ଣ ସହ ଯୁକ୍ତ ଓ’କାରର ଅ’କାର ପରିଣତି ଯଥା ଗୋଗୀର୍ଷ > ଗଇଷ)

(ଗ)

ମଦଲଗା > ମଦଲିଆ (ଅନ୍ତଃ ବ୍ୟଞ୍ଜନ ବର୍ଣ୍ଣର ଲୋପ ଯଥା ଜୀବ > ଜୀଅ)

(ଘ)

ମଦଲିଆ > ମଦଲା

(ଙ)

ମଦଲା > ମାଦଲା (ମହାପ୍ରସାଦ > ମାହାର୍ବ୍ଦ)

(ଚ)

ମାଦଲା > ମାଦଳା (‘ର’ ‘ର’ ‘ଳ’ରେ ପରିଣତ ସଂସ୍କୃତ କାର > କାଳ ଓଡ଼ିଆ)

 

ପୁନଶ୍ଚ, ଓଡ଼ିଶାରେ ମିଳୁଥିବା ଓ ଓଡ଼ିଶାର ରାଜାମାନଙ୍କ ଦ୍ଵାରା ଖୋଦିତ ଅଭିଲେଖମାନଙ୍କରେ ଏ ଶବ୍ଦଦ୍ୱୟର ବହୁଳ ବ୍ୟବହାର ଦୃଷ୍ଟିଗୋଚର ହେଉଥିବାରୁ ଏହି ଶବ୍ଦଦ୍ୱୟ ମଧ୍ୟରୁ ଗୋଟିଏ ଶବ୍ଦକୁ ‘ମାଦଳା’ ଶବ୍ଦର ଜନକ ରୂପେ ଗ୍ରହଣ କରିବା ଅସମୀଚୀନ ବୋଧ ହୋଇ ନ ପାରେ । ଦକ୍ଷିଣରୁ ଆସିଥିବା ଗଙ୍ଗମାନଙ୍କ ରାଜତ୍ୱକାଳରେ ଓ ସୂର୍ଯ୍ୟବଂଶର ରାଜତ୍ୱକାଳରେ ଓଡ଼ିଆ ଭାଷାରେ ବହୁ ଦ୍ରାବିଡ଼ ଶବ୍ଦ ପଶି ଯାଇଥିଲା । ଜଗନ୍ନାଥ ବା ଜଗନ୍ନାଥ ମନ୍ଦିର ସହ ସଂପୃକ୍ତ ବହୁ ଶବ୍ଦ ଦ୍ରାବିଡ଼ ଭାଷାରୁ ଆନୀତ । ଉଦାହରଣ ସ୍ଵରୁପ କୋଇଲି ଓ ଗୁଣ୍ଡିଚା ଶବ୍ଦଦ୍ୱୟକୁ ନିଆଯାଇପାରେ । (୧୧) ସୁତରାଂ ଜଗନ୍ନାଥ ମନ୍ଦିର ସହ ସଂପୃକ୍ତ ‘ମାଦଳାପାଞ୍ଜି’ର ‘ମାଦଳା’ ଶବ୍ଦ ‘ମୋଦଳି’ ବା ‘ମୋଦଲୁଗା’ ଶବ୍ଦର ପରିବର୍ତ୍ତିତ ରୂପ ହୋଇଥିବାର ସମ୍ଭାବନା ଯଥେଷ୍ଟ ଅଛି ।

 

ଏ ସବୁ ଦୃଷ୍ଟିରୁ ବିଚାର କରି ସିଦ୍ଧାନ୍ତ କରାଯାଇପାରେ ଯେ, “ମାଦଳାପାଞ୍ଜି’ର ନାମକରଣ ପ୍ରସଙ୍ଗରେ ପୂର୍ବୋକ୍ତ ପ୍ରଥମ ଓ ଦ୍ୱିତୀୟ ମତକୁ ନିଶ୍ଚିତ ବୋଲି ଧରି ନ ନେଇ ତୃତୀୟ ମତର ସମ୍ଭାବନା ବିଚାର କରିବା ବିଧେୟ; ବରଂ ଅର୍ଥ ସଙ୍ଗତି ଦୃଷ୍ଟିକୋଣରୁ ବିଚାରକଲେ, ତୁଳତାତ୍ମକ ଭାବରେ ତୃତୀୟ ମତ ହିଁ ଯୁକ୍ତିସଙ୍ଗତ ତଥା ଗ୍ରହଣୀୟ ।

 

ପ୍ରମାଣ ପଞ୍ଜୀ :

୧.

Trimali Matha Copper plate Inscription of Narasimha Dev IV of Ganga dynasty (J.A.S.B. - 1895, p.149)

୨.

Sankarananda Matha Copper plate Inscription of Narasimha Dev IV of Ganga dynasty (J.A.S.B - 1895, p.152)

୩.

Kendupatna Copper plate Inscription of Narasimha Dev II (J.A.S.B. - 1896, p.254)

୪.

J & P.A.S.B (1916) Vol. XII p.29 foot-note.

୫.

J.B&O.R.S Vol.XIII part - 1,.-10-27 'Notes from the Madala Panji' (Mohammadan Conquest of Orissa) 1927

୬.

ପ୍ରାଚୀନ ଉତ୍କଳ ( ୧୯୨୯) ପୃ.୪୮୨

୭.

ପ୍ରାଚୀନ ଗଦ୍ୟପଦ୍ୟାଦର୍ଶ (୧୯୩୨) ଟୀକା ପୂ-୬

୮.

କ) ଓଡ଼ିଆ ସାହିତ୍ୟ ପରିଚୟ ୧ମ ଭାଗ (୧୯୫୧) ପୃ.୪୩ ଖ) ଶ୍ରୀଜଗନ୍ନାଥ ମନ୍ଦିର ( ୧୯୫୧) ପୃ.୨୨୧.

୯.

Inscription of Orissa (Vol. III part || Apendix - III, Glossary of Telugu words frequently used in votiv inscription) by S.N. Rajguru.

୧୦.

Ibid.

୧୧.

ଓଡ଼ିଆ ସାହିତ୍ୟର କ୍ରମପରିଣାମ (୨ୟ ଭାଗ) ୧୯୫୩, ପୃ-୧୦୭ ପଣ୍ଡିତ ନୀଳକଣ୍ଠ ଦାସ ।

 

***

 

ଆମ ଭାଷା ଓ ସମସ୍ୟା

ଡକ୍ଟର କୃଷ୍ଣଚରଣ ବେହେରା

 

ଆଚାର୍ଯ୍ୟ ଆର୍ତ୍ତବଲ୍ଲଭ ଆପଣା ମାତୃଭାଷାକୁ ବଡ଼ ସୁଖ ପାଉଥିଲେ । ଜାତୀୟ ଜୀବନ ଗଠନ ତଥା ସାଂସ୍କୃତିକ ସମୃଦ୍ଧି ସକାଶେ ଭାଷାର ଭୂୟିଷ୍ଠ ଭୂମିକା ବିଷୟ ସେ ଭଲଭାବେ ହୃଦୟଙ୍ଗମ କରିଥିଲେ । ସେଥିଲାଗି ମାତୃଭାଷାର ଐତିହ୍ୟ ଓ ପୁଷ୍ପଳତା ପ୍ରତିପାଦନ ଉଦ୍ଦେଶ୍ୟରେ ସେ ପ୍ରାଚୀନ ସାହିତ୍ୟର ଉଦ୍ଧାର, ସଂଗ୍ରହ, ସଂକଳନ, ସମ୍ପାଦନା ଓ ଗବେଷଣାଦି କାର୍ଯ୍ୟ ଅତି ନିଷ୍ଠାପର ଭାବରେ କରି ଯାଇଛନ୍ତି । ଅନେକାଂଶରେ ତାଙ୍କରି ସଦୁଦ୍ୟମ ଫଳରେ ଆଜି ପ୍ରମାଣିତ ହୋଇଛି, ଯେ – ଆମ ଭାଷା ପ୍ରାୟ ଏକ ହଜାର ବର୍ଷ ବୟସର ଗୋଟିଏ ସୁପ୍ରାଚୀନ ଭାଷା; ସ୍ଵକୀୟ ସ୍ଵାତନ୍ତ୍ର୍ୟ ବଳରେ ଏହା ଆଜି ଭାରତ ଭୂଖଣ୍ଡରେ ଦଣ୍ଡାୟମାନ । ତେଣୁ ଭାଷା ସମ୍ପର୍କରେ ଆଲୋଚନା ବେଳେ ବିମସ୍, ଗ୍ରିଏରସନ୍, ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମା, ଶ୍ୟାମସୁନ୍ଦର ରାଜଗୁରୁ, ପଣ୍ଡିତ ବିନାୟକ ମିଶ୍ର, ଅଧ୍ୟାପକ ଗିରିଜାଶଙ୍କର ରାୟ ପ୍ରମୁଖଙ୍କ ସହିତ ଆଚାର୍ଯ୍ୟ ଆର୍ତ୍ତବଲ୍ଲଭଙ୍କ ନାମ । ଆମ୍ଭମାନଙ୍କର ସ୍ମରଣୀୟ ।

 

ଏକ ହଜାର ବର୍ଷ ବୟସର ଏହି ପ୍ରାଚୀନ ଭାଷା ଆଜି ବିକାଶ ଓ ଅଭିବୃଦ୍ଧି ଦୃଷ୍ଟିରୁ ବଡ଼ ଅର୍ବାଚୀନ । ଆଉ ଆଉ ପଡ଼ୋଶୀ ଭାଷାମାନଙ୍କ ସହିତ ତୁଳନା କଲାବେଳେ ଏ କଥା ସ୍ପଷ୍ଟ ହୋଇ ଉଠେ ଏବଂ ତତ୍‍ସଙ୍ଗେ ସଙ୍ଗେ ମନରେ ଗଭୀର କ୍ଷୋଭ ଜାତ ହୁଏ । ସମ୍ୱିଧାନରେ ସ୍ୱୀକୃତ ଭାରତର ଚଉଦ ଗୋଟି ମୁଖ୍ୟ ଭାଷା ମଧ୍ୟରୁ ଆମର ମାତୃଭାଷା ଅନ୍ୟତମ । ଏହା ପ୍ରାୟ ଦୁଇକୋଟି ଭାରତୀୟ ନାଗରିକଙ୍କ ତୁଣ୍ଡର ଭାଷା, କିନ୍ତୁ ଏହାର ସାମ୍ପ୍ରତିକ ସ୍ଥିତି ଅତ୍ୟନ୍ତ ଶୋଚନୀୟ-। ସମୃଦ୍ଧି ଓ ସଂଗଠନର ଅଭାବ ସାଙ୍ଗକୁ ଏବେ ପୁଣି ଉତ୍କଟ ଭାବରେ ଦେଖା ଦେଇଛି । ଏହାର ଜୀବନଯୁଦ୍ଧ ଏବଂ ଆତ୍ମରକ୍ଷା ପାଇଁ ଅଣନିଃଶ୍ୱାସୀ ସାଧନା । ପଦେ କଥାରେ କହିଲେ – ବର୍ତ୍ତମାନ ଆମ ଭାଷାର ସଙ୍କଟକାଳ । ପ୍ରାୟ ଶହେ ବର୍ଷ ତଳେ ଭାଷା କ୍ଷେତ୍ରରେ ଏହିପରି ଏକ ସଙ୍କଟ ପଡ଼ିଥିଲା । ସେ ସଙ୍କଟ-ସୃଷ୍ଟି ମୂଳରେ ଥିଲା – ଆମର ଏକ ପଡ଼ୋଶୀ ଭାଷାର ଆଧିପତ୍ୟ, କିନ୍ତୁ ଆଜି ଏ ସଙ୍କଟ ସୃଷ୍ଟି ମୂଳରେ ରହିଛି – ଗୋଟିଏ ପଡ଼ୋଶୀ ଭାଷାର ପ୍ରଭାବ ଏବଂ ଗୋଟିଏ ବିଦେଶୀ ଭାଷାର ଆଧିପତ୍ୟ ।

 

ଆମ ଦେଶରୁ ବ୍ରିଟିଶ କେଶରୀ ମେଲାଣି ଘେନି ଗଲେ, କିନ୍ତୁ ରାଜାନୁଗତ ଧର୍ମ ଏଠାରେ ରହିଗଲା । ସେହି ସୂତ୍ରରେ ଇଂରାଜୀ ଭାଷା ଏ ପର୍ଯ୍ୟନ୍ତ ଏ ଦେଶରେ ଆସନ ମାଡ଼ି ବସି ରହିଛି । ଏକ ଆନ୍ତର୍ଜାତିକ ଭାଷା ହିସାବରେ ଆମେ ଇଂରାଜୀ ଶିଖୁବୁ – ଆପତ୍ତି ନାହିଁ । ତାହା ବୋଲି ଇଂରାଜୀର ଆଧିପତ୍ୟ ସହ୍ୟ କରିବୁ କିପରି ? ଆମେ ଏବେ ଇଂରାଜୀ ଭାଷା କହିବାରେ ଓ ଲେଖିବାରେ ଗର୍ବବୋଧ କରୁଛୁଁ – ଇଂରାଜୀରେ ଚିନ୍ତା କରୁଛୁଁ ମଧ୍ୟ । ସମ୍ଭବତଃ ଖୁବ୍ ଶୀଘ୍ର ଆମର ବାହାପୁଆଣି, ଶ୍ରାଦ୍ଧ-ସୂତକ ଓ ଦିଅଁ-ଦେବତା-ପୂଜା ଇଂରାଜୀ ମନ୍ତ୍ରପାଠ ସାହାଯ୍ୟରେ ସମାହିତ ହେବ । ମୁସଲମାନ-ମରହଟ୍ଟା ଅମଳରେ ଯେଉଁ ପାରସୀ ଭାଷା ଦୀର୍ଘ ୫୦୦-୬୦୦ ବର୍ଷ କାଳ ରାଷ୍ଟ୍ରଭାଷା ହିସାବରେ ଭାରତରେ ଆସନ ମାଡ଼ି ରହିଥିଲା, ବ୍ରିଟିଶ-କେଶରୀଙ୍କ କରାମତିରେ ସେହି ଭାଷା ମାତ୍ର ପଚାଶ ବର୍ଷ ମଧ୍ୟରେ ଅସାନଚ୍ୟୁତ ହୋଇଗଲା । ସେପରିସ୍ଥଳେ ମୋଟେ ଶହେଟା ବର୍ଷ ଏ ଦେଶରେ ରାଷ୍ଟ୍ରଭାଷା ହୋଇ ରହିଥିବା ଇଂରାଜୀ ଭାଷାକୁ ଆସନଚ୍ୟୁତ କରିବା ଲାଗି ଆମେ ଏବେ ଝାଳନାଳ ହୋଇ ଗଲୁଣି । ତେଣେ ଦିଲ୍ଲୀ ଦରବାରରେ ‘‘ଅଂଗ୍ରେଜୀ ହଟାଓ !” ରବ ଉଠିଲା କ୍ଷଣି ଏଣେ ଦେଶର କେତେକାଂଶରେ ‘ଲଙ୍କାପୋଡ଼ି’ କାଣ୍ଡ ଘଟି ଯାଉଛି । ପୁଣି ଏବେ ସୁଦ୍ଧା ଆମର କେତେକ ପଣ୍ଡିତମ୍ମନ୍ୟ ବ୍ୟକ୍ତିଙ୍କର ଧାରଣା – ଜ୍ଞାନ ବିଜ୍ଞାନର ସକଳ ଗନ୍ତାଘର କେବଳ ମାତ୍ର ଇଂରାଜୀ କୁଞ୍ଚିକା ସାହାଯ୍ୟରେ ହିଁ ଉଦଘାଟିତ କରି ହେବ । ଭାରତର କୌଣସି ମୁଖ୍ୟ ଆଞ୍ଚଳିକ ଭାଷା ଏଥିଲାଗି ଯୋଗ୍ୟ ନୁହେଁ । ତେଣୁ ‘ଅଂଗ୍ରେଜୀ ହଟାଓ !’ ନୈବ ନୈବ ଚ ।

 

ଏଇ କୁହୁଡ଼ି-ପହଁରା ଯେ ଅଳ୍ପକାଳ ସ୍ଥାୟୀ ଏବଂ ଇଂରାଜୀ ଭାଷା ଯେ ଦିନେ ଏ ଦେଶରୁ ହଟିଯିବ – ଏହା ଦିବାଲୋକ ପରି ସୁସ୍ପଷ୍ଟ । କାରଣ ଏକ ସ୍ୱାଧୀନ ସାର୍ବଭୌମ ରାଷ୍ଟ୍ରରେ ସର୍ବପ୍ରକାର ସାଂସ୍କୃତିକ ସ୍ୱାଧୀନତା ପ୍ରତ୍ୟେକ ସଚେତନ ନାଗରିକର କାମ୍ୟ । ଭାରତର ପ୍ରତ୍ୟେକ ଅଞ୍ଚଳର ବିଭିନ୍ନ ଭାଷାଭାଷୀ ଲୋକେ ଆନ୍ତରିକ ଭାବରେ ଇଂରାଜୀ ଭାଷା ଲୋଡ଼ନ୍ତି ନାହିଁ - ଏ ଲେଖକ ବାରମ୍ବାର ଏହା ହୃଦୟଙ୍ଗମ କରିଛି । ତେବେ ପ୍ରଶ୍ନ ଉଠିପାରେ - ବର୍ତ୍ତମାନ ବ୍ୟାଧିର ମୂଳଟା କେଉଁଠି ? “ଇଂରାଜୀ ହଟାଯାଉ !” – ଏହା ସମସ୍ତେ ଲୋଡ଼ୁଥିଲେ ମଧ୍ୟ “ଇଂରାଜୀ ବଦଳରେ କେଉଁ ଭାଷା ?” – ଏଇଠି ରହିଛି ବ୍ୟାଧିର ମୂଳ । ଇଂରାଜୀ ସ୍ଥାନରେ ବର୍ତ୍ତମାନ କେଉଁ ଭାରତୀୟ ଭାଷାର ରାଜ-ଅଭିଷେକ ହେବ ? – ହିନ୍ଦୀ, ବଙ୍ଗଳା, ତାମିଲ ନା ଓଡ଼ିଆ ? କିମ୍ବା ଆମର ଧର୍ମ-ନିରପେକ୍ଷତା ଭଳି ଭାଷା ନିରପେକ୍ଷ ରାଷ୍ଟ୍ର ସ୍ଵୀକୃତ ହେବ ? ଅର୍ଥାତ୍ ସମସ୍ତ ପ୍ରଧାନ ଆଞ୍ଚଳିକ ଭାଷା ରାଜ-ମର୍ଯ୍ୟାଦା ଲାଭ କରିବେ ? ଏଇ ହେଉଛି କଥାର ଗଣ୍ଡି । ଏ ଗଣ୍ଡି ଫେଡ଼ି ଦେବା ଲାଗି ବର୍ତ୍ତମାନ ପ୍ରବନ୍ଧଟି ଉଦ୍ଦିଷ୍ଟ ନୁହେଁ । ପ୍ରସଙ୍ଗକ୍ରମେ ଯାହା ଲୋଡ଼ା ପଡ଼ୁଛି, ତାହା ହିଁ ବୋଲାଯାଉଛି ମାତ୍ର ।

 

ଇଂରାଜୀ ସ୍ଥାନରେ ଭାରତର ଚଉଦଗୋଟି ମୁଖ୍ୟ ଭାଷା ମଧ୍ୟରୁ ହିନ୍ଦୀ ଭାଷା ହିଁ ରାଜପଦରେ ଅଭିଷିକ୍ତ ହେବ – ସମ୍ୱିଧାନର ସପ୍ତଦଶ ଅନୁଚ୍ଛେଦରେ ଆମେ ଏଇ ସିଦ୍ଧାନ୍ତ ଗ୍ରହଣ କରିଛୁଁ । ବର୍ତ୍ତମାନ ଏଇ ସାମ୍ୱିଧାନିକ ସୁବିଧା-ସୁଯୋଗ ବଳରେ ହିନ୍ଦୀର ହିମ୍ମତଜୋରି ଆମକୁ ବଡ଼ ହଟହଟା କରୁଛି । ଗୋଟାଏ ବିଦେଶୀ ଭାଷାର ଆଧିପତ୍ୟ ସାଙ୍ଗକୁ ଏଇ ପଡ଼ୋଶୀ ଭାଷାଆଜି ନାନା ପ୍ରତ୍ୟକ୍ଷ ଓ ପରୋକ୍ଷ ଉପାୟରେ ଆମ ଉପରେ ପ୍ରତୁଳ ପ୍ରଭାବ ବିସ୍ତାର କରିବାରେ ଲାଗିଛି । ରାଷ୍ଟ୍ରଭାଷା ହିସାବରେ ହିନ୍ଦୀର ପ୍ରସାର ହେବା ସ୍ୱାଭାବିକ ଏବଂ ରାଷ୍ଟ୍ରଭାଷା ଶିକ୍ଷା ସକାଶେ କାହାରି କୁଣ୍ଠା ପ୍ରକାଶ କରିବା ମଧ୍ୟ ଅନୁଚିତ; କିନ୍ତୁ ତାହା ସ୍ଵତନ୍ତ୍ର କଥା । ରାଷ୍ଟ୍ରଭାଷା-ପ୍ରଚାର ଅନୁଷ୍ଠାନ ପକ୍ଷରୁ, ସ୍କୁଲ-କଲେଜରେ ହିନ୍ଦୀ ଶିକ୍ଷା ଆଦି କ୍ଷେତ୍ରରେ ଏବେ ଯେପରି ସରକାରୀ ଧନ ଓ ଧ୍ୟାନ ବର୍ଷିତ ହେଉଛି, ଆମ ମାତୃଭାଷାର ସମୃଦ୍ଧି ଓ ସଙ୍ଗଠନ କ୍ଷେତ୍ରରେ ତଦନୁରୂପ ହେଉଥିବାର ଲାଗୁ ନାହିଁ । ହିନ୍ଦୀ ଚଳଚ୍ଚିତ୍ର ଏ ଦିଗରେ ବେଶ୍ ତୁନି ତୁନି ଏକ ଅମୋଘ ଅସ୍ତ୍ରରୂପେ କାର୍ଯ୍ୟ କରିବାରେ ଲାଗିଛି । ଆମ ଦେଶବାସୀ ବିଶେଷତଃ ତରୁଣ-ତରୁଣୀମାନଙ୍କ ଉପରେ ଏହାର ନାନା ସୁପ୍ରଭାବ ଓ କୁପ୍ରଭାବ ମଧ୍ୟରୁ ଗୋଟିଏ ଉଲ୍ଲେଖଯୋଗ୍ୟ ହେଉଛି – ହିନ୍ଦୀ ଭାଷା ପ୍ରତି ଅନୁରାଗ ତଥା ପ୍ରବଣତା ସୃଷ୍ଟି ।

 

ଏହିପରି ଗୋଟାଏ ବିଦେଶୀ ଭାଷା ଓ ଗୋଟାଏ ପଡ଼ୋଶୀ ଭାଷାର ଆଧିପତ୍ୟ ଭିତରେ ନିପୀଡ଼ିତ, ନିର୍ଯ୍ୟାତିତ ହୋଇ ବର୍ତ୍ତମାନ ଆମର ମାତୃଭାଷା ଆତ୍ମରକ୍ଷା ନିମନ୍ତେ ଆକୁଳ ହୋଇ ପଡ଼ିଛି । ସରକାରୀ ଦପ୍ତର, ଶିଳ୍ପାଞ୍ଚଳ, ବାଣିଜ୍ୟ-ବ୍ୟବସାୟ କେନ୍ଦ୍ର, ଶିକ୍ଷା ଓ ସାଂସ୍କୃତିକ ଅନୁଷ୍ଠାନ, ସହର ବଜାର ଚାରିଆଡ଼ୁ ତଡ଼ା ଖାଇ ଖାଇ ଏହା ଯେପରି ମଫସଲ ପଲ୍ଲୀର ଲାଜକୁଳି ଭୁଆସୁଣୀଙ୍କ ମେଳରେ ବର୍ତ୍ତମାନ ଆଶ୍ରୟ ଗ୍ରହଣ କରିଛି । କିନ୍ତୁ ସେଠି ବି ରକ୍ଷା ନାହିଁ, ବେଳେ ବେଳେ ତାକୁ ଚଟୁମାଡ଼ ନୋହିଲେ ନିଆଁ ଖୁଣ୍ଟା ସହିବାକୁ ପଡ଼ୁଛି । ହା ମା’ ଉତ୍କଳଭାରତୀ !

 

ରାଜ୍ୟର ସରକାରୀ ଭାଷା

ଏଇ ସଙ୍କଟବେଳରେ ଚାରିଆଡ଼େ ଦାବି ହେଉଛି – ମାତୃଭାଷା ଆମ ରାଜ୍ୟର ସରକାରୀ ଭାଷା ହେଉ । ଏ ଦାବି ସେଇ ଆତ୍ମରକ୍ଷାର ଆର୍ତ୍ତନାଦ ବ୍ୟତୀତ ଆଉ କ’ଣ ହୋଇପାରେ ? କାରଣ ‘‘ମୋ ଘରେ ମୁଁ ମୁରବି ହେବି” ବୋଲି ଦାବି ଯେପରି, “ମାତୃଭାଷା ରାଜ୍ୟର ସରକାରୀ ଭାଷା ହେଉ” ବୋଲି ଦାବି ସେହିପରି ଅତି ହାସ୍ୟାସ୍ପଦ କଥା । ଗୋଟିଏ ରାଜ୍ୟଭାଷାକୁ ସେହି ରାଜ୍ୟର ସରକାରୀ ସ୍ତରରେ ବିଭିନ୍ନ କ୍ଷେତ୍ରରେ ପ୍ରୟୋଗ ଓ ପ୍ରଚଳନ କରାଯିବାରେ ବିଚିତ୍ର କ’ଣ ? ଏଥିରେ ତାହାର କୌଣସି ଆପତ୍ତି ନାହିଁ । କେବଳ ବିଚିତ୍ର ହେଉଛି – ରାଜ୍ୟବାସୀଙ୍କର ଯାହା ନ୍ୟାଯ୍ୟ ଅଧିକାର, ସେଥିପାଇଁ ନିରର୍ଥକ ଏକ ଦାବି କରିବାକୁ ପଡ଼ିଲା ।

 

ପ୍ରଶ୍ନ ହେଉଛି । ଏପରି ଦାବି କରିବା ପର୍ଯ୍ୟନ୍ତ କଥା ଗଲା କାହିଁକି ? ଏହାର ଦୁଇଟି କାରଣ ଜଳ ଜଳ କରି ଦିଶି ଯାଉଛି । ଗୋଟିଏ କାରଣ ହେଉଛି – ଆମର ଅହେତୁକ ଇଂରାଜୀ ପ୍ରୀତି ଏବଂ ଅନ୍ୟଟି ମାତୃଭାଷା ପ୍ରତି ଆମର ହୀନ ମନୋଭାବ । ଫଳରେ ମାତୃଭାଷାର ସମୃଦ୍ଧି ଓ ସଂଗଠନ ନିମିତ୍ତ ଆମେ ଉପଯୁକ୍ତ ଧ୍ୟାନ ଦେଇ ପାରି ନାହୁଁ । ଏତିକିବେଳେ ପୁଣି ହିନ୍ଦୀ ଭାଷାର ହିମ୍ମତଜୋରି – ମାତୃଭାଷା ବ୍ୟତିରେକରେ ପ୍ରସ୍ତାବିତ ରାଜଭାଷାର ପୁଷ୍ଟିସାଧନ । ବଡ଼ ପ୍ରତିକୂଳ ପରିସ୍ଥିତି । ମାତୃଭାଷାର ପ୍ରଶ୍ନ ସହିତ ଉଣାଧିକେ ସମସ୍ତଙ୍କର ଭାବପ୍ରବଣତା ଜଡ଼ିତ ଏବଂ ଏ ଲେଖକ ମତରେ ଏପରି ଭାବପ୍ରବଣତା ଅନୁଚିତ ନୁହେଁ ମଧ୍ୟ । ସେଇଥିଲାଗି ଏବେ ଏ ଦାବୀ ଉଠିଛି – ଆତ୍ମରକ୍ଷାର ଆର୍ତ୍ତନାଦ ଶୁଣା ଯାଉଛି । ରାଜ୍ୟର ସରକାରୀ ଭାଷା ହୋଇଗଲେ, ଆଶା ଓ ବିଶ୍ଵାସ – ଆମର ମାତୃଭାଷା ଆତ୍ମରକ୍ଷାର କିଞ୍ଚିତ ପ୍ରତିଶ୍ରୁତି ପାଇଯିବ; ଜୀବନସଂଗ୍ରାମରେ ହେବ ତାହାର ପ୍ରଥମ ଜୟଲାଭ ।

 

ଦାବି ବା ଅଧିକାର କଥା ତ ଆଜିକାଲି ସବୁଆଡ଼େ ସବୁ କ୍ଷେତ୍ରରେ ଶୁଣା ଯାଉଛି । ତା’ ସଙ୍ଗେ ସଙ୍ଗେ ଏ କ୍ଷେତ୍ରରେ ଆମର କର୍ତ୍ତବ୍ୟ ବା କରଣୀୟ ବିଷୟ ପାସୋରି ଦେଲେ ଚଳିବ ନାହିଁ ।

 

ଉପସ୍ଥିତ କର୍ତ୍ତବ୍ୟ

ଜୀବନ ସଂଗ୍ରାମରେ ପୂରାପୂରି ଜୟଲାଭ ନିମିତ୍ତ ମାତୃଭାଷାକୁ ଅବିଳମ୍ବେ ଯୋଗ୍ୟ ହେବାକୁ ପଡ଼ିବ । ସାର୍ଥକଭାବରେ ସନ୍ନଦ୍ଧ ହେବାକୁ ପଡ଼ିବ । କାରଣ ଯୋଗ୍ୟତମର ଉଦ୍‍ବର୍ତ୍ତନ ସଚରାଚର ସାଂସାରିକ ରୀତି । ଯୋଗ୍ୟ ହୋଇ ପାରିଲେ – ଆତ୍ମବଳରେ ବଳୀୟାର ହୋଇ ନିଜକୁ ଜାହିର କରି ପାରିଲେ, ମାତୃଭାଷା ପ୍ରତି ଆମର ହୀନ-ମନୋଭାବ ଆପେ ଆପେ ଦୁର ହୋଇଯିବ । ଏବଂ ତାପରେ ଯେ କୌଣସି ପଡ଼ୋଶୀ ଓ ବିଦେଶୀ ଭାଷାର ପ୍ରଭାବ ବା ଆଧିପତ୍ୟ ଏଡ଼ାଇ ଦେବାକୁ ମାତୃଭାଷା ସମର୍ଥ ହୋଇ ପାରିବ ।

 

ସମକାଳୀନ ଜଟିଳ ସମାଜରେ, ମଣିଷ ମନର ସର୍ବପ୍ରକାର ଭାବ ପ୍ରକାଶ ପାଇଁ ଗୋଟିଏ ଭାଷା ଯୋଗ୍ୟ ନ ହେଲେ ନ ଚଳେ । ଶିଳ୍ପ, ବିଜ୍ଞାନ, ବୈଷୟିକ ଶିକ୍ଷା, ବାଣିଜ୍ୟ, ବ୍ୟବସାୟ, ଚାରୁକଳା ଇତ୍ୟାଦି ବିଭିନ୍ନ ବିଷୟରେ ବ୍ୟବହାର ତଥା ଭାବପ୍ରକାଶ ଲାଗି ମାତୃଭାଷାକୁ ଉପଯୁକ୍ତ କରିବା ଆଜି ଅତ୍ୟନ୍ତ ଜରୁରି ହୋଇ ପଡ଼ିଛି । ଦୁଃଖର କଥା, ଏବେ ବି ମାତୃଭାଷାର ଏଇ ଦିଗଟି ପ୍ରତି ଆମମାନଙ୍କର ବିଶେଷ ଦୂରଗ ଦୃଷ୍ଟି ଆକର୍ଷିତ ହୋଇ ନାହିଁ । ସାହିତ୍ୟ-ସଭା, ସାଂସ୍କୃତିକ ଅନୁଷ୍ଠାନମାନଙ୍କରେ ଆଜିକାଲି ମାତୃଭାଷାର ସମସ୍ୟା କ୍ଵଚିତ୍ ଆଲୋଚିତ ହୋଇଥାଏ । ପତ୍ର ପତ୍ରିକା ପୃଷ୍ଠାରେ ଏ ସମ୍ପର୍କରେ ବିଶେଷ ଲେଖାଲେଖି ମଧ୍ୟ ନଜରରେ ପଡ଼ି ନ ଥାଏ ।

 

ଆଜକୁ ପ୍ରାୟ ଅର୍ଦ୍ଧଶତାବ୍ଦୀ ତଳେ ରାଜ୍ୟର ଏକ ସୀମାନ୍ତ ଅଞ୍ଚଳରୁ କବିକୁଳ-ହୀରକ ଆମକୁ ଚେତାବନୀ ଶୁଣାଇଥିଲେ –

“ଉଚ୍ଚ ହେବାପାଇଁ କର ଯେବେ ଆଶା,

ଉଚ୍ଚ କର ଆଗେ ନିଜ ମାତୃଭାଷା ।’’

 

ସେ ଚେତାବନୀ ଏଇ ସୁପ୍ତ ଓ ଅଚେତନ ନରନାରୀଙ୍କ ନିକଟରେ ନିଷ୍ଫଳ ହୋଇଛି । ଏବେ ଅକସ୍ମାତ୍ ସୌଭାଗ୍ୟବଶତଃ ଆମମାନଙ୍କର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିଛି । ଏଇ ଅବସ୍ଥାରେ କାଉଳିବାଉଳି ନ ହୋଇ ସ୍ଥିର ବିଚାରବୁଦ୍ଧି ଓ ସୁଚିନ୍ତିତ ଯୋଜନାଦ୍ଵାରା ମାତୃଭାଷାକୁ ଉଚ୍ଚ କରିବା ଉଦ୍ଦେଶ୍ୟରେ ସର୍ବପ୍ରକାର ଉଦ୍ୟମ କରିବା ଆବଶ୍ୟକ ।

 

ଏ ଦିଗରେ ଅଭାବ ଆମର ଅନେକ – ଅସୁବିଧା ଅସୁମାରି । ଉଦାହରଣ ସ୍ଵରୂପ- ୧) ଭାଷାର ଏକ ବିଚାରସିଦ୍ଧ ଓ ବିଜ୍ଞାନସମ୍ମତ ବ୍ୟାକରଣ ପ୍ରଣୟନ, ୨) ସେହିପରି ଏକ ଆଧୁନିକ ଅଭିଧାନ ସଙ୍କଳନ, ୩) ଜ୍ଞାନ-ବିଜ୍ଞାନର ବିଭିନ୍ନ ବିଭାଗରେ ପରିଭାଷା ପ୍ରଣୟନ, ୪) ଟାଇପ୍ ରାଇଟର୍ ତଥା ମୁଦ୍ରଣ ଶିଳ୍ପ ସକାଶେ ଉପଯୋଗୀ କରି ଲିପିସଂସ୍କାର, ୫) ସୁବିଧାଜନକ ସର୍ଟହାଣ୍ଡ ସୃଷ୍ଟି, ୬) ଅନ୍ତତଃ ବର୍ତ୍ତମାନ ପାଇଁ ସ୍ନାତକ ସ୍ତର ପର୍ଯ୍ୟନ୍ତ ମାତୃଭାଷା ମାଧ୍ୟମରେ ସମସ୍ତ ବିଷୟର ଶିକ୍ଷାଦାନ ତଥା ପରୀକ୍ଷଣ ବ୍ୟବସ୍ଥା, ୭) ଜ୍ଞାନ ବିଜ୍ଞାନର ବିଭିନ୍ନ ବିଷୟରେ ମାତୃଭାଷାରେ ପାଠ୍ୟ ପୁସ୍ତକ ରଚନା, ୮) ବିଶ୍ଵବିଦ୍ୟାଳୟରେ ଭାଷାତତ୍ତ୍ୱର ବିଭିନ୍ନ ବିଭାଗର ଅଧ୍ୟୟନ ଓ ଅଧ୍ୟାପନା ବ୍ୟବସ୍ଥା, ୯) ଆମ ଭାଷାରେ ଥିବା ଅଳ୍ପ କେତୋଟି ‘ଭାଖା’ (ଉପଭାଷା ବା ଭାଷାର ଆଞ୍ଚଳିକ କଥିତ ରୂପ; ଦୃଷ୍ଟାନ୍ତସ୍ଵରୂପ – ସମ୍ବଲପୁରୀ) ମଧ୍ୟରୁ ବିଭିନ୍ନ ଅର୍ଥବୋଧକ ଶବ୍ଦ ଓ ବିଶିଷ୍ଟ ପ୍ରୟୋଗମାନ ଆହରଣ କରି ଦୀର୍ଘ ପ୍ରସ୍ଥ ସମଗ୍ର ରାଜ୍ୟରେ ଏକ ଆଦର୍ଶ ଭାଷା ପ୍ରଚଳନ, ୧୦) ରାଜ୍ୟର ବିଚ୍ଛିନ୍ନାଞ୍ଚଳରେ ତଥା କଲିକତା, କାଳିମାଟି ଆଦି ପ୍ରବାସ ଭୂଇଁରେ ଥିବା ଭାଇମାନଙ୍କ ମେଳରେ ମାତୃଭାଷାର ସୁରକ୍ଷା ଓ ସୁପ୍ରସାର, ଇତ୍ୟାଦି ଇତ୍ୟାଦି । ଏଗୁଡ଼ିକ ମଧ୍ୟରୁ ପ୍ରତ୍ୟେକ ଅଭାବ-ଅସୁବିଧା ବିଷୟ ସ୍ୱତନ୍ତ୍ରଭାବରେ ତଦ୍‌ବିଦ୍‌ମାନଙ୍କ ଦ୍ୱାରା ଆଲୋଚନା କରାଯାଇପାରେ । ଏ ଲେଖକ ସମସ୍ତ ବିଷୟର ଆଲୋଚନା ଲାଗି ଭାଜନ ନୁହେଁ – ତାହାର କ୍ଷେତ୍ର ବି ଏଠି ନାହିଁ ।

 

ଶେଷରେ ଭାଷାର ଭାସ୍ୱର ଫଳଶ୍ରୁତି – ସାହିତ୍ୟ-ସର୍ଜନା । ଉଚ୍ଚକୋଟୀର ମୌଳିକ ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, କବିତା, ନାଟକାଦି ସୃଷ୍ଟି ହେବା ସଙ୍ଗେ ସଙ୍ଗେ ଆମ ଭାଷାର କୌଳୀନ୍ୟ ଓ କରାମତି ଉଭୟ ବୃଦ୍ଧି ପାଇବ । ତେଣୁ ମାତୃଭାଷାର ସମୃଦ୍ଧି ଓ ସଙ୍ଗଠନ ସକାଶେ ଲେଖକମାନଙ୍କୁ ବି ଟିକିଏ ଟିପ ଟାଣ କରି ଲେଖନୀ ଚଳାଇବାକୁ ପଡ଼ିବ । ବର୍ତ୍ତମାନ ଯେ ଆମର ଉଚ୍ଚକୋଟୀର ମୌଳିକ ସାହିତ୍ୟ ସୃଷ୍ଟି ନ ହେଉଛି, ତା’ ନୁହେଁ, କିନ୍ତୁ ଅଧିକାଂଶ ଲେଖକ ସାହିତ୍ୟରେ ପ୍ରଭାବଶାଳୀ ଓ ପ୍ରମାଦହୀନ ଭାଷା ବିନ୍ୟାସ ପ୍ରତି ସତର୍କ ଦୃଷ୍ଟି ଦେଉ ନଥିବାର ପ୍ରମାଣ ମିଳୁଛି । ଶୁଦ୍ଧ ଅଶୁଦ୍ଧ ପରାଇ ଗାଇବାକୁ କିମ୍ବା ଲେଖନକାର ଦୋଷ ନ ଧରିବାକୁ କେତେଜଣ ପାଠକ ଆଜି ପ୍ରସ୍ତୁତ ଅଛନ୍ତି ? ବିଶେଷତଃ ଏ ମୁଦ୍ରାଯନ୍ତ୍ର ଯୁଗରେ ଯେତେବେଳେ ସାହିତ୍ୟର ସବୁ କଥା ‘ଶ୍ରବ୍ୟ’ ପରିବର୍ତ୍ତେ ‘ଦୃଶ୍ୟ’ ହୋଇ ପଡ଼ିଛି, ସେତେବେଳେ ସିଦ୍ଧ ଓ ଶୁଦ୍ଧ ଭାଷା ବିନ୍ୟାସ ଲେଖକମାନଙ୍କ ପକ୍ଷରେ ଅତ୍ୟାବଶ୍ୟକ ।

 

ଏଇ ସବୁ ଅଭାବ-ଅସୁବିଧା ଦୂର ହୋଇଗଲେ, ଆମର ମାତୃଭାଷା ନିଶ୍ଚୟ ଯୋଗ୍ୟ ବା ଉଚ୍ଚ ହୋଇ ପାରିବ । ସରକାରୀ ତଥା ବେସରକାରୀ କ୍ଷେତ୍ରରେ – ବ୍ୟକ୍ତିଗତ ତଥା ଆନୁଷ୍ଠାନିକ ଉଦ୍ୟମରେ ଏବେ ଏଇ ଉଦ୍ଦେଶ୍ୟରେ କେତେକ କାର୍ଯ୍ୟ ଆରମ୍ଭ ହୋଇଥିବା ଅତ୍ୟନ୍ତ ଆଶା ଓ ଆନନ୍ଦର ବିଷୟ । ଅପର ତଥା ଅନୁରୂପ କାର୍ଯ୍ୟ କ୍ରମେ ବହୁମୁଖୀ ଓ ବହୁଗୁଣିତ ହେବ ବୋଲି ବିଶ୍ୱାସ । ଉତ୍କଳ ଭାରତୀଙ୍କର ଜୟ ହେଉ !

***

 

ଓଡ଼ିଆ ସାହିତ୍ୟର ବିକାଶଧାରା- (ଆଧୁନିକ ଯୁଗ)

ଶ୍ରୀ ସୁରେନ୍ଦ୍ର ମହାନ୍ତି

 

ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ

ଗୁଣାତ୍ମକ ତଥା ପରିମାଣାତ୍ମକ-ଦୃଷ୍ଟିରୁ ଦ୍ୱିତୀୟ ମହାଯୁଦ୍ଧୋତ୍ତର କାଳରେ ହିଁ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ କ୍ଷେତ୍ରରେ ଅଭୂତପୂର୍ବ ଅଭିବୃଦ୍ଧି ସାଧିତ ହୋଇଅଛି । ଶିକ୍ଷା ଓ ସାକ୍ଷରତାର ପ୍ରସାର, ଉଦ୍ୟମଶୀଳ ପ୍ରକାଶକ ଗୋଷ୍ଠୀଙ୍କର ଆବିର୍ଭାବ ଓ ସାଧାରଣ ପାଠକ ସମାଜରେ ଉପନ୍ୟାସ ପ୍ରତି ଆଗ୍ରହ; ଏ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିଅଛି ।

 

ଦ୍ୱିତୀୟ ମହାଯୁଦ୍ଧ ପୂର୍ବରୁ ଉପନ୍ୟାସକ୍ଷେତ୍ରରେ ଯେଉଁମାନେ ଲୋକପ୍ରିୟତା ଅର୍ଜନ କରି ସାରିଥିଲେ, ସେମାନଙ୍କ ମଧ୍ୟରେ ରାମପ୍ରସାଦ ସିଂହ (ପୂର୍ବରାଗ, ହୋମଶିଖା, ମରୀଚିକା, ମରୁସାଥି, ପ୍ରତିହିଂସା ଓ ରକ୍ତରେଖା), ବଟକୃଷ୍ଣ ପ୍ରହରାଜ (ଘନାବର୍ତ୍ତ, ପୂର୍ଣ୍ଣାହୁତି, ମାତା ମଠ, ଅଶ୍ରୁବିନ୍ଦୁ) ଚନ୍ଦ୍ରମଣି ଦାସ (ମଳିକ ଝିଅ ଗୌରୀ, ପାନ୍ଥନିବାସ, ପଲ୍ଲୀରେଣୁ ଓ ଭୁଲ କାହାର ପ୍ରଭୃତି) ଓ ଲକ୍ଷ୍ମୀଧର ନାୟକ (ବର୍ଷାର ଶେଷ, ସର୍ବହରା, ହାୟରେ ଦୁର୍ଭାଗା ଦେଶ ଓ ଚରିତ୍ରହୀନାର ଚିଠି ପ୍ରଭୃତି) ପ୍ରମୁଖ ଉଲ୍ଲେଖଯୋଗ୍ୟ । ରାମପ୍ରସାଦ ଓ ଲକ୍ଷ୍ମୀଧରଙ୍କ ଉପନ୍ୟାସ ସବୁ ମୁଖ୍ୟତଃ ରୋମାନ୍‍ସଧର୍ମୀ । ଚରିତ୍ର ଚିତ୍ରଣ ଅପେକ୍ଷା ରୋମାଞ୍ଚକର ଘଟଣାର ବର୍ଣ୍ଣନା ପ୍ରତି ସେଥିରେ ବିଶେଷ ଦୃଷ୍ଟି ଦିଆଯାଇଥିଲା । ତା’ ମଧ୍ୟରେ ସ୍ଥାନେ ସ୍ଥାନେ ଆସିଥିଲା ସମାଜ ଓ ସ୍ଵଦେଶ ଚିନ୍ତାର ବ୍ୟଞ୍ଜନା, ମାତ୍ର ଦ୍ଵିତୀୟ ମହାଯୁଦ୍ଧ ପରେ ଉଭୟ ଲେଖକ, ଆଉ କୌଣସି ଉପନ୍ୟାସ ପ୍ରାୟ ଲେଖି ନାହାନ୍ତି କହିଲେ ଚଳେ । ବଟକୃଷ୍ଣ ପ୍ରହରାଜଙ୍କ ଉପନ୍ୟାସଗୁଡ଼ିକ ସାମାଜିକ । ସେ ସବୁଥରେ ଭାଷା, ବିଷୟବସ୍ତୁ ଓ ଚରିତ୍ର-ଚିତ୍ରଣଦୃଷ୍ଟିରୁ ଫକୀରମୋହନଙ୍କ ଉପନ୍ୟାସର ପ୍ରତିଧ୍ୱନି ଶୁଣିବାକୁ ମିଳିଥାଏ । ଚନ୍ଦ୍ରମଣି ଦାସଙ୍କ ପାଠକଗୋଷ୍ଠୀ ଥିଲେ ସ୍ୱଳ୍ପ ଶିକ୍ଷିତା ମହିଳା ଓ ସେହି ସ୍ତରର ସାକ୍ଷର ସମାଜ ।

 

ଶ୍ରୀହରେକୃଷ୍ଣ ମହତାବ୍ ମଧ୍ୟ ରାଜନୀତିକ ଜୀବନର ସଂଘାତ ସଂଘର୍ଷ ମଧ୍ୟରେ କେତେ ଖଣ୍ଡ ଉପନ୍ୟାସ ଲେଖିଥିଲେ, ମାତ୍ର ସେ ସବୁଥିରେ ପ୍ରତିଭା ଅପେକ୍ଷା ଅଧ୍ୟବସାୟ ଓ ବଳିଷ୍ଠ ଚେତନା ତଥା ମୌଳିକ ଚିନ୍ତାର ସ୍ୱାକ୍ଷର ଅଧିକତର ସୁସ୍ପଷ୍ଟ । ଶ୍ରୀମହତାବ୍‍ଙ୍କ ଲିଖିତ ଉପନ୍ୟାସଗୁଡ଼ିକ ମଧ୍ୟରେ ‘‘ଯଗୁଧର୍ମ’’; “ପ୍ରତିଭା ଓ ଟାଉଟର” ପ୍ରଭୃତି ଉଲ୍ଲେଖଯୋଗ୍ୟ । ଉପନ୍ୟାସ ବ୍ୟତୀତ ଇତିହାସ, ନାଟକ, କବିତା, ରମ୍ୟରଚନା ଓ ପ୍ରବନ୍ଧ-ସାହିତ୍ୟର ପ୍ରାୟ ପ୍ରତ୍ୟେକ ବିଭାଗ ମହତାବଙ୍କ ଲେଖନୀର ସ୍ପର୍ଶ ପାଇଅଛି ।

 

ଓଡ଼ିଆ ଉପନ୍ୟାସର ପୃଷ୍ଠଭୂମିରେ, କାହ୍ନୁଚରଣ ମହାନ୍ତି ଓ ଗୋପୀନାଥ ମହାନ୍ତି ନୂତନ ସମ୍ଭାବନାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ଯୁଦ୍ଧୋତ୍ତର କାଳରେ ହିଁ ପୂର୍ଣ୍ଣତା ପ୍ରାପ୍ତ ହୋଇଥିଲା-। ଉଭୟ କାହ୍ନୁଚରଣ ଓ ଗୋପୀନାଥଙ୍କ ଲେଖନୀ ଅଜସ୍ରସ୍ରାବୀ । ଉଭୟ ଔପନ୍ୟାସିକଙ୍କ ଉପନ୍ୟାସ ସାହିତ୍ୟ ଆକାଡେମୀଦ୍ଵାରା ପୁରସ୍କୃତ ହୋଇଅଛି । ଉଭୟ ଔପନ୍ୟାସିକଙ୍କୁ ଓଡ଼ିଆ ଉପନ୍ୟାସକ୍ଷେତ୍ରରେ ଗୋଟିଏ ଗୋଟିଏ ଶଙ୍କୁ କହିଲେ ଅତ୍ୟୁକ୍ତି ହେବ ନାହିଁ-। ଉଭୟ ଔପନ୍ୟାସିକ ପୁଣି ପଲ୍ଲୀସମାଜ ଓ ନିମ୍ନ ମଧ୍ୟବିତ୍ତ ପରିବେଷ୍ଟନୀରୁ କଥାବସ୍ତୁ ଓ ଚରିତ୍ର ଆହରଣ କରି ବହୁ ଉପନ୍ୟାସ ରଚନା କରି ଅଛନ୍ତି ତଥାପି ଉଭୟଙ୍କ ଉପନ୍ୟାସ ମଧ୍ୟରେ ବହୁ ଗୁଣଗତ ମୌଳିକ ପାର୍ଥକ୍ୟ ରହିଅଛି । କାହ୍ନୁଚରଣ ବହିର୍ଦୃଷ୍ଟିସମ୍ପନ୍ନ (extrovert) ତାଙ୍କର ଚରିତ୍ର ପର୍ଯ୍ୟବେକ୍ଷଣ-କୁଶଳତା ଗୋପୀନାଥଙ୍କଠାରେ ନାହିଁ । ସେଥି ପାଇଁ କାହ୍ନୁ ଚରଣ ‘ଅଦେଖାହାତ', ‘ତୁଣ୍ଡ ବାଇଦ' ଓ ‘ଶାସ୍ତି’ ପ୍ରଭୃତି ଉପନ୍ୟାସମାନଙ୍କରେ ଚରିତ୍ରଚିତ୍ରଣରେ ବିଶେଷତଃ ନାରୀଚରିତ୍ର ଚିତ୍ରଣରେ ଯେଉଁ ସଫଳତା ଅର୍ଜନ କରିଅଛନ୍ତି, ଗୋପୀନାଥଙ୍କ ଉପନ୍ୟାସରେ ତାହା ମିଳେନାହିଁ । କାହ୍ନୁଚରଣ ଙ୍କ ଉପନ୍ୟାସଗୁଡ଼ିକ ଅଧିକ ବର୍ଣ୍ଣନାଧର୍ମୀ । ତାହାର ଶୈଳୀ ସହଜ ଓ ଭାଷା ତଥା ଭାବ, ସୁଲଭ ବା ‘ପପୁଲାର’ ମାତ୍ର ଗୋପୀନାଥ ଅନ୍ତର୍ଦୃଷ୍ଟିସମ୍ପନ୍ନ (introvert) ଥିବାରୁ ତାଙ୍କ ଉପନ୍ୟାସଗୁଡ଼ିକ ଅଧିକ ବିଶ୍ଳେଷଣଧର୍ମୀ । ଗୋପୀନାଥଙ୍କ ପ୍ରକୃତି ଚିତ୍ରଣ ବର୍ଣ୍ଣାଢ଼୍ୟ ଓ ସୂଚନାଗର୍ଭିତ । ସ୍ଥାନେ ସ୍ଥାନେ ତାହା ଶୁଦ୍ଧ – କବିତାର ପରିଧି ସ୍ପର୍ଶ କରିଥାଏ; କିନ୍ତୁ କାହ୍ନୁଚରଣଙ୍କ ପ୍ରକୃତି, ଉପନ୍ୟାସ ବର୍ଣ୍ଣୀତ ବିଭିନ୍ନ ଘଟଣାର ଏକ ପ୍ରାଣହୀନ ପୃଷ୍ଠଭୂମି ମାତ୍ର । କାହ୍ନୁଚରଣଙ୍କ ଉପନ୍ୟାସଗୁଡ଼ିକର ମୁଖ୍ୟ ଉପଜୀବ୍ୟ ପ୍ରେମ ଓ ସେଥିରେ ସଙ୍କଟ; ପୁଣି ବିଡ଼ମ୍ବନା, ମାତ୍ର ଗୋପୀନାଥଙ୍କ ଉପନ୍ୟାସଗୁଡ଼ିକର ଉପଜୀବ୍ୟ ଜୀବନ ଓ ତାହାର ଅନ୍ତର୍ଦାହ । କାହ୍ନୁଚରଣଙ୍କ ଉପନ୍ୟାସଗୁଡ଼ିକର ବିନ୍ୟାସରୀତି ଅଧିକ ଶୃଙ୍ଖଳାବଦ୍ଧ; କିନ୍ତୁ ଗୋପୀନାଥଙ୍କ ଉପନ୍ୟାସରେ ବିନ୍ୟାସରୀତି ଅତ୍ୟନ୍ତ ଶିଥିଳ । ଆଙ୍ଗିକ ଓ ଶୈଳୀରେ ବହୁ ବର୍ଜନୀୟ ତ୍ରୃଟି ସତ୍ତ୍ୱେ ଗୋପୀନାଥଙ୍କ ‘ପରଜା’ ଓ ‘ଅମୃତର ସନ୍ତାନ’ ସର୍ବ ଭାରତୀୟ ଉପନ୍ୟାସ ସାହିତ୍ୟରେ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଦାବୀ କରେ । ଯଥାକ୍ରମେ ପରଜା ଓ କନ୍ଧମାନଙ୍କର ସାମାଜିକ ଓ ସାଂସ୍କୃତିକ ଜୀବନଚର୍ଯ୍ୟାର ଭିତ୍ତିରେ ଏ ଉପନ୍ୟାସ ଦୁଇଟି ଲିଖିତ ହୋଇଅଛି । ସାଂସ୍କୃତିକ, ନୃତତ୍ତ୍ୱ ଓ ଉପନ୍ୟାସର ଜଗା ଖେଚୁଡ଼ି ମଧ୍ୟରେ ଗୋପୀନାଥଙ୍କର ଶକ୍ତିଶାଳୀ ସୃଜନୀ-ପ୍ରତିଭା ପର୍ଯ୍ୟବେକ୍ଷଣ ଶକ୍ତି ଓ ଗୀତିମୟ ଭାଷାଶୈଳୀ, ଏହି ଉପନ୍ୟାସ ଦୁଇଟିକୁ ଓଡ଼ିଆ - ଉପନ୍ୟାସର ଏକ ବିଶିଷ୍ଟ ସମ୍ପଦରେ ପରିଣତ କରିଅଛି । ମହାନ୍ତି ଭ୍ରାତାଦ୍ୱୟଙ୍କ ବ୍ୟତୀତ, ଅନ୍ୟ ଯେଉଁମାନେ ଦ୍ୱିତୀୟ ମହାଯୁଣୋତ୍ତର କାଳରେ ଓଡ଼ିଆ ଉପନ୍ୟାସ ସାହିତ୍ୟକୁ ସୁସମୃଦ୍ଧ କରି ଅଛନ୍ତି, ସେମାନଙ୍କ ମଧ୍ୟରେ ପ୍ରାଣକୃଷ୍ଣ ସାମଲ, ଲକ୍ଷ୍ମୀକାନ୍ତ ମହାପାତ୍ର, ନିତ୍ୟାନନ୍ଦ ମହାପାତ୍ର, ଅନନ୍ତ ପ୍ରସାଦ ପଣ୍ଡା, ଜ୍ଞାନୀନ୍ଦ୍ର ବର୍ମା ଓ ରାଜକିଶୋର ପଟ୍ଟନାୟକ ପ୍ରମୁଖ ଉଲ୍ଲେଖଯୋଗ୍ୟ । ପ୍ରାଣକୃଷ୍ଣ ସାମଲଙ୍କ ଅକାଳ ବିୟୋଗରେ ଓଡ଼ିଆ ଉପନ୍ୟାସ ଜଣେ ଏକନିଷ୍ଠ ଲେଖକଙ୍କୁ ହରାଇଅଛି । ପ୍ରାଣକୃଷ୍ଣଙ୍କ ଉପନ୍ୟାସଗୁଡ଼ିକ ମଧ୍ୟରେ “ନୀଳ କମଳ”, “ସହଯାତ୍ରିଣୀ”, “ହାତୀକା ଦାନ୍ତ”, “ପଲ୍ଲୀଜୀବନ” ଓ “ପ୍ରେମ” ଉଲ୍ଲେଖଯୋଗ୍ୟ । ସ୍ୱର୍ଗତ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅସମ୍ପୂର୍ଣ୍ଣ ‘‘କଣାମାମୁଁ’’ ଉପନ୍ୟାସ ଓଡ଼ିଆ ଉପନ୍ୟାସରେ ଏକ ସ୍ମରଣୀୟ ସୃଷ୍ଟି । ନିତ୍ୟାନନ୍ଦ ମହାପାତ୍ର ସାମ୍ପ୍ରତିକ କାଳରେ ନୀରବ ହୋଇଥିଲେ ହେଁ “ଜୀବନର ଲକ୍ଷ୍ୟ’’ “ଜୀଅନ୍ତାମଣିଷ” ଓ “ହିଡ଼ମାଟି” ପ୍ରଭୃତି କେତେଖଣ୍ଡ ଉଲ୍ଲେଖଯୋଗ୍ୟ ଉପନ୍ୟାସ ରଚନା କରି ଅଛନ୍ତି । ଜ୍ଞାନେନ୍ଦ୍ର ବର୍ମାଙ୍କ ବହୁ ଉପନ୍ୟାସ ମଧ୍ୟରେ “ଅପରାହ୍ମଣ-ଆକାଶ” ବିଶେଷଭାବରେ ଉଲ୍ଲେଖଯୋଗ୍ୟ । ରାଜକିଶୋର ପଟ୍ଟନାୟକ ମଧ୍ୟ କେତେଖଣ୍ଡ ସୁଖପାଠ୍ୟ ଉପନ୍ୟାସ ରଚନା କରିଅଛନ୍ତି । ରାଜକିଶୋର ପଟ୍ଟନାୟକଙ୍କ ଉପନ୍ୟାସ ମଧ୍ୟରେ ‘‘ଚଲାବାଟ’’ ‘‘ପ୍ରେମିକର ଡାୟରୀ”. ‘‘ସ୍ମୃତିର ମଶାଣି” ଓ ‘ବିରହିଣୀ’ ପ୍ରଭୃତି ଉଲ୍ଲେଖଯୋଗ୍ୟ । ଉପନ୍ୟାସ ବର୍ଣ୍ଣିତ ଚରିତ୍ର ବିଶେଷତଃ ପ୍ରେମିକ ଓ ପ୍ରେମିକାମାନଙ୍କର ମନଶ୍ଚିନ୍ତ୍ରଣ ତାଙ୍କ ଉପନ୍ୟାସ ତଥା କ୍ଷୁଦ୍ରଗଳ୍ପଗୁଡ଼ିକର ପ୍ରଧାନ ଆଭିମୁଖ୍ୟ ଥବାପରି ମନେହୁଏ, ମାତ୍ର ଏ ଚିତ୍ରରେ ସଙ୍କେତଗତ ସୂଚନାତ୍ମକତା ପରିବର୍ତ୍ତେ ସ୍ଵମତ-ବିସ୍ତାରୀ ବିଶ୍ଳେଷଣର ପ୍ରାଚୁର୍ଯ୍ୟ ପରିଲକ୍ଷିତ ହୋଇଥାଏ । ଏ ଉପନ୍ୟାସସବୁ, ଗତାନୁଗତିକତାର ବିଲମ୍ବନ ମଧ୍ୟରେ, ଓଡ଼ିଆ-ଉପନ୍ୟାସର କ୍ରମବିକାଶକୁ ପରିମାଣାତ୍ମକଦୃଷ୍ଟିରୁ ଯଥେଷ୍ଟ ସହାୟକ ହୋଇଅଛି । ନୂତନ ଔପନ୍ୟାସିକମାନଙ୍କ ମଧ୍ୟରେ ଯେଉଁମାନେ ଉପନ୍ୟାସକ୍ଷେତ୍ରରେ ପ୍ରତିଷ୍ଠିତ ହେଲେଣି ସେମାନଙ୍କ ମଧ୍ୟରେ ବିଭୂତି ପଟ୍ଟନାୟକ, ଶାନ୍ତନୁକୁମାର ଆଚାର୍ଯ୍ୟ, ମହାପାତ୍ର ନୀଳମଣି ସାହୁ, ଓ ବସନ୍ତକୁମାରୀ ପଟ୍ଟନାୟକ ଉଲ୍ଲେଖଯୋଗ୍ୟ । ବସନ୍ତକୁମାରୀ ‘ଅମଡ଼ାବାଟ’ ଉପନ୍ୟାସଖଣ୍ଡିକ ଲେଖି ଇଂରାଜୀ ଉପନ୍ୟାସରେ ଏକ ମାତ୍ର ଖଣ୍ଡେ ଉପନ୍ୟାସର ଲେଖିକା ସାର୍ଲେ ବ୍ରଣ୍ଟ (Charoette Bruntle)ଙ୍କ ପରି ସ୍ମରଣୀୟା ହୋଇ ପାରିଛନ୍ତି । ‘ଅମଡ଼ାବାଟ’ ଉପନ୍ୟାସର ସଫଳତାର କାରଣ ହେଉଛି, ଏହାର ନିରଭିମାନ, ଅହଂବିସ୍ମୃତ, ଗତିଶୀଳ ବର୍ଣ୍ଣନାଶୈଳୀ ପୁଣି ଅନ୍ତର୍ଦୃଷ୍ଟିସମ୍ପନ୍ନ ଚରିତ୍ର-ଚିତ୍ରଣ । ‘ଅମଡ଼ାବାଟ’ର ମାୟା ଓଡ଼ିଆ ଉପନ୍ୟାସ ଚରିତ୍ର-ଚିତ୍ରଶାଳାରେ ଏକ ସ୍ମରଣୀୟ ଚିତ୍ର ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ ।

 

ଉପନ୍ୟାସର ସଫଳତାପାଇଁ ଶୈଳୀରେ ଅଭିନବତ୍ୱର ପ୍ରୟୋଜନ ଥିଲେ ହେଁ ତାହା ଅପରିହାର୍ଯ୍ୟ ବୋଲି କୁହାଯାଇ ନ ପାରେ । ବସନ୍ତକୁମାରୀଙ୍କ ‘ଅମଡ଼ାବାଟ’ ତାହାର ଉଦାହରଣ । ପୁଣି ଶୈଳୀରେ ଅଭିନବତ୍ଵ କୌଣସି ଉପନ୍ୟାସକୁ ଯେପରି ଏକ ସାମୟିକ ସଫଳତା ଆଣି ଦେଇଥାଏ । ଶାନ୍ତନୁକୁମାର ଆଚାର୍ଯ୍ୟଙ୍କ ‘ନର-କିନ୍ନର’ ତାହାର ଉଦାହରଣ । ଏ ଉପନ୍ୟାସର ବିଷୟବସ୍ତୁ ଅବଚେତନ-ଗର୍ଭିତ ହୋଇଥିବାରୁ ଅସ୍ପଷ୍ଟ, ଭାଷାରେ ସ୍ୱାଚ୍ଛନ୍ଦ୍ୟ ନାହିଁ ଚରିତ୍ର ଚିତ୍ରଣ ଦୁର୍ବଳ; ତଥାପି ଶୈଳୀ ଓ ବିଷୟବସ୍ତୁରେ ଅଭିନବତ୍ୱ ହେତୁ, ଏ ଉପନ୍ୟାସଟି ଚେତନଶୀଳ ପାଠକସମାଜର ଦୃଷ୍ଟି ଆକର୍ଷଣ କରିବାରେ ସମର୍ଥ ହୋଇଥିଲା, ମାତ୍ର ସେହି ଶୈଳୀସଚେତନତା ଓ ବୌଦ୍ଧିକ ବିଶ୍ଳେଷଣ ଉପରେ ଅଯଥା ପ୍ରାଧାନ୍ୟ ଯେପରି ଔପନ୍ୟାସିକର କ୍ରମବିକାଶକୁ ବାଧାପ୍ରାପ୍ତ କରିଥାଏ, ଶାନ୍ତନୁକୁମାର ମଧ୍ୟ ତାହାର ଅନ୍ୟଏକ ଉଦାହରଣ । କ୍ଷୁଦ୍ରଗଳ୍ପରେ ମହାପାତ୍ର ନୀଳମଣି ସାହୁଙ୍କ ସଫଳତା ତାଙ୍କ ଉପନ୍ୟାସରେ ବି ପରିଲକ୍ଷିତ ହୁଏ ନାହିଁ ।

 

ବିଭୂତି ପଟ୍ଟନାୟକଙ୍କ ଲେଖନୀ ଅଜସ୍ରସ୍ରାବୀ ଓ ଓଡ଼ିଆ ଉପନ୍ୟାସର ଏକ ନିର୍ଦ୍ଦିଷ୍ଟ ପାଠକ ଗୋଷ୍ଠୀରେ ତାଙ୍କର ଉପନ୍ୟାସଗୁଡ଼ିକ ଇତିମଧ୍ୟରେ ଯଥେଷ୍ଟ ଲୋକପ୍ରିୟତା ଅର୍ଜନ କରିଅଛି । ମାତ୍ର ଲୋକପ୍ରିୟତା ସର୍ବଥା କାମ୍ୟ ହେଲେ ଯାହା ହୋଇଥାଏ ବିଭୂତିଙ୍କ ଉପନ୍ୟାସକ୍ଷେତ୍ରରେ ସେଇଆ ହୋଇଅଛି । ବିଭୂତି ପଟ୍ଟନାୟକଙ୍କ ଅଗଣିତ ଉପନ୍ୟାସରେ ତେଣୁ ଅଧ୍ୟବସାୟର ମୁଦ୍ରା ଯେତେ ଗଭୀରଭାବରେ ଅଙ୍କିତ ହୋଇ ପାରିଅଛି, ଉପନ୍ୟାସ-କଳାର ଅଭିବ୍ୟକ୍ତି ସେତେ ସୁସ୍ପଷ୍ଟ ହୋଇ ପାରିନାହିଁ । ପାଠକଗୋଷ୍ଠୀର ମନୋରଞ୍ଜନପାଇଁ ଗଳଦ୍ ଘର୍ମ ପ୍ରଚେଷ୍ଟା ମଧ୍ୟରେ ଉପନ୍ୟାସକ୍ଷେତ୍ରରେ କ୍ରମବିକାଶର ଧାରା ରକ୍ଷଣଶୀଳ ଓ ଗତାନୁଗତିକତାଗ୍ରସ୍ତ ହୋଇ ପଡ଼ିଥିଲେ ହେଁ, କ୍ଷୁଦ୍ର ଗଳ୍ପକ୍ଷେତ୍ରରେ ଆଲୋଚିତ କାଳରେ ନୂତନ ଆଙ୍ଗିକ, ଶୈଳୀ ଓ ବିଷୟବସ୍ତୁ ଘେନି ବହୁ ନୂତନ ଅନୁଶୀଳନ ଓ ପରୀକ୍ଷା ନିରୀକ୍ଷା ହୋଇଅଛି । ଉପର୍ଯ୍ୟୁକ୍ତ ପ୍ରତ୍ୟେକ ପ୍ରତିଷ୍ଠିତ ଔପନ୍ୟାସିକ କ୍ଷୁଦ୍ରଗଳ୍ପ ରଚନାରେ ମଧ୍ୟ ମନୋନିବେଶ କରିଅଛନ୍ତି । ଦ୍ୱିତୀୟ ମହାଯୁଦ୍ଧର ଶେଷବେଳକୁ ଏମାନଙ୍କ ମଧ୍ୟରେ ଗାଳ୍ପିକ ରାଜକିଶୋର ରାୟ ଓ ଔପନ୍ୟାସିକ ଗୋପୀନାଥ ମହାନ୍ତି ସର୍ବାଗ୍ରଗଣ୍ୟ ହୋଇ ପାରିଥିଲେ । ଘାସଫୁଲ ସଙ୍କଳନରେ ଗୋପୀନାଥଙ୍କ ବହୁ କ୍ଷୁଦ୍ରଗଳ୍ପ ଓଡ଼ିଆ କ୍ଷୁଦ୍ରଗଳ୍ପର ଦିଗ୍‍ବଳୟକୁ ସମ୍ପ୍ରସାରିତ କରିଅଛି, ମାତ୍ର ତାଙ୍କ କ୍ଷୁଦ୍ର ଗଳ୍ପ ଗୁଡ଼ିକରେ ପରିମିତିସମ୍ପନ୍ନ ସୁସମ୍ୱଦ୍ଧ ଆଙ୍ଗିକର ଅଭାବ ପରିଲକ୍ଷିତ ହୋଇଥାଏ । ଶୈଳୀ ଓ ଆଙ୍ଗିକଗତ ତ୍ରୁଟିସତ୍ତ୍ୱେ, ବିଷୟବସ୍ତୁରେ ମୌଳିକତା ପୁଣି ଦୃଷ୍ଟିଭଙ୍ଗୀ ଓ ପରିବେଷଣରେ ଅଭିନବତ୍, ତାଙ୍କର ଅଧିକାଂଶ କ୍ଷୁଦ୍ରଗଳ୍ପକୁ ରସୋତ୍ତୀର୍ଣ୍ଣ କରି ପାରିଅଛି; କିନ୍ତୁ ଏକନିଷ୍ଠ ଲେଖକରୁ ସେ ରାଜକିଶୋର ରାୟଙ୍କ କୃତିତ୍ୱ, ଦ୍ୱିତୀୟ ମହାଯୁଦ୍ଧୋତ୍ତର କାଳରେ ସର୍ବସ୍ୱୀକୃତ ହୋଇଥିଲା । ବସ୍ତୁତଃ ବିଷୟବସ୍ତୁ, ଭାଷାଶୈଳୀ ଓ ଆଙ୍ଗିକରେ ରାଜକିଶୋର ରାୟ, କ୍ଷୁଦ୍ର ଗଳ୍ପକ୍ଷେତ୍ରରେ ଏକ ନୂତନ ବ୍ୟତିକ୍ରମ ଆଣିଥିଲେ । ତାଙ୍କର କ୍ଷୁଦ୍ର ଗଳ୍ପଗୁଡ଼ିକ ପ୍ରାୟ ଭାବଧର୍ମୀ, ମାତ୍ର ପରବର୍ତ୍ତୀ କାଳରେ ଏକ କୃତିମତା ମଧ୍ୟରେ ତାଙ୍କର କ୍ଷୁଦ୍ରଗଳ୍ପଗୁଡ଼ିକ ଆଚ୍ଛନ୍ନ ହୋଇ ପଡ଼ିବା ଫଳରେ ସେ ସବୁ ପୂର୍ବର ସମ୍ବେଦନଶୀଳତା ହରାଇଅଛି । ରାଜକିଶୋର ରାୟଙ୍କ ଅନ୍ତର୍ଦୃଷ୍ଟି ଯେତେ ପ୍ରଖର, ବହିର୍ଦୃଷ୍ଟି ସେତେ ସଚେତନଶୀଳ ନୁହେଁ । ଏ ଦୁଇଟି ମଧ୍ୟରେ ସମନ୍ୱୟର ଅଭାବ, ରାଜକିଶୋର ରାୟଙ୍କ ଗଳ୍ପର ସଫଳତାକୁ କେତେକାଂଶରେ ବାଧାଗ୍ରସ୍ତ କରିଅଛି । ତଥାପି ଯେଉଁଠାରେ ରାଜକିଶୋର ବାସ୍ତବଧର୍ମୀ ହୋଇ ପାରିଛନ୍ତି, ସେଠାରେ ତାଙ୍କ କ୍ଷୁଦ୍ରଗଳ୍ପଗୁଡ଼ିକ ରସୋତ୍ତୀର୍ଣ୍ଣ ହୋଇ ପାରିଅଛି । ଦ୍ଵିତୀୟ ମହାଯୁଦ୍ଧର ଅବ୍ୟବହିତ ପରେ, ଅନ୍ୟ ପ୍ରତିଷ୍ଠିତ କ୍ଷୁଦ୍ରଗଳ୍ପ ଲେଖକଙ୍କ ମଧ୍ୟରେ ସଚ୍ଚି ରାଉତରାୟଙ୍କ ନାମ ଉଲ୍ଲେଖ କରାଯାଇପାରେ । “ମଶାଣିର ଫୁଲ” ଓ “ମାଟିର ତାଜ” ଗଳ୍ପ ସଙ୍କଳନରେ ତାଙ୍କର କ୍ଷୁଦ୍ରଗଳ୍ପଗୁଡ଼ିକ ବିଷୟବସ୍ତୁ ଓ ଚରିତ୍ର-ଚିତ୍ରଣରେ ଯେପରି ବାସ୍ତବଧର୍ମୀ, ଆଙ୍ଗିକରେ ସେହିପରି ଅଭିନବ ଓ ଶକ୍ତିଶାଳୀ । ଶ୍ରୀ ନିତ୍ୟାନନ୍ଦ ମହାପାତ୍ର ଓ ରାଜକିଶୋର ପଟ୍ଟନାୟକ, ଏହି କାଳର ଅନ୍ୟ ଦୁଇଜଣ ଉଲ୍ଲେଖଯୋଗ୍ୟ କ୍ଷୁଦ୍ରଗଳ୍ପ ଲେଖକ । ‘ଶ୍ରୀ ନିତ୍ୟାନନ୍ଦ ମହାପାତ୍ର କ୍ଷୁଦ୍ରଗଳ୍ପଗୁଡ଼ିକରେ ରୋମାଣ୍ଟିକ୍ ଭାବପ୍ରବଣତା ସହିତ ମନସ୍ତାତ୍ତିକ ବିଶ୍ଳେଷଣ ଏକ ପ୍ରଧାନ ଆଭିମୁଖ୍ୟ, ‘ଏଗାରଟା’ ଓ ‘କ୍ଷଣିକା’ ଗଳ୍ପ ସଞ୍ଚୟନରେ କ୍ଷୁଦ୍ରଗଳ୍ପ କ୍ଷେତ୍ରରେ ନିତ୍ୟାନନ୍ଦଙ୍କ କୃତିତ୍ୱର ଅମ୍ଲାନ ସ୍ୱାକ୍ଷର ରହିଅଛି । ରାଜକିଶୋର ପଟ୍ଟନାୟକ ମୁଖ୍ୟତଃ ମନସ୍ତାତ୍ତିକ ଗଳ୍ପ ଲେଖକ । “ତୁଠପଥର”, “ପଞ୍ଜୁରୀ ପକ୍ଷୀ” “ନିଶାଣ ଖୁଣ୍ଟ” ଓ “ଶାଳଗ୍ରାମ” ପ୍ରଭୃତି କ୍ଷୁଦ୍ରଗଳ୍ପ ସଞ୍ଚୟନଗୁଡ଼ିକ, ତାଙ୍କ ସିଦ୍ଧି ଓ ସଫଳତାର ସାକ୍ଷ୍ୟ ବହନ କରିଥାଏ । ପ୍ରାଣବନ୍ଧୁକର ଓ ବିଭୂତିଭୂଷଣ ତ୍ରିପାଠୀ; ଓଡ଼ିଆ କ୍ଷୁଦ୍ରଗଳ୍ପ କ୍ଷେତ୍ରରେ ଆଣିଥିଲେ ଫ୍ରୟେଡୀୟ ବ୍ୟଞ୍ଜନା, ମାତ୍ର ସେମାନଙ୍କ ରଚନା କ୍ରମେ ବାଧାଗ୍ରସ୍ତ ହୋଇ ପରେ ନୀରବ ହୋଇ ପଡ଼ିଅଛି । ଏମାନଙ୍କ ବ୍ୟତୀତ କ୍ଷୁଦ୍ର ଗଳ୍ପକ୍ଷେତ୍ରରେ ଅନ୍ୟଯେଉଁମାନଙ୍କ କୃତିତ୍ୱ ସ୍ମରଣୀୟ ସେମାନେ ହେଲେ – କିଶୋରୀଚରଣ ଦାସ, ଶାନ୍ତନୁ କୁମାର ଆଚାର୍ଯ୍ୟ, ମନୋଜ ଦାସ, ବ୍ରହ୍ମାନନ୍ଦ ପଣ୍ଡା, ଗୋବିନ୍ଦଚନ୍ଦ୍ର ଦାସ, ଅଖିଳମୋହନ ପଟ୍ଟନାୟକ, ବାମାଚରଣ ମିତ୍ର, ମହାପାତ୍ର ନୀଳମଣି ସାହୁ, ରାଜକିଶୋର ମହାନ୍ତି ଓ ଅଚ୍ୟୁତାନନ୍ଦ ପତି, ଏମାନେ ପ୍ରତ୍ୟେକ ଓଡ଼ିଆ କ୍ଷୁଦ୍ରଗଳ୍ପକ୍ଷେତ୍ରରେ ନୂତନ ପ୍ରତିଶ୍ରୁତିର ବାର୍ତ୍ତା ବହନ କରି ଆଣିଥିଲେ ହେଁ ତାହା ପରିମାଣାତ୍ମକ ତଥା ଗୁଣାତ୍ମକ ଦୃଷ୍ଟିରୁ ତଥାପି ପରିପାଳିତ ହେବାର ଅଛି ।

 

ସମ୍ପ୍ରତି ଓଡ଼ିଆ କ୍ଷୁଦ୍ରଗଳ୍ପକ୍ଷେତ୍ରରେ “ଆଭାସ ଗଳ୍ପ’’ ନାମରେ ଏକ ନୂତନ ଶୈଳୀ ଓ ଧାରା; କେତେକ ତରୁଣ ଲେଖକଙ୍କ ରଚନାରେ ପରିଦୃଷ୍ଟ ହୋଇଥାଏ । ଆଧୁନିକ କବିତାର ଦୁର୍ବୋଧତା ଓ କ୍ଲିଷ୍ଟତା ଏ ଗଛଗୁଡ଼ିକର ସଫଳତାକୁ ବାଧାଗ୍ରସ୍ତ କରିଥିଲେ ହେଁ ଏହାର ଭାଷାଶୈଳୀ କାବ୍ୟଗୁଣସମ୍ପନ୍ନ ଓ ଆଙ୍ଗିକ ଅଭିନବ । ଏ ଗଳ୍ପସବୁ, କୌଣସି ଗୋଟିଏ ମାନସିକ ଅବସ୍ଥା ଅଥବା ପରିସ୍ଥିତିକୁ ରୂପାୟନ କରିବାରେ ସଫଳ ହୋଇଥିଲେ ହେଁ ଗଳ୍ପର ମୌଳିକ ଉଦ୍ଦେଶ୍ୟ ସାଧନରେ କିନ୍ତୁ ବିଫଳ ହୋଇଛି । ସେଥିପାଇଁ ଏ ଆଭାସ-ଗଳ୍ପଗୁଡ଼ିକର ଧାରା କ୍ରମଶଃ ନିଃଶେଷିତ ହୋଇ ଆସୁଅଛି ।*

 

ନାଟକ ଓ ଏକାଙ୍କିକା

ଦ୍ୱିତୀୟ ମହାଯୁଦ୍ଧ କାଳରେ ନାଟକ ଓ ଏକାଙ୍କିକା କ୍ଷେତ୍ରରେ ପରିମାଣାତ୍ମକଦୃଷ୍ଟିରୁ ଯଥେଷ୍ଟ ଅଭିବୃଦ୍ଧି ସାଧିତ ହୋଇଥିଲେ ହେଁ, ସାହିତ୍ୟର ବ୍ୟଞ୍ଜନା ପୁଣି ଆଧୁନିକ ନାଟକର ଅଭିବ୍ୟକ୍ତି ସେଥିରେ ଅପେକ୍ଷାକୃତ ମଳିନ । ଏହାର କାରଣ, ନାଟ୍ୟକାରମାନଙ୍କ ରଚନା ଶକ୍ତିର ଅଭାବ ଯେତେ ନୁହେଁ, ସେତେ ହେଉଛି ପେଶାଦାରୀ ରଙ୍ଗମଞ୍ଚମାନଙ୍କର ଚାହିଦା । “ବକସ୍ ଅଫିସ୍’’ ବା ଟିକେଟ୍ ବିକ୍ରି, ମଞ୍ଚାଧିକାରୀ ଓ ପରିଚାଳକମାନଙ୍କର ଏକମାତ୍ର ଧ୍ୟେୟବସ୍ତୁ ଥିବାରୁ, ନାଟ୍ୟକାରମାନେ ସେହି ଚାହିଦା ମେଣ୍ଟାଇବାପାଇଁ ବାଧ୍ୟ ହୋଇ ଅଛନ୍ତି । ତଥାପି କବିଚନ୍ଦ୍ର ଶ୍ରୀ କାଳୀଚରଣ ପଟ୍ଟନାୟକ ସାହିତ୍ୟ ସଙ୍ଗୀତ, ମଞ୍ଚୋପଯୋଗିତା ଓ “ବକସ ଅଫିସ୍’’ ମଧ୍ୟରେ ସଫଳ ସମନ୍ୱୟ ଆଣିପାରିଥିବା ହେତୁ ଓଡ଼ିଆ ନାଟକକ୍ଷେତ୍ରରେ ପଥୀକୃତରୂପେ ମାନ୍ୟତା ପ୍ରାପ୍ତ ହୋଇଅଛନ୍ତି । ଅନ୍ୟ ନାଟ୍ୟକାରମାନଙ୍କ ମଧ୍ୟରେ ପ୍ରାଣବନ୍ଧୁ କର, ମନୋରଞ୍ଜନ ଦାସ, ଗୋପାଳ ଛୋଟରାୟ, ଭଞ୍ଜକିଶୋର ପଟ୍ଟନାୟକ, ରାମଚନ୍ଦ୍ର ମିଶ୍ର ଓ କମଳଲୋଚନ ମହାନ୍ତି ପ୍ରମୁଖ ଲବ୍‍ଧପ୍ରତିଷ୍ଠ ହୋଇ ପାରିଛନ୍ତି । ନୂତନ ଶୈଳୀର ପରୀକ୍ଷା ନିରୀକ୍ଷାଦୃଷ୍ଟିରୁ ମନୋରଞ୍ଜନ ଦାସଙ୍କ ନାଟକଗୁଡ଼ିକ ଏକ ସ୍ଵକୀୟତାସମ୍ପନ୍ନ ସ୍ଵାତନ୍ତ୍ର୍ୟ ଆହରଣ କରି ପାରିଅଛି ।

 

* କ୍ଷୁଦ୍ରଗଳ୍ପ ଓ ଉପନ୍ୟାସ ଲେଖକରୂପେ ଶ୍ରୀ ସୁରେନ୍ଦ୍ର ମହାନ୍ତିଙ୍କ ସମ୍ପର୍କରେ ଏହି ନିବନ୍ଧରେ କୌଣସି ଆଲୋଚନା କରାଯାଉ ନାହିଁ ।

 

ପ୍ରବନ୍ଧ ଓ ସମାଲୋଚନା

ଓଡ଼ିଆରେ ପ୍ରବନ୍ଧ ଓ ସମାଲୋଚନାର ପ୍ରାଚୁର୍ଯ୍ୟ ଦ୍ୱିତୀୟ ମହାଯୁଦ୍ଧୋତ୍ତର କାଳରେ ହିଁ ପରିଲକ୍ଷିତ ହୋଇଥାଏ । ଇତିପୂର୍ବରୁ ଯେଉଁମାନଙ୍କର ସମାଲୋଚନା ମାନ୍ୟତାପ୍ରାପ୍ତ ହୋଇଥିଲା, ସେମାନଙ୍କ ମଧ୍ୟରେ ସ୍ୱର୍ଗତ ଆର୍ତ୍ତବଲ୍ଲଭ ମହାନ୍ତି ହିଁ ସର୍ବାଗ୍ରଗଣ୍ୟ । “ପ୍ରାଚୀ’’ ଗ୍ରନ୍ଥମାଳାର ସମ୍ପାଦକରୂପେ, ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ସମ୍ପଦ ସେ କେବଳ ପୁନରୁଦ୍ଧାର କରି ନାହାନ୍ତି, ତାହାର ସାହିତ୍ୟିକ ଓ ଆଧ୍ୟାତ୍ମିକ ସୌନ୍ଦର୍ଯ୍ୟ ପ୍ରତି ସେ ଓଡ଼ିଆ ଜାତିର ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି । ଏ କ୍ଷେତ୍ରରେ ସତ୍ୟବାଦୀ ଗୋଷ୍ଠୀର ପଣ୍ଡିତ ନୀଳକଣ୍ଠ ଦାଶ ମଧ୍ୟ ଓଡ଼ିଆ ସାହିତ୍ୟର ଇତିହାସରେ ପ୍ରାତଃସ୍ମରଣୀୟ । ଓଡ଼ିଆରେ ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟ ବହୁ ନୂତନ ଲେଖକଙ୍କ ଅଧ୍ୟୟନ ଗବେଷଣା ମୌଳିକ ଚିନ୍ତା ଓ ବଳିଷ୍ଠ ରଚନା ଶକ୍ତିରେ କ୍ରମେ ଉପନ୍ୟାସ ତଳକୁ ଅନ୍ୟ ପ୍ରଧାନ ସାହିତ୍ୟିକ ମାଧ୍ୟମରେ ପରିଣତ ହୋଇଅଛି । ସାମ୍ପ୍ରତିକ କାଳରେ ସୃଷ୍ଟିଧର୍ମୀ ପ୍ରେରଣାର ଅଭାବ ଏ ମାଧ୍ୟମକୁ ପୁଣି ଅଧିକରୁ ଅଧିକ ପ୍ରୋତ୍ସାହିତ କରୁଅଛି । ଅନ୍ୟ ପ୍ରାବନ୍ଧିକମାନଙ୍କ ମଧ୍ୟରେ ମାୟାଧର ମାନସିଂହ, କାଳିନ୍ଦୀଚରଣ ପାଣିଗ୍ରାହୀ, ଅଧ୍ୟାପକବର୍ଗ ଡକ୍ଟର କୁଞ୍ଜବିହାରୀ ଦାସ, ଜାନକୀବଲ୍ଲଭ ମହାନ୍ତି, ଅସିତ କବି, ପଠାଣି ପଟ୍ଟନାୟକ, ଚିନ୍ତାମଣି ବେହେରା, କୃଷ୍ଣଚନ୍ଦ୍ର ବେହେରା, ଡଟର ଗୋପାଳଚନ୍ଦ୍ର ମିଶ୍ର ପ୍ରମୁଖଙ୍କ ନାମ ଉଲ୍ଲେଖଯୋଗ୍ୟ । ସାହିତ୍ୟ ଓ ସଂସ୍କୃତି ସମ୍ପର୍କିତ ଏମାନଙ୍କର ବହୁ ପ୍ରବନ୍ଧ ଓଡ଼ିଆରେ ପ୍ରବନ୍ଧ ସାହିତ୍ୟକୁ ସୁସମୃଦ୍ଧ କରିଅଛି ।

 

ଓଡ଼ିଆରେ ସମାଲୋଚନା ସାହିତ୍ୟ, ଦ୍ୱିତୀୟ ମହାଯୁଦ୍ଧୋତ୍ତର କାଳର ସୃଷ୍ଟି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହା ପୂର୍ବରୁ, ପଣ୍ଡିତ ନୀଳକଣ୍ଠ ଦାଶ, ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତି, ଅଧ୍ୟାପକ ଗିରିଜାଶଙ୍କର ରାୟ, ପଣ୍ଡିତ ବିନାୟକ ମିଶ୍ର ଓ ପଣ୍ଡିତ ବାନାମ୍ବର ଆଚାର୍ଯ୍ୟପ୍ରମୁଖଙ୍କ ବ୍ୟତୀତ ଅନ୍ୟକୌଣସି ଉଲ୍ଲେଖଯୋଗ୍ୟ ଲେଖକ ସମାଲୋଚନା ସାହିତ୍ୟରେ ମନୋନିବେଶ କରି ନଥିଲେ; କିନ୍ତୁ । ସାମ୍ପ୍ରତିକ କାଳରେ ଉପନ୍ୟାସ ଅପେକ୍ଷା ସମାଲୋଚନା ବିଭାଗରେ ଅଧିକ ଉଦ୍ୟମ ଓ ଗତିଶୀଳତା ପରିଲକ୍ଷିତ ହୋଇଥାଏ । ଏହି ସମାଲୋଚନାମାନଙ୍କ ମଧ୍ୟରେ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ, ଗୌରୀକୁମାର ବ୍ରହ୍ମା, ଅଧ୍ୟାପକ ଡକ୍ଟର ନଟବର ସାମନ୍ତରାୟ ଓ ଅଧ୍ୟାପକ ଗୋବିନ୍ଦ ଉଦ୍‍ଗାତା ପ୍ରମୁଖଙ୍କ ନାମ ବିଶେଷଭାବରେ ଉଲ୍ଲେଖଯୋଗ୍ୟ । ଭଞ୍ଜ ସାହିତ୍ୟର ସମାଲୋଚକରୂପେ ଶ୍ରୀ ଅନନ୍ତ ପଦ୍ମନାଭ ପଟ୍ଟନାୟକ ଓ ଦୀନକୃଷ୍ଣ ପ୍ରମୁଖ ମଧ୍ୟଯୁଗୀୟ ଓଡ଼ିଆ କାବ୍ୟକର୍ତ୍ତାଙ୍କ ସମ୍ପର୍କରେ ଶ୍ରୀ ଗୌରୀକୁମାର ବ୍ରହ୍ମାଙ୍କ ପାଣ୍ଡିତ୍ୟପୂର୍ଣ୍ଣ ଆଲୋଚନା ଓଡ଼ିଆ ସମାଲୋଚନା ସାହିତ୍ୟକୁ ଯଥେଷ୍ଟ ସମୃଦ୍ଧ କରିଅଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଅଧ୍ୟାପକ କାହ୍ନୁଚରଣ ମିଶ୍ର, ଓଡ଼ିଆ ବୈଷ୍ଣବସାହିତ୍ୟ ସମ୍ପର୍କରେ ଓ ଅଧ୍ୟାପକ ଡକ୍ଟର ନଟବର ସାମନ୍ତରାୟ ଉନବିଂଶ ଶତାବ୍ଦୀର ଆଧୁନିକ ଓଡ଼ିଆ ସାହିତ୍ୟ ସମ୍ପର୍କରେ ଯଥେଷ୍ଟ ଆଲୋକପାତ କରିଅଛନ୍ତି । ଅଧ୍ୟାପକ ଗୋବିନ୍ଦ ଉଦ୍‌ଗାତା ଓଡ଼ିଆ ସମାଲୋଚନା ସାହିତ୍ୟର ଦିଗବଳୟକୁ ସମ୍ପ୍ରସାରିତ କରିଅଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ତାଙ୍କ ସମାଲୋଚନାରେ ଅଧ୍ୟୟନ ଓ ବିଶ୍ଳେଷଣର ଯେଉଁ ମୁଦ୍ରା ଅଙ୍କିତ ହୋଇଅଛି, ତାହା ପ୍ରାୟ ବିରଳ ।

 

ଓଡ଼ିଆରେ ରମ୍ୟ ରଚନାର ପୁଞ୍ଜି ସାମାନ୍ୟ । ସ୍ୱର୍ଗତ ଗୋପାଳଚନ୍ଦ୍ର ପ୍ରହରାଜ ଓ ଶଶୀଭୂଷଣ ରାୟଙ୍କ ପରେ ଯେଉଁମାନଙ୍କ ଲେଖନୀ, ସାହିତ୍ୟର ଏ ଦିଗଟିକୁ କେତେକାଂଶରେ ସମୃଦ୍ଧ କରିଅଛି, ସେମାନଙ୍କ ମଧ୍ୟରେ ଗୋବିନ୍ଦ ତ୍ରିପାଠୀ, ଲକ୍ଷ୍ମୀକାନ୍ତ ମହାପାତ୍ର, କୃଷ୍ଣପ୍ରସାଦ ବସୁ ଓ ନିତ୍ୟାନନ୍ଦ ମହାପାତ୍ର ପ୍ରମୁଖଙ୍କ ନାମ ବିଶେଷଭାବରେ ଉଲ୍ଲେଖଯୋଗ୍ୟ । ସ୍ୱର୍ଗତ ଗୋବିନ୍ଦ ତ୍ରିପାଠୀଙ୍କ ‘ବଟୁଆ’, କୃଷ୍ଣପ୍ରସାଦ ବସୁଙ୍କ ‘ଆଖଡାଘରେ ବୈଠକ’ ଓ ନିତ୍ୟାନନ୍ଦ ମହାପାତ୍ରଙ୍କ ‘ପତ୍ର ଓ ପ୍ରତିମା’ର ରମ୍ୟରଚନାଗୁଡ଼ିକ ଆଧୁନିକ ଓଡ଼ିଆ ସାହିତ୍ୟରେ ରମ୍ୟରଚନାର ଦୈନ୍ୟ ବହୁପରିମାଣରେ ଦୂରୀଭୂତ କରିଅଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଭ୍ରମଣ-କାହାଣୀ, ଆଧୁନିକ ସାହିତ୍ୟରେ ରମ୍ୟରଚନା ପରି ଏକ ବହୁଜନାଦୃତ ବିଭାଗ, ମାତ୍ର ଭ୍ରମଣକାହାଣୀ ଦିନ ପଞ୍ଜିକା ନୁହେଁ । ଏହା ଏକ ଉଚ୍ଚ କୋଟିର ସୃଷ୍ଟି-ଧର୍ମୀ ସାହିତ୍ୟ । ଚିତ୍ତରଞ୍ଜନ ଦାସଙ୍କ ‘ନେପାଳପଥେ’ ‘ଗଞ୍ଜାମାଳରେ ସାତଦିନ’ ଓ ଡକ୍ଟର କୁଞ୍ଜବିହାରୀ ଦାଶଙ୍କୁ “ପଥ ଓ ପଥିକ” ପ୍ରଭୃତି ଭ୍ରମଣକାହାଣୀମାନଙ୍କରେ ଏହାର ସଫଳ ନିଦର୍ଶନ ଅନୁସନ୍ଧାନ କରାଯାଇ ପାରେ । ଡକ୍ଟର ମାନସିଂହଙ୍କର ‘ପଶ୍ଚିମ ପଥିକ’, ଡକ୍ଟର ଶ୍ରୀ ରାମ ଦାଶଙ୍କର ‘ୟୁରୋପରେ ମୋଅନୁଭୂତି’ ଓ ଶ୍ରୀ ହର୍ଷ ମିଶ୍ରଙ୍କର ‘ପଶ୍ଚିମ ଦିଗନ୍ତ’ ଓଡ଼ିଆ ଭ୍ରମଣକାହାଣୀକୁ କେତେକାଂଶରେ ସମୃଦ୍ଧ କରିଅଛି । ଡକ୍ଟର ଶ୍ରୀରାମଦାଶଙ୍କ ‘ୟୁରୋପରେ ମୋ ଅନୁଭୂତି’ ଓଡ଼ିଶା ସାହିତ୍ୟ ଆକାଡେମୀଦ୍ଵାରା ସମ୍ମାନିତ ହୋଇଅଛି ।

 

ଚର୍ଯ୍ୟାପଦଠାରୁ ଏ ପର୍ଯ୍ୟନ୍ତ ପ୍ରାୟ ଏକ ହଜାର ବର୍ଷବ୍ୟାପୀ ସୁଦୀର୍ଘ କାଳରେ ଓଡ଼ିଆ ସାହିତ୍ୟର ଅଭିବ୍ୟକ୍ତିର ଏହା ଏକ ସ୍ଥୂଳଚିତ୍ର ମାତ୍ର । ପ୍ରତ୍ୟେକ ଲେଖକ ଓ ତାଙ୍କ କୃତିକୁ ଏଥିରେ ସ୍ଥାନ ଦେବା ସମ୍ଭବ ହୋଇ ନାହିଁ କିମ୍ବା କୌଣସି ଲେଖକ ଓ ତାଙ୍କ କୃତିର ଯଥାର୍ଥ ମୂଲ୍ୟାୟନ, କୌଣସି ଐତିହାସିକର ଲେଖନୀରେ ସମ୍ଭବ ନୁହେଁ । ମହାକାଳ ହିଁ ପ୍ରତ୍ୟେକ ସାର୍ଥକ ସାହିତ୍ୟର ଏକମାତ୍ର ପାଠକ । ସମୀକ୍ଷକ ଓ ଐତିହାସିକ ପରିମାଣାତ୍ମକଦୃଷ୍ଟିରୁ ନ ହେଲେ ହେଁ ଗୁଣାତ୍ମକଦୃଷ୍ଟିରୁ ଓଡ଼ିଆ ସାହିତ୍ୟ ମହାକାଳର ସେହି ଅଲିଖିତ ଇତିହାସର ଏକ ଉଲ୍ଲେଖଯୋଗ୍ୟ ଅଧ୍ୟାୟ ଯୋଗ କରିବ, ସନ୍ଦେହ ନାହିଁ । ବିପୁଳା ଚ ପୃଥୀ । କାଳ ନିରବ ।

 

***

 

ବଜରି ଦାସଙ୍କ ଅର୍ଥଗୋବିନ୍ଦ : ଗୀତଗୋବିନ୍ଦର

Unknown

ପାଠ ନିର୍ଦ୍ଧାରଣ ଓ ଶ୍ଳୋକସଂଖ୍ୟା

ଶ୍ରୀ ଦୁଃଖିଶ୍ୟାମ ପଟ୍ଟନାୟକ

 

ବିଶ୍ୱବିଶ୍ରୁତ କୋମଳକାନ୍ତ ପଦାବଳୀ ସମନ୍ୱିତ ଗୀତଗୋବିନ୍ଦ ପ୍ରଧାନତଃ ଲଳିତମଧୁର ପଦସଂଯୋଜନା ତଥା ସାହିତ୍ୟ-ସଂସାରରେ ତା’ର ହୃଦୟସ୍ପର୍ଶୀ ଗୀତିମୟତା ହେତୁ ପ୍ରସିଦ୍ଧ । ରାଧାକୃଷ୍ଣ ଲୀଳାର ମଧୁର କଳ୍ପନା ଯେଉଁ ରସମୟ ପରିବେଶ ମଧ୍ୟରେ କାନ୍ତକବି କରି ଯାଇଛନ୍ତି - ସେଇ କଳ୍ପନାର ପ୍ରତି ପଦେ ପଦେ, ସତେ ଯେପରି ଶୁଣିବାକୁ ମିଳେ ଶ୍ରୁତିସୁଖକର ମଧୁର ତାନ ଆଉ ଦେଖିବାକୁ ମିଳେ ପ୍ରଣୟ-ପ୍ରଣୟିନୀଙ୍କର ପ୍ରେମ, ମାନ, ବିରହ, ମିଳନ-ଅନୁରାଗମିଶ୍ରିତ ରସିକଜନଲୋଭ୍ୟ ରସସମ୍ଭାର, ବିଳାସକଳା କୁତୂହଳୀଙ୍କ ହରିସ୍ମରଣକୁ ଚରିତାର୍ଥ କରିବାପାଇଁ ଗୀତଗୋବିନ୍ଦ କାବ୍ୟ ରଚନା କରାଯାଇଥିଲା । ତେଣୁ କବିକୁଳତିଳକ ଜୟଦେବ କହିଥିଲେ–

 

ଯଦି ହରିସ୍ମରଣେ ସରସଂ ମନୋ

ଯଦି ବିଳାସକଳାସୁ କୁତୁହଳମ୍ ।

ମଧୁର-କୋମଳ-କାନ୍ତ ପଦାବଳୀଂ

ଶୃଣୁ ତଦା ଜୟଦେବ-ସରସ୍ୱତୀମ୍ ।।

 

କଳାପ୍ରାଣ ଉତ୍କଳର କଳାବିଳାସିତା, ରସିକତା, ଲାସ୍ୟଭରା-ଗୀତିପ୍ରାଣତା-ଯାହାକି ଓଡ଼ିଶାର ପ୍ରତି ମନ୍ଦିରଗାତ୍ରର ପ୍ରସ୍ତରମୂର୍ତ୍ତିଠାରୁ ଆରମ୍ଭ କରି ରସାଳ କାବ୍ୟରାଜିର ରସାଳ ଚିତ୍ରଣାବଧି ତଥା ଓଡ଼ିଶୀ ନୃତ୍ୟର ଭାବଗାମ୍ଭୀର୍ଯ୍ୟଭରା ନୃତ୍ୟମୁଦ୍ରା ଓ ସଙ୍ଗୀତସମୂହରେ ମଧ୍ୟ ପ୍ରକାଶ ପାଇଛି; ସେଇ ପରମ୍ପରାର ଏକ ବିକଚବିକାଶ ଓ ପ୍ରେରଣା-ଉତ୍ସରୂପରେ ଗୀତ ଗୋବିନ୍ଦ କାବ୍ୟ ଉତ୍କଳୀୟ କଳାରାଜ୍ୟର ଶ୍ରେଷ୍ଠ ପ୍ରତିନିଧତ୍ୱ କରେ ।

 

ରସିକକବିଦ୍ୱାରା ରସାଳଭାବରାଜିର ପୁଷ୍କଳ ଓ ଜୀବନ୍ତ ଚିତ୍ରଣ ରସମୟ ପରିବେଶ ମଧ୍ୟରେ ମଧୁର କୋମଳ-କାନ୍ତପଦାବଳୀମାଧ୍ୟମରେ କରିଥିବାରୁ ଜୟଦେବଙ୍କ ଗୀତଗୋବିନ୍ଦ ସୁପ୍ରସିଦ୍ଧ ଓ ଏହା ପୃଥିବୀର ବିଭିନ୍ନ ଭାଷାରେ ଅନୁଦିତ । ସବୁଠାରୁ ଓଡ଼ିଶା ସ୍ୱାଭାବିକଭାବରେ ଓଡ଼ିଆ କବିକୃତି ଗୀତଗୋବିନ୍ଦକୁ ସମଧିକ ନିଜର କରିନେଇଛି । ଉତ୍କଳୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ଜଗନ୍ନାଥ ମନ୍ଦିରରେ ନୀତିପ୍ରତି ଗୀତ ହେବାଠାରୁ ତା’ର ପ୍ରଥମ ସଂସ୍କୃତଟୀକା (ନାରାୟଣ କବିରାଜକୃତ ସର୍ବାଙ୍ଗସୁନ୍ଦରୀ) ରଚନା କରିବା ତଥା ଓଡ଼ିଆ ସାହିତ୍ୟ; ସଙ୍ଗୀତ ଓ ଚିତ୍ରକଳାରେ ସେଇ ଭାବଧାରାକୁ ଜୀବନ୍ତ ଓ ମୂର୍ତ୍ତ କରି ରଖିବାଦ୍ଵାରା – ଗୀତଗୋବିନ୍ଦ ପ୍ରତି ଓଡ଼ିଆ ଜାତି ପ୍ରକୃତ ସମ୍ମାନ ଦେଖାଇଛି । ବହୁ ଓଡ଼ିଆ ଅନୁବାଦ ମଧ୍ୟ ଗୀତଗୋବିନ୍ଦର ବିଭିନ୍ନ ବିଭାବକୁ ପୁଷ୍ଟିକରି ଆସିଛନ୍ତି । ସେଥିମଧ୍ୟରୁ କବି ବଜରିଦାସଙ୍କ ଅନୁବାଦ ଗୀତଗୋବିନ୍ଦର ପ୍ରକୃତ ପାଠ ନିର୍ଦ୍ଧାରଣ ଓ ଶ୍ଳୋକସଂଖ୍ୟା ନିରୂପଣରେ ସହାୟକ ହୋଇଥାଏ ।

 

ବଜରି ଦାସଙ୍କ ‘ଅର୍ଥଗୋବିନ୍ଦ’ ଅବଧ ଅପ୍ରକାଶିତ ଗୀତଗୋବିନ୍ଦର ଏକ ନୂତନ ଅନୁବାଦ-। ନାମକରଣରୁ ଓଡ଼ିଆ ସାହିତ୍ୟରେ ବଳରାମ ଦାସଙ୍କ ଅର୍ଥକୋଇଲି’ ଯେଉଁପରି ମାର୍କଣ୍ଡ ଦାସଙ୍କ’ ‘କେଶବକୋଇଲି’ର ଏକ ଅଧାତୁ ବ୍ୟାଖ୍ୟା, ସେହି ପରି ଅର୍ଥଗୋବିନ୍ଦ, ଗୀତଗୋବିନ୍ଦର ଏକ ଅଧ୍ୟାତ୍ମବ୍ୟାଖ୍ୟା ବୋଲି ଅନେକେ ମନେକରିଥାଆନ୍ତି; କିନ୍ତୁ ଯେଉଁପରି ଗୀତପ୍ରଧାନ ଗୋବିନ୍ଦ ଚରିତସମ୍ବଳିତ କାବ୍ୟ ଗୀତଗୋବିନ୍ଦ (ଗୀତଃ ଗୋବିନ୍ଦ ଯସ୍ମିନ୍ କାବ୍ୟେ ତତ୍ ଇତି) ନାମରେ ନାମିତ ହେଲା ସେହିପରି ଅର୍ଥପ୍ରଧାନ ଗୋବିନ୍ଦ-ଚରିତ ଏଠାରେ ଅର୍ଥଗୋବିନ୍ଦନାମରେ ନାମିତ ହୋଇଛି । ନାମରୁ ସୃଷ୍ଟ ପ୍ରତୀତ ହେଉଛି ଯେ କବି ଗୀତଗୋବିନ୍ଦର ସାଙ୍ଗୀତିକତାକୁ ଛାଡ଼ି ତା’ର ଅର୍ଥବୋଧ ପ୍ରତି ଦୃଷ୍ଟି ଦେଇଛନ୍ତି । ଅର୍ଥଗୋବିନ୍ଦ ପ୍ରସିଦ୍ଧ ଓ ସୁପ୍ରଚଳିତ ଧରଣୀଧରଙ୍କ ଅନୁବାଦଠାରୁ ସାବଲୀଳ ନ ହେଲେହେଁ ସରଳ ଓ ସୁବୋଧ । କବି ବଜରିଦାସଙ୍କ ଅର୍ଥ ବ୍ୟାଖ୍ୟାନବେଳେ ପ୍ରସଙ୍ଗୋଦ୍ଧାରପୂର୍ବକ ବ୍ୟାଖ୍ୟାକୁ ସାଧାରଣ ବୋଧଗମ୍ୟ କରିବାପାଇଁ ଆବଶ୍ୟକସ୍ଥଳେ ବିସ୍ତୃତ ମଧ୍ୟ କରିଛନ୍ତି । ତାଙ୍କ ଅନୁବାଦକୁ ଅକ୍ଷରାନୁବାଦ ନ କହି ମୁକ୍ତାନୁବାଦ କୁହାଯାଇପାରେ । ଗୀତଗୋବିନ୍ଦର ସର୍ଗାନୁକ୍ରମରେ ଏହା ବିଭକ୍ତ ନ ହୋଇ, ଧରଣୀଧର ଅନୁବାଦ ଯେପରି ଷୋଡ଼ଶ ଛାନ୍ଦରେ ବିଭକ୍ତ, ସେହିପରି ଏହା ୨୭ ଅଧାୟରେ ବିଭକ୍ତ ହୋଇଛି । * ଅର୍ଥଗୋବିନ୍ଦର ଉଦ୍ଧତିରୁ ଜଣାଯାଏ ଗୀତଗୋବିନ୍ଦରେ ୨୪ ଗାଥା ଓ ୭୨ ଶ୍ଳୋକ ଅଛି । ପୁଣି ନାମକରଣ ବିଷୟରେ ୨ ୟ ଅଧାୟରେ କବି କହିଛନ୍ତି-

 

“ଗୀତଗୋବିନ୍ଦ ଅର୍ଥ ଯେଣୁ

ଅର୍ଥଗୋବିନ୍ଦ ହେଲା ତେଣୁ ।

ସେ ଦୁଧ ଏ ତହିଁର ସର

ବିବେକୀ ମନରେ ବିଚାର ।

ସୁଜନଜନଙ୍କ ନିମନ୍ତେ

ବଖାଣ କଲି ଅର୍ଥମତେ ।

 

ଏଥିରୁ ଜଣାଯାଏ-ଅର୍ଥଗୋବିନ୍ଦ ’ଅର୍ଥକୋଇଲି’ ପରି କୌଣସି ବ୍ୟାଖ୍ୟାନ ବୈଚିତ୍ୟ ସୃଷ୍ଟିପାଇଁ ଉଦ୍ଦିଷ୍ଟ ନ ହେଲେ ମଧ୍ୟ ଏହାର ଅନୁଶୀଳନ ଗୀତଗୋବିନ୍ଦର ପାଠୋଦ୍ଧାରରେ ଯଥେଷ୍ଟ ସହାୟକ ହେବ । ଗୀତଗୋବିନ୍ଦ ମୂଳତଃ ଗୀତପ୍ରଧାନ ହେଲେ ହେଁ ଏଥିରେ ଗୀତମାନଙ୍କର ଭାବ ସଂଯୋଜକରୂପେ ଅନେକ ଶ୍ଳୋକ ସ୍ଥାନ ପାଇଛି । ଗୀତ-ସଂଖ୍ୟା ମୋଟ ୨୪- ଏହା ପ୍ରାୟଶଃ ସ୍ତ୍ରୀକୃତ ହେଲେହେଁ ଶ୍ଳୋକମାନଙ୍କର ସଂଖ୍ୟା ନେଇ ମତନୈକ୍ୟ ସୃଷ୍ଟି ହୋଇଥାଏ । ଲେଖକଦ୍ଵାରା ସଂଗୃହୀତ ଗୋଟିଏ ତାଳପତ୍ର ଗୀତଗୋବିନ୍ଦରେ ଗୀତଗୋବିନ୍ଦର କେବଳ ଶ୍ଳୋକଗୁଡ଼ିକ ସ୍ଥାନ ପାଇଛି ଏବଂ ଯଦିଓ ଗୀତଗୁଡ଼ିକୁ ବାଦ୍ ଦିଆଯାଇଛି ତଥାପି ପୋଥିଟିର ନାମ ଗୀତଗୋବିନ୍ଦ ରହିଛି-। ଏଥିରୁ ପ୍ରତୀତ ହେଉଛି ଗୀତଗୋବିନ୍ଦର ପ୍ରକୃତ ଶ୍ଳୋକ ସଂଖ୍ୟା ପ୍ରଦର୍ଶନ ହିଁ ଉକ୍ତ ପୋଥିର ଲକ୍ଷ୍ୟ । ସେଥିରେ ଗୀତଗୋବିନ୍ଦର ଶ୍ଳୋକଗୁଡ଼ିକ ଦେବାପରେ ଏବଂ ‘ସମାପ୍ତଶ୍ଚାୟଂ ଗ୍ରନ୍ଥଃ’ ଉଲ୍ଲେଖ ପରେ ନିମ୍ନ ପ୍ରକାରେ କେତୋଟି ଶ୍ଳୋକ ନିବଦ୍ଧ ହୋଇଛି । ଉକ୍ତ ଶ୍ଳୋକଗୁଡ଼ିକ ହେଉଛି-

 

ପ୍ରଥମେ ଦ୍ଵାଦଶ (୧୨) ଶ୍ଳୋକା, ଦ୍ୱିତୀୟ ପଞ୍ଚଙ୍କ ତଥା ।

* ଶ୍ରୀ ଗୀତଗୋବିନ୍ଦର ଅର୍ଥ

ଛନ୍ଦିବି ଅଧ୍ୟାମତେ ଗୀତ ।

ଚୌବିଂଶ ଗାଥା ଗୀତମତେ

ବାସ୍ତରି ଶୋଳକ ସହିତେ ।

ଲେଖନ କରିବି ଗୋସାଇଁ

ଅର୍ଥଗୋବିନ୍ଦ ନାମେ ମୁଁହିଁ ।

(ଅର୍ଥଗୋବିନ୍ଦ : ୧/୧୨୨-୧୨୪)

 

ତୃତୀୟ ଚାଷ୍ଟାଙ୍କ (୮) ଜ୍ଞେୟଂ, ଚତୁର୍ଥେ ପଞ୍ଚଙ୍କ (୫) ଭବେତ୍ ।।

ପଞ୍ଚମେ ସପ୍ତକଂ (୭) ତନ୍ତ୍ର, ଷଷ୍ଠ ଶ୍ଳୋକତ୍ରୟଂ (୩) ପୁନଃ ।

ସପ୍ତମେ ଶ୍ଳୋକନବକ (୯) ମୁଷ୍ଟିମେ ଦ୍ୱୌ (୨) ନବେ ଦ୍ୱିକମ୍ (୨) ।।

ଦଶମେ ଷଟ୍ (୬) ନବଂ (୯) ଚୈକାଦଶେ ଦ୍ଵାଦଶେ ତ୍ୱଷ୍ଟକମ୍ (୮) ।

ଇତି ଷଟ୍‍ସପ୍ତତି (୭୬) ଶ୍ଳୋକୌଗୀତ ଗୋବିନ୍ଦମୁଚ୍ୟତେ ।।

 

ଉକ୍ତ ପୋଥିପ୍ରଦତ୍ତ ଶ୍ଳୋକ-ସଂଖ୍ୟା ଗୀତଗୋବିନ୍ଦ ପାଠୋଦ୍ଧାର ପକ୍ଷରେ ପୋଥି ଅନ୍ତର୍ଗତ ଶ୍ଳୋକ ତାଲିକା ଓ ପ୍ରତି ସର୍ଗାନ୍ତ ପୁଷ୍ପିକା ସହ ସହାୟକ ବୋଲି ଅର୍ଥଗୋବିନ୍ଦ ଓ ଅନ୍ୟ ପୋଥିର ଶ୍ଳୋକ ପାଠର ତୁଳନାକ୍ରମ ନିମ୍ନରେ ପ୍ରଦତ୍ତ ହେଲା-

 

ପୋଥି ଗୃହୀତ ଶ୍ଳୋକାବଳୀ ଅଥି ଗୋବିନ୍ଦର ଶ୍ଳୋକ-ସଂଖ୍ୟା ପ୍ରକାଶିତ ବିଭିନ୍ନ ସଂସ୍କରଣର

ପ୍ରକ୍ଷିକ୍ତ ଶ୍ଳୋକ

ପ୍ରଥମ ସର୍ଗ-

୧.

ମେଘୈର୍ମେଦୁର ... (ଅର୍ଥ-୧)

୨.

ବାଗ୍‍ଦେବତା ... (ଅର୍ଥ-୩)

୩.

ଯଦି ହରିସ୍ମରଣେ ... (ଅର୍ଥ-୪)

୪.

ବାଚଃ ପଲ୍ଲବୟତ୍ୟୁମାପତି ... (ଅର୍ଥ- ୨)

୫.

ବେଦାନୁଦ୍ଧରତେ ... (ଅର୍ଥ-୫)

୬.

ପଦ୍ମା-ପୟୋଧର ... (ଅର୍ଥ-୬)

୭.

ବସନ୍ତେ ବାସନ୍ତୀ ... (ଅର୍ଥ-୭)

୮.

ଦରବିଦଳିତ ମଲ୍ଲୀ ... (ଅର୍ଥ-୮)

୯.

ଉନ୍ମୀଳନ୍ନଧୁଗନ୍ଧ ... (ଅର୍ଥ-୯)

୧୦.

ଅନେକ ନାରୀ ... (ଅର୍ଥ-୧୦)

୧୧.

ବିଶ୍ୱେଷାମନୁ ..... (ଅର୍ଥ-୧୧)

୧୨.

ଅଦ୍ୟୋତ୍ସଙ୍ଗ ... (ଅର୍ଥ-୧୨)

୧୨

କ.... ରାସୋଲ୍ଲାସରେଣ.... ଇତ୍ୟାଦି ।

(ଇତି ଶ୍ରୀ ଗୀତଗୋବିନ୍ଦମହାକାବ୍ୟେ କବିରାଜ ଶ୍ରୀ ଜୟଦେବକୃତୌ

ସାମୋଦଦାମୋଦରନାମ ପ୍ରଥମଃ ସର୍ଗଃ)

 

ଦ୍ୱିତୀୟ ସର୍ଗ-

୧.

ବିହରତି ବନେ ରାଧା ... (ଅର୍ଥ-୧୩)

୨.

ଗଣୟତି ଗୁଣଗ୍ରାମଂ ... (ଅର୍ଥ-୧୪)

୩.

ହସ୍ତସ୍ରସ୍ତ- ବିଳାସ ... (ଅର୍ଥ-୧୫)

୪.

ଦୁରାଲୋକଃ ସ୍ତୋକଃ ... (ଅର୍ଥ-୧୬)

୫.

ସାକୂତ ସ୍ମିତ............(ଧରଣୀଧର ଟୀକାରେ ଏବଂ ଅର୍ଥ ଗୋବିନ୍ଦରେ ନାହିଁ)

 

(ଇତି ଶ୍ରୀ ଗୀତଗୋବିନ୍ଦେ ମହାକାବ୍ୟେ କବିରାଜ ଶ୍ରୀ ଜୟଦେବକୃତୌ ସ୍ନିଗ୍‍ଧମାଧବୋ ନାମ ଦ୍ୱିତୀୟଃ ସର୍ଗଃ )

 

ତୃତୀୟ ସର୍ଗ –

୧.

କଂସାରିରପି ସଂସାର ... (ଅର୍ଥ ୧୭)

୨.

ଇତସ୍ତତସ୍ତାମନୁ ... (ଅର୍ଥ-୧୮)

 

ବଜରିଦାସଙ୍କ ଗୀତଗୋବିନ୍ଦ....

୩.

ହୃଦି ବିସଲତା ... (ଅର୍ଥ-୧୯)

୪.

ପାଣୌ ମା କୁରୁ .... (ଅର୍ଥ-୨୦)

୫.

ଭୂଚାପେ ନିହିତଃ ... (ଅର୍ଥ-୨୧)

୬.

ତାନି ସ୍ପର୍ଶସୁଖାନି ... (ଅର୍ଥ-୨୨)

୭.

ଭୂପଲ୍ଲବଂ ଧନୁ .... (ଅର୍ଥ-୨୩)

୮.

କୀୟତ୍ କଣ୍ଠବିଲୋଳ ଇତ୍ୟାଦି (ତିର୍ଯ୍ୟକ୍‍କଣ୍ଠ ଇତ୍ୟାଦି ସ୍ଥାନରେ) ଧରଣୀଧର ଟୀକାରେ ଏବଂ ଅର୍ଥଗୋବିନ୍ଦ ନାହିଁ)

 

(ଇତି ଶ୍ରୀ ଗୀତଗୋବିନ୍ଦ ମହାକାବ୍ୟେ କବିରାଜ-

ଶ୍ରୀ ଜୟଦେବକୃତୌ ମୁଗ୍‍ଧମଧୁସୂଦନୋ ନାମ ତୃତୀୟଃ ସର୍ଗଃ)

 

ଚତୁର୍ଥ ସର୍ଗ-

୧.

ଯମୁନା-ତୀର-ବାନୀର ... (ଅର୍ଥ-୨୪)

୨.

ଆବାସୋ ବିପିନାୟତେ ... (ଅର୍ଥ-୨୫)

୨.

କ..... ସା ରୋମାଞ୍ଚତି ଶୀତ୍‍କରୋତି ଇତ୍ୟାଦି ।

୩.

ସ୍ମରାତୁରାଂ ଦୈବତ୍ ... (ଅର୍ଥ ୨୬)

୪.

କନ୍ଦର୍ପଜ୍ଵରସଂଜ୍ୱରା ... (ଅର୍ଥ-୨୭)

୫.

କ୍ଷଣମପି ବିରହଃ ... (ଅର୍ଥ-୨୮)

୫.

କ. ବୃଷ୍ଟି-ବ୍ୟାକୁଳ ଗୋକୁଳ....ଇତ୍ୟାଦି ।

(ଇତି ଶ୍ରୀ ଗୀତଗୋବିନ୍ଦେ ମହାକାବ୍ୟେ କବିରାଜ-

ଶ୍ରୀ ଜୟଦେବକୃତୌ ସ୍ନିଗ୍‌ଧମାଧବୋ ନାମ ଚତୁର୍ଥଃ ସର୍ଗଃ)

 

ପଞ୍ଚମ ସର୍ଗ-

୧.

ଅହମିହ ନିବସାମି .... (ଅର୍ଥ- ୨୯)

୨.

ପୂର୍ବଂଯନ୍ତ୍ର ସମଂ ... (ଅର୍ଥ-୩୦)

୩.

ବିକିରତିମୁହୂଃ ... (ଅର୍ଥ-୩୧)

୪.

ତ୍ଵଦ୍‍ବାଷ୍ପେଣସମଂ (ଇତ୍ୟାଦି ତ୍ୱଦ୍‍ବାନ୍ୟେନ

ସମ୍ୟ ଇତ୍ୟାଦି ସ୍ଥାନରେ) ... (ଅର୍ଥ-୩୨)

୫.

ଆଶ୍ଳେଷାତ୍ତଦନୁ .... (ଅର୍ଥ-୩୩)

୬.

ସଭୟଚକିତଂ ... (ଅର୍ଥ-୩୪)

୭.

ରାଧା-ମୁଗ୍‍ଧମଧୂପ... ଇତ୍ୟାଦି

 

‘ରାଧା-ମୁଗ୍‍ଧ-ମୁଖାରବିନ୍ଦମଧୂପ’ ଇତ୍ୟାଦି ସ୍ଥାନରେ (ଧରଣୀଧର ଟୀକାରେ ଏବଂ ଅର୍ଥ ଗୋବିନ୍ଦରେ ନାହିଁ)

(ଇତି ଶ୍ରୀ ଗୀତଗୋବିନ୍ଦ ମହାକାବ୍ୟ କବିରାଜ ଶ୍ରୀ ଜୟଦେବକୃତୌ ଅଭିସାରିକାବର୍ଣ୍ଣନେ-। ସାକାଙ୍‍କ୍ଷପୁରୀକାକ୍ଷୋ ନାମ ପଞ୍ଚମଃ ସର୍ଗଃ )

 

ଷଷ୍ଠ ସର୍ଗ-

୧.

ଅଥ ତାଂ ଗନ୍ତୁମଶକ୍ତାଂ ... (ଅର୍ଥ-୩୫)

୨.

ବିପୁଳପୁଲକପାଳିଃ... (ଅର୍ଥ-୩୬)

୩.

ଅଙ୍ଗେଷ୍ୱାଭରଣଃ

୩.

କ....କିଂ ବିଶ୍ରାମ୍ୟସି କୃଷ୍ଣଭୋଗିଭବନେ... ଇତ୍ୟାଦି)

 

(ଇତି ଶ୍ରୀ ଗୀତଗୋବିନ୍ଦ ମହାକାବ୍ୟେ ବାସକସଜ୍ଜାବର୍ଣ୍ଣନେ ସୋତ୍କଣ୍ଠବୈକୁଣ୍ଠେ ନାମ ଷଷ୍ଠ ସର୍ଗଃ..)

 

ସପ୍ତମ ସର୍ଗ...

୧.

ଅକ୍ରାନ୍ତରେଚ କୁଳଟା ... (ଅର୍ଥ-୩୮)

୨.

ପ୍ରସରତି ଶଶଧର ... (ଅର୍ଥ-୩୯)

୩.

ତତ୍ କିଂ କାମପି ... (ଅର୍ଥ-୪୦)

୪.

ଅଥାଗତାଂ ମାଧବ ... (ଅର୍ଥ-୪୧)

୫.

ବିରହପାଣ୍ଡୂମୁରାରିମୁଁଖାମ୍ବୁଜ ... (ଅର୍ଥ-୪୨)

୬.

ନାୟାତଃ ସଖି ନିର୍ଦ୍ଦୟୋ ... (ଅର୍ଥ-୪୩)

୭.

ମହାଭବାନନ୍ଦନ ... (ଅର୍ଥ-୪୪)

୮.

ରିପୁରିବ ସଖୀ ... (ଅର୍ଥ-୪୫)

୯.

ବାଧାଂ ବିଧେହି ... (ଅର୍ଥ-୪୬)

୯.

କ. ପ୍ରାତର୍ନୀଳନିଚୋଳ ମଚ୍ୟୂତମୁରଃ ଇତ୍ୟାଦି ।

 

ଏହା ୧୮୬୫ରେ ବମ୍ବେରୁ ପ୍ରକାଶିତ । କାବ୍ୟକଳାପ-ଗୀତଗୋବିନ୍ଦ ସଂସ୍କରଣରେ ୮ମ ସର୍ଗରେ ଅଛି ।

 

(ଇତି ଶ୍ରୀ ଗୀତଗୋବିନ୍ଦେ ମହାକାବ୍ୟେ ବିପ୍ରଲବ୍‍ଧାବର୍ଣ୍ଣନେ ନାଗରନାରାୟଣୋ ନାମ ସପ୍ତମଃ ସର୍ଗଃ ।)

 

ବଜରିଦାସଙ୍କ ଗୀତଗୋବିନ୍ଦ....

 

ଅଷ୍ଟମ ସର୍ଗ-

୧.

ଅଥ କଥମପି ... (ଅର୍ଥ-୪୭)

୨.

ତବେଦଂ ପଶ୍ୟନ୍ତ୍ୟାଃ– ... (ଅର୍ଥ-୪୮)

କ. .ଅନ୍ତର୍ମୋହନମୌଳିଘୂର୍ଣ୍ଣନ... ଇତ୍ୟାଦି

 

-ଏହା କାବ୍ୟ-କଳାପ ସଂସ୍କରଣରେ ୯ମ ସର୍ଗରେ ଅଛି ।

(ଇତି ଶ୍ରୀ ଗୀତଗୋବିନ୍ଦେ ମହାକାବ୍ୟେ ଖଣ୍ଡିତାବର୍ଣ୍ଣନେ) ବିଲକ୍ଷ ଲକ୍ଷ୍ମୀପତିର୍ନାମାଷ୍ଟମଃ ସର୍ଗଃ ।

 

ନବମ ସର୍ଗ-

୧.

ତାମଥ ମନ୍ମଥଖିନ୍ନାଂ ... (ଅର୍ଥ-୪୯)

୨.

ସ୍ନିଗ୍‍ଧେ ଯତ୍ ପରୁଷାସି ... (ଅର୍ଥ-୫୦)

କ. – ସାନ୍ଦ୍ରାନନ୍ଦପୁରନ୍ଦରାଦିଦିବିଷଦ୍‍ବୃନ୍ଦୈ ... ଇତ୍ୟାଦି ।

 

-ଏହା କାବ୍ୟକଳାପ-ସଂସ୍କରଣର ୭ମ ସର୍ଗରେ ଅଛି ।

(ଇତି ଶ୍ରୀ ଗୀତଗୋବିନ୍ଦେ ମହାକାବ୍ୟେ କଳହାନ୍ତରିତାବର୍ଣ୍ଣନେ) ମୁଗ୍‍ଧମୁକୁନ୍ଦୋ ନାମ ନବମ ସର୍ଗଃ ।

 

ଦଶମ ସର୍ଗ-

୧.

ଆକ୍ରାନ୍ତରେ ମସୃଣରୋଷ ... (ଅର୍ଥ-୫୧)

୨.

ପରିହର କୃତାନ୍ତକେ .... (ଅର୍ଥ-୫୩)

୩.

ମୁଗ୍‍ଧେ ବିଧେହି ମୟି ... (ଅର୍ଥ-୫୨)

୩.

କ... - ଶଶିମୁଖି ତବ ଭାତି... ଇତ୍ୟାଦି ।

 

-ଏହାର ଅନୁବାଦ ଧରଣୀଧର କରିଛନ୍ତି ।

 

୪.

ବ୍ୟଥୟତି ବୃଥା ମୌନଂ ... (ଅର୍ଥ-୫୪)

୫.

ବନ୍ଧୂକଦ୍ୟୁତିବାନ୍ଧବୋ ... (ଅର୍ଥ-୫୫)

୬.

ଦୃଶୌ ତବ ମଦାଳସେ ... (ଅର୍ଥ-୫୬)

୬.

କ. ...ପ୍ରୀତିଂ - ବସ୍ତୁନତାଂ...ଇତ୍ୟାଦି ।

 

(ଇତି ଶ୍ରୀ ଗୀତଗୋବିନ୍ଦ ମହାକାବ୍ୟେ ମାନିନୀବର୍ଣ୍ଣନେ ତତୁର ଚତୁର୍ଭୁଜୋନାମ ଦଶମଃ ସର୍ଗଃ)

 

ଏକାଦଶ ସର୍ଗ-

୧.

ସୁଚିର ମନୁନୟେନ ... (ଅର୍ଥ-୫୭)

୨.

ସା ମାଂ ଦ୍ରକ୍ଷ୍ୟତି ... (ଅର୍ଥ-୫୮)

୩.

ଅକ୍ଷଣୋର୍ନିକ୍ଷିପଦଞ୍ଜନଂ ... (ଅର୍ଥ-୫୯)

୪.

କାଶ୍ମୀରଗୌରବପୁଷା ... (ଅର୍ଥ-୬୦)

୫.

ହାରାବଳୀ-ତରଳ ... (ଅର୍ଥ-୬୧)

୬.

ତ୍ଵାଂ ଚିତ୍ତେନ ଚିରଂ ... (ଅର୍ଥ-୬୨)

୭.

ସା ସସାଧ୍ଵସ-ସାନନ୍ଦଂ ... (ଅର୍ଥ-୬୩)

୮.

ଅତିକ୍ରମ୍ୟାପାଙ୍ଗଂ ... (ଅର୍ଥ-୬୪)

୯.

ଭଜନ୍ତ୍ୟାସ୍ତଳ୍ପାନ୍ତଂ ... (ଅର୍ଥ-୬୫)

୯.

କ ... -ଜୟଶ୍ରୀବିନ୍ୟସ୍ତେର୍ମହିତ.... ଇତ୍ୟାଦି ।

 

(ଇତିଶ୍ରୀ ଗୀତଗୋବିନ୍ଦେ ମହାକାବ୍ୟେ ସାନନ୍ଦଗୋବିନ୍ଦୋ ନାମ ଏକାଦଶଃ ସର୍ଗଃ)

 

ଦ୍ଵାଦଶ ସର୍ଗ-

୧.

ଗତବତି ସଖୀବୃନ୍ଦେ ... (ଅର୍ଥ-୬୬)

୨.

ପ୍ରତ୍ୟୁହଃ ପୁଲକାଙ୍କୁରେଣ ... (ଅର୍ଥ-୬୭)

୩.

ଦୋର୍ଭ୍ୟାଂ ସଂଯମିତଃ ... (ଅର୍ଥ-୬୮)

୪.

ମାରାଙ୍କେ ରତିକେଳିସଙ୍କୁଳ... (ଅର୍ଥ-୬୯)

୪.

କ. ... -ଈଷତ୍ (ମୀଳତ୍) ମୀଳିତଦୃଷ୍ଟି... ଇତ୍ୟାଦି ।

୫.

ତସ୍ୟାଃ ପାଟଳପାଣିଜାକିତ ... (ଅର୍ଥ-୭୦)

କ .... -ବ୍ୟାଲୋଳଃ କେଶପାଶ....ଇତ୍ୟାଦି ।

 

ଖ ... –ତ୍ଵାମପ୍ରାପ୍ୟମୟି ସ୍ଵୟମ୍ବରପରାଂ ... ଇତ୍ୟାଦି ।

୬.

ରଚୟକୁଚୟୋଃପତ୍ରଂ ... (ଅର୍ଥ-୭୧)

 

ଖ. ... ପର୍ଯ୍ୟଙ୍କୀତେ - ନାଗନାୟକଫଣା... ଇତ୍ୟାଦି

 

ଖ. ... –ତ୍ୱାମପ୍ରାପ୍ୟମୟି ସ୍ଵୟମ୍ବରପରାଂ...ଇତ୍ୟାଦି ।

୭.

ମଦ୍‍ଗାନ୍ଧର୍ବବିଳାସୁ ... (ଅର୍ଥ-୭୨)

୮.

ସାଧୀମାଧ୍ଵୀକଚିନ୍ତା ... (ଅର୍ଥ-୭୩)

 

ବଜରିଦାସଙ୍କ ଅର୍ଥଗୋବିନ୍ଦ

୮.

କ... - ଶ୍ରୀ ଭୋଜଦେବପ୍ରଭବସ୍ୟ ବାମାଦେବୀ-ସୁତ

 

ଶ୍ରୀ ଜୟଦେବକସ୍ୟ । ପରାଶରାଦିପ୍ରିୟବନ୍ଧୂ କଣ୍ଠେ

ଶ୍ରୀ ଗୀତଗୋବିନ୍ଦକବିତାମସ୍ତୁ ।

 

(ଇତି କବିରାଜ ଶ୍ରୀ ଜୟଦେବକୃତୌ ଶ୍ରୀ ଗୀତଗୋବିନ୍ଦେ ମହାକାବ୍ୟେ ସ୍ଵାଧୀନ ଭତ୍ତୃକାବର୍ଣ୍ଣନେ ସୁପ୍ରୀତ-ପୀତାମ୍ବରୋ ନାମ ଦ୍ଵାଦଶଃ ସର୍ଗଃ) – ସମାପ୍ତଶ୍ଚାୟଂ ଗ୍ରନ୍ଥଃ-

 

ଗୀତଗୋବିନ୍ଦର ବହୁ ସଂସ୍କରଣରେ ଶ୍ଳୋକ ସଂଖ୍ୟାର ବିଭିନ୍ନତା ପରିଲକ୍ଷିତ ହୋଇଥାଏ-। ଉତ୍ତର, ପଶ୍ଚିମ, ଦକ୍ଷିଣ ପାଠ ମିଳାଇ ଦେଖିଲେ ପରବର୍ତ୍ତୀ ବୈଷ୍ଣବ ଟୀକାକାରଗଣ ବହୁ ପ୍ରକ୍ଷିପ୍ତ ଅଂଶକୁ ମିଶାଇ ଟୀକା କରି ଯାଇଛନ୍ତି ଏବଂ ପ୍ରାୟଶଃ ଏ ସମସ୍ତ ସଂସ୍କରଣରେ ବହୁ ଶ୍ଳୋକର କ୍ରମପରିବର୍ତ୍ତନ ଓ ବିଶେଷ ପାଠାନ୍ତର ପରିଲକ୍ଷିତ ହେଉଛି; କିନ୍ତୁ ଉପର୍ଯ୍ୟୁକ୍ତ ତାଳପତ୍ର ପୋଥିରେ ୭୬ ଶ୍ଳୋକ ଥିଲାବେଳେ ଅର୍ଥଗୋବିନ୍ଦରେ ଗୀତଗୋବିନ୍ଦର ମୂଳଶ୍ଳୋକ ସଂଖ୍ୟା ୭୨ ବୋଲି ଧରାଯାଇଛି । କବି ସ୍ୱ-ଅର୍ଥଗୋବିନ୍ଦର ୨୭ଶ ଅଧ୍ୟାୟରେ ପୁଣି ଗୀତଗୋବିନ୍ଦରକଳେବର ବିଷୟ ଉଲ୍ଲେଖ କରି କହିଛନ୍ତି-

 

ଗୀତମ୍ ଚଉବିଂଶ ଗାଥା ବାସ୍ତରିଶ୍ଳୋକଂ

ଦ୍ଵାଦଶ ସର୍ଗ ମୁକ୍ତିଗତି-ଲୋକମ୍ ।

ସକଳ ଶାସ୍ତ୍ର ଏହୁବେଦ ପୁରାଣା

ସର୍ବ ସଙ୍ଗୀତା ଗୀତଗୋବିନ୍ଦନାମା ।

ଅର୍ଥ- ଚଉବିଂଶ ଗାଥା ଗୀତମତେ

ବାଆସ୍ତରି ଶ୍ଳୋକ ସହିତେ ।

ଦ୍ଵାଦଶ ସର୍ଗ ଏହୁ ଭାବ

କାବ୍ୟ ଉପରେ ମହାକାବ୍ୟ ।

ସକଳ ଶାସ୍ତ୍ର ପରେ ସାର

ବ୍ରହ୍ମଜ୍ଞାନକୁ ଏ ବିଚାର ।

ସର୍ବ ସଙ୍ଗୀତ ଗୀତ ଯେ’ଟି

ଗୀତଗୋବିନ୍ଦ ନାମ ସେ’ଟି ।।ପଦ ୨୯-୩୨।।

 

କିନ୍ତୁ ଗଣନାରୁ ଅର୍ଥଗୋବିନ୍ଦରେ ୭୩ଟି ଶ୍ଳୋକ ଥିବା ଦେଖାଯାଉଛି । ପୋଥିରେ ଥିବା ଉଲ୍ଲିଖିତ ୭୬ଟି ଶ୍ଳୋକ ମଧ୍ୟରୁ - ଦ୍ୱିତୀୟ ସର୍ଗର ‘ସାକୂତସ୍ମିତ...', ତୃତୀୟ ସର୍ଗର ‘ତୀର୍ଯ୍ୟକ୍ କଣ୍ଠ ...' ଓ ପଞ୍ଚମ ସର୍ଗର ‘ରାଧାମୁଗ୍‍ଧମୁଖାରବିନ୍ଦ’ - ଏହି ତିନୋଟି ଶ୍ଳୋକକୁ ଅର୍ଥଗୋବିନ୍ଦରେ କବି ବଜରି ଦାସ ଗ୍ରହଣ କରିନାହାନ୍ତି । ଏହାର ପଦ୍ୟାନୁବାଦ ପୁରାତନ ଧରଣୀଧରଙ୍କ ଟୀକାରେ ମଧ୍ୟ ପରିଦୃଷ୍ଟ ହୁଏ ନାହିଁ । ବିଷୟଗତ ପ୍ରାଧାନ୍ୟଦୃଷ୍ଟିରୁ ବିଚାର କଲେ ଏହି ତିନୋଟି ମଙ୍ଗଳାଚରଣ ଶ୍ଳୋକ ହେତୁ ଏବଂ ଏହାର ଅନୁପସ୍ଥିତି କାବ୍ୟ ବିଷୟର ପ୍ରତିବନ୍ଧକ ହେଉ ନ ଥିବାରୁ, ଅପ୍ରଧାନ ଏବଂ ଗୌଣ ବୋଲି ମନେହୁଏ । ପରବର୍ତ୍ତୀ କାଳରେ ଗୀତଗୋବିନ୍ଦର ରସପୂର୍ଣ୍ଣ ଶୃଙ୍ଗୀରଚିତ୍ରକୁ କାବ୍ୟଦୃଷ୍ଟିରୁ ବିଚାର ନ କରି ଯେଉଁମାନେ ଧର୍ମ ଦୃଷ୍ଟିରୁ ବିଚାର କଲେ ଓ ଏଥିରେ ଅଧ୍ୟାତ୍ମଲୀଳାର ଆରୋପ କଲେ ସେମାନେ ହୁଏତ ଗୀତଗୋବିନ୍ଦର ପ୍ରାଧାନ୍ୟ ପ୍ରତିପାଦିତ କରିବା ନିମିତ୍ତ ‘ଆଦାବନ୍ତ୍ୟେ ଚ ମଧ୍ୟେଚ, ହରିଃ ସର୍ବତ୍ର ଗୀୟତେ” ଉକ୍ତି ଅନୁସରଣରେ ସର୍ଗମାନଙ୍କରେ ମଙ୍ଗଳାଚରଣ ଶ୍ଳୋକର ସଂଯୋଜନା କଲେ । ଏହି ସମସ୍ତ ମଙ୍ଗଳାଚରଣର ବ୍ୟାଖ୍ୟାନ ଧରଣୀଧର କିମ୍ବା ବଜରିଦାସ ଦେଇ ନାହାନ୍ତି । ଉପର୍ଯ୍ୟୁକ୍ତ ସଂଗୃହୀତ ପୋଥିଟିରେ ମଧ୍ୟ ୨ୟ, ୩ୟ ଓ ୫ମର ତିନୋଟି ମଙ୍ଗଳାଚରଣ ବ୍ୟତୀତ ଅନ୍ୟ ସମସ୍ତ ମଙ୍ଗଳାଚରଣକୁ ବାଦ୍ ଦିଆଯାଇଛି-। ମଙ୍ଗଳାଚରଣର ଅତଦନ୍ତବର୍ତ୍ତିତ୍ଵ ଓ ଅନାବଶ୍ୟକତା ବିଚାର କଲେ ଉକ୍ତ ତିନୋଟି ଶ୍ଳୋକ ମଧ୍ୟ ପ୍ରକ୍ଷିପ୍ତ ହୋଇଯିବ ଏବଂ ଗୀତଗୋବିନ୍ଦର ଶ୍ଳୋକ ସଂଖ୍ୟା ୭୩ ହେବ । ସାଧ୍ଵୀ ମାଧ୍ଵୀକ... ଇତ୍ୟାଦି ଶ୍ଳୋକକୁ ମିଶାଇ । ପ୍ରାୟ ଅଧିକାଂଶ ବ୍ୟାଖ୍ୟାକାର ଏହି ଶ୍ଳୋକର ବ୍ୟାଖ୍ୟା କରିଯାଇଛନ୍ତି । ଧରଣୀଧର କିନ୍ତୁ ଏହାକୁ ଗ୍ରହଣ କରି ନାହାନ୍ତି । ହୁଏତ ଜୟଦେବଙ୍କ ପକ୍ଷରେ ‘ତାଦୃଶୀ ଗବୌକ୍ତି ସମ୍ଭବ ନୁହେଁ ଭାବି ଧରଣୀଧର ବ୍ୟାଖ୍ୟା କରି ନାହାନ୍ତି । ବିଶେଷଭାବରେ ଏହା ମଧ୍ୟ ହୋଇପାରେ ଯେ କେହି ଜୟଦେବକବିତା ରସରସିକ ପଟ କାଳରେ ଏହି ‘ସାଧୀ ମାଧ୍ୱୀକ...’ - ଶ୍ଳୋକକୁ ପାଠାନ୍ତର୍ଭୁକ୍ତ କରିଛନ୍ତି । ଧରଣୀଧରଙ୍କ ବେଳେ ଏହି ଶ୍ଳୋକ ହୁଏତ ଗୀତଗୋବିନ୍ଦର ପାଠାନ୍ତର୍ବର୍ତ୍ତୀ ମୋଟେ ହୋଇ ନ ଥିଲା ବା ବିଶେଷଭାବେ ହୋଇ ନ ଥିଲା; କିନ୍ତୁ ବଜରିଦାସ ପରବର୍ତ୍ତୀ କାଳରେ ଏହି ଶ୍ଳୋକର ଅର୍ଥ କରିଥିଲେ ମଧ୍ୟ ଗୀତଗୋବିନ୍ଦରେ ୭୨ ଶ୍ଳୋକ ଥିବା ପାରମ୍ପରିକ କଥାକୁ ଭୁଲି ନ ଯାଇ ଉଟ୍ଟଙ୍କିତ କରିଯାଇଛନ୍ତି । ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ ଏବଂ ଅବଧିପ୍ରାପ୍ତ ମାତ୍ର ଦୁଇ ପୋଥି ମଧ୍ୟରୁ ଗୋଟିଏ କାଗଜ ପୋଥି ଯେଉଁଥିରେ ମୂଳ ସହ ଅନୁବାଦ ଅଛି ତାହା ସମ୍ପୂର୍ଣ୍ଣ; କିନ୍ତୁ ତାଳପତ୍ର ପୋଥିଟି ଯେଉଁଥିରେ ସଂସ୍କୃତ ଗୀତ ବା ଶ୍ଳୋକ ମୋଟେ ନାହିଁ ଅର୍ଥାତ୍ କେବଳ ଅର୍ଥଗୋବିନ୍ଦ ହିଁ ଅଛି; ତାହା ଦୁର୍ଭାଗ୍ୟବଶତଃ ଅସମ୍ପୂର୍ଣ୍ଣ । ହୁଏତ ତାହା ଯଦି ସମ୍ପୂର୍ଣ୍ଣ ହୋଇଥାଆନ୍ତା, ତେବେ ‘ସାଧ୍ଵୀ ମାଧ୍ଵୀକ’... ଶ୍ଳୋକର ବା ଅନ୍ୟ କେଉଁ ଶ୍ଳୋକର ପ୍ରକ୍ଷିପ୍ତତା ସହଜେ ଅନୁମେୟ ହୁଅନ୍ତା ।

 

ମୂଳ ୭୨ଟି ଶ୍ଳୋକ ବ୍ୟତୀତ ଯେଉଁ ସବୁ ପ୍ରକ୍ଷିପ୍ତ ଶ୍ଲୋକାବଳୀ ଗୀତଗୋବିନ୍ଦରେ ସ୍ଥାନ ପାଇଛି, ସେ ସବୁର ସ୍ଥାନ ଓ କ୍ରମ-ପରିବର୍ତ୍ତନ ବିଭିନ୍ନ ସଂସ୍କରଣରେ ପରିଲକ୍ଷିତ ହେଉଛି, କିନ୍ତୁ ସେଗୁଡ଼ିକ ବାଦ୍‌ଦେଲେ ଅନ୍ୟାନ୍ୟ ଶ୍ଳୋକାନୁକ୍ରମ ପ୍ରାୟତଃ ମିଳିଯାଉଛି । ଉପରେ ପ୍ରଦର୍ଶିତ ପ୍ରକ୍ଷିପ୍ତ ଶ୍ଳୋକମାନଙ୍କ ମଧ୍ୟରୁ ଦଶମ ସର୍ଗର ‘ଶଶିମୁଖି ତବ ଭାତି...’ ଶ୍ଳୋକ ବ୍ୟତୀତ ଅନ୍ୟ ଶ୍ଳୋକମାନଙ୍କର ଟୀକା ଧରଣୀଧର କରି ନାହାନ୍ତି । ଧରଣୀଧର ଟୀକା ଓ ଅର୍ଥଗୋବିନ୍ଦକୁ ଭିତ୍ତି କରି ଅନ୍ୟାନ୍ୟ ପୁରାତନ ଟୀକାମାନଙ୍କ ସାହାଯ୍ୟରେ ବିଚାର କଲେ ଗୀତଗୋବିନ୍ଦ ଶ୍ଳୋକମାନଙ୍କର ପ୍ରକ୍ଷିପ୍ତତା ଏବଂ ପାଠନିର୍ଦ୍ଧାରଣ ସବିଶେଷ ପ୍ରାମାଣିକ ହୁଅନ୍ତା ।

 

ଗୀତଗୋବିନ୍ଦର ପ୍ରତିଗୀତକୁ ଅଷ୍ଟପଦୀ କୁହାଯାଏ । ଏହିପରି ଅଷ୍ଟାପଦୀ ବା ଗୀତ ସର୍ବ ମୋଟ ୨୪ ଗୋଟି ଗୀତଗୋବିନ୍ଦରେ ଅଛି । ତାହାକୁ ବଜରିଦାସ ‘ଚଉବିଂଶ ଗାଥା’ ( ୨୭/ ୨୯) ଓ ଚୌବିଂଶ ଗାଥା ଗୀତମତେ’ (୧/୧୨୩) ବୋଲି କହିଛନ୍ତି । ସପ୍ତବିଂଶ ଅଧ୍ୟାୟରେ ଗାଥା ୨୭ଟିର ପରିଚୟ ଦେବାପାଇଁ ପ୍ରତିଗୀତର ଆରମ୍ଭକୁ ଉଲ୍ଲେଖ କରି କବି ବଜରିଦାସ ଗୀତ ରଚନା କରିଯାଇଛନ୍ତି ଏବଂ ତାହାର ଅର୍ଥ ମଧ୍ୟ ନିମ୍ନ ପ୍ରକାରେ ଦେଇଯାଇଛନ୍ତି-

 

ଗୀତ-

୧.

‘ପ୍ରଳୟ ପୟୋଧି କୃତ ବି ସାରଂ

୨.

‘ଶ୍ରିତ କମଳା କୁଚମଣ୍ଡଳ’କାରଂ ।

୩.

‘ଲଳିତ ଲବଙ୍ଗ’ ପରିବେଷ୍ଟିତ ଶୁଚି

୪.

‘ଚନ୍ଦନଚର୍ଚ୍ଚିତ’ ମୃଗଗାୟ-ରୁଚି ।

 

ପଦଂ ପଦାବଳି ସୁଧା-ରସଭାବେ

ମଧୁର କୋମଳ ଧ୍ଵନି ଗାୟ ରସେ ଗାବେ ।

 

ଅର୍ଥ - ସୁଜନେ ଶୁଣ ଅନ୍ୟ କଥା, ଶୁଚି ଗାଥାର ଯେ ବ୍ୟବସ୍ଥା ।

ମହ୍ଲାର ରାଗେଣ ଗୀୟତେ, ଚଉବିଂଶ ଗାଥାର ଏ ଅର୍ଥ ।

 

୧.

‘ପ୍ରଳୟ ପୟୋଧି’ ପ୍ରକାର, ଯେ ଦଶ ବିଧିର ବିଚାର ।

୨.

‘ଶ୍ରିତକମଳା କୁଚ’ ପରେ, ଏ ଅର୍ଥ ତୃତୀୟ ଗାଥାରେ ।

୩.

ଲଳିତ ଲବଙ୍ଗ ଲତା’ର, ଏ ଅର୍ଥ ଚତୁର ଗାଥାର ।

୪.

‘ଚନ୍ଦନ-ଚର୍ଚ୍ଚିତ’ ଯେ କହି, ପଞ୍ଚମ ଗାଥା ଏ ଅଟଇ ।

 

ଏକ ପଦକୁ ଆର ବଳି, ଅମୃତ ପ୍ରାଏ ଅଛି ଝଳି ।

ମଧୁର ଧୁନି କରି ଭାବେ, କୋମଳ ପ୍ରିୟ ରସ ଗାବେ ।

 

ଗୀତମ୍ : ୫। ‘ସଞ୍ଚଦଧର ହରି’ ଧାନ ସ୍ଵରୂପଂ

 

୬.

‘ନିଭୃତ ନିକୁଞ୍ଜ’ ବିରହୀ ସତାପଂ ।

୭.

‘ମାମିୟ ଚଳିତା’ ବିଲୋକିତ ନଷ୍ଟା

୮.

‘ନିନ୍ଦତି ଚନ୍ଦନ ବିରହୀ ବିନଷ୍ଟା ।

 

ଅର୍ଥ: ୫. ‘ସଞ୍ଚରଧର ହରି’ ଧ୍ୟାନ, ଷଷ୍ଠ ଗାଥାର ଅର୍ଥମାନ ।

 

୬.

‘ନିଭୃତ ନିକୁଞ୍ଜ’ ଭିତରେ, ଏ ଅର୍ଥ ସପ୍ତମ ଗାଥାରେ ।

୭.

‘ମାମିୟ ଚଳିତା’ ଯା କହି, ଅଷ୍ଟମ ଗାଥା ଏ ଅଟଇ ।

୮.

‘ନିନ୍ଦତି ଚନ୍ଦନମିନ୍ଦୁ’ଯେ, ନବମଗାଥାରଟି ଏ ଯେ ।

 

ଗୀତମ୍ : ୯. ‘ସ୍ତନ-ବିନିହିତ ମପି’ ରତି-ଅଭିଳାଷେ

 

୧୦.

‘ବହତି ମଳୟଗିରି’ ମରଣ ବିକାଶେ ।

୧୧.

‘ରତିସୁଖସାରେ’ ଶୟନ ନିମଜା

୧୨.

‘ପଶ୍ୟତି ଦିଶି ଦିଶି’ ବାସକସଜା ।

 

ଅର୍ଥ : ୯. ‘ସ୍ତନ ବିନିହିତଯେ ମପି’, ରତି-ବିଳାପେ ଏତେ ବ୍ୟାପି ।

 

୧୦.

‘ବହତି ମଳୟ କନ୍ଦର’, ପବନେ ମଦନ ବିକାର ।

୧୧.

‘ରତିସୁଖ ସାରେ’ ଯା କହି, ଦ୍ୱାଦଶ ଗାଥା ଏ ଅଟଇ ।

୧୨.

‘ପଶ୍ୟତି ଦିଶି ଦିଶି’ଯେ ବା, ତ୍ରିଦଶ ଗାଥା ଏ କହିବା ।

 

ଗୀତମ୍ : ୧୩. ‘କଥିତ ସମୟେ ହରି’ ରସ ବିସ୍ତାରା

 

୧୪.

‘ସ୍ମରସମରୋଚିତ’ ମଦନବିକାରା ।

୧୫.

‘ସମୁଦିତ ମଦନ’ ବିଲୋକିତହାରା

୧୬.

‘ଅନିଳ ତରଳ’ ରୂପ-ମୋହିତକାରା ।

 

ଅର୍ଥ ୧୩. ‘କଥିତ ସମୟ’ ଯେ କହି, ଚତୁର୍ଦ୍ଦଶମ ଗାଥା ଏହି ।

 

୧୪.

‘ସ୍ମର-ସମରୋଚିତ ଯେ’ଟି, ଦଶପଞ୍ଚମ ଗାଥା ଏ’ଟି ।

୧୫.

‘ସମୁଦିତ ମଦନ’ ଯେଣେ, ଷଷ୍ଠ ଦଶମ ଗାଥା ଏଣେ ।

୧୬.

‘ଅନିଳ ତରଳ’ ଯେ କହି, ସପତଦଶ ଗାଥା ଏହି ।

 

ଗୀତମ୍ : ୧୭. ‘ରଜନୀଜନିତ ଗୁରୁ’ ଖଣ୍ଡିତ ଆଶା

୧୮.

‘ହରିରଭିସରତି’ ମାନିନୀ ପରିଭାଷା ।

୧୯.

‘ବଦସି ଯଦି କିଞ୍ଚିଦପି’ ଲାବଣ୍ୟଶୋଭା

୨୦.

‘ବିରଚିତ ଚାଟୁ’ ପ୍ରଣମିତରମ୍ବା ।

 

ଅର୍ଥ : ୧୭. ‘ରଜନୀ ଜନିତ’ ଯେ ଗାଥା, ଅଷ୍ଟ ଦଶମର ବ୍ୟବସ୍ଥା ।

 

୧୮.

‘ହରି ରଭି ସରତି’ ଯେ ଟି, ଉନବିଂଶତି ଗାଥା ସେ ଟି ।

୧୯.

‘ବଦସି ଯଦି କିଞ୍ଚିଦପି’, ବିଂଶତି ଗାଥାରେ ଏ ବ୍ୟାପି ।

୨୦.

ଯେ ‘ବିରଚିତ ଚାଟୁ’ କହି, ଏକବିଂଶତି ଗାଥା ଏହି ।

 

ଗୀତମ୍ : ୨୧. ‘ମଞ୍ଜୁତର କୁଞ୍ଜତଳେ ପ୍ରବିଶତୁ ଗୋରି

 

୨୨.

‘ରାଧା-ବଦନ’ ବିଲୋକିତ ହରି ।

୨୩.

‘କିଶଳୟ ଶୟନ’ ବିବିଧ ପରିରଙ୍ଗେ

୨୪.

‘କୁରୁ ଯଦୁନନ୍ଦନ’ ବେଶ ବିଭଙ୍ଗେ ।

 

ଅର୍ଥ: ୨୧. ‘ମଞ୍ଜୁତର କୁଞ୍ଜ’ ଦେଷ୍ଟି, ଦ୍ୱାବିଂଶ ଗାଥାର ଏ ଗୋଷ୍ଠୀ ।

 

୨୨.

‘ରାଧା ବଦନ’ ବିଲୋକନ, ତ୍ରିବିଂଶଗାଥା ଅର୍ଥମାନ ।

୨୩.

‘କିଶଳୟ ଶୟନେ’ ହରି, ବିବିଧ ପରିରଙ୍ଗ କରି ।

୨୪.

‘କରୁ ଯଦୁନନ୍ଦନ’ ସଙ୍ଗେ, ବିବିଧ ବେଶର ବିଭଙ୍ଗେ ।

 

କବି ବଜରିଦାସଙ୍କ କୃତ ଉପର୍ଯ୍ୟୁକ୍ତ ସ୍ଵରଚିତ ଗୀତ ଓ ତା’ର ଅର୍ଥ- ଓଡ଼ିଆ ରଚନାରେ ସମ୍ପୂର୍ଣ୍ଣ ନୂତନ । ‘ସ୍ତନ ବିନିହିତମପି’କୁ ‘ସ୍ତନ ବିନିହିତ ଯେ ମପି’ କରିବାରୁ କଥା କାବ୍ୟାନ୍ତର୍ବର୍ତ୍ତୀ ଅନ୍ୟାନ୍ୟ ବ୍ୟାଖ୍ୟାନରୁ ଜଣାଯାଏ ଯେ କବି ବଜରିଦାସ ସଂସ୍କୃତଜ୍ଞ ପଣ୍ଡିତ ନଥିଲେ । ଏହାର ପ୍ରମାଣ ତାଙ୍କ ଅନୁବାଦର ନିମ୍ନ କତିପୟ ଉଦାହରଣ‘-

 

ଅମଳ କନ୍ଦର୍ପ-ଜ୍ଵରଜନିତ ବାଧାକୁଳଚୟା’କୁ କବି ଅର୍ଥ କଲେ-

 

ମନ୍ଦ ଯେ କନ୍ଦର୍ପ ଅଟଇ

ତା’ ଜରେ ପୀଡ଼ା ଅଛି ପାଇ (୪/୪୨)

 

୨। ସେହିପରି ‘ପତତି ପତତ୍ରେ’ ଇତ୍ୟାଦିର ଅର୍ଥରେ କବି ଲେଖିଛନ୍ତି-

 

ପତତି ପକ୍ଷୀକ ଯେ କହି

ସେ ଉଡ଼ି ପଡ଼ନ୍ତେ ଗୋ ସହି ।

 

୩ ‘ସ୍ପର୍ଦ୍ଧୀ କୋଽପି ବିଶ୍ରୁତଃ ଶ୍ରତିଧର’ ଇତ୍ୟାଦିର ଅନୁବାଦ କରିଛନ୍ତି-

 

‘ସିଦ୍ଧି ବୋଲିଣ ଯାକୁ କହି, ତା ଗୁଣ ବହୁତ ଅଛଇ (୨/୧୭)’

 

ଏବଂ ‘ଧୋୟୀ କବିଃ କ୍ଷ୍ମାପତିଃ’ କୁ କବି କରିଛନ୍ତି ‘ସେ ଧୋଇ କବି ଇଚ୍ଛାପତି ଇତ୍ୟାଦି ।

 

ଏସବୁ ସତ୍ତ୍ୱେ କବି ବଜରିଦାସଙ୍କ ‘ଅର୍ଥଗୋବିନ୍ଦ’ ସରଳ ସାଧାରଣ ବୋଧ୍ୟ ଭାଷାରେ ହୋଇଥିବାରୁ ଏବଂ ଗୀତଗୋବିନ୍ଦର ପାଠ ନିର୍ଦ୍ଧାରଣରେ ସାହାଯ୍ୟ କରୁଥିବାରୁ ଗୀତଗୋବିନ୍ଦର ଏକ ମୂଲ୍ୟବାନ ଅନୁବାଦ । ବୋଧହୁଏ କବି ପରିବ୍ରାଜକ ଥିଲେ ଏବଂ ତାଙ୍କ ଉପରେ ତୁଳସୀରାମାୟଣର ପ୍ରଭାବ ପଡ଼ିଥିଲା । ତେଣୁ ସେ ଓଡ଼ିଆ-ସଂସ୍କୃତମିଶା କେତେକ ଗୀତ କୀର୍ତ୍ତନ ଉଦ୍ଦେଶ୍ୟରେ ରଚନା କରି ଯାଇଛନ୍ତି । ଅତଏବ କବି କାବ୍ୟ ଶେଷରେ କହିଛନ୍ତି –

 

ଶ୍ରୀ ଜୟଦେବ-ଗୀତ-ଭାବନକାରଂ

ଧନଜନ-ସମ୍ପଦ ସଫଳୟ ସାରଂ ।

ଧ୍ୟାନ ସମାଧି ଏହୁ ଗୁଣ ବିସ୍ତାରା

ଭବଜଳଧି -ଜଳୁ ହୋଇବା ପାରା ।

 

ବିସ୍ତାର ଓ ପାର ସ୍ଥାନରେ ‘ବିସ୍ତାରା’ ଓ ‘ପାରା’ ଓଡ଼ିଆ ଭାଷାର ପ୍ରୟୋଗ ବିରୁଦ୍ଧ; କିନ୍ତୁ ପ୍ରେମ-ଭକ୍ତିର କବି ବଜରିଦାସ ଭାଷାନିୟମରେ ଶୃଙ୍ଖଳାବଦ୍ଧ ନ ହୋଇ ପ୍ରେମରେ ହିଁ କରିଛନ୍ତି । ତେଣୁ ସେ କହିଛନ୍ତି-

 

‘ପ୍ରେମ-ଭକତି ଯା’ର ନାହିଁ

ସେ ପ୍ରାଣୀ ପାଇବ ତା’ କାହିଁ ।

ପ୍ରେମ-ଭକ୍ତିଆ ଯେତେ ଲୋକ

ମୁଁ ତାଙ୍କ ଚରଣସେବକ ।

 

ଏଇ ପ୍ରେମଭକ୍ତି କବିଙ୍କୁ ଅର୍ଥଗୋବିନ୍ଦ ରଚନାରେ ପ୍ରବୃତ୍ତ କରିଛି ଏବଂ ସେ କହିଛନ୍ତି-

 

ଶ୍ରୀ ହସ୍ତ ସନ୍ତକ ଗୁପତେ

ବସାଇଛନ୍ତି ହରି ୟେଥେ ।

ତେଣୁ ଏ ଗ୍ରନ୍ଥମାନଙ୍କର

ଉପରେ ଅଟଇଟି ସାର ।

ମୁଁ ତୋର ଚରଣରେ ପଡ଼ି

ମାଗୁଛି ଶରେ କର-ଯୋଡ଼ି ।

ଗୀତଗୋବିନ୍ଦ ଅର୍ଥମାନ

ମୋ ହୃଦେ ହୋଇବ ପ୍ରସନ୍ନ ।

ଅର୍ଥଗୋବିନ୍ଦ ନାମେ ଗ୍ରନ୍ଥ ।

ଅଧ୍ୟା ମୁଁ କରିବି ଉକତ । (୨-୩୦-୩୪)

 

କବି ନିଜେ ସଂସ୍କୃତଜ୍ଞ ନ ଥିବାରୁ କିମ୍ବା ଗର୍ବୋକ୍ତି ପରିହାରପୂର୍ବକ ଦୈନ୍ୟ ପ୍ରକାଶ ନିମିତ୍ତ ନିଜକୁ ‘ମୁଢ଼ ବଜରିଦାସ’ ବୋଲି ବହୁଥର କହିଛନ୍ତି । କବିଙ୍କର ଜନ୍ମସ୍ଥାନ ଓ କାଳସମ୍ବନ୍ଧରେ ତାଙ୍କ ଲେଖାର ନିମ୍ନ ଫକ୍ତିଚୟ ମାତ୍ର ଆଲୋକପ୍ରଦାନ କରେ-

 

“ବଜରିଦାସ ମୁଢ଼ିବାର

ଅଶୋକା ଖୋଲ ଗଡ଼େ ଥାଇ ।

ମୁକୁନ୍ଦଦେବ ରାଜାଙ୍କର

ଏକୋଇଶ ଅଙ୍କରେ ଆର ।

କୁମ୍ଭ ପନ୍ଦରଦିନ ଅନ୍ତେ

ବଢ଼ିଲା ଲେଖନ ଏ ପୁସ୍ତେ ।

ଗାଇବା ଭାଗବତ ଦିଶ

ବୋଲେ ବଜରି ମୁଢ଼ ଦାସ

 

ଏଥିରୁ ତେଲେଙ୍ଗା ମୁକୁନ୍ଦ ଦେବ ୨୧ ଅଙ୍କଯାଏ ରାଜତ୍ଵ କରି ନ ଥିବା ହେତୁ ଗ୍ରନ୍ଥରଚନା ସମୟ ଭୋଇବଂଶୀୟ ପ୍ରଥମ ମୁକୁନ୍ଦଦେବଙ୍କ ୨୧ ଅଙ୍କ ବା ଖ୍ରୀ. ୧୬୭୨-୭୩ ବୋଲି ନିଧାର୍ଯ୍ୟ କରାଯାଇ ପାରେ । ପୁଣି ଅର୍ଥଗୋବିନ୍ଦ ଭାଗବତର ନବାକ୍ଷରୀ ବୃତ୍ତରେ ‘ଅଶୋକାଖୋଲ ଗଡ଼’ରେ ଲେଖା ହୋଇଥିବା ଜଣାଯାଏ । “ଅଶୋକାଖୋଲ ଗଡ଼” ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଥିବାର ଜଣାଯାଏ’ - ବୋଲି ଐତିହାସିକ ଶ୍ରୀକେଦାରନାଥ ମହାପାତ୍ର ତାଙ୍କ ‘ଖୁରୁଧା ଇତିହାସ’ରେ ଲେଖିଛନ୍ତି; କିନ୍ତୁ ଢେଙ୍କାନାଳରେ ଅଶୋକାଖୋଲ’ ନାମରେ କୌଣସି ସ୍ଥାନ ଥିବା ପୁରୁଣା ସରକାରୀ ନଥିପତ୍ରରୁ ମଧ୍ୟ ଜଣାଯାଏ ନାହିଁ । ବରଂ ଗଞ୍ଜାମ ଖଲ୍ଲୀକୋଟ ନିକଟବର୍ତ୍ତୀ ପ୍ରସିଦ୍ଧ ନାରାୟଣୀ ଖୋଲ ଯାହାର କି ରମଣୀୟତା ଅଶୋକବୃକ୍ଷର ବହୁଳତାଦ୍ୱାରା ବହୁଗୁଣିତ-ତାହାର ଅନ୍ୟ ଏକ ପ୍ରଚଳିତ ନାମ ‘ଅଶୋକଖୋଲ’। ସ୍ଥାନର ରମଣୀୟତା ଓ ବାସୋପଯୋଗିତା ତଥା ପ୍ରାକୃତିକ ଆଧାତ୍ମପରିବେଶ ହୁଏତ କବିଙ୍କୁ ଅର୍ଥଗୋବିନ୍ଦ ରଚନାରେ ପ୍ରବୃତ୍ତ କରିଥିଲା । ଭାଷାଦୃଷ୍ଟିରୁ ବିଚାର କଲେ କବିଙ୍କ ରଚନାରେ ବହୁ ଗଞ୍ଜାମୀ ଶବ୍ଦର ପ୍ରୟୋଗ ପରିଦୃଷ୍ଟ ହୁଏ । ଗୀତଗୋବିନ୍ଦର ତୃତୀୟସର୍ଗର ଭ୍ରୂଚାପେ ନିହିତଃ... ଇତ୍ୟାଦି’ ଶ୍ଳୋକର ‘ବିମ୍ବାଧରୋ ରାଗବାନ୍ ଅଂଶଟିକୁ ଅନୁବାଦ କରି ଧରଣୀଧର ଲେଖିଛନ୍ତି-

 

“ସୁରଙ୍ଗ ଅଧର ତୋର ପକ୍ଵବିମ୍ବଫଳାକାର

ସ୍ୱଭାବେ ରଙ୍ଗ ତାହାର ବହିଣ ଅଛି” ଇତ୍ୟାଦି

କିନ୍ତୁ କବି ବଜରିଦାସ ଅନୁବାଦ କଲେ-

‘ପାଚିଲା ତରଡା ପରାୟେ

ଓଷ୍ଠ ତୋ ରାଗବର୍ଣ୍ଣେ ଶୋହେ । (୯-୭୯)

 

ବିମ୍ବଫଳକୁ ତରଡା ବା ତୋରଡା ବୋଲି ଗଞ୍ଜାମ ଅଞ୍ଚଳରେ କୁହାଯାଏ । ସେହିପରି ‘ବେଗୁନୁଆ ବା ବେଗୁନିଆ (୧୦-୨)’ ‘କାଗୁ’ ‘ଅସ୍ମତ’ ସହ ଅନ୍ୟ କେତେକ ଶବ୍ଦ ପ୍ରୟୋଗରୁ କବିଙ୍କର ଜନସ୍ଥାନ ‘ଅଶୋକଖୋଲ’ ବା ‘ନାରାୟଣୀଖୋଲ’ର ଆଖପାଖ କୌଣସି ସ୍ଥାନ ହୋଇଥିବା ଅନୁମାନ କରାଯାଇ ପାରେ । * ‘ବଜରୀ’ (ବକ୍ରୀ) ନାମକ ମଧ୍ୟ ପଶ୍ଚିମା ବୋଲି ମନେ କରିବାର କୌଣସି କାରଣ ନାହିଁ । କାରଣ ଦକ୍ଷିଣ ଓଡ଼ିଶାର ଗ୍ରାମ୍ୟଅଞ୍ଚଳରେ ଅଳ୍ପଶିକ୍ଷିତ ପୁରୁଷଲୋକଙ୍କର ନାମ ‘ବଜରି, ଝରି’ ଇତ୍ୟାଦି ଥିବା ଜଣାଯାଏ । କବିଙ୍କର ଅର୍ଥଗୋବିନ୍ଦ ଅକ୍ଷରାନୁବାଦ ଦୃଷ୍ଟିରୁ ପ୍ରଧାନ ନ ହେଲେ ମଧ୍ୟ, ସରଳ ସୁବୋଧ ଭାଷାରେ ଅର୍ଥାବବୋଧ ପାଇଁ ତଥା ଗୀତଗୋବିନ୍ଦର ମୂଳ ପାଠର ନିର୍ଦ୍ଧାରଣ ସକାଶେ ଏହାର ପ୍ରକାଶନ ଆବଶ୍ୟକ । * ଏହାର ଶବ୍ଦ ପ୍ରୟୋଗ ଭାଷାବିଚାର-କ୍ଷେତ୍ରରେ ଅନୁଧେୟ ହେବ । ହୁଏତ କବିଙ୍କ ଅନ୍ୟାନ୍ୟରଚନା ଭବିଷ୍ୟତରେ କବିଙ୍କ ପରିଚୟ ପ୍ରଦାନରେ ବିଶେଷ ସହାୟକ ହେବ ।

 

***

 

ଓଡ଼ିଆ ଭାଷା ଓ ଓଡ଼ିଶାର କମିଶନର

ଡକ୍ଟର ନଟବର ସାମନ୍ତରାୟ

 

ପ୍ରାଗ୍‌ଭାଷ :

ଆଧୁନିକ ଓଡ଼ିଆ ସାହିତ୍ୟର ଇତିହାସ ଅନୁଧ୍ୟାନ କଲାବେଳେ ଆମେ ସାଧାରଣତଃ ଯେଉଁ ସାହିତ୍ୟକୁ ଅନୁଶୀଳନ କରିଥାଉଁ ସେ ସାହିତ୍ୟର କ୍ରମବିକାଶ ୧୮୭୧ ସାଲ ପରେ ସଂଗଠିତ ହୋଇଥିବାର ଦେଖିବାକୁ ମିଳେ । ଏ ସାହିତ୍ୟର କ୍ରମ ବିକାଶ ଯେଉଁ ପୃଷ୍ଠଭୂମି ଓ ପରିବେଶ ଉପରେ ଦଣ୍ଡାୟମାନ ହୋଇଛି ସେ ପୃଷ୍ଠଭୂମିରେ ସାର୍ଥକ ପରିଚୟ ତଥା ତା’ର ସ୍ୱରୂପ ଉପଲବ୍‍ଧି ପାଇଁ ଆମେ ବିଶେଷ ସଚେତନ ହେଉଛି ବୋଲି ମନେହୁଏ ନାହିଁ । ଏପରି ଏକ ପରିବେଶର ଯଥାର୍ଥ ଅବବୋଧ ନ ହେଲେ କୌଣସି ସାହିତ୍ୟ ସୃଷ୍ଟିର ସ୍ୱରୁପ ଉପଲବ୍ଧ ହେବା ସମ୍ଭବପର ନୁହେଁ । ସେଥିପାଇଁ ଆଧୁନିକ ଓଡ଼ିଆ ସାହିତ୍ୟ ଯେଉଁ ପୃଷ୍ଠଭୂମି ଉପରେ ପ୍ରତିଷ୍ଠିତ ତା’ର ଯଥାର୍ଥ ପରିଚୟ ଲାଭ ପାଇଁ ବର୍ତ୍ତମାନ ପ୍ରବନ୍ଧରେ କେତେକ ପରିମାଣରେ ଚେଷ୍ଟା କରାଯାଉଛି ।

 

୧୮୦୩ ସାଲରେ କମ୍ପାନୀ ସରକାର ଓଡ଼ିଶା ଅଧିକାର କରି ଏହାକୁ ବିଶାଳ ବଙ୍ଗ ପ୍ରଦେଶର ୧୯ଶ ବିଭାଗ ବା ଡିଭିଜନ ରୂପେ ବଙ୍ଗଦେଶ ସହିତ ସାମିଲ କରି ରଖନ୍ତି । ଓଡ଼ିଶାର ଏହି ରାଜନୈତିକ ସ୍ୱାଧୀନତା ଅପହରଣ ତଥା ବଙ୍ଗଦେଶ ସହ ମିଶି ରହିବାର ପ୍ରଶାସନିକ ପରାଧିନତା ହେତୁ ଏହା ସେହିଦିନଠାରୁ ପ୍ରତ୍ୟେକ କ୍ଷେତ୍ରରେ ଅବହେଳିତ ହେବାକୁ ଲାଗିଲା । ଗୋଟାଏ ବୌଦ୍ଧିକ ଜାଗରଣ ପାଇଁ ଯେଉଁ ଆଧୁନିକ ଶିକ୍ଷା ଓ ସଂସ୍କୃତି ପରିବେଶ ଏକାନ୍ତ ଆବଶ୍ୟକ, ତାହା ସେତେବେଳେ ଏଇ ଦେଶରେ ସମ୍ପୂର୍ଣ୍ଣ ସ୍ଵପ୍ନାତୀତ ଥିଲା । ଗୋଟାଏ ଜାତି ସାମୂହିକ ଭାବେ ଯେତେବେଳେ ଅନାଦୃତ ଓ ଉପେକ୍ଷିତ, ତାର ଭାଷା ଓ ସାହିତ୍ୟ ବିକାଶ ଲାଭ କରିବା ପରିବର୍ତ୍ତେ ସମ୍ପୂର୍ଣ୍ଣ ଅସ୍ୱୀକୃତ ତଥା ବିବର୍ଜିତ ହେବାରେ ଆଶ୍ଚର୍ଯ୍ୟ କିଛି ନାହିଁ । ଦେଶ ଅଧିକାର ସମୟ ଠାରୁ ପ୍ରଥମ ସାହିତ୍ୟ ପତ୍ରିକା ‘ଉତ୍କଳ ଦର୍ପଣ’ (୧୮୭୩) ପ୍ରକାଶ ସମୟ ପର୍ଯ୍ୟନ୍ତ ଦୀର୍ଘ ୭୦ ବର୍ଷର ଇତିହାସ, ଆମର ମନେହୁଏ, ଗୋଟିଏ ଲାଞ୍ଚିତ ଓ ଅବହେଳିତ ଜାତିର ଦୟନୀୟ ଇତିହାସ ବ୍ୟତୀତ ଅନ୍ୟ କିଛି ନୁହେଁ ।

 

ଏହିସମୟ (୧୮୦୩ରୁ ୭୩)ର ଦ୍ୱିତୀୟାର୍ଦ୍ଧରୁ ଏ ଦେଶର ଉନ୍ନତି ପାଇଁ ପ୍ରଥମେ ଉଦ୍ୟମ କରାଯାଇଥିଲା । ଯେଉଁ ଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀର ଅଗ୍ରଗାମୀ ନେତୃତ୍ୱ ହେତୁ ଦେଶର ଉନ୍ନତି ହେବାର ସମ୍ଭାବନା ଥିଲା, ଅତୀବ ଦୁଃଖର କଥା, ଶିକ୍ଷା ପ୍ରସାରର ଅଭାବ ହେତୁ ସେ ଶ୍ରେଣୀ ଆଲୋଚ୍ୟ ସମୟର ପ୍ରଥମାର୍ଦ୍ଧରେ ଜନ୍ମଲାଭ କରି ପାରି ନଥିଲା । ଏହାର ପରିଣତି ସ୍ୱରୂପ ଏଇ ସମୟରେ ଦେଶର ଉନ୍ନତି କ୍ଷେତ୍ରରେ କେତେକ ମୁଷ୍ଟିମେୟ ଶାସକ କେବଳ ଦେଖାଦେଇଥିଲେ; କିନ୍ତୁ ଏଇ ସମୟର ଶେଷ ସମୟ ବେଳକୁ ନୂତନ ଅଭ୍ୟତ୍‍ଥିତ ଏକ ଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀ ଏହି ଶାସକମାନଙ୍କ ସହାୟତାରେ ଜାତୀୟ ମଙ୍ଗଳ ସାଧନର ଗୁରୁ ଦାୟିତ୍ୱ ବହନ କରିଥିବାର ଦେଖିବାକୁ ମିଳେ । ଏହି ଶ୍ରେଣୀର ଏକ ଅମର ଅବଦାନ ହେଉଛି ଆଜିର ସଦା ପରିଚିତ ଆଧୁନିକ ଓଡ଼ିଆ ସାହିତ୍ୟ; କିନ୍ତୁ ଏହି ଶ୍ରେଣୀର ଅଭ୍ୟୁଦୟ ପୂର୍ବରୁ ଯେଉଁ ଶାସକ ବୃନ୍ଦ ଅତି ଉଦାର ହୃଦୟରେ ଏ ଦେଶର ଭାଷା ଓ ସାହିତ୍ୟ ଅଭିବୃଦ୍ଧି ନିମିତ୍ତ ଯତ୍ନଶୀଳ ହୋଇଥିଲେ, ସେମାନଙ୍କ କ୍ରିୟା କଳାପର ପରିଚୟ ଲାଭ କରିବା ଆମ୍ଭମାନଙ୍କର ଏକାନ୍ତ କର୍ତ୍ତବ୍ୟ । ୧୮୭୦ ସାଲ ପୂର୍ବରୁ ଏ ପ୍ରଦେଶର କମିଶନରମାନେ ବିଭିନ୍ନ ପରିସ୍ଥିତିରେ ମଧ୍ୟ କିପରି ଏ ଦେଶର ଭାଷାକୁ ରକ୍ଷା କରି ତା’ର ସ୍ୱାଭାବିକ ଅଭିବୃଦ୍ଧି ଦିଗରେ ଅତୀବ ସହାୟକ ହୋଇଥିଲେ ତା’ର ବିବରଣ ବର୍ତ୍ତମାନ ଉପସ୍ଥାପନା କରାଯାଉଛି ।

 

କମିଶନର ହେନେରୀ ରିକେଟସ୍‍ଙ୍କ ପ୍ରଶାସନିକ କର୍ତ୍ତବ୍ୟବୋଧ ଦେଶୋନ୍ନତିର ପ୍ରଥମ ଅଭ୍ରାନ୍ତ ନିଦର୍ଶନ :

୧୮୩୭ ସାଲ ବେଳକୁ ଓଡ଼ିଶାରେ ଥିବା କମ୍ପାନୀ ପରିଚାଳିତ ଏକମାତ୍ର ପୁରୀ ଇଂରାଜୀ ସ୍କୁଲ ଓ ମିଶନାରୀମାନଙ୍କ ଦ୍ୱାରା ସ୍ଥାପିତ କେତୋଟି ନିମ୍ନ ଶ୍ରେଣୀର ବିଦ୍ୟାଳୟ । ଓଡ଼ିଶାର ତଦାନୀନ୍ତନ ଶିକ୍ଷାର ଅନଗ୍ରସରତା ପର୍ଯ୍ୟବେକ୍ଷଣ କରି ଶିକ୍ଷା ପ୍ରସାର ଦିଗରେ ଅଧିକ ଅର୍ଥ ବ୍ୟୟ ପାଇଁ କମିଶନର ରିକେଟସ୍ ସାହେବ ଯେଉଁ ପତ୍ର ଲେଖିଥିଲେ ସେଥିରେ ଶାସକର ଅପଶାସନ ହେତୁ ଓଡ଼ିଶାର ଅବନତି କିପରି ସୁପ୍ରତିଷ୍ଠିତ ହୋଇପାରିଛି ତା’ର ବିଶଦ ଚିତ୍ର ଦେଖବାକୁ ମିଳେ । ସେହି ଦୀର୍ଘ ପତ୍ରଟିର କେତେକାଂଶ ନିମ୍ନରେ ଉଦ୍ଧାର କରାଯାଇଛି ।

 

“We owe this Province a date which will be best paid by liberaly supporting the purposed school (at Balasore). At the conquest we found the Oriahs in a state of great degradation and to our shame, be it recorded, our policy was to perpetutate the degeneracy which prevailed among them. Mr. Sterling says a Striking proof of the estimatation in which theri Capacity has been ever held in the past, that in all ages and in all Governments since the Downfall of the Orissan monarchy, the Principal Official employment throughout the province has been engrossed by foreginers.

 

We followed the example of the Afghans, the Moguls and the Mohrattas for many years. Oriahs were admitted only to the lowest situations; bengalees held every office of emolument and trust in the Province. The name of wilkinson is familiar to the lips of the Natives of this province as the most familiar of the natir appellatious, and richly he deserves theri esteemed gratitude, for he it was who first hazarded the experiment of placing Oriyahs in trust of difficulty and importance.’’(୧) ବିଶ୍ୱାସ ଓ ଗୁରୁତ୍ଵପୂର୍ଣ୍ଣ କର୍ମରେ ନିଯୁକ୍ତ ହେବାକୁ ହେଲେ ଓଡ଼ିଆମାନଙ୍କର ଶିକ୍ଷାଗତ ଯୋଗ୍ୟତା ଉନ୍ନତ ହେବା ଆବଶ୍ୟକ । ଶିକ୍ଷା-ପ୍ରସାର ଦିଗରେ ଅଧିକ ଅର୍ଥ ବ୍ୟୟର ପ୍ରସ୍ତାବ ସରକାରୀ କଳରେ ନିଯୁକ୍ତି ପାଇଁ କେବଳ କରାଯାଇଥିଲା । ରିକେଟସ୍‍ ନିଜ ଜୀବନରେ ଯାହା କରିଥିଲେ ତାହା ଶୁଣନ୍ତୁ । “When I was appointed Magistrate and Collector of Balasore in 1828, I found all the native officers Bengallees. At the end of eight years I left enarly all offices filled by Oriahs and right faithfully they served me."

 

ଉପରୋକ୍ତ ଲେଖା ଭିତରେ ରିକେଟସ୍‍ ସାହେବଙ୍କ ଗୋଟିଏ ମନ୍ତବ୍ୟ ହେଉଛି, ଅତି ଲଜାର କଥା ଯେ ଏ ଦେଶର ଲୋକଙ୍କର ଯେଉଁ ଅଧୋଗତି ଓ ଅଧଃପତନ ଥିଲା ଆମ ଶାସନ-ନୀତି ହିଁ ତାକୁ ସ୍ଥାୟୀ ଓ ବ୍ୟାପକ କରି ଦେବାରେ ସାହାଯ୍ୟ କରିଛି । କମିଶନଙ୍କ ଏ ଉକ୍ତ କମ୍ପାନୀ – କୁଶାସନର ଏକ କଠୋର ସମାଲୋଚନା ବ୍ୟତୀତ ଅନ୍ୟ କିଛି ନୁହେଁ । ଏ ଆତ୍ମ-ସମାଲୋଚନା, ଯଥାର୍ଥତା ଶାସକଙ୍କ ହୃଦୟର ପରିବର୍ତ୍ତନର ଏକ ଅଭ୍ରାନ୍ତ ନିଦର୍ଶନ । ଏ ଦେଶର ଉନ୍ନତିପାଇଁ, ତେଣୁ ଶାସକ ହିସାବରେ ଏମାନେ ଏ ଦେଶର ଅଧିବାସୀମାନଙ୍କୁ ବିଶ୍ୱାସପୂର୍ଣ୍ଣ କର୍ମରେ ନିଯୁକ୍ତି କରୁଥିଲେ । ଏଇ ପ୍ରଶାସନିକ ସାମାନ୍ୟ ପରିବର୍ତ୍ତନ ଭିତରେ ମଧ୍ୟ ରିକେଟସ୍‍ ସାହେବ ଏ ଦେଶର ଏକ ଉଜ୍ଜଳ ଭବିଷ୍ୟତ କିପରି ଦେଖିପାରିଥିଲେ ତାହା ତାଙ୍କର ନିମ୍ନଲିଖିତ ଉକ୍ତିରୁ ସୁସ୍ପଷ୍ଟ ହୋଇପାରିବ’’ । Inspite of Mr. Sterling I feel assured that Mr. Wilkinson would support me in saying, that soil is worthy of cultivation. We have but scratched the serface and it has yeilded. We have now a vast number of excellent Oriah officers. If schools be extablished and properly attended to, the Oriahs will soon show that their dengeneracy is but the ususal consequence of Misrule.’’ ଏଥିରେ ଦୁଇଟି ବିଷୟରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେବାକୁ ମିଳେ । ପ୍ରଥମ, ଏ ଦେଶର ମୃତ୍ତିକା କର୍ଷଣର ଉପଯୁକ୍ତ କ୍ଷେତ୍ର; ଆମେ ଏହାର ବହିଦେଶରେ କେବଳ ନଖାଘାତ କରି ଉତ୍ତମ ଫଳ ଉତ୍ପାଦନ କରିପାରିଛୁ । ଦ୍ୱିତୀୟତଃ, ଓଡ଼ିଆ ଜାତିର ଅଧୋପତନ ଯେ ଅପ୍ରଶାସନର ଏକ ସ୍ୱାଭାବିକ ପରିଣତି ତାହା ଏମାନେ ଶୀଘ୍ର ପ୍ରମାଣରେ ଦେଖାଇଦେବେ । ଏ ଅଭିମତ ଭିତରେ ଶାସକର ଆତ୍ମ-ସମାଲୋଚନା ସହ ଓଡ଼ିଆ ଜାତିର ଉଜ୍ଜଳ ଭବିଷ୍ୟତ ନିହିତଥିବାର ଅନୁଭୂତ ହୁଏ । ଏଇ ଉଜ୍ଜଳ ଭବିଷ୍ୟତ ପାଇଁ ଆଧୁନିକ ବିଦ୍ୟାଳୟ ପ୍ରତିଷ୍ଠା ଓ ସେଥିରେ ଓଡ଼ିଆମାନଙ୍କର ଯୋଗଦାନ ବିଷୟ, ଏ ଉଭୟ ଉପରେ ସେଥିପାଇଁ ପ୍ରାଧାନ୍ୟ ଦିଆଯାଇ ଥିବାର ଦେଖିବାକୁ ମିଳେ ।

 

ସାତ ସମୁଦ୍ର : ତେରନଈ ପାର ହୋଇ ଯେଉଁମାନେ ଦିନେ ଶାସକ ରୂପରେ ଏଠାରେ । ଆବିର୍ଭୁତ ହୋଇଥିଲେ, ଏ ଦେଶର ଉନ୍ନତି ପାଇଁ ସେମାନେ ଶାସନ ଆରେ କିପରି ପରିସ୍ଥିତିର ବିଚାର କରୁଥିଲେ ଓ ସେଥପାଇଁ ସୀମିତ ସୁଯୋଗ ସୁବିଧା ମଧ୍ୟରେ ମଧ୍ୟ ଯଥାଯଥ ପଦକ୍ଷେପ ନେବାକୁ ଏକ, ପ୍ରଶାସନିକ କର୍ତ୍ତବ୍ୟ ବୋଲି ଭାବୁଥିଲେ । କମିଶନର ରିକେଟସ୍‍ଙ୍କ ଉପରୋକ୍ତ ପତ୍ରଟିରେ ତା’ର ପ୍ରଥମ ସୂଚନା ଦେଖିବାକୁ ମିଳେ । ଏତଦ୍‍ବ୍ୟତୀତ ଓଡ଼ିଆ ଅକ୍ଷରଲିଖନ ପ୍ରଣାଳୀର ସଂଶୋଧନ ପାଇଁ ସେ ଯେଉଁ ଅଭିନବ ନେତୃତ୍ୱ ନେଇଥିଲେ ତା’ର ଚିତ୍ର ବର୍ତ୍ତମାନ ଉପସ୍ଥାପନା କରାଯାଉଛି ।

 

ଲିଖନ ପ୍ରଣାଳୀର ପରିବର୍ତ୍ତନ ପାଇଁ ନିୟମ ପ୍ରଣୟନ :

କଚେରୀ ଭାଷା ପାର୍ଶୀର ପ୍ରଚଳନ ରହିତ କରିବା ପାଇଁ କୋର୍ଟ ଅଫ୍ ଡିରେକ୍ ଟର ବଙ୍ଗ ସରକାରଙ୍କୁ ୧୮୩୫ ସାଲରେ ଯେଉଁ ଡେସ୍‍ପାଚଟି ପଠାଇଥିଲେ ସେଥିରେ ଥିଲା ଯେ ପାର୍ଶୀଭାଷା ଆଉ ଅଧିକକାଳ ବିଚାର ବିଭାଗରେ ପ୍ରଚଳିତ ହେବା ଉଚିତ କି ନୁହେଁ ଏବଂ ଏ ଭାଷା ଉଠିଗଲେ ଶାସନ-ଗତ ଅର୍ଥ-ବ୍ୟୟ କେତେ କମ ହେବ, ଏ ଉଭୟର ବିଷୟରେ ମତାମତ ଦେବାକୁ ହେବ । କମ୍ପାନୀର ଏଇ ଡେସ୍‍ପାଚକୁ ବଙ୍ଗ ସରକାରଙ୍କ ସେକ୍ରେଟେରୀ ତା ୨୪.୧୧.୧୯୩୫ର ନଂ- ୨୧୯୬୧ ପତ୍ରରେ ସଦର ଦେୱାନୀ ଅଦାଲତର ରେଜିଷ୍ଟାରଙ୍କ ନିକଟକୁ ପଠାଇଥିଲେ । ରେଜିଷ୍ଟାର ମଧ୍ୟ ତା.୨୪.୧୨.୧୮୩୫ର ନଂ.୩୦୮୯ ପତ୍ରରେ ଏହାକୁ କଟକ କମିଶନରଙ୍କ ପାଖକୁ ପଠାଇଲା ବେଳେ ଲେଖିଥଲେ, “In the event of its appearing to you that any advantage would result from discontinuing the use of the Persian and the language of the Courts, you will state what language you would propose to substitute in its place, as will as whether the change would be attented with any and what reduction of expense’’ (୨) କଚେରୀ ଭାଷା ପରିବର୍ତ୍ତନ ପାଇଁ ଯେଉଁ ପ୍ରସ୍ତାବ ଏଥିରେ ସୂଚିତ ହୋଇଛି ତା’ ପରବର୍ତ୍ତୀ ସମୟରେ କାର୍ଯ୍ୟକାରୀ ହୋଇଥିଲା । ୧୮୩୯ ସାଲ ଜାନୁଆରୀ ପହିଲାରୁ ଓଡ଼ିଶାର କଚେରୀରେ ଓଡ଼ିଆ ଭାଷା ପ୍ରବର୍ତ୍ତିତ ହୋଇଥିଲା । ତଥାପି ତା’ ପୂର୍ବବର୍ଷ ଅର୍ଥାତ୍ ୧୮୩୮ ସାଲଟିରେ ପରୀକ୍ଷାମୂଳକ ଭାବେ ଏ ଭାଷା ପ୍ରଚଳନର ଆଦେଶ ପ୍ରଚାରିତ ହୋଇଥିଲା । କଚେରୀ ଭାଷା ପରିବର୍ତ୍ତନର ଏଇ ନୂତନ ଆଦେଶ ଓଡ଼ିଆ ଭାଷାର ଲିଖନ-ପ୍ରଣାଳୀରେ ପ୍ରଥମେ ବିଶେଷ ପ୍ରଭାବ ପକାଇଥିଲା । ପୂର୍ବର ଲିଖନ ପ୍ରଣାଳୀ ବହୁବିଧ ଦୋଷ-ଦୁର୍ବଳତାରେ ପରିପୂର୍ଣ୍ଣ ଥିଲା । ତା’ର ସଂସ୍କାର ନ କଲେ ହସ୍ତଲିଖିତ ଭାଷାକୁ ସହଜରେ ପଢ଼ି ଅର୍ଥ ବୁଝିବା ସମ୍ଭବପର ନ ଥିଲା । ଲିଖନ ପ୍ରଣାଳୀର ଶୁଦ୍ଧତା-ସମ୍ପାଦନ ଦିଗରେ ପ୍ରଥମ ନେତୃତ୍ୱ ନେଇଥିଲେ କମିଶନର ରିକେଟସ୍‍ ସାହେବ । ଓଡ଼ିଆ ଲିଖନ-ପ୍ରଣାଳୀରେ ଇଂରାଜୀଭାଷାର ବିରାମ-ଚିହ୍ନ ଓ ବଡ଼ ଅକ୍ଷର (କ୍ୟାପିଟାଲ ଲେଟର) ବିନା କଷ୍ଟରେ ପ୍ରବର୍ତ୍ତିତ ହୋଇ ପାରିବ କି ନାହିଁ ଏହା ଜାଣିବା ପାଇଁ ପ୍ରଥମେ କମିଶନର ରିକେଟସ୍‍ ତା ୨୭.୩.୧୮୩୮ରେ ପୁରୀ ମାଜିଷ୍ଟ୍ରେଟଙ୍କୁ ଲେଖିଥିଲେ । ଓଡ଼ିଆ ଅକ୍ଷରର ରୂପଗତ କୌଣସି ପରିବର୍ତ୍ତନ ନ କରି ଇଂରାଜୀ ପରି ନାମବାଚକ ବିଶେଷକୁ ବଡ଼ ବଡ଼ ଅକ୍ଷରରେ ଲେଖିବାର ପ୍ରଣାଳୀରେ ଏହା ପରବର୍ତ୍ତୀ ସମୟରେ ଏପରିକି ଆଜି ସୁଦ୍ଧା କୌଣସି ପ୍ରଭାବ ପକାଇ ପାରି ନାହିଁ; କିନ୍ତୁ ପ୍ରତି ବାକ୍ୟର ଅର୍ଥଅବବୋଧ ପାଇଁ ପ୍ରତ୍ୟେକ ବାକ୍ୟରେ ପୃଥକୀକରଣ ଏକାନ୍ତ ଆବଶ୍ୟକ, ବାକ୍ୟର ଆରମ୍ଭରୁ ଶବ୍ଦକୁ ବଡ଼ ଅକ୍ଷରରେ ଲେଖିଲେ ଏପରି ପୃଥକୀକରଣ ସ୍ଵାଭାବିକ ହୋଇପଡ଼େ-। ଲିଖିତ ଭାଷାର ସହଜ ଅବବୋଧ ପାଇଁ ଏଇ ପରିବର୍ଭନ ଅପେକ୍ଷା ରିକେଟସ୍‍ ସାହେବଙ୍କ ଅନ୍ୟାନ୍ୟ ବିରାମଚିହ୍ନ ପ୍ରଦାନର ପ୍ରସ୍ତାବ ଅତ୍ୟନ୍ତ ଉପାଦେୟ ଥିଲା । ଏପରି ପରିବର୍ତ୍ତନର ଆବଶ୍ୟକତା ଉପରେ ସେ ଲେଖିଥିଲେ । ‘‘Punctuation would be an immense improvement and sentences which would be perfectly unintelligible without Correct punctuation are by it rendered easily comprehensible and clean. At first, of course, mistakes would be made, but the advantage which will allow me by dividing the worlds, encourages me to attempt other improvements.

 

Now is the time for changes of this sort and I shall be obliged by any suggestion you will offer for improving the long neglected language, the restoration of which in all matters of recourse has been directed.’’ (୩)

 

ବାକ୍ୟର ଶବ୍ଦଗୁଡ଼ିକୁ ପୃଥକ୍ ପୃଥକ୍ ଲେଖି ସ୍ଥଳ ବିଶେଷରେ ବିରାମଚିହ୍ନ (ପଙ୍କଚ୍ୟୁଏସନ ମାର୍କ) ଦେବା - ଏପରି ଲିଖନ ପ୍ରଣାଳୀରେ ସମୁଦାୟ ବାକ୍ୟର ଅର୍ଥ ବୁଝିବାରେ କିଛି ଅସୁବିଧା ରହେ ନାହିଁ । ଚିର ଅବହେଳିତ ଓଡ଼ିଆ ଗଦ୍ୟଭାଷାର ଉନ୍ନତି ଦିଗରେ ବିଭିନ୍ନ ବିରାମଚିହ୍ନର ପ୍ରବର୍ତ୍ତନ, ଫଳରେ ଏ ଭାଷାର ସ୍ୱାଭାବିକ ସ୍ୱରୂପ ପ୍ରତିଷ୍ଠା ତଥା ତା’ର ଯଥାର୍ଥ ଗୌରବର ପୁନଃ ସଂସ୍ଥାପନ - ଏହା ହିଁ ଥିଲା ରିକେଟସ୍‍ ସାହେବଙ୍କ ଲିଖନ-ପ୍ରଣାଳୀ ପରିବର୍ତ୍ତନର ଶେଷ ଲକ୍ଷ୍ୟ । ସେ ସମୟର ଲିଖନ ପ୍ରଣାଳୀ କିପରି ଥିଲା ଓ ତାହା ଦ୍ଵାରା କି କି ଅସୁବିଧା ଦେଖା ଦେଉଥିଲା, ଅର୍ଥାତ୍ ଲିଖନ-ପ୍ରଣାଳୀର ଯେଉଁ ଅବସ୍ଥା ହେତୁ ଏପରି ପରିବର୍ତ୍ତନର ଆବଶ୍ୟକତା ସେ ଅନୁଭବ କରିଥିଲେ, ତା’ର ଏକ ବିଶଦ ଚିତ୍ର ସେଇ ବର୍ଷ ଏପ୍ରିଲ ମାସରେ ଲିଖିତ ଅନ୍ୟ ଏକ ପତ୍ରରେ ଦେବାକୁ ମିଳେ । ସେଥିରେ ଅଛି, “Some few people of superior quickness and intelligence doubtless can read Oreeah as it is now written with fluncy, but even they would understand it quicker with punctuation. It has often been found vey difficult to correctly understand Persian documents merely from the absence of pucctuation. I have seen many deggrees of court sentences which might be interpreted in three or four differnt ways merely because stops were not made use of .

 

I have observed many instances of roobocarries in which the old Persian absurdity of making sentences as long and unintelligible as possible, has been adopted. In all official proceedings the sentences should be as compact as possible and division into sections is highly desireable both with reference’’ reference to facility of comprehension and also for the sake of future ତଦାନୀନ୍ତନ ଲିଖନ ପ୍ରଣାଳୀର ସ୍ଵରୂପ ଉଦ୍‌ଘାଟନ, ଭାଷା-ସଂସ୍କାର ଦିଗରେ ବିଭିନ୍ନ ବିରାମଚିହ୍ନ (କମା, ପୂର୍ଣ୍ଣଚ୍ଛେଦ)ର ପ୍ରବର୍ତ୍ତନ, ଏ ଉଭୟର ଚିତ୍ର ଆମେ ଏଇ ପତ୍ରଟିରୁ ଦେଖିବାକୁ ପାଉ । ଏହାଦ୍ୱାରା ଭବିଷ୍ୟତରେ ଏ ଭାଷାର କି ଉନ୍ନତି ହେବାର ସମ୍ଭାବନା ସେ କଥା ମଧ୍ୟ ସେ ସୂଚାଇ ଦେଇଛନ୍ତି । ସେ ଲେଖିଛନ୍ତି – ‘‘I am aware that some troubles will be occasioned by these innovations, but much future advantage will be gained. The Oreeahs instead of being prejudiced against changes such as these, the advantages of which they see, eagerly welcome them and will make good progress if properly directed.” (୪)

 

କଚେରୀରେ ଓଡ଼ିଆ ଭାଷାର ପ୍ରଚଳନ ପରେ ଓଡ଼ିଆ ଲିଖନ ପ୍ରଣାଳୀରେ ଦେଖା ଯାଇଥିବା ଅସୁବିଧା ପ୍ରତି ଲକ୍ଷ୍ୟ ରଖି ରିକେଟସ୍‍ ପରବର୍ତ୍ତୀ କମିଶନର ମିଲସ୍‍ ସାହେବ ୧୮୩୯ ସାଲରେ ଲେଖିଥିଲେ, “Convinced as I am of the propriety and eventual benefit of the change (from Persian to Oriya) I must yet avow that it has come too suddenly to us. The Oriahs are for the most part indifferently acquainted with th eVernacular Tongue xxx (The Oriya) language is poor and diffuse, the character variable. One person is unable to read what he may have written two days previously. There is not dictionary of the Oriah language, not even a good vocabulary. Obstacles such as these are not to be conquered in a short space of a year. The consequence is that the public business has been much retarded by the sudden introduction of the new system.’’(୮)

 

ଶବ୍ଦର ଶୁଦ୍ଧତାସମ୍ପାଦନ, ଭାଷାର ସ୍ୱରୂପ ସ୍ଥିରୀକରଣ, ଲିଖନ ପ୍ରଣାଳୀରେ କେତେକ ନିର୍ଦ୍ଦିଷ୍ଟ ପଦ୍ଧତିର ଅନୁସରଣ – ଗୋଟିଏ ଗଦ୍ୟ-ଭାଷାର ଅଭିବୃଦ୍ଧି ଇତିହାସରେ ଉପର୍ଯ୍ୟୁକ୍ତ ତିନୋଟି ବିଷୟ ଏକାନ୍ତ ଅପରିହାର୍ଯ୍ୟ । ଏଥିରୁ ପ୍ରଥମ ଦୁଇଟି ଯଥାକ୍ରମେ ଅଭିଧାନ ଓ ବ୍ୟାକରଣର ଅନ୍ତର୍ଗତ । ଉନବିଂଶ ଶତାବ୍ଦୀରେ ଏ ଦିଗରେ ଆମସ୍ ସଟନଙ୍କଠାରୁ ଆରମ୍ଭ କରି ଜଗନ୍ନାଥ ରାଓଙ୍କ ପର୍ଯ୍ୟନ୍ତ (ଅଭିଧାନ କ୍ଷେତ୍ରରେ) ଓ ସଟନ ପଣ୍ଡିତ ବିଶ୍ୱମ୍ବର ବିଦ୍ୟାଳଙ୍କାରଙ୍କଠାରୁ ଆରମ୍ଭ କରି ରାଧାନାଥ ରାୟଙ୍କ ପର୍ଯ୍ୟନ୍ତ (ବ୍ୟାକରଣ କ୍ଷେତ୍ରରେ) ବହୁ ଲେଖକ ଦେଖା ଦେଇ ଓଡ଼ିଆ ଭାଷାର ଶୁଦ୍ଧତା ତଥା ତା’ର ଶାଳୀନତା ପ୍ରତିଷ୍ଠା ଦିଗରେ ସହାୟକ ହୋଇଥିଲେ । ଓଡ଼ିଆ ଲିଖନ ପ୍ରଣାଳୀର ବହୁବିଧ ଅଭାବ ଦୂର କରି ଅର୍ଥାବବୋଧ ପାଇଁ ଯେଉଁ କେତୋଟି ସର୍ବନିମ୍ନ ନିୟମ ବା ପଦ୍ଧତି (କମା, ପୂର୍ଣ୍ଣଛେଦ, ଶବ୍ଦର ପୃଥକ୍ ପୃଥକ୍ ଲିଖନ ପ୍ରଭୃତି) ପ୍ରଥମେ ରିକେଟସ୍‍ ସାହେବ ପ୍ରଶାସନିକ ଦୃଷ୍ଟିକୋଣରୁ ବିଚାର କରି ତା’ର କଠୋର ପ୍ରୟୋଗ ଉପରେ ଅତ୍ୟଧିକ ପ୍ରାଧାନ୍ୟ ଦେଇଥିଲେ; ସେ ସମସ୍ତଙ୍କ ଅମୃତମୟ ଫଳ ଆଜି ଆମେ ଉପଭୋଗ କରୁଛୁ । ଆଜିର ଲିଖନ ରୀତି, ଏପରି କି ମୁଦ୍ରଣ-ନୀତି ମଧ୍ୟ ରିକେଟସ୍‍ ସାହେବଙ୍କ ସେଇ ଦୂରଦୃଷ୍ଟିର ସର୍ବଶ୍ରେଷ୍ଠ ପରିଣତି ମାତ୍ର ।

 

ଓଡ଼ିଆ ଅନୁବାଦ ଓ ଓଡ଼ିଶାର କମିଶନର :

କଚେରୀରେ ଓଡ଼ିଆ ଭାଷାର ପ୍ରଚଳନ ପରେ ପରେ ସରକାରୀ କାଗଜପତ୍ର ତଥା ଲୋକଙ୍କ ଦରଖାସ୍ତ ଓଡ଼ିଆରେ ଲେଖାଯିବା ଯେପରି ଆଇନସଙ୍ଗତ ହେଲା, ଶାସନର ସୁବିଧା ଦୃଷ୍ଟିରୁ ସେଇ ହସ୍ତଲିପିକୁ ସହଜରେ ପଢ଼ି ବୁଝିବା ପାଇଁ ଲିଖନ ପ୍ରଣାଳୀରେ କେତେକ ନୂତନ ପଦ୍ଧତିର ପ୍ରବର୍ତ୍ତନ ଏକାନ୍ତ ଅପରିହାର୍ଯ୍ୟ ହୋଇପଡ଼ିଲା । ଏଇ ପ୍ରଶାସନିକ ପରିଚାଳନାର ଅଗ୍ରଗତି ଦିଗରେ ଶାସକ ଶାସିତ ମଧ୍ୟରେ ପାରସ୍ପରିକ ବୁଝାମଣା ଏକ ପ୍ରାଥମିକ ଆବଶ୍ୟକତା ଥିଲା । ଏପରି ଆବଶ୍ୟକତାର ପରିପୂରଣ ପାଇଁ ଇଂରାଜୀରେ ଲିଖିତ ନିୟମ କାନୁନ ଓଡ଼ିଆରେ ଅନୁଦିତ ହେବାର ଆୟୋଜନ କରାଯାଇଥିଲା । ଓଡ଼ିଶାର କମିଶନରଙ୍କ ସମେତ ସିଭିଲ ଓ ସେସନଜଜ ଏଚ.ଭି.ହଥର୍ଣ୍ଣ , ପୁରୀ ଜିଲ୍ଲାର ମାଜିଷ୍ଟ୍ରେଟ ଓ କଲେକ୍ଟର ଜେ.କେ, ଇୟାର୍ଟ, ଡେପୁଟି କଲେକ୍ଟର ରାୟ ବ୍ରଜସୁନ୍ଦର ରାୟ ଓ ମୁନସିଫ ଅବଦୁଲ ଦିନଙ୍କୁ ନେଇ ଯେଉଁ ଅନୁବାଦ କମିଟି ସରକାରଙ୍କୁ ଆଦେଶରେ ଗଠିତ ହୋଇଥିଲା ତାହା ୧୮୪୦ ସାଲ ଜୁଲାଇ ୧୮ ତାରିଖରେ ଗୋଟିଏ ଦୀର୍ଘ ରିପୋର୍ଟ ଲେଖିଥିଲେ । ଓଡ଼ିଆ ଅନୁବାଦ କର୍ମରେ ନିଯୁକ୍ତ ହେବା ପାଇଁ କିଏ ଏକାନ୍ତ ଉପଯୁକ୍ତ, ଅନୁବାଦ କିପରି କରିବାକୁ ହେବ, ଏଥିପାଇଁ କେତେ ଅର୍ଥ ଆବଶ୍ୟକ ହେବ ଓ ଅନୁବାଦକମାନେ କେତେ ପାରିଶ୍ରମିକ ପାଇବେ ଇତ୍ୟାଦି ବିଷୟ ଏମାନେ ଆଲୋଚନା କରିଥିଲେ । ଏମାନଙ୍କ ବିବେଚନାରେ ଆମସ୍ ସଟନ ଅନୁବାଦ ପାଇଁ ଉପଯୁକ୍ତ ବ୍ୟକ୍ତି ବୋଲି ବିବେଚିତ ହୋଇଥିଲେ ଓ ତାଙ୍କ କାମଟି ଅତିଶୟ କଷ୍ଟସାଧ୍ୟ ଥିବା ହେତୁ ସେ ପ୍ରାର୍ଥନା କରିଥିବା ଅର୍ଥର ପରିମାଣ ଏକାନ୍ତ ଯୁକ୍ତିଯୁକ୍ତ ବୋଲି ଏହି କମିଟି ମତ ଦେଇଥିଲେ । ଏପରି ଅନୁବାଦ ଏ ଦେଶର ଲୋକଙ୍କର କିପରି ଉପକାରରେ ଆସିବ ସେ ବିଷୟରେ ଏଇ ଅନୁବାଦ କମିଟି ଲେଖିଛନ୍ତି,

 

“The work (Oriya translation)is greatly wanted. It would be productive of incalculable good in improving the language which is not what it should be, and that the committee have little doubt that it would greatly facilitate the medium of communication between the Governor and the Governed.’’(୬)

 

ନିୟମ କାନୁନର ଓଡ଼ିଆ ଅନୁବାଦ ଶାସକ-ଶାସିତ ମଧ୍ୟରେ ପାରସ୍ପରିକ ସମ୍ପର୍କ ପ୍ରତିଷ୍ଠାର ଏକ ସହଜ ପନ୍ଥା ରୂପେ ପ୍ରଥମେ ବିବେଚିତ ହୋଇଥିଲେ ମଧ୍ୟ ଏହାଦ୍ୱାରା ପରୋକ୍ଷ ଭାବେ ଓଡ଼ିଆ ଭାଷାର ଉନ୍ନତି ସାଧିତ ହୋଇଥିଲା । କାରଣ, ଭାଷାର ସ୍ୱରୂପ ଯାହା ହେବା ଏକାନ୍ତ ଆବଶ୍ୟକ, ତାହା ନ ଥିବାରୁ ଏଇ ଅନୁବାଦ ମାଧ୍ୟମରେ ସେଇ ସ୍ୱରୂପ ପ୍ରତିଷ୍ଠା କରିବା ପାଇଁ ଓଡ଼ିଆ ଭାଷା ଏକ ଅପୂର୍ବ ସୁଯୋଗ ଲାଭ କରିଥିଲା । ସ୍ଥୁଳତଃ, ଯାହା ପ୍ରତ୍ୟକ୍ଷରେ ପ୍ରଶାସନିକ ଦୃଷ୍ଟିକୋଣରୁ ଏକ ନୀତି ରୂପେ ଅନୁସୃତ ହୋଇଥିଲା ତାହା ପରୋକ୍ଷରେ ଓଡ଼ିଆ ଭାଷାର ଉନ୍ନତିରେ ପର୍ଯ୍ୟବସିତ ହୋଇଥିଲା । ଏଇ ଲକ୍ଷ୍ୟରେ ଓଡ଼ିଆ ଗେଜେଟ ପ୍ରକାଶ ପାଇବା ଉଚିତ ବୋଲି ପରବର୍ତ୍ତୀ ସମୟରେ କମିଶନର ଲେଖିଥିବାର ଆମେ ଦେଖିବାକୁ ପାଉଁ । ୧୮୪୧ ସାଲ ଫେବୃୟାରୀ ତା ୩ରେ କମିଶନର ମିଲ୍‍ସ୍ ସାହେବ ଲେଖିଥଲେ :

 

"The Judge Mr. H.V. Hothorn in modification of the plan of translating Govt. Regualtions from begining to the end suggests that the commissioner of the Division in conjuction with the head of Judicial authority be authorised to select for translation into Oriah such of the Regulations and Acts of Govt. apperataining to this province as would in their opinion facilitate the despatch of public busienss and be of peculiar advantage to the Govt. and I would add to this suggestion that the forth comingn regulations and Govt. Gazeettee be also published in Oriah. If the expense of this work be considered too great. I would recommend that an Oriah translation of the Govt. Gazettee be alone published.’’ (୭)

 

ଓଡ଼ିଆ ଗେଜେଟ୍‍ଟି ସରକାରୀ ବ୍ୟୟରେ ପରିଚାଳିତ ହୋଇ ବହୁ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିଥିଲା । ଏଇ ପ୍ରସଙ୍ଗରେ ଓଡ଼ିଆ ପତ୍ରପତ୍ରିକା ପ୍ରକାଶ ଦିଗରେ କମିଶନରମାନେ କିପରି ଆର୍ଥିକ ସାହାଯ୍ୟ ଦେଉଥିଲେ ତାହା ବିଚାର କରାଯାଇପାରେ । ୧୮୫୫ ସାଲରେ ଲେସି ସାହେବ ଓଡ଼ିଆରେ ଗୋଟିଏ ପତ୍ରିକା ପ୍ରକାଶିତ ହେଲେ ସରକାର ଏଥିରୁ କିଛି କିଣିବା ଉଚିତ ବୋଲି ଅନୁରୋଧ କରନ୍ତେ କମିଶନର ଇ. ଏ. ସାମୁଓଏଲସ୍ ଏ ଅନୁରୋଧ ଯଥାର୍ଥ ଅନୁଭବ କରି ବଙ୍ଗ ସରକାରଙ୍କୁ ଯେଉଁ ପତ୍ର ଲେଖିଥିଲେ ସେଥିରେ ଥିଲା, “From the enquaries I have made I believe the experiment which Mr. Lacey has so laudaby undertaken will succeed, and I have no doubt that the magazine may become the instrument of introducing a taste for reading and may ultimately render education more popular with them than it is at present. The support of Govt. however is essential in the infancy of the undertaking and I would propose that this should be afforded bu subscribing for 50 copies for the first year.’’ (୮)

 

ଓଡ଼ିଆ ଭାଷା ଓ ଓଡ଼ିଆ ସାହିତ୍ୟର ଅଭିବୃଦ୍ଧି ଦିଗରେ ପତ୍ରପତ୍ରିକାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏ ଦିଗରେ ଓଡ଼ିଶା କମିଶନରଙ୍କ ସାହିତ୍ୟିକ ପଦକ୍ଷେପ ସର୍ବାଦୌ ଅଭିନନ୍ଦନୀୟ ।

 

ଓଡ଼ିଆ ପାଠ୍ୟପୁସ୍ତକ ଓ ଓଡ଼ିଶା କମିଶନର :

ଆଧୁନିକ ବିଦ୍ୟାଳୟ ପ୍ରତିଷ୍ଠା ଓ ବିଶ୍ଵବିଦ୍ୟାଳୟ ଉପଯୋଗୀ ପୁସ୍ତକ ପ୍ରଣୟନ, ଏ ଉଭୟ ବିଷୟ ବଙ୍ଗ ପ୍ରଦେଶ ଶିକ୍ଷା ବିଭାଗର ପ୍ରତ୍ୟକ୍ଷ ଦାୟିତ୍ୱରେ ଥିବାରୁ ଏ କ୍ଷେତ୍ରରେ ଓଡ଼ିଶା କମିଶନରମାନଙ୍କ ପ୍ରତ୍ୟକ୍ଷ ଅଂଶ ଗ୍ରହଣ କରିବାରେ ବିଶେଷ ସୁବିଧା ନ ଥିଲା । ତଥାପି ଏ ଉଭୟର ପରିଚାଳନା ଏମାନଙ୍କ ସାହାଯ୍ୟରେ ସଂସାଧିତ ହେଉଥିବାରୁ ସେମାନଙ୍କ ପରୋକ୍ଷ ଦାୟିତ୍ୱ ଅନୁଭବ କରିବା କଷ୍ଟକର ନୁହେଁ । ଓଡ଼ିଶାର ସରକାରୀ ସ୍କୁଲମାନଙ୍କରେ ପ୍ରଚଳନ ପାଇଁ ସଟନଙ୍କ ଲିଖିତ ବିଭିନ୍ନ ପୁସ୍ତକ କମିଶନରଙ୍କ ଆଦେଶରେ ଯେପରି କିଣା ଯାଉଥିଲା ସେଇପରି ଓଡ଼ିଆ ଅଭିଧାନର ମୁଦ୍ରଣ ପରି ଏକ ବ୍ୟୟ ବହୁଳ ବ୍ୟାପାରରେ ସରକାର ଆର୍ଥିକ ସାହାଯ୍ୟ ପ୍ରଦାନ କରିବାକୁ ଦ୍ୱିଧାବୋଧ କରି ନ ଥିଲେ । ଏଇ ଅଭିଧାନର ୩୦୦୦ କପି ଛପା ହେଲେ ପ୍ରତି ଖଣ୍ଡକୁ ଏକଟଙ୍କା ଆଠଅଣା ହାରେ ଟ୪୫୦୦/- ଖର୍ଚ୍ଚ ହେବାର ଅଟକଳ କରାଯାଇଥିଲା । ଏପରି ଏକ ମହତ୍ କାର୍ଯ୍ୟରେ ଏଇ ପରିମାଣ ଅର୍ଥ ବ୍ୟୟିତ ହେବା ଏକାନ୍ତ ଆବଶ୍ୟକ ବୋଲି ସୁପାରିଶ କରି ଏକ ପତ୍ର କମିଶନର ଗୋଲ୍‍ଡସ୍‍ବରୀ ସଦର ବୋର୍ଡକୁ ଲେଖିଥିଲେ । (୯)

 

ଓଡ଼ିଶାରେ ଶିକ୍ଷାର ପ୍ରସାର ଓ ଓଡ଼ିଶାର କମିଶନର

ଶିକ୍ଷା-ପ୍ରସାର କ୍ଷେତ୍ରରେ କମିଶନରମାନଙ୍କର କୌଣସି ପ୍ରତ୍ୟକ୍ଷ ଓ ସ୍ୱାଧୀନ ଦାୟିତ୍ୱ ନ ଥିଲେ ହେଁ ଶିକ୍ଷା ବିସ୍ତାର ବିଷୟରେ ସେମାନେ ସମୟ ସମୟରେ ଯେଉଁ ନିର୍ଭୀକ ଓ ଅନୁକୂଳ ଅଭିମତ ଦେଉଥିଲେ ସେଥିରେ ସେମାନଙ୍କର ଗଭୀର ଆନ୍ତରିକ ସ୍ୱତଃ ପରିସ୍ଫୁଟ ହୋଇ ଉଠୁଛି । (କ) କେଉଁ ସ୍ଥଳରେ ଲୋକେ କେତେ ପରିମାଣରେ ଆଧୁନିକ ଶିକ୍ଷା ପ୍ରତି ଅନୁରକ୍ତ ତାହା ହୃଦୟଙ୍ଗମ କରି ବିଦ୍ୟାଳୟ ପ୍ରତିଷ୍ଠା ଦିଗରେ ଏ ଦେଶର ଲୋକଙ୍କ ଆଶା ଆକାଙ୍‍କ୍ଷାକୁ ସଦରବୋର୍ଡକୁ ଅତି ନିର୍ଭିକ ଭାବେ ଅନୁମୋଦନ କରିବା, (ଖ) ସ୍ଥଳ ବିଶେଷରେ ଆଧୁନିକ ଶିକ୍ଷାପ୍ରତି ଲୋକଙ୍କର ଘୋର ବିତୃଷ୍ଣା ଭାବ ଥିଲେ ସୁଦ୍ଧା ଏଥିରେ ହତାଶ ବା ବିରକ୍ତ ନ ହୋଇ ଅପେକ୍ଷା କରିବା, ଅଥବା ଲୋକଙ୍କୁ ଆତ୍ମ ସଚେତନ ହେବା ପାଇଁ ସୁଯୋଗ ଦେବା, (ଗ) ସର୍ବୋପରି ସରକାର ନିଜେ ଖୋର୍ଦ୍ଧା, ବାଙ୍କୀ, ଅନୁଗୁଳ ପରି ଖାସ୍ ମାହାଲରେ ଜମିଦାର ଥିବା ବେଳେ ପ୍ରଜାମାନଙ୍କ ହିତ ଦୃଷ୍ଟିରୁ ଓ ପ୍ରଶାସନିକ ଦିଗରୁ ଶିକ୍ଷା ବିସ୍ତାରକୁ ନିଜର ଏକ ଶାସନଗତ କାବ୍ୟରୂପେ ବିବେଚନା କରିବା – ଏ ତିନୋଟି ବିଷୟରେ କମିଶନରମାନେ ଯେଉଁ ସତ୍‍ସାହସର ପରିଚୟ ଦେଇଛନ୍ତି ତାହା ଏ ଜାତିର ଇତିହାସରେ ଏକାନ୍ତ ସ୍ମରଣୀୟ । ଆମେ ନିମ୍ନରେ ସେମାନଙ୍କୁ କ୍ରମାନ୍ୱୟରେ ଉପସ୍ଥାପନା କରୁଛୁ ।

 

(କ) ବାଲେଶ୍ୱରରେ ଗୋଟିଏ ଆଧୁନିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସେଠା ଲୋକେ ଚେଷ୍ଟା କରୁଥିଲେ ସୁଦ୍ଧା ବଙ୍ଗର ଶିକ୍ଷା କମିଟି କୌଣସି ଆର୍ଥିକ ସାହାଯ୍ୟ ଦେଉ ନଥିଲେ । ଏହାକୁ ଲକ୍ଷ୍ୟକରି କମିଶନର ରିକେଟ୍‍ସ ସାହେବ କହିଥିଲେ ଯେ ସମଗ୍ର ବ୍ରିଟିଶ୍ ସାମ୍ରାଜ୍ୟ ମଧ୍ୟରେ ଓଡ଼ିଶାପରି ଆଉ କେଉଁ ପ୍ରଦେଶ ସରକାରୀ ସାହାଯ୍ୟ ଓ ଉଦାରତା ପାଇବା ଦିଗରେ ଅଧିକ ଉପଯୁକ୍ତ ବୋଲି ମୁଁ ବିବେଚନା କରେ ନାହିଁ । (୧୦) ପୁନଶ୍ଚ ବାଲେଶ୍ୱରରେ ଗୋଟିଏ ଇଂରାଜୀ ସ୍କୁଲ ପ୍ରତିଷ୍ଠା ପାଇଁ ବିଭିନ୍ନ ସମୟରେ ଦାବୀ କରାହୋଇ ଆସୁଥିଲେ ସୁଦ୍ଧା ବଙ୍ଗ ସରକାର ସେଥିପ୍ରତି କର୍ଣ୍ଣପାତ କରୁ ନଥିଲେ । ୧୮୪୬ ସାଲରେ ବାଲେଶ୍ୱର କଲେକ୍ଟର ଲେଖିଥିଲେ, “ବଙ୍ଗଳା ଓ ବିହାର ପ୍ରଦେଶ ସରକାରଙ୍କର ଯେଉଁ ସାହାଯ୍ୟ ପାଉଛନ୍ତି ବାଲେଶ୍ୱରବାସୀ ଶିକ୍ଷା କ୍ଷେତ୍ରରେ ଅନୁରୂପ ସାହାଯ୍ୟ ପାଇବା ଉଚିତ । ବଙ୍ଗଦେଶରେ ପ୍ରତି ଜିଲ୍ଲାରେ ଇଂରାଜୀ ସ୍କୁଲ ଥିଲାବେଳେ ସମଗ୍ର ଓଡ଼ିଶାରେ କେବଳ ଗୋଟିଏ ମାତ୍ର ଇଂରାଜୀ ସ୍କୁଲ ଅଛି । ଏହାରି ଉପରେ କମିଶନର ଲେଖିଥିଲେ,, ‘‘I quite concur with the above remarks and think if any portion of the Educational Fund is now availbale, it could not be better employed than in establishing a School when the people so well seem to appreciate the value of English.’’ (୧୧)

 

(ଖ) ଅନୁକୂଳ ଅବସ୍ଥା ନ ଥିଲେ ମଧ୍ୟ ସ୍କୁଲମାନ ବଞ୍ଚେଇ ରଖିବା ଦିଗରେ କମିଶନରମାନେ, କିପରି ଉତ୍ସାହ ଦେଉଥିଲେ ହରିହରପୁର ସ୍କୁଲଟି ତା’ର ଏକ ଉକୃଷ୍ଟ ଉଦାହରଣ-। ଏଠା ସ୍କୁଲଘର ତିଆରି କରିବା ପାଇଁ ଲୋକେ ଆର୍ଥିକ ସାହାଯ୍ୟ ଦେଲେ ନାହିଁ ଓ ଶିକ୍ଷାପ୍ରତି ଆଦୌ ଆକୃଷ୍ଟ ହେଲେ ନାହିଁ, ତେଣୁ ମାଜିଷ୍ଟ୍ରେଟ୍ ଏଇ ସ୍କୁଲକୁ ବନ୍ଦ କରି ଦେବାକୁ ପ୍ରସ୍ତାବ କରିବାରୁ କମିଶନର ଗୋଲ୍‍ଡସ୍‍ବରୀ ଲେଖିଥିଲେ , “The Collector suggests the closing of that school, but I am not prepared to second this recommendation as I think further time should be allowed to enable the people to undersatand the full value of the benefits which their present ignorance leads them to reject.’’ (୧୨)

 

(ଘ) ଖୋରଧାରେ ସ୍କୁଲ ପ୍ରତିଷ୍ଠା ପାଇଁ ୧୮୫୭ କକ୍‍ବର୍ଣ୍ଣ ସାହେବ ଯେଉଁ ଉପଯୁକ୍ତ କାରଣ ଉପସ୍ଥାପନ କରିଥିଲେ ସେଥିରେ ସରକାରଙ୍କ ଦୁର୍ବଳତା ସମାଲୋଚିତ ହେବା ସଙ୍ଗେ ସଙ୍ଗେ ନିଜର ସ୍ଵାଧୀନ ଅଭିମତ ପ୍ରତିଷ୍ଠାର ସଙ୍କେତ ଦେବାକୁ ମିଳେ । ସେ ଲେଖିଥିଲେ, “It is quite certain that had the Estate been in the hands of a private lord, the Govt. and its officers would naturally have expected him liberally to aid in promoting education among his tenants and I do not see how Govt. being the land-lord can escape the obligation to do the same, and in point of fact ought to set an example for private land-lords to imitate. This obligation on the part of the Govt. has been admitted in the cases of the Govt. Tributary Mahal of Ungool and Bankee in which 8 schools exist, all the expenses being defrayed from the revenue of the Estate.’’(୧୩)

 

ଓଡ଼ିଶାରେ ବଙ୍ଗଭାଷା ପ୍ରବର୍ତ୍ତନର ପ୍ରସ୍ତାବ ଓ ଓଡ଼ିଶାର କମିଶନର :

ପାର୍ଶୀଭାଷା ପରିବର୍ତ୍ତେ ଏ ଦେଶର କଚେରୀରେ ଓଡ଼ିଆଭାଷା ପ୍ରବର୍ତ୍ତନ କରାଯାଇଥିଲା-। ଫଳରେ ୧୮୩୮ ସାଲରୁ ଓଡ଼ିଆ ଭାଷାରେ କଚେରୀ-କାମ ନିର୍ବାହ ହେଉଥିଲା କିନ୍ତୁ ୧୮୪୦ ସାଲର ଆଦ୍ୟଭାଗରେ ଆସାମ ଓ ଓଡ଼ିଶା କଚେରୀମାନଙ୍କରେ ବଙ୍ଗଭାଷା ପ୍ରବର୍ତ୍ତିତ ହେବାର ଯେଉଁ ପ୍ରସ୍ତାବ ଉତ୍‍ଥାପିତ ହୋଇଥିଲା ତାହା ତତ୍‍କାଳୀନ କମିଶନରଙ୍କ ମନରେ ଘୋର ପ୍ରତିକ୍ରିୟା ସୃଷ୍ଟି କରିଥିଲା । କମିଶନର ମିଲ୍‍ସ୍ ସାହେବ ଯେଉଁ ପ୍ରତିବାଦପୂର୍ଣ୍ଣ ରିପୋର୍ଟଟି ଅତି ସାହସିକତାର ସହ ଲେଖିଥିଲେ ସେଥିରେ ଥିଲା – ‘‘I submit for the Board’s consideration the accomanying Original letters from the Judge of the Province and the Collectors and Magistrates of the three districts. All are opopsed to the change (from Oriya to Bengali) and I fully concur in this opinion. It is utterly impracticable and I should say that it would excite universal disatisfaction.’’ (୧୪) ଯେଉଁ କାର୍ଯ୍ୟଟି ଏକାନ୍ତ ଅସମ୍ଭବ ଓ ଲୋକଚିତ୍ତରେ ବ୍ୟାପକ ଅସନ୍ତୋଷ ସୃଷ୍ଟି କରିବାରେ ସମର୍ଥ, ତାହା ଅସ୍ଵୀକୃତ ତଥା ପ୍ରତ୍ୟାଖ୍ୟାତ ହେବାରେ ଆଶ୍ଚର୍ଯ୍ୟ କିଛି ନାହିଁ । ତଥାପି, ଓଡ଼ିଆ ଭାଷା ଉପରକୁ ଆସିଥିଲା ଦ୍ୱିତୀୟ ଆଘାତ ୧୮୪୭-୪୮ ସାଲରେ । ସେ ସମୟରେ କଟକ ଜିଲ୍ଲା ମାଜିଷ୍ଟ୍ରେଟ୍ ବାଉରିଙ୍ଗ୍ ସାହେବ ସେ ଜିଲ୍ଲାରେ ଥିବା ମସ୍ତ ଭର୍ଣ୍ଣାକୁଲାର ସ୍କୁଲରେ ଅତିକମ୍ ସଂଖ୍ୟକ ଓଡ଼ିଆ ଛାତ୍ର ଅଧ୍ୟୟନ କରୁଥିବାର ଲକ୍ଷ୍ୟ କରି କହିଥିଲେ, ଏ ଜିଲ୍ଲାର ଓଡ଼ିଆ ଭାଷା ପ୍ରଥମରୁ ଯାହା ଥାଉ ନା କାହିଁକି ବର୍ତ୍ତମାନ ଏହା ବଙ୍ଗ ଭାଷାର ଗୋଟିଏ ଉପଭାଷା ମାତ୍ର । ଉଚ୍ଚାରଣ ଓ ଲିପିଦୃଷ୍ଟିରୁ ଏ ଭାଷା ବଙ୍ଗ ଭାଷାଠାରୁ ବିଶେଷଭାବେ ପୃଥକ୍ । ମୋର ବ୍ୟକ୍ତିଗତ ଅଭିମତ ମୋର କ୍ଷମତାର କେତେଦୂର ଅନ୍ତର୍ଭୁକ୍ତ ମୁଁ ତାହା ଜାଣେ ନାହିଁ, ତଥାପି ମୁଁ କହିପାରେ ଯେ ସାଧାରଣ ଶାସନ-ନୀତି ଦୃଷ୍ଟିରୁ ବ୍ରିଟିଶ ରାଜ୍ୟରେ ଓଡ଼ିଆ ଗୋଟିଏ ସ୍ୱତନ୍ତ୍ର ଭାଷା ରୂପେ ତିଷ୍ଠି ରହିବା ଉଚିତ ନୁହେଁ । ଏ ଭାଷା କେବଳ କେତେ ଲକ୍ଷ ଲୋକଙ୍କ ଦ୍ଵାରା କଥିତ ହୁଏ । ଏହାର ଲିଖିତ ଭାଷା ବଙ୍ଗ ଦେଶରେ ଥିବା ତାଙ୍କର ସମପ୍ରଜାଗଣ ବଙ୍ଗାଳୀଙ୍କ ନିକଟରେ ଦୁର୍ବୋଧ୍ୟ ଅଟେ । କିନ୍ତୁ ଏ ଭାଷାର ଉଚ୍ଚାରଣ ପ୍ରତି କାନ ଅଭ୍ୟସ୍ତ ହୋଇଗଲେ ଏହାର କଥିତ ଭାଷା ଆଉ ଅବୁଝା ରହେନାହିଁ । ଏଇ କ୍ଷୁଦ୍ର ପ୍ରଦେଶ ଗୋଟିଏ ସ୍ୱତନ୍ତ୍ର ସାହିତ୍ୟ ପାଇବା ପାଇଁ ଆଶାକରି ନ ପାରେ । ଯଦି ଏଠାରେ ଓଡ଼ିଆ ଲିପି ପରିବର୍ତ୍ତେ ବଙ୍ଗଳା ଲିପି ପ୍ରବର୍ତ୍ତିତ ହୁଏ, ତା’ହେଲେ ଓଡ଼ିଶାର ଅଧିବାସୀ ବଙ୍ଗଳା ଭାଷା ଓ ବଙ୍ଗଳାର ଅଧିବାସୀ ଓଡ଼ିଆଭାଷା ସହଜରେ ବୁଝି ପାରିବେ । ପ୍ରତ୍ୟେକ ବଙ୍ଗଳା ଅକ୍ଷରର ଅନୁରୂପ ଅକ୍ଷର ଓଡ଼ିଆରେ ଅଛି ଏବଂ ଏ ଦିଗରେ ଏକ ପ୍ରାରମ୍ଭିକ ଚେଷ୍ଟା ଅତି ସହଜରେ କରାଯାଇ ପାରେ । (୧୫) ଓଡ଼ିଆ ଭାଷା ବଙ୍ଗଭାଷାର ଗୋଟିଏ ଉପଭାଷା – ବାଉରିଙ୍ଗ୍ ସାହେବ ଏଇ ଉକ୍ତି ଅତ୍ୟନ୍ତ ଭ୍ରମାତ୍ମକ ବୋଲି ତତ୍କାଳୀନ କମିଶନର ଗୋଲ୍‍ଡସ୍‍ବରୀ ଅତି ସ୍ପଷ୍ଟ ଭାବେ ଘୋଷଣା କରିଥିଲେ । ସେ ଲେଖିଥିଲେ, “ଉଚ୍ଚ ଶିକ୍ଷାବିତ୍‌ମାନେ କହନ୍ତି ଯେ ଓଡ଼ିଆ ଭାଷା ସଂସ୍କୃତ ଭାଷାର ଗୋଟିଏ ଶୁଦ୍ଧ ଉପଭାଷା; ବଙ୍ଗଭାଷା ସହିତ ଏହାର ବହୁ ସାମ୍ୟ ଥିଲେ ସୁଦ୍ଧା ଏହା ବଙ୍ଗଳାରୁ ଉଦ୍ ଭୁତ ନୁହେଁ । ଏହା ର ୨୦/୩୦ ଲକ୍ଷ ଲୋକଙ୍କର କଥିତ ଭାଷା-। ସୁବର୍ଣ୍ଣରେଖାଠାରୁ ଗଞ୍ଜାମର ଦକ୍ଷିଣକୁ ୪୫ ମାଇଲ ପର୍ଯ୍ୟନ୍ତ ଭୂଭାଗ, କଟକ ଟ୍ରିବ୍ୟୁଟାରୀ ମାହାଲ ଓ ମାନ୍ଦ୍ରାଜର କେତେକ ବଡ଼ ବଡ଼ ପାର୍ବତ୍ୟ ଜମିଦାରୀମାନଙ୍କରେ ଏ ଭାଷା ପ୍ରଚଳିତ । ଏପରି ଭାଷା ଲୋପପାଇଯିବା କିମ୍ବା ଏହାର ଲିପି ପରିବର୍ତ୍ତିତ ହେବା, ଏ ଉଭୟ ବିଷୟ ସମ୍ପୂର୍ଣ୍ଣ ମୂଲ୍ୟହୀନ । ଓଡ଼ିଶାରେ ଓଡ଼ିଆ ପରିବର୍ତ୍ତେ ବଙ୍ଗ ଭାଷାର ପ୍ରଚଳନ ଅତ୍ୟନ୍ତ ଆପତ୍ତିଜନକ । ଏ ନୀତି ଅନୁସୃତ ହେଲେ ବଙ୍ଗ ଦେଶର ଲୋକେ ଓଡ଼ିଶାରେ ଓଡ଼ିଆମାନଙ୍କୁ ଚାକିରିକ୍ଷେତ୍ରରୁ ବଞ୍ଚିତ କରିବାର ସୁବିଧା ଲାଭ କରିବେ । (୧୬) ଓଡ଼ିଶା କମିନଶନର ଉପର୍ଯ୍ୟୁକ୍ତ ଅଭିମତ ସଦର ବୋର୍ଡ ଦ୍ଵାରା ଗୃହୀତ ହେବାରୁ ବାଉରିଙ୍ଗ୍ ସାହେବଙ୍କ ଏଇ ଅବାଞ୍ଚିତ ପ୍ରସ୍ତାବଟି ନିଷ୍ପଳତାରେ ପରିଣତ ହୋଇଥିଲା ।

 

ସ୍କୁଲ କଚେରୀରେ ଓଡ଼ିଆ ପରିବର୍ତ୍ତେ ହିନ୍ଦୁସ୍ଥାନୀ ପ୍ରଚଳନର ପ୍ରସ୍ତାବ ଓ ଓଡ଼ିଶାର କମିଶନର :

ଯେଉଁ କମିଶନର ଗୋଲ୍‍ଡସ୍‍ବରୀ ସାହେବ ଦିନେ ବାଉରିଙ୍ଗ୍‍ଙ୍କ ଅବାଞ୍ଚନୀୟ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିଲେ, ବିଧିର ବିରାଟ ବିଡମ୍ବନାରୁ ସେ ପୁଣି ଏହାର ଏକ ବର୍ଷ ପରେ ଜଣେ ପୂର୍ବତନ କମିଶନର ରିକେଟ୍‍ସ ସାହେବଙ୍କ ହିନ୍ଦୁସ୍ଥାନୀ ଭାଷା ପ୍ରଚଳନ ପ୍ରସ୍ତାବର ସମ୍ମୁଖୀନ ହେବାକୁ ବାଧ୍ୟ ହୋଇଥିଲେ । ରିକେଟ୍‍ସଙ୍କ ପ୍ରସ୍ତାବର ପ୍ରତ୍ୟେକ ଦିଗକୁ ପୁଙ୍ଖାନୁପୁଙ୍ଖ ଆଲୋଚନା ତଥା ପ୍ରତ୍ୟାଖ୍ୟାନ କରି ସେ ଯେଉଁ ଦୀର୍ଘ ସୁଚିନ୍ତିତ ଅଭିମତ ପ୍ରକାଶ କରି ଯାଇଛନ୍ତି କମିଶନରମାନଙ୍କ ଶାସନକାଳୀନ ସମସ୍ତ ଘଟଣା ମଧ୍ୟରେ ଏକାନ୍ତ ସ୍ମରଣୀୟ । ରିକେଟ୍‍ସଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାକୁ ଯାଇ ସେ ଏ ଦେଶବାସୀଙ୍କ ଅନ୍ତରର କଥା ଏଇପରି ବଜ୍ରଗମ୍ଭୀର ସ୍ଵରରେ କହିଛନ୍ତି, “With regard to Mr. Rickett's proposition to introduce Hindoostanee into the school of eventually into the public offices of Cuttack instead of Oriya, I have no hesitation in giving it as my decide opinion formed afer a careful consideration of the subject that such a measure would be in the highest degree distasteful to the natives, would be attended with no countervailing advantages, and would be both impolitic and injudicious. (୧୭) କଚେରୀରେ ଓଡ଼ିଆ ପରିବର୍ତ୍ତେ ହିନ୍ଦୁସ୍ଥାନୀ ପ୍ରଚଳିତ ହେଲେ ଏହା ଏ ଦେଶ ଲୋକଙ୍କ ପକ୍ଷରେ ଅତିଶୟ ବିରକ୍ତିକର ହେବ – ଲୋକଚିତ୍ତରେ ଏଇ ପ୍ରତିକ୍ରିୟା ପ୍ରଦର୍ଶନ ପାଇଁ ସେ ଓଡ଼ିଆ ଭାଷା-ପ୍ରତିଷ୍ଠାର ଯେଉଁ ବିବରଣୀ ଦେଇଛନ୍ତି । ତାହା ଅନୁଧ୍ୟାନ କରନ୍ତୁ । ସେ ଲେଖିଛନ୍ତି, “Orissa is essentially a Hindoo province and from time immemorial Oriya has been the language of the people. Neither the Mogul invaders nor the successors the Mahrattas could effect any change in it - all they did was to introduce the use of Persian in the public offices but all village accounts and transaciton continued to be recorded in Oriya. We succeeded Mahrattas in 1803 and until 1837 Persian continued to be the official language. In that year the Govt. conferred upon the people one of the greatest blessings which they have enjoyed under our administration Viz, the substitution of their own language in the public offices for that of a foreign country and that they fully appreciate the inestimable good, will be apparent from the accompanying petition which has been presented to me on the part of the Zemindars of Cuttack. In this petition the names of Messers Wilkinson, Ricketts, B.J. Colvin and Mills are honourably mentioned as having been instrumental in obtaining for the advantages of which it is now proposed to deprive them and in their smplicity they appeal to these gentlemen for the preservation of their rights.’’

 

ହିନ୍ଦୁସ୍ଥାନୀ ପ୍ରବର୍ତ୍ତନର ସପକ୍ଷରେ ରିକେଟ୍‍ସଙ୍କ ଯୁକ୍ତି ଥିଲା, (କ) କଟକରେ ବହୁ ମୁସଲମାନ ଅଛନ୍ତି । ସେମାନେ ହିନ୍ଦୁସ୍ଥାନୀ ଭଲ ବୁଝିପାରନ୍ତି, କିନ୍ତୁ ଗୋଲ୍‍ଡସ୍‍ବରୀ ଅଭିମତ ଦେଇଛନ୍ତି ଯେ ହିନ୍ଦୁମାନଙ୍କ ତୁଳନାରେ ଓଡ଼ିଶାରେ ମୁସଲମାନଙ୍କ ସଂଖ୍ୟା ହେଉଛି ସମୁଦ୍ରକୁ କେତେ ବିନ୍ଦୁ ଜଳ ପରି । (ଖ) ରିକେଟ୍‍ସଙ୍କର ଯୁକ୍ତି ଥିଲା ଯେ ଉଚ୍ଚ ସରକାରୀ କର୍ମଚାରୀମାନେ ଓଡ଼ିଆ ଭାଷା ସହିତ ପୂର୍ବରୁ ପରିଚିତ ନ ହୋଇ ମଧ୍ୟ ଯେତେବେଳେ ଓଡ଼ିଶାରେ ଚାକିରି କରି ପାରୁଛନ୍ତି ସେତେବେଳେ ଓଡ଼ିଆ ପରିବର୍ତ୍ତେ ହିନ୍ଦୁସ୍ଥାନୀ ପ୍ରଚଳିତ ହେଲେ ବିଶେଷ କୌଣସି କ୍ଷତି ନାହିଁ । ଏହାର ଉତ୍ତରରେ ଗୋଲ୍‍ଡସ୍‍ବରୀ ଲେଖିଥିଲେ ଯେ ଲୋକଙ୍କ ଭାଷା ଜାଣିବା ଅଫିସରମାନଙ୍କର ଏକ ଶାସନଗତ କର୍ତ୍ତବ୍ୟ । ଏମାନେ ଏ ଦେଶର ଭାଷା ନ ଜାଣିଲେ ବୋଲି ଭାଷାକୁ ଉଠାଇ ଦେବା ଯୁକ୍ତି ସମ୍ପୂର୍ଣ୍ଣ ମୂଲ୍ୟହୀନ । ହିନ୍ଦୁସ୍ଥାନୀ ପ୍ରଚଳିତ ହେଲେ ଯେଉଁ ଦୁଇଟି ପ୍ରଧାନ ଅସୁବିଧା ଦେଖା ଦେବା ଗୋଲ୍‍ଡସ୍‍ବରୀଙ୍କ ମତରେ ତାହା ହେଉଛି, (କ) ଏ ଦେଶର ଶାସନ-କଳ ପରିଚାଳନା ପାଇଁ ଉତ୍ତର ପଶ୍ଚିମ ପ୍ରଦେଶରୁ ଲୋକଙ୍କୁ ଆଣିବାକୁ ପଡ଼ିବ, ଫଳରେ ଏ ଦେଶର ଲୋକେ ଚାକିରୀରୁ ବଞ୍ଚିତ ହେବେ । (ଖ) ହିନ୍ଦୁସ୍ଥାନୀ କଚେରୀରେ ପ୍ରବର୍ତ୍ତିତ ହେଲେ ଓଡ଼ିଆମାନେ ଅମଲା ହେବାର ସୁଯୋଗରୁ ଯେ କେବଳ ବଞ୍ଚିତ ହେବେ ତାହା ନୁହେଁ; ଯଥାର୍ଥ ନ୍ୟାୟ ବିଚାର ଲାଭ କରିବାକୁ ମଧ୍ୟ ସେମାନେ ସମର୍ଥ ହେବେନାହିଁ । କାରଣ ହିନ୍ଦୁସ୍ଥାନୀ ଜାଣିଥିବା ଲୋକ ବାଧ୍ୟବାଧକତାରେ ଓଡ଼ିଆ ଭାଷା ଶିକ୍ଷା କରି ସାକ୍ଷୀମାନଙ୍କଠାରୁ ଓଡ଼ିଆରେ ସାକ୍ଷ୍ୟ ଶୁଣି ତାକୁ ଇଚ୍ଛାନୁସାରେ ହିନ୍ଦୁସ୍ଥାନୀରେ ଏପରି ଭାଷାନ୍ତରିତ କରିଦେବେ ଯାହା ଫଳରେ ନ୍ୟାୟ ବିଚାରର ସମସ୍ତ ଗତିଧାରା ସମ୍ପୂର୍ଣ୍ଣ ବିକୃତ ହୋଇ ପଡ଼ିବ ।

 

ହିନ୍ଦୁସ୍ଥାନୀ ଭାଷା ପ୍ରଚଳନର ବିରୁଦ୍ଧରେ ଦିଆ ଯାଇଥିବା ଗୋଲ୍‍ଡସ୍‍ବରୀଙ୍କ ଉପର୍ଯ୍ୟୁକ୍ତ ଅଭିମତମାନ ବିଶ୍ଳେଷଣ କଲେ ଆମେ ଜାଣିପାରିବୁ ଯେ ତାଙ୍କର ଦୃଷ୍ଟି ଦୁଇଟି ବିଷୟ ଉପରେ ନିବଦ୍ଧ ଥିଲା । ଯଥା (କ) ଏ ଦେଶ ଲୋକମାନଙ୍କର ସ୍ୱାର୍ଥ-ସଂରକ୍ଷଣ ଓ (ଖ) ନ୍ୟାୟ ବିଚାର ପ୍ରତିଷ୍ଠାର କାମନା । ଏ ଉଭୟ ବିଷୟ ପ୍ରତି ସମଧିକ ଦୃଷ୍ଟି ଦେବା ଯେ ପ୍ରତ୍ୟେକ ସୁଶାସକର ପ୍ରଥମ ଓ ପ୍ରଧାନ ପ୍ରଶାସନିକ କର୍ତ୍ତବ୍ୟ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । କଚେରୀ ଭାଷା ପରିବର୍ତ୍ତନର ଅନାବଶ୍ୟକତା ପ୍ରତିପାଦନ କରିବା ପରେ ବିଦ୍ୟାଳୟମାନଙ୍କରେ ହିନ୍ଦୁସ୍ଥାନୀର ପ୍ରବର୍ତ୍ତନ କିପରି ଆହୁରି ଅର୍ଥଶୁନ୍ୟ ଓ ନିଷ୍ପ୍ରୟୋଜନ ତାହା ଦର୍ଶାଇବା ପାଇଁ ସେ ପୁରୀ କଲେକଟର ଫୋରର୍ବସ ସାହେବଙ୍କ ନିମ୍ନଲିଖିତ ମନ୍ତବ୍ୟଟି ଉଦ୍ଧାର କରିଛନ୍ତି ‘‘History and experience are unfavourable to the attempt of imposing on a people a foreign language or dialect. Five hundred years elapsed since wales was sudbued by England, but the people still ratain their language.’’ ଭାରତର ଅନ୍ୟାନ୍ୟ ସ୍ଥଳମାନଙ୍କରେ ଯେପରି ସରକାରୀ ସାହାଯ୍ୟ ଓ ପ୍ରେରଣା ଦିଆଯାଇଛି ଯଦି ଓଡ଼ିଆମାନେ ସେମିତି ପାଇପାରନ୍ତେ ତାହେଲେ ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତିକ୍ଷେତ୍ରରେ ସେମାନେ ଅନ୍ୟମାନଙ୍କଠାରୁ ବେଶୀ ସମୟ ପଶ୍ଚାତ୍‍ରେ ପଡ଼ି ରହନ୍ତେ ନାହିଁ, ସେଥିପାଇଁ କମିଶନର ସର୍ବଶେଷରେ ଲେଖିଥିଲେ, ‘‘see no reason why the Oriya language should not be made the vehicle of communication useful knowledge to the people of this province as the Bengali has been to the natives of Bengal and the Urdhoo to those of the Norht Western Provinces. All that is require is the same of the North Westen Provinces. All that is require is the same assistance and encouragement from Govt. as if afforded in other parts of India with which I have no doubt, thge Oriyas would not long behind in the march of native literature.’’ ଓଡ଼ିଆ ଭାଷାର ସଂରକ୍ଷଣ ଓ ତା’ର ଅଭିବୃଦ୍ଧି ଦିଗରେ ଏ ପର୍ଯ୍ୟନ୍ତ ଏହାଠାରୁ ଅଧିକ ବଳିଷ୍ଠ ଅଭିମତ କେଉଁ କମିଶନର ଦେଇଛନ୍ତି ବୋଲି ଆମର ମନେ ହୁଏ ନାହିଁ ।

 

ଓଡ଼ିଆ ଭାଷା ସଂରକ୍ଷଣ ସର୍ବଶେଷ କର୍ତ୍ତା ହେଉଛନ୍ତି କମିଶନର ରେଭେନ୍‌ସା ସାହେବ । ଗୋଲ୍‍ଡସ୍‍ବରୀଙ୍କ ସମୟଠାରୁ ଦୀର୍ଘ ଅଠରବର୍ଷ ଧରି ବହୁ ବାଦାନୁବାଦ ଚାଲି ଆସିଥିଲେ ହେଁ ଏଇ ଭାଷା-ବିଲୋପ ପ୍ରଶ୍ନଟି ୧୮୬୮ ସାଲରେ ଚରମ ସୀମାକୁ ଚାଲି ଆସିଥିଲା । ଅମଲା-ଅଫିସର ଶିକ୍ଷକମାନେ (ଯେଉଁମାନେ ଓଡ଼ିଆ ନୁହନ୍ତି) ଶିକ୍ଷାକ୍ଷେତ୍ରରେ ଓଡ଼ିଆ ଭାଷାକୁ ହତାଦର କରୁଥିବାର ଦେଖି କଟକର କେତେଜଣ ବିଶିଷ୍ଟ ଲୋକ ଗୋଟିଏ ଦରଖାସ୍ତ ଲେଖି ଓଡ଼ିଶା କମିଶନଙ୍କ ଜରିଆରେ ବଙ୍ଗ ସରକାରଙ୍କ ନିକଟକୁ ପ୍ରେରଣ କରିଥିଲେ । ଓଡ଼ିଶାର ସ୍କୁଲମାନଙ୍କରେ ଓଡ଼ିଆ ପଢ଼ା ହେବା ଏକାନ୍ତ ସମୀଚୀନ; ଏପରି ଏକ ଯୁକ୍ତିଯୁକ୍ତ ଅଭିମତ ମଧ୍ୟ କମିଶନର ସେଇ ଦରଖାସ୍ତ ଉପରେ ଲେଖିଥିଲେ । ଲୋକଙ୍କର ଏ ଦରଖାସ୍ତ ଓ ଓଡ଼ିଶାର କମିଶନରଙ୍କ ଅନୁକୁଳ ଅଭିମତ ଉପରେ ବଙ୍ଗସରକାରଙ୍କ ନିଜ ମନ୍ତବ୍ୟ, ଏ ସମସ୍ତ ୧୮୬୮ ସାଲ ଜୁଲାଇ ତା ୧୬ରେ ବଙ୍ଗଦେଶର ଡି.ପି.ଆଇଙ୍କ ନିକଟକୁ ଶେଷ ସିଦ୍ଧାନ୍ତ ପାଇଁ ପଠାଯାଇଥିଲା । ଡି.ପି.ଆଇ ତା ୧.୮.୧୯୬୯ରେ ନିଜର ଯେଉଁ ପ୍ରତିକୂଳ ଅଭିମତ ଦେଇଥିଲେ ତାହା ବଙ୍ଗ ସରକାରଙ୍କ ଦ୍ଵାରା ପ୍ରଶାସନିକ ଦୃଷ୍ଟିକୋଣରୁ ଗୃହୀତ ହୋଇ ନ ଥିଲା । ଫଳରେ ଓଡ଼ିଶାର ସ୍କୁଲମାନଙ୍କରେ ଓଡ଼ିଆ ଭାଷା ମାଧ୍ୟମରେ ଶିକ୍ଷାଦାନ ହୋଇ ପାରିବ ବୋଲି ବଙ୍ଗର ଛୋଟଲାଟ ସାହେବ ତା୮.୧୧.୧୮୬୯ ରେ ଏକ ଆଦେଶ ପ୍ରଚାର କରିଥିଲେ (୧୮) ଏଇ ଭାଷା-ସଂରକ୍ଷଣ ଦିଗରେ ରେଭେନ୍‌ସା ସାହେବ ଯେଉଁ କୃତିତ୍ୱ ଅର୍ଜନ କରିଥିଲେ ତାହାକୁ ଜନୈକକ ‘ପତ୍ରପ୍ରେରକ’ ତା ୧୬.୧.୧୮୬୯ରେ ଏଇପରି ବର୍ଣ୍ଣନା କରିଛନ୍ତି, “ମାତ୍ର ଏ ସକଳ (ବିଦ୍ୟାଳୟ ପ୍ରଭୃତି) ବିଷୟର ଉତ୍ଥାପନ କାରକ ଦେଶହିତୈଷୀ ଶ୍ରୀଯୁକ୍ତ କମିଶନର ରେଭେନ୍‌ସା ସାହେବ ଅଟନ୍ତି । ତାହାଙ୍କ ହିତ ଚେଷ୍ଟାରେ ଏ ଦେଶର ଏ ପର୍ଯ୍ୟନ୍ତ ଉନ୍ନତି ସାଧିତ ହେଉଅଛି; ନ ହେଲେ ଗତ ସମ୍ବତ୍ସରରେ ଏ ସ୍ଥାନର କର୍ମକାରକ ବଙ୍ଗ ଦେଶୀୟମାନେ ଯେପରି ଚେଷ୍ଟା କରିଥଲେ, ଆଜି ପର୍ଯ୍ୟନ୍ତ ଉତ୍କଳ ଭାଷାର ନାମ ନ ଥାନ୍ତା । ଏହି ଉତ୍କଳ ଭାଷା ଅରକ୍ଷିତା ହୋଇ ଦେଶ ତ୍ୟାଗର ଉନ୍ମୁଖୀ ହୋଇଥିଲା, କେବଳ ଉକ୍ତ ସାହେବ ମହୋଦୟଙ୍କ ସାହାଯ୍ୟରେ ନିଜ ଦେଶର ଅନୁରାଗିଣୀ ହୋଇ ରହିବାର ଇଚ୍ଛା କରିଅଛି ।’’ (୧୯)

 

ଉପସଂହାର

ଓଡ଼ିଆ ମାଟିରେ ଜନ୍ମ ଲାଭ କରି ଓଡ଼ିଆ ଭାଷା କହିପାରିବାର ସୁବିଧା କାଳରେ ଯେଉଁ ଓଡ଼ିଆମାନେ ଆଜି ସର୍ବବିଧ ଆର୍ଥିକ ଉନ୍ନତି ଓ ବହୁବିଧ ସାଂସାରିକ ପ୍ରତିପତ୍ତି ଉପଭୋଗ କରିବାରେ ସମର୍ଥ, ସେମାନେ ଏ ଦେଶ-ଭାଷାର ଉନ୍ନତି ଦିଗରେ ସେମାନଙ୍କ ଜୀବନରେ କେତେ ଦୂର କୃତ ସଂକଳ୍ପ ହୋଇଥାନ୍ତି, ତାହା ଗଭୀର ଭାବେ ଅନୁଧ୍ୟାନ କରିବା ଉଚିତ । ଏଇ ଉନ୍ନତ ବୁଦ୍ଧିଜୀବୀଙ୍କ ସହିତ ଦୀର୍ଘ ଏକଶତ ବର୍ଷ ତଳର ଓଡ଼ିଆ କମିଶନରମାନଙ୍କୁ ଥରେ ତୁଳନା କରି ଦେଖନ୍ତୁ ତ ! ଦରିଆ ସେପାରିରୁ ଶାସକ ହିସାବରେ ଆସିଥିଲେ ଗୋରା ସିଭିଲିଆନ୍ ଅଫିସର୍ ଉଇଲ୍ କିନ୍‍ସନ୍, ହେନେରୀ ରିକେଟ୍‍ସ, ଏ.ଜେ.ଏମ୍. ମିଲ୍‍ସ୍, ଜି. ଏଫ୍. ଗୋଲ୍‍ଡସ୍‍ବରୀ, ନିକ୍‍ବର୍ଣ୍ଣ ଓ ରେଭେନ୍‌ସାଙ୍କ ପରି କମିଶନର ଏବଂ ହୋର୍‍ବିସ୍‍ଙ୍କ ପରି ମାଜିଷ୍ଟ୍ରେଟ୍ । ଏ ମାଟିରେ ସେମାନେ ଜନ୍ମି ନଥିଲେ, ଏ ଦେଶର ଭାଷା ସେମାନେ ଶିଖି ନ ଥିଲେ, କି ଏ ଭାଷାରେ କଥାବାର୍ତ୍ତା କରୁ ନଥିଲେ; କିନ୍ତୁ ଗୋରା ଚମ ପାଇଁ ସେମାନେ ହୋଇଥିଲେ ଦେଶର ସର୍ବୋଚ୍ଚ ଶାସକ । ଏ ଦେଶକୁ ଆସି ସେମାନେ ଏ ମାଟିକୁ ଆପଣାର କରି ନେଇଥିଲେ । ଏ ଭାଷାକୁ ନ କହି ନ ଚିହ୍ନି ତାକୁ କିନ୍ତୁ ଦେଇଥିଲେ ସର୍ବଶ୍ରେଷ୍ଠ ସମ୍ମାନ । ଶାସକର ବିଚାରବୋଧ ଓ ଜୀବନର କର୍ତ୍ତବ୍ୟପରାୟଣତା ହିଁ ସେମାନଙ୍କ ଶାସନଗତ ନିଷ୍ପତ୍ତିକୁ ସର୍ବଦା ନିୟନ୍ତ୍ରଣ କରୁଥିଲା । ସେମାନେ ଏ ଦେଶର ମାଟି, ଏ ଭାଷାର ଗୌରବ ସଂରକ୍ଷଣ କରିବାକୁ ଯାଇ ପରିଶେଷରେ ଏ ଦେଶର ମଣିଷକୁ ଭଲପାଇ ବସିଥିଲେ । ଏମାନଙ୍କ ଉନ୍ନତି ପଥରେ ଯାହା କିଛି ଶୁଭପ୍ରଦ କଲ୍ୟାଣକର ବୋଲି ଶାସକ ଆଖିରେ ବିଚାର କରୁଥିଲେ, ସେମାନେ ନିର୍ବିଚାରରେ ତାକୁ କାର୍ଯ୍ୟରେ ପରିଣତ କରିବାକୁ ପଶ୍ଚାତ୍‌ପଦ ହେଉନଥିଲେ ।

 

ଆଧୁନିକ ଯୁଗରେ ଆଧୁନିକ ଶିକ୍ଷାପ୍ରାପ୍ତ ଏକ ଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀ ହିଁ ଦେଶ ଉନ୍ନତିର ଏକ ବଳିଷ୍ଠ ଭିତ୍ତିଭୂମି । ଏଇ ଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀର ଅଗ୍ରଗାମୀ ଚିନ୍ତାଧାରା ଓ କ୍ରିୟାକଳାପ ଭିତରେ ଦେଶର ସର୍ବବିଧ କଲ୍ୟାଣ ବିକାଶ ଲାଭ କରିବାକୁ ସୁବିଧା ପାଇଥିଲା । ଅତୀବ ଦୁଃଖର କଥା, ପୂର୍ବୋକ୍ତି କମିଶନର ଓ ମାଜିଷ୍ଟ୍ରେଟ୍‍ମାନେ ଯେତେବେଳେ ଏ ଦେଶକୁ ଆସିଥିଲେ, ସେତେବେଳେ ଏ ଦେଶରେ ସେ ପ୍ରକାର ଶିକ୍ଷା ନ ଥିଲା । ଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀ, ତେଣୁ, ସମ୍ପୂର୍ଣ୍ଣ କଳ୍ପନାତୀତ ଥିଲା । ଦେଶର ଏପରି ଅବସ୍ଥାରେ ଦେଶୋନ୍ନତିରେ ପ୍ରତ୍ୟକ୍ଷ ସହାୟକ ହେବା ପାଇଁ ସେମାନେ ଶିକ୍ଷା ପ୍ରସାର କରିବାକୁ ଯତ୍ନଶୀଳ ହୋଇ ପଡ଼ିଥିଲେ । ଦେଖି ବସିଲେ ଆମେ ଜାଣି ପାରିବୁ ଯେ, ଏ ଦିଗରେ ସେମାନଙ୍କ କ୍ରିୟା କଳାପ ଥିଲା ଅତିଶୟ ସୀମିତ - ଶିକ୍ଷା ବିସ୍ତାର କ୍ଷେତ୍ରରେ ସ୍ୱାଧୀନ ସିଦ୍ଧାନ୍ତ ନେବାର କ୍ଷମତା ସେମାନଙ୍କର ନ ଥିଲା । କିନ୍ତୁ ଶାସନ କେନ୍ଦ୍ରର ବହୁ ଦୂରରେ ଥାଇ ମଧ୍ୟ ଦେଶର ଯଥାର୍ଥ ଅଭାବ ଉପସ୍ଥାପନ କରିବା ଦିଗରେ ସେମାନେ ଆଦୌ ଅବହେଳା କରୁ ନଥିଲେ । ସେମାନେ ପ୍ରଥମେ ଯାହାକୁ ଶାସକର ଏକ ନୈତିକ କର୍ତ୍ତବ୍ୟ ଓ ପ୍ରଶାସନିକ ଦାୟିତ୍ୱବୋଧ ରୂପେ ବିବେଚନା କରିଥିଲେ (ଯେପରି ୧୮୩୭ ସାଲରେ ରିକେଟ୍‍ସ କହିଛନ୍ତି), ତାହା ସମୟକ୍ରମେ ଏକ ଗଭୀର ଆନ୍ତରିକତା ତଥା ନିଷ୍ଠାପରତାରେ ପର୍ଯ୍ୟବସିତ ହୋଇଥିଲା, - ଗୋବରୀ କିମ୍ବା କବଙ୍କର ପତ୍ରଗୁଡ଼ିକରେ ବଙ୍ଗଳା ସରକାରଙ୍କ ଓଡ଼ିଶା ପ୍ରତି ଅବହେଳା, ପକ୍ଷପାତ ନୀତି ତଥା ଅନୁଦାର ମନୋଭାବ – ସେଥିପାଇଁ ଅତି ଖୋଲାଖୋଲି ଭାବେ ସମାଲୋଚିତ ହେଉଥିବାର ଦେଖିବାକୁ ମିଳେ । ଏମାନେ ଶିକ୍ଷା ପ୍ରସାର ମାଧ୍ୟମରେ ଗୋଟିଏ ଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀ ଅଭ୍ୟୁଦୟର ମାର୍ଗ ପ୍ରସ୍ତୁତ କରି ଦେବାକୁ ସେମାନଙ୍କ ଶାସକ ଜୀବନର ଏକ ପରମ ନୈତିକ କର୍ତ୍ତବ୍ୟ ରୂପେ ଗ୍ରହଣ କରି ନେଇଥିଲେ ବୋଲି ଅନୁଭୂତ ହୁଏ । ଶାସକ ହିସାବରେ ଦେଶରେ ଶାନ୍ତି ଶୃଙ୍ଖଳାର ପ୍ରତିଷ୍ଠା ଓ ନ୍ୟାୟ ବିଚାରର ସୁପରିଚାଳନା ସେମାନଙ୍କ ପକ୍ଷରେ ଯେପରି ଏକ ଶାସନଗତ କର୍ତ୍ତବ୍ୟର ଅନ୍ତର୍ଗତ ଥିଲା । ଶିକ୍ଷିତ ଶ୍ରେଣୀର ଅଭାବରେ ଶିକ୍ଷା ପ୍ରସାର ମାଧ୍ୟମରେ ଗୋଟିଏ ନୂତନ ଶ୍ରେଣୀ ସୃଷ୍ଟି କରିବା ମଧ୍ୟ ସେଇମିତି ସେମାନଙ୍କର ଏକ ପ୍ରଶାସନିକ ଦାୟିତ୍ୱ ଥିଲା । ଏହି ଦାୟିତ୍ୱବୋଧରେ ସେମାନେ ବି ଗଭୀରଭାବେ ଉଦ୍‍ବୁଦ୍ଧ ହୋଇଥିଲେ ଓ ତାକୁ କାର୍ଯ୍ୟରେ ରୂପାୟନ କରିବା ପାଇଁ ବି ନିଷ୍ଠା ଓ ଆନ୍ତରିକତାରେ ସେମାନେ ପରିଚାଳିତ ହେଉଥିଲେ । ଆମର ପୂର୍ବୋକ୍ତ ଆଲୋଚନାରେ ଉଦ୍ଧୃତ ହୋଇଥିବା ସେମାନଙ୍କର ମୂଳମନ୍ତବ୍ୟ ଗୁଡ଼ିକ ତା’ର ମୂକସାକ୍ଷୀ ରୂପେ ଆଜି ଆମ ସମ୍ମୁଖରେ ପ୍ରଭାବିତ ହେଉଅଛି ।

 

ଆଜି ଆମେ ନିଜକୁ ଯେଉଁ ଶିକ୍ଷିତ ଶ୍ରେଣୀର ଅନ୍ତର୍ଭୁକ୍ତ ବୋଲି ଗର୍ବ ଅନୁଭବ କରୁଛୁ, ତାହା ଏହି କମିଶନରମାନଙ୍କ ଉଦାର ମନୋଭାବ ହେତୁ ସମ୍ଭବ ହୋଇ ପାରିଛି । ଆମକୁ ଶିକ୍ଷିତ ହେବା ପାଇଁ ଏମାନେ ବିଦ୍ୟାଳୟ ପ୍ରତିଷ୍ଠା କଲେ, ପୁସ୍ତକ ରଚନା ଦିଗରେ ଆର୍ଥିକ ସାହାଯ୍ୟ ଦେଲେ, ଶିକ୍ଷା ପ୍ରତି ଆକୃଷ୍ଟ ହେବାକୁ ବିନା ମୂଲ୍ୟରେ ସ୍ଳେଟ, ବହି, କାଗଜ ବିତରଣ କଲେ, ଦେଶର ନିୟମ କାନୁନ ଜାଣିବା ପାଇଁ ଦେଶ ଭାଷାରେ ସେସବୁ ଅନୁବାଦ କରାଇଲେ, ଓଡ଼ିଆ ଗେଜେଟ୍ ପ୍ରକାଶ କଲେ, ମାସିକ ପତ୍ରିକାର ପ୍ରସାର ପାଇଁ ଆର୍ଥିକ ସାହାଯ୍ୟ ଦେଲେ - ସ୍ଥୁଳତଃ ଗୋଟାଏ ଶିକ୍ଷିତ ଶ୍ରେଣୀର କ୍ରମ ଅଭ୍ୟୁଦୟ ଦିଗରେ ଯାହା ଯାହା ଏକାନ୍ତ ଅପରିହାର୍ଯ୍ୟ ସେ ସବୁଥରେ ସେମାନେ ଗଭୀର ଅନୁରାଗର ସହ ଅଂଶ ଗ୍ରହଣ କଲେ । ଆମେ କିନ୍ତୁ ଏଇମାନଙ୍କୁ ଅତି ସହଜରେ ବିସ୍ମୃତିର ଅତଳ ଗର୍ଭକୁ ନିକ୍ଷେପ କରି ନିଜ ନିଜକୁ ସର୍ବଶ୍ରେଷ୍ଠ ଦେଶସେବୀ ରୂପେ ପରିଚିତ କରାଇବାରେ ତିଳେ ମାତ୍ର ଅବହେଳା କରିନାହିଁ । କାଳସ୍ରୋତର ଉଜ୍ଜଳ ବାଲୁକାରାଶି ଉପରେ ନିକ୍ଷିପ୍ତ ଏଇ ନିରବ ସାଧକ ଶାସକମାନଙ୍କ ଅସ୍ପଷ୍ଟ ପାଦଚିହ୍ନ ବିସ୍ମୃତି-ବାତ୍ୟା-ପ୍ରଭାବରେ ଲୁକ୍କାୟିତ ହୋଇଯାଇଥିଲେ ହେଁ ସେହି ପାଦଚିହ୍ନର ସଙ୍କେତ ଅନୁସରଣ କରି ସେଇ ଉଦାରଚେତା ମହାମନା ଶାସକବର୍ଗଙ୍କ ବ୍ୟକ୍ତିତ୍ଵକୁ ସମ୍ମାନ ପ୍ରଦର୍ଶନ କରିବା ପ୍ରତ୍ୟେକ ଓଡ଼ିଆର ଏକ ପରମ ଜାତୀୟ କର୍ତ୍ତବ୍ୟ । ଯେଉଁମାନେ ଆମକୁ ମଣିଷ ହିସାବରେ ବଢ଼ି ଉଠିବା ପାଇଁ ହସ୍ତରେ ଶାସନ ଦଣ୍ଡ ଧାରଣ କରିଥିଲେ, ସେହିମାନେ ହିଁ ଆମ ତୁଣ୍ଡର ଭାଷାକୁ ଏକ ବିଷମ ଦୁର୍ଗତିରୁ ରକ୍ଷା କରି ତାକୁ ଆମରି ତୁଣ୍ଡରେ ପ୍ରତିଷ୍ଠା କରି ଯାଇଛନ୍ତି । ଯେଉଁମାନେ ଆମ ଭାଷାକୁ ଏକ ସ୍ଵତନ୍ତ୍ର ଭାଷାର ଗୌରବ ପ୍ରଦାନ କଲେ ସେଇମାନଙ୍କ କାର୍ଯ୍ୟକଳାପକୁ ସେହି ଭାଷାରେ ଭାଷାରେ ବନ୍ଦନା କରିବା ବ୍ୟତୀତ ସେମାନଙ୍କ ଋଣ ପରିଶୋଧ କରିବା ପାଇଁ ଆମ ପାଖରେ ଆଉ କିଛି ନାହିଁ ।

 

ପାଦଟୀକା:

୧.

Copies of Letters issued from Nov. to Dec. 1837. Vol. No. 64, P.37-42 Letter No. 2955 dated 7th Dec. 1837 From H. Richetts, Commissioner of Orissa to the Sudder Board of Revenew, Fort William, Bangal.

୨.

Extract from paragraph 23 of a Despatch from the Honourable court of Directors to the Govt. of Bengal dated the 26th, June, 1835. Vide Circulars of the Nizarat and the Suddear Dewan Adalat. 1831-35.Vol.No.55.

୩.

Copies of Letters issued from Jan. to June, 1838. Vol. No. 65, p. 18-19, Letter No. 685 deted 27the March, 1838 from H. Ricketts to the Magistrate of Pooreee.

୪.

Copies of Letters issued fro Jan, to June, 1838, Vol No. 64. P.76-79. Letter No. 1060 dated 14th April; 1838. from H. Ricketts to the Collector of Cuttack. A copy of this letter has also been sent to the Collectors of Balasore and Pooree.

୫.

Copies of Letters issued for Jan. and Feb. 1838. Vol. No. 67. p.242-45. Letter No. 313 dated 6th Feb, 1839 from A.J.M. Mills to the Sudder Board of Revenue, Fort William.

୬.

Copies of Letters issued from June to August 1940. Vol.No. 72. p.9093.Letter No.3076 dated 18th.July, 1840.From H.V. Hothorn etc. to the Secretary to the Sudder Board of Revenue. Fort William.

୭.

Copies of the Letters issued for 1841 Vol. No. 76 P.9-10. Letter No. 286 dated 3rd Feb. 1841 From A.J.M. Mills to the Sudder Board of Revenue, Fort William.

୮.

Copies of Letters issued to Collector of Cuttack and Board for 1855-57. Vol.NO.120. (Page not mentioned) Letter No. 389 dated 22nd Dec. 1855 from. E.A. Sammuels to the Secretary to the Govt. of Bengal, Revenue Dept.

୯.

Copies of Letters issued for 1850-51, Vol. No. 105, P.53-58. Letter No. 2241 dated 8th Oct. 1850 from Gouldsbury to the Sudder Board of Revenue, Fort William.

୧୦.

Copies of Letters issued from Nov. to Dec. 1837. Vol. No. 64. P. 37-42, Letter No. 2955 dated 7th Dec. 1837, from H. Ricketts to the Sudder Board of REvenue, Fort William

୧୧.

Copies of Letters issued in 1846 Vol. NO. 97. Letter No. 1463 dated 13 August 1846, from A.J.M. Mills to the Secretary to the Govt. of Bengal.

୧୨.

Copies of Letters issued in 1847-49. Vol.No.99. P.8-13 (The letter No. Is torn off) dated 9th March 1847. From Gouldsbury, Commisioner of Orissa.

୧୩.

Copies of Letters issued in 1855-57 Vol.No.124 (page not mentioned) Letter No. 58 dated 14th July 1857. From G.F., Cockburn, Orissa Commissioner, to the Secretary to the Board of Revenue.

୧୪.

Copies of Letters issued for 1841 Vo.No.76. P.9-10. Letter No. 286 dated 3rd Beb. 1841. From A.J.M. Mills to the Sudder Board of Revenue.

୧୫.

Copies of Letters issued in 1847-49. Vol. No.99. P.102-109. Letter No. 583 dated 27th June, 1849. From Gouldsbury to the Sudder Board of Revenue.

୧୬.

Annual Report of Council of Education, Bengal, for 1848-49 P.331-37.

୧୭.

Copies of Letters issued for 1850-51 Vol. No. 105 P.53-58. Letter No. 2241 dated 8th Oct. 1850. From Gouldsbury to the Sudder Board of Revenue.

୧୮.

General Report on public Instruction, Bengal, for 1869-70, P.64

୧୯.

ଉତ୍କଳ ଦୀପିକା (ତା ୧୬.୧.୬୯)ର ପ୍ରେରିତ ପତ୍ରରୁ ଉଦ୍ଧୃତ

 

***

 

ଓଡ଼ିଶାରେ ରଙ୍ଗମଞ୍ଚର କ୍ରମବିକାଶ

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ

 

ଓଡ଼ିଶାରେ ରଙ୍ଗମଞ୍ଚର କ୍ରମବିକାଶ ସମ୍ବନ୍ଧ କହି ବସିଲେ ଖଣ୍ଡିଏ ବଡ଼ ବହି ହେବ । ଏହାର ସମ୍ୟକ୍ ଆଲୋଚନାର ସ୍ଥାନ ଅନ୍ୟତ୍ର । ଏ ସମ୍ବନ୍ଧ କିଛି ବିଚାର ବସିବାବେଳକୁ ଏ କଥା ଅବଶ୍ୟ କୁହାଯିବ ଯେ ଆମେ ଭାରତୀୟ ମଞ୍ଚ କଳ୍ପନାଠାରୁ ଭିନ୍ନ ନୋହୁ । ଓଡ଼ିଶାର ମଞ୍ଚକଳା ମଧ୍ୟ ‘ମାଗିଅଣା ତିଅଣ’ ନୁହେଁ । ଆମର ଯାହା ପରମ୍ପରା ରହିଛି ଆମେ ତାକୁଇ ପରିସ୍ଥିତିକି ଅନାଇଁ, ମନାଇଁ ଓ ବନାଇଁ ଲୋକରେ ପରଷି ଆସୁଛୁ ।

 

ଆଗେ ଦେଖାଯାଉ, ନାଟକ କଅଣ ? - ନାଟକ ଦୃଶ୍ୟକାବ୍ୟ । ଏହା ଶ୍ରବ୍ୟ ଏବଂ ଦୃଶ୍ୟ । କାବ୍ୟ-ଜଗତରେ ସବୁଠୁ କଠିନ ରଚନା ହେଲା ନାଟକ । ନାଟ୍ୟ ସୃଷ୍ଟିକର୍ତ୍ତା କହିଛନ୍ତି ନାଟକ ଲୋକାନୁବୃତ୍ତିର ଅନୁକରଣ । ଏହା ସାର୍ବଜନୀନ ଓ ସାର୍ବବର୍ଣ୍ଣିକ ହେବ । ଆମ ଓଡ଼ିଶାର ଅମର କବି ପଣ୍ଡିତ ବିଶ୍ୱନାଥ କବିରାଜ ତାଙ୍କ ସାହିତ୍ୟଦର୍ପଣର ଷଷ୍ଠ ପରିଚ୍ଛେଦର ମୂଳରେ କହିଲେ ନାଟକ ‘ଦୃଶ୍ୟଂ ତତ୍ରାଭିନେୟମ୍' । ନାଟକରେ ଦୃଶ୍ୟନାମକ ଯେଉଁ କାବ୍ୟ — ଭେଦ ଅଛି ତାହା ଅଭିନୟଦ୍ୱାରା ପ୍ରଦର୍ଶିତ ହୁଏ ।

 

ବିଶ୍ୱନାଥ କବିରାଜଙ୍କ କାଳ ତ୍ରୟୋଦଶ ଶତାବ୍ଦୀ ବା ତାହାର କିଛିପୂର୍ବ ପଣ୍ଡିତମାନେ ଏହା ସ୍ଥିର କରିଛନ୍ତି । ଏହାଙ୍କର ପ୍ରପିତାମହ କବି-ପଣ୍ଡିତପ୍ରବର ନାରାୟଣ ବୋଲି ସାହିତ୍ୟଦର୍ପଣର ୩ୟ ଅଧ୍ୟାୟରେ ସ୍ଵୟଂ କବିରାଜ ଉଲ୍ଲେଖ କରିଛନ୍ତି । ଶ୍ରୀ ଗୀତଗୋବିନ୍ଦର “ସର୍ବାଙ୍ଗସୁନ୍ଦରୀ” ନାମକ ସର୍ବପ୍ରଥମ ଟୀକାକାରରୂପେ ଏହି କବିରାଜ ନାରାୟଣଙ୍କୁ ଚିହ୍ନିତ କରାଯାଉଅଛି ।

 

ସାହିତ୍ୟଦର୍ପଣକାର ନାଟ୍ୟ ସମ୍ବନ୍ଧେ ଯେପରି ବିଷଦ ଆଲୋଚନା ବାଢ଼ିଛନ୍ତି, ତହିଁରୁ ଏ କଥା ନିଶ୍ଚିତ ଯେ ତାଙ୍କ କାଳକୁ ଓଡ଼ିଶାରେ ନାଟ୍ୟ ଓ ମଞ୍ଚର ବିଶେଷ ପ୍ରଚାର ପ୍ରସାରହୋଇ ସାରିଥିଲା । ଏହାର ଅନ୍ୟତମ ଜ୍ୱଳନ୍ତ ପ୍ରମାଣରୂପେ ଆଜି ଖଣ୍ଡଗିରିର ଅପାସୋରା ପାଷାଣ ବୁକୁରେ ଆମ ଅମର ଶିଳ୍ପୀଙ୍କର ଅଲିଭା ପୁଆରି ଗାରରେ ଖୋଦିତ ମହାମେଘବାହନ ଦିଗ୍‍ବିଜୟୀ ସମ୍ରାଟ ଖାରବେଳଙ୍କ ଶିଳାଲିପି ଜଗତକୁ ଜଣାଇଁ ଦିଏ ଯେ ଏ ଜାତି ଖ୍ରୀଷ୍ଟଙ୍କ ଜନ୍ମ ପୂର୍ବରୁ ନାଟ୍ୟକଳାର ଅନୁରାଗୀ ।

 

ଏହାପରେ ବହୁଶତାବ୍ଦୀ ପର୍ଯ୍ୟନ୍ତ ଉତ୍କଳର ନାଟ୍ୟ-ପ୍ରମାଣ ଅବଧି କିଛି ମିଳିନାହିଁ । ନାଟକ ବା ରୂପକାର ଅନ୍ୟାନ୍ୟ ବିଭାଗକୁ ଯେ ଏକ ସୁସଭ୍ୟ କଳାପ୍ରିୟ ଜାତି ଏତାବତ୍‍କାଳ ସମାଦର କରୁ ନଥିଲେ, ଏକଥା କଦାପି ସମ୍ଭବ ନୁହେଁ । ଇତିହାସ ଲିଖନ ଘେନି ଆମର ଅମନୋ-ଯୋଗିତା ଅବା ଶିଥିଳତାହିଁ ଆଜି ଆମକୁ ଏ ସମ୍ବନ୍ଧେ ଅନୁତାପରେ ସଢ଼ାଉଛି ।

 

ମୁଁ ଏଠାରେ ଗୋଟିଏ ବିଶେଷ ପ୍ରସଙ୍ଗ ପ୍ରତି ସହୃଦୟ ପାଠକମାନଙ୍କର ଦୃଷ୍ଟି ଆକର୍ଷଣ କରୁଛି । ପ୍ରଥମରୁ କହିରଖେ ଯେ ଏହା ମୋର ଆସ୍ଫାଳନ ବା ଗର୍ବୋଦ୍ଧତ ଭଣିତା ନୁହେଁ, ଏହା ଏକ ନିରାଟ, ଅବିସଂବାଦିତ ସତ୍ୟ ବା ତଥ୍ୟ ପ୍ରକାଶ ।

 

କିଏ ନ ଜାଣେ ଯେ ସାମବେଦ ସଂଗୀତସୃଷ୍ଟିର ମୂଳ, କିନ୍ତୁ ସେ ସଂଗୀତର ରୂପରେଖ ଥିଲା ଅଲଗା, ଛନ୍ଦ, ବୃତ୍ତ ବା ଗୁରୁଲଘୁ ନିୟମକ୍ରମରେ ଯତି ନିବନ୍ଧନ ମଧ୍ୟରେ ସଂଗୀତ ତାହାର ଅଙ୍ଗ ପ୍ରକାଶ କରୁଥିଲା ।

 

“ଜଗନ୍ନାଥପୁରୀପ୍ରାନ୍ତେ ଦେଶେଚୈବୋକୁଳାଭିଧେ-’’ ସ୍ଥଳୀର ବିନ୍ଦୁବିଲ୍ୱଗ୍ରାମନିବାସୀ ପୁରୁଷୋତ୍ତମପୁଜକ ଉତ୍କଳୀୟ କବି ରାଧାମାଧବ ଗତପ୍ରାଣ ସାଧୁପ୍ରଧାନ ଜୟଦେବ ପ୍ରଥମେ ଶ୍ରୀ ଗୀତଗୋବିନ୍ଦରେ ରସାନୁସାରୀ ରାଗ-ତାଳ-ସମନ୍ୱିତ ଲଳିତ-କୋମଳ-କାନ୍ତପଦାବଳୀ ବିମଣ୍ଡିତ ଶୁଣାଇଲେ ସଂଗୀତ, ତାଙ୍କର ରଚନା ‘ଜିହ୍ୱୋଷ୍ଠ ବିରାମସ୍ଥଳ ଯତିବନ୍ଧନକୁ ସ୍ୱୀକାର କରେନାହିଁ । କାରଣ ଏହା ତାଳାନୁଗ, ସଙ୍ଗୀତରଚନା ତାଳ-ଯତି ନିୟମାଧୀନ ହୋଇ ନ ପାରେ । ଶ୍ଳୋକ, ବୃତ୍ତ ବାଛନ୍ଦ, ଯତି ଅନୁଶାସିତ ସିନା, ସଂଗୀତ ସମ୍ପୂର୍ଣ୍ଣ ସ୍ଵର ତାଳ ପରିଚାଳିତ, ଶ୍ଳୋକ ଆବୃତ୍ତି ପାଇଁ ସଂଗୀତ ଗାୟନ ପାଇଁ ଉଦ୍ଦିଷ୍ଟ ।

 

ମହାକବି କାଳିଦାସଙ୍କ “ବିକ୍ରମୋକ୍ରୋଶୀୟ’’ ନାଟକର ‘ଡ୍ରୋଟକ’ର ଚତୁର୍ଥ ଅଙ୍କରେ ଗୀତିନାଟ୍ୟର ବର୍ଣ୍ଣନା ସ୍ଥାନ ପାଇଅଛି । ଦ୍ଵାଦଶ ଶତାବ୍ଦୀରେ ଆମେ ପାଉଁ ଉତ୍କଳର ପ୍ରଥମ ଗୀତିନାଟ୍ୟ ଶ୍ରୀ ଗୀତଗୋବିନ୍ଦ, ଏହା ଏକ ସୁନ୍ଦର ଗୀତାଭିନୟ; ଏହାକୁ ଆମ ନାଟକର ଜନ୍ମ ଅଧାୟ ବୋଲି ସହଜରେ ଘେନାଯାଇ ପାରେ । ପୂର୍ବ କଳ୍ପନା ପରେ ଗୀତିନାଟ୍ୟ ମୁକ୍ତ ରଙ୍ଗାଳୟରେ ଅଭିନୀତ ହୁଏ । ମହାମୁନି ଭରତଙ୍କ ନିର୍ଦ୍ଦିଷ୍ଟ ବିଭିନ୍ନ ତିନିଶ୍ରେଣୀର ରଙ୍ଗଶାଳାର ବର୍ଣ୍ଣନା ଥିଲେ ମଧ୍ୟ ମୁକ୍ତ ରଙ୍ଗମଞ୍ଚର ମଧ୍ୟ ପ୍ରଥମ ସୂଚନା ମିଳେ ।

 

ମୁକ୍ତ ରଂଗଶାଳାରେ ନଟନଟୀ ଏବଂ ଚତୁର୍ଦ୍ଦିଗରେ ଘେରି ରହିଥିବା ଦର୍ଶକମଣ୍ଡଳିଙ୍କ ମଧ୍ୟରେ ସହଜ ସାକ୍ଷାତ (ପରିଚିତ) ଭାବରେ ଆଦାନପ୍ରଦାନ ଏବଂ ସ୍ୱାଭାବିକ ରସାନୁଭୂତିର ଯେଉଁ ସୁବିଧା ସୁଯୋଗ ମିଳେ ତାହା ତିନି ଦିଗରୁ ଆବଦ୍ଧ ରଙ୍ଗମଞ୍ଚରେ ସମ୍ଭବପର ହୁଏ ନାହିଁ ।

 

ବାହାରୁ ଦେଖିଲେ ଗୀତଗୋବିନ୍ଦ ଦୃଶ୍ୟ ଓ ଅଙ୍କ-ବିଭାଗବିହୀନ; କିନ୍ତୁ ଟିକିଏ ବିଚାରଦୃଷ୍ଟିରେ ଦେଖିଲେ ଦେଖାଯିବ ଯେ ଗୀତଗୋବିନ୍ଦର ଦ୍ଵାଦଶ ସର୍ଗ ମଧ୍ୟରେ ନାଟକୀୟ ଦୃଶ୍ୟ ଓ ଅଙ୍କବିଭାଗ କଳ୍ପନାର ଅଭିପ୍ରାୟାନୁସାରୀ ବିଭକ୍ତିର ସମସ୍ତ ବ୍ୟବସ୍ଥା ସୁସଜ୍ଜିତ ।

 

ଶ୍ରୀ ଗୀତଗୋବିନ୍ଦ ପୂର୍ବରୁ ଭାରତରେ ଯେ ନାଟକ ରଚିତ ହୋଇ ନଥିଲା ତାହା ନୁହେଁ । ପ୍ରଥମ ନାଟକ ରଚୟିତା ମହାମାନ୍ୟ କବି ଭାସଙ୍କଠାରୁ ଆରମ୍ଭକରି ମହାକବି କାଳିଦାସ ପ୍ରଭୃତି ବହୁ ରୂପକ ରଚନା କରିଯାଇଛନ୍ତି । ସେ ସମସ୍ତ ଭାଷା ସଂସ୍କୃତ, ଶ୍ରୀ ଗୀତଗୋବିନ୍ଦର ଭାଷା ମଧ୍ୟ ସଂସ୍କୃତ କିନ୍ତୁ ସରଳ । ସରଳ, ସରସ ସୁଲଳିତ-ସଂଗୀତମୟ, ଆହୁରି ଗୀତିନାଟ୍ୟର ସମାଦର ଥିବାର ପ୍ରମାଣ ଦିଏ ଓଡ଼ିଶାର ‘ଲୀଳା’ ବା ସୁଆଙ୍ଗ’ ପ୍ରବର୍ତ୍ତନା ରୀତି ।”

 

ଶ୍ରୀ ଗୀତଗୋବିନ୍ଦ ପରେ ବହୁକାଳ ଉତ୍କଳ ଇତିହାସରେ ଗୀତିନାଟ୍ୟ, ଲୀଳା ବା ନାଟକରଚନାର ଇତିହାସ ମିଳେ ନାହିଁ ।

 

ପ୍ରଥିତଯଶା ମହାରାଜ କପିଳେନ୍ଦ୍ର ଦେବ ପନ୍ଦରଶହ ଶତାବ୍ଦୀରେ ରଚନା କରି ମଞ୍ଚସ୍ଥ କରାଇଲେ ‘ପରଶୁରାମବ୍ୟାଯୋଗ’ । ଏହାର ଭାଷା ସଂସ୍କୃତ ହୋଇଥିଲେ ଓଡ଼ିଆ ଭାଷାର ଗୀତ ଏ ନାଟକରେ ସ୍ଥାନ ପାଇଥିଲା । ବ୍ୟାଯୋଗ ରୂପକର ଅନ୍ୟତମ ବିଭାଗ । ରୂପକ ଏଇ ଶବ୍ଦ (ରୂପ+କ)ର ଅର୍ଥ ‘ରୂପ’ର ଅଂଶ ପ୍ରତୀତ ବା କ୍ଷୁଦ୍ର ଅଂଶ ବୁଝାଏ; ବ୍ୟାଯୋଗ ମାତ୍ର ଏକାଙ୍କ ବିଶିଷ୍ଟ ଦୃଶ୍ୟକାବ୍ୟ । ଯହିଁରେ ଯୁଦ୍ଧାଦି ବର୍ଣ୍ଣିତ ହୋଇ ଅଭିନୀତ ହେବ; କିନ୍ତୁ ଏହି ଯୁଦ୍ଧର କାରଣ ସ୍ତ୍ରୀ ହୋଇ ନ ଥିବ । ଏହା ଆରଭଙ୍ଗୀ ବୃତ୍ତାବିଶିଷ୍ଟ ଏକ ରୂପକ ।

 

‘ପରଶୁରାମବ୍ୟାଯୋଗ’ ଏହି ନାମକରଣର ଯଥାଯୋଗ୍ୟତା ବିଚାର କରାଯାଉ । ବିଖ୍ୟାତ ନାଟ୍ୟକାର ରାଜକବି କପିଳେନ୍ଦ୍ର ଦେବ ରଚନାଟିକୁ ବ୍ୟଯୋଗ ଆଖ୍ୟା ଦେଇଛନ୍ତି । ପରଶୁରାମଙ୍କ ଯୁଦ୍ଧ ବିଗ୍ରହ ଏହାର ବର୍ଣ୍ଣିତ ବସ୍ତୁ । ଯୁଦ୍ଧ-ବର୍ଣ୍ଣନା ଅନ୍ୟତମ ରୂପକ ଈହାମୃଗରେ ମଧ୍ୟ ସ୍ଥାନ ପାଏ; କିନ୍ତୁ ଦିବ୍ୟ ସ୍ତ୍ରୀ ଓ ଦେବତାଙ୍କର ପ୍ରଣୟଲୀଳା ଏହାର ମୁଖ୍ୟ ବର୍ଣ୍ଣନାର ବିଷୟ ଏବଂ ଗୌଣ ହେଲା ଯୁଦ୍ଧ ବିଗ୍ରହ । ପରଶୁରାମ ବିଜୟରେ କୌଶିକୀ ବୃତ୍ତି ବା ପ୍ରଣୟ ଇତ୍ୟାଦି ବର୍ଣ୍ଣନାର ସ୍ଥାନ ନାହିଁ । ତେଣୁ ଏହା ବ୍ୟାଯୋଗ । ନାଟ୍ୟ ସମ୍ବନ୍ଧରେ ସବିଶେଷ ଚର୍ଚ୍ଚା ନଥିଲେ ନାଟ୍ୟରଚନାର ଏପରି ବିଶିଷ୍ଟ ଶ୍ରେଣୀର ନାମକରଣ ସମ୍ଭବ କି ? ଅତଏବ ଏ କଥା ସ୍ପଷ୍ଟ ପ୍ରମାଣିତ ଯେ ସେ ସମୟକୁ ଉତ୍କଳରେ ନାଟ୍ୟକଳା ପ୍ରଚାର ପ୍ରସାର ଲାଭ କରି ପାରିଥିଲା ।

 

ପରଶୁରାମବ୍ୟାଯୋଗ ପରେ ଆମେ ପାଉଁ ‘ଜଗନ୍ନାଥବଲ୍ଲଭ ନାଟକ’ । ରାୟରାମା ନନ୍ଦ ପଟ୍ଟନାୟକ ଏହାର ରଚୟିତା । ଏହି ନାଟକଟିରେ ଶ୍ରୀଗୀତଗୋବିନ୍ଦର ଛନ୍ଦ-ଗୀତିର ଅନୁକୃତି ଭରି ରହିଛି । ନାଟ୍ୟକାର ସ୍ଵୟଂ ଏ ନାଟକଟି ମଞ୍ଚସ୍ଥ କରାଇଥିଲେ ପୁରୀ ଜଗନ୍ନାଥବଲ୍ଲଭ ମଠରେ । ଏଥିରେ ନାରୀ ଭୂମିକାରେ ନାରୀ ହିଁ ଅଂଶଗ୍ରହଣ କରିଥିବାର ପ୍ରମାଣ ମିଳେ ।

 

ନାଟ୍ୟଶାସ୍ତ୍ରରୁ ନାଟ୍ୟବୃତ୍ତି-ବିଧାନରେ କୈଶିକୀ ବୃତ୍ତି ପ୍ରୟୋଗର ନିର୍ଦ୍ଦେଶ ଅଛି । କୌଶିକୀବୃତ୍ତିର ଚାରିଭେଦ ମଧ୍ୟରେ (ନର୍ମ, ନର୍ମସ୍ପର୍ଶ, ବର୍ଗସ୍ଫୋଟ ଏବଂ ନର୍ମଗର୍ଭ) ନର୍ମ ହିଁ ପ୍ରଧାନ କର୍ମ ହେଉଛି ପ୍ରିୟଜନ ମନୋରଞ୍ଜନ, କ୍ରୀଡ଼ା ବିଳାସ ଇତ୍ୟାଦି ଏହା ନାରୀପାତ୍ରୀଙ୍କ ଦ୍ୱାରା ହିଁ ସମ୍ଭବ-। ନାଟ୍ୟଶାସ୍ତ୍ରରେ ତେଣୁ କୌଶିକୀବୃତ୍ତି ପ୍ରୟୋଗ କରାଯାଇଥିଲା, ଏଣୁ ନାଟକରେ ସ୍ତ୍ରୀ-ଭୂମିକାରେ ନାରୀମାନଙ୍କ ଅଭିନୟ ଆବଶ୍ୟକ । ବାସ୍ତବରେ ନାରୀ ପୁରୁଷ ଘେନି ଗଢ଼ା, ଏ ସଂସାର । ସଂସାର-ରୂପକ ନାଟ୍ୟରଚନାରେ ଉଭୟଙ୍କର ଭୂମିକାଂଶ ରହିଛି । ରଙ୍ଗମଞ୍ଚର ନାଟ୍ୟାଭିନୟ ତ ଅନୁକୃତଭିନ୍ନ ଆଉ କିଛି ନୁହେଁ । ନାରୀ-କଣ୍ଠର, ନାରୀରୂପ ଯୌବନର ଲାଳିତ୍ୟ ଇତ୍ୟାଦି ନାରୀ-ବେଶଧାରୀ ପୁରୁଷର ଅଭିନୟରେ ଫୁଟିଉଠିବା ସମ୍ଭବ ନୁହେଁ । ବିଶେଷତଃ ଦର୍ଶକ ଯଦି ଥରେ ଜାଣନ୍ତି ଯେ, ନାରୀବେଶରେ ଜଣେ ପୁରୁଷ ମଞ୍ଚରେ ଅଭିନୟ କରୁଛନ୍ତି, ସଙ୍ଗେ ସଙ୍ଗେ ତାଙ୍କର ମଞ୍ଚର ଭୂମିକା ପ୍ରତ୍ୟୟରେ ଏକ ସମାଲୋଚନା ସ୍ଥାନ ପାଇବ । ତେଣୁ ନାଟ୍ୟଭୂମିକାରେ ଅଭିନେତା-ପୁରୁଷ ଏବଂ ଅଭିନେତ୍ରୀ-ନାରୀ ହେବା ଉଚିତ । ଏ କଥା ରାୟକବି ଅନୁଭବ କରିଥିଲେ ଏବଂ ଓଡ଼ିଶାର ରଙ୍ଗମଞ୍ଚରେ ସେ ହିଁ ପ୍ରଥମ ଅଭିନେତ୍ରୀର ଅବତାରଣା କରାଇଥିଲେ । ଏହା ଷୋଡଶ ଶତାବ୍ଦୀର ଘଟଣା ।

 

ତେଣୁ ଓଡ଼ିଆ ମଞ୍ଚଦର୍ଶକ ସେହି ସମୟରୁ ରଙ୍ଗଭୂମିରେ ଅଭିନେତାରୂପେ ପୁରୁଷ ଏବଂ ଅଭିନେତ୍ରୀରୂପେ ନାରୀକୁ ଦେଖି ନାଟ୍ୟରସ ଉପଭୋଗର ସୁଯୋଗ ଲାଭକରି ଆସିଛି; ଗୋଟିଏ କଥା ଯେ ଜଗନ୍ନାଥବଲ୍ଲଭ ନାଟକର ଭାଷା ଥିଲା ସଂସ୍କୃତ । ସେତେବେଳେ ଓଡ଼ିଶାରେ ସଂସ୍କୃତ ଭାଷାପ୍ରତି ସମାଦର ଥିଲା, ଲୋକେ ମଧ୍ୟ ବୁଝିପାରୁଥିଲେ, ତେଣୁ ନାଟ୍ୟକାର ସରସ ଲଳିତ ସୁନ୍ଦର ସଂସ୍କୃତ ଶବ୍ଦ ଯୋଜନାକରି ନାଟକରଚନା କରିଥିଲେ ସହୃଦୟ ଦର୍ଶକ ଗ୍ରାହକ-ସାଧାରଣ ତାଙ୍କ ନାଟକର ରସସ୍ଵାଦନ କରିପାରିବା ଭରସାରେ ।

 

ଏହିକାଳ ପରେ ପରେ ମୁକ୍ତ ମଞ୍ଚରେ ଅଭିନୀତ ହେଲା ବସନ୍ତରାସ । ରଚୟିତା ପଣ୍ଡିତ ଶ୍ରୀଚନ୍ଦନ । ସେତେବେଳକୁ ରାଧାରସରେ ଜନସାଧାରଣ ମଜ୍ଜି ରହିଥିଲେ । ଶ୍ରୀଚୈତନ୍ୟ ଓଡ଼ିଶାକୁ ଆସିବାରେ କୀନ-ପଦାବଳୀର ଲାଳିତ୍ୟ ଲୋକଙ୍କ କାନ ଓ ମନକୁ ମଧୁର ଲାଗିଥିଲା । ତେଣୁ ଭକ୍ତକବି ପଣ୍ଡିତ ଶ୍ରୀଚନ୍ଦନଙ୍କ ବସନ୍ତରାସର ରଚନାରେ ବଙ୍ଗଭାଷାର ମିଶ୍ରଣ ଦେଖାଯାଏ । ବସନ୍ତ ରାସ ସଙ୍ଗେ ସଙ୍ଗେ କୃଷ୍ଣଲୀଳା, ରାମଲୀଳା ଇତ୍ୟାଦି ମୁକ୍ତମଞ୍ଚର ଅଭିନୟ ଓଡ଼ିଶାର ପୁରପଲ୍ଲୀର ଜନତାଙ୍କ ଉପଭୋଗ୍ୟ ହୋଇଥିଲା । ଏହାର ସମାଦର ଆଜି ମଧ୍ୟ ତୁଟି ନାହିଁ । ଲୀଳା, ସୁଆଙ୍ଗ ବା ଗୀତିନାଟ୍ୟ ଆଜିର ରଙ୍ଗମଞ୍ଚର ସୃଷ୍ଟିକର୍ତ୍ତା କହିଲେ ଅତ୍ୟୁକ୍ତି ହେବନାହିଁ । ମରହଟ୍ଟା ଓ ମୁସଲମାନ ଆକ୍ରମଣ ଓ ଅଧିକାର କାଳରେ ଓଡ଼ିଶାରୁ ଏହିପ୍ରକାର ଲୀଳା ବା ଅନ୍ୟାନ୍ୟ କଳା ଅସ୍ତମୁଖୀ ହେବାକୁ ଲାଗିଲା । ଏ ସମୟ ମଧ୍ୟରେ ନାଟ୍ୟକଳାର ଆଗୁସାର ହେବାର ଆଶା ବା କାହୁଁ ସମ୍ଭବ ହେବ ?

 

ଲୀଳା ବା ଗୀତିନାଟ୍ୟ ଏତେବେଳକୁ ଓଡ଼ିଶାରୁ ଏକାବେଳେ ଦେହଛପା ଦେଇ ନଥିଲା । ଏଗୁଡ଼ିକହିଁ ନାଟକ ଆଡ଼କୁ ପ୍ରବର୍ତ୍ତନା ଦେଲା ୧୯ଶ ଶତାବ୍ଦୀରେ ପ୍ରାୟ ମଧ୍ୟଭାଗପରେ ।

 

୧୮୬୮/୬୯ ଖ୍ରୀଷ୍ଟାବ୍ଦ ବେଳକୁ ‘ନାଟକ’ ଆଖ୍ୟା ଘେନି ଗଞ୍ଜାମ ପାରଳାଖେମୁଣ୍ଡିର ସ୍ଵର୍ଗତ ପଣ୍ଡିତ ରଘୁନାଥ ପରିଚ୍ଛାଙ୍କର ‘ଗୋପୀନାଥବଲ୍ଲଭ ନାଟକ’ ପ୍ରକାଶ ପାଇଲା । ରଚନାଟି ନାଟକ ବୋଲି ନାମିତ ହୋଇଥିଲେ ମଧ୍ୟ ଏହା ବାସ୍ତବରେ ନାଟକ ନୁହେଁ ବୋଲି ସେ ସମୟର ପତ୍ରପତ୍ରିକା ମତ ଦେଲେ । ୧୮୭୭ରେ ମୁଦ୍ରିତ ଓ ପ୍ରକାଶିତ ହେଲା “ବାବାଜୀ” ନାଟକ । ନାଟ୍ୟକାର ମାହାଙ୍ଗା (ମହାଗ୍ରାମ) ଗ୍ରାମର ସ୍ୱର୍ଗତ ଜଗମୋହନ ଲାଲା । ନାଟକଟି ଲାଲାବାବୁ ତାଙ୍କ ଇଷ୍ଟଦେବଙ୍କ ନାମରେ ନାମିତ ରାଧାକାନ୍ତ ରଙ୍ଗମଞ୍ଚରେ ତା୨୦ରିଖ ଅକ୍ଟୋବର ମାସ ୧୮୭୭ ମସିହାରେ ମଞ୍ଚସ୍ଥ କରାଇଲେ ନିଜେ ନାଟ୍ୟକାର ତାଙ୍କ ସ୍ୱଜନମାନଙ୍କୁ ନାଟକର ଭୂମିକାରେ ଅଂଶଦେଇ ।

 

ନାଟକଟି ସାମାଜିକ । ଓଡ଼ିଶାର ସେତେବେଳର ସାମାଜିକ କୁସଂସ୍କାର ବିରୁଦ୍ଧରେ ଲାଲାବାବୁ ଏ ନାଟକଟି ଲେଖିଥିଲେ ।

 

ବାସ୍ତବରେ ଭରତସମ୍ମତ ନାଟକର ବି ବାବାଜୀ ନାଟକରେ ସଂରକ୍ଷିତ ହୋଇ ନାହିଁ । ତେଣୁ ଏହାକୁ ନାଟ୍ୟଶାସ୍ତ୍ର ପ୍ରମାଣରେ ନାଟକ ଆଖ୍ୟା ଦେଇ ହେବନାହିଁ । ବରଂ ଦଶରୂପକ ମଧ୍ୟରୁ ଏହା ‘ପ୍ରକରଣ’ ବୋଲାଇ ପାରେ । ପ୍ରଥମ ସମବକାର (ପତାକାଉତ୍ସବ) ନାଟକ ନାମରେ ଆଖ୍ୟାତ ହେବାଭଳି ବାବାଜୀ ପ୍ରକରଣକୁ ନାଟକ ନାମରେ ଆଖ୍ୟାତ କରାଯାଇଅଛି ।

 

କଟକରୁ ‘ଉତ୍କଳଦୀପିକା’ ପତ୍ରିକାର ଅଭିମତ ହେଲା- “ଓଡ଼ିଆ ଭାଷାରେ ଏ ପର୍ଯ୍ୟନ୍ତ ନାଟକ ରଚନା ହୋଇ ନଥିଲା । ଏ ପୁସ୍ତକ ତହିର ପ୍ରଥମ ପୁସ୍ତକ ଅଟଇ ।” ୩ ନଭେମ୍ବର ୧୮୭୭ ବାଲେଶ୍ଵରର ସମ୍ବାଦବାହିକାରମତ-

 

‘‘ଏଥିପୂର୍ବେ ଗୋପୀନାଥବଲ୍ଲଭନାମକ ଖଣ୍ଡିଏ ନାଟକ କଟକ ପ୍ରିଣ୍ଟିଂ କମ୍ପାନୀ ଯନ୍ତ୍ରାଳୟରେ ମୁଦ୍ରିତ ହୋଇଥିଲା ତାହାର ସ୍ଵାଦୁ ପରୀକ୍ଷା ନିମନ୍ତେ; ଇଚ୍ଛା ବଳିଲା ମାତ୍ର ନା ନାଟକ ନା ମିଷ୍ଟ କିଛି ଜଣାଗଲା ନାହିଁ । ଏମନ୍ତ ସ୍ଥଳେ ବାବାଜୀ ନାଟକପ୍ରଣେତା ବାବୁ ଜଗନ୍‍ମୋହନ ଲାଲା ସାହସ ଉପରେ ନିର୍ଭର କରି ଖଣ୍ଡିଏ ନାଟକ ପ୍ରଣୟନ କରିଅଛନ୍ତି । ତାହା ଅତ୍ୟନ୍ତ ପ୍ରଶଂସନୀୟ ବିଷୟ । ଜଗନ୍‍ମୋହନ ବାବୁ ପ୍ରଥମେ ଆମ୍ଭମାନଙ୍କୁ ଆଶାରୁ ଅଧିକ ଏହି ନାଟକଖଣ୍ଡିକ ପ୍ରଦାନ କଲେ । (ତା ୧/୧୨/୧୮୭୭) ।

 

ଏଥିରୁ ଜଣାପଡ଼େ ବାବାଜୀ ନାଟକ ଓଡ଼ିଆର ପ୍ରଥମ ନାଟ୍ୟ-ରଚନା । ବହି ୧୮୭୭ରେ ଛାପା । ଖଣ୍ଡିଏ ଜରାଜୀର୍ଣ୍ଣ ବହି ପିଲାଦିନେ ମୁଁ ପାଇ ସାଇତି ରଖିଥିଲି । ତା’ର ଦ୍ୱିତୀୟ ମୁଦ୍ରଣ କରାଇ ପ୍ରକାଶିତ ହେଲା ୧୯୬୯ ମସିହାରେ । ମୂଳ ନାଟକଟିର ପୃଷ୍ଠାଗୁଡ଼ିକ ଉପରେ ଠାଏ ଠାଏ । ପତଳା କାଗଜ ମଡାଇ ପାଠୋଦ୍ଧାର କରାଯାଇଥିଲା । ସେ ଖଣ୍ଡିକି ମୁଁ ରାଜ୍ୟ ସଂଗ୍ରହାଳୟକୁ ଦେଇଛି ।

 

ନାଟକଟିର ଦ୍ୱିତୀୟବାର ପ୍ରକାଶ ପୂର୍ବରୁ ନାଟକ ନ ଦେଖି ଏ ସମ୍ବନ୍ଧ କେତେକ ମତାମତ ବଢ଼ାଯାଇଥିବାର ଦେଖି ବଡ଼ ବିସ୍ମିତ ହେଉଛି । Oriya literature chapter xix ରେ ବାବାଜୀ ନାଟକର ସମାଲୋଚନା କରାଯାଇ ଲେଖା ହୋଇଛି Most of the qualities of or jatra, like the entro-duction of two much of songs... ଏଥିରେ ଅଛି, କିନ୍ତୁ ବାସ୍ତବରେ ଏ ନାଟକର ଗୀତ ସଂଖ୍ୟା ମାତ୍ର ତିନୋଟି । ଏଗୁଡ଼ିକ ଭଜନ ଏବଂ ଗୀତ ଉପରେ ଯେଉଁ ରାଗତାଳ ନିର୍ଦ୍ଦେଶନା ଅଛି, ତାହା ହିନ୍ଦୁସ୍ଥାନୀ ସଙ୍ଗୀତପଦ୍ଧତିର । ଏଥିରୁ ଜଣାଯାଏ ଯେ ସେତେବେଳକୁ ହିନ୍ଦୁସ୍ଥାନୀ ସଙ୍ଗୀତ ଆମ ଏଠି ଆଦର ପାଇସାରିଲାଣି ।

 

୧୮୭୮ରେ କଟକ ସହରରେ (ସ୍ଥାନ ଜଣାନାହିଁ) ମନମୋହନ ବସୁଙ୍କ ପ୍ରଣୀତ ବଙ୍ଗଳା ନାଟକ ରାମାଭିଷେକ ମଞ୍ଚସ୍ଥ ହୋଇଥିଲା ।

 

ଏତେବେଳକୁ ଲୀଳା ସୁଆଙ୍ଗ ଇତ୍ୟାଦିର ସମାଦର ପୂର୍ବପରି ରହିଥାଏ । ଆମ ଲୀଳା ସୁଆଙ୍ଗ ଏବେ ‘ ‘ଯାତ୍ରା’ ବୋଲାଉଛି; ମୋ ବିଚାରରେ ‘ଯାତ୍ରା’ ଶବ୍ଦର ଅର୍ଥ ଲୀଳା-ଅଭିନୟ ନୁହେଁ । ଉତ୍କଳଦୀପିକା ଲେଖିଥିଲେ “ବର୍ତ୍ତମାନ ଓଡ଼ିଶାରେ ଯାହାକୁ ଯାତ୍ରା ବୋଲାଯାଏ, ତାହା ରାମଲୀଳା, ସୁଭଦ୍ରା ହରଣ ଅଟଇ x’’ x x (୨୦ । ୧୧ । ୭୬) ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ‘ଯାତ୍ରା’ ଶବ୍ଦ ଆମର ନୁହଁ । ମାଗିଅଣା ତିଅଣ, ଯାତ୍ରା ମଧ୍ୟ ଲୀଳା ବୁଝାଇବ ନାହିଁ ।

 

ସେତେବେଳେ ଓଡ଼ିଶାରେ ପଡ଼ୋଶୀ ବଙ୍ଗବାସୀଙ୍କର ଯଥେଷ୍ଟ ପ୍ରଭାବ ବିସ୍ତୁତ ହୋଇଥିଲା । ବଙ୍ଗଳାରୁ ‘ଯାତ୍ରା’ ଦଳ ଅଣାଯାଇ ବଙ୍ଗଳାର ଆଖପାଖ ଓଡ଼ିଶାର ଅଞ୍ଚଳମାନଙ୍କରେ ଯାତ୍ରାମାନ ଅଭିନୀତ କରାଯାଉଥିଲା । ଏ ସମ୍ପର୍କରେ ଦୁଃଖ କରି ଉତ୍କଳଦୀପିକା ଲେଖିଥିଲେ-

 

‘‘ସମ୍ପ୍ରତି ଓଡ଼ିଶାରେ ଯାହା ଯାତ୍ରା ବୋଲି ଖ୍ୟାତ ହେଉଅଛି ଓ ଯାହାକୁ ନିରୁପାୟ ହୋଇ ଭଦ୍ରଲୋକମାନେ ପର୍ବ ବିଶେଷରେ ଦେଖିବାକୁ ବାଧ୍ୟ ହୁଅନ୍ତି, ତାହା ଅତ୍ୟନ୍ତ ଘୃଣିତ” XXX (୨୦ । ୧୧ । ୭୫)

 

ଏହାରି ପରେ ପରେ ଦେଖାଦେଲା ବାବାଜୀ ନାଟକ କୁସଂସ୍କାରର ବିରୁଦ୍ଧରେ ବାଲେଶ୍ୱରର ସମ୍ବାଦ ବାହିକା କହିଲାପରି ବାସ୍ତବରେ ‘ସାହ ଉପରେ ନିର୍ଭର କରି’ ।

 

ସ୍ଥାନେ ସ୍ଥାନେ ବଙ୍ଗଳାଯାତ୍ରା ପ୍ରଦର୍ଶିତ ହେଉଥିଲେ ହେଁ ଏତେବେଳକୁ ମଧ୍ୟ ଲୀଳାର ପ୍ରଭାବ ଊଣା ନଥିଲା । ସେବେଳର ଗଡ଼ଜାତ ଦଶପଲ୍ଲା ଓ ବଡମ୍ବା ପ୍ରଭୃତି ରାଜ୍ୟର ରାଜାମାନେ ପ୍ରତିବର୍ଷ ରାମନବମୀକୁ ବିସ୍ତୀର୍ଣ୍ଣ ମୁକ୍ତ ରଙ୍ଗମଞ୍ଚ ତୋଳାଇ ରାମଲୀଳା ଏବଂ ରଣପୁର ରାଜ୍ୟରେ କୃଷ୍ଣଲୀଳା (କାଳୀୟ ଦଳନ) ପ୍ରଭୃତି ପ୍ରଦର୍ଶିତ ହେଉଥିବାର ଦେଖାଅଛି । ରାମାୟଣରେ ଚାଳକୁଡ଼ିଆ ତିଆରି ହୋଇ ହନୁମାନର ଲଙ୍କାପୋଡ଼ି ଓ ଅଶୋକବନରେ ନାନାପ୍ରକାର ବୃକ୍ଷଲତା ଉପାଡ଼ିବା ଇତ୍ୟାଦି ଦୃଶ୍ୟ ପ୍ରଦର୍ଶିତ ହେଉଥିଲା । କାଳୀୟ ଦଳନରେ ମଧ୍ୟ ଏହିପରି ଦୃଶ୍ୟ ସଜାଯାଉଥିଲା । ବସନ୍ତ ଓ ଶରଦ୍ରାସରେ କୁଞ୍ଜସଜା ହେଉଥିଲା । ଗୋଟିଏ ଶଗଡ଼ ଚକରେ ଅଖ ଭରତି କରାଯାଇ ତାହା ପୋତା ହେଉଥିଲା ଏବଂ ସେଥିରେ ଅଷ୍ଟସଖୀ ଓ ଶ୍ରୀକୃଷ୍ଣଙ୍କୁ ବସାଇ ଚକ ଘୂରାଇ ରାସଲୀଳା ପ୍ରଦର୍ଶିତ ହେଉଥିଲା ।

 

ତେଣୁ ଲୀଳାମଧ୍ୟରେ ମୁଖସିଂହାର ଓ ବେଶର ପରିପାଟି ଥିଲା । ଗଞ୍ଜାମ ଅଞ୍ଚଳରେ ମଧ୍ୟ କେତେକ ସ୍ଥଳରେ ଏହିପରି ମୁକ୍ତ ମଞ୍ଚରେ ରାମାୟଣ ଓ ପ୍ରହ୍ଲାଦ ଚରିତ ପ୍ରଭୃତି ଲୀଳାର ଅଭିନୟ ପ୍ରଦର୍ଶିତ ହେଉଥିଲା । ଏହା ଓଡ଼ିଶାରେ ରଙ୍ଗମଞ୍ଚର କ୍ରମବିକାଶ ବୋଲି କହିବାକୁ ହେବ ।

 

ସିନ୍‍ସିନାରୀ ବା ଦୃଶ୍ୟପଟ, ମଞ୍ଚମାୟା, ଆଲୋକ ଝଲକ କିମ୍ବା ଅଙ୍କ, ବିଷ୍କମ୍ବକ କେହି ନଥିଲେ ସେ ସୁଆଙ୍ଗ ବା ଲୀଳାର ସଙ୍ଗୀ । ନାଟ୍ୟଶାସ୍ତ୍ର ନିର୍ଦ୍ଦେଶିତ ନାନ୍ଦୀ, ସୂତ୍ରଧର ବା ପ୍ରସ୍ତାବକ ଇତ୍ୟାଦି ନାଟକୀୟ ସଂଜ୍ଞା ବା ଶବ୍ଦର ବ୍ୟବହାର ନଥିଲା; କିନ୍ତୁ ନାନ୍ଦୀ, ସୂତ୍ରଧାରରୂପେ ଲୀଳା ଆରମ୍ଭରୁ ନଟନଟୀ ଆସି ସବୁରି ମଙ୍ଗଳକାମନା ସୂଚକ ଗୀତ ଗାଉଥିଲେ ଓ ସୂତ୍ରଧାର ବା ପ୍ରସ୍ତାବକରୂପେ ଲୀଳାର ବିଷୟବସ୍ତୁ ମଧ୍ୟ ସେହିପରି ଅଭିନେତା ଅଭିନେତ୍ରୀମାନେ ବୟାନକରୁଥିଲେ । ଏସବୁ କିନ୍ତୁ ପ୍ରାୟ ଗୀତ ମାଧ୍ୟମରେ । ସେତିକିବେଳୁ ଦର୍ଶକମାନଙ୍କ ମଧ୍ୟରୁ ଗୋଳମାଳ ଉଣାହୋଇ ଯାଉଥିଲା ।

 

ମୂର୍ଖ, ପଣ୍ଡିତ, ଧନୀ-ନିର୍ଦ୍ଧନୀ, ବାଳବୃଦ୍ଧ ସମସ୍ତେ ଲୀଳାପ୍ରତି ଆକୃଷ୍ଟ ଥିଲେ । ଏହା ମୁକ୍ତ ରଙ୍ଗସ୍ଥଳିରେ ପ୍ରଦର୍ଶିତ ହେଉଥିବାରୁ ନଟନଟୀ ଏବଂ ଦର୍ଶକଙ୍କ ମଧ୍ୟରେ ଏକ ଯୋଗସୂତ୍ର ରହୁଥିଲା-। ଲୋକେ ଲୀଳାସ୍ଥଳର ଚାରିପାଖ ଘେରିବସି ଲୀଳା ଉପଭୋଗ କରୁଥିଲେ । ଲୀଳା ପରିବେଷଣର ସମୟଥିଲା ଦୀର୍ଘ ପ୍ରାୟ ୫/୬ ଘଣ୍ଟାରୁ ଊଣା ନୁହେଁ ।

 

କ୍ରମେ ସ୍ଥାନେ ସ୍ଥାନେ ଏହି ଲୀଳାମଧ୍ୟରେ ଅବାଞ୍ଚନୀୟ ନିକୃଷ୍ଟ ଧରଣର ହାସ୍ୟରସ ଯୋଗ କରାଯାଇ ସମାଜର ଅନାଦର ଲଭିଲା । ଏହିଭଳି ପରିସ୍ଥିତିରେ କ୍ରମେ ମାର୍ଜିତ ରୁଚିର ରଙ୍ଗାଭିନୟ ବା ଦର୍ଶନପ୍ରତି ଲୋକେ ମନ ବଳାଇଲେ । ଏତିକିବେଳେ ଶୁଭଯୋଗରେ ‘ବାବାଜୀ’ ନାଟକ ଜନ୍ମହେଲା ।

 

୧୮୭୬/୭୭ ପରବର୍ତ୍ତୀ ବର୍ଷ କଟକକୁ ବୋମ୍ବେର ପାର୍ଶୀ ରିପନ୍ ଓ ସାଙ୍ଗଲୀ ଥିଏଟର ପ୍ରଭୃତି ବ୍ୟବସାୟୀ ଥଏଟରଦଳ ଆସି ମ୍ୟୁନିସିପାଲଟି ହତାରେ ନାଟକ ପ୍ରଦର୍ଶନ କଲେ । କଟକବାସୀଙ୍କୁ ଏହି ଦଳମାନ ଏକପ୍ରକାର ନାଟକର ଉନ୍ମାଦନା ଆଣିଦେଲା ବୋଲି କହିବାକୁ ହେବ । ୧୮୮୧ ମସିହା ଫେବୃଆରୀ ୭ ତାରିଖରେ ନାଟ୍ୟକାର ରାମଶଙ୍କରଙ୍କ କାଞ୍ଚୀ କାବେରୀ ନାଟକ କଟକରେ ଅଭିନୀତ ହେଲା । ଏହା ଓଡ଼ିଆ ନାଟକ ରାଜ୍ୟର ପ୍ରଥମ ଐତିହାସିକ ନାଟକ । ଏଥିରେ ମଧ୍ୟେ .ମଧ୍ୟେ ଅମିତ୍ରାକ୍ଷର ଛନ୍ଦ ବଚନିକାରେ ବ୍ୟବହୃତ ହୋଇଥିଲା ।

 

୧୮୮୫ରେ କଟକ ଜିଲ୍ଲାର କୋଠପଦା ମଠର ସ୍ୱର୍ଗତ କଳାପ୍ରେମୀ ମହନ୍ତ ସେହିବର୍ଷ ଶ୍ରୀପଞ୍ଚମୀଦିନ ଗୋଟିଏ ସ୍ଥାୟୀ ରଙ୍ଗମଞ୍ଚ ତୋଳାଇଲେ । ଏହିଠାରେ ନାଟ୍ୟକାର ରାମଶଙ୍କରଙ୍କର କାଞ୍ଚୀକାବେରୀ ନାଟକ ପ୍ରଥମେ ଅଭିନୀତ ହେଲା ସେହିବର୍ଷ ଫେବୃଆରୀରେ । ପରେ ପରେ ଏହି ମଞ୍ଚରେ ସ୍ୱର୍ଗତ ନାଟ୍ୟକାର କାମପାଳ ମିଶ୍ରଙ୍କ ରଚିତ ସୀତାବିବାହ ଏବଂ ବସନ୍ତଲତିକା ନାଟକ ଏହିଠାରେ ଅଭିନୀତ ହୋଇଥିଲା ।

 

କଟକରେ ଏହି ସମୟରେ ପ୍ରଖ୍ୟାତ ଶିଳ୍ପୀ ସତୀଶଚନ୍ଦ୍ର ସରକାର ତାଙ୍କର କେତେକ ବନ୍ଧୁମାନଙ୍କୁ ଘେନି ‘ମାନେଟିକ୍ ଥିଏଟର୍ ଗଢ଼ି କେତେଖଣ୍ଡି ବଙ୍ଗଳା ନାଟକ ମଞ୍ଚସ୍ଥ କରିଥିଲେ । ଏଥିରେ କେତେଜଣ ବାରବନିତା ଅଭିନେତ୍ରୀ ରୂପେ ଗୃହୀତ ହୋଇଥିଲେ ।

 

୧୮୮୫ରେ ବାରିକ ମିସ୍ତ୍ରୀ ବିଭାଗର କେତେକ ପଦସ୍ଥ ବଙ୍ଗାଳିଙ୍କ ଯତ୍ନରେ କଟକ ବଢ଼େଇସାହୀରେ ‘ବୀଣାପାଣି କ୍ଲବ’ ସ୍ଥାପିତ ହୋଇ ଦୁର୍ଗାପୂଜା ଅବସରରେ ବଙ୍ଗଳା ନାଟକମାନ ମଞ୍ଚସ୍ଥ କରିଥିଲେ ।

 

୧୮୮୭ ସାଲରେ ଉତ୍କଳ ଗୌରବ ମଧୁସୂଦନ ନିଜ ବାସଭବନ ହତା ଭିତରେ ଗୋଟିଏ ରଙ୍ଗମଞ୍ଚ ତୋଳାଇଲେ । ତହିଁରେ ସ୍କୁଲ ଓ ଏକମାତ୍ର କଲେଜ (ରେଭେନ୍‌ସା)ର ଛାତ୍ରମାନେ କେତେଗୋଟି ବଙ୍ଗଳା ନାଟକ ମଞ୍ଚସ୍ଥକଲେ । ସମାଜର କେତେ ବିଶୃଙ୍ଖଳା ବିରୁଦ୍ଧରେ ଗୋଟିଏ ଦୁଇଟି ନାଟକ ଏମାନେ ଅଭିନୀତ କରିଥିଲେ । ପରେ ପରେ ଅଭିଭାବକମାନଙ୍କ ମହଲରୁ ରଙ୍ଗମଞ୍ଚରେ ଛାତ୍ରମାନେ ଯୋଗଦେବା କଥାକୁ ନାପସନ୍ଦ କରିବାରୁ ଅସୁବିଧା ଉପୁଜିଥିଲା-। ମି. ଦାସଙ୍କ ହତାରେ ରଙ୍ଗମଞ୍ଚଟିଏ ନିର୍ମିତ ହୋଇ ବାରବାର ବହୁ ନାଟକ ଅଭିନୀତ ହୋଇଥିଲା ।

 

ଗଞ୍ଜାମରେ ଏତେବେଳକୁ ନାଟ୍ୟକଳାରେ ଯଥେଷ୍ଟ ସମାଦର ଥିଲା । ଗୀତିନାଟ୍ୟମାନ କେତେକ ଲେଖକ ଲେଖୁଥିଲେ ଏବଂ ମୁକ୍ତ ରଙ୍ଗସ୍ଥଳୀରେ ଏଗୁଡ଼ିକ ଅଭିନୀତ ହେଉଥିଲା ।

 

୧୯୦୨ରେ ପାରଳାଖେମୁଣ୍ଡିରେ ପଦ୍ମନାଭ ରଙ୍ଗାଳୟ ପ୍ରତିଷ୍ଠିତ ହୋଇ ମହାରାଜଙ୍କ ସ୍ୱକୃତ ‘ବାଣଦର୍ପ ଦଳନ’ ପ୍ରଭୃତି କେତେଖଣ୍ଡି ନାଟକ ମଞ୍ଚସ୍ଥ ହେଲା ।

 

ଚିକିଟି ନରପତି ରାଧାମୋହନ ରାଜେନ୍ଦ୍ରଦେବ ମଧ୍ୟ ଅନେକଗୁଡ଼ିଏ ନାଟକ ଲେଖି, ନିଜର ଏକ ସୁନ୍ଦର ରଙ୍ଗାଳୟରେ ମହାସମାରୋହରେ ଅଭିନୀତ କରାଉଥିଲେ । ତାଙ୍କ ରଚିତ ନାଟକମାନଙ୍କ ନାମର ଆଦ୍ୟ ଅକ୍ଷରଥିଲା ‘ପ’, ଯଥା ପ୍ରତାପ, ପ୍ରକୃତ, ପ୍ରଣୟ, ପରିମଳାସହ ଗମନ ଇତ୍ୟାଦି ।

 

ସେତେବେଳେ ସାଧାରଣତଃ ପୌରାଣିକ ନାଟକ ଓ ଲୀଳାର ଆଦର ଥିଲେ ମଧ୍ୟ ଐତିହାସିକ ଓ ସାମାଜିକ ନାଟକ ମଧ୍ୟ ରଚିତ ଓ ମଞ୍ଚସ୍ଥ ହେଉଥିଲା । ଜନସାଧାରଣରେ କିନ୍ତୁ ଭକ୍ତିରସାତ୍ମକ ନାଟକ ସମକ ଆଦର ପାଉଥିଲା । ଏହି ସମୟରେ ଚିକିଟି ରାଜାସାହେବଙ୍କର ରଚିତ ‘ରାଧା ପ୍ରେମଲୀଳା’ ମୂର୍ଖ ଓ ପଣ୍ଡିତ ସମସ୍ତଙ୍କର ଆଦର ଲାଭ କରିଥିଲା । ଏବେସୁଦ୍ଧା ଏହାଲୋକ ମନୋରଞ୍ଜନର ସକ୍ଷମ ହେଉଅଛି । ଏହା ମୁକ୍ତ ରଙ୍ଗାଳୟରେ ଅଭିନୀତ ଏକ ଗୀତିବହୁଳ ନାଟ୍ୟ ରଚନା । ଓଡ଼ିଶାରେ ଏହିପରି ଗୀତିନାଟ୍ୟ ସବୁ ସମୟରେ ଆଦର ପାଇ ଆସିବା ପ୍ରମାଣର ଅଭାବ ନାହିଁ ।

 

ପ୍ରହ୍ଲାଦ ନାଟକ ବୋଲି କୁହାଯାଉଥିବା ଲୀଳାଭିନୟ ଗଞ୍ଜାମ ଅଞ୍ଚଳରେ ବିଶେଷ ସମାଦୃତ । ସମସାମୟିକ ଭାବରେ ପୁରୀରେ ୧୯୦୫ ସାଲ ବେଳକୁ ଜଗନ୍ନାଥକ୍ଲବର ମୂଳପତ୍ତନ ହୋଇ ୧୯୦୭ ସାଲରେ ଏକମଞ୍ଚ ସୁପ୍ରତିଷ୍ଠିତ ହେଲା । ସୌଖିନ ନାଟ୍ୟପ୍ରେମୀମାନେ ଏଠାରେ ମଧ୍ୟେ ମଧ୍ୟେ ବହୁ ନାଟକ ଅଭିନୀତ କଲେ । ବଙ୍ଗଳା ନାଟକ ଛଡ଼ା ଅଳ୍ପ କେତେକ ଓଡ଼ିଆ ନାଟକ ମଧ୍ୟ ଏଠାରେ ମଞ୍ଚସ୍ଥ ହୋଇଥିଲା । ସେହିଦିନୁ ଜଗନ୍ନାଥ କ୍ଲବରେ ସୌଖୀନ ନାଟ୍ୟପ୍ରେମୀ ଦଳ ମଧ୍ୟେ ମଧ୍ୟେ କେତେଗୁଡ଼ିଏ ଐତିହାସିକ ନାଟକ ମଞ୍ଚସ୍ଥ କରି ଆସୁଥିଲେ । କେତେ କାଳ ହେଲା ଜଗନ୍ନାଥ କ୍ଳବ ପକ୍ଷରୁ ଆଉ ନାଟକାଭିନୟ ହେବାର ଶୁଣାନାହିଁ ।

 

କହିଛି ତ କଟକରେ ଏକପ୍ରକାର ନାଟକ ନିଶା ଲାଗିଥିଲା ବୋଲି କହିଲେ ଚଳେ । ଶତୀଶ ସର (ନାଟୁବାବୁ)ବାଲୁବଜାରଠାରୁ କାଠଯୋଡ଼ୀକୁ ପଡ଼ିଥିବା ରାସ୍ତାର ଡାହାଣପଟ ଏକ ଗଳିରେ ଆଳିରାଜା ପଡ଼ିଆ ନାମକ ସ୍ଥାନରେ ଏକ ଚାଳଛପର ମଞ୍ଚତୋଳି କେତେକ ବର୍ଷଯାଏ ବଙ୍ଗଳା ନାଟକମାନ ସୌଖୀନ ମଞ୍ଚଶିଳ୍ପୀଙ୍କୁ ଘେନି ମଞ୍ଚସ୍ଥ କରାଇଥିଲେ । ଏଥିରେ କଟକର କେତେକ ରୂପଜୀବୀ ଅଂଶ ଗ୍ରହଣ କରିଥିଲେ ।

 

ପରେ ପରେ ନାଟୁବାବୁଙ୍କ ସାନଭାଇ ବାଙ୍କାବଜାରରେ (ବର୍ତ୍ତମାନ ଯେଉଁଠାରେ ମାରୱାଡ଼ି ସ୍କୁଲ ଅଛି) ଗୋଟିଏ ମଞ୍ଚ ତୋଳାଇ ବଡ଼ ଭାଇଙ୍କ ପରି କେତେକ ନାଟକ ମଞ୍ଚସ୍ଥ କରାଇଲେ । ସବୁଗୁଡ଼ିକ କିନ୍ତୁ ବଙ୍ଗଳା । ଏଦଳରେ ମଧ୍ୟ କଟକର ମସଜିଦ୍‌ଗଳି, କାଳିଗଳି ଓ ଜଗନ୍ନାଥ ବଲ୍ଲଭର କେତେଜଣ ବାରାଙ୍ଗନା ଅଭିନେତ୍ରୀ ଥିଲେ । ଦଳଟି ଦୁଇ ତିନୋଟି ନାଟକ ଅଭିନୟ ହେବାପରେ ଭାଙ୍ଗିଗଲା । ଏମାନେ ପୌରାଣିକ ନାଟକ ମଞ୍ଚସ୍ଥ କରିଥିଲେ ।

 

ଅଳ୍ପ କେତେକ ଦିନ ପରେ ମାରୱାଡ଼ି ପଟିର ସ୍ୱର୍ଗତ ଜମିଦାର ରଜନୀକାନ୍ତ ବିଶ୍ୱାସ ଗୋଟିଏ ଦଳ ଗଢ଼ିଲେ । ଏ ଦଳ ଗୀତ ନୃତ୍ୟ ବହୁଳ ନାଟକମାନଙ୍କ ଅଭିନୟରେ ଖ୍ୟାତି ଅର୍ଜନ କରିଥିଲେ । ଏଗୁଡ଼ିକ ବଙ୍ଗଳା ନାଟକ ‘ଆଲିବାବା’ ନାଟକରେ ବହୁତ ନାଚଥିଲା । ପୁରୁଷମାନେ ସ୍ତ୍ରୀ ଭୂମିକାରେ ଅଭିନୟ କରୁଥିଲେ । ଦୃଶ୍ୟ ଓ ଅଙ୍କ ବିଭାଗର ସମାବେଶ ଥିଲେ ମଧ୍ୟ ଏତେ ନାଚଗୀତ ଥିଲା ଯେ, ତାହା ଏକପ୍ରକାର ବଙ୍ଗଳା ଯାତ୍ରାର ନିକଟବର୍ତ୍ତୀ । ନାଚଗୀତ ବହୁଳତା ଯୋଗୁ ଏ ଦଳକୁ ଲୋକେ ଆଦର କରୁନଥିଲେ । ଦଳଟିର ନାମଥିଲା ‘ଉଷା ଥିଏଟର’ । ଏହି ଥିଏଟର ଦଳ ତିଷ୍ଠି ରହିଲା କିଛିକାଳ ।

 

୧୯୧୧ରେ ମେହେନ୍ଦୀପୀର ପାଖରେ ଗୋଟିଏ ସମିତି ଓ ତହିଁ ସଙ୍ଗେ ସଙ୍ଗେ ଥିଏଟର ଦଳ ଗଢ଼ା ହେଲା । ଏହାର ନାମ ‘ବାସନ୍ତୀ ଥିଏଟର’ । ଉପରେ ନଡ଼ା ଛାଆଣୀ କରାଇ ଗୋଟିଏ ସ୍ଥାୟୀ ରଙ୍ଗମଞ୍ଚ ମଧ୍ୟ ତୋଳା ହୋଇଥିଲା । କେବଳ ସେହି ମଞ୍ଚର ଫାଳେ ପକ୍‍କା ପାଚେରୀ (Gate wings) ବର୍ତ୍ତମାନ ଭଙ୍ଗାରୁଜା ଅବସ୍ଥାରେ ରହି ବାସନ୍ତୀର ସ୍ମୃତି ଚେତାଇ ଦେଉଛି ।

 

ଏହି ଦଳ ଏ ମଞ୍ଚର ସତ୍ଵାଧିକାରୀ ଥିଲେ, ଆଉ ଗୋଟିଏ ଦଳ ଗଢ଼ିଲେ ପାଗଲ ବାବୁ । କେତେକ ବେଶ୍ୟା ଏ ଦଳରେ ଅଭିନୟ କରୁଥିଲେ । ଦଳର ନାମ ଉମାକାନ୍ତ ସମିତି । ଉଷା ଏବଂ ବାସନ୍ତୀର ସୃଷ୍ଟି ପରେ ଏହି ଦଳ ଆରମ୍ଭ ହେଲା । ବାସନ୍ତୀ ଏବଂ ଉଷା ଦଳରେ ନାରୀ ଭୂମିକାରେ ପୁରୁଷ ଅଭିନୟ କରୁଥିଲେ । ଓଡ଼ିଆନାଟକର ଅଭିନୟ ପ୍ରଦର୍ଶିତ ହେଉନଥିଲା । ଥରେ ଅଧେ ମାତ୍ର ନାଟ୍ୟକାର ରାମଶଙ୍କରଙ୍କର କାଞ୍ଚିକାବେରୀ ନାଟକ ଅସ୍ଥାୟୀ ସୌଖୀନ କଳାକାରମାନଙ୍କ ଦ୍ଵାରା ଅଭିନୀତ ହୋଇଥିଲା ।

 

୧୯୧୭ ସାଲରେ ଉଷାଥିଏଟରରେ ସ୍ୱର୍ଗତ ଜଗନ୍ନାଥ ଘୋଷ (ଜଗୁବାବୁ-କମିଶନ୍‌ର କଚେରୀରେ ନାଜର) ଏବଂ ଶାରଦା ପ୍ରସନ୍ନ ଦଳବେହେରା (ସାଧୁବାବୁ-ବାରିକମିସ୍ତ୍ରୀ ବିଭାଗର ଉଚ୍ଚ କର୍ମଚାରୀ) ବିଶିଷ୍ଟ ଉଦ୍‌ଯୋଗୀ ଥିଲେ । ସାଧୁବାବୁ ଏତେବେଳକୁ ନୃତ୍ୟରେ ଖ୍ୟାତି ଅର୍ଜନ କରି ଦଳରେ ନୃତ୍ୟଗୁରୁଥିଲେ ।

 

ଜଗୁବାବୁ ଓ ସାଧୁବାବୁ କଟକରେ ଓଡ଼ିଆ ନାଟକର ଅଭିନୟ ପ୍ରଦର୍ଶନ ଲାଗି ମନ ବଳାଇ ଉଷାଥିଏଟର ଦଳଦ୍ଵାରା ସ୍ଵର୍ଗତ ରାୟ ବାହାଦୁର ଭିକାରୀ ଚରଣ ପଟ୍ଟନାୟକଙ୍କ କୃତ ନନ୍ଦୀକେଶ୍ଵରୀ ନାଟକ ଅଭିନୟ କରାଇବାର ମନସ୍ଥ କଲେ । ନାୟିକା ନନ୍ଦିକା ଭୂମିକାରେ ଅଂଶଗ୍ରହଣ କରିବାକୁ ଉପଯୁକ୍ତ କଳାକାର ଖୋଜି ବସିଲେ । ସାଧୁବାବୁ ମୋତେ ପ୍ରବର୍ତ୍ତାଇ ଏହି ଅଂଶଗ୍ରହଣ କରାଇଲେ । ଭୂମିକାରେ କେତେଗୋଟି ଗୀତଥିଲା । ବିଶେଷ ଭାବରେ ସେଥିଲାଗି କଳାକାର ଖୋଜା ପଡ଼ିଥିଲା ।

 

କଟକର ମଞ୍ଚ ଇତିହାସରେ ନନ୍ଦିକେଶ୍ଵରୀ ପ୍ରଥମ ଓଡ଼ିଆ ନାଟକାଭିନୟ ବୋଲି କୁହାଯାଇପାରେ । ଅବଶ୍ୟ ଏହା କେତେକବର୍ଷ ପୂର୍ବରୁ ଥରେ କାଞ୍ଚିକାବେରୀ ନାଟକ ମଞ୍ଚସ୍ଥ ହୋଇଥିଲା, ମାତ୍ର ତାହା ଭାଷା ବା ବାସନ୍ତୀ ଭଳି ସାମୟିକ ଅଭିନୟ ପ୍ରଦର୍ଶନ କରୁଥିବା କୌଣସି ଏକ ସୁସଙ୍ଗଠିତ ଦଳଦ୍ୱାରା ଅଭିନୀତ ବା ବହୁଳ ପ୍ରଚାରିତ ହୋଇ ନଥିଲା ।

 

ନନ୍ଦିକେଶ୍ଵରୀ ନାଟକ କଟକରେ ଚହଳ ପକାଇ ଦେଲା । ଲୋକେ ବିଦେଶାଗତ ଦଳଦ୍ୱାରା ଅଭିନୀତ ହିନ୍ଦୀ ନାଟକ ଏବଂ କଟକର ସଂଗଠିତ ଦଳମାନଙ୍କ ଦ୍ଵାରା ପରିବେଶିତ ବଙ୍ଗଳା ନାଟକମାନ ଦେଖିଆସୁଥିଲେ । ଓଡ଼ିଆ ନାଟକର ସୁନ୍ଦର ଅଭିନୟ ଲୋକଙ୍କ ମନରେ ଜାତୀୟ ଭାବ ଜଗାଇ ଦେଲା ଏବଂ ପରେ ପରେ ଅନ୍ୟାନ୍ୟ ଓଡ଼ିଆ ନାଟକମାନ କଟକ ଏବଂ ବିଭିନ୍ନ ସ୍ଥାନରେ ସୌଖୀନ ଦଳମାନଙ୍କ ଦ୍ଵାରା ମଧ୍ୟ ମଧ୍ୟେ ମଞ୍ଚସ୍ଥ ହେବାକୁ ଲାଗିଲା ।

 

ରେଭେନ୍‌ସା କଲେଜ ଓ ମେଡ଼ିକାଲ ସ୍କୁଲର ଛାତ୍ରମାନେ ଓଡ଼ିଆ ଏବଂ ବଙ୍ଗଳା ନାଟକମାନ ମଧ୍ୟେ ମଧ୍ୟେ ଅଭିନୀତ କଲେ । କ୍ରମେ ଓଡ଼ିଆ ନାଟକ ରଚନାପ୍ରତି ଲେଖକମାନେ ମନ ବଳାଇଲେ ଓ ଓଡ଼ିଆ ନାଟକର ଅଭିନୟ ବହୁସ୍ଥଳରେ ପ୍ରଦର୍ଶିତ ହେଲା ।

 

୧୯୧୬/୧୭ରେ କେନ୍ଦ୍ରାପଡ଼ା ବଡ଼କୋଠାର ପ୍ରଖ୍ୟାତନାମା ନାଟ୍ୟକାର ଚିତ୍ରଶିଳ୍ପୀ, ନିର୍ଦ୍ଦେଶକ ତଥା ସଙ୍ଗୀତକାର ସ୍ୱର୍ଗତ ଗୋବିନ୍ଦଚନ୍ଦ୍ର ଶୂରଦେଓ ଗୋଟିଏ ରାସଦଳ ଗଢ଼ିଲେ । ଓଡ଼ିଶା ଯେମିତି ସଙ୍ଗୀତପ୍ରିୟ ସେମିତି ଭକ୍ତି ରସରେ ପାଗଳ । ଶୂରଦେଓ ଦୁଇକଥା ଯାକ ପରଶିଲେ । ଏକେତ ସେ ଜଣେ ଉଚ୍ଚକୋଟିର ସାହିତ୍ୟିକ । ସେଥିରେ ତାଙ୍କ ଗୀତ ସହିତ ଲୋକଙ୍କ ମନକୁ ଛୁଇଁବା ଭଳି ଲେଖା ।

 

ଅପ୍ରାସଙ୍ଗିକ ବୋଲି କେହି ବିଚାରନ୍ତୁ ପଛକେ-ଏଠି ଗୋଟିଏ କଥା କହି ବସୁଛି । ବନମାଳୀ, କବିସୂର୍ଯ୍ୟ, ଗୋପାଳକୃଷ୍ଣ ପ୍ରଭୃତିଙ୍କ ଲେଖାର ରୀତି ଏଇ ସମୟରୁ ବଦଳିଗଲା ବୋଲି ମୋର ଧାରଣା । ଚଣାହାଟର ସ୍ଵର୍ଗତ କୃଷ୍ଣମୋହନ ପଟ୍ଟନାୟକ ଗୋବିନ୍ଦ ଶୂରଦେଓ ଆଉ ଏ ଲେଖକ ସେତେବେଳେ ନୂଆ ଗୀତ ଲେଖାଳୀ । ଗୀତଭାଷା ବଡ଼ ସରଳ, ଭାବରେ ନିତିଦିନିଆ ଅନୁଭୂତିର ଛାଇ ଆଉ ସ୍ଵର ମନମତାଣିଆ । ଗୋଟାଏ ବଡ଼ କଥା ଯେ, କଟକବାସୀ ସେତେବେଳେ ଗଜଲସୁରର ଗୀତକୁ ସୁଖପାଉଥିଲେ । ଗୋବିନ୍ଦ ଶୁରଦେଓ ସେଇ ସ୍ଵର ଅନୁକରଣରେ ସେଇ ଗୀତ ଗାଇବା ବାଗ ଓ ଝୁଙ୍କ ରହିବା ଭଳି ସରଳ ଭାଷାରେ ଗୀତ ରଚିଲେ । ମୋର ତ ମନେହୁଏ ସେ ଆମମାନଙ୍କ ଭିତରେ ପହିଲେ ଏ ଢଙ୍ଗ ଚାଲୁକଲେ । ୧୯୧୭ରେ କଟକ ମ୍ୟୁନିସିପାଲିଟି ହତାରେ କଲିକତାରୁ ଆସି ବଙ୍ଗଳା ନାଟକ ଦଳ ଅଭିନୟ କରିବା ପରେ ପରେ ଶୂରଦେଓଙ୍କ ରାସ ଦଳ ଆସିଲା । ପହିଲି ରାତି ନରମେଧ ଯଜ୍ଞ ଅଭିନୀତ ହେଲା । ବେଶ୍ ମନେ ଅଛି, ସେ ରାତିରେ ଅଭିନୟ ଦେଖି ରାସରସିକ ସ୍ୱର୍ଗତ ବ୍ରଜସୁନ୍ଦର ଦାସ ଶୂରଦେଓଙ୍କୁ ଗୋଟିଏ ସୁନା ମୋହର ପ୍ରଦାନ କରିଥିଲେ । ଏଦଳ ଖୁବ ନାଁ କରି କଟକ ଓ ଓଡ଼ିଶାର ନାନାସ୍ଥାନରେ ଅଭିନୟମାନ ଦେଖାଇଲେ । ଏହାକୁ ଖାଣ୍ଟି ରାସଦଳ ନକହି ଗୀତ ବହୁଳ ନାଟ୍ୟଦଳ ବୋଲି କହିବା ସମୀଚୀନ ହେବ । କାରଣ କେବଳ କୃଷ୍ଣଲୀଳା ଏ ଦଳରେ ପ୍ରଦର୍ଶିତ ହେଉନଥାଏ ।

 

ଶୂରଦେଓଙ୍କ ସହିତ ଗୀତ, ସୁର, ନାଚ ଇତ୍ୟାଦି ଘେନି ମୁଁ ସହଯୋଗ କରୁଥିଲି କଟକରେ ଦଳଥିବା ସମୟରେ । ୧୯୨୦ରେ ମୁଁ ସ୍ଵତନ୍ତ୍ର ଭାବେ ଗୋଟିଏ ରାସଦଳ ଗଢ଼ିଲି ବାଳକମାନଙ୍କୁ ନେଇ ।

 

ପୁରୀରେ ସ୍ୱର୍ଗତ ମୋହନ ସୁନ୍ଦର ଗୋସ୍ୱାମୀ ବାବାଜୀ ବେଣୁଧରଙ୍କ ସହଯୋଗରେ ଗୋଟିଏ ରାସଦଳ ଗଢ଼ିଲେ । ୧୯୨୪ରେ ମୁଁ (ସେବେଳର) ବାରିପଦାରେ ଛୋଟରାୟ ପରେ ମହାରାଜ ପ୍ରତାପଚନ୍ଦ୍ରଙ୍କ ଆନୁକୂଲ୍ୟରେ ଗୋଟିଏ ଦଳଗଢ଼ିଲି । ଏଥିରେ ରାସ (ଗୀତିବହୁଳ) ଓ ନାଟକ ପରିବେଶିତ ହେଉଥିଲା ।

 

୧୯୨୭ରେ ମୁଁ ପୁରୀରେ ଥାଇ ସାକ୍ଷୀଗୋପାଳ ନାଟ୍ୟସଂଘ ଗଢ଼ିଲି । ମୋହନ ଗୋସ୍ୱାମୀଙ୍କ ରାସରେ କେତେକ ପୁରୁଣା ରାସ ଓ ଲୀଳା, ଗୀତ ଏବଂ ସେଇ ସ୍ୱରରେ ରଚିତ ଗୀତଥାଏ । ମୁଁ କିନ୍ତୁ ବିଭିନ୍ନ ଶାସ୍ତ୍ରୀୟ ରସାନୁସାରୀ ରାଗରାଗିଣୀର ଗୀତ ତିଆରି କରି ରାସରେ ଖଞ୍ଜିଲି । କିଶୋର ଚନ୍ଦ୍ରାନନ ଚମ୍ପୂର ମାତ୍ର ଗୋଟି କେତେ ଗୀତ ଲୋକରେ ଜଣାଥିଲା । ମୁଁ ସମସ୍ତ ଗୀତ ପରେ ପରେ ଖଞ୍ଜି ନାଟକ ଆକାରରେ ପରଶିଲି । ଗୀତଗୋବିନ୍ଦର ଓଡ଼ିଆ ଅନୁବାଦିତ ଗୀତ ଖଞ୍ଜି ନାଟକ ରଚନା କଲି । ଏହା ସେତେବେଳେ ଉକୃଷ୍ଟ ନାଟକ ରୂପେ ସାହିତ୍ୟ ସମାଜ ଦ୍ୱାରା ପୁରସ୍କୃତ ହେଲା ।

 

ଓଡ଼ିଶାରେ ସେତେବେଳେ ବିଭିନ୍ନ ସ୍ଥାନରେ ରାସଦଳ ଗଠିତ ହେବାରେ ଲାଗିଲା । ଲୋକରୁଚି ଗୀତ ବହୁଳତା ଓ ପୁରାତନ ସଂସ୍କୃତି ଆଡ଼କୁ ଢଳିଥାଏ ।

 

ଏଇ ସମୟରେ ବଳଙ୍ଗାର ସ୍ୱର୍ଗତ ବନମାଳି ପତିଙ୍କ ଥିଏଟର ଦଳ ଗଢ଼ା ହୋଇଥାଏ । କେତୋଟି ବଙ୍ଗଳା ନାଟକର ଓଡ଼ିଆ ଅନୁବାଦ ଏଦଳ ପରଶୁଥିଲେ । ପରେ ପରେ ନାଟ୍ୟକାର ଅଶ୍ୱିନୀକୁମାର ଘୋଷଙ୍କର ନାଟକମାନ ମଞ୍ଚସ୍ଥ କଲେ, ହଠାତ୍ ପତିଙ୍କର କାଳରେ ଅଶ୍ୱିନୀବାବୁ ବନମାଳି ଆର୍ଟ ଥିଏଟର ନାମଦେଇ କେତେବର୍ଷ ରଖିଲେ । ସେବେଳରେ ଗୀତିବହୁଳ ରାସର ଏତେ ସମାଦର ଥିଲା ଯେ ଥିଏଟରଦଳ ଆଗେଇ ପାରିଲା ନାହିଁ । ଅଶ୍ୱିନୀବାବୁ ଐତିହାସିକ ନାଟକମାନ ରଚନା କରୁଥିଲେ ଯଥା-କଳାପାହାଡ଼, କୋଣାର୍କ ଇତ୍ୟାଦି ବାରଣପୁରର ସ୍ଵର୍ଗତ ସୋମନାଥ ଦାଶଙ୍କ ଆନୁକୂଲ୍ୟରେ ଶ୍ରୀ ବାଉରୀବନ୍ଧୁ ମହାନ୍ତି ମାନେଜର ଅନ୍ନପୂର୍ଣ୍ଣା ଥିଏଟର ଗଢ଼ାଗଲା।

 

ଏତେବେଳକୁ ମୋର ରାସଦଳ ଚାଲିଥାଏ । ମୁଁ କେତେକ ବାଳିକାଙ୍କୁ ଦଳରେ ଶିକ୍ଷାଦେଇ ରାସନାଟକମାନ ପରଶିଲି । ଏ ଗୁଡ଼ିକରେ ଗୀତସଂଖ୍ୟା ଅଧିକ ବୋଲି କହିଲେ ରୀତିମତ ନାଟକଭଳି ସଂଳାପ ଥାଏ । ଗୀତ ସଂଖ୍ୟା କ୍ରମେ ଉଣାକରି ଦିଆଗଲା । ୧୯୩୮ ପ୍ରଥମେ ‘ପ୍ରତିଶୋଧ’ ନାମରେ ଗୋଟିଏ ପୁରାପୁରି ସାମାଜିକ ନାଟକ ଲେଖି ଅଭିନୀତ କରାଇ ଲୋକପସନ୍ଦ ହେଲା । ତେଣୁ ରାସ ଛାଡ଼ି ରୀତିମତ ନାଟକକୁ ମନଦେଲି । ୧୯୩୯ରେ ଓଡ଼ିଶା ଥିଏଟର୍ସ ଆରମ୍ଭ ହେଲା ।

 

***

 

Unknown

ରୋମାଣ୍ଟିକ୍ ଚେତନା ଓ ଓଡ଼ିଆ ଗୀତି କବିତା

ଜାନକୀବଲ୍ଲଭ ମହାନ୍ତି (ଭରଦ୍ୱାଜ)

 

୧୯ଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ୟୁରୋପୀୟ ଓ ଆମେରିକୀୟ ସାହିତ୍ୟରେ ରୋମାଣ୍ଟିକ୍ ଭାବଧାରାର ପ୍ରାଧାନ୍ୟ ପରିଲକ୍ଷିତ ହୋଇଥାଏ । ସାହିତ୍ୟର ବିବିଧ ବିଭାଗକୁ ଏହା ପ୍ରଭାବିତ କରିଥିଲେହେଁ ଗୀତି କବିତା କ୍ଷେତ୍ରରେ ଏହାର ପ୍ରଭାବ ଥିଲା ସର୍ବାଧିକ । କାରଣ ରୋମାଣ୍ଟିକ୍ କବିତା ମୁଖ୍ୟତଃ ବ୍ୟକ୍ତି ସଚେତନତାକୁ ହିଁ ଗୁରୁତ୍ୱ ଦେଇଥାଏ । ୧୯ଶ ଶତାବ୍ଦୀ ପୂର୍ବରୁ ୟୁରୋପୀୟ ସାହିତ୍ୟର ଗୀତି କବିତାରେ ବ୍ୟକ୍ତିସ୍ୱାତନ୍ତ୍ର୍ୟର କୌଳିନ୍ୟ ସ୍ୱୀକୃତି ଲାଭକରିପାରି ନଥିଲା । ମାତ୍ର ଏହି ରୋମାଣ୍ଟିକ୍ ଭାବଧାରାର ପ୍ରଚାର ଫଳରେ ଇଂରାଜୀ ସାହିତ୍ୟର ୱାଡସୱାର୍ଥ, କୋଲରିଜ, ବାଇରନ୍, ଶେଲି ଓ କିଟସ୍‌ଙ୍କ ଭଳି ୟୁରୋପର ଅନ୍ୟାନ୍ୟ ସାହିତ୍ୟରେ ଗେଟେ, ହାଇନେ, ହ୍ୟୁଗୋ, ମୁସେଟ, ପୁଷ୍କିନ୍, ଲିଓପାର୍ଡ଼ ପ୍ରଭୃତିଙ୍କ ରଚନାରେ ଏହି ଭାବନାର ସ୍ଵାକ୍ଷର ଦେଖିବାକୁ ମିଳିଥାଏ । ପାଶ୍ଚାତ୍ୟ ସାହିତ୍ୟଦ୍ଵାରା ପ୍ରଭାବିତ ହେବାଫଳରେ ଆଧୁନିକ ଭାରତୀୟ ସାହିତ୍ୟ କ୍ଷେତ୍ରରେ ଯେ ଯୁଗାନ୍ତର ସୃଷ୍ଟି ହୋଇଛି ଏହା କହିବା ଅନାବଶ୍ୟକ । ଏଣୁ ପାଶ୍ଚାତ୍ୟ ସାହିତ୍ୟର ଆଲୋଚନା ପଦ୍ଧତିର ମାନଦଣ୍ଡରେ ପ୍ରାନ୍ତୀୟ ସାହିତ୍ୟମାନଙ୍କରେ ସାହିତ୍ୟର ବିକାଶଧାରା ଓ ପ୍ରତିଫଳିତ ବିବିଧ ପ୍ରବୃତ୍ତିର ଅନୁଶୀଳନ ରୀତି ପ୍ରବର୍ତ୍ତିତ ହେବା ଏକାନ୍ତ ସ୍ୱାଭାବିକ-। ଏହି ଦୃଷ୍ଟିକୋଣରୁ ଭାରତୀୟ ସାହିତ୍ୟରେ ‘କ୍ଲାସିସିଜମ୍’ ‘ରୋମାଣ୍ଟିସିଜିମ୍', ‘ରିଆଲିଜମ୍’ ପ୍ରଭୃତି ସାହିତ୍ୟିକ ‘ବାଦ’ର କଳନା କରାଯାଇଥାଏ । ମାତ୍ର ସାହିତ୍ୟରେ ସ୍ଵପ୍ନବାଦିତା, କଳ୍ପନାପ୍ରବଣତା, ସୁଦୂରର ମୋହ, ଅହେତୁକ ବୈରାଗ୍ୟ, ଆବେଗ ପ୍ରବଣତାର ଆଧିକ୍ୟ, ସୌନ୍ଦର୍ଯ୍ୟ ଲିପ୍‍ସା, ରୂପପ୍ରୀତି ପ୍ରଭୃତି ଯେଉଁ ଗୁଣାବଳୀକୁ ରୋମାଣ୍ଟିକ୍ ଭାବନାର ଦ୍ୟୋତକ ଭାବରେ ଗ୍ରହଣ କରାଯାଏ, ତାହା ଭାରତୀୟ ସାହିତ୍ୟରେ ଆଦୌ ଅଭିନବ ନୁହେଁ । ପରନ୍ତୁ ଏହି ଭାବଧାରାରେ ହିଁ ସଂସ୍କୃତ, ପ୍ରାକୃତ ପ୍ରଭୃତି ପ୍ରାଚୀନ ଭାରତୀୟ ସାହିତ୍ୟ ତଥା ଆଧୁନିକ ଭାରତୀୟ ସାହିତ୍ୟ ସମୂହ ବହୁ ପ୍ରାଚୀନକାଳରୁ ପ୍ରତିପାଳିତ ତଥ୍ୟ ପରିପୁଷ୍ଟ କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ବହୁ ଶତାବ୍ଦୀବ୍ୟାପୀ ଭାରତୀୟ-ଚେତନା ଜୀବନ ଉପଲବ୍‍ଧିର ଦୁଇଟି ଦିଗକୁହିଁ ସ୍ୱୀକାର କରିଅଛି । ଗୋଟିଏ ହେଉଛି ସମ୍ଭୋଗ ଓ ପ୍ରଣୟର ଏବଂ ଅନ୍ୟଟି ହେଉଛି ଭକ୍ତି ଓ ବୈରାଗ୍ୟର । ଏହି ଦୁଇଟି ଭାବନା ଭାରତୀୟ କବି ଚିତ୍ତରେ ବହୁସ୍ୱପ୍ନ, କଳ୍ପନା ଓ ଆବେଗର ପ୍ଲାବନ ସୃଷ୍ଟି କରିଛି-। ଭାରତୀୟ କବିଗଣ ବ୍ୟଷ୍ଟିର ଭାବନା ଓ ଅନୁଭବକୁ ସମଷ୍ଟିଗତ ଭାବନା ଓ ଅନୁଭୂତି ମା ମଧ୍ୟମରେ ଅଥବା ତାହାକୁ ରୂପକଛଳରେ ପ୍ରକାଶ କରିବା ଲାଗି ସର୍ବଦା ଅନୁରାଗି ଥିଲେ । ଏଣୁ ଭାରତୀୟ କବିମାନଙ୍କ ରଚନାରେ ଶିବ-ପାର୍ବତୀ, ରାମ-ସୀତା, ବିରହିଣୀ ରାଧା ସନ୍ତାନ ବତ୍ସଳା ଯଶୋଦା, ବିରହୀଯକ୍ଷ ପ୍ରଭୃତି ହୋଇଛନ୍ତି ଜନ-ଜୀବନର ଶାଶ୍ୱତ ଅନୁଭୂତିର ପ୍ରତୀକ । ଦେବଦେବୀଙ୍କ ଉଦ୍ଦେଶ୍ୟରେ ବହୁ ସ୍ତୋତ୍ର ଏବଂ ଅତିପ୍ରାକୃତ ଦିବ୍ୟାନୁଭୂତିମୂଳକ ଗୀତିକବିତା ମାଧ୍ୟମରେ ଭାରତୀୟ କବିଗଣ ସ୍ଵର୍ଗ ଓ ମର୍ତ୍ତ୍ୟକୁ ସୁଗ୍ରଥିତ କରି ଯାଇଛନ୍ତି । ଧୂଳି ମଳି ସଂସାରର ତୁଚ୍ଛତା ଅଥବା ଦୈନନ୍ଦିନ ଜୀବନର ବାସ୍ତବ ଘଟଣା ପ୍ରବାହକୁ କାବ୍ୟ ସାହିତ୍ୟ ଉପାଦାନ ଭାବରେ ଭାରତୀୟ କବିଗଣ କେବେହେଲେ ଗ୍ରହଣ କରିନାହାନ୍ତି । ଏଣୁ ଭାରତୀୟ କବିତା ହେଉଛି କଳ୍ପନାର କୁଞ୍ଜବନ, ଏକ ରହସ୍ୟମୟ ଭୁମି । ସ୍ଥୂଳତଃ କଳାପାଇଁ କଳାର ସୃଷ୍ଟି ହିଁ ଅତୀତରେ ଭାରତୀୟ କବିତାର ଆଦର୍ଶ ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ଏ ରୋମାଣ୍ଟିକ ଭାବନାର ପ୍ରାଧାନ୍ୟ ଭାରତୀୟ ଆଖ୍ୟାନକାବ୍ୟ ତଥା ଗୀତି କବିତାରେ ପରିଲକ୍ଷିତ ହେବା ସ୍ୱାଭାବିକ । ଅତୀତରେ ନୀତି ଓ ଭକ୍ତିମୂଳକ ଗୀତି ରଚନା ବ୍ୟତୀତ ମୁଖ୍ୟତଃ କାଳ୍ପନିକ ଅଥବା ପୌରାଣିକ ଚରିତ୍ର ସମ୍ବନ୍ଧୀୟ ପରିଣୟ, ହରଣ, ସମ୍ଭୋଗ ଓ ବିଦେଶାନୁଚିନ୍ତା ପ୍ରଭୃତି ଉପଜୀବ୍ୟ କରି ଭାରତୀୟ ସାହିତ୍ୟରେ ବହୁ କବିତା ରଚିତ ହୋଇଅଛି ।

 

ଓଡ଼ିଶାର ସମସ୍ତ ପ୍ରାଚୀନ ଓ ମଧ୍ୟକାଳୀନ କବିତାକୁ ରୋମାଣ୍ଟିକ୍ ଭାବନାଶ୍ରୟ କବିତା ପର୍ଯ୍ୟାୟଭୁକ୍ତ କରାଯାଇପାରେ । ଧନଞ୍ଜୟ, ଦୀନକୃଷ୍ଣ, ଦୀନବନ୍ଧୁ, ଉପେନ୍ଦ୍ରଭଞ୍ଜ ବନମାଳି କବିସୂର୍ଯ୍ୟ, ଗୋପାଳକୃଷ୍ଣ ପ୍ରଭୃତି ପ୍ରାଚୀନ କବିଗଣ ଭକ୍ତି କବିତା ବ୍ୟତୀତ ବହୁ ଚଉତିଶା ଓ ଚଉପଦୀ ମାଧ୍ୟମରେ ରାଧାକୃଷ୍ଣ ଅଥବା କାଳ୍ପନିକ ନାୟକ ନାୟିକାଙ୍କ ବିରହ ମିଳନକୁ ଉପଜୀବ୍ୟ କରି ବହୁ ଗୀତିକାବ୍ୟ ରଚନା କରିଯାଇଛନ୍ତି । ଛନ୍ଦଗୀତ ତଥା ଗୀତି କାବ୍ୟରେ ‘ଅନୁଭବରୁ ପ୍ରଖ୍ୟାତ ଓ ମାନସ ରଚନା’ ଭାବରେ ‘ରସସାର ଶୃଙ୍ଗାର’ ହିଁ ଏକମାତ୍ର ଅବଲମ୍ବନୀୟ ବୋଲି ଉପେନ୍ଦ୍ର ଭଞ୍ଜ ସ୍ପଷ୍ଟତଃ ସ୍ୱୀକାର କରିଯାଇଛନ୍ତି ।

 

ଊନବିଂଶ ଶତାବ୍ଦୀର ଶେଷଭାଗରେ ଭାରତବର୍ଷ ଇଂରାଜୀ ସାହିତ୍ୟ ମାଧ୍ୟମରେ ପାଶ୍ଚାତ୍ୟ ସାହିତ୍ୟ ସମ୍ପର୍କରେ ଆସିବାର ସୁଯୋଗ ଲାଭକଲା । ସେତେବେଳେ ଯେଉଁ ସାହିତ୍ୟିକ ପ୍ରବୃତ୍ତି ମୁଖ୍ୟତଃ ଇଂରାଜୀ ସାହିତ୍ୟରେ ପ୍ରତିଷ୍ଠାଲାଭ କରିଥିଲା, ତାହା ଥିଲା ଇଂରାଜୀ ରୋମାଣ୍ଟିକ ପୁନରାବର୍ତ୍ତନ ପ୍ରଭାବିତ ସାହିତ୍ୟ-ସେକ୍‍ସପିଅର, ମିଲଟନ, ଶେଲି, କିଟସ୍ ପ୍ରଭୃତିଙ୍କ କାବ୍ୟ କବିତା ସମୁହ । ଏହି ଯୁଗର ଭାରତୀୟ କବିମାନେ ଯେଉଁ ନୂତନ ଗୀତିକାବ୍ୟ ରୂପର ସନ୍ଧାନ ଲାଭ କରିଥିଲେ, ତାହାହିଁ ସେମାନଙ୍କୁ ଅନୁରୂପ ରୀତିରେ ମାତୃଭାଷାରେ ଗୀତିକାବ୍ୟ ରଚନା କରିବାଲାଗି ପ୍ରେରଣା ଯୋଗାଉଥିଲା ।

 

ଭକ୍ତକବି ମଧୁସୂଦନ ବିଗତ ଶତାବ୍ଦୀର ଶେଷପାଦରେ ଇଂରାଜୀ ଗୀତିକାବ୍ୟରୁପମାନଙ୍କ ଅନୁସରଣରେ ଓଡ଼ିଆରେ ‘ସନେଟ’ (ଚତୁର୍ଦ୍ଦଶୀପଦୀ କବିତା) ‘ଓଡ଼’ (ସମ୍ବୋଧନ ଗୀତ) ‘ଏଲିଜି’ (ଶୋକ ଗୀତିକା) ପ୍ରଭୃତି ରଚନା କରି ନୂତନ ପରମ୍ପରା ପ୍ରତିଷ୍ଠା କରିଥିଲେ । ଏହି ସମୟରୁ ହିଁ ପ୍ରାଚୀନ ଓଡ଼ିଆ କାବ୍ୟ ପରମ୍ପରାର ବିଚ୍ୟୁତି ସଂଘଟିତ ହେଲା । ଏହା ଫଳରେ ବିଗତ ପ୍ରାୟ ଏକ ଶତାବ୍ଦୀ ମଧ୍ୟରେ ଓଡ଼ିଆ କାବ୍ୟ କବିତାର ରୂପ ଯେ ସମ୍ପୂର୍ଣ୍ଣ ପରିବର୍ତ୍ତିତ ହୋଇଯାଇଅଛି ଏହା କହିବା ଅନାବଶ୍ୟକ । ଏହି ନବୀନ ପାଶ୍ଚାତ୍ୟ କାବ୍ୟରୂପମାନଙ୍କର ପ୍ରୟୋଗ ଫଳରେ ପ୍ରାଚୀନ ଓ ମଧ୍ୟକାଳୀନ ସାହିତ୍ୟରେ ବହୁ ନିୟୋଜିତ ଚଉପଦୀ, ଚଉତିଶା, କୋଇଲି, ବୋଲି, ପଡ଼ି, ପୋଇ ପ୍ରଭୃତି ସମ୍ପୂର୍ଣ୍ଣ ଉପେକ୍ଷିତ ଓ ଅବ୍ୟବହୃତ ହୋଇ ପଡ଼ିଲା । ନବପ୍ରବର୍ତ୍ତିତ ଚତୁର୍ଦ୍ଦଶ ପଦୀ କବିତା, ଶୋକ ଗୀତିକା ପ୍ରଭୃତି ରୋମାଣ୍ଟିକ୍ ଭାବନାର ଅଭିବ୍ୟକ୍ତି ଲାଗି ସମ୍ପୂର୍ଣ୍ଣ ଅନୁକୂଳ ଥିଲା । ଏଣୁ ବିଗତ ଅର୍ଦ୍ଧଶତାବ୍ଦୀ ମଧ୍ୟରେ ଏହିକାବ୍ୟରୂପଗୁଡ଼ିକ ଆମ୍ଭମାନଙ୍କ ସାହିତ୍ୟର ଏକାନ୍ତ ନିଜସ୍ୱ ହୋଇ ଯାଇଅଛି ।

 

ରୋମାଣ୍ଟିକ୍ ଗୀତି-କାବ୍ୟର ଜନପ୍ରିୟତା ଫଳରେ ଆଖ୍ୟାନ କାବ୍ୟ ରଚନା ପ୍ରତି ଏ ଯୁଗର କବିମାନସ ଅନୁରାଗୀ ହୋଇ ପାରିନାହିଁ । ବିଗତ ଶତାବ୍ଦୀର ଶେଷପାଦରେ ମଧୁସୂଦନ ଚତୁର୍ଦ୍ଦଶପଦୀ କବିତା, ସମ୍ବୋଧନଗୀତ, ଶୋକଗୀତି ଓ ଫକୀରମୋହନ, ଗୋବିନ୍ଦ ରଥ ପ୍ରଭୃତି କଥାକବିତା ରଚନାରେ ମନୋନିବେଶ କରିଥିଲେ । ଚଳିତ ଶତାବ୍ଦୀର ବହୁ କବି ପୂର୍ବୋକ୍ତ କାବ୍ୟରୂପ ମାଧ୍ୟମରେ ହିଁ ଭାବ ଅଭିବ୍ୟକ୍ତ କରିଯାଇଛନ୍ତି ।

 

ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଭାରତୀୟ ପ୍ରାୟ ପ୍ରତ୍ୟେକ ପ୍ରାନ୍ତୀୟ ସାହିତ୍ୟର କାବ୍ୟକବିତା ଏହି ନବୀନ ରୋମାଣ୍ଟିକ୍ କାବ୍ୟଦର୍ଶରେ ଅନୁପ୍ରାଣିତ ହୋଇଥିବାର ଜଣାଯାଏ । ହିନ୍ଦୀ ସାହିତ୍ୟରେ ଏତାଦୃଶ ଚେତନା ବା ସାହିତ୍ୟିକ ପ୍ରବୃତ୍ତିକୁ ‘ଛାୟାବାଦ’ ନାମରେ ଅଭିହିତ କରାଯାଉଅଛି । ଆଧୁନିକ ହିନ୍ଦୀ ସାହିତ୍ୟର ଛାୟାବାଦୀ କବିଭାବରେ ମୈଥିଳୀ ଶରଣଗୁପ୍ତ (ଜ ୧୮୮୬), ସୂର୍ଯ୍ୟକାନ୍ତ ତ୍ରିପାଠୀ ( ୧୮୯୬-) ସୁମିତ୍ରା ନନ୍ଦନ ପନ୍ଥ (୧୯୦୦-) ଜୟଶଙ୍କର ପ୍ରସାଦ (୧୮୮୯-୧୯୩୭) ମହାଦେବୀ ବର୍ମା (୧୯୦୭-) ପ୍ରଭୃତି କବିମାନଙ୍କୁ ଗ୍ରହଣ କରାଯାଉଥାଏ ।

 

ବଙ୍ଗ ସାହିତ୍ୟରେ ରବୀନ୍ଦ୍ର ନାଥ ଏବଂ ତାହାଙ୍କ ପରବର୍ତ୍ତୀ ଓ ସମକାଳୀନ ସତେନ୍ଦ୍ରନାଥ, କୁମୁଦରଞ୍ଜନ ମଲ୍ଲିକ, ଅକ୍ଷୟକୁମାର ବରାଳ, କରୁଣାନିଧାନ ବନ୍ଦୋପଧ୍ୟାୟ, ଯତୀନ୍ଦ୍ରନାଥ ସେନଗୁପ୍ତ, ମୋହିତ୍ ଲାଲ ମଜୁମଦାର, କାଳିଦାସ ରାୟ ପ୍ରଭୃତିଙ୍କ କବିତାବଳୀରେ ଏହି ରୋମାଣ୍ଟିକ ଭାବନାର ଅଭିବ୍ୟକ୍ତି ଦେଖିବାକୁ ମିଳିଥାଏ । ବଙ୍ଗ ସାହିତ୍ୟରେ ଏହି ସମୟକୁ “କଲ୍ଲୋଳଯୁଗ” ନାମରେ ଆଖ୍ୟାତ କରାଯାଇଅଛି ।

 

ଆସାମୀ ସାହିତ୍ୟରେ ପ୍ରଣୟ ଓ ସୌନ୍ଦର୍ଯ୍ୟକୁ ଉପଜୀବ୍ୟ କରି ନୂତନ ଗୀତି କବିତାର ରଚୟିତା ଭାବରେ ଲକ୍ଷ୍ମୀନାଥ ବେଜବରୁଆ (୧୮୬୯-୧୯୩୮) ଓ ତାହାଙ୍କ ପରବର୍ତ୍ତୀ କମଳାକାନ୍ତ ଭଟ୍ଟାଚାର୍ଯ୍ୟ, ଚନ୍ଦ୍ରକୁମାର ଅଗ୍ରୱାଲା, ହିତେଶ୍ଵର ବେଜବରୁଆ, ଅମ୍ବିକାଗିରି ରାୟ ଚୌଧୁରୀ, ରଘୁନାଥ ଚୌଧୁରୀ, ଯତୀନ୍ଦ୍ରନାଥ ଦୁଅର, ରତ୍ନକାନ୍ତ ବରକାକତି, ନଳିନୀବାଳା ଦେବୀ ପ୍ରଭୃତି ସ୍ୱନାମଧନ୍ୟ ।

 

ଦକ୍ଷିଣ ଭାରତୀୟ ସାହିତ୍ୟ ମଧ୍ୟ ସମକାଳରେ ଉକ୍ତ କାବ୍ୟାଦର୍ଶରେ ପ୍ରଭାବିତ ହୋଇଥିଲା । ତେଲୁଗୁ ସାହିତ୍ୟରେ ରାୟପ୍ରୋଲ ସୁବାରାଓ, ରାମକୃଷ୍ଣ ରାଓ, କୃଷ୍ଣ ଶାସ୍ତ୍ରୀ, ଶିବଶଙ୍କର ଶାସ୍ତ୍ରୀ, ଭି.ସତ୍ୟନାରାୟଣ ଶାସ୍ତ୍ରୀ, ନୟନୀ ସୁବାରାଓ, ବିଶ୍ୱନାଥ ସତ୍ୟନାରାୟଣା, ପିଙ୍ଗଳୀ ଲକ୍ଷ୍ମୀକାନ୍ତମ୍‍, କସ୍ତୁରୀ ଭେଙ୍କଟଶ୍ୱର ରାଓ ପ୍ରଭୃତିଙ୍କ ଗୀତିକବିତା ପୂର୍ବୋକ୍ତ ରୋମାଣ୍ଟିକ ଚେତନାର ହିଁ ପ୍ରତିନିଧିତ୍ୱ କରିଥାଏ ।

 

ବିଗତ ପ୍ରାୟ ଅର୍ଦ୍ଧଶତାବ୍ଦୀ ମଧ୍ୟରେ ଓଡ଼ିଆ ଗାଥା-କବିତା ରଚୟିତା ଭାବରେ ନନ୍ଦକିଶୋର ବଳ, ଗୋଦାବରୀଶ ମିଶ୍ର, ଗୋଦାବରୀଶ ମହାପାତ୍ର, କୃଷ୍ଣମୋହନ ପଟ୍ଟନାୟକ, ରାଧାମୋହନ ଗଡ଼ନାୟକ, କୁଞ୍ଜବିହାରୀ ଦାଶ ଓ କୃଷ୍ଣଚନ୍ଦ୍ର ତ୍ରିପାଠୀ ପ୍ରଭୃତିଙ୍କ କୃତ୍ତିତ୍ୱ ମହତ୍ତ୍ୱପୂର୍ଣ୍ଣ । ସେହିପରି ସନେଟ ରଚୟିତା ଭାବରେ ବୈକୁଣ୍ଠନାଥ ପଟ୍ଟନାୟକ, ମାୟାଧର ମାନସିଂହ, କୁଞ୍ଜବିହାରୀ ଦାଶ, କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ କୃତିତ୍ତ୍ୱ ମଧ୍ୟ ଉଲ୍ଲେଖଯୋଗ୍ୟ । ରୋମାଣ୍ଟିକ କାବ୍ୟଦର୍ଶରେ ପ୍ରଭାବିତ ହେବା ଯୋଗୁଁ ହିଁ ଅତୀତର ଗୌରବଗାନ, ପ୍ରାଚୀନ କିମ୍ବଦନ୍ତୀ ଓ ଇତିହାସ ପ୍ରସିଦ୍ଧ ବୀରମାନଙ୍କ ଜୀବନ ବୃତ୍ତାନ୍ତକୁ ଉପଜୀବ୍ୟ କରି କାବ୍ୟ କବିତା ରଚନା ରାଧାନାଥ ଯୁଗର ମୁଖ୍ୟ ପ୍ରବୃତ୍ତ ହୋଇଥିଲା । ରାଧାନାଥଙ୍କ ପରବର୍ତ୍ତୀ କବିମଣ୍ଡଳୀ ମଧ୍ୟ ସେହି ଭାବନାରେ ଅନୁପ୍ରାଣିତ ହୋଇ କାବ୍ୟ କବିତା ରଚନା କରିଥିଲେ । ଗୋପବନ୍ଧୁଙ୍କ ‘ଧର୍ମପଦ’ ଓ ଗୋଦାବରୀଶଙ୍କ ‘ଆଲେଖିକା’, ରାଧାମୋହନ ଗଡନାୟକଙ୍କ ‘ଉତ୍କଳୀକା’ର ଗାଥା କବିତା ଗୁଡ଼ିକହିଁ ତାହାର ପ୍ରକୃଷ୍ଟ ଉଦାହରଣ ।

 

ରାଧାନାଥଙ୍କ ପରବର୍ତ୍ତୀ କାଳରେ ନନ୍ଦକିଶୋର, ପଦ୍ମଚରଣ, ଚିନ୍ତାମଣି ପ୍ରଭୃତିଙ୍କ ଗୀତି କବିତାରେ ପ୍ରକୃତିର ସୌନ୍ଦର୍ଯ୍ୟ ଓ ପ୍ରଣୟର ମହତ୍ତ୍ୱହିଁ ମୁଖ୍ୟସ୍ଥାନ ଲାଭ କରିଛି । ନନ୍ଦ କିଶୋରଙ୍କ ରଚନାରେ ପଲ୍ଲୀଜୀବନର ଦୁଃଖ ଓ ସୁଖର ଚିତ୍ର ଅପେକ୍ଷା ପଲ୍ଲୀ ପ୍ରକୃତିର ମଞ୍ଜୁଳ ଚିତ୍ର ଅଧିକ ଜୀବନ୍ତ ଭାବରେ ରୂପାୟିତ । ପଦ୍ମଚରଣ ସେହିପରି ପ୍ରକୃତି ରାଜ୍ୟରେ ‘ଚିର ସୁନ୍ଦରୀ’ଙ୍କର ଅଧିଷ୍ଠାନକୁ ଅନୁଭବ କରି ତାହାଙ୍କ ଉଦ୍ଦେଶ୍ୟରେ ଆପଣାର ପ୍ରଣତି ଜଣାଇଛନ୍ତି-

 

“ଶୋଭାର ଶାନ୍ତିର ଦ୍ୱାର ଦିଅ ହେ ଫିଟାଇ

ଜଗତେ ଜଗତଲକ୍ଷ୍ମୀ ଆଣ ହେ ବନ୍ଦାଇ

କେତେ କବି, କେତେ ଶିଳ୍ପୀ କେତେ ଚିତ୍ରକର

ପଦ ତଳେ ଉଭାଘେନି ପୂଜାର ସମ୍ଭାର ।” (ଚିର ସୁନ୍ଦରୀ)

 

ରାଧାନାଥଙ୍କ ଚିଲିକା ପରି କବି ଚିନ୍ତାମଣି ମହାନ୍ତିଙ୍କ ‘ମେଘାସନ’ ‘ସାଳନ୍ଦୀ’ ‘ସିଂହରାଜ’, ‘ଉଦ୍ୟାନଖଣ୍ଡ’ ପ୍ରଭୃତି ଖଣ୍ଡକାବ୍ୟ ମାଧ୍ୟମରେ ଓଡ଼ିଶାର ନଦନଦୀ, ଗିରିବନ ପ୍ରାନ୍ତରର ହିଁ ବର୍ଣ୍ଣନା କରି ଯାଇଛନ୍ତି । ଏତଦ୍‍ବ୍ୟତୀତ ମଦନମୋହନ ପଟ୍ଟନାୟକ, ଶଚୀନ୍ଦ୍ରନାଥ ଦାସ, ବ୍ରଜମୋହନ ପଣ୍ଡା, କୃଷ୍ଣମୋହନ ପଟ୍ଟନାୟକ ପ୍ରଭୃତି କବିମାନଙ୍କ ଗୀତି କବିତାରେ ମଧ୍ୟ ରୋମାଣ୍ଟିକ ଭାବନାର ଅଭିବ୍ୟକ୍ତି ଦେଖିବାକୁ ମିଳିଥାଏ । ସ୍ଥୁଳତଃ ପ୍ରଥମ ବିଶ୍ଵଯୁଦ୍ଧ ପରବର୍ତ୍ତୀ ଉତ୍କଳୀୟ କବିମାନଙ୍କର କବିତାରେ ଦେଶପ୍ରେମର ଭାବନା ରୋମାଣ୍ଟିକ ଭାବନାସହ ଓତପ୍ରୋତ ଭାବରେ ବି ଜଡ଼ିତ ହୋଇଥିବାର ଦେଖିବାକୁ ମିଳିଥାଏ ।

 

୧୯୨୧ରେ ଅନ୍ନଦାଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ, କାଳିନ୍ଦୀଚରଣ ପାଣିଗ୍ରାହୀ, ହରିହର ମହାପାତ୍ର, ଶରତଚନ୍ଦ୍ର ମୁଖାର୍ଜୀ ପ୍ରଭୃତି ଛାତ୍ର ଥିବାବେଳେ ସବୁଜ ସାହିତ୍ୟ ସମିତି ନାମରେ ଏକ ସାହିତ୍ୟ ଅନୁଷ୍ଠାନ ଗଠନ କରିଥିଲେ ଓ କେତେବର୍ଷ ପାଇଁ ‘ଯୁଗବୀଣା’ ନାମକ ଏକ ସାହିତ୍ୟ ପତ୍ରିକା ପ୍ରଚଳନ କରାଇଥିଲେ । ଏହି ସାହିତ୍ୟିକ ସଂଘବଦ୍ଧ ପ୍ରଚେଷ୍ଟା, ମଧ୍ୟ ରୋମାଣ୍ଟିକ ଭାବନା ସମ୍ବଳିତ ଗୀତି କବିତାର ବହୁଳ ପ୍ରସାର ଲାଗି ସହାୟତା କରିଥିଲା । ଶେଲି, କିଟ୍‍ସ, ବାଇରନ୍, ୱାଡସ ୱାର୍ଥ ପ୍ରଭୃତି କବିମାନଙ୍କ ଦୃଷ୍ଟିକୋଣ ଓ ପ୍ରତିବେଶୀ ସମୃଦ୍ଧ ବଙ୍ଗ ସାହିତ୍ୟର କବି ରବୀନ୍ଦ୍ରନାଥଙ୍କ ଗୀତି କାବ୍ୟର ପ୍ରଭାବ ଓଡ଼ିଶାର ତତ୍କାଳୀନ ଯୁବସମ୍ପ୍ରଦାୟକୁ ପ୍ରଭାବିତ କରିବା ଏକାନ୍ତ ସ୍ୱାଭାବିକ । ଫଳତଃ ଅନ୍ନଦାଶଙ୍କର, ବୈକୁଣ୍ଠନାଥ, କାଳିନ୍ଦୀଚରଣ, ମାୟାଧର ମାନସିଂହ ପ୍ରଭୃତିଙ୍କ ଗୀତିକବିତାରେ ରୋମାଣ୍ଟିକ ଭାବନା ବଳିଷ୍ଠ ଭାବରେ ଅଭିବ୍ୟକ୍ତି ଲାଭ କରିଥିଲା । ମାତ୍ର ଏହି ସଂଘବଦ୍ଧ ତଥା ବ୍ୟକ୍ତିନିଷ୍ଠ ସାହିତ୍ୟ ସୃଷ୍ଟିର ସୀମିତ କାଳକୁ ‘ସବୁଜ ଯୁଗ’ ନାମରେ ଅଭିହିତ କରିବାର ଯଥାର୍ଥତା ବିଚାର ସାପେକ୍ଷ ।

 

ଏତଦ୍‍ବ୍ୟତୀତ ଗୋଦାବରୀଶ ମହାପାତ୍ର, ସଚ୍ଚିଦାନନ୍ଦ ରାଉତରାୟ ଓ ନିତ୍ୟାନନ୍ଦ ମହାପାତ୍ରଙ୍କ ପ୍ରାଥମିକ ରଚନାବଳୀରେ ଏବଂ କୁନ୍ତଳାକୁମାରୀ ସାବତ, ରାଧାମୋହନ ଗଡ଼ନାୟକ, କ୍ଷିତୀଶ ଚନ୍ଦ୍ର ଦେ, ନାରାୟଣ ମୋହନ ଦେ, ଜ୍ଞାନୀନ୍ଦ୍ର ବର୍ମା, ନବକିଶୋର ଦାସ, କୃଷ୍ଣମୋହନ ପଟ୍ଟନାୟକ, ପ୍ରାଣକୃଷ୍ଣ ସାମଲ, କୁଞ୍ଜବିହାରୀ ଦାଶ, ବିନୋଦ ନାୟକ, ବିଦ୍ୟୁତପ୍ରଭା ଦେବୀ ପ୍ରଭୃତିଙ୍କ କବିତାବଳୀରେ ମଧ୍ୟ ଏହି ରୋମାଣ୍ଟିକ ଭାବନା ଲକ୍ଷଣୀୟ । ରୋମାଣ୍ଟିକ୍ ଭାବନାର ନିଦର୍ଶନ ସ୍ୱରୂପ ଅନ୍ନଦାଶଙ୍କରଙ୍କ ଗୋଟିଏ ଉକ୍ତି ଏଠାରେ ଉଦ୍ଧାର କରାଯାଇପାରେ । ଆତ୍ମନିମଗ୍ନ ସ୍ଵପ୍ନବାଦୀ ମନୋଭାବକୁ ବ୍ୟକ୍ତ କରି କବି ଲେଖିଛନ୍ତି-

 

“ନୟନ ପରେ ନୟନ ରଖି                   ମରମ ସାଥେ ମରମ ଯୋଖି

ସପନ ସୁଖେ ଥିବା ଗୋ

ପ୍ରେମ ପୁରୁଣା ନ ହୁଏ ଯହିଁ                   ଚାଲ ସେ ପୁରେ ଯିବା ଗୋ ସହି

ଚାଲ ସେ ପୁରେ ଯିବା ଗୋ’ –

(ସୃଜନ ସ୍ୱପ୍ନ)

 

ଏହି କବିଗଣ ‘ଯୌବନର ପୁଜା’ କରିଛନ୍ତି । ଏଣୁ ଯୌବନ ଅପସୃତ ହେବାର ଆଶଙ୍କା ଏମାନଙ୍କ ହୃଦୟକୁ ଜର୍ଜରିତ କରିବା ସ୍ଵାଭାବିକ ।

 

“ଆହା ଯଉବନ ଥରେ ଗଲେ ଆଉ ଆସେନା -

ବୃଥା ବିଧୁର ପରାଣ ପୁରେ ଝରେ ବାସନା ।”

 

ତେଣୁ କବି ଚାହିଁଛନ୍ତି “ଯଉବନ ସାଥେ ଯାଉ ଜୀବନ ମୋର’’ କବି ପଦ୍ମଚରଣ ମଧ୍ୟ ଅନୁରୂପ ଭାବରେ ଯୌବନ ଓ ପ୍ରକୃତିର ଆନନ୍ଦ ଧାରାରେ ଅବଗାହନ କରିବାକୁ ଅଭିଳାଷୀ ହୋଇଛନ୍ତି ।

 

“ବାହୁର ବନ୍ଧନେ ଆଖିର ମିଳନେ

ପିଇବି ଯୌବନ ସୁଧା

ପ୍ରକୃତି ପରାଣେ ପରାଣ ମିଶାଇ

ମେଣ୍ଟିବ ପରାଣ କ୍ଷୁଧା ।”

 

କବି ବୈକୁଣ୍ଠନାଥ ମଧ୍ୟ କବିତ୍ୱକୁ କଳ୍ପନାମୟୀ, ଉତ୍ସବମୟୀ, କୌତୁକିମୟୀ ଓ ପୁଣ୍ୟମୟୀଭାବରେ ଅବିହିତ କରି ଲେଖିଥିଲେ –

 

“ରୂପର ପିପାସା ଜଗାଇଲୁ ପ୍ରାଣେ

ବହିଲା ଲୋତକ ଧାରା

ସ୍ୱପମୟୀ ଗୋ ଚିର ସୁନ୍ଦର

ଧନ୍ୟ କର ଏ ମରୁ ଅନ୍ତର

ବୋଳି ଦେଲ କାହୁଁ ମଧୁମଳୟର

ନବମଲ୍ଲୀକା ବାସ

ଦେଖୁଛି ମନ୍ଦ ହାସ ।’’

 

ଏହି କବିଗଣ ଏହିପରି ଏକ ସୌନ୍ଦର୍ଯ୍ୟାଲୋକର ସନ୍ଧାନରେ ଆତ୍ମହରା । କେହି କେହି ଆଲୋଚକ ଏଣୁ ରୋମାଣ୍ଟିକ କବିମାନଙ୍କୁ “ପଳାୟନବାଦୀ ଓ ରହସ୍ୟବାଦୀଭାବରେ ମଧ୍ୟ ଗଣନା କରିଥାନ୍ତି । କବି ବୈକୁଣ୍ଠନାଥଙ୍କ “ପାନ୍ଥଶାଳା” ପାଠକଙ୍କୁ ଏହିପରି ଏକ ଅଲୌକିକ ଭୂମିର ସନ୍ଧାନ ଦେଇଥାଏ –

 

“ଦୂରେ ସେହି ପାନ୍ଥଶାଳା            ସହଯାତ୍ରୀ ଅଛ ତାକୁ ଦେଖି ?

ସକଳ ମାଧୁର୍ଯ୍ୟ ଖଣି             ଶୋଭା ତାର ନୁହେଁ କାହିଁ ଲେଖି

ନନ୍ଦନ ସୁରଭି ସେବା,             ଉପବନ କୌମୁଦୀ ଚର୍ଚ୍ଚିତ

ସୁର୍ଶେ ପଡ଼ି ନାହିଁ ଧରା ।             ଚିତ୍ତ ଖାଲି କରେ ପୁଲକିତ । (ପାନ୍ଥଶାଳା)

 

ମାୟାଧର ମାନସିଂ ମଧ୍ୟ ବସନ୍ତର ଦକ୍ଷିଣାପବନକୁ ସମ୍ବୋଧନ ଛନ୍ଦରେ ଅନୁରୂପ ଭାବରେ କହିଛନ୍ତି ।

 

‘ସେହି ଦେଶେ ନିଅ ମୋତେ,             ଭୁଜପାତି ଧର ମୋତେ ଧର

ସନାତନ ସ୍ଵପ୍ନ ଯିବି              ଏ ଜଞ୍ଜାଳ ତେଜି ସଂସାରର ।’ (ଦକ୍ଷିଣାପ୍ରତି)

 

ଏହି ରୋମାଣ୍ଟିକ ବା ଭାବ-ବିଳାସୀ, କଳ୍ପନାପ୍ରିୟ କବିମାନଙ୍କ ରଚନାବଳୀରେ ମୁଖ୍ୟତଃ ଆବେଗୋଚ୍ଛ୍ୱାସ ମାନବିକ ପ୍ରଣୟ, ରୂପ, ପ୍ରୀତି, ପ୍ରକୃତି-ପ୍ରୀତି, ଅତୀତର ଗୌରବ ପ୍ରଭୃତି ପରିଲକ୍ଷିତ ହୋଇଥାଏ । ଯାହାହେଉ ଏକାନ୍ତ ଆତ୍ମଚର୍ଚ୍ଚା ଓ ବ୍ୟକ୍ତିଗତ ହୃଦୟେଚ୍ଛ୍ୱାସର ଏତଦ୍ଦ୍ୱାରା ଅଭିବ୍ୟକ୍ତି ଯୋଗୁଁ ଏହି କବିମାନଙ୍କ କବିତାର ପରିସର କେତେକ ପରିମାଣରେ ସୀମାବଦ୍ଧ ହୋଇ ପଡ଼ିଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ପରବର୍ତ୍ତୀ କାଳରେ ଏହି କବିମାନଙ୍କ ମଧ୍ୟରୁ କେତେକଙ୍କ ଦୃଷ୍ଟିଭଙ୍ଗୀ ଓ କାବ୍ୟାଦର୍ଶ ବାସ୍ତବବାଦୀ ଭାବନାଦ୍ଵାରା ପ୍ରଭାବିତ ତଥା ପରିବର୍ତ୍ତିତ ହୋଇଯାଇଥିଲା-। ଭାରତୀୟ ସ୍ଵାଧୀନତା ଆନ୍ଦୋଳନ, ସତ୍ୟାଗ୍ରହ ପ୍ରଭୃତିର ପ୍ରଭାବ ମଧ୍ୟ ରୋମାଣ୍ଟିକ ଭାବନାର ଅଭିବ୍ୟକ୍ତି ପକ୍ଷରେ ପ୍ରତିକୂଳ ହୋଇଥିଲା । ଯାହାହେଉ, ପ୍ରଥମ ବିଶ୍ଵଯୁଦ୍ଧଠାରୁ ଦ୍ୱିତୀୟ ବିଶ୍ୱଯୁଦ୍ଧର ପ୍ରାରମ୍ଭ ପର୍ଯ୍ୟନ୍ତ ପ୍ରାୟ କୋଡ଼ିଏ ବର୍ଷ ମଧ୍ୟରେ ମୁଖ୍ୟତଃ ରୋମାଣ୍ଟିକ କାବ୍ୟାଦର୍ଶ ହିଁ ଓଡ଼ିଆ ଗୀତିକାବ୍ୟର ମୁଖ୍ୟ ପ୍ରବୃତ୍ତି ଥିଲା ।

 

ଏହି ରୋମାଣ୍ଟିକ ଗୀତି କବିତା ଲାଗି କବିମାନେ ଓଡ଼ିଶାର ପ୍ରାଚୀନ ପାରମ୍ପରିକ ଛନ୍ଦକୁ ପରିହାର କରି ନୂତନ ଛନ୍ଦ ପ୍ରୟୋଗ କରିବାରେ ମଧ୍ୟ ବ୍ରତୀ ହୋଇଥିଲେ । ଚଳନ-ପ୍ରଧାନ ଛନ୍ଦ, ଯୁକ୍ତାକ୍ଷରିକ ଛନ୍ଦ ଏହି ରୋମାଣ୍ଟିକ ଗୀତି-କବିତାରେ ହିଁ ବ୍ୟାପକଭାବରେ ବ୍ୟବହୃତ ହୋଇଥିଲା । ଓଡ଼ିଆ ଗୀତିକାବ୍ୟର ରୂପ ଏତଦ୍ଦ୍ୱାରା ପୂର୍ବାପେକ୍ଷା ଅଧିକ ପରିବର୍ତ୍ତିତ ହୋଇ ଯାଇଥିଲା । ଏଣୁ ଗୀତିକାବ୍ୟର ଛନ୍ଦ କ୍ଷେତ୍ରରେ ଏହି ପରିବର୍ତ୍ତନର ଅଭିନବତ୍ୱ ସ୍ୱୀକାର୍ଯ୍ୟ । ବଙ୍ଗ ସାହିତ୍ୟ ସହ ଅଧିକ ସମ୍ପର୍କ ଫଳରେ ବଙ୍ଗଭାଷା ଓ ପ୍ରକାଶ ରୀତିର ପ୍ରଭାବ ମଧ୍ୟ ଏହି ସମୟର କେତେକ ଓଡ଼ିଆ ରୋମାଣ୍ଟିକ ଗୀତି-କବିତାରୁ ସହଜରେ ଉପଲବ୍ ଧି ହୋଇଥାଏ ।

 

ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଜ୍ଞାନ ବିଜ୍ଞାନର ଅଗ୍ରଗତି ଓ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ପ୍ରସାର ଫଳରେ ପାଶ୍ଚାତ୍ୟ ତଥା ଇଂରାଜୀ ରୋମାଣ୍ଟିକ ସାହିତ୍ୟ ବିଲୟମୁଖୀ ହୋଇ ପଡ଼ିଥିଲା ଓ ବାସ୍ତବବାଦୀ ସାହିତ୍ୟ ସୃଷ୍ଟି ବଳିଷ୍ଠତର ହୋଇଥିଲା । ଅନୁରୂପ ଭାବରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରୁ ସାମାଜିକ ପରିବେଶର ଘାତ ପ୍ରତିଘାତ ଫଳରେ ଓଡ଼ିଆରେ ରୋମାଣ୍ଟିକ୍ ଗୀତିକବିତା ପ୍ରତିହତ ହୋଇ ପଡ଼ିଛି ଓ ବହୁ ପରିମାଣରେ ବାସ୍ତବବାଦୀ ଗୀତିକବିତା ରଚିତ ହେଉଛି । ସମ୍ଭବତଃ ବାସ୍ତବ ପରିସ୍ଥିତିହିଁ ସ୍ୱପ୍ନବାଦୀ ପ୍ରଣୟ ପ୍ରଧାନ ଗୀତିକବିତା ରଚନା ଲାଗି ଅନୁକୂଳ ହେଉ ନାହିଁ । ସବୁଜପତ୍ନୀ କବିମାନଙ୍କ ଦ୍ଵାରା ଇଂରାଜୀ ରୋମାଣ୍ଟିସିଜିମର ବହୁଳ ପ୍ରସାର ଘଟିଥିଲେ ହେଁ ଗୋପବନ୍ଧୁ, ବୀରକିଶୋର ଦାସ, ବାଞ୍ଛାନିଧି ମହାନ୍ତି, ଗୋଦାବରୀଶ ମହାପାତ୍ର, ସଚ୍ଚିଦାନନ୍ଦ ରାଉତରାୟ, ଅନନ୍ତ ପଟ୍ଟନାୟକ ପ୍ରଭୃତି ସାମାଜିକ ସମସ୍ୟାମୂଳକ ଜୀବନଧର୍ମୀ, ମାର୍କସୀୟ ଭାବନାପୁଷ୍ଟ ତଥା ବିଦ୍ରୋହାତ୍ମକ କବିତା ରଚନା କରିବା ଯୋଗୁ ରୋମାଣ୍ଟିକ କବିତା କ୍ରମେ ଅନାଦୃତ ହୋଇ ପଡ଼ିଅଛି ଓ ବାସ୍ତବମୁଖୀ କବିତାର ପୃଷ୍ଠଭୂମି ଦୃଢ଼ୀଭୂତ ହୋଇଅଛି । ତଥାପି ରୋମାଣ୍ଟିକ କବି ଭାବରେ ଅନ୍ନଦାଶଙ୍କର, କାଳିନ୍ଦୀଚରଣ, ବୈକୁଣ୍ଠନାଥ, ମାୟାଧର ମାନସିଂ, ରାଧାମୋହନ ଗଡନାୟକ, ପ୍ରାଣକୃଷ୍ଣ ସାମଲ ପ୍ରଭୃତିଙ୍କ କୃତିତ୍ୱ ବିଶେଷ ଭାବରେ ଉଲ୍ଲେଖଯୋଗ୍ୟ ।

 

ତାରୁଣ୍ୟର ଜୟଗୀତିରେ ରୋମାଣ୍ଟିକ କବିମନ ଯେପରି ଆତ୍ମହରା ସେହିପରି ପ୍ରକୃତିର କମନୀୟତାର ବନ୍ଦନାରେ ସେ ମୁଖର । ସଦ୍ୟସ୍ନାତା ପ୍ରେୟସୀକୁ ସେ ହେମନ୍ତର ଅଂଶ ମନେ କରିବାକୁ ଦ୍ୱିଧା କରିନାହିଁ । ଏଣୁ କବି ଲେଖିଛନ୍ତି –

 

“ପ୍ରବେଶିଲା ସଦ୍ୟସ୍ନାତା ପ୍ରେୟସୀ ମୋହର

ଭାବିଲି ସେ ଏକ ଅଂଶ ସ୍ୱର୍ଣ୍ଣ ହେମନ୍ତର ।”

 

ଚିରନ୍ତନୀ ପ୍ରକୃତିର ରୂପ ସୁଷମାରେ ଅବଗାହନ କରି କବିର ମୁଗଧ ଚେତନା ସ୍ୱୀକାର

କରିଛି-

 

“ଆଗୋ ପରିଚିତା ନିତି ନିତି ତୁମେ ଏମନ୍ତେ

କେତେ ପରିକାରେ କେତେ ରୂପ ଧରି ଆସ ଗୋ

ପ୍ରତୀକ୍ଷା କି ଗୋ କରିଅଛି କାହା ନିମନ୍ତେ

ସୁଷମା ବୁହାଇ ଛଅ ଋତୁ ବାରମାସ ଗୋ ।’’

(ଚିରନ୍ତନୀ - ରାଧାମୋହନ ଗଡ଼ନାୟକ)

 

ବାସ୍ତବ ସମସ୍ୟା ଓ ରାଜନୈତିକ ଭାବ ପ୍ରବାହ ପ୍ରତି ବୀତସ୍ପୃହ ତଥା ପୃଷ୍ଠପ୍ରଦର୍ଶନ ପୂର୍ବକ ପ୍ରେୟସୀର ଆହ୍ୱାନକୁ ମଧୁରତର ଘୋଷଣା କରି କବି ଲେଖିଛନ୍ତି –

 

“ଏ ଆହ୍ୱାନକ କୋମଳ କି କହ

ସଂସାରର ସାମ୍ୟବାଦ ଗୀତି

ମୋ ହୃଦୟ କଣ୍ଟେ ଜମି ଉଠେ

ତମେ ଆଜି ଏତେ ପ୍ରିୟବତୀ ।’’

ସହି – ପ୍ରାଣକୃଷ୍ଣ ସାମଲ

 

ନୂତନ ଛନ୍ଦ ତଥା ମୁକ୍ତ ଛନ୍ଦ ମାଧ୍ୟମରେ ମଧ୍ୟ ସେଇ ସ୍ଵପ୍ନବାଦୀ ରୋମାଣ୍ଟିକ ଭାବନାର ଉଚ୍ଛାସ ମୂର୍ତ୍ତିମନ୍ତ –

 

‘ସେଇ ବେଦୁଇନ ଦେଶ

ଚାଲ ସହଚରୀ ରଚିବା ଆମର ନୀଡ଼

X      X      X

କମଳା ଲେମ୍ବୁ ବନେ

ଆମରି କବର ନିଜେ ହାତେ ଦେବା ସାଜି

ଲୟଲା ମଜନୁ ସମ

ସେଇ ବେଦୁଇନ ଦେଶେ ।

-ବେଦୁଇନର ଦେଶ – ବିନୋଦ ନାୟକ

 

୧୯୨୧, ୧୯୩୦, ୧୯୩୧ ମସିହାର ଅସହଯୋଗ ଆନ୍ଦୋଳନ, ଅହିଂସା ସଂଗ୍ରାମ, ଗଡଜାତ ପ୍ରଜାଆନ୍ଦୋଳନ, ସାମାଜିକ ଓ ରାଜନୈତିକ ସଚେତନତା, ଶ୍ରେଣୀ ସଂଘର୍ଷ, ଦୈନ୍ୟ, ଦୁର୍ଭିକ୍ଷ, ସ୍ଵାଧୀନତା ଆନ୍ଦୋଳନ ପ୍ରଭୃତି ଫଳରେ ସମକାଳୀନ କବି - ଚେତନା ସ୍ୱପ୍ନବାଦୀ ହେବା ସମ୍ଭବପର ହୋଇପାରି ନାହିଁ । ସବୁଜ କବିମାନଙ୍କ ମଧ୍ୟରୁ ଅନେକଙ୍କ ଦୃଷ୍ଟିଭଙ୍ଗୀର ପରିବର୍ତ୍ତନ ସଂଘଟିତ ହୋଇଅଛି । ରହସ୍ୟବାଦୀତା, ପରକୀୟା ନାୟିକା, ସମ୍ବନ୍ଧୀୟ ପ୍ରଣୟ ଭାବାତିଶଯ୍ୟ କ୍ରମଶଃ ଶିଥିଳ ହୋଇପଡ଼ିଛି । ବିଶେଷତଃ ଭାରତୀୟ ସ୍ଵାଧୀନତା ସଂଗ୍ରାମ ଓ ମାର୍କସୀୟ ଭାବଧାରାର ପ୍ରଚାର ହିଁ ରୋମାଣ୍ଟିକ କବିତାର ପ୍ରସାର କ୍ଷେତ୍ରରେ ପ୍ରଧାନ ଅନ୍ତରାୟ ହୋଇଥିଲା । ଏହି ରୋମାଣ୍ଟିକ ଭାବନାକୁ ବ୍ୟଙ୍ଗକରି ଜାତୀୟ କବି ବୀରକିଶୋର ତଥା ସାମ୍ୟବାଦୀ କବି ସଚ୍ଚିଦାନନ୍ଦ ରାଉତରାୟ ପ୍ରଭୃତି ବହୁ କବିତା ରଚନା କରିଛନ୍ତି - ବୀରକିଶୋର ଲେଖିଥିଲେ,

 

କବି ବାଜେ କବିତା ବନ୍ଦ କର

କମାଣ ପରାଏ କଲମ ଧର

ଥରେ ବଜାଅ ସମର ଭେରୀ

ତରୁଣ ଯେତେ ସେଇ ସଙ୍କେତେ ଆସନ୍ତୁ ତୋତେ ହର୍ଷେ ଘେରି ।

 

ଆଧୁନିକ କବିତା ଏଣୁ ସ୍ଵପ୍ନଭଙ୍ଗୁର, ବିଦ୍ରୋହ ଓ ବିପ୍ଳବର କବିତାରେ ପରିଣତ ହୋଇଛି-। ସମସ୍ୟା କଣ୍ଟକିତ ଜୀବନର ଅଲେଖ୍ୟ ଅଙ୍କନରେ ଏହା ନିୟୋଜିତ । ଈଶ୍ଵର, ପ୍ରକୃତି, ରୂପଜ ପ୍ରଣୟ ପ୍ରଭୃତି ଆଧୁନିକ ଗୀତିକବିତା ରାଜ୍ୟରୁ ଏକପ୍ରକାର ଉପେକ୍ଷିତ । ଏହାହିଁ ଆଧୁନିକ ଗୀତିକବିତାର ଏକପ୍ରକାର ଆଦର୍ଶ । ତଥାପି ଏହା ମଧ୍ୟ ସ୍ୱୀକାର୍ଯ୍ୟ ଯେ, ଜୀବନ ପ୍ରତି ରୋମାଣ୍ଟିକ ଦୃଷ୍ଟିକୋଣ ଏକଦା ଗୀତିକବିତା ସୃଷ୍ଟି ଲାଗି ବଳିଷ୍ଠ ପ୍ରେରଣା ଯୋଗାଇଥିଲା । ଏହି ରୋମାଣ୍ଟିକ ଭାବନାରେ ଅନୁପ୍ରାଣୀତ ହୋଇ ବହୁ ସାର୍ଥକ ଗୀତିକାବ୍ୟ ଓଡ଼ିଶାରେ ରଚିତ ହୋଇଅଛି । ଏହା ଗଣଜୀବନର ବା ସାମୁହିକ ଜୀବନ-ଅନୁଭୂତିର ଅଭିବ୍ୟକ୍ତସୂଚକ ନ ହୋଇଥିଲେ ହେଁ ବ୍ୟକ୍ତି ଜୀବନର ଗଭୀର ଅନୁଭୂତିର ସ୍ପର୍ଶରେ ପ୍ରଦୀପ୍ତ ଓ ସ୍ଵକୀୟ କଳା ସୌଷ୍ଠବ ଯୋଗୁ ମହିମାନ୍ୱିତ ।

 

ଏହି ରୋମାଣ୍ଟିକ ଭାବନା ଏକ ବିଶ୍ୱବ୍ୟାପୀ କାବ୍ୟକ ଚେତନା । ସାମ୍ପ୍ରତିକ ସାହିତ୍ୟ ତଥା ଗୀତିକବିତା କ୍ଷେତ୍ରରେ ଏହା ଆଜି ଅପସ୍ପୃୟମାନ ହେଲେ ହେଁ ବିଶ୍ୱ ସାହିତ୍ୟ କ୍ଷେତ୍ରରେ ଏତାଦୃଶ ସାର୍ବଜନୀନ କାବ୍ୟାଦର୍ଶ ଏ ଯାବତ୍ ପ୍ରତିଷ୍ଠିତ ହୋଇପାରି ନାହିଁ । ଏ ସମ୍ପର୍କରେ ଯଥାର୍ଥରେ କୁହାଯାଇଛି ।

 

‘‘From the various terminations of Romantic movement it is evident that no similarly international trend has followed it, Though we can see a tendency for it to give way to same type of realism. xxxx However this may be, since the end of the Romantic movement. the literary history of the Western World is a welter of transient and offen conflicting trends and theories of realism, naturalism; symtrolism, imagism, regionalism, expressionism, impressionism, surralism, existentialism and journalism.

 

***

 

*-Companion to world literature-

Ed.by LH. Horristein - P. 393.

 

ରାଧାନାଥଙ୍କ କବିତାରେ ଚିତ୍ରକଳ୍ପ (‘ଉଷା’ ଓ ‘ଚନ୍ଦ୍ରଭାଗା’)

ଅଧ୍ୟାପକ ନିତ୍ୟାନନ୍ଦ ଶତପଥୀ

 

ଏ ପ୍ରବନ୍ଧର ପ୍ରାରମ୍ଭରୁ ଗୋଟିଏ କଥା ସ୍ପଷ୍ଟ ଭାବରେ ଅବଧାରିତ ହେବା ଉଚିତ ଯେ ଆଧୁନିକ ଅର୍ଥରେ ରୂପକଳ୍ପର ଯେଉଁ କାବ୍ୟିକ-ପ୍ରୟୋଗ ପରିଲକ୍ଷିତ ହେଉଛି ତାହା ଉନବିଂଶ ଶତାବ୍ଦୀର ଇଂରେଜୀ ବା ଭାରତୀୟ ସାହିତ୍ୟରେ ପରିଲକ୍ଷିତ ହୋଇ ନଥିଲା । କିନ୍ତୁ ଯୁଗେ ଯୁଗେ ସବୁ ସାହିତ୍ୟର କବି (ଏପରିକି ପ୍ରାଚୀନ ସଂସ୍କୃତ ଓ ଲାଟିନ୍ ସାହିତ୍ୟରେ ମଧ୍ୟ) ଉପମା (Simile) ଓ ରୂପକ (metaphor) ଭିତରେ ଏହି ଚିତ୍ର ଚେତନାକୁ ଅତି ଲୋଭନୀୟ ଭାବେ ପ୍ରକାଶ କରିଥିଲେ । ବସ୍ତୁତଃ ସଂସ୍କୃତ କାବ୍ୟ ସାହିତ୍ୟଠାରୁ ଆରମ୍ଭ କରି ଓଡ଼ିଆ ରୀତି ଯୁଗର କାବ୍ୟ ପ୍ରୟାସ ପର୍ଯ୍ୟନ୍ତ କବିତାରେ ଉପମା ଓ ରୂପକ ଏକ ଏକ ଆଳଙ୍କାରିକ ବିଭବ ଭାବରେ ଗୃହୀତ, କିନ୍ତୁ ଚଳିତ ଶତାବ୍ଦୀର କବିତାରେ ରୂପକଳ୍ପ (Image) ଏକ ଆତ୍ମିକବିଭବ ଭାବରେ ସ୍ଵୀକୃତ । ସେଥିପାଇଁ ଏହି କାବ୍ୟକ-ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ମାର୍କନ କବି ଏଜରା ପାଉଣ୍ଡ୍‍ ସ୍ପଷ୍ଟ କରିଥିଲେ- ‘‘It is better to present one image in a lilfe-time than to produce voluminous works." ଆରିଷ୍ଟଟଲ ତାଙ୍କ କାବ୍ୟ ସୂତ୍ରରେ ଏହି ଚେତନା ସମ୍ପର୍କରେ ଉଲ୍ଲେଖ କରିଥିଲେ – ‘‘The greatest thing by far is to have a command of metaphor... it is a mark of genius.’’ ଅବଶ୍ୟ ଆରିଷ୍ଟଟଲଙ୍କ ସମୟର metaphor ଓ ସାମ୍ପ୍ରତିକ କବିତାର imagery ମଧ୍ୟରେ ଗୁଣାତ୍ମକ ତଫାତ୍ ଢେର ବେଶୀ । ଏକ ବାହ୍ୟ ବସ୍ତୁ ସହିତ ବର୍ଣ୍ଣିତ ବସ୍ତୁର ଗୁଣାତ୍ମକ ସାମଞ୍ଜସ୍ୟ (ଉପମା) ଓ ଗୁଣଗତ ଅଭେଦ ପରିକଳ୍ପନା (ରୂପକ) ଠାରୁ ରୂପକଳ୍ପ ଅଧିକ ବୌଦ୍ଧିକ ସମ୍ଭାବନା ଉପସ୍ଥାପିତ କରିଥାଏ । ଏକ ବାହ୍ୟ ବସ୍ତୁର ପ୍ରକୃତ ପ୍ରତିଫଳନ ବ୍ୟତୀତ ଅଧିକ କିଛି ମନୋଜ୍ଞ ରୂପ ପ୍ରକଟିତ କରୁଥିବା ଚିତ୍ର ପରିକଳ୍ପନାକୁ ଆମେ ରୂପକ ଆଖ୍ୟା ଦେଇ ପାରିବା । ତେଣୁ ରୂପକ ଉପମାଗର୍ଭକ ବା ରୂପକାଶ୍ରୟୀ ହେଲେ ମଧ୍ୟ ଏହା କ୍ୟାମେରାର ଫଟୋଗ୍ରାଫ୍ କିମ୍ବା ଆଇନାର ପ୍ରତିବିମ୍ବ ନୁହେଁ; ବରଂ ଜୀବନର ଏକ ବିପୁଳ ପ୍ରତିଫଳନ । କାରଣ ପ୍ରତିଟି ଚିତ୍ରକଳ୍ପ ସହିତ ଗଭୀର ଭାବାବେଗ, ବୁଦ୍ଧିମତ୍ତା ଓ ଅନ୍ତର୍ନିହିତତା ଥାଏ । ସାଧାରଣ ପ୍ରତିବିମ୍ବ ଅଧିକ ଦୃଶ୍ୟମାନ । କିନ୍ତୁ ରୂପକଳ୍ପ ଚକ୍ଷୁ ଅପେକ୍ଷା ମଣିଷର ଅନ୍ୟାନ୍ୟ ଇନ୍ଦ୍ରିୟ ଓ ବୁଦ୍ଧିଦୀପ୍ତତାକୁ ଅଧ୍ୟକ ଉଦ୍‍ବୁଦ୍ଧ କରିଥାଏ । ତେଣୁ ପ୍ରତିବିମ୍ବ ପରି ଏହି ପରିକଳ୍ପନାରେ ବସ୍ତୁର ବାସ୍ତବ ଚେହେରା, ଲମ୍ବ ପ୍ରସ୍ଥ ଓ ଉଚ୍ଚତା ଦେଖି ହୁଏନାହିଁ; ଏହାକୁ ଚିନ୍ତା ଓ ଚେତନା ଭିତରେ ବାରି ହୁଏ ବା ଅନୁଭବ କରିହୁଏ । C Day Lewisଙ୍କ ସଂଜ୍ଞାନୁସାରେ ‘‘Poetic image is a word picture charged with emotion or passion”. (୧) ଗୋଟିଏ ଉଦାହରଣ ଦେଇ କଥାଟିକୁ ବୁଝାଇ ଦିଆଯାଇପାରେ । T.S. Eliotଙ୍କ ସେହି ବିଖ୍ୟାତ ପଙକ୍ତି ‘‘The evening is spreadagainst the sky like a patient ethorised on a table” କିମ୍ବା ଅଧ୍ୟାପକ ନିତ୍ୟାନନ୍ଦ ପତିଙ୍କ ‘ଭଦ୍ରଖ’ କବିତାର ଗୋଟିଏ ପଙକ୍ତି-

 

(୧) The nature of image pg. 19.

(୨) “କବିତା’ ଶାନ୍ତିନିକେତନରୁ ପ୍ରକାଶିତ ।

 

“ସାଳନ୍ଦୀର ସରୁଧାର ସତେ କେଉଁ ବିଧବାର ଲୁହ

ସେପାରି ନିଶାଖା ଡାଳେ ଜାଗେ ନାହିଁ କପୋତୀର କୋହ ।” ( ୨)

 

ଏସବୁ କବିତାର ଯେଉଁ ଚିତ୍ର-ଚେତନା ସୃଷ୍ଟି ହୋଇଛି, ସେଥିରେ ଗଭୀର ଅନ୍ତର୍ଚକ୍ଷୁ, ସନ୍ଧାନ ଓ ବାସ୍ତବତାର ଅନ୍ୱେଷଣ ସ୍ପଷ୍ଟ । ଏ ସବୁ ଚିତ୍ରରେ ଦୃଶ୍ୟସାମ୍ୟ ଠାରୁ ପରିକଳ୍ପନାରେ ଭାବଗତ ସାମ୍ୟର ମାତ୍ରା ଢେର ଅଧିକ । ବର୍ଷାକାଳୀନ ଉଦ୍ଧତ ଓ କ୍ଷୁଧିତ ସାଳନ୍ଦୀ ନଦୀ ରୌଦ୍ରତପ୍ତ ବୈଶାଖ ମଧ୍ୟାହ୍ନରେ ତା’ର ସିକତିଳ ଛାତିରେ ମାତ୍ର ସରୁଧାରଟିଏ – ଜଣେ ପତିବିଚ୍ଛେଦ କାତରା ବିଧବା ନାରୀର ଆଖିର ସରୁ ଲୁହଧାରଟିଏ ସହିତ ତା’ର ଦୃଷ୍ଟିଗତ ସାମ୍ୟ ନ ଥାଇପାରେ; ମାତ୍ର ଭାବଗତ ସାମ୍ୟ ଯେ ଢେର୍ ବେଶୀ - ଏଥିରେ ସନ୍ଦେହ ନାହିଁ । ପୁନଶ୍ଚ ନିଶାଖା ଡାଳରେ କପୋତୀର କାରୁଣ୍ୟ ଭିତରେ ଏକ ଚମତ୍କାର ଚିତ୍ର – ଚେତନା ସୃଷ୍ଟି କରାଯାଇ ବିରହ ଓ ବିଚ୍ଛେଦର ଗୁରୁତ୍ଵକୁ ବୃଦ୍ଧିପ୍ରାପ୍ତ କରାଯାଇଅଛି । ଏହି ଚିତ୍ର ପାଠକମନକୁ ଯେ ଖୁବ୍ ବେଶୀ ଉଦ୍‍ବୁଦ୍ଧ କରୁଛି ଏଥିରେ ଦ୍ୟୁରୁକ୍ତି ନାହିଁ । ରୂପପ୍ରତିମା (Image) ଭାବ-ଜଗତର ଏକ ବ୍ୟାପାର; ଦୃଷ୍ଟି-ଜଗତର ପରି ଅତିକ୍ରମ କରି ଏହା ଅଧିକ ବେଗଗାମୀ ଓ କ୍ଷିପ୍ର । ସମସ୍ତ ଇନ୍ଦ୍ରିୟ ଆସ୍ୱାଦନକୁ ଆଚ୍ଛନ୍ନ କରି ପ୍ରଜ୍ଞା, ବୁଦ୍ଧିବୃତ୍ତି (intellect) ଓ ମନନକୁ ଏହା ସିଧା ସଳଖ ଆବେଦନ ଜଣାଏ । ଚିତ୍ର ଚେତନାର ପ୍ରଥମ ଅନୁଭୂତି ଆମ ଇନ୍ଦ୍ରିୟ ଜରିଆରେ ହୋଇ କ୍ରମେ ପ୍ରଜ୍ଞା ଓ ସମ୍ୱିତକୁ ଉଦ୍‍ବୁଦ୍ଧ କରି ଏହା ଅଧିକ ସମ୍ପ୍ରସାରଣଶୀଳ ଓ ଭାବ ଉଦବୋଧକ ହୋଇ ଉଠ (୩) ପୁଣି ଥରେ ଏଜରା ପାଉଣ୍ଡଙ୍କୁ ଉଲ୍ଲେଖ କରାଯାଇପାରେ - “An image is that which presents an intellectual and emotional complex in the instant of a time.’’ ରୂପକଳ୍ପବାଦୀ ଏଜରା ପାଉଣ୍ଡ ଓ ତାଙ୍କ ଗୋଷ୍ଠୀର କବିମାନଙ୍କର ପ୍ରଧାନତମ ଉଦ୍ଦେଶ୍ୟ ହେଲା ବସ୍ତୁକୁ ଏକ ଧାରଣାଗତ ରୂପ ଦେଇ ତା’ର ନିଛକ, ଭାବ ପ୍ରଭାବକ (evocative) ଦ୍ରୁତଚିତ୍ର ମନରେ ଜାଗ୍ରତ କରିବା ଏବଂ ଏହି ଆଭିମୁଖ୍ୟ ନେଇ T.E. Hulmeଙ୍କ ନେତୃତ୍ୱରେ ସାତଜଣ ରୂପକଳ୍ପବାଦୀଙ୍କ କବିତାକୃତ ‘Some Imagist poets’ ନାମରେ ଏକ କବିତା ସଂକଳନ ୧୯୧୫ରେ ପ୍ରକାଶ ପାଇଲା ।

 

ଏସବୁ ଅବତାରଣରୁ ଏହା ସ୍ପଷ୍ଟ ହେବ ଯେ, ରୂପକଳ୍ପବାଦକୁ ଏକ ସମୃଦ୍ଧ କାବ୍ୟକ କଳା (Poetic excellency) ଭାବରେ ବିଂଶ ଶତାବ୍ଦୀର ଉନ୍‍ମେଷ ପୂର୍ବରୁ ଗ୍ରହଣ କରାଯାଇ ନ ଥିଲା । ଏ ଦୃଷ୍ଟିର କବି ରାଧାନାଥଙ୍କ ‘ଚନ୍ଦ୍ରଭାଗା’ ଓ ‘ଉଷା’ କାବ୍ୟର ଚିତ୍ରଚେତନା ସମ୍ପର୍କରେ ଆଲୋକପାତ କରାଯିବାବେଳେ ମନେ ରଖିବାକୁ ହେବ ଯେ କବି ରାଧାନାଥ ହେଉଛନ୍ତି ମଧ୍ୟଯୁଗୀୟ କାବ୍ୟ ପରମ୍ପରା ଓ ଆଧୁନିକ କାବ୍ୟ କଳାର ମିଳନ-ସେତୁ । ଜଣେ ଯୁଗସନ୍ଧିର କବି ହିସାବରେ ନୂତନତାକୁ ଆମନ୍ତ୍ରଣ କରିବାରେ ସେ ଯେତିକି ଦୂରଦର୍ଶିତାର ପରିଚୟ ଦେଇଛନ୍ତି ଅତୀତ ପରମ୍ପରାର ଆଙ୍ଗିକକୁ ସେତିକି ମଧ୍ୟ ଆତ୍ମସାତ୍ କରିଛନ୍ତି । ପ୍ରାଚୀନ ମଧ୍ୟଯୁଗୀୟ କାବ୍ୟ ସାହିତ୍ୟ ଶାବ୍ଦିକ ବିପୁଳତା, ଧ୍ୱନିଗତ ତାତ୍ପର୍ଯ୍ୟ ଓ ସର୍ବୋପରି ଅଳଙ୍କାରର ଆଭରଣରେ ବିମଣ୍ଡିତା । ରାଧାନାଥ ଅନ୍ତତଃ କାବ୍ୟର ବାହ୍ୟ ସୌନ୍ଦର୍ଯ୍ୟ ରୂପେ ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ ସାହିତ୍ୟର ଏହି ବିପୁଳ ସମ୍ଭାର ଅଙ୍ଗସଜାକୁ ମାନି ନେଇଛନ୍ତି । ତେଣୁ ତାଙ୍କର ସମସ୍ତ କାବ୍ୟରେ ଉପମା, ରୂପକ, ଉତ୍‍ପ୍ରେକ୍ଷାଆଦି ଅଳଙ୍କାରର ବ୍ୟାପକ ପ୍ରୟୋଗ ଦେଖିବାକୁ ମିଳେ । କବି ମାନସର ଏହି ନିଶ୍ଚିତ ଐତିହାସିକ ଦ୍ୱନ୍ଦ୍ରକୁ ବୁଝିବାକୁ ହେବ । ଏକ ନୂତନ କାବ୍ୟ ପରମ୍ପରାର ପଥିକୃତ, ଭାବ ସମ୍ପଦର ଚାରଣ ତଥା ଆତ୍ମିକ ବିସ୍ଫୋରଣର ଉଦ୍‌ଗାତା ତଥାପି ଯେ ପ୍ରଚଳିତ ଛାଞ୍ଚକୁ ଛାଡ଼ିପାରି ନାହାନ୍ତି - ଏହା ବିସ୍ମୟର କଥା । କିନ୍ତୁ ଏତେ ଶୀଘ୍ର ଏକ ପରମ୍ପରାକୁ ଛାଡ଼ି ହୁଏ କି ? ଆଲୋଚ୍ୟ କାବ୍ୟ ‘ଉଷା’ରୁ ଗୋଟିଏ ଉଦାହରଣ ଦିଆଯାଇପାରେ-

 

(୩) Principles of literary criticism Ch XVI - I.A. Richards

 

“ସବୁ ଜ୍ୟୋତି ମଧ୍ୟେ ବେନି ଜ୍ୟୋତି ଥିଲା ଉଜ୍ଜଳତମ

ଶାରଦୀୟ ଉଷା-ଶିରୋଭୁଷା ଶୁକ୍ର-ତାରକା ସମ ।”

‘ଉଷା’

ଉକ୍ତ ପଙକ୍ତିରୁ ମଧ୍ୟଯୁଗୀୟ କାବ୍ୟ ସାହିତ୍ୟରେ ପ୍ରଚଳିତ ଉପମାଳଙ୍କାର ଓ ସମାସବହୁଳତା ଲକ୍ଷ୍ୟଣୀୟ । ସେହିପରି –

 

“ତରଙ୍ଗ-ଦୋଳାରେ ଦୋଳାୟିତ କିମ୍ବା ସିନ୍ଧୁ-ଦୁଲଣା

ଲୀଳା-ଅରବିନ୍ଦ-ଧାରିଣୀ ଅମଳ-କମଳାନନା ।”

- ଉଷା’

 

ଉକ୍ତ ଉଦାହରଣଟିରେ ସମାସାନ୍ତ ପଦ ଓ ଉତ୍‍ପ୍ରେକ୍ଷାଳଙ୍କାର ମଧ୍ୟଯୁଗୀୟ କାବ୍ୟିକ ଛାଞ୍ଚରେ ଉତ୍କୀର୍ଣ୍ଣ । ଭାବବିଳାସୀ ରୂପପ୍ରାଣ କବି ରାଧାନାଥ ପାଶ୍ଚାତ୍ୟ ସାହିତ୍ୟାନୁସରଣରେ ନୂତନ ଭାବଚେତନା ଆଣିଥିଲାବେଳେ ଆମ କାବ୍ୟକ ପରମ୍ପରାର ଏହି ଆଙ୍ଗିକ ରୀତିକୁ ପରିହାର କରିପାରି ନଥିବା ସମୟର ଅବଶ୍ୟମ୍ଭାବୀ ପ୍ରଭାବ ବ୍ୟତୀତ ଆଉ କ’ଣ ହୋଇପାରେ ?

 

ଆଲୋଚ୍ୟ ଦୁଇଟି କାବ୍ୟ ‘ଚନ୍ଦ୍ରଭାଗା’ ଓ ‘ଉଷା’ ପ୍ରକାଶନ ସମୟକୁ ୟୁରୋପୀୟ ତଥା ମାର୍କୀନ ସାହିତ୍ୟରେ ରୂପକଳ୍ପବାଦୀମାନେ ଏହି ଆନ୍ଦୋଳନ ତଥାପି ଚଳାଇ ନ ଥିଲେ । କବିତା ରାଜ୍ୟର ଆତ୍ମିକରେ ଶେଷ ପରୀକ୍ଷା ନ ହେଲେ ମଧ୍ୟ ଶ୍ରେଷ୍ଠ ପରୀକ୍ଷା ରୂପେ ପ୍ରଥମ ମହାଯୁଦ୍ଧର କିଞ୍ଚିତ୍‍ ପୂର୍ବରୁ ଏହି ଚେତନା ସ୍ୱୀକୃତି ଲାଭ କରିଥିଲା । ଏହି ମତବାଦର ଅନ୍ୟତମ ପ୍ରତିଷ୍ଠାତା T.E. Hulme ୧୯୦୮ ମସିହାରେ ‘Poetry club’ରେ ଜାପାନୀ ଓ ହିବ୍ୟୁ ଭାଷାର କବିମାନଙ୍କଠାରୁ ଫରାସୀ ପ୍ରତୀକବାଦୀ କବିମାନଙ୍କ କବିତା ଆଲୋଚନା ଅବକାଶରେ ଏହି ଚିତ୍ରକଳ୍ପର ମର୍ମ ଉଦ୍‌ଘାଟନ କରିଥିଲେ । ପ୍ରଚଳିତ ଓ ପାରମ୍ପରିକ ଚିତ୍ର ସଂଯୋଜନା ବିରୁଦ୍ଧରେ ହ୍ୟୁମ୍‍ଙ୍କ ବିଦ୍ରୋହ ପରବର୍ତ୍ତୀ କବିଗଣଙ୍କୁ ବିଶେଷ ଭାବେ ଉଦ୍‍ବୁଦ୍ଧ କରିଥିଲା (୪) କିନ୍ତୁ ସଂଶିତସମୟକୁ ରାଧାନାଥ ‘ମହାଯାତ୍ରା’ ରଚନା କରିସାରି ମହାପ୍ରସ୍ଥାନ ବରଣ କରି ନେଇଥିଲେ । ଏହି ଐତିହାସିକ ପୃଷ୍ଠଭୂମିରେ ‘ଚନ୍ଦ୍ରଭାଗା’ ଓ ‘ଉଷା’ କାବ୍ୟର ଚିତ୍ରଚେତନା କଥା ଆଲୋଚନା କଲାବେଳକୁ ଆମକୁ ରାଧାନାଥ ମାନସର ରୂପପ୍ରାଣତା ପ୍ରତି ଦୃଷ୍ଟିଦେବାକୁ ହେବ । ନାରୀର ରୂପବର୍ଣ୍ଣନାରେ ମଧ୍ୟଯୁଗୀୟ କବି ଉପେନ୍ଦ୍ରଭଞ୍ଜଙ୍କ ପରି କବି ରାଧାନାଥ ମଧ୍ୟ ଉଚ୍ଛ୍ୱସିତ ହୋଇ ଉଠିଛନ୍ତି । ଏପରିକି ପାଣ୍ଡବମାନଙ୍କ ସ୍ଵର୍ଗଯାତ୍ରାକାଳୀନ ଗୈରିକ ଚିତ୍ରରେ ବୃଦ୍ଧା ଦ୍ରୌପଦୀଙ୍କୁ ‘ରମଣୀ ସୀମନ୍ତରେଖା ବାମା ମହୀତଳେ’ ଓ ‘ଗଜେନ୍ଦ୍ରଗାମିନୀ’ ଭାବରେ ପରିକଳ୍ପନା କରାଯାଇଛି-। ପୁନଶ୍ଚ ପଞ୍ଚବଟୀ ବନର ବର୍ଣ୍ଣନା ପ୍ରସଙ୍ଗରେ ଇନ୍ଦ୍ରିୟଗ୍ରାହ୍ୟ ରୂପପ୍ରାଣତାର ପରିଚୟ ଦେବାକୁ କବି ପଛାଇ ନାହାଁନ୍ତି-

 

“ମୈଥିଳୀ ସୁନ୍ଦରୀ ଯେବେ ତୋଳୁଥିଲେ ଏଥି

ବନପୁଷ୍ପ, ଝରି ତାଙ୍କ ଶ୍ରୀକରୁ ଅଳତା

ରଞ୍ଜିଲାକି ତରୁଲତା ଏ ମଞ୍ଜୁଳ ରାଗେ ?”

– “ମହାଯାତ୍ରା’

 

ସେହିପରି ଚନ୍ଦ୍ରଭାଗା’ କାବ୍ୟରେ ଚନ୍ଦ୍ରଭାଗାକୁ ଋଷିକନ୍ୟା, ପୁରୁଷବିରାଗୀ ଭାବରେ ଚିତ୍ରଣ କରିଥିଲେ ମଧ୍ୟ ରୂପବର୍ଣ୍ଣନାରେ ରାଧାନାଥୀ ମାନସ ଅତି ମାତ୍ରାରେ ଉଦବେଳିତ ହୋଇ ଉଠିଛି ।

 

(୪) ‘ଚିତ୍ର ପ୍ରତିମାର ଆଦି ଓ ଆବର୍ତ୍ତ’ - ପ୍ରହରାଜ ସତ୍ୟନାରାୟଣ ନନ୍ଦ ‘ଦିଗନ୍ତ’ ପୃ-୪୭ଷ୍ଠା ।

 

“ଶୋଭା ସେ ଲଭିଲା ଅପ୍‍ସରୀ

ଦିବ୍ୟ ଶୋଭାକୁ ବଳି

ଫୁଟିଲା ଲାବଣ୍ୟ ସରରେ

ନବ କମଳ କଳି ।”

 

ଏଠାରେ ଦେହକୁ ସରସୀ ସହିତ ଓ ଯୌବନରୂପକ ଲାବଣ୍ୟକୁ କମଳକଳି ସହିତ ଏକ ପାରମ୍ପରିକ ରୀତିରେ ସମନ୍ୱିତ କରାଯାଇଛି । ସେହିପରି ‘ଉଷା’ କାବ୍ୟରେ ଉଷାର ରୂପବର୍ଣ୍ଣନା ପ୍ରସଙ୍ଗରେ ରାଧାନାଥ ଏକ ଚମତ୍କାର ଚିତ୍ରକଳ୍ପନା ଆଣିଛନ୍ତି । ଉଷା ଯୌବନରେ ପଦାର୍ପଣ କରିଛି-। ରାଧାନାଥଙ୍କ ଚିନ୍ତାରେ ତାର ସୌନ୍ଦର୍ଯ୍ୟ ସବୁ କିଛି ଉପମାକୁ ଅତିକ୍ରମ କରି ଯାଇଛି ।

 

“ତରଳ-ତାରକା-ହାରମୟୀ ନାକ-ନାଗରୀ ଟୀକା

ସମକକ୍ଷ ତା’ର ହେଲେ ହେବେ ଶଚୀ ସ୍ୱର୍ଗ ଚନ୍ଦ୍ରିକା’’

“ତରଙ୍ଗ ବୋଳାରେ ଦୋଳାୟିତ କିବା ସିନ୍ଧୁ-ଦୁଲଣା

ଲୀଳା-ଅରବିନ୍ଦ-ଧାରିଣୀ ଅମଳ-କମଳାନନା ।”

 

ଏଠାରେ ପୁନଶ୍ଚ ପାରମ୍ପରିକ ରୀତିରେ ଉଷାକୁ ଇନ୍ଦ୍ରାଣୀ, ଶଚୀ ଓ ବିଷ୍ଣୁପତ୍ନୀ ଲକ୍ଷ୍ମୀଙ୍କ ସହିତ ଉପମିତ କରାଯାଇଥିଲେ ମଧ୍ୟ ‘ତରଳତାରକା ହାରମୟୀ ସ୍ଵର୍ଗ’ ଓ ‘ତରଙ୍ଗ ବୋଳାରେ ଦୋଳାୟିତ ସିନ୍ଧୁ ଦୁଲଣା’ କହିବାଦ୍ଵାରା ଦୁଇଟି ଅତିରିକ୍ତ ଚିତ୍ର ସଂଯୋଗ କରାଯାଇଛି । କେବଳ ଶଚୀ କିମ୍ବା ଲକ୍ଷ୍ମୀ ଉଷାରୂପର ପ୍ରତିସ୍ପର୍ଦ୍ଧୀ ନୁହନ୍ତି । ତେଣୁ ଜଣକୁ ତରଳ ତାରକାର ହାରମାଳିନୀ କାଳ୍ପନିକସ୍ୱର୍ଗରେ ଓ ଅପରକୁ ଲୀଳା ଅରବିନ୍ଦ ହସ୍ତରେ ତରଙ୍ଗର ଦୋଳାରେ ଉପବିଷ୍ଟ କରାଇଛନ୍ତି-। ଏ ଚିତ୍ର ଦୁଇଟି ରାଧାନାଥଙ୍କ ସ୍ୱକୀୟ ପରିକଳ୍ପନା । ପୁଣି ରଙ୍ଗବସ୍ତ୍ର ପରିଧାନ କଲେ ଉଷା ଲାଲମେଘର ଅନ୍ତରାଳରୁ ସୂର୍ଯ୍ୟ ଯେପରି ଆକର୍ଷଣୀୟ ଦେଖାଯାଏ ସେହିପରି ଦେଖାଯାଏ । ଅବଶ୍ୟ ପାରମ୍ପରିକ ରୀତିରେ ଏଠାରେ ଏକ ଉପେକ୍ଷା ଅଳଙ୍କାରର ସାହାଯ୍ୟ ନିଆଯାଇଛି । ତଥାପି ଏ ଚିତ୍ରଟି ଅତି ନୂତନ ପରି ମନେ ହୁଏ । ପୁନଶ୍ଚ ନାରୀମାନଙ୍କ ଗହଣରେ ଉଷାର ଭ୍ରମଣକୁ ଦୁଇଟି ଚିତ୍ରଚେତନା ଭିତରେ କଳନା କରାଯାଇଛି ।

 

“କନକ-ବଲ୍ଲରୀ ମଧ୍ୟେ କି ବିହରେ ସ୍ଥିର ହ୍ଲାଦିନୀ

ତାରା-ହଲ୍ଲୀଷକେ କି ଅବା ରୋହିଣୀ ଇନ୍ଦୁ-ମୋହିନୀ ।”

 

ଆଦିବାସୀ ନାରୀମାନଙ୍କର ଏ ‘ହଲ୍ଲୀଷକ’ (ନୃତ୍ୟ) ନିଶ୍ଚୟ ରାଧାନାଥ ଦେଖିଥିଲେ ଓ ଏହି ନୃତ୍ୟର ଇନ୍ଦ୍ରିୟଗ୍ରାହ୍ୟ ସୌନ୍ଦର୍ଯ୍ୟ ପ୍ରତି ଖୁବ ଆକୃଷ୍ଟ ମଧ୍ୟ ହୋଇପାରି ଥାଆନ୍ତି । ପୁଣି ହ୍ଲାଦିନୀ (ବିଜୁଳୀ)କୁ ସ୍ଥିର କହିବା ଦ୍ଵାରା ଏକ ବିପରୀତ ଉପମା-ବୈଚିତ୍ର୍ୟ ସୃଷ୍ଟିକରି ରାଧାନାଥ ନିଜ ଉକ୍ତିର ଯୁକ୍ତିବତ୍ତା ପ୍ରମାଣ କରିଛନ୍ତି । ତାରାମାନେ ସ୍ଥିର ହୋଇପାରନ୍ତି, କିନ୍ତୁ ଦୂରକୁ ସେମାନେ ମିଟିମିଟି (twinkling) କରୁଥାନ୍ତି । ସେମାନଙ୍କ ମଧ୍ୟରେ ରୋହିଣୀ ନକ୍ଷତ୍ର ଚନ୍ଦ୍ରର ନିକଟବର୍ତ୍ତୀ ଥିବାରୁ ସ୍ଥିର ଓ ନିସ୍ତରଙ୍ଗ ଜଣାଯାଏ । ହେମବରଣା କନକଲତା (ନାରୀମାନଙ୍କ) ଅନ୍ତରାଳରେ ଉଷା ସେହିପରି ସ୍ଥିର ବିଦ୍ୟୁତ୍‍ପ୍ରଭା, ସୃଷ୍ଟିର ଶ୍ରେଷ୍ଠ ରୂପସୀ-ଅନିନ୍ଦ୍ୟା ଓ ଅନବଦ୍ୟା ।

 

ପୁଣି ଆଉ ଏକ ଦୃଶ୍ୟ । ବଳାଙ୍ଗୀର ସ୍ରୋତରେ ଉଷା ଯେତେବେଳେ ସହଚରୀମାନଙ୍କ ସହିତ ନୌକାରେ ବିହାର କରେ, ସେତେବେଳେ କ୍ଷିପ୍ରଗାମୀ ନୌକାର ଉଭୟ ପାର୍ଶ୍ୱରେ ବୃକ୍ଷରାଜି ଧାବମାନ ହୋଇଉଠନ୍ତି । ପୁଷ୍ପିତ ସ୍ୱର୍ଣ୍ଣକାନ୍ତିବିଶିଷ୍ଟ ଶଣକ୍ଷେତ୍ର ନୌକାର ଆପେକ୍ଷିକ ବେଗରେ ମଧ୍ୟ ଗତିଶୀଳ ହୋଇ ଉଠନ୍ତି; କିନ୍ତୁ ପ୍ରକୃତିର ଏହି ସୁନ୍ଦର ଦୃଶ୍ୟରାଜି ରୂପପିପାସୁ କବି ଆଖିରେ ଏକ ନୂତନ ବିଭାରେ ଦୀପ୍ତିମନ୍ତ ହୋଉ ଉଠେ । ସତେ ଯେପରି ଏହି ରଣକ୍ଷେତ୍ର ତରଣୀ ଆରୂଢ଼ା ହେମବରଣା ଉଷା ଦେହରୁ ସ୍ୱର୍ଣ୍ଣବିଭା ଚୋରିକରି ପଳାୟନରତ । ପୁଣି ବିଜନ ଅରଣ୍ୟର ସ୍ଥଳପଥରେ କୁଜି ରାଜହଂସମାନେ ଉଷା ଚରଣ ନୂପୁରର ଶିଞ୍ଜିନୀରେ ମୁଗ୍‍ଧ ହୋଇ ପଛେ ପଛେ ଅନୁସରଣ କରୁଥିଲେ; କିନ୍ତୁ ପୁରୁଷ ବିରାଗୀ ଋଷିକନ୍ୟା ଚନ୍ଦ୍ରଭାଗାର ରୂପ ବର୍ଣ୍ଣନାରେ ପରିସ୍ଥିତି ଓ ପରିବେଶ ଦୃଷ୍ଟିରୁ ରାଧାନାଥ ଅଧିକ ସତର୍କତା ଅବଲମ୍ବନ କରିବା ସ୍ଵାଭାବିକ । ତେଣୁ ସୂର୍ଯ୍ୟଙ୍କ ଆଖିରେ ସମ୍ମୋହନ ସୃଷ୍ଟି କରିବାପାଇଁ ଚନ୍ଦ୍ରଭାଗାକୁ ଉଷାପରି ରୂପଲାବଣ୍ୟର ଏକ ଅନବଦ୍ୟ ସୃଷ୍ଟିଭାବେ ନ ଗଢ଼ି ସେ ଏକ ତାପସୀସୁଲଭ ଶୁଭ୍ରସୌନ୍ଦର୍ଯ୍ୟରେ ବିମଣ୍ଡିତ କରିଛନ୍ତି । ତେଣୁ କାବ୍ୟିକ ବିଷୟବସ୍ତୁର ଭାରସାମ୍ୟ ରକ୍ଷା କରିବାପାଇଁ କେବଳ ଗୋଟିଏ ସୂଚନାରେ କଥାଟି ଶେଷ କରିଦେଇଛନ୍ତି-

 

‘‘ନେତ୍ର ଯୁଗେ ଯୁବା ପିଅନ୍ତି

ଯେଉଁ ରୂପ ଅମୃତ

ସେ ଅମୃତ କଲା ଯୌବନ

ବାଳା-ତନୁ ଧଉତ ।’’

 

କିନ୍ତୁ କଦୂକ କ୍ରୀଡ଼ାରତ ଚନ୍ଦ୍ରଭାଗାପ୍ରତି ସୂର୍ଯ୍ୟଙ୍କ ମନରେ କାମନାର ବହ୍ନି ଜାଳି ସମ୍ଭୋଗର ଲାଳସା ସୃଷ୍ଟି କରିବାପାଇଁ ରାଧାନାଥ ଏକାଧିକ ପଙ୍‍କ୍ତିରେ ଏକ ରୂପଉଛଳା ପରିବେଶରେ ଚିତ୍ର ବର୍ଣ୍ଣନା କରିଛନ୍ତି । ପ୍ରକୃତି ଏଠାରେ ଆଲମ୍ବନ ବିଭାବ । ସମଗ୍ର ମଧ୍ୟଯୁଗୀୟ ବା ରୀତିଯୁଗୀୟ ଓଡ଼ିଆ କାବ୍ୟରେ ତଥା ଆଦିରସ ବହୁଳ ସଂସ୍କୃତ କାବ୍ୟ ସାହିତ୍ୟରେ ପ୍ରକୃତି ଯୌନଜିଜ୍ଞାସାର ପ୍ରଚ୍ଛଦପଟଭାବେ ଦଣ୍ଡାୟମାନ । ରାଧାନାଥ ଓଡ଼ିଆ ରୀତିଯୁଗୀୟ କାବ୍ୟର ଅନୁସରଣରେ ‘ଚନ୍ଦ୍ରଭାଗା’ କାବ୍ୟରେ ସେହିପରି ଏକ ଚିତ୍ର ଦେବାକୁ ଚେଷ୍ଟା କରିଛନ୍ତି ତଥାପି ଏହା ତାଙ୍କ ସ୍ୱକୀୟତାର ସ୍ୱାକ୍ଷରରେ ଦୀପ୍ତିମନ୍ତ । “ମଧୁର ପ୍ରଦୋଷ ସମୟ, ଆକାଶରେ ଅସ୍ତସୂର୍ଯ୍ୟର ସୁବର୍ଣ୍ଣମେଖଳା । ପୁନଶ୍ଚ ମେଘ ହେତୁ ଗୋଧୂଳି ଆକାଶ ବହୁ ବର୍ଣ୍ଣିଳ ବିଭାରେ ଅନୁରଞ୍ଜିତ ! ଦିବାବସାନ ଦେଖି ଶ୍ୟାମଳ କଇଁସାରି ଲତା ବାଲିସ୍ତୂପ ସହିତ ତା’ର କାୟାବିସ୍ତାର କରିବସିଛି । ସାନ୍ଧ୍ୟ ସମୀର ଗୁଡିକଙ୍କ ସହିତ ବେଳାଭୂମିରେ ସତେ ଯେପରି କନ୍ଦୁକ କ୍ରୀଡ଼ା ଆରମ୍ଭ କରି ଦେଇଚି-। ତରଙ୍ଗ ତରଙ୍ଗ ଚାହାଣୀ କରି ଯୂଥଯୂଥ ଭୀରୁ ହରିଣଦଳ ଭ୍ରମଣତର । ଏହିପରି ଏକ ସୁନ୍ଦର ଉପଭୋଗ୍ୟ ପରିସ୍ଥିତିରେ ଚନ୍ଦ୍ରଭାଗା ବେଳା ବାଲୁକାରେ କନ୍ଦୁକ କ୍ରୀଡ଼ାରତ । ଆଲୁଳାୟିତକୁନ୍ତଳା ଚନ୍ଦ୍ରଭାଗା ଯେଉଁଆଡ଼େ ଅନାଉଛି ସିଆଡ଼େ ସତେ ଯେପରି ଫୁଲର ବର୍ଷା ହେଉଛି (୫) ଏହି ଚିତ୍ର ଭିତରେ ରାଧାନାଥ ଆଧୁନିକ ଅର୍ଥରେ ରୂପକଳ୍ପ ସୃଷ୍ଟି କରିପାରି ନଥିଲେ ମଧ୍ୟ ଏଥିରେ ଯେ ରୂପ ଓ ସୌନ୍ଦର୍ଯ୍ୟର ବିପୁଳ ଚେତନା ଭରିରହିଛି - ଏହା ସ୍ୱୀକାର କରିବାକୁ ହେବ । ପୁଣି ଚନ୍ଦ୍ରଭାଗାର ପଳାୟନ ଓ ବିପ୍ରବେଶୀ ସୂର୍ଯ୍ୟଦେବଙ୍କୁ ଅନୁଧାବନର ଚିତ୍ରକୁ ରାଧାନାଥ ଏକ ଚମତ୍କାର ଚିତ୍ର ଚେତନା ଭିତରେ ରସୋତ୍ତୀର୍ଣ୍ଣ କରିଛନ୍ତି । ଡୋରଲଗ୍ନ ଥୋପକୁ ଯେପରି କେରାଣ୍ଡିମାଛ ଅନୁକରଣକରେ, ବିପ୍ରବେଶୀ ସୂର୍ଯ୍ୟ ସେହିପରି ଚନ୍ଦ୍ରଭାଗାର ଅନୁସରଣ କରିବାକୁ ଲାଗିଲେ । ଚନ୍ଦ୍ରଭାଗା ପଳାୟମାନା । ତା’ର ଘନକୃଷ୍ଣ ଚିକୁରରାଜି ଚରଣକୁ ସ୍ପର୍ଶ କରି ଆଲମ୍ବିତ । ସତେ ଯେପରି ଶୋଭାର ସଦନରେ ତାହା କନ୍ଦର୍ପର କେତନସ୍ୱରୂପ ଅପ୍ରତିହତ ।” ସୂର୍ଯ୍ୟଙ୍କର ଏହି ଅନବଦ୍ୟରୂପସୀ ପଛରେ ଧାବନର ଚିତ୍ରକୁ ରାଧାନାଥ ଏକ ଜାଗତିକ ଦୃଶ୍ୟ ସହ ସମନ୍ୱିତ କରିଛନ୍ତି । ‘ହେମାଙ୍ଗ ହଳଦୀବସନ୍ତ ସଞ୍ଚାଣକୁ ଦେଖି ବିଜୁଳି ବେଗରେ ଆକାଶରେ ଉଡ଼ିଯାଏ । ଜୀବନ ବଞ୍ଚାଇବାପାଇଁ ଦୁର୍ବଳର ଏହି ଦ୍ରୂତଗତିଶୀଳ ଧାବନରେ ଉଚ୍ଛାସନଥାଏ, ଥାଏ ଭୀତି ଓ ଆଶଙ୍କା । କିନ୍ତୁ ଆହୁରି ଦ୍ରୂତତର ଗତିରେ ଖାଦ୍ୟଲୋଭୀ ସଞ୍ଚାଣ ଗତି କରି ଚଞ୍ଚୂ ପ୍ରସାରଣ ମାତ୍ର ଆସନ୍ନ କରଗତ ଶିକାର-ବ୍ୟାକୁଳ ଭାବରେ ତୀର୍ଯ୍ୟକ୍ ଗତି କରେ । ତାର ହେମବର୍ଣ୍ଣ ପୁଚ୍ଛକୁ ଚଞ୍ଚୁ ବିସ୍ତାର କରି ସଞ୍ଚାଣ ସ୍ପର୍ଶ କରୁନ କରୁଣୁ ଶୀକାର ଅଳ୍ପକେ ଖସିଯାଇ ଆତ୍ମରକ୍ଷା କରେ’’ (୬) । ସେହିପରି ଚନ୍ଦ୍ରଭାଗା ପଛରେ ସୂର୍ଯ୍ୟ ଧାବମାନ । ଏ ଚିତ୍ର ଅତି ଜୀବନ୍ତ ଓ ବାସ୍ତବ । ଓଭିଡ୍‍ଙ୍କ ମୂଳକାବ୍ୟରେ ଏହି ଚିତ୍ର ଭିନ୍ନ ଭାବରେ ପ୍ରଦତ୍ତ ।

 

(୫) ‘ଚନ୍ଦ୍ରଭାଗା’ (ରାଧାନାଥ ଗ୍ରନ୍ଥାବଳୀ ୧୫ଶ ସଂସ୍କରଣ) ପୃଷ୍ଠା-୫୧

(୬) ‘ଚନ୍ଦ୍ରଭାଗା’ - ରାଧାନାଥ ଗ୍ରନ୍ଥାବଳୀ ୧୫ଶ ସଂସ୍କରଣ ପୃ୫୪ । ପୂ ୫୫

(୭) ‘ଯୁଗପ୍ରବର୍ତ୍ତକ ସ୍ରଷ୍ଟା ରାଧାନାଥ’ ପୃ୫୭/୫୮, ଡକ୍ଟର ନଟବର ସାମନ୍ତରାୟ ।

 

‘‘....And as love urges him on, he follows her steps with hastening pace. As when the grey-hound has seen the hare in the open field, and the one by the speed of his legs, pursues his prey, the other seeks her safety; the one is like as if just about to fasten on the other, and now, even now, hopes to catch her, and with nose outstretched plies upon foot steps of the hare. The other is in doubt whether she is caught already, and is delivered from is in doubt whether she is caught already, and is delivered from his very bite, and leaves behind the mouth just touching her. And so is the God and so is the virgin; he Swift with hopes, she with fear.’’ (୭) । ଠେକୁଆ ଓ କୁକୁର ପରିବର୍ତ୍ତେ ରାଧାନାଥ ଯେ ହେମାଙ୍ଗ ହଳଦୀ ବସନ୍ତ ଓ ସଞ୍ଚାଣର ଚିତ୍ର ଉପସ୍ଥାପିତ କରିଛନ୍ତି ଏଥିରେ ଇଂରାଜୀ କବି Popeଙ୍କ ‘Windsor forest’ର ପ୍ରଭାବ ପଡ଼ିଥିବା ସ୍ପଷ୍ଟ ମନେହୁଏ । କାରଣ ଅପ୍‍ସରୀ କନ୍ୟା Londana ପଛରେ Panଙ୍କ ଅନୁଧାବନକାଳୀନ ଚିତ୍ରକୁ କପୋତ ପଛରେ ଇଗଲ୍‍ର ଅନୁଦାବନ ଚିତ୍ର ସହିତ ପୋପ୍‌ଙ୍କ କାବ୍ୟରେ ସମନ୍ୱିତ କରାଯାଇଛି ।

 

‘‘Not so swift the trembling doves can fly,

When the fierce eagle cleaves his liquid sky.

Not half so swiftly thefierce eagle moves

When through the clouds he drives the trembling doves.’’

X      X      X      X

 

କିନ୍ତୁ ‘ଉଷା’ କାବ୍ୟରେ ଦୌଡ଼ ପ୍ରତିଯୋଗିତା ଜୀବନବିରାଗୀ ଗୈରିକ ଅବସାଦର ନୁହେଁ, ବରଂ ଜୀବନଲୁବ୍‍ଧ ପ୍ରବଳ ସମ୍ମୋହର, ଉଷା-ପ୍ରୀତିମୁଗ୍‍ଧ ବହୁ ରାଜକୁମାର ସର୍ତ୍ତ ଅନୁଯାୟୀ ମାଣିକ୍ୟ ଖୁମ୍ବ ପାଖରେ ମୁଣ୍ଡ ଲୋଟାଇ ଦେଇଥିଲେ ସୁଦ୍ଧା ଉଷାପ୍ରତି ପାଠକମନରେ କୁତ୍ରାପି କ୍ରୋଧ ଜାତ ହେଉ ନାହିଁ । କାରଣ ଉଷା ଜୟନ୍ତପାଇଁ ଉଦ୍ଦିଷ୍ଟା । ପୁନଶ୍ଚ ରାଧାନାଥ ଏହି ଉପାଖ୍ୟାନ ପଛରେ ଦେବୀ ଅଭିସମ୍ପାତଜନିତ ଏକ ଅବଶ୍ୟମ୍ଭାବୀ ପରିଣତିକୁ ଯୋଡ଼ିଦେଇ ପାଠକ ମନରେ ବରଂ ଅଧିକ ସହାନୁଭୂତି ଉଦ୍ରେକ କରି ପାରିଛନ୍ତି । ତେଣୁ ‘ଚନ୍ଦ୍ରଭାଗା କାବ୍ୟର ଦୌଡ଼’ ଓ ‘ଉଷା’ କାବ୍ୟର ଦୌଡ଼ ମଧ୍ୟରେ ରହିଛି ମୌଳିକ ପାର୍ଥକ୍ୟ – ଗୋଟିଏ ଅନିଚ୍ଛାର, ଅପରଟି ଐଚ୍ଛିକ ଆସକ୍ତିର । ପତଙ୍ଗ ଅଗ୍ନିରେ ଝାସ ଦେଲାପରି ଉଷା-ରୂପଲୋଭୀ ଅଭିଶପ୍ତ ବୀର ରାଜପୁତ୍ରମାନେ ଉଷା ରୂପାନଳରେ ଝାସ ଦେଇଛନ୍ତି । ଦୂରରୁ ସେ ଶୀତଳ ରତ୍ନପରି ସୁନ୍ଦର, ହେମବରଣା; କିନ୍ତୁ ଛୁଇଁବା ମାତ୍ରେ ଅନଳପରି ପ୍ରଜ୍ଜ୍ୱଳିତା । ଉଷା ଚରିତ୍ରର ଏହି ଅନନ୍ୟ ପୁରୁଷସୁଲଭତା ଚନ୍ଦ୍ରଭାଗାଠାରେ ନାହିଁ । ସେଥିପାଇଁ ଉଷା ଓ ଜୟନ୍ତର ଆକସ୍ମିକ ଯୋଗାଯୋଗ ପୂର୍ବରୁ ରାଧାନାଥ ପରିବେଶ ପ୍ରସ୍ତୁତିରେ ଚମତ୍କାର କଳାକୁଶଳତାର ପରିଚୟ ଦେଇଛନ୍ତି ।

 

ମୃଗୟା ଉଦ୍ଦେଶ୍ୟରେ ଉଷା ଝିଲ୍ଲୀ-ଝଙ୍କାରିତ ମହାରଣ୍ୟରେ ଉପଗତା । ସେହି ଅରଣ୍ୟ ମଧ୍ୟରେ ସ୍ଥାନେ ସ୍ଥାନେ ଜଳାଧାରରେ ପଦ୍ମ ଓ ନୀଳକଇଁ ଲୋକ-ଲୋଚନର ଅନ୍ତରାଳରେ ପ୍ରସ୍ଫୁଟିତ-। ପଦ୍ମକେଶର ରଜରେ ଏହି ସରସୀରଜଳ ପାଣ୍ଡୂବର୍ଣ୍ଣ, ପୁଣି ପାଣି ଶିଉଳିର ଫୁଲରେ ନୀଳଜଳରାଶି ତାରକିତ ହୋଇଉଠିଛି । ଠାଏ ଠାଏ ନୀଳକଇଁ କ୍ରୀଡ଼ାବତୀ ପ୍ରେମଶୀଳା ନବବଧୂର ପ୍ରେମପରି ସ୍ନିଗ୍‍ଧ ସୌରଭ ବିତରଣ କରୁଛି । ଧୀର ପବନରେ ଦୂରରୁ ଶରାଳିର ସ୍ୱନଭାସି ଆସୁଛି-। ସତେ ଯେପରି ତାହା ଏହି ଏକାନ୍ତ ନିଭୃତ ସ୍ଥାନରେ ବାସକରୁଥିବା ଜଳଦେବୀଙ୍କ କିଙ୍କିଣି-ସ୍ଵନ ପରି ମଧୂର ଓ ପ୍ରାଣ-ଉଲ୍ଲାସକ । ମୃଗୟାରତ ଉଷାମନରେ ଆଦ୍ୟ ଅନୁରାଗର ପ୍ରଥମ ସମ୍ମୋହ ସୃଷ୍ଟିପାଇଁ ଏ ପରିବେଶ ଚିତ୍ର କଳ୍ପନା ଅତି ହୃଦୟଗ୍ରାହୀ ।

 

ଉଷା ଓ ଜୟନ୍ତ ମନରେ ପରସ୍ପର ପ୍ରତି ଅଦର୍ଶନ ଜନିତ ପ୍ରଥମ ଅନୁରାଗ ସୃଷ୍ଟି ପରେ ଜୟନ୍ତ ହୋଇଛି ଉଷା ପ୍ରଣୟ ପ୍ରାର୍ଥୀ । ସେ ତେଣୁ ଦୌଡ଼-ପ୍ରତିଯୋଗିତାରେ ଉପଗତ । ଆସନ୍ତା ପ୍ରଭାତରେ ହେବ ସେଇ ଭୟାବହ ପ୍ରତିଯୋଗିତା । ବଳାଙ୍ଗୀ ସ୍ରୋତର ଜଳଭଉଁରୀ ପରି ରାତିସାରା ଜୟନ୍ତ ଚିନ୍ତାକୁଳ, ସ୍ରୋତର ଜଳାବ ସହିତ ଏହି ଚିନ୍ତାକୁଳତା ରାଧାନନାଥୀ ରୂପ କଳ୍ପନାରେ ଏଠାରେ ବେଶ୍ ମନୋଜ୍ଞ । ପୁଣି ପରବର୍ତ୍ତୀ ପ୍ରଭାତର ବର୍ଣ୍ଣନାରେ ରାଧାନାଥୀ ପରିକଳ୍ପନାର ଆନୁପାତିକତା ଲକ୍ଷ୍ୟ କରାଯାଇ ପାରେ । ଉଷାକାଳୀନ ସୂର୍ଯ୍ୟ କିରଣରେ ଶ୍ୟାମଳ ପର୍ବତଗୁଡ଼ିକ ରଞ୍ଜିତହୋଇ ଉଠିଛନ୍ତି; ସତେ ଅବା ସେମାନେ ମୟୂରକଣ୍ଠୀ ବସନ ପିନ୍ଧିଛନ୍ତି । ଶ୍ୟାମଳ ଓ ଲାଲର ଏହି ମିଶାମିଶି ରଙ୍ଗକୁ ମୟୂରକଣ୍ଠର ପରିକଳ୍ପନା ଭିତରେ ବେଶ୍ ମନୋଜ୍ଞ ଭାବରେ ଏଠାରେ ପ୍ରକାଶ କରାଯାଇଛି । ଏ ଚିତ୍ର-ଚେତନା ଅତି-ଯଥାର୍ଥ (accurate) ମନେହୁଏ । ପୁଣି ପରବର୍ତ୍ତୀ ପଙ୍‍କ୍ତିରେ ଆକାଶକୁ ମୁଣ୍ଡଟେକିଥିବା ଅନେକ ଗୁଡ଼ିଏ ଶ୍ୟାମଳପର୍ବତକୁ ଲକ୍ଷ୍ୟକରି ଆକାଶରୁ ବିଲମ୍ବିତ ନୀଳ ଓ ତରଙ୍ଗାୟିତ ସମୁଦ୍ରର ଚିତ୍ର କଳ୍ପନା କରାଯାଇଛି । ସୂର୍ଯ୍ୟ କିରଣର ପ୍ରତିଫଳନ ଫଳରେ ନୀଳ ଢଳଢଳ ଏହି ପର୍ବତମାଳା ମନରେ ସମୁଦ୍ରର ସ୍ମୃତି ଜାଗରୁକ କରୁଅଛନ୍ତି । (ଅପ୍ରାସଙ୍ଗିକ ହେଲେ ମଧ୍ୟ ଏଠାରେ କହିବାକୁ ଲୋଭ ହୁଏ ଯେ, କୋରାପୁଟଠାରୁ ଜୟପୁର ଯେଉଁମାନେ ମଟର ଗାଡ଼ିରେ ଯାଇଥିବେ ସେମାନେ ନିଶ୍ଚୟ ଅଦୂରରେ ଆକାଶରୁ ଏକ ନୀଳହୃଦ ଓହଳି ପଡ଼ିଥିବା ଦୃଶ୍ୟ ଉପଭୋଗ କରିଥିବେ) । ପୁଣି ଆକାଶରେ ଉଡ଼ିଯାଉଥିବା ଦଳଦଳ ଶୁଭ୍ରହଂସପନ୍ତି; ଉଦୟ ସୂର୍ଯ୍ୟର କିରଣରେ ସେମାନଙ୍କ ପକ୍ଷ ରକ୍ତରଞ୍ଜିତ, ଏହିପରି ପ୍ରାକୃତିକ ପରିବେଶର ଦୀର୍ଘ ରୂପବର୍ଣ୍ଣନା ପରେ ରାଧାନାଥ ପ୍ରତିଯୋଗିତା ପୀଠ ଆଡ଼କୁ ଦୃଷ୍ଟିପାତ କରିଛନ୍ତି । ନୁରୂପୁର ତୋରଣ ପରିପୂର୍ଣ୍ଣ । ଲାଲ ପତାକା ସମୂହ ତରୁଶିରରେ ରହି ପ୍ରାତଃ ସମୀରରେ ଆନ୍ଦୋଳିତ ହୋଇ ଉଠୁଛନ୍ତି । ପ୍ରତିଯୋଗିତାପୀଠ ପ୍ରଥମାପଦାକ୍ରମେ ଲୋକାରଣ୍ୟ ହୋଇ ଉଠୁଛି । ପ୍ରାସାଦର ପାରାବତ ଓ ଅଳିନ୍ଦମାନଙ୍କରୁ ଅଗଣିତ ଦର୍ଶକ ଏହି ପ୍ରତିଯୋଗିତା ଦେଖିବାପାଇଁ ଉତ୍ସୁକଭାବରେ ଚାହିଁ ରହିଛନ୍ତି । ବାତାୟନ ଫାଙ୍କରୁ ନାରୀମାନଙ୍କ ମୁଗ୍‍ଧ ଦୃଷ୍ଟିକୁ ଲକ୍ଷ୍ୟକରି ରୂପପ୍ରାଣ କବି ରାଧାନାଥ ଏକ ସୁନ୍ଦର ରୂପ ପ୍ରତିମା ସୃଷ୍ଟି କରିଛନ୍ତି ।

 

“ବାତାୟନ ହେଲା ଲଳନା-ଲୋଚନେ କୁବଳୟିତ ।’’ ୮।

 

ନୀଳକଇଁର ରୂପ ଚେତନା (image) ଭିତରେ ରାଧାନାଥ ନାରୀମାନଙ୍କ ନୀଳ (କୃଷ୍ଣ) ଭୂରୁ ଓ ଲୋଳ-ଲୋଚନକୁ ବେଶ୍ ଜୀବନ୍ତକରି ପାରିଛନ୍ତି । ଏହାପରେ ପ୍ରଥମପାଦର ପ୍ରତିଯୋଗିତା କ୍ଷେତ୍ରରେ ନୁରୂରାଜା ସଦଳବଳେ ଉପସ୍ଥିତ ହୋଇଛନ୍ତି । ଶିଶିରସ୍ମାତ ପଦ୍ମଫୁଲ ମୃଦ୍ୟୁବାତରେ ଯେପରି ଧୀରେ ନଇଁଯାଏ ଅଶ୍ୱପୃଷ୍ଠରୁ ଅବତରଣ କରି ସେହିପରି ବିନୟ-ସହକାରେ ଜୟନ୍ତ ରାଜାନୁରୁଙ୍କୁ ପ୍ରଣାମ ଜଣାଇଲା । (୯) । ଏ ଚିତ୍ରକଳ୍ପନା ସମଗ୍ର ରାଧାନାଥୀ ସାହିତ୍ୟରେ ଅତି ମନୋଜ୍ଞ ଓ ହୃଦୟଗ୍ରାହୀ ହୋଇ ପାରିଛି । କିନ୍ତୁ ପରେ ପରେ ଓଭିଡ୍‍ଙ୍କ ମୂଳ କାବ୍ୟର ଆପଲର ଗଡ଼ିଯିବା ଦୃଶ୍ୟକୁ ଆଖିଆଗରେ ରଖି ସ୍ଵର୍ଣ୍ଣପଦ୍ମର ଗଡ଼ିଯିବା ଦୃଶ୍ୟ ପରିକଳ୍ପନା ଅସାମଞ୍ଜସ୍ୟ ମନେହୁଏ । ଆପଲର ବର୍ତ୍ତୁଳତା ସହିତ ସ୍ଵର୍ଣ୍ଣପଦ୍ମର କଠିନ ବନ୍ଧୁରତାର କିଛି ସାଦୃଶ୍ୟ ନ ଥିବା ସ୍ଵାଭାବିକ । ପୁଣି ଶାରଦୀୟ ମେଘକୋଳରେ ତାରକାର ଲୁଚୁକାଳି ଖେଳ ସହିତ ଏ ଦୃଶ୍ୟ ପରିକଳ୍ପନାର କୌଣସି ବୌଦ୍ଧିକ ସାମାଞ୍ଜସ୍ୟ ବାରି ହୁଏ ନାହିଁ । ଅତିରିକ୍ତ ରୂପ-ପିପାସାଜନିତ ଏ ଭ୍ରାନ୍ତି ରାଧାନାଥ ସାହିତ୍ୟର ଅଙ୍ଗହାନି କରି ନାହିଁ କି ?

 

(୮) ‘ଉଷା’ - ରାଧାନାଥ ଗ୍ରନ୍ଥାବଳୀ ୧୫ଶ ସଂସ୍କରଣ, ପୃଷ୍ଠା ୯୯

(୯) ‘ଉଷା’ - ରାଧାନାଥ ଗ୍ରନ୍ଥାବଳୀ ୧୫ଶ ସଂସ୍କରଣ, ପୃଷ୍ଠା ୯୯

 

‘ଉଷା’ କାବ୍ୟର ଉପସଂହାରରେ ଉଷା ଓ ଜୟନ୍ତର ମୃତ୍ୟୁକାଳୀନ କାରୁଣ୍ୟଭରା ଗୈରିକଚିତ୍ର ପରିବେଷଣ କରାଯାଇଛି । ବର ଓ ବର-ବଧୂ ଜୁଇରେ ଶାୟିତ । ନିର୍ବାତ କାନନର ତରୁପତ୍ରରୁ ଯେପରି ଶିଶିରବିନ୍ଦୁ ଝରିପଡ଼େ ସମବେତ ଜନତା ସେହିପରି ନିରବରେ ଅଶ୍ରୂପାତ କରିବାକୁ ଲାଗିଲେ । ଜୁଇରେ ଅଗ୍ନି ସଂଯୋଗ ମାତ୍ରେ ଚିତାଗ୍ନି ଜଳି ଉଠିଲା ଓ ତା’ର ଅଗ୍ନିଶିଖା ବାଳସୂର୍ଯ୍ୟର ରକ୍ତିମାକୁ ମଧ୍ୟ ଟପିଗଲା । ଚିତାଗ୍ନି ଶିଖାରେ ରାତ୍ରି ଆକାଶ ରକ୍ତାୟିତ ହୋଇଉଠିଲା ଏବଂ ବାତ ଆଘାତରେ ଅଗ୍ନିଶିଖା ସର୍ପର ଫଣା ପରି ଦୋହଲିବାକୁ ଲାଗିଲା । ପବନର ସୁ’ସୁ’ ଶବ୍ଦ ଭିତରେ ସତେ ଯେପରି ରାତ୍ରି କାନ୍ଦି ଉଠୁଥିଲା । ଝିଲ୍ଲିର ଝଙ୍କାର ପୁଣି ସେ ଶବ୍ଦକୁ ଆହୁରି ଭୟଙ୍କର ଓ କରୁଣ କରି ଦେଉଥିଲା (୧୦) । ଏକ ମର୍ମନ୍ତୁଦ ଅଶ୍ରୁସଜଳ ପରିବେଶ ସୃଷ୍ଟି କରିବା ପାଇଁ ରାଧାନାଥୀ ଚିତ୍ରଚେତନାର ଏହି ଦୀର୍ଘତା ବେଶ୍ ଶାଣିତ ଓ ଲକ୍ଷ୍ୟନିଷ୍ଠ ମନେହୁଏ । ସାପର ଫଣା ସହିତ ଆନ୍ଦୋଳିତ ଅଗ୍ନିଶିଖାର ଏକ ଚମତ୍କାର ସାମଞ୍ଜସ୍ୟ ପରିବେଶକୁ ଅଧିକ ପରିପୃକ୍ତ କରିପାରିଛି । ଏ ପରିକଳ୍ପନାରେ ପ୍ରତ୍ୟେକ ଶବ୍ଦ ଅତି ଓଜନଦାର ଓ ଭାବପୂର୍ଣ୍ଣ ହୋଇ ପାରିଛି । କିନ୍ତୁ ବାଳର୍ସ୍ୟୂର କିରଣ ଓ ଝିଲ୍ଲିର ଝଙ୍କାର ପରି ଦୁଇଟି ଚିତ୍ର ମଧ୍ୟଯୁଗୀୟ କାବ୍ୟକ ଅଗଳରୁ ମୁକ୍ତି ପାଇପାରି ନାହିଁ । ତେଣୁ ଏ ଚିତ୍ର ଦୁଇଟିର ସ୍ଵତନ୍ତ୍ର ପ୍ରଭାବ ଅନୁଭବ କରି ହେଉନାହିଁ । ଏସବୁ ଚିତ୍ର ଯେ ଆଧୁନିକ ପାଠକର ବୌଦ୍ଧିକ ମନକୁ ଉଦ୍‍ବୁଦ୍ଧ କରିବାକୁ ଅକ୍ଷମ-ଏହା ସ୍ପଷ୍ଟ ଭାବେ କୁହାଯାଇ ପାରେ । ଅବଶ୍ୟ ପରିବେଶର ସାନ୍ଦ୍ରତାକୁ ପରିବ୍ୟାପ୍ତ କରିବାରେ ଏ ଚିତ୍ରର ଆବଶ୍ୟକତା ରହିଛି । କିନ୍ତୁ ଉପମା-ଗର୍ଭକ ଏ ଚିତ୍ରରେ ଉଷ୍ମତା ଓ ଗତିଶୀଳତା ଅଧିକ ନାହିଁ । ଏ ପ୍ରସଙ୍ଗରେ ପୁଣି ଥରେ ସାମ୍ପ୍ରତିକ କବିତାରୁ ଗୋଟିଏ ପଙ୍‍କ୍ତି ଉଦ୍ଧାର କରି ଏ ଆଲୋଚନା ଶେଷ କରିବି ।

 

“ତା’ର ମନେ ହେଲା ସେ ଯେମିତି ପ୍ରଦୀପ,

ଆଉ ତରଙ୍ଗ ଝଡ଼,

ତରଙ୍ଗର ସ୍ପର୍ଶରେ ସେ ଜଳି ଉଠୁଚି

ତେଜି ଉଠୁଚି, ଆଉ ପୁଣି ଯେମିତି ନିଭି ଯାଉଚି ।

ତା’ ଦେହରେ ଖାଲି ହାଓୟା ! ! - “ଭାନୁମତୀର ଦେଶ’

ଆଧୁନିକ କବିତାରେ ବ୍ୟାପକଭାବେ ଚିତ୍ରକଳ୍ପର ପ୍ରଚଳୟିତା କବି ସଚ୍ଚିଦାନନ୍ଦ ରାଉତରାୟ

(୧୦) ସମବେତ-ଜନ-ନୟନୁ ଝରିଲା ନିରବେ ନୀର

ନର୍ବାତ କାନନେ ପ୍ରାତେ ତରୁ-ପର୍ଣ୍ଣେ ଯେହ୍ନେ ଶିଶିର ।”

“ରଜନୀର ଗର୍ଭ ଉଜଳି, ଉଜଳିଦିଗ-ଗଗନ

ଫଣି-ଫଣା ପରି ବାତେ ଦୋହଲିଲା ଚିତା ବହନ”

ରାଧାନାଥ ଗ୍ରନ୍ଥାବଳୀ, ୧୫ଶ ସଂସ୍କରଣ ପୃଷ୍ଠା ୧୦୯

 

ଏହି କାବ୍ୟାଂଶଟିରେ ପ୍ରଦୀପ ଓ ଝଡ଼କୁ ଦୈନିକ କାମନାର ଏକ ଚିତ୍ରକଳ୍ପ ଭାବରେ ଗ୍ରହଣ କରିଛନ୍ତି । ଝଡ଼ର ଆଘାତରେ ପ୍ରଦୀପ ଶିଖା ଯେପରି ଦୋହଲି ଉଠେ ତରଙ୍ଗର ସ୍ପର୍ଶରେ ସେହିପରି ଜଳିଉଠୁଛି, ଥରି ଉଠୁଛି ଓ ନିଭିଯାଉଛି ନାରୀ ବିନତା । ତା’ ଦେହର ବେପଥୁ, ତା’ ରକ୍ତର ଦ୍ରୁତି ବା Libidoର ଏହି ଚମତ୍କାର ପ୍ରତୀକଧର୍ମୀ ରୂପକଳ୍ପନାରେ ଅଛି ବୌଦ୍ଧିକତା ଓ ପ୍ରଚୁର ଭାବ ପ୍ରବୋଧକ ଶକ୍ତି । ଆଧୁନିକ କବି ଚିତ୍ରକଳ୍ପ ପ୍ରୟୋଗରେ ଅତି ସଚେତନ ଓ ସତର୍କ । କବି ରାଉତରାୟଙ୍କ ଏହି ଚିତ୍ରଟି ସେହି ସତର୍କ ପ୍ରୟୋଗର ଉଦାହରଣ ମାତ୍ର । ଗୋଟିଏ ଗୋଟିଏ ଚିତ୍ର କଳ୍ପନା ଭିତରେ ଏତେ ଭାବ-ପ୍ରବୋଧକ ଶକ୍ତି ଖୁନ୍ଦି ହୋଇ ରହିଥିବା କ୍ୱଚିତ୍ ରାଧାନାଥୀ କବିତାରେ ପରିଦୃଷ୍ଟ ହୁଏ ।

 

***

 

ଆଧୁନିକ ଉତ୍କଳୀୟ ଦୃଶ୍ୟକାବ୍ୟର କାହାଣୀ

ଅଧ୍ୟାପକ ବିନୋଦ ରାଉତରାୟ

 

ଆଧୁନିକ ଉତ୍କଳୀୟ ଦୃଶ୍ୟକାବ୍ୟର କାହାଣୀକୁ ମାତ୍ର ଅର୍ଦ୍ଧ ଶତାବ୍ଦୀର ଇତିହାସ କୁହାଯାଇ ପାରିବ । ଏହି ଅର୍ଦ୍ଧଶତାବ୍ଦୀ ପୂର୍ବରୁ ଓଡ଼ିଶାରେ ଯେଉଁ ଚିତ୍ରାଙ୍କନ କିମ୍ବା ମୂର୍ତ୍ତି ନିର୍ମାଣ କରାଯାଉ ଥିଲା, ସେଗୁଡ଼ିକ ସମ୍ପୂର୍ଣ୍ଣ ପାରମ୍ପରିକ ରୀତିରେ ହିଁ ହେଉଥିଲା । ପୁରୁଷାକ୍ରମିକ କାରିଗରମାନେ ତାହା କରି ଆସୁଥିଲେ । ଶିଳ୍ପୀ ବସନ୍ତକୁମାର ପଣ୍ଡା ୧୯୨୧ ମସିହାରେ ପୁରୀ ଜିଲ୍ଲାସ୍କୁଲର କଳାଶିକ୍ଷକ ହୋଇ ଆସିଲେ । ଶିଳ୍ପୀ ବିମ୍ବାଧର ବର୍ମା ଉତ୍କଳମଣି ଗୋପବନ୍ଧୁଙ୍କର ପ୍ରତିମୂର୍ତ୍ତି ନିର୍ମାଣର ଦାୟିତ୍ୱ ବହନ କଲେ ୧୯୨୯ ମସିହାରେ । ଏହି ସମୟର ସୀମାରେଖା ମଧ୍ୟରେ ଶିଳ୍ପୀ ଉପେନ୍ଦ୍ର କିଶୋର ଦାସଙ୍କର ନେତୃତ୍ୱରେ ସଚିତ୍ର ପତ୍ରିକା ବାରୁଣୀ ପ୍ରକାଶିତ ହେଲା; ଏଣୁ ଏହି ନବଯୁଗର ଶୁଭ ଦିଆ ହୋଇଥିଲା ଅର୍ଦ୍ଧଶତାବ୍ଦୀ ତଳେ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।

 

ଓଡ଼ିଶାରେ ଆଧୁନିକ ଯୁଗର ଆରମ୍ଭ ବେଳକୁ ବିଶ୍ୱକଳା ଇତିହାସରେ ଆଭାସବାଦ, ଅଭିବ୍ୟକ୍ତିବାଦ, ଘନବାଦ, ଆଦିମବାଦ, ଅପବାଦ, ଭବିଷ୍ୟବାଦ, ଆବବାଦ ଓ ସେଚ୍ଛାଚାରବାଦ ପ୍ରଭୃତି ଆରମ୍ଭ ହୋଇ ଗଲାଣି । କଳାକ୍ଷେତ୍ରରେ ସ୍ୱୈରତନ୍ତିକତାର ଚରମ ଉଦାହରଣମାନ ଦେଖା ଦେଲାଣି ଉପରୋକ୍ତ ଶୈଳୀ ମାଧ୍ୟମରେ । କିନ୍ତୁ ଓଡ଼ିଶା କାହିଁକି, ଭାରତ ମଧ୍ୟ ଏହି ସମସ୍ତ ନୂତନତାର ଆଙ୍ଗିକ ଓ ଆତ୍ମିକ ଯୋଗାଯୋଗଠାରୁ ଯଥେଷ୍ଟ ଦୂରରେ ଥିଲା ବହୁକାଳ ପର୍ଯ୍ୟନ୍ତ । ଏଣୁ ବର୍ତ୍ତମାନ ଏହି କ୍ଷୁଦ୍ର ପ୍ରବନ୍ଧରେ ଯାହା ଆଲୋଚନା କରାଯାଉଛି, ସେଥିରେ ସ୍ପଷ୍ଟ ସୂଚାଇ ଦିଆ ଯାଉଚି ବିଗତ ପଚାଶବର୍ଷ ମଧ୍ୟରେ ଓଡ଼ିଶାର କଳା-ଆନ୍ଦୋଳନ କିପରିଭାବରେ ଗତି କରିଛି । ଏହି ସମୀକ୍ଷାଦ୍ଵାରା କଳ୍ପନା କରାଯାଇ ପାରିବ ଆମର ଦୃଶ୍ୟକାବ୍ୟର କବିମାନେ କେଉଁ କେଉଁ କ୍ଷେତ୍ରରେ ବର୍ତ୍ତମାନ ପ୍ରବେଶ କରି ପାରିଚନ୍ତି ।

 

ସ୍ଵାଧୀନତା ପୂର୍ବରୁ ମୁଷ୍ଟିମେୟ ଉତ୍କଳୀୟ କଳାକାର ଦୃଶ୍ୟକାବ୍ୟ କ୍ଷେତ୍ରରେ ସୁଖ୍ୟାତି ଅର୍ଜନ କରିଥିଲେ, ଏହା ଦିବାଲୋକ ଭଳି ସ୍ପଷ୍ଟ । ସେହି ଉଚ୍ଚସ୍ତରୀୟ କଳାକାରମାନଙ୍କ ମଧ୍ୟରୁ ବସନ୍ତକୁମାର ପଣ୍ଡା, ଗୋପାଳଚରଣ କାନୁନ୍‍ଗୋ, ଉପେନ୍ଦ୍ର ମହାରଥୀ, ବିପିନ୍ ବିହାରୀ ଚୌଧୁରୀ, ଶ୍ରୀଧର ମହାପାତ୍ର, ବିମ୍ବାଧର ବର୍ମା ଓ ମୁରଲୀଧର ଟାଲି ପ୍ରମୁଖ ଲଳିତକଳାକୁ ସେମାନଙ୍କର ଅବସର ବିନୋଦନ ଓ ବୃତ୍ତି ରୂପେ ଗ୍ରହଣ କରିଚନ୍ତି । କେତେକ କ୍ଷେତ୍ରରେ ମଧ୍ୟ ମୌଳିକତା ପ୍ରଦର୍ଶନ କରିଚନ୍ତି । ମହାଭାରତୀୟ ପରିପ୍ରେକ୍ଷିରେ ଦେଖିବାକୁ ଗଲେ ସେମାନଙ୍କ ମଧ୍ୟରୁ କେତେକ ତୁଳନାତ୍ମକ ଭାବେ କାରିଗରୀର ସର୍ବୋଚ୍ଚ ସୀମାରେ ପହଞ୍ଚି ପାରିଚନ୍ତି । କଳାକାର ବସନ୍ତକୁମାର ପଣ୍ଡାଙ୍କର ଆସକ୍ତି ପ୍ରାକୃତିକ ଦୃଶ୍ୟର ଅନୁଶୀଳନରେ । ଜଳରଙ୍ଗର ଦୃଶ୍ୟଚିତ୍ରଗୁଡ଼ିକ ତାଙ୍କର ଅନୁକରଣୀୟ । ସମପରିମାଣରେ ପ୍ରତିଭାଧର କଳାବିତ୍ ହେଉଚନ୍ତି ଗୋପାଳଚରଣ କାନୁନ୍‌ଗୋ । ସେ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଏକାଧିକ କ୍ଷେତ୍ରରେ ଓ ଏକାଧିକ ପଦରେ ରହି ଆସିଛନ୍ତି । ତାହାଙ୍କୁ ରମେନ୍ଦ୍ରନାଥ ଚକ୍ରବର୍ତ୍ତୀଙ୍କ ସହିତ କେଉଁଝରର ରାବଣ ଛାୟା ଭିତ୍ତିଚିତ୍ର ଅଧ୍ୟୟନ ନିମନ୍ତେ ପଠାଯାଇଥିଲା । ଉତ୍କଳୀୟ ମୂର୍ତ୍ତିକଳା ଓ ପ୍ରସ୍ତରଖୋଦନ ଶିଳ୍ପ ସମ୍ପର୍କରେ ଗବେଷଣା ନିମନ୍ତେ ତାହାଙ୍କୁ ନିଯୁକ୍ତ କରାଯାଇଥିଲା । ଏହା ବ୍ୟତୀତ ଓଡ଼ିଶା ଲଳିତକଳା ଏକାଡେମୀ, ଉତ୍କଳ ବିଶ୍ୱବିଦ୍ୟାଳୟ ଓ ଓଡ଼ିଶା ମାଧ୍ୟମିକ ଶିକ୍ଷାବୋର୍ଡ ସହିତ ଶେଷପର୍ଯ୍ୟନ୍ତ ସଂପୃକ୍ତ ଥିଲେ । ଅନ୍ୟତମ ଉଲ୍ଲେଖଯୋଗ୍ୟ ଚିତ୍ରଶିଳ୍ପୀ ବିପିନହାରୀ ଚୌଧୁରୀ ମୂକ ଓ ବଧୀର ହୋଇ ମଧ୍ୟ ଉଜ୍ଜ୍ଵଳ ପ୍ରତିଭାର ପରିଚୟ ଦେଇଚନ୍ତି । ପେନସିଲ ଓ ବର୍ଣ୍ଣଦ୍ୱାରା ବ୍ୟକ୍ତିର ରୂପ ଅଧ୍ୟୟନରେ ଅସମ୍ଭବ ଦକ୍ଷତା ଅର୍ଜନ କରିଚନ୍ତି । ସେ ହେଉଚନ୍ତି ଏକମାତ୍ର ଉତ୍କଳୀୟ କଳାକାର, ଯେ ଇଂଲଣ୍ଡର ସୁପ୍ରସିଦ୍ଧ ରଏଲ କଲେଜ ଅଫ ଆର୍ଟର ଅଧ୍ୟକ୍ଷ ଉଇଲିୟମ୍ ରଜେନ୍ ଷ୍ଟାଇନ୍‍ଙ୍କର ଛାତ୍ର ଥିଲେ । କଳାକାର ବସନ୍ତକୁମାର ପଣ୍ଡା, ଗୋପାଳ କାନୁନ୍‌ଗୋ, ଉପେନ୍ଦ୍ର ମହାରଥୀ ଓ ମୂରଲୀଧର ଟାଲି କେତେକ ଉଚ୍ଚକୋଟୀର ପ୍ରତିକୃତି ପାଶ୍ଚାତ୍ୟ ଶୈଳୀରେ ଅଙ୍କନ କରିଚନ୍ତି । ପ୍ରତିକୃତି ଅଙ୍କନର ବିସ୍ତୃତ ସୀମାରେଖା ମଧ୍ୟରେ ମୁରଲୀଧର ଟାଲିଙ୍କ ଦ୍ୱାରା ଅଙ୍କିତ ପ୍ରତିକୃତିଗୁଡ଼ିକ କାଳଜୟୀ ଓ ଚିତ୍ତଜୟୀ ସଂସଦ ପେନସିଲ, କଲମ, ଜଳରଙ୍ଗ ଓ ତୈଳରଙ୍ଗ, ପ୍ରତ୍ୟେକ ପଦ୍ଧତିର ସେ ଜଣେ ସୁ-ନିପୁଣ ପ୍ରତିକୃତି ଚିତ୍ରଣକାରୀ ଶିଳ୍ପୀ । ଶିଳ୍ପୀ ବିମ୍ବାଧର ବର୍ମାଙ୍କର କୃତିରେ ପୁରାଣଯୁଗର ସୁକ୍ଷ୍ମାତି-ସୁକ୍ଷ୍ମ ମଣ୍ଡନକଳା ସହିତ ବଙ୍ଗୀୟ ପୁନର୍ଭ୍ୟୁଦୟ କଳାର ଗୀତିଧର୍ମୀ ସୁଗନ୍ଧ ଅନୁଭବ କରାଯାଏ । ସେ ଉତ୍କଳୀୟ ରୀତି, ଚଳଣୀ ଓ ମଣ୍ଡନନୈପୁଣ୍ୟକୁ ଆପଣା ଚିତ୍ରକଳାରେ ସ୍ଥାନଦେଇ ପାରିଚନ୍ତି । ଏ ସମସ୍ତକୃତି କିନ୍ତୁ ସ୍ୱାଧୀନତାର ଉତ୍ତର-କାଳର କଳାଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଦୃଶ୍ୟକଳାର ଅନ୍ୟାନ୍ୟ ବିଭାଗଠାରୁ ଭାସ୍କର୍ଯ୍ୟ କଳାରେ ସହଜରେ ଗୀତିଛନ୍ଦ ରକ୍ଷା କରାଯାଇଥାଏ । ଶ୍ରୀଧର ମହାପାତ୍ରଙ୍କର କୃତିର ସର୍ବୋତ୍ତମ ଲକ୍ଷଣ ହେଉଚି ସୁନିପୁଣା ଗୀତିଛନ୍ଦ । ତାଙ୍କର ବୟସର ସୀମା ହାରାହାରି କଳିଷଠାଷାଠିଏକୁ ଟପିଲାଣି । ତାଙ୍କର ଅମରକୃତିଗୁଡ଼ିକ ତାଙ୍କ ସୃଜନଶୀଳ ଜୀବନର ସର୍ବଶ୍ରେଷ୍ଠ ପ୍ରକାଶ । ଓଡ଼ିଶା ବାହାରେ ରହିଥିବାରୁ ଶ୍ରୀଧର ମହାପାତ୍ରଙ୍କର ମୂର୍ତ୍ତିଗୁଡ଼ିକ ବହୁ ବିଦେଶୀ କଳାକକ୍ଷର ଶୋଭାବର୍ଦ୍ଧନ କରିବାର ସୁଯୋଗ ପାଇଛି ।

 

ବିଗତ ଦୁଇଦଶନ୍ଧି ମଧ୍ୟରେ ଓଡ଼ିଶାର ଯୁବକଳାକାରମାନେ ଆଧୁନିକଧର୍ମୀ ଚିତ୍ରାଙ୍କନ କରିବାକୁ ଅଧିକ ସୁଯୋଗ ପାଇଛନ୍ତି । ସେମାନେ ଅତ୍ୟନ୍ତ ଆଗ୍ରହ ଓ ପୌରୁଷର ସହିତ ଏହି ନୂତନ ପଥରେ ଯେ ପରୀକ୍ଷା ଚଳାଇଛନ୍ତି, ଏଥିରେ ସନ୍ଦେହର ଅବକାଶ ନାହିଁ । ସମକାଳୀନ ଚିତ୍ରାବଳୀ ସେମାନଙ୍କର ନୂତନ କଳ୍ପନା ଓ ଶୈଳ୍ପିକ-ଅଭିବ୍ୟକ୍ତିର ସଫଳବାହନ ହୋଇଛି । ସେଥିରେ ସାମ୍ପ୍ରତିକ ସମାଜ ଓ ଜୀବନର କ୍ଲିଷ୍ଟତା ପ୍ରତିଫଳିତ । ପୂର୍ବରୁ ଶିଳ୍ପୀମାନଙ୍କ ନିମନ୍ତେ ଏକପ୍ରକାର ବ୍ୟାକରଣ ଥିଲା । ସେମାନେ ସେହି ବ୍ୟାକରଣର ଧରାବନ୍ଧା ପଦ୍ଧତି ମଧ୍ୟରେ କଳ୍ପନାକୁ କୁସୁମିତ କରାଇଥିଲେ । କିନ୍ତୁ ଆଜିର କଳାକାର ସମ୍ପୂର୍ଣ୍ଣ ସ୍ୱାଧୀନ ଓ ପ୍ରଚଳିତ ନିୟମର ସୀମାଲଙ୍ଘନ କରି ଇଚ୍ଛାନୁସାରେ ଚିତ୍ରାଙ୍କନ କରିପାରୁଚି । ସେ ମୁକ୍ତମଣିଷର ସ୍ୱପ୍ନରେ ବିଭୋର । ଏଣୁ ସ୍ୱକୀୟ ସଙ୍କେତ ସାହାଯ୍ୟରେ ପ୍ରକୃତି ଓ ଜୀବନକୁ ପ୍ରକାଶ କରୁଛି । ଏହି ଆଧୁନିକଧର୍ମୀ କଳାଆନ୍ଦୋଳନ ପ୍ରଥମେ ଆରମ୍ଭ ହୋଇଥିଲା ବମ୍ବେରେ ଓ ପରେ ତାହା ଭାରତର ବିଭିନ୍ନ ଅଞ୍ଚଳକୁ ବ୍ୟାପିଗଲାଣି ।

 

କଳା ଦୃଷ୍ଟିରୁ ଓ ସୌନ୍ଦର୍ଯ୍ୟବୋଧ ଦିଗରୁ ଓଡ଼ିଶାର ଅଧିକାଂଶ ଆଧୁନିକ ପନ୍ଥି କଳାକାର ଘନବାଦ, ଅତିବାସ୍ତବବାଦ, ପ୍ରତୀକବାଦ ଓ ରୂପକଳ୍ପବାଦ ପ୍ରଭୃତି ଧାରାକୁ ଅନୁସରଣ କରୁଛନ୍ତି । ଏଣୁ ସେମାନେ ପାରମ୍ପରିକ ଶିଳ୍ପର ଆଦର୍ଶଗତ ଢଙ୍ଗ ଓ ଚରିତ୍ର ରକ୍ଷାକରି ପାରୁନାହାନ୍ତି । ଏହି ଆଧୁନିକ-ପନ୍ଥୀମାନଙ୍କ ମଧ୍ୟରୁ ଶିଳ୍ପୀ ଅଜିତ୍‍କେଶରୀ ରାୟ କଳା ଓ ଧଳାବର୍ଣ୍ଣରେ ନାଟକୀୟ ଅଭିବ୍ୟକ୍ତି କ୍ଷେତ୍ରରେ ନୂତନ ପଥର ପ୍ରଦର୍ଶକ । ତାଙ୍କର ଚିତ୍ର ଓ ଗ୍ରାଫିକ୍ କୃତିଗୁଡ଼ିକ ମଧ୍ୟରେ ଆଧୁନିକତା ଏକପ୍ରକାର ପାରମ୍ପରିକ ଶୃଙ୍ଖଳା ସହିତ ଯୁକ୍ତ । ତାଙ୍କର ଚିତ୍ରର ରଚନା ଭଙ୍ଗୀ ଓ ଶୈଳୀ ଆଧୁନିକ ହେଲେ ମଧ୍ୟ ବିଷୟବସ୍ତୁର ପରିବେଷଣ ଅନେକ ପରିମାଣରେ ବାସ୍ତବଧର୍ମୀମାନଙ୍କର ନିକଟବର୍ତ୍ତୀ । ଅଜିତ୍ କେଶରୀଙ୍କର ଚିତ୍ର ମଧ୍ୟରେ ଭାସ୍କର୍ଯ୍ୟ ସୁଲଭ ରୂପର ବଳିଷ୍ଠତା ଓ କଳା ଓ ଧଳାବର୍ଣ୍ଣର ନାଟକୀୟତା ନିର୍ଭୁଲ ରୂପେ ଅନୁଭବ କରାଯାଏ । ଆଧୁନିକ କଳା ଆନ୍ଦୋଳନକୁ ଯେଉଁ କୃତି-କଳାକାରମାନେ ନେତୃତ୍ୱ ଦେଉଛନ୍ତି ସେମାନଙ୍କ ମଧ୍ୟରୁ ଲକ୍ଷ୍ମୀଧର ଦାସ, ନିତ୍ୟାନନ୍ଦ ମହାପାତ୍ର, ଅନନ୍ତ ପଣ୍ଡା, ଯତୀନ ଦାସ, ଦୀନନାଥ ପାଠୀ, ଶିବ ପାଣିଗ୍ରାହୀ, ଜଗଦୀଶ କାନୁନ୍‌ଗୋ ଓ ପ୍ରଫୁଲ୍ଲ ମହାନ୍ତି ଅବିସ୍ମରଣୀୟ । ଏହିମାନେ ସାମ୍ପ୍ରତିକ ଉତ୍କଳୀୟ ଚିତ୍ରକଳାକୁ ନୂତନ ରୂପକଳ୍ପ, ସ୍ପର୍ଶ ଗୁଣ, ରୂପ, ରଚନା-ଶୈଳୀ, ବକ୍ରଦୃଷ୍ଟି ଓ ଚିନ୍ତାଦ୍ଵାରା ସମୃଦ୍ଧ କରିଛନ୍ତି । ଶିଳ୍ପୀ ପ୍ରଫୁଲ୍ଲ ମହାନ୍ତି ଉତ୍କଳୀୟ ଲୋକଶିଳ୍ପର ଛନ୍ଦ ଓ ମଣ୍ଡନ ନୈପୁଣ୍ୟକୁ ଆପଣା ଚିତ୍ର ମଧ୍ୟରେ ନୂତନ ରୂପ ପ୍ରଦାନ କରିଚନ୍ତି । ତାଙ୍କର ଉଜ୍ଜଳ ଜଳରଙ୍ଗର ଚିତ୍ରଗୁଡ଼ିକ ଯେଉଁ ପରି ସହଜ, ସେହିପରି ଜୀବନଧର୍ମୀ । ଜଳ ଓ ତୈଳରଙ୍ଗର ଏକାଧିକ କୃତିରେ ଯତୀନ ଦାସ ଓ ଅନନ୍ତ ପଣ୍ଡାଙ୍କର ଚିତ୍ରାବଳୀରୁ ଯଥାର୍ଥ ଆନ୍ତରିକତା, ସମ୍ବେଦନଶୀଳତା, ଛନ୍ଦର ଐକ୍ୟତାନ ଓ ମନସ୍ତାତ୍ତ୍ୱିକ ଅଭିବ୍ୟକ୍ତି ଲକ୍ଷ୍ୟ କରାଯାଏ । ଅନନ୍ତ ପଣ୍ଡା ସମକାଳୀନ ଭାସ୍କର୍ଯ୍ୟ ଶିଳ୍ପୀମାନଙ୍କ ମଧ୍ୟରୁ ଅନ୍ୟତମ । ନୂତନ ନୂତନ ପଦ୍ଧତି ଘେନି ନିତ୍ୟ ବିଶ୍ଳେଷଣ କରିବା ଶିବପ୍ରସାଦଙ୍କର ବୈଶିଷ୍ଟ୍ୟ । ଏହି ବୈଶିଷ୍ଟ୍ୟର ସ୍ୱାକ୍ଷର ତାଙ୍କର ସମକାଳୀନ ଓଡ଼ିଆ ଶିଳ୍ପୀମାନଙ୍କ ମଧ୍ୟରେ ଏତେ ଅଧିକ ଦେଖା ଯାଏ ନାହିଁ । ଚିତ୍ରାଙ୍କନ କ୍ଷେତ୍ରରେ ଦୀନନାଥଙ୍କର ସିଦ୍ଧି ସର୍ବଦା ଉଲ୍ଲେଖଯୋଗ୍ୟ । ତରୁଣ ଶିଳ୍ପୀମାନଙ୍କ ମଧ୍ୟରୁ ତାଙ୍କର ଅନନ୍ୟ ସାଧାରଣ କୃତୀତ୍ୱ ହିଁ ତାହାଙ୍କୁ ପୁରୋଭାଗକୁ ଆଣିପାରିଛି ।

 

ଆଧୁନିକମାନଙ୍କର ଅପୂର୍ବ ସାଫଲ୍ୟ ଯୋଗୁଁ ପାରମ୍ପରିକ-ରୀତିର ପଥରୁଦ୍ଧ ହୋଇଯାଇଚି-। ବର୍ତ୍ତମାନର ପରିପ୍ରେକ୍ଷିରେ ସ୍ଵଳ୍ପ କେତେଜଣ ପୁନର୍ଜାଗରଣ କାଳର ପ୍ରତିଷ୍ଠାସମ୍ପନ୍ନ କଳାକାର ଏ କ୍ଷେତ୍ରରେ କାର୍ଯ୍ୟ କରୁଚନ୍ତି । ଶିଳ୍ପୀ ଗୌରାଙ୍ଗ ଚରଣ ସୋମ କଲିକତାର ବିରଳା ପ୍ଲାନିଟୋରିୟମର ଚିତ୍ରାବଳୀ ଅଙ୍କନ କରିଚନ୍ତି ଓ ଏହାର ବର୍ଣ୍ଣ ଓ ରେଖାର ମାଧୁର୍ଯ୍ୟ ଭାରତର ବହୁ ଗୁଣିଲୋକଙ୍କ ଦ୍ଵାରା ପ୍ରଶଂସିତ ହୋଇଛି । ତାହାଙ୍କର କୃତିର ଭୀଷଣ ଓଜଃ, ବର୍ଣ୍ଣର ସଞ୍ଜୀବନୀ ଶକ୍ତି ଓ ରେଖାସମ୍ପଦ ଓଡ଼ିଶୀ କଳା-ଗନ୍ତାଘରର ଅମୂଲ୍ୟ ମାଣିକ୍ୟ । ଭାରତୀୟ କଳାର ଦୁଇଟି ମୌଳିକ ଉପାଦାନ ହେଉଚି ସୌନ୍ଦର୍ଯ୍ୟବୋଧ ଓ ପ୍ରାଣ ଶକ୍ତି । ଏହା ଦୁର୍ଗା ପ୍ରସାଦଙ୍କର ଚିତ୍ରମାଳାରୁ ସହଜରେ ଜଣାପଡ଼ିଯାଏ । ତାଙ୍କର ରେଖାଙ୍କିତ ଚିତ୍ରଗୁଡ଼ିକ ସୁନ୍ଦର, ବଳିଷ୍ଠ ଓ ଉଜ୍ଜଳ । ସର୍ବଜନବିଦିତ କଳାକାରମାନଙ୍କ ମଧ୍ୟରୁ ବଂଶୀଧର ପ୍ରତିହାରୀ, ଶ୍ୟାମସୁନ୍ଦର ପଟ୍ଟନାୟକ, ଉଦୟ ନାରାୟଣ ଜେନା, ଲୋକନାଥ ସାହୁ ପ୍ରମୁଖଙ୍କର ରଚନାରୁ ବଙ୍ଗୀୟ ପୁନର୍ଭ୍ୟୁଦୟ ଯୁଗର କଳା ଆନ୍ଦୋଳନର ରୀତି ପ୍ରତୀୟମାନ ହୁଏ, ଯାହା ଅବନୀନ୍ଦ୍ର ନନ୍ଦଲାଲଙ୍କ ନେତୃତ୍ୱରେ ଶାନ୍ତିନିକେତନର କଳାଭବନଠାରେ ବିକଶିତ ହୋଇଥିଲା । ଶ୍ୟାମସୁନ୍ଦର ପଟ୍ଟନାୟକ ବଙ୍ଗୀୟ-ଶୈଳୀ ସହିତ ଉତ୍କଳୀୟ ପାରମ୍ପରିକ ଶୈଳୀର ସଦ୍‌ଗୁଣାବଳୀକୁ ଏକତ୍ରିତ କରିବାରେ ସକ୍ଷମ ହୋଇଛନ୍ତି ।

 

ରବି ନାୟକଙ୍କର କୃତିର ନାହାକାଚେର ପାରମ୍ପରିକ ଧାରାର ମଣ୍ଡନ ନୈପୁଣ୍ୟ ସହିତ ବଳିଷ୍ଠ ରୂପେ ସଂଯୁକ୍ତ । କିନ୍ତୁ ସେ ସର୍ବତ୍ର ଆପଣାର ସ୍ଵକୀୟ ଢଙ୍ଗ ଓ ସୌନ୍ଦର୍ଯ୍ୟବୋଧର ପ୍ରଭାବ ବିସ୍ତାର କରିଥାନ୍ତି । ଶିଳ୍ପୀ ନାୟକଙ୍କର ଜଳରଙ୍ଗର ଧୌତି ମାର୍ଜିତ ଚିତ୍ରାବଳୀରେ ରଙ୍ଗର ସୂକ୍ଷ୍ମତମ ପର୍ଦ୍ଦା ଅନୁଭବ କରାଯାଏ । ଉତ୍କଳୀୟ ଚିତ୍ରକଳାର ଆଳଙ୍କାରିକ ଅଙ୍କନ ନୈପୁଣ୍ୟ ଓ କାରୁକଳା ଦ୍ଵାରା ଗୋକୁଳ ବିହାରୀ ପଟ୍ଟନାୟକଙ୍କର କୃତି ସର୍ବଦା ପ୍ରଭାବିତ । ତାଳପତ୍ରର ଖୋଦନ ପାଟବ ଓ ଉତ୍କଳୀୟ ପାରମ୍ପରିକ କଳାର ମଣ୍ଡନ-ରୀତିରେ ସେ ସୁକୀର୍ତ୍ତି ଅର୍ଜନ କରିଚନ୍ତି । ଆଦିମବାଦୀମାନଙ୍କ ଭଳି ସେ ପାରମ୍ପରିକ କଳା ଓ ଲୋକକଳାର ପ୍ରାଣଛନ୍ଦ, ଭାବୋବେଗ, ଆନନ୍ଦାଭିବ୍ୟକ୍ତିକୁ ସମକାଳୀନ କଳାରେ ପ୍ରବେଶ କରାଇ ପାରିଚନ୍ତି । ତାହା ଫଳରେ ରାଷ୍ଟ୍ରୀୟ ସମ୍ମାନର ଅଧିକାରୀ ହୋଇପାରିଚନ୍ତି । ଭାରତରେ ଓ ଭାରତ ବାହାରେ ଆନ୍ତର୍ଜାତିକ କଳା ପ୍ରଦର୍ଶନୀ ଗୁଡ଼ିକରେ କେତେକ ଓଡ଼ିଆ ଶିଳ୍ପୀ ସର୍ବଦା ଅଂଶଗ୍ରହଣ କରିଆସୁଛନ୍ତି । ଶିଳ୍ପୀ ଶ୍ରୀଧର ମହାପାତ୍ର, ଉପେନ୍ଦ୍ର ମହାରଥୀ, ଗୌରାଙ୍ଗ ଚରଣ ସୋମ, ଗୋପାଳଚରଣ କାନୁନ୍‌ଗୋ, ଶ୍ୟାମ ସୁନ୍ଦର ପଟ୍ଟନାୟକ ଓ ଅନନ୍ତ ପଣ୍ଡା ପ୍ରଭୃତି କେତେକ ପ୍ରବୀଣ କଳାକାରମାନଙ୍କର କୃତି ଆନ୍ତର୍ଜାତିକ ସମ୍ମାନ ଲାଭ କରି ପାରିଛି ।

 

ବସ୍ତୁର ରୂପ ଓ ସ୍ପର୍ଶଗୁଣ, ଲିପିଶିଳ୍ପ ଓ ଆଲୋକ ଛାୟାର ଉପଯୁକ୍ତ ପରିବେଷଣ ସମ୍ପର୍କରେ ଯଥାର୍ଥ ଧାରଣା ନ ଥିଲେ ଗ୍ରାଫିକ (Graphic) ଚିତ୍ରରେ ହାତ ଦେବା ସର୍ବଦା ବିପଦଜନକ । ଅଳ୍ପ କେତେଜଣ ପ୍ରତିଭାଧର ଶିଳ୍ପୀ ଗ୍ରାଫିକ୍ ଚିତ୍ରର ଶୈଳୀ ଓ ନୈପୁଣ୍ୟକୁ ଆୟତ୍ତକରି ପାରିଛନ୍ତି । ସେମାନଙ୍କ ମଧ୍ୟରୁ ମୁରଲୀଧର ଟାଲି, ଅଜିତକେଶରୀ ରାୟ, ଯତୀନ୍ ଦାସ, ଲକ୍ଷ୍ମୀଧର ଦାସ, ରବିନାରାୟଣ ନାୟକ, ବନବିହାରୀ ପରିଡ଼ା ଓ ଏହି ପ୍ରବନ୍ଧର ଲେଖକଙ୍କର ନାମ ଉଚ୍ଚାରଣ କରାଯାଇ ପାରେ । ସେମାନଙ୍କର ସାର୍ଥକ କଳାକୃତିଗୁଡ଼ିକ ଦର୍ଶକଙ୍କର ସୌନ୍ଦର୍ଯ୍ୟ ପିପାସା ମେଣ୍ଟାଇଛି । ଗ୍ରାଫିକ୍ କଳାକୁ ଜନପ୍ରିୟ କରାଇବା ଉଦ୍ଦେଶ୍ୟରେ ଏହି ଲେଖକଙ୍କର “କାଠ ଖୋଦେଇ ଓ ରଙ୍ଗିନ୍ କାଠ ଖୋଦେଇ” ପୁସ୍ତକ ଓଡ଼ିଶା ଲଳିତ କଳା ଏକାଡେମୀ ଓ ‘ଲିନୋଲିୟମର ଆତ୍ମକଥା’ ପୁସ୍ତକ ପ୍ରକାଶ କରିବା ପାଇଁ ଓଡ଼ିଶା ସରକାରଙ୍କର ଶିଶୁସାହିତ୍ୟ ସମିତି ଅକାତରରେ ଅର୍ଥ ବ୍ୟୟ କରିଚନ୍ତି । ତରୁଣତମ ଗ୍ରାଫିକ୍ ଶିଳ୍ପୀ ରୂପେ ପ୍ରହ୍ଲାଦ ବେହେରା ଓ ମହେନ୍ଦ୍ର ମହାପାତ୍ରଙ୍କର ସୃଷ୍ଟିରୁ ଉଜ୍ଜଳ ଭବିଷ୍ୟତର ସୂଚନା ମିଳିଥାଏ । କଳାସମୀକ୍ଷକ କେ.ପି. ପଦ୍ମନାଭନ୍ ତାମ୍ବିଙ୍କର ମତରେ – “To day, there are some eminent Indian Artists who have won international reputation as Master of Graphic Art Such topranking contemporary masters of Graphic Art like Shyam Sharma in Patna, and Binode Raut Ray in Khallikote, are training some exceptionally talented young artists like Prahalad Behera and Mahendra Prasad Mahapatra to blossom forth into India’s leading graphic artists :-

(Rhythm, vol XVII, No.3 & 4)

 

ବ୍ୟବହାରିକ କଳାକ୍ଷେତ୍ରରେ କେତେକ ଯୁବକଳାକାର ସୁନାମ ଅର୍ଜନ କରିଛନ୍ତି । ଗୋପାଳ କାନୁନ୍‌ଗୋ, ଭଗବାନ ଦାସ ଓ ବିଭୁତି ଭୂଷଣ କାନୁନଗୋ ଏହି ବିଭାଗରେ ପୂର୍ବରୁ କୃତୀତ୍ୱ ପ୍ରଦର୍ଶନ କରିଥିଲେ । ଆଧୁନିକମାନଙ୍କ ମଧ୍ୟରେ ଅସୀତ୍‌ ମୁଖାର୍ଜୀ ଯଥେଷ୍ଟ ସୁନାମ ଅର୍ଜନ କରିଛନ୍ତି । ଶ୍ରୀ ମୁଖାର୍ଜୀ ବର୍ତ୍ତମାନ ଓଡ଼ିଶାର ବ୍ୟବହାରିକ କଳାର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି କହିଲେ ଆଦୌ ଅସତ୍ୟ ହେବନାହିଁ । ତାହାଙ୍କ ବ୍ୟତୀତ ଅସୀମ ବସୁ, ସୁନାମଣି ସାମଲ, ଜଗଦୀଶ କାନୁନଗୋ, ଉଦୟନାରାୟଣ ଜେନା ପ୍ରମୁଖ ମଧ୍ୟ ନୂତନ ଦିଗନ୍ତର ସ୍ୱପ୍ନରେ ବିଭୋର । ଶ୍ରୀ ଲୋକନାଥ ଶତପଥୀ କଳାବିଦ୍ୟାଳୟର ଅଧ୍ୟାପକ ରୂପେ ବହୁ ନୂତନ ପ୍ରତିଭାଶାଳୀ ବ୍ୟବସାୟୀ କଳାବିତ୍‍ଙ୍କର ନିର୍ମାତା ବର୍ତ୍ତମାନର କାଳରେ ମୁଷ୍ଟିମେୟ ଶିଳ୍ପୀ ଆଧୁନିକ ଧରଣର ଭାସ୍କର୍ଯ୍ୟ ନିର୍ମାଣ କରୁଛନ୍ତି । ସିଂହାଦ୍ରୀ ମହାରଣା, ବିପ୍ରଚରଣ ମହାନ୍ତି, ରଘୁନାଥ ସିଂହ, ଅନନ୍ତ ପଣ୍ଡା, ଶ୍ୟାମସୁନ୍ଦର ପଟ୍ଟନାୟକ ଓ ବ୍ରଜବନ୍ଧୁ ମିଶ୍ରଙ୍କର ଏହି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି । ରଘୁନାଥ ସିଂହ ଏକମାତ୍ର ଦୂରଦୃଷ୍ଟି ସମ୍ପନ୍ନ ଭାସ୍କର । ସେ ଆନ୍ତର୍ଜାତିକ ପ୍ରତିଷ୍ଠା ଅର୍ଜନ କରିଚନ୍ତି । ଶ୍ରୀ ସିଂହଙ୍କର କୃତୀ ତାହାଙ୍କୁ ଉଚ୍ଚକୋଟୀର କଳ୍ପନାପ୍ରବଣ ଓ ଶକ୍ତିଶାଳୀ କଳାକାର ରୂପେ ଚିହ୍ନାଇଦିଏ । ବିପ୍ରଚରଣ ମହାନ୍ତି କେତେକ ପିତ୍ତଳ ଓ ମର୍ମର ପ୍ରସ୍ତରର ବହୁକାଳସ୍ଥାୟୀ ମୂର୍ତ୍ତି ନିର୍ମାଣ କରିଚନ୍ତି । ଏହି କୃତି କଳାକାରମାନଙ୍କ ବ୍ୟତୀତ ଯେଉଁ ତରୁଣ ସମ୍ପ୍ରଦାୟ ନିତ୍ୟ ନୂତନ ରୂପ ସୃଷ୍ଟି ନିମନ୍ତେ ତପସ୍ୟା କରୁଛନ୍ତି ସେମାନଙ୍କ ମଧ୍ୟରୁ ଦୁର୍ଗାଚରଣ ପଣ୍ଡା, ରଙ୍କନାଥ ରାଉତ, ହରିଶ୍ଚନ୍ଦ୍ର ସିଂହ, ରମେଶଚନ୍ଦ୍ର ମହାନ୍ତି, ବୈଷ୍ଣବ ସାମଲ ପ୍ରମୁଖଙ୍କର ନାମ ଉଲ୍ଲେଖଯୋଗ୍ୟ । ସେହିପରି ପାରମ୍ପରିକ କଳାକାର ରୂପେ ବେଣୁଧର ମହାପାତ୍ର, ଜଗନ୍ନାଥ ମହାପାତ୍ର, ହରିହର ମହାରଣା ଓ ରଘୁନାଥ ମହାପାତ୍ର ଉଜ୍ଜଳ ପ୍ରତିଭାର ଅଧିକାରୀ ।

 

ପ୍ରତିଭାଧର ଦୃଶ୍ୟକାବ୍ୟର କଳାକାରମାନଙ୍କୁ ଆତ୍ମପ୍ରକାଶ ନିମନ୍ତେ ଉପଯୁକ୍ତ କ୍ଷେତ୍ର ଯୋଗାଇ ଦେବାପାଇଁ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ ୧୯୫୭ ମସିହାରେ ଖଲ୍ଲିକୋଟଠାରେ ଓ ଓଡ଼ିଶା ଲଳିତକଳା ଏକାଡେମୀ ଭୁବନେଶ୍ୱରଠାରେ ୧୯୬୦ ମସିହାରେ ଉଦ୍‌ଘାଟିତ ହେଲା । ନାଗରିକମାନଙ୍କର କଳାବୋଧ ଓ ରୂପ ଦୃଷ୍ଟିକୁ ଉନ୍ନତ କରାଇବା ପାଇଁ ଓଡ଼ିଶା ଲଳିତକଳା ଏକାଡେମୀ ଆନୁକୂଲ୍ୟରେ ପ୍ରଥମ କଳା-ପ୍ରଦର୍ଶନୀ ୧୯୬୧ ମସିହାରେ ୫ ଦିନ ପାଇଁ ଭୁବନେଶ୍ୱରଠାରେ କରାଯାଇ ଥିଲା । ଏହି ପ୍ରଦର୍ଶନୀ ହିଁ ପ୍ରକୃତରେ ସମକାଳୀନ ଓଡ଼ିଆ କଳାକାରମାନଙ୍କୁ ଉଦ୍‍ଜୀବିତ କରାଇ ସେମାନଙ୍କର ଧମନୀରେ ଉପଯୁକ୍ତ କର୍ମପ୍ରେରଣା ଦେଇଥିଲା । ବିଗତ ଦଶନ୍ଧୀ ମଧ୍ୟରେ ଓଡ଼ିଶା ଲଳିତକଳା ଏକାଡେମୀ ଚାରିଗୋଟି ଚିତ୍ର-ଭାସ୍କର୍ଯ୍ୟ ପ୍ରଦର୍ଶନୀ କରାଇଛନ୍ତି । କେତେକ ଏକକ ଓ ମିଳିତ ଶିଳ୍ପୀଙ୍କର କୃତୀର ପ୍ରଦର୍ଶନୀ ମଧ୍ୟ କରାଇଛନ୍ତି-। ଗୋଟିଏ କଳାକକ୍ଷ ଓ କେତେକ ଉପାଦେୟ କଳା ପୁସ୍ତକ ପ୍ରକାଶନରେ ଯଥା ଯୋଗ୍ୟ ନେତୃତ୍ୱ ବହନ କରିବା ସଙ୍ଗେ ସଙ୍ଗେ ପ୍ରଦେଶର ବିଭିନ୍ନ କଳାନୁଷ୍ଠାନକୁ ସାହାଯ୍ୟ କରିଚନ୍ତି ମଧ୍ୟ । ବାସ୍ତବିକ୍ ଅଧୂନା ଓଡ଼ିଶାରେ କଳା-ଆନ୍ଦୋଳନର ପ୍ରବାହକୁ ଯେତେ କ୍ଷୀଣ ମନେ କରା ଯାଉଥିଲା, ତାହା ତେତେ କ୍ଷୀଣ ହୋଇ ରହିନାହିଁ । ଅତୀତ ଅପେକ୍ଷା ବର୍ତ୍ତମାନ କାଳରେ କଳା ସୃଷ୍ଟି ନିମନ୍ତେ ଅନୁକୂଳ ପରିବେଶ ନିଶ୍ଚିତ ରୂପେ ସୃଷ୍ଟି ହୋଇ ପାରିଚି ତରୁଣତର ଶିଳ୍ପୀମାନଙ୍କର କୃତୀରେ ରୂପଠାରୁ ବିଭିନ୍ନ ଧରଣର ନୈରୂପ୍ୟବାଦୀ ଦୃଷ୍ଟିକୋଣର ପରିଚୟ ମିଳୁଚି ।

 

କଳାକାରମାନଙ୍କୁ ସଙ୍ଗଠିତ କରାଇବା ପାଇଁ ବ୍ରହ୍ମପୁରଠାରେ ଗଞ୍ଜାମଜିଲ୍ଲା କଳାଶିକ୍ଷକ ସଂଘ, ଗଞ୍ଜାମ କଳା ପରିଷଦ, ଭୁବନେଶ୍ୱରଠାରେ ଚାରୁକଳା ପରିଷଦ ଓ ଶିଳ୍ପୀ-ସଂସଦ କାର୍ଯ୍ୟକରି ଆସୁଛି । ଏମାନଙ୍କର ସଂଗଠନ ଧୀରେ ଧୀରେ ଦିନକୁ ଦିନ ଦୃଢ଼ ଓ ବଳିଷ୍ଠ ହେଉଛି । ଏହି ସବୁ ଅନୁଷ୍ଠାନର ଜରିଆରେ ତରୁଣ କଳାକାରମାନେ କାର୍ଯ୍ୟ କରିବା ପାଇଁ ସୁଯୋଗ ପାଉଛନ୍ତି-। ଓଡ଼ିଶାର ପ୍ରତ୍ୟେକ ଅଞ୍ଚଳରେ, ଏପରିକି ପ୍ରତ୍ୟେକ ଜିଲ୍ଲାରେ ଏହିଭଳି ଯେତେ ଯେତେ ଆସ୍ଥାନ ଗଢ଼ାଯାଇ ପାରିବ, ତରୁଣତମ କଳାକାରମାନେ ସେତେ ସଙ୍ଗଠିତ ହୋଇ ନୂତନ କଳା ସୃଷ୍ଟି ପାଇଁ କ୍ଷେତ୍ର ପାଇପାରିବେ । ଆଲୋଚନା ଦ୍ୱାରା ଜଣାଯାଏ ଯେ ୧୯୪୦ ମସିହା ପରଠାରୁ ବିଶ୍ୱର କଳା ଆନ୍ଦୋଳନରେ ଯଥେଷ୍ଟ ପରିବର୍ତ୍ତନ ଘଟିଛି । ଏହି ପରିବର୍ତ୍ତନ ଫଳରେ ଅମୂର୍ତ୍ତ ଅଭିବ୍ୟକ୍ତିବାଦ, ନବ ବାସ୍ତବବାଦ ଓ ଚାକ୍ଷୁସବାଦ ପ୍ରଭୃତି ଜନ୍ମ ନେଇଛି । ଆଧୁନିକ ଯାନ୍ତ୍ରିକ ବିଦ୍ୟାର ସହଯୋଗ ଦ୍ୱାରା ନୂତନ ଉପାଦାନ, ଉପକରଣ ଓ କରଣ କୌଶଳକୁ ଆଶ୍ରୟ କରି ଆଧୁନିକ ପନ୍ଥୀମାନେ ଗତିଶୀଳ କଳା ମଧ୍ୟ ସୃଷ୍ଟି କରୁଛନ୍ତି । ଭାସ୍କର୍ଯ୍ୟ ଦେହରେ ଅପ୍ରାକୃତିକ ଆଲୋକର ପ୍ରତିଫଳନ କରାଇ ବିଭିନ୍ନ ଭାବର ବ୍ୟଞ୍ଜନା ସୃଷ୍ଟି କରୁଚନ୍ତି । ସର୍ବୋପରି ସଂଗଣକଯନ୍ତ୍ର (Computer) ସାହାଯ୍ୟରେ ଅତ୍ୟାଧୁନିକ କବିତା ଓ ଚିତ୍ର ମଧ୍ୟ ସୃଷ୍ଟି କରାଯାଉଛି । ଓଡ଼ିଶାର ବୈଶିଷ୍ଟ୍ୟକୁ ଉଚିତ ମର୍ଯ୍ୟାଦା ଦେଇ ଏସବୁର ପରୀକ୍ଷା ଓ ନିରୀକ୍ଷା ଏ ଅବଧି ଆମର ଆରମ୍ଭ ହୋଇନାହିଁ ବୋଲି କୁହାଯାଇ ପାରେ । ତରୁଣବର୍ଗ ଏ ଦିଗରେ ଧୀରେ ଧୀରେ ସଚେତନ ହେଉଛନ୍ତି ମାତ୍ର ।

 

ସମ୍ପାଦକୀୟ

କବି ଓ ଐଶୀ ପ୍ରେରଣ

କବିତା ଭାବର ସମ୍ବେଗମୟ ଆତ୍ମପ୍ରକାଶ ଏବଂ ଶୈଳୀ ଛନ୍ଦ ଇତ୍ୟାଦି ଏହା ସହିତ ଘନିଷ୍ଠ ଭାବରେ ସଂଶ୍ଲିଷ୍ଟ । କବି ଯେତେବେଳେ ଦୈନନ୍ଦିନ ଜୀବନଭିତରେ ଦଣ୍ଡାୟମାନ, ଯେକୌଣସି ବିଷୟରେ ସଂଘର୍ଷ ତାଙ୍କ ମନରେ ଭାବ ବା ଅନୁଭୂତି ସଞ୍ଚାର କରେ । ବିଷୟଟି ପ୍ୟାରିସ୍ କର୍ତ୍ତୃକ ହେଲେନ ହରଣ, ଲୋକଚକ୍ଷୁର ଅନ୍ତରାଳରେ ପ୍ରସ୍ପୁଟିତ ଭାଇଓଲେଟ୍ ଫୁଲ (A violet by amoosy stone : Half hidden from the eye) ବା ଇଉରୋପୀୟ ସଭ୍ୟତାର ଧ୍ୱଂସ ବା କବିର କପୋଳକଳ୍ପିତ ହୋଇପାରେ; କିନ୍ତୁ କୌଣସି କବି ବସ୍ତୁଜଗତରୁ ନିଜକୁ ସମ୍ପୂର୍ଣ୍ଣରୂପେ ବିଚ୍ଛିନ୍ନକରି ନିଜର କଳ୍ପନାକୁ ମୂର୍ତ୍ତି କରିପାରେନା । ବାସ୍ତବ ଜଗତର ସ୍ତରେ ସ୍ତରେ ଯେଉଁ ଅଦ୍ଭୁତ ଘଟଣାବଳୀ ସମାହିତ ହେଉଛି । କୌଣସି ଏକ ବିଶେଷ ମୁହୂର୍ତ୍ତରେ କବି ଚିତ୍ତରେ ତାହାର ପ୍ରତିଫଳନ ସମାହିତ ହୋଇଥାଏ । କାହିଁକି କବି ଚିତ୍ତରେ ଏ ପ୍ରତିଫଳନ ସମ୍ଭବପର । ତାହା ବୁଝାଇ ଦେବାର କୌଣସି ଉପାୟ ନାହିଁ । ଖାଲି ଏତିକି ମାତ୍ର କୁହାଯାଇପାରେ ଯେ କବି-ଚିତ୍ତ ଅତି ମାତ୍ରାରେ ସମ୍ବେଦନଶୀଳ । ସାଧାରଣ ମନୁଷ୍ୟ ପକ୍ଷରେ ଯାହା ଅଥର୍ବ ଅଜ୍ଞେୟ କବିପକ୍ଷରେ ତାହା ହୁଏତ ଏକ ସ୍ମରଣର ଅପୂର୍ବ ମୁହୂର୍ତ୍ତ ଏହିପରି ଏକ ଅନୁଶୀଳନ ହୁଏତ ଦିଆଯାଇପାରେ । ଏ ଯୁକ୍ତିରେ କିନ୍ତୁ କବି-ଚିତ୍ତର ରହସ୍ୟଭେଦ ଠିକ୍ ହୋଇପାରୁ ନାହିଁ । ଏଇଥିପାଇଁ ଯୌକ୍ତିକ ବ୍ୟାଖ୍ୟା ଅଚଳ ହୋଇପଡ଼େ ଏବଂ କ୍ରିୟା ଉପରେ ଅଲୌକିକତ୍ୱ ଆରୋପିତ ହୁଏ । ଏହାକୁ ଅନେକ କହନ୍ତି ଐଶୀ ପ୍ରେରଣା । ଏହି ଐଶୀ ପ୍ରେରଣାଦ୍ୱାରା ଉଦ୍‍ବୁଦ୍ଧ ହୋଇ କବି କାବ୍ୟ ରଚନା କରନ୍ତି ଏହି ଧାରଣା ବହୁ ପ୍ରାଚୀନ ଓ ସୁପ୍ରଚଳିତ । ନିରାକାର ଭଗବାନଙ୍କ ପରବର୍ତ୍ତୀ ରୂପ ଯେ ନାଦବ୍ରହ୍ମ ବା ଶବ୍ଦ-ବ୍ରହ୍ମ ଏହାକୁ କବି ଉପଲବ୍‍ଧି କରନ୍ତି; ତେଣୁ ସେ ପ୍ରତିଭାବାନ୍ ଏପରି ବ୍ୟାଖ୍ୟା ମଧ୍ୟ ଦେଖିବାକୁ ମିଳେ । ଶାରଳା ଦାସ ଶାରଳାଙ୍କ ପ୍ରସନ୍ନରେ ଉପେନ୍ଦ୍ରଭଞ୍ଜ ରାମତାରକ ମନ୍ତ୍ର ଜପରେ ଏହି ଐଶୀ ଶକ୍ତିର ଅଧିକାରୀ ହୋଇଥିଲେ ବୋଲି କିମ୍ବଦନ୍ତୀ ଅଛି ।

 

ବାଲ୍ମକୀଙ୍କର କବିତ୍ୱ-ଶକ୍ତି ପଛରେ; କିନ୍ତୁ ପ୍ରେରଣାବାଦର ଆଭାସ ମିଳେ ହୋମର, ମିଲଟନ୍, । ଦାନ୍ତେ, ଭର୍ଦିଲ ଇତ୍ୟାଦି ମହାକବିଗଣ ପ୍ରେରଣା ଲାଭ ଉଦ୍ଦେଶ୍ୟରେ ମିଉଜ୍ ବା ବାଣୀ ବନ୍ଦନା କରିଛନ୍ତି । ରାଧାନାଥ ମଧ୍ୟ ‘ ମହାଯାତ୍ରା’ ଆରମ୍ଭରେ ସେହି ପନ୍ଥା ହି ଅନୁସରଣ କରିଛନ୍ତି :

 

ଝଙ୍କଡ଼ବାସିନୀ ଦେବୀ ଉତ୍କଳ-ଭାରତୀ

ଶାରଳେ ! କି କଲେ କହ କୁରୁ ଚୂଡ଼ାମଣି...

 

ପରୋକ୍ଷରେ ସେକ୍ସପିଅର ପ୍ରେରଣାବାଦ ବିଷୟରେ ମିଡ୍‍ ସମର୍ସ ନାଇଟ୍ ଡ୍ରମରେ କହିଛନ୍ତି –

 

The lunatic, the lover, and the poet,

are of imagination all compact :

one sees more devils than vast hell can hold,

that is mad man; The lover all as Frantic, sees Helen’s beauty in a brow of Egypt

The Poet’s eye in a fine franzy rolling,

Doth glance from heaven to earth,

from earth to heaven.

 

***

 

ଓଡ଼ିଆ ପତ୍ରପତ୍ରିକାର ଆଦିଯୁଗ

ଡକ୍ଟର ଗୋପାଳ ମିଶ୍ର

 

ପତ୍ରପତ୍ରିକା, ଦୈନିକ ସମ୍ବାଦପତ୍ର ଆଧୁନିକ ଯୁଗରେ ଲୋକଶିକ୍ଷାର ଏକ ଶକ୍ତିଶାଳୀ ମାଧମ ରୂପେ ଗୃହୀତ । ସମ୍ବାଦପତ୍ରର ଉତ୍ପତ୍ତି, ବିକାଶ ଏବଂ ପ୍ରସାର ଯେ କୌଣସି ଭାଷା ଓ ସାହିତ୍ୟର ଇତିହାସରେ ଏକ ପ୍ରଧାନ ଘଟଣା । ଭାରତରେ ମୁଦ୍ରାଯନ୍ତ୍ରର ପ୍ରତିଷ୍ଠା, ବିଭିନ୍ନ ପ୍ରଦେଶରେ ତା’ର ସମ୍ପ୍ରସାରଣ କମ୍ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ନୁହେଁ । ଭାରତକୁ ଖ୍ରୀଷ୍ଟିଆନ୍ ମିସନାରୀମାନଙ୍କ ଆଗମନ (ଅଷ୍ଟାଦଶ ଶତାବ୍ଦୀର ଶେଷଭାଗ), ‘ବାଇବେଲ’ ବାଣୀ-ପ୍ରଚାରାର୍ଥେ ବିଭିନ୍ନ ପ୍ରାନ୍ତୀୟ ଭାଷାରେ ଖ୍ରୀଷ୍ଟଧର୍ମସମ୍ପର୍କୀୟ ପୁସ୍ତକସମୂହର ଅନୁବାଦ, ଉଇଲିୟମ୍ କେରୀ (୧୭୬୧- ୧୮୩୪) ମାର୍ଶମାନ, ୱାର୍ଡ ପ୍ରଭୃତିଙ୍କର ଅକ୍ଲାନ୍ତ ଅଧ୍ୟବସାୟ; ଫୋର୍ଟ ଉଇଲିୟମ କଲେଜ ସ୍ଥାପନ (୧୮୦୦) ସର୍ବଭାରତୀୟ ସ୍ତରରେ ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ତାତ୍ପର୍ଯ୍ୟପୂର୍ଣ୍ଣ ଘଟଣା ।

 

ପ୍ରାଚୀଖଣ୍ଡର ‘ଉଇକ୍ଲିପ୍’ ନାମରେ ପରିଚିତ ଉଇଲିୟମ୍ କେରୀଙ୍କର ବୈଚିତ୍ର୍ୟପୂର୍ଣ୍ଣ ଜୀବନର କାହାଣୀ ଯେତିକି ସାଂସ୍କୃତିକ ପୃଷ୍ଠଭୂମିରେ ପରିବର୍ଦ୍ଧିତ, ସେତିକି ମଧ୍ୟ ମାନବିକତାର ଉଚ୍ଛ୍ୱାସରେ ପରିପୂର୍ଣ୍ଣ । ପତ୍ରପତ୍ରିକା ବ୍ୟତୀତ, ଦୈନିକ ସମ୍ବାଦପତ୍ର ବ୍ୟତୀତ କୌଣସି ଦେଶର ସାଂସ୍କୃତିକ ଏବଂ ସାମାଜିକ ଜାଗରଣ ପୂର୍ଣ୍ଣାଙ୍ଗ ନୁହେଁ କିମ୍ବା କୌଣସି ଅଞ୍ଚଳର ଭାଷା ପରିପୁଷ୍ଟ କରି ନ ପାରେ । Literature cannot be said to exist for the people till the newspaper appears. Bengle was the first Non-Chirstian country in to which the press had ever been introduced. Above all forms of truth and faith christianity seeks free discussion in place of that the missionaries lived under a shackled press law tempered by the highter instincts of rulers like Wellesly, Hastings and Bentick till Macaulay and Metcalfe gained for it liberty. When Dr. Manshman in 1818 proposed the publication of a Bengli periodical, Dr Cavey impressed by a quarter of a country’s entolerance consented only on the condition that it should be a monthly magazine and should avoid political discussion. Accordingly Dig Darshan appeared, anticipating in its contents and style the later, ‘Peany’ and ‘Saturday’ magazines and continued for three years. Its immediate success led to the first volume from the Serampore press on the 31st May 1818 of the first newspaper ever printed in any oriental language’ the Samachar Darpan or News mirror.*

 

ଏହାର ପ୍ରକୃତ ଅର୍ଥ ହେଉଛି, “ସମ୍ବାଦପତ୍ର ପ୍ରକାଶିତ ନ ହେବା ପର୍ଯ୍ୟନ୍ତ ସାହିତ୍ୟ ଯେ ପ୍ରକୃତରେ ଜନସମାଜର ଉପକାରପାଇଁ ପ୍ରଯୁକ୍ତ ହୋଇଛି ଏହା କୁହାଯାଇ ନ ପାରେ । ଅଣଖ୍ରୀଷ୍ଟିଆନ୍ ରାଜ୍ୟମାନଙ୍କ ମଧ୍ୟରେ ବଙ୍ଗଳା ହେଉଛି ପ୍ରଥମ ରାଜ୍ୟ ଯେଉଁଠାରେ କି ମୁଦ୍ରାଯନ୍ତ୍ର ପ୍ରବେଶଲାଭ କରିଥିଲା । ସମସ୍ତ ବିଶ୍ୱାସ ତଥା ସତ୍ୟ ମଧ୍ୟରେ ଖ୍ରୀଷ୍ଟିୟାନ୍ ଧର୍ମ ମୁକ୍ତ ଆଲୋଚନାର ପକ୍ଷପାତୀ । ସେପରି ସ୍ଥଳେ ପାତ୍ରୀମାନେ ଏକ କଠୋର ପ୍ରେସ ଆଇନ୍ ଅଧୀନରେ ଚଳୁଥିଲେ ଏବଂ ପୁଣି ସେହି ପ୍ରେସ ଆଇନଟି ଓଏଲସିଲ, ହେଷ୍ଟିଙ୍ଗସ୍, ବେଣ୍ଟିକଙ୍କ ତୁଲ୍ୟ ଶାସକମାନଙ୍କର ଉଚ୍ଚକୋଟୀର ବିଚାରଦ୍ଵାରା ନିୟନ୍ତ୍ରିତ ହୋଇଥିଲା । ଶେଷରେ ମାକଲେ ଓ ମେଟକାଫ୍ ଏହା ପାଇଁ ସ୍ଵାଧୀନତା ହାସଲ କରିଥିଲେ । ଯେତେବେଳେ ୧୮୧୮ ମସିହାରେ ମାର୍ସମାନ୍ ଗୋଟିଏ ବଙ୍ଗଳା ସମ୍ବାଦପତ୍ର ପ୍ରକାଶପାଇଁ ପ୍ରସ୍ତାବ ଦେଇଥିଲେ ସେତେବେଳେ ଡଃ କେରୀ, ଶତାବ୍ଦୀର ଏକ ଚତୁର୍ଥାଂଶ ବର୍ଷର ଅସହିଷ୍ଣୁତା ଏବଂ ନିଷ୍କ୍ରିୟତାବଶତଃ ସମ୍ମତି ପ୍ରଦାନ କରିଥିଲେ ଯେ ତାହା ଏକ ମାସିକପତ୍ର ହେବଏବଂ ରାଜନୀତିକ ଆଲୋଚନାରୁ ନିବୃତ୍ତ ରହିବ । ତଦନୁଯାୟୀ ‘ଦିଗ୍‌ଦର୍ଶନ ପତ୍ରିକାର ଆବିର୍ଭାବ ହେଲା ଏବଂ ଏହାର ଲେଖାଶୈଳୀ ଦିଗ୍‌ଦର୍ଶନ ଏବଂ ପରିବେଷଣ ଢଙ୍ଗ ଏପରି ହୋଇଥିଲା, ଯାହାକି ପରିବର୍ତ୍ତନ କାଳରେ ‘ପେନି ଏବଂ ସଟରଡେ’ ପତ୍ରିକାକୁ ପ୍ରଭାବିତ କରିପାରିଥିଲା । ଦିଗ୍‌ଦର୍ଶନ ତିନିବର୍ଷକାଳ ଚାଲିଥିଲା । ଏହାର ଠିକ୍ ପରେ ପରେ ଶ୍ରୀରାମପୁର ପ୍ରେସରୁ ୧୮୧୮ ମସିହା ମେ’ମାସ ୩୧ ତାରିଖରେ ପ୍ରଥମ ସମ୍ବାଦପତ୍ର ପ୍ରକାଶନ ସମ୍ଭବ ହୋଇଥିଲା । ଏହାର ନାମ ହେଉଛି ‘ସମାଚାର-ଦର୍ପଣ’ ସମ୍ଭବତଃ ଭାରତୀୟ ଭାଷାମାନଙ୍କରେ ସମାଚାର ଦର୍ପଣ ହେଉଛି ସର୍ବପ୍ରଥମ ମୁଦ୍ରିତ ସମ୍ବାଦପତ୍ର ।

 

* Life of William Carey

 

ଓଡ଼ିଶାରେ ଛାପାଖାନା ପ୍ରତିଷ୍ଠା ଏବଂ ପତ୍ରପତ୍ରିକା ପ୍ରକାଶନ ପୂର୍ବରୁ କିମ୍ବା ତତ୍ ସମୟରେ ଭାରତର ଅନ୍ୟାନ୍ୟ ପ୍ରାଦେଶିକ ଭାଷାରେ କିପରି କ’ଣ ପତ୍ରପତ୍ରିକା ପ୍ରତିଷ୍ଠାଗତ ଅଗ୍ରଗତି ସାଧିତ ହୋଇଥିଲା ତାହାର ସମ୍ୟକ୍ ଅଧ୍ୟୟନ ମଧ୍ୟ ଆବଶ୍ୟକ । କାରଣ ଛାପାଖାନା ପ୍ରତିଷ୍ଠା, ପୁସ୍ତକ ପ୍ରକାଶନ, ପତ୍ରପତ୍ରିକା ସମ୍ପାଦନ, ସ୍ଥାନୀୟ ଭାଷାଭାଷୀଙ୍କର ଜାତୀୟ ସମସ୍ୟା ଉପସ୍ଥାପନ ଏବଂ ତା’ର ସମାଧାନ ଦାବୀ ଯେ କୌଣସି ପ୍ରାଦେଶିକ ଭାଷା ଏବଂ ସାହିତ୍ୟର ପ୍ରଧାନ ଆଭିମୁଖ୍ୟ ହୋଇଥିଲା । ବିଶେଷତଃ ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଏହି ପ୍ରକ୍ରିୟା ପ୍ରତ୍ୟେକ ଭାରତୀୟ ଭାଷାରେ ସୃଷ୍ଟି କରିଥିଲା ଚାଞ୍ଚଲ୍ୟ । ଜାତୀୟତାର ଆର୍ଥିକ ଅଭିବ୍ୟକ୍ତିର ମାଧ୍ୟମ ହେଉଛି ଭାଷା ଏବଂ ଭାଷାର ଚରମ ସଫଳତା ହେଉଛି ବଳିଷ୍ଠ ପ୍ରକାଶନ କାର୍ଯ୍ୟକ୍ରମ । ସାହିତ୍ୟ ଏହି ନବୀନ ଚେତନା ତଥା ଧାରାରେ ପରିପୃଷ୍ଟ । ଅଷ୍ଟାଦଶ ଶତାବ୍ଦୀର ଶେଷ ଆଡ଼କୁ ବଙ୍ଗଳାରେ ଛାପାଖାନା ପ୍ରତିଷ୍ଠିତ ହୋଇଥିଲା ଏବଂ ୧୮୧୮ ମସିହା ପର୍ଯ୍ୟନ୍ତ ଇଂରାଜୀରେ ସମ୍ବାଦପତ୍ର ପ୍ରକାଶିତ ହୋଇଥିଲା । ୧୮୧୮ ରେ ଲର୍ଡ ହେଷ୍ଟିଙ୍ଗସ ‘‘ପ୍ରେସ୍ ସେନ୍‍ସରସିସ’’ ଆଇନ୍ ପ୍ରତ୍ୟାହାର କରିନେଲେ । ୧୭୯୯ ମସିହାରେ ଲର୍ଡ କର୍ଣ୍ଣୱାଲିସଙ୍କ ଦ୍ଵାରା ଏହା ବ୍ୟବସ୍ଥିତ ହୋଇଥିଲା । ଏହି ଆଇନ୍ ବଳରେ ସରକାରଙ୍କ ବିନାନୁମତି ଓ ବିନାନୁମୋଦନରେ କୌଣସି ଲେଖା ପ୍ରକାଶିତ ହୋଇପାରୁନଥିଲା । ପୂର୍ବେ କୁହାଯାଇଛି ଯେ କେଉଁ ଅବସ୍ଥାରେ ପ୍ରଥମ ବଙ୍ଗଳା ପତ୍ରିକା (ମାସିକ) ‘ଦିଗଦର୍ଶନ’ ଏପ୍ରିଲମାସ ୧୮୧୮ରେ ପ୍ରକାଶିତ ହୋଇଥିଲା । ଜିନ କ୍ଲର୍କ ମାର୍ସମାନ୍ ଥିଲେ ତା’ର ସମ୍ପାଦକ । ପତ୍ରିକାର ପ୍ରଥମ ସଂଖ୍ୟାରେ ଆମେରିକା ପ୍ରସଙ୍ଗରେ ଏକ ଲେଖା ସ୍ଥାନ ପାଇଥିଲା । ଶ୍ରୀରାମପୁରସ୍ଥିତ ବାପ୍‌ଟିଷ୍ଟ ମିସନାରୀମାନେ ଏହାର ପ୍ରଯୋଜକ ଥିଲେ । ଏହି ପତ୍ରିକା ପରେ ପରେ ‘ସମାଚାରଦର୍ପଣ’ ପୁଣି ମାର୍ସମାନଙ୍କ ସମ୍ପାଦନାରେ ପ୍ରକାଶିତ ହୋଇଥିଲା । ୧୮୨୨ ମସିହାରେ ପ୍ରେସ କଟକଣା । ଆଇନ୍ (Press Censorship) ପୁଣି ପ୍ରବର୍ତ୍ତିତ ହୋଇଥିଲା । ଏତିକିବେଳେ ରାମମୋହନ ରାୟ, ପାର୍ସ ପତ୍ରିକା “ମିରାଡ-ଅଲ୍ ଆକବର’’ ସମ୍ପାଦକ ରୂପେ ସରକାରଙ୍କ ନିକଟରେ ପ୍ରତିବାଦ ଜଣାଇଲେ ଏବଂ “ପ୍ରେସ୍ କଟକଣା ଆଇନ୍’’ ନିକଟରେ ମୁଣ୍ଡ ନୁଆଇଁବା ଅପେକ୍ଷା ପତ୍ରିକା ସମ୍ପାଦନା ସ୍ଥଗିତ ରଖିଥିଲେ । ୧୮୨୨ରୁ ୧୮୩୫ ମସିହା ପର୍ଯ୍ୟନ୍ତ ଏହି ପ୍ରେସ୍ ଆଇନ୍ ଲାଗୁ ରହିଥିଲା । ଚାର୍ଲସ୍ ମେଟକାଫ୍ ୧୮୩୫ରେ ସବୁ ଦିଗରୁ ଚିନ୍ତାକରି ଏହି ପ୍ରେସ୍ ସେନ୍‍ସରସିପ୍ ପ୍ରତ୍ୟାହାର କରିନେଇଥିଲେ ଏବଂ ଏହା ପରଠାରୁ ପ୍ରାୟ ୭୦ ବର୍ଷ ପର୍ଯ୍ୟନ୍ତ ପ୍ରେସର ଅଖଣ୍ଡ ସ୍ଵାଧୀନତା ଭୋଗ କରିଥିଲେ ଏବଂ ଏହି ଯୁଗରେ ପ୍ରାୟ ୨୫୦ ଖଣ୍ଡି ପତ୍ରିକା ପ୍ରକାଶିତ ହୋଇପାରିଥିଲା ।

 

* Life of william Carey.

 

୧୮୩୧ ମସିହାରେ ବଙ୍ଗଳା ଭାଷାର ପ୍ରଥମ ଦୈନିକ ସମ୍ବାଦପତ୍ର “ସମ୍ବାଦ ପ୍ରଭାକର’’ ପ୍ରକାଶିତ ହୁଏ ଏବଂ କବି ଈଶ୍ୱରଚନ୍ଦ୍ର ଗୁପ୍ତ ତା’ର ସମ୍ପାଦକ ଥିଲେ ଏବଂ ୧୮୫୯ ପର୍ଯ୍ୟନ୍ତ ସେ ସମ୍ପାଦନା କାର୍ଯ୍ୟ ତୁଲାଇଥିଲେ । ଏହି ଦୈନିକ ସମ୍ବାଦପତ୍ରରେ ସାହିତ୍ୟ ଶାଖା ମଧ୍ୟ ଥିଲା । ଊନବିଂଶ ଶତାବ୍ଦୀର ମଧ୍ୟଭାଗର ବହୁ ବଙ୍ଗଳା କବି ଏବଂ ସାହିତ୍ୟିକ ଯଥା ବଙ୍କିମଚନ୍ଦ୍ର ଚାଟାର୍ଜୀ, ଦୀନବନ୍ଧୁ ମିତ୍ର ଏବଂ ରଙ୍ଗଲାଲ ବନ୍ଦୋପାଧ୍ୟାୟ ଏହି ସମ୍ବାଦପତ୍ରରେ ପ୍ରଥମେ ଲେଖୁଥିଲେ । ସେହିପରି ୧୮୪୩ରୁ ଅକ୍ଷୟକୁମାର ଦତ୍ତଙ୍କ ସମ୍ପାଦନାରେ ବ୍ରାହ୍ମ ସମାଜର ମୁଖପତ୍ର ସ୍ୱରୁପ “ତତ୍ତ୍ୱବୋଧନୀ” ମାସିକ ପତ୍ରିକା ଆରମ୍ଭ ହୋଇଥିଲା । ଅକ୍ଷୟକୁମାର ଦତ୍ତଙ୍କ ପରେ ଏହି ପତ୍ରିକାର ସମ୍ପାଦନା-ଦାୟିତ୍ୱ ଗ୍ରହଣ କରିଥିଲେ ଯଥାକ୍ରମେ ଦ୍ଵାରକାନାଥ ଠାକୁର ଏବଂ ରବୀନ୍ଦ୍ରନାଥ ଠାକୁର । ବ୍ରାହ୍ମ ସମାଜର ଆଦର୍ଶ, ନୀତି ପ୍ରଚାର ବ୍ୟତୀତ, ସାହିତ୍ୟ, କଳା ଏବଂ ଦର୍ଶନ ଶୀର୍ଷକ ଲେଖାମାନ ଏହି ପତ୍ରିକାରେ ସ୍ଥାନଲାଭ କରୁଥିଲା । ୧୯୨୩ ମସିହାରେ ଏହି ପତ୍ରିକା ବନ୍ଦ ହୋଇଯାଇଥିଲା । ୧୮୬୦ ମସିହାରେ ଢାକାର ‘କବିତା କୁସୁମାବଳୀ’ ନାମକ ପତ୍ରିକା ପ୍ରକାଶ ପାଇଥିଲା, ଯେଉଁଥିରେ କି କେବଳ କବିତା ହିଁ ସ୍ଥାନ ପାଉଥିଲା ଏବଂ ଏହାର ସମ୍ପାଦକ ଥିଲେ କବି କୃଷ୍ଣଚନ୍ଦ୍ର ମଜୁମଦାର । ସେହିପରି ଅଳ୍ପଦିନ ପାଇଁ ‘‘ପୂର୍ଣ୍ଣିମା” (୧୮୫୯) ନାମକ ପତ୍ରିକା ପ୍ରକାଶିତ ହୋଇଥିଲା । ବକୀନ୍ ମିହିରୋଦୟ (୧୮୫୭) ମାସିକ ପତ୍ରିକା ( ୧୮୫୪) ଏବଂ ବଙ୍ଗଦର୍ଶନ (୧୮୭୨) ପ୍ରଭୃତି ସେ କାଳର ବଙ୍ଗଳା ପତ୍ରିକାର ନାମ ଉଲ୍ଲେଖ କରାଯାଇପାରେ । ବଙ୍କିମଚନ୍ଦ୍ର ଚାଟାର୍ଜୀଙ୍କଠାରୁ ଆରମ୍ଭ କରି ବହୁ ସାହିତ୍ୟ ରଥୀ ‘ବଙ୍ଗଦର୍ଶନ’ ପତ୍ରିକା ସହିତ ସଂପୃକ୍ତ ଥିଲେ । ବଙ୍ଗଳା ଭାଷାରେ ପତ୍ରପତ୍ରିକାର ଏହା ହିଁ ହେଉଛି ଆଦ୍ୟାବସ୍ଥା । ସେହିପରି ଦକ୍ଷିଣ ଭାରତର ‘ତେଲୁଗୁ’ ଭାଷାରେ ପ୍ରକାଶିତ ପତ୍ରପତ୍ରିକାର ବୀରେଶଲିଙ୍ଗମ୍ (୧୮୪୮-୧୯୧୯)ଙ୍କ ପ୍ରଯୋଜିତ ‘ବିବେକବନ୍ଧନୀ’ ଏବଂ ‘ହାସ୍ୟ ସଞ୍ଜୀବନୀ’ ହେଉଛି ପ୍ରାଥମିକ ଯୁଗର ସାହିତ୍ୟ ପତ୍ରିକା । ଏହା ପୂର୍ବରୁ ଖ୍ରୀଷ୍ଟିଆନ୍‌ ମିଶନାରୀମାନଙ୍କ ଉଦ୍ୟମରେ ସାମୟିକ ପତ୍ରପତ୍ରିକା ପ୍ରକାଶନ ପାଇଁ ଉଦ୍ୟମ ହୋଇଥିଲା । ତେଲୁଗୁ ଭାଷାରେ ସର୍ବପ୍ରଥମ ମୁଦ୍ରିତପୁସ୍ତକ ହେଉଛି ୧୭୯୬ ମସିହାର । ଊନବିଂଶ ଶତାବ୍ଦୀର ଶେଷ ପାଦରେ ପ୍ରକାଶିତ ‘ଅମୁଦ୍ରି ଗ୍ରନ୍ଥଚିନ୍ତାମଣି’ ପତ୍ରିକା ପ୍ରେରଣା ସୃଷ୍ଟି କରିଥିଲା । ବୀରେଶଲିଙ୍ଗମ୍‍ଙ୍କ ସମ୍ପାଦିତ ବିବେକ ବର୍ଦ୍ଧନୀ, କୋକ୍ମଣ୍ଡା ଭେଙ୍କଟରନ୍ (୧୮୪୨ – ୧୯୧୫)ଙ୍କ ସମ୍ପାଦିତ ‘ ଆନ୍ଧ୍ର ଭାଷା ସଞ୍ଜିବନୀ’ ଏବଂ ଗୁଣ୍ଡଲା ରାମକୃଷ୍ଣୟାଙ୍କ ସମ୍ପାଦିତ ‘ଅମୁଦ୍ରିତ ଗ୍ରନ୍ଥଚିନ୍ତାମଣି’ ପତ୍ରିକା; ଏହି ପତ୍ରିକାତ୍ରୟ ମଧ୍ୟରେ ସେତେବେଳେ ସାହିତ୍ୟିକ ଛବି ଏବଂ ଆଦର୍ଶ ସମ୍ପର୍କରେ ବାଦାନୁବାଦ ଲାଗି ରହିଥିଲା । ଏହାର ପରବର୍ତ୍ତୀ କାଳରେ ଯୁଗର ପତ୍ରପତ୍ରିକାର ପ୍ରେରଣାରେ ତେଲୁଗୁ ଭାଷାରେ ବହୁ ପତ୍ରପତ୍ରିକା ଯଥା ‘ସରସ୍ୱତୀ’ ‘ମନୋରମା’ “ଭାରତୀ ପ୍ରବୁଦ୍ଧ ଆନ୍ଧ୍ର, ଆନ୍ଧ୍ରପତ୍ରିକା ଆନ୍ଧ୍ରପ୍ରଭା ପ୍ରଭୃତି ସଂଖ୍ୟାଧିକ ପତ୍ରପତ୍ରିକା ସାହିତ୍ୟ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି; କିନ୍ତୁ ତେଲୁଗୁ ସାହିତ୍ୟରେ ଆଧୁନିକ ଯୁଗର ଭିତ୍ତିପ୍ରସ୍ତର ସ୍ଥାପିତ ହେବା ସମୟରେ ମୁଷ୍ଟିମେୟ ପତ୍ରପତ୍ରିକାର ଦାନ ସ୍ୱୀକାର୍ଯ୍ୟ । କନ୍ନଡ଼ ସାହିତ୍ୟରେ ଉନବିଂଶ ଶତାବ୍ଦୀର ଶେଷଭାଗରେ ପ୍ରକାଶିତ କାବ୍ୟମଞ୍ଜରୀ (୧୮୯୨-୯୭) କାବ୍ୟକଳାନିଧି (୧୮୯୯) ନିଚ୍ଛକ ସାହିତ୍ୟ ପତ୍ରିକା ନ ହେଲେ ମଧ୍ୟ ପତ୍ରିକା ସାହିତ୍ୟର ବିକାଶ ପାଇଁ ଉପାଦାନ ଯୋଗାଇଥିଲା । ବାକ୍‍ଭୂମି (୧୮୯୮) ଏବଂ ସୁଭାଷିନୀ (୧୯୦୦) ମଧ୍ୟ କନ୍ନଡ଼ ସାହିତ୍ୟରେ ପ୍ରଥମେ ପ୍ରଥମେ ପ୍ରକାଶିତ ହୋଇ ଜାଗରଣ ସୃଷ୍ଟି କରିଥିଲା ।

 

ଅସମିୟା ଭାଷା ଇତିହାସ ପରିକ୍ରମା କଲେ ସେହି ସମାନ ଦୃଶ୍ୟ ହିଁ ଆଖିରେ ପଡ଼ିଥାଏ-। ଖ୍ରୀଷ୍ଟିଆନ୍ ମିସନାରୀମାନଙ୍କ ଚେଷ୍ଟାରେ, ବିଶେଷତଃ ବ୍ରାଉନ୍ ସାହେବ ଏବଂ କଟ ସାହେବଙ୍କଯତ୍ନରେ ୧୮୩୬ ମସିହାରେ ହିଁ ‘ଅସମିୟା’ ପ୍ରେସ ସ୍ଥାପିତ ହୋଇଥିଲା ଏବଂ ୧୮୪୪ରେ ଅସମିୟା ସମ୍ବାଦପତ୍ର ‘ଅରୁଣୋଦୟ’ ପ୍ରକାଶିତ ହେଲା । ସେହିପରି ହିନ୍ଦୀ ସାହିତ୍ୟରେ ଊନବିଂଶ ଶତାବ୍ଦୀର ଇତିହାସ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ଆଧୁନିକ ଯୁଗର ପ୍ରାଣପ୍ରତିଷ୍ଠା ଏହି ସମୟରେ ହି ଘଟିଥିଲା । ଉଇଲିୟମ କେରୀ ପ୍ରଭୃତି ଖ୍ରୀଷ୍ଟିଆନ୍ ମିସନାରୀମାନଙ୍କ ଚେଷ୍ଟାରେ ହିଁ ୧୮୦୯ ମସିହାରେ ହିନ୍ଦୀ ଭାଷାରେ ‘ବାଇବେଲ୍’ ଅନୁବାଦ ପୂର୍ଣ୍ଣାଙ୍ଗ ହୋଇଥିଲା । ସମ୍ଭବତଃ ୧୮୪୦ବେଳକୁ ମିର୍ଜାପୁରଠାରେ ‘ଆର୍ଫାନପ୍ରେସ’ ସ୍ଥାପିତ ହୋଇଥିଲା । ରାଜା ଶିବପ୍ରସାଦଙ୍କ ପ୍ରବଳ ଆନ୍ଦୋଳନ ଏବଂ ନିଷ୍ଠାପର ଉଦ୍ୟମ ଯୋଗୁଁ ୧୮୪୫ ମସିହାରୁ ‘ବେନାରସ ଆକବର’ ନାମକ ସମ୍ବାଦପତ୍ର ପ୍ରକାଶିତ ହୋଇଥିଲା । ୧୮୫୦ରେ ପରାମୋହନ ମିତଙ୍କ ସମ୍ପାଦନାରେ ‘ସୁଧାକର’ ଏବଂ ଏହାର ଦୁଇବର୍ଷ ପରେ ମୁନ୍‍ସି ସଦାସୁଖଲାଲ୍‍ଙ୍କ ସମ୍ପାଦକତ୍ଵରେ ‘ବୁଦ୍ଧି ପ୍ରକାଶ’ ପତ୍ରିକା ଜନ୍ମଲାଭ କରିଥିଲା । ହିନ୍ଦୀ ସାହିତ୍ୟ ଜଗତରେ ପ୍ରାଥମିକ ଅବସ୍ଥାରେ ଏହିପରି ପତ୍ରପତ୍ରିକା ପ୍ରକାଶଦ୍ଵାରା ହି ଆଧୁନିକତା ପରିବର୍ତ୍ତନ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିଲା । ସମ୍ପାଦକର ଶିକ୍ଷା-ବିଭାଗରେ କାର୍ଯ୍ୟ କରୁଥିବା ନବୀନଚନ୍ଦ୍ର ୧୮୬୭ ମସିହାରେ ‘ଦୀନପ୍ରଦାୟିନୀ’ - ନାମକ ହିନ୍ଦୀ ପତ୍ରିକା ପ୍ରକାଶ କଲେ । ସେଥିରେ ସମାଜଶିକ୍ଷା ବିଷୟକ ପ୍ରବନ୍ଧସମୂହ ସ୍ଥାନ ପାଉଥିଲା ଏବଂ ଦେଶରେ ଖ୍ରୀଷ୍ଟିଆନ୍ ଧର୍ମପ୍ରଚାରକୁ ବାଧା ଦେଇଥିଲା, ଆଗ୍ରାଠାରୁ ଏହି ବର୍ଷ ରାଜା ଲକ୍ଷ୍ମଣ ସିଂହ ପ୍ରଜାହିତୈଷୀ ପତ୍ରିକା ସମ୍ପାଦନା କରିଥିଲେ । ହିନ୍ଦୀ ଗଦ୍ୟ ସାହିତ୍ୟରେ ସେତେବେଳେ ଦୁଇଟି ଧାରା ଆତ୍ମପ୍ରକାଶ କରିଥିଲା । ଗୋଟିଏ ହେଉଛି ଲକ୍ଷ୍ମଣ ସିଂହଙ୍କର ସଂସ୍କୃତବହୁଳ ହିନ୍ଦୀ ଏବଂ ରାଜା ଶିବପ୍ରସାଦଙ୍କର ପାର୍ସିବହୁଳ ହିନ୍ଦୀ ଲେଖା ଆଧୁନିକ ହିନ୍ଦୀ ସାହିତ୍ୟର ଅନ୍ୟତମ ପୁରୋଧା ଭାରତେନ୍ଦୁ ହରିଶ୍ଚନ୍ଦ୍ର (୧୮୫୦-୧୮୮୫) ୧୮୭୩ ମସିହାରେ ହରିଶ୍ଚନ୍ଦ୍ର ପତ୍ରିକା (ପରବର୍ତ୍ତୀ ନାମ ହରିଶ୍ଚନ୍ଦ୍ରଚନ୍ଦ୍ରିକା ଏବଂ ନବୋଦିତ) ସମ୍ପାଦନା କରିଥିଲେ । ୧୮୭୭ରେ ଛୋଟଲାଲଙ୍କ ସମ୍ପାଦନାରେ ‘ଭାରତମିତ୍ର’ ୧୮୭୬ର ବାଳକୃଷ୍ଣ ଭଟ୍ଟଙ୍କ ସମ୍ପାଦିତ ‘ହିନ୍ଦୀ ପ୍ରଦୀପ’ ୧୮୮୪ରେ ପ୍ରତାପନାରାୟଣ ମିଶ୍ରଙ୍କ ସମ୍ପାଦିତ ‘ବ୍ରାହ୍ମଣ’ ୧୮୮୩ରେ ମିର୍ଜାପୁରରୁ ପ୍ରକାଶିତ ‘ଆନନ୍ଦ କାଦମ୍ବିନୀ’ ଆଲିଗଡ଼ରୁ ପ୍ରକାଶିତ ‘ଭାରତବନ୍ଧୁ’ ଆର୍ଯ୍ୟସିଦ୍ଧାନ୍ତ ଆଇନ୍ ସୌଦାଗିରି ପ୍ରଭୃତିପତ୍ରପତ୍ରିକା ହିନ୍ଦୀ ସାହିତ୍ୟରେ ନୁବେରୁଟ୍ ଏବଂ ନବ ଆଂଶିକ ପ୍ରବର୍ତ୍ତନ କରିବାରେ ଦାୟୀ ହୋଇଥିଲା ।

 

ପଞ୍ଜାବୀ ସାହିତ୍ୟ ଯାହାର ପ୍ରାଚୀନତା ସଦରବ୍ୟାପୀ ନହେଁ ତାହା ମଧ୍ୟ ଏହି ପତ୍ରପତ୍ରିକା ପ୍ରକାଶନ ପ୍ରସ୍ତାବରେ ହିଁ ଆଧୁନିକ ରୂପ ପ୍ରାପ୍ତ ହେଲା । ସର୍ବଶେଷରେ ପଞ୍ଜାବୀ ଇଂରେଜମାନଙ୍କ ଶାସନାଧୀନ ହୋଇଥିଲା । ଏହା ୧୮୪୯ ମସିହାର ଘଟଣା । ୧୮୯୯ ମସିହାରେ ହିଁ ଡକ୍ଟର ଚରଣ ସିଂ “ଖାଲସା ସମାଚାର” ନାମକ ଏକ ସାପ୍ତାହିକ ସମ୍ପାଦନା କରିଥିଲେ । ଏହାପରେ ତାଙ୍କର ସୁଯୋଗ୍ୟପୁତ୍ର ଭାଇ ବୀରସିଂ ପତ୍ରିକାର ସମ୍ପାଦନା-ଦାୟିତ୍ୱ ଗ୍ରହଣ କଲେ । ଆଧୁନିକ ପଞ୍ଜାବୀ ସାହିତ୍ୟର ବହୁ ବିଶିଷ୍ଟ କବି ଗାଳ୍ପିକ ଏବଂ ପ୍ରାବନ୍ଧିକ ଯଥା ପୁରଣ ସିଂ, ଧନୀରାମ ଛତ୍ରିକ୍ ତ୍ରିପସାଗର ପ୍ରଭୃତିଙ୍କର ରଚନାସମୂହ ଏହି ପତ୍ରିକାରେ ସେତେବେଳେ ମୁଦ୍ରିତ ହୋଇଥିଲା । ଭାଇ ବୀରସିଂ ଯେ କି ଆଧୁନିକ ପଞ୍ଜାବୀ ସାହିତ୍ୟର ପ୍ରତିଷ୍ଠାତା । ତାଙ୍କର ଉପାଦେୟ ରଚନା ପରି ଧାରାବାହିକ ଭାବରେ ଏହି ପତ୍ରିକାରେ ପ୍ରକାଶିତ ହେଉଥିଲା । ବିଂଶ ଶତାବ୍ଦୀର ପ୍ରଥମ ପାଦ ପଞ୍ଜାବୀ ରାଜନୀତିକ ଜୀବନରେ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ; କାରଣ ଘଡ଼ର ଆନ୍ଦୋଳନ ଏବଂ ଅକାଳୀ ଆନ୍ଦୋଳନ ପଞ୍ଜାବୀ ସାହିତ୍ୟରେ ପ୍ରଭାବ ପକାଇଥିଲା । ବହୁ ପତ୍ର-ପତ୍ରିକାର ଉତ୍ପତ୍ତିର କାରଣ ରାଜନୀତିକ ହେଲେହେଁ କ୍ରମଶ୍ୟ ସେମାନେ ସାହିତ୍ୟିକତ୍ର ପ୍ରୟୋଜନ ପ୍ରତି ଧ୍ୟାନ ଦେଲେ । ୧୯୨୩ ଏବଂ ୧୯୨୪ରେ ଯଥାକ୍ରମେ ପ୍ରକାଶିତ ମାସିକ “ପ୍ରୀତମ୍” ଏବଂ “ଫୁଲୱାରୀ’’ ନାମ ଏଠାରେ ଉଲ୍ଲେଖଯୋଗ୍ୟ । ୧୯୨୬ରେ ପଞ୍ଜାବୀ ଭାଷାରେ ପ୍ରଥମ ସ୍ତରୀୟ ମାସିକପତ୍ର “ମଉଜୀ” ଆତ୍ମପ୍ରକାଶ କଲା ।

 

୧୮୧୮ରେ ଗୁଜୁରାଟ ବ୍ରିଟିଶମାନଙ୍କଦ୍ଵାରା ଅଧିକୃତ ହେଲା । ଊନବିଂଶ ଶତାବ୍ଦୀରେ ଗୁଜୁରାଟୀ ଭାଷାରେ ଉଲ୍ଲେଖଯୋଗ୍ୟ ପତ୍ର-ପତ୍ରିକାର ଆବିର୍ଭାବ ହୋଇଥିଲା । ଦଳପତରାମ କବି (୧୮୨୦-୧୮୯୮) ଔପନ୍ୟାସିକ ନର୍ମଦଶଙ୍କର (୧୮୩୩-୧୮୮୬) ଏବଂ ନନ୍ଦଶଙ୍କର (୧୮୩୫-୧୯୦୫) ପ୍ରଭୃତିଙ୍କର ଉଦ୍ୟମ ଏହି ପ୍ରସଙ୍ଗରେ ସ୍ମରଣୀୟ । ମରାଠା ସାହିତ୍ୟରେ ସେହିପରି ଶକ୍ତିଶାଳୀ ସଦ୍ୟସ୍ରଷ୍ଟା ଚିପୁଲଙ୍କ ପ୍ରଚେଷ୍ଟାରେ ପ୍ରକାଶିତ ‘ନିବନ୍ଧମାଳା ସାହିତ୍ୟିକମାନଙ୍କ ମଧ୍ୟରେ ଆନ୍ଦୋଳନ ସୃଷ୍ଟି କରିଥିଲା । ୧୮୪୦ରେ ପ୍ରକାଶିତ ‘ଦର୍ପଣ’ ଓ ଦିଗଦର୍ଶନ ଏବଂ ଏହାପରେ ପ୍ରକାଶିତ ‘ପ୍ରଭାକର’ ଓ ‘କୀନ୍ ଚଦ୍ରୋଦୟ’ ପତ୍ରିକା ମରାଠୀ ଭାଷା ତଥା ସାହିତ୍ୟରେ ଯୁଗୀୟ ଚେତନାର ବାହକ ଥିଲା । ହିନ୍ଦୀ ସାହିତ୍ୟରେ ଭରତେନ୍ଦୁ ହରିଶ୍ଚନ୍ଦ୍ରଙ୍କ ଯୁଗରେ ହିଁ ପତ୍ରପତ୍ରିକା ଆତ୍ମପ୍ରକାଶ କରିଥିଲା । ସେଥିପାଇଁ ଭରତେନ୍ଦୁ ହରିଶ୍ଚନ୍ଦ୍ରଙ୍କ ସମୟରେ ସାହିତ୍ୟ ସୃଷ୍ଟିକୁ ଗଦ୍ୟ ପ୍ରବାହିତ ଯୁଗନାମରେ ଅଭିହିତ କରାଯାଏ । ଭରତେନ୍ଦୁ ନିଜେହିଁ ଏକାଧିକ ହିନ୍ଦୀ ପତ୍ରପତ୍ରିକାର ସମ୍ପାଦନା କରିଥିଲେ । ତାମିଲ୍ ସାହିତ୍ୟ ମଧ୍ୟ ଊନବିଂଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ ପତ୍ରପତ୍ରିକାର ଆବଶ୍ୟକତା ପ୍ରତି ସଚେତନ ହୋଇଥିଲା ।

 

ପୂର୍ବୋକ୍ତ ଭାରତୀୟ ଭାଷାମାନଙ୍କରେ ଊନବିଂଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ ପ୍ରକାଶିତ ପତ୍ରପତ୍ରିକାର ପୃଷ୍ଠଭୂମିରେ ଓଡ଼ିଆ ପତ୍ରପତ୍ରିକା ଅନୁଶୀଳନ କଲେ ଜଣାଯାଏ ଯେ ଓଡ଼ିଶାର ସାମାଜିକ, ଅର୍ଥନୀତିକ ଏବଂ ରାଜନୀତିକ ଅଭ୍ୟୁତ୍‍ଥାନ ତଥା ସାଧାରଣ ଜୀବନର ମାନ-ପରିବର୍ତ୍ତନ ଉଦ୍ଦେଶ୍ୟରେ ହି ଏହି ପତ୍ର-ପତ୍ରିକା ସାହିତ୍ୟର ସୂତ୍ରପାତ ହୋଇଥିଲା । ଓଡ଼ିଆ ଭାଷାରେ ପ୍ରଥମ ପତ୍ରିକା କେଉଁଟି ଏବଂ ପ୍ରଥମ ମୁଦ୍ରିତ ପତ୍ରିକାର ଗୌରବ କାହାର ପ୍ରାପ୍ୟ ।

 

ଓଡ଼ିଆରେ ଛାପାଖାନା ଅର୍ଥାତ୍ ମୁଦ୍ରାଯନ୍ତ୍ର-ପ୍ରତିଷ୍ଠା-ଗୌରବ ନିଶ୍ଚୟ ଖ୍ରୀଷ୍ଟିୟାନ୍ ପାଦ୍ରୀମାନଙ୍କର ପ୍ରାପ୍ୟ । ୧୮୩୭ ମସିହାରେ ହିଁ ପ୍ରଥମଥର ପାଇଁ ଓଡ଼ିଶାରେ ଛାପାଖାନା-ପ୍ରତିଷ୍ଠା ସମ୍ଭବ ହେଲା । ତାହା ହେଉଛି ମିସନ ପ୍ରେସ । ଶ୍ରୀରାମପୁରସ୍ଥିତ ଖ୍ରୀଷ୍ଟିଆନ୍ ପାଦ୍ରୀମାନଙ୍କର ବିଶେଷତଃ ନିଷ୍ଠାପର, ପ୍ରାଚ୍ୟ ଶାସ୍ତ୍ର-ସଂସ୍କୃତିବେତ୍ତା ଉଇଲିୟମ୍ କେରୀ ଏବଂ ତାଙ୍କର ବିଶ୍ୱସ୍ତ ସହକର୍ମୀମାନଙ୍କର ଯତ୍ନରେ ହିଁ କଟକକୁ ମୁଦ୍ରାଯନ୍ତ୍ର ଗୋଟିଏ ଅଣାଯାଇଥିଲା । ଏହି ସ୍ମରଣୀୟ ଘଟଣାର ଏକମାତ୍ର ଲକ୍ଷ୍ୟ ଥିଲା ଖ୍ରୀଷ୍ଟଧର୍ମସଂକ୍ରାନ୍ତୀୟ ତଥ୍ୟ-ପ୍ରଚାର ଏବଂ ଭାରତରେ ଆଧୁନିକ ଜ୍ଞାନ-ବିଜ୍ଞାନ-ପ୍ରଚାର ଦେଶରେ ଜାଗ୍ରତ ଯୁବଶକ୍ତିର ମୁଖ୍ୟ ମାଧ୍ୟମ ହୋଇଥିଲା ତଦାନୀନ୍ତନ ପତ୍ରପତ୍ରିକା ।

 

ଖୋଦ୍ ମିସ୍‍ନାରୀମାନଙ୍କ ପ୍ରଗାଢ଼ ଉଦ୍ୟମଯୋଗୁଁ ଜ୍ଞାନାରୁଣ (ମାସିକ) ପ୍ରବୋଧ ଚନ୍ଦ୍ରିକା ଏବଂ ଅରୁଣୋଦୟ ପ୍ରଭୃତି ପତ୍ରିକା ଆତ୍ମପ୍ରକାଶ କରିଥିଲା । ଏ ସବୁର ପ୍ରକାଶନ କାଳ ଯଥାକ୍ରମେ ୧୮୪୯, ୧୮୫୭ ଏବଂ ୧୮୬୧ ମସିହା । ପ୍ରଥମଟିର ସମ୍ପାଦକ ଥିଲେ ପାଦ୍ରୀ ସି: ଲେସି । ମିସ୍‌ନାରୀ ପରିଚାଳିତ ଏହି ସବୁ ପତ୍ରିକାସମୂହର ଲକ୍ଷ୍ୟ, ବ୍ୟାପ୍ତି ଏବଂ କାର୍ଯ୍ୟକାଳ ନିର୍ଦ୍ଦିଷ୍ଟ ଏବଂ ସୀମିତ ହେଲେ ହେଁ ପରବର୍ତ୍ତୀ କାଳରେ ଓଡ଼ିଆ ପତ୍ର-ପତ୍ରିକାର ପରିମାଣାତ୍ମକ ଅଭିବୃଦ୍ଧି ପାଇଁ ଯଥେଷ୍ଟ ପ୍ରେରଣା ସୃଷ୍ଟି କରିଥିଲା । ପୁନଶ୍ଚ ତଦାନୀନ୍ତନ ଗଭର୍ଣ୍ଣମେଣ୍ଟଙ୍କ କାର୍ଯ୍ୟାବଳୀର ପ୍ରଚାରପାଇଁ ସରକାରୀ ଗେଜେଟ୍ ମଧ୍ୟ ୧୮୫୦ ପରେ ପ୍ରକାଶିତ ହୋଇଥିଲା ।

 

ମିନାରୀମାନଙ୍କ ପ୍ରଯୋଜିତ ପତ୍ରିକା ବ୍ୟତୀତ ଓଡ଼ିଆ ଭାଷାରେ ହସ୍ତଲେଖା ଆକାରରେ ଖଣ୍ଡେ ଅଧେ ପତ୍ରିକା ପ୍ରକାଶିତ ହୋଇଥିବା ଜଣାଯାଏ । କଟକ ଜିଲ୍ଲା କୁଜୀବର ଗ୍ରାମରେ ସାଧୁସୁନ୍ଦର ଦାସ ଅବସ୍ଥାନ କରୁଥିଲେ । ସେହି ସାଧୁସୁନ୍ଦର ଦାସ ଧର୍ମ-ସମାଜଶୀର୍ଷକ ସମସ୍ୟାମାନ ଆଲୋଚନା କରି ଏକ ହାତଲେଖା ପତ୍ରିକା ପ୍ରକାଶ କରୁଥିଲେ, ତାହାର ନାମ ଥିଲା ‘କୁଜୀବରପତ୍ର’ । ଏହା ପ୍ରାୟ ମରହଟ୍ଟାମାନଙ୍କ ଅମଳର କଥା । ଏହି ‘କୁଜୀବର ପତ୍ର’ ସେତେବେଳେ ସମସାମୟିକ ସମସ୍ୟା ଆଲୋଚନା କରି ଦେଶରେ ଗୋଟିଏ ଚାଞ୍ଚଲ୍ୟ ସୃଷ୍ଟି କରୁଥିଲା । ଖ୍ରୀଷ୍ଟିୟାନ୍ ପାଦ୍ରୀମାନେ ସେମାନଙ୍କ ନଥିପତ୍ରରେ ଏହି ‘କୁଜୀବର ପତ୍ର’ର ଉଲ୍ଲେଖ କରିଥିବା ଜଣାଯାଏ । ମୁଦ୍ରାଯନ୍ତ୍ର ଯେତେବେଳେ କଟକରେ ସ୍ଥାପିତ ହୋଇ ନଥିଲା ସେତେବେଳେ ମହନ୍ତ ସାଧୁସୁନ୍ଦର ଦାସଙ୍କର ଏହି ପ୍ରଚେଷ୍ଟା ନିଶ୍ଚୟ ଅଭିନନ୍ଦନୀୟ ହୋଇଥିବ ।

 

କିନ୍ତୁ ଓଡ଼ିଆ ପ୍ରଥମ ମୁଦ୍ରିତ ସମ୍ବାଦପତ୍ର କେଉଁଟି ? ମିସ୍‍ନାରୀମାନଙ୍କୁ ଛାଡ଼ିଦେଲେ ଓଡ଼ିଶାରେ କେଉଁମାନେ ପତ୍ର-ପତ୍ରିକା ସମ୍ପାଦନାରେ ନେତୃତ୍ୱ ଗ୍ରହଣ କରିଥିଲେ ? ଯେ କୌଣସି ପତ୍ରପତ୍ରିକାର ଆବିର୍ଭାବ ଦେଶର ସମସାମୟିକ ପରିବେଷ୍ଟନୀ ତଥା ସମସ୍ୟା ଉପରେ ନିର୍ଭର କରିଥାଏ । ଉତ୍କଳର ଜାତୀୟ ଜୀବନରେ ୧୮୬୦ ବେଳକୁ କ୍ରମଶଃ ନବ ନବ ଜାଗରଣ ସଂଘଟିତ ହୋଇ ଆସୁଥିଲେ ମଧ୍ୟ ୧୮୬୫ର ନଅଙ୍କ ଦୁର୍ଭିକ୍ଷ ସେହି ଜାଗରଣର କଣ୍ଠ ରୋଧ କରି ଦେଇଥିଲା । ସେହି ଦୁର୍ଭିକ୍ଷର ଲୋମହର୍ଷଣକାରୀ କାହାଣୀ ସେତେବେଳେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ କେବଳ ଭୟ ଏବଂ କାରୁଣ୍ୟ ସୃଷ୍ଟି କରିଥିଲା । ନଅଙ୍କ ଦୁର୍ଭିକ୍ଷ ଯେ ଓଡ଼ିଶାର ଏକ ଜାତୀୟ ମରଣମୁଖୀ ଆତଙ୍କ ଏଥିରେ କାହାର ମତଦ୍ୱୈଧ ନଥିଲା । * ଏହି ସଙ୍କଟାପନ୍ନ ଅବସ୍ଥାରେ ସ୍ଥାନୀୟ ଦେଶହିତୈଷୀଙ୍କ ପ୍ରାଣରେ ଆଘାତ ଲାଗିଥିଲା । ଫଳରେ ଜାତୀୟ ଭାବାପନ୍ନ ବ୍ୟକ୍ତିତ୍ୱର ଉନ୍ମେଷ ଘଟିଥିବ । ଏହିପରି ଏକ ଜାତୀୟ ପ୍ରୟୋଜନ ଏବଂ ସାମାଜିକ ସହାନୁଭୂତିର ପରିଣତି ହେଉଛି ଉତ୍କଳ ଭାଷାରେ କର୍ମଯୋଗୀ ଗୌରୀଶଙ୍କରଙ୍କର ସମ୍ପାଦନାରେ ମୁଦ୍ରିତ ପ୍ରଥମ ଓଡ଼ିଆ ସମ୍ବାଦପତ୍ର ‘ଉତ୍କଳଦୀପିକା’ । ‘ଦୀପିକା’ର ଆବିର୍ଭାବ କାଳ ହେଉଛି ୧୮୬୬ ମସିହା ଅଗଷ୍ଟ ମାସ ଏବଂ ପ୍ରତିଷ୍ଠାତା ସମ୍ପାଦକ ହେଉଛନ୍ତି ବରେଣ୍ୟ ଗୌରୀଶଙ୍କର ରାୟ (୧୮୩୮-୧୯୧୭) । ଓଡ଼ିଶାର ସାମାଜିକ ତଥା ଅର୍ଥନୀତିକ ଦୁର୍ଗତି ଏବଂ ନଅଙ୍କ ଦୁର୍ଭିକ୍ଷଜନିତ ଶୋଚନୀୟ କରାଳ ଭୂମିକାରେ ହିଁ ଓଡ଼ିଶାର ପ୍ରଥମ ସମ୍ବାଦପତ୍ରର ଆବିର୍ଭାବ । ଓଡ଼ିଶାର ସେହି ସର୍ବଗ୍ରାସୀ କରାଳ ଦୁର୍ଭିକ୍ଷର ବିଷମ ଫଳାଫଳର ମୂଳୋତ୍ପାଟନ, ସରକାରଙ୍କ ନିଷ୍କ୍ରିୟତା ବିରୋଧରେ ସଜାଗ ଜନମତ ସୃଷ୍ଟି । ସାମାଜିକ ତଥା ରାଜନୀତିକ କ୍ଷେତ୍ରରେ ବୁଦ୍ଧିଜୀବୀମାନଙ୍କର ସକ୍ରିୟ ଅଂଶଗ୍ରହଣ ଓଡ଼ିଆ ଭାଷାର ସ୍ଵାତନ୍ତ୍ର୍ୟ-ରକ୍ଷାଆନ୍ଦୋଳନ ଏବଂ ଓଡ଼ିଆ ଭାଷାର ସ୍ୱତ୍ଵରକ୍ଷା ସେହି ମହତ୍ ଲକ୍ଷ୍ୟ ସାଧନାର୍ଥେ ଓଡ଼ିଆ ଛାପାଖାନାର ପ୍ରତିଷ୍ଠା । ଉଚ୍ଚକୋଟିର ପୁସ୍ତକର ଉତ୍କଳାନୁବାଦ । ଏହିପରି ବିବିଧ ଜନକଲ୍ୟାଣଦ୍ଵାରା ‘ଉତ୍କଳ ଦୀପିକା’ର ଜନ୍ମ, ଶୈଶବ ତଥା ଯୌବନ କର୍ମମୁଖରିତ ହୋଇଥିଲା । ସମ୍ବାଦ ପରିବେଷଣ ବ୍ୟତୀତ ଓଡ଼ିଆ ଭାଷା ଏବଂ ସାହିତ୍ୟ-ଚର୍ଜା ଥିଲା ‘ଉତ୍କଳ ଦୀପିକା’ର ମୁଖ୍ୟ ଭୂମିକା, କେବଳ ଏତିକିରେ ‘ଉତ୍କଳଦୀପିକା’ର କର୍ତ୍ତବ୍ୟ ଶେଷ ହୋଇନଥିଲା । ୧୮୬୬ ମସିହା ପରବର୍ତ୍ତୀ କାଳରେ ଓଡ଼ିଆଭାଷାରେ ଯେତେ ପତ୍ରପତ୍ରିକା ପ୍ରକାଶିତ ହେଲା ସେ ସବୁର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ପ୍ରେରଣାଦାତା ହେଉଛି ‘ଦୀପିକା’ ? ଏହି ‘ଦିପିକା’ର ଆନ୍ଦୋଳନ ଏବଂ ବିଭିନ୍ନ କର୍ମପନ୍ଥା ସହିତ ଯେଉଁ କେତେଜଣ ସ୍ୱନାମଧନ୍ୟ କବିପୁରୁଷ ନିଜ-ନିଜକୁ ଜଡ଼ିତ କରାଇଥିଲେ ସେହି ଯୁବକମାନଙ୍କ ମଧ୍ୟରେ ବିଛନ୍ଦ ପଟ୍ଟନାୟକ (୧୮୩୯) ବିଚିତ୍ରାନନ୍ଦ ଦାସ (କଣ୍ଟାପଡ଼ା ୧୮୨୭) ଜଗମୋହନ ଲାଲ ।

 

ପ୍ୟାରୀମୋହନ ଆଚାର୍ଯ୍ୟ (୧୮୫୧) ଗୋବିନ୍ଦ ରଥ (୧୮୪୮) ମଧୁସୂଦନ ଦାସ (୧୮୪୮) ଫକୀରମୋହନ ସେନାପତି (୧୮୪୩-୧୯୧୮) ପ୍ରତିଭାକର ବିଦ୍ୟାରତ୍ନ, ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ (୧୮୩୩ ବାହିକା-ସମ୍ପାଦକ) ଦ୍ଵାରକାନାଥ ଚକ୍ରବର୍ତ୍ତୀ, କପିଳେଶ୍ଵର ବିଦ୍ୟାଭୂଷଣ (୧୮୩୪) ପ୍ରଭୃତିଙ୍କ ନାମ ସର୍ବାଗ୍ରେ ସ୍ମରଣୀୟ । ‘ଦୀପିକା’ର ସ୍ତମ୍ଭ ଯେବେ ଆଜି ଆଲୋଚନା କରାଯାଏ ତେବେ ସେଥିରେ ଓଡ଼ିଶାର ଷାଠିଏ ଏବଂ ସତୁରୀ ବର୍ଷର ସୁଦୂରପ୍ରସାରୀ ଇତିହାସ ସମ୍ପର୍କିତ ବହୁଳ ଉପାଦାନ ମିଳିଥାଏ । ନଅଙ୍କ ଦୁର୍ଭିକ୍ଷ, ଓଡ଼ିଶାରେ ଓଡ଼ିଆଭାଷା-ଆନ୍ଦୋଳନ, ଓଡ଼ିଶାରେ ରେଳବାଇ ପ୍ରସାର, ଓଡ଼ିଶାରେ ଉଚ୍ଚଶିକ୍ଷା ପ୍ରସାରାର୍ଥ କଲେଜ ସ୍ଥାପନ, ଆଇନ୍ ଶୃଙ୍ଖଳା ଶାସନ ସ୍ଥାପନ, ଏସବୁ ‘ଦୀପିକା’ର ନିର୍ଭୀକ ସମ୍ପାଦକୀୟ ସଂଗ୍ରାମର ପରିଣତି ସିନା । ପ୍ରଥମେ ଗୌରୀଶଙ୍କର ପରେ ରାୟ ବାହାଦୁର ସୁଦାମଚରଣ ନାୟକ ଏବଂ ନୀଳମଣି ବିଦ୍ୟାରତ୍ନ, ଲୋକନାଥ ଦାସ, ପ୍ୟାରୀଶଙ୍କର ରାୟ ପ୍ରଭୃତି ରଥୀ ‘ଦୀପିକା’ର ସମ୍ପାଦନା ଭାର ବିଭିନ୍ନ କାଳରେ ଗ୍ରହଣ କରିଥିଲେ । ଓଡ଼ିଶାରେ ସମ୍ବାଦପତ୍ରର ସର୍ବପ୍ରଥମ ବାର୍ତ୍ତାବହ ଅଗ୍ରଦୂତ ହେଉଛି ‘ଦୀପିକା’ ଏବଂ ଦୀପକା ଯଥାର୍ଥରେ ସାପ୍ତାହିକ ସମ୍ବାଦପତ୍ର’ର ପୂର୍ବ ସୂରି, ଦୀପିକା ଶେଷବେଳକୁ ଦୈନିକ ରୂପଗ୍ରହଣ କରିଥିଲା, ତାହାମାତ୍ର ସ୍ଥାୟୀ ହୋଇନଥିଲା । ‘ଦୀପିକା’ ଜନମତ ସୃଷ୍ଟି କରିଥିଲେ, ଇକମ ଟିକସ, ଅବକାରୀ ଟିକସ, ଲବଣକର, ପଥିକର, ଶିକ୍ଷାକର, ଏସବୁ ସରକାରୀ ବ୍ୟବସ୍ଥା ପ୍ରତି ସରକାରଙ୍କର ଦୃଷ୍ଟି ଆକର୍ଷଣ କରୁଥିଲେ । ଦୀପିକାର ସମ୍ପାଦକୀୟ ଅତ୍ୟନ୍ତ ସମ୍ଭାବନାପୂର୍ଣ୍ଣ । ଓଡ଼ିଶାରେ କେନାଲ ଖନନ, ଆବଶ୍ୟକୀୟ ସରକାରୀ ସାହାଯ୍ୟ ପ୍ରଦାନ, ପୁଲିସ୍‍ସଂସ୍ଥାର କାର୍ଯ୍ୟ, ଅମଲା ହାକିମମାନଙ୍କର ଅତ୍ୟାଚାର; ଏସବୁ ‘ଦୀପିକା’ରେ ସମାଲୋଚିତ ହେଉଥିଲା । ଦୈନନ୍ଦିନ ଶାସନ କାର୍ଯ୍ୟ ବ୍ୟତୀତ ଓଡ଼ିଆ ଭାଷା-ସାହିତ୍ୟ ଏବଂ ସଂସ୍କୃତିର ଯେପରି ସୁରକ୍ଷା ହେବ, ସେଥିପାଇଁ ଗୌରୀଶଙ୍କର ଆଜୀବନ ସମ୍ପାଦକୀୟ ସଂଗ୍ରାମରେ ଅବତୀର୍ଣ୍ଣ ହୋଇଥିଲେ । ବଙ୍ଗଳାର ପଣ୍ଡିତ ଡାକ୍ତର ରାଜେନ୍ଦ୍ରଲାଲ ମିତ୍ର ସେତେବେଳେ ଉତ୍କଳର ପ୍ରତ୍ନତତ୍ତ୍ୱ ସନ୍ଧାନ କାର୍ଯ୍ୟରେ ଓଡ଼ିଶାକୁ ଆସିଥିଲେ ଏବଂ ପୁରୀ, ଖଣ୍ଡଗିରି, କୋଣାର୍କ ପର୍ଯ୍ୟଟନ କରିସାରିବା ପରେ ସେ ଏଠାରେ ବହୁତଦିନ ଅବସ୍ଥାନ କରିଥିଲେ ଏବଂ ଇଂରେଜ-ଭାଷାଚର୍ଚ୍ଚା ତଥା ଅନୁଶୀଳନଲାଗି ସେ ଗୋଟିଏ ‘ଡିବେଟିଙ୍ଗ୍ ସୋସାଇଟ୍’ ନାମକ ସମିତିଟିଏ ସ୍ଥାପନ କରିଥିଲେ । ସେହି ସମିତିର କୌଣସି ଦିନବୈଠକରେ ଆଲୋଚନା ପ୍ରସଙ୍ଗରେ ରାଜେନ୍ଦ୍ରବାବୁ କହିଥିଲେ “ଉତ୍କଳ ଭାଷାକୁ ଉଠାଇ ଦେଇ ବଙ୍ଗଳା ଭାଷା ଚଳାଇଲେ ଭଲ ହେବ ।” ଏହି ଆଲୋଚନା ଏବଂ ମନ୍ତବ୍ୟ ପ୍ରଦାନ ଓଡ଼ିଆ ଭାଷାର ସମୂଳ ଉତ୍ପାଟନପାଇଁ ଉଦ୍ଦିଷ୍ଟ ହୋଇଥିଲା ସତ୍ୟ, ମାତ୍ର ଏହି ଆଲୋଚନା ପ୍ରଭାବରେ ଦେଶରେ ଓଡ଼ିଆ ଭାଷା ସପକ୍ଷରେ ଯେଉଁ ବ୍ୟାପକ ଆନ୍ଦୋଳନର ସୂତ୍ରପାତ ହେଲା ତାକୁ କେହି ଅଟକାଇ ପାରି ନଥିଲେ । ଆଉ ଏହି ଆନ୍ଦୋଳନର କର୍ଣ୍ଣଧାର ଏବଂ ସେନାପତି ଥିଲା ସାପ୍ତାହିକ ‘ଦୀପିକା’ ।

 

* ମହାତ୍ମା ସାଧୁସୁନ୍ଦର ଦାସ - କୃଷ୍ଣମୋହନ ସାହୁ

 

ଇଂରେଜମାନେ ଓଡ଼ିଶା ଦଖଲ କରିବା ପରେ ବିଶେଷତଃ ୧୮୩୦ରୁ ୧୮୫୦ ମସିହା ମଧ୍ୟରେ ଓଡ଼ିଶାର ଶିକ୍ଷା ଏବଂ ଭାଷାର ଯେଉଁ ଦୟନୀୟ ଅବସ୍ଥା * ତାହାରି ତୁଳନାରେ ଉତ୍କଳଦୀପିକା ପତ୍ରିକାର ଆନ୍ଦୋଳନ ଏବଂ ଲକ୍ଷ୍ୟରେ ବିଶେଷ ଯଥାର୍ଥତା ପରିଦୃଷ୍ଟ ହୁଏ । ୧୮୩୮ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ପାଠ ପଢ଼ିବାଲାଗି ସୁବିଧା ନ ଥିଲା ବୋଲି କହିଲେ ଚଳେ । ସୁନିୟନ୍ତ୍ରିତ ବିଦ୍ୟାଳୟର ପ୍ରଶ୍ନ ଉଠୁ ନ ଥିଲା । କେଉଁଠି କିମିତି ସରକାରୀ ସାହାଯ୍ୟରେ କିମ୍ବା ନର-ନାରୀମାନଙ୍କର ଚେଷ୍ଟାରେ ବିଦ୍ୟାଳୟ ପ୍ରତିଷ୍ଠିତ ହେଲେ ମଧ୍ୟ ଛାତ୍ରମାନଙ୍କ ଉପଯୋଗୀ ସେମିତି ପାଠ୍ୟପୁସ୍ତକ ନ ଥିଲା । ୧୮୬୮ ଖ୍ରୀଷ୍ଟାବ୍ଦରେ କଲିକତା ବିଶ୍ୱବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ୫୮ ଛାତ୍ରଙ୍କ ମଧ୍ୟରୁ ମାତ୍ର ୧୦ ଜଣ ଥିଲେ ଓଡ଼ିଆ ଛାତ୍ର । ୧୮୫୦ ପରେ ବିଶେଷତଃ ନଅଙ୍କ ଦୁର୍ଭିକ୍ଷ ପରେ କଟକ, ପୁରୀ, ବାଲେଶ୍ୱରକୁ କେନ୍ଦ୍ର କରି ଯେଉଁ ଆଧୁନିକ ଶିକ୍ଷା ଗଢ଼ି ଉଠିଲା ତାହାର ପ୍ରଥମ ପର୍ଯ୍ୟାୟର ହେତୁ ହେଲା ମିସ୍‍ନାରୀମାନଙ୍କ ଅକ୍ଳାନ୍ତ ପ୍ରଚେଷ୍ଟା। ଦ୍ୱିତୀୟ ପର୍ଯ୍ୟାୟର ପ୍ରେରଣା ହେଲା ସ୍ଥାନୀୟ ଅଧିବାସୀ ତଥା ପତ୍ରପତ୍ରିକାମାନଙ୍କର ଆନ୍ଦୋଳନ । ‘ଉତ୍କଳଦୀପିକା’ ଓଡ଼ିଶାର ପ୍ରାଣପ୍ରତିଷ୍ଠା ଦିଗରେ ଯଥେଷ୍ଟ ସାଧନା କରିଥିଲା ଏବଂ ତା’ର ଜୀବଦ୍ଦଶାରେ ଓଡ଼ିଶାର ସାଧାରଣ ଜୀବନକୁ ବରାବର ତରଙ୍ଗିତ କରିଥିଲା । ଦୀପିକା ସାମ୍ବାଦିକତା ବ୍ୟତୀତ ସାହିତ୍ୟ ଏବଂ ସଂସ୍କୃତିର ବିକାଶ ସାଧନ ମଧ୍ୟ ଦୀପିକାର ଲକ୍ଷ୍ୟ ଥିଲା । ୧୮୩୮ରୁ ପାର୍ସି ଭାଷା ଉଠିଯାଇ ଓଡ଼ିଆ ଭାଷା ବ୍ୟବହୃତ ହେଲା, ମାତ୍ର ସେହି ଭାଷାରେ ୧୮୬୫ ପର୍ଯ୍ୟନ୍ତ ଉଲ୍ଲେଖଯୋଗ୍ୟ ଧାରା ପରିଲକ୍ଷିତ ହୁଏ ନାହିଁ । ଯେଉଁ ଜାତି ଚାକୁଣ୍ଡାପତ୍ର, ଘାସ, ମଦରଙ୍ଗା, ସଜନାପତ୍ର, ସୁନୁସୁନିଆ ଶାଗ, ଖୁଦକୁଣ୍ଡାକୁ ସମ୍ବଳ କରି ୧୮୬୫ର କରାଳ ଦୁର୍ଭିକ୍ଷର ଅସହାୟ ଭାବରେ ସମ୍ମୁଖୀନ ହୋଇଥିଲା, ସେହି ଜାତିର କଣ୍ଠ ଘୋଷ ‘ଦୀପିକା’ ସ୍ତମ୍ଭରେ କିପରି ଗୁରୁଗମ୍ଭୀର ଭାବରେ ବିଘୋଷିତ ହେଲା । ୧୮୬୭ ମସିହାରେ ପାଇକବିଦ୍ରୋହର ଓଡ଼ିଆ ପାଇକ ଦୁର୍ଭିକ୍ଷର ଶିକାର ହେଲା । ମଣିଷ ମାଂସ ମଣିଷ ଖାଇଥିଲେ । ୧୮୬୮ ମସିହାରେ ‘ଓଡ଼ିଆ ଭାଷା’ ସ୍ୱତନ୍ତ୍ର ନୁହେଁ ସଙ୍କଟର ସମ୍ମୁଖୀନ ହୋଇଥିଲା । ସେହି ଭଗ୍ନପ୍ରାଣ ବିକଳାଙ୍ଗ ଜାତିକୁ ସତେ ପୁଣି କିଏ ଅଭୟ ବାଣୀ ଶୁଣାଇ ଉନ୍ନତି-ପଥରେ ଅଗ୍ରସର କରାଇଥିଲେ । ପୀଡ଼ିତ, ଦୁର୍ଭିକ୍ଷଗ୍ରସ୍ତ, ଅପମାନିତ ଜାତିର ଅସନ୍ତୋଷ-ବହ୍ନିର ପ୍ରଜ୍ୱଳିତ ଶିଖା କ’ଣ ‘ଉତ୍କଳଦୀପିକା’ ନୁହେଁ ? ଊନବିଂଶ ଶତକର ପ୍ରଥମ ତିନିଚାରି ପାଦରେ ଧର୍ମଭାବ ପ୍ରଣୋଦିତ ଖ୍ରୀଷ୍ଟିୟାନ୍ ନରନାରୀମାନେ, ପରେ ସାମ୍ରାଜ୍ୟଲିପ୍‍ସୁ କମ୍ପାନୀ ସରକାର ସେମାନଙ୍କର ସ୍ଵ ସ୍ଵ ସୁବିଧା ସକାଶେ ଯେଉଁ ଲୋକଦେଖାଣିଆ ସ୍ୱଳ୍ପମିଆଦି ଜନକଲ୍ୟାଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ତାହାର ପ୍ରକୃତ ରୂପରେଖ ସ୍ପଷ୍ଟ ହୋଇପାରିଥିଲା । ପରବର୍ତ୍ତୀକାଳରେ ଗୌରୀଶଙ୍କର ରାୟଙ୍କ ସଦୃଶ ସ୍ୱାଧୀନଚେତା ବ୍ୟକ୍ତିଗଣ ତାହାର ପୂର୍ଣ୍ଣ ସୁଯୋଗ ନେଇଥିଲେ । ପରିବର୍ତ୍ତିତ ସାମାଜିକ ପଟ୍ଟଭୂମିରେ ଅବଶ୍ୟ ବ୍ରାହ୍ମପ୍ରଚାରକଗଣ ଓଡ଼ିଶାର ଶିକ୍ଷା ତଥା ସାହିତ୍ୟ କ୍ଷେତ୍ରରେ କମ୍ ନେତୃତ୍ୱ ସୃଷ୍ଟିକରି ନଥିଲେ; କିନ୍ତୁ ଓଡ଼ିଶାର ସାଧାରଣ ଜୀବନରେ ଜନମତରେ ଆଜି ପ୍ରବର୍ତ୍ତକରୂପେ ଦୀପିକା ହିଁ ସ୍ମରଣୀୟା।

 

 

*ଆତ୍ମଜୀବନୀ - ଫକରୀ ମୋହନ ସେନାପତି

*Oriya D.D. Halder Vol-11

 

ନବଜୀବନ ପ୍ରବାହର ଅଗ୍ରଣୀ ହେଲେ ଦୀପିକାର ଲେଖକଗଣ ଏବଂ ସାମ୍ବାଦିକଗଣ । ୧୮୫୦ ମସିହାଠାରୁ ୧୮୬୫ ମଧ୍ୟରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ପୁରପଲ୍ଲୀରେ ସ୍ଥାପିତ କେତେଟା ଭର୍ଣ୍ଣାକୁଲର ବିଦ୍ୟାଳୟ ଯଥା – ଅନୁଗୋଳର କାଙ୍ଗୁଲା, ପୁରୁଣାଗଡ଼, ବଳରାମ ପ୍ରସାଦ, ପୋକତୁଙ୍ଗା, ବାଙ୍କିର ଚର୍ଚ୍ଚିକା, ସୁବର୍ଣ୍ଣପୁର, କଟକର କେନ୍ଦ୍ରାପଡ଼ା, ମହାସିଂହପୁର, ପୁରୀ ଜିଲ୍ଲାର ପିପିଲି, ଖୋର୍ଦ୍ଧା, ବେଗୁନିଆ ପ୍ରଭୃତି । ଏଥିରୁ କେଉଁ ଇସ୍କୁଲଟି ଖୋଦ ସରକାରଙ୍କ ଦ୍ଵାରା ପରିଚାଳିତ ଏବଂ କେଉଁଟି ମଧ୍ୟ କେବଳ ସରକାରୀ ସାହାଯ୍ୟପ୍ରାପ୍ତ । ଶିକ୍ଷା ପ୍ରସାର ଦିଗରେ ଏହା କଦାପି ସନ୍ତୋଷଜନକ ପଦକ୍ଷେପ ବୋଲି କୁହାଯାଇ ନ ପାରେ; କିନ୍ତୁ ଏହି ଶିକ୍ଷାଗତ ଅପୂର୍ଣ୍ଣତା ବିରୋଧରେ କ୍ରମଶଃ ଦୀପିକା ନୀରବ ଆନ୍ଦୋଳନ ଚଳାଇଥିଲା । ନଅଙ୍କ ଦୁର୍ଭିକ୍ଷ ଆଉ ଓଡ଼ିଶାର ଜାତୀୟତାର ପୁନଃ ପ୍ରତିଷ୍ଠା । ଏହାକୁ କେନ୍ଦ୍ର କରି ଦୀପିକା ବରାବର ସଂଗ୍ରାମ ଆରମ୍ଭ କରି ଦେଇଥିଲା । ଦୀପିକାର ପ୍ରଥମ ଦଶବର୍ଷର ଆଲୋଚନା ଅତି ତାତ୍ପର୍ଯ୍ୟପୂର୍ଣ୍ଣ ଏବଂ ତଦାନୀନ୍ତନ ଓଡ଼ିଶାର ପ୍ରକୃତ ଅବସ୍ଥା ଉପରେ ଆଲୋକପାତ କରିଥାଏ ।

 

କଟକ ପ୍ରିଣ୍ଟିଙ୍ଗ୍ ପ୍ରେସରୁ (୧୮୬୬) ସମ୍ବାଦପତ୍ର ପ୍ରକାଶନର ଆଶୁ ପ୍ରଭାବ ଏବଂ ପରିଣତି ହେଲା, ଓଡ଼ିଶାରେ କ୍ରମଶଃ ପତ୍ରିକା ସାହିତ୍ୟର ଆବିର୍ଭାବ ଏବଂ ସେ ଦିଗରେ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ ଯଥା, ମୁଦ୍ରାଯନ୍ତ୍ର-ପ୍ରତିଷ୍ଠା, ପାଠ୍ୟପୁସ୍ତକ-ପ୍ରକାଶନ । ‘ଦୀପିକା’ର ଭାଷାରେ ଯେଉଁ ଓଡ଼ିଆ ଭାଷାର ଅବସ୍ଥା ସେତେବେଳେ ତିନିଥେଣ୍ଟିଆ କାକୁଡ଼ିମଞ୍ଜି ସଦୃଶ * ସେହି ଓଡ଼ିଆ ଭାଷାରେ ଦ୍ୱିତୀୟ ମୁଦ୍ରିତ ପତ୍ରିକା ହେଲା ‘ବୋଧଦାୟିନୀ’ ଏବଂ ବାଲେଶ୍ୱର ସମ୍ବାଦବାହିକା (ଆରମ୍ଭ ୧୨୭୫ ସାଲ ଭାଦ୍ର ଅର୍ଥାତ୍ ୧୮୬୮ ଜୁଲାଇରୁ ୧୮୭୧ ଜୁମାସ ପର୍ଯ୍ୟନ୍ତ ଏହା ଥିଲା ମାସିକ), ଏହାପରେ ୧୮୭୧ ଜୁଲାଇରୁ ଏହାର ରୂପ ହେଲା ପାକ୍ଷିକ ଏବଂ ୧୮୭୮ ମସିହା ଜାନୁୟାରୀରୁ ଏହା ହେଲା ସାପ୍ତାହିକ । ଦୀପିକାର ମୁଦ୍ରାଯନ୍ତ୍ର ଥିଲା କଟକ ପ୍ରିଣ୍ଟିଙ୍ଗ୍ ପ୍ରେସ୍ । ଅବଶ୍ୟ ପ୍ରଥମେ ପ୍ରଥମେ ମୁଦ୍ରାଯନ୍ତ୍ର ଅଭାବରେ ଦୀପିକା ପ୍ରସ୍ତରଫଳକରେ ମସୀ* ସାହାଯ୍ୟରେ ପ୍ରସ୍ତୁତ ହେଉଥିଲା; କିନ୍ତୁ ସମ୍ବାଦବାହିକା ପ୍ରକାଶିତ ହେବା ବେଳକୁ ‘ଦୀପିକା’ର ଏ ଦେଶରେ ପରମ୍ପରା ଏବଂ ପତ୍ରିକାର ଉପଯୋଗୀ ଜନମତ ସୃଷ୍ଟି କରି ସାରିଥିଲା । ‘ଦୀପିକା’ର ଅଭିଜ୍ଞତା ସମ୍ଭବତଃ ‘ବାହିକା’ର ପାଥେୟ ହେବାର କଥା, ମାତ୍ର ବାସ୍ତବ ପରିସ୍ଥିତିରେ ତାହା ସମ୍ଭବ ହୋଇ ନ ଥିଲା । ‘ଦୀପିକା’ ସଦୃଶ ‘ବାହିକା’ର ମଧ୍ୟ ଥିଲା ନିର୍ଦ୍ଦିଷ୍ଟ ଆଦର୍ଶ ଏବଂ କର୍ମଯୋଜନା । ସେଥିପାଇଁ ସ୍ୱନାମଧନ୍ୟ ଫକୀରମୋହନ ସେନାପତି ୧୮୬୮ ମସିହାରେ ବାଲେଶ୍ୱରଠାରେ ‘ଉତ୍କଳ ପ୍ରିଣ୍ଟି କୋ’ ସ୍ଥାପନ କରିଥିଲେ । * ଦୀପିକା ୧୮୬୮ ବେଳକୁ ଉଭୟ ପାଠକ ଏବଂ ଲେଖକଗୋଷ୍ଠୀ ସୃଷ୍ଟି କରିସାରିଥିଲା । ‘ବାହିକା’ ଠିକ୍ ତାହାରି ଆଦର୍ଶରେ ଅନୁପ୍ରାଣିତ ହୋଇ ସଂଗ୍ରାମକ୍ଷେତ୍ରରେ ଅବତୀର୍ଣ୍ଣ ହେଲା ଏବଂ ସେଥିପାଇଁ ଆମ୍ଭେ ଦେଖୁଁ ଯେ ବାହିକାରେ ଫକୀରମୋହନଙ୍କର ପ୍ରଥମ କ୍ଷୁଦ୍ରଗଳ୍ପ ‘ଲଛମନିଆ’ ସ୍ଥାନ ପାଇଥିଲା । ଏହାର ପ୍ରବର୍ତ୍ତକ ଥିଲେ ସ୍ୱୟଂ ସେନାପତି ଏବଂ ସମ୍ପାଦନାଦାୟିତ୍ୱ ଗ୍ରହଣ କରିଥିଲେ ପାଠ୍ୟପୁସ୍ତକଲେଖକ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ । ‘ବାଲେଶ୍ୱରର ସମ୍ବାଦବାହିକା’ ସେହି ସମୟରେ ସାହିତ୍ୟିକମାନଙ୍କୁ ଚମକ୍‍ପ୍ରଦ ଉଦବୋଧନ ଦେଇ ଓଡ଼ିଆ ଭାଷା ଏବଂ ସାହିତ୍ୟର ଉନ୍ନତି ସାଧନପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲା । କଟକରେ ଦୀପିକା ଯେପରି ଉତ୍କଳରୁ ଉଜ୍ୱଳତର ହେଉଥିଲା, ବାଲେଶ୍ୱରରେ ସେହିପରି ବାହିକା ଅପୂର୍ବ ଶକ୍ତି ସାମର୍ଥ୍ୟମଣ୍ଡିତ ହୋଇ ଜନସାଧାରଣଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲା । ଉଭୟ ଯଥାକ୍ରମେ କଟକ ଏବଂ ବାଲେଶ୍ୱରର ଜନସାଧାରଣଙ୍କର ‘ମୁଖପତ୍ର’ ରୂପେ କାର୍ଯ୍ୟ କରୁଥିଲେ । ୧୮୭୦ ମସିହାରୁ ଆରମ୍ଭ ହୋଇଥିବା ଦେଶମିଶ୍ରଣ ଆନ୍ଦୋଳନ ଉଭୟ ଦୀପିକା ଏବଂ ବାହିକାରେ ପ୍ରଧାନସ୍ଥାନ ଲାଭ କରିଥିଲା । *

 

*ଉତ୍କଳ ଦୀପିକା ୧୮୬୯

 

ଓଡ଼ିଆ ପତ୍ରପତ୍ରିକାର ଆଦିଯୁଗରେ ଯଥାର୍ଥ ସାହିତ୍ୟ-ବାର୍ତ୍ତା ବହନ କରି ଆତ୍ମ ପ୍ରକାଶ କରିଥିଲେ କେତୋଟି ନିଚ୍ଛକ ସାହିତ୍ୟିକ ପତ୍ରିକା । ସେମାନଙ୍କ ମଧ୍ୟରେ ‘ଉତ୍କଳ ଦର୍ପଣ' ଏବଂ ଉତ୍କଳ ଯୁଗ ହିଁ ସର୍ବାଗ୍ରେ ସ୍ମରଣୀୟ । ଉତ୍କଳ ଦୀପିକାରେ ନବ ଆଗନ୍ତୁକ ପତ୍ର-ପତ୍ରିକମାନଙ୍କ ସମ୍ପର୍କରେ ବରାବର ସମ୍ବର୍ଦ୍ଧନାସୂଚକ ସମ୍ବାଦମାନ ପ୍ରକାଶ ପାଉଥିଲା । ଦୀପିକା ଫେବୃୟାରୀ ୨୭ ୬୯, ୨୦/୨/୬୯ ସଂଖ୍ୟାମାନଙ୍କରେ ଯଥାକ୍ରମେ ଇଂରାଜୀ ପତ୍ରିକା ‘କଟକ ଆର୍ଟିଷ୍ଟ (୧୮୬୯) ଏବଂ ଉତ୍କଳ ହିତୈଷିଣୀ (ଫେବୃୟାରୀ ୧୮୬୯) ପତ୍ରିକା ଦ୍ୱୟର ଆବିର୍ଭାବ ଘୋଷଣା କରାଯାଇଥିଲା । ଏହାପରେ କ୍ରମେ କ୍ରମେ କଟକ ଷ୍ଟାର (୧୮୬୯ ଫେବୃୟାରୀ) କଟକ ଷ୍ଟାଣ୍ଡାର୍ଡ (୧୮୬୯ ନଭେମ୍ବର) ଉତ୍କଳ ଶୁଭଙ୍କରୀ (୧୮୬୯ ନଭେମ୍ବର) ପତ୍ରିକା ଦେଖା ଦେଇ ପରେ ଅବଲୁପ୍ତ ହୋଇ ଯାଇଥିଲେ । କଟକ ତ୍ରନିକଲ (୧୮୭୧ ମାର୍ଚ୍ଚ) କଟକ ଆଗୁଆନୀ ପତ୍ରିକା ମଧ୍ୟ ବିଶେଷ ପ୍ରଭାବ ସୃଷ୍ଟି କରିପାରି ନଥିଲା ।

 

ସମ୍ବାଦବାହିକାର ଯେତେବେଳେ ବିକାଶନ * ୨ ପ୍ରକାଶିତ ହେଲା ଯେ ‘ଉତ୍କଳ ଦର୍ପଣ’ ବାଲେଶ୍ୱରରୁ ଆତ୍ମପ୍ରକାଶ କରୁଛି ସେତେବେଳେ ପତ୍ର-ପତ୍ରିକା-ଜଗତରେ ଗୋଟାଏ ଚାଞ୍ଚଲ୍ୟଖେଳି ଯାଇଥିଲା । ବାଲେଶ୍ୱରର ‘ଦେ’ ପ୍ରେସରୁ (୧୮୭୩ରେ ଜମିଦାର ବୈକୁଣ୍ଠନାଥ ଦେବଙ୍କ ଉଦ୍ୟମରେ ପ୍ରତିଷ୍ଠିତ) *୩ ମୁଦ୍ରିତ ‘ଉତ୍କଳଦର୍ପଣ’ ଜାନୁୟାରୀ ମାସରେ ଯେତେବେଳେ ଆତ୍ମପ୍ରକାଶ କଲା ସେତେବେଳେ କିଏ ଜାଣିଥିଲା ଯେ ତେର ବର୍ଷବ୍ୟାପୀ କାର୍ଯ୍ୟକାଳ ମଧ୍ୟରେ ‘ଉତ୍କଳଦର୍ପଣ ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରାଥମିକ ଗଠନ ସମୟରେ ଯଥାର୍ଥରେ ଦର୍ପଣର କାର୍ଯ୍ୟ କରିପାରିବ ? ଏହାର ତତ୍ତ୍ୱାବଧାରକ ଥିଲେ ବିଦ୍ୟୋତ୍ସାହି ସାହିତ୍ୟାନୁରାଗୀ ବୈକୁଣ୍ଠନାଥ ଦେ । ‘ଉତ୍କଳଦର୍ପଣ’ କବିବର ରାଧାନାଥ, ଭକ୍ତକବି ମଧୁସୂଦନ ରାଓଙ୍କର ରଚନାବଳୀ ପ୍ରକାଶ କରିଥିଲା । ରାଧାନାଥଙ୍କର ‘ମେଘଦୂତ’, ପବନ, ଇଟାଲୀୟ ଯୁବା ବିଦେଶୀ, କାଳୀଦାସ ପ୍ରଭୃତି ଲେଖା ‘ଉତ୍କଳଦର୍ପଣ’ ହିଁ ନିଜ ଅଙ୍କରେ ବହନ କରିଥିଲା । ଦର୍ପଣ ସମ୍ପର୍କରେ ପଣ୍ଡିତ ମୃତ୍ୟୁଞ୍ଜୟ ରଥଙ୍କର ମନ୍ତବ୍ୟ ଅତ୍ୟନ୍ତ ଉପାଦେୟ । *ପ୍ରଥମେ ମାସିକ ତା’ ପରେ ପାକ୍ଷିକ, ତା’ପରେ ସାପ୍ତାହିକ; ଶେଷରେ ୧୮୮୫ ଡିସେମ୍ବର ମାସରେ ଆର୍ଥିକ କ୍ଷତି ଯୋଗୁଁ ବନ୍ଦ ହୋଇଯିବା ‘ଦର୍ପଣ’ର ଏହାହିଁ ବିବରଣୀ । ଦର୍ପଣର ଆଲୋକରଶ୍ମୀ ବାଲେଶ୍ୱରରୁ ପ୍ରସାରିତ ହୋଇ କଟକରେ ବୁଦ୍ଧିଜୀବୀମାନଙ୍କୁ ଆଲୋକପ୍ଳାବିତ କରିଥିଲା । ବାଲେଶ୍ୱରରୁ ଦର୍ପଣ ପ୍ରକାଶିତ ହେବାର ଅବ୍ୟବହିତ ପରେ କଟକର ପ୍ରିଣ୍ଟି କମ୍ପାନୀ ପ୍ରେସରୁ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ସମ୍ପାଦନାରେ ‘ଉତ୍କଳପୁତ୍ର’ ପ୍ରକାଶିତ ହେଲା । ଦର୍ପଣ ଯେପରି କେତେଗୁଡ଼ିଏ ବିଶିଷ୍ଟ କବି ସାହିତ୍ୟିକ ସୃଷ୍ଟି କରିଥିଲା; ଉତ୍କଳପୁତ୍ର ସେହିପରି ଗୋବିନ୍ଦରଥ (୧୮୪୮-୧୯୧୮)ଙ୍କ ସଦୃଶ କେତେକ ଲେଖକଙ୍କୁ ଆଲୋକକୁ ଆଣି ପାରିଥିଲା । ବିଶେଷତଃ ୧୮୭୮ ଏପ୍ରିଲ ମାସରେ ଯେତେବେଳେ କଟକ ପ୍ରିଣ୍ଟିଙ୍ଗ୍ କମ୍ପାନୀରୁ କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କ ସମ୍ପାଦନାରେ ଉତ୍କଳଯୁଗ ପ୍ରକାଶିତ ହେଲା, ସେତେବେଳେ ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରକୃତ ଭିତ୍ତି ସ୍ଥାପିତ ହୋଇଥିଲା ବୋଲି ଜଣାଯାଏ । ଉତ୍କଳଦର୍ପଣ, ଉତ୍କଳହିତୈଷିଣୀ ଉତ୍କଳର ମୁଖପତ୍ର, ଉତ୍କଳମଧୁପ ଏବଂ ଉତ୍କଳପୁତ୍ର ପରବର୍ତ୍ତୀ କାଳର ସମୃଦ୍ଧି ରୂଚିପୂର୍ଣ୍ଣ, ସମ୍ବାଦ ଓ ସାହିତ୍ୟ ପତ୍ର ଯଥାସେବକ (୧୮୮୩) ପ୍ରଦୀପ (୧୮୮୫) ଶିକ୍ଷାବନ୍ଧୁ (୧୮୮୮) ନବସମ୍ବାଦ (୧୮୮୭) ଓଡ଼ିଆ (୧୮୮୭) ଓଡ଼ିଆ ଓ ନବସମ୍ବାଦ (୧୮୮୮) ଆଶା (୧୮୮୮) ଦୀପକ (୧୮୮୯) ଶେଷରେ ସମ୍ବଲପୁର-ହିତୈଷିଣୀ ( ୧୮୮୯ ରୁ ୧୯୨୩) ପ୍ରକାଶିତ ହେବାରେ ପ୍ରେରଣା ଦେଇଥିଲା । ଉପର୍ଯ୍ୟୁକ୍ତ ପତ୍ରପତ୍ରିକାମାନଙ୍କର ପରିମାଣାତ୍ମକ ଏବଂ ଗୁଣାତ୍ମକ ଏବଂ ଅଭିବୃଦ୍ଧି ବିଚାରରେ ଓଡ଼ିଆ ପତ୍ରପତ୍ରିକାର ପରବର୍ତ୍ତୀ ଅବସ୍ଥା ଯେ ଉନ୍ନତି ଆଡ଼କୁ ଗତି କରିଥିଲା ଏହା ସ୍ପଷ୍ଟ ପରିଲକ୍ଷିତ ହୁଏ । ପ୍ରାଚୀନ ଓ ନବୀନ ସାହିତ୍ୟର ବିଭିନ୍ନ ପର୍ଯ୍ୟାୟକୁ ନେଇ ପତ୍ରପତ୍ରିକା ମଧ୍ୟରେ ଯେଉଁ ସଂଘର୍ଷ ଦେଖାଦେଇଥିଲା ତାହାର ଅନୁଶୀଳନ ତଦାନୀନ୍ତନ ଓଡ଼ିଆ ସାହିତ୍ୟ-ବିକାଶଧାରାର ପ୍ରତୀକ । ୧୮୯୩ ଅଗଷ୍ଟ ମାସରେ ଇନ୍ଦ୍ରଧନୁର ଆତ୍ମପ୍ରକାଶ ଏବଂ ବିଜୁଳିର ଆବିର୍ଭାବ ୧୮୯୩ ମସିହା ସେପ୍ଟେମ୍ବର ମାସ । ଏମାନଙ୍କ ଆଗମନୀକୁ ଉତ୍କଳଦୀପିକା ବିଜ୍ଞାପିତ କରିଥିବାର ଜଣାଯାଏ * । ଇନ୍ଦ୍ରଧନୁ ଏବଂ ବିଜୁଳିର ବିବାଦ ଯେତେ ବ୍ୟକ୍ତିଗତ ଅଭିପ୍ରାୟ ଦ୍ୱାରା ପ୍ରଣୋଦିତ ହେଲେହେଁ ତାହା ପୁରାପୁରି ସାହିତ୍ୟିକ ମର୍ଯ୍ୟାଦା ସମନ୍ୱିତ । କଟକରୁ ପ୍ରକାଶିତ ଇନ୍ଦ୍ରଧନୁ ପ୍ରାଚୀନ ସାହିତ୍ୟ ପକ୍ଷପାତୀ ଥିଲେ ଏବଂ ବାମଣ୍ଡାରୁ ଦାଶରଥ ରାଉତଙ୍କ ସମ୍ପାଦନାରେ ପ୍ରକାଶିତ ବିଜୁଳି ଆଧୁନିକ ସାହିତ୍ୟର ସମର୍ଥକ ଥିଲେ । ପରମ୍ପରାର ସ୍ୱୀକାର ଏବଂ ପରମ୍ପରା ବିରୋଧରେ ବିଦ୍ରୋହ ଏହି ଦୁଇଟି ପତ୍ରିକାର ଯଥାକ୍ରମେ ଆଲୋଚନାର ଆଭିମୁଖ୍ୟ । ବସ୍ତୁତଃ ପତ୍ରିକା ଦ୍ୱୟର ବିବାଦ ଓଡ଼ିଆ ସାହିତ୍ୟରେ ଅଳ୍ପକ୍ଷଣପାଇଁ ଗୋଟାଏ ଚହଳ ପକାଇ ଦେଇଥିଲା । ପୁରାତନ ଓ ଆଧୁନିକ ସାହିତ୍ୟର ଉତ୍କର୍ଷ ଓ ଅପକର୍ଷକୁ କେନ୍ଦ୍ରକରି ଏହି ପତ୍ରିକା ଦୁଇଟିର ଆସ୍ଫାଳନ । ଅବଶ୍ୟ ଏହି ପତ୍ରିକାଦ୍ୱୟର ଆବିର୍ଭାବର ଆଉ ଏକ ଶକ୍ତିଶାଳୀ କାରଣ ହେଉଛି ମୟୂରଭଞ୍ଜରୁ ପ୍ରକାଶିତ ସାହିତ୍ୟିକ ପତ୍ରିକା ‘ଉତ୍କଳପ୍ରଭା’ (୧୮୯୧ ମସିହା ଏପ୍ରିଲ ମାସ) ଏବଂ ତା’ର ଅବ୍ୟବହିତ ପୂର୍ବରୁ ସମ୍ବଲପୁରରୁ ପ୍ରକାଶିତ ହିତୈଷିଣୀ (୧୮୮୯ ମେ ମାସ ୩୦ ତାରିଖ ଆଦ୍ୟ ସଂଖ୍ୟା) ବାମଣ୍ଡା, ଦେବଗଡ଼ ପ୍ରେସ୍ ସମ୍ପାଦକ ନୀଳମଣି ବିଦ୍ୟାରତ୍ନ ଏବଂ ଉତ୍କଳମଧୁପ (୧୮୭୮ ଏପ୍ରିଲ ପ୍ରାଚୀନ କାବ୍ୟ-ସମାଲୋଚନା, ମାସିକ ।) ଆଲୋଚନା ସାହିତ୍ୟର ବାଟ ଫିଟାଇ ସାରିଥିଲା । ସାହିତ୍ୟରେ କ୍ରମଶଃ ଦୁଇଗୋଟି ଆଲୋଚନା ଦଳ ଗଡ଼ି ଉଠୁଥିଲେ । ଗୋଟିଏ ଦଳ ପ୍ରାଚୀନ ସାହିତ୍ୟସମର୍ଥକ, ଅନ୍ୟ ଦଳଟି ପ୍ରବର୍ତ୍ତିତ ସାହିତ୍ୟିକ ସ୍ଵାତନ୍ତ୍ର୍ୟର ‘ପକ୍ଷପାତୀ’ ଥିଲେ । ଗୌରୀଶଙ୍କରଙ୍କ ଦୀପିକା ଏବଂ ପରେ ଇନ୍ଦ୍ରଧନୁ ପ୍ରାଚୀନ ସାହିତ୍ୟପାଇଁ ଅଣ୍ଟାଭିଡ଼ି ବାହାରିଲେ ଏବଂ ବାମଣ୍ଡାର ହିତୈଷିଣୀ ଓ ବିଜୁଳି, ରାଧାନାଥ ସୃଷ୍ଟ ନବୀନ ସାହିତ୍ୟର ତାରିଫ୍ କରୁଥିଲେ । ଓଡ଼ିଆ ସାହିତ୍ୟର ‘ଆଧୁନିକତାର’ ଯଜ୍ଞବେଦିରେ ହିତୈଷିଣୀ, ବିଜୁଳି ପ୍ରଭୃତିଙ୍କର ପୌରୋହିତ୍ୟ ବରାବର ସରଣୀୟ ରହିବ ।

 

* ସେନାପତିଙ୍କ ଆତ୍ମଜୀବନୀ

କର୍ମଯୋଗୀ ଗୌରୀଶଙ୍କର - ପଣ୍ଡିତ ମୃତ୍ୟୁଞ୍ଜୟ ରଥ

* ୧ ଦୀପିକା ୧୮/୧୦/୭୩ ଏବଂ ୨୨/୧୦/୭୦, ୧୩/୩୬୯ ।

* ୨ ୨୮/୧୦/୭୧ ବାହିକା

* ୩ ନଭେମ୍ବର ୧୮୭୨ ବାହିକା

* ୪ ଉନବିଂଶ ଶତାବ୍ଦୀରେ ଉତ୍କଳର ପତ୍ରପତ୍ରିକା

* ୧୯୮/୯୩ ଏବଂ ୧୬୯ ୧୮୯୩ ସଂଖ୍ୟା।

 

ପୁନଶ୍ଚ ୧୮୬୮ରୁ ୧୮୮୦ ମଧ୍ୟରେ ଦୀପିକା ଦିନେ ଯେପରି ଓଡ଼ିଆ ଭାଷାର ସ୍ୱାସ୍ଥ୍ୟ ପ୍ରତିପାଦନପାଇଁ ଏକ ସଂଗ୍ରାମ ଆରମ୍ଭ କରିଥିଲା । ଓଡ଼ିଶାଭିତରେ ଏବଂ ବାହାରେ ଅନୁକୁଳ ଜନମତ ସୃଷ୍ଟି କରିଥିଲା, ଠିକ୍ ସେହିପରି ଦେଶମିଶ୍ରଣ ସପକ୍ଷରେ ଦୀର୍ଘ ୧୦ ବର୍ଷ କାଳ ସମ୍ବଲପୁର ହିତୈଷିଣୀ ସଂଗ୍ରାମ କରିଥିଲା । ଓଡ଼ିଶାର ଜାତୀୟ ଜୀବନରେ ସାହିତ୍ୟିକ ସୃଷ୍ଟି ଏବଂ ବିକାଶ ସାଧନ ବ୍ୟତୀତ ଏହି ମୁଖ୍ୟ ପତ୍ରିକାଦ୍ୱୟ କମ୍ ଚେତନା ଏବଂ ଚାଞ୍ଚଲ୍ୟ ସୃଷ୍ଟି କରି ନ ଥିଲେ-

 

ଊନବିଂଶ ଶତାବ୍ଦୀରେ ‘ଉତ୍କଳସାହିତ୍ୟ (୧୮୯୭) ଏବଂ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ମୁକୁର (୧୯୦୫) ପ୍ରକାଶିତ ହେବା ପର୍ଯ୍ୟନ୍ତ ୧୮୬୬ ମସିହାଠାରୁ ୧୮୯୫ ପର୍ଯ୍ୟନ୍ତ ଏହି ଦୀର୍ଘ ସମୟ ଓଡ଼ିଆ ପତ୍ରପତ୍ରିକା ସାହିତ୍ୟରେ ଆଦିଯୁଗବୋଲି ଅଭିହିତ ହୋଇପାରେ । ଏହି ଆଦିଯୁଗରେ ନୂଆ ନୂଆ ଲେଖକ-ସୃଷ୍ଟି, ଭାଷା, ସଂସ୍କୃତି ସାହିତ୍ୟଶୀର୍ଷକ ଆନ୍ଦୋଳନ ଏବଂ ସର୍ବୋପରି ଉତ୍କଳର ରାଜନୀତିକ ଜୀବନରେ ତରଙ୍ଗ ସୃଷ୍ଟି କରିବା ଏହି ଗୌଣ ଏବଂ ମୁଖ୍ୟ ପତ୍ରିକାମାନଙ୍କର ଲକ୍ଷ୍ୟ ଥିଲା । ଏହି ଆଦିଯୁଗ ପାଠ୍ୟପୁସ୍ତକ ରଚନା, ଅନୁବାଦ ଉଚ୍ଚକୋଟୀର ମୌଳିକ ସୃଷ୍ଟିସମ୍ପନ୍ନ କାବ୍ୟକବିତାଦ୍ଵାରା ଚିହ୍ନିତ ଏବଂ ଉଜ୍ୱଳ । ଗୌରୀଶଙ୍କର, ନୀଳମଣି ଗୋବିନ୍ଦଚନ୍ଦ୍ର ପଟ୍ଟନାୟକ, ରାଧାନାଥ ଫକୀରମୋହନ, ସୁତିକଦେବ, ଗଙ୍ଗାଧର, ନନ୍ଦକିଶୋର ପ୍ରଭୃତି ସାହିତ୍ୟରଥୀ ଏହି ଆଦିଯୁଗର ଯଥାକ୍ରମେ ମୌଳିକ ସ୍ରଷ୍ଟା ଏବଂ ନିର୍ମାତା ସମ୍ପାଦକ ବୋଲି କୁହାଯାଇପାରେ । ଏହିମାନଙ୍କ କର୍ମସାଧନା ଓ ପ୍ରେରଣା ଉପରେ ହିଁ ୧୯୦୩ ଡିସେମ୍ବର ମାସ ୩୦ ତାରିଖରେ ଉତ୍କଳସମ୍ମିଳନୀ ପରି ଜାତୀୟ ଅନୁଷ୍ଠାନର ଭିତ୍ତି ସ୍ଥାପିତ ହୋଇଥିଲା ।

 

ଆଧୁନିକ ଭାରତୀୟ ଭାଷାର ପତ୍ରପତ୍ରିକା ସହିତ ଏହିସବୁ ପତ୍ରପତ୍ରିକାର ତୁଳନାତ୍ମକ ଅନୁଶୀଳନ କଲେ ଜଣାଯାଏ, ଓଡ଼ିଆ ସହିତ୍ୟରେ ପତ୍ରପତ୍ରିକାର ସ୍ଥାନ ଅତି ଉଚ୍ଚରେ । ସଂଘର୍ଷ ପରେ ସଂଘର୍ଷ ଏବଂ ପ୍ରାକୃତିକ ଦୁର୍ବିପାକ ଓଡ଼ିଶାର ସାଂସ୍କୃତିକ ତଥା ଜାତୀୟଜୀବନକୁ ଅସ୍ଥିର, ପୀଡ଼ିତ ଏବଂ ଘର୍ମାକ୍ତ କରିପକାଇଛି; କିନ୍ତୁ ଉତ୍କଳ ଜୀବନର ସେହି ଦୁଃଖ ଦୁର୍ଗତି ସମୟରେ ଦୀପିକା, ବାହିକା, ହିତୈଷିଣୀ ସଦୃଶ ନିର୍ଭୀକ ଦେଶସେବାପ୍ରାଣ ସମ୍ବାଦ ପତ୍ର ଏବଂ ସାହିତ୍ୟ-ବିକାଶ ସାଧନବ୍ରତୀ ଉତ୍କଳଦର୍ପଣ, ଉତ୍କଳପୁତ୍ର, ଉତ୍କଳମଧୁପ; ଉତ୍କଳପ୍ରଭା ସଦୃଶ ମାସିକପତ୍ର ବରାବର ଭାଷାତଃ ସାହିତ୍ୟସେବାରେ ନିଜ ନିଜକୁ ଉତ୍ସର୍ଗ କରିଛନ୍ତି ଏବଂ ଏପରି କରିବାରେ ରାଷ୍ଟ୍ରୀୟ ବୌଦ୍ଧିକ ଏବଂ ସାଂସ୍କୃତିକ ଚେତନାର ପ୍ରହରୀ ସାଜି ପାରିଛନ୍ତି ।

***

 

Unknown

ଓଡ଼ିଆ ଅନୁବାଦ ସାହିତ୍ୟ

ଶ୍ରୀ ଲକ୍ଷ୍ମୀନାରାୟଣ ମହାନ୍ତି

 

ଏଇ ତରୁ ତଳେ ଘନ ପଲ୍ଲବ ବିତାନେ,

ଜୀବନ ବନ୍ଧୁ ବସି ମୋର ତୁଲେ ଗୋପନେ,

ପାଶେ ରଖି ଗୀତି ଚୟନିକା ଲଘୁ ଆହାର,

ଦ୍ରାକ୍ଷା ମଦିରେ ଭରିଦେବ ସଖି ! ଆଧାର ।

ପାଶେ ବସି ଯେବେ ଗାଇବ ସ୍ନିଗ୍‍ଧ ରାଗିଣୀ

ଉତ୍ସଳ କରି ନିର୍ଜନ ମରୁ ବନାନୀ,

ତେବେ ଗୋ ସଜନୀ ! ମୁହିଁ

ନିମିଷକ ଲାଗି ସ୍ୱର୍ଗ ମଣିବି

ରୁକ୍ଷ ଏ ମରୁ ଭୂଇଁ ।।

 

ଚିର ଉଜ୍ଜଳ ଲଳିତ ମଧୁର ଗୋଲାପଟିଏ । ଓଡ଼ିଶାର ନୁହେଁ, ସୁଦୂର ପାରସ୍ୟର । ମାତ୍ର ଓଡ଼ିଆ ସାହିତ୍ୟର ଉପବନରେ ଆଣି ରୋପଣ କରିଛନ୍ତି ପ୍ରଖ୍ୟାତ ଶିଳ୍ପୀ ଓ କବି ଗୋପାଳ କାନନଗୋ । ଏକାଦଶ ଶତାବ୍ଦୀର ପାରସ୍ୟ କବି ଓ ଦାର୍ଶନିକ ଓମାର ଖୈୟାମଙ୍କର ଚୌପଦୀକୁ ୭ ଶହ ବର୍ଷ ପରେ ସର୍ବପ୍ରଥମେ କବି ଫିଜାରେଲ୍ଡ଼୍ ଇଂରାଜୀରେ ଅନୁବାଦ କରି ବିଶ୍ୱ ସାହିତ୍ୟ ଉଦ୍ୟାନକୁ ରୂପ ରସ ସୌରଭରେ ଭରି ଦେଇଥିଲେ । ତାପରେ ପୃଥିବୀର କେତେଭାଷାରେ ଯେ ତାହା ଅନୁଦିତ ଓ ପ୍ରଚାରିତ ହୋଇଛି, ସହଜରେ କଳ୍ପନା କରିହୁଏ ନାହିଁ । ତଥାପି କୁହାଯାଏ, ସଂଖ୍ୟାରେ ବାଇବେଲ ପଛକୁ ଓମାର ଖୈୟାମଙ୍କର ଚୌପଦୀଗୁଡ଼ିକର ମୁଦ୍ରଣ ପରିମାଣ ସବୁଠାରୁ ବେଶୀ ହେବ । ଉତ୍କଳର ପାଠକମାନଙ୍କୁ ଯେଉଁମାନେ ସେହି ଅପୂର୍ବ ରସ ଚଖାଇଛନ୍ତି, ସେମାନଙ୍କ ମଧ୍ୟରେ ଅଜୟଚନ୍ଦ୍ର ଦାସ, ଲକ୍ଷ୍ମୀକାନ୍ତ ମହାପାତ୍ର, ଜଗବନ୍ଧୁ ମହାପାତ୍ର, ଜାନକୀବଲ୍ଲଭ ମହାନ୍ତି ପ୍ରମୁଖ ପ୍ରଧାନ ।

 

୧୯୫୪ ମସିହାରେ ସେହି ୭୫ଟି ଅମର ଚୌପଦୀର ଓଡ଼ିଆ ଅନୁବାଦ କରିବାକୁ ଯାଇ କାନୁନ୍‌ଗୋ କହିଛନ୍ତି – “ଜୀବନର ଯାତ୍ରା-ପଥରେ ନାନା ବିଚିତ୍ର ସ୍ଥାନରେ ବୁଲୁଁ ବୁଲୁଁ ପାରସ୍ୟମରୁଭୂମିର ଏହି ଓଏସିସ୍ ନିକଟରେ କ୍ଷଣକାଳ ଅବସ୍ଥାନ କରିବାକୁ ଆଗ୍ରହୀ ହେବା ଏକ ଆକସ୍ମିକ ଘଟଣା ମାତ୍ର । କିନ୍ତୁ ମରୁଭୂମି ମଧ୍ୟରେ ଓଏସିସ୍ ପରି ଖୈୟାମ ଗୀତିକା ବିରାଟ ସାହିତ୍ୟ ରାଜ୍ୟର ଗୋଟିଏ ଅମୂଲ୍ୟ ସମ୍ପଦ ଓ ଓଏସିସ୍ । ପରାହତ ଶ୍ରାନ୍ତ ଜୀବନର ବହୁ ଜଟିଳ ଉତଥାନ ପତନ ମଧ୍ୟରେ ଅନନ୍ୟୋପାୟ ମାନବ ଏହି ଗୀତିରସ ଆସ୍ୱାଦନକରି ତୃପ୍ତ ହୁଏ ।’’ ଏହି ପାରସ୍ୟ ଗୋଲାପର ସୌରଭ ଓ ସୁରାର ମାଦକତା ନିଖିଳ ମାନବର ହୃଦୟକୁ ସ୍ପର୍ଶ କରିଛି । ଅନ୍ତରରେ ଆନନ୍ଦ ସଞ୍ଚାର କରିଛି । ଏହାର ବଙ୍ଗଳା ଅନୁବାଦ ପ୍ରସଙ୍ଗରେ ବିଶ୍ୱକବି ରବୀନ୍ଦ୍ରନାଥ କହିଛନ୍ତି - “ପାରସ୍ୟ ବଧୂର ବିଦେଶ ଗମନ ଜନିତ ସ୍ୱଭାବ ସୁଲଭ ଲଜା ସତ୍ତ୍ୱେ ତାହାର ସ୍ମିତହାସ୍ୟ ଅବଗୁଣ୍ଡନ ଭେଦକରି ଆତ୍ମପ୍ରକାଶ କରିଛି ।”

 

ସାହିତ୍ୟ ଗୋଟିଏ ମହାନଦୀ ହେଲେ କବିତା, ଗପ, ନାଟକ, ଉପନ୍ୟାସ ଇତ୍ୟାଦି ତାହାର ଗୋଟିଏ ଗୋଟିଏ ଶାଖା, ସେହିପରି ଅନୁବାଦ ମଧ୍ୟ ଏକ ଶାଖା । ଏହା ସାହିତ୍ୟନଦୀର ମୂଳ ପ୍ରବାହକୁ ପରିପୃଷ୍ଟ କରେ । ଅନ୍ୟାନ୍ୟ ଶାଖା ଭଳି ଅନୁବାଦ ଏକ ସୃଷ୍ଟି କାର୍ଯ୍ୟ ହେଲେ ସୁଦ୍ଧା, ତାହା ଗୋଟିଏ ସ୍ଵତନ୍ତ୍ର ଶିଳ୍ପ । ତାହାର ନିଜସ୍ଵ ଧର୍ମ ଅଛି, ରସଦିଗରୁ ଗୋଟିଏ ସ୍ୱତନ୍ତ୍ର ଆବେଦନ ମଧ୍ୟ ଅଛି । ବିଦେଶୀ ଭାଷାରୁ ଅନୁବାଦ କଲାବେଳେ ଅନୁବାଦକୁ ପ୍ରଧାନତଃ ଶବ୍ଦ ଓ ଭାବଗତ ଅସୁବିଧାରେ ପଡ଼ିବାକୁ ହୁଏ । ଅନୁବାଦକଙ୍କୁ ଯେମିତି ଏକଦିଗରେ ମୂଳ ସୃଷ୍ଟିକୁ ନିଜ ଦେଶର ଆବହାଓ୍ୟା ଓ ପରିବେଶ ସହିତ ଖାପ ଖୁଆଇ ନେବାକୁ ହୁଏ । ଅନ୍ୟ ଦିଗରେ ସେମିତି ମୂଳ ସୃଷ୍ଟିର ରୂପ, ଭାବ, ଶୈଳୀ, ଉପମା, ଇତ୍ୟାଦି ବଜାୟ ରଖି ଭାଷାନ୍ତର କରିବାକୁ ପଡ଼େ । ଅନୁବାଦକଙ୍କୁ ବରାବର ଲକ୍ଷ୍ୟ ରଖିବାକୁ ହୁଏ ଯେ ନିଜର ଅନୁବାଦ ଭିତରେ ଯେତେଦୂର ସମ୍ଭବ ମୂଳ ଲେଖକକୁ ଯେମିତି ଖୋଜି ପାଇ ହେବ । ସେଥରେ ଭାଷା କୌଣସି ପ୍ରତିବନ୍ଧକ ସୃଷ୍ଟି କରିପାରିବ ନାହିଁ ।

 

ପୃଥିବୀର ବିଭିନ୍ନ ଭାଷାରେ ବହୁତ ଉଚ୍ଚାଙ୍ଗ ଓ ଚିରନ୍ତନ ସାହିତ୍ୟ-କୃତି ଅଛି । ଜଣକ ପକ୍ଷରେ ସବୁ ଭାଷା ଆୟତ୍ତ କରି ସେସବୁ ପଢ଼ିବା ସମ୍ଭବ ନୁହେଁ । ରୁଷୀୟ ଭାଷା ଜଣା ନାହିଁ ବୋଲି କ’ଣ ଜଣେ “ଆନା କାରେନିନା’’ ପଢ଼ିବାରୁ ବଞ୍ଚିତ ହେବ ? ଇତାଲୀୟ ଭାଷା ଜଣା ନାହିଁ, “ମାଆ ଓ ପୁଅ” ପଢ଼ି ପାରିବ ନାହିଁ ? ଇଂରେଜୀ ଭାଷା ଅଜଣା, ‘‘ବିରସ ନାଟକ’’ର ସ୍ୱାଦ ପାଇବା କିପରି ? ତେଣୁ ଅନୁବାଦ ଏକାନ୍ତ ପ୍ରୟୋଜନ । ଆକ୍ଷରିକ ଅନୁବାଦ ଦ୍ଵାରା ମୂଳ ଲେଖକର ଚିନ୍ତା, ଅନୁଭବ, ଶବ୍ଦ, ସ୍ଵର, ଇତ୍ୟାଦି ଯଥାର୍ଥ ଭାବରେ ଧରିହୁଏ । ମାନୁଛି, କେତେକ କ୍ଷେତ୍ରରେ ଅନୁବାଦଦ୍ଵାରା ମୂଳ ସୌନ୍ଦର୍ଯ୍ୟ ଓ ସ୍ଵକୀୟତା ନଷ୍ଟ ହୁଏ ସତ । ମାତ୍ର ସେପରି କୃତି ବିଶ୍ଵସାହିତ୍ୟରେ ଯଥେଷ୍ଟ ବେଶି ପରିମାଣରେ ଦେଖାଯାଏ ନାହିଁ । ଦର୍ପଣରେ ନିଜର ମୁଖ ଦିଶେ । ଆଉ ଅନୁବାଦରେ ? ଅନ୍ୟ ଭାଷାର ସାହିତ୍ୟ-କୃତି ନିଜର ଭାଷାରେ ପ୍ରତିଫଳିତ ହୁଏ । ବିଦେଶୀ ସାହିତ୍ୟରୁ ରୂପ, ରସ, ଛନ୍ଦ, ଗଭୀରତା, ସଂହତି, ସୌନ୍ଦର୍ଯ୍ୟ, ପ୍ରାଚୁର୍ଯ୍ୟ, ସଙ୍କେତ, ଇତ୍ୟାଦି ଆସିଲେ ମାତ୍ର ସାହିତ୍ୟର ଉଦ୍ୟାନ ଫୁଲ ଫଳରେ ସୁଶୋଭିତ ହୋଇଯାଏ । ଅନୁବାଦ ଅବଶ୍ୟ ଏକ ଅତ୍ୟନ୍ତ ବିରକ୍ତିକର କଠିନ କାର୍ଯ୍ୟ । ଏଥିରେ ଯଶ ଓ ଅର୍ଥ ଅକ୍ଳେଶରେ ମିଳେନା । ତଥାପି ବିଶ୍ୱବିଖ୍ୟାତ ଲେଖକମାନେ ଏହି କଠିନ ମଧୁର କଳାର ଉପାସକ ଥିଲେ । ଗେଟେ, ଚସର, ମିଲଟନ, କାରଲାଇଲ, ମେଟେରିଲିଙ୍କ, ଜିଦେ, ରୋଲାଁ, ପ୍ରମୁଖ ହେଉଛନ୍ତି ଜଣେ ଜଣେ ଯଶସ୍ୱୀ ଅନୁବାଦକ । ଏହା ବି ଦେଖାଯାଏ, କେତେକ ଲେଖକ ନିଜର ପୁସ୍ତକ ନିଜେ ଅନ୍ୟଭାଷାରେ ଅନୁବାଦ କରିଛନ୍ତି । ଅସ୍କାର ଓ ୟଇଲଡ ପ୍ରଥମେ “ସଲୋମୀ’’କୁ ଫରାସୀ ଭାଷାରେ ଲେଖି ପରେ ଇଂରେଜୀରେ ଅନୁବାଦ କରିଥିଲେ ।

 

ଅନୁବାଦ କ୍ଷେତ୍ରରେ ଇଂରେଜୀ ସାହିତ୍ୟ ସର୍ବାପେକ୍ଷା ଐଶ୍ୱର୍ଯ୍ୟଶାଳୀ । ପୃଥିବୀର ସବୁଦେଶର ସାହିତ୍ୟରୁ ଶ୍ରେଷ୍ଠ କୃତିଗୁଡ଼ିକ ଆଣି ଇଂରେଜୀ ସାହିତ୍ୟର ଭଣ୍ଡାରରେ ସଞ୍ଚିତ କରାଯାଇଛି । ଏହାଦ୍ୱାରା ଇଂରେଜୀ ସାହିତ୍ୟର ଗୌରବ ବଢ଼ିଛି । ଅନୁବାଦ ଯେ ସାହିତ୍ୟରେ କେତେ ପରିମାଣରେ ବିଶାଳତା ଓ ବ୍ୟାପକତା ଆଣିଦିଏ ଇଂରେଜୀ ସାହିତ୍ୟ ତାହାର ଜ୍ୱଳନ୍ତ ଦୃଷ୍ଟାନ୍ତ ।

 

ଓଡ଼ିଆରେ ଅନୁବାଦ ସାହିତ୍ୟର ଅଭ୍ୟୁଦୟ ହେଲା ଊନବିଂଶ ଶତାବ୍ଦୀରେ । କବିବର ରାଧାନାଥା ରାୟ ବିଦେଶୀ ସାହିତ୍ୟର ପ୍ରଭାବକୁ ଏଡ଼ି ନ ପାରି ପ୍ରଥମେ “ଇତାଲୀୟ ଯୁବା’’ ଓଡ଼ିଆରେ ଅନୁବାଦ କରିଥିଲେ । ତାଙ୍କର ସମସାମୟିକ ଭକ୍ତକବି ମଧୁସୂଦନ ରାଓ, ଗୋପୀନାଥ ନନ୍ଦ ଶର୍ମା, ମୃତ୍ୟୁଞ୍ଜୟ ରଥ ପ୍ରମୁଖ ସଂସ୍କୃତ ଓ ଇଂରେଜୀରୁ ନାନାବିଧ ପ୍ରବନ୍ଧ, କାବ୍ୟ, ନାଟକର ସଫଳ ଅନୁବାଦ ଦ୍ୱାରା ଏକ ନୂତନ ଅଧ୍ୟାୟ ଆରମ୍ଭ କରିଥିଲେ । ପଣ୍ଡିତ ନୀଳକଣ୍ଠ ଦାସ ଟେନିସନଙ୍କର “ଏନ୍ୟନ ଆର୍ଡେନ” ଓ “ପ୍ରନେସ୍”କୁ ଏଭଳି ଚମତ୍କାରଭାବରେ ଅନୁବାଦ କରିଥିଲେ ଯେ ତାହାକୁ ଏକ ସୁପାଠ୍ୟ ମୌଳିକ ପୁସ୍ତକ କହିବାକୁ କେହି ପଛାଉ ନଥିଲେ । ସତ୍ୟବାଦୀ ଯୁଗର-। ଗୀତିକବି ପଣ୍ଡିତ ଗୋଦାବରୀଶ କେତେକ ବିଶ୍ୱବିଖ୍ୟାତ, ଇଂରେଜୀ ଓ ଫରାସୀ ଉପନ୍ୟାସର ଛାୟାରେ ‘‘ଅଭାଗିନୀ”, “୧୮୧୭”, “କଙ୍କାଳର ଆର୍ତ୍ତନାଦ”, “ପଟାନ୍ତର, ଇତ୍ୟାଦି ଉପନ୍ୟାସ ରଚନା କରିଥିଲେ । ସମ୍ପାଦକ ବିଶ୍ଵନାଥ କର “ଉତ୍କଳ ସାହିତ୍ୟ’’ ପତ୍ରିକାରେ ନିଜର ଦୁଇ ଝିଅଙ୍କ ଦ୍ୱାରା ଟଲଷ୍ଟୟ, ପ୍ରଭୃତି ବିଶ୍ୱବିଖ୍ୟାତ ଲେଖକଙ୍କର ଗପ ଓଡ଼ିଆରେ ଅନୁବାଦକରାଇ ପ୍ରଚାର କରୁଥିଲେ । ପ୍ରଥମେ ରାୟ ସାହେବ ଅଜୟ ଚନ୍ଦ୍ର ଦାସ ଇଂରେଜୀ କାବ୍ୟର ସାର୍ଥକ ଅନୁବାଦ କରିଥିଲେ । ଆଉ ଅମର ବଲ୍ଲଭ ଦେ ଦୁଇଟି ଉପନ୍ୟାସର । ନିଆଁଖୁଣ୍ଟାର ସମ୍ପାଦକ ଗୋଦାବରୀଶ ମହାପାତ୍ରଙ୍କର ମଧ୍ୟ ବିଦେଶୀ ସାହିତ୍ୟର ଛାୟାବଲମ୍ବନରେ କେତେକ ଉପନ୍ୟାସ ଓ ଗପ ପ୍ରକାଶିତ ହୋଇଥିଲା । ସ୍ଵାଧୀନତା ଆନ୍ଦୋଳନବେଳେ ଦେଶରେ ଜନ-ଜାଗରଣ ନିମନ୍ତେ କଂଗ୍ରେସର ବିଶିଷ୍ଟ ନେତା ଗାନ୍ଧିଜୀ, ରାଜେନ୍ଦ୍ର ପ୍ରସାଦ, ନେହେରୁ, ବିନୋବା ଓ ଅନ୍ୟମାନଙ୍କର ଜୀବନୀବାଣୀ ଓ ରଚନାବଳୀ ଓଡ଼ିଆରେ ଅନୁଦିତ ହୋଇ ବହୁଳ ପରିମାଣରେ ପ୍ରଚାରିତ ହେବାରୁ, ଅନୁବାଦ ସାହିତ୍ୟ ପ୍ରତି ଲୋକେ ଆକୃଷ୍ଟ ହେଲେ । ଉଦୟଦାଥ ଷଡ଼ଙ୍ଗୀଙ୍କ ଅନୁଦିତ ଉପନ୍ୟାସ “ଟମକକାଙ୍କ କୁଟୀର’’ ଏକ ଅମୁଲ୍ୟ ରତ୍ନ କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ଓଡ଼ିଆ ସାହିତ୍ୟରେ ବର୍ତ୍ତମାନ ଇଂରେଜୀ ନୁହେଁ, ପ୍ରାୟ ସବୁ ଦେଶର ଉଚ୍ଚାଙ୍ଗ ସାହିତ୍ୟ ଅନୁଦିତ ହୋଇ ପ୍ରକାଶ ପାଉଅଛି । ବିଶେଷତଃ ନୋବେଲ ପୁରସ୍କାରପ୍ରାପ୍ତ ବହୁ ବିଖ୍ୟାତ ଲେଖକମାନଙ୍କର ରଚନା ଆଜି ଓଡ଼ିଆ ସାହିତ୍ୟରେ ବିଶେଷ ସ୍ଥାନ ପାଇଛି । ଏହିସବୁ ଉଚ୍ଚ କୋଟୀର ସାହିତ୍ୟରୁ ଆମର ଲୋକେ ପ୍ରେରଣା ଲାଭ କରୁଛନ୍ତି । “ସାହିତ୍ୟ ମଣିଷ ସମାଜକୁ ଉପରକୁ ଉଠାଇବାରେ ଆଦର୍ଶ ଅଭିମୁଖୀ ହେବା ଦରକାର ।’’ ଏହି ନୀତିର ନିକିତିରେ ପୃଥିବୀର ସାହିତ୍ୟିକମାନଙ୍କୁ ନୋବେଲ ପୁରସ୍କାର ଦେଲାବେଳେ ତଉଲାଯାଏ । ସେହି ଶ୍ରେଷ୍ଠ ପୁରସ୍କାରପ୍ରାପ୍ତ ବହୁ ଆନ୍ତର୍ଜାତିକ ଲେଖକଙ୍କର ମହାନ୍ କୃତିସବୁ ଓଡ଼ିଆରେ ଅନୁଦିତ ହେବାରୁ ଆମେ ବିଶ୍ଵର ସମସାମୟିକ ସାହିତ୍ୟ ସହିତ ପରିଚିତ ହେବାର ସୁଯୋଗ ପାଉଛୁ । ସେଥଭିତରୁ ପାଲବଙ୍କର “ଗୁଡ଼ ଆର୍ଥ”, ବାର୍ଣ୍ଣାଡ ଶ’ଙ୍କର ବିରସ ନାଟକ”, ଆଲ ବ୍ରେୟାର’ କାମୁଙ୍କର “ବିଦେଶୀ ଓ ପତନ”, ରୋମା ରୋଲାଙ୍କର “ଜାଁତ୍ରିସ୍ତଫ୍”, ଆର୍ନେଷ୍ଟ ହେମିଙ୍ଗଓୟେଙ୍କର “ଅପରାଜିତା” ଗ୍ରାଜିୟା ଦେଲେଘଙ୍କର ମାଆ ଓ ପୁଅ, ସେଲମା ଲେଗରଲଫଙ୍କର “ମୃତ୍ୟୁଦୃତ”, ରବୀନ୍ଦ୍ରନାଥଙ୍କର “ଗୀତାଞ୍ଜଳି’, ଇତ୍ୟାଦି ପ୍ରଧାନ । ଏଠାରେ ଉଲ୍ଲେଖ ନ କରି ରହି ହେଉ ନାହିଁ ଯେ ସୋଭିଏଟର ନୋବେଲଲରିୟେଟ ବରିସ ପାଷ୍ଟରନାକଙ୍କର ବହୁ ବିତର୍କିତ ଉପନ୍ୟାସ “ଡକ୍ଟର ଜିଭାଗୋର ଅନୁବାଦ ଏସିଆ ମହାଦେଶ ଭିତରେ ସର୍ବ ପ୍ରଥମେ ଓଡ଼ିଆରେ ପ୍ରକାଶିତ ହେଲା । ଗୁଡ଼ିଏ ଅନୁବାଦ ପୁସ୍ତକ ମନମୋହନ ପ୍ରେସରେ ସୁନ୍ଦର ଶୋଭନୀୟ ଓ ପ୍ରାମାଣିକ ଭାବରେ ପରିବେଷଣ କରିଥିବାରୁ, ପ୍ରକାଶକ ପ୍ରଫୁଲ୍ଲ ଚନ୍ଦ୍ର ଦାସଙ୍କୁ ବିଷୁବ ମିଳନରେ ପୁରସ୍କାର ଦିଆ ହୋଇଥିଲା । ତାହା ଛଡ଼ା କାଳିଦାସ, ଭବଭୂତି, ସେକ୍ସପିୟର, ଡିକେନ୍‍ସ, ଏଲିୟଟ, ପାଉଣ୍ଡ, ଦୁଇଟାମାନ, ରେନେମାରୋଁ, ଷ୍ଟିଫାନ୍ ଜୁଇଗ, ଟଲଷ୍ଟୟ, ଗର୍କ, ସମାର ସେଟ ମମ, କନନିଡାଇଲ, ମୋପାସାଁ, ଚେଖଭ, ତୁର୍ଗନେଭ, ମୁଲକରାଜ ଆନନ୍ଦ, ପ୍ରେମଚାନ୍ଦ ପ୍ରମୁଖ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖକମାନଙ୍କର ବିଭିନ୍ନ ସ୍ଵାଦର ନାଟକ, ଉପନ୍ୟାସ ଓ ଗପର ସ୍ଵଚ୍ଛନ୍ଦ ଅନୁବାଦ ପଢ଼ିବାରେ ଆମର ଲୋକେ ସୁଯୋଗ ପାଇଛନ୍ତି ।

 

ଓଡ଼ିଆ ସାହିତ୍ୟର ସକଳ ବିଭାଗରେ ଅନୁବାଦର ଜନପ୍ରିୟତା କ୍ରମେ ବଢ଼ିଚାଲିଛି; ବିଭିନ୍ନ ପତ୍ର-ପତ୍ରିକା ଛଡ଼ା ବହୁ ପ୍ରକାଶକ ଓ ଲେଖକ ଏ ଦିଗରେ ଅଗ୍ରଣୀ ହୋଇଛନ୍ତି । ଫଳରେ ରାଜନୀତି, ଧର୍ମ, ବିଜ୍ଞାନ, ଅର୍ଥନୀତି, ଦର୍ଶନ, ଇତିହାସ, ମନସ୍ତତ୍ୱ, ଜୀବନୀ, ଭ୍ରମଣ ବୃତ୍ତାନ୍ତ ଇତ୍ୟାଦି ନାନା ପ୍ରକାର ରଚନାର ଅନୁବାଦ ଆମ ସାହିତ୍ୟରେ ପ୍ରବେଶ କରୁଛି । ବିଶ୍ଵ-ମୈତ୍ରୀ ସ୍ଥାପନ ଉଦ୍ଦେଶ୍ୟରେ ସୃଷ୍ଟି ‘‘ସୋଭିଏଟ୍ ଦେଶ ନେହେରୁ ପୁରସ୍କାର” ଇତିମଧ୍ୟରେ କେତେକ ଲେଖକ ନିଜର ଅନୁବାଦ କୃତି ପାଇଁ ପାଇଲେଣି । ସାହିତ୍ୟ ଏକାଡେମୀ, ଜାତୀୟ ପୁସ୍ତକ ଟ୍ରଷ୍ଟ, ଗାନ୍ଧୀ ସ୍ମାରକ ନିଷ୍ଠା, ସର୍ବୋଦୟ ସଂଘ ପ୍ରଭୃତି ବହୁ ଅନୁଷ୍ଠାନ ବିଭିନ୍ନ ବିଦେଶୀ ଓ ଆଞ୍ଚଳିକ ଭାଷାରୁ ପୁସ୍ତକ ଅନୁବାଦ କରାଇ ଭାରତରେ ସଂହତି ଓ ଐକ୍ୟ ବୃଦ୍ଧି କରିବାରେ ଲାଗିଛନ୍ତି । ଖାଲି ସେତିକି ନୁହେଁ, ଭାରତ ବର୍ଷର ମନୀଷୀ ବିବେକାନନ୍ଦ, ରବୀନ୍ଦ୍ରନାଥ, ଗାନ୍ଧିଜୀଙ୍କର ଶତବାର୍ଷିକୀ ଉପଲକ୍ଷେ ସେମାନଙ୍କର ରଚନାବଳୀ ଓଡ଼ିଆରେ ପ୍ରକାଶିତ ହେବାରୁ, ଆମର ସାହିତ୍ୟ ଅକ ବୈଭବଶାଳୀ ହେଉଛି ।

 

ଆଜିର ପରମାଣୁ ଯୁଗରେ ଜ୍ଞାନ-ବିଜ୍ଞାନର ନୂଆ ନୂଆ ଶାଖା ପ୍ରଶାଖା ପଲ୍ଲବିତ ହେଉଛି ତାହାର ପ୍ରଭାବ ସବୁ ଦେଶର ସାହିତ୍ୟରେ ପ୍ରତିଫଳିତ ହେଉଛି । ଆମ ସାହିତ୍ୟ ସେଥିରୁ ବାଦ ଯାଉ ନାହିଁ । ଆମେ ସେ ସବୁ ପ୍ରତି ସ୍ୱତଃ ଆକୃଷ୍ଟ ହେଉଛୁ । ତେଣୁ ସେହି ମହନୀୟ କୃତିର ସଫଳ ଅନୁବାଦ ଆମ ସାହିତ୍ୟରେ ଏକାନ୍ତ ପ୍ରୟୋଜନ ।

 

ଗତିଶୀଳତାହିଁ ଜୀବନର ଧର୍ମ । ସୁତରାଂ ତାହାର ପ୍ରବହମାନ ମୁହୂର୍ତ୍ତକୁ ଧରି ରଖି ଓମାର ଖୈୟାମ୍ ନିଜର ଚୌପଦୀ ଭିତରେ ଗାଇଛନ୍ତି –

 

“ସବୁ କଥା ପରେ ଏକଇ ସତ୍ୟ

ଏ ଜୀବନ ଯାଏ ବହି

ଏକଇ ସତ୍ୟ - ଏଇ ଯେ ଜୀବନ ।

ବାକି ସବୁ ମିଛ ସହି ।

 

***

 

ରସକଲ୍ଲୋଳର ଶବ୍ଦାବଳୀରେ ସାମାଜିକ ଓ ସାଂସ୍କୃତିକ ସଙ୍କେତ

ଡକ୍ଟର କୃଷ୍ଣ ଚରଣ ସାହୁ

 

କାବ୍ୟର ଭାଷା ହିଁ କବି ଓ କବିକୃତିର ଶ୍ରେଷ୍ଠ ପରିଚାୟକ । ତେଣୁ ରସକଲ୍ଲୋଳକାର ଦୀନକୃଷ୍ଣଙ୍କ ବ୍ୟକ୍ତିତ୍ୱର ସମ୍ୟକ୍ ପରିଚୟ ପାଇଁ ସେହି କାବ୍ୟରେ ପ୍ରଯୁକ୍ତ ଶବ୍ଦାବଳୀ ହିଁ ପ୍ରଥମ ଓ ପ୍ରକୃଷ୍ଟ ଉପାଦାନ । ଏ ସବୁର ଅଧ୍ୟୟନ ଓ ଅନୁଶୀଳନ କଲେ କବିଙ୍କ ଶବ୍ଦପାଣ୍ଡିତ୍ୟ, ଭାଷା ପ୍ରୟୋଗର କୁଶଳତା ଏବଂ ତହିଁରେ ଅନ୍ତର୍ନିହିତ ଥିବା କବିଙ୍କର ବ୍ୟକ୍ତିଗତ ଦୃଷ୍ଟିକୋଣ ପୁଣି କବିଙ୍କ ପୂର୍ବକାଳୀନ ତଥା ସମକାଳୀନ ସମାଜର ବିଭିନ୍ନ ବ୍ୟବସ୍ଥା, ଅବ୍ୟବସ୍ଥା, ରାଜନୀତିକ, ଧାର୍ମିକ, ସାହିତ୍ୟିକ ଏବଂ ସାଂସ୍କୃତିକ ପରିସ୍ଥିତି ଓ ପୃଷ୍ଠଭୂମି ସମ୍ବନ୍ଧରେ ବହୁ ସୂଚନା ମିଳେ ।

 

କବି ସାମାଜିକ ଜୀବ । ସମାଜରେ ସେ ବହୁ କଥା ଦେଖେ ଓ ଶୁଣେ । କାବ୍ୟ ରଚନା କଲାବେଳେ ତା’ର ସାମାଜିକ ପରିବେଷ୍ଟନୀ ତା’ମନ ମଧ୍ୟରେ ‘ଅନ୍ତପଟ ଅନ୍ତ ନୃତ୍ୟକାରୀ’ ପରି ବିଭିନ୍ନ ଲୀଳା ସମ୍ପାଦନ କରୁଥାନ୍ତି । ସେ ସବୁରୁ କାବ୍ୟର ଆବଶ୍ୟକତା ଅନୁଯାୟୀ ଉପାଦାନ ଆହରଣ କରି ସେ କାବ୍ୟରେ ରସଜଗତର ସୃଷ୍ଟି କରେ । କାବ୍ୟରେ ରୂପ ପାଇଥିବା ରସଜଗତ ବସ୍ତୁଜଗତଠାରୁ ସମ୍ପୂର୍ଣ୍ଣ ଭିନ୍ନ । କବି ନିଜ ସମୟର ସମାଜ ବ୍ୟବସ୍ଥା, ଆର୍ଥନୀତିକ ଅବସ୍ଥା ବା ରାଜନୀତିକ ସମସ୍ୟାର ଚିତ୍ରଣ ପାଇଁ କାବ୍ୟ ଲେଖେ ନାହିଁ; କିନ୍ତୁ କବିର ଅଜାଣତରେ ତାଙ୍କ ସମାଜର ବହୁ କଥା କାବ୍ୟ ମଧ୍ୟରେ ପ୍ରବେଶ ଲାଭ କରିଥାଏ । ସେ ସବୁ ଉପାଦାନକୁ ବିଶ୍ଳେଷଣ କଲେ କୌଣସି ସାହିତ୍ୟର ସାହିତ୍ୟିକ ମୂଲ୍ୟ ନିର୍ଦ୍ଧାରିତ ହୁଏ ନାହିଁ ସତ; କିନ୍ତୁ କବିର ବ୍ୟକ୍ତିଗତ ଅନୁଭବ, ଅନୁମାନ, ସମାଜଚେତନା ଓ ନିରୀକ୍ଷଣ ଶକ୍ତିର ଅନୁଶୀଳନ ପାଇଁ ଏ ସବୁର ଅଧ୍ୟୟନର ଆବଶ୍ୟକତା ଯେ ଅଛି, ଏହା ସମସ୍ତେ ସ୍ଵୀକାର କରିବେ ।

 

କୋଣାର୍କ ମନ୍ଦିରର ସମୂହ ରୂପସମ୍ଭାରକୁ ଉପଭୋଗ କରିବା ଗୋଟିଏ କଥା ଓ ଏହାକୁ ଭାଙ୍ଗି ପଥରଗଦାର ମୂଲ୍ୟ ନିର୍ଦ୍ଧାରଣ କରିବା ଆଉ ଗୋଟିଏ କଥା । ପଥରଗଦାରୁ କୋଣାର୍କର ଚାରୁକଳା ଜାଣିହୁଏ ନାହିଁ ସତ; କିନ୍ତୁ ଯେଉଁସବୁ ପଥର ମୂର୍ତ୍ତିରେ ପରିଣତ ହୋଇ ସାରିଥାଏ ସେ ସବୁକୁ ଯେତେ ଅଲଗା ଅଲଗା କରିଦେଲେ ମଧ୍ୟ ତା’ର କହିବା ଶକ୍ତି ଲୋପ ପାଏ ନାହିଁ । ସେହିପରି କାବ୍ୟରେ ପ୍ରଯୁକ୍ତ ବର୍ଣ୍ଣ ଓ ବର୍ଣ୍ଣାବଳୀ ପଥର ପରି ନିର୍ଜିବ ପଥରରେ ମୂର୍ତ୍ତି ତିଆରି ହେବା ପରେ ସେ ବର୍ତ୍ତାବଳୀ ବା ଶବ୍ଦ ପରି ସଜୀବ ହୋଇଯାଏ । ରକ୍ତବୀର୍ଯ୍ୟ ପରି ତାକୁ ଯେଉଁଠି ରଖିଲେ ମଧ୍ୟ ସେ କିଛି ନା କିଛି କାମ କରେ ।

 

ସମାଜରୁ ଶବ୍ଦାବଳୀ ସଂଗୃହୀତ ହୋଇ କାବ୍ୟ ମଧ୍ୟରେ ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟରେ ଲାଗିଥାନ୍ତି । କାବ୍ୟରୁ ସେ ସବୁକୁ ସଂଗ୍ରହ କରି ସାମାଜିକ ପରିବେଷ୍ଟନୀ ଅନୁଯାୟୀ ଏକତ୍ର କଲେ କବିର ସାମାଜିକ ପୃଷ୍ଠଭୂମି ସମ୍ବନ୍ଧରେ ସେମାନେ ବହୁ କଥା କହନ୍ତି, ଯାହାକି କାବ୍ୟର ବିଷୟବସ୍ତୁ ନୁହେଁ, ଏପରିକି କାବ୍ୟର ବର୍ଣ୍ଣିତ ବସ୍ତୁ ସହ ଏହାର କୌଣସି ସମ୍ପର୍କ ବି ନାହିଁ । କାବ୍ୟରେ ପ୍ରଯୁକ୍ତ ପ୍ରତ୍ୟେକ ଶବ୍ଦ ସମାଜର ପ୍ରତୀକରୂପେ କାର୍ଯ୍ୟ କରୁଥିଲେହେଁ ନିମ୍ନରେ ଲୋକସଂସ୍କୃତି ସହ ସଂପୃକ୍ତ ଶବ୍ଦାବଳୀକୁ ଆଲୋଚନାର ସୁବିଧା ପାଇଁ ବାରୋଟି ବିଭାଗରେ ବିଭକ୍ତ କରାଯାଇଛି ।

 

୧- ପରିବାର ତଥା ସମାଜ ସହ ସଂପୃକ୍ତ ଶବ୍ଦାବଳୀ ।

୨- ଲୋକାଚାର

୩- ଶିଷ୍ଟାଚାର

୪- ବେଶ, ଭୂଷା, ପ୍ରସାଧନ ଓ ଖାଦ୍ୟ

୫- ସାଜସଜା

୬- ଜାତି ଓ ବ୍ୟବସାୟ

୭- କଳା କୌଶଳ

୮- ମନୋବିନୋଦର ସାମଗ୍ରୀ

୯- ଭୋଗବିଳାସ ଓ ରୋଗ

୧୦- ଜନ-ବିଶ୍ୱାସ

୧୧- କାବ୍ୟ ପ୍ରସିଦ୍ଧି

୧୨- ରାଜକାର୍ଯ୍ୟସୂଚକ ଶବ୍ଦାବଳୀ

 

ପରିବାର ସମାଜଗଠନର ପ୍ରଥମ ସୋପାନ ବନ୍ଧୁ ବାନ୍ଧବ ଓ କୁଟୁମ୍ବମାନଙ୍କୁ ଘେନି ସମାଜର ସୃଷ୍ଟି । ରସକଲ୍ଲୋଳ ଶବ୍ଦାବଳୀର ସୃଷ୍ଟି । ରସକଲ୍ଲୋଳ ଶବ୍ଦାବଳୀରୁ ସମାଜର ଯେଉଁ ସମ୍ପର୍କୀୟମାନଙ୍କର ପରିଚୟ ମିଳେ ସେମାନେ ହେଉଛନ୍ତି-ପି । (୩୪-୩୭) ସେହି ଅର୍ଥରେ ଜନକ, ବାପ୍, ତାତ (୩୧-୧୯); ମାତା (୫-୮), (ସେହି ଅର୍ଥରେ ମା ୫-୪, ୫-୨୭, ୫- ୨୮, ଅମ୍ବା ୨୯୧୩) ଉପମା (୩୪-୨୭); ମାମୁ (୧୫-୩୨, ୨୯-୨, ୩, ୪,); ମାଈଁ( ୨୯-୧, ୨, ୫, ୧୦); ଅଜା ୨୬, ୨୮; କୁମର (୨–୧୨, ୩-୧, ୪-୪୭, ୫-୧୧, ୫-୧୭, ୬-୨), (ସେହି ଅର୍ଥରେ ସୁତ, ୨-୯, ୫- ୧୧, ୫-୧୪, ୫ – ୧୭, ୬-୮, ୯-୧୨, ୧୫-୩୨, ୨୭-୨୫, ନନ୍ଦନ,୫-୨୨, ୭-୧, କୁମାର, ୩-୩୦, ୩-୪୮, ୩-୫୭, ୩-୬୭; ୪-୧, ୪-୧୭ ୪-୨୦, ୫-୧୧, ବାଳ ୩-୨୯, ଦୁହିତା, ୨-୧୨ (ସେହି ଅର୍ଥରେ କନ୍ୟା, ୨-୮, ୩-୪୭ କୁମାରୀ ୨-୯, ୨-୧୨, ୨-୧୫, ୧୬-୩); ଭଗ୍ନ ୨-୮ (ସେହି ଅର୍ଥରେ ବହିଣୀ ୪-୪୮); ଭାଇ ୫-୬;; ବଇମାତ୍ରଭାଇ ୩୪-୨୭; ଭିଣୋଇ, ୨-୮; ଭଣଜା ୨୭-୨୨; ପତି ୫-୨୧, ୫-୨୧, ୨୮-୨, (ସେହି ଅର୍ଥରେ କାନ୍ତ,୩-୭, ୮, ୧୧-୯, ୧୨-୨, ୭-୯, ୧୧, ୩୧, ୩୨, ୧୪-୩୬, ୧୬-୧୫, ୨୦-୧, ୨୦-୨୭, ନାୟକ, ୧୬-୧୩, ଦୟିତ ୧୪- ୨, ୧୬-୧୧, ସ୍ତିରୀ, ରମଣୀ ୯-୧୪, ବାମା, ପ୍ରିୟତମା, ୧୦-୨, ୧୨-୧୮, ଭାରିଯା, ୨୭-୨୮, ପତ୍ନୀ, ୨୨-୩୭, ଅଙ୍ଗନା, ୨୨-୫୦, ପ୍ରାଣପ୍ରେୟସୀ, ୧୬-୧, ୨୬-୧୭, ବନିତା ୧୨-୧, ୧୪-୧୫ ବାନ୍ଧବୀ ୧୬-୪), ଦମ୍ପତି ୧-୨୮)

 

ସମାଜରେ ନାରୀ ଓ ପୁରୁଷମାନେ ସେମାନଙ୍କର ଗୁଣ, ଶୋଭା ଓ ବୟସଭେଦରେ ବିଭିନ୍ନ ରୂପ ଧାରଣ କରିଥାନ୍ତି । ବୟସଦୃଷ୍ଟିରୁ ପୁରୁଷସବୁକୁ କୁମାର (୩-୩୦) ବାଳକ, (୨-୧୬) କିଶୋର (୭୧) ବାଳିକା (୮- ୨୩), ଅଦୃଷ୍ଟରଜା (୧୧-୬୯) ଯୁବତୀ (୩-୪୦) ଓ ଜରତୀ (୭-୩) ବା ବୃଦ୍ଧା (୧୨-୩୩) କହିଛନ୍ତି । ମଣିଷ ନିଜର ଗୁଣ ବା ପ୍ରକୃତି ଯୋଗୁଁ ସମାଜରେ ସାଧୁ ବା ଅସାଧୁଭାବେ ପରିଚିତ ହୁଏ । ରସକଲ୍ଲୋଳରେ ଏମାନଙ୍କ ପାଇଁ ଅସଂଖ୍ୟ ଶବ୍ଦ ପ୍ରଯୁକ୍ତ । କୃଷ୍ଣ କଥାରେ ରସିକ ଲୋକମାନଙ୍କୁ କବି ଦୀନକୃଷ୍ଣ ସାଧୁ (୯-୧) ସୁଜନ (୧୧-୮୧), ରସିକ (୮-୩୧), ସିହାଣ (୮-୩୧), ବିବେକ (୩୩-୨୭), ପଣ୍ଡିତ (୭-୪୦), ଗୁଣୀ (୧୬-୨୭), ଗୁଣବନ୍ତ ୩୧-୧୭), କୋବିଦ (୧୫-୬) ଓ ଉତ୍ତମଜନ ( ୧୬-୨୦) ସୁକୃତ ପରାଣ (୧୨ ୩୫) କହି ସମ୍ମାନ ପ୍ରଦର୍ଶନ କଲା ପରି ଅରସିକମାନଙ୍କ ପ୍ରତି ସେ ଦୁଷ୍ଟ– (୨୫ – ୨୧) ନାସ୍ତିକ (୨-୧୩) କୃତଘ୍ନ (୭-୨୬) କୁଟିଳ (୨-୧୩), ମହାପାପୀ (୨-୧୩) ଅବିବେକ (୨-୧୩) ମୂର୍ଚ (୯– ୧୩) ଗୁଆଁର (୮-୩), (୯-୧୩), ଖଳ (୧୬- ୨୩), ବାଳିଶ (୧୬- ୨ ୨) କପଟୀ (୩୪-୨୫) କୁବୁଦ୍ଧି (୧୬- ୨୩) ଚୋର (୧୫-୩୨), କୁମତି (୩୪- ୨୭) କଠୋର ରସିକ, (୭-୩୧), କରୁଣା-କପଟ (୩୨ – ୧୬) ଓ କର୍କଶର କୂଟ (୩୧-୧୬) ପ୍ରଭୃତି ଶବ୍ଦ ପ୍ରୟୋଗ କରିଛନ୍ତି । ନାରୀମାନେ ମଧ୍ୟ ନିଜର ଗୁଣ ଯୋଗୁ ନାଗରୀ, ଚତୁରୀ, ରସିକିନୀ ରୂପେ ସମାଜରେ ପରିଚିତା । ଏମାନଙ୍କ ମଧ୍ୟରୁ କୁଳବତୀମାନଙ୍କ ପ୍ରତି (ସେହି ଅର୍ଥରେ କୁଳପାଳିକା ୧୬୨, କୁଳଯୁବତୀ ୩-୪୦, କୁଳବଧୂ ୨୭–୧୧, ଓ ସ୍ଵାଧୀନଭର୍ତ୍ତୃକା ୮-୧୮) କବିଙ୍କର ଅତ୍ୟନ୍ତ ଶ୍ରଦ୍ଧା । ସେମାନେ ଅନ୍ୟ ପୁରୁଷର କୋମଳ କଥାରେ ଭୁଲିଯାଆନ୍ତି ନାହିଁ (୮-୧୮) ପତିବ୍ରତା ବ୍ରତ (୩-୪୦) ପାଳନ କରି କୁଳକୁ ଉଜ୍ୱଳ କରିଥାନ୍ତି । ବଡ଼ଭୀପୁରେ ଥାଇ ଜାଳାବିବରେ ଅବଲୋକନ କରିବା ଦୃଶ୍ୟ କବିଙ୍କୁ ମୁଗ୍‍ଧ କରିଛି । (୨୭-୧୧) ଅନ୍ୟ ପକ୍ଷରେ କୁଳଟାମାନେ ଗୃହପତି ତ୍ୟାଗ କରି (୧୮-୨୫) ନିଶାଭିସାରୀ ହୋଇ (୧୪- ୨୧) ବେଳେ ବେଳେ ବନରେ ବିହାର କରନ୍ତି । ନାରୀଜାତି ମଧ୍ୟରେ ବାରନାରୀ (୧୪-୨୩), ସେହି ଅର୍ଥରେ ବାରବଧ (୧୩୧୭) ଆଉ ଗୋଟିଏ ବିଭାଗ । ପରପୁରୁଷକୁ ଆକୃଷ୍ଟ କରିବା ସେମାନଙ୍କର କାର୍ଯ୍ୟ । ସେଥିପାଇଁ ସେମାନେ ସନ୍ଧ୍ୟାକାଳରେ ନିଧୁବନ ଆଶାରେ ଅନୁରାଗବତୀ ହୋଇ ଅଙ୍ଗକୁ ସଜ୍ଜିତ କରି ଠିଆ ହୁଅନ୍ତି । ( ୧୩–୧୭) ସେମାନଙ୍କ ପୁରକୁ ଯିବା ସମାଜରେ ନିଷିଦ୍ଧ କର୍ମରୂପେ ବିବେଚିତ ହେଉଥିଲେ ହେଁ ଅନେକ ଏହି ଦୃଷଣକୁ ଭୂଷଣ କରିଥାନ୍ତି । (୧୪-୨୮) । ସେଥିପାଇଁ ସେମାନଙ୍କୁ ସଖୀମାନଙ୍କ ଦ୍ଵାରା ତିରସ୍କୃତ ହେବାକୁ ପଡ଼େ (୧୪- ୨୫) ବେଳେ ବେଳେ ସେମାନଙ୍କ ଗାଲରେ ଲାଗିଥିବା ଚନ୍ଦନ କଜ୍ଜଳ ଚୂନ କଳାଦାଗ ପର ବିକୃତି ଦେଖାଯାଏ ( ୧୪-୨୯) । ନାରୀମାନଙ୍କ ମଧ୍ୟରେ ସବୁଠାରୁ ଦୁଃଖିନୀ ହେଉଛି କାନ୍ତ-ହତକାନ୍ତା (୧୫-୭) ବା କାନ୍ତରହିତ-କାନ୍ତା (୧୫୪) । ଏମାନଙ୍କୁ ବିଯୋଗିନୀ (୧୬- ୨୫) ବା ବିରହିଣୀ (୧୨-୨୩) କୁହାଯାଏ । ଯେଉଁମାନଙ୍କର ସ୍ୱାମୀ ଚିରଦିନ ପାଇଁ ଚାଲିଯାଏ, ସେମାନଙ୍କର ଆଶା ଭରସା ଲୋପ ପାଇଯାଏ । ସେଥିପାଇଁ ସେମାନେ ବେଶ ଅନ୍ତକରି (୧୫-୪) ମୁହଁମାଡ଼ି (ହୃଦରେ) ଶୋଇ ରହନ୍ତି (୧୫୭) । ବିରହ ବେଦନା ଅତ୍ୟଧିକ ହେଲେ ଅନଳରେ ଝାସ ଦେଇ ସ୍ୱାମୀ-ପଥଗାମୀ ହୁଅନ୍ତି । ଅନଳରେ ଝାସ ଦେବା ଉଲ୍ଲେଖରୁ କବି ସତୀଦାହ ପ୍ରଥା ପ୍ରତି ସଙ୍କେତ କରିଥିବା ଅନୁମାନ କରାଯାଇ ପାରେ ( ୨୬-୩) ।

 

ସମାଜରେ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ କବି ପ୍ରଭୁ, କରଣ, ସାମନ୍ତ ଓ ବଡ଼ଲୋକ ଭାବେ ଉଲ୍ଲେଖ କରିଛନ୍ତି । ସାଧାରଣତଃ କ୍ଷମତା ଓ ଧନ-ପ୍ରଭୁତ୍ୱ ବା ବଡ଼ଲୋକିର (୩୨- ୨୩) ମାପକାଠି ହେଲେହେଁ ସେବକ ବତ୍ସଳତା (୩୨-୭) ଓ ପରୋପକାରିତା (୩୨-୩୧) ଗୁଣ ସେମାନଙ୍କର ସମ୍ମାନ ବୃଦ୍ଧି କରେ । ପ୍ରଭୁ ଶବ୍ଦ ଅତି ବ୍ୟାପକ । ଭଗବାନ୍ ଓ ନରପତି ମଧ୍ୟ ପ୍ରଭୁ । ଏମାନଙ୍କର ବିଚାର ଅତି ବିଚିତ୍ର । ବହୁଭାବରେ ସମ୍ମାନିତ ହେଉଥିବା ସେବକ ଅକାରଣରେ ଦଣ୍ଡିତ ବି ହୋଇଥାଏ । (୨୬-୮) । ସେତେବେଳେ ସେବକଙ୍କର ସବୁପ୍ରକାର ବିନୟ, ଅନୁନୟ ବିଫଳ ହୁଏ ( ୨୬୮) । ସେହି ସମୟର ଅସହାୟ ଅବସ୍ଥାକୁ ଲକ୍ଷ୍ୟ କରି କବି କହିଛନ୍ତି-

 

“କୃପା କଲା ଲୋକ ନୋହିବ ବିବେକ ଆପଣା ଲୋକରେ ଯେବେ

କାକୁସ୍ଥେ କହିବା ପରେ କୁହାଇବ କଉଁ କାର୍ଯ୍ୟ ହେବ ତେବେ ସେ

କଥା କଡାକରେ ଲେଖା ନୁହେଁ,

କେତେ ଅଧର୍ଯ୍ୟ ମାତ୍ରକ ରହେ ସେ ?” ୩୩-୨୭

 

କର୍ତ୍ତା ବା ପ୍ରଭୁର ସେବକିବତ୍ସଳତା ଗୁଣ ଯୋଗୁଁ ସେ ଯେ ଲୋକମଧେ ଗଣିତା ହୁଏ (୩୨–୭) ତାହା ନୁହେଁ, ସେବକର ସମ୍ମାନ ମଧ୍ୟ ବୃଦ୍ଧି ପାଏ । (୩୨–୧୦) ସେବକ ପ୍ରତି ଅବେଭାର ବା ଦଣ୍ଡ ଦେଲେ ସେବକର ସାହା ହେବା ପାଇଁ କେହି ନଥାନ୍ତି (୨୬-୮) ଦଣ୍ଡ ପ୍ରତ୍ୟାହାର କରିନେବା ପାଇଁ ପ୍ରଭୁହିଁ ସମର୍ଥ । ସାଧାରଣତଃ ସେମାନେ କହିବା କଥା ଅନ୍ୟଥା କରୁ ନଥିଲେହେଁ (୩୨-୯) ସେମାନଙ୍କୁ ବିଶ୍ୱାସ ପାଏ ନାହିଁ (୨୬–୧୬) । ସେମାନଙ୍କର ଅବେଭାର ଅବିଚାର ଓ ଅବିବେକପଣକୁ ସେ ନୀତିମନ୍ତ ବିଚକ୍ଷଣମାନେ ଆଲୋଚନା କରିବେ (୩୨-୧୮), ଏହି କଥା ଭାବି ସେବକ ଆଶ୍ୱସ୍ତ ହୁଏ । କୁ-କର୍ମ ପାଇଁ ସେମାନଙ୍କ ପୁଅମାନେ ମଧ୍ୟ ନିନ୍ଦିତ ହୋଇଥାନ୍ତି (୨୨ -୩୨) ।

 

ସାମନ୍ତ କୃପଣ ହେଲେ ଓ ସେବକ ଲୋଭୀ ହେଲେ ସେବକର ଦୁର୍ଦ୍ଦଶା ଆହୁରି ବୃଦ୍ଧି ପାଏ (୧୫-୪) । ସେ କେବଳ ଆଶାରେ ବଞ୍ଚି ରହେ । ସମାଜରେ ଧନ ସଞ୍ଚୟ କରିବା (୧୫-୯) | କୃପଣର ସ୍ୱାଭାବିକ ଧର୍ମ । ମାଗିବା ବ୍ୟକ୍ତିକୁ ପଇସାଟିଏ ବି ଦିଏ ନାହିଁ (୮-୨୬) । ଧନ ହେଉଛି କୃପଣର ଜୀବନ । ଅଭୁତପଦାର୍ଥ ଦର୍ଶନରେ ତା’ ଚିତ୍ତ ଚକିତ ହୁଏ ନାହିଁ (୧୬-୨୫)-। ଏତେ ଧନ ସତ୍ତ୍ୱେ ଲୋକରେ ତା’ର ନିନ୍ଦା । ସେ ସଞ୍ଚିତ ଧନକୁ ଭୋଗ କରି ନ ପାରିଲେ ଲୋକେ ଆନନ୍ଦିତ ହୁଅନ୍ତି (୨୨-୨୦) ।

 

ସମାଜରୁ ସାହୁକାରମାନଙ୍କ ମହାଜନୀ କାରବାର କବିଙ୍କୁ କାବ୍ୟର ଉପାଦାନରୂପେ ସାହାଯ୍ୟ କରିଛି । ରସକଲ୍ଲୋଳରେ ପ୍ରଯୁକ୍ତ ସାହୁ, ଖାତକ, [୨୩-୧୪ କଲେ ଗୁଣେ ସେ ଦୁଇଗୁଣ କରି ଦିଅଇ (୨୩-୧୪) । କଳନ୍ତରଲୋଭେ ଗଲାମୂଳ (୩୩-୨୦) ପ୍ରଭୃତି ପ୍ରୟୋଗ ଏହାର ଦୃଷ୍ଟାନ୍ତ । ଏଥିରୁ ସେତେବେଳେ ମଧ୍ୟ ସାହୁକାର ମୂଳଧନ ଖଟାଇ ସମୂଳ ସୁଧ ଓ ଚକ୍ର ବୃଦ୍ଧି ସୁଧ ଆଦାୟ କରୁଥିବା ପ୍ରମାଣ ମିଳୁଛି ।

 

ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କର ସହାୟକରୂପେ ରସକଲ୍ଲୋଳରେ ପୁରୁଷଜାତି ମଧ୍ୟରୁ ସଖା (୧୨୩) । ମିତ (୯-୧୫) ମିତ୍ର (୧୧-୧୨). ଦାସ (୧୩-୨୮), କୋୟର (୭-୧୭) ଓ ସେବକ (୧୫-୪), କିଙ୍କର (୧୨-୫), ପୁଣି ନାରୀ ମଧ୍ୟରୁ ସଖୀ (୫-୨୧), ସହୀ (୧୪-୨୬), ଦାସୀ (୭–୧୭) କିଣାଦାୟୀ (୨୧-୧୬), ପରିଚାରୀ (୩୨-୨୬), ଆଳୀ (୩୧–୧୫), ମିତଣୀ (୯–୧୪) ଧାଈ (୫-୬), ସଜନୀ (୧୬-୧୫) ଓ ଦୂତୀମାନଙ୍କୁ (୧୨-୨୯) ଦେଖିହୁଏ-। ଅନୁଗତ ହେବାହିଁ କିଣାଲୋକ (୩୦-୧୦) ବା କିଣା ଦାସର ଗୁଣ ।

 

ସମାଜର ଦଳିତ ବର୍ଗ ପ୍ରତି କବିଙ୍କ ଦୃଷ୍ଟିକୋଣର କେତୋଟି ପରିଚୟ ରସକଲ୍ଲୋଳରୁ ମିଳେ । ସେଥି ମଧ୍ୟରୁ ରଙ୍କର ଭୋଜନଲାଳସା (୭-୨୭), କୁଟୁମ୍ୱୀ ଦୀନଜନର ଦୁର୍ଦ୍ଦଶା (୧୫–୨) ମହାଦରିଦ୍ରର କୋଟିନିଧ ପ୍ରାପ୍ତି (୨୩-୧) ଓ ଦରିଦ୍ରାଣୀର ଭେକ (୩୨-୩୧) ଅନ୍ଧ ଓ କାଲ (୮-୭) ଓ ମୂକ (୨୧-୧୫)ର ଅପାରଗତା, ମାଗତାର ଦୁର୍ଦ୍ଦଶା (୮- ୨୬) ବିଶେଷଭାବେ ଉଲ୍ଲେଖନୀୟ ।

 

ସମାଜରେ ପ୍ରଚଳିତ ବିଭିନ୍ନ ଲୋକାଚାର ମଧ୍ୟରୁ ରସକଲ୍ଲୋଳର କବି ଜାତବିଧି, ନାମକରଣ ଉତ୍ସବ ବ୍ରତ ଓ କନ୍ୟାଦାନ (୨-୮) ବିବାହର ଉଲ୍ଲେଖ କରିଛନ୍ତି । ଏସବୁ ବିଧିବିଧାନ ଲୋକେ ଆନନ୍ଦରେ ପାଳନ କରନ୍ତି । ଗୀତ ଓ ନୃତ୍ୟରେ ପୁର ପରିପୂର୍ଣ୍ଣ ହୁଏ । ଦୀପାବଳୀ, ଚନ୍ଦ୍ରାତପ, କର୍ପୂର ଚନ୍ଦନଛଟା ପ୍ରଭୃତିଦ୍ୱାରା ଗୃହ ସୁସଜ୍ଜିତ ହୁଏ । କବି ଦୀନକୃଷ୍ଣ ସୂତଗୃହ-ବିଧାନ ମଧ୍ୟରୁ କନ୍ୟାଖମ୍ବରେ ଦୋଳି ଖଟାଇ, ତା’ ଉପରେ କୁମାରଙ୍କୁ ଶୁଆଇ ହୁଳହୁଳି ଦେବା ପ୍ରଥାକୁ ଉଲ୍ଲେଖ କରିଛନ୍ତି (୨-୧୮) । ନାମକରଣ ଉତ୍ସବ ମଧ୍ୟ ବ୍ରାହ୍ମଣମାନଙ୍କର ଆଗମନ, ନୃତ୍ୟକାରର ନୃତ୍ୟ, ବନ୍ଦିଗଣଙ୍କର କୟୋବାର ଓ ଆଭରଣ ଦଣ୍ଡ-କମଣ୍ଡଳୁ ଧାରଣ କରିଥିବା ବ୍ରହ୍ମଚାରୀ ବ୍ରାହ୍ମଣ ବାଳକକୁ କବି ଲକ୍ଷ୍ୟ କରିଥିବା ମନେହୁଏ । ବ୍ରତ ପରି ବିବାହବିଧିକୁ କବି କେବଳ ଆସ୍‍ମାନରୂପେ ଗ୍ରହଣ କରିଛନ୍ତି । ଲୋକେ ବରବେଶ ହେଲାବେଳେ ଅଙ୍ଗରେ କୁଙ୍କୁମ ଲେପନ କରି, ତାମ୍ବୁଳ ସେବନ କରି, କପାଳରେ ଚିତା ଧାରଣ କରନ୍ତି (୧୪- ୨) । ସ୍ଵୟମ୍ବର କାଳରେ ଲୋକେ କଦଳୀ ବୃକ୍ଷ ରୋପଣ କରି, ମଙ୍ଗଳକୁମ୍ଭ ସ୍ଥାପି, ଗନ୍ଧସାର, ପୀତବାସ, ଆସନ, ପତ୍ରାବଳୀ, ପୁଷ୍ପବୃଷ୍ଟି ଶ୍ରୀଫଳ ଓ ଫୁଲମାଳଦ୍ଵାରା ବରକୁ ବରଣ କରିଥାନ୍ତି । (୬-୩୦, ୩୧, ୩୨) ।

 

ଲୋକାଚାରର ବିଭିନ୍ନ ବିଧିବିଧାନ ପରି ଶିଷ୍ଟାଚାର ପ୍ରଦର୍ଶନର ବିଭିନ୍ନ ରୀତିନୀତିରୁ ସାମାଜିକ ସ୍ତର ନିର୍ଣ୍ଣୀତ ହୁଏ । ସମାଜରେ ସାକ୍ଷାତ, ବିଦାୟ, ଅନୁନୟ, ଅନୁରୋଧ, କୃତଜ୍ଞତା ତଥା ଦୁଃଖ ପ୍ରକାଶ ପାଇଁ ବିଭିନ୍ନ ଚଳଣି ରହିଛି ।

 

ରସକଲ୍ଲୋଳର ବହୁ ପ୍ରସଙ୍ଗରେ ସମାଜର ଏସବୁ ନୀତି, ନିୟମ ପ୍ରତି କବି ସଚେତନ ଥିବା ଜଣାଯାଏ । ଗୁରୁଜନମାନଙ୍କ ସହ ଭେଟ ହେବା ସମୟରେ ଲୋକେ ଓଳକି (୯-୬), ନମସ୍କାର (୧୫-୩୭), ଦଣ୍ଡବତ (୨୩-୨୯), ଅଥବା ଦଣ୍ଡପ୍ରଣାମ (୨୯-୩୭) ବା ଆଲିଙ୍ଗନ କରି (୨୫-୧୭) ବିନମ୍ରତା ଓ ସୌହାର୍ଦ୍ଦ୍ୟ ପ୍ରକାଶ କରୁଥିଲେ । ରାଜାଙ୍କ ଅନୁଚରମାନେ ବିଦାୟ (୨୫୯) ନେବା ଓ ଅପ୍ରାଧ ସ୍ୱୀକାର କରିବାବେଳେ କର ଦୁଇକୁ ଯୋଡ଼ି ଶିର (୧୫-୩) ଉପରେ ରଖୁଥିଲେ । ପିଠିଆଇ ମେଲାଣି ( ୨୬-୧୫) କଥା କହୁଥିଲେ । ବନ୍ଧୁମାନେ ସାଙ୍ଗମେଳରେ ଗଲାବେଳେ କରପଇଠ (୨୯-୨୫) ବା ହାତ ଧରାଧରି ହୋଇ ସମୟ ସମୟରେ କାନ୍ଧରେ ହାତ ପକାଇ (୨୭-୩୯) ଯାଉଥିଲେ । କୃତଜ୍ଞତା ଜଣାଇବାପାଇଁ ଲୋକେ-କୃତାର୍ଥ ହେଲି (୧୬୧୩), କୃତାର୍ଥ କଲୁ (୭-୨୧), କିଣିଲା ପ୍ରାଣୀ ହେଲି ତୁମ୍ଭର (୧୬-୧୩) ।

 

୧-କୋୟର ହୋଇଲି (୭-୧୭) ପ୍ରଭୃତି ଉକ୍ତି କହୁଥିଲେ । ଆଦରସୂଚକ ଉକ୍ତିଭାବେ ପ୍ରାଣ ତୁ ମୋର (୧୬-୧୭), ପ୍ରାଣଧନ (୧୧-୬୪), କଣ୍ଠ-ମୁକୁତାମାଳି ( ୧୧-୬୫) ସୁଖଦାତା (୧୧-୬୫) କଳାଡୋଳା-ପ୍ରତିମା (୧୧-୬୬) ଓ ପ୍ରାଣମଣି (୧୧-୬୬) ପ୍ରଭୃତିର ପ୍ରଚଳନ ଥିଲା । କଷ୍ଟ ଦେଖି ଲୋକେ ଲୁଚି ଯାଇକିନା (୫-୬) କହୁଥିଲେ ।

 

ଅତିଥିଙ୍କ ସମ୍ମାନ ପାଇଁ ସେମାନଙ୍କ ପାଦଧୌତ କରି ପାଦୋଦକ ପାନ କରିବା (୨୯-୪୭), କୋମଳ ବସନରେ ପାଦ ପୋଛି ଦେବା (୨୯-୪୭), ଆସନ ପ୍ରଦାନ କରିବା (୩-୨ ୨) ପ୍ରଭୃତି ବିଧି ପ୍ରଚଳିତ ଥିଲା । ଲୋକେ ବନ୍ଦାପନା କରି ସେମାନଙ୍କର ସ୍ୱାଗତ ମଧ୍ୟ କରୁଥିଲେ (୩୦-୨୨) ।

 

ଆଦର ଓ ଅଭ୍ୟର୍ଥନା ପରି ଗାଳିଦେବା ବା ନିନ୍ଦା କରିବାର ବହୁ ଦୃଷ୍ଟାନ୍ତ ରସକଲ୍ଲୋଳରେ ସଞ୍ଚିତହୋଇ ରହିଛି । ବଦନପୋଡ଼ା (୧୬-୧୭), ଘରବୁଡ଼ା (୧୨୧-୧୭) ଜିଭରେ କସ୍ତୁରୀ (୧୬୨୩), କୁଟିଳ ଦୁଷ୍ଟ, ବଂଶ-ନିବଂଶ ହେବା (୧୬-୨୧) ମୁହଁରେ ନିଆଁ (୧୬-୨୧) ନାସ୍ତିକ, ମହାପାପୀ ଓ ଅବିବେକ, (୨–୧୩) ପ୍ରଭୃତି ଅପଶବ୍ଦ ଯେ ବିରୋଧୀ, ଶତ୍ରୁ ବା ନିନ୍ଦୁକମାନଙ୍କ ପ୍ରତି ପ୍ରଯୁକ୍ତ ହେଉଥିଲା, ଏହା ରସକଲ୍ଲୋଳର ବହୁ ଉଲ୍ଲେଖରୁ ପ୍ରମାଣିତ ହୋଇଥାଏ । କୁଟିଳ ବଚନ ମନରୁ ଶୀଘ୍ର ପାସୋର ଯାଏ ନାହିଁ । (୩୨-୧୭) । ଚାଳକ କଥାରୁ କଳହ ବୃଦ୍ଧି ପାଇଁ ଯେ କେବଳ ଦ୍ଵନ୍ଦ ଯୁଦ୍ଧରେ ପରିଣତ ହେଉଥିଲା ତାହା ନୁହେଁ (୨୮-୧୩) ଏହା ଜୀବନ ନାଶର ଅନ୍ୟତମ କାରଣ (୨୫-୫) । ପର ନିନ୍ଦାକୁ ଜୀବନର ବ୍ରତରୂପେ ଗ୍ରହଣ କରିଥିବା ଲୋକଙ୍କୁ କବି ନାସ୍ତିକ ଆଖ୍ୟା ଦେଇଛନ୍ତି (୧୬- ୨୨) । ଯେତେ ପ୍ରକାର ବୁଝାଇ କହିଲେ ମଧ୍ୟ ସେମାନଙ୍କର କୁ-ବୁଦ୍ଧି ସୁ-ବୁଦ୍ଧି ହୁଏନାହିଁ (୧୬-୨୩) । କୃଷ୍ଣ କଥାର ନିନ୍ଦୁକମାନଙ୍କ ପ୍ରତି କବି ନିଜେ ମଧ୍ୟ ଅତିନିଷ୍ଠୁର । ବାରମ୍ବାର ସେମାନଙ୍କ ଉଦ୍ଦେଶ୍ୟରେ ସେ ଗାଳି ବର୍ଷଣ କରିଛନ୍ତି ।

 

ସୁଖରେ କାଳ ଯାପନ କରିବା ପାଇଁ ଲୋକେ ବିଭିନ୍ନ ପ୍ରକାର ଅଳଙ୍କାର, ବିଭିନ୍ନ ପ୍ରକାର ବସ୍ତ୍ର ଓ ପ୍ରସାଧନର ବ୍ୟବହାର କରିଥାନ୍ତି । ଏ ସବୁ ଧାରଣ କଲେ କେବଳ ଯେ ଅଙ୍ଗର ଶୋଭା ବୃଦ୍ଧି ପାଏ, ତାହା ନୁହେଁ, ମନ ମଧ୍ୟ ପ୍ରଫୁଲ୍ଲ ହୁଏ । ଦେଖିବା ଲୋକର ମନରେ ଆନନ୍ଦ ଜାତ ହୁଏ, ଅଙ୍ଗ ପୁଲକିତ ହୁଏ । ଅଳଙ୍କାର ଧାରଣର ମୂଳ ଲକ୍ଷ୍ୟ ହେଲା ଆନନ୍ଦ ଓ ଆନନ୍ଦ ପ୍ରଦାନ । ଏହା କରି ନପାରିଲେ ଏହା ମୂଲ୍ୟହୀନ, ରସକଲ୍ଲୋଳକାର ଜଗନ୍ନାଥ ଶ୍ରୀକୃଷ୍ଣ, ଗୋପୀ, କୁବ୍‍ଜା ଓ ପୂତନାର ରୂପବର୍ଣ୍ଣନା କଲାବେଳେ ବହୁପ୍ରକାର ଅଳଙ୍କାରର ଉଲ୍ଲେଖ କରିଛନ୍ତି । ଏ ସବୁ ଦୀନକୃଷ୍ଣଙ୍କ ସମକାଳୀନ ସମାଜର ଅଳଙ୍କାରପ୍ରିୟତା ତଥା ବିଳାସୀ ମନୋବୃତ୍ତିର ପରିଚାୟକ ।

 

ଜଗନ୍ନାଥଙ୍କ ବର୍ଣ୍ଣନା କଲାବେଳେ କବି ଶିରରୁ କଟି ପର୍ଯ୍ୟନ୍ତ ଶରୀରର ବିଭିନ୍ନ ଅଙ୍ଗ ପାଇଁ ବିଭିନ୍ନ ଅଳଙ୍କାରର ଉଲ୍ଲେଖ କରିଛନ୍ତି । ସେ ଶିରରେ ଦିବ୍ୟଚୂଳ (୨୪-୧୯), କପାଳରେ ରାହୁରେଖା (୧୪) କଣ୍ଠରେ ମକରକୁଣ୍ଡଳ (୧-୬), କଣ୍ଡରେ କଉସ୍ତୁଭମଣି (୧-୭) ଶାର୍ଦ୍ଦୂଳନଖ (୨୪-୧୮), କଣ୍ଠିମାଳ (୧୨ -୩୦), (କଣ୍ଠିମାଳା), ମୁକୁତା ମାଳି (୧୩-୩୨), ହୃଦରେ ପଦକ (୧-୬) କରରେ କଚଟି (୨୪-୧୮), ବାହୁଟୀ (୧-୬) କଟିରେ କିଙ୍କିଣୀ (୧-୧୧) ଓ ଓଢିଆଣୀ (୬୪-୧୮) ସମସ୍ତ ଶରୀରରେ କଳାପୀ କଳାପ (୧-୯) ଗ୍ରହଣ କରୁଥିଲେ । ଶ୍ରୀକୃଷ୍ଣ ମଧ୍ୟ ବିଭିନ୍ନ ଅଳଙ୍କାରରେ ନିଜକୁ ସଜ୍ଜିତ କରୁଥିଲେ । ତାଙ୍କ କପାଳରେ ଗୁଞ୍ଜରା ମୁଣ୍ଡମାଳି (୬୨୦) । କର୍ଣ୍ଣରେ ମକରକୁଣ୍ଡଳ (୨-୬, ୬-୨୧, ୧୩-୬) କଣ୍ଠରେ କାଇଁଚ (୧୮-୨୫) ମୋତି (୧୪-୧୯) ଓ ମୁକୁତା (୧୪-୩୪) ନିର୍ମିତ ହାର (ସେହି ଅର୍ଥରେ ମାଳ ୧୫ – ୨୮, ମାଳା ୨୨-୨୨ ଓ କଣ୍ଠଭୂଷଣ ୬-୩), କଉସ୍ତୂଭମଣି (୨-୫), ନାସାରେ ମୋତି (୬-୨୧) ବା ମୋତିବର (୨୮-୩, କରରେ କଙ୍କଣ (୨-୬) ଓ ବାହୁଟୀ (୨୮-୬), ବେଳେ ବେଳେ । କାଇଁଶ-ନିର୍ମିତ କଙ୍କଣ (୨୧-୨ ୧), କଟିରେ କଙ୍କିଣୀ (୫- ୨), କଞ୍ଚିମାଳା ( ୨୮-୬) ଓ । ପାଦରେ ନୂପୁର (୨୬) ଓ ପାଦୁକା (୨୫-୧୭) ରହି ଗୋପୀମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଉଥିଲା ।

 

ଭାରତୀୟ ନାରୀର ଅଳଙ୍କାରପ୍ରିୟତା ସର୍ବବିଦିତ । ରସକଲ୍ଲୋଳର ନାରୀମାନେ ପୁରୁଷଙ୍କ ଅପେକ୍ଷା ଅଧିକ ସଂଖ୍ୟାରେ ଅଳଙ୍କାର ବ୍ୟବହାର କରିଛନ୍ତି । ସେମାନେ କପାଳରେ ଝିଲିମିଲି (୧୭-୧୬) ଝଲକମାଳୀ (୧୮-୧୩), କଳଧଉତ ପତ୍ର ଖଞ୍ଜିତ ଝୁମ୍ପା (୧୮-୧୨), କର୍ଣ୍ଣରେ ତାଟଙ୍କ (୪-୫), ମକରକୁଣ୍ଡଳ (୨୮-୪) ଭ୍ରମରୀ ଫୁଲ (୪-୫) ଓ କୁଣ୍ଡଳ, ଦର୍ପଣଝଲକ (୧୮-୨୦) ନାସାରେ ମୋତି (୧୮- ୨୧) ମୋତିମଣି ବା ନାସା ଆଭରଣ (୧୩-୪) କଣ୍ଠରେ ମୋତି, ଗଜମୋତି (୧୮- ୨୪) ମୁକ୍ତ ଅଥବା ମଘବା-ମଣିମାଳ (୩-୪୬) ମର୍କତନିର୍ମିତ ହାର (୨ – ୩) ନକ୍ଷତ୍ର ମାଳି (୧୭-୨୮) କଟିରେ କାଞ୍ଚିମାଳା (୩-୨୭) ଓ କିଙ୍କିଣୀ (୮-୪) ହାତରେ ତାଡ଼ (୪-୯), ଚୂଡ଼ି (୪-୯) କଡ଼ିଆଳୀ (୪-୯), ଡଉଁରିଆ (୪-୧୦), କଟକ (୧୯-୧) ବାହୁରେ କଙ୍କଣ (୩୪-୪), ପାଦରେ ହଂସକ (୩-୧୬), କ୍ୱଣିତ ପାହୁଡ଼ (୪-୯) ବାଜେଣି ନୂପୁର (୧୮-୪), କେୟୂର (୩୪-୪), ବଳା (୧୮-୨୭) ଓ ଘାଗୁଡ଼ି (୧୮-୨୭) ପ୍ରଭୃତି ଅଳଙ୍କାର ପିନ୍ଧୁଥିଲେ ।

 

ଅଳଙ୍କାର ପରି ବସ୍ତ୍ର ମଧ୍ୟ ପୁରୁଷ ବା ନାରୀର ଶୋଭା ବୃଦ୍ଧି କରିବାରେ ସାହାଯ୍ୟ କରେ । ରସକଲ୍ଲୋଳରେ ବସ୍ତ୍ର ପାଇଁ, ଅମ୍ବର (୧୫-୨୪) ବସନ (୫–୨୮) ବାସ (୧୫–୨୦) ନାଟ, (୧୫-୩୦) ଦୁକୂଳ (୧୪-୧୪) ଶବ୍ଦ ବ୍ୟବହୃତ ହେଉଥିଲା । ନାରୀମାନେ ଶାଢ଼ି, ପାଟ, ନାଟ ଓ ବାସ ପିନ୍ଧୁଥିଲେ । ନାରୀଙ୍କ ବାସ ମଧ୍ୟରୁ କଳାମେଘୀ ଶାଢ଼ି (୪-୧୦) ଓ ରଙ୍ଗଶାଢ଼ିର (୮-୨୩) । ଉଲ୍ଲେଖ ଅଛି । ବକ୍ଷୋଜର ଆବରଣରୂପେ ‘ରଙ୍ଗ କିତପା କାଞ୍ଚୁଲୀ (୧୮-୨୩)ର ପ୍ରଚଳନ ଥିଲା-। ପିଲାମାନେ କାଛା ବିଶେଷକରି କୌଷେୟ କାଛା ପିନ୍ଧୁଥିବା ଜଣାଯାଏ । ଶୀତଦିନେ ଶରୀର ପାଇଁ କଉଷେୟ କଉପ (୧୧-୩୯) ଓ ଶିର ପାଇଁ ପଦନୀପାଗ ଲାଞ୍ଜି (୨୮-୬) ମୁକୁଟ (୨-୬) ଶିରତ୍ରାଣ (୧୧-୩୯) ଓ ଉଷ୍ଣୀକ୍ଷ (୨୫-୧୪)ର ଉଲ୍ଲେଖ ମିଳେ । ଉତ୍ତରୀ (୬-୨୩)ର ବ୍ୟବହାର ମଧ୍ୟ ଥିଲା ।

 

ଅଙ୍ଗର ଶୋଭା ସମ୍ପାଦନ କରିବା ପାଇଁ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ବ୍ୟବହୃତ ହୋଇଥାଏ । ରସକଲ୍ଲୋଳର ନାରୀ ଓ ପୁରୁଷ ଉଭୟ ପ୍ରସାଧାନୀରେ ଆଗ୍ରହ ପ୍ରକାଶ କରିଛନ୍ତି । ତେବେ ନାରୀମାନେ କପାଳରେ ଚିତା (୧୮-୧୭), ଗନ୍ଧତିଳକ (୧୮-୧୬), କସ୍ତୂରୀ (୫–୮) ଓ ଗୋରୋଚନାର ତିଳକ (୨୮-୨) ନେତ୍ରରେ ଆକଣ୍ଠଲମ୍ବିତ ଓ କଜ୍ୱଳ ୩-୭) କଣ୍ଠ ଦେଶରେ କୁରଙ୍ଗମଦ-ମକରୀ (୧୯-୩୦) ବକ୍ଷଦେଶରେ କର୍ପୂର ଓ ଚନ୍ଦନର ପତ୍ରାବଳୀ (୧୯୩୦), ଶରୀରରେ କୁଙ୍କୁମ (୧୪-୨୪), ଓଷ୍ଠରେ ତାମୂଳବୋଳ (୪-୬) ଓ ପାଦରେ ଅଳତା (୧୪- ୨୪) ଲଗାଇ ପୁରୁଷର ମନ ହରଣ କରୁଥିଲେ । ସିନ୍ଦୂରଚିତା ଓ ମଣ୍ଡଳାକାର ଚିତା (୪-୪) । ପ୍ରତ୍ୟେକଟିର ସୌନ୍ଦର୍ଯ୍ୟରେ ଊର୍ଦ୍ଧ୍ୱରେତା ହତଚେତା ହୁଏ । କେବଳ ସିନ୍ଦୂର ନୁହେଁ, ପ୍ରତ୍ୟେକ ପ୍ରସାଧନ ମନ ତରଳାଇବା ପାଇଁ ଉଦ୍ଦିଷ୍ଟ ।

 

କନକନିଭ ପତନୀ ପାଗଲାଞ୍ଜି ମହୀରେ ଯାଉଛି ଲୋଟି ହେ । ରସକଲ୍ଲୋଳର କେଶବିନ୍ୟାସ ଶୈଳୀ ମଧ୍ୟ ବିଳାସିତାର ପରିଚୟ ଦିଏ । ବେଣୀ (୧୮-୯, କବରୀ (୩-୧୨), ଗଭା ( ୧୮୧୫) ବା ଗର୍ଭକ ୩୦-୬) ଜୁଡ଼ା (୧୮-୧୪) ଓ ଖୋସା (୪-୩) ପ୍ରସ୍ତୁତକରି ନାରୀମାନେ କେଶକୁ ସଜ୍ଜିତ କରନ୍ତି । ବିଭିନ୍ନ ପ୍ରକାର ଫୁଲ ଏହାର ଶୋଭାକୁ ଆହୁରି ବୃଦ୍ଧି କରେ (୧୯୨୯) । କେଶକୁ ଚିକଣ କରିବାପାଇଁ ଅୟେଁଳା ତେଲର ବ୍ୟବହୃତ ହେଉଥିଲା । ବିଭିନ୍ନ ପ୍ରକାରର ଜୁଡ଼ା ମଧ୍ୟରୁ ଲୋଟଣୀ ଜୁଡ଼ା (୧୮-୧୪)ର ଉଲ୍ଲେଖ କବି କରିଛନ୍ତି । ଏହା କୃକାଟିକା ପର୍ଯ୍ୟନ୍ତ ଲମ୍ବିତ ହୋଇଥାଏ । ଗଭା ବାନ୍ଧିବାରେ ନାରୀର ଚାତୁର୍ଯ୍ୟ ପ୍ରକାଶ ପାଏ (୧୮-୧୫) ।

 

ସମାଜରେ ଆମିଷ (୨୪-୨୪) ଓ ନିରାମିଷ (୨୪-୨୪) ଭୋଜନରେ ବ୍ୟବସ୍ଥା ଥିବା ଜଣାଯାଏ । ଖାଦ୍ୟ ମଧ୍ୟରୁ କବି ଦିବ୍ୟଅନ୍ନ (୫–୨୯) ଦଧି, ଦୁଧ, ସର (୫-୧୬) ଲବଣୀ, (୫-୨୩) ଗୁଡ଼, (୨୬-୨୧) ଶାକର (୩୪-୨୯) ଓ ଇକ୍ଷୁରସ (୮- ୨୩) ପ୍ରଭୃତିର ଉଲ୍ଲେଖ କରିଛନ୍ତି । ଫଳ ମଧ୍ୟରୁ ପୟପେଟି (୮-୨୪) କାଣୁକୀଫଳ (୮- ୨୩) ଲେମ୍ବୁ, ରସୁଣ ପ୍ରଭୃତିର ସୂଚନା ମିଳେ । ଗ୍ରୀଷ୍ମଦିନେ ଧନୀ ଲୋକମାନେ ଜଳଛତ୍ର (୧୫-୯)ର ବ୍ୟବସ୍ଥା କରୁଥିଲେ ।

 

ରସକଲ୍ଲୋଳର ସାଜସଜ୍ଜାସୂଚକ ଶବ୍ଦାବଳୀରୁ ଗୃହ ଓ ନଗରର ସାଜସଜା ପ୍ରତି ଲୋକଙ୍କର ଆଗ୍ରହ ଥିବା ଜଣାଯାଏ । ନଗର ମଧ୍ୟରେ ସୁଧାଲୋପ ପୁର (୧୭-୧୦) ଧାରାମଣ୍ଡିତ ପୁର (୧୫-୯), ଅଗୁରୁଧୂପ ପୁର (୩-୮) ବଡ଼ଭୀପୁର (୨୭-୧୧) ସଙ୍ଗୀତମନ୍ଦିର (୯-୧୬) ନାଟମନ୍ଦିର (୯-୨), କ୍ରୀଡ଼ାମନ୍ଦିର (୨୫-୨୨), କୃତ୍ରିମବନ (୨୭-୩୬) କୁସୁମ ତୋଟା (୭-୩), କୁଞ୍ଜକାନନ (୭-୩) କ୍ରୀଡ଼ା କୁଞ୍ଜ ( ୨୯–୧୬) କୁଞ୍ଜକୁଟୀର ବା କ୍ରୀଡ଼ାକୁଞ୍ଜ ମଧ୍ୟରେ ଥିବା ନିକେତନ (୨୯–୧୬) ବିନୋଦଠାବ ( ୨୯-୫୩), ଜଳକ୍ରୀଡ଼ା (୯-୮) ବା ନୌକାବିହାର ପାଇଁ ପ୍ରଶସ୍ତ ସରୋବର (୮-୨୦) ରହି ଏହାର ଶୋଭା ବୃଦ୍ଧି କରୁଥିଲେ । ଗୃହସବୁକୁ ସୁବାସିତ କରିବାପାଇଁ କନକପାତ୍ରମାନଙ୍କରେ ଅଗୁରୁ ଧୂପ (୨୯-୩୦) ଓ ଆଲୋକିତ କରିବା ପାଇଁ ସୁବର୍ଣ୍ଣଦୀପ (୨୯-୩୦) ସବୁ ଜାଳୁଥିଲେ । ଘରସବୁ କମନୀୟ ଚନ୍ଦ୍ରାତାପ, ପାଟ ଓ ପତନୀ (୨୯-୨୭) ଦ୍ଵାରା ସଜିତ ହେଉଥିଲା । କଳା କନାରେ ତିଆରି ହୋଇଥିବା ଚନ୍ଦ୍ରାତପର ମଧ୍ୟଭାଗରେ ଚନ୍ଦ୍ରପରି ରଜତ ଓ ନକ୍ଷତ୍ର ପରି ଚାନ୍ଦି ଦର୍ପଣ ଓ ଫୁଲଚାମର (୨୯– ୨୭) ସବୁ ରହି ଏହାର ଶୋଭାବୃଦ୍ଧି କରୁଥିଲେ । କାନ୍ଥମାନଙ୍କରେ ସ୍ମିତବଦନା ନାରୀମାନଙ୍କର ଚିତ୍ର ପଟସବୁ ଶୋଭା ପାଉଥିଲେ । ଅତିଥିର ଆଗମନପଥରେ ରଙ୍ଗ ପାଟର ପାଏଡ଼ା ପକାଇ ଓ କର୍ପୂର ଚନ୍ଦନର ଛରା (୨୯-୨୯) ଦେଇ ଲୋକେ ଅତିଥିର ସ୍ଵାଗତ କରୁଥିଲେ । ପୁରମାନଙ୍କରେ ଥିବା ଜଳାବିବର (୨୭-୧୧), ମେଲା ଗବାକ୍ଷ (୨୭-୧୨) ଓ ଜଳକବାଟି (୨୭–୧୩), ମନ୍ଦିରଭେଦ (୧୧-୩୨) ଏହା ଗଠନ ପରିପାଟୀ ସମ୍ବନ୍ଧରେ ସଙ୍କେତ ଦିଏ । ଶଯ୍ୟା-ବିନ୍ୟାସରୁ ମଧ୍ୟ ସମାଜର ଉନ୍ନତ ତଥା ଆଭିଜାତ-ବର୍ଗର ଚିତ୍ର ମିଳେ । କରିଦନ୍ତ-ପଲ୍ୟଙ୍କ, ହଂସୁଲୀତୁଳି, ମୁଚୁଳୀ ଶେଜ ଉପରେ କୁସୁମପାଖୁଡ଼ାର ଖୋଲା ରତ୍ନବଟୀରେ କର୍ପୂର ଓ ତାମ୍ବୁଳ ଓ ଚତୁଃସମର ବ୍ୟବସ୍ଥା (୨୯-୨୯,୩୩) ଏହାର ପରିଚାୟକ ।

 

ସମାଜରେ ବସବାସ କରୁଥିବା ବହୁଜାତିର ଉଲ୍ଲେଖ ରସକଲ୍ଲୋଳରୁ ମିଳେ । ସମାଜରେ ଦୁଇଟି ବର୍ଗ । ସାମନ୍ତ ବା ନରପତିମାନେ ଅଭିଜାତ-ଶ୍ରେଣୀୟ । ଧନ ଓ କ୍ଷମତା ଯୋଗୁଁ ସେମାନେ ସମାଜରେ ପୂଜା ପାଆନ୍ତି । ସେମାନଙ୍କର ସେବାପାଇଁ ଲୋକେ ବିଭିନ୍ନ ପନ୍ଥା ଅବଲମ୍ବନ କରନ୍ତି ଓ ସେଇଥିରୁ ଗୋଟିଏ ଗୋଟିଏ ଜାତିର ସୃଷ୍ଟି । ରସକଲ୍ଲୋଳରେ ଥିବା ଶିଳ୍ପୀ (୭-୩), କାଚରା (୭-୬) ଶଙ୍ଖାରି (୭-୬) କଇବର୍ତ୍ତ (୭-୬), ଘଟୁଆଳ (କର୍ଣ୍ଣଧାର) (୭-୬), ମାଳାକାର, ଶଙ୍ଖୁଆ (୧୨ -୪), ବ୍ରାହ୍ମଣ (୧୪-୧୮) ଚିତ୍ରକାରକ (୧୬-୨୯), ବ୍ୟାଧ (୨୧-୨୪), କୁମ୍ଭକାର (୩୨-୨୭), କଥାପ୍ରସଙ୍ଗ ବା କେଳା ଜାୟାଜୀବ (୩-୨୫) ରଜକ (୨୭-୨୦), ଇନ୍ଦ୍ରଜାଲିକ (୨୭–୪) ଓ ଗନ୍ତାଇତ (୨୭–୨୭) ପ୍ରଭୃତି ଜାତି ସମସ୍ତେ ସେବକଶ୍ରେଣୀୟ । ଅଭିଜାତବର୍ଗକୁ ସୁଖ ଦେବା ଏମାନଙ୍କର କାର୍ଯ୍ୟ । ସେଥିପାଇଁ ପ୍ରତ୍ୟେକ ଜାତି ନିଜର କୁଳବେଉସାରେ ଜୀବିକା-ନିର୍ବାହ କରିବା ପାଇଁ କବି ପରାମର୍ଶ ଦେଇଛନ୍ତି ।

 

ରସକଲ୍ଲୋଳରେ ଉଲ୍ଲିଖିତ ବିଭିନ୍ନ ଜାତି ମଧ୍ୟରୁ କେବଳ କେତୋଟି ଜାତି ସମ୍ପର୍କରେ କବିଙ୍କର ଉକ୍ତି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ; କୃଷକମାନଙ୍କ ସମ୍ବନ୍ଧରେ କବି କହନ୍ତି ଯେ ସେମାନେ ବର୍ଷାକାଳର ଆରମ୍ଭରେ ଅର୍ଥାତ୍ ଆଷାଢ଼ ମାସରେ ଆନନ୍ଦମନରେ ଚାଷ କରନ୍ତି । ସେମାନଙ୍କ ଗୀତରେ ବିଲପାଟ ମୁଖରିତ ହୁଏ (୧୬-୧୬) । କୃଷିର ସୁରକ୍ଷା ପାଇଁ ସେମାନେ ଭିତ୍ତି ନିର୍ମାଣ କରନ୍ତି (୨୬-୫), କୃଷି କର୍ମର ଉପକରଣଭାବେ ଲଙ୍ଗଳ ଓ ଫାଳ ବ୍ୟବହୃତ ହୁଏ । (୨୩-୧୬) । କୃଷକମାନଙ୍କର ପରିଶ୍ରମ ତୁଳନାରେ ଲାଭ ହୁଏ ନାହିଁ (୧୭-୨୭) । ମାଳାକାରମାନେ କୁସୁମମାଳା ବିକ୍ରୟ କରି ଜୀବିକା-ନିର୍ବାହ କରୁଥିଲେହେଁ ଅନେକ ସମୟରେ ଫୁଲମାଳ ମୂଲାଇ ନେବାପାଇଁ ଲୋକ ମିଳନ୍ତି ନାହିଁ (୧୬-୨୭) । ଶିବପୂଜା ସେମାନଙ୍କର ଆଉ ଗୋଟିଏ ଜୀବିକା (୭-୩୬) ।

 

ଦେଶରେ କଷ୍ଟକାଳ ଉପସ୍ଥିତ ହେଲେ ସେଥିରୁ ଉଦ୍ଧାର ପାଇବାପାଇଁ ଲୋକେ ବୋଇତରେ ଅମ୍ବର-ଅଝାଲି ଉଡ଼ାଇ ବାଣିଜ୍ୟପାଇଁ ସମୁଦ୍ରପଥରେ ଯାତ୍ରା କରନ୍ତି । ଏପରି ବଣିକମାନଙ୍କର କୁଳଶୀଳବେଭାରର ବିଚାର ହୁଏ, ବାଣିଜ୍ୟରେ ସୁଖ ମିଳେ । ତେବେ ବତାସ ବା ଝଡ଼ ହେଲେ ସେମାନଙ୍କୁ ଦୁଃଖ ବି ଭୋଗ କରିବାକୁ ପଡ଼େ ( ୨୬-୧୨) ।

 

କଥାପ୍ରସଙ୍ଗର ଶ୍ରୀରଙ୍ଗ (୨୧-୧୭), କରରେ ଶାସ୍ତ୍ର (୨୧-୨୨), ଓ ସର୍ପ ଖେଳାଇବା ଦୃଶ୍ୟ (୩-୬୨, ୧୬-୭)ରୁ ସେ ଜାତିର ପେଷା ସମ୍ବନ୍ଧରେ ବିଶେଷ ଧାରଣା କରିହୁଏ । କଥା ପ୍ରସଙ୍ଗରେ ହାତରେ ଶାସ୍ତ୍ର ଦେଲେ ଯଶ ମିଳେ ନାହିଁ । ଏଠି ଶାସ୍ତ୍ର ବୋଧହୁଏ ମନ୍ତ୍ର ଶାସ୍ତ୍ରକୁ ବୁଝାଉଛି । ମନ୍ତ୍ର ପ୍ରୟୋଗ କରି ଲୋକଙ୍କୁ ବଶ କରିବାରେ କେଳା ଅତି ପ୍ରସିଦ୍ଧ । ସେ ଖେଳ ଦେଖାଇବାବେଳେ ସର୍ପ ଦଂଶିତ ହୋଇ ଶୋଚନୀୟ ଅବସ୍ଥା ଲାଭ କରେ । ସେତେବେଳେ ସେ ଗଦଗଦ ପାଟି କରେ । ପଦ (ମନ୍ତ୍ର) କାଟୁ କରେ ନାହିଁ । ଦେହ ଥରେ ଝାଳ ବୋହିଯାଏ । ପାଟିରୁ କଥା ବାହାରେ ନାହିଁ । ରୋମ ଟାଙ୍କୁରି ଉଠେ । ବଡ଼ ପାଟିରେ ଭଗବାନଙ୍କ ନାମ ଡାକି ସେ ମାଟିରେ ଗଡ଼େ । ଦେହ ଅଧିକ ପୋଡ଼ିବାରୁ ଶବ ପରି ତଳେ ନିଶ୍ଚଳ ହୋଇ ପଡ଼ି ରହେ ।

 

ବିଭିନ୍ନ ଜାତି ମଧ୍ୟରୁ ବ୍ରାହ୍ମଣମାନେ ପୁଣ୍ୟଲୋକଙ୍କ ପରି ସମାଜରେ ସମ୍ମାନିତ (୨୫-୧୫) ହୁଅନ୍ତି । ପ୍ରତ୍ୟୁଷରୁ ସ୍ନାନ କରି ବିଷ୍ଣୁପାଦ ଧ୍ୟାନ କରିବା ସେମାନଙ୍କର ବିହିତ ଆଚରଣ (୧୯-୧୦) । ସେମାନଙ୍କୁ ଦାନ ଦେଲେ ଧର୍ମ ମିଳେ (୧୬-୮) । ସମାଜରେ ସାଧାରଣତଃ ସେମାନେ ଆଦୃତ ହେଉଥିଲେହେଁ କେତେକ ବ୍ରାହ୍ମଣଙ୍କର ଗର୍ହିତ କର୍ମ କବିଙ୍କୁ ବ୍ୟଥିତ କରିଛି । ସେମାନଙ୍କୁ ଲକ୍ଷ୍ୟ କରି କବି କହିଛନ୍ତି ।

 

“କଳଙ୍କି ହେଲେ ବେଭାର । କେବେହେଁ ନୋହଇ ସାର ।

କେଡ଼େ ଲୋକର କୁମର । କି ଆବେଭାର ସଜନି ।

କରେ ପଦ୍ମିନୀ ଦହିଜ । କରେ ବାରୁଣୀ ଗ୍ରାହିଜ

କୁହାନ୍ତି ଏ ଦ୍ୱିଜରାଜ । ନ ପାଇ ଲାଜ ସଜନୀ ।” ୩୨,୩୩

 

ବେପାର ବାଣିଜ୍ୟ ମଧ୍ୟରୁ ନିକିତିରେ ତୁଳିବା, କାଇଁଞ୍ଚ ସାଙ୍ଗରେ ସୁନାକୁ ଓଜନ କରିବା, ମୂଲ କରିବା, କଳଧଉତ ବହୁତ ଲୋକ ଲାଜ ପାଇଁ ଅନଳେ ଅଙ୍ଗକୁ ଦହିଲା (୧୨–୧୭) ପ୍ରଭୃତି ଶବ୍ଦାବଳୀ ସୁନା କାରବାର ୩-୬୩, ୫୪) ସମ୍ପର୍କରେ ସୂଚନା ଦିଏ । ପଦାର୍ଥ ଦୁର୍ମିଳ ହେଲେ ଲୋକେ ଆଗତୁରା କଉଡ଼ି ଦେଇ ଜିନିଷ ବରାଦ ଦେଉଥିଲେ (୩୪-୧୫) । କଡ଼ାକରେ ଲେଖା ନୋହେ (୩୩-୨୭) ଉକ୍ତିରୁ ସେ କାଳରେ କଡ଼ାଗଣ୍ଡା ହିସାବ ଚଳୁଥିବା ଓ କଉଡ଼ି ବା କପର୍ଦ୍ଦିର ପ୍ରୟୋଗରୁ ମୂଲ୍ୟ ମାଧ୍ୟମରୂପେ କଉଡ଼ିର ପ୍ରଚଳନ ଥିବା ଜଣାଯାଏ । କିଣିବା, ବିକିବା ପ୍ରଭୃତି ଶବ୍ଦରୁ ସମାଜରୁ କିଣାବିକାର ଦୃଶ୍ୟ ଉପସ୍ଥିତ ହୁଏ । ‘ତୁଳେ ତୁଳିବାରେ ତୁଳ ପ୍ରାୟ ହେଲେ ଉଶ୍ଵାସ (୧୨୧୩) ପ୍ରୟୋଗରୁ ଓଜନ କରିବା ପ୍ରଥା ଜଣାଯାଏ ।

 

ଜୀବିକାଭେଦରେ ଆବଶ୍ୟକୀୟ ପଦାର୍ଥର ବିଭିନ୍ନତା ପରିଦୃଷ୍ଟ ହୁଏ । ଗଉଡ଼ମାନେ କଠଉ, ଦଉଡ଼ି, ଶିକା, ଭାର, ବାଡ଼ି (୬-୧୧), ଛନ୍ଦଣୀ (୨୫-୧୬), ଦୁହଣୀ (୨୫-୧୬) ଓ ପଶୁରଜ୍ଜୁ (୬-୧୦), ବେଣୁ, ଶିଙ୍ଗା, ବଂଶୀ (୨୭-୩୫,୪୦) ପ୍ରଭୃତିର ବ୍ୟବହାର କରିଥାନ୍ତି । ସେହିପରି କୃଷକର ଲଙ୍ଗଳ, ଫାଳ, କୁମ୍ଭକାରକର ଉହା, ଚିତ୍ରକାରର ଚିତ୍ରପଟ (୧୬-୨୯), କୁରାଳର ଚକ୍ର (୨-୧୫), ବେଶକାରୀର ଗନ୍ଧପେଡ଼ି (୨୭-୨୮) ଶଙ୍ଖାରିର ଶଙ୍ଖକଟା କରତ (୨୧୨୪), ଘଟୁଆଳର ନାବ (୭-୭), ମସ୍ୟଜୀବୀର ବଡ଼ିଶୀ (୧୦-୩୦), ବା ବଡ଼ଶୀ (୧୫୧୪), ଧନୁକାରର କାଣ୍ଡ ଓ କୋଦଣ୍ଡ (୧୦-୬) ଅତ୍ୟନ୍ତ ଉପଯୋଗୀ ବସ୍ତୁ ।

 

ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ମଧ୍ୟରୁ କୁମ୍ଭ (ସେହି ଅର୍ଥରେ ଘଟ (୮-୧୨) ଓ କଳଶ (୩୧-୧୧); ଥାଳୀ (୪-୧୨), ପ୍ରତିଚକ୍ଷୁ (୮-୧୨), ଫରୁଆ (୭-୨୫), ସେହି ଅର୍ଥରେ ସଂପୁଟକ (୧୦-୧୩), ପଲ୍ୟଙ୍କ (୧୧-୨୬) କଙ୍କତିକା (୪-୪୪) ସେହି ଅର୍ଥରେ କେଶରଞ୍ଜନୀ ୩୬), ଚଉକି (୨୪-୧୬), ଶେଜ (୧୪-୪), ଦର୍ପଣ (୬-୩୦), ତଇଳ (୫ – ୨୯) ଓ କୁଠାର (୬-୧୧) ପ୍ରଭୃତି ବିଶେଷଭାବେ ଉଲ୍ଲେଖଯୋଗ୍ୟ ।

 

ଏସବୁ ପଦାର୍ଥର ସଂଖ୍ୟା ଋତୁର ଆବଶ୍ୟକତା ଅନୁଯାୟୀ ବୃଦ୍ଧି ପାଏ । ବିଳାସୀ ଲୋକମାନେ ଗ୍ରୀଷ୍ମକାଳରେ ନଉକା (୧୫ – ୧୦) ଚନ୍ଦନ (୧୫-୯) ଓ ତାଳଦୃନ୍ତ (୧୫-୧୦)ର ପୁଣି ଶୀତଦିନେ ତୁଳୀ ( ୧୧-୩୧), ସୁପାତି (୧୧-୩୧), ନିମାର (୧୧-୩୦) କଉପ (୧୧୩୦) ଶିରତ୍ରାଣ (୧୧-୩୯), ହସନ୍ତୀ (୧୧-୩୪) ପ୍ରଭୃତିର ବ୍ୟବହାର କରିଥାନ୍ତି ।

 

ରସକଲ୍ଲୋଳରେ ବ୍ୟବହୃତ ଶବ୍ଦାବଳୀରୁ ସେ ଯୁଗରେ ଚିତ୍ରକଳା ଓ କାରୁକଳା ସମ୍ବନ୍ଧରେ କେତୋଟି ଜ୍ଞାତବ୍ୟ ତଥ୍ୟ ମିଳେ । କୁନ୍ଦନପତ୍ରେ ମରକତ ଜଡ଼ିଲା (୧୮-୧୬), ରାଜପଟେ କୁନ୍ଦନ ରେଖା (୨୦-୨), ଅସ୍ତ୍ର ଉପରେ ରତନ ଉଭା (୨୦-୨୨), କନ୍ୟାଖମ୍ୱ (୨୬-୨୫) ପ୍ରଭୃତି ଯେପରି ସୁନା, ରୂପା ଓ ରତ୍ନର କାରୁକାର୍ଯ୍ୟ ବିଷୟରେ ସୂଚନା ଦିଏ, ରୂପପଟ (୨୬–୨୬), ଚିତ୍ରନାରୀ (୩-୩୧), ଚିତ୍ରକାରକପଟ (୧୬-୨୯), କାନ୍ଥମାନଙ୍କରେ ନାନା ଚିତ୍ର-ପ୍ରତିମା, କଥା ନ କହି ହସନ୍ତି ଯେମନ୍ତ ବାମା (୨୯-୨୮), ଅପଲକନେତ୍ରୀ ଚିତ୍ରନାରୀ (୧୮-୨୦) ପ୍ରଭୃତିରୁ ସେହିପରି ଚିତ୍ରକଳା ପ୍ରତି ଲୋକଙ୍କର ଆଗ୍ରହ ଥିବା ଜଣାଯାଏ ।

 

ଆମୋଦ-ପ୍ରମୋଦ ପାଇଁ ବିଭିନ୍ନ ପ୍ରକାରର ଆୟୋଜନରୁ ରସକଲ୍ଲୋଳରେ କନ୍ଦୁକ (୭- ୨୩); ସାରଣି (୧୦-୩୦), ଗୁଞ୍ଜରା (୨୮-୧୯), ଗୀତ ବା ସଙ୍ଗୀତ ବିଶେଷ ଛାୟା (୧୮-୨୮), ଚିତ୍ରପଦ (୧୮-୨୯), ପ୍ରବନ୍ଧ ଗାନ (୧୮-୨୮), ନାଗଧୂନି ସ୍ଵର (୬-୧୨), କୁଟୁଣୀ ପ୍ରତିମା (୧୫-୨୯) ଜାତ ( ୨୩-୭) ଗୁଣ୍ଡିଚା ଜାତ (୨୫-୨), ଉତ୍ସବ (୨-୧୭), ଜଳକ୍ରୀଡ଼ା (୮-୨୧) (ସେହି ଅର୍ଥରେ ଜଳକେଳି (୯-୮), ଜଳବିହାର (୧୫-୨୦) ଧାରାମଣ୍ଡିତପୁର (୧୫୯), ପୁଷ୍ପଚୟନ (୧୫-୨୧), ନଉକାବିହାର (୧୫-୧୦), ନାଟମନ୍ଦିର (୯-୨), ସଙ୍ଗୀତମନ୍ଦିର (୯-୧୬), କୃତ୍ରିମବନ ( ୨୭-୩) କୁସୁମତୋଟା (୭-୩), କ୍ରୀଡ଼ାମନ୍ଦିର (୨୫-୨୨), କ୍ରୀଡ଼ାକୁଡ଼ି (୨୯–୧୬), ବନଭୋଜନ (୬-୧୮), ଇନ୍ଦ୍ରଜାଲିକ (୨୭-୪), ନଟ (୯-୨), ନର୍ତ୍ତକୀ (୧୫-୨), ଅନ୍ତପଟ ଅନ୍ତନୃତ୍ୟକାରୀ (୮-୧୧). ଅଭିନୟ (୧୭-୨୭), ଡମ୍ବରୁ (୨୪-୭), ଶଙ୍ଖ ( ୨୪-୪) ଶୀତଳ ପବନ ଉପଭୋଗ (୧୫-୧୬), ତପତ୍ର ଜଳସାନ (୧୧-୩୫), ଚତୁଃସମ (୨୯-୩୩), ଗୋରୋଚନା ( ୨୮-୨୬) ପ୍ରଭୃତିର ଉଲ୍ଲେଖ ମିଳେ । ଗୋପାଳ ବାଳକମାନଙ୍କ ଖେଡ-କଉତୁକ ବର୍ଣ୍ଣନା ପ୍ରସଙ୍ଗରେ କବି କେକୀନୃତ୍ୟ, ବକଧାନ ଓ ଭୃଙ୍ଗ-ଝଙ୍କରରର ଅନୁକରଣ ମର୍କଟ ଶିଶୁର ଅନୁଧାବନ, ବାହୁସ୍ଫୋଟ ମାରି ପ୍ରତିଜ୍ଞା (୬–୧୫) ବାହୁଯୁଦ୍ଧ, ଧରାଧରି, ଫଳସମର, ଆଖିବୁଜାଳି, ରାଜାପ୍ରଜା ଅଭିନଖି (୬-୧), ଦୋଳି (୧୬-୨୩), ପ୍ରଭୃତି ଖେଳର ବର୍ଣ୍ଣନା କରିଛନ୍ତି । ଜଳକ୍ରୀଡ଼ା କରି ଲୋକେ ଅଶେଷ ଆନନ୍ଦ ଉପଭୋଗ କରୁଥିଲେ । ରସକଲ୍ଲୋଳରେ ଗୋପୀମାନଙ୍କ ଜଳକ୍ରୀଡ଼ା ଦୃଶ୍ୟ ଅତ୍ୟନ୍ତ ଉପଭୋଗ୍ୟ ।

 

‘କନକଲତା ନୀଳମଣି ସ୍ଥଳରେ ପବନେ ଢଳିଲା ପରାୟେ

କେ କାହାକୁ ପାଣି ପାଣିରେ ପୂରୋଇ ଆନନକୁ ମାରି ପଳାୟେ ।

କେ ଜଳ କରଟ ପରାୟ ବୁଡ଼ଇ

କାହିଁ ଯିବୁ ବେଲି କରି କେ ପାଣିରେ ପାଣି ଘେନିକରି ଲୋଡ଼ଇ । ୧୫– ୨୦

 

କୀର ବସନ୍ତ ପକ୍ଷୀ (୨୦-୩), କୋକିଳ ଓ ଖଞ୍ଜନ ( ୨୭–୧୩) ପ୍ରଭୃତି ପକ୍ଷୀକୁ ପଞ୍ଜୁରିରେ ପାଳନ କରି ଲୋକେ ଅଶେଷ ଆନନ୍ଦ ଉପଭୋଗ କରୁଥିଲେ । କରଗତ କୀର କହିବା ମଧୁର (୩୩-୨୬); ପଢ଼ାସାରୀ (୧୦-୧୧), କୀର ସାରିକା ପଢ଼ିଲେ ଏକା ଶ୍ରୀରାଧାକୃଷ୍ଣ ନାମ (୧୪-୨୦) ପ୍ରଭୃତି ଉକ୍ତିରୁ ଶୁଆ ବା ସାରୀଙ୍କୁ କଥା କହି ଶିଖାଇବା ଓ ସେମାନଙ୍କ କଥା ଶୁଣିବା ସମାଜରେ ବିଶେଷଭାବେ ପ୍ରଚଳିତ ଥିବା ଜଣାଯାଏ ।

 

ରସକଲ୍ଲୋଳରେ ବ୍ୟସନ-ସୂଚକ କ୍ରିୟାକଳାପ ମଧ୍ୟରୁ କବି ଜୁତ, ମଦ୍ୟପାନ ବାରୁଣୀ ଗ୍ରାହିଜ (୨୨-୩୩), ରମଣୀ ହରଣ ପଦ୍ମିନୀ ଦହିଜ (୨୨-୩୩) ଓ ବେଶ୍ୟାପୁର ଗମନ (୧୪-୨୩)ର ଉଲ୍ଲେଖ କରିଛନ୍ତି । ଜୁତକ୍ରୀଡ଼ାରେ ମନ ଚଞ୍ଚଳ ହୁଏ । (୨୦-୧୩) । ମଦ୍ୟପାନ ଓ ରମଣୀହରଣ ସମାଜରେ ଲଜ୍ଜାର କାରଣସ୍ୱରୂପ (୨୨-୩୩) । ବେଶ୍ୟାପୁର ଗମନକୁ କବି ‘ଦୁଷିଣ କଥା’ (୧୪- ୨) କହିଛନ୍ତି । କବିଙ୍କର ମନ୍ତବ୍ୟସବୁର ସମାଜରେ ଏ ସବୁ କର୍ମ ଅନାଦୃତ ହେଉଥିବା ଜଣାଯାଏ । ବାରନାରୀ ପୁରରୁ ଫେରୁଥିବା ଶଠ ପୁରୁଷର ଦୁର୍ଦ୍ଦଶା ବର୍ଣ୍ଣନା କରି କବି ଲେଖିଛନ୍ତି-

 

ଏକ ବାରନାରୀପୁରୁଁ ପ୍ରସରି ଚଉକତିକି ଚାହିଁ

କରଇ ଗତି କମ୍ପଇ ଛାତି ରାତି ଯିବାରୁ ପାହି ।”

(୧୪-୨୩)

 

ଆମୋଦ-ପ୍ରମୋଦ ବିଳାସ ବ୍ୟସନ ବର୍ଣ୍ଣନା କରିବାପାଇଁ କବିଙ୍କର ଆଗ୍ରହ ବ୍ୟାଧି ବା ରୋଗ ବର୍ଣ୍ଣନା କଲାବେଳେ ଦେଖିବାକୁ ମିଳେ ନାହିଁ । ବ୍ୟାଧି କହିଲେ କବି କାମବ୍ୟାଧି ବା ବିରହବାଧା କଥା କହନ୍ତି (୩୧-୪) ରୋଗ ମଧ୍ୟରୁ ସେ କେବଳ ଜ୍ୱର ରୋଗର ଉଲ୍ଲେଖ କରିଛନ୍ତି-। ଜ୍ଵର ଥିବାବେଳେ ରୋଗୀକୁ ଜଳ ଶୀତଳ ଲାଗେ ଓ ନିଜର ସମୟରେ ସେ ଜଳ ବିହୀନରେ ବିକଳ ହୁଏ (୧୬-୩) । ଜ୍ଵର ରୋଗରେ ଶରୀର କୃଶ ଓ ପାଣ୍ଡୁର ହୁଏ (୧୪-୭) ।

 

ସମାଜରେ ପ୍ରଚଳିତ ଅସଂଖ୍ୟ ଜନ-ବିଶ୍ଵାସ ମଧ୍ୟରୁ କବି ଦୀନକୃଷ୍ଣ ମନ୍ତ୍ରଶକ୍ତି ଓ ଭୂତପ୍ରେତ ଉପରେ ବିଶେଷ ବିଶ୍ୱାସ କରୁଥିବା ଜଣାଯାଏ । ମନ୍ତ୍ରବଳରେ ଅଦୃଶ୍ୟ ହେବା (୨୧-୨୬) ମୋହିତକରିବା (୨୨ -୬), ହୃଦୟକୁ ଦମ୍ଭ । ଦେଶରେ ରାଜା ନଥିଲେ ଦେଶକୁ ଅପଟବ ଦେଶ କୁହାଯାଏ । ସେତେବେଳେ ମେଳିଆମାନେ ପ୍ରତାପୀ ହୋଇ ନଗର ଏପରିକି ରାଜ ନବରରେ ଡକାୟତି କରି ଧନ ଅର୍ଜନ କରନ୍ତି । ଶାନ୍ତି ପ୍ରିୟ କବି ଦୀନକୃଷ୍ଣଙ୍କୁ ଏମାନଙ୍କର ଗତିବିଧ ଭଲ ଲାଗିନାହିଁ । ସେଥିପାଇଁ ସେମାନଙ୍କୁ ସାବଧାନ ବାଣୀ ଶୁଣାଇ କବି କହିଛନ୍ତି ।

 

“କଣ୍ଠୀରବପୁରେ ଏବେ କୁରଙ୍ଗ ନାଟ । କାହା ବଳ ପାଇ ଏଡ଼େ କରିଛ ଆଣ୍ଟ ।

କହୁଛି ଏବେହେଁ ବେଳାବେଳି ଲେଉଟ । କାଳ-ଦେବତା ସଙ୍ଗରେ ହେବଟି ଭେଟି ।”

(୨୭-୨୧)

 

ପ୍ରତାପୀ ରାଜା ବହୁ ଆଡ଼ମ୍ବରରେ ଦରବାର କରେ । ଶ୍ଵେତଛତ୍ର (୧୮-୪), ପତାକା (୮୨୩), ଫୁଲଛତି (୧୩-୮) ଆଲଟ (୧୩-୯) ଚାମର (୧୩-୯) ଛତ୍ରୀ (୧୩-୧୦), ଖଦି (୧୭-୨୯), ଶଙ୍ଖଧ୍ୱନି (୧୨-୪), ବାଦ୍ୟ, ଦଣ୍ଡ, ଗନ୍ଧଧୂପ (୧୧-୩୫) ଏ ସବୁ ରାଜଆଡ଼ମ୍ବରର ପ୍ରତୀକ । ରାଜାଙ୍କୁ ଉପଯୁକ୍ତ ଉପଦେଶ ଦେବା ପାଇଁ ରାଜସଭାରେ ନୀତିମନ୍ତ ବିଚକ୍ଷଣ ମନ୍ତ୍ରୀ (୩୨–୧୮), ପଣ୍ଡିତ (୨୫-୨୪), ଭାଟ (୮-୭) ଓ ପ୍ରାଣସଖା (୧୨-୩)ମାନେ ଥାନ୍ତି । ଏମାନଙ୍କ ମଣିମା ମଣିମା ଡାକରେ ରାଜସଭା ମୁଖରିତ ହୋଇଥାଏ (୨୫-୩), ନ୍ୟାୟ ବିଚାର ପାଇଁ ଲୋକେ ରାଜାଙ୍କ ଛାମୁରେ ଗୁହାରି କରୁଥିଲେ ହେଁ ଅନେକ ସମୟରେ ରାଜା ତୋଷାମୋଦକାରୀଙ୍କ ପ୍ରଭାବରେ ପଡ଼ି ପକ୍ଷପାତ ବିଚାର କରିଥାନ୍ତି (୨୫-୪) । ପ୍ରଭୁ ଆଶକୁ ଅନୁସରଣ କରି ପ୍ରଭୁଙ୍କ ମନ ନେବାପାଇଁ ଅନେକ ପଣ୍ଡିତ- ‘ତୁମ୍ଭ ତହୁଁ କେ ଅଛି ବଡ଼’ କହି ରାଜାଙ୍କର ସ୍ତୁତିଗାନ କରିଥାନ୍ତି (୨୫-୩) । ଛାମୁ-ଆଜ୍ଞା ସବୁବେଳେ ଶିରୋଧାର୍ଯ୍ୟ । ଅବଜ୍ଞା କରିବା ଅନୁଚିତ (୨୫-୧୯) ଦୋଷକଲେ ଦଣ୍ଡଦେବା ଓ ଭଲକାମରେ ମଣ୍ଡନକରିବା ରାଜାଙ୍କର କର୍ତ୍ତବ୍ୟ (୨୬-୮) ପୁରସ୍କାରସ୍ୱରୂପ ଅଳଙ୍କାର, ହାର, ଅମ୍ବର, କୁଣ୍ଡଳ, କର୍ପୂର ଓ ତାମ୍ବୁଳ ଦେବାର ବିଧା ଥିଲା (୨୩-୨୬, ୨୭) ।

 

ସମର ବର୍ଣ୍ଣନାର ବିଭିନ୍ନ ଦୃଶ୍ୟ ରସକଲ୍ଲୋଳର ଶବ୍ଦାବଳୀରୁ ଉପଲବ୍ଧ ହୁଏ । ରଥ, ଗଜ, ଅଶ୍ଵ, ମଲ୍ ଓ ଧନୁକୀ (୧୪-୪)ମାନଙ୍କ ଦ୍ଵାରା ରଣକ୍ଷେତ୍ର ପରିପୂର୍ଣ୍ଣ ହେଉଥିଲା । ଅମ୍ବର ଓ ଚକ୍ର ଶୋଭିତ ରଥ ଆରୋହଣ କରି ରାଜା ଦିଗ ବିଜେ କରୁଥିଲେ । (୮-୧୭), ରଥ ଉପରୁ କାଣ୍ଡ ପ୍ରୟୋଗ କରି ପ୍ରତିବାଦର ଜ୍ଞାନ ଲୋପ କରିବା ସହଜ । ସଂଗ୍ରାମ ଭୂମି ଅଶ୍ଵବତ (୧୫-୧) ଓ ମାହୁନ୍ତ (୨୮-୧୨), ହସ୍ତିପାଳିକ (୨୮-୨୩) ବାରଣ-ଆରଣ (୧୭–୧୦)ର ଉଲ୍ଲେଖରୁ ସଂଗ୍ରାମ କାଳରେ ଏ ସବୁର ବ୍ୟବହାର ହେଉଥିବା ଜଣାଯାଏ । କାଣ୍ଡଧାଡ଼ି-ଘାତ (୩୦-୧), କାଣ୍ଡର ଲାଖ (୩୦-୬), ସନ୍ଧାନ (୧୩-୯), ହାଣବା (୨୯-୫୮), କାଣ୍ଡଘାତରେ ଦେହ ଜର ଜର କରିବା ହାବୋଡ଼ା କାଣ୍ଡ (୧୬-୬) ଓ ଅର୍ଦ୍ଧଚନ୍ଦ୍ର ବାଣ (୧୨- ୨୫)ର ପ୍ରୟୋଗରୁ କୋଦଣ୍ଡ ଓ କାଣ୍ଡ ସାହାଯ୍ୟରେ ଯୁଦ୍ଧର ଚିତ୍ର ମିଳେ । ଏପରି ଜଣେ ଯୋଦ୍ଧାର ଚିତ୍ର ବର୍ଣ୍ଣନା କରି କବି ଲେଖିଛନ୍ତି, “କାଣ୍ଡ କୋଦଣ୍ଡ କରେ, କର ଦେଇ ନିଶରେ, କରେ ଇଚ୍ଛା ମନରେ କଟାଳିବାକୁ ଥରେ ସେ ।” ୨୩-୩୧ । ମଲ୍ଲଯୁଦ୍ଧ ବର୍ଣ୍ଣନା କରିବାପାଇଁ କବିଙ୍କର ବିଶେଷ ଆଗ୍ରହ ଥିଲା । ମାଲ ବିନ୍ଧାଣ ( ୨୯-୩୨) ମୁଥ ପ୍ରହାର (୨୮-୩୦) ଭିଡ଼ନ୍ତି, ଜଡ଼ନ୍ତି, ଗଡ଼ନ୍ତି, କରଘାତେ ପୀଡ଼ନ୍ତି (୨୩-୧୨) ଯୁଦ୍ଧ ଆରମ୍ଭ ପୂର୍ବରୁ ବାହାସ୍ଫୋଟ ମାରି ପ୍ରତିଜ୍ଞା କରିବା (୨୮-୨୮) ପ୍ରଭୃତିରୁ ଶବ୍ଦ ପ୍ରୟୋଗରୁ ଏହା ଜାଣି ହୁଏ । ମଲ୍ଲଯୁଦ୍ଧରେ କୃପାଣ, ତୋମର ପ୍ରଭୃତି ବ୍ୟବହୃତ ହୁଏ ନାହିଁ । କର ଏହାର ଏକମାତ୍ର ଆୟୁଧ (୨୮-୩୧) ।

 

ସମରରେ ବ୍ୟବହୃତ ହେଉଥିବା ଅନ୍ୟାନ୍ୟ ଆୟୁଧ ମଧ୍ୟରୁ କବି କରବାଳ (୧୮-୧୭) କୁନ୍ତ (୧୩-୩୨) ଫଳକ (୧୩-୨୨) ଅଙ୍କୁଶ (୨୪-୫) କାତି (୨୧-୧୦) ଓ କରବାଳ ପୁତ୍ରୀ (୨୨-୩୫), ଗଦା (୧୪-୩୩)ର ଉଲ୍ଲେଖ କରିଛନ୍ତି । ପାଶ (୧୪-୩) ଓ ଶାକୋଳି (୨୮୮) ବା ଶାଙ୍କୁଳି ( ୨୯– ୧ ୧) ଯୁଦ୍ଧ-ଲାଞ୍ଚିତ ଯେ ଯୋଦ୍ଧାମାନଙ୍କୁ ବନ୍ଦୀ କରିବା କାର୍ଯ୍ୟରେ ଲାଗୁଥିଲା-

 

ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ବୀରଡାକ (୨୩-୧୦) ବୀରମାନଙ୍କର ହୁଙ୍କାର ( ୧୨ -୨୧) ଅହଙ୍କାର-ତର୍ଜନ (୧୨-୨୧) ଧନୁଟଙ୍କାର (୧୨ -୨୦) ଓ ସମର ବାଦ୍ୟ ( ୨୩-୧୦) । ରେ ରଣକ୍ଷେତ୍ର ମୁଖରିତ ହେଉଥିଲା । ଯୁଦ୍ଧକ୍ଷେତ୍ରରେ ଯେଉଁମାନେ ନିଜର ଯୋଗ୍ୟତା ଦେଖାଇବାକୁ ସମର୍ଥ ହେଉଥିଲେ, ସେମାନେ ଯେପରି ଯୁଦ୍ଧ ଶେଷରେ ପୁରସ୍କୃତ ହେଉଥିଲେ, ଯେଉଁମାନେ ପଛେଇ ରହୁଥିଲେ ଅର୍ଥାତ୍ ଯୁଦ୍ଧରେ ଯୋଗ୍ୟତା ଦେଖାଇ ପାରୁ ନଥିଲେ, ସେମାନେ ସେହିପରି ନିନ୍ଦିତ ହେଉଥିଲେ ( ୨୩-୨୬, ୨୭) ।

 

ରାଜସେବକମାନଙ୍କ ମଧ୍ୟରୁ କବି ଦେଶ ଉର ଆଜ୍ଞାକାରୀ (୧୭-୩୦) କାରାରକ୍ଷକ (୨-୧୦), ନିଯୋଗୀ (୨୭–୨୯), ପରୀକ୍ଷା (୭-୩), ଚାର (୨୮-୨୯) ଓ କଟୁଆଳ ଯାହାରୀ (୨-୭)ମାନଙ୍କର ଉଲ୍ଲେଖ କରିଛନ୍ତି । ରାଜ ଆଜ୍ଞା (୨୫–୨) କରିବାରେ ଦେଶାଉର ବା ଚାରମାନେ ସାହାଯ୍ୟ କରୁଥିଲେ । ନିଯୋଗୀ, ସେବକ ଓ ପରିଚ୍ଛାମାନେ ରାଜ୍ୟ-ଶାସନର ବିଭିନ୍ନ କାର୍ଯ୍ୟରେ ଲିପ୍ତ ଥାନ୍ତି । ଦେଶକୁ ଚୋର, ତସ୍କର ଓ ଡକାୟତଙ୍କ ପ୍ରକୋପରୁ ରାତ୍ରିରେ ରକ୍ଷା କରିବା କଟୁଆଳମାନଙ୍କର କାର୍ଯ୍ୟ । ଲୋକେ ଲାଞ୍ଚ ( ୧୩-୧ ୨) ନେଇ ରାଜକର୍ମଚାରୀମାନଙ୍କୁ ସନ୍ତୁଷ୍ଟ କରୁଥିଲେ ।

 

ରାଜାମାନଙ୍କର ସ୍ତୁତିଗାନ କରିବା ପାଇଁ ରାଜସଭାରେ କୟେବାର ବା ଭାଟମନେ ଥିବା ପରି ନୃପତିଙ୍କ ସୁଖ ପାଇଁ ନର୍ତ୍ତକୀମାନେ ମଧ୍ୟ ରହୁଥିଲେ । ସେମାନଙ୍କର ଗୀତ ଓ ନୃତ୍ୟରେ ରାଜସଭା ମୁଖରିତ ହେଉଥିଲା ।

 

ରାଜପରିବାରରେ ବିଭିନ୍ନ ନିତ୍ୟ ନୈମିତ୍ତିକ କାର୍ଯ୍ୟ ପାଇଁ ସ୍ଵତନ୍ତ୍ର ଶବ୍ଦାବଳୀ ହେଉଥିଲା । ରାଜାଙ୍କୁ ଲୋକେ ‘ମଣିମା’ କହି ସମ୍ବୋଧନ କରୁଥିଲେ । ରାଜାଙ୍କ ଖାଇବାକୁ ମଣୋହି ( ୨୭-୩୪) ଖୋଇବାକୁ ଭୁଜାଇବା, ମୁହଁ ଧୋଇବାକୁ ଆଚମନ (୫-୨୯), ପହଞ୍ଚିବାକୁ ବିଜେ କରିବା (୧୩-୨୧), କବାଟ ବନ୍ଦ କରିବାକୁ ଉଲାଗି (୨୫-୩୮)ହେବା କୁହାଯାଉଥିଲା । ଏହି ପରି କାଠିଲାଗି (୨୪-୧୭) ବାସଲାଗି (୨୪-୧୬), ତଡ଼ପଲାଗି (୨୪-୧୬) ଦେବା (୨୬-୧), ଦୁଃଖ ଦୂର କରିବା (୩୧-୨୪), ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଚଳାଇ ନେବା (୨୦-୨୫) । ପ୍ରଭୃତି କାର୍ଯ୍ୟ ସମ୍ଭବ ହୋଇଥାଏ । ଯନ୍ତ୍ରଦ୍ୱାରା ଭୂତ ବି ଲଗାଇ ଦିଆଯାଏ (୮-୩)-। ଭୁତ ଲାଗିଲେ ଚିଭ ଅଥୟ ହୁଏ ଓ ବିଭିନ୍ନ ପ୍ରକାର ଉତ୍‍ପାତ କରେ (୩୩-୮) । ବିନାୟକ ଜନ୍ମତିଥି ଚନ୍ଦ୍ରମା (୮-୧୦) ଓ ଅକାଳ ଫଳ ଦର୍ଶନରେ ଦୁଃଖ ଓ ଅପବାଦ ଲାଭ ହୁଏ ।

 

ରାଣ ପକାଇ (୧୩-୧୩) ଓ ଶମ୍ଭୁଶିରେ ହାତ ଦେଇ (୧୩-୧୩) ଲୋକେ ଶପଥ କରୁଥିଲେ । ଅକାଳ ଚଡ଼କ (୨୯-୬), ବିନାୟକ ଜନ୍ମତିଥି-ଚନ୍ଦ୍ରମା (୮-୧୦) ଦୁଃଖର କାରଣ ରୂପେ ଦକ୍ଷିଣ ନେତ୍ର ଓ ଗାତ୍ରର କମ୍ପନ ମଙ୍ଗଳସୂଚକ ସଙ୍କେତ (୨୫–୧୦) ରୂପେ ଗୃହୀତ ହେଉଥିଲା । କାବ୍ୟରେ ପ୍ରଯୁକ୍ତ ହୋଇଥିବା ପ୍ରସିଦ୍ଧି ସୂଚକ ଶବ୍ଦାବଳୀକୁ ଦୁଇଭାଗରେ ବିଭକ୍ତ କରାଯାଇପାରେ (୧) କବିପ୍ରସିଦ୍ଧି (୨) ଶାସ୍ତ୍ରପ୍ରସିଦ୍ଧି । କବିପ୍ରସିଦ୍ଧି ମଧ୍ୟରୁ ଚାତକର ବର୍ଷାଜଳ ପାନ (୭-୯, ୧୪-୪, ୧୬-୯, ୨୦-୨୧, ୩୧-୨୪, ୩୨–୧୫) ଚକୋର ଓ ଚକୋରୀର (୧୭-୨୧) ଅମୃତ ପାନ (୧୩-୨୪), ଚକ୍ରବାକ (କୋକ) ମିଥୁନର ବିରହ (୧୪-୧୭, । ୨୨-୨୮, ୩୩– ୨୫) ମେଘ ଦର୍ଶନରେ ମହାମତ୍ତ ମୟୁରୀର ନୃତ୍ୟ (୭-୯, ୧୭-୨୨) ଅମୃତର ମଧୁର ସ୍ଵାଦ (୧୨-୩୫), ପରାଶ ପଥରର ସ୍ପର୍ଶରେ ଲୁହା ସୁନା ହେବା (୩୩-୧୪) କାଦମ୍ବିନୀ କାଳ କୋକିଳ (୩୪-୮), ଶରତ୍‌କାଳରେ କଦମ୍ବକୁଳ ନୋହି ଦେଖାଦେଖି (୧୭-୯) କଦମ୍ବ ଓ କୁରୁବକ ଦୋହଦ (୮-୨୦) ପ୍ରଭୃତି ଉଲ୍ଲେଖଯୋଗ୍ୟ ।

 

ଶାସପ୍ରସିଦ୍ଧି ମଧ୍ୟରୁ ସମୁଦ୍ରରୁ ଚନ୍ଦ୍ରଙ୍କ ଜାତ (୨୨-୪୦) ଅମୃତରେ ଗଢ଼ା ଚନ୍ଦ୍ରଙ୍କ ଶରୀର (୨-୨୦), ଗରୁଡ଼ର ସର୍ପ ଭକ୍ଷଣ (୨୮-୧୮) ପାରିଜାତକ କୁସୁମ (୩-୬୯), ବୃହସ୍ପତିଙ୍କ କହିବାର ଆଡ଼ମ୍ବର ୩୧–୧୧), ଭଗୀରଥଙ୍କର ଗଙ୍ଗା ଆନୟନ (୩୨–୨୯), ଅଗସ୍ତିଙ୍କର ସମୁଦ୍ରପାନ (୨୨-୪୨), କଳ୍ପଲତା (୩୧-୭) କାମଧେନୁ, କ୍ଷୀରସାଗର ମନ୍ଥନ (୩୪-୨୪), ସୂର୍ଯ୍ୟଙ୍କରମେରୁ ପରିକ୍ରମା (୨୧-୨୬) କାମଦ୍ଵାରା ଇନ୍ଦ୍ର, ଚନ୍ଦ୍ର, ସୂର୍ଯ୍ୟ ଓ ବ୍ରହ୍ମାଙ୍କର ଅପମାନ (୨୧-୨୯), ଅଳକାପୁର (୨୯-୨୬) ସ୍ଵର୍ଗପୁର (୩୧-୧୩), କାମ (୨-୪) ଓ କୁବେର, ଅପସରୀ (୪-୧୪), ରମ୍ଭା (୧୨-୧୩), ସ୍ୱର୍ଗବାସୀ (୧୨-୧୮)ଙ୍କ ଶୋଭା (୩-୫୫) ଶିବଙ୍କ କୃତ କାମ ଦେବର ଦହନ (୨୧-୨୭) ପ୍ରଭୃତିର ଗଣନା କରାଯାଇ ପାରେ ।

 

ରାଜା, ନରପତି ବା ଦଣ୍ଡଧରଙ୍କ ସହ ସଂପୃକ୍ତ ଶବ୍ଦାବଳୀରୁ ସମସାମୟିକ ରାଜ ଦରବାରର ଏକ ସୃଷ୍ଟ ଚିତ୍ର ମିଳେ । ରାଜ୍ୟରେ ରାଜାର ଉପସ୍ଥିତ ଲୋକମାନଙ୍କୁ ଆନନ୍ଦ ଦାନକରେ-। ଦରିଦ୍ରଲୋକଙ୍କର ଦୁଃଖ ଦୂରହୁଏ । ଦୁଷ୍ଟ-ବିଟପୀ ଓ ଚୋରମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି (୧୩-୨୧) ରାଜାମାନେ ସାଧାରଣତଃ ଭାଗ୍ୟବନ୍ତ (୧୩- ୨) । କର୍କଶ ଓ ତେଜସ୍ୱୀ ମହାରାଜା ସମସ୍ତଙ୍କର ପ୍ରିୟ । ଏହାଙ୍କ ତଳେ ପରଜା ହେଲେ କର ଦେଇ ନିରନ୍ତର ସେବା କରିବାର ସୌଭାଗ୍ୟ ପ୍ରାପ୍ତ ହୁଏ । ରାଜାଶ୍ରୟ ମିଳିଲେ ମନୁଷ୍ୟ ସବୁ ଦୁଃଖ ଚାଲିଯାଏ (୭-୨୮) ।

 

ଶ୍ରୀଅଙ୍ଗ ମର୍ଦ୍ଦନ (୫–୨୯), ଶ୍ରୀମୁଖ ଶୋଭା (୫-୨୯), ଅବକାଶ (୬-୩୫), ସେବା (୭-୨୮) ନିଯୋଗ (୨୭-୨୯) ଓ ମୁଖ ପଖାଳିବା (୨୪-୧୭) ପ୍ରଭୃତିର ବ୍ୟବହାର ଏକ ସ୍ୱତନ୍ତ୍ର କହିବା ଶୈଳୀର ପରିଚୟ ଦିଏ । ଏସବୁ ଶବ୍ଦ ଦେବତା ମନ୍ଦିର ବିଶେଷକରି ପୁରୀ କ୍ଷେତ୍ରରେ ଜଗନ୍ନାଥଙ୍କ ସେବାରେ ପ୍ରଯୁକ୍ତ ହୋଇଥାଏ ।

 

ସରକଲ୍ଲୋଳର ଲୋକସଂସ୍କୃତି ସହ ସଂପୃକ୍ତ ଶବ୍ଦାବଳୀର ପର୍ଯ୍ୟାଲୋଚନାରୁ ଜଣାଯାଏ ଯେ କବି ଦୀନକୃଷ୍ଣ ତାଙ୍କ ଜୀବନରେ ପୋଡ଼ାପେଟର ଜ୍ୱାଳା ପୁଣି ପ୍ରିୟ କ୍ଷେତ୍ର ପୁରୀରୁ ନିର୍ବାସିତ ହେବାର ଦୁଃଖ ବହନ କରି ମଧ୍ୟ କାବ୍ୟର ବିଷୟବସ୍ତୁ ବା ପୃଷ୍ଠଭୂମିରୂପେ ସମାଜକୁ ସମଦଶାପନ୍ନ ବ୍ୟକ୍ତିର ଚିତ୍ର ନ ଦେଇ, ସେ ଦେଇଛନ୍ତି ସମୃଦ୍ଧ ରାଜପରିବାରର ଭୋଗ-ବିଳାସର ଚିତ୍ର । ଦୀନ, ଦରିଦ୍ରମାନଙ୍କର ମଳିନ ବେଶ, ଦରିଦ୍ରାଣୀର ଭେକ, ରଙ୍କର ଭୋଜନ-ଲାଳସା ଦରିଦ୍ରର ଧନପ୍ରାପ୍ତିର ଅପୂର୍ବ ଉଲ୍ଲାସ, ପୁଣି ନିର୍ଯ୍ୟାତିତ କିଣାଦାସୀର ସାମାଜିକ ଦୁରାବସ୍ଥା ପ୍ରଭୃତି କବିଙ୍କୁ କେବଳ ଉପମାନରୁପେ ସାହାଯ୍ୟ କରିଛି । ଏସବୁଙ୍କ ପ୍ରତି କବିଙ୍କର ସହୃଦୟତା ଥାଇ ମଧ୍ୟ କବି ରୀତିକାଳୀନ କବି-ପ୍ରବୃତ୍ତିର ବଶବର୍ତ୍ତୀ ହୋଇ ରାଜାଶ୍ରୟକୁ କବି ବା କବିତାର ପରମଗତି ରୂପେ ଗ୍ରହଣ କରିଥିବା ମନେହୁଏ । ସେଥିପାଇଁ ରାଜାଙ୍କ ଆଦର ବା ଅନାଦାର କବିଙ୍କ କବିତାରେ କୌଣସି ଭାବାନ୍ତର ଆଣିବାକୁ କ୍ଷମ ହୋଇନାହିଁ । କବି ରାଜଦରବାରର ଆଦରରୁ ବଞ୍ଚିତ ହୋଇ ମଧ୍ୟ ସୁନ୍ଦରୀ ନର୍ତ୍ତକୀର କମନୀୟ ନୃତ୍ୟ ଓ ଅଭିନୟ, ମଧୁର ଅଙ୍ଗଭଙ୍ଗୀ ସୁଲଳିତ ସଙ୍ଗୀତ, ମର୍ଦଳର ମୃଦୁଘାତ, ରାଜନବରର ବିଳାସପୂର୍ଣ୍ଣ ପରିବେଶ- ଯେଉଁଠି ଅଗୁରୁ ଧୂପର ସୁଗନ୍ଧ, ଚନ୍ଦନପିଚିକାର ଶୀତଳତା, ଜଳକ୍ରୀଡ଼ା ଓ ନୌକା ବିହାରର ବିପୁଳ ଆୟୋଜକ ଚନ୍ଦ୍ରାତପ, କନକଦୀପ, ଚିତ୍ରପଟ ସଜିତ ଗୃହ କବିଙ୍କୁ ମୁଗ୍‍ଧ କରୁଥିଲା ସେ ସବୁକୁ ଭୁଲି ପାରିନାହାନ୍ତି । ଗ୍ରାମର କୁତ୍ସିତ ବାତାବରଣ କବିହୃଦୟକୁ ଦଗ୍ଧ କରିଛି, ସେଥିପାଇଁ କବି ଲେଖିଛନ୍ତି-

 

କୁତ୍ସିତ ଗ୍ରାମେ ଥିଲେ, ମହାପଣ୍ଡିତ ହେଲେ;

ବିକି ହୋଇ ହୁଅଇ ଦୁଃଖୀ ସେ” ।।

 

ନିଜକୁ ବଗଡ଼ାଭାତ ମିଳୁନଥିଲେ ହେଁ, ସେ ଦିବ୍ୟଅନ୍ନର ସ୍ୱାଦକୁ ସ୍ମରଣ କରିଛନ୍ତି । ନିଜର ଆଶ୍ରୟପାଇଁ କୁଡ଼ିଆ ଖଣ୍ଡେ ନ ଥିଲେହେଁ, ସେ ସୁଧାଲେପିତ ପୁରର ସ୍ଵପ୍ନ ଦେଖିଛନ୍ତି ଘରେ, ବାପା, ବୋଉ, ନାନୀ, ଅପା, ପୁଅ, ଝିଅ, ଦାଦା, ଦେଇ ପ୍ରଭୃତି ଶବ୍ଦ ବ୍ୟବହାର କରୁଥିଲେ ହେଁ ରସକଲ୍ଲୋଳରୁ ଏସବୁ ଶବ୍ଦ ପରିତ୍ୟକ୍ତ ।

 

କେବଳ କବି ଦୀନକୃଷ୍ଣ ନୁହନ୍ତି; ରୀତିକାଳୀନ କବିସମାଜର ଏହାହିଁ ଥିଲା ସାଧାରଣ ମାନସପ୍ରକିୟା । ରୀତି ସାହିତ୍ୟର ଅନ୍ୟତମ ଆଲୋଚକ ଡକ୍ଟର ନଗେନ୍ଦ୍ର ରୀତିକାଳର କବିଙ୍କ ସମ୍ବନ୍ଧରେ ମତ ଦେଇ କହନ୍ତି ଯେ ସେମାନଙ୍କ ସ୍ଥିତି ଉତ୍ପାଦକବର୍ଗ ଆଉ ଭୋକ୍ତୃ-ବର୍ଗର ମଝିରେ, ସେ ନିମ୍ନ ବର୍ଗରେ ଜନ୍ମ ପାଇ ମଧ୍ୟ ଉଚ୍ଚବର୍ଗର ସଂସ୍କାର, ଆଶା ଓ ଆକାଙ୍‍କ୍ଷା ଚିତ୍ରଣରେ ନିଜକୁ ନିୟୋଜିତ କରିଥିଲେ । ରାଜାଙ୍କ ଦ୍ଵାରା ନିରାଶ ହୋଇ କବି ନିଜ ସମାଜକୁ ନ ଫେରି ଶ୍ରୀକୃଷ୍ଣ ବା ଶ୍ରୀରାମଙ୍କ କଥା-ଗାନରେ ବିଭୋର ହେଉଥିଲେ । କବିତାର ଶ୍ରେଷ୍ଠତା ତାଙ୍କର ଉତ୍ଥାନର ମୂଳକାରଣ ହେଲେ ବି ନିଜ ଦୁର୍ଭାଗ୍ୟରୁ ରାଜକୃପାରୁ ବଞ୍ଚିତ ହେଲେ, ସଂସାରର ସବୁ ସୁଖ ସୁଖ ଭରସା ତାଙ୍କର ଲୋପ ପାଇଯାଉଥିଲା । ଏହି ସବୁ କାରଣରୁ ରସକଲ୍ଲୋଳର ପ୍ରଚ୍ଛଦପଟ୍ଟରୂପେ କବି ଯେଉଁ ସମାଜରୁ ଉପାଦାନ ଆହରଣ କରିଛନ୍ତି, ତାହା ଥିଲା ସମସାମୟିକ ବିଳାସୀ ରାଜଦରବାରର ସମାଜ । ଓଡ଼ିଶାର ଜନସାଧାରଣ ସେଥିରୁ ଚିରଦିନ ପାଇଁ ଉପେକ୍ଷିତ ।

 

***

 

ପ୍ରାଚୀନ ଓଡ଼ିଆ ସାହିତ୍ୟରେ ନୃତ୍ୟର ବର୍ଣ୍ଣନା

ଧୀରେନ୍ଦ୍ରନାଥ ପଟ୍ଟନାୟକ

 

ବର୍ତ୍ତମାନ ପ୍ରସିଦ୍ଧି ଲାଭ କରିଥିବା ‘ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟକଳା ଓଡ଼ିଶୀନୃତ୍ୟ’ର ଉଲ୍ଲେଖ ପ୍ରାଚୀନ ଓଡ଼ିଆ ସାହିତ୍ୟରେ କୁତ୍ରାପି ଦେଖାଯାଏ ନାହିଁ, କେବଳ ଓଡ଼ିଶାରେ ଲିଖିତ ଖ୍ରୀଷ୍ଟୀୟ ୧୫ଶ ଶତାବ୍ଦୀର ଶ୍ରୀ ମହେଶ୍ୱର ମହାପାତ୍ରଙ୍କ ସଂସ୍କୃତ ନୃତ୍ୟ ଗ୍ରନ୍ଥ ‘ଅଭିନୟ ଚନ୍ଦ୍ରିକା’ରେ ଓଡ୍ରନୃତ୍ୟର ବିଶଦ ବର୍ଣ୍ଣନା ଦେଖାଯାଏ । କିନ୍ତୁ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ସ୍ଥଳ ବିଶେଷରେ ଯେଉଁଠାରେ ନୃତ୍ୟର ବର୍ଣ୍ଣନା ଆସିଛି ସେଥିରୁ ପ୍ରାଚୀନ ଓଡ଼ିଶାରେ ନୃତ୍ୟର ଶାସ୍ତ୍ରୀୟ ଚର୍ଚ୍ଚା, ଏହାର ସଙ୍ଗୀତ, ବାଦ୍ୟ, ରୂପସଜା, ବେଶପୋଷାକ, ପରିବେଷଣ କୌଶଳ, ଶୈଳୀ ଇତ୍ୟାଦିର ସ୍ପଷ୍ଟ ସୂଚନା ମିଳେ ଏବଂ ‘ଓଡ଼ିଶୀ ନୃତ୍ୟ’ ଯେ ସେହି ପରମ୍ପରାର ନୃତ୍ୟ ଏଥିରେ ସନ୍ଦେହର ଅବକାଶ ରହେନାହିଁ ।

 

ଓଡ଼ିଶାର ସର୍ବପ୍ରାଚୀନ ମହାକାବ୍ୟ ସାରଳା ଦାସଙ୍କ ମହାଭାରତରେ ସମସାମୟିକ ଓଡ଼ିଶାର ସାଂସ୍କୃତିକ ଜୀବନ ପ୍ରତିଫଳିତ ହୋଇଛି । ସଂସ୍କୃତିର ଏକ ପ୍ରଧାନ ଅଙ୍ଗ ନୃତ୍ୟକଳା ଉପରେ ମଧ୍ୟ ସାରଳା ଦାସ ଉପଯୁକ୍ତ ଆଲୋକପାତ କରିଛନ୍ତି । ଭାରତୀୟ ନୃତ୍ୟ ପରମ୍ପରାରେ ଶିବ ଓ ଗଣେଶଙ୍କୁ ନୃତ୍ୟର ଅଧିଷ୍ଠାତା ଦେବତା ଭାବରେ ସ୍ଵୀକାର କରାଯାଏ, ଅନ୍ୟାନ୍ୟ ଶୁଭକର୍ମ ଓ ପୂଜା ଇତ୍ୟାଦିର ଆରମ୍ଭ ଭଳି ନୃତ୍ୟାରମ୍ଭରେ ମଧ୍ୟ ଗଣେଶଙ୍କ ବନ୍ଦନା କରାଯାଏ । ଓଡ଼ିଶୀ ନୃତ୍ୟର ପ୍ରାମାଣିକ ଗ୍ରନ୍ଥ ଶ୍ରୀ ମହେଶ୍ୱର ମହାପାତ୍ରଙ୍କ ‘ଅଭିନୟ ଚନ୍ଦ୍ରିକା’ ଓ ଶ୍ରୀ ଯଦୁନାଥ ସିଂହ ବିରଚିତ ‘ଅଭିନୟଦର୍ପଣ ପ୍ରକାଶ’ ଗ୍ରନ୍ଥରେ ଏ ବିଷୟରେ ସ୍ପଷ୍ଟ ନିର୍ଦ୍ଦେଶ ଅଛି ଓଡ଼ିଶାର ଶୈବମନ୍ଦିରଗୁଡ଼ିକରେ ନଟରାଜ ମୂର୍ତ୍ତି ସହିତ ନୃତ୍ୟଶୀଳ ଗଣେଶଙ୍କ ମୂର୍ତ୍ତି ମଧ୍ୟ ସୁପ୍ରଚୁର ଭାବରେ ପରିଲକ୍ଷିତ ହୁଏ । ତନ୍ମଧରୁ ପୁରୀଜଗନ୍ନାଥ ମନ୍ଦିର ବେଢ଼ାର ବିମଳା ମନ୍ଦିର, ମୟୂରଭଞ୍ଜର ଖିଚିଂ, ତଳମୂଳ ଓ ଖଡ଼ିପଦର ନୃତ୍ୟଶୀଳ ଗଣେଶ ମୂର୍ତ୍ତି ପ୍ରଧାନ । ଏ ସମସ୍ତ ମନ୍ଦିର ଖ୍ରୀଷ୍ଟିୟ ୮ମ ଶତାବ୍ଦୀରୁ ୧୦ମ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିଲା ।

 

ପ୍ରାରମ୍ଭରେ ଗଣେଶଙ୍କ ବନ୍ଦନାର ପରମ୍ପରା ରକ୍ଷାକରି ସାରଳା ଦାସ ମଙ୍ଗଳାଚରଣ ଗୁଡ଼ିକରେ ଗଣପତିଙ୍କର ବନ୍ଦନା କରିବା ସଙ୍ଗେ ସଙ୍ଗେ କେତେକ ସ୍ଥଳରେ ତାଙ୍କ ନୃତ୍ୟର ସୁନ୍ଦର ବର୍ଣ୍ଣନା ଉପସ୍ଥାପନ କରିଛନ୍ତି । ଭୀଷ୍ମପର୍ବରେ ପ୍ରଚଳିତ ରାଗ-ରାଗିଣୀର ଉଲ୍ଲେଖ ସହ ଗଣେଶଙ୍କ ନୃତ୍ୟର ବର୍ଣ୍ଣନା କରି ସେ ଲେଖିଛନ୍ତି:-

 

“ଭର ହରଷ ନାୟକ ନୃତ୍ୟରସେ ଭୋଳା

ମହାରସେ ରସିକ ନାଥ ତାଣ୍ଡବ ନୃତ୍ୟକଳା ।୪।

XXX

ରଣଝଣ ଶବଦ ତୋ ଚରଣେ ନୂପୁର

ଚଳିଲାକ ମେଦିନୀ ତୋହର ପାଦଭାର ।୧୭।

ଅଙ୍ଗ ରକ୍ତବର୍ଣ୍ଣ ସହିଷ୍ଣୁ ଯେ ମେରୁ

ବ୍ରହ୍ମାଣ୍ଡ କମ୍ପାଇ ବାଜନ୍ତେ ଯାହାର ଡମ୍ବରୁ ।୧୮।

ବିଜିଘୋଷ ଶବ୍ଦତାଳ ଯେ କଂସାଳି

ଝଟକେ ମୋହିଲୁ ତୁହି ଦେବ ଯେ କାପାଳୀ ।୧୯।

ମେରୁତୁଲ୍ୟ ମଉଳି ଆରକ୍ତ ବର୍ଣ୍ଣ ଆଖି

ଅପସରା ବୃନ୍ଦ ଭଜିଲେ ତୋହର ତାଣ୍ଡବ ନୃତ୍ୟ ଦେଖି ।୨୦।

ଶ୍ରୀଭୁଜେ ସରଗଣା ତାଳ ଯେ ଅଧାଟି (ଆଘାଟି ବା ଆଘାତି)

ସୁସ୍ୱରେ ଗୀତରସେ ଆରମ୍ଭ ନୃତ୍ୟ ହେଟି ।୨୧।

ରାଗ ରାଜା ମାଳବ ଲଳିତ ବସନ୍ତ ଭଇରୋବୀ

ମାଳଶ୍ରୀ ନାରାୟଣୀ ଗଉରୀ ମଙ୍ଗଳ ବରାଡ଼ୀ ।୨୨।

ନାଗବଲୀ କର୍ଣ୍ଣାଟୀ ଗୁଜରୀ ଭୂପାଳି

ମହ୍ଲାର, ଅମର ରଙ୍ଗଣ ହିନ୍ଦୋଳି ।୨୩।

ଯାମଳା ତୋଡ଼ି ବିଭାସ ବିଚିତ୍ର ଦେଶୀ ବଙ୍ଗଳାଶ୍ରୀ

ରାଗରାଜା ଧନାଶ୍ରୀ ଦେଶୀ ଦେଶାକ୍ଷ ଚିନ୍ତା ମିଶି ।୨୪।

ଗୁଜରୀ ମତ୍କାର କଲ୍ୟାଣୀ ପଟହ ମଞ୍ଜରୀ

କାଶୀ କନଡ଼ା କୈଶିକ ଆଭିରୀ ଗୁଣ୍ଡକେରୀ ।୨୫।

କେଦାର ବସନ୍ତ ବରାହୀ ମଧୁକୋରୀ ତୋଡ଼ି

ବଙ୍ଗାଳି ଚୋଖି ଆବର ପଞ୍ଚମ ବରାହୀ ।୨୬।

ବିଷ୍ଣୁର ଗାୟଣୀ ଶତେ କନ୍ୟାଙ୍କର ମୂଳେ

ଖଟନ୍ତି ବିଳାସୁଣୀ ନୃତ୍ୟ ରଙ୍ଗରସ ଭୋଳେ ।୨୭।

ଯାହାର ନୃତ୍ୟକୁ ଅବଧାରୀ ବୃନ୍ଦା ଅର୍କେ

ମୋହିଲୁ ସଦାନନ୍ଦ ସ୍ଵାମୀ ଭଜିଲେ ନାଗ ଲୋକେ ।୨୮।

 

ଏହି ପର୍ବର ପୁଣି ଏକ ସ୍ଥାନରେ ଗଣେଶଙ୍କ ନୃତ୍ୟର ବର୍ଣ୍ଣନା ଅତି ଚମତ୍କାର ଭାବରେ କରାଯାଇଛି –

 

“ଜୟ ତୁ ଦବାମନ ମୂର୍ତ୍ତି ବିଘ୍ନରାଜ

ଦର୍ଶନେ ପ୍ରସନ୍ନ ସିଦ୍ଧିକରୁ ସର୍ବକାର୍ଯ୍ୟ ।

ମୂଷିକ ବାହନେ ନୃତ୍ୟରଙ୍ଗେ ସଦା ଭୋଳା

ମତ୍ତ ସଙ୍ଗୀତେ କରୁ ତୁ ତାଣ୍ଡବରେ ଲୀଳା ।

କଟୀରେ ଘଣ୍ଟି ଘାଗୁଡ଼ି ଶୋଭଇ ତୋହର

ଦିନକର ତେଜସମ ପର୍ଶୁକରେ ତୋର ।

X      X      X

ଅମୃତ ଭୋଜନେ ତୋର ମାନସ ତୃପତି

ନୃତ୍ୟରଙ୍ଗରେ ତୋହର ବିନାୟକ ମୂର୍ତ୍ତି ।

ଝମ ଝମ ତୋ ପାଦରେ ବାଜଇ ନୂପୁର

ଟଳିଲା ଗିରି କନ୍ଦର ପାଦଭାରେ ତୋ’ର ।

ଗର୍ଜନ୍ତି ପଇତା ହୋଇ ତୋର ଅଙ୍ଗେ ଫେରୁ

ବ୍ରହ୍ମାଣ୍ଡ କମେ ତୋହର ବାଜନ୍ତେ ଡମ୍ବରୁ ।

ମେରୁ କମ୍ପିଲା କିଞ୍ଚିତେ ଚାହୁଁ ବେନି ଆକ୍ଷି

ଅପସରାଏ ଭଜିଲେ ତୋର ନୃତ୍ୟ ଦେଖି ।

X      X      X

ସେ ନୃତ୍ୟେ ମୋହିତ ହେଲେ ସର୍ବ ବୃନ୍ଦାରକ

ଶଙ୍କର ମୋହିତ ହେଲେ ପୁଣି ନାଗ ଲୋକ ।

 

ଉତ୍କଳୀୟ ମନ୍ଦିରଗୁଡ଼ିକରେ ଯେଉଁ ନୃତ୍ୟଶୀଳ ଗଣେଶ ଦେଖାଯାଆନ୍ତି ସବୁଥିରେ ସେ ଚତୁର୍ଭୁଜ । ଉର୍ଦ୍ଧ୍ୱ ଦୁଇ ହସ୍ତରେ ଉତ୍କଳୀୟ ନଟରାଜଭଳି ସେ ଏକ ସର୍ପଧାରଣ କରିଛନ୍ତି; ବାମହସ୍ତରେ ଲଡ଼ୁ ଓ ଦକ୍ଷିଣହସ୍ତ ନୃତ୍ୟଭଙ୍ଗୀରେ ମୟୁରହସ୍ତ (ଅଭିନୟ ଦର୍ପଣ) ଅବଲମ୍ବନ କରି ଉଦରର ବାମଭାଗରେ ଅବସ୍ଥାପିତ ହୋଇଛି । ପାଦଯୋଡ଼ିକ ସୂଚୀପାଦ (ନାଟ୍ୟଶାସ୍ତ୍ର)ରେ ଅବସ୍ଥିତ । ଓଡ଼ିଶାର ପଟ୍ଟଚିତ୍ରରେ ମଧ୍ୟ ଗଣେଶଙ୍କ ନୃତ୍ୟଭଙ୍ଗୀ ଏକ ପ୍ରଧାନ ଉପଜୀବ୍ୟ ବିଷୟ । ଓଡ଼ିଶୀନୃତ୍ୟ’ରେ ଗଣେଶଙ୍କର ଯେଉଁ ବନ୍ଦନା କରାଯାଏ ତାହଁରେ ତାଙ୍କର ନୃତ୍ୟକଳା କୁଶଳତା ସମ୍ପର୍କରେ ସର୍ବଦା ଉଲ୍ଲେଖ ଥାଏ ।

 

ଶିବଙ୍କର ନୃତ୍ୟ ତାଣ୍ଡବରୂପେ ପରିଚିତ । ଏହି ‘ତାଣ୍ଡବ’ ନୃତ୍ୟର ଶାସ୍ତ୍ରୀୟ ବର୍ଣ୍ଣନା କିନ୍ତୁ କାବ୍ୟରେ ପରିଲକ୍ଷିତ ହୁଏ ନାହିଁ । କିନ୍ତୁ ଶିବଙ୍କର ନୃତ୍ୟ ବର୍ଣ୍ଣନା କେତେକ ମହାକାବ୍ୟରେ ସୁନ୍ଦରଭାବରେ କରାଯାଇଛି । ସାରଳାଦାସଙ୍କ ମହାଭାରତରେ ଶିବଙ୍କ ନୃତ୍ୟର ସ୍ଵଳ୍ପବର୍ଣ୍ଣନା ପରିଲକ୍ଷିତ ହୁଏ । ଭୀଷ୍ମପର୍ବରେ ଉଲ୍ଲେଖ ଅଛି –

 

“ଧବଳ ଶରୀର ତୋ ନାଟ୍ୟରସ ଭୋଳେ

କରେ ବିରାଜଇ ତୋର ତୀକ୍ଷ ଯେ ତ୍ରିଶୂଳେ । ୧୯୩ ।

ଅର୍ଦ୍ଧନାରୀଶ୍ୱର କୃତାନ୍ତ ଦର୍ପ ଭଜ୍ଞା

ଡିବି ଡିବି ଡମ୍ବରୁ ବାଜେ ମହାବାଜା । ୧୯୪।

ତାଣ୍ଡବ ନୃତ୍ୟ ନୋହେ ତୁମ୍ଭରୁ ନ ଥିଲେ ।

କାଳ କୁଟଖାଇ ତୁମ୍ଭ ପାର କଲ ହେଳେ ।୧୯୫।

 

ସାରଳାଦାସଙ୍କ ପରବର୍ତ୍ତୀ ବଳରାମଦାସଙ୍କ ଦାଣ୍ଡୀରାମାୟଣରେ କିନ୍ତୁ ଶିବ ତାଣ୍ଡବର ବିଶଦ ବର୍ଣ୍ଣନା ଦେଖିବାକୁ ମିଳେ । ‘ଶିବ ପ୍ରଦୋଷ ସ୍ତୋତ୍ର’ ଏବଂ ‘କଥା ସରିତସାଗର’ରେ ଶିବଙ୍କର ସାକ୍ଷ୍ୟ ତାଣ୍ଡବ ନୃତ୍ୟର ବର୍ଣ୍ଣନା ପ୍ରସଙ୍ଗରେ କୁହାଯାଇଛି ଯେ ବ୍ରହ୍ମା, ବିଷ୍ଣୁ, ଇନ୍ଦ୍ର, ବରୁଣ ଇତ୍ୟାଦିଦେବତାମାନେ ବାଦ୍ୟକାର ଓ ସଙ୍ଗୀତଜ୍ଞ ଭାବରେ ଏହି ନୃତ୍ୟରେ ସହଯୋଗ କରୁଥିଲେ । ବଳରାମ ଦାସ ମଧ୍ୟ ‘ସୁନ୍ଦରାକାଣ୍ଡ’ରେ ଅନୁରୂପ ବର୍ଣ୍ଣନା ଉପସ୍ଥାପନ କରି ଲେଖିଛନ୍ତି –

 

‘ବ୍ରହ୍ମାମର୍ଦ୍ଦଳ କଂସାଳ ଦେବବାଇ

ପବନ ଯେ ଫୁଙ୍କା ନାମ କାହାଳୀ ବଜାଇ ।

ନାରଦ ଯେ ବୀଣା ଯନ୍ତ୍ର ବରୁଣ ବଇଁଶୀ

କୃଷ୍ଣତାଳ ଧରିଲେ ସେ ନୃତ୍ୟ ରଙ୍ଗେପଶି ।

ତେବେ ସେ ନୃତ୍ୟ ଦେଖିଲେ ମନେ ସୁଖପାଇ

ନୋହିଲେଟି ତାଳମାନ କେବେ ହେଁ ନ ଯାଇ ।

ରାବଣ ବୋଲଇ ଏଥ ବିଷ୍ଣୂ ନାହିଁ ଏକା

ମର୍ଦ୍ଦଳ ଧରିବାକୁ ଯେ ଅଛି ଚଉମୁଖା ।

ଅଛନ୍ତି ଯମବରୁଣ ବାସବ ପବନ

ନାରଦ ସହିତେ ଯେ ଅଛନ୍ତି ତ୍ରିଲୋଚନ ।

ହରି ପାଲଟକୁ ମୁହଁ ଧରଇ ନା ତାଳ

ଏତେବୋଲି ଉଠିଲା ଯେ ବିଶ୍ରବାର ବାଳ ।

ତତକ୍ଷଣେ ମର୍ଦ୍ଦଳ ବିଧାତ ଯାଇ ଧରି

ବୀଣାଯନ୍ତ୍ର ବଜାଇ ନାରଦ ତପଚାରୀ ।

ପବନ ଫୁଙ୍କା ଯେ ବଜାଇଲା ଧୀର ଧୀର ।

କଂସାଳ ଧରିଣ ଝମକାଇ ବଜ୍ରଧର

ବରୁଣ ସୁରେ କରେ ବଇଁଶୀର ଧୂନୀ ।

ନୃତ୍ୟ କରିବାକୁ ଯେ ଆନନ୍ଦ ବିଂଶପାଣି ।

ଗହ ଗହ ଶୋଭା ଯେ ସ୍ତବଧ ସର୍ବଜନେ

ବିଭୀଷଣ ବିଚାର କରଇ ମନେ ମନେ ।

X      X      X

ଏସନ ସମୟେ ବ୍ରହ୍ମା ବାଇଲେ ମର୍ଦ୍ଦଳ

ପୃଥିବୀ ଥରିଣ ଯେ ହୋଇଲା ଟଳମଳ ।

ଦେବରୁଦ୍ର ନୃତ୍ୟରଙ୍ଗେ ପଶିଲେକ ଯାଇଁ

ଚରଣେ ନୂପୁର ଯୋଡ଼ି ବାନ୍ଧି ଉମାସାଇଁ ।

ମର୍ଦ୍ଦଳ ବଜାଇ ବ୍ରହ୍ମା ଗାଇଲେକ ଗୀତ

ପୃଥିବୀ କମ୍ପିଲା ମାଇଲେକ ପଦାଘାତ ।”

 

ଉପର ବର୍ଣ୍ଣିତ ଶିବଙ୍କର ‘ସାନ୍ଧ୍ୟତାଣ୍ଡବ’ ନୃତ୍ୟର ଦୃଶ୍ୟ ପୁରୀ ଜଗନ୍ନାଥ ମନ୍ଦିର ଭୋଗମଣ୍ଡପରେ କଳା ମୁଗୁନି ପଥରରେ ଅତି ସୁନ୍ଦରଭାବରେ ଖୋଦିତ ହୋଇଛି । ଉଭୟ ଦୃଶ୍ୟରେ ଷଡଭୁଜ ନଟରାଜ ଏକ ଗତିଶୀଳ ବୃଷଭ ପୃଷ୍ଠରେ ନୃତ୍ୟ କରୁଛନ୍ତି ।

 

ଉଭୟ ସାରଳା ମହାଭାରତ ଓ ଦାଣ୍ଡି ରାମାୟଣରେ ଉତ୍ସବପାଳନ ପ୍ରସଙ୍ଗରେ ସ୍ୱର୍ଗରେ ଅପ୍‍ସରା ଓ ମର୍ତ୍ତ୍ୟରେ ବେଶ୍ୟା (ବାରନାରୀ, ବିଳାସିନୀ)ମାନଙ୍କ ନୃତ୍ୟର ବର୍ଣ୍ଣନା ଅଛି । ସମ୍ଭବତଃ ସେ ସମୟରେ ଉତ୍ସବମାନଙ୍କରେ ତଥା ଆମୋଦ ପ୍ରମୋଦ ପାଇଁ ବେଶ୍ୟା ନର୍ତ୍ତକୀ ଓ ନଟମାନେ ନୃତ୍ୟ କରିବାପାଇଁ ନିଯୁକ୍ତ ଥିଲେ । ଅପ୍ସରା ଓ ବେଶ୍ୟାମାନଙ୍କ ନୃତ୍ୟ ବର୍ଣ୍ଣନାରୁ ତତ୍‌କାଳୀନ ନୃତ୍ୟଶୈଳୀ ସମ୍ପର୍କରେ କିଛି ଅନୁମାନ କରିହୁଏ ।

X XX

“ଖଟନ୍ତି ଯେ ବିଳାସିନୀ ନୃତ୍ୟକାରୀମାନେ ।

ଉର୍ବଶୀ କିନ୍ନରୀ ଆଦି ସପ୍ତ ବାର ନାରୀ

ନାଚନ୍ତି ଗାଆନ୍ତି ତାଳ ମାନ ଲୟ ଧରି ।

ତୁମ୍ବୁରୁ ବାଦ୍ୟ କରନ୍ତି ତାଳ ଧରି ହସ୍ତେ

ମୋହିନୀମାନେ ମୋହନ୍ତି ତାଙ୍କ ନୃତ୍ୟଗୀତେ ।

X      X      X

ଶରଗଣା ଆଘାଟି ଯେ ମହୁରୀ ବାଜଇ

ବାଦ୍ୟ ଗହଳରେ ପୃଥ୍ୱୀ ଉଛୁଳି ପଡ଼ଇ ।

କୂତୁହଳେ ସେ ରାଜ୍ୟକୁ ଯାଆନ୍ତି ଭୀମସେନ

ଛାମୁରେ ନୃତ୍ୟ କରନ୍ତି ଅପସରୀ ଗଣ ।

ଛାମୁରେ ନୃତ୍ୟ କରନ୍ତି ଯେ ବାର ଯୋଷିତ

ଗାବନ୍ତି ସୁସ୍ୱରେ ସେ ଯେ ମଧୁର ସଙ୍ଗୀତ ।

X      X      X

ବାଜଇ ପଖୋଜମାନ ବିବିଧ ତାଳରେ

ଜଗଜ୍ଜନଙ୍କ ମାନସ ମୋହନ୍ତି ନୃତ୍ୟରେ ।

XX X

ତାଳ ଲୟେ ପହପଟ ରାଗିଣୀ ରଟନ୍ତି

ମୋହିନୀ ବେଶେ ତାଣ୍ଡବ ନୃତ୍ୟରେ ଖଟନ୍ତି ।

XXX

ଛାମୁରେ ନୃତ୍ୟଗୀତାଦି କରନ୍ତି ବନିତା

ଖଟନ୍ତି ଯେ ବିଳାସିନୀ ତାଣ୍ଡବ ସଙ୍ଗୀତା ।

XXX

ଖଟୁଅଛନ୍ତି ଅନେକେ ବିଳାସୀ ବନିତା

ଦିବ୍ୟ ତାଳରେ ଗାଇଲେ ତାଣ୍ଡବ ସଙ୍ଗୀତା ।

XXX

ଅମର ବିଳାସିନୀଏ ତାଣ୍ଡବେ ଖଟନ୍ତି

ନାନାନୃତ୍ୟ ହେଉଅଛି ତହିଁ ଦିବାରାତି ।

(ସଭାପର୍ବ–ସାରଳା ମହାଭାରତ)

 

ଏଠାରେ ଲକ୍ଷ୍ୟକରିବାର କଥା ମଧୁର ସଙ୍ଗୀତ ଗାୟନ ଓ ପଖୋଜର ବିଭିନ୍ନ ତାଳରେ ନୃତ୍ୟକରିବା ବିଧି ଓଡ଼ିଶୀନୃତ୍ୟରେ ଏବେ ମଧ୍ୟ ପ୍ରଚଳିତ । ‘ପହପଟ’ ଛନ୍ଦ ଓଡ଼ିଶୀ ତାଳର ଏକ ବିଶେଷତ୍ଵ ଏବଂ ଓଡ଼ିଶୀ ନୃତ୍ୟଗୀତରେ ଏହାର ବହୁଳ ବ୍ୟବହାର ହୁଏ ।

 

ସାରଳାଙ୍କ ମହାଭାରତରେ ବେଶ୍ୟାମାନେ ତାଣ୍ଡବନୃତ୍ୟ କରୁଥିବାର ସର୍ବତ୍ର ଉଲ୍ଲେଖ ଅଛି-। କିନ୍ତୁ ତାଣ୍ଡବନୃତ୍ୟ ସାଧାରଣତଃ ପୁରୁଷମାନଙ୍କ ଦ୍ୱାରା ଉଗ୍ର ଅଙ୍ଗଭଙ୍ଗୀ ଦ୍ୱାରା ସମ୍ପାଦିତ ହୁଏ-। କିନ୍ତୁ ପ୍ରାଚୀନ ଶାସ୍ତ୍ରରେ ପ୍ରମାଣିତ ହୁଏ ଯେ ତାଣ୍ଡବ ମୁଖ୍ୟତଃ ପୁରୁଷ ଓ ‘ଲାସ୍ୟ’ ସ୍ତ୍ରୀ ନୃତ୍ୟ ହୋଇଥିଲେ ହେଁ ସ୍ତ୍ରୀମାନେ ମଧ୍ୟ ତାଣ୍ଡବନୃତ୍ୟ କରୁଥିଲେ ଓ ପୁରୁଷମାନେ ଲାସ୍ୟନୃତ୍ୟ କରୁଥିଲେ-। ଏଥିପାଇଁ ପୁରୁଷନୃତ୍ୟ ଶିଳ୍ପୀକୁ ଲାସକ’ ମଧ୍ୟ କୁହାଯାଉଥିଲା । ତାଣ୍ଡବ, ପ୍ରୟୋଗ ବିଧିରେ କୋମଳ ଓ ଉଦ୍ଧତଭେଦରେ ଦୁଇପ୍ରକାର ଥିଲା । ତେଣୁ ସେ ଯୁଗର ନର୍ତ୍ତକୀମାନଙ୍କର ନୃତ୍ୟଶୈଳୀ କୋମଳତାଣ୍ଡବ ବିଧିକୁ ଅନୁସରଣ କରୁଥିବାର ଅନୁମିତ ହୁଏ । ଓଡ଼ିଶୀନୃତ୍ୟର ବଟୁନୃତ୍ୟ, ବନ୍ଧନୃତ୍ୟ, ମୋକ୍ଷନାଟ ଓ ଶବ୍ଦନୃତ୍ୟ ତାଣ୍ଡବ ଶୈଳୀର ଅନ୍ତର୍ଗତ । ଭୁବନେଶ୍ଵରର ମୁକ୍ତେଶ୍ଵର ମନ୍ଦିରର ଅଭ୍ୟନ୍ତରରେ ଓ ବାହାରେ ତାଣ୍ଡବନୃତ୍ୟ କରୁଥିବା ଦୁଇଟି ନର୍ତ୍ତକୀ ଦେଖାଯାଆନ୍ତି । ପୁରୀ ମନ୍ଦିରର ଭୋଗମଣ୍ଡପରେ ମଧ୍ୟ ଏଭଳି ତାଣ୍ଡବ-ଭଙ୍ଗୀରେ ନୃତ୍ୟ କରୁଥିବା କେତୋଟି ନାରୀମୂର୍ତ୍ତି ଦୃଷ୍ଟିଗୋଚର ହୁଅନ୍ତି ।

 

ପ୍ରଚଳିତ ନୃତ୍ୟକଳାର ବିଶେଷ ଲକ୍ଷଣ ସମ୍ପର୍କରେ ସାରଳା ମହାଭାରତ ବା ଦାଣ୍ଡି ରାମାୟଣରେ କୌଣସି ଉଲ୍ଲେଖ ଦେଖାଯାଏ ନାହିଁ । କିନ୍ତୁ ନର୍ତ୍ତକୀମାନଙ୍କର ବେଶ, ପୋଷାକ, ଅଳଙ୍କାର ଓ ରୂପସନ୍ଥା ସମ୍ପର୍କରେ ବିଶଦ ବିବରଣୀ ମିଳେ । ବିରାଟ ପର୍ବରେ ଯେତେବେଳେ ଅର୍ଜୁନ ବୃହନ୍ନାରୀ ବେଶରେ ନୃତ୍ୟଶିକ୍ଷା ଦେବାକୁ ଯାଉଛନ୍ତି, ସେ ସମ୍ପର୍କରେ ସାରଳାଙ୍କ ମହାଭାରତରେ ବର୍ଣ୍ଣନାଅଛି-

 

“ମୋର ନାମ ଅଟଇ ସକାମୀ ବୃହନ୍ନାରୀ

କନ୍ୟାପୁରେ ଥାଏ ମୁହି ଅଟେ ନୃତ୍ୟକାରୀ ।

ଗୀତନୃତ୍ୟ ଶିକ୍ଷା ଦିଏ ଅତି ଯତ୍ନ କରି । (ପୃ-୧୩)

X       X       X

ନିଅ ଲଲାଟ ବିନ୍ଧଣି ଶିର ସିମନ୍ତିନୀ

ମୁକୁତାରେ ଜାଲି ହରିତାଳ ଲେଖ ପୁଣି ।

ଲଲାଟ ପାଟିକି କର୍ଣ୍ଣାଞ୍ଚଳ ଦିଶେ ଶୋଭା

ହୃଦଭୂଷଣ ପୁଷ୍ପର ଯେ ଗଭା ।

କଳା ଚାପସରି ଦଶ ଅବତାର ମାଳ

ସୁବର୍ଣ୍ଣର ଚୁଡ଼ି କଟି କିଙ୍କିଣୀ ମେଖଳ ।

ବିଦ ମୁଦି ବାହୁଟି ଯେ ସୁନାପାଣି ଦ୍ରବ୍ୟ

ରୁଣୁଝୁଣୁ ନୃପୁର ଯେ ଚରଣେ ଆରମ୍ଭ ।

ଦର୍ଶନକୁ ରୁଚି ନେତ ଖଣ୍ଡୂଆ ପତନି,

X       X       X

ଦାଣ୍ଡି ରାମାୟଣର ଆଦି କାଣ୍ଡରେ ଜରତ୍କୁଷାନଟୀ ଓ ତାର ସହଚରୀମାନଙ୍କର ବେଶ ବର୍ଣ୍ଣନା ଅତି ସୁନ୍ଦର ଭାବରେ କରାଯାଇଛି । ବର୍ଣ୍ଣନାରେ ଉତ୍କଳୀୟ ବେଶ ପରମ୍ପରାର ସୃଷ୍ଟ ସୂଚନା ମିଳେ । ଯଥା :-

 

“ଶୁଭ ଅନୁକୂଳ ଘେନି ଜରକ୍ରୂଷା ନଟୀ

କନ୍ଦପ ମୋହିନୀ ସଙ୍ଗେ ବିଳାସୀ ବାରଟି ।

କର୍ଣ୍ଣରେ ତାଟଙ୍କ ଖଞ୍ଜି ବାହେ -ବିଦ ବାନ୍ଧି

ଆୟ ଅଳଙ୍କାର ମାନ ଝୀନ ବସ୍ତ୍ର ପିନ୍ଧି ।

କଣ୍ଠେଣ ପଦକ ହାର ମୁକୁତାର ଝରା

ଯଉବନ ପରେ ଶୋହେ ମୋତି କେରା କେରା ।

ପାଦରେ ନୂପୁର ଶୋହେ ବାହେ ରତ୍ନବାହୀ

ଲଲାଟେ କସ୍ତୁରୀ ଚିତା ତାମ୍ବୁଳ ଯେ ଖାଇ ।

X       X       X

ତାଳଶବ୍ଦ ମୃଦଙ୍ଗାଦି ବେଣୁ ବଂଶୀ ଘେନି

ନୃତ୍ୟରଙ୍ଗେ ପଣ୍ଡିତା ସେ ସମସ୍ତ ତରୁଣୀ ।

X       X       X

ଅଳତା ପୟରେ ଯେ ନୂପୁର ରତ୍ନମୟେ

ଅଙ୍ଗୁଠିରେ ଯେ ମୁଦ୍ରିକା ଅତିହିଁ ଶୋଭାପାଏ।

ପାକ ପିନ୍ଧିଲେ ତହିଁ ନେତ ଆଭରଣ

ପାଦରେ ନୂପୁର ଯେ ବାଜଇ ରୁଣଝୁଣ ।

ନୟନେ କଜ୍ଜ୍ୱଳ ଯେ କପୋଳେ ଚାରୁଚିତା

ତାମ୍ବୁଳ ଭୁଞ୍ଜିଣ ସେ ଅଧର କଲା ଲତା ।

ନାନା ଅଳଙ୍କାରମାନ ପିନ୍ଧିଲେ ଯୁବତୀ

ତାଳ ବଇଁଶୀ ମୃଦଙ୍ଗ କଂସାଳ ବଜାନ୍ତି ।

ନୃତ୍ୟ ଗୀତ ସେ ବିଦ୍ୟା ସଙ୍ଗୀତ ଅଭ୍ୟାସ

ସୁର ବଇଁଶୀ ଧ୍ୱନୀ ବେଣୁ ବୀଣା ଘୋଷ ।

 

ଷୋଡ଼ଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ରଚିତ କବି ନରସିଂହ ସେଣଙ୍କ ‘ପରିମଳା’ କାବ୍ୟରେ ବିବାହ ଉତ୍ସବରେ ବେଶ୍ୟାନୃତ୍ୟ ହେଉଥିବାର ବର୍ଣ୍ଣନା ଅଛି । ନର୍ତ୍ତକୀ ତିଳୋତ୍ତମାର ନୃତ୍ୟ ପରିବେଷଣ ଦୃଶ୍ୟରେ ପରିବେଷ୍ଟନୀ, ଅନୁକୂଳ ବାତାବରଣ, ନୃତ୍ୟଶୈଳୀ, ରୂପସଜା ଓ ବେଶ ପୋଷାକର ଯେଉଁ ବର୍ଣ୍ଣନା ଦିଆଯାଇଛି ସେଥିରେ ଓଡ଼ିଶୀ ନୃତ୍ୟର ମୌଳିକତା ସୁସ୍ପଷ୍ଟ । କବି ବର୍ଣ୍ଣନାରେ ଲେଖିଛନ୍ତି-

 

“ଗାଇଲେ ଗାୟେଣୀ ମୃଦୁରସ ଗୀତ

ସଭାରେ ସମସ୍ତଙ୍କ ବଳି ଅଛି ଚିତ୍ତ ।

ମୃଦଙ୍ଗ ବଂଶୀ କଂସାଳ ଦୋସରୀ କାହାଳ

ଉପାଙ୍ଗ ତାଳ ବୀଣାର ଶବଦ ଚହଳ ।

ସକଳ ବାଦୀଙ୍କର ସେ ନାଦୟେକ ହୋଇ

ବ୍ରହ୍ମଲୋକ ଭେଦି ନାଦ ବିଷ୍ଣୁଲୋକେ ଯାଇ ।

କ୍ରମେଣ ଶବଦ ଊରେ ସର୍ବ ଦୀପାନ୍ତର

ତାଳଶବ୍ଦ ମୁଦ୍ରା କରି ଗୀତ ମନୋହର ।

ତିଳୋଉମା ପଶି ତହିଁ ପଦାଘାତ କଲା ।

ସମସ୍ତ ସଭାଜନଙ୍କ ମନ ହରିନେଲା ।

ବକ୍ରଭାବ କରି ନାଚୁଅଛି ଯେ ସୁନ୍ଦରୀ

ତ୍ରିଭଙ୍ଗୀ ଲଳିତ ତନୁ ଅତି ମନୋହାରୀ ।

କାଞ୍ଚଲା ଫିଟିଣ ଯେ ଦିଶଇ କୁଚଭାର

ହୃଦେ ଲମ୍ବିଅଛି ଗଜ ମୁକୁତାର ହାର ।

ହସ୍ତକ କରିଣ ସେ ନାଚଇ ଭାବଘେନି ।

ରତିଭାବ ଲୀଳାଭାବ ନାଚଇ କାମେନୀ ।

ଚଳଇ ଅଳକା ଚାରୁ କପୋଳର କତି

କମଳ ଲୋଭେ ଉଡନ୍ତି କମଳର ପନ୍ତି ।

ପଦାଘାତ ବାଳୀ ଯେ ଦିଅଇ ଘନ ଘନ

ନେପୁରର ଶବଦ ଶୁଭଇ ରୁଣ ଝୁଣ ।

ଲୁଗା ଫେର ଦେଖି ତା’ର ପୀଡ଼ଇ ମଦନ

ହୃଦ ଦମ ଦମ ହୋଇ ଅଙ୍ଗୁହରେ ଜ୍ଞାନ ।

(୨୪ ଶ ଛି’ନ୍ଦ)

 

ଅଣ୍ଟାରେ ହାତ ଦେଇ ବାଙ୍କ ନୟନରେ ଚାହିଁବା, ତ୍ରିଭଙ୍ଗୀ, ଲାଳିତ୍ୟ, ହସ୍ତକ (ମୁଦ୍ରା) ସହିତ ନୃତ୍ୟ କରିବା ଓଡ଼ିଶୀ ନୃତ୍ୟର ବିଶେଷତ୍ୱ, କାଞ୍ଚୁଲା ଓ ଫେରଦେଇ ଲୁଗା ପିନ୍ଧିବା ମଧ୍ୟ ଏହି ନୃତ୍ୟରେ ଅଦ୍ୟାବଧି ପ୍ରଚଳିତ । ତେଣୁ ସେ ସମୟରେ ଯେ ଓଡ଼ିଶୀନୃତ୍ୟର ପ୍ରକୃଷ୍ଟ ଚର୍ଚ୍ଚା ହେଉଥିଲା ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଅଛି ।

 

ପରବର୍ତ୍ତୀ କାଳର କବି ଅର୍ଜୁନ ଦାସଙ୍କ ‘କଳ୍ପଲତା’ରେ ନୃତ୍ୟର ଯେଉଁ ବର୍ଣ୍ଣନା ଅଛି ତହିଁରେ ମଧ୍ୟ ଓଡ଼ିଶୀ ଶୈଳୀର ସୃଷ୍ଟ ସୂଚନା ମିଳେ । ବନାରେ କବି ଲେଖିଛନ୍ତି –

 

ବଲ୍ଲଭେ ବୁଝାଇ କାଳୀ କର୍ପୂର ଚନ୍ଦନ ସାମଳୀ

ଦକ୍ଷିଣ ଦେବାଙ୍ଗ ବାସ, କୁସୁମେ ଶୋହେ ଚାରୁକେଶ

ମୁକୁତା କାଞ୍ଚୋଲିଲାଇ କର୍ପୁର ନାଗବଲ୍ଲୀ ଖାଇ

ପୁରୁ ବାହାର ହୋଇଲା ସଙ୍ଗୀତ ସାଙ୍ଗେଣ ମିଳିଲା ।

ବାଜିଲା ମର୍ଦ୍ଦଳଘାତ ରଞ୍ଜନ ମୁଳିଙ୍କ ଚରିତ

ଗନ୍ଧର୍ବେ ଗାଆନ୍ତି, ନୃତ୍ୟରେ ପରି ଘାଇ ପଶି

ଶୁଣିଣ ସୁରେଖା ଧାଇଁଲା, ମର୍ଦ୍ଦଳ କତିରେ ହୋଇଲା

ସଙ୍ଗୀତ ବାଦ୍ୟାନ୍ତ ଛୁଇଁ, ସବୁନ୍ତି ଓଳଗି ମେଲାଇ ।

X X X (୧ ମ ଛାନ୍ଦ)

 

ଗଭାକୁ ପୁଷ୍ପମାଳାରେ ସଜାଇବା, ମର୍ଦ୍ଦଳ ବାଦ୍ୟ ଛନ୍ଦରେ ନୃତ୍ୟକରିବା, ନୃତ୍ୟ ପୂର୍ବରୁ ବାଦ୍ୟଯନ୍ତ୍ରକୁ ଛୁଇଁ ପ୍ରଣାମ କରିବା ଅଦ୍ୟାବଧି ଓଡ଼ିଶୀନୃତ୍ୟରେ ପ୍ରଚଳିତ । ମର୍ଦ୍ଦଳ ବା ଓଡ଼ିଶୀ ପଖାଓଜ୍ ଗୀତନୃତ୍ୟର ସହଯୋଗୀ ବାଦ୍ୟଯନ୍ତ୍ର ଭାବରେ ବହୁ ଯୁଗରୁ ପ୍ରଚଳିତ; ଉତ୍କଳୀୟ ସଙ୍ଗୀତ ଗ୍ରନ୍ଥଗୁଡ଼ିକରେ ଏହାର ନିର୍ମାଣ ବିଧି ପ୍ରସଙ୍ଗରେ ବହୁ ବର୍ଣ୍ଣନା ରହିଛି ।

 

ସପ୍ତଦଶ ଶତାବ୍ଦୀର କବି ଧନଞ୍ଜୟ ଭଞ୍ଜ ତାଙ୍କର ‘ଅନଙ୍ଗରେଖା’ କାବ୍ୟରେ ଯେଉଁ ନୃତ୍ୟର ବର୍ଣ୍ଣନା କରିଛନ୍ତି ତହିଁରୁ ରସଭାବ ସହିତ ନୃତ୍ୟଚର୍ଚ୍ଚାର ପ୍ରମାଣ ମିଳେ । ସେ ଲେଖିଛନ୍ତି –

 

“ରଙ୍ଗଭୂମି ସଙ୍ଗମାତ୍ର ଅହଂକୃତ କଲେ

ସଖା ଚକ୍ରଘେନି ଶତ୍ରପଦେ ନତ ହେଲେ ଯେ ।୭୧।

ଲଭିଲେ ଲଳନା ସକଳ

ନୃତ୍ୟ ଗୀତ ରସେ ଅତି ହୋଇଲେ ତରଳ ଯେ ।୭୨।

ଲଳିତେ ଲଳିତ ରାଗେ ସରାଗେ ବିହିଲେ

ଆରମ୍ଭିଲେ ଯୁବାଦମ୍ଭ ହୃଦୟ ଭେଦିଲେ ଯେ ।୭୩।

ବେଣୁ ବୀଣା କଂସାଳ ତାଳରବେ

ଏକ ସମୟ ନୃତ୍ୟହୁଏ ଗୀତରସ ଭାବେ ଯେ ।୭୪।

 

କିମ୍ବଦନ୍ତୀ ଅଛି, କବି ଭଞ୍ଜଙ୍କ ରାଜସଭାରେ ବହୁ ନର୍ତ୍ତକୀ ନିଯୁକ୍ତା ଥିଲେ ଏବଂ ସେମାନେ ନୃତ୍ୟସହିତ ତାଙ୍କର ରଚନାଗୁଡ଼ିକୁ ଅଭିନୟ କରୁଥିଲେ ।

 

ଅତିବଡ଼ି ଜଗନ୍ନାଥ ଦାସଙ୍କ କାଳରେ ଅର୍ଥାତ୍ ଖ୍ରୀଷ୍ଟୀୟ ଷୋଡ଼ଶ ଶତାବ୍ଦୀରେ ନଟ ସମ୍ପ୍ରଦାୟ କଥା ଉଲ୍ଲେଖ ଅଛି । ସମ୍ଭବତଃ ଏହି ସମ୍ପ୍ରଦାୟର ପେଶାଥିଲା ନୃତ୍ୟ ନାଟକାଦି ପ୍ରଦର୍ଶନ କରିବା । ତତ୍କାଳୀନ ସମାଜକୁ ଆମୋଦ ପ୍ରମୋଦ ଯୋଗାଇବା ପାଇଁ ଏମାନେ ନିଯୁକ୍ତ ଥିଲେ । ଶ୍ରୀମଦ୍ଭାଗବତରେ ଜଗନ୍ନାଥ ଦାସ ଏ ସମ୍ପର୍କରେ ଉଲ୍ଲେଖ କରିଛନ୍ତି –

 

ନଟଙ୍କ ମଧ୍ୟେ ଯେ ନାୟକ

ଯେସନେ ନାଟେ ମୋହେ ଲୋକ

ନାନା କାଛେଣି ସେ ଭିଆଇ

ନୃତ୍ୟକାରଙ୍କୁ ସେ ନଚାଇ

ଦେଖନ୍ତା ପ୍ରାଣୀ ମନ ମୋହେ

ନିଶ୍ଚେ ବିଚାରେ ସତ୍ୟ ନୋହେ ।୧୯।

(୧ମ ସ୍କନ୍ଧ, ଅଷ୍ଟମ ଅଧ୍ୟାୟ)

 

ପ୍ରଚଳିତ ନୃତ୍ୟକଳାର ବିଶେଷ ଲକ୍ଷଣ ସମ୍ପର୍କରେ ସାରଳା ମହାଭାରତ, ଦାଣ୍ଡି ରାମାୟଣ ବା ତତ୍‌କାଳୀନ ଓ ପରବର୍ତ୍ତୀ ଓଡ଼ିଆ ସାହିତ୍ୟରେ ବିଶେଷ ଉଲ୍ଲେଖ ଦେଖା ନ ଗଲେ ହେଁ, ଯେଉଁ କେତେକ ବର୍ଣ୍ଣନା ଦେଖାଯାଏ ତହିରୁ ସ୍ପଷ୍ଟ ପ୍ରମାଣିତ ହୁଏ ଯେ ନୃତ୍ୟକଳା ଶାସ୍ତ୍ରକୁ ଅନୁସରଣ କରୁଥିଲା । ଓଡ଼ିଆ ‘ହରିବଂଶ’ରେ ଇନ୍ଦ୍ରସଭାରେ ଅପସରାମାନଙ୍କ ନୃତ୍ୟ ସମ୍ପର୍କରେ ନିମ୍ନୋକ୍ତ ବର୍ଣ୍ଣନା ଦେଖାଯାଏ –

 

‘‘ସ୍ଵର୍ଗପୁରେ ବିଦ୍ୟାଧରୀ ବେଶଭୂଷା ହୋଇ

ସୁରପତିର ଛାମୁରେ ମିଳିଲେ ସେ ଯାଇଁ ।

ତାଳ କଂସାଳ ଝଞ୍ଜାଳ ଅଳାବେଣୀ ବୀଣା

ଅପାଙ୍ଗ ଅଧାମୃଦଙ୍ଗ ଯନ୍ତ୍ର ତନ୍ତ୍ରୀଜିଣା ।

ଚିତ୍ରସେନ ଗନ୍ଧର୍ବ ଯେ ତାଳ ଧରି ଗାଇ

ବିଶ୍ୱାବସୁ ଗନ୍ଧର୍ବ ଯେ ମୃଦଙ୍ଗ ଧରଇ ।

ତୁମ୍ଭରୁ ଗନ୍ଧର୍ବ ଧରି ତୁମ୍ଭରୁ ମର୍ଦ୍ଦଳ

ଅନଙ୍ଗସେନ ଗନ୍ଧର୍ବ କରେ କରତାଳ ।

ସୁରସେନ ଗନ୍ଧର୍ବ ଯେ କରେ ବେଣୀ (ବୀଣା) ବାଦ୍ୟ

ଜୟସେନ ଗନ୍ଧର୍ବର ଅଳାବେଣୀ ବାଦ୍ୟ ।

ବିଦ୍ୟାଧରୀମାନେ ତାଙ୍କ ସଙ୍ଗତେ ଆବୋରି

ମଣ୍ଡଳ ହୋଇଅଛନ୍ତି ଗୀତକୁ ଉଙ୍କାରି ।

ସାରି ଗା ମା ପା ଧା ନି ସା ସପ୍ତସ୍ୱର ରାଗ

ଚଞ୍ଚୁପୁଟ ଚାଞ୍ଚୁପୁଟ ଭେଦମୁଦ୍ରା ସଙ୍ଗ ।

ଛତିଶପଦ ଯେ ଭେଦ ଚଉଷଠି ଗତି

ଛୟାଣୋଇ ଚକ୍ରନୃତ୍ୟ ଚଉବନେ ମାତି ।

ଚୌସ୍ତରୀ ଚାହାଁଣୀ ଅଙ୍ଗଢାଳି ବୟାଳିଶି

ଅଠାଣୋଇ ଭଙ୍ଗଭଙ୍ଗୀ ମୁଦ୍ରା ଚୌରାଅଶି ।

ବତିଶ କଳା ସୁରତି ଧାତୁ ଯେ ପଚିଶ

ଛୟାଣୋଇ ତତ୍ତ୍ୱଗତ ମୁର୍ଚ୍ଛା ଏକୋଇଶ ।

ଚୌଷଠି କାଛେଣୀ ତାଳ ବାଟ ଯେ ବତିଶି

ଚଉଷଠି ବସାଣ ଯେ ତାନ ବୟାଅଶି ।”

 

ଉପର୍ଯ୍ୟୁକ୍ତ ବର୍ଣ୍ଣନାରେ ପଦଭେଦ, ଗତିଭେଦ; ଦୃଷ୍ଟିଭେଦ (ଚାହାଣୀ), ଅଙ୍ଗ, ଭଙ୍ଗୀ, ମୁଦ୍ରା ଇତ୍ୟାଦି ଶାସ୍ତ୍ରୀୟ ନୃତ୍ୟର ବିଜ୍ଞାନ । ତେଣୁ ଏସବୁ ପ୍ରମାଣ ଉପସ୍ଥାପିତ କରୁଛି ଯେ ସେ ସମୟର ନୃତ୍ୟ ଶାସ୍ତ୍ରକୁ ଅନୁସରଣ କରୁଥିଲା । କିନ୍ତୁ ଏଗୁଡ଼ିକର ସଂଖ୍ୟା ଯାହା ଦିଆଯାଇଛି ତାହା ନାଟ୍ୟଶାସ୍ତ୍ର, ସଙ୍ଗୀତ ରତ୍ନାକର ଓ ଅଭିନୟ ଦର୍ପଣ ଇତ୍ୟାଦି ଗ୍ରନ୍ଥରେ ବର୍ଣ୍ଣିତ ସଂଖ୍ୟାଠାରୁ ଯଥେଷ୍ଟ ଅଧିକ । ତେଣୁ ଏହା କେଉଁ ଶାସକୁ ଅନୁସରଣ କରୁଥିଲା ତାହା ଏହି ବର୍ଣ୍ଣନାରୁ ନିର୍ଣ୍ଣୟକରି ହୁଏ ନାହିଁ ।

 

ଅଧୁନା ଯେପରି ନୃତ୍ୟକଳା ସଭ୍ୟ ସମାଜରେ ଆଦର ଲାଭ କରିଛି ଓ ସମ୍ଭ୍ରାନ୍ତ ପରିବାରର କନ୍ୟାମାନେ ଏହାର ଚର୍ଚ୍ଚା କରୁଛନ୍ତି, ମଧ୍ୟଯୁଗୀୟ ସମାଜରେ କିନ୍ତୁ ଏହା ପ୍ରଚଳିତ ନଥିଲା । ସେ ଯୁଗରେ ନୃତ୍ୟଗୀତ ସମ୍ଭ୍ରାନ୍ତ ବଂଶର ବିଳାସ ସାମଗ୍ରୀ ଥିଲେ ହେଁ ଏଥିପାଇଁ ସ୍ୱତନ୍ତ୍ର ସମ୍ପ୍ରଦାୟ ନିଯୁକ୍ତ ଥିଲେ । ସେମାନେ ସାଧାରଣତଃ ନଟ (ପୁରୁଷ ନୃତ୍ୟ ଶିଳ୍ପୀ) ଓ ତାଙ୍କର ସ୍ତ୍ରୀ ବା ବେଶ୍ୟା ଥିଲେ । ସାରଳାଙ୍କ ମହାଭାରତ, ଦାଣ୍ଡି ରାମାୟଣ ଓ ଅନ୍ୟାନ୍ୟ ପ୍ରାଚୀନ ଓଡ଼ିଆ ଗ୍ରନ୍ଥଗୁଡ଼ିକରେ ଏହି ନଟ ଓ ବେଶ୍ୟାମାନଙ୍କର ଉଲ୍ଲେଖ ଦେଖାଯାଏ । କିନ୍ତୁ ଏହି ନଟ ଓ ନର୍ତ୍ତକୀ (ବେଶ୍ୟା)ମାନେ ସମାଜରେ ସମ୍ମାନ ଲାଭ କରୁ ନ ଥିଲେ । ଏହାର ପ୍ରମାଣ ‘ନୃସିଂହ ପୁରାଣ’ର ବର୍ଣ୍ଣନାରୁ ସ୍ପଷ୍ଟ ହୁଏ, ଯେଉଁଥିରେ ସରସ୍ୱତୀ ଓ ଲକ୍ଷ୍ମୀଙ୍କ କଳହ ସମ୍ପର୍କରେ କୁହାଯାଇଅଛି –

 

“ସାରଦା ବୋଇଲେ ଲକ୍ଷ୍ମୀ କହିଲ ତ ଭଲା

ମୋହର ବୀଣାବାଦ୍ୟକୁ ତୁମର କି ଗଲା ।

ନାଚିବା ବେଶ୍ୟାର ପ୍ରାୟେ ଦିଶୁଛି ତ ଜ୍ୟୋତି

କେଉଁ ନାଟୁଆର ତୁମ୍ଭେ ଅଟ ଗୋ ଯୁବତୀ ।

ବାଇବି ଗୋ ବୀଣା ମୁହିଁ ନାଚ ବେଢ଼ା ଚାରି

ଦେଖନ୍ତୁ ସ୍ୱାମୀ ମୋହର ଗଣିକାର ନାରୀ ।

(୨ୟ ରତ୍ନାକର)

 

ଆଉ ଏକ ସ୍ଥଳରେ କୁହାଯାଇଛି –

 

“ଆବରହିଁ ରାଜନୀତି କହୁଥାଇ ଶୁଣ

ନ କରିବ ନଟ ଦ୍ୟୂତ ବେଶ୍ୟା ସଙ୍ଗତେଣ”

 

ସାରଳା ଦାସଙ୍କ ମହାଭାରତରେ ଏମାନଙ୍କୁ ଅଶୁଭସୂଚକ ବୋଲି ବର୍ଣ୍ଣନା କରାଯାଇ କୁହାଯାଇଛି -

 

“ଯାତ୍ରାକାଳେ ଯେବେ ଚାହିଁବ ନଟ ମୁଖ

ଅବଶ୍ୟ କାର୍ଯ୍ୟହାନୀ ହୋଅଇ ପଦ୍ମ ମୁଖ ।”

 

ତେଣୁ ଏ ସମସ୍ତ ବର୍ଣ୍ଣନାରୁ ସ୍ପଷ୍ଟ ଅନୁମିତ ହୁଏ ଯେ ମଧ୍ୟଯୁଗରେ ନୃତ୍ୟ ଓ ନାଟ୍ୟ ପରିବେଷଣ କରୁଥିବା ନଟ ଓ ବେଶ୍ୟାମାନଙ୍କର ସ୍ଥାନ ସମାଜର ଉଚ୍ଚ ସ୍ତରରେ ନ ଥିଲା ।

 

ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଲୋକ ନୃତ୍ୟର ବର୍ଣ୍ଣନା ମଧ୍ୟ ସ୍ଵଳ୍ପ ପରିମାଣରେ ଦେଖାଯାଏ । ସାରଳା ମହାଭାରତରେ ଲୋକନୃତ୍ୟ ଭାବରେ ଖେମଟା ନୃତ୍ୟର ବିଶେଷ ଉଲ୍ଲେଖ ଦେଖାଯାଏ । ସଭାପର୍ବରେ ଗୋପଳମାନଙ୍କ ନୃତ୍ୟ ପ୍ରସଙ୍ଗରେ ବର୍ଣ୍ଣନା ଅଛି –

 

“ରାଜା ଆଜ୍ଞା ପାଇ କରି ସେ ଗୋପାଳମାନେ

ବହୁ ପ୍ରତିଜ୍ଞା କରିଣ ଧାଇଁଲେ ବହନେ ।

ପାଦରେ କଠାଉ ବେନି କରେ ଧରି ଯଷ୍ଟି

ମଥାରେ ଖୋଲରି କାଶ ଫୁଲଶର ଗୋଟି ।

ଗଳେ ଜବା ପୁଷ୍ପହାର ଗୁଞ୍ଜର ଲଲାଟି

ପ୍ରତିଜ୍ଞା କରି ଧାମନ୍ତି ଓଷ୍ଠ କରି ପୁଷ୍ଟି ।

କଡ଼ା ମର୍ଦ୍ଦଳ ଘୁମୁରା ବଜାଇ ବାଂଶରୀ

ମଦିରା ଭୋଳେ ଖେମଟା ନୃତ୍ୟ କରି କରି ।

ଅଣ୍ଟାରେ କାଛେଣି ଭିଡ଼ି ଘଣ୍ଟି ମାଳେ ମାଳେ

ଦାନ୍ତ ପ୍ରକଟି ବିହାର କରନ୍ତି ଗୋପାଳେ ।

ବୁଲାବନ୍ତି ଲଉଡ଼ିକୁ ଗୁଣି ଗୀତ ଗାଇ

ବଳଦେ ବଳଦେ ଚଢ଼ି ଆସନ୍ତି ଖତାଇ । (ପୃ୨୧୩)

 

ଅନ୍ୟାନ୍ୟ କେତେକ କାବ୍ୟରେ ଏହି ‘ଖେମଟା ନୃତ୍ୟ’ ବ୍ୟତୀତ ଅନ୍ୟ କୌଣସି ଲୋକନୃତ୍ୟର ବର୍ଣ୍ଣନା ଦୃଷ୍ଟି ଗୋଚର ହୁଏ ନାହିଁ ।

 

***